Categories
ବିଶେଷ ଖବର

ଭୁବନେଶ୍ବରରେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ବୈଠକ, ପ୍ରତିନିଧିସ୍ତରୀୟ ଆଲୋଚନା ଆରମ୍ଭ

ଭୁବନେଶ୍ବର: ଜି ୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ବୈଠକର ପ୍ରତିନିଧିସ୍ତରୀୟ ଆଲୋଚନା ଆଜି ଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଡୋନର ମନ୍ତ୍ରୀ ଜି.କିଷନ ରେଡ୍ଡୀ, କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉଦଘାଟନୀ ଅଧିବେଶନରେ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଜି. କିଷନ ରେଡ୍ଡୀ କହିଥିଲେ ଯେ, ବିଶ୍ବ ନୀତି ନିର୍ଦ୍ଧାରଣରେ ସଂସ୍କୃତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। କାରଣ ଏହା ବର୍ତ୍ତମାନର ସମସ୍ୟା ପାଇଁ ଅଧିକ ସମାବେଶୀ ଓ ଦୀର୍ଘସ୍ଥାୟୀ ସମାଧାନ ଯୋଗାଇ ଦେଇଥାଏ। ସେ ଆହୁରି କହିଥିଲେ ଯେ, ଏହି ପରିପ୍ରେକ୍ଷୀରେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବିଭିନ୍ନ ସଦସ୍ୟମାନଙ୍କ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହନ ଦେବା ଏବଂ ଆଲୋଚନାକୁ ପ୍ରସାରିତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆମେ ସାଂସ୍କୃତିକ ଆଲୋଚନାକୁ ପ୍ରୋତ୍ସାହନ ଦେବା, ସହଭାଗୀ ଅଧ୍ୟୟନକୁ ଆଗେଇ ନେବା ଏବଂ ସଦସ୍ୟମାନଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଲାଗି ସଂକଳ୍ପବଦ୍ଧ ରହିଛୁ। ଏଥିସହିତ ପ୍ରତ୍ୟେକ ରାଷ୍ଟ୍ରର ଅଭିନବ ସାଂସ୍କୃତିକ ପରିଦୃଶ୍ୟ ଏବଂ ଐତିହ୍ୟକୁ ଯଥୋଚିତ ମାନ୍ୟତା ଦେଉଛୁ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ଏକ ସହଭାଗୀ ସଂକଳ୍ପ ନେଇ, ଆମେ ଅଧିକ ସମାନତାପୂର୍ଣ୍ଣ ଏବଂ ସାଂସ୍କୃତିକ ଦୃଷ୍ଟିରୁ ସଚେତନ ବିଶ୍ବ ନୀତି ପରିଦୃଶ୍ୟ ସୃଷ୍ଟି ପରିବା ଲାଗି ଲକ୍ଷ୍ୟ ରଖିଛୁ ଯାହା ସାଂସ୍କୃତିକ ବିବିଧତାକୁ ଯଥେଷ୍ଟ ମୂଲ୍ୟ ପ୍ରଦାନ କରୁଥିବ। ସାମାଜିକ ସଂଲଗ୍ନତାକୁ ପ୍ରୋତ୍ସାହନ ଦେବା, ଆନ୍ତଃସଂସ୍କୃତିକ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏବଂ ଆପୋସ ବୁଝାମଣା ବିକଶିତ କରିବା କ୍ଷେତ୍ରରେ ସଂସ୍କୃତିର ଏକ ମହତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଶ୍ରୀ ରେଡ୍ଡୀ ଆହୁରି କହିଥିଲେ ଯେ ପ୍ରାଚୀନ ଭାରତୀୟ ଦର୍ଶନ “ବସୁଧୈବ କୁଟୁମ୍ବକମ” (ବିଶ୍ବ ଏକ ପରିବାର)ର ବିଚାର ଖୁବ ସୁନ୍ଦର ଭାବେ ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେଇଥାଏ। ସଂସ୍କୃତି, ଧର୍ମ, ଭାଷା ଏବଂ ଜାତିଗତ ଭିନ୍ନତା ସତ୍ତ୍ବେ ଆମେ ସମସ୍ତେ ଗୋଟିଏ ବିଶ୍ବ ପରିବାରର ଅଂଶବିଶେଷ ବୋଲି ଏହି ଦର୍ଶନରୁ ଶିକ୍ଷା ମିଳିଥାଏ।

