Categories
ଜାତୀୟ ଖବର ବିଶେଷ ଖବର

ସେନା ହେଲିକାପ୍ଟର ଦୁର୍ଘଟଣାରେ 14 ଜଣଙ୍କ ମଧ୍ୟରୁ 13 ଜଣଙ୍କ ମୃତ୍ୟୁ, ଜାଣନ୍ତୁ କଣ ଥିଲା ପୁରା ଘଟଣା

ନୂଆଦିଲ୍ଲୀ: ଜେନରାଲ ରାୱତକୁ ନେଇ ଯାଉଥିବା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ 13 ଜଣଙ୍କର ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି। ତେବେ ବିପିନ ରାୱାତଙ୍କ ଅବସ୍ଥା ସଂପର୍କରେ ଏ ପର୍ଯ୍ୟନ୍ତ କେହି ସ୍ପଷ୍ଟ କରିନାହାଁନ୍ତି।

ତାମିଲନାଡୁ ନୀଳଗିରି ଜିଲ୍ଲାର କଲେକ୍ଟରଙ୍କ ସୂଚନା ଅନୁସାରେ ଏଥିରେ ଯାତ୍ରା କରୁଥିବା 14 ଜଣଙ୍କ ମଧ୍ୟରୁ 13 ଜଣଙ୍କର ମୃତ୍ୟୁ ହୋଇଛି। 90 ପ୍ରତିଶତ ପୋଡିଯାଇଥିବା ଜଣେ ମାତ୍ର ବଞ୍ଚିଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଛି। ତେବେ ସେହି ବ୍ୟକ୍ତି କିଏ ସେ ତାହା ସ୍ପଷ୍ଟ ହୋଇ ନାହିଁ। ଜେନରାଲ ରାୱତଙ୍କ ଅବସ୍ଥା ମଧ୍ୟ ଅସ୍ପଷ୍ଟ ରହିଛି।

ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଭାନେ ମଧ୍ୟ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ ଦଶ ମିନିଟ ରହି ଫେରି ଆସିଥିଲେ।

ଦୁର୍ଘଟଣା ସଂପର୍କରେ କେମିତି ମିଳିଲା ଖବର

ତାମିଲନାଡୁର କୋଏମ୍ବାଟୁର ନିକଟ ସୁଲୁରର ବାୟୁସେନା ଘାଟିରୁ ଆଜି ସକାଳେ ଚପରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଉଦଗାମଣ୍ଡାଲମର ୱେଲିଙ୍ଗଟନ୍ ଅଭିମୁଖେ ଯାଉଥିଲା, ଯାହା ଓଟି ନାମରେ ମଧ୍ୟ ଜଣାଶୁଣା, ଯେଉଁଠାରେ ଏକ ପ୍ରତିରକ୍ଷା ସେବା ଷ୍ଟାଫ୍ କଲେଜ ଅବସ୍ଥିତ। ତାମିଲନାଡୁର ନୀଳଗିରି ପାହାଡରେ ଦିନ ପ୍ରାୟ 12.20 ମିନିଟରେ ବିପିନ ରାୱାତଙ୍କ ଏହି ହେଲିକାପ୍ଟର ଦୁର୍ଘଟଣା ହୋଇ ଭୂମିଷ୍ଠ ହୋଇଥିଲା।

ଏଥିରେ ମୋଟ 14 ଜଣ ଯାତ୍ରୀ ଥିଲେ। ସେଥିମଧ୍ୟରୁ ପାଞ୍ଚ ଜଣ କର୍ମଚାରୀ ଏବଂ ନଅ ଜଣ ଅଫିସର ଥିଲେ। ଜେନରାଲ ରାୱତ ଏହି ବିମାନରେ ଥିବାର ବାୟୁସେନା ସ୍ପଷ୍ଟ କରିଛି। ଏଥିସହିତ ତାଙ୍କ ପତ୍ନୀ ମଧ୍ୟ ତାଙ୍କ ସହିତ ଥିଲେ ବୋଲି ଜଣାପଡିଛି।

ଏହି ଦୁର୍ଘଟଣା ହେବା ପରେ ପ୍ରତିରକ୍ଷା ପ୍ରତିଷ୍ଠାନ ନିକଟସ୍ଥ କାଟେରୀର ଗ୍ରାମବାସୀମାନେ ପ୍ରଥମେ ଦେଖିଥିଲେ। ସେମାନେ ଦୁର୍ଘଟଣା ସଂପର୍କରେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ। ଫଳରେ ଜିଲ୍ଲା ପ୍ରଶାସନ କୋଏମ୍ବାଟୁର ଏବଂ ୱେଲିଙ୍ଗଟନ୍‌ରୁ ଆଠଟି ଆମ୍ବଲାନସ ଏବଂ ମେଡିକାଲ୍ ଟିମ୍ ଘଟଣାସ୍ଥଳରେ ମୁତୟନ କରିଥିଲେ।

ଦୁର୍ଘଟଣା ପରେ ପରେ ନୀଳଗିରି ଜିଲ୍ଲା କଲେକ୍ଟରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଉଦଗାଣ୍ଡାଲମର ଏକ ଡାକ୍ତରୀ ଦଳ ଏବଂ କୋଏମ୍ବାଟୁରର ବିଶେଷଜ୍ଞମାନଙ୍କୁ ମୁତୟନ କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ମଧ୍ୟ ସାହାଯ୍ୟ କରିଥିଲେ।

ଦୁର୍ଘଟଣାଗ୍ରସ୍ତ ସ୍ଥାନଟି ଏକ ଜଙ୍ଗଲ ଅଞ୍ଚଳରେ ଥିଲା। ଯାହା ଫଳରେ ଧ୍ୱଂସାବଶେଷକୁ ଠାବ କରିବା କଷ୍ଟକର ହୋଇ ପଡିଥିଲା। ଘଟଣାସ୍ଥଳରେ ହେଲିକାପ୍ଟରର ଖଣ୍ଡବିଖଣ୍ଡିତ ଅଂଶ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ କେତେକରେ ନିଆଁ ଲାଗି ପାହାଡ ଉପରେ ବିଛାଇ ହୋଇ ପଡି ଥିଲା।

ଉଦ୍ଧାରକାରୀମାନେ ଘନ ଧୂଆଁ ଏବଂ ନିଆଁ ମଧ୍ୟରେ ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ବ୍ୟାପାର ହୋଇଥିଲା। ବର୍ତ୍ତମାନ ଉଦ୍ଧାର ହୋଇଥିବା ଶବଗୁଡ଼ିକ ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। କାରଣ ଉଦ୍ଧାର ହୋଇଥିବା ବ୍ୟକ୍ତିମାନେ ଗୁରୁତର ଭାବେ ପୋଡି ଯାଇଛନ୍ତି।

ଦୁର୍ଘଟଣା ହୋଇଥିବା ଏହି ହେଲିକାପ୍ଟରଟି ହେଉଛି ମି ସିରିଜ୍ ମଡେଲର। ଏହା ହେଉଛି ଭାରତୀୟ ବାୟୁସେନାର ଏକ ସୁରକ୍ଷିତ ହେଲିକାପ୍ଟର ଯାହା ପ୍ରଧାନମନ୍ତ୍ରୀଙ୍କ ସମେତ ଭିଆଇପିମାନଙ୍କ ଗସ୍ତ ପାଇଁ ବ୍ୟବହାର କରାଯାଇଥାଏ।

Categories
ବିଶେଷ ଖବର

ବିରୋଧୀଙ୍କ ଲାଗି ନାଲି ଆଖି ହେଲେ ଶାସକ ଦଳକୁ ସଲାମ, ନିର୍ବାଚନ କମିଶନଙ୍କ ଅମେରୁଦଣ୍ଡୀ ଅବସ୍ଥା

କେଦାର ମିଶ୍ର

ଗତ ତିନିଦିନ ତଳେ ମାନ୍ୟବର ସୁପ୍ରିମ କୋର୍ଟ ଭାରତର ନିର୍ବାଚନ କମିଶନଙ୍କୁ ପଚାରିଥିଲେ ଯେ, ନିଜର କ୍ଷମତା ଓ ଶକ୍ତି ସମ୍ପର୍କରେ କମିଶନ କିଛି ଜାଣନ୍ତି ନା ନାହିଁ। ଏହାର ଉତ୍ତର ରଖି ନିର୍ବାଚନ କମିଶନଙ୍କ ଓକିଲ କହିଥିଲେ ଯେ, ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କଲେ, କମିଶନ କେବଳ ନୋଟିସ କରିପାରିବେ କିମ୍ବା ତାଗିଦ କରିପାରିବେ। ତେବେ ଏକଥା କହିବାର ମାତ୍ର କେଇ ଘଣ୍ଟା ଭିତରେ କମିଶନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବହୁଜନ ସମାଜ ପାର୍ଟି ର ମୁଖ୍ୟ ମାୟାବତୀ, କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ଓ ସମାଜବାଦୀ ପାର୍ଟି ନେତା ଆଜମ ଖାଁଙ୍କ ବିରୋଧରେ ଦୃଢ କାର୍ୟାନୁଷ୍ଠାନ ଗ୍ରହଣ କଲେ। ଉତ୍ତେଜକ ଭାଷଣ ଓ ନିର୍ବାଚନ ସଭାରେ ସେନା ବାହିନୀର ଅପବ୍ୟବହାର କରିବା କାରଣରୁ ଏହି ନେତାମାନଙ୍କର ନିର୍ବାଚନ ପ୍ରଚାର କରିବା ଉପରେ ସାମୟିକ ପ୍ରତିବନ୍ଧକ ଲଗାଗଲା। ଏ ପ୍ରକାର କାର୍ୟାନୁଷ୍ଠାନ ଯଦିଓ ଯଥେଷ୍ଟ ନୁହେଁ, ତେବେ ଏହା କିଛିଟା ଶକ୍ତ ସଙ୍କେତ ଦେଇଥିଲା। ନିର୍ବାଚନ କମିଶନ ଯେ ପୂରା ଅମେରୁଦଣ୍ଡୀ ନୁହନ୍ତି, ସେକଥା ବିଶ୍ବାସକୁ ଆସିଥିଲା। ତେବେ ଏହାର ୨୪ ଘଣ୍ଟା ପରେ ନିର୍ବାଚନ କମିଶନ ପୁଣିଥରେ ନିଜର “ନିଦାବିଷ୍ଣୁ” ଅବତାରକୁ ଫେରି ଯାଇଛନ୍ତି।

ଇତି ମଧ୍ୟରେ ଏମିତି କିଛି ଘଟନା ଘଟିଛି, ଯାହାକି ନିର୍ବାଚନ କମିଶନଙ୍କ ଅସହାୟତାକୁ ପଦାରେ ପକାଇ ଦେଇଛି। ଗତ ୧୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସିଥିବାବେଳେ ତାଙ୍କ ହେଲିକପ୍ଟରକୁ ସମ୍ବଲପୁରର ନିର୍ବାଚନ ପର୍ଯ୍ୟବେକ୍ଷକ  ମହମ୍ମଦ ମହସିନ ଯାଞ୍ଚ କରିଥିଲେ। ଏହାର ପରିଣତି ସ୍ଵରୂପ ଶ୍ରୀ ମହସିନଙ୍କୁ  କାର୍ୟରୁ ନିଲମ୍ବିତ କରାଯାଇଛି। ଏଠି ବୁଝା ପଡୁନାହିଁ, ଶ୍ରୀ ମହସିନ କି ଅପରାଧ କଲେ ଯେ ତାଙ୍କୁ ନିର୍ବାଚନ କମିଶନ ନିଲମ୍ବିତ କଲେ? ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଜଣେ ଦଳୀୟ ପଦାଧିକାରୀ ଓ ତାଙ୍କୁ ଅନ୍ୟ ଦଳର ପ୍ରତିଯୋଗୀଙ୍କ ସହିତ ସମାନ ବ୍ୟବହାର ନିର୍ବାଚନ କମିଶନ ପ୍ରଦର୍ଶନ କରିବା କଥା। ତାହା ନକରି, ନିଷ୍ଠାପର ଭାବରେ କାର୍ୟ ସମ୍ପାଦନ କରିଥିବା ଜଣେ ଅଧିକାରୀଙ୍କୁ ଦଣ୍ଡିତ କରିବା, ନିର୍ବାଚନ କମିଶନଙ୍କ ଭିତିରି ଉଦ୍ଦେଶ୍ୟ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଖୋଦ ପ୍ରଧାନମନ୍ତ୍ରୀ ନିୟମିତ ଭାବରେ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିଲେ ମଧ୍ୟ, ତାଙ୍କୁ ନୋଟିସ ପଠାଇବାର ସାହସ କମିଶନ ପାଖରେ ନାହିଁ। ବାରଂବାର ସେନା ବାହିନୀ ଓ ବୈଦେଶିକ ନୀତିକୁ ଆକାରଣରେ ନିର୍ବାଚନୀ ସଭାମାନଙ୍କରେ ରଖୁଥିବା ଓ ଅନେକ ସମୟରେ ଅରୁଚିକର ବ୍ୟକ୍ତିଗତ ଟିପ୍ପଣୀ ରଖୁଥିବା ନରେନ୍ଦ୍ର ମୋଦୀଙ୍କୁ କମିଶନ ପ୍ରାଣରେ ଭୟ କରୁଥିଲା ପରି ମନେ ହେଉଛି। ପ୍ରଧାନମନ୍ତ୍ରୀ କାର୍ୟାଳୟ ର ଆପତ୍ତି କ୍ରମେ ଜଣେ ପର୍ୟବେକ୍ଷକଙ୍କ ଉପରେ ଅବାନ୍ତର କାର୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ କମିଶନ ପ୍ରମାଣିତ କରିଦେଇଛନ୍ତି ଯେ, ସେମାନେ କେବଳ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ରହି କାମ କରୁଛନ୍ତି। ଏମିତି ଏକ ପରାଧୀନ କମିଶନ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କରିପାରିବ ବୋଲି ଆମେ ସାଧାରଣ ନାଗରିକ ମାନେ ବିଶ୍ଵାସ କରିବୁ କେମିତି ?

ଇତି ମଧ୍ୟରେ ଆହୁରି ଦୁଇଟି ଘଟନା ମଧ୍ୟ ସାମନାକୁ ଆସିଛି। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଯାଞ୍ଚ କରିବାକୁ ନିର୍ବାଚନ କମିଶନଙ୍କ ପର୍ୟବେକ୍ଷକ ଆସିବାରୁ ଶ୍ରୀ ପ୍ରଧାନ ଉପସ୍ଥିତ ଅଧିକାରୀ ଓ ପୋଲିସଙ୍କୁ ଅତି କଦର୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅପମାନିତ କରିଥିବା କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏଯାଏ ନିର୍ବାଚନ କମିଶନ ନୀରବ ରହିଛନ୍ତି। ଅପରପକ୍ଷରେ ଆଜି ହଠାତ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ଵାମୀ ଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁଟକେଶକୁ ମଧ୍ୟ ଖୋଲିକି ତନ୍ନ ତନ୍ନ ଭାବରେ ଯାଞ୍ଚ କରାଯାଇଛି। ନବୀନ ବାବୁ ଅତ୍ୟନ୍ତ ସ୍ଥିର ଭାବରେ ଏହି ତଦନ୍ତରେ ସହାୟତା କରିଥିଲେ, କିନ୍ତୁ ତାର ଠିକ ବିପରୀତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରକାରୀ ଅଧିକାରୀମାନଙ୍କୁ ଖୋଲାଖୋଲି ଧମକ ଦେବା ସହିତ ସେମାନଙ୍କୁ ଅପମାନିତ କରିଥିଲେ। ଏହି ନିର୍ବାଚନ ସମୟରେ ଅନେକ ସ୍ଥଳରେ ଧର୍ମେନ୍ଦ୍ର ପ୍ରଧାନ ସରକାରୀ ଅଧିକାରୀ ଓ ପୋଲିସକୁ ଖୋଲାଖୋଲି ଧମକ ଦେଉଥିଲେ ମଧ୍ୟ ତାଙ୍କ ବିରୋଧରେ ନିର୍ବାଚନ ଅଧିକାରୀ କାର୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ବିରୋଧୀ ଦଳର ନେତା ଓ ମୁଖ୍ୟମନ୍ତ୍ରୀମାନଙ୍କ ଉପରେ ହାକିମାତି ଦେଖାଉଥିବା ନିର୍ବାଚନ କମିଶନ ବିଜେପି ପ୍ରତି ଏତେ କୋହଳ କାହିଁକି? ଆଜି ପର୍ୟନ୍ତ ସବୁ ପ୍ରମୁଖ ବିରୋଧୀ ନେତାଙ୍କ ଉପରେ ନିର୍ବାଚନ କମିଶନ ଓ ଆୟକର ବିଭାଗ ଚଢାଉ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତିଙ୍କ ପ୍ରତି କମିଶନଙ୍କ ମାତ୍ରାଧିକ ଭୟ ରହିଛି କି ?

ଯଦି ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ କମିଶନଙ୍କ ଯାଞ୍ଚର ସମ୍ମୁଖୀନ ହେବେ, ତାହେଲେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯିବ ନାହିଁ କାହିଁକି ? ବିଜେପି ସଭାପତି ଅମିତ ଶାହଙ୍କ ହେଲିକପ୍ଟର କେତେଥର ଯାଞ୍ଚ ହେଲାଣି ? କେନ୍ଦ୍ରମନ୍ତ୍ରୀମାନେ ଯାଞ୍ଚକାରୀ ଅଧିକାରୀଙ୍କୁ ଧମକ ଦେଉଥିବାବେଳେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଦାୟର ହେଉନାହିଁ କାହିଁକି?

ପ୍ରଥମଥର ଲାଗି ଆମ ଦେଶରେ ନିର୍ବାଚନ କମିଶନ ସବୁଠୁ ଡରୁଆ ଓ ମାନ୍ଦା ଲାଗୁଛନ୍ତି। ବୋଧେ ଏ ଦେଶର ନିର୍ବାଚନ ସମୟରେ ସବୁଠୁ ଶକ୍ତିଶାଳୀ ହେବାର କ୍ଷମତା ରଖିଥିବା ନିର୍ବାଚନ କମିଶନ ନିଜ କ୍ଷମତା ବିଷୟରେ ସଚେତନ ଇ ନୁହନ୍ତି!