Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବୃଦ୍ଧି ପାଉଥିବା କୋଭିଡ୍- ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥିତି ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ପ୍ରସ୍ତୁତି ସମୀକ୍ଷା

ନୂଆଦିଲ୍ଲୀ: ନିକଟରେ କେତେକ ରାଜ୍ୟରେ କୋଭିଡ୍ – ୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତରେ କୋଭିଡ୍ – ୧୯ ସ୍ଥିତି ଏବଂ କୋଭିଡ୍ – ୧୯ ର ତଦାରଖ, ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଅଧ୍ୟକ୍ଷତା କରିଛନ୍ତି। ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ୍‌. ପି. ସିଂହ ବାଘେଲ ଏବଂ ଡାକ୍ତର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡାକ୍ତର ଭି. କେ. ପଲ୍ ମଧ୍ୟ ଉପସ୍ଥିତ ଥିଲେ।

ଏହି ବୈଠକରେ ଯୋଗ ଦେଇଥିବା ରାଜ୍ୟର ମନ୍ତ୍ରୀ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ (ଆରୁଣାଚଳ ପ୍ରଦେଶ) ଶ୍ରୀ ଆଲୋ ଲିବାଙ୍ଗ; ଶ୍ରୀ ବ୍ରଜେଶ ପାଠକ, ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ (ଉତ୍ତର ପ୍ରଦେଶ); ସ୍ୱାସ୍ଥ୍ୟ ମନ୍ତ୍ରୀ (ଉତ୍ତରାଖଣ୍ଡ) ଶ୍ରୀ ଧନ ସିଂହ ରାୱତ ଶାରୀରିକ ଭାବେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଦିନେଶ ଗୁଣ୍ଡୁ ରାଓ, ସ୍ୱାସ୍ଥ୍ୟ ମନ୍ତ୍ରୀ (କର୍ଣ୍ଣାଟକ); ଶ୍ରୀ ଅନୀଲ ଭିଜ୍‌, ସ୍ୱାସ୍ଥ୍ୟ ମନ୍ତ୍ରୀ (ହରିୟାଣା); ଶ୍ରୀମତୀ ବୀଣା ଜର୍ଜ, ସ୍ୱାସ୍ଥ୍ୟ ମନ୍ତ୍ରୀ (କେରଳ), ଶ୍ରୀ ବିଶ୍ୱଜିତ ପ୍ରତାପ ସିଂହ ରାଣେ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଗୋଆ); କେଶବ ମହାନ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ (ଆସାମ), ଶ୍ରୀ ବନ୍ନା ଗୁପ୍ତା, ସ୍ୱାସ୍ଥ୍ୟ ମନ୍ତ୍ରୀ (ଝାଡ଼ଖଣ୍ଡ); ବଲବୀର ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ (ପଞ୍ଜାବ); ଶ୍ରୀ ସୌରଭ ଭରଦ୍ୱାଜ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଦିଲ୍ଲୀ);  ଡଃ (କର୍ଣ୍ଣେଲ) ଧନୀ ରାମ ଶାଣ୍ଡିଲ, ସ୍ୱାସ୍ଥ୍ୟ ମନ୍ତ୍ରୀ (ହିମାଚଳ ପ୍ରଦେଶ); ତାନାଜୀରାଓ ସାୱନ୍ତ, ସ୍ୱାସ୍ଥ୍ୟ ମନ୍ତ୍ରୀ (ମହାରାଷ୍ଟ୍ର); ଶ୍ରୀ ଦାମୋଦର ରାଜ ନରସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ (ତେଲଙ୍ଗାନା); ଡାକ୍ତର ସପମ ରଞ୍ଜନ, ସ୍ୱାସ୍ଥ୍ୟ ମନ୍ତ୍ରୀ (ମଣିପୁର); ନିରଞ୍ଜନ ପୁଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଓଡ଼ିଶା); ଶ୍ରୀ ରଙ୍ଗାସ୍ୱାମୀ, ପ୍ରଶାସକ (ପୁଡୁଚେରୀ); ଉପସ୍ଥିତ ଥିଲେ ।

ଚୀନ୍‌, ବ୍ରାଜିଲ, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିଶ୍ୱର କେତେକ ଦେଶରେ କୋଭିଡ୍ – ୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୃଷ୍ଟି ହୋଇଥିବା ଆହ୍ୱାନ ଉପରେ ଆଲୋକପାତ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କୋଭିଡ୍ – ୧୯ର ନୂତନ ଏବଂ ସୃଷ୍ଟି ହେଉଥିବା ଷ୍ଟ୍ରେନ୍‌ର ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବା ଏବଂ ସତର୍କ ରହିବାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । କୋଭିଡ୍ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ ବୋଲି ଦର୍ଶାଇ ସେ ରାଜ୍ୟ ଗୁଡ଼ିକୁ ଉପଯୁକ୍ତ ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟା ଯୋଜନା କରିବା ପାଇଁ ନୂଆ କରି ସାମନାକୁ ଆସୁଥିବା କୋଭିଡ୍ – ୧୯ ମାମଲା, ଏ ସମ୍ପର୍କିତ ଲକ୍ଷଣ ଏବଂ ଗମ୍ଭୀରତା ଉପରେ ନଜର ରଖିବାକୁ ଅନୁରୋଧ କରିଥିଲେ ।