ସାଂସ୍କୃତିକ ବିନିମୟ ଉପରେ ଗୁରୁତ୍ବାରୋପ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ, ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ବିକାଶ ପାଇଁ ଜନସମୁଦାୟକୁ ସହାୟଜା ଜରିଆରେ ଏହା ଦୀର୍ଘସ୍ଥାୟୀ ବିକାଶ ଦିଗରେ ଯୋଗଦାନ ଦେଇପାରିବ। ସେ ଆହୁରି କହିଥିଲେ ଯେ ଆମର ପୂର୍ବସୂରୀମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ମୂଳଦୁଆକୁ ଆହୁରି ସୁଦୃଢ଼ କରିବା ଏବଂ ଜି୨୦ ଏଜେଣ୍ଡାରେ ସଂସ୍କୃତିକୁ ଏକ ପ୍ରମୁଖ କ୍ଷେତ୍ର ଭାବେ ଗ୍ରହଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଶ୍ରୀ ରେଡ୍ଡୀ କହିଥିଲେ।

କିଷନ ରେଡ୍ଡୀ କହିଥିଲେ ଯେ, ସ୍ଥାନୀୟ ପରମ୍ପରା ଏବଂ ଜ୍ଞାନ ଆମକୁ ପରିବେଶର ଯତ୍ନ ନେବା ତଥା ବୁଦ୍ଧିମତା ପୂର୍ବକ ସମ୍ବଳର ଉପଯୋଗ କରିବା ନିମନ୍ତେ ଶିକ୍ଷା ଦେଇଥାଏ। ଅନେକ ବର୍ଷ ଧରି ପ୍ରକୃତି ସହିତ ନିବିଡ଼ ଭାବେ ଜୀବନ ନିର୍ବାହ କରୁଥିବା ଲୋକମାନେ ପରିବେଶ ସହିତ କିଭଳି ସନ୍ତୁଳନ ରକ୍ଷା କରି ଜୀବନ ନିର୍ବାହ କରି ହେବ ତାହା ଜାଣନ୍ତି। ସେମାନଙ୍କ ଜ୍ଞାନ ଓ ପଦ୍ଧତିକୁ ଆଧୁନିକ ଦୀର୍ଘସ୍ଥାୟୀ ବିକାଶ ରଣନୀତି ସହ କାର୍ଯ୍ୟକାରୀ କରାଗଲେ ଆମେ ଅଧିକ ସହନଶୀଳ ଓ ଦୀର୍ଘସ୍ଥାୟୀ ଭବିଷ୍ୟତ ନିର୍ମାଣ କରିପାରିବା ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ପ୍ରୋ-ପ୍ଲାନେଟ୍ ସୋସାଇଟୀ ବା ପୃଥିବୀ ଅନୁକୂଳ ସମାଜ ଗଠନ କରିବା ଦିଗରେ ସଂସ୍କୃତି ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡୀ ଜୋର ଦେଇ କହିଥିଲେ। ସେ କହିଥିଲେ ଯେ, ବିଶ୍ବ ନୀତି ନିର୍ମାଣରେ ସଂସ୍କୃତିକୁ କେନ୍ଦ୍ର ଭାଗରେ ରଖିବା ଲାଗି ଜି୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ଉଲ୍ଲେଖନୀୟ ଭାବେ ବର୍ତ୍ତମାନର ପ୍ରୟାସକୁ ଆଗେଇ ନେବାରେ ସହାୟକ ହେବ। ଏହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ଦ୍ବାରା, ଆମେ ଅଧିକ ସମାବେଶୀ, ସମାନତାପୂର୍ଣ୍ଣ ଏବଂ ପରିବେଶ ଅନୁକୂଳ ବିଶ୍ବ ସମୁଦାୟ ଗଠନ କରିପାରିବା ବୋଲି ସେ କହିଥିଲେ।

ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ, ଭାରତର ଜି୨୦ ଅଧ୍ୟକ୍ଷତା ଏବଂ “ଅମୃତ କାଳ” ସମାନ ସମୟରେ ଆରମ୍ଭ ହୋଇଛି। ସ୍ବାଧୀନତାର ୧୦୦ ବର୍ଷ ପୂରଣ ସୁଦ୍ଧା ଭାରତ ଏକ ଭବିଷ୍ୟଉନ୍ମୁଖି, ସମୃଦ୍ଧ, ସମାବେଶୀ ଓ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଅଗ୍ରସର ହେଉଛି।

ପ୍ରଥମ ବିଶ୍ବ କିମ୍ବା ତୃତୀୟ ବିଶ୍ବ ପରିବର୍ତ୍ତେ ଏକ ଗୋଟିଏ ବିଶ୍ବ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ବିଷୟରେ ଉଲ୍ଲେଖ କରି ଶ୍ରୀ ରାୟ କହିଥିଲେ ଯେ, ଉନ୍ନତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସାରା ବିଶ୍ବର ମିଳିତ ପ୍ରୟାସ ପାଇଁ ଭାରତ ପରିକଳ୍ପନା କରିଛି। ଏହି ବୈଠକ କେବଳ ଏକ କୂଟନୈତିକ ବୈଠକ ନୁହେଁ, ବରଂ ଭାରତ ପାଇଁ ଏକ ନୂଆ ଦାୟିତ୍ବ। ଭାରତ ଏପରି ଏକ ଦେଶ ଯାହାକି ସାରା ବିଶ୍ବରେ ଜାଣିବା ଏବଂ ବୁଝିବା ଲାଗି ଏକ ଅଭୂତପୂର୍ବ ଜିଜ୍ଞାସା ଉତ୍ପନ୍ନ କରିଛି ବୋଲି କହିଥିଲେ।

ଭାରତର ବିବିଧତାରେ ଏକତା ଏବଂ ସହଯୋଗୀ ସାମର୍ଥ୍ୟ ଉପରେ ଜୋର ଦେଇ ଶ୍ରୀ ରାୟ କହିଥିଲେ ଯେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ସଦସ୍ୟ ଭାବେ ଭାରତ ନିକଟରେ ସଂସ୍କୃତିର ପରିବର୍ତ୍ତନକାରୀ ଶକ୍ତିର ଉପଯୋଗ କରିବାର ଅଭିନବ ସୁଯୋଗ ଏବଂ ଉତ୍ତରଦାୟିତ୍ବ।

ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ସଂସ୍କୃତି ମନ୍ତ୍ରଣାଳୟ ସଚିବ ଗୋବିନ୍ଦ ମୋହନ ଜି-୨୦ ବିଷୟବସ୍ତୁକୁ ବିଶ୍ବ ସ୍ତରରେ ସମସ୍ତଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଏବଂ ନ୍ୟାୟସଂଗତ ବିକାଶର ଏକ ଶକ୍ତିଶାଳୀ ବାର୍ତ୍ତା ବୋଲି କହିଥିଲେ।

ଆଜିର ତିନୋଟି ଅଧିବେଶନରେ ଆଲୋକପାତ କରାଯାଇଥିବା ଦୁଇଟି ପ୍ରାଥମିକତା କ୍ଷେତ୍ରରେ ଜି-୨୦ ସଦସ୍ୟ, ଅତିଥି ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଆଲୋଚନା କରିଥିଲେ।

ଗସ୍ତ କାଳରେ ବିଦେଶୀ ଅତିଥିମାନଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ସେମାନଙ୍କୁ ୟୁନେସ୍କୋ ବିଶ୍ବ ଐତିହ୍ୟ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଉଦୟଗିରି ଗୁମ୍ଫା ବୁଲିବାର ସୁଯୋଗ ଦିଆଯିବ। ପ୍ରତିନିଧିମାନଙ୍କ ପାଇଁ ମଧ୍ୟ ଓଡ଼ିଶାର ଜନଜାତି ଲୋକନୃତ୍ୟ ଶିଙ୍ଗାରୀ, ସମ୍ବଲପୁରୀ, ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ।

ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକର ଏକ ଅଂଶବିଶେଷ ଭାବେ “ସଷ୍ଟେନ:ଦ କ୍ରାଫ୍ଟ ଇଡିଅମ” ଶୀର୍ଷକ ଏକ ପ୍ରଦର୍ଶନୀ ଭୁବନେଶ୍ବର ସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି ପରିସରରେ ଆୟୋଜନ କରାଯିବ। ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ପ୍ରାଥମିକତା “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବାର୍ତ୍ତାକୁ ନେଇ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଏହି ପ୍ରଦର୍ଶନୀ ୧୬ରୁ ୨୨ ମେ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ।

ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଗଭୀର ଆଲୋଚନାର ଏକ ସମାବେଶୀ ପ୍ରକ୍ରିୟା ଜରିଆରେ ଜି୨୦ ସଦସ୍ୟ, ଅତିଥି ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନଙ୍କ ସହିତ ମିଶି କାର୍ଯ୍ୟ କରୁଛି। ଏହି ଆଲୋଚନାରେ ଦୀର୍ଘସ୍ଥାୟୀ ବିକାଶ ପାଇଁ ଦୃଢ଼ ସୁପାରିସ ବିକଶିତ କରିବା ଏବଂ ଶ୍ରେଷ୍ଠ ପଦ୍ଧତିକୁ ଆଗେଇ ନେବା ନିମନ୍ତେ ସହଭାଗୀ କାର୍ଯ୍ୟାନୁଷ୍ଠାନ ଲାଗି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଚିହ୍ନଟ କରିବା ଉପରେ ଗୁରୁତ୍ବାରୋପ କରାଯାଉଛି।

Categories
ବିଶେଷ ଖବର

ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ: ଏକ ଟିମ୍‌ ଭାବରେ କାମ କରିବା ଲାଗି ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଜି. ମାଥିଭାତନନ୍ ବିଭାଗର Transformational Initiative ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ।

ଏହିସବୁ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍‌ଧ ସାଧାରଣ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଇଥିବା ବେଳେ, ଗୋଷ୍ଠୀ ସହଭାଗୀତା ଜରିଆରେ କାର୍ଯ୍ୟକାରୀ କରାଯାଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଗରିବ ଲୋକଙ୍କ ସହଭାଗୀତା ଲୋକଙ୍କୁ ବିକାଶ ପ୍ରକ୍ରିୟା ସହିତ ଯୋଡିବା ସହିତ ସେମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିପାରିଛି ଏବଂ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରେରଣା ଦେଇପାରିଛି। ଏ ରୂପାନ୍ତର ସମାଜର ତଳସ୍ତରରେ ବ୍ୟାପକ ପରିବର୍ତ୍ତନର ଅୟମାରମ୍ଭ କରିଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ସବୁ କାର୍ଯ୍ୟକ୍ରମରେ ସବୁ ବିଭାଗ ଏକ ଟିମ୍‌ ଭାବରେ କାମ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ।

