Categories
ଆଜିର ଖବର ରାଜ୍ୟ ଖବର

ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କ ୫୨ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ, ୫ ଜଣ ହେଲେ ସମ୍ମାନିତ

ଭୁବନେଶ୍ବର: ଆଜି ମହାନ ବିପ୍ଲବୀ, ସ୍ବାଧୀନତା ସଂଗ୍ରାମୀ ତଥା ଲେଖକ ପ୍ରାଣନାଥ ପଟ୍ଟନାୟକଙ୍କ ୫୨ ତମ ଶ୍ରାଦ୍ଧ ବାର୍ଷିକ ପାଳନ ହୋଇଯାଇଛି। ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଯୋଗଦେଇଥିଲେ। ଏଥିସହିତ କିଟ କିସର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ମଧ୍ୟ ଯୋଗଦେଇଥିଲେ।

ସେହିପରି ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଯୋଗ ଦେଇ ପ୍ରାଣନାଥଙ୍କ ଜୀବନର ବିଭିନ୍ନ ଦିଗକୁ ଆଲୋକପାତ କରିଥିଲେ।ଅନ୍ୟତମ ଅତିଥୀ ଭାବେ ଦୈନିକ ସମାଜର ପ୍ରକାଶର ନିରଂଜନ ରଥ ମଧ୍ୟ ଯୋଗ ଦେଇ ନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଶିଷ୍ଟ ୫ ଜଣ ପ୍ରତିଭାଙ୍କୁ ପ୍ରାଣନାଥ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ଡାକ୍ତର ସି ବି କେ ମହାନ୍ତି, କବି ରକ୍ଷକ ନାୟକ, ଚଳଚିତ୍ର ନିର୍ଦ୍ଦେଶକ ହିଂମାଶୁ ଖଟୁଆ, ଶିକ୍ଷାବିତ ଡ ସୌରେନ୍ଦ୍ର ମହାପାତ୍ର ଏବଂ କଣ୍ଠଶିଳ୍ପ ଶୈଳଭାମା ମହାପାତ୍ର।

ଏହି ଉତ୍ସବରେ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପାଠ କରିଥିବା ବେଳେ ଶିକ୍ଷାବିତ କ୍ଷିରୋଦ ପ୍ରସାଦ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ।

Categories
RathJatra ବିଶେଷ ଖବର ମନୋରଂଜନ ରାଜ୍ୟ ଖବର

ଲଳିତାଠାରୁ ସବ୍ୟସାଚୀ ମହାପାତ୍ରଙ୍କ ଶ୍ରୀଜଗନ୍ନାଥ ପର୍ଯ୍ୟନ୍ତ, ରୂପେଲି ପରଦାରେ ଶ୍ରୀଜଗନ୍ନାଥଙ୍କ ମହିମା

ଦିଲ୍ଲୀପ ହାଲି

ଓଡ଼ିଆ ଜନମାନସ ସହ ଜଗନ୍ନାଥ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଆଉ ଏଥିରୁ ଓଡ଼ିଆ ଫିଲ୍ମ ଦୁନିଆ ବା ବାଦ୍ ପଡ଼ନ୍ତା କିଭଳି? ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣିତ କାହାଣୀକୁ ନେଇ ବିଭିନ୍ନ ସମୟରେ ଅନେକ ଓଡ଼ିଆ ଫିଲ୍ମ ନିର୍ମିତ ହୋଇଛି ଓ ବେଶ୍ ସଫଳତା ମଧ୍ୟ ପାଇଛି। ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ନିର୍ମାଣ ହେବାର ଦୀର୍ଘ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କ ମହିମାକୁ ଭିତ୍ତିକରି ମୁକ୍ତିଲାଭ କରିଥିଲା ପ୍ରଥମ ଚଳଚ୍ଚିତ୍ର ‘ଲଳିତା’ ।

ଗୌରେନ୍ଦ୍ର ପ୍ରତାପ ସିଂହ ଦେଓଙ୍କ ପ୍ରଯୋଜନା ଓ କଲ୍ୟାଣ ଗୁପ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସଂଳାପ ଓ ଗୀତ ଲେଖିଥିଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ । ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଲୋକନାଥ ମିଶ୍ର, ଉମା ଗୋଏଙ୍କା, ନନ୍ଦିନୀ ତ୍ରିପାଠୀ, ବୀଣା ଦେବୀ, ସୁମତୀ ଦେବୀ ପ୍ରମୁଖ କଳାକାର । ‘ଲଳିତା’ ପରେ ଜଗନ୍ନାଥଙ୍କ ସମ୍ପୂର୍ଣ୍ଣ କାହାଣୀକୁ ନେଇ ନିର୍ମିତ ‘ଶ୍ରୀଜଗନ୍ନାଥ’ ୧୯୫୦ ମସିହା ଫେବୃୟାରୀ ୨ ତାରିଖରେ ମୁକ୍ତିଲାଭ କଲା । ଏହାର ପ୍ରଯୋଜକ ଥିଲେ ସୁରେନ୍ଦ୍ର କୁମାର ଦାଶ । ‘ଶ୍ରୀଜଗନ୍ନାଥ’ ନିର୍ମାଣରେ ସେତେବେଳେ ୩ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚିତ୍ତରଞ୍ଜନ ମିତ୍ର ଏବଂ ସଙ୍ଗୀତ ରଚନା କରିଥିଲେ ବାଳକୃଷ୍ଣ ଦାଶ ।

‘ଶ୍ରୀଜଗନ୍ନାଥ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଖଗେନ୍ଦ୍ର ମିତ୍ର, ରାମଚନ୍ଦ୍ର ମାଣିଆ, ଗୋପାଳ ଘୋଷ, କାର୍ତ୍ତିକ ଘୋଷ, ନିମାଇଁ ହରିଚନ୍ଦନ, ଭୋଳାନାଥ ଦାଶ, ନିରଞ୍ଜନ ଶତପଥୀ, ଗ୍ଲୋରିଆ ରାଉତ, ବିଦ୍ୟୁତଲତା ଦେବୀ, ବିଷ୍ଣୁପ୍ରିୟା ଦେବୀ ଓ ସାମୁଏଲ ସାହୁ (ବାବି) । ‘ଶ୍ରୀଜଗନ୍ନାଥ’ ସିନେମା ମୁକ୍ତିଲାଭ କଲା କଟକର କ୍ୟାପିଟାଲ ସିନେମା ହଲରେ । ସେ ସମୟରେ ୧୦ ସପ୍ତାହ ଧରି କ୍ୟାପିଟାଲ ସିନେମା ଗୃହରେ ଏହି ଚଳଚ୍ଚିତ୍ରଟି ଚାଲିଥିଲା ।

ଜଗନ୍ନାଥଙ୍କୁ ନେଇ ନିର୍ମାଣ ହୋଇଥିବା ତୃତୀୟ ଚଳଚ୍ଚିତ୍ର ଥିଲା ‘ମହାଲକ୍ଷ୍ମୀ ପୂଜା’ । ୧୯୫୯ ମସିହାରେ ନିର୍ମିତ ଏହି ଫିଲ୍ମ ପାଇଁ କଳାକାର ମନୋନୟନ ନିମନ୍ତେ ଖର୍ଚ୍ଚ ହୋଇଥିଲା ୧୦ ହଜାର ଟଙ୍କା । ‘ମହାଲକ୍ଷ୍ମୀ ପୂଜା’ର ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱନାଥ ନାୟକ । ଆଉ ଅଭିନୟ କରିଥିଲେ ଅନୁଭା, ଶେଫାଳୀ, ଶରତ ଧୀର, ଶ୍ରୀକାନ୍ତ, ନରେନ୍ଦ୍ର ଓ ବାଉରୀବନ୍ଧୁ ପ୍ରମୁଖ । ପ୍ରଯୋଜକ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା ଏହି ‘ମହାଲକ୍ଷ୍ମୀ ପୂଜା’କୁ ‘ଜୟ ଜଗନ୍ନାଥ’ ନାମକରଣ ଦେଇ ହିନ୍ଦୀ ଡ଼ବିଂ କରି ଓଡ଼ିଶା ବାହାରେ ପ୍ରଦର୍ଶନ କରିଥିଲେ । ମହାଲକ୍ଷ୍ମୀ ପୂଜା ସେ ସମୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା ।

୧୯୬୩ ମସିହାରେ ଜଗନ୍ନାଥଙ୍କ ଉପରେ ଆଧାରିତ ଏକ ଓଡ଼ିଆ ଚଳଚ୍ଚିତ୍ର ‘ଜୟଦେବ’ ନିର୍ମିତ ହୋଇଥିଲା । ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତ । ହେଲେ ଚଳଚ୍ଚିତ୍ରଟି ମୁକ୍ତିଲାଭ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଗଲା । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଳକୃଷ୍ଣ ଦାଶ । ଫିଲ୍ମରେ ଅଭିନୟ କରିଥିଲେ-ବ୍ୟୋମକେଶ ତ୍ରିପାଠୀ, ଶେଫାଳୀ, ପ୍ରଭାବତୀ, ନଦିଆ, କମଳ । ତେବେ ଏହା ପୂର୍ବରୁ ୧୯୬୨ ମସିହାରେ ‘ଶ୍ରୀ ଶ୍ରୀ ପତିତପାବନ’ ନାମକ ଏକ ଫିଲ୍ମ ନିର୍ମାଣ ହୋଇଥିଲା । ଜଗନ୍ନାଥ ଧର୍ମର ପ୍ରଚାର କରିବା ଲାଗି ସୁକୁମାର ଗାଙ୍ଗୁଲି ଉଠାଇଥିବା ପୁରୀର ସାହିତଯାତ୍ରା, ଜଗନ୍ନାଥଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଏଥିରେ ସ୍ଥାନିତ ହୋଇଥିଲା । ଏହା ଥିଲା ଏକ ପରୀକ୍ଷାମୂଳକ ଚଳଚ୍ଚିତ୍ର ।

୧୯୭୬ ମସିହାରେ ନିର୍ମିତ ଫିଲ୍ମ ମଧ୍ୟରୁ ଗୋବିନ୍ଦ ତେଜଙ୍କ ‘କୃଷ୍ଣ ସୁଦାମା’, ଧୀରେନ୍ ପଟ୍ଟନାୟକଙ୍କ ‘ବନ୍ଧୁ ମହାନ୍ତି’ ଏବଂ କ୍ରାନ୍ତି କୁମାରଙ୍କ ‘ଶ୍ରୀ ଜଗନ୍ନାଥ’ (୧୯୭୯) ଥିଲା ଜଗନ୍ନାଥ ମହିମା ଆଧାରିତ । ‘କୃଷ୍ଣ ସୁଦାମା’ର ନିର୍ଦ୍ଦେଶକ ଥିଲେ ନିତାଇ ପାଲିତ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର । ନୃତ୍ୟ ନିର୍ଦ୍ଦେଶକ ଥିଲେ କେଳୁଚରଣ ମହାପାତ୍ର। ସେ ସମୟରେ ‘କୃଷ୍ଣ ସୁଦାମା’ ଚଳଚ୍ଚିତ୍ର ଦର୍ଶକଙ୍କ ମନପସନ୍ଦ ହୋଇଥିଲା । ଗୋବିନ୍ଦ ତେଜ, ଶାନ୍ତିସ୍ୱରୂପ, ଧୀର ବିଶ୍ୱାଳ, ତ୍ରିପୁରା ମିଶ୍ର, ପ୍ରଶାନ୍ତ ନନ୍ଦ, ଅନୀତା ଦାସ, ମାମିନା ଓ ପ୍ରୀତି ପଟ୍ଟନାୟକ ଏଥିରେ ଅଭିନୟ କରିଥିଲେ । ‘କୃଷ୍ଣ ସୁଦାମା’ ଚଳଚ୍ଚିତ୍ର ରୂପରେଖ ଭିନ୍ନ ସ୍ୱାଦର ଥିଲା, ଯାହାକି ଦର୍ଶକମାନଙ୍କୁ ଭଲ ଲାଗିଥିଲା । ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ‘ବନ୍ଧୁ ମହାନ୍ତି’ରେ ଅଭିନୟ କରିଥିଲେ ଗୋବିନ୍ଦ ତେଜ, ଧୀର ବିଶ୍ୱାଳ, ବନଜା ମହାନ୍ତି, ଭୀମ ସିଂ, ଡଃ ପ୍ରଶାନ୍ତ ଦାସ, ଅନୀତା ଦାସ ଓ ଲୀଳା ଦୁଲାଳୀ । ଏହି ଚଳଚ୍ଚିତ୍ରଟି ସେ ସମୟରେ ରାଜ୍ୟ ସରକାରଙ୍କ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।

କ୍ରାନ୍ତି କୁମାରଙ୍କ ‘ଶ୍ରୀ ଜଗନ୍ନାଥ’ରେ ନିର୍ଦ୍ଦେଶନା ଦେଇଥିଲେ ବିଜୟ ଭାସ୍କର, ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଅକ୍ଷୟ ମହାନ୍ତି। ‘ଶ୍ରୀଜଗନ୍ନାଥ’ ଶୀର୍ଷକରେ ନିର୍ମିତ ହୋଇଥିଲା ଏହା ଥିଲା ଦ୍ୱିତୀୟ ଚଳଚ୍ଚିତ୍ର। ଏଥିରେ ଅଭିନୟ କରିଥିଲେ ଝରଣା ଦାସ, ଧୀରେନ୍ ଦାସ, ମିନୁଶ୍ରୀ ପାଣିଗ୍ରାହୀ, ଚକ୍ରପାଣି, ଶ୍ୟାମଳେନ୍ଦୁ ଓ ଲୁନା ମହାପାତ୍ର । କ୍ରାନ୍ତି କୁମାର ‘ଶ୍ରୀ ଜଗନ୍ନାଥ’ ଚଳଚ୍ଚିତ୍ରକୁ ବଙ୍ଗଳା, ତେଲୁଗୁ, ତାମିଲ, ଆସାମୀ ଭାଷାରେ ଡବିଂ କରି ପ୍ରଦର୍ଶନ କରାଇଥିଲେ।

ଜଗନ୍ନାଥଙ୍କୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ୧୯୭୯ ମସିହାରେ । ‘ନୀଳମାଧବ’ ନାମରେ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ରାଜକୁମାରୀ ଦେବୀ । ମମତା ରାୟ ଚୌଧୁରୀ, ରଘୁ ମିଶ୍ର, ଜୟା, ରାମ ପ୍ରତିହାରୀ ଓ କେଦାର ଗୁରୁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଜେ.ପି. ଭଗତ । ସଙ୍ଗୀତ ନିର୍ଦ୍ଦେଶକ ଥିଲେ ନିର୍ମଳ କୁମାର।

ସାଲବେଗଙ୍କ କାହାଣୀକୁ ନେଇ ୧୯୮୩ ମସିହାରେ ‘ଭକ୍ତ ସାଲବେଗ’ ନିର୍ମାଣ କରିଥିଲେ ସୂର୍ଯ୍ୟ ନାରାୟଣ ମହାନ୍ତି । ଏହି ଚଳଚ୍ଚିତ୍ରଟି ବିଶେଷ ପ୍ରଭାବଶାଳୀ ହୋଇଥିଲା । ଏହାର ନିର୍ଦ୍ଦେଶକ ଥିଲେ ରାଧା ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଭୁବନେଶ୍ୱର ମିଶ୍ର । ଏଥିରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି, ଅପରାଜିତା, ଦୁଃଖିରାମ ସ୍ୱାଇଁ, ଅନୀତା ଦାସ, ବୀରେନ ରାଉତରାୟ, ବ୍ୟୋମକେଶ ତ୍ରିପାଠୀ, ଜୟୀ, ରାଧା ପଣ୍ଡା, କାଶୀନାଥ ପ୍ରମୁଖ ।

ଶ୍ରୀଜଗନ୍ନାଥ କାଞ୍ଚି ଅଭିଯାନ କାହାଣୀ ପୃଷ୍ଠଭୂମିରେ ପରମଭକ୍ତ ମାଣିକ ଗଉଡୁଣୀ ବିଷୟବସ୍ତକୁ ନେଇ ୧୯୮୬ ମସିହାରେ ନିର୍ମିତ ହୋଇଥିଲା ଫିଲ୍ମ ‘ମାଣିକ’ । ଏଥିରେ ନାୟକ ଓ ନାୟିକା ଥିଲେ ବିଜୟ ମହାନ୍ତି ଓ ତନ୍ଦ୍ରା ମହାନ୍ତି । ଏହାର ନିର୍ଦ୍ଦେଶନା ଦେଇଥିଲେ ଆର. ଅଜଗର ଓ ସଙ୍ଗୀତ ନିର୍ଦ୍ଦେଶନା ଉପେନ୍ଦ୍ର କୁମାର । ‘ଜୟଦେବ’ ଶୀର୍ଷକରେ ଦ୍ୱିତୀୟ ଫିଲ୍ମ ନିର୍ମାଣ କରିଥିଲେ ଶାନ୍ତି ରାଉତରାୟ ୧୯୮୭ ମସିହାରେ । ଶ୍ୟାମଳ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନୟ କରିଥିଲେ ଚକ୍ରପାଣି, ଶର୍ମିଳା ବିଶ୍ୱାସ, ଉତ୍ତମ ମହାନ୍ତି, ନେତ୍ରାନନ୍ଦ ମିଶ୍ର ପ୍ରମୁଖ । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ବାଳକୃଷ୍ଣ ଦାସ ।

ତେବେ ଏହା ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ଆଧାରିତ ଓଡିଆ ଫିଲ୍ମ ଆଉ ଦେଖିବାକୁ ମିଳିଲା ନାହିଁ । ୨୦୦୬ ମସିହାରେ ବଳିଉଡ ପ୍ରଯୋଜକ ଭରତ ଶାହଙ୍କ ପ୍ରଯୋଜନାରେ ନିର୍ମିତ ହେଲା ‘ଜୟ ଜଗନ୍ନାଥ‘ । ଏଥିରେ ନିର୍ଦ୍ଦେଶନା ଦେଇଥିଲେ ସବ୍ୟସାଚୀ ମହାପାତ୍ର । ଲକ୍ଷ୍ମୀ ପୁରାଣ ଉପରେ ଆଧାରିତ ‘ଜୟ ଜଗନ୍ନାଥ’ରେ ଅଭିନୟ କରିଥିଲେ-ଶ୍ରୀତମ, ପିଣ୍ଟୁ ନନ୍ଦ, ଦେବାଶିଷ, ଜ୍ୟୋତି ମିଶ୍ର ପ୍ରମୁଖ । ଅକ୍ଷୟ ମହାନ୍ତି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମଟି ୧୪ଟି ଭାଷାରେ ଡବିଂ ହୋଇ ଭିନ୍ନ ଭିନ୍ନ ରାଜ୍ୟରେ ଏକ ସମୟରେ ମୁକ୍ତିଲାଭ କରିଥିଲା ।

ଓଡ଼ିଶାରେ ଜଗନ୍ନାଥ ସଂସ୍କୃତି ହିଁ ମହାନ୍ । ଜଗନ୍ନାଥଙ୍କ ନାମକରଣ କରି ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ‘ପୁଅ ମୋର କଳାଠାକୁର’, ‘ଚକାଆଖି ସବୁ ଦେଖୁଛି’, ‘ଆସୁଛି ମୋ କାଳିଆ ସୁନା’, ‘ପଥର ଖସୁଛି ବଡ଼ ଦେଉଳୁ’ ଆଦି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ପାଇଥିଲା । ଜଗନ୍ନାଥଙ୍କ ନାମକରଣ ଥାଇ ଅନ୍ୟାନ୍ୟ ଚଳଚ୍ଚିତ୍ର ‘ଚକାଡ଼ୋଳା କରୁଛି ଲୀଳା’, ‘ଠକୁର ଅଛନ୍ତି ଚଉ ବାହାକୁ’, ‘କାଳିଆ ଭରସା’, ‘ହିସାବ କରିବ କାଳିଆ’, ‘ମୋ ଭାଇ ଜଗା’, ‘ଜଗା ହାତରେ ପଘା’ ଆଦି ମୁକ୍ତିଲାଭ କରି ପ୍ରଭାବ ପକାଇଥିଲା ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର ସିନେମା

୮୫ ବର୍ଷ ତଳେ ଏପ୍ରିଲ ୨୮ରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡିଆ ଚଳଚିତ୍ର ସୀତା ବିବାହ, କିଛି ରୋଚକ କଥା

ଦିଲ୍ଲୀପ ହାଲି

ରାସ ସ୍ରଷ୍ଟା ସେ, ଆଧ୍ୟାତ୍ମିକତା ମନ୍ତ୍ରରେ ଦୀକ୍ଷିତ ଜଣେ ଦିବ୍ୟପୁରୁଷ । ସିନେମା ଭଳି ଆଧୁନିକ ଦୃଶ୍ୟକାବ୍ୟ କିନ୍ତୁ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଓଡ଼ିଶାରେ, ଓଡ଼ିଆ ସିନେମା ଆକାରରେ, ସିଧାସଳଖ କହିଲେ ଓଡ଼ଆ ଭାଷାର ସର୍ବପ୍ରଥମ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ ସେ ଆରମ୍ଭ କରିଥିଲେ ଓଡ଼ିଶାରେ ନାଁ ଦେଇଥିଲେ ‘ସୀତା ବିବାହ’ । ତେଣୁ ଓଡ଼ିଆ ସିନେମା ଜଗତ ପାଇଁ ସେ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ ।

ସ୍ୱର୍ଗତ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀ କେବେ ସିନେମା ଦେଖନ୍ତି ନାହିଁ । କିନ୍ତୁ ସେଦିନ ଘର ପଛପଟ ପୁରୀର ‘ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ’କୁ ସେ ଗଲେ ଭ୍ରାମ୍ୟମାଣ ସିନେମା ଦେଖିବା ପାଇଁ । ବିଖ୍ୟାତ ହାସ୍ୟ ଅଭିନେତା ଚାର୍ଲି ଚାପ୍‌ଲିନ୍‌ଙ୍କ ଅଭିନୟ ତାଙ୍କୁ ଏତେ ମୁଗ୍‌ଧ କଲା ଯେ ସେ ସେଇଦିନ ନିଷ୍ପତ୍ତି ନେଲେ ଫିଲ୍ମ ତିଆରି କରିବେ ଏବଂ ତାପରେ ଆରମ୍ଭ ହୋଇଗଲା ପ୍ରସ୍ତୁତି ।

ଏହା ୧୯୩୫ ମସିହା କଥା, ବାସ୍ ଏହାପରେ ମାତ୍ର ବର୍ଷକ ବ୍ୟବଧାନରେ ନିର୍ମାଣ ପାଇଁ ବାଟ ଦେଖିଲା ‘ସୀତା ବିବାହ’ । ସ୍ୱର୍ଗତ ଦେବ ଗୋସ୍ୱାମୀ ନିଜେ ଏହାକୁ ପ୍ରଯୋଜନା କରିଥିଲେ, ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରିଥିଲେ ।

୧୨ ରିଲ୍ ବିଶିଷ୍ଟ ‘ସୀତା ବିବାହ’ ୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ମୁକ୍ତିଲାଭ କରିଥିଲା ପୁରୀର ଳକ୍ଷ୍ମୀ ଟକିଜଠାରେ । ସୀତା ବିବାହରେ ମୋଟ ୨୯ ହଜାର ୭୮୧ ଟଙ୍କା ଦଶଅଣା ଖର୍ଚ୍ଚ ହୋଇଥିଲା । ରାମ ଭୂମିକାରେ ଅଭିନୟ ପାଇଁ ମାଖନଲାଲ ବାନାର୍ଜୀ ୧୨୦ ଟଙ୍କା, ସୀତା ଭୂମିକାରେ ଅଭିନୟ ପାଇଁ ପ୍ରଭାବତୀ ଦେବୀ ୧୫୦ ଟଙ୍କା ନେଇଥିଲେ ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ ପାଇଁ ଅଦ୍ୱୈତ ମହାନ୍ତି ୩୫ ଟଙ୍କା , କେବଳ ଯିବା ଆସିବା ଖର୍ଚ୍ଚ ବାବଦରେ ପାରିଶ୍ରମିକ ନେଇଥିଲେ।

ଓଡିଶା ସିନେକ୍ରିଟକ ତରଫରୁ ପ୍ରକାଶିତ ‘ସୀତା ବିବାହ’ ଚଳଚିତ୍ରର ଚିତ୍ରନାଟ୍ୟ ପୁସ୍ତକଙ୍କୁ ଉନମୋଚନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବେଙ୍ଗଲ ବୋର୍ଡ଼ ଅଫ୍ ଫିଲ୍ମ ସାର୍ଟିଫିକେଟ ପକ୍ଷରୁ କଲିକତା ଲାଲ ବଜାର ପୋଲିସ କମିଶନର ଏହାକୁ ସେନ୍‌ସର ସାର୍ଟିଫିକେଟ ପ୍ରଦାନ କରିଥିଲେ । ସେତେବେଳେ ଗୋଟିଏ ଶୋ ସମୟସୀମା ଥିଲା ୩ ଘଣ୍ଟା । ତେଣୁ ‘ସୀତା ବିବାହ’ ପ୍ରଦର୍ଶନ ସହ ଘଣ୍ଟାଏ ଲମ୍ବା ବଙ୍ଗଳା ସାମାଜିକ ଚିତ୍ର ‘ମଣିକାଞ୍ଚନ’ ମଧ୍ୟ ଦର୍ଶକମାନଙ୍କୁ ଦେଖାଯାଉଥିଲା । କଲିକତାରେ କାଳୀ ଫିଲ୍ମସ ପକ୍ଷରୁ ନୂଆ ପ୍ରିଣ୍ଟ୍ ‘ସୀତା ବିବାହ’ର ଭ୍ରାମ୍ୟମାଣ ସିନେମା ପ୍ରଦର୍ଶନ ସରିଲା ପରେ ଟେଣ୍ଟ ମଧ୍ୟରେ ପ୍ରିଣ୍ଟ୍‌ଟି ଥିଲା । ଆକସ୍ମିକ ଅଗ୍ନିକାଣ୍ଡ ଯୋଗ ତାହା ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଗଲା ।

ସର୍ବପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର କୌଣସି ସନ୍ତକ ଏବେ ସୁରକ୍ଷିତ ନାହିଁ, କାହାନ୍ତି ବି ଅଭିନୟ କରିଥିବା କଳାକାର, କିନ୍ତୁ ଏ ସ୍ମୃତି ଭୁଲିବାର ନୁହେଁ । କାରଣ ଏହି ସିନେମା ହିଁ ଏକ ଆଞ୍ଚଳିକ ସିନେମା ଦୁନିଆର ମାର୍ଗଦର୍ଶକ ଥିଲା ।

ଅଗ୍ରଣୀ ସିନେ ସଂଗଠକ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନକୁ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ନାତି ଶ୍ରୀଯୁକ୍ତ ବଟରାଜ ଦେବ ଗୋସ୍ୱାମୀ ‘ସୀତା ବିବାହ’ର ସମ୍ପୂର୍ଣ୍ଣ ଚିତ୍ରନାଟ୍ୟ ଓ ଗୀତକୁ ସଂରକ୍ଷିତ ରଖିବା ପାଇଁ ଚୁକ୍ତି କରିଥିଲେ । ଗତବର୍ଷ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିତ୍ରନାଟ୍ୟ ପୁସ୍ତକକୁ ଆନୁଷ୍ଠାନିକ ଭାବରେ ୨୦୧୭, ଏପ୍ରିଲ ୨୮ ତାରିଖରେ ଉଦ୍‌ଘାଟନ କରିଥିଲେ ।

୧୯୩୬ ମସିହା ଏପ୍ରିଲ ୨୮ ତାରିଖ ଉତ୍କଳ ଗୌରବ ମଧୁସୂଦନଙ୍କ ଶୁଭ ଜନ୍ମଦିବସ ଏବଂ ଏହାକୁ ସଂକଳ୍ପ ଦିବସ ଭାବେ ପାଳନ କରାଯାଉଛି । ସେହିଦିନ ସୀତା ବିବାହ ଦିବସ ପାଳନ ସେହି ସଂକଳ୍ପକୁ ଆଉ ପାଦେ ଆଗେଇ ନେବ ଓଡ଼ିଆ କଳା, ସଂସ୍କୃତି ଓ ସିନେମା କ୍ଷେତ୍ରରେ । ମଞ୍ଜ ହିଁ ଗଛର ସବୁକିଛି । ଠିକ୍ ସେମିତି ‘ସୀତା ବିବାହ’ ଓଡ଼ିଆ ସିନେମାର ପରିଚୟ । ଏହା ଯେତେ ସ୍ମରଣରେ ରହିବ ଓଡ଼ିଆ ସିନେମାର ଗୌରବଗାଥା ସେତିକି ସ୍ପଷ୍ଟ ହେବ ।

ସମ୍ପାଦକ, ଓଡ଼ିଶା ସିନେକ୍ରିଟିକ ଆସୋସିଏସନ
ବଡ଼ଗଡ଼, ଭୁବନେଶ୍ୱର
ମୋ : ୯୮୬୧୦୦୯୨୫୨

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ବିଜୁବାବୁଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନର କିଛି ସ୍ମରଣୀୟ ଦୃଷ୍ଟାନ୍ତ

ଦିଲ୍ଲୀପ ହାଲି

ସିକେକ୍ରିଟିକ୍ ପୁରସ୍କାର ପ୍ରଦାନ ସହ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ଜୀବନର ରୌପ୍ୟ ଜୟନ୍ତୀ ପାଳନ କରିବା ଲାଗି ସ୍ଥିର ହେଲା । ସବୁଥର ଭଳି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସଚିବାଳୟ ପ୍ରକୋଷ୍ଠରେ ଭେଟି ନିମନ୍ତ୍ରଣ କରିବାକୁ ସିନେକ୍ରିଟିକ୍ ଆସୋସିଏସନ୍‌ର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ମୁଁ ଯାଇଥିଲୁ । ବିଜୁବାବୁ ଚିଠିଟି ପଢ଼ି ତା’ ଉପରେ ଲେଖି ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ହାତରେ ଧରାଇ ଦେଲେ । ଆମେ ଖୁସିରେ ତାଙ୍କ ପ୍ରକୋଷ୍ଠରୁ ବାହାରି ଆସୁଛୁ, ହଠାତ୍ ପଛରୁ ଡାକି ପଚାରିଲେ – What is the Prasanta Nanda Silver Night ? Who is Prasanta Nanda ? Why this Silver Night ତା’ପରେ ଆମେ ବିଜୁବାବୁଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଆଗଧାଡ଼ିର ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ ସମ୍ପର୍କରେ ସବୁ ବିଷୟ ଜଣାଇଲୁ।

ତାଙ୍କ ଚଳଚ୍ଚିତ୍ର ଜୀବନରେ ୨୫ ବର୍ଷ ପୂରି ଯାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଏହି ଉତ୍ସବ ଆୟୋଜିତ ହେଉଛି ବୋଲି ଜଣାଇଲୁ । ଏଥିସହିତ ପ୍ରଦୋଷ ବାବୁ, ଓଡ଼ିଆ ପ୍ରାଣ ମୁଖ୍ୟମନ୍ତ୍ରୀଙ୍କୁ ମହାନ୍ ଓଡ଼ିଆ ବୀର ଖାରବେଳଙ୍କ ଉପରେ ପ୍ରଶାନ୍ତ ନନ୍ଦ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ଏହି କଥା ପଦକ ବିଜୁବାବୁଙ୍କୁ ଖୁବ୍ ଆନନ୍ଦ ଦେଇଥିଲା ଏବଂ ଆହୁରି ଖୁସି ହୋଇ ଉତ୍ସବକୁ ଆସିବେ ବୋଲି କହିଥିଲେ । ଆଗକୁ ଆସୁଥିବା ରାଜ୍ୟସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଚୟନ ନେଇ ବରିଷ୍ଠ ମନ୍ତ୍ରୀ ଓ ଦଳୀୟ ନେତାମାନଙ୍କ ସହ ବିଜୁବାବୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିମଗ୍ନ ଥିଲେ ଏବଂ ଉତ୍ସବ ବିଷୟ ସେ ପୁରାପୁରି ଭୁଲି ଯାଇଥିଲେ ।

ରବୀନ୍ଦ୍ର ମଣ୍ଡପରେ ତାଙ୍କର ପହଞ୍ଚିବାରେ ବିଳମ୍ବ ଦେଖି ତିନିଜଣ କଳାକାରଙ୍କୁ ସଚିବାଳୟ ପଠାଇ ବିଜୁ ବାବୁଙ୍କୁ ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲୁ । ତା’ପରେ ବିଜୁବାବୁ ହସି ହସି ଦଳୀୟ ସଭାପତି ଅଶୋକ ଦାସଙ୍କୁ ବୈଠକର ଦାୟିତ୍ୱ ନ୍ୟସ୍ତ କରି ଚଳଚ୍ଚିତ୍ର ଉତ୍ସବକୁ ଚାଲିଆସିଲେ । ସେଦିନର ଉତ୍ସବରେ ଜଣେ କଳାକାର ଅନ୍ୟ ଜଣେ କଳାକାରଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବେ ବୋଲି ଆମେ ପୂର୍ବରୁ ସ୍ଥିର କରିଥିବା ଶୁଣି ବିଜୁବାବୁ ବିରକ୍ତ ହୋଇ ନିଜେ ସବୁ ପୁରସ୍କାର ବାଣ୍ଟିବେ ବୋଲି କହିଥିଲେ ଏବଂ ଉତ୍ସବରେ ଦୁଇଘଣ୍ଟା ଧରି ଉପସ୍ଥିତ ଥିଲେ ।

ସେଦିନ ଉତ୍ସବରେ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ ଖାରବେଳଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଜାଣି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସାରେ ପୋତି ପକାଇ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । କଳିଙ୍ଗ ସମ୍ରାଟ୍ ଖାରବେଳଙ୍କ ବୀରତ୍ୱ ଓ ସାହସ ବିଜୁ ପଟ୍ଟନାୟକଙ୍କୁ କିପରି ଉଦ୍‌ବୁଦ୍ଧ ଓ ଅନୁପ୍ରାଣିତ କରିଥିଲା, ସେଦିନ ସେହି ଉତ୍ସବରେ ତାହା ପ୍ରତିଫଳିତ ହୋଇଥିଲା ।

ଏକଦା ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ପ୍ରଥମେ ସିନେକ୍ରିଟିକ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ, ଭାରତର ସଂସଦ ଭବନରେ ବିଜୁବାବୁଙ୍କ ମୃତ୍ୟୁ ପରେ ତାଙ୍କର ଏକ ତୈଳଚିତ୍ର ସ୍ଥାନ ପାଉ । ଏହି ପ୍ରସ୍ତାବଟି ସଂସ୍କୃତି ମନ୍ତ୍ରୀ ତତ୍‌କ୍ଷଣାତ୍ ଗ୍ରହଣ କରି ଏହା କେଉଁ ଶିଳ୍ପୀଙ୍କ ଦ୍ୱାରା କରାଯିବ, ତା’ର ବ୍ୟବସ୍ଥା କରିବାକୁ କହିଲେ । କଟକସ୍ଥିତ ଆନନ୍ଦ ଭକବନରେ ବିଜୁ ପଟ୍ଟନାୟକଙ୍କର ଏକ ଫଟୋଚିତ୍ର ଥିଲା । ତାକୁ ଓଡ଼ିଶାର ତତ୍କାଳୀନ ଓଡ଼ିଶା ଲଳିତକଳା ଏକାଡେମୀର ସଚିବ ଚନ୍ଦ୍ରମଣି ବିଶ୍ୱାଳ ପ୍ରସ୍ତୁତ କରିଥିଲେ । ଏହା ପ୍ରସ୍ତୁତ ହେଲାପରେ ସଂସଦ ଭବନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାନୀ ଏବଂ ସୁଷମା ସ୍ୱରାଜ ପ୍ରମୁଖଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଥିଲା ଏବଂ ସେଠାରେ ଏହି ତୈଳ ଚିତ୍ରଟିକୁ ପ୍ରସ୍ତୁତ କରିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ଚନ୍ଦ୍ରମଣି ବିଶ୍ୱାଳଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

୧୯୯୦ ଡିସେମ୍ବର ମାସର ଶୀତ ସନ୍ଧ୍ୟାରେ ଆୟୋଜିତ ଆଉ ଏକ ସିନେକ୍ରିଟିକ୍ ଉତ୍ସବରେ ଗୋଟିଏ କୌତୁହଳଜନକ ଘଟଣା ଘଟିଥିଲା । ଏଥିରେ ମୁଖ୍ୟ ଅତିଥି ବିଜୁବାବୁଙ୍କ ସହ ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ହିନ୍ଦୀ ଧାରାବାହିକର ଲୋକପ୍ରିୟ ଅଭିନେତା ମୋହନ ଗୋଖଲେ (ମିଃ. ଯୋଗୀ ଅଭିନୟ ପାଇଁ ପ୍ରସିଦ୍ଧ) ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଉତ୍ସବର ଅବ୍ୟବହିତ ପୂର୍ବରୁ ଏକ ପ୍ରଳୟଙ୍କରୀ ବାତ୍ୟା ଓ ବନ୍ୟା ବିତ୍ପାତରେ ଗଞ୍ଜାମ ଜିଲ୍ଲା ବହୁତ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏହି ଉତ୍ସବରେ ବିପୁଳ ଜନସମାଗମକୁ ଲକ୍ଷ୍ୟ କରି ବିଜୁବାବୁ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବିଷୟରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।

ବିଜୁଙ୍କ ଆବେଗଭରା ଆହ୍ୱାନ ଶୁଣି ଅଭିନେତା ମୋହନ ଗୋଖଲେ ନିଜେ ମଞ୍ଚ ଉପରୁ ଓହ୍ଲାଇ ଏକ ଟିଣ ଡବା ଧରି ଉପସ୍ଥିତ ଦର୍ଶକମଣ୍ଡଳୀଠାରୁ ଦାନ ସଂଗ୍ରହ କରିଥିଲେ । ତାଙ୍କ ଦେଖାଦେଖି ଅନ୍ୟ କଳାକାରମାନେ ମଧ୍ୟ ରବୀନ୍ଦ୍ର ମଣ୍ଡପର ଭରପୁର ପ୍ରେକ୍ଷାଳୟରୁ ଦାନ ସଂଗ୍ରହ ଆରମ୍ଭ କରିଦେଲେ । ମୋଟାମୋଟି ଭାବରେ ଏହି ଉତ୍ସବରେ ସଂଗୃହୀତ ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା । ସେଦିନର ସେହି ଉତ୍ସବରେ କଟକରୁ ଦୁଇ ଚକିଆ ଗାଡ଼ିରେ ଚଢ଼ି ଆସି ଯୋଗ ଦେଇଥିବା ଓଡ଼ିଆ ଚଳଚ୍ଚିତ୍ରର ବିଗତ ଦିନର ଅଗ୍ରଣୀ ବ୍ୟକ୍ତିତ୍ୱ ଗୌରପ୍ରସାଦ, ଘୋଷ, ପୀର ମିଶ୍ର ଓ ନିତାଇ ପାଲିତ୍‌, ସାମୁଏଲ୍ ସାହୁ ବାବି ପ୍ରମୁଖଙ୍କୁ ଦେଖି ଓ ପୁରସ୍କାର ପ୍ରଦାନ କରି ବିଜୁବାବୁ ଅତ୍ୟନ୍ତ ଉତ୍‌ଫୁଲିତ ହୋଇଉଠିଥିଳେ ।

ତାଙ୍କଠାରୁ ବୟସରେ ବଡ଼ ଓ ତାଙ୍କ ଜ୍ୟେଷ୍ଠା ଭଗିନୀଙ୍କ ବାନ୍ଧବୀ ଉମା ଗୋଏଙ୍କା (ବାନାର୍ଜୀ) ଯେତେବେଳେ ପୁରସ୍କାର ଗ୍ରହଣ କରିବାକୁ ଆସିଲେ, ସେତେବେଳେ ବିଜୁବାବୁ ଭାବପ୍ରବଣ ହୋଇଉଠିଥିଲେ । ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ର ନାୟିକା ଉମା ମଧ୍ୟ ଖୁବ୍ ଆବେଗରେ ନିଜର କନିଷ୍ଠ ଭ୍ରାତା ସଦୃଶ ବିଜୁଙ୍କ ଗାଲକୁ ଧରି ତାଙ୍କୁ ଆଶୀର୍ବଦା ପ୍ରଦାନ କରିବାର ଦୃଶ୍ୟ ସେତେବେଳେ ସମସ୍ତ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । ଅଭିନେତା ଉତ୍ତମ ମହାନ୍ତି ଉମା ଗୋଏଙ୍କାଙ୍କୁ ନେଇ ମଞ୍ଚକୁ ଯାଇଥିଲେ ।

ସାମଗ୍ରିକ ଭାବରେ ବିଚାର କଲେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଓ ମାନବବାଦୀ ଜନନେତା ରୂପେ ସୁପରିଚିତ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱର ଅନ୍ୟ ଦିଗଟି କିପରି କଳା ଓ ସଂସ୍କୃତିପ୍ରାଣତାରେ ଭରପୂର ଥିଲା, ତାହା ଏହି ସମସ୍ତ ଘଟଣା ଓ ଅନୁଭୂତି ସ୍ପଷ୍ଟ ଜଣାପଡ଼େ । ବିଜୁ ପଟ୍ଟନାୟକ ସଦାସର୍ବଦା ସକ୍ରିୟ ରାଜନୀତି ଭିତରେ ବୁଡ଼ି ରହିଥିଲେ ମଧ୍ୟ ତାଙ୍କର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବିଶେଷକରି ଗଜଲ ପ୍ରତି ସେ ଗଭୀର ଆକର୍ଷଣ ରହିଥିଲେ । ସେ ସମ୍ପର୍କରେ କାହାରି ଧାରଣା ନଥିଲା । ମାତ୍ର ଗୋଟିଏ ଥର ସିନେକ୍ରିଟିକ୍ ଉତ୍ସବରେ ସେ ସମସ୍ତଙ୍କୁ ଚକିତ କରି ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ଦିଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ସେଥିସହିତ ଆମମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ମୁମ୍ବାଇରୁ ପଣ୍ଡିତ ହରିପ୍ରସାଦ ଚୌରାସିଆ କିମ୍ବା ସେହିଭଳି ଅନ୍ୟ ଯଶସ୍ୱୀ କଳାକାରଙ୍କୁ ଆଣି ଭୁବନେଶ୍ୱରରେ ଏକ ଗଜଲ ସନ୍ଧ୍ୟା ଆୟୋଜନ କରିବାକୁ । ସେ କେବଳ ସଙ୍ଗୀତକୁ ଭଲ ପାଉନଥିଲେ, ସେ ସମ୍ପର୍କରେ ତାଙ୍କର ଯଥେଷ୍ଟ ଜ୍ଞାନ ଓ ସ୍ପଷ୍ଟ ଧାରଣା ମଧ୍ୟ ରହିଥିଲା । ତାଙ୍କର ମୂଲ୍ୟବାନ ପରାମର୍ଶ ଗ୍ରହଣ କରି ଆମେ ଅଳ୍ପଦିନ ମଧ୍ୟରେ ସୂଚନା ଭବନ (ବର୍ତ୍ତମାନର ଜୟଦେବ ଭବନ) ଠାରେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଏବଂ ଆମେରିକାରେ ରହୁଥିବା ଓଡ଼ିଆ କଣ୍ଠଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ନେଇ ଏକ ଚିତ୍ତାକର୍ଷକ ଗଜଲ ସନ୍ଧ୍ୟା ଆୟୋଜନ କରିଥିଲୁ ।

ସେଦିନ ସମଗ୍ର ସୂଚନା ଭବନ ଶ୍ରୋତାଙ୍କ ଉପସ୍ଥିତିରେ ଭରପୂର ହୋଇଯାଇଥିଲା । ବିଜୁବାବୁଙ୍କ ସହ ସିନେକ୍ରିଟିକ୍ ଆସୋସିଏସନ୍‌ର ନିବିଡ଼ ସମ୍ପର୍କ ରହିଥିଲେ ମଧ୍ୟ ଏହି ସଂସ୍ଥା କୌଣସି ସମୟରେ ତାଙ୍କଠାରୁ କିଛି ଫାଇଦା ହାସଲ କରିବାକୁ ଉଦ୍ୟମ କରିନଥିଲା । ଏହା ହିଁ ତାଙ୍କୁ ଆମ ଅନୁଷ୍ଠାନ ଆଡ଼କୁ ଅଧିକ ଆକର୍ଷିତ କରିଥିଲା ।

ଓଡ଼ିଆ ତଥା ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ବିଜୟା ଜେନା ଓରଫ୍ ଡଳି ଜେନା ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ବିଜୁ ପଟ୍ଟନାୟକଙ୍କ ତାଙ୍କ ବାସଭବନରେ ଭେଟି ଅନୁରୋଧ କରିଥିଲେ । ଏଥିପାଇଁ ଚଳଚ୍ଚିତ୍ର ଉନ୍ନୟନ ନିଗମରୁ ଋଣ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ବିଜୁବାବୁ ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଥିଲେ । ସେତେବେଳର ଶିଳ୍ପମନ୍ତ୍ରୀ ଦିଲ୍ଲୀପ ରାୟ ମଧ୍ୟ ଏଥିପାଇଁ ସାହାଯ୍ୟ କରିଥିଲେ । ତା’ପରେ ଓଡ଼ିଆ ଚଳଚ୍ଚିତ୍ର ‘ତାରା’ ନିର୍ମାଣ ହେଲା, ଯାହାକି ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ‘ତାରା’ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିଥିଲା ।

ଓଡ଼ିଆ ସଂସ୍କୃତି ଓ କଳାପ୍ରତି ଏହି ମହାନ୍ ବରପୁତ୍ରଙ୍କର ଯେଉଁ ବିପୁଳ ଅବଦାନ ରହିଥିଲା, ତାକୁ ଏ ଜାତି ଆଦୌ ଭୁଲିପାରିବ ନାହିଁ । ହେଲେ ଆଜି ତାଙ୍କର ଜନ୍ମ ଶତବାର୍ଷିକୀ ବର୍ଷରେ ଏ ସମ୍ପର୍କରେ ବିେଶେଷ ଆଲୋଚନା କରାଯିବାର ପ୍ରାସଙ୍ଗିକତା ରହିଛି ।

Categories
ବିଶେଷ ଖବର ମନୋରଂଜନ ସିନେମା

ଆମ ଓଡ଼ିଆ ଚଳଚ୍ଚିତ୍ର ପ୍ରସଙ୍ଗ….

ଦିଲ୍ଲୀପ ହାଲି

ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଦିଗରେ ପ୍ରଯୋଜକମାନେ କୁଣ୍ଠିତ ହେଲେଣି। କେବଳ ଟି.ଭି. ଚ୍ୟାନେଲ୍ ଗୁଡ଼ିକ ନିଜ ପ୍ରଯୋଜନା ଜରିଆରେ ଯାହା ଓଡ଼ିଆ ଚଳଚ୍ଚିତ୍ର କରିବେ ତାହା ବାଧ୍ୟ ବାଧକତାରେ ଟି.ଭି. ମାଧ୍ୟମରେ ଦେଖିବା ସାର ହେବ। ପ୍ରେକ୍ଷାଳୟ ସଂଖ୍ୟା କମ୍ ବେଳେ ଆର୍ଥିକ ଦିଗରୁ ପ୍ରଯୋଜକମାନେ ପୂର୍ବାପେକ୍ଷା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ କରିବା ଦିଗରେ ପଶ୍ଚାତପଦ ହେଉଛନ୍ତି। ମନ ମୁତାବକ ଓଡ଼ିଆ ଚଳଚ୍ଚିତ୍ର ଗୋଟାକ ପରେ ଗୋଟିଏ କରୁଥିବା ପ୍ରଯୋଜକମାନେ ଅନ୍ୟାନ୍ୟ ବ୍ୟବସାୟରେ ଅର୍ଥବିନିଯୋଗ କରୁଛନ୍ତି।

ସାମ୍ପ୍ରତିକ ଚଳଚ୍ଚିତ୍ର ପରିସ୍ଥିତିକୁ ଲକ୍ଷ୍ୟ କରି ଯାହାଙ୍କର ଓଡ଼ିଆ ପ୍ରଯୋଜନାରେ ସାମାନ୍ୟତମ ଧାରଣା ନାହିଁ, ସେଇ କେତୋଟି ଖୁଚୁରା ପ୍ରଯୋଜକମାନଙ୍କୁ ‘ଜୋକ୍‌ର’ ବନେଇ ନିର୍ଦ୍ଦେଶକମାନେ ନିଜକୁ ଦୋଷମୁକ୍ତ କରୁଛନ୍ତି। ଓଡ଼ିଆ ସିନେମା ପାଇଁ ବଜେଟ୍ ପ୍ରାରମ୍ଭିକ ଅବସ୍ଥାରେ ଗୋଟିଏ କଥା ! ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଯୋଜକଟିକୁ ଅର୍ଥ ଦେବାରେ କଣ୍ଠାଗ୍ରସ୍ତ ହୋଇପଡ଼େ। ସେଥିରୁ ସେ ମୁକ୍ତି ପାଇଁ ନିଜେ ବାଟ ଖୋଜୁଛି। ନୂଆ ଚଳଚ୍ଚିତ୍ରର ଶୁଭମୁକ୍ତି ପାଇଁ ବିରତକମାନେ ଆପେ ଆପେ ଧରା ଦେଇ ପ୍ରଯୋଜକଙ୍କୁ ଅତି ସରଳ ଭାଷାରେ ଏପରି ବୁଝାଇଥାନ୍ତି ଯେ, ପ୍ରଯୋଜକଟି ନିଜକୁ ଆଶ୍ୱସ୍ତି ଅନୁଭବ କରି ଶେଷ ପର୍ଯ୍ୟାୟରେ ଅନେକ ଅନୁଭୂତି ପାଇ ଯାଇଥାଏ। ବିତରକ ସରଳତାର ସୁଯୋଗ ନେଇ ଅର୍ଥ ବାଟମାରଣା କରିଥାଏ। ବିଚାରା ପ୍ରଯୋଜକଟି ଆଖିଥାଇ ଅନ୍ଧ ପାଲଟି ଯାଏ।

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ମାନ୍ୟତା ମିଳିଛି। ହେଲେ ଷ୍ଟୁଡ଼ିଓ ଓ ନିଗମର ଗମନାଗମନ ପାଇଁ ସଠିକ୍ ମାର୍ଗଦର୍ଶକ ହେଉନାହାଁନ୍ତି। ଫଳରେ ଅଚଳାବସ୍ଥା ମଧ୍ୟରେ ଉଭୟ କାର୍ଯ୍ୟ କରୁଛି। ସରକାର ଓଡ଼ିଆ ଚଳଚ୍ଚିତ୍ରକୁ ସଂପୂର୍ଣ୍ଣ ଟିକସ ମୁକ୍ତ କଲେ ମଧ୍ୟ ଏହାର ପ୍ରକୃତ ଫାଇଦା ପ୍ରଯୋଜକଟିକୁ ମିଳେନାହିଁ। ଆମେ କେବଳ ସଭାସମିତିରେ ଓଡ଼ିଆ ଚଳଚ୍ଚିତ୍ରର ସମୃଦ୍ଧି କଥା ଭାଷଣ ମାରି ନିଜ ନିଜର ଆତ୍ମ ବଡ଼ିମା କଥା କହି ଶ୍ରୋତାମାନଙ୍କୁ ଭଣ୍ଡାଇ ଥାଉ।

ଓଡ଼ିଶାର ଭଲ ପର୍ଯ୍ୟଟନସ୍ଥଳୀ ଫଟୋ ଚିତ୍ରରେ ପ୍ରଦର୍ଶିତ କରି ସୁଟିଂ ପାଇଁ ବିଦେଶ ଓ ଅନ୍ୟାନ୍ୟ ରାଜ୍ୟର ଚିତ୍ର ନିର୍ମାତାମାନଙ୍କୁ ଆହ୍ୱାନ କରୁଥିଲେ ମଧ୍ୟ ପର୍ଯ୍ୟଟନସ୍ଥଳୀ ମାନଙ୍କରେରହିବା ପାଇଁ ଭଲ ହୋଟେଲ କି ପାନ୍ଥଶାଳା ନାହିଁ। କଳିଙ୍ଗ ଷ୍ଟୁଡ଼ିଓର ପୁର୍ନବିନ୍ୟାସ ହେବା କିଛି ବଡ଼ କଥା ନୁହେଁ। ୧୯୯୯ ମହାବାତ୍ୟା ପରେ ଷ୍ଟୁଡ଼ିଓକୁ ରୂପରେଖ ଦେଖବାପାଇଁ ଦୀର୍ଘ ୨୧ ବର୍ଷ ଲାଗିଲା।

ଏହି କରୋନା ମହାମାରୀ ବେଳେ ପ୍ରଯୋଜକମାନେ ଚଳଚ୍ଚିତ୍ରରେ ଅର୍ଥ ବିନିଯୋଗ କରିବା ଦିଗରେ ବିମୁଖ ହେଉଛନ୍ତି। ଚଳଚ୍ଚିତ୍ର ଉନ୍ନୟନ ନିଗମ ଏ ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ବେସରକାରୀ ସ୍ତରରେ ମନୋରମ ସେଟ୍ ବ୍ୟବହାର ଉପଯୋଗୀ କରିବା ପାଇଁ ଅନେକ ଷ୍ଟୁଡ଼ିଓ କରାଯାଇଛି, ଯାହାକି ଏଯାବତ୍ ଚଳଚଞ୍ଚଳ ହୋଇରହିଛି। କଳିଙ୍ଗ ଷ୍ଟୁଡ଼ିଓରେ କାର୍ଯ୍ୟ କଲେ ପ୍ରଯୋଜକଙ୍କୁ ରିହାତି ମିଳିବା ଦରକାର।

ଓଡ଼ିଆ ଚଳଚ୍ଚିତ୍ରର ଦର୍ଶକ ସଂଖ୍ୟା କମିବାର କାରଣ ହେଲା, ଆମ ଓଡ଼ିଆ ଚଳଚ୍ଚିତ୍ର ନାମରେ ଅଣ ଭାଷାଭାଷୀ ଚଳଚ୍ଚିତ୍ରର ଅବିକଳ ନକଲ ଚଳଚ୍ଚିତ୍ର ଦେଖି ଆତ୍ମତୃପ୍ତି କରୁଛେ। ଆମ ସାହିତ୍ୟ ସଂସ୍କୃତିର ଛାପା ସେଥିରେ କମ୍ ପ୍ରଦର୍ଶିତ ହେଉଛି। ଉତ୍ତାରୁ ଚଳଚ୍ଚିତ୍ର ନିର୍ମାଣ କରିବା ନିର୍ଦ୍ଦେଶକ – ପ୍ରଯୋଜକମାନଙ୍କୁ କମ୍ ସମୟ ବିନିଯୋଗ ହେଉଛି। ଅର୍ଥ ଲଗାଉଥିବା ବ୍ୟକ୍ତି ଅର୍ଥ ପାଇବା ଆଶାରେ ଖଟୁଛି। ତେଣୁ ସଂସ୍କୃତି ଓ ସାହିତ୍ୟ ପ୍ରତି ଦରଦ ରହିବ ବା କେମିତି ! ଓଡ଼ିଆ ନିର୍ଦ୍ଦେଶକମାନେ ନିଜକୁ ନିର୍ଦ୍ଦୋଷ କହି ନୀରବତା ମଧ୍ୟରେ ରହି ଯାଉଛନ୍ତି।

ସଂପ୍ରତି ଅଣ ଓଡ଼ିଆ ନୃତ୍ୟ ନିର୍ଦ୍ଦେଶକମାନେ ଓଡ଼ିଆ ‘ଚଳଚ୍ଚିତ୍ର ନିର୍ଦ୍ଦେଶକ’ ବନି ଗଲେଣି। ତାଙ୍କ ମନରେ ପରମ୍ପରା କଥା ସଂସ୍କୃତିର ଗାଥା ମନ ଉଙ୍କି ମାରିବ କିପରି ? ବ୍ୟବସାୟିକ ଓଡ଼ିଆ ଚଳଚ୍ଚିତ୍ର ‘ଛ’ ମାଣ ଆଠଗୁଣ୍ଠ’, ‘ଶାସ୍ତି’ କିମ୍ବା ‘ବଧୁ ନିରୂପମା’ ପରି ଓଡ଼ିଆ ଚଳଚ୍ଚିତ୍ର ଯଦି ପ୍ରେକ୍ଷାଳୟରେ ଭଲ ନ ଚାଲିଲା ତାହା କ’ଣ ନିର୍ମାତାଙ୍କ ଭୁଲ୍। ଓଡ଼ିଆ ଚଳଚ୍ଚିତ୍ର ‘ଗଙ୍ଗା ଯମୁନା’, ‘ଆଇ ଲଭ୍ ୟୁ’, ‘ଶାଶୁ ଘର ଚାଲିଯିବି’, ଏହା ସୁପରହିଟ୍ (ଓଡ଼ିଆ ନାମକରଣର) ଅଣ ଓଡ଼ିଆ ଚଳଚ୍ଚିତ୍ର- ଦେଖି ଦର୍ଶକ ଖୁସି ହେଲେ।

ଭଲ ଓଡ଼ିଆ କାହାଣୀ ନିର୍ମାତା ଅଣ ଓଡ଼ିଆ ଉତ୍ତାରୁ ନିର୍ମାତା ମାନେ କ’ଣ ଏପରି କଲେ ଯେ, ବିଚାରା ପ୍ରଯୋଜକ ସୁପରହିଟ୍ କାନରେ କେବଳ ଶୁରି ନିଜ ଅର୍ଥରେ ସୁପରହିଟ୍ ବିଜ୍ଞାପନ ଦର୍ଶନ କରି ନିରବତା ମଧ୍ୟରେ ରହିଗଲା। ପ୍ରକୃତପକ୍ଷେ ସେ ପୁଣି ସୁପରହିଟ୍ ଅର୍ଥ ଫେରି ପାଇଛି କି ? ପରସ୍ପର ପରସ୍ପରକୁ ଦୋଷ ଦେଇ ଆମେ ନିଜକୁ ନିଜେ ଆତ୍ମ ସମୀକ୍ଷା କରୁଛେ।