ଡ. ମାଣ୍ଡଭିୟ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଦେଶରେ ପ୍ରସାରିତ ହେଉଥିବା ନୂଆ ଭାରିଏଣ୍ଟକୁ ଠିକ୍ ସମୟରେ ଚିହ୍ନଟ କରିବା ପାଇଁ ଭାରତୀୟ ସାର୍ସ – କୋଭ୍ – ୨ ଜିନୋମିକ୍ସ କନସୋର୍ଟିୟମ୍ (ଆଇଏନ୍‌ଏସ୍‌ଏସିଓଜି) ନେଟୱାର୍କ ଜରିଆରେ ପଜିଟିଭ୍ କେସ୍ ନମୁନାର ସମ୍ପୂର୍ଣ୍ଣ ଜିନୋମ୍ ସିକ୍ୱେନ୍ସିଂ ପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଉପଯୁକ୍ତ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍ ସମୟରେ କାର୍ଯ୍ୟକାରୀ ହୋଇ ପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି । କୋଭିଡ୍ – ୧୯ ପଜିଟିଭ୍ ଓ ନିମୋନିଆ ଭଳି ରୋଗର ବହୁ ସଂଖ୍ୟକ ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରିବା ଏବଂ ଦୈନିକ ଅଧିକ ସଂଖ୍ୟକ କୋଭିଡ୍ – ୧୯ ପଜିଟିଭ୍ ମାମଲା ଏବଂ ନିମୋନିଆ ଭଳି ରୋଗର ନମୁନାକୁ ଆଇଏନ୍‌ଏସ୍‌ଏସିଓଜି ଜିନୋମ୍ ସିକ୍ୱେନ୍ସିଂ ଲାବୋରେଟୋରି (ଆଇଜିଏସ୍‌ଏଲ୍‌) କୁ ପଠାଇବା ପାଇଁ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଅନୁରୋଧ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟକୁ ସତର୍କ ରହିବା, ତଦାରଖ ବ୍ୟବସ୍ଥାକୁ ବୃଦ୍ଧି କରିବା ଏବଂ ପର୍ଯ୍ୟାପ୍ତ ପରିମାଣର ଔଷଧ, ଅକ୍ସିଜେନ ସିଲିଣ୍ଡର ଏବଂ କନ୍‌ସେଣ୍ଟ୍ରେଟର, ଭେଣ୍ଟିଲେଟର ଏବଂ ଟିକା ମହଜୁଦ ରଖିବାକୁ ଅନୁରୋଧ କରିଥିଲେ । ଏହା ସହ ପିଏସ୍‌ଏ ପ୍ଲାଣ୍ଟ, ଅକ୍ସିଜେନ କନସେଣ୍ଟ୍ରେଟର ଏବଂ ସିଲିଣ୍ଡର, ଭେଣ୍ଟିଲେଟର ଇତ୍ୟାଦିର କାର୍ଯ୍ୟକାରିତା ଆକଳନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପ୍ରତି ତିନି ମାସରେ ମକ୍ ଡ୍ରିଲ୍ କରିବାକୁ ଅଧିକାରୀ ମାନଙ୍କୁ କହିଥିଲେ ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବାକୁ ପ୍ରୋତ୍ସାହିତ କରିଥିଲେ । ଶ୍ୱାସକ୍ରିୟା ପରିଚ୍ଛନ୍ନତା ଉପରେ ସଚେତନତା ସୃଷ୍ଟି କରିବା ଏବଂ ତଥ୍ୟଗତ ସଠିକ୍ ସୂଚନା ପ୍ରସାରଣ ସୁନିଶ୍ଚିତ କରିବା ଏବଂ ମିଥ୍ୟା ଖବରର ମୁକାବିଲା କରିବା ପାଇଁ ସେ ରାଜ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ କୋଭିଡ୍ ପୋର୍ଟାଲରେ ବାସ୍ତବ ସମୟରେ ମାମଲା, ପରୀକ୍ଷା, ପଜିଟିଭିଟି ଇତ୍ୟାଦି ବିଷୟରେ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ରାଜ୍ୟ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏକ ଉପସ୍ଥାପନା ମାଧ୍ୟମରେ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଶ୍ରୀ ସୁଧାଂଶ ପନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବିଶ୍ୱ କୋଭିଡ୍ ୧୯ର ସ୍ଥିତି ଏବଂ ଘରୋଇ ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ । ବିଶ୍ୱ ସ୍ଥିତି ତୁଳନାରେ ଭାରତରେ ସକ୍ରିୟ କୋଭିଡ୍ ମାମଲା ଯଥେଷ୍ଟ କମ୍ ଥିବା ବେଳେ ଗତ ଦୁଇ ସପ୍ତାହ ମଧ୍ୟରେ ସକ୍ରିୟ ମାମଲା ୬ ଡିସେମ୍ବର ୨୦୨୩ ରେ ୧୧୫ ଥିବା ବେଳେ ଆଜି ସୁଦ୍ଧା ୬୧୪କୁ ବୃଦ୍ଧି ପାଇଛି । ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ୯୨.୮% ମାମଲା ହୋମ୍ ଆଇସୋଲେସନରେ ରହିଛି, ଯାହା ସାମାନ୍ୟ ଅସୁସ୍ଥତାକୁ ସୂଚାଉଛି । କୋଭିଡ୍ – ୧୯ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବା ହାରରେ କୌଣସି ବୃଦ୍ଧି ପରିଲକ୍ଷିତ ହୋଇ ନାହିଁ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମାମଲା ଗୁଡିକ ଅନ୍ୟାନ୍ୟ କାରଣରୁ ହୋଇଥାଏ – କୋଭିଡ୍ -୧୯ ଏକ ଆନୁଷଙ୍ଗିକ ଅନୁସନ୍ଧାନ । କେରଳ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ କର୍ଣ୍ଣାଟକ ଭଳି କିଛି ରାଜ୍ୟରେ ଦୈନିକ କୋଭିଡ୍ – ୧୯ ପଜିଟିଭିଟି ହାର ବୃଦ୍ଧି ପାଇଛି ।