ଏହି ଉପସ୍ଥାପନା ଅନୁଯାୟୀ ରାଜ୍ୟର ୧୬ ପ୍ରତିଶତ ଜନସାଧାରଣ ସହରାଞ୍ଚଳରେ ବସବାସ କରନ୍ତି ଏବଂ ସେଥିମଧ୍ୟରୁ ୪୦ ପ୍ରତିଶତ ଅଞ୍ଚଳରେ ପିଇବା ପାଣିର ସୁବିଧା ନ ଥିଲା। ୪ ଲକ୍ଷ ଘରେ ଟଏଲେଟ୍‌ର ସୁବିଧା ମଧ୍ୟ ନଥିଲା।

କିନ୍ତୁ ଆମର ରୂପାନ୍ତର ଉପକ୍ରମ ଆରମ୍ଭ ହେବା ପରେ ଆଜି ରାଜ୍ୟର ୮୪ ପ୍ରତିଶତ ଘରେ ଶତପ୍ରତିଶତ ପାଇପ ପାଣିର ବ୍ୟବସ୍ଥା ହୋଇପାରିଛି। ପୂର୍ବରୁ ୩ ଲକ୍ଷ ଘରକୁ ପାଇପ ପାଣିର ସୁବିଧା ଥିବାବେଳେ, ବର୍ତ୍ତମାନ ୧୦ ଲକ୍ଷ ଘରକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି। ପୁରୀରେ Drink from Tap କାର୍ଯ୍ୟକ୍ରମ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ, ଏହା ବର୍ତ୍ତମାନ ରାଜ୍ୟର ୨୪ଟି ସହରରେ ଆରମ୍ଭ ହୋଇଛି। ଏଥିରେ ବସ୍ତି ଅଞ୍ଚଳକୁ ପ୍ରାଥମିକତା ଦିଆଯାଉଛି । ପାନୀୟ ଜଳ ଯୋଗାଣ ନୀତିରେ Tap waterକୁ ନାଗରିକମାନଙ୍କର ଏକ ଅଧିକାର ଭାବରେ ଗ୍ରହଣ କରାଯାଇଛି।

ସେହିପରି ମଳମୁତ୍ର ଓ କଠିଜ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିପାରିଛି। ବର୍ତ୍ତମାନ ରାଜ୍ୟର ୧୦୦ଟି ସହରରେ ୧୦୩ଟି Seepage Treatment Plant ଦିନକୁ ୧୮୦୦ କିଲୋ ଲିଟର Faecal Sludge ବିଶୋଧନ କରାଯାଉଛି । ଏଥିରେ କମ୍ ଖର୍ଚ୍ଚରେ ସାଧାରଣ ଟେକ୍ନୋଲୋଜିର ପ୍ରୟୋଗରେ ଗୋଷ୍ଠୀ ସହଭାଗୀତାରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିଛି।

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଜାଗା ଠାରୁ ଲୋକ ଅଧିକ ମୂଲ୍ୟବାନ। ପୂର୍ବରୁ ସହରାଞ୍ଚଳର ୧୭ ଲକ୍ଷ ବସ୍ତିବାସିନ୍ଦା ଅନେକ ଅବ୍ୟବସ୍ଥା ମଧ୍ୟରେ ରହୁଥିଲେ। ଜାଗା ମିଶନରେ ୪ ବର୍ଷ ମଧ୍ୟରେ ଏବେ ୧ ଲକ୍ଷ ୭୫ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଥିବା ବେଳେ, ୫୮୫ଟି ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ସେହିପରି ୧୫୪୦ ବସ୍ତିକୁ ଶତ ପ୍ରତିଶତ ପାନୀୟ ଜଳ ବ୍ୟବସ୍ଥା ଦିଆଯାଇଥିବାବେଳେ, ୧୦୭୫ଟି ବସ୍ତିକୁ ବିଜୁଳି ସୁବିଧା ଦିଆଯାଇଛି। ୫୮୯ଟି ବସ୍ତିରେ ଶତ ପ୍ରତିସତ ଟଏଲେଟ୍‌ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଲୋକାଭିମୁଖୀ ଦୃଷ୍ଟିକୋଣରୁ ଏହି ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଏହା ବସ୍ତି ଲୋକଙ୍କର ସମ୍ମାନ ଓ ନାଗରିକ ଅଧିକାରର ସୁରକ୍ଷା କରିପାରିଛି।

