Categories
ଆଜିର ଖବର ଜାତୀୟ ଖବର

ୟୁରୋପୀୟ ବିଚାର ‘ମୁଁ’ ଓ ଭାରତ ‘ଆମେ’ ବିଚାରରେ ବିଶ୍ୱାସ କରେ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲାଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକହୋଲଡର ମାନଙ୍କୁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର ନୂଆଦିଲ୍ଲୀ ଠାରେ ‘ସୋସିଆଲ ଏଣ୍ଟରପ୍ରାଇଜ୍ କନକ୍ଲେଭ’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହି ଆହ୍ୱାନ କରିଛନ୍ତି। ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦ(ଆଇଆରଏମଏ) ଓ ଏଲଆଇସି ହାଉସିଂ ଫାଇନାନ୍ସର ମିଳିତ ଭାଗିଦାରୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ  ପ୍ରଧାନ କହିଛନ୍ତି ଯେ ଅମୃତ କାଳରେ ଭାରତ ନୂଆ ଦିଶା ଓ ଦୃଷ୍ଟିକୋଣ ରଖିଛି। ବିଶ୍ୱର ବିଶ୍ୱାସ ଭାରତ ଉପରେ ବଢିଛି। ଆମକୁ ଏବେ ଆମର ପାରମ୍ପରିକ ସାମଗ୍ରୀକୁ ବୈଶ୍ୱିକ ବଜାରରେ ଯୋଡିବାର ଉପାୟ ଅନ୍ୱେଷଣ କରିବାକୁ ହେବ। ଦେଶରେ ପ୍ରଶିକ୍ଷଣ ପାଇ ଘରେ ମାଆ ଓ ଭଉଣୀମାନେ ପ୍ରସ୍ତୁତ କରିଥିବା ସିଲାଇ କିମ୍ବା ଅନ୍ୟାନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ଆଣିବା ଦରକାର। ଏଥିପାଇଁ ଏହା  ଉପରେ ଉଦ୍ୟମ କରିବା ଦରକାର।

ଆଗାମୀ ଦିନରେ ଦେଶ ଦ୍ରୁତ ଗତିରେ ଅଭିବୃଦ୍ଧି ହେବ। ଭାରତ ଆଜି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନ ବଢୁଛି। ଏଭଳି ସମୟରେ ସୋସିଆଲ ଏଣ୍ଟରପାଇଜ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ଅଛି। ତାହାକୁ ଦୃଷ୍ଟିରେ ରଖି ସରକାରୀ ଫଣ୍ଡ୍ ଉପରେ ନିର୍ଭର ନ ହୋଇ ନିବେଶକଙ୍କ ପ୍ରତି ସଚ୍ଚୋଟପଣ ଦେଖାଇବାକୁ ଶ୍ରୀ ପ୍ରଧାନ ପରାମର୍ଶ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୟୁରୋପୀୟ ଓ ଭାରତୀୟ ବିଚାରଧାରାର ମୂଳ ଅନ୍ତର ରହିଛି। ୟୁରୋପୀୟ ବିଚାର ‘ମୁଁ’, ମୋର ଦୁନିଆ, ମୋର ଆଇଡିଆକୁ ଦର୍ଶାଉଛି। ମାତ୍ର ଭାରତ ‘ଆମେ’ରେ ବିଶ୍ୱାସ କରେ। ଏହିଭଳି ଭାବେ ଦୁନିଆ ସାମ୍ନାରେ ଅନ୍ୟମାନଙ୍କ ପାଇଁ ବଞ୍ଚିବାର ମଡେଲ ବନାଇବା ପାଇଁ ଶ୍ରୀ ପ୍ରଧାନ ଉପସ୍ଥିତ ସୋସିଆଲ ଏଣ୍ଟରପାଇଜର ଅଂଶୀଦାର ମାନଙ୍କୁ ପରାମର୍ଶ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଜନ୍ମମାଟି ପାଇଁ କିଛି କରି ନାହାଁନ୍ତି, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ପ୍ରଶ୍ନବାଣ ଛାଡିଲା ବିଜେଡି

ଭୁବନେଶ୍ୱର: ଜନ୍ମମାଟି ଢେଙ୍କାନାଳ ଓ ଅନୁଗୁଳର ବିକାଶକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି ବିଜେଡି। ନଅ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ କାଳରେ ଏହି ଦୁଇ ଜିଲ୍ଲା ପାଇଁ କ’ଣ ସବୁ କରିଛ ବୋଲି ସିଧାସଳଖ ପଚାରିଛନ୍ତି ବିଜେଡି ସାଂସଦ ମହେଶ ସାହୁ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ଶ୍ରୀ ସାହୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଭାବେ ଆପଣ ୯ ବର୍ଷ ଧରି କାର୍ଯ୍ୟ କରୁଛନ୍ତି। ହେଲେ ଜିଲ୍ଲା ପାଇଁ ଆପଣ କ’ଣ କରିଛନ୍ତି? ଆପଣ ମନ୍ତ୍ରୀ ହେବା ଦ୍ୱାରା ଢେଙ୍କାନାଳ-ଅନୁଗୁଳ ଜିଲ୍ଲା କିପରି ଉପକୃତ ହୋଇଛି? କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି।