ସାର୍ସ – କୋଭ୍ – ୨ର ନୂଆ ଜେଏନ୍‌. ୧ ଭାରିଆଣ୍ଟ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା ଯେ ଏହି ଭାରିଏଣ୍ଟ ବର୍ତ୍ତମାନ ତୀବ୍ର ବୈଜ୍ଞାନିକ ଯାଞ୍ଚ ରେ ଅଛି, କିନ୍ତୁ ଏହା ତ୍ୱରିତ ଚିନ୍ତାର କାରଣ ନୁହେଁ । ଜେଏନ୍‌. ୧ କାରଣରୁ ଭାରତରେ କୌଣସି କ୍ଲଷ୍ଟରିଂ ମାମଲା ଦେଖିବାକୁ ମିଳିନାହିଁ ଏବଂ ସମସ୍ତ ମାମଲା ସାମାନ୍ୟ ବୋଲି ଜଣାପଡିଛି ଏବଂ ସେମାନେ ସମସ୍ତେ ବିନା କୌଣସି ଜଟିଳତାରେ ସୁସ୍ଥ ହୋଇଛନ୍ତି ।

ଡାକ୍ତର ଭି. କେ. ପଲ୍ କୋଭିଡ୍ ସଂକ୍ରମଣ ବୃଦ୍ଧି ଏବଂ ଏକ ନୂତନ ଭାରିଆଣ୍ଟର ଆବିର୍ଭାବ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟର ଆବଶ୍ୟକତାକୁ ଦୋହରାଇ ଥିଲେ । ସେ ସୂଚନା ଦେଇଛନ୍ତି ଯେ ଭାରତରେ ବୈଜ୍ଞାନିକ ସମୁଦାୟ ଏହି ନୂତନ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ଅନୁସନ୍ଧାନ କରୁଛନ୍ତି କିନ୍ତୁ ରାଜ୍ୟ ଗୁଡ଼ିକ ପରୀକ୍ଷାକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କର ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ ତଥା ଆଇସିଏମ୍‌ଆର୍‌ର ଡିଜି ଡାକ୍ତର ରାଜୀବ ବହଲ ସୂଚନା ଦେଇଛନ୍ତି ଯେ ଆଇସିଏମ୍‌ଆର୍ ବର୍ତ୍ତମାନ ନୂତନ ଜେଏନ୍‌. ୧ ଭାରିଆଣ୍ଟର ଜିନୋମ ସିକ୍ୱେନ୍ସିଂ ଉପରେ କାମ କରୁଛି । କୋଭିଡ୍ – ୧୯ ସ୍ଥିତି ଉପରେ ନଜର ରଖିବା ଏବଂ ଆରଟି – ପିସିଆର ପରୀକ୍ଷା ବଢ଼ାଇବାକୁ ସେ ରାଜ୍ୟ ଗୁଡ଼ିକୁ ଅନୁରୋଧ କରିଥିଲେ ମଧ୍ୟ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ କେନ୍ଦ୍ରରୁ ମିଳିଥିବା ସହାୟତା ଏବଂ ମାର୍ଗଦର୍ଶନକୁ ପ୍ରଶଂସା କରିଛନ୍ତି । କେତେକ ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷଣ ଓ ନିୟନ୍ତ୍ରଣ  ବ୍ୟବସ୍ଥା ବଢ଼ାଇବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।

ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀମତୀ ଏଲ୍ ଏସ୍ ଚାଙ୍ଗସାନ୍‌; ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଏବଂ ଏନସିଡିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଯକ୍ଷ୍ମା ରୋଗ ପାଇଁ ନିଜସ୍ୱ କୌଶଳ ବିକାଶ କରିଥିବା ଭାରତ ବିଶ୍ୱର ଏକମାତ୍ର ଦେଶ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଜେନେଭା ଠାରେ ଅନୁଷ୍ଠିତ ୭୬ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭା ସମୟରେ ଯକ୍ଷ୍ମା (ଟିବି) ଉପରେ ଏକ କ୍ୱାଡ୍ ପ୍ଲସ୍ ସାଇଡ୍ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ୱାଡ୍ ପ୍ଲସ୍ ଦେଶ ଗୁଡିକରୁ ବିଶିଷ୍ଟ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା, ଯାହା ଯକ୍ଷ୍ମା ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା ପାଇଁ ପ୍ରତିବଦ୍ଧତାକୁ ମଜଭୁତ କରିଥଲା ।

 

ଯକ୍ଷ୍ମା ମହାମାରୀ ଉପରେ ଭାରତର ସକ୍ରିୟ ପ୍ରତିକ୍ରିୟା ଉପରେ ଆଲୋକପାତ କରି ଡଃ ମାଣ୍ଡଭିୟ କହିଛନ୍ତି, “ଚଳିତ ବର୍ଷ ଆମେ ଭାରତରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରିଥିଲୁ , ଯେଉଁଥିରେ ବାଧ୍ୟତାମୂଳକ ଭାବେ ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟର ଲୋକାଚାର ଉପରେ ଆଲୋକପାତ କରା ଯାଇଥିଲା, ଯାହା ଉପରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ ବିଶ୍ୱାସ କରନ୍ତି । ” ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯିଏକି ଏହାର ଯକ୍ଷ୍ମା ଭାରର ଆକଳନ ପାଇଁ ନିଜସ୍ୱ କୌଶଳ ବିକଶିତ କରିଛି । ସ୍ଥାନୀୟ ପ୍ରମାଣ ଉପରେ ଆଧାର କରି ଏକ ଗାଣିତିକ ମଡେଲ ବ୍ୟବହାର କରି ଭାରତ ବାର୍ଷିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ପୂର୍ବରୁ ଏହି ରୋଗର ପ୍ରକୃତ ଭାରର ସଠିକ୍ ନିର୍ଣ୍ଣୟ କରି ପାରିବ ।

ଯକ୍ଷ୍ମା ସମାପ୍ତି ଦିଗରେ ସାମୂହିକ ଅଗ୍ରଗତିର ମୂଲ୍ୟାଙ୍କନ କରିବାର ସୁଯୋଗ ଭାବରେ ଡକ୍ଟର ମାଣ୍ଡଭିୟ ଯକ୍ଷ୍ମା ଉପରେ ଆଗାମୀ ଜାତିସଂଘ ଉଚ୍ଚ ସ୍ତରୀୟ ବୈଠକ (ୟୁଏନ୍‌ଏଚ୍‌ଏଲ୍‌ଏଏମ୍‌) ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ବୈଶ୍ୱିକ ନିରନ୍ତର ବିକାଶ ଲକ୍ଷ୍ୟର ପାଞ୍ଚ ବର୍ଷ ପୂର୍ବରୁ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ଦୂର କରିବାକୁ ଭାରତ ଯେଉଁ ଚେଷ୍ଟା କରୁଛି ସେହି ଉତ୍ସର୍ଗକୁ ପ୍ରଶଂସା କରିଛନ୍ତି ।

ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ନିରନ୍ତର ଉଦ୍ୟମ ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିଛି । ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ ଦେଶରେ ଯକ୍ଷ୍ମା ଜନିତ ମାମଲା ଗୁଡିକରେ ୧୩% ହ୍ରାସ ଘଟିଛି, ଯାହା ୧୯ ପ୍ରତିଶତ ବିଶ୍ୱ ହାରକୁ ଅତିକ୍ରମ କରି ଯାଇଛି ବୋଲି ଡକ୍ଟର ମାଣ୍ଡବୀୟ ଘୋଷଣା କରିଛନ୍ତି । ଏଥିସହ, ବିଶ୍ୱର ହ୍ରାସ ହାର ୫.୯% ତୁଳନାରେ ସମାନ ଅବଧିରେ ଭାରତରେ ଯକ୍ଷ୍ମା ମୃତ୍ୟୁ ପରିମାଣ ୧୫% ହ୍ରାସ ପାଇଛି ।

ପ୍ରାଥମିକ ନିରାକରଣ, ଚିକିତ୍ସା ଏବଂ ପ୍ରତିଷେଧକ ପ୍ରଣାଳୀର ଗୁରୁତ୍ୱକୁ ସ୍ୱୀକାର କରି ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ, “ସମସ୍ତ ଲୁଚି ରହିଥିବା ମାମଲା ଚିହ୍ନଟ କରିବା ଏବଂ ଯେଉଁ ମାନଙ୍କ ପର୍ଯ୍ୟନ୍ତ ପହଂଚି ହେବ ନାହିଁ ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ଭାରତ ଆମର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଶେଷ ମାଇଲରେ ରୋଗୀଙ୍କୁ ନିରାକରଣ ଏବଂ ଚିକିତ୍ସା କରିଛି । ପ୍ରତ୍ୟେକ ରୋଗୀଙ୍କୁ ସମାନ ସ୍ୱାସ୍ଥ୍ୟସେବା ପରିସରଭୁକ୍ତ ନିଶ୍ଚିତ କରିବାକୁ, ଆମେ ୧.୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରିଛୁ ଯାହାକି ଅନ୍ୟାନ୍ୟ ପ୍ରାଥମିକ ସ୍ୱାସ୍ଥ୍ୟସେବା ସହିତ ସମସ୍ତ ରୋଗୀଙ୍କୁ ଯକ୍ଷ୍ମା ନିରାକରଣ ଏବଂ ଯତ୍ନ ଯୋଗାଇଥାଏ । ଏହା ଆମ ଦେଶର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କ ପାଇଁ ବିଶେଷ ରୂପରେ ଲାଭଦାୟକ ହୋଇଛି, ଯେଉଁଥିରେ ଦୁର୍ଗମ ଅଞ୍ଚଳରେ ମଧ୍ୟ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପରିସରଭୁକ୍ତ ହେବାକୁ ସୁନିଶ୍ଚିତ କରିଛି । ”

ଘରୋଇ କ୍ଷେତ୍ର ସହିତ ଭାରତର ସଫଳ ସହଯୋଗକୁ ଡକ୍ଟର ମାଣ୍ଡଭିୟ ମଧ୍ୟ ଆଲୋକପାତ କରିଥିଲେ, ଯେଉଁଥିରେ ଯକ୍ଷ୍ମା ରୋଗୀଙ୍କ ପାଇଁ ସେମାନଙ୍କର ପସନ୍ଦ କେନ୍ଦ୍ର, କ୍ଲିନିକ୍ ଏବଂ ଡାକ୍ତରଙ୍କ ମାଧ୍ୟମରେ ଗୁଣାତ୍ମକ ଚିକିତ୍ସା ସକ୍ଷମ ହୋଇ ପାରିଛି । ଫଳସ୍ୱରୂପ, ଗତ ନଅ ବର୍ଷ ମଧ୍ୟରେ ଘରୋଇ କ୍ଷେତ୍ରର ବିଜ୍ଞପ୍ତି ସାତଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଯକ୍ଷ୍ମା ସହିତ ଜଡିତ କୁପ୍ରଥା ପ୍ରସଙ୍ଗକୁ ସମ୍ବୋଧିତ କରି ଡକ୍ଟର ମାଣ୍ଡବୀୟ ଭାରତର ଅଗ୍ରଣୀ ସମ୍ପ୍ରଦାୟର ଯୋଗଦାନ ପ୍ରଣାଳୀ, ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ (ପିଏମ୍‌ଟିବିଏମ୍‌ବିଏ) ଉପରେ ଆଲୋକପାତ କରିଥିଲେ । ଏହି ଅଭିଯାନକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଆରମ୍ଭ କରିଥିଲେ । ଟିବି ରୋଗୀଙ୍କୁ ସେମାନଙ୍କର ଚିକିତ୍ସା ଯାତ୍ରା ସମୟରେ ସହାୟତା କରିବାକୁ ଏହା ଲକ୍ଷ୍ୟ ରଖିଛି । ନି-କ୍ଷୟ ମିତ୍ର କିମ୍ବା ଦାତାଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୮ ହଜାର ନି-କ୍ଷୟ ମିତ୍ର ପ୍ରାୟ ଏକ ଲକ୍ଷ ରୋଗୀଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇ ପ୍ରତିବର୍ଷ ପ୍ରାୟ ୧୪୬ ନିୟୁତ ଡଲାର ସଂଗ୍ରହ କରୁଛନ୍ତି ।

ଅଧିକନ୍ତୁ, ନି-କ୍ଷୟ ପୋଷଣ ଯୋଜନା ପ୍ରତିଷ୍ଠା କରି ଯକ୍ଷ୍ମାର ସାମାଜିକ – ଅର୍ଥନୈତିକ ପରିଣାମକୁ ସମାଧାନ କରିବାକୁ ଭାରତର ପ୍ରତିବଦ୍ଧତା ଉପରେ ଡକ୍ଟର ମାଣ୍ଡଭିୟ ଗୁରୁତ୍ୱାରୋପ କରିଥିଲେ । ଏହି ଅନନ୍ୟ ପଦକ୍ଷେପ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ୭୫ ଲକ୍ଷରୁ ଅଧିକ ଲୋକ ମାନଙ୍କୁ ଯକ୍ଷ୍ମା ଚିକିତ୍ସା କରୁଥିବା ମାସିକ ପୁଷ୍ଟିକର ସହାୟତା ପ୍ରଦାନ କରିଥାଏ, ଯାହାର ପରିମାଣ ୨୦୧୮ ରେ ଆରମ୍ଭ ହେବା ଦିନ ଠାରୁ ୨୪୪ ମିଲିୟନ ଡଲାରରୁ ଅଧିକ ଅଟେ ।

ଡକ୍ଟର ମାଣ୍ଡଭିୟ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯକ୍ଷ୍ମା ପାଇଁ ଭାରତର ପରିବାର – କେନ୍ଦ୍ରିକ ଚିକିତ୍ସା ମଡେଲ ବିଷୟରେ କହିଥିଲେ, ଯାହା ପରିବାରର ପୁନରୁଦ୍ଧାରରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇଥାଏ । ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ଏକ କ୍ଷୁଦ୍ର ଯକ୍ଷ୍ମା ପ୍ରତିରୋଧକ ଚିକିତ୍ସା (ଟିପିଟି) ଏବଂ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ପଦକ୍ଷେପ ଆରମ୍ଭ କରା ଯାଇଥିଲା, ଯାହାକି ସ୍ଥାନୀୟ ସରକାରଙ୍କୁ ଯକ୍ଷ୍ମା ମୁକାବିଲା ପାଇଁ ଉତ୍ସାହିତ କରିଥାଏ ଏବଂ ଏହି ଅବସରରେ ସେମାନଙ୍କ ଉଦ୍ୟମ ପାଇଁ ପୁରସ୍କାର ପାଇବାକୁ ମଧ୍ୟ ଉତ୍ସାହିତ କରାଯାଇଥିଲା ।

ଯକ୍ଷ୍ମା ବିରୋଧରେ ଲଢ଼େ଼ଇରେ ଏକ ପ୍ରଭାବଶାଳୀ ଟିକା ବିକଶିତ କରିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବିଷୟରେ ଡଃ. ମାଣ୍ଡଭିୟ ଏହି ପରିପ୍ରେକ୍ଷୀରେ କହିଛନ୍ତି, “ଯେହେତୁ ଆମେ କୋଭିଡ୍ -୧୯ ମହାମାରୀରୁ ଶିଖିଛୁ, ଏହି ରୋଗକୁ ଦୂର କରିବା ପାଇଁ ସର୍ବଶେଷ ନିଦାନ ଏବଂ ଚିକିତ୍ସା ବିକଳ୍ପ ଗୁଡ଼ିକର ସମାନ ସୁବିଧା ସୁନିଶ୍ଚିତ କରିବା ପାଇଁ ବିଶ୍ୱକୁ ଅଧିକ ସହଯୋଗ କରିବା ଆବଶ୍ୟକ ।

୨୦୩୦ ସୁଦ୍ଧା ଯକ୍ଷ୍ମା ସମାପ୍ତ କରିବା ପାଇଁ ମିଳିତ ଜାତିସଂଘ ଉଚ୍ଚ ସ୍ତରୀୟ ବୈଠକ (ୟୁଏନ୍‌ଏଚ୍‌ଏଲ୍‌ଏଏମ୍‌)ର ଲକ୍ଷ୍ୟ ହାସଲ କରିବାକୁ, ଯକ୍ଷ୍ମା ରୋକିବା, ନିରାକରଣ ଏବଂ ଚିକିତ୍ସା ପାଇଁ ଆମକୁ ରୋଗୀ – କେନ୍ଦ୍ରିକ ଅଭିନବ ଉପାୟ ଖୋଜିବାକୁ ପଡିବ । ଭାରତ ଏହାର ଶିକ୍ଷାକୁ ବିଶ୍ୱ ସହିତ ବଂଟନ କରିବାକୁ ଏବଂ ଅନ୍ୟ ପ୍ରସଙ୍ଗରୁ ମଧ୍ୟ ଶିଖିବାକୁ ପ୍ରତିଶ୍ରୁତିବଦ୍ଧ । ”

ଡକ୍ଟର ମାଣ୍ଡଭିୟ ତାଙ୍କ ବକ୍ତବ୍ୟକୁ ସମାପ୍ତ କରି ନିଜର ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ , ନିରନ୍ତର ପ୍ରୟାସ ଏବଂ ନିଷ୍ଠା ଦ୍ୱାରା ୨୦୩୦ ପୂର୍ବରୁ ବିଶ୍ୱରୁ ଯକ୍ଷ୍ମା ଦୂର ହୋଇ ପାରିବ ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ୧,୫୦,୦୦୦  ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ 

ଦିଲ୍ଲୀ: ଭାରତ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ମାଇଲ୍‌ଖୁଂଟକୁ ଅତିକ୍ରମ କରିଛି – ୩୧ ଡିସେମ୍ବର ପୂର୍ବରୁ ୧,୫୦,୦୦୦ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି) କାର୍ଯ୍ୟକ୍ଷମ ହୋଇଛି। ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ସଫଳତା ହାସଲ କରିବା ନିମନ୍ତେ ଦେଶର ପ୍ରୟାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା ସୁବିଧା ତଥା ସୁଯୋଗ ପାଇବା କ୍ଷେତ୍ରରେ ଏହି କେନ୍ଦ୍ର ଗୁଡିକ ସମଗ୍ର ଦେଶରେ ନାଗରିକ ମାନଙ୍କୁ ସହାୟତା  କରିବେ ବୋଲି ସେ ପ୍ରଶଂସା କରି କହିଛନ୍ତି।

ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଦେଶକୁ ଶୁଭେଚ୍ଛା ଜଣାଇବା ସହ ଭାରତ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ତାହା ସଫଳତାର ସହ ହାସଲ କରିଛି ବୋଲି ସେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଦର୍ଶନକୁ ବାସ୍ତବିକତାରେ ପରିବର୍ତ୍ତିତ କରି, ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଏବଂ କେନ୍ଦ୍ର ସରକାରଙ୍କ ସାମୂହିକ ତଥା ସହଯୋଗାତ୍ମକ ପ୍ରୟାସ ଭାରତକୁ ସୁନିଶ୍ଚିତ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ମଡେଲରେ ପରିଣତ କରିଛି।

କାହାକୁ ପଛରେ ନ ଛାଡି, “ଆନ୍ତୋଦୟ” ର ସିଦ୍ଧାନ୍ତ ଗୁଡିକ ପୂରଣ କରିବାରେ ୧,୫୦,୦୦୦ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି) ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଣରେ ପରିବର୍ତ୍ତନ ଆଣିଛି ଯାହା ସର୍ବଭାରତୀୟ ସ୍ତରରେ ମାଗଣାରେ ଏବଂ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକ ମାନଙ୍କୁ ଯତ୍ନର ଏକ ନିରନ୍ତର ଉପାୟ ମାଧ୍ୟମରେ ସେବା ଯୋଗାଇଥାଏ। ବିଭିନ୍ନ ପଦକ୍ଷେପ ଗୁଡିକ ମାଧ୍ୟମରେ ଦେଶର ଭିତର ଅଂଚଳରେ ସ୍ୱାସ୍ଥ୍ୟସେବା ପହଂଚିବାକୁ ସୁନିଶ୍ଚିତ କରି ଏବି – ଏଚ୍‌ଡବ୍ଲ୍ୟୁସି ଇ- ସଞ୍ଜିବନୀ ମାଧ୍ୟମରେ ୮.୫  ଟେଲି ପରାମର୍ଶକୁ ଅତିକ୍ରମ କରିଛି, ଯେଉଁଠାରେ ଦୈନିକ ପ୍ରାୟ ୪ ଲକ୍ଷ ଟେଲି ପରାମର୍ଶ ଦିଆ ଯାଇଥାଏ।

ସାରା ଦେଶରେ ୧୩୪ କୋଟିରୁ ଅଧିକ ଲୋକ ଏବି – ଏଚ୍‌ଡବ୍ଲ୍ୟୁସି ଦ୍ୱାରା ଉପକୃତ ହୋଇଛନ୍ତି ଏବଂ ୮୬.୯୦ କୋଟିରୁ ଅଧିକ ହିତାଧିକାରୀ ମାନଙ୍କର ଅଣ ସଂକ୍ରାମକ ରୋଗ ପାଇଁ  ଯାଂଚ କରାଯାଇଛି , ଯେଉଁଥିରେ ଉଚ୍ଚ ରକ୍ତଚାପ ପାଇଁ ୨୯.୯୫  କୋଟି, ମଧୁମେହ ପାଇଁ ୨୫.୫୬ କୋଟି, ମୁଖ କର୍କଟ ପାଇଁ ୧୭.୪୪ କୋଟି, ସ୍ତନ କର୍କଟ ପାଇଁ ୮.୨୭ କୋଟି ଏବଂ ଗର୍ଭାଶୟ କର୍କଟ ପାଇଁ ୫.୬୬ କୋଟି ହିତାଧିକାରୀ ଅନ୍ତର୍ଭୁକ୍ତ।

ଏବି – ଏଚ୍‌ଡବ୍ଲ୍ୟୁସି ଗୁଡ଼ିକର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି , ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର – ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର (ପିଏଚ୍‌ସି – ଏଚ୍‌ଡବ୍ଲ୍ୟୁସି)ରେ ଅତ୍ୟାବଶ୍ୟକ ଔଷଧ ଗୁଡିକର ସଂଖ୍ୟା ୧୭୨ କୁ ଏବଂ ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର (ଏସ୍‌ଏଚ୍‌ସି- ଏଚ୍‌ଡବ୍ଲ୍ୟସି)ରେ ୧୦୫ କୁ ବୃଦ୍ଧି ପାଇଛି  ଏବଂ ଆବଶ୍ୟକୀୟ ନିଦାନ ମଧ୍ୟ ପିଏଚ୍‌ସି – ଏଚ୍‌ଡବ୍ଲ୍ୟୁସିରେ ୬୩ ଏବଂ ଏସ୍‌ଏଚ୍‌ସି- ଏଚ୍‌ଡବ୍ଲ୍ୟସି  ରେ ୧୪ କୁ ବିସ୍ତାର ହୋଇଛି। ଏବି – ଏଚ୍‌ଡବ୍ଲ୍ୟୁସି ଗୁଡିକ ଯୋଗ, ଜୁମ୍ବା, ସାଇକ୍ଲାଥନ୍‌, ୱାକାଥନ୍ ଉପରେ ସୁସ୍ଥତା ଅଧିବେଶନକୁ ମଧ୍ୟ ଅନ୍ତର୍ଭୁକ୍ତ କରିଥାଏ ଏବଂ ସାମୁଦାୟିକ କଲ୍ୟାଣ ପାଇଁ ଏକ ମାନସିକତା ସୃଷ୍ଟି କରିବା ନିମନ୍ତେ ଖାଦ୍ୟ, ଶାରୀରିକ କାର୍ଯ୍ୟକଳାପ, ସକାରାତ୍ମକ ପାଳନ – ପୋଷଣ, ତମାଖୁ, ମଦ୍ୟପାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶାବଳୀ ପ୍ରଦାନ କରିଥାଏ।

ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ର ଗୁଡିକରେ ୧.୬୦ କୋଟିରୁ ଅଧିକ କଲ୍ୟାଣ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି।

ଏହା ସହିତ, ଏବି – ଏଚ୍‌ଡବ୍ଲ୍ୟୁସି ଗୁଡିକ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର – ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ୟୁପିଏଚ୍‌ସି – ଏଚ୍‌ଡବ୍ଲ୍ୟୁସି) ଅଧୀନରେ ସହରାଂଚଳରେ ୨ – ୩  ଟି କେନ୍ଦ୍ର କାର୍ଯ୍ୟକ୍ଷମ କରିଛନ୍ତି, ଆଉଟ୍‌ପେସେଂଟ ଚିକିତ୍ସାକୁ ମଜବୁତ କରିଛନ୍ତି ଏବଂ ୧୫,୦୦୦ ରୁ  ୨୦,୦୦୦ ଲୋକ ମାନଙ୍କୁ ଏହାର ପରିସରଭୁକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ରକ୍ତଦାନ ଅମୃତ ମହୋତ୍ସବ ଉଦ୍ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ

ଦିଲ୍ଲୀ: “ରକ୍ତଦାନ ଏକ ମହତ୍ କାର୍ଯ୍ୟ ଅଟେ ଏବଂ ଆମର ସମୃଦ୍ଧ ସଂସ୍କୃତି ଏବଂ ସେବା ଓ ସହଯୋଗର ପରମ୍ପରାକୁ ଲକ୍ଷ୍ୟ କରି, ମୁଁ ସମସ୍ତ ନାଗରିକଙ୍କୁ ଦେଶବ୍ୟାପୀ ଅନୁଷ୍ଠିତ ବୃହତ୍ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ – ରକ୍ତଦାନ ଅମୃତ ମହୋତ୍ସବରେ ଯୋଗଦେଇ ରକ୍ତ ଦାନ କରିବା ପାଇଁ ଆହ୍ୱାନ କରୁଛି। ରକ୍ତଦାନ କେବଳ ଏକ ଜାତୀୟ ଆବଶ୍ୟକତାକୁ ପୂରଣ କରି ନଥାଏ, ଏହା ସମାଜ ଏବଂ ମାନବତା ନିମନ୍ତେ ଏକ ମହାନ ସେବା ଅଟେ।” କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାନ କରିବା ଅବସରରେ ଏହା କହିଥିଲେ।

ସ୍ୱେଚ୍ଛାକୃତ ରକ୍ତଦାନର ମହତ୍ୱକୁ ଉଲ୍ଲେଖ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, “ଆଜାଦୀର ଅମୃତ ମହୋତ୍ସବ ପାଳନର ଏକ ଅଂଶ ବିଶେଷ ହେଉଛି “ରକ୍ତଦାନ ଅମୃତ ମହୋତ୍ସବ”। ନିୟମିତ ଭାବେ ପାରିଶ୍ରମିକ ନନେଇ ସ୍ୱେଚ୍ଛାକୃତ ରକ୍ତ ଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରକ୍ତ କିମ୍ବା ଏହାର ଉପାଦନ ଗୁଡିକର (ସମ୍ପୂର୍ଣ୍ଣ ରକ୍ତ/ପ୍ୟାକ୍ ହୋଇଥିବା ଲାଲ୍ ରକ୍ତ କଣିକା/ପ୍ଲାଜ୍ମା/ପ୍ଲାଟଲେଟ୍) ଉପଲବ୍ଧତା, ପହଂଚ ଯୋଗ୍ୟ, ସୁଲଭ ଏବଂ ନିରାପଦ ବୋଲି ସୁନିଶ୍ଚିତ କରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି।

୨୦୨୧ ପରିସଂଖ୍ୟାନ ଅନୁଯାୟୀ, ଭାରତର ବାର୍ଷିକ ରକ୍ତ ଆବଶ୍ୟକତା ପ୍ରାୟ ୧.୫ କୋଟି ୟୁନିଟ୍ ଅଟେ। ପ୍ରତି ଦୁଇ ସେକେଣ୍ଡରେ, ଭାରତରେ କେହି ନା କେହି ରକ୍ତ ଆବଶ୍ୟକ କରିଥାନ୍ତି ଏବଂ ଆମ ତିନି ଜଣଙ୍କ ଭିତରୁ ଜଣେ ସାରା ଜୀବନ ଭିତରେ ଥରେ ନିଶ୍ଚିତ ରୂପରେ ରକ୍ତ ଆବଶ୍ୟକ କରିଥାନ୍ତି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। “ବୈଷୟିକ ଜ୍ଞାନ କୌଶଳର ଅଗ୍ରଗତି ସତ୍ତ୍ୱେ , ଏବେ ସୁଦ୍ଧା ରକ୍ତ ପାଇଁ କୌଣସି ବିକଳ୍ପ ନାହିଁ ଏବଂ ୧ ୟୁନିଟ୍ ରକ୍ତ ତିନି ଜଣଙ୍କର ଜୀବନ ରକ୍ଷା କରି ପାରିବ” ବୋଲି ଡଃ ମାଣ୍ଡବୀୟ ସୂଚନା ଦେଇଥିଲେ।

ଡଃ ମାଣ୍ଡବୀୟ ରକ୍ତ ଦାନ ଶିବିରରେ ରକ୍ତଦାତା ମାନଙ୍କୁ ଦେଖା କରିଥିଲେ ଏବଂ ସେମାନଙ୍କର ରକ୍ତଦାନ ଭଳି ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ରକ୍ତ ଦାନକୁ ନେଇ ରହିଥିବା କପୋଳକଳ୍ପିତ କଥାକୁ ଦୂର କରି ଡଃ ମାଣ୍ଡବୀୟ କହିଥିଲେ ଯେ ଜଣେ ବ୍ୟକ୍ତିଙ୍କର ଶରୀରରେ ୫ -୬ ଲିଟର ରକ୍ତ ଥାଏ ଏବଂ ସେ ପ୍ରତି ୯୦ ଦିନ (୩ ମାସ)ରେ ଥରେ ରକ୍ତ ଦାନ କରି ପାରିବେ।” ଶରୀରରେ ବହୁତ ଶୀଘ୍ର ରକ୍ତ ସୃଷ୍ଟି ହୋଇ ଯାଇଥାଏ ; ୨୪ – ୪୮ ଘଂଟା ଭିତରେ ରକ୍ତ ପ୍ଲାଜ୍ମା ପୁଣି ସୃଷ୍ଟି ହୋଇଯାଏ, ପ୍ରାୟ ୩ ସପ୍ତାହରେ ଲାଲ୍ ରକ୍ତ କଣିକା ଗୁଡିକ ତିଆରି ହୁଏ ଏବଂ କିଛି ମୁହୂର୍ତ୍ତ ଭିତରେ ପ୍ଲାଟଲେଟ୍ସ ଏବଂ ଶ୍ୱେତ ରକ୍ତ କଣିକା ତିଆରି ହୋଇ ଯାଇଥାଏ।

ସାରା ଦେଶରେ ଚାଲିଥିବା ଏହି ଅଭିଯାନକୁ କେନ୍ଦ୍ରୀକୃତ ରକ୍ତ ବ୍ୟାଙ୍କ ପରିଚାଳନା ସୂଚନା ପ୍ରଣାଳୀ, ଇ – ରକ୍ତ କୋଷ ପୋର୍ଟାଲ ସମର୍ଥନ ପ୍ରଦାନ କରୁଛି, ଯାହା ରକ୍ତ ଦାତା ମାନଙ୍କର ଜାତୀୟ ଭଣ୍ଡାର ଆକାରରେ କାର୍ଯ୍ୟ କରିବ। ଏହା ରକ୍ତଦାତା ମାନଙ୍କର ଏକ ମଜଭୁତ ରେକର୍ଡକୁ ସୁନିଶ୍ଚତ କରିବ ଏବଂ ଆବଶ୍ୟକ ପଡିଲେ ରକ୍ତର ଉପଲବ୍ଧତାରେ ମଧ୍ୟ ଦ୍ରୁତ ଗତି ଆଣିବ।