Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କବାଦୀ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅବନ୍ତିପୋରା ଠାରେ ତିନି ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କୁ ହତ୍ୟା କରିବା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଆତଙ୍କବାଦୀଙ୍କ ଲୁଚିବା ବିଷୟରେ ସୁରକ୍ଷା ବାହିନୀ ସୂଚନା ପାଇବା ମାତ୍ରେ ତୁରନ୍ତ ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା। ପରେ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ଆତ୍ମସମର୍ପଣ କରିବାକୁ ନିବେଦନ କରିଥିଲେ ମଧ୍ୟ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀ ତୁରନ୍ତ ସାମ୍ନାକୁ ଆସି ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜବାବ ଦେବା ଆରମ୍ଭ କରିଥିଲେ। ଫଳରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

ଏହି ଏନକାଉଣ୍ଟରରେ ନିହତ ହୋଇଥିବା ତିନି ଆତଙ୍କବାଦୀ ଜୈଶର କମାଣ୍ଡର ବୋଲି କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ। ଏହି ଘଟଣା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏହାପୂର୍ବରୁ ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଶିକ୍ଷା ବିଭାଗର କର୍ମଚାରୀଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲେ। ଏହି ଦୁଃଖଦ ଘଟଣାଟି ତ୍ରାଲ ଅଞ୍ଚଳରେ ହୋଇଥିଲା। ଆତଙ୍କବାଦୀମାନେ ରାତି ପ୍ରାୟ ସାଢେ ୯ ଟା ବେଳେ ଲୁରଗାମର ୩୫ ବର୍ଷିୟ ଜାଭେଦ୍ ଅହମ୍ମଦଙ୍କ ଘରେ ଗୁଳି କରି ଫେରାର ହୋଇଯାଇଥିଲେ।

ସେହିଦିନ ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ଦୁଇ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଦୁଇ ଆତଙ୍କବାଦୀଙ୍କ ଉପରେ ସାଧାରଣ ନାଗରିକଙ୍କୁ ହତ୍ୟାରେ ସମ୍ପୃକ୍ତ ଅଭିଯୋଗ ହୋଇଥିଲେ।