୮୪ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ୭୦/୮୦ ଦଶକର ଉଦାହରଣ ଦେଇ ସେଇ ପୁରୁଣା କଥା ପୁନରାବୃତ୍ତି କରିବା ଆଉ କେତେ ଦିନ। ପୁନା ତଥା ଅନ୍ୟାନ୍ୟ ଚଳଚ୍ଚିତ୍ର ପ୍ରଶିକ୍ଷଣରୁ ପାଶ୍ ଛାତ୍ରଛାତ୍ରୀଙ୍କଠାରୁ ଓଡ଼ିଶାରେ ସହଯୋଗୀ ନିର୍ଦ୍ଦେଶକମାନେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଚଳଚ୍ଚିତ୍ର ପ୍ରଶିକ୍ଷଣ ଓଡ଼ିଶାରେ ସରକାରୀ ଓ ବେସରକାରୀ ସ୍ତରରେ ହେଲେ ମଧ୍ୟ ସେଥିରେ ସୁଫଳ ମିଳିଲା ନାହିଁ। କେବଳ ଏଥିରେ ଅଧ୍ୟାପନା ଦେଉଥିବା ଅଧ୍ୟାପକମାନେ ନିଜ ନିଜର ଚଳଚ୍ଚିତ୍ର ମାଧ୍ୟମରେ ସ୍ଥିତି ରକ୍ଷା କଲେ।

ଆମେ ପ୍ରତିବର୍ଷ ଓଡ଼ିଆ ଚଳଚ୍ଚିତ୍ର ସଂଖ୍ୟା ଗଣି ଗଣିତ ପରି ହିସାବ କରୁଛୁ, ମାତ୍ର ଗୁଣାତ୍ମକ ଦୃଷ୍ଟିରୁ ବ୍ୟବସାୟିକ ଚଳଚ୍ଚିତ୍ର ଗୁଡ଼ିକ ସେପରି ଭଲ ବ୍ୟବସାୟ କରୁନାହିଁ। କେବଳ ମନକୁ ଆଶ୍ୱସନା ଦେଇ ମନ ବୁଝା କଥା ସାକ୍ଷାତକାର ମାନଙ୍କରେ କହି ବାହାସ୍ପଟ ମାରୁଛୁ। ଓଡ଼ିଆ ଚଳଚ୍ଚିତ୍ରର ସଂଗୀତ ସାଂଘାତିକ ହେଲାଣି। ଭାଷା ଉପରେ ଗୀତିକାରମାନେ ନଜର ଦିଅନ୍ତୁ। ବ୍ୟବସାୟୀକ ନାଁରେ ଅଳନ୍ଦୁ ଗୀତ କରନ୍ତୁ ନାହିଁ, ଯାହାକି ସମାଜକୁ ସାମାଜିକ ସ୍ତରରେ କଳୁଷିତ କରିବ।

ଓଡ଼ିଶାରେ ଭଲ ସିନେମା ପାଇଁ ଯେଉଁମାନେ ଦାବିଦାର ଥିଲେ ସେମାନଙ୍କ କାର୍ଯ୍ୟରେ ସେତେଟା ସିଦ୍ଧିଲାଭ ହେଲାନାହିଁ। ବରଂ ବ୍ୟବସାୟୀକ ଓ କଳାତ୍ମକ ଦୃଷ୍ଟିକୋଣରୁ ନିର୍ଦ୍ଦେଶକମାନେ ବାସ୍ତବଧର୍ମୀ ଚଳଚ୍ଚିତ୍ରଗୁଡ଼ିକୁ ପ୍ରତିବର୍ଷ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ପ୍ରତିଷ୍ଠା ଆଣୁଛି। ତାହା ଆମ ଓଡ଼ିଶାର ଚଳଚ୍ଚିତ୍ର ଜଗତ ପାଇଁ ସବୁଠାରୁ ଖୁସି ଖବର। ଭଲ ସିନେମା ପାଇଁ ପ୍ରୋତ୍ସାହନ ଚଳଚ୍ଚିତ୍ର ଉନ୍ନୟନ ନିଗମ ଦେଲାନାହିଁ। ଫଳରେ କେହି ଭଲ ପ୍ରଯୋଜକ ରିସ୍କ ନେଇ ଆଉ ଅର୍ଥ ଶ୍ରାଦ୍ଧ କରୁନାହାଁନ୍ତି।

ଓଡ଼ିଆ ଚଳଚ୍ଚିତ୍ର ନିମାଣ ପାଇଁ ଅନେକ ନିର୍ଦ୍ଦେଶକ ଥିଲେ ମଧ୍ୟ ପ୍ରତିଯୋଗୀତାରେ ପ୍ରତିଯୋଗୀ ମନୋଭାବ ନେଇ ଯେଉଁମାନେ ଓଡ଼ିଆ ଚଳଚ୍ଚିତ୍ରର ସ୍ଥିତି ରକ୍ଷା କରୁଛନ୍ତି ସେମାନେ ୮୪ ବର୍ଷର ଚଳଚ୍ଚିତ୍ର ଜଗତ ପାଇଁ ଧନ୍ୟବାଦର୍ହ। ସିନେମା ପରି ବଳିଷ୍ଠ ଗଣମାଧ୍ୟମରେ ଦର୍ଶକମାନଙ୍କ ମନକୁ ଛୁଇଁଲା ପରି ଚଳଚ୍ଚିତ୍ର ନିର୍ମାଣ ହେଉ ଯାହାକି ଚିତ୍ର ଜଗତର ଇତିହାସରେ ଲିପିବଦ୍ଧ ହେବ।

ବର୍ତ୍ତମାନର ସାଂପ୍ରତିକ ପରିସ୍ଥିତିରେ ଓଡ଼ିଆ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଶୁଭମୁକ୍ତି ଅପେକ୍ଷା ଅନ୍‌ଲାଇନ୍ ଟି.ଭି. ଚ୍ୟାନେଲ୍ ମାଧ୍ୟମରେ ବିଶେଷ ପ୍ରଦର୍ଶିତ ହେବାପାଇଁ ସୁଯୋଗ ସୃଷ୍ଟି ହେଉଛି। କରୋନା ମହାମାରୀ ଯୋଗୁଁ ସଂପୂର୍ଣ୍ଣ ବନ୍ଦ ଥିବା ପ୍ରେକ୍ଷାଳୟକୁ ପରିବର୍ତ୍ତିତ ସମୟରେ ଯିବା ସମ୍ଭବ ହେବନାହିଁ। ସେଥିପାଇଁ ଭଲ ପ୍ରଯୋଜକ ସଂସ୍ଥା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ପୁଞ୍ଜି ଯୋଇ ଦେବା ଦରକାର। ମହାମାରୀ ବେଳେ ଅସୁସ୍ଥ ଅବସ୍ଥାକୁ ସରକାର ସୁସ୍ଥତା କରିବା ଦିଗରେ ସହଯୋଗ କରୁଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ସିନେମା ଶିଳ୍ପ ପାଇଁ ଦୃଷ୍ଟି ଦେବା ନିତାନ୍ତ ଜରୁରୀ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ମନୋରଂଜନ

ଓଡିଆ ଚଳଚିତ୍ର ଜଗତର ସବୁ କ୍ଷେତ୍ରରେ ରାଜ୍ କରିଥିବା ଜଣେ ନିର୍ଦ୍ଦେଶକ ହେଉଛନ୍ତି ରାଜୁ ମିଶ୍ର

ଦିଲ୍ଲୀପ ହାଲି

ଓଡିଆ ଚଳଚିତ୍ରର ଜଗତରେ ଏକ ନୂଆ ଯୁଗର ଅୟାରମ୍ଭ କରି ଯଦି ଦୀର୍ଘ ବର୍ଷ ଧରି କିଏ ରାଜ୍ କରିଥାଏ ତେବେ ସେ ହେଉଛନ୍ତି ରାଜୁ ମିଶ୍ର। ସିନେମାଟୋଗ୍ରାଫିରେ ନିଜର କ୍ୟାରିୟର ଆରମ୍ଭ କରି ସେ ନିର୍ଦ୍ଦେଶକ ସୋପାନକୁ ଯାଇ ପାରିଥିଲେ। ସେ ଏକାଧାରରେ ଥିଲେ ସିନେମାଟୋଗ୍ରାଫର, ସ୍କ୍ରିନ ପ୍ଲେ ଏବଂ କାହାଣୀ ଲେଖକ, ସଂଗୀତ ନିର୍ଦ୍ଦେଶକ, ଗାୟକ ଏବଂ ନିର୍ଦ୍ଦେଶକ। ସେ ଓଡିଆ ଚଳଚିତ୍ର ଜଗତରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ସୁଯୋଗ ଦେଇ ସେମାନଙ୍କୁ ପ୍ରତିଷ୍ଠିତ କରାଇ ପାରିଛନ୍ତି। ସେମାନଙ୍କ ମଧ୍ୟରେ ଅପରାଜିତା ମହାନ୍ତି, ରଚନା ବାନାର୍ଜି, ଅଶ୍ରୁମୋଚନ ମହାନ୍ତି, ଚୈଧୁରୀ ବିକାଶ ଦାସ, ହର ପଟ୍ଟନାୟକ ପରି ଅନେକ।

ସେ ନିଜେ ଜଣେ ଚିତ୍ରଗ୍ରହଣକାରୀ ହୋଇଥିବାରୁ ଚରିତ୍ରମାନଙ୍କୁ କିପରି ପରଦାରେ ଉପସ୍ଥାପିତ ଯାଇପାରିବ ସେ କଳା କେବଳ ରାଜୁ ମିଶ୍ର ଜାଣିଥିଲେ। ଫଳରେ ଅନେକ ନୂଆ ପୁରୁଣା କଳାକାର ତାଙ୍କ ଚଳଚିତ୍ରରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ଉଲକା ଚଳଚିତ୍ରରେ ମହାଶ୍ବେତା ରାୟ, ସାଗର ଗଂଗା ଚଳଚିତ୍ରରେ ରଚନା ବାନାର୍ଜି, ସତମିଛ ଚଳଚିତ୍ରରେ ଅପରାଜିତା ମହାନ୍ତି, ପଥର ଖସୁଛି ବଡ ଦେଉଳୁ ରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ହାସ୍ୟ ଅଭିନେତା ହରିହର ମହାପାତ୍ର, ଅଭିନେତା ସୁନୀଲଙ୍କୁ ସେ ଦର୍ଶକଙ୍କ ସମ୍ମୁଖରେ ଲୋକପ୍ରିୟ କରାଇଥିଲେ।

ପୁଅ ମୋର କଳା ଠାକୁର ଚଳଚିତ୍ରରେ ହର ପଟ୍ଟନାୟକଙ୍କୁ ଖଳନାୟକ ଭୂମିକା ଦେଇ ସେ ସେତେବେଳେ ସିନେ ପ୍ରେମୀଙ୍କ ନିକଟରେ ଚର୍ଚ୍ଚାକୁ ଆସିଥିଲେ। ସେହିପରି ଆସିଛି ମୋ କାଳିଆ ସୁନାରେ ଶ୍ରୀରାମ ପଣ୍ଡାଙ୍କୁ ଏକ ଭିନ୍ନ ଚରିତ୍ରରେ ଛିଡା କରି ସେ ପ୍ରଶଂସିତ ହୋଇଥିଲେ। ତାଙ୍କର ଶେଷ ଚଳଚିତ୍ର କୋଟିଏରେ ଗୋଟିଏ ମନ ଚଳଚିତ୍ରରେ ପ୍ରତିଭା ପ୍ରଧାନ ପରି କଣ୍ଠଶିଳ୍ପୀଙ୍କୁ ଚଳଚିତ୍ରର ସମସ୍ତ ଗୀତ ବୋଲିବାର ସୁଯୋଗ ଦେଇଥିଲେ। ଏଥିରେ ତାଙ୍କର ପୁତୁରା ରୋହିତଙ୍କ ମଧ୍ୟ ମୁଖ୍ୟ ଭୂମିକାରେ ଅଣିଥିଲେ।

ରାଜୁ ମିଶ୍ର ବ୍ୟବସାୟିକ ଚଳଚିତ୍ର ସହିତ ଭିନ୍ନ ଧରଣର ଚଳଚିତ୍ର କରି ଓଡିଆ ସିନେ ଇତିହାସରେ ଏକ ନୂଆ ଧାରା ମଧ୍ୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ନିର୍ଦ୍ଦେଶିତ ଲକ୍ଷ୍ମୀର ଅଭିସାର ଥିଲା ସେ ମଧ୍ୟରେ ଅନ୍ୟତମ। ବିଶିଷ୍ଠ ସାହିତ୍ୟିକ ମନୋଜ ଦାସଙ୍କ ଉପନ୍ୟାସକୁ ନେଇ ଏକ ଚଳଚିତ୍ର କରିବା ପରି ଏକ ଚ୍ୟାଲେଞ୍ଜ ନେଇଥିଲେ ରାଜୁ ମିଶ୍ର। ସେହିପରି 1983 ମସିହାରେ ମୟାମିରିଗ, 1995 ରେ ନିର୍ବାଚନ, 1994ରେ ଅରଣ୍ୟ ରୋଦନ ଥିଲା ବ୍ୟବସାୟିକ ଚଳଚିତ୍ରରୁ ଟିକିଏ ଅଲଗା କରି ଦେଖାଇବାର କଳା ଓ କୌଶଳ। ଆଉ ସେତେବେଳେ ଏସବୁ ଚଳଚିତ୍ର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବେଶ୍ ପ୍ରସଂଶିତ ହୋଇଥିଲା।

ମା ସୁମତୀ ଦେବୀ ଥିଲେ ଜଣେ ଭଲ ଗାୟିକା। ତାଙ୍କର ପୁତ୍ର ହିସାବରେ ସେ ସହି କଳାର ଭିନ୍ନ ଦିଗକୁ ଆବୋରି ନେଇ ନିଜକୁ ସୁପ୍ରତିଷ୍ଠିତ କରାଇପାରିଥିଲେ ରାଜୁ ମିଶ୍ର। ନିରାକାରପୁର କଲେଜରେ ଜଣେ ଛାତ୍ର ନେତା ହେବା ଏବଂ ପରେ ଜଣେ ମେଡିସିନ ରିପ୍ରେଜେଣ୍ଟିଭ ଭାବେ କାମ ଆରମ୍ଭ କରିଥିଲେ ସେ। ହେଲେ ସେସବୁରୁ ବାହାରି ନିଜକୁ କଳା ଭିତରେ ଡୁବାଇ ଦେଇଥିଲେ ରାଜୁ ମିଶ୍ର।

ସେତେବେଳେ ସିନେମାଟୋଗ୍ରାଫିର କୌଣସି ଗୁରୁତ୍ବ ନ ଥିଲେ ମଧ୍ୟ ସେ ପୁନେସ୍ଥିତ ଏଫଟିଆଇଆଇରେ ଯୋଗଦେଲେ। ଆଉ 1977 ମସିହାରେ ସେ ସେହି ପ୍ରତିଷ୍ଠିତ ଅନୁଷ୍ଠାନରୁ ଜଣେ ଶ୍ରେଷ୍ଠ ଛାତ୍ର ଭାବେ ପାଶ କରିଥିଲେ। ଆଉ ଓଡିଶାକୁ ହିଁ ନିଜର କଳାକ୍ଷେତ୍ର ଭାବେ ବାଛି ନେଇଥିଲେ। 1977 ମସିହାରୁ 2011 ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ନିଜର କଳା ଚାତୁରି ଦେଖାଇ ଓଡିଆ ଚଳଚିତ୍ର ଜଗତରେ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛନ୍ତି।

ଅନେକ ହୁଏତ ଜାଣି ନ ଥିବେ ରାଜୁ ମିଶ୍ର କ୍ୟାଭେଣ୍ଡର ସିଗାରେଟ ବିଜ୍ଞାପନର ଅନ୍ୟତମ ପୁରଧା ଥିଲେ। ସେତେବେଳେ ଶ୍ରୀରାମ ପଣ୍ଡା କ୍ୟାଭେଣ୍ଡର ସିଗାରେଟ ପିଉଥିବାର ହୋଡିଂସ ସାରା ଭାରତର ବଡବଡ ସହରରେ ଲାଗିଥିଲା। ଶ୍ରୀରାମ ପଣ୍ଡାଙ୍କ ହାତରେ କ୍ୟାଭେଣ୍ଡର ସିଗାରେଟ ଧରାଇ ଫଟୋସେସନ କରିଥିଲେ ରାଜୁ ମିଶ୍ର। ସେ ସେତେବେଳେ ଶ୍ରୀରାମଙ୍କୁ ନେଇ କ୍ୟାଭେଣ୍ଡର ସିଗାରେଟର ଏକ ବିଜ୍ଞାପନ ଚଳଚିତ୍ର ମଧ୍ୟ କରିଥିଲେ। ଯାହା ସେତେବେଳେ ସମସ୍ତ ପ୍ରେକ୍ଷାଳୟରେ ଚଳଚିତ୍ର ପୂର୍ବରୁ ପ୍ରସାରିତ ହେଉଥିଲା।

ଦୀର୍ଘ କଳା ଜୀବନ ଭିତରେ ସେ ଅନେକ ପରିଶ୍ରମ କରିଛନ୍ତି ତାହା ସେତେବେଳେ ତାଙ୍କ ସହିତ କାମ କରୁଥିବା କଳାକାରଟିଏ ହିଁ ଜାଣିଛି। ସେହି ପରିଶ୍ରମ ପାଇଁ ସେ ଅନେକ ପ୍ରଶଂସା,ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ବିଭିନ୍ନ ଚଳଚିତ୍ର ଭିନ୍ନ ଭିନ୍ନ ବର୍ଗରେ ଅନେକ ଥର ରାଜ୍ୟ ଚଳଚିତ୍ର ପୁରସ୍କାର ହାସଲ କରିଛି। ସତମିଛ ଚଳଚିତ୍ରରେ ସେ ଚିତ୍ରଗ୍ରହଣକାରୀ ଏବଂ କାହାଣୀକାର ଭାବେ ରାଜ୍ୟ ପୁରସ୍କାର ହାସଲ କରିଛନ୍ତି।

ସେହିପରି ଅନ୍ତର୍ଜାତୀୟ ଚଳଚିତ୍ର ପୁରସ୍କାର, ଜାତୀୟ ଚଳଚିତ୍ର ପୁରସ୍କାର ଚୟନ କମିଟର ସଦସ୍ୟ ଓ ଅଧ୍ୟକ୍ଷ ହେବାର ଗୌରବ ହାସଲ କରିଥିଲେ ରାଜୁ ମିଶ୍ର। ସେ ଓଡିଆ ଚଳଚିତ୍ରରେ ପ୍ରଥମେ ଫୁଜି କଲର ଫିଲ୍ମସ ବ୍ୟବହାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନୂତ କରିଦେଇଥିଲେ। ସେତେବେଳେ ଏହି ଦକ୍ଷତା ପାଇଁ ଫୁଜି ଫିଲ୍ମସ ତରଫରୁ ତାଙ୍କୁ ବେଲିଜୟମ ଯିବା ପାଇଁ ଡକରା ଆସିଥିଲା। ସେ 1990 ମସିହାରେ ବେଲଜିୟମ ଯାଇ ସେଠାରେ ଏହାର ବ୍ୟବହାର କୌଶଳ ସଂପର୍କରେ ଅବଗତ କରାଇଥିଲେ।

1998 ମସିହାରେ ସିନେ କ୍ରିଟିକ ପୁରସ୍କାର, 2017ରେ ଅକ୍ଷୟ ସାହିତ୍ୟ ପୁରସ୍କାର ଏବଂ 2012 ମସିହାରେ ରାଜ୍ୟର ଚଳଚିତ୍ର କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଛନ୍ତି ରାଜୁ ମିଶ୍ର। ତାଙ୍କର ବିୟୋଗ ଆଜି ଓଡିଆ ଚଳଚିତ୍ର ଜଗତକୁ ଏକ ବଡ କ୍ଷତିର ସମ୍ମୁଖୀନ ହୋଇଛି।