Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହ ପାଳିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ‘ଉତ୍କଳ କେଶରୀ’ ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାର ଗର୍ବ ଗୌରବ। ସେ କେବଳ ସ୍ୱତନ୍ତ୍ରତା ସଂଗ୍ରାମୀ ନ ଥିଲେ ବରଂ ଜଣେ ମହାନ ସମାଜ ସୁଧାରକ, ପ୍ରଖ୍ୟାତ ରାଜନେତା, ବକ୍ତା, କବି, ଔପନ୍ୟାସିକ, ପ୍ରସିଦ୍ଧ ଇତିହାସକାର ଏବଂ ପତ୍ରକାର ମଧ୍ୟ ଥିଲେ। ସେ ହେଉଛନ୍ତି ଓଡ଼ିଆ ଅସ୍ମିତାର ଜୀବନ୍ତ ଷ୍ଟେଟ୍ସମ୍ୟାନ। ଓଡ଼ିଶାକୁ ନେଇ ତାଙ୍କ ଦ୍ୱାରା ଲିଖିତ ଇତିହାସ ଭବିଷ୍ୟତର ଆଇନା ଭାବେ କାମ କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୁରୁବାର ନୂଆଦିଲ୍ଲୀରେ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହର ଉଦଘାଟନ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ସୁପୁତ୍ର ଉତ୍କଳ କେଶରୀ ଡ଼. ମହତାବ ଦେଶର ଅନନ୍ୟ ପ୍ରତିଭା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ କହିଥିଲେ ଯଦି ଆପଣ ଚାହୁଁଛନ୍ତି, ଆପଣଙ୍କ ମୃତ୍ୟୁ ପରେ ଆପଣଙ୍କ ନାମ ସ୍ମରଣ କରାଯାଉ ତେବେ ଲେଖିବା ଭଳି କିଛି କାମ କରନ୍ତୁ ନଚେତ୍ ପଢିବା ଭଳି କିଛି ଲେଖନ୍ତୁ (Either do something worth writing or Write something worth reading)। ମହତାବ ଏଭଳି କିଛି କାମ କରିଛନ୍ତି ଯାହାଙ୍କ ନାମରେ ଇତିହାସ ଲେଖାଯାଇଛି। ମହତାବ ଏପରି କିଛି ଲେଖିଛନ୍ତି, ଯାହା ଆମେ ଇତିହାସ ନାମରେ ଆମେ ପଢୁଛୁ, ଯେଉଁ ଇତିହାସ ଭବିଷ୍ୟତର ଆଇନା ଭାବେ କାମ କରୁଛି ବୋଲି ସେ କହିଛନ୍ତି।

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ୧୯୩୬ ମସିହା ଏପ୍ରିଲ ପହିଲାରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ମାନ୍ୟତା ପାଇଥିଲା। ସେହି ସମୟରୁ ରାଜ୍ୟରେ ଏକ ପ୍ରଶାସନିକ ସୁବ୍ୟବସ୍ଥା ଢାଞ୍ଚା ଗଠନ ହେଲା। ଏ ଦିଗରେ ଡଃ ମହତାବଙ୍କ ବଡ ଭୂମିକା ଥିଲା। ପରାଧୀନ ମାନସିକତା ଢାଞ୍ଚାରୁ ମୁକ୍ତି ପାଇବା ପାଇଁ ସେ ଐତିହାସିକ ଉଦ୍ୟମ କରିଥିଲେ। ଦେଶ ଯେତେବେଳେ ଇଂରାଜୀଙ୍କ ଗୁଲାମୀର ଶାସନରେ ଚାଲୁଥିଲା, ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ଡଃ ମହତାବ ସୁଖ, ସ୍ୱାଚ୍ଛନ୍ଦ୍ୟ ଓ ବୈଭବକୁ ତ୍ୟାଗ କରି ଦେଶ, ଜାତି, ଭାଷା, ସଂସ୍କୃତି ପାଇଁ  ଇଂରେଜ ଶାସନ ଏବଂ ପରାଧୀନତା ବିରୋଧରେ ନିଜର ସଂଘର୍ଷ ଜାରି ରଖିଥିଲେ। ଏଥିପାଇଁ ଆମେ ତାଙ୍କୁ ଶ୍ରଦ୍ଧାରେ ଉତ୍କଳ କେଶରୀ ବୋଲି ସମ୍ବୋଧନ କରୁଅଛେ।

ସମାଜ ଜୀବନରେ ମହତାବ ଅନ୍ତିମ ସମୟରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଯାଇ ଲୋକକଳାକୁ ଉଜାଗର କରିଥିଲେ। ଉଦ୍ଦେଶ୍ୟ ଥିଲା ରାଷ୍ଟ୍ରୀୟ ସଂହତି ,ରାଜ୍ୟରେ ଏକତା ଆଣିବା ଓ ନୂଆପିଢିକୁ ପ୍ରେରିତ କରିବା। ମହତାବ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ନୂଆପିଢିଙ୍କୁ ପ୍ରେରିତ କରୁଥିବା, ଯାହା ତାଙ୍କର ବିରଳ ବ୍ୟକ୍ତିତ୍ୱକୁ ଦର୍ଶାଉଛି। ସେ ମାଷ୍ଟର ଷ୍ଟେଟ୍ସମ୍ୟାନ ଭାବେ କାମ କରିଥିଲେ। ଓଡ଼ିଶା ଭିତରେ ମହତାବଙ୍କ ବ୍ୟକ୍ତିଗତ ଛାପ ଅଛି। ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ତାଙ୍କର ନିର୍ଣ୍ଣୟ କ୍ରମେ ମନ୍ଦିରମାଳିନୀ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହୋଇଥିଲା। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ମହତାବ ଭାରତର ଛୋଟ ରାଜ୍ୟ ଓ ଗଡଜାତ ରାଜ୍ୟକୁ ଭାରତର ଅଖଣ୍ଡତା ସହ ଯୋଡିଥିଲେ। ଡଃ ମହତାବ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ହୀରାକୁଦ ଡ୍ୟାମର ନିର୍ମାଣ ହୋଇଥିଲା। ଏହି କାମରୁ ଅନୁମେୟ ଯେ ସେ ଥିଲେ ଜଣେ ଯୁଗଦ୍ରଷ୍ଟା, ଜଣେ ରାଷ୍ଟ୍ର ପୁରୁଷ। ତାଙ୍କର ସାମାଜିକ କାର୍ଯ୍ୟ, ସାହିତ୍ୟର ସୃଜନଶୀଳତା, ସାମ୍ବାଦିକତାର ସୁକ୍ଷ୍ମ ଦୂରଦୃଷ୍ଟି ଥିଲା ଅସାଧାରଣ। ମହତାବଙ୍କ ବିଚାରର ଅନୁଯାୟୀ ଭାବେ ମୁଁ ସୌଭାଗ୍ୟଶାଳୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଡଃ ମହତାବଙ୍କ ଦ୍ୱାରା ଲିଖିତ ‘ଗାଁ ମଜିଲିସ’ରେ ଦେଶ ସମାଜର ସ୍ଥିତି, ସୁଧାର, ସମାଜ ନିର୍ମାଣର ନିଚ୍ଛକ ଚିତ୍ର ଥିଲା। ମହତାବ ଜଣେ ବ୍ୟକ୍ତି ନ ଥିଲେ, ଥିଲେ ଜଣେ ଚରିତ୍ର, ବିଚାରଧାରା, ସଂସ୍କୃତି ଓ ଆଇଡିଆ। ତାଙ୍କ ଦ୍ୱାରା ଲିଖିତ ଗାଁ ମଜିଲିସ ପଢିବା ପାଇଁ ଓଡ଼ିଆ ନୂଆପିଢିକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଓଡ଼ିଶା ମାତ୍ର ୧୨ ବର୍ଷ ପରେ ୧୯୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ଡଃ ମହତାବଙ୍କ ବିଚାରରେ ଆଗକୁ ବଢିବା ପାଇଁ ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଡଃ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବର୍ଣ୍ଣାଢ୍ୟ ସମାରୋହର ଆୟୋଜନ କରି ଜାତୀୟ ସ୍ତରରେ ଓଡ଼ିଶାର ମର୍ଯ୍ୟାଦା ବଢାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଉଛି। ସେହିପରି ଓଡ଼ିଶାରେ ଶୀର୍ଷ କିମିଟି ଗଠନ କରି ଡ.ମହତାବଙ୍କ ସ୍ମରଣାର୍ଥେ ଏକବର୍ଷ ବ୍ୟାପୀ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଯୋଜନା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ ଡଃ ମହତାବଙ୍କ ଉପରେ ଏକ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ ସହ ଓଡ଼ିଆରେ ମୋନୋଗ୍ରାଫ୍, ‘ଗାଁ ମଜଲିସ’ର ଇଂରାଜୀ ଓ ହିନ୍ଦୀ ଅନୁବାଦ ମଧ୍ୟ ଉନ୍ମୋଚନ କରାଯାଇଥିଲା। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ଶିଖାଓ୍ୱତ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକ ଲୋକସଭା ସଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଏହି ସାମରୋହରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଭୁବନେଶ୍ଵର: ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ।

କଟକ ସାଂସଦ ତଥା ଡ. ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ ମଧ୍ୟ ଓଡ଼ିଶାର ଏହି ଗୌରବଙ୍କ ପ୍ରଭାବ ଓ ପରମ୍ପରାକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ଅନୁଷ୍ଠାନ ସାହିତ୍ୟ ଏକାଡେମୀ ଆସନ୍ତାକାଲିର କାର୍ଯ୍ୟକ୍ରମରେ ଉନ୍ମୋଚନ ପାଇଁ ଓଡ଼ିଆରେ ମୋନୋଗ୍ରାଫ୍, ଗାଁ ମଜଲିସର ଇଂରାଜୀ ଅନୁବାଦ ଏବଂ ଗାଁ ମଜଲିସର ହିନ୍ଦୀ ଅନୁବାଦ ପ୍ରସ୍ତୁତ କରିଛି।

ଏହାବ୍ୟତୀତ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ତାଙ୍କ ଜୀବନ ଓ ପରମ୍ପରା ଉପରେ ଏକ ପ୍ରଦର୍ଶନୀ ରଖାଯାଇଛି । ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ଅନୁଷ୍ଠାନ ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ଜାତୀୟ ଚିତ୍ରକଳା ଶିବିରରେ ଅଂଶଗ୍ରହଣ କରି ଗତ କିଛି ଦିନ ହେବ ଦିଲ୍ଲୀରେ ରହିଥିବା ଓଡ଼ିଆ କଳାକାରଙ୍କ କୃତିକୁ ମଧ୍ୟ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯିବ।

ଶ୍ରୀମତୀ ସୁସ୍ମିତା ଦାସ ଏକ ସଙ୍ଗୀତ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଇତିହାସ ଓ ସଂସ୍କୃତିପ୍ରତି ସମ୍ମାନ ଅର୍ପଣ କରିବେ।

“ଉତ୍କଳ କେଶରୀ” ନାମରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତ ଇତିହାସରେ ଜଣେ ବହୁମୁଖୀ ନେତା ଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଭାବରେ ପରିଚିତ ଥିଲେ। ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମହାତ୍ମା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। କଲେଜ ଜୀବନରୁ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଇତ୍ୟାଦି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସ୍ଵାଧୀନତା ଆନ୍ଦୋଳନରେ ସକ୍ରିୟତା ପାଇଁ ସେ ଏକାଧିକ ଥର ଗିରଫ ହୋଇଥିଲେ ଏବଂ ଓଡ଼ିଶାକୁ ଭାରତରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଡକ୍ଟର ହରେକୃଷ୍ଣ ମହତାବ ଗଡ଼ଜାତ ରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତର ମୁଖ୍ୟମନ୍ତ୍ରୀ ଭାବରେ ସେ ଓଡ଼ିଶାର ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଆର୍ଥିକ ବିକାଶ ପାଇଁ ପରାମର୍ଶ ଦେଇଥିଲେ। ହରେକୃଷ୍ଣ ମହତାବ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବ୍ୟାପକ ଭାବରେ ଲେଖିଥିଲେ। ରାଜ୍ଯର ଐତିହାସିକ ବିବରଣୀ ‘ଓଡ଼ିଶାର ଇତିହାସ’ ସମେତ ତାଙ୍କର ଅନ୍ୟନ୍ୟ କୃତି ପାଇଁ ସେ ପ୍ରଶଂସିତ ହୋଇଥିଲେ ଏବଂ ୧୯୮୩ ମସିହାରେ ‘ଗାଁ ମଜଲିସ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୬୨ ରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଡକ୍ଟର ହରେକୃଷ୍ଣ ମହତାବ ତାଙ୍କ ଦୃଢ଼ ଇଚ୍ଛାଶକ୍ତି, ସଂକଳ୍ପ ଓ ପ୍ରଭାବ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି। ରାଜ୍ୟର ଅନ୍ୟତମ ଅଗ୍ରଣୀ ନେତା ଭାବରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସହିତ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବଗଡର ଧୋବଲିପଥରଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସହିତ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ବିକଶିତ ଦେବଗଡ ସ୍ବପ୍ନ ସାକାର କରିବା ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ। କୃଷି ପ୍ରଧାନ ଜିଲ୍ଲା ଦେବଗଡରେ ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ ଏବଂ ପଶୁପାଳନର ଅନେକ ସମ୍ଭାବନା ରହିଛି।

ଆଗାମୀ ଦିନରେ ସମ୍ବଲପୁର ଗୋଶାଳାସ୍ଥିତ ଓମଫେଡ ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ। ଏହି ପ୍ଲାଣ୍ଟରୁ ପାଉଡର ଖିର, ଦହି, ଚକୋଲେଟ ଓ ପନିର ସମେତ ଖିରରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପଞ୍ଚାୟତରେ ସମବାୟ ସମିତି ଗଠନ କରାଯିବ। ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ ଦ୍ବାରା ଦେବଗଡ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ସହ ଦୁଗ୍ଧ ଚାଷୀଙ୍କ ଆର୍ଥିକ ସମ୍ବଳ ସଶକ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏଥିସହିତ ଅନେକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ହେବା ଖୁସିର ବିଷୟ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ ଜିଲ୍ଲାର ତାରଙ୍ଗଠାରେ ମାଆ ପାଇଁ ଗଛଟିଏ ଅଭିଯାନ ସ୍ବରୂପ ବୃକ୍ଷରୋପଣ କରିଛନ୍ତି। ସେହିପରି ମା ପାତ୍ରାଣୀ କ୍ଲବ ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଉଦଘାଟନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନିଶୁଳ୍କ ଡାଏଲିସିସ୍‌ ସେବାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ନିଶୁଳ୍କ ଡାଏଲିସିସ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଏହି ଡାଏଲିସିସ୍‌ କେନ୍ଦ୍ର ଦ୍ବାରା ରେଢାଖୋଲ ସମେତ ଆଖପାଖ ଅଞ୍ଚଳର ଲୋକମାନେ କିଡ୍‌ନୀ ରୋଗର ଚିକିତ୍ସା ସେବା ପାଇବା ସହ ବହୁଳ ଖର୍ଚ୍ଚରୁ ରକ୍ଷାପାଇବେ। ପୂର୍ବରୁ ଦେଶର ରାଜଧାନୀ କିମ୍ବା ବଡ ବଡ ସହରରେ ଡାଏଲିସିସ୍‌ କେନ୍ଦ୍ରର ବ୍ୟବସ୍ଥା ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁ ଓଡିଶା ସମେତ ସମଗ୍ର ଦେଶରେ ସରକାରୀ ବ୍ୟବସ୍ଥାରେ ଡାଏଲିସିସ୍‌ କେନ୍ଦ୍ର ଖୋଲାଯିବା ସହ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି।

ରେଢାଖୋଲ ଚିକିତ୍ସାଳୟରେ ଏହି ବ୍ୟବସ୍ଥା କରାଯାଇଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢାଖୋଲଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବୀ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସମ୍ବଲପୁରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ବିତରଣ

ସମ୍ବଲପୁର: ବିକାଶ ପ୍ରକ୍ରିୟାରେ ଶ୍ରମିକ ମାନଙ୍କର ଅତୁଳନୀୟ ଅବଦାନକୁ ସ୍ଵୀକାର କରି ଆମ ସରକାର ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ସହାୟତା ନେବା ପାଇଁ ନିଜର ନାମକୁ ନିର୍ମାଣ ଶ୍ରମିକ ତାଲିକାରେ ପଞ୍ଜିକରଣ କରାଇବା ପାଇଁ ସମ୍ବଲପୁର ଜିଲ୍ଲାର ଶ୍ରମଜୀବୀ ମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋମବାର ସମ୍ବଲପୁରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ‘ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା’ ଅଧୀନରେ ହିତାଧିକାରୀଙ୍କୁ ସହାୟତା ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରମିକ ହିତାଧିକାରୀମାନଙ୍କୁ ଶିକ୍ଷାବୃତ୍ତି, ବିବାହ, ପ୍ରସୂତିକାଳୀନ, ସ୍ୱାଭାବିକ ମୃତ୍ୟୁ, ଦୁର୍ଘଟଣାଜନିତ ମୃତ୍ୟୁ ଓ ଅନ୍ତ୍ୟୋଷ୍ଟିକ୍ରିୟା ସହାୟତା ରାଶି ବାବାଦକୁ ପ୍ରାୟ ୧ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଏବଂ ୨୦୦ ଜଣ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ବିଓସି-ଆଇ କାର୍ଡ୍ ବିତରଣ କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଦ୍ୱାରା ସମ୍ବଲପୁର ଜିଲ୍ଲାର ପ୍ରାୟ ୩୧୨ ଜଣ ଶ୍ରମିକ ହିତାଧିକାରୀ ଲାଭବାନ ହେବେ।

ଏହା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅନୁସାରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନରେ ନିର୍ମାଣ ସମସ୍ତ ଅଣକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ, ଶାରୀରିକ ଶ୍ରମ କରୁଥିବା ଶ୍ରମିକ, ପର୍ଯ୍ୟବେକ୍ଷଣ କାର୍ଯ୍ୟ ନିଯୁକ୍ତ କର୍ମଚାରୀ ନିର୍ମାଣ ଶ୍ରମିକ ଅନ୍ତର୍ଭୃକ୍ତ ଅଟନ୍ତି। ରାଜ୍ୟରେ ପଞ୍ଜିକୃତ ଏହି ନିର୍ମାଣ ଶ୍ରମିକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଶିକ୍ଷାବୃତ୍ତି ସହାୟତା ପାଇଁ ୨୦ ହଜାରରୁ ୪୦ ହଜାର ଟଙ୍କା, ବିବାହ ସହାୟତା  ୫୦ ହଜାର ଟଙ୍କା,  ପ୍ରସୂତିକାଳୀନ ସହାୟତା ୧୦ ହଜାର ଟଙ୍କା, ସ୍ୱାଭାବିକ ମୃତ୍ୟୁକାଳୀନ ସହାୟତା ୩ ଲକ୍ଷ ଟଙ୍କା,  ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ୬ ଲକ୍ଷ ଟଙ୍କା ଏବଂ ଅନ୍ତ୍ୟୋଷ୍ଟିକ୍ରିୟା ସହାୟତା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଉଛି।

ତେବେ ସମ୍ବଲପୁରରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ସଂଖ୍ୟା ପ୍ରାୟ ୬୨ ହଜାର ଅଛି। ସମ୍ବଲପୁରରେ ନିର୍ମାଣ ଓ ଶିଳ୍ପ ଭିତ୍ତିଭୂମିକୁ ଦେଖିଲେ ଏହି ସଂଖ୍ୟା ଆନୁମାନିକ ୩ ଲକ୍ଷ ହେବା ଦରକାର । ତେବେ ନିର୍ମାଣ ଶ୍ରମିକ ଭାଇ ଭଉଣୀମାନଙ୍କ ସଂଖ୍ୟା ବଢାଇବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନାର ସହଯୋଗରେ ସବୁଠି ସ୍ୱତନ୍ତ୍ର ଶିବିର ଆୟୋଜନ ପାଇଁ ଯୋଜନା କରିବାକୁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେନ୍ଦୁପତ୍ର ତୋଳାଳୀ ଓ ବିଡ଼ି ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ ତାଲିକାରେ ଅନ୍ତର୍ଭୃକ୍ତ କରିବା ପାଇଁ ବିଚାରବିମର୍ଶ କରିବା ନେଇ ସେ ପ୍ରସ୍ତାବ ଦେଇଛନ୍ତି ।

ସବକା ସାଥ୍- ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସରେ କାମ କରୁଥିବା ମୋଦୀ ସରକାର  ଶ୍ରମିକଙ୍କ ସାମାଜିକ ସୁରକ୍ଷା, ସେମାନଙ୍କ ସମ୍ମାନ ବଢାଇବା ସହ କଲ୍ୟାଣକାରୀ ଯୋଜନା କରିବା ପାଇଁ କଟିବଦ୍ଧ । ଆଜିର ଏହି ବିତରଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ସମ୍ବଲପୁର ଜିଲ୍ଲା ଶ୍ରମ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳା ଉଦଘାଟିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଶିଳ୍ପ ବିପ୍ଳବ ୪.୦ ଆମର ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱମାନର କରିବା ପାଇଁ ଏକ ବଡ ସୁଯୋଗ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଆମକୁ ଅଭିନବ ମଡେଲ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ମଜଭୂତ୍ କରିବାକୁ ହେବ। ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଏକ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବାକୁ ପଡ଼ିବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ କର୍ମଶାଳାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିବା ସହ କହିଛନ୍ତି, ଏହି କର୍ମଶାଳା ଉତ୍ତମ ଶୈକ୍ଷିକ ବିଚାରବିମର୍ଶ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ବିଶେଷ ଭାବରେ ଶିକ୍ଷା ଦ୍ୱାରା କିପରି ଜୀବନଯାପନକୁ ଅଧିକ ସୁଗମ କରିବ, ତାହାର ମାର୍ଗ ଅଧିକ ପ୍ରଶସ୍ତ କରିବା ପାଇଁ ଆଜିର କର୍ମଶାଳା ତାହାର ଏକ ମାଧ୍ୟମ ହେବ। ଆଜିର ଏହି କାର୍ଯ୍ୟକ୍ରମ ଦେଶରେ ମୁଣ୍ଡପିଛା ଆୟ ବୃଦ୍ଧି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିର୍ଦ୍ଧାରିତ ଜାତୀୟ ପ୍ରାଥମିକତା ହାସଲ କରିବାରେ ଯଥେଷ୍ଟ ଉନ୍ନତି ଆଣିପାରିବ।

ଏହି ଅବସରରେ ଏକାଡେମିକ୍ ଲିଡର୍ ଓ ପ୍ରଶାସକମାନଙ୍କ ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଦୃଷ୍ଟି ଦେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏଗୁଡ଼ିକ ହେଉଛି ଅଭିନବ ପାଣ୍ଠି ମାଧ୍ୟମରେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସୁଦୃଢ଼ କରିବା, ଶିଳ୍ପର ଚାହିଦା ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆବଶ୍ୟକତା ଏବଂ ଆକାଂକ୍ଷା ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ କରିବା ସହ ଥିଙ୍କ୍ ଟ୍ୟାଙ୍କ ସ୍ଥାପନ କରିବା। ଅନୁରୂପ ଭାବରେ ବୈଶ୍ୱିକ ସମସ୍ୟାର ସମାଧାନରେ ନେତୃତ୍ୱ ନେବା ପାଇଁ ଗବେଷଣା ଏବଂ ନବସୃଜନ ପାଇଁ ଏକ ବହୁବିଭାଗୀୟ ଆଭିମୁଖ୍ୟ ଗ୍ରହଣ କରିବା; ପ୍ରତିଷ୍ଠିତ କେନ୍ଦ୍ର ଓ ରାଜ୍ୟର ଅନୁଷ୍ଠାନଗୁଡ଼ିକ ସହିତ ସହଯୋଗ ମାଧ୍ୟମରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକାଡେମିକ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ କ୍ରୀଡ଼ା, ବକ୍ତୃତା, କବିତା, ନାଟକ, କଳା ମାଧ୍ୟମରେ କ୍ୟାମ୍ପସର ଜୀବନ୍ତତାକୁ ପୁନରୁଦ୍ଧାର କରିବା ଏବଂ ଏହି ଅଣ-ଶିକ୍ଷାଗତ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବାକୁ ହେବ।

ଶ୍ରୀ ପ୍ରଧାନ ଭାରତୀୟ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଛାତ୍ରଛାତ୍ରୀଙ୍କ ପ୍ରତି ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ନେବା ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡିବ।

ଏହି ଦୁଇ ଦିନିଆ କର୍ମଶାଳାରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା- ଆହ୍ୱାନ ଏବଂ ରୋଡମ୍ୟାପ୍ ବିଷୟବସ୍ତୁ ଉପରେ ୧୪ଟି ବୈଷୟିକ ଅଧିବେଶନ ; ଶିକ୍ଷାରେ ବୈଷୟିକ ଜ୍ଞାନକୌଶଳ; ଶିକ୍ଷା କ୍ଷେତ୍ରରେ ସହଯୋଗ; ଡିଜିଟାଲ ଶାସନ; ଦକ୍ଷତା ବିକାଶ ଏବଂ ନେତୃତ୍ୱ; ଏବଂ ଉଚ୍ଚଶିକ୍ଷାର ଅର୍ଥ ଯୋଗାଣ ବିଶିଷ୍ଟ ପ୍ୟାନେଲିଷ୍ଟଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଯାଉଛି।

ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାରଙ୍କ ସମେତ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ସଚିବ, ଅତିରିକ୍ତ ଶାସନ ସଚିବ, ୟୁଜିସିର ଅଧ୍ୟକ୍ଷ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ, ଶିକ୍ଷାବିତ୍, ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ସୁରଟର ଜୈନ ବିଶ୍ୱଭାରତୀ ଅନୁଷ୍ଠାନର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

ସୁରଟ/ଗୁଜୁରାଟ: ଚରିତ୍ର ନିର୍ମାଣ ଓ ଦକ୍ଷତା ବୃଦ୍ଧି କରିବା ହେଉଛି ଶିକ୍ଷାର ମୂଳ ଉଦ୍ଦେଶ୍ୟ। ଭାରତୀୟତା ମୂଲ୍ୟବୋଧ ଉପରେ ଆଧାରିତ ରାଷ୍ଟ୍ରୀୟ ଶିକ୍ଷା ନୀତି ; ଭବିଷ୍ୟତର ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୋମବାର ଗୁଜୁରାଟର ସୁରଟରେ ଜୈନ ବିଶ୍ୱଭାରତୀ ଅନୁଷ୍ଠାନର ୧୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଯେ ଜୈନ ବିଶ୍ୱଭାରତୀ ଇନଷ୍ଟିଚ୍ୟୁଟ୍ ହେଉଛି ଅନୁଭୂତିମୂଳକ ଶିକ୍ଷାର ଏକ ବୃହତ ପ୍ରୟୋଗଶାଳା। ବିଶ୍ୱବିଦ୍ୟାଳୟ ସମାବର୍ତ୍ତନର ପରମ୍ପରା ଏହାର ଏକ ଜୀବନ୍ତ ଉଦାହରଣ। ଜୈନ ବିଶ୍ୱ ଭାରତୀ ଅନୁଷ୍ଠାନ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ବଟ୍ଟବୃକ୍ଷ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି। ଏହି ଅନୁଷ୍ଠାନରେ ପ୍ରାକୃତ ଭାଷା ଉପରେ ଏକ ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ଆମର ଦାୟିତ୍ୱ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଜୈନ ଧର୍ମର ମୂଲ୍ୟବୋଧ ଓ ଜୀବନ ଦର୍ଶନ ଆଜି ଏକ ବୈଶ୍ୱିକ ଆବଶ୍ୟକତା। ଜୈନ ବିଶ୍ୱଭାରତୀ ଅନୁଷ୍ଠାନ ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢିବା ପାଇଁ ପ୍ରଚେଷ୍ଟା କରୁଥିବା ଏକ ସମ୍ମାନସ୍ପଦ ଶିକ୍ଷାନୁଷ୍ଠାନ। ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ନେଇ ଯେଉଁ ସବୁ ଲକ୍ଷ୍ୟ ରଖାଯାଇଛି, ସେ ସବୁକୁ ନିଶ୍ଚୟ ପୂରଣ କରାଯିବ। ତେବେ ପପିବର୍ତ୍ତିତ ଟେକ୍ଲୋଲୋଜି ଯୁଗରେ ଏକ ବଡ ଆହ୍ୱାନ ରହିଛି। ଆହ୍ୱାନଟି ହେଉଛି, ଆଗାମୀ ଦିନରେ ‘ବିଜ୍ଞାନ ମଣିଷକୁ ଚଳାଇବ ନା ମଣିଷ ବିଜ୍ଞାନର ନିୟନ୍ତ୍ରକ ହେବ? ତେବେ ମୂଲ୍ୟବୋଧ, ସଂସ୍କାର ଓ ଉତ୍ତମ ବ୍ୟକ୍ତିତ୍ୱ ଦ୍ୱାରା ହିଁ ଏହି ଦ୍ୱନ୍ଦକୁ ଦୂର କରାଯାଇପାରିବ। ତେଣୁ ଏହି ଆଧାରରେ ଉକ୍ତ ଆହ୍ୱାନର ସମାଧାନ ଦିଗରେ ଆଗଭର ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ଜୈନ ବିଶ୍ୱଭାରତୀ ଅନୁଷ୍ଠାନ ଜ୍ଞାନର ବଡ ପୁଞ୍ଜି ହେଇ ମାନବତାକୁ ଏକ ନୂଆ ଜୀବନ ପ୍ରଦାନ କରିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି।

ଜୈନ ବିଶ୍ୱ ଭାରତୀ ଅନୁଷ୍ଠାନର ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ପ୍ରଧାନ ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଜୀଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ପଡ଼ିଆବାହାଲରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ଉଦଘାଟିତ

ପଡ଼ିଆବାହାଲ/ସମ୍ବଲପୁର: ସମ୍ବଲପୁରରେ ସ୍ୱାସ୍ଥ୍ୟସେବାକୁ ମଜଭୂତ୍ କରିବା ପାଇଁ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସେହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ପଡ଼ିଆ ବାହାଲ ଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ  ନିର୍ମିତ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଭବନ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପଡ଼ିଆବାହାଲ ଠାରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ନାମରେ ନାମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବଡ ଦାୟିତ୍ୱ ଅଛି। ସ୍ଥାନୀୟ ଅଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଲୋକାର୍ପିତ ହୋଇଥିବା ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ୱାରା ଅନେକ ଲୋକମାନେ ଉପକୃତ ହୋଇପାରିବେ। ଗରିବ ଓ ବଞ୍ଚିତ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ କେମିତି ସୁବିଧାଜନକ କରାଯିବ, ସେଥିପାଇଁ ଆମ ସରକାର ଦାୟିତ୍ୱ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍ – ସବକା ବିକାଶ’କୁ ପ୍ରାଥମିକତାରେ ରଖି ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଉଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଗ୍ରାମାଞ୍ଚଳରେ ଆଶା ଦିଦିଙ୍କର ଭୂମିକାକୁ ପ୍ରଶଂସା କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ସମୟରେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ଦିଗରେ ଆଶା ଦିଦିମାନେ ବଡ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି। ନିକଟରେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ସମୟରେ ବୟସ୍କା ମହିଳାଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ଆଣି ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି। ଆଜି ଜନ୍ମ ନେଉଥିବା ପିଲା ୨୦୪୭ ବା ଆଉ ୨୪ ବର୍ଷ ପରେ ସମ୍ବଲପୁର ସମେତ ଦେଶର ଦାୟିତ୍ୱ ନେବ। ତେଣୁ ବର୍ତ୍ତମାନ ସମୟରୁ ସେମାନଙ୍କର ସୁରକ୍ଷା ଓ ଦାୟିତ୍ୱ ଆମକୁ ନେବାକୁ ହେବ।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ଚିକିତ୍ସାଳୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଅଣାଯିବ। ଆଶା ଦିଦିଙ୍କ ସହଯୋଗରେ ହିଁ ଗର୍ଭବତୀ ମହିଳା, ଶିଶୁ ସ୍ୱାସ୍ଥ୍ୟାବସ୍ଥା ତଥା ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ସୁଧାର ଆସିପାରିବ। ସେମାନଙ୍କ ଯୋଗଦାନ ବିନା ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳରେ ‘ସତ୍ୟବାଦୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ’ରେ କେନ୍ଦ୍ରମନ୍ତ୍ରୀ

ମଙ୍ଗଳପୁର/ଢେଙ୍କାନାଳ: ଆମକୁ ଆମ ଛାତ୍ରଛାତ୍ରୀଙ୍କ ଦକ୍ଷତା ବଢାଇବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ ତଥା ଶିକ୍ଷାର ମୂଳକୁ ମଜଭୂତ୍ କରିବାକୁ ହେବ। ଆମର ପରିଚୟ ଏବଂ ଅସ୍ମିତା କ’ଣ, ତା’ ଉପରେ ପିଲାମାନଙ୍କୁ ବିସ୍ତୁତ ଭାବେ ବୁଝାଇବା ପାଇଁ ପଡିବ। ଯେଉଁ ବ୍ୟକ୍ତି, ସମାଜ କିମ୍ବା ସମୂହ ତା’ର ମୂଳ ବିଷୟ ଏବଂ ଅସ୍ମିତା ସମ୍ପର୍କରେ ଅସ୍ପଷ୍ଟ, ସେହି ବ୍ୟକ୍ତି କେବେ ବି ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିପାରିବ ନାହିଁ ବୋଲି ଶନିବାର ଢେଙ୍କାନାଳ ଜିଲ୍ଲା ମଙ୍ଗଳପୁର ଠାରେ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର “ସୁବର୍ଣ୍ଣ ଜୟନ୍ତୀ ସମାରୋହ”ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଢେଙ୍କାନାଳ ମାଟିର ସୁଯୋଗ୍ୟ ସନ୍ତାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତ ସ୍ୱାଧୀନତାକୁ ଭଲ ଭାବରେ ବୁଝିଥିବା କାରଣରୁ ବ୍ରିଟିଶମାନଙ୍କୁ ନଦୀ ପାର କରାଇନଥିଲେ। ଏଥିରେ ମୂଳ ବିଷୟ ଥିଲା ଦେଶପ୍ରେମ। ଏହି ଆଧାରରେ ପିଲାମାନଙ୍କୁ ଶିକ୍ଷାର ମୂଳ ଲକ୍ଷ୍ୟ ସହ ଯୋଡିବାକୁ ପଡିବ। ଆମ ଜୀବନ ସ୍ୱୟଂ ପାଇଁ ନୁହେଁ ବରଂ ସମୂହ ପାଇଁ। ଏହାକୁ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ ପଡିବ। ସ୍କୁଲ ଶିକ୍ଷା ପାଇଁ ଯୋଜନା କରିବା ସହ ପିଲାମାନଙ୍କ ଜ୍ଞାନର ବିକାଶ, ବ୍ୟକ୍ତିତ୍ୱ, ଚରିତ୍ର ଗଠନର ଦାୟିତ୍ୱ ନେବା ପାଇଁ ପଡିବ। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ବୈଷ୍ଣବ ଚରଣ ପଟ୍ଟନାୟକ, ଶହୀଦ ବାଜି ରାଉତ, ମହେଶ ଚନ୍ଦ୍ର ସୁବାହୁ ସିଂ, ସାରଙ୍ଗଧର ଦାସ ଓ ମୂଷା ମଲିକଙ୍କ ପରି ନେତୃତ୍ୱଙ୍କ ବିଚାରରେ ଦେଶସେବାରେ ବ୍ରତୀ ହୋଇ ୨୦୩୬ ଓ ୨୦୪୭ ମସିହା ସୁଦ୍ଧା ବୈଶ୍ୱିକ ନାଗରିକଙ୍କ କଲ୍ୟାଣ ପାଇଁ ଏବେ ଠାରୁ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ପ୍ରଧାନ ଅପିଲ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଢେଙ୍କାନାଳ ସ୍ୱତନ୍ତ୍ର ଜିଲ୍ଲାର ଅଧିକାରୀ। ସବୁ ସମସ୍ୟାର ସମାଧାନର ଚାବିକାଠି ଶିକ୍ଷାରେ ଅନ୍ତର୍ନିହିତ ଅଛି। ଏଥିପାଇଁ ଏ ଅଞ୍ଚଳର ମହାପୁରୁଷମାନେ ଜିଲ୍ଲାର ବିକାଶ ପାଇଁ ଶିକ୍ଷାକୁ ଆୟୁଧ କରିଥିଲେ। କଳା, ସାହିତ୍ୟ ଓ ସଂସ୍କୃତିସମ୍ପନ୍ନ ଜିଲ୍ଲା ଢେଙ୍କାନାଳର ନାଗରିକମାନେ ଆତ୍ମବିଶ୍ୱାସୀ। ସତ୍ୟବାଦୀ ସରକାରୀ ହାଇସ୍କୁଲର ୫୦ ବର୍ଷ ପୂର୍ତ୍ତି ହେବା ଢେଙ୍କାନାଳ ଜିଲ୍ଲା ପାଇଁ ଏକ ଗୌରବମୟ ଉପଲବ୍ଧି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ,ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ କାର୍ଯ୍ୟକାରୀ ହୋଇଥିବା ଜାତୀୟ ଶିକ୍ଷା ନୀତିରେ ସାମର୍ଥ୍ୟ ବା ଯୋଗ୍ୟତା, ମାତୃଭାଷାରେ ଶିକ୍ଷା ପ୍ରଦାନ, ଶିକ୍ଷାର ମୂଳକୁ ମଜଭୂତ୍ କରିବା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ଆଜି ଯେତେବେଳେ ଟେକ୍ନୋଲୋଜି ଯୁଗରେ ଡିଗ୍ରୀ ଓ ସାର୍ଟିଫିକେଟ୍ ଅପେକ୍ଷା ଦକ୍ଷତା ଅଧିକ ମହତ୍ତ୍ୱ ରଖୁଛି, ସେହି ସମୟରେ ଅନେକ ମହାପୁରୁଷଙ୍କ ଦ୍ୱାରା ପ୍ରତିଷ୍ଠା ହୋଇ ବଟ୍ଟବୃକ୍ଷର ରୂପ ନେଇଥିବା ସତ୍ୟବାଦୀ ସରକାରୀ ହାଇସ୍କୁଲ ଢେଙ୍କାନାଳରେ ଶିକ୍ଷାର ପରମ୍ପରାକୁ ଆଗକୁ ନେବ ବୋଲି ସେ କହିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର “ସୁବର୍ଣ୍ଣ ଜୟନ୍ତୀ ସମାରୋହ” ଅବସରରେ ଏକ ସ୍ମରଣିକା ଉନ୍ମୋଚନ ସହ ସ୍କୁଲର ପ୍ରତିଷ୍ଠାତା ସଦସ୍ୟମାନଙ୍କ ପରିବାରକୁ ସମ୍ମାନିତ କରିଥିଲେ। ଏହା ପୂର୍ବରୁ ଶ୍ରୀ ପ୍ରଧାନ ସ୍କୁଲ ପରିସରରେ ଆୟୋଜିତ ‘ରକ୍ତଦାନ ଶିବିର’ରେ ଯୋଗଦେବା ସହ ପୃଥକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଏପରି ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିକୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଜସେବା ଓ ପରିବେଶ ସୁରକ୍ଷାର ମନୋଭାବ ତିଆରି କରିବ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଆଇଟି, ବିଏଚୟୁର ୧୩ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ। ଚତୁର୍ଥ ଶିଳ୍ପ ବିପ୍ଳବ ସମୟରେ ଭାରତ ପାଖରେ ଦୁନିଆର ଲୋକକଲ୍ୟାଣର ନେତୃତ୍ୱ ନେବା ପାଇଁ ଏକ ଅଭୁତପୂର୍ବ ସୁଯୋଗ ରହିଛି। ଏ ଦିଗରେ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ବଡ଼ ଦାୟିତ୍ୱ ନିର୍ବାହ କରିବେ ବୋଲି ଏହି ଶିକ୍ଷାନୁଷ୍ଠାନର ୧୩ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାବର୍ତ୍ତନ ସମାରୋହ ଜୀବନର ଏକ ଅନନ୍ୟ ମୁହୂର୍ତ୍ତ। ବାରଣାସୀ ସ୍ଥିତ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ସାମିଲ ହେବା ସୌଭାଗ୍ୟର ବିଷୟ। ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ବିଦ୍ୟାର୍ଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ବହୁତ ଭାଗ୍ୟବାନ। ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଦ୍ୱାରା ଏହି ପବିତ୍ର ସ୍ଥାନରୁ ଆରମ୍ଭ ହୋଇଥିବା ଶିକ୍ଷା ଯଜ୍ଞରୁ ଉତ୍ପନ୍ନ ହୋଇଥିବା ଛାତ୍ରଛାତ୍ରୀମାନେ ଜଣେ ଜଣେ ଅମୃତ ସଦୃଶ। କାଶୀ ଦୁନିଆର ସ୍ୱଳ୍ପ କିଛି ଜୀବନ୍ତ ସହର ମଧ୍ୟରୁ ଅନ୍ୟତମ। କାଶୀ ହେଉଛି ଭାରତର ଦର୍ଶନଶାସ୍ତ୍ର ତଥା ପାଲି, ପ୍ରାକୃତ, ସଂସ୍କୃତ ଏବଂ ତାମିଲ ଭଳି ପୁରାତନ ଭାଷାର ସଂଗମ ଅଟେ। କାଶୀ ଭଳି ଏକ ଜୀବନ୍ତ ସଭ୍ୟତା ସହ ଯୋଡ଼ି ହେବା ଏକ ବଡ଼ ସୌଭାଗ୍ୟର ବିଷୟ।

ଅନେକ ମହାପୁରୁଷମାନେ କାଶୀକୁ ଆସିଛନ୍ତି। ଆଜି ମାନ୍ୟତା ହାସଲ କରିଥିବା ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସେହି ମହାପୁରୁଷଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି। ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀମାନେ ଚାକିରି କରିବା ଅପେକ୍ଷା ଅନେକଙ୍କୁ ଚାକିରି ଦେବା ଦିଶାରେ କାର୍ଯ୍ୟ କରିବେ ବୋଲି ବିଶ୍ୱାସ ରହିଛି। ଆଗାମୀ ୨୫ ବର୍ଷ ଭାରତର ପ୍ରଗତିର ସୁବର୍ଣ୍ଣ ସମୟ ହେବ। ବିଶ୍ୱର ଏକ ନମ୍ବର ଅର୍ଥନୀତିରେ ପରିଣତ ହେବା ଆମ ଦେଶର ଭାଗ୍ୟରେ ଲେଖାଯାଇଛି। ସମଗ୍ର ବିଶ୍ୱ ଆଜି ଭାରତକୁ ବହୁତ ଆଶାର ସହ ଦେଖୁଛି। ସାରା ଦୁନିଆର ସମସ୍ୟାର ସମାଧାନର ସୂତ୍ର କାଶୀ ଓ ଆଇଆଇଟି ବିଏଚୟୁ ଭଳି ଅନୁଷ୍ଠାନ ପାଖରେ ରହିଛି। ନିଜର ବୌଦ୍ଧିକ ଦକ୍ଷତା ବଳରେ ଆମର ଛାତ୍ରଛାତ୍ରୀମାନେ ଭାରତ ଏବଂ ସମଗ୍ର ବିଶ୍ୱର ଆବଶ୍ୟକତା ପୂରଣ କରିବେ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି।

ବାରଣାସୀ ଗସ୍ତ କାଳରେ ଶ୍ରୀ ପ୍ରଧାନ ବାବା ବିଶ୍ୱନାଥ ମନ୍ଦିର ଓ ବାବା କାଳ ଭୈରବ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଝାଡଖଣ୍ଡ ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା, ଓଡିଶାରୁ ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ସାମିଲ

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ସମେତ ଚାଲିଶ ଜଣ ରହିଛନ୍ତି। ତେବେ ଏହି ତାଲିକାରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ଏହି ଦୁଇଜଣ ଝାଡଖଣ୍ଡ ନିର୍ବାଚନର ମୁଖ୍ୟ ଆକର୍ଷଣ ହେବେ।

ଚାଲିଶ ଜଣିଆ ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଥିବା ବେଳେ ଦ୍ବିତୀୟରେ ଅଛନ୍ତି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା। ସେହିପରି ତୃତୀୟ ରାଜନାଥ ସିଂ ଏବଂ ଚତୁର୍ଥରେ ଅମିତା ଶାହା। ତାପରେ ନୀତିନ ଗଡକରୀ, ଶିବରାଜସିଂ ଚୌହ୍ବାନ ଏବଂ ହେମନ୍ତ ବିଶ୍ବଶର୍ମା ରହିଛନ୍ତି।

ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ 12 ନମ୍ବରରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 17 ନମ୍ବରରେ ରହିଛନ୍ତି। ତେବେ ଏହି ତାଲିକାରେ ଆଦିବାସୀ ନେତାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଯେପରିକି ଚମ୍ପେଇ ସୋରେନ, ଅର୍ଜ୍ଜୁନ ମୁଣ୍ଡା, ବିଷ୍ଣୁ ଦେଶାଇ ପ୍ରମୁଖ ରହିଛନ୍ତି। ଝାଡଖଣ୍ଡରେ ଆସନ୍ତା ନଭେମ୍ବର 13 ଏବଂ 20 ତାରିଖରେ ନିର୍ବାଚନ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

‘ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ’ରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ସିଡନୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଜି ସିଡନୀ ଠାରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାର ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଏ. ଗିଲ୍ସଙ୍କ ସହ  ‘ଦ୍ୱିତୀୟ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ’ (ଏଆଇଇଏସସି)ରେ ଯୋଗଦେଇଛନ୍ତି। ଶିକ୍ଷା, ଦକ୍ଷତା ଓ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତ୍ୱରିତ କରିବା ନେଇ ବୈଠକରେ ଫଳପ୍ରଦ ଆଲୋଚନା ହୋଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ଦୁଇ ଦେଶ ମଧ୍ୟରେ ଜ୍ଞାନ ବ୍ୟବସ୍ଥାକୁ ସୁଦୃଢ କରିବା, ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ପାରସ୍ପରିକ ପ୍ରାଥମିକତାକୁ ଆଗକୁ ନେବା ତଥା ଏହି କ୍ଷେତ୍ରରେ ନୂତନ ଭିତ୍ତିଭୂମି ସୃଷ୍ଟି କରିବାର ଏକ ଭଲ ମାଧ୍ୟମ ହୋଇଛି। ଏହି ବୈଠକ ଉଭୟ ଅଷ୍ଟ୍ରେଲିଆ ଓ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ପରିକଳ୍ପନାରେ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ଶିକ୍ଷା ଏବଂ ଦକ୍ଷତା ଭାରତ ଓ ଅଷ୍ଟ୍ରେଲିଆର ଆର୍ଥିକ ସମୃଦ୍ଧିକୁ ମଜଭୂତ୍ କରିବ। ଉଭୟ ଦେଶର ଜନସାଧାରଣ ଏବଂ ଅନୁଷ୍ଠାନ ମଧ୍ୟରେ ସ୍ଥାୟୀ ସମ୍ପର୍କ ସ୍ଥାପନ ଦିଗରେ ଏହି ବୈଠକ ଏକ ଉତ୍ପେରକ ହେବ।

ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଏଆଇଇଏସସି ବୈଠକରେ ନିଷ୍ପତି ହୋଇଥିବା କାର୍ଯ୍ୟକୁ ଆଗେଇ ନେବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷାର ଆବଶ୍ୟକତା, ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ସ୍କିଲ ଦୂରତାକୁ ହ୍ରାସ କରିବା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଗବେଷଣାକୁ ସୁଦୃଢ କରିବା ଉପରେ ଆଲୋଚନା କରିଥିଲେ। ଏଆଇଇଏସସି ବୈଠକ ସ୍କୁଲ ଶିକ୍ଷା, ଦକ୍ଷତା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀକୁ ମଜଭୂତ୍ କରିବ। ଦୁଇ ଦେଶର ସମ୍ପର୍କକୁ ନିବିଡ କରିବା ଏବଂ ୨୦୨୫ରେ ଭାରତରେ ପରବର୍ତ୍ତୀ ଏଆଇଇଏସସି ବୈଠକର ଯୋଜନା କରିବା ପାଇଁ ଉଭୟ ମନ୍ତ୍ରୀଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହି ଗସ୍ତ କାଳରେ ଇନୋଭେଟିଭ୍ ରିସର୍ଚ୍ଚ ୟୁନିଭରସିଟିର ସଦସ୍ୟମାନଙ୍କ ସହ ସାକ୍ଷାତ୍ କରଥିଲେ। ସେ କହିଥିଲେ ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରେଲିଆର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଇନୋଭେସନ ରିସର୍ଚ୍ଚ ୟୁନିଭର୍ସିଟି ମଧ୍ୟରେ ସହଯୋଗୀ ଆଭିମୁଖ୍ୟ ଉପରେ ଭଲ ବୁଝାମଣା ହାସଲ କରିଛି। ଏହାବ୍ୟତିତ ଶ୍ରୀ ପ୍ରଧାନ ହିନ୍ଦୁ କାଉନସିଲ ଅଫ୍ ଅଷ୍ଟ୍ରେଲିଆ ପକ୍ଷରୁ ଆୟୋଜିତ ରାତ୍ରୀ ଭୋଜନରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ। ଅଷ୍ଟ୍ରେଲିଆରେ ଭାରତୀୟ ପାରମ୍ପରିକ ଜ୍ଞାନ ଓ ସଂସ୍କୃତିକୁ ବଞ୍ଚାଇ ରଖି ‘ବସୁଧୈବ କୁଟୁମ୍ବକମ୍’ର ବାର୍ତ୍ତା ପ୍ରଚାର କରିଥିବାରୁ ହିନ୍ଦୁ କାଉନସିଲ ଅଫ୍ ଅଷ୍ଟ୍ରେଲିଆର କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ।

ପ୍ରାରମ୍ଭିକ ଶିଶୁ ଶିକ୍ଷା କାର୍ଯ୍ୟବଳକୁ ଶିକ୍ଷିତ କରିବାରେ ଭାଗିଦାରୀର ସୁଯୋଗ ଅନ୍ୱେଷଣ ପାଇଁ ଶ୍ରୀ ପ୍ରଧାନ ସିଡନୀର ‘ଅବର୍ଣ୍ଣ ଲଙ୍ଗ ଡେ ଚାଇଲ୍ଡ କେୟାର ସେଣ୍ଟର’ ପରିଦର୍ଶନ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗଙ୍କୁ ସାକ୍ଷାତ୍ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ସିଙ୍ଗାପୁର: ଗୁରୁତ୍ୱପୂର୍ଣ୍ଣ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ଭେଟି ଭାରତ ଓ ସିଙ୍ଗାପୁର ମଧ୍ୟରେ ବିଦ୍ୟାଳୟ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି ଏବଂ ବ୍ୟାପକ କରିବା ଉପରେ ଫଳପ୍ରଦ ଆଲୋଚନା କରିଛନ୍ତି। ପ୍ରତିଭା, ସମ୍ବଳ ଓ ମାର୍କେଟ୍ ଭଳି ତିନୋଟି ପ୍ରମୁଖ ସ୍ତମ୍ଭ ମାଧ୍ୟମରେ ଦୁଇ ଦେଶର ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।

ବିଶେଷଭାବରେ ଅତ୍ୟାଧୁନିକ ଜ୍ଞାନକୌଶଳ ବା ଡିପଟେକ୍, ଷ୍ଟାର୍ଟଅପ୍ ଏବଂ ଇନୋଭେସନ ପରିସଂସ୍ଥାନକୁ ଆଗକୁ ବଢ଼ାଇବାରେ ଭାରତ ସିଙ୍ଗାପୁରକୁ ଏକ ବିଶ୍ୱସନୀୟ ଜ୍ଞାନ ସହଯୋଗୀ ରାଷ୍ଟ୍ର ଭାବରେ ଦେଖୁଛି ବୋଲି ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଏବଂ ଉଭା ହେଉଥିବା କ୍ଷେତ୍ରରେ ସହଯୋଗ ସମେତ ଭାରତ-ସିଙ୍ଗାପୁର ସମ୍ପର୍କକୁ ଏକ ବ୍ୟାପକ ଭାଗିଦାରୀରେ ପରିଣତ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ୱଙ୍ଗ ଏକ ସୁଦୃଢ଼ ଢାଞ୍ଚା ପ୍ରସ୍ତୁତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଜିଏଏନ୍ କିମ୍ ୟୋଙ୍ଗଙ୍କୁ ସାକ୍ଷାତ କରି ଶ୍ରୀ ପ୍ରଧାନ  ଭବିଷ୍ୟତ ପିଢ଼ିର ସହଭାଗିତା ସୃଷ୍ଟି କରିବା ପାଇଁ ଦକ୍ଷତାଭିତ୍ତିକ ଶିକ୍ଷା ଏବଂ ପ୍ରଶିକ୍ଷଣରେ ସହଯୋଗ ଉପରେ ଆଲୋଚନା କରିଥିଲେ।

ଏହା ପୂର୍ବରୁ ଶ୍ରୀ ପ୍ରଧାନ ସିଙ୍ଗାପୁରର ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଂଙ୍କୁ ଭେଟି ଶିକ୍ଷାର ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଭାରତର ଶିକ୍ଷା ବ୍ୟବସ୍ଥାର ଅନ୍ତର୍ଜାତୀୟକରଣ ପାଇଁ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ଉପରେ ଚର୍ଚ୍ଚା କରିଥିଲେ। ଦୁଇ ମନ୍ତ୍ରୀ ଓଭରସିଜ୍ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ, ଯାହା ଦ୍ୱାରା ଭାରତୀୟ ଛାତ୍ରଛାତ୍ରୀମାନେ ସିଙ୍ଗାପୁର କମ୍ପାନୀରେ ବ୍ୟବହାରିକ ଅଭିଜ୍ଞତା ହାସଲ କରିପାରିବେ। ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତରେ ସିଙ୍ଗାପୁର ସ୍କୁଲ ଏବଂ ସିଙ୍ଗାପୁରରେ ଭାରତର ସ୍କୁଲ ଖୋଲିବାର ସମ୍ଭାବନା ଉପରେ ଆଲୋଚନା ହୋଇଥିଲା। ଡିପଟେକ୍, ମେଡିସିନ, ଅତ୍ୟାଧୁନିକ ସାମଗ୍ରୀ ଇତ୍ୟାଦି ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ମିଳିତ ଗବେଷଣା ସହଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଉଭୟ ଦେଶର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଏକାଡେମିକ ଏବଂ ଗବେଷଣା ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ ପାଠ୍ୟକ୍ରମ ବିକାଶ, ଶିକ୍ଷାଦାନ ଏବଂ ଶିକ୍ଷକ ଦକ୍ଷତା ବୃଦ୍ଧି ଭଳି କ୍ଷେତ୍ରରେ ସିଙ୍ଗାପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ ଏବଂ ଏନସିଇଆରଟି ମଧ୍ୟରେ ସହଯୋଗର ସୁଯୋଗ ଉପରେ ଆଲୋକପାତ କରିଥିଲେ। ସିଙ୍ଗାପୁର ଶିକ୍ଷା ମନ୍ତ୍ରୀ ଚାନଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିବା ସହ ଶ୍ରୀ ପ୍ରଧାନ ଦୁଇ ଦେଶ ମଧ୍ୟରେ ଥିବା ଉଭୟ ପକ୍ଷର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଏବଂ ଶିକ୍ଷାଗତ ସମ୍ପର୍କ ବୃଦ୍ଧି ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ଏହାବ୍ୟତିତ ଶ୍ରୀ ପ୍ରଧାନ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟି ଭାରତ-ସିଙ୍ଗାପୁର ଜ୍ଞାନ ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ। ଉଭୟ ନେତା ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଏବଂ ମିଳିତ ଉଦ୍ଦେଶ୍ୟ ହାସଲ ପାଇଁ କାର୍ଯ୍ୟ କରିବା  ଉପରେ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ପ୍ରଧାନ ସିଙ୍ଗାପୁର ନ୍ୟାସନାଲ ୟୁନିଭର୍ସିଟି ପରିଦର୍ଶନ କରିବା ସହ ବିଶ୍ୱବିଦ୍ୟାଳୟର ପ୍ରେସିଡେଣ୍ଟ୍ ପ୍ରଫେସର ଟାନ୍ ଇଙ୍ଗ୍ ଚି ଙ୍କୁ ଭେଟିଥିଲେ। ଜ୍ଞାନ, ଶୈକ୍ଷିକ ଏବଂ ଗବେଷଣା ସହଯୋଗକୁ ସୁଦୃଢ଼ କରିବା ଏବଂ ଏନୟୁଏସ ଏବଂ ସମସ୍ତ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଯୋଗାଯୋଗକୁ ବଢାଇବା ଉପରେ ଆଲୋଚନା କରିଥିଲେ। ଷ୍ଟାର୍ଟଅପ୍, ସ୍ୱାସ୍ଥ୍ୟସେବା, ଅତ୍ୟାଧୁନିକ ସାମଗ୍ରୀ, ଡିଜିଟାଲାଇଜେସନ୍ ଏବଂ ସ୍ଥାୟୀତା ଆଦି କ୍ଷେତ୍ରରେ ମୂଲ୍ୟ ସୃଷ୍ଟି କରିବା ପାଇଁ ଏନୟୁଏସ୍ ଏବଂ ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନ ମିଳିତ ଉଦ୍ୟମରେ ସହଯୋଗ କରିପାରିବେ ବୋଲି ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ‘ଭବିଷ୍ୟତର ବିଦ୍ୟାଳୟ’ ନିର୍ମାଣ ଦିଗରେ ଜାଣିବା ପାଇଁ ହ୍ୱା ଚୋଙ୍ଗ୍ ଇଣ୍ଟରନ୍ୟାସନାଲ ସ୍କୁଲ ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଅଭିଜ୍ଞତା ବୃଦ୍ଧି, ଶିକ୍ଷଣ ଫଳାଫଳକୁ ସୁଦୃଢ଼ କରିବା ତଥା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଶକ୍ତି, ପ୍ରତିଭା ଏବଂ ସୃଜନଶୀଳ କାର୍ଯ୍ୟକୁ ଆକୃଷ୍ଟ କରିବା ପାଇଁ ଏଆଇ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଉପରେ ବିଦ୍ୟାଳୟଗୁଡ଼ିକ ଗୁଡିକ ଗୁରୁତ୍ୱ ଦେଉଥିବା ବେଳେ ଏହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁରରେ ପ୍ରବାସୀ ଭାରତୀୟଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷା କ୍ଷେତ୍ରରେ ସମ୍ପର୍କକୁ ମଜଭୂତ୍ କରିବା ପାଇଁ ୭ ଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରରେ ରହୁଥିବା ଭାରତୀୟ ସମୁଦାୟଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି।

ପ୍ରବାସୀ ଭାରତୀୟ ମାନଙ୍କ ଆତିଥେୟତାକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଦେଶରେ ଭାରତୀୟଙ୍କ ଗହଣରେ ରହିବା ଏବଂ ସେମାନଙ୍କ ସହ ଭୋଜନରେ ସାମିଲ ହେବା ମୋ ପାଇଁ ଖୁସିର ବିଷୟ। ସିଙ୍ଗାପୁର- ଭାରତ ଭାଗିଦାରୀକୁ ଅଧିକ ମଜଭୂତ୍ କରିବାରେ ଆମର ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ସେମାନେ ବାହାରେ ରହି ମଧ୍ୟ ଭାରତର ସଂସ୍କୃତିକୁ ପାଳନ କରୁଛନ୍ତି । ସିଙ୍ଗାପୁରର ପ୍ରଗତିରେ ତାଙ୍କର ଯୋଗଦାନ ଅନେକ ରହିଛି। ବର୍ତ୍ତମାନ ସମୟରେ ପୁଞ୍ଜିନିବେଶ ଏବଂ ସୁଯୋଗ ପାଇଁ ଭାରତ ହେଉଛି ବିଶ୍ୱର ସବୁଠୁ ଆକର୍ଷଣୀୟ ସ୍ଥାନ । ପ୍ରବାସୀମାନେ ଭାରତରେ ଥିବା ନିଜର ଆତ୍ମୀୟ ଏବଂ ସଂସ୍କୃତି ସହିତ ସବୁବେଳେ ଯୋଡ଼ି ହୋଇ ରହିବା ସହ ଭାରତର ଅଭିବୃଦ୍ଧି ଯାତ୍ରାରେ ଯୋଗଦାନ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଭାରତ ଓ ସିଙ୍ଗାପୁରକୁ ଗର୍ବିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ସିଙ୍ଗାପୁରରେ ପ୍ରବାସୀଙ୍କ ସହ ଆଲୋଚନା କାଳରେ ଭାରତର ଯୁବକମାନଙ୍କୁ ଦକ୍ଷ କରିବାରେ ଜାତୀୟ ଶିକ୍ଷା ନୀତି – ୨୦୨୦ର ଭୂମିକା ଏବଂ ଭାରତରେ ଶିକ୍ଷାର ବ୍ୟାପକତା ଉପରେ ଆଲୋକପାତ କରିଥିଲେ ଶିକ୍ଷା ମନ୍ତ୍ରୀ । ଭାରତ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଲକ୍ଷ୍ୟ ନେଇ କାମ କରିବା ତଥା ଏହା ଦ୍ୱାରା ହେବାକୁ ଥିବା ବିକାଶ ଉପରେ ଚର୍ଚ୍ଚା କରିଥିଲେ । ସେହିପରି ୨୦୭୦ ସୁଦ୍ଧା ନେଟ୍ ଜିରୋ ଆଡକୁ ଅଗ୍ରସର ହେବା ଏବଂ ବିଶ୍ୱ ସବୁଜ ଉର୍ଜା ମଡେଲକୁ ଆକାର ଦେବା ପାଇଁ ପ୍ରବାସୀଙ୍କ ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତର ଐତିହ୍ୟ ସହ ଜଡ଼ିତ ବିଷୟ ସହ ଯୋଡି ହୋଇ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ଶ୍ରୀ ପ୍ରଧାନ ପ୍ରବାସୀଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ସିଙ୍ଗାପୁର ଗସ୍ତ କାଳରେ ଶ୍ରୀ ପ୍ରଧାନ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍, ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗ୍, ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ଜାତୀୟ ଖବର

ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷାଗତ ସମ୍ପର୍କକୁ ମଜବୁତ କରିବା ଲାଗି ୭ଦିନିଆ ଗସ୍ତରେ ଗଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୨୦ରୁ ୨୬ ପର୍ଯ୍ୟନ୍ତ ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ। ଏହି ଗସ୍ତ ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ହିତର ପ୍ରମୁଖ କ୍ଷେତ୍ରରେ ସହଯୋଗ, ଭାଗିଦାରୀ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।

ଦୁଇ ଦିନିଆ ସିଙ୍ଗାପୁର ଗସ୍ତ ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରବାସୀ ଭାରତୀୟ ସମୁଦାୟର ଲୋକମାନଙ୍କୁ ସମ୍ବୋଧିତ କରିବେ। ପରଦିନ ଧର୍ମେନ୍ଦ୍ର ପ୍ରଧାନ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମହାମହିମ ଲରେନ୍ସ ୱାଙ୍ଗ; ଉପପ୍ରଧାନମନ୍ତ୍ରୀ ମହାମହିମ ଗାନ୍ କିମ୍ ୟୋଙ୍ଗ, ଶିକ୍ଷା ମନ୍ତ୍ରୀ ଏଚ୍ ଇ ଚାନ୍ ଚୁନ୍ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଏଚ୍ ଇ ଭିଭିଆନ୍ ବାଲକ୍ରିଷ୍ଣନ୍ ଏହି ବୈଠକରେ ଯୋଗଦେବେ। ଶ୍ରୀ ପ୍ରଧାନ ସିଙ୍ଗାପୁରର ନେସନାଲ ୟୁନିଭର୍ସିଟି ପରିଦର୍ଶନ କରିବେ ଯାହା ଏସିଆରେ ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି। ସେ ଏକ ସ୍ଥାନୀୟ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି କୃତ୍ରିମ ବୁଦ୍ଧିମତା ଉପରେ ଗୁରୁତ୍ୱ ଦେଇ  ପାଠ୍ୟକ୍ରମ ଏକୀକରଣର ପରିସର ବିଷୟରେ ଆଲୋଚନା କରିବେ। ସେ ଶିକ୍ଷାବିତ୍, ଆଇଆଇଟି ଓ ଆଇଆଇଏମର ପୂର୍ବତନ ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ଭେଟି ଦୁଇ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବେ।

ତିନି ଦିନିଆ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ଆସନ୍ତା ଅକ୍ଟୋବର ୨୩ ତାରିଖରେ ମେଲବର୍ଣ୍ଣ ଠାରେ ସାଂସଦ ତଥା ଶିକ୍ଷା ମନ୍ତ୍ରୀ ମାନ୍ୟବର ଜେସନ କ୍ଲେୟାରଙ୍କୁ ଭେଟିବେ। ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀରେ ଶ୍ରୀ ପ୍ରଧାନ ପୂର୍ଣ୍ଣାଙ୍ଗ ଅଭିଭାଷଣ ରଖିବେ। ଶିକ୍ଷା କ୍ଷେତ୍ରରେ ସମନ୍ୱିତ ଆଭିମୁଖ୍ୟ ପାଇଁ ଜଣାଶୁଣା ସାଉଥ୍ ମେଲବର୍ଣ୍ଣ ପ୍ରାଇମେରୀ ସ୍କୁଲ୍‌ ପରିଦର୍ଶନ କରିବେ।

ସେ ଆରଏମଆଇଟି ବିଶ୍ୱବିଦ୍ୟାଳୟର ‘ଡିସ୍କଭରୀ ଟୁ ଡିଭାଇସ୍’ ପରିଦର୍ଶନ କରିବେ, ଯାହା ମେଡଟେକ୍ ପ୍ରୋଟୋଟାଇପିଂ ଏବଂ ଉତ୍ପାଦନ ପାଇଁ ଏକ ଅନନ୍ୟ କେନ୍ଦ୍ର ଅଟେ । ଏହି ଗସ୍ତ ଚିକିତ୍ସା ଜ୍ଞାନକୌଶଳର ବ୍ୟବସାୟୀକରଣ ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ଲାଗି ଶିଳ୍ପ-ଶିକ୍ଷାଗତ ସମ୍ପର୍କର ଭୂମିକା ପାଇଁ ସହଯୋଗୀ ଆଭିମୁଖ୍ୟ ସମ୍ପର୍କରେ ନୂଆ ସୂଚନା ମିଳିପାରିବ।

ଶ୍ରୀ ପ୍ରଧାନ ସାଂସଦ ଓ ଭିକ୍ଟୋରିଆର ପ୍ରିମିୟର ମାନ୍ୟବର ଜ୍ୟେକିଣ୍ଟା ଏଲନ୍‌ ତଥା ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ତଥା ସାଂସଦ ମାନନୀୟ ଜେସନ୍‌ କ୍ଲେୟରଙ୍କୁ ମଧ୍ୟ ସାକ୍ଷାତ କରିବେ। ସେ ମୋନାଶ ବିଶ୍ୱବିଦ୍ୟାଳୟର ଇନୋଭେସନ ଲ୍ୟାବ୍ ଏବଂ ନାନୋ ଫେବ୍ରିକେସନ୍ ସେଣ୍ଟର ପରିଦର୍ଶନ କରିବେ। ମେଲବର୍ଣ୍ଣ ଗସ୍ତ କାଳରେ ଶ୍ରୀ ପ୍ରଧାନ ଭାରତୀୟ ବଂଶୋଦ୍ଭବ ବରିଷ୍ଠ ଶିକ୍ଷାବିତଙ୍କ ସହ ଆଲୋଚନା କରିବେ।

ଶ୍ରୀ ପ୍ରଧାନ ୨୪ ଅକ୍ଟୋବର ୨୦୨୪ରେ ସିଡନୀର ଅବର୍ଣ୍ଣ ଲଙ୍ଗ ଡେ ଚାଇଲ୍ଡ କେୟାର ସେଣ୍ଟର ପରିଦର୍ଶନ କରି ପ୍ରାରମ୍ଭିକ ଶିଶୁ ଶିକ୍ଷା କର୍ମଚାରୀଙ୍କୁ ଶିକ୍ଷିତ କରିବାରେ ଭାଗିଦାରୀ ସୁଯୋଗ ଖୋଜିବେ। ସେ ଇନୋଭେଟିଭ୍ ରିସର୍ଚ୍ଚ ୟୁନିଭର୍ସିଟି (ଆଇଆରୟୁ)ର ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ଦ୍ୱିତୀୟ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଓ ଦକ୍ଷତା ପରିଷଦରେ ଅଂଶଗ୍ରହଣ କରିବେ।

୨୫ ଅକ୍ଟୋବର ୨୦୨୪ରେ ସେମାନେ ଗ୍ରାନଭିଲ୍ ସାଉଥ କ୍ରିଏଟିଭ୍ ଆଣ୍ଡ ପର୍ଫର୍ମିଂ ଆର୍ଟସ ହାଇସ୍କୁଲ ପରିଦର୍ଶନ କରିବେ। ଶ୍ରୀ ପ୍ରଧାନ ମାକ୍ୱାରି ପାର୍କ ଇନୋଭେସନ୍ ଡିଷ୍ଟ୍ରିକ୍ଟ (ଏମପିଆଇଡି)ର ସ୍ଥାନ ପରିଦର୍ଶନ କରିବେ। ୧୮୦ରୁ ଅଧିକ ବହୁରାଷ୍ଟ୍ରୀୟ କମ୍ପାନୀ ରହୁଥିବାରୁ ଏମପିଆଇଡି ଆର୍ଥିକ ଫାଇଦା ପାଇଁ ଦୂରସଞ୍ଚାର, ଡିଜିଟାଲ୍ ଶିଳ୍ପ, ଚିକିତ୍ସା ପ୍ରଯୁକ୍ତି ବିଦ୍ୟା ଏବଂ ଔଷଧ କ୍ଷେତ୍ରରେ ଗବେଷଣାର ବ୍ୟବହାରିକ ପ୍ରୟୋଗକୁ ସୁଗମ କରିଥାଏ।

ଏହାପରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ଅନ୍ୟତମ ଗବେଷଣା ଭିତ୍ତିକ ବିଶ୍ୱବିଦ୍ୟାଳୟ ଗ୍ରୁପ୍ ଅଫ୍ ୮ ଦ୍ୱାରା ଆୟୋଜିତ ଭାରତୀୟ ଗବେଷକ ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରିବେ।

ଶ୍ରୀ ପ୍ରଧାନ ଟାୟାର ଏନର୍ଜି ଟେକ୍ନୋଲୋଜି ବିଲ୍ଡିଂ, କେନସିଂଟନସ୍ଥିତ ୟୁଏନଏସଡବ୍ଲ୍ୟୁ ଏନର୍ଜି ଇନଷ୍ଟିଚ୍ୟୁଟ ଏବଂ ଟ୍ରେଲବ୍ଲେଜର ଫର ରିସାଇକ୍ଲିଂ ଆଣ୍ଡ କ୍ଲିନ୍ ଏନର୍ଜି (ଟ୍ରେସ) ପରିଦର୍ଶନ କରିବେ। ଏଠାରେ ସେ ୟୁଏନ୍ଏସଡବ୍ଲ୍ୟୁ ଏନର୍ଜି ଇନଷ୍ଟିଚ୍ୟୁଟ୍ ମାଧ୍ୟମରେ ବାଣିଜ୍ୟିକ ପ୍ରଭାବ ସହିତ ବ୍ୟବହାରିକ ଗବେଷଣା ପ୍ରୟୋଗର ବାସ୍ତବ ଦୁନିଆର ଉଦାହରଣ ଦେଖିବେ, ଯାହା ବିଶ୍ୱର ଅଗ୍ରଣୀ ଗବେଷକ ଏବଂ ଶକ୍ତି ଶିଳ୍ପକୁ ଏକତ୍ରିତ କରିଥାଏ।

ଶ୍ରୀ ପ୍ରଧାନ ୟୁଟିଏସ୍ ମୁରେ ପାର୍କ ସ୍ପୋର୍ଟସ୍ ଆଣ୍ଡ୍ ଏକ୍ସରସାଇଜ୍‌ ପ୍ରେସିଙ୍କଟ୍‌ ପରିଦର୍ଶନ କରି କ୍ରୀଡ଼ା ଶିକ୍ଷା ଓ କ୍ରୀଡ଼ା ଗବେଷଣା କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟା କରିବେ। ୟୁଟିଏସ୍ ର ମୁରେ ପାର୍କ ପ୍ରେସିଙ୍କଟ୍‌ ହେଉଛି ଏକ ଅତ୍ୟାଧୁନିକ ଶିକ୍ଷାଦାନ, ଗବେଷଣା ଏବଂ କ୍ରୀଡ଼ା ସୁବିଧା।

Categories
ଜାତୀୟ ଖବର ବିଶେଷ ଖବର

ନୂତନ ଶ୍ରେଣୀଭୁକ୍ତ ଶାସ୍ତ୍ରୀୟ ଭାଷାର ଭାଷାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ମଞ୍ଜୁର କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଏହି ସବୁ ଭାଷାର ଭାଷାବିତମାନଙ୍କୁ ଭେଟି ସାକ୍ଷାତ୍ ଆଲୋଚନା କରିଛନ୍ତି।

ଏହି ଭାରତୀୟ ଭାଷା ଗୁଡ଼ିକୁ ଶାସ୍ତ୍ରୀୟ ଭାଷା ତାଲିକାରେ ଅନ୍ତର୍ଭୁକ୍ତ କରିଥିବାରୁ ଭାଷାବିତମାନେ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସବୁ ଭାଷାକୁ ପ୍ରୋତ୍ସାହିତ ଓ ସୁସମୃଦ୍ଧ କରିବା ଦିଗରେ ସମସ୍ତେ ନିଜର ସମର୍ଥନ ଜଣାଇଛନ୍ତି। ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ଭାଷା ଗୁଡିକ ହେଉଛି ‘ଭାରତୀୟତା’ର ପ୍ରାଣ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ସବୁ ଭାରତୀୟ ଭାଷା ବା ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରୁଛନ୍ତି । ଜାତୀୟ ଶିକ୍ଷା ନୀତିର କଳ୍ପନା ଅନୁସାରେ ଆମର ଭାଷାଗତ ଐତିହ୍ୟକୁ ସମ୍ମାନ ଜଣାଇବା ସହ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି। ମାତୃଭାଷା ଶିକ୍ଷାକୁ ସୁଗମ କରିବା, ସମସ୍ତ ଭାରତୀୟ ଭାଷା ଉପରେ ସମାନ ଗୁରୁତ୍ୱ ଦେବା ସହିତ ବହୁଭାଷାଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ଭାରତ ସରକାର ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମlଲlୟାଲମ୍‌ ଓ ଓଡ଼ିଆ ଭାଷାଗୁଡିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇସାରିଛନ୍ତି । ଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସଂସ୍କୃତ ଭାଷାର ପ୍ରଚାର ପାଇଁ ସଂସଦର ଏକ ଅଧିନିୟମ ମାଧ୍ୟମରେ ୨୦୨୦ରେ ତିନୋଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି।

ପ୍ରାଚୀନ ତାମିଲ ଗ୍ରନ୍ଥଗୁଡିକର ଅନୁବାଦକୁ ସୁଗମ କରିବା ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ତାମିଲର ଭାଷା ଛାତ୍ରମାନଙ୍କ ପାଇଁ ପାଠ୍ୟକ୍ରମ ପ୍ରଦାନ କରିବାକୁ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନ ପ୍ରତିଷ୍ଠା କରାଯାଇଥିଲା। ଶାସ୍ତ୍ରୀୟ ଭାଷାର ଅଧ୍ୟୟନ ଏବଂ ସଂରକ୍ଷଣକୁ ଆହୁରି ବଢ଼ାଇବା ପାଇଁ ମହୀଶୁରରେ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍ ଅଧିନରେ ଶାସ୍ତ୍ରୀୟ କନ୍ନଡ, ତେଲୁଗୁ, ମାଲାୟାଲମ୍ ଏବଂ ଓଡିଆରେ ଅଧ୍ୟୟନ ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

ଏହି ପଦକ୍ଷେପଗୁଡିକ ସହିତ, ଶାସ୍ତ୍ରୀୟ ଭାଷା କ୍ଷେତ୍ରରେ ଉପଲବ୍ଧତାକୁ ମାନ୍ୟତା ଦେବା ସହ ପ୍ରୋତ୍ସାହିତ କରିବା ପାଇଁ ଅନେକ ଜାତୀୟ ଏବଂ ଅର୍ନ୍ତଜାତୀୟ ପୁରସ୍କାର ମଧ୍ୟ ଆରମ୍ଭ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଉତ୍କର୍ଷ କେନ୍ଦ୍ର ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବା, କୃଷି ଓ ସହରରେ ଥିବା ପ୍ରମୁଖ ସମସ୍ୟାର ସମାଧାନ ବାହାର କରିବା ପାଇଁ ଏଆଇ ଟେକ୍ନୋଲୋଜିକୁ ବିକଶିତ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର କ୍ଷେତ୍ରକୁ ବିଶେଷ ଦୃଷ୍ଟିରେ ରଖି ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି ।

ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ରେ ଥିବା ୩ଟି ଉତ୍କର୍ଷ କେନ୍ଦ୍ର ବିଶ୍ୱର ଜନକଲ୍ୟାଣକାରୀ ମନ୍ଦିର ଭାବେ ଉଭା ହେବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ୱ ଆଇଆଇଟି ଦିଲ୍ଲୀ ଏବଂ ଏମ୍ସ ଦିଲ୍ଲୀ ନେବ।

କୃଷି କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ୱ ଆଇଆଇଟି ରୋପାର ନେବ ଏବଂ ଆଇଆଇଟି କାନପୁର ସ୍ଥାୟୀ ସହର(ସଷ୍ଟେନେବଲ ସିଟି) କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରକୁ ପରିଚାଳିତ କରିବ। ବିଶ୍ୱ ଏଆଇ ଦୃଶ୍ୟପଟ୍ଟରେ ଭାରତର ପରିଚୟକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଗାମୀ ଦିନରେ ଏହି ଉତ୍କର୍ଷ କେନ୍ଦ୍ର ଗୁଡିକ ବିଶ୍ୱର ସାର୍ବଜନୀନ ନୀତିର ଏକ ପ୍ରମୁଖ ଉପାଦାନ ହେବ ଏବଂ ବିଶ୍ୱର ସମାଧାନ ପ୍ରଦାନକାରୀ ରାଷ୍ଟ୍ର ଭାବରେ ଉଭା ହେବ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ତିନୋଟି ଉତ୍କର୍ଷ କେନ୍ଦ୍ରକୁ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଷ୍ଟାର୍ଟଅପମାନେ ନେତୃତ୍ୱ ପ୍ରଦାନ କରିବେ। ସେମାନେ ଆନ୍ତଃବିଭାଗୀୟ ଗବେଷଣା କରିବା ସହ ଅତ୍ୟାଧୁନିକ ଆପ୍ଲିକେସନ୍ ବିକଶିତ କରିବେ ଏବଂ ଏହି ତିନୋଟି କ୍ଷେତ୍ରରେ ସମସ୍ୟାର ସମାଧାନ ବାହାର କରିବେ।

ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ପ୍ରଭାବଶାଳୀ ଏଆଇ ଇକୋସିଷ୍ଟମକୁ ବିକଶିତ କରିବା ଏବଂ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୁଣାତ୍ମକ ମାନବ ସମ୍ବଳକୁ ପ୍ରସ୍ତୁତ କରିବା। ଏଆଇର ୩ଟି ଉତ୍କର୍ଷ କେନ୍ଦ୍ର ‘ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର’ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବା ସହ ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବ ଏବଂ ସହରାଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିବା ପାଇଁ ଏଆଇ ଉଦ୍ଭାବନ ଏବଂ ଗବେଷଣାକୁ ଗଣତାନ୍ତ୍ରିକ କରିବ। ଆମର ଅଗ୍ରଣୀ ଶିକ୍ଷାନୁଷ୍ଠାନର ନେତୃତ୍ୱରେ ଏହି ଉତ୍କର୍ଷ କେନ୍ଦ୍ର ଗୁଡ଼ିକ ଭାରତର ଏଆଇ ସାମର୍ଥ୍ୟକୁ ସୁଦୃଢ଼ କରିବ ଏବଂ ଭାରତର ଏଆଇ ଇକୋସିଷ୍ଟମର ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରିବ ।

୨୦୨୩-୨୪ କେନ୍ଦ୍ର ବଜେଟରେ “ଭାରତରେ ଏଆଇ ତିଆରି କରିବା ଏବଂ ଭାରତ ପାଇଁ ଏଆଇ କାର‌୍ୟ୍ୟ କରିବା” ଲକ୍ଷ୍ୟର ଏକ ଅଂଶ ଭାବରେ ଏହି କେନ୍ଦ୍ର ଗୁଡ଼ିକ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୯୯୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ତିଆରି ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ପଦକ୍ଷେପର କାର‌୍ୟ୍ୟକାରିତା ତଥା ତଦାରଖ କରିବା ପାଇଁ ଜୋହୋ କର୍ପୋରେସନର ପ୍ରତିଷ୍ଠାତା ତଥା ସିଇଓ ଡ. ଶ୍ରୀଧର ଭେମ୍ବୁଙ୍କ ଅଧ୍ୟକ୍ଷତାରେ ଏକ ସର୍ବୋଚ୍ଚ କମିଟି ଗଠନ କରାଯାଇଛି।

ଶୀର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଆଇ ଉତ୍କର୍ଷ କେନ୍ଦ୍ରକୁ କାର‌୍ୟ୍ୟକାରୀ କରିବା ଦିଗରେ ଡ. ଶ୍ରୀଧର ଭେମ୍ବୁଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ କମିଟିକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।ଏଥିସହିତ ଭାରତକୁ ଏଆଇର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ମାର୍ଗଦର୍ଶନ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି, ଏଆଇରେ ଏହି ୩ଟି ଉତ୍କର୍ଷ କେନ୍ଦ୍ର ଆମ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଅଧିକ ପ୍ରୋତ୍ସାହନ ଦେବ। ଏକ ଆଧୁନିକ ଯୁଗର ନିଯୁକ୍ତି ଏବଂ ଓ୍ୱେଲଥ୍ କ୍ରିଏସନ ସୃଷ୍ଟି କରିବା ଦିଗରେ ସହାୟକ ହେବ ଏବଂ ବିଶ୍ୱ ଜନହିତକର ନୂତନ ମାନଦଣ୍ଡ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ଏହି କାର‌୍ୟ୍ୟକ୍ରମରେ ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ସଚିବ, ସର୍ବୋଚ୍ଚ କମିଟିର କୋ-ଚେୟାର, ଡ. ଶ୍ରୀଧର ଭେମ୍ବୁ, ନ୍ୟାସନାଲ ଏଜ୍ୟୁକେସନାଲ ଟେକ୍ନୋଲୋଜି ଫୋରମର ଚେୟାରମ୍ୟାନ, ଆଇଆଇଟିର ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷାନୁଷ୍ଠାନର ମୁଖ୍ୟ, ଶିଳ୍ପନେତା, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

୩ଟି ‘ଏଆଇ ଉତ୍କର୍ଷ କେନ୍ଦ୍ର’ ଘୋଷଣା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୧୫ ତାରିଖରେ ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ଘୋଷଣା କରିବେ।

‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ତିନୋଟି ଉତ୍କର୍ଷ କେନ୍ଦ୍ରକୁ ଶୀର୍ଷ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଷ୍ଟାର୍ଟଅପ୍ ମାନେ ନେତୃତ୍ୱ ପ୍ରଦାନ କରିବେ। ସେମାନେ ଆନ୍ତଃବିଭାଗୀୟ ଗବେଷଣା କରିବେ, ଅତ୍ୟାଧୁନିକ ଆପ୍ଲିକେସନ୍ ବିକଶିତ କରିବେ ଏବଂ ଏହି ତିନୋଟି କ୍ଷେତ୍ରରେ ଅଧିକ ସମାଧାନ ସୃଷ୍ଟି କରିବେ।

ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ପ୍ରଭାବଶାଳୀ ଏଆଇ ଇକୋସିଷ୍ଟମକୁ ବିକଶିତ କରିବା ଏବଂ ଏହିସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୁଣାତ୍ମକ ମାନବ ସମ୍ବଳକୁ ପ୍ରସ୍ତୁତ କରିବା।

୨୦୨୩-୨୪ ବଜେଟ୍ ଘୋଷଣାର ପାରା ୬୦ ଅଧୀନରେ “ଭାରତରେ ଏଆଇ ତିଆରି କରିବା ଏବଂ ଭାରତ ପାଇଁ ଏଆଇ କାର୍ଯ୍ୟ କରିବା ଲକ୍ଷ୍ୟର ଏକ ଅଂଶ ଭାବରେ ଏହି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଥିଲା।

ଏହାକୁ ଦୃଷ୍ଟିରେ ରଖି ସରକାର ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୯୯୦.୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ଗଠନ କୁ ମଞ୍ଜୁରୀ ଦେଇଛନ୍ତି।

ଏହି ପଦକ୍ଷେପର କାର‌୍ୟ୍ୟକାରିତା ତଦାରଖ କରିବା ପାଇଁ ଜୋହୋ କର୍ପୋରେସନର ପ୍ରତିଷ୍ଠାତା ତଥା ସିଇଓ ଡ. ଶ୍ରୀଧର ଭେମ୍ବୁଙ୍କ ଅଧ୍ୟକ୍ଷତାରେ ଏକ ଶୀର୍ଷ କମିଟି ଗଠନ କରାଯାଇଛି।

ଏହି ଅବସରରେ ସଚିବ ଶ୍ରୀ କେ.ସଞ୍ଜୟ ମୂର୍ତ୍ତିଙ୍କ ସମେତ ଆଇଆଇଟିର ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷାନୁଷ୍ଠାନର ମୁଖ୍ୟ (ଏଚ୍ଇଆଇ), ଶିଳ୍ପନେତା, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର

ଆମାଜନ୍‌ରେ ମିଳିବ ଅସଲି ଏନସିଇଆରଟି ପାଠ୍ୟପୁସ୍ତକ: ବୁଝାମଣାପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ଏନସିଇଆରଟି ଏବଂ ଆମାଜନ ସେଲର୍ସ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ସହଭାଗିତା ବୁଝାମଣାପତ୍ର ବା ଲେଟର ଅଫ୍ ଏନଗେଜମେଣ୍ଟ (ଏଲ୍ଓଇ) ସ୍ୱାକ୍ଷରିତ ହୋଇଛି। ଏହା ହେଉଛି ପ୍ରଥମ ଚୁକ୍ତି, ଯାହା ଏକ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମରେ ମୁଦ୍ରିତ ମୂଲ୍ୟରେ ଅସଲି ଏନସିଇଆରଟି ପାଠ୍ୟପୁସ୍ତକର ଉପଲବ୍ଧତା ସୁନିଶ୍ଚିତ କରିବ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏଲ୍‌ଇଏଲ୍) ସଚିବ ସଞ୍ଜୟ କୁମାର; ଯୁଗ୍ମ ସଚିବ ପ୍ରାଚୀ ପାଣ୍ଡେ; ଏନସିଇଆରଟିର ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ ସାକଲାନୀ; ଆମାଜନର ଉପାଧ୍ୟକ୍ଷ ସୌରଭ ଶ୍ରୀବାସ୍ତବ; ଆମାଜନର ପବ୍ଲିକ ପଲିସି ନିର୍ଦ୍ଦେଶକ ଅମନ ଜୈନଙ୍କ ସମେତ ପ୍ରମୁଖ ବ୍ୟକ୍ତିବିଶେଷ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଜିର ପଦକ୍ଷେପ ଶିକ୍ଷାକୁ ସମାବେଶୀ, ସର୍ବସ୍ପର୍ଶୀ ଓ ସୁଲଭ କରିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ର ଲକ୍ଷ୍ୟକୁ ସୁଦୃଢ଼ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ସମଗ୍ର ଦେଶରେ ଡିଜିଟାଲ ପ୍ରସାର ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ସରକାରଙ୍କ ‘ସହଜ ଜୀବନଯାପନ’ ଲକ୍ଷ୍ୟକୁ ମଧ୍ୟ ସମର୍ଥନ କରିବ ବୋଲି ସେ କହିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ ଏନସିଇଆରଟି ୧୯୬୩ ମସିହାରୁ ପ୍ରାୟ ୨୨୦ କୋଟି ପୁସ୍ତକ ଓ ପତ୍ରିକା ସହିତ ପାଠ୍ୟପୁସ୍ତକ ପ୍ରକାଶ କରି ଭାରତର ଶିକ୍ଷା କ୍ଷେତ୍ରକୁ ଆକାର ଦେଉଛି। ଏନସିଇଆରଟି ଦେଶ ପାଇଁ ଏକ ପ୍ରମୁଖ ଥିଙ୍କଟ୍ୟାଙ୍କ ବୋଲି ସେ ଜୋର୍‌ ଦେଇ କହିଥିଲେ। ଏହାବ୍ୟତୀତ ଦେଶବ୍ୟାପୀ ପ୍ରାୟ ୨୦ ହଜାର ପିନ୍ କୋଡ୍ ରେ ଏହି ପୁସ୍ତକ ଉପଲବ୍ଧ ହେବ ବୋଲି ସେ ଘୋଷଣା କରିଥିଲେ। ଏହି ପୁସ୍ତକଗୁଡ଼ିକ ସର୍ବନିମ୍ନ ଖୁଚୁରା ମୂଲ୍ୟ (ଏମଆରପି)ରେ ଉପଲବ୍ଧ ହେବ ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ।

ଆମାଜନ ସହ ଏନସିଇଆରଟିର ଭାଗିଦାରୀକୁ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରି ଏହା ସହଜ ଜୀବନଧାରଣ ଏବଂ ଶିକ୍ଷାର ଉପଲବ୍ଧତା ବୃଦ୍ଧି ଦିଗରେ ଏକ ପଦକ୍ଷେପ ବୋଲି କହିଥିଲେ। ଆସନ୍ତା ଶିକ୍ଷାବର୍ଷ (୨୦୨୫-୨୬)ରେ ଏନସିଇଆରଟି ପୁସ୍ତକ ପ୍ରକାଶନକୁ ତିନିଗୁଣ ବୃଦ୍ଧି କରି ୧୫ କୋଟି ପୁସ୍ତକ ପ୍ରକାଶ କରିବ।

ଏକବିଂଶ ଶତାବ୍ଦୀର ପାଠ୍ୟପୁସ୍ତକ ବିକାଶ ପାଇଁ ଏନସିଇଆରଟିକୁ ଦାୟିତ୍ୱ ଦିଆଯାଇଛି ବୋଲି ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନଙ୍କୁ ସୂଚନା ଦେଇଥିଲେ।

ଅମୃତ କାଳର ୩୦୦ ନିୟୁତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷଣକୁ ଆନନ୍ଦଦାୟକ କରିବା ଉପରେ ଗୁରୁତ୍ୱାରୋପ କରି ସେ ଇଣ୍ଟରଆକ୍ଟିଭ୍ ଓ ଏଆଇ ଦ୍ୱାରା ପରିଚାଳିତ ଏବଂ କଥା କହିବାର ବୈଶିଷ୍ଟ୍ୟ ଥିବା ଇ-ପୁସ୍ତକର ବିକାଶ ପାଇଁ ଆହ୍ୱାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରି ସେ ସମସ୍ତ ୨୩ଟି ଭାଷାରେ ପୁସ୍ତକ ପ୍ରକାଶନର ମହତ୍ତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ପୁସ୍ତକ ହିଁ ଭାରତର ପ୍ରକୃତ ସଫ୍ଟ ପାୱାର ହେବ।

ଶିକ୍ଷା କ୍ଷେତ୍ରରେ ପାଠ୍ୟପୁସ୍ତକର ମହତ୍ତ୍ୱ ଉପରେ ଆଲୋକପାତ କରି ସଚିବ ଶ୍ରୀ ସଞ୍ଜୟ କୁମାର ଏହି ଅତ୍ୟାବଶ୍ୟକ ସମ୍ବଳ ପାଇଁ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଦେଶର ମୋଟ ପୁସ୍ତକ ବିକ୍ରିର ପ୍ରାୟ ୯୬ ପ୍ରତିଶତ ପାଠ୍ୟପୁସ୍ତକଗୁଡ଼ିକୁ ଆମାଜନ ଭଳି ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ କରାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସମସ୍ତ ଶ୍ରେଣୀର ଏନସିଇଆରଟି ପାଠ୍ୟପୁସ୍ତକ ଆମାଜନ ଏନସିଇଆରଟି ଷ୍ଟୋରଫ୍ରଣ୍ଟ (http://amazon.in/ncert)ରେ ଉପଲବ୍ଧ ହେବ, ଯାହା ଆଜି ମଧ୍ୟ ଉନ୍ମୋଚନ କରାଯାଇଛି। ପାଠ୍ୟପୁସ୍ତକରେ ଛପା ହୋଇଥିବା ଦରଠାରୁ ଅଧିକ ମୂଲ୍ୟରେ ପାଠ୍ୟପୁସ୍ତକ ବିକ୍ରି କରାଯିବ ନାହିଁ। ଏହି ପ୍ଲାଟଫର୍ମରେ କେବଳ ଅସଲି ଏନସିଇଆରଟି ପାଠ୍ୟପୁସ୍ତକ ବିକ୍ରି କରାଯିବ, ଯାହା ନକଲି ଏନସିଇଆରଟି ପାଠ୍ୟପୁସ୍ତକ ବିକ୍ରିକୁ ରୋକିବାରେ ସାହାଯ୍ୟ କରିବ। ଆମାଜନ ନକଲି କିମ୍ବା ଅଧିକ ମୂଲ୍ୟର ବହି ବିତରଣ କରୁଥିବା ଅନଧିକୃତ ବିକ୍ରେତାଙ୍କ ଉପରେ ନଜର ରଖିବା ଏବଂ ହଟାଇବାରେ ଏନସିଇଆରଟିକୁ ସାହାଯ୍ୟ କରିବ।

ଆମାଜନର ବିଶାଳ ଡେଲିଭରି ନେଟୱର୍କ ଜରିଆରେ ଅତି ଦୁର୍ଗମ ଅଞ୍ଚଳରେ ମଧ୍ୟ ଛାତ୍ରଛାତ୍ରୀ ଓ ସ୍କୁଲ ନିର୍ଦ୍ଧାରିତ ମୂଲ୍ୟରେ ପାଠ୍ୟପୁସ୍ତକ କିଣିପାରିବେ। ଏହା ଦ୍ୱାରା ଯୋଗାଣ ବ୍ୟବଧାନ, ବିଳମ୍ବିତ ଉପଲବ୍ଧତା ଏବଂ ପାଠ୍ୟପୁସ୍ତକର ଆଞ୍ଚଳିକ ଅଭାବ ଭଳି ସମସ୍ୟାର ସମାଧାନ ହେବ ଏବଂ ଶିକ୍ଷାର ସମାନ ଉପଲବ୍ଧତା ସୁନିଶ୍ଚିତ ହେବ।

ଏହି ବୁଝାମଣା ଦ୍ୱାରା ଏନସିଇଆରଟି ଏହାର ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଶିକ୍ଷାଗତ ସାମଗ୍ରୀର ଗୁଣବତ୍ତା ରେ ଉନ୍ନତି ଆଣିବା ପାଇଁ ଗ୍ରାହକଙ୍କ ସମୀକ୍ଷା ଏବଂ ମତାମତର ଲାଭ ଉଠାଇବାରେ ସକ୍ଷମ ହେବ। ଏହାବ୍ୟତୀତ, ଏନସିଇଆରଟି ପାଠ୍ୟପୁସ୍ତକର ଚାହିଦା ଅଧିକ ଥିବା ରାଜ୍ୟ/ଜିଲ୍ଲାରେ ଭବିଷ୍ୟତର ପ୍ରିଣ୍ଟ ଅର୍ଡର, ବିତରଣ ରଣନୀତି ଏବଂ ନୂତନ ବିତରକ ଚୟନ ସମ୍ପର୍କରେ ସଚେତନ ନିଷ୍ପତ୍ତି ନେବାକୁ ସହଜ କରିବା ପାଇଁ ଏନସିଇଆରଟିକୁ ବିକ୍ରି ଏବଂ ବ୍ୟବହାର ତଥ୍ୟ ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କ ବିଜେପି ମିଛ କହି ସରକାର କରିଥିବା ବୟାନର ଜବାବ ରଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜନୀତିରେ ଜୟ ପରାଜୟ ଲାଗି ରହେ। ଜୟରେ ବହୁତ ଉନ୍ମାଦିତ ଏବଂ ପରାଜୟରେ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ ବୋଲି ବିଜେପି ମିଛ କହି ନିର୍ବାଚନ ଜିତିବା ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ବିଜେପି ବହୁତ ଥର ହାରିଛି। ଓଡ଼ିଶାରେ କିଛି ଲୋକ ବିଜେପିକୁ ସାଇନ୍ ବୋର୍ଡ ପାର୍ଟି କହୁଥିଲେ। କିନ୍ତୁ ଏବେ ଓଡ଼ିଆ ଲୋକଙ୍କ ଆଶୀର୍ବାଦରେ ଦଳକୁ ସେବା କରିବାର ସୁଯୋଗ ମିଳିଛି। ଲୋକମାନେ ଯାହାକୁ ଯେଉଁ ଭୂମିକା ଦେଇଛନ୍ତି ତାହା ନିର୍ବାହ କରିବା ଦରକାର। ଯାହାକୁ ସେବା କରିବାର ଭୂମିକା ଦେଇଛନ୍ତି, ସେ ସେବା କରିବା ଉଚିତ୍ ଏବଂ ଯାହାକୁ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ଦାୟିତ୍ଵ ଦେଇଛନ୍ତି, ସେ ତାହାକୁ ପାଳନ କରିବା ଜରୁରୀ।

ସେହିପରି ଆଉ ଏକ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟଦା ସମ୍ପନ୍ନ କାର୍ଯ୍ୟାଳୟ। ଯେତେବେଳେ କିଛି ଲୋକଙ୍କ ମନରେ ହତାଶ ଭାବ ଆସିଯାଏ ଏବଂ ଯେଉଁମାନେ ଅଗଣତାନ୍ତ୍ରିକ ଓ ପରାଜୟକୁ ସ୍ୱୀକାର କରି ପାରୁନାହାନ୍ତି, ସେମାନେ ଏହି କଥା କହୁଛନ୍ତି। ଓଡ଼ିଆ ଲୋକଙ୍କ ନିଷ୍ପତିକୁ ମୁଣ୍ଡପାତି ସ୍ୱୀକାର କରିବା ଉଚିତ୍। ସରକାରଙ୍କ ଦୋଷ ତ୍ରୁଟିକୁ ସାମ୍ନାକୁ ଆଣିବାର ଦାୟିତ୍ୱ ଅଛି। କିନ୍ତୁ ତାଙ୍କ ହତାଶ ଭାବକୁ ରାଜଭବନ ଆଡ଼କୁ ନମୁହାଁଇଲେ ଭଲ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାନ୍ତାଳୀ ଭାଷାର ପ୍ରଚାର ଦିଗରେ ରାମଜୀତ ଟୁଡୁଙ୍କ କାର୍ଯ୍ୟ ସୃଜନଶୀଳତାର ପ୍ରତୀକ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ‘ମନ୍ କୀ ବାତ୍ କାର୍ଯ୍ୟକ୍ରମ’ର ୧୦ ବର୍ଷ ପୂର୍ତ୍ତି ହେବାର ବିଶେଷ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତୃଭାଷା, ଲିପି ଏବଂ କଥିତ ଭାଷା ଉପରେ ଚର୍ଚ୍ଚା କରିବା ସହ ଜନଜାତି ସମୁଦାୟଙ୍କ କଥିତ ଭାଷା ‘ସାନ୍ତାଳୀ’ର ପ୍ରଚାର ପ୍ରସାର କରୁଥିବା ମୟୂରଭଞ୍ଜ ଜିଲ୍ଲାର ରାମଜୀତ ଟୁଡୁଙ୍କ ବିଷୟରେ ଆଲୋଚନା କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ରାମଜୀତଙ୍କ କାର୍ଯ୍ୟ ସୃଜନଶୀଳତାର ଏକ ପ୍ରତୀକ। ସାନ୍ତାଳୀ ଭାଷାର ଲିପି ‘ଅଲ୍ ଚିକି’ରେ ମୋବାଇଲ ଟାଇପ୍ କରିବାର କୌଶଳକୁ ବିକଶିତ କରିଥିବାରୁ ରାମଜୀତଙ୍କୁ ଧନ୍ୟବାଦ । ଆଜି ତାଙ୍କ ପ୍ରୟାସରେ ସାନ୍ତାଳୀ ଭାଷାରେ ଲେଖାଯାଉଥିବା ଲେଖାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚିଛି । ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ତାଙ୍କର କାର୍ଯ୍ୟ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାନ୍ତାଳୀ ଭାଷା ସମେତ ଅନେକ ଜନଜାତି ଭାଷାରେ ବର୍ଣ୍ଣମାଳା ପୁସ୍ତକ ପ୍ରକାଶିତ ହୋଇଛି। ମାତୃଭାଷାକୁ ପ୍ରାଥମିକତା ଦେବା ଦିଗରେ ଭାରତ ସରକାରଙ୍କ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ବୌଦ୍ଧିକ କ୍ଷମତାକୁ ପରିପ୍ରକାଶ କରିବ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଅକ୍ଚୋବର ୩ରେ ମନ୍ କୀ ବାତ୍ କାର୍ଯ୍ୟକ୍ରମ ସଫଳତାପୂର୍ବକ ୧୦ ବର୍ଷ ନବରାତ୍ରୀର ପବିତ୍ର ଅବସରରେ ପୂରଣ ହେବାକୁ ଯାଉଛି। ବିଗତ ବର୍ଷମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱଚ୍ଛତା, ଜଳ ସଂରକ୍ଷଣ, ଆତ୍ମନିର୍ଭର ଭାରତ, ବେଟି ବଚାଓ-ବେଟି ପଢ଼ାଓ, ହର ଘର ତିରଙ୍ଗା ଓ ଜନସଚେତନ ଅଭିଯାନ ଏବଂ ସାମାଜିକ ପରିବର୍ତ୍ତନ ପ୍ରସଙ୍ଗ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଉଠାଇଛନ୍ତି। ‘ମନ୍ କି ବାତ୍’ କେବଳ ଏକ ରେଡିଓ କାର୍ଯ୍ୟକ୍ରମରେ ସୀମିତ ହୋଇ ରହିନାହିଁ। ପ୍ରଧାନସେବକଙ୍କୁ ଜନସାଧାରଣଙ୍କ ସହ ଯୋଡ଼ିବାର ଏକ ବଡ ମାଧ୍ୟମ ହୋଇଛି। ଆଗାମୀ ବର୍ଷମାନଙ୍କରେ ଏହି କାର୍ଯ୍ୟକ୍ରମ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେବାର ଏକ ଶକ୍ତିଶାଳୀ ଜରିଆ ହେବ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦ ବ୍ୟବହାର କରିବାକୁ ଏବଂ ଅନ୍ୟମାନଙ୍କୁ ‘ମେଡ୍ ଇନ୍ ଇଣ୍ଡିଆ’ ଅଭିଯାନ ବ୍ୟବହାର କରି ଭାରତକୁ ସମଗ୍ର ବିଶ୍ୱରେ ଉତ୍ପାଦନର ହବରେ ପରିଣତ କରିବା ଏବଂ ‘ଆତ୍ମନିର୍ଭର ଭାରତ’ର ସଂକଳ୍ପକୁ ସାକାର କରିବା ପାଇଁ ଅନୁରୋଧ କରିଛନ୍ତି। ‘ମେକ୍ ଇନ୍ ଇଣ୍ଡିଆ’ କେବଳ ଭାରତକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବ ନାହିଁ ବରଂ ଆମର ଘରୋଇ ଉତ୍ପାଦକୁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଦେଇ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବ। ‘ବିକଶିତ ଭାରତର’ ସ୍ୱପ୍ନକୁ ସାକାର କରି ଭାରତକୁ ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ କରିବା ଦିଗରେ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।