ସେହିପରି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ‘ମୁକ୍ତା’ ଯୋଜନାରେ ରାଜ୍ୟ ବାହାରେ କାମ କରୁଥିବା ୫ ଲକ୍ଷ ଶ୍ରମିକଙ୍କୁ ଜୀବିକା ଯୋଗାଇ ଦିଆଯାଇଛି। ଏଥିରେ ଦୁଇ ହଜାର କୋଟି ଟଙ୍କା ବିନିଯୋଗରେ ୨୨,୫୦୦ଟି ପ୍ରକଳ୍ପ କରାଯାଇଛି। ୧୫ ହଜାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାମ ତଦାରଖ କରିବାକୁ ଦାୟିତ୍ବ ଦିଆଯାଇଛି। ଗୋଷ୍ଠୀ ସହଭାଗୀତାର ଏହା ଏକ ଆଦର୍ଶ ଉଦାହରଣ।

ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ରଖି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ ସହରାଞ୍ଚଳର ଏକ ନିର୍ଦ୍ଧିଷ୍ଟ ପ୍ରତିଶତ (critical mass) ଜନସାଧାରଣ ସହରର ମୌଳିକ ସୁବିଧା ପାଇପାରିଲେ ହିଁ ରୂପାନ୍ତରର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ। ସହରାଞ୍ଚଳର ବିକାଶ ବୈଜ୍ଞାନିକ ଆଧାରରେ ହେବା ସହିତ ଅନ୍ତର୍ଭୁକ୍ତୀକରଣ ଓ ସାମଗ୍ରୀକ ବିକାଶକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଓଡିଶାରେ ବଡ ବଡ କମ୍ପାନୀକୁ ସହରାଞ୍ଚଳ ବିକାଶରେ ନିୟୋଜିତ କରା ନ ଯାଇ ଗୋଷ୍ଠୀ ସହଭାଗୀତାରେ କରାଯାଇଛି। ଏହା ହିଁ ଓଡିଶାର ରୂପାନ୍ତରଣର ବୈଶିଷ୍ଟ୍ୟ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା, ସୁଦାମ ମାର୍ଣ୍ଡି, ଅଶୋକ ପଣ୍ଡା, ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ନ ବାତ୍ୟା ମୁକାବିଲା: କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏନସିଏମସି ଦ୍ବିତୀୟ ବୈଠକ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସନ୍ନ ବାତ୍ୟା ‘ଜଓ୍ବାଦ’କୁ ନେଇ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ମନ୍ତ୍ରଣାଳୟ/ଏଜେନ୍ସି ଏବଂ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟଯkୋପସାଗରରେ ସମ୍ଭାବ୍ୟ ବାତ୍ୟାକୁରେ, ଟେଲିଯୋଗାଯୋଗ ବିଭାଗ, ଶକ୍ତି ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ଏନଡିଆରଏଫ ଡିଜି, ଆଇଏମଡି ପ୍ରଶମନ ସମିତି (ଏନସିଏମସି)ର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ନ ବାତ୍ୟା ଡିସେମ୍ବର ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ସ୍ପର୍ଶ କରିବ। ପରେ ଏହା ଦିଗ ବଦଳାଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେବ। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହିତ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି।

ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ସେମାନଙ୍କ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ସମୁଦ୍ର ମଧ୍ୟରୁ ନିରାପଦ ଭାବେ ମତ୍ସ୍ୟଜୀବୀମାନଙ୍କୁ ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯିବା ସହିତ ତଳିଆ ଅଞ୍ଚଳରେ ରହିଥିବା ଲୋକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଖାଦ୍ୟଶସ୍ୟ, ପାନୀୟ ଜଳ ଏବଂ ଅନ୍ୟ ଜରୁରି ସାମଗ୍ରୀ ମହଜୁଦ ରଖିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦ୍ୟୁତ, ସଡ଼କ, ଜଳଯୋଗାଣ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଏବଂ ମରାମତି କରିବା ଲାଗି ଦଳଗୁଡ଼ିକୁ ନିୟୋଜିତ କରାଯାଇଛି। ଫସଲଜନିତ କ୍ଷତି ହ୍ରାସ କରିବା ଲାଗି କଟା ହୋଇନଥିବା ଫସଲ ତୁରନ୍ତ ଜମିରୁ ଅମଳ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି।

ପ୍ରଭାବିତ ହେବାକୁ ଥିବା ରାଜ୍ୟରେ ଏନଡିଆରଏଫ ଦଳଗୁଡ଼ିକୁ ମୁତୟନ କରାଯାଇଛି ଏବଂ ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସ୍ଥଳସେନା ଓ ନୌସେନାର ରିଲିଫ ଓ ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯିବା ସହିତ ଜାହାଜ ଓ ବିମାନଗୁଡ଼ିକୁ ଆବଶ୍ୟକତା କ୍ଷେତ୍ରରେ ମୁତୟନ ପାଇଁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକର ମୁକାବିଲା ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଜୋର ଦେଇ କହିଥିଲେ ଯେ ସମସ୍ତ ନିୟମକୁ ପାଳନ କରାଯିବା ଉଚିତ ଯାହାଫଳରେ ଜୀବନ ହାନିକୁ ରୋକିବା ଏବଂ ସମ୍ପତ୍ତି କ୍ଷତି ହ୍ରାସ କରିବା ସମ୍ଭବ ହେବ। କ୍ୟାବିନେଟ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇ କହିଥିଲେ ଯେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଏବଂ ଡଙ୍ଗାଗୁଡ଼ିକୁ ଯଥାଶୀଘ୍ର ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ସମ୍ପୃକ୍ତ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ, ଏ କ୍ଷେତ୍ରରେ ଆବଶ୍ୟକ ସହାୟତା ତଟରକ୍ଷୀ ବାହିନୀ ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ବାରା ଯୋଗାଇ ଦିଆଯାଉଛି। ଜରୁରି ସେବାଗୁଡ଼ିକୁ କମ କ୍ଷତି ସହିତ ଯଥାଶୀଘ୍ର ସ୍ବାଭାବିକ କରିବା ଲାଗି ସେ ପରାମର୍ଶ ଦେଇଥିଲେ, ଏଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେ କହିଥିଲେ। ବାତ୍ୟା ସମୟରେ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରର ଲୋକମାନଙ୍କୁ ସୂଚୀତ କରିବା ଲାଗି ଉପଯୁକ୍ତ ସୂଚନା ଏବଂ ମାର୍ଗଦର୍ଶିକାକୁ ସଠିକ୍ ଭାବେ ପ୍ରସାରିତ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। କୋଭିଡ ଡାକ୍ତରଖାନାଗୁଡ଼ିକର ବାଧାମୁକ୍ତ ପରିଚାଳନା ନିମନ୍ତେ ମଧ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ସ୍ବରାଷ୍ଟ୍ର ବ୍ୟାପାର, ବେସାମରିକ ବିମାନ ଚଳାଚଳ, ରେଳବାଇ, ଜାହାଜ ଚଳାଚଳ ଓ ଜଳମାର୍ଗ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଶକ୍ତି ଓ ମତ୍ସ୍ୟ ଆଦି ମନ୍ତ୍ରଣାଳୟ/ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଏନଡିଆରଏଫ, ଆଇଏମଡି, ସିଆଇଏସସି, ଆଇଡିଏସ ଏବଂ ଏନଡିଏମଏର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।