ଢେଙ୍କାନାଳ ଏବଂ ଅନୁଗୁଳ ଦେଇ ସାଧାରଣ ଜନତା, ରୋଗୀ, ଅଫିସ୍ ଯାଉଥିବା ଲୋକେ, ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି। ଏହାର ଉନ୍ନତି ପାଇଁ ଆପଣ ୯ ବର୍ଷରେ କ’ଣ କରିଛନ୍ତି?

ଆପଣ ମନ୍ତ୍ରୀ ହୋଇଥିବା ନଅ ବର୍ଷ ମଧ୍ୟରେ ଢେଙ୍କାନାଳ-ଅନୁଗୁଳ ଲୋକଙ୍କ ପାଇଁ ରେଳବାଇରେ କୌଣସି ବିକାଶ ହୋଇନାହିଁ।ଏହି ଦୁଇ ଦୁଇ ଜିଲ୍ଲାରୁ ରେଳବାଇ ସର୍ବାଧିକ ରାଜସ୍ୱ ସଂଗ୍ରହ କରୁଛି। ତାଳଚେର-ବିମଳାଗଡରେ ଜଳପଥର କୌଣସି ଅଗ୍ରଗତି ହୋଇପାରିଲା ନାହିଁ । ତାଳଚେର ରେଳ ଷ୍ଟେସନ ଏବେବି ଗୁଡସ୍‍ ଷ୍ଟେସନ ହୋଇରହିଛି।କେନ୍ଦ୍ରମନ୍ତ୍ରୀ ଭାବେ ଜନ୍ମ ହୋଇ ଥିବା ନିଜ ଜିଲ୍ଲା ପାଇଁ ଆପଣ କ’ଣ କରିଛନ୍ତି?

ଟେଲି ଯୋଗାଯୋଗ ଢେଙ୍କାନାଳର ବିଭିନ୍ନ ଅଞ୍ଚଳ- ଅନୁଗୁଳରେ ବହୁତ ଖରାପ। ବ୍ୟାଙ୍କିଙ୍ଗ୍‌ସେବା ମଧ୍ୟ ଦୟନୀୟ ଅଟେ। ପରିସ୍ଥିତିକୁ ସୁଧାରିବା ପାଇଁ ମନ୍ତ୍ରୀ ହେବା ପରେ ଆପଣ କ’ଣ କରିଛନ୍ତି? ଆପଣ ହେଉଛନ୍ତି ଦେଶର ଶିକ୍ଷାମନ୍ତ୍ରୀ। ଆପଣ ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ କେତେ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି? ଆପଣ ଯେଉଁ ଜିଲ୍ଲାରେ ଜନ୍ମ ହୋଇଥିଲେ, ଶିକ୍ଷାମନ୍ତ୍ରୀ ହେବା ଦ୍ୱାରା ସେହି ଜିଲ୍ଲା କିପରି ଲାଭବାନ ହୋଇଛି?

ଓଡ଼ିଶା ସରକାର ୫-ଟି ମାଧ୍ୟମରେ ବିଦ୍ୟାଳୟ ଗୁଡ଼ିକୁ ରୂପାନ୍ତରିତ କରୁଛନ୍ତି । ଆପଣ ନିଜ ଗାଁ ବିଦ୍ୟାଳୟକୁ ୫-ଟି ସ୍ତରୀୟ ବିଦ୍ୟାଳୟ ପରି ରୂପାନ୍ତରିତ କରିଛନ୍ତି କି? ଢେଙ୍କାନାଳ-ଅନୁଗୁଳ ଜିଲ୍ଲା ଛାଡିଦିଅ, ଆପଣ ଗତ ୯ ବର୍ଷ ମଧ୍ୟରେ ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ କୌଣସି ନୂତନ ରାଷ୍ଟ୍ରାୟତ ସଂସ୍ଥା (ପିଏସୟୁ) ଆରମ୍ଭ କରିଛନ୍ତିକି?

ଆପଣ ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ ମଧ୍ୟ ଢେଙ୍କାନାଳକୁ ଗୋଟିଏ ପିଏସୟୁ ଆଣିଛନ୍ତି କି? ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ ଲୋକମାନେ ଏମସିଏଲ ଏବଂ ନାଲ୍‍କା ପାଇଁ ଜମି ହରାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଚାକିରି ