Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ଯୁବ ଦକ୍ଷତା ଦିବସରେ ‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଉପରେ ଏକ ମାଗଣା ଅନଲାଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ, ସ୍ଥାନୀୟ ଭାଷାରେ ଅନଲାଇନ୍ ଟେକ୍ନୋଲୋଜି ଶିକ୍ଷା ଦେଉଥିବା ବୈଷୟିକ ପ୍ଲାଟଫର୍ମ ଗୁଭି, ରାଷ୍ଟ୍ରୀୟ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ(ଏନସିଇଭିଟି) ଏବଂ ଆଇଆଇଟି ମାଡ୍ରାସର ମିଳିତ ଉଦ୍ୟମରେ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। ଏହି ସ୍ୱୀକୃତିପ୍ରାପ୍ତ ଅନଲାଇନ୍ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ଦକ୍ଷତା କ୍ଷେତ୍ରରେ ସଶକ୍ତ କରିବ। ଗୁଭି ଏହି କାର୍ଯ୍ୟକ୍ରମକୁ ୯ଟି ଭାରତୀୟ ଭାଷାରେ ପ୍ରସ୍ତୁତ କରିଛି। ପ୍ରଯୁକ୍ତିବିଦ୍ୟା ଶିକ୍ଷାରେ ଭାଷା ପ୍ରତିବନ୍ଧକକୁ ଦୂର କରିବା ଏବଂ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଥିବା  ଆମ ଯୁବଶକ୍ତିଙ୍କୁ ଭବିଷ୍ୟତରେ ସଶକ୍ତ କରିବା ଦିଗରେ ଏହା ଏକ ଭଲ ପଦକ୍ଷେପ। ଏହି ଅବସରରେ ଶ୍ରୀ ପ୍ରଧାନ ଗୁଭିକୁ ସମସ୍ତ ଭାରତୀୟ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାପାନ, ଜର୍ମାନ ଭଳି ପ୍ରଗତିଶୀଳ ରାଷ୍ଟ୍ର ଇଂରାଜୀ ଭାଷାରେ ସେତେ ସଶକ୍ତ ନୁହଁନ୍ତି । କିନ୍ତୁ ସେମାନେ ଏଆଇ କ୍ଷେତ୍ରରେ ବହୁତ ସୁଦୃଢ। ତେଣୁ ଇଂରାଜି ନୁହେଁ ବରଂ ନିଜ ଭାଷାରେ ହିଁ ସବୁ ଶିକ୍ଷା ଓ ଟେକ୍ନୋଲୋଜି କ୍ଷେତ୍ରରେ ପ୍ରାଥମିକତା ଦେବା ଦରକାର। ଏହାବ୍ୟତିତ ସେ କହିଛନ୍ତି ଯେ ଏଆଇ ବର୍ତ୍ତମାନ ସବୁସ୍ଥାନରେ। ଆଜି ଭାରତର ୟୁପିଆଇ ପେମେଣ୍ଟ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶରେ ଜିଏସଟି ଅଭିବୃଦ୍ଧି ଘଟୁଛି। ତେଣୁ ଦେଶ ଏହି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଧର୍ମେନ୍ଦ୍ର ହଟିବେ, ଚର୍ଚ୍ଚାରେ ଓଡିଶାର ଦୁଇ ସାଂସଦ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ କରିବେ। ଏ ନେଇ ଚର୍ଚ୍ଚା ଦୀର୍ଘଦିନ ଧରି ଚାଲିଛି। ହେଲେ ଗତ କିଛିଦିନ ଧରି ଏହି ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ବିଶେଷ କରି ଜାତୀୟ ଗଣମାଧ୍ୟମରେ ମନ୍ତ୍ରୀ ମଣ୍ଡଳରେ କିଏ ଯିବ କିଏ ଆସିବ ସେ ନେଇ ଆଲୋଚନା ଚାଲିଛି।

ସେହି ଆଲୋଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମୌସୁମୀ ଅଧିବେସନ ପୂର୍ବରୁ ଏହି ଅଦଳବଦଳ କରିବେ। ଏହାର କାରଣରେ କୁହାଯାଇଛି ଯେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେତେକ ଆଯୋଗ୍ୟ ମନ୍ତ୍ରୀଙ୍କୁ ବାହାର କରାଯିବ। ତାଙ୍କ ବଦଳରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକର ସାଂସଦଙ୍କୁ ମନ୍ତ୍ରୀ କରାଯିବ।

ତେବେ ଓଡିଶା ପ୍ରସଂଗରେ ଦେଖିବାକୁ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀ ପଦ ଚାଲିଯିବ ବୋଲି ଚର୍ଚ୍ଚା ଚାଲିଛି। ପୂର୍ବରୁ ସେ ବେଶ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ପରବର୍ତ୍ତି ସମୟରେ ସେଥିରୁ ଖସି ଶିକ୍ଷା ବିଭାଗକୁ ଆସିଲେ। ବର୍ତ୍ତମାନ ସେ ପୁରା ମନ୍ତ୍ରୀମଣ୍ଡଳରୁ ବିଦା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମୁଖ୍ୟତଃ ଧର୍ମେନ୍ଦ୍ରଙ୍କ ରାଜନୈତିକ ଗୋଟିଚାଳନାକୁ ନେଇ କେନ୍ଦ୍ର ଖୁସି ନାହିଁ। ତାଙ୍କ ଦ୍ବାରା ଓଡିଶାରେ ସଂଗଠନ ହୋଇପାରିବ ନାହିଁ ବୋଲି ରାଷ୍ଟ୍ରୀୟ ନେତୃତ୍ବ ଅନୁଭବ କରିସାରିଲେଣି।

ସେହିପରି ଓଡିଶାରୁ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କ ପରିସ୍ଥିତ ମଧ୍ୟ ଭଲ ନାହିଁ। ହେଲେ ସେ ମନ୍ତ୍ରୀ ମଣ୍ଡଳରୁ ବିଦା ନ ହୋଇ ତାଙ୍କର ଗୁରୁତ୍ବପୂର୍ଣ୍ଣ ରେଳ ବିଭାଗ ବାହାର କରିନିଆଯିବ ବୋଲି କୁହାଯାଉଛି। କାରଣ ବାହାନଗା ରେଳ ଦୁର୍ଘଟଣା ପରେ ସେ ବିବାଦୀୟ ହୋଇପଡିଛନ୍ତି। ଅନ୍ୟପକ୍ଷରେ ଅଶ୍ବିନୀଙ୍କ କାର୍ଯ୍ୟଦକ୍ଷତା ଦଳୀୟ ରାଜନୀତି ପାଇଁ କୌଣସି କାମରେ ଆସିପାରୁ ନାହିଁ। ସେଥିପାଇଁ ତାଙ୍କୁ କମ ଗୁରୁତ୍ବ ଥିବା ବିଭାଗର ମନ୍ତ୍ରୀ କରାଯିବ ବୋଲି ଅନୁମାନ କରାଯାଉଛି।

ତେବେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପଦରୁ ଯିବା ପରେ ଆଉ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏଥିରେ ଦୁଇ ଜଣଙ୍କ ନାମ ବେଶ ଚର୍ଚ୍ଚାକୁ ଆସୁଛି। ସେମାନେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ। ଏହି ଦୁଇଜଣଙ୍କ ମଧ୍ୟରୁ ଜୁଏଲଙ୍କ ନାମ ଅଧିକ ଚର୍ଚ୍ଚା ଚାଲିଛି।

ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଅର୍ଥ, ଗୃହ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ବିଭାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିସହିତ ନୂଆ ଭାବେ ପ୍ରଫୁଲ ପଟେଲ ଏବଂ ଚିରାଗ ପାଶୱାନଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହି ନୂଆ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ କେତେକ ଦଳିୟ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଟାସ୍କ ଦିଆଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ଫକୀରମୋହନ ବିଶ୍ଵବିଦ୍ୟାଳୟ ଖାଲି ଏକ  ଶିକ୍ଷାନୁଷ୍ଠାନ ନୁହେଁ, ଏହା ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ ବୋଲି ବିଶ୍ୱବିଦ୍ୟାଳୟର ୨୫ତମ ସ୍ଥାପନା ଦିବସ ସମାରୋହ ଅବସରରେ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଫକୀରମୋହନ ବିଶ୍ଵବିଦ୍ୟାଳୟର ରଜତ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ  ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓଡ଼ିଶା ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ଅନେକ ମହାମନିଷୀଙ୍କୁ ଜନ୍ମ ଦେଇ ଏହି ଜିଲ୍ଲା ଉତ୍କଳ ଜନନୀଙ୍କର ମୁଖ ଉଜ୍ଜ୍ୱଳ କରିଛି। ପୁରୀ ଗୋବର୍ଦ୍ଧନ ପୀଠର ପୂର୍ବତନ ଶଙ୍କରାଚାର୍ଯ୍ୟ, ଭାଗବତର ଆଦି-ଟିକାକାର ଶ୍ରୀଧର ସ୍ୱାମୀ, ଭକ୍ତକବି ଦୀନକୃଷ୍ଣ ଦାସ, କବିବର ରାଧାନାଥ ରାୟ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କବିଶେଖର ଚିନ୍ତାମଣି ମହାନ୍ତି, ଜାତୀୟ କବି ବାଞ୍ଚାନିଧି ମହାନ୍ତି ଏବଂ ସର୍ବୋପରି ସେହି ମହାନ କବି, ଲେଖକ, ଗାଳ୍ପିକ ଓ ପ୍ରାବନ୍ଧିକ, ଯାହାଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟ ନାମିତ ; ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

ବାଲେଶ୍ଵର ମାଟି ହେଉଛି ସାହିତ୍ୟ, ସଂସ୍କୃତି ଓ ସଂଗ୍ରାମର ମାଟି। ଆମର ଓଡ଼ିଆ ଅସ୍ମିତା ତଥା ଭାଷା ଓ ସାହିତ୍ୟ ପାଇଁ ଏ ମାଟି ବେଶ୍ ଗୁରୁତ୍ଵ ବହନ କରେ। ଏହି ଜିଲ୍ଲା ମୋ ପାଇଁ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର। ଏ ମାଟି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପବିତ୍ର ଭୂମି। ଯେତେବେଳେ ଓଡ଼ିଆ ଭାଷା ତା’ର ଅସ୍ମିତାକୁ ବଞ୍ଚାଇବା ଲାଗି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା, ସେତେବେଳେ ସେ ତାଙ୍କର ବଳିଷ୍ଠ ନେତୃତ୍ୱ ବଳରେ ଆମ ଭାଷା ଓ ସାହିତ୍ୟକୁ ରକ୍ଷା କରିଥିଲେ। ଫକୀରମୋହନ ହେଉଛନ୍ତି ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ତଥା ଆମ ଭାଷାର ତ୍ରାଣକର୍ତ୍ତା। ଫକୀରମୋହନ ଆମ ଭାଷାକୁ ବଞ୍ଚାଇ ଥିବାରୁ ତାକୁ ଆଧାର କରି ଭାଷାଭିତ୍ତିକ ରାଜ୍ୟ ଗଠନର ଦାବି ଉପସ୍ଥାପିତ କରିଥିଲେ ମଧୁବାବୁ । ପ୍ରଥମ ବାଳିକା ବିଦ୍ୟାଳୟ ବି ପ୍ରତିଷ୍ଠା କରିଥିଲେ ଫକୀରମୋହନ। ଫକୀରମୋହନ ସେନାପତି ଥିଲେ ଗାନ୍ଧୀ ଚେତନାର ଅଗ୍ରଦୂତ୍ତ। ଗାନ୍ଧିଜୀଙ୍କ ଅସହଯୋଗ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ଲେଖନୀ ଚାଳନା ମାଧ୍ୟମରେ ସତ୍ୟାଗ୍ରହର କଥା କହିଥିଲେ ଫକୀରମୋହନ।

ବିଗତ ଅଶୀ ଦଶକରେ ବାଲେଶ୍ଵରର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ରବିନ୍ଦ୍ର ମୋହନ ଦାସଙ୍କ ନେତୃତ୍ଵରେ ଏ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ଲାଗି ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ଆଜିକୁ ୨୪ ବର୍ଷ ତଳେ ଫକୀରମୋହନ ବିଶ୍ଵବିଦ୍ୟାଳୟ ରୂପରେ ସ୍ୱୀକୃତି ପାଇଥିଲା। ଏହି ପବିତ୍ର ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହିତ ସେମାନଙ୍କୁ ସୁନାଗରିକ କରି ଭବିଷ୍ୟତ ଗଠନ କରିବା ଦିଗରେ ସହଯୋଗୀ ହୋଇଛି । ଶିକ୍ଷକ- ଶିକ୍ଷୟିତ୍ରୀ ମାନଙ୍କର ଗୁଣାତ୍ମକ ଗବେଷଣା ମଧ୍ୟ ଏ ବିଶ୍ଵବିଦ୍ୟାଳୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଦେଇଛି।

ଏହି ଶିକ୍ଷାନୁଷ୍ଠାନ କେବଳ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ପାଇଁ ନୁହେଁ, ସାରା ଦେଶରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ଆକର୍ଷଣୀୟ ଅନୁଷ୍ଠାନ ହୋଇପାରିଛି। ଏହା କିଛି କମ୍ ଗୌରବର କଥା ନୁହେଁ। ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ କ୍ଷମତାର ବିକାଶ କରିବା ସହିତ ସେମାନଙ୍କର ବଳିଷ୍ଠ ବ୍ୟକ୍ତିତ୍ଵ ଗଠନ କରି ସୁନାଗରିକ ହିସାବରେ ଦେଶ-ମାତୃକା ଲାଗି ସମର୍ପିତ ହେବା ପାଇଁ ଏହି ଶିକ୍ଷାନୁଷ୍ଠାନ ନିଶ୍ଚିତ ଭାବରେ ପ୍ରେରଣା ଦେବ। ଏହା ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚଳିତ ନୂତନ ଜାତୀୟ ଶିକ୍ଷା ନୀତିର ଆହ୍ଵାନ।

ଜାତୀୟ ଶିକ୍ଷା ନୀତି ଅନେକ ବର୍ଷରୁ ଅପେକ୍ଷା ରଖାଯାଇଥିବା ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ ଐତିହାସିକ ଏବଂ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଗୁଣାତ୍ମକ ଶିକ୍ଷା, ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ, ସାମଗ୍ରିକ ଶିକ୍ଷା ଆହରଣ, ଗବେଷଣା ଏବଂ ଇନୋଭେସନକୁ ସୁଦୃଢ଼ କରିବା ତଥା ନିଯୁକ୍ତି ଓ ଉଦ୍ୟମିତା, ସାମାଜିକ ଜ୍ଞାନ ଓ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରି ଭାରତକୁ ଜ୍ଞାନର ବିଶ୍ୱ ଗୁରୁ ଭାବରେ ପରିଣତ କରିବା – ଏହି ଶିକ୍ଷା ନୀତିର ଲକ୍ଷ୍ୟ ରହିଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଆଗାମୀ ଦିନରେ ବୈଶ୍ୱିକ ନାଗରିକ ସୃଷ୍ଟି କରିବ, ଯେଉଁମାନେ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦେଶ ଏବଂ ବିଶ୍ୱର ମାନବ କଲ୍ୟାଣ ପାଇଁ କାମ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ବ୍ୟାସଦେବଙ୍କ ରଚିତ ମହାଭାରତର ଓଡ଼ିଆ ଅନୁବାଦ କରି ଫକୀର ମୋହନ ସେନାପତି ବ୍ୟାସକବିର ଆଖ୍ୟା ପାଇଥିଲେ। ଛାତ୍ରଛାତ୍ରୀମାନେ ସେହିପରି ନିଜ ନିଜ ବିଷୟରେ ପାରଦର୍ଶିତା ଲାଭ କରି ତାଙ୍କ ନାମରେ ନାମିତ ବିଶ୍ଵବିଦ୍ୟାଳୟର ଖ୍ୟାତିକୁ ଦେଶ ଓ ବିଦେଶରେ ବଢାଇବ – ଏହା ଆମ ସମସ୍ତଙ୍କର ଅଭିଳାଷ। ୨୦୩୬ରେ ଆଉ ପ୍ରାୟ ୧୩ ବର୍ଷ ପରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ରେ ଆଉ ପ୍ରାୟ ୨୪ ବର୍ଷ ପରେ ଭାରତ ସ୍ୱାଧୀନତା ପାଇବାର ୧୦୦ ବର୍ଷ ପୂରଣ କରିବ। ଏହି ଅମୃତ କାଳରେ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ବ୍ୟବହାର କରିବାକୁ ହେବ। ଏଥିପାଇଁ ବଡ ଭାବିବାକୁ ପଡିବ, ବଡ ସ୍ୱପ୍ନ ଦେଖିବାକୁ ପଡିବ। ଆପଣମାନେ ସମସ୍ତେ ଏହି କଥାକୁ ଅନୁସରଣ କରିବେ ବୋଲି ଶ୍ରୀ ପ୍ରଧାନ ବିଶ୍ୱାସବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ ଅନୁଷ୍ଠାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ(ଆଇଏଚଏସ) ପରିଦର୍ଶନ କରିବା ଅବସରରେ ଏହି ଅନୁଷ୍ଠାନକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ଘୋଷଣା କରିଛନ୍ତି। ଏହି ପ୍ରତିଷ୍ଠାନକୁ ୟୁନିଭରସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ସ୍ୱତନ୍ତ୍ର ବର୍ଗରେ ଅଟୋନୋମସ କଲେଜ ଭାବରେ ମାନ୍ୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ କ୍ୟାମ୍ପସ ପରିସରରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଥିବା ମଡେଲ୍ ସେଣ୍ଟର, ଇଣ୍ଟିଗ୍ରେଟେଡ ରିହାବିଲିଟେସନ ସେଣ୍ଟର, କ୍ଲିନିକ୍ ବ୍ଲକ, ଏକାଡେମିକ ବ୍ଲକ, ବାଲମୁକୁନ୍ଦ ରେହାବ ହସ୍ପିଟାଲ ବୁଲି ଦେଖିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକ ମାନଙ୍କୁ ଭେଟିଥିଲେ। ସେ କହିଛନ୍ତି ଆଜି ମୋ ପାଇଁ ଏକ ସ୍ମରଣିୟ ଦିନ। ଶିକ୍ଷାନୁଷ୍ଠାନର ଅନୁକୂଳଯୁକ୍ତ ଶୈକ୍ଷିକ ବାତାବରଣରେ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ବିଭିନ୍ନ ଚିକିତ୍ସା, ଥେରାପି ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଖୁବ ପ୍ରଶଂସନୀୟ। ଆଜି ଏହି ଶିକ୍ଷାନୁଷ୍ଠାନକୁ ଆସି ଦିବ୍ୟାଙ୍ଗ ମାନଙ୍କୁ ଭେଟି ଭଗବାନଙ୍କୁ ପୂଜା କରିବା ଠାରୁ ଅଧିକ ସୌଭାଗ୍ୟ ମିଳିଲା।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଣତ ହେଉଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସକୁ ୟୁଜିସି ବିଶେଷ ବର୍ଗରେ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ମାନ୍ୟତା ପ୍ରଦାନ କରାଯିବା ଖୁସିର ବିଷୟ। ଏଣିକି ଏହି ଅନୁଷ୍ଠାନର ନିଜସ୍ୱ ପାଠ୍ୟକ୍ରମ, ପରୀକ୍ଷା ପଦ୍ଧତି ସହ ସାର୍ଟିଫଫିକେଟ୍ ପ୍ରଦାନ କରାଯିବ। ଏହି ଅନୁଷ୍ଠାନ ସହ ମେଧାବୀ ଓଡ଼ିଆ ପିଲାମାନେ ଯୋଡି ହେଉଛନ୍ତି। ଏହାର ଅର୍ଥ ଏହି ପାଠ୍ୟକ୍ରମ ପ୍ରତି ପିଲା ମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ଅଛି। ଦିବ୍ୟାଙ୍ଗଙ୍କ ପାଠପଢାକୁ ସୁଗମ କରିବା ସହ ସମାଜରେ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଦାୟିତ୍ୱ ନେବା ପାଇଁ ପଡିବ। ଦୀର୍ଘ ୨୫ ବର୍ଷ ଧରି ଦିବ୍ୟାଙ୍ଗ ମାନଙ୍କୁ ପାଠ ପଢାଇବା ସହ ମଣିଷ ତିଆରି କାମରେ ଲାଗିଥିବା ଏହି ଅନୁଷ୍ଠାନକୁ ଆଗକୁ ନେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗଙ୍କ ପରିଭାଷା ବଦଳାଇଛନ୍ତି। ମୋଦି ସରକାରରେ ଦିବ୍ୟାଙ୍ଗ ମାନଙ୍କୁ ଉଚିତ୍ ସମ୍ମାନ ମିଳିଛି। ବିଶେଷ ଭାବରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ହେବା ପରେ ଏହା ଉପରେ ଧ୍ୟାନ ଦେବା ଭାରତ ସରକାରଙ୍କ ପ୍ରାଥମିକତାର ବିଷୟ ହୋଇଛି। ଏହି ଅନୁଷ୍ଠାନରେ ଅଧ୍ୟୟନରତ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ବ୍ୟତିତ ସମ୍ମାନର ସହ କୁଶଳୀ କରି ସେମାନଙ୍କୁ ରୋଜଗାର ବ୍ୟବସ୍ଥା ସହ ଯୋଡିବା ପାଇଁ ବ୍ୟବସ୍ଥା କରାଯିବ। ଶିକ୍ଷକଙ୍କୁ ପ୍ରଶିକ୍ଷଣ ସହ ଭିତ୍ତିଭୂମିର ବିକାଶ ଦିଗରେ ଗୁରୁତ୍ୱ ଦିଆଯିବ। ଏହି ଅନୁଷ୍ଠାନକୁ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପ କାମର ଅଗ୍ରଗତି ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରକଳ୍ପର ପରିକଳ୍ପନା ୨୦୧୭ ମସିହାରେ ହୋଇଥିଲା। ଏହି ବର୍ଷ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ବରାଦ କରିବା ସହ ଓଡ଼ିଆ ଜାତିର ବୀରତ୍ୱକୁ ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ। ପରେ ୨୦୧୭ ଜୁଲାଇ ୨୦ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଉପସ୍ଥତିରେ ନୂଆଦିଲ୍ଲୀ ଠାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହର ଆୟୋଜନ ହୋଇଥିଲା। ୨୦୧୮ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ମୁଦ୍ରା ଓ ଷ୍ଟାମ୍ପ ଉନ୍ମୋଚନ କରିଥିଲେ। ୨୦୧୯ ଡିସେମ୍ବର ୮ରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

୨୦୧୭ରୁ ପାଖାପାଖି ୬ ବର୍ଷ ମଧ୍ୟରେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ସବୁ ବୁଝାମଣା ହୋଇ ସାରିଛି। ରାଜ୍ୟ ସରକାର ବରୁଣେଇର ପାଦଦେଶରେ ଜମି ମଧ୍ୟ ଉପଲବ୍ଧ କରାଇଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସବୁ ନିୟମକୁ ମାନିବା ପାଇଁ ପ୍ରସ୍ତୁତ ଅଛନ୍ତି। ପ୍ରକଳ୍ପ ସ୍ଥାନରୁ ବିଦ୍ୟୁତ ଖୁଣ୍ଟ ଓ ଗଛ ହସ୍ତାନ୍ତରଣ ପାଇଁ ଅର୍ଥ ଦିଆଯାଇଛି। ଏହା ସ୍ମାରକୀ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିଛି। ପାଇକ ବିଦ୍ରୋହ ହେଉଛି ଓଡିଆ ଜାତିର ସ୍ୱାଭିମାନ, ଅସ୍ମିତା ଓ ଗୌରବର ପ୍ରତୀକ। ତେଣୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ପ୍ରକଳ୍ପ ସ୍ଥାନ ପରିଦର୍ଶନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଭର୍ତ୍ତୃହରି ମହତାବ ସାଥୀରେ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସ କ୍ୟାମ୍ପସ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର

ନୂଆଦିଲ୍ଲୀ: ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ଏମଓୟୁ ସମାରୋହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା. ଏସ ଜୟ ଶଙ୍କର ଏବଂ ଜାଞ୍ଜିବରର ମାନ୍ୟବର ରାଷ୍ଟ୍ରପତି ଡକ୍ଟର ହୁସେନ ଅଲି ମିନ୍ୱି ଉପସ୍ଥିତ ଥିଲେ।

ଏ ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ଦ୍ୱାରା ଭାରତ ବାହାରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ପ୍ରତିଷ୍ଠା ହେବା ପାଇଁ ଯାଉଛି। ଏହା ଭାରତ ଓ ତାଞ୍ଜାନିଆ ମଧ୍ୟରେ ଥିବା ଲମ୍ବା ସମୟର ବନ୍ଧୁତ୍ୱର ପ୍ରତିଫଳନ। ଆଫ୍ରିକା ଏବଂ ଗ୍ଲୋବାଲ ସାଉଥରେ ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଉପରେ ଭାରତ ଯେଉଁ ପ୍ରାଥମିକତା ଦେଉଅଛି, ତାହାର ଏକ ବାସ୍ତବ ରୂପାୟନ।

ଆଇଆଇଟି ମାଡ୍ରାସ- ଜାଞ୍ଜିବର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ଅଧ୍ୟାୟ ଆରମ୍ଭ ହୋଇଛି। ଆଫ୍ରିକା ସହ ଜନସାଧାରଣଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତାରେ ଏହି ପଦକ୍ଷେପ ଏକ ମୂର୍ତ୍ତିମନ୍ତ ପ୍ରତୀକ। ଜାତୀୟ ଶିକ୍ଷା ନୀତି ଜ୍ଞାନକୁ ଦ୍ୱିପାକ୍ଷିକ ସମ୍ପର୍କର ଏକ ପ୍ରମୁଖ ଅଂଶରେ ପରିଣତ କରିବା ସହିତ ବିଶ୍ୱର କଲ୍ୟାଣକୁ ଆଗକୁ ବଢ଼ାଇବା ପାଇଁ ମାର୍ଗ ପ୍ରଶସ୍ତ କରୁଛି।

ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନ୍ତର୍ଜାତୀୟକରଣ ଉପରେ ଗୁରୁତ୍ୱ ଦେଉଅଛି ଏବଂ ଭଲ ପ୍ରଦର୍ଶନ କରୁଥିବା ଭାରତୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଅନ୍ୟ ଦେଶରେ କ୍ୟାମ୍ପସ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରିବା ଦିଗରେ ଗୁତୁତ୍ୱ ଦେଉଅଛି। ତାଞ୍ଜାନିଆ ଏବଂ ଭାରତ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସ୍ୱୀକୃତି ଦେଇ, ଶିକ୍ଷାଗତ ଭାଗିଦାରୀର ସମ୍ପର୍କକୁ ଏକ ଦସ୍ତାବିଜରେ ସ୍ୱାକ୍ଷର କରି ଆନୁଷ୍ଠାନିକ ରୂପ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ତାଞ୍ଜାନିଆର ଭାରତ ହାଇକମିଶନର ବିନୟ ଶ୍ରୀକାନ୍ତ ପ୍ରଧାନ, ଆଇଆଇଟି ମାଡ୍ରାସର ଡିନ (ଗ୍ଲୋବାଲ ମ୍ୟାନେମେଣ୍ଟ) ପ୍ରଫେସର  ରଘୁନାଥନ ରେଙ୍ଗାସ୍ୱାମୀ, ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ବିଭାଗର କାର୍ଯ୍ୟକାରୀ ପ୍ରମୁଖ ସଚିବ ଖଲିଦ ମସୁଦ୍ ଓ୍ୱାଜିର୍ ଯଥାକ୍ରମେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା  ଓ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଏହି ଏମଓୟୁ ସ୍ୱାକ୍ଷର କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ୟୁରୋପୀୟ ବିଚାର ‘ମୁଁ’ ଓ ଭାରତ ‘ଆମେ’ ବିଚାରରେ ବିଶ୍ୱାସ କରେ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲାଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକହୋଲଡର ମାନଙ୍କୁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର ନୂଆଦିଲ୍ଲୀ ଠାରେ ‘ସୋସିଆଲ ଏଣ୍ଟରପ୍ରାଇଜ୍ କନକ୍ଲେଭ’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହି ଆହ୍ୱାନ କରିଛନ୍ତି। ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦ(ଆଇଆରଏମଏ) ଓ ଏଲଆଇସି ହାଉସିଂ ଫାଇନାନ୍ସର ମିଳିତ ଭାଗିଦାରୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ  ପ୍ରଧାନ କହିଛନ୍ତି ଯେ ଅମୃତ କାଳରେ ଭାରତ ନୂଆ ଦିଶା ଓ ଦୃଷ୍ଟିକୋଣ ରଖିଛି। ବିଶ୍ୱର ବିଶ୍ୱାସ ଭାରତ ଉପରେ ବଢିଛି। ଆମକୁ ଏବେ ଆମର ପାରମ୍ପରିକ ସାମଗ୍ରୀକୁ ବୈଶ୍ୱିକ ବଜାରରେ ଯୋଡିବାର ଉପାୟ ଅନ୍ୱେଷଣ କରିବାକୁ ହେବ। ଦେଶରେ ପ୍ରଶିକ୍ଷଣ ପାଇ ଘରେ ମାଆ ଓ ଭଉଣୀମାନେ ପ୍ରସ୍ତୁତ କରିଥିବା ସିଲାଇ କିମ୍ବା ଅନ୍ୟାନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ଆଣିବା ଦରକାର। ଏଥିପାଇଁ ଏହା  ଉପରେ ଉଦ୍ୟମ କରିବା ଦରକାର।

ଆଗାମୀ ଦିନରେ ଦେଶ ଦ୍ରୁତ ଗତିରେ ଅଭିବୃଦ୍ଧି ହେବ। ଭାରତ ଆଜି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନ ବଢୁଛି। ଏଭଳି ସମୟରେ ସୋସିଆଲ ଏଣ୍ଟରପାଇଜ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ଅଛି। ତାହାକୁ ଦୃଷ୍ଟିରେ ରଖି ସରକାରୀ ଫଣ୍ଡ୍ ଉପରେ ନିର୍ଭର ନ ହୋଇ ନିବେଶକଙ୍କ ପ୍ରତି ସଚ୍ଚୋଟପଣ ଦେଖାଇବାକୁ ଶ୍ରୀ ପ୍ରଧାନ ପରାମର୍ଶ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୟୁରୋପୀୟ ଓ ଭାରତୀୟ ବିଚାରଧାରାର ମୂଳ ଅନ୍ତର ରହିଛି। ୟୁରୋପୀୟ ବିଚାର ‘ମୁଁ’, ମୋର ଦୁନିଆ, ମୋର ଆଇଡିଆକୁ ଦର୍ଶାଉଛି। ମାତ୍ର ଭାରତ ‘ଆମେ’ରେ ବିଶ୍ୱାସ କରେ। ଏହିଭଳି ଭାବେ ଦୁନିଆ ସାମ୍ନାରେ ଅନ୍ୟମାନଙ୍କ ପାଇଁ ବଞ୍ଚିବାର ମଡେଲ ବନାଇବା ପାଇଁ ଶ୍ରୀ ପ୍ରଧାନ ଉପସ୍ଥିତ ସୋସିଆଲ ଏଣ୍ଟରପାଇଜର ଅଂଶୀଦାର ମାନଙ୍କୁ ପରାମର୍ଶ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଜନ୍ମମାଟି ପାଇଁ କିଛି କରି ନାହାଁନ୍ତି, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ପ୍ରଶ୍ନବାଣ ଛାଡିଲା ବିଜେଡି

ଭୁବନେଶ୍ୱର: ଜନ୍ମମାଟି ଢେଙ୍କାନାଳ ଓ ଅନୁଗୁଳର ବିକାଶକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି ବିଜେଡି। ନଅ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ କାଳରେ ଏହି ଦୁଇ ଜିଲ୍ଲା ପାଇଁ କ’ଣ ସବୁ କରିଛ ବୋଲି ସିଧାସଳଖ ପଚାରିଛନ୍ତି ବିଜେଡି ସାଂସଦ ମହେଶ ସାହୁ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ଶ୍ରୀ ସାହୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଭାବେ ଆପଣ ୯ ବର୍ଷ ଧରି କାର୍ଯ୍ୟ କରୁଛନ୍ତି। ହେଲେ ଜିଲ୍ଲା ପାଇଁ ଆପଣ କ’ଣ କରିଛନ୍ତି? ଆପଣ ମନ୍ତ୍ରୀ ହେବା ଦ୍ୱାରା ଢେଙ୍କାନାଳ-ଅନୁଗୁଳ ଜିଲ୍ଲା କିପରି ଉପକୃତ ହୋଇଛି? କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି।

ଢେଙ୍କାନାଳ ଏବଂ ଅନୁଗୁଳ ଦେଇ ସାଧାରଣ ଜନତା, ରୋଗୀ, ଅଫିସ୍ ଯାଉଥିବା ଲୋକେ, ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି। ଏହାର ଉନ୍ନତି ପାଇଁ ଆପଣ ୯ ବର୍ଷରେ କ’ଣ କରିଛନ୍ତି?

ଆପଣ ମନ୍ତ୍ରୀ ହୋଇଥିବା ନଅ ବର୍ଷ ମଧ୍ୟରେ ଢେଙ୍କାନାଳ-ଅନୁଗୁଳ ଲୋକଙ୍କ ପାଇଁ ରେଳବାଇରେ କୌଣସି ବିକାଶ ହୋଇନାହିଁ।ଏହି ଦୁଇ ଦୁଇ ଜିଲ୍ଲାରୁ ରେଳବାଇ ସର୍ବାଧିକ ରାଜସ୍ୱ ସଂଗ୍ରହ କରୁଛି। ତାଳଚେର-ବିମଳାଗଡରେ ଜଳପଥର କୌଣସି ଅଗ୍ରଗତି ହୋଇପାରିଲା ନାହିଁ । ତାଳଚେର ରେଳ ଷ୍ଟେସନ ଏବେବି ଗୁଡସ୍‍ ଷ୍ଟେସନ ହୋଇରହିଛି।କେନ୍ଦ୍ରମନ୍ତ୍ରୀ ଭାବେ ଜନ୍ମ ହୋଇ ଥିବା ନିଜ ଜିଲ୍ଲା ପାଇଁ ଆପଣ କ’ଣ କରିଛନ୍ତି?

ଟେଲି ଯୋଗାଯୋଗ ଢେଙ୍କାନାଳର ବିଭିନ୍ନ ଅଞ୍ଚଳ- ଅନୁଗୁଳରେ ବହୁତ ଖରାପ। ବ୍ୟାଙ୍କିଙ୍ଗ୍‌ସେବା ମଧ୍ୟ ଦୟନୀୟ ଅଟେ। ପରିସ୍ଥିତିକୁ ସୁଧାରିବା ପାଇଁ ମନ୍ତ୍ରୀ ହେବା ପରେ ଆପଣ କ’ଣ କରିଛନ୍ତି? ଆପଣ ହେଉଛନ୍ତି ଦେଶର ଶିକ୍ଷାମନ୍ତ୍ରୀ। ଆପଣ ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ କେତେ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି? ଆପଣ ଯେଉଁ ଜିଲ୍ଲାରେ ଜନ୍ମ ହୋଇଥିଲେ, ଶିକ୍ଷାମନ୍ତ୍ରୀ ହେବା ଦ୍ୱାରା ସେହି ଜିଲ୍ଲା କିପରି ଲାଭବାନ ହୋଇଛି?

ଓଡ଼ିଶା ସରକାର ୫-ଟି ମାଧ୍ୟମରେ ବିଦ୍ୟାଳୟ ଗୁଡ଼ିକୁ ରୂପାନ୍ତରିତ କରୁଛନ୍ତି । ଆପଣ ନିଜ ଗାଁ ବିଦ୍ୟାଳୟକୁ ୫-ଟି ସ୍ତରୀୟ ବିଦ୍ୟାଳୟ ପରି ରୂପାନ୍ତରିତ କରିଛନ୍ତି କି? ଢେଙ୍କାନାଳ-ଅନୁଗୁଳ ଜିଲ୍ଲା ଛାଡିଦିଅ, ଆପଣ ଗତ ୯ ବର୍ଷ ମଧ୍ୟରେ ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ କୌଣସି ନୂତନ ରାଷ୍ଟ୍ରାୟତ ସଂସ୍ଥା (ପିଏସୟୁ) ଆରମ୍ଭ କରିଛନ୍ତିକି?

ଆପଣ ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ ମଧ୍ୟ ଢେଙ୍କାନାଳକୁ ଗୋଟିଏ ପିଏସୟୁ ଆଣିଛନ୍ତି କି? ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ ଲୋକମାନେ ଏମସିଏଲ ଏବଂ ନାଲ୍‍କା ପାଇଁ ଜମି ହରାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଚାକିରି ମିଳିନାହିଁ । ଆପଣ ସେମାନଙ୍କ ପାଇଁ କ’ଣ କରିଛନ୍ତି?

ଏମସିଏଲ୍‍ ତାଳଚେରରେ ଦୁର୍ନୀତି ହେଉଛି। ଏଥିପ୍ରତି କେନ୍ଦ୍ର ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି କାହିଁକି ? ଏହାକୁ ରୋକିବା ପାଇଁ ଆପଣ କ’ଣ କରୁଛନ୍ତି? ଆଙ୍କାକ୍ଷୀ ଜିଲ୍ଲା ତାଲିକାରେ ଥିବା ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜଟିଏ ସ୍ୱପ୍ନ ହୋଇ ରହିଗଲା। ଆପଣଙ୍କର ପ୍ରତିବଦ୍ଧତା ମଧ୍ୟପ୍ରଦେଶ ଏବଂ ବିହାର ପାଇଁ, ଯେଉଁଠାରୁ ଆପଣ ନିର୍ବାଚିତ ହୋଇଛନ୍ତି ଏବଂ ସେଥିପାଇଁ ଆପଣ ସେଠାରେ ଧ୍ୟାନ ଦେଉଛନ୍ତି ଏବଂ ସେଠାରେ ସାହାଯ୍ୟ କରୁଛନ୍ତି।

କିନ୍ତୁ ଆପଣ ଜନ୍ମ ହୋଇଥିବା ଢେଙ୍କାନାଳ-ଅନୁଗୁଳ ଜିଲ୍ଲାରେ କିଛି କରି ନାହାନ୍ତି। ଯେତେବେଳେ ନିର୍ବାଚନ ଆସେ, ଆପଣ ଏଠାକୁ ରାଜନୀତି କରିବାକୁ ଆସନ୍ତି ବୋଲି ସାଂସଦ ଶ୍ରୀସାହୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ନେଇଥିବା ନିଷ୍ପତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ: ଭାରତୀୟ ଏବଂ ଆମେରିକୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ରଣନୈତିକ ଭାଗିଦାରୀକୁ ମଜଭୂତ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନେଇଥିବା ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ଏବଂ ଆମେରିକା ଦ୍ୱାରା ନିକଟରେ ଆରମ୍ଭ ହୋଇଥିବା ଇନିସିଏଟିଭ୍ ଆଣ୍ଡ୍ କ୍ରିଟିକାଲ ଆଣ୍ଡ୍ ଏମରଜିଂ ଟେକ୍ନୋଲୋଜି (ଆଇସିଇଟି) ଦୁଇ ଦେଶର ଭାଗିଦାରୀରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିବ। ଭାରତ ଏବଂ ଆମେରିକାରେ ବିଶେଷ କରି ଯୁବ ପ୍ରତିଭା ତଥା ନୂତନ ଯୁଗର ଜ୍ଞାନକୌଶଳ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସମନ୍ୱୟ ମୂଳକ ଗବେଷଣା ଓ ବିକାଶ କେନ୍ଦ୍ର ପ୍ରଦାନ କରି।

ଶ୍ରେଷ୍ଠ ଆଇଆଇଟି ଏବଂ ଆଇଆଇଏସସିକୁ ସାମିଲ କରି ଆସୋସିଏନ ଅଫ୍ ଆମେରିକା ୟୁନିଭରସିଟି ପକ୍ଷରୁ ଜଏଣ୍ଟ୍ ଟାସ୍କଫୋର୍ସ ଗଠନ ନେଇ ମଧ୍ୟ ଆଲୋଚନା ହୋଇଛି। ଏହି ଦୁଇ ନେତାଙ୍କ କଳ୍ପନାକୁ ସାକାର କରିବା ଦିଗରେ ଭାରତର ଶିକ୍ଷା ମନ୍ତ୍ରଣାଳୟ ସେମିକଣ୍ଡକ୍ଟର, ସ୍ଥାୟୀ କୃଷି, ସ୍ୱଚ୍ଛ ଇନ୍ଧନ, ସ୍ୱାସ୍ଥ୍ୟ, ମହାମାରୀ ପାଇଁ ପ୍ରସ୍ତୁତି ଓ ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଗବେଷଣା ଭାଗିଦାରୀ ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରିବା ପାଇଁ ଇଣ୍ଡୋ-ୟୁଏସ ଗ୍ଲୋବାଲ ଚ୍ୟାଲେଞ୍ଜ୍ ଇନଷ୍ଟିଚ୍ୟୁଟ୍ ସ୍ଥାପନ କରିବା ପାଇଁ କାର୍ଯ୍ୟ କରିବ।

ଶିଳ୍ପ ସଂସ୍ଥାର ସହଯୋଗ, ବିଶେଷଜ୍ଞ ଓ ଷ୍ଟାର୍ଟଅପର ଅନ୍ତର୍ଭୃକ୍ତିକରଣ ସହିତ ଏହି ଔପଚାରିକ ଭାଗିଦାରୀ ସୃଜନଶୀଳ ଚିନ୍ତାଧାରା, ଛାତ୍ର ବିନିମୟ ଓ ଯୁଗ୍ମ ବୌଦ୍ଧିକ କ୍ଷମତାକୁ ପ୍ରୋତ୍ସାହିତ କରିବ। ଏହା ଏକାଡେମିକ ଭାଗିଦାରୀ ଏକ ସ୍ଥାୟୀ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ସମାଧାନର ସୂତ୍ର ବାହାର କରିବା ଦିଗରେ ସହାୟକ ହେବ। ଶକ୍ତିଶାଳୀ ରାଷ୍ଟ୍ର ଗୁଡ଼ିକ ଶିକ୍ଷା ଏବଂ ଗବେଷଣାରେ ହାତ ମିଳାଇବା ଏକ ଐତିହାସିକ ମୁହୂର୍ତ୍ତ। କାରଣ ଆଗାମୀ ଦିନ ଗୁଡ଼ିକରେ ଏହି ସମ୍ପର୍କ ବିଶ୍ୱସ୍ତରରେ ପ୍ରଭାବ ପକାଇବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୁନେରେ ‘ଚତୁର୍ଥ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରୀସ୍ତରୀୟ ବୈଠକ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ପୁନେ: ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶ କଲେ ମାନବ ଜାତିର ପ୍ରଗତିରେ ହିଁ ନିବେଶ ହୋଇଥାଏ। ଜି-୨୦ର ରାଷ୍ଟ୍ର ସମୂହ ଓ ସଦସ୍ୟମାନେ ଜ୍ଞାନ, କୌଶଳ, ସାମାଜିକ ଆର୍ଥିକ ଦୂରତାକୁ ହ୍ରାସ କରିବା ସହ ଜୀବନବ୍ୟାପୀ ଶିକ୍ଷା ଗ୍ରହଣର ସୁଯୋଗ ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ସହ ଏକ ସମୃଦ୍ଧ ବିଶ୍ୱ ଗଢିବା ପାଇଁ ଆଗେଇ ଆସିବା ଖୁସିର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁନେରେ ଅନୁଷ୍ଠିତ ‘ଚତୁର୍ଥ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରୀସ୍ତରୀୟ ବୈଠକ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀର ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଏବଂ ଫଳାଫଳର ପ୍ରତିବଦ୍ଧତାକୁ ଦୋହରାଇଛି। ସବୁ ଦେଶ ନାଗରିକଙ୍କୁ ଶିକ୍ଷା ଏବଂ ଦକ୍ଷତା ଉପରେ ଅଧିକ ପ୍ରଧାନ୍ୟ ଦେବା ସହ ନାଗରିକଙ୍କ ଶିକ୍ଷା ଆହରଣକୁ ଜୀବନବ୍ୟାପୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବାକୁ ହେବ।

ଜି-୨୦ ବୈଠକରେ ଉଦଘାଟନୀ ସମାରୋହରେ ବିଭିନ୍ନ ଦେଶର ମନ୍ତ୍ରୀ, ପ୍ରତିନିଧି ମଣ୍ଡଳି ଓ ୟୁନିସ୍କୋ, ୟୁନିସେଫ ଓ ଓଇସିଡି ସହ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜି -୨୦ ବୈଠକ ମନ୍ତ୍ରୀସ୍ତରୀୟ ଆଲୋଚନାରୁ ଉର୍ଦ୍ଧ୍ୱକୁ ଯାଇ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ପରିସଂସ୍ଥାନର ୫.୨ କୋଟିରୁ ଉର୍ଦ୍ଧ୍ୱ ଷ୍ଟେକହୋଲଡର ଯୋଡି ହେବା ଖୁସିର ବିଷୟ। ଏହା ହିଁ ବାସ୍ତବରେ ବସୁଧୈବ କୁଟୁମ୍ବକମ କଥାବସ୍ତୁ ତଥା ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତର ଆତ୍ମାକୁ ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରରେ ମାନବ ଜାତିର କଲ୍ୟାଣ ଏବଂ ଗୁଣାତ୍ମକ ଶିକ୍ଷା ସହ ସୁଶାସନ ହେଉଛି ଭାରତର ଉଦ୍ଦେଶ୍ୟ। ଆମକୁ ସୁନିଶ୍ଚିତ କରିବାକୁ ପଡିବ ଯେ ସମଗ୍ର ବିଶ୍ୱର ଶିଶୁ ଓ ଯୁବପିଢି ସାମଗ୍ରିକ ଶିକ୍ଷାରୁ କିପରି ଲାଭ ପାଇବେ ଏବଂ ଏକବିଂଶ ଶତାବ୍ଦୀର କୌଶଳରେ ସଶକ୍ତ ହେବେ। ବ୍ରାଜିଲର ଅଧ୍ୟକ୍ଷତାରେ ଆଗାମୀ ଦିନରେ ହେବାକୁ ଥିବା ଜି-୨୦ ବୈଠକକୁ ଭାରତ ସମର୍ଥନ କରୁଛି। ଶିକ୍ଷା କ୍ଷେତ୍ରରେ ଥିବା ଆହ୍ୱାନକୁ ଚିହ୍ନଟ କରିବାରେ ଭାରତ ବ୍ରାଜିଲ ସହ କାର୍ଯ୍ୟ କରିବ ତଥା ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପକୁ ସକରାତ୍ମକ ପରିବର୍ତ୍ତନର ପ୍ରେରକ ଭାବେ ଉପସ୍ଥାପନା କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ୟୋସେଫ୍ ଅଲ୍ ବେନୟାନଙ୍କ ସହ ଉଚ୍ଚ ଶିକ୍ଷାରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ତଥା ବିଶେଷ ଭାବରେ ଉର୍ଜା ଓ ପେଟ୍ରୋକେମିକାଲ କ୍ଷେତ୍ରରେ ସୁଯୋଗ ପ୍ରଦାନ କରିବା ଦିଗରେ ଆଲୋଚନା କରିଥିଲେ। ଅନୁରୂପ ଭାବେ ଜାପାନର ଶିକ୍ଷା ମନ୍ତ୍ରୀ ନାଗୋକା କେକୋଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ସହଭାଗିତା ନେଇ ସମ୍ପର୍କକୁ ମଜଭୂତ କରିବା ନେଇ ଚର୍ଚ୍ଚା ହୋଇଥିଲା। ଭାରତର ପ୍ରତିଭାଶାଳୀ ମାନବ ସମ୍ବଳ ଓ ଜାପାନର କ୍ଷମତା ଉଭୟ ଦେଶ ପାଇଁ ଅନେକ ସମ୍ଭାବନା ରଖିଛି। ଭାରତ ଏବଂ ଜାପାନ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ କୌଶଳ, ପାଠ୍ୟକ୍ରମର ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିପାରିବେ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କଲେଜ୍ ଅଫ୍ ଇଞ୍ଜିନିୟରିଂ ପୁନେ ଟେକ୍ନୋଲୋଜି ୟୁନିଭର୍ସିଟିରେ ଇନୋଭେସନ, ଡିଜାଇନ ଓ ଏଣ୍ଟରପ୍ରିନେୟରସିପ ବୁଟ୍ କ୍ୟାମ୍ପର ଉଦଘାଟନ କରିଥିଲେ। ଏହି ବୁଟ୍ କ୍ୟାମ୍ପ ଦେଶର ଯୁବପିଢିଙ୍କୁ ବଡ଼ ଭାବିବା ଓ ବଡ଼ ସ୍ୱପ୍ନ ଦେଖିବା ପାଇଁ ଅନୁପ୍ରାଣିତ କରିବ ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବାରେ ସହାୟକ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୁନେରେ ‘ଚତୁର୍ଥ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପୁନେ ଠାରେ ଅନୁଷ୍ଠିତ ‘ଚତୁର୍ଥ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ’ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ୟୁଏଇ, ୟୁକେ, ଓମାନ ଏବଂ ମରିସସର ଶିକ୍ଷା ମନ୍ତ୍ରୀଙ୍କ ସମେତ ୟୁନିସେଫ୍ ଓ ଓଇସିଡି ସଂଗଠନର ପ୍ରତିନିଧିଙ୍କ ସହ ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ।

 

ଓମାନର ଉଚ୍ଚଶିକ୍ଷା, ଅନୁସନ୍ଧାନ ଏବଂ ନବସୃଜନ ମନ୍ତ୍ରୀ ଡା. ରହମା ଇବ୍ରାହିମ୍ ଅଲ୍ ମହାରୁକିଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ବିଶେଷତଃ ଉଚ୍ଚଶିକ୍ଷା, ଗବେଷଣା, ଉର୍ଜା, ଖାଦ୍ୟ ସୁରକ୍ଷା, ବାୟୋଟେକ୍ ଏବଂ ସ୍ଥାୟୀତ୍ୱ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବ୍ୟାପକ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ପ୍ରଧାନ। ଅନୁରୂପ ଭାବରେ ୟୁଏଇର ଶିକ୍ଷା ମନ୍ତ୍ରୀ ଅହମ୍ମଦ ବେନହଲ୍ ଅଲ୍ ଫାଲାସୀଙ୍କ ସହ ‘ସ୍କୁଲରୁ ସ୍କିଲ୍’ର କଳ୍ପନାକୁ ପୂରଣ କରିବା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସମ୍ମତି ପ୍ରକାଶ କରିଥିଲେ। ଏହି ବୈଠକରେ ଶ୍ରୀ ପ୍ରଧାନ ଭାରତ ଏବଂ ୟୁଏଇ ଛାତ୍ରଛାତ୍ରୀ ଏବଂ ଦକ୍ଷ ମାନବ ସମ୍ବଳର ସୁବିଧା ପାଇଁ ଡିଗ୍ରୀ ସମାନତା ଓ ଦକ୍ଷତା ସମନ୍ୱୟର ଫ୍ରେମଓ୍ୱାର୍କ ଉପରେ ଆଲୋଚନା କରିଥିଲେ।

ମରିସସର ଉପ ପ୍ରଧାନମନ୍ତ୍ରୀ ତଥା ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଲୀଲା ଦେବୀ ଡୁକୁନ – ଲୁଚୋମୁନଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆଲୋଚନା ହୋଇଥିଲା। ମୋରିସସରେ ପାଠ୍ୟକ୍ରମ ଗବେଷଣା ଏବଂ ବିକାଶ ପାଇଁ ଅନୁଷ୍ଠାନ ପ୍ରତିଷ୍ଠା ତଥା କ୍ଷମତା ବୃଦ୍ଧି କରିବା ପାଇଁ ଭାରତ ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ ଆଶ୍ୱାସନା ପ୍ରଦାନ କରିଥିଲେ । ୟୁକେର ସ୍କୁଲ ରାଷ୍ଟ୍ର ମନ୍ତ୍ରୀ ନିକ୍ ଗିବର ଶିକ୍ଷା ମନ୍ତ୍ରୀଙ୍କ ସହ ଧନ୍ଦାମୂଳକ ତାଲିମ ସହ ଦକ୍ଷତା ବିକାଶ କ୍ଷେତ୍ରରେ ବିଶେଷ ଭାବରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହଭାଗିତାକୁ ଆହୁରି ଦୃଢ଼ କରିବା ଦିଗରେ ଗୁରୁତ୍ୱାରୋପ ଦିଆଯାଇଥିଲା।

 

ୟୁନିସେଫର ଶିକ୍ଷା ଏବଂ କିଶୋର ବିକାଶର ନିର୍ଦ୍ଦେଶକ ରୋବର୍ଟ ଜେନକିନ୍ସ ତଥା ଓଇସିଡିର ଡେପୁଟି ସେକ୍ରେଟାରୀ ଜେନେରାଲ ୟୋସିକ୍ ଟି ଙ୍କ ସହ ଜି-୨୦ ସମ୍ପର୍କୀତ ବୈଠକ ଏବଂ ଗ୍ଲୋବାଲ ସାଉଥରେ ଭାରତର ପରିବର୍ତ୍ତନଶୀଳ ବିଷୟକୁ ରୂପାନ୍ତରଣ କରିବା ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବା ଦିଗରେ ଆଲୋଚନା କରିଥିଲେ। ସେହିପରି ୟୁନିସେଫ ଓ ଭାରତ ସରକାରଙ୍କ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଜାରି ରହିଥିବା କାର୍ଯ୍ୟ ଏବଂ ଫଳାଫଳ ନେଇ ଆଲୋକପାତ କରିଥିଲେ । ଜାତୀୟ ଶିକ୍ଷା ନୀତି ଆଧାରରେ ଶିଶୁଯତ୍ନ ଏବଂ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ୟୁନିସେଫ୍ ଓ ଭାରତର ସହଯୋଗକୁ ବ୍ୟାପକ କରିବା ପାଇଁ ଚର୍ଚ୍ଚା ହୋଇଥିଲା।

ଶ୍ରୀ ପ୍ରଧାନ ଜି-୨୦ ସମ୍ମିଳନୀର କଥାବସ୍ତୁ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଦେଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟରେ ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ‘ନବମ ଆନ୍ତର୍ଜାତିକ ଯୋଗ ଦିବସ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟରେ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ  ବିଭିନ୍ନ ଦେଶରୁ ଆସିଥିବା ସଦସ୍ୟମାନଙ୍କ ସହ ଯୋଗ ଦିବସ ପାଳନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନର ଚାପଗ୍ରସ୍ତ ଜୀବନଶୈଳିରେ ଯୋଗର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଏହି ଯୋଗ ପରମ୍ପରାକୁ ବିଶ୍ୱ ଗ୍ରହଣ କରିଛି। ନିଜ ସହ ଅନ୍ୟ ଜଣେ ମଣିଷ ସହିତ ଏହାର ଗଭୀର ସମ୍ପର୍କ ରହିଛି। ଯୋଗ ହେଉଛି ଏକ ସାମଗ୍ରିକ ଆଭିମୁଖ୍ୟ, ଯାହା ସଚେତନତାକୁ ପ୍ରୋତ୍ସାହିତ କରେ। ସାମର୍ଥ୍ୟକୁ ବଢାଇବା ସହ ଜୀବନର ମୂଳ ଅର୍ଥକୁ ବୁଝାଇଥାଏ। ସୁସ୍ଥ ଓ ସୁଖୀ ଜୀବନଯାପନ ପାଇଁ ସମସ୍ତେ ଦୈନନ୍ଦିନ ଜୀବନରେ ଯୋଗକୁ ଗ୍ରହଣ କରିବା ଆବଶ୍ୟକ। ବିଶ୍ୱରେ ଭାଇଚାରାକୁ ଅଧିକ ଦୃଢୀଭୂତ କରିବା ପାଇଁ ଯୋଗକୁ ଏକ ଜୈବନଶୈଳୀ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ପାଳନ କରିବା ପାଇଁ ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦ ନିକଟରେ ଅପିଲ୍ କରିଥିଲେ। ଏହାକୁ ବିଶ୍ୱର ଅନେକ ଦେଶ ସମର୍ଥନ ଦେଇଥିବାରୁ ଆଜି ସାରା ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଯୋଗକୁ ଲୋକପ୍ରିୟ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖନୀୟ ଯେ, ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ ଚତୁର୍ଥ ଶିକ୍ଷା ଓ୍ୱାର୍କି ଗ୍ରୁପ ବୈଠକ ପୁନେରେ ହେଉଥିବା ବେଳେ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବିଭିନ୍ନ ଜି-୨୦ ରାଷ୍ଟ୍ର ସମୂହର ପ୍ରତିନିଧି ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଓ ବିଶ୍ୱବାସୀଙ୍କୁ ପବିତ୍ର ‘ରଥଯାତ୍ରା’ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ସଂସ୍କୃତିରେ ରଥଯାତ୍ରାର ମହତ୍ତ୍ୱ ଉପରେ ଶ୍ରୀ ମୋଦୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରଭୁ ଜଗନ୍ନାଥଙ୍କ ଐଶ୍ୱରୀୟ ଯାତ୍ରା ଆମ ସମସ୍ତଙ୍କ ଜୀବନକୁ ସ୍ୱାସ୍ଥ୍ୟ, ସୁଖ ଏବଂ ଆଧ୍ୟତ୍ମିକତାରେ ପରିପୂର୍ଣ୍ଣ କରୁ।’

ସେହିଭଳି ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସହ ରଥଯାତ୍ରାରେ ସାମିଲ ହୋଇ ଓଡ଼ିଶା ଓ ବିଶ୍ୱବାସୀଙ୍କୁ ଏହି ପୁଣ୍ୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି।  

 

ରଥ ସମ୍ମୁଖରେ ଆଭୂମି ପ୍ରଣିପାତ ହେବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ଦର୍ଶନ ଏକ ଅପୂର୍ବ ମୁହୂର୍ତ୍ତ। ସେ ଲୀଳାମୟ, ତାଙ୍କ ଲୀଳା ଅପାର। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ।

ଓଡ଼ିଆ ଜାତି ଓ ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ଭାବର ଠାକୁର ଓ ଧାର୍ମିକ ସମନ୍ୱୟର ଦେବତା। ଆଜି କୋଟି କୋଟି ଶ୍ରଦ୍ଧାଳୁଙ୍କ ଗ୍ରହଣରେ ତାଙ୍କୁ ଦର୍ଶନ କରି ମୁଁ ବିମୋହିତ। ଶ୍ରୀ ପ୍ରଧାନ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମାନବ କଲ୍ୟାଣ ଓ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟ ଜଗତଗୁରୁ ପରମପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ସାକ୍ଷାତ୍ କରି ତାଙ୍କ ଆଶୀର୍ବାଦ ନେଇଥିଲେ। ସେ କହିଥିଲେ ଦେବା ଦେବୀଙ୍କର ଦର୍ଶନ ଯେତେ ପବିତ୍ର, ପୂଜ୍ୟ ସାଧୁ ସନ୍ଥଙ୍କ ଦର୍ଶନ ମଧ୍ୟ ସେତିକି ପବିତ୍ର। ଆଜି ଦେବ ଦର୍ଶନ ସହ ଗୁରୁ ଦର୍ଶନ କରିବା ଆନନ୍ଦର ବିଷୟ।

Categories
ଆଜିର ଖବର ରାଜ୍ୟ ଖବର

ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ କ୍ଷୋଭ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ଶିମିଳିପାଳ ଅଭୟାରଣ୍ୟରେ ଆଉ ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଘଟଣା ଉପରେ ଦୃଷ୍ଟି ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଆଉ ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ପ୍ରତ୍ୟେକ ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ପରିବେଶବିତଙ୍କ ପାଇଁ ଅଧିକ ଚିନ୍ତାର ବିଷୟ ହୋଇଛି। ଶିକାରୀ ଓ ସଂଗଠିତ ଶିକାର ରାକେଟକୁ ରୋକିବା ପାଇଁ ସବୁ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବନ୍ୟପ୍ରାଣୀ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଆବଶ୍ୟକ। ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ବସ୍ୱ ଦେଇଥିବା ମାଟି ହାଁସଦାଙ୍କ ଭଳି ଜଣେ ନିଷ୍ଠାପର ଅଫିସରଙ୍କ ମୃତ୍ୟୁ ନୈରାଶଜନକ। ପ୍ରାୟ ଏକ ମାସ ପୂର୍ବରୁ ଏହି ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ କାର୍ଯ୍ୟରତ ବନରକ୍ଷୀ ବିମଳ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା। ଶିକାରୀ ଓ ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ଏପରି ଲଜ୍ଜ୍ୟାଜନକ କାମ ଦୁର୍ଭାଗ୍ୟଜନକ। ଓଡ଼ିଶାର ଅଭୟାରଣ୍ୟରେ କେବଳ ବନ୍ୟ ଜୀବଜନ୍ତୁ ନୁହେଁ, ସେମାନଙ୍କୁ ସୁରକ୍ଷା ଦେଉଥିବା ବ୍ୟକ୍ତିମାନେ ମଧ୍ୟ ସୁରକ୍ଷିତ ନୁହନ୍ତି।

ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଟ୍ୱିଟକୁ ରି-ଟ୍ୱିଟ୍ କରି ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ କାର୍ଯ୍ୟରତ ସମୟରେ ଜଣେ ଯୋଦ୍ଧାଙ୍କ ମୃତ୍ୟୁ ହେବା ଖବରରେ ମୁଁ ଦୁଃଖତ। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ଘଟଣା ଉପରେ ଅନୁଧ୍ୟାନ ଆରମ୍ଭ କରିବା ସହ ଓଡ଼ିଶାକୁ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଏକ ଟିମ ପଠାଯାଇଛି। ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖାଯାଇଛି। ଅଭିଯୁକ୍ତ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯିବା ସହ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଆଇପିସି ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଏମ୍ ଜମ୍ମୁର ‘ଷଷ୍ଠ ବାର୍ଷିକ ଦୀକ୍ଷାନ୍ତ ସମାରୋହ’

ନୂଆଦିଲ୍ଲୀ: ଆମର ଯୁବବର୍ଗଙ୍କୁ ନିଯୁକ୍ତି ଅନ୍ୱେଷଣ କିମ୍ବା ନିଯୁକ୍ତି ଦାତା ନୁହେଁ ବରଂ ଓ୍ୱେଲଥ୍ କ୍ରିଏଟର ହେବାକୁ ପଡିବ। ଅର୍ଥାତ୍ ଦେଶରେ ସମ୍ପନ୍ନତା ଆଣିବା ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି ଶୁକ୍ରବାର ଆଇଆଇଏମ ଜାମ୍ମୁର ‘ଷଷ୍ଠ ବାର୍ଷିକ ଦୀକ୍ଷାନ୍ତ’ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଡିଗ୍ରୀ ଓ ମେଡାଲ ପାଇଥିବା ସମସ୍ତ ୨୨୫ ଜଣ ବିଦ୍ୟାର୍ଥୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ଆଗାମୀ ଦିନ ମାନଙ୍କରେ ଦେଶ ଓ ଦୁନିଆ ପ୍ରତି ତାଙ୍କର ଥିବା ଦାୟିତ୍ୱ ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ। ସେ କହିଛନ୍ତି ଆମର ବିଶ୍ୱ ଏକ ଗାଁ, ଏକ ପରିବାର ହୋଇସାରିଛି। ଆମର ଯୁବକଙ୍କ ଉପରେ ଦେଶ ଏବଂ ଦୁନିଆର କଲ୍ୟାଣ କରିବାର ଦାୟିତ୍ୱ ନ୍ୟସ୍ତ ରହିଛି।

 

ପ୍ରଧାନମନ୍ତ୍ରୀ ମୋଦି ଲାଲକିଲାରୁ କହିଥିଲେ ଯେ ପ୍ରଥମେ ପାଠପଢା, ଭଲ ଚାକିରି ଏବଂ ଉତ୍ତମ ଜୀବନ ଶୈଳୀ ହେବା ଦରକାର। ତେବେ ଆମର ଯୁବବର୍ଗଙ୍କୁ ନିଯୁକ୍ତି ଅନ୍ୱେଷଣ କିମ୍ବା ନିଯୁକ୍ତି ଦାତା ନୁହେଁ ଓ୍ୱେଲ୍ଥ କ୍ରିଏଟର ହେବାକୁ ପଡିବ। ତେବେ ଯାଇଁ ଦେଶରେ ସମ୍ପନ୍ନତା ବଢିବ। ଜାତୀୟ ଶିକ୍ଷା ନୀତି ଆମର ବ୍ୟକ୍ତିଗତ ଜ୍ଞାନକୁ ବଢାଇବା ସହ ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିବ। ଡିଜିଟାଲ ବିପ୍ଳବ ଏବଂ ଶିଳ୍ପ ବିଳ୍ପବ ୪.୦ ଭଳି ପରିବର୍ତ୍ତନ ନୂଆ ନୂଆ ସୁଯୋଗ ଓ ଚ୍ୟାଲେଞ୍ଜ୍ ତିଆରି କରୁଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

 

ଏହି କାର୍ଯ୍ୟକ୍ରମରେ ଜାମ୍ମୁ-କାଶ୍ମିରରେ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ଯୋଗଦେଇ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିଥିଲେ। ଏହାବ୍ୟତିତ ଶ୍ରୀ ପ୍ରଧାନ ଆଇଆଇଟି ଜମ୍ମୁ, ଆଇଆଇଏମ ଜମ୍ମୁ, ଏନଆଇଟି ଶ୍ରୀନଗର, ସେଣ୍ଟରାଲ ୟୁନିଭର୍ସିଟି ଅଫ୍ କାଶ୍ମିର ଏବଂ ସେଣ୍ଟରାଲ୍ ୟୁନିଭର୍ସିଟି ଅଫ୍ ଜମ୍ମୁର ସାମଗ୍ରିକ ଭିତ୍ତିଭୂମି ଓ ଆଗାମୀ ଦିନର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି କ୍ଷେତ୍ରରେ ଜମ୍ମୁ-କାଶ୍ମିରର ଯୁବକଙ୍କ ପାଇଁ ଥିବା ସୁଯୋଗ ଉପରେ ବୈଠକରେ ଆଲୋଚନା ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରୋଜଗାର ମେଳାର ଷଷ୍ଠ ପର୍ଯ୍ୟାୟରେ ୩୦୩ ଜଣଙ୍କୁ ନିଯୁକ୍ତିପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: “ବିଶ୍ୱ ସମସ୍ୟାର ସମାଧାନ ଆପଣଙ୍କ ପାଖରେ ଅଛି, ଏପରି ମନୋଭାବ ନେଇ ଯୁବବର୍ଗ ସେବା କରନ୍ତୁ”। ମଙ୍ଗଳବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ଷଷ୍ଠ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ୩୦୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିରତଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାରୀ ଚାକିରିର ନିଜସ୍ୱ ମାନ, ମର୍ଯ୍ୟାଦା ଓ ଦାୟିତ୍ୱ ଅଛି। ଆଜି ସରକାରୀ ଚାକିରି କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ, ସାମାଜିକ ଦୃଷ୍ଟିରୁ ମଧ୍ୟ ମର୍ଯ୍ୟାଦାଜନକ ହୋଇଛି। ସମାଜର ସାମୂହିକ ପ୍ରୟାସ ବଳରେ ଆଜି ନବନିଯୁକ୍ତ ଯୁବସାଥୀମାନେ ସେହି ମର୍ଯ୍ୟାଦାର ଅଧିକାରୀ ହେଲେ ଓ ତାଙ୍କ ଦାୟିତ୍ୱ ମଧ୍ୟ ବଢିଲା। ସେମାନେ ନିଜ ନିଜ ପଦବୀରେ ରହି ସାମାଜିକ ଓ ଲୋକମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଦରକାର।

ଆଜି ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ୭ଠ ହଜାରରୁ ଅଧିକ ଯୁବକ ଯୁବତୀମାନେ ବିଭିନ୍ନ ସରକାରୀ ବିଭାଗରେ କାମ କରିବା ପାଇଁ ରୋଜଗାର ପତ୍ର ପାଇଛନ୍ତି। ଏହା ଆମ ଦେଶ ପାଇଁ ଗର୍ବ ଓ ଗୌରବର ଉପଲବ୍ଧି। ରଥଯାତ୍ରାର ପବିତ୍ର ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି। ଓଡ଼ିଶାରେ ନିଯୁକ୍ତି ପାଇଥିବା ଦକ୍ଷ ଯୁବସାଥୀମାନେ ରାଷ୍ଟ୍ରାୟତ ବ୍ୟାଙ୍କ୍ ସମୂହ, ଭାରତୀୟ ରେଳ, ଡ଼ାକ ବିଭାଗ, ଇଏସଆଇସି, ଏଏସଆଇ, ଇନକମ ଟ୍ୟାକ୍ସ, ଡିଆରଡିଓ, ଏମ୍ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର ସମେତ ବିଭିନ୍ନ ବିଭାଗରେ ଜନସେବା କରିବାର ନୂଆ ଦାୟିତ୍ୱ ନେଇଛନ୍ତି।

କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଦାୟିତ୍ୱ ଓ କୋଭିଡ୍ ଯୋଦ୍ଧାଙ୍କ ପରିଶ୍ରମ ସହ ୧୪୦ କୋଟି ଭାରତୀୟଙ୍କ ଦୃଢ ଇଚ୍ଛାଶକ୍ତି ବଳରେ ଆମେ ମହାମାରୀକୁ ପରାଜୟ କରିବାରେ ସଫଳ ହୋଇଥିଲେ। ସଂକଟକୁ ସୁଯୋଗରେ ପରିଣତ କଲେ। ଭାରତ ବିକଶିତ ରାଷ୍ଟ୍ରକୁ ଟିକା ଓ ପିପିଇ କିଟ୍ ସହ ଔଷଧ ପଠାଇବାରେ ଭାରତ ସାହାଯ୍ୟ କଲା।

ସେହିପରି ଦେଶକୁ ଆଗକୁ ନେବା ପାଇଁ ଭାବିବା ସହ ଓଡ଼ିଶାରେ ନିଯୁକ୍ତି ପାଉଥିବା ଯୁବବର୍ଗଙ୍କୁ ଓଡ଼ିଆ ଭାଷା ଶିଖିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ ଓଡ଼ିଆ ବହୁତ ଭଲ ଭାଷା। ମଧୁର ଭାଷା। ଅନ୍ତତଃ ଏହାକୁ ଓଡ଼ିଶାରେ ନିଯୁକ୍ତ ପାଉଥିବା ଯୁବକ ଯୁବତୀମାନେ ଓଡ଼ିଆ ଶିଖିଲେ ନୂଆ ଭାଷା ଶିଖିଲେ ବୋଲି ଜାଣିବେ ସେ କହିଛନ୍ତି।

ଦେଶରେ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭର କରିବା ପାଇଁ,  ନିଜେ ସ୍ୱାଭିମାନ ସହ ଆଗକୁ ବଢିବା ପାଇଁ ଭାରତ ସରକାରଙ୍କ ରୋଜଗାର ମାଧ୍ୟମରେ ଅଭିନବ ପ୍ରୟାସ କରିଛନ୍ତି। ଏହାସହ କେବଳ ପ୍ରତ୍ୟକ୍ଷ ନିଯୁକ୍ତି ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବିକାଶର  କାମ କରୁଛନ୍ତି ମୋଦି ସରକାର।

ଆଜି ଆମ ଓଡ଼ିଆ ଝିଅ, ଭାରତର ଗୌରବ ମାନ୍ୟବର ମାନ୍ୟବର ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଉଛି। ପାପୁଆ ନ୍ୟୁ ଗିନି ଗସ୍ତ କାଳରେ ସେଠାକାର ମାନ୍ୟବର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ସ୍ୱାଗତ କରୁଛନ୍ତି। ଏହା କେବଳ ଆମ ଦେଶର ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇବାର ଆବେଗ ନ ଥିଲା ବରଂ ଏହା ଥିଲା ୧୪୦ କୋଟି ଭାରତୀୟଙ୍କ ସମ୍ମାନ, ଯାହାକୁ ବିଶ୍ୱ ଦେଖିଲା। ଏକ ଦୃଢ଼, ଦକ୍ଷ ଓ ଓଜସ୍ଵୀ ନେତୃତ୍ଵରେ ଭାରତର ସମ୍ମାନ ଆଜି ବିଶ୍ଵର କୋଣ ଅନୁକୋଣରେ ବୃଦ୍ଧି  ପାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଲାଙ୍ଗୀରରେ ‘ପିଆର୍ ହାଇସ୍କୁଲ ଇନଡୋର ଷ୍ଟାଡିୟମ’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ସହରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ‘ପୃଥ୍ୱୀରାଜ ହାଇସ୍କୁଲ ଇନଡୋର୍ ଷ୍ଟାଡିୟମ’ ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ମଜବୁତ୍ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଗେଲ୍ ଇଣ୍ଡିଆର ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅଧୀନରେ ୯ କୋଟି ୯୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମର ଉଦଘାଟନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଖେଳ ଜଣେ ବ୍ୟକ୍ତିର ସାମଗ୍ରିକ ବିକାଶକୁ ବର୍ଦ୍ଧିତ କରେ। ଏହି ଷ୍ଟାଡିୟମ କ୍ରୀଡ଼ା କ୍ଷେତ୍ରରେ ବଲାଙ୍ଗୀରର ସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବ୍ୟକ୍ତିତ୍ୱକୁ ବିକଶିତ କରିବାରେ ସହାୟକ ହେବ। ପିଲାଙ୍କୁ ଶାରୀରିକ ରୂପେ ସୁସ୍ଥ ରଖିବା ପାଇଁ ଜାତୀୟ ଶିକ୍ଷା ନୀତିରେ ପାଠପଢା ସହ ଖେଳକୁ ପ୍ରାଥମିକତା ଦିଆଯାଇଛି। ଆଜି ବଲାଙ୍ଗୀରରେ ଏଭଳି ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ସହ ଷ୍ଟାଡିୟମ ନିର୍ମାଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ। ଏହି ଷ୍ଟାଡିୟମ ପଶ୍ଚିମ ଓଡ଼ିଶା ଓ ବଲାଙ୍ଗୀରରେ କ୍ରୀଡା ଭିତ୍ତିଭୂମିକୁ ମଜବୁତ୍ କରିବାରେ ସହାୟକ ହେବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ସ୍ତରର ଖେଳ ଆୟୋଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାସହ ବଲାଙ୍ଗୀରର ସବୁ ସ୍କୁଲକୁ ନେଇ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା କରିବା ପାଇଁ ଶ୍ରୀ ପ୍ରଧାନ ଜିଲ୍ଲା ଆଥଲେଟିକ୍ ଆସୋସିଏସନକୁ ଦାୟିତ୍ୱ ନେବା ପାଇଁ କହିଛନ୍ତି।

ପିଆର୍ ହାଇସ୍କୁଲରେ ନବନିର୍ମିତ ଇନଡୋର ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିଛି। ଏଥିରେ ଜାତୀୟ ସ୍ତରର ୪ଟି ବ୍ୟାଡମିଣ୍ଟନ କୋଟ ରହିଛି। ପଶ୍ଚିମ ଓଡ଼ିଶା ଏବଂ ବିଶେଷ କରି ବଲାଙ୍ଗୀର ଜିଲ୍ଲାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ାରେ ଆଗକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ଯୁବପିଢ଼ିଙ୍କ କ୍ରୀଡ଼ା ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ଭିତ୍ତିଭୂମି ଯୋଗାଇଦେବ।  ଜରୁରୀ। ଯହାଦ୍ୱାରା ସେମାନଙ୍କ ପ୍ରତିଭା ଓ ମନୋବଳ ସୁଦୃଢ କରାଯାଇପାରିବ। ଏହି ଷ୍ଟାଡିୟମ ଦେଶର ଦୁର୍ଗମ ଅଞ୍ଚଳରs କୋଣ ଅନୁକୋଣରେ ରହୁଥିବା ଗାଁରେ ଥିବା କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରି ଲୋକଲୋଚନକୁ ଆଣିବାରେ ସଫଳ ହେବ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବଲାଙ୍ଗୀରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ଧାନ ସମେତ କୃଷି ଉତ୍ପାଦିତ ସାମଗ୍ରୀର ଏମଏସପି ମୂଲ୍ୟକୁ ବୃଦ୍ଧି କରିବା ହେଉ କିମ୍ବା ଚାଷ କ୍ଷେତ୍ରକୁ ମଜବୁତ କରିବା ହେଉ, ପ୍ରଧାନମନ୍ତ୍ରୀ ସର୍ବଦା ଏହି ଅଞ୍ଚଳର ଚାଷୀଙ୍କୁ ସହଯୋଗ କରି ଆସିଛନ୍ତି। ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରେ ନିର୍ମାଣାଧୀନ ବରଗଡ଼ ସ୍ଥିତ ଜୈବ ଇଥାନଲ ପ୍ଲାଣ୍ଟ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ବରଗଡ ସମେତ ବଲାଙ୍ଗୀର, ସମ୍ବଲପୁର ଓ ସୋନପୁରର ଆଖପାଖ ଅଞ୍ଚଳର ଚାଷୀଙ୍କ ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବରଗଡ଼ରେ ୨ଜି ଜୈବ ଇଥାନଲ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ବରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ଶାସନ ପୂର୍ତ୍ତି ଅବସରରେ ‘ବିକାଶ ତୀର୍ଥ ଯାତ୍ରା’ ଅନ୍ତର୍ଗତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବରଗଡ ସ୍ଥିତ ବିପିସିଏଲର ନିର୍ମାଣଧୀନ ୧ଜି ଜୈବ ଇଥାନଲ ପ୍ଲାଣ୍ଟ ଓ ୨ଜି ଜୈବ ଇଥାନଲ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ଓ ପ୍ରକଳ୍ପ ଅଧିକାରୀଙ୍କ ସହ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେଉଥିବା ଏହି ଇଥାନଲ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର କୃଷି ଆଧାରିତ ଶିଳ୍ପକୁ ତ୍ୱରାନ୍ୱିତ କରିବ। ମୋଟ ପ୍ରାୟ ୭୦ ଏକର ପରିମିତ ଜମିରେ ପ୍ରତିଷ୍ଠା ହେଉଥିବା ଏହି ପ୍ଲାଣ୍ଟ ଦୈନିକ ୨୦୦ କିଲୋ ଲିଟର ଇଥାନଲ ଉତ୍ପାଦନ କରିବ। ଓ୍ୱେଷ୍ଟ ଟୁ ଓ୍ୱେଲଥକୁ ପ୍ରୋତ୍ସାହନ ଦେବ ତଥା ଏହି ପ୍ଲାଣ୍ଟ୍ ନଡା, ବଳକା ଓ ଖରାପ ହୋଇଯାଇଥିବା ଚାଉଳରୁ ଇଥାନଲ ପ୍ରସ୍ତୁତ କରିବ। ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର ସମେତ ଆଖପାଖ ଅଞ୍ଚଳର ଚାଷୀଙ୍କ ଆୟକୁ ବୃଦ୍ଧି କରିବାରେ ସହାୟକ ହେବ।  ସ୍ଥାନୀୟ ଅଞ୍ଚଳରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ସୃଷ୍ଟି ହେବ। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ପ୍ଲାଣ୍ଟ୍ ସବୁଜ ଇନ୍ଧନକୁ ପ୍ରୋତ୍ସାହନ ଦେବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ନୂଆ ତଥା ବିକଳ୍ପ ଉର୍ଜା ଆଣିବା ପାଇଁ ଆହ୍ୱାନ କରିଛନ୍ତି। ଇଥାନଲ, ଅକ୍ଷୟ ଉର୍ଜା କିମ୍ବା ହାଇଡ୍ରୋଜେନ ; ସବୁ ପ୍ରକାର ସ୍ଥାୟୀ ଉର୍ଜା ଭାରତର ଉପଲବ୍ଧ ପ୍ରାକୃତିକ ସମ୍ପଦରୁ ଆସୁ, ଏହା ଉପରେ ଭାରତ ସରକାର ପ୍ରାଥମିକତା ଦେଉଛନ୍ତି। ପାଳ ବା ନଡା ଓ ବଳକା ଚାଉଳରୁ ଇଥାନଲ ପ୍ରସ୍ତୁତ କରିବା ପାଇଁ ଦେଶର ପ୍ରଥମ ୨ଜି ଓ ୧ଜି ଇଥାନଲ ପ୍ଲାଣ୍ଟ୍ ବରଗଡରେ ହୋଇଛି। ଏହି ପ୍ଲାଣ୍ଟର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସମାଜ ପାଇଁ ସବୁଠୁ ବଡ଼ ଯୋଗଦାନ ଏହି ଅଞ୍ଚଳ ପାଇଁ ମୋଦି ସରକାରଙ୍କର ଅଛି। ଖୁବ ଶୀଘ୍ର ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଆଶା କରାଯାଉଛି।

କେବଳ ବଗରଡ ନୁହେଁ ପଡ଼ୋଶୀ ଛତିଶଗଡ଼ ଓ ପଶ୍ଚିମବଙ୍ଗ ସହ ସୋନପୁରରେ ନୂଆ ଇଥାନଲ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିପାଇଁ ଇଥାନଲ ଇଞ୍ଜିନିୟରିଂ, ଅର୍ଥନୀତି ଏବଂ ପ୍ରଯୁକ୍ତିବିଦ୍ୟାକୁ ଧ୍ୟାନରେ ରଖି ନୂତନ ଦକ୍ଷତା ଥିବା ମାନବ ସମ୍ବଳ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ଏବଂ ପ୍ରକଳ୍ପ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି କନ୍ଦ୍ରମନ୍ତ୍ରୀ। ଏହା ଦ୍ୱାରା ଏହି ଅଞ୍ଚଳର ଯୁବକଯୁବତୀଙ୍କୁ ନୂଆ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ କହିଛନ୍ତି।

ସେହିପରି ଶ୍ରୀ ପ୍ରଧାନ ଏହି ପ୍ରକଳ୍ପ ପାଇଁ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବା ନିମନ୍ତେ ଆଞ୍ଚଳିକ ସରକାରୀ ଆଇଟିଆଇ ଅନୁଷ୍ଠାନରେ ଟେକ୍ନୋଲୋଜି ଆଧାରାତି ନୂଆ ଦକ୍ଷତା ପାଠ୍ୟକ୍ରମ ଓ ମଡ୍ୟୁଲ୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଆଉ ଏକ ପରାମର୍ଶ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ବରଗଡ଼ ଜିଲ୍ଲା ଏକ କୃଷିଭିତ୍ତିକ ଅଞ୍ଚଳ । ଧାନ ଓ ଚାଉଳ ଏ ଜିଲ୍ଲାର ଅର୍ଥନୀତି ମୂଳ ଆଧାର। ଏହାକୁ ଧ୍ୟାନରେ ରଖି ମୋଦି ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ବଳକା ଓ ଖରାପ ଚାଉଳରୁ ଇଥାନଲ ପ୍ରସ୍ତୁତ ହୋଇ ପେଟ୍ରୋଲ ଓ ଡିଜେଲରେ ମିଶାଇଲେ ପରିବେଶ ପ୍ରଦୂଷଣ କମିବ ଏବଂ ଚାଷୀ ମାନଙ୍କ ପାଇଁ ଅର୍ଥନୀତିଙ୍କ ସବଳ କରିବ। ଏହାକୁ ଧ୍ୟାନରେ ରଖି ଗତ ୯ ବର୍ଷରେ ଚିନି ଶିଳ୍ପର ପୁନଉଦ୍ଧାର ପାଇଁ ଆଖୁଛେଦାରୁ ଇଥାନଲ ବାହାର କରି ପେଟ୍ରୋଲିୟମ ପ୍ରଡକ୍ଟର ୧୦ ପ୍ରତିଶତର ଲକ୍ଷ୍ୟ ବହୁତ ପୂର୍ବରୁ ପୂରଣ ହୋଇଛି। ଏବେ ଏହାକୁ ୨୦ ପ୍ରତିଶତ କରିବା ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି। ଏହି ପ୍ଲାଣ୍ଟ ପଶ୍ଚିମ ଓଡ଼ିଶାର ନୂଆ ଅଧ୍ୟାୟ ସହ ଯୋଡି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ ୧୦ ଅକ୍ଟୋବର ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିମ ମନ୍ତ୍ରୀ ଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ତାଙ୍କର ଦାୟିତ୍ୱରେ ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମହାମହିମ ରାଜ୍ୟପାଳଙ୍କ କରକମଳରେ ଏହି କାରଖାନାର ଶିଳାନ୍ୟାସ ହୋଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସିବେ ଅମିତ ସାହା, ପଟ୍ଟଶିଷ୍ୟ ଧର୍ମେନ୍ଦ୍ରଙ୍କ ପାଇଁ କରିବେ ଜନସଂପର୍କ ଯାତ୍ରା

ଭୁବନେଶ୍ବର: ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ସାହା। ଆସନ୍ତା ୧୭ ତାରିଖରେ ସେ ଓଡିଶା ଆସି ଢେଙ୍କାନାଳରେ କରିବେ ଜନ ସଂପର୍କ ଯାତ୍ରା। ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଲଢେଇ କରିବେ। ସେଥିପାଇଁ ସାହା ତାଙ୍କ ପଟ୍ଟଶିଷ୍ୟଙ୍କ ପାଇଁ ଢେଙ୍କାନାଳରୁ ଆରମ୍ଭ କରିବେ ଓଡିଶାର ଜନସଂପର୍କ ଯାତ୍ରା।

ଓଡିଶାରେ ଏହି ଯାତ୍ରାକୁ ସଫଳ କରାଇବା ପାଇଁ ଖୋଦ ଧର୍ମେନ୍ଦ୍ରଙ୍କ ସହିତ ପୁରା ବିଜେପି ଟିମ ଜୋରଦାର ଲାଗିପଡିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଆରମ୍ଭ କରିଛି ଜନ ସଂପର୍କ ଯାତ୍ରା। ଏଥିରେ ଯେଉଁ ଆସନରେ ବିଜେପି ସାଂସଦ ନାହାଁନ୍ତି ସେହିସବୁ ଆସନରେ ଏହି ଯାତ୍ରା କରାଯିବ। ସେହି ପରିପ୍ରେକ୍ଷାରେ ଓଡିଶାରେ ଏହି ଯାତ୍ରା ଢେଙ୍କାନାଳ ଆସନରୁ ଆରମ୍ଭ ହେବ।

ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସାରା ଦେଶରେ ୫୧ଟି ‘ମହାରାଲି’ ଆୟୋଜନ କରାଯିବ। ଏଥିରୁ ଓଡିଶାରେ ୪ଟି ‘ମହାରାଲି’ ହେବ। ଓଡିଶାର ଏହି ଚାରୋଟି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ସାହା, ରାଜାନାଥ ସିଂ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ରାଜ୍ୟ ବିଜେପି ତରଫରୁ ବ୍ୟାପକ ଆୟୋଜନ ମଧ୍ୟ କରାଯାଉଛି।

ଓଡିଶା ରାଜନୀତି ପରିପ୍ରେକ୍ଷୀରେ ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଢେଙ୍କାନାଳ ଆସନ ଉପରେ ପୁରା ଫୋକସ କରିଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀ ଛାଡି ଢେଙ୍କାନାଳରେ ଡେରା ପକାଇଛନ୍ତି। ଗାଁକୁ ଗାଁ ବୁଲିବୁଲି ସେ ଲୋକ ସଂପର୍କ ଯୋଡିବାରେ ଲାଗିଛି। ଏହି ସମୟରେ ଅମିତ ସାହା ଆସି ଢେଙ୍କାନାଳରୁ ପ୍ରଚାର କରିବା ତାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି।

ଧର୍ମେନ୍ଦ୍ର କୌଣସି ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା ନ କରି ରାଜ୍ୟସଭାରୁ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ହେଲେ ଏଥର ଆଉ ରାଜ୍ୟସଭା ସଦସ୍ୟଙ୍କୁ ମନ୍ତ୍ରୀପଦ ଦିଆ ଯିବ ନାହିଁ ବୋଲି ଜଣାପଡିବା ପରେ ଧର୍ମେନ୍ଦ୍ର ଢେଙ୍କାନାଳରୁ ଲଢେଇ କରିବା ପାଇଁ ଅଣ୍ଟା ଭିଡିଛନ୍ତି।

ଏହି ଆସନରୁ ବର୍ତ୍ତମାନ ମହେଶ ସାହୁ ବିଜେଡି ସାଂସଦ ଅଛନ୍ତି। ବିଜେଡି ଏଥର ମହେଶଙ୍କୁ ଟିକେଟ ନ ଦେଇ ଅନ୍ୟ କାହାକୁ ଦେବ ବୋଲି ନିଷ୍ପତି କରିଛି। ଫଳରେ ବିଜେଡି ପ୍ରାର୍ଥୀ ଉପରେ ଧର୍ମେନ୍ଦ୍ରଙ୍କ ହାରିବା ଜିତିବା ନିର୍ଭର କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଉଦଘାଟିତ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦଘାଟନ କରିଛନ୍ତି। ଏହା ସେଣ୍ଟର ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପରିବର୍ତ୍ତନ ତ୍ୱରାନ୍ୱିତ କରିବ ଓ ଆପ୍ଲିକେସନ୍ ଦ୍ୱାରା ପରିଚାଳିତ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସ୍ଥାପତ୍ୟ ଆଦି କ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ ଏଆର ଏବଂ ଭିଆର ପାଖରେ ଅପାର ସାମର୍ଥ୍ୟ ରହିଛି। ଏହିଭଳି ଭାବେ ଆଇଆଇଟି ଭୁବନେଶ୍ୱର  ନ୍ୟୁ ଇଣ୍ଡିଆର ପରିବର୍ତ୍ତିତ ଆକାଂକ୍ଷା ସହ ତାଳ ଦେଇ ନବସୃଜନ ଏବଂ ସମାଧାନର ସ୍ଥାନୀୟକରଣ କରିବା ଉପରେ ଗୁରୁତ୍ୱ ଦେବା ଦରକାର।

ଆଇଆଇଟି ଭୁବନେଶ୍ୱର ଉନ୍ନତମାନର ପରୀକ୍ଷାମୂଳକ ସୁବିଧା ପ୍ରଦାନ କରିବା ପାଇଁ ଦୁଇଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ପ୍ରଶଂସନୀୟ। ଗୋଟିଏ ହେଲା ମ୍ୟାଟେରିଆଲ ପଦ୍ଧତିକୁ ଜାଣିବା ସହ ପ୍ରକ୍ରିୟାକରଣ, ଉତ୍ପାଦନ କେନ୍ଦ୍ର ଏବଂ ଅନ୍ୟଟି ହେଲା ଲାବୋରେଟୋରୀ  ଗ୍ରୋନ ଡାଇମଣ୍ଡ କେନ୍ଦ୍ର। ଏହି ସୁବିଧା ଶିକ୍ଷାନୁଷ୍ଠାନର ଗବେଷଣା ଓ ବିକାଶ ଏବଂ ନବସୃଜନ କ୍ଷେତ୍ରକୁ ସମ୍ପ୍ରସାରଣ କରିବ। ମ୍ୟାଟେରାଲ ସାଇନ୍ସରେ ନବସୃଜନ ଏବଂ ଗବେଷଣାକୁ ସୁଦୃଢ଼ କରିବ। ଶିଳ୍ପ-ଶିକ୍ଷାଗତ ସମ୍ପର୍କକୁ ପ୍ରୋତ୍ସାହିତ କରିବା ସହ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ବିକାଶରେ ସହାୟତା କରିବ । ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସଙ୍ଗେସଙ୍ଗେ ନିଯୁକ୍ତି ବୃଦ୍ଧି କରିବ ଏବଂ ଭାରତକୁ ଆତ୍ମନିର୍ଭର କରିବ।

ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନର ନବନିଯୁକ୍ତ ସମସ୍ତ ଅଧ୍ୟାପକମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ। ଯୁବକମାନଙ୍କ ମନରେ ସାମାଜିକ ଦାୟିତ୍ୱ ସୃଷ୍ଟି କରିବା ଏବଂ ଜାତୀୟ ଶିକ୍ଷା ନୀତିର ଦର୍ଶନ ଅନୁଯାୟୀ ବୈଶ୍ୱିକ ନାଗରିକ ହେବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଜାତୀୟ ଶିକ୍ଷା ନୀତି ହେଉଛି, ଏକବିଂଶ ଶତାବ୍ଦୀରେ ବିଶ୍ୱର ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ଭଳି ଏକ ଦାର୍ଶନିକ ତତ୍ତ୍ୱ। ଏକ ଆଧୁନିକ, ସାଂସ୍କୃତିକ ଭିତ୍ତିକ ଓ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଆମେ ସମସ୍ତେ ଏହାକୁ କାର୍ଯ୍ୟକାରୀ କରିବା ଉଚିତ୍।

ଆଇଆଇଟି ଭୁବନେଶ୍ୱର ଠାରେ ଶ୍ରୀ ପ୍ରଧାନ ଆଇଆଇଟି ଭୁବନେଶ୍ୱର ସମେତ ଆଇଆଇଏମ ସମ୍ବଲପୁର, ଏନଆଇଟି ରାଉରକେଲା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଏବଂ ଆଇଜର ବ୍ରହ୍ମପୁରର ଭିତ୍ତିଭୂମି, ରିସର୍ଚ୍ଚ ପ୍ରଜେକ୍ଟ ଏବଂ ଏକାଡେମିକ୍ ପ୍ରୋଗ୍ରାମ ଉପରେ ଶ୍ରୀ ପ୍ରଧାନ ସମୀକ୍ଷା କରିଥିଲେ।

ଆଇଆଇଟି ପରିସରରେ ବୃକ୍ଷରୋପଣ କରିବା ସହ କ୍ୟାମ୍ପସକୁ ସବୁଜ ଓ ସୁନ୍ଦର ରଖିବା ବ୍ୟାପକ ବୃକ୍ଷରୋପଣ ଅଭିଯାନ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଇଆଇଟି ଆସିଲେ ନୂଆ ବିଷୟ ଜାଣିବାକୁ ମିଳିଥାଏ। ଏହି ଅନୁଷ୍ଠାନ ଆମକୁ ସର୍ବଦା ନୂଆ ଉର୍ଜା, ପ୍ରେରଣା ଦେଇଥାଏ ଏବଂ ଶିକ୍ଷାର୍ଥୀମାନଙ୍କୁ ନିଜ ଭିତରେ ଜାଗ୍ରତ କରିଥାଏ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଧାନ ସମେତ ଖରିଫ ଫସଲର ଏମଏସପି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଧାନ ସମେତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ନିଷ୍ପତି ଓଡ଼ିଶା ସମେତ ଭାରତବର୍ଷର ଚାଷୀ ଭାଇ ଭଉଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଉପହାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଛି । ଯାହା ଫଳରେ ଧାନର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରେ ପହଞ୍ଚିଛି। ୨୦୧୪-୧୫ ବର୍ଷରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୩୬୦ ଟଙ୍କା ଥିବା ବେଳେ ୨୦୨୨-୨୩ ବର୍ଷରେ ୨୦୪୦ ଟଙ୍କା ଥିଲା। କ୍ରମାଗତ ଏମଏସପି ବୃଦ୍ଧି କରି ଚାଷୀଙ୍କୁ ସ୍ୱାବଲମ୍ବୀ କରାଯାଉଛି।

ଧାନ ସମେତ ବିଭିନ୍ନ ଖରିଫ ଫସଲର ଏମଏସପି ବୃଦ୍ଧି ନିଷ୍ପତି ଚାଷୀଙ୍କ ସମୃଦ୍ଧି ଏବଂ କଲ୍ୟାଣ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । କୋଟି କୋଟି ଅନ୍ନଦାତାଙ୍କୁ ଲାଭ ଦେବାକୁ ଥିବା ଏହି ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର କୃଷକ ଦିଗରେ ଆଉ ଏକ ପଦକ୍ଷେପ।

ସେହିପରି ବିଏସଏନଏଲର ନବୀକରଣ ପାଇଁ ୮୯ ହଜାର କୋଟି ଟଙ୍କାର ପ୍ୟାକେଜକୁ ଅନୁମୋଦନ ସ୍ୱାଗତଯୋଗ୍ୟ। ଏହି ଅର୍ଥର ବ୍ୟବହାର ବିଏସଏନଏଲର ୪ଜି ଓ ୫ଜି ସେବା ବୃଦ୍ଧି କରିବା ପାଇଁ ବ୍ୟୟବରାଦ କରାଯିବ। ଏହା ଦ୍ୱାରା ସମଗ୍ର ଭାରତବର୍ଷରେ ଇଣ୍ଟରନେଟର ବ୍ୟାପକ ବ୍ୟବହାର ବଢିବ ଏବଂ ନୂଆ ସୁଯୋଗ ଓ ସମ୍ଭାବନା ତିଆରି ହେବ।

ସେହିପରି ହୁଡା ସିଟି ସେଣ୍ଟରରୁ ସାଇବର ସିଟି ପର୍ଯ୍ୟନ୍ତ ମେଟ୍ରୋ ସଂଯୋଗ ଗେମ୍ ଚେଞ୍ଜର ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।