Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ବିରୋଧରେ ଆସନ୍ତାକାଲି ବିଜେପି କରିବ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ

ଭୁବନେଶ୍ବର: ରାଜ୍ୟରେ ବ୍ୟାପକ ଦୁର୍ନୀତି ବିରୋଧରେ ଆସନ୍ତା କାଲି ନଭେମ୍ବର ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ ଓ ପୈାରାଂଚଳରେ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ କରିବ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି।

ବିଜେପି କହିଛି ଯେ, ବର୍ତ୍ତମାନ ୫୦ ପ୍ରତିଶତ ପିସି ସରକାରଙ୍କ ‘ପିସି ସଂଗ୍ରହ କେନ୍ଦ୍ର’ ପାଲଟିଛି ବ୍ଲକ କାର୍ଯ୍ୟାଳୟ। ସେହିପରି ଦୁର୍ନୀତିର ପରିମାଣ ଏତେ ବ୍ୟାପକ ହୋଇସାରିଛି ଯେ, ଓଡିଶା ବିକାଶ ପଥରେ ନୁହେଁ ବରଂ ବିନାଶ ପଥରେ ଅଗ୍ରସର ହେଉଛି। ପଲ୍ଲୀସଭା ଓ ଗ୍ରାମସଭା ନ କରାଇ ପଂଚାୟତରାଜ ବ୍ୟବସ୍ଥାକୁ ହତ୍ୟା ବିଜେଡି ହତ୍ୟା କରିଛି ବୋଲି ବିଜେପି ଅଭିଯୋଗ କରିଛି। ନିର୍ବାଚିତ ସରପଂଚ ଓ ସମିତିସଭ୍ୟ ମାନଙ୍କର କ୍ଷମତାକୁ ସଙ୍କୁଚିତ କରାଯାଇଥିବା ବିରୋଧରେ ଏହି ଘେରାଉ କରାଯିବ ବୋଲି ବିଜେପି କହିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ତେଜେଶ୍ବର ପରିଡା ଏବଂ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ତେଜେଶ୍ବର, ମନୋଜ, ଅନିଲଙ୍କୁ ବିଜେପି ମୁଖପାତ୍ର ଭାବେ ମିଳିଲା ନିଯୁକ୍ତି

ଭୁବନେଶ୍ବର: ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ନୂଆ ନେତାଙ୍କୁ ମିଳିଛି ନୂଆ ନିଯୁକ୍ତି। ସେମାନେ ହେଲେ ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ ଏବଂ ତେଜେଶ୍ୱର ପରିଡା।ଏହି ତିନିଜଣଙ୍କୁ ଆଜି ଦଳ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛି।

ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଏହି ୩ ଜଣଙ୍କୁ ରାଜ୍ୟ ମୁଖପାତ୍ର ଦାୟୀତ୍ୱ ପ୍ରଦାନ କରାଯାଇଛି। ଏ ନେଇ ରାଜ୍ୟ ଗଣମାଧ୍ୟମର ମୁଖ୍ୟ ତଥା ପ୍ରବକ୍ତା ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି।

ତେଜେଶ୍ବର ପରିଡା ବିଜେଡିର ମୁଖପାତ୍ର ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିଲେ। ସେ ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ମନୋଜ ମହାପାତ୍ର ମଧ୍ୟ କଂଗ୍ରେସର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ। ସେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ଏମିତି କାହିଁକି କଲେ? ମନୋଜ ମିଶ୍ରଣ ବେଳକୁ ଆସିଲେ, ତେଜେଶ୍ବର ବେଳକୁ ନାହିଁ

ଭୁବନେଶ୍ବର: ଓଡିଶା ବିଧାନାସଭା ନିର୍ବାଚନ ଆହୁରି ପ୍ରାୟ ବର୍ଷେ ପାଖାପାଖି ରହିଛି। ହେଲେ ଓଡିଶା ରାଜନୀତି ଏବେ ବେଶ୍ ସକ୍ରିୟ ହୋଇଯାଇଛି। ସାଧାରଣତଃ ନିର୍ବାଚନର କିଛି ମାସ ପୂର୍ବରୁ ଦଳ ଡିଆଁ ପର୍ବ ହୋଇଥାଏ। ହେଲେ ଏବେଠାରୁ ଏହି ଦଳବଦଳ ଉତ୍ସବ ଆରମ୍ଭ ହୋଇଯାଇଛି। ବିଶେଷ ଭାବେ ବିଜେଡି ଓ ବିଜେପି ଦଳରୁ ନେତାମାନେ ଡିଆଁଡିଇଁ ଆରମ୍ଭ କରିସାରିଲେଣି।

ସେହିପରି ଉତ୍ସବ ଗତ କିଛିଦିନ ଧରି ବିଜେପି ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ହେବାରେ ଲାଗିଛି। ଏହି ଉତ୍ସବ ବିଜେପି ପାଇଁ କେତେ ଲାଭ ବା କ୍ଷତି ହେବ ତାହା ଭିନ୍ନ କଥା। କିନ୍ତୁ ଏହି ଉତ୍ସବରୁ ବାରି ହୋଇପଡୁଛି ଦଳ ଭିତରେ ଥିବା ଅନ୍ତଃଦ୍ବନ୍ଦ। କାରଣ କେଉଁ ନେତା କାହାକୁ ଦଳକୁ ଆଣିଲେ ଆଉ ସେହି ମିଶ୍ରଣ ଉତ୍ସବରେ କିଏ ଟୋପି ପିନ୍ଧାଇବ ତାହା ହିଁ ଏହି ଅନ୍ତଃଦ୍ବନ୍ଦକୁ ପଦାରେ ପକାଇଛି। ଏହାର ପ୍ରମାଣ ଗତି କିଛିଦିନ ତଳେ ଦୁଇଟି ମିଶ୍ରଣ ପର୍ବରୁ ସ୍ପଷ୍ଟ ହୋଇଛି।

ଗତ ସେପ୍ଟେମ୍ବର ୩୦ ତାରିଖରେ ବିଜେଡିର ମୁଖପାତ୍ର ତଥା କେନ୍ଦ୍ରାପଡାର ଯୁବ ନେତା ତେଜେଶ୍ବର ପରିଡା ବିଜେପିରେ ମିଶିଲେ।  ତାଙ୍କ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ପ୍ରମୁଖ ରହିଲେ। ସେଦିନ ସେହି ଅଫିସ ଭିତରେ ଖୋଦ ରାଜ୍ୟ ବିଜେପିର ହର୍ତ୍ତାକର୍ତ୍ତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ହେଲେ ମିଶ୍ରଣ ପର୍ବକୁ ଆସିଲେ ନାହିଁ। ଦୁଇ ମିନଟ ପାଇ ମଧ୍ୟ ମିଶ୍ରଣ ପର୍ବରେ ନିଜକୁ ସାମିଲ ନ କରି ଅଫିସରେ ଅନ୍ୟକାମ ପାଇଁ ବସି ରହିଲେ।

ସେହିପରି ଆଉ ଏକ ଘଟଣାକୁ ଦେଖିବା। ଏଇ ଅକ୍ଟୋବର ୪ ତାରିଖରେ ବିଜେପିରେ ମିଶିଲେ କଂଗ୍ରେସର ମୁଖପାତ୍ର ମନୋଜ ମହାପାତ୍ର ଏବଂ ତାଙ୍କ ସମର୍ଥକ। ସେହି ମିଶ୍ରଣ ପର୍ବରେ କିନ୍ତୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମନୋଜ ଏବଂ ତାଙ୍କ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ। ତେବେ ପ୍ରଶ୍ନ ଉଠୁଛି ଯେ, ଧର୍ମେନ୍ଦ୍ର ଏପରି କାହିଁକି କଲେ। ତେଜେଶ୍ବର କଣ ଭୁଲ କଲେ ଯେ, ସେ ଅଫିସରେ ଥାଇ ମଧ୍ୟ ତାଙ୍କୁ ସ୍ବାଗତ କଲେ ନାହିଁ। ଆଉ ମନୋଜ ମହାପାତ୍ର କଣ ହେଲେ ଯେ ତାଙ୍କୁ ସ୍ବାଗତ କଲେ।

ଏହାର କାରଣରେ ଏତିକି କୁହାଯାଇପାରେ ଯେ, ତେଜେଶ୍ବରଙ୍କୁ ବୈଜୟନ୍ତ ପଣ୍ଡା ଆଣିଛନ୍ତି। ତେଣୁ ସେ ସେହି କାର୍ଯ୍ୟକ୍ରମରେ ରହିବା ଉଚିତ ମଣିଲେ ନାହିଁ। ଏହା ନୁହେଁ ଯେ, ତେଜେଶ୍ବର ବିଜେପିରେ ସାମିଲ ହେବା ପୂର୍ବରୁ ଧର୍ମେନ୍ଦ୍ରଙ୍କ ସହିତ କଥା ହୋଇ ନ ଥିବେ।  ଏହା ନୁହେଁ ଯେ ଧର୍ମେନ୍ଦ୍ର ଏହି ମିଶ୍ରଣକୁ ଅନୁମତି ଦେଇ ନ ଥିବେ। ତାଙ୍କ ଜାଣତରେ ଏହା ନିଶ୍ଚିତ ହୋଇଥିବା। ହେଲେ ସେ ଏହି ମିଶ୍ରଣ ପର୍ବରେ ଯୋଗଦେବାକୁ ଉଚିତ ମନେ କଲେ ନାହିଁ। ଏହା ହିଁ ସ୍ପଷ୍ଟ ଯେ, ବୈଜୟନ୍ତ ଆଉ ଧର୍ମେନ୍ଦ୍ର ମଧ୍ୟରେ ରାଜନୈତିକ ସଂପର୍କ କିପରି ରହିଛି।

ବିଗତ ଦିନକୁ ଦେଖିଲେ ଏହା ସ୍ପଷ୍ଟ ଯେ, ଦଳର ଏମିତି କୌଣସି ମିଶ୍ରଣ ପର୍ବ ନାହିଁ ଯାହା କି ଧର୍ମେନ୍ଦ୍ର ଓଡିଶାରେ ଥିବେ ଆଉ ଏଥିରେ ଯୋଗ ଦେବେ ନାହିଁ। କୌଣସି ନେତା ବିଜେପିର ସାମିଲ ହେବାକୁ ଥିଲେ ଧର୍ମେନ୍ଦ୍ର ଦିଲ୍ଲୀରୁ ଦୈଡି ଆସନ୍ତି। ନିଜେ ମିଶ୍ରଣ ପୂର୍ବର ସମସ୍ତ କଥାବାର୍ତ୍ତା କରି ଦିନ ଧର୍ଯ୍ୟ କରନ୍ତି। ହେଲେ ସେଦିନ ଖୋଦ ଧର୍ମେନ୍ଦ୍ର ମିଶ୍ରଣ ପର୍ବ ବେଳେ ଦଳୀୟ କାର୍ଯ୍ୟାଳୟରେ ରହି ଏଥିରେ ଯୋଗ ନ ଦେବା ଏବଂ ମନୋଜ ମହାପାତ୍ରଙ୍କ ମିଶ୍ରଣରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଚାଲିଛି।

ତେବେ ଏ ସବୁ ବାଦବିବାଦ ଭିତରେ ତେଜେଶ୍ବର ପରିଡାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାହା ସନ୍ଦେହ ଜନକ। କାରଣ ‘ପ୍ରଧାନ’ ଆଉ ‘ପଣ୍ଡା’ ଙ୍କ ବଳ କଷାକଷି ମଝିରେ ‘ପରିଡା’ ଲହୁଲୁହାଣ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡିରୁ ଇସ୍ତଫା ଦେଲେ ତେଜେଶ୍ବର ପରିଡା, ଲେଖିଲେ ଏହି କାରଣ

ଭୁବନେଶ୍ବର: ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଦଳର ଜଣେ ଯୁବ ନେତା ତେଜେଶ୍ବର ପରିଡା। ସେ ଆଜି ତାଙ୍କର ଇସ୍ତଫା ପତ୍ର ଇମେଲ ଯୋଗେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏ ନେଇ ନିଜେ ତେଜେଶ୍ବର ତାଙ୍କର ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଲି !ଦଳର ମାନ୍ୟବର ସଭାପତିଙ୍କୁ Email ଯୋଗେ ମୋର ଇସ୍ତଫା ପତ୍ର ପଠାଇଛି !

ତେବେ ତେଜେଶ୍ବର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେତେକ ବ୍ୟକ୍ତିଗତ କାରଣ ପାଇଁ ମୁଁ ଇସ୍ତଫା ଦେଉଛି। ସେ କହିଛନ୍ତି ଯେ ମୋର ସାଧାରଣ ଜୀବନରେ ଅନେକ ଚାପର ସମ୍ମୁଖୀନ ହେଉଛି। ତାହାକୁ ସମ୍ମୁଖୀନ ହେବା ପାଇଁ ମୋର ସମୟର ଆବଶ୍ୟକତା ରହିଛି। ସେଥିପାଇଁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି ବୋଲି ସେ କହିଛନ୍ତି।

ତେଜେଶ୍ବର ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ, ସେ ନିକଟରେ ଖଦୀ ଓ ଗ୍ରମୋଦ୍ୟୋଗ ବୋର୍ଡର ସଭାପତି ମଧ୍ୟ ଥିଲେ। ଏଥିସହିତ ସେ ବିଭିନ୍ନ ଜିଲ୍ଲାର ଦଳର ପର୍ଯ୍ୟବେକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ତେବେ ଗତ ନିର୍ବାଚନ ପରେ ତେଜେଶ୍ବରଙ୍କୁ ଦଳ କୌଣସି ପଦପଦବୀ ଦେଇ ନ ଥିବାରୁ ସେ ଏପରି ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ଚାଲିଛି।

ତେବେ ସେ କୁଆଡେ ବିଜେପିରେ ଯୋଗ ଦେବେ ବୋଲି ଜଣାପଡିଛି।