Categories
ଆଜିର ଖବର ରାଜ୍ୟ ଖବର

ଡିବିରି ଆଲୁଅରେ ଦିନକାଟୁଛନ୍ତି ଗ୍ରାମବାସୀ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଲାଣି। ଏହା ଭିତରେ ସରକାରଙ୍କ ମାଳ ମାଳ ଯୋଜନା ହୋଇଛି। ହେଲେ ଏବେ ବି ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି ଓଡ଼ିଶାର ଅନେକ ଗାଁ। ଡିବିରି ଆଲୁଅରେ ଦିନ କାଟୁଛନ୍ତି ଶତାଧିକ ଲୋକେ। ଗାଁକୁ ଚାଲ ଗାଁକୁ ଗଢ଼ ସ୍ଲୋଗାନ ନେଇ ଗ୍ରାମାଞ୍ଚଳରେ ଗଡ଼ୁଥିବା ସରକାରଙ୍କ ବିକାଶ ରଥ ସତେ ଯେପରି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳକୁ ପହଞ୍ଚି ପାରୁନି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକର ବଣ ପାହାଡ଼ ଘେରା ଯୁଗସାଇପାଟଣା ପଞ୍ଚାୟତରେ।

ଏହି ପଞ୍ଚାୟତରେ ୩୫ ଗାଁ ରହିଛି। ଜିଲାର ଅତି ଉପାନ୍ତ ଓ ମାଓ ଇଲାକା ଭାବରେ ପରିଚିତ ଏହି ଅଞ୍ଚଳରେ ଅନେକ ସମସ୍ୟା ରହିଥିବା ବେଳେ ଅନେକ ଗାଁକୁ ପାଦ ଚଲା ପକ୍କା ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ହେଲେ କିଛି ଏମିତି ଯୋଜନା ମଧ୍ୟ ରହିଛି, ଯାହା ସେମାନଙ୍କ ପାଖରେ ପହଞ୍ଚି ମଧ୍ୟ ଅପହଞ୍ଚ ହୋଇ ରହିଛି। ଏହି ୩୫ ଗାଁରେ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ପାରିନାହିଁ। ଗତ ୧୦ ବର୍ଷ ତଳେ ଅଞ୍ଚଳବାସୀଙ୍କ ଅନେକ ଆନ୍ଦୋଳନ ପରେ ସମସ୍ତ ଗାଁରେ ଟ୍ରାନ୍ସଫର୍ମର ବସିଲା। କେବୁଲ ଟଣା ହେବା ସହ ଘରେ ଘରେ ମିଟର ମଧ୍ୟ ଲାଗିଲା। ଏନେଇ ଲୋକେ ଖୁସି ହୋଇ ଟିଭି ସାଙ୍ଗକୁ ନାନାଦି ବିଦ୍ୟୁତ୍‌ ଉପକରଣ କିଣିଥିଲେ। ପ୍ରାୟ ୮ ଦିନ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ପରେ ଜଙ୍ଗଲୀ ଜନ୍ତୁଙ୍କ ଉପରେ ବିପଦ ଦର୍ଶାଇ ସଂଯୋଗକୁ ବନ୍ଦ କରିଦେଲା ବିଦ୍ୟୁତ୍‌ ବିଭାଗ।

ସେହିଦିନଠାରୁ ପୂର୍ବଭଳି କିଟିମିଟି ଅନ୍ଧାର ଭିତରେ ଦିନ କାଟୁଛନ୍ତି ଲୋକେ। ଏହି ଅନ୍ଧାରି ମୂଲକରେ ଶିକ୍ଷାର ଚିତ୍ର ନ କହିବା ଭଲ। ରାତିରେ ପିଲାମାନେ ଡିବିରି ଆଲୁଅରେ ପାଠ ପଢୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସେପଟେ ବିଜୁଳି ପାଇଁ ସ୍ଥାନୀୟ ଲୋକେ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି।

ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ସୋଲାର ମାଧ୍ୟମରେ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ବିଭାଗୀୟ ଏସ୍‌ଡିଓ ବିଜୟ କୁମାର ମହାପାତ୍ରଙ୍କୁ ପଚାରିବାରୁ ମୁଁ ନୂଆ କରି ଆସିଛି। ଯନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରି ତଦନ୍ତ ପାଇଁ ପଠାଇବି ବୋଲି କହିଛନ୍ତି।