Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇରେ ପ୍ରଥମ ଜି୨୦ ବିକାଶ କାର୍ଯ୍ୟ ଗୋଷ୍ଠୀ ବୈଠକ ଉଦଯାପିତ

ନୂଆଦିଲ୍ଲୀ: ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ପ୍ରଥମ ଜି୨୦ ବିକାଶ କାର୍ଯ୍ୟ ଗୋଷ୍ଠୀ (ଡିଡବ୍ଲ୍ୟୁଜି)ର ବୈଠକ ମୁମ୍ବାଇ ଠାରେ ଉଦଯାପିତ ହୋଇଯାଇଛି। ଏଠାରେ ବିଭିନ୍ନ ପ୍ରମୁଖ ବିଶ୍ବ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବିକାଶ ପାଇଁ ତଥ୍ୟର ଉପଯୋଗ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ମିଳିତ ପ୍ରୟାସ ଆଦି ବିଷୟ ଉପରେ ବିଚାରବିମର୍ଶ କରାଯାଇଥିଲା। ଚାରି ଦିନିଆ ବୈଠକରେ ସମସ୍ତ ପାଞ୍ଚଟି ଅଧିବେଶନ ସମାପନ ହୋଇଯାଇଛି।

ତୃତୀୟ ଅଧିବେଶନରେ ‘ବିକାଶ ପାଇଁ ତଥ୍ୟ’ ଉପରେ ଆଲୋଚନା କରାଯାଇଥିଲା। ଭାରତର ବିକାଶ କାର୍ଯ୍ୟଗୋଷ୍ଠୀର ସହଅଧ୍ୟକ୍ଷ ଯୁଗ୍ମ ସଚିବ ନାଗରାଜ ନାଇଡ଼ୁ ଓ ଇନାମ ଗମ୍ଭୀର ଏହି ବୈଠକରେ କହିଥିଲେ ଯେ, ୨୦୩୦ ଏଜେଣ୍ଡର ଲକ୍ଷ୍ୟ ହାସଲ ନିମନ୍ତେ ବିଶ୍ବସ୍ତରୀୟ ପ୍ରୟାସକୁ ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି। ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେ ନେଇ ଉଭୟ ଆଲୋକପାତ କରିଥିଲେ।

ଏସଡିଜି ଲକ୍ଷ୍ୟ ହାସଲ ଦିଗରେ ରାଷ୍ଟ୍ରମାନେ ଅଗ୍ରସର ହେଉଥିବା କାରଣରୁ ଜରୁରି ସମାଜ ଆଧାରିତ କାର୍ଯ୍ୟାନୁଷ୍ଠାନ ଓ ସେବାର ପ୍ରଭାବୀ ବ୍ୟବସ୍ଥାକୁ ସକ୍ଷମ କରିବା ଲାଗି ଡିଜିଟାଲ ସମାଧାନ ଓ ବ୍ୟବସ୍ଥା ନିମନ୍ତେ ବିଶ୍ବସ୍ତରରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଭାରତର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଅତିରିକ୍ତ ନିର୍ଦ୍ଦେଶକ ତଥା ଡିଜିଟାଲ ଅର୍ଥବ୍ୟବସ୍ଥା କାର୍ଯ୍ୟ ଗୋଷ୍ଠୀର ଅନ୍ୟତମ ପ୍ରତିନିଧି ଶ୍ରୀ କ୍ଷୀତିଜ କୁଶାଗ୍ର ଏହି ପ୍ରସଙ୍ଗର ଭିନ୍ନ ଭିନ୍ନ ପ୍ରକୃତି ଉପରେ ଆଲୋକପାତ କରିଥିଲେ ଏବଂ ଦୁଇଟି ମାର୍ଗ ମଧ୍ୟରେ ସମନ୍ବୟ ଉପରେ ଆଲୋକପାତ କରିଥିଲେ।

ଏହାପରେ ପ୍ରଯୁକ୍ତି ଉପରେ ମିଳିତ ଜାତିସଂଘ ମହାସଚିବଙ୍କ ସ୍ବତନ୍ତ୍ର ରାଷ୍ଟ୍ରଦୂତ ଅମନଦୀପ ସିଂ ଗିଲ ଅଭିବୃଦ୍ଧି ପାଇଁ ଜାଗତିକ ସୁଯୋଗ ଉପରେ ଆଲୋକପାତ କରିଥିଲେ। ଏଥିସହିତ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଖାଦ୍ୟ ସୁରକ୍ଷା ଆଦି ଜରୁରି କ୍ଷେତ୍ରରେ ସହଭାଗିତା ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ ତଥ୍ୟର ପ୍ରଭାବୀ ସଂଗ୍ରହ, ସଂରକ୍ଷଣ, ବିଶ୍ଳେଷଣ ଓ ହସ୍ତାନ୍ତର ଦ୍ବାରା ଏହି ସହଭାଗିତାକୁ ଭଲ ଭାବେ କାର୍ଯ୍ୟକାରୀ କରାଯାଇପାରିବ।

ଶେଷରେ ବାଣିଜ୍ୟ ଓ ବିକାଶ ଉପରେ ମିଳିତ ଜାତିସଂଘ ସମ୍ମିଳନୀର ପ୍ରତିନିଧି ଟ୍ରୋବଜୋର୍ଣ୍ଣ ଫ୍ରେଡରିକ୍ସନ ବିକାଶ ଲକ୍ଷ୍ୟ ହାସଲ ଉପରେ ତଥ୍ୟର ବିଶ୍ଳେଷଣ ଉପସ୍ଥାପନ କରିଥିଲେ।

ଉନ୍ନତ ମାନର ତଥ୍ୟ, ଭରସାଯୋଗ୍ୟ ତଥ୍ୟ, ଘରୋଇ କ୍ଷେତ୍ର ଓ ନାଗରିକ ସମାଜର ଭୂମିକା ଆଦି କ୍ଷେତ୍ରରେ ରାଷ୍ଟ୍ରମାନଙ୍କର ହସ୍ତକ୍ଷେପ, ଡିଜିଟାଲ ବିଭାଜନ ଦୂର କରିବା ଲାଗି ପଦକ୍ଷେପ, ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ କ୍ଷମତା ନିର୍ମାଣ, ଡିଜିଟାଲ ଅର୍ଥବ୍ୟବସ୍ଥା କାର୍ଯ୍ୟଗୋଷ୍ଠୀ ସହିତ ବିକାଶ କାର୍ଯ୍ୟ ଗୋଷ୍ଠୀର କାମରେ ସମନ୍ବୟ ଆଣିବା ଆଦି ବିଷୟ ଉପରେ ସେ ଆଲୋକପାତ କରିଥିଲେ।

ଚତୁର୍ଥ ଅଧିବେଶନରେ ଲାଇଫ ବା ଲାଇଫ୍‌ ଷ୍ଟାଇଲ୍‌ ଫର ଏନଭାଇରନମେଣ୍ଟ (ଲାଇଫ) ଉପରେ ଆଲୋକପାତ କରାଯାଇଥିଲା। ବିଶ୍ବ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଦିଗରେ ଲାଇଫ ହେଉଛି ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଏବଂ ଏହା ଭାରତର ଜି୨୦ ଅଧ୍ୟକ୍ଷତାର ଏକ କେନ୍ଦ୍ରୀୟ ପ୍ରାଥମିକତା। ସୁଶ୍ରୀ ଗମ୍ଭୀର କହିଥିଲେ ଯେ, ଭାରତର ପ୍ରାଚୀନ ଦୀର୍ଘସ୍ଥାୟୀ ପରମ୍ପରାରୁ ପ୍ରେରଣା ହାସଲ କରି ଲାଇଫ ମିଶନ ହେଉଛି ଦୀର୍ଘସ୍ଥାୟୀ ଜୀବନ ନିର୍ବାହ ପାଇଁ ଏକ ସାହସିକ, ପରିବର୍ତ୍ତନଶୀଳ ଦୃଷ୍ଟିକୋଣ। ଉପଯୋଗ (ଚାହିଦା) ଓ ଉତ୍ପାଦନ (ଯୋଗାଣ) ଉଭୟ ଆଡ଼କୁ ବିଶ୍ବସ୍ତରରେ ପରିବର୍ତ୍ତନ ଆଣିବା ଏହାର ଉଦ୍ଦେଶ୍ୟ। ଏହି ପ୍ରସ୍ତାବର ମଧ୍ୟ ଭାରତର ଜି୨୦ ଅଧ୍ୟକ୍ଷତାର ବାର୍ତ୍ତା – ବସୁଧୈବ କୁଟୁମ୍ବକମ ବା ‘ଏକ ବିଶ୍ବ, ଏକ ପରିବାର ଏକ ଭବିଷ୍ୟତ’ ସହ ସମ୍ପର୍କ ରହିଛି।

ମିଳିତ ଜାତିସଂଘ ଶିଳ୍ପ ବିକାଶ ସଂଗଠନର ଗୁସେପ ଡି ସିମୋନ, ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଶ୍ରୀ ଦିବ୍ୟା ଦତ୍ତ ପ୍ରମୁଖ ଲାଇଫ ମିଶନକୁ ଗ୍ରହଣ କରିବା ଉପରେ ମତ ରଖିଥିଲେ।

ଜି୨୦ ରାଷ୍ଟ୍ର ଗୋଷ୍ଠୀର ପ୍ରତିନିଧିମାନେ ଏସଡିଜି ୧୨ : ‘ଉତ୍ତରଦାୟୀ ଉପଯୋଗ ଓ ଉତ୍ପାଦନ’ ଉପରେ ଭାରତର ଲକ୍ଷ୍ୟକୁ ସ୍ବାଗତ କରିଥିଲେ।

୨୦୨୩ ଜି୨୦ ନୂଆଦିଲ୍ଲୀ ଅପଡେଟ୍‌ ଉପରେ ପଞ୍ଚମ ଅଧିବେଶନରେ ବିଚାରବିମର୍ଶ କରାଯାଇଥିଲା। ଡିଡବ୍ଲୁଜି ସହ-ଅଧ୍ୟକ୍ଷଙ୍କ ଦ୍ବାରା ପରିଣାମ ଦସ୍ତାବିଜ ପାଇଁ ସନ୍ଦର୍ଭ ସର୍ତ୍ତାବଳୀ ଉପରେ ଆଲୋଚନା ହୋଇଥିଲା ଏବଂ ସହ ଅଧ୍ୟକ୍ଷମାନେ ସମାପନ ବିବୃତ୍ତି ଜାରି କରିଥିଲେ।

ସନ୍ଧ୍ୟାରେ ବିକାଶ କାର୍ଯ୍ୟଗୋଷ୍ଠୀ ସହ ଅଧ୍ୟକ୍ଷମାନେ ଗଣମାଧ୍ୟମକୁ ପରବର୍ତ୍ତୀ ବୈଠକ ଓ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ବୈଠକ ଅବସରରେ ଅନ୍ତର୍ଜାତୀୟ ପ୍ରତିନିଧିମାନେ ଭାରତର ତନ୍ଦୁରୀ ଚା’ର ମଜା ନେଇଥିଲେ। ସେମାନେ ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନରେ ଥିବା କନ୍ହେରୀ ଗୁମ୍ଫା ବୁଲି ଦେଇଥିଲେ।