୮୫ ବର୍ଷ ତଳେ ଏପ୍ରିଲ ୨୮ରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡିଆ ଚଳଚିତ୍ର ସୀତା ବିବାହ, କିଛି ରୋଚକ କଥା

Published: Apr 27, 2021, 11:49 am IST

ଦିଲ୍ଲୀପ ହାଲି

ରାସ ସ୍ରଷ୍ଟା ସେ, ଆଧ୍ୟାତ୍ମିକତା ମନ୍ତ୍ରରେ ଦୀକ୍ଷିତ ଜଣେ ଦିବ୍ୟପୁରୁଷ । ସିନେମା ଭଳି ଆଧୁନିକ ଦୃଶ୍ୟକାବ୍ୟ କିନ୍ତୁ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଓଡ଼ିଶାରେ, ଓଡ଼ିଆ ସିନେମା ଆକାରରେ, ସିଧାସଳଖ କହିଲେ ଓଡ଼ଆ ଭାଷାର ସର୍ବପ୍ରଥମ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ ସେ ଆରମ୍ଭ କରିଥିଲେ ଓଡ଼ିଶାରେ ନାଁ ଦେଇଥିଲେ ‘ସୀତା ବିବାହ’ । ତେଣୁ ଓଡ଼ିଆ ସିନେମା ଜଗତ ପାଇଁ ସେ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ ।

ସ୍ୱର୍ଗତ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀ କେବେ ସିନେମା ଦେଖନ୍ତି ନାହିଁ । କିନ୍ତୁ ସେଦିନ ଘର ପଛପଟ ପୁରୀର ‘ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ’କୁ ସେ ଗଲେ ଭ୍ରାମ୍ୟମାଣ ସିନେମା ଦେଖିବା ପାଇଁ । ବିଖ୍ୟାତ ହାସ୍ୟ ଅଭିନେତା ଚାର୍ଲି ଚାପ୍‌ଲିନ୍‌ଙ୍କ ଅଭିନୟ ତାଙ୍କୁ ଏତେ ମୁଗ୍‌ଧ କଲା ଯେ ସେ ସେଇଦିନ ନିଷ୍ପତ୍ତି ନେଲେ ଫିଲ୍ମ ତିଆରି କରିବେ ଏବଂ ତାପରେ ଆରମ୍ଭ ହୋଇଗଲା ପ୍ରସ୍ତୁତି ।

ଏହା ୧୯୩୫ ମସିହା କଥା, ବାସ୍ ଏହାପରେ ମାତ୍ର ବର୍ଷକ ବ୍ୟବଧାନରେ ନିର୍ମାଣ ପାଇଁ ବାଟ ଦେଖିଲା ‘ସୀତା ବିବାହ’ । ସ୍ୱର୍ଗତ ଦେବ ଗୋସ୍ୱାମୀ ନିଜେ ଏହାକୁ ପ୍ରଯୋଜନା କରିଥିଲେ, ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରିଥିଲେ ।

୧୨ ରିଲ୍ ବିଶିଷ୍ଟ ‘ସୀତା ବିବାହ’ ୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ମୁକ୍ତିଲାଭ କରିଥିଲା ପୁରୀର ଳକ୍ଷ୍ମୀ ଟକିଜଠାରେ । ସୀତା ବିବାହରେ ମୋଟ ୨୯ ହଜାର ୭୮୧ ଟଙ୍କା ଦଶଅଣା ଖର୍ଚ୍ଚ ହୋଇଥିଲା । ରାମ ଭୂମିକାରେ ଅଭିନୟ ପାଇଁ ମାଖନଲାଲ ବାନାର୍ଜୀ ୧୨୦ ଟଙ୍କା, ସୀତା ଭୂମିକାରେ ଅଭିନୟ ପାଇଁ ପ୍ରଭାବତୀ ଦେବୀ ୧୫୦ ଟଙ୍କା ନେଇଥିଲେ ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ ପାଇଁ ଅଦ୍ୱୈତ ମହାନ୍ତି ୩୫ ଟଙ୍କା , କେବଳ ଯିବା ଆସିବା ଖର୍ଚ୍ଚ ବାବଦରେ ପାରିଶ୍ରମିକ ନେଇଥିଲେ।

ଓଡିଶା ସିନେକ୍ରିଟକ ତରଫରୁ ପ୍ରକାଶିତ ‘ସୀତା ବିବାହ’ ଚଳଚିତ୍ରର ଚିତ୍ରନାଟ୍ୟ ପୁସ୍ତକଙ୍କୁ ଉନମୋଚନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବେଙ୍ଗଲ ବୋର୍ଡ଼ ଅଫ୍ ଫିଲ୍ମ ସାର୍ଟିଫିକେଟ ପକ୍ଷରୁ କଲିକତା ଲାଲ ବଜାର ପୋଲିସ କମିଶନର ଏହାକୁ ସେନ୍‌ସର ସାର୍ଟିଫିକେଟ ପ୍ରଦାନ କରିଥିଲେ । ସେତେବେଳେ ଗୋଟିଏ ଶୋ ସମୟସୀମା ଥିଲା ୩ ଘଣ୍ଟା । ତେଣୁ ‘ସୀତା ବିବାହ’ ପ୍ରଦର୍ଶନ ସହ ଘଣ୍ଟାଏ ଲମ୍ବା ବଙ୍ଗଳା ସାମାଜିକ ଚିତ୍ର ‘ମଣିକାଞ୍ଚନ’ ମଧ୍ୟ ଦର୍ଶକମାନଙ୍କୁ ଦେଖାଯାଉଥିଲା । କଲିକତାରେ କାଳୀ ଫିଲ୍ମସ ପକ୍ଷରୁ ନୂଆ ପ୍ରିଣ୍ଟ୍ ‘ସୀତା ବିବାହ’ର ଭ୍ରାମ୍ୟମାଣ ସିନେମା ପ୍ରଦର୍ଶନ ସରିଲା ପରେ ଟେଣ୍ଟ ମଧ୍ୟରେ ପ୍ରିଣ୍ଟ୍‌ଟି ଥିଲା । ଆକସ୍ମିକ ଅଗ୍ନିକାଣ୍ଡ ଯୋଗ ତାହା ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଗଲା ।

ସର୍ବପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର କୌଣସି ସନ୍ତକ ଏବେ ସୁରକ୍ଷିତ ନାହିଁ, କାହାନ୍ତି ବି ଅଭିନୟ କରିଥିବା କଳାକାର, କିନ୍ତୁ ଏ ସ୍ମୃତି ଭୁଲିବାର ନୁହେଁ । କାରଣ ଏହି ସିନେମା ହିଁ ଏକ ଆଞ୍ଚଳିକ ସିନେମା ଦୁନିଆର ମାର୍ଗଦର୍ଶକ ଥିଲା ।

ଅଗ୍ରଣୀ ସିନେ ସଂଗଠକ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନକୁ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ନାତି ଶ୍ରୀଯୁକ୍ତ ବଟରାଜ ଦେବ ଗୋସ୍ୱାମୀ ‘ସୀତା ବିବାହ’ର ସମ୍ପୂର୍ଣ୍ଣ ଚିତ୍ରନାଟ୍ୟ ଓ ଗୀତକୁ ସଂରକ୍ଷିତ ରଖିବା ପାଇଁ ଚୁକ୍ତି କରିଥିଲେ । ଗତବର୍ଷ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିତ୍ରନାଟ୍ୟ ପୁସ୍ତକକୁ ଆନୁଷ୍ଠାନିକ ଭାବରେ ୨୦୧୭, ଏପ୍ରିଲ ୨୮ ତାରିଖରେ ଉଦ୍‌ଘାଟନ କରିଥିଲେ ।

୧୯୩୬ ମସିହା ଏପ୍ରିଲ ୨୮ ତାରିଖ ଉତ୍କଳ ଗୌରବ ମଧୁସୂଦନଙ୍କ ଶୁଭ ଜନ୍ମଦିବସ ଏବଂ ଏହାକୁ ସଂକଳ୍ପ ଦିବସ ଭାବେ ପାଳନ କରାଯାଉଛି । ସେହିଦିନ ସୀତା ବିବାହ ଦିବସ ପାଳନ ସେହି ସଂକଳ୍ପକୁ ଆଉ ପାଦେ ଆଗେଇ ନେବ ଓଡ଼ିଆ କଳା, ସଂସ୍କୃତି ଓ ସିନେମା କ୍ଷେତ୍ରରେ । ମଞ୍ଜ ହିଁ ଗଛର ସବୁକିଛି । ଠିକ୍ ସେମିତି ‘ସୀତା ବିବାହ’ ଓଡ଼ିଆ ସିନେମାର ପରିଚୟ । ଏହା ଯେତେ ସ୍ମରଣରେ ରହିବ ଓଡ଼ିଆ ସିନେମାର ଗୌରବଗାଥା ସେତିକି ସ୍ପଷ୍ଟ ହେବ ।

ସମ୍ପାଦକ, ଓଡ଼ିଶା ସିନେକ୍ରିଟିକ ଆସୋସିଏସନ
ବଡ଼ଗଡ଼, ଭୁବନେଶ୍ୱର
ମୋ : ୯୮୬୧୦୦୯୨୫୨

Related posts