Categories
ଆଜିର ଖବର ରାଜ୍ୟ ଖବର

ଦେଶୀ ପାଣି ପମ୍ପ ନିର୍ମାଣ କରି ଚର୍ଚ୍ଚାରେ ଖଞ୍ଜ ନେତ୍ର

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଦୃଢ ଇଚ୍ଛା ଶକ୍ତିଥିଲେ ଉପାୟ ଆପେ ଆସେ। ସେହିପରି କଳାହାଣ୍ଡିର ଜଣେ ଯୁବ ଚାଷୀ ତାଙ୍କର ଇଚ୍ଛାଶକ୍ତି ଓ ଦୃଢ ମନୋବଳ ହିଁ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିବା ଜଣାପଡିଛି। କଳାହାଣ୍ଡିର ଜଣେ ଯୁବ ଚାଷୀ ନିଜର ଜ୍ଞାନକୌଶଳ ବଳରେ ଚାଷ ଜମିରେ ପାଣି ଯୋଗଇବା ପାଇଁ ବିନା ବିଦ୍ୟୁତ ଓ ବିନା ମେସିନ ସାହାଯ୍ୟରେ ଦେଶୀ ବାମ୍ଫ ପାଣି ଉଠା ଯନ୍ତ୍ର ନିର୍ମାଣ କରି ଲୋକଙ୍କ ପ୍ରେରଣା ସାଜିଥିବା ଜଣାପଡିଛି।

ଜୟପାଟଣା ବ୍ଲକ ଅନ୍ତର୍ଗତ ରଜାମୁଣ୍ଡା ଗାଁର ଯୁବକ ଖଞ୍ଜ ନେତ୍ର ଆର୍ଥିକ ସମସ୍ୟା ହେତୁ ନିଜ ଚାଷ ଜମିରେ ପାଣି ମଡାଇ ପାରୁନଥିଲେ। ନିକଟରେ ପାଣି ନାଳ ଥିଲେହେଁ ନିଜ ଜମିରେ ପାଣି ମଡାପାରୁନଥିବା ହେତୁ ଖଞ୍ଜନେତ୍ର ଅତ୍ୟନ୍ତ ଚିନ୍ତାରେ ଥିଲେ। ଜଳ ସମସ୍ୟା ଖଞ୍ଜନେତ୍ରଙ୍କୁ କବଳିତ କରିଦେଉଥିବା ବେଳେ କିଛି ନୂଆ କରିଦେଖାଇବା ପାଇଁ ଚିନ୍ତାମଗ୍ନ ଥିଲେ।

ପ୍ରଥମେ ଏକ ସାଇକେଲ ରିମ ନେଇ ପାଣି ଉଠାଯନ୍ତ୍ର ନିର୍ମାଣ କରି ସଫଳ ହେବାପରେ ବଡ ଆକାରରେ ବାଉଁଶକୁ ସାଇକେଲ ରିମ ଭଲି ନିର୍ମାଣ କରି ପୁରୁଣା ଟିଣ ଚାଦର, ପୁରୁଣା ପାଣି ବୋତଲ, ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ଦେଶୀ ପାଣି ଉଠା ଯନ୍ତ୍ର ତିଆରି ନିକଟସ୍ଥ ପାଣି ନାଳରେ ଲଗାଇ ନିଜ ଚାଷ ଜମିରେ ପାଣି ମଡାଉଥିବା ଜଣାପଡିଛି। ପବନ ବେଗରେ ଏହି ପାଣି ଉଠାଣ ଯନ୍ତ୍ର ଘୁରୁଥିବା ବେଳେ ପାଣି ଉଠାଇ ଜମିରେ ଜଳସେଚନ ହେଉଥିବା ଦେଖାଯାଉଛି। ଗତ ତିନି ମାସ ମଧ୍ୟରେ ଏହି ପାଣି ଉଠା ଯନ୍ତ୍ର ଦ୍ୱାରା ଏକ ଏକର ଜମିରେ ଭଲଭାବେ ପାଣି ମଡାଇ ହେଉଥିବା କହୁଛନ୍ତି ଖଞ୍ଜନେତ୍ର। ଏଥରପାଇଁ ସରକାରୀ ସ୍ତରରେ କୌଣସି ସୁବିଧା ସହାୟତା ମିଳିନଥିବା ପ୍ରତିକ୍ରୀୟା ରଖିଛନ୍ତି ଖଞ୍ଜନେତ୍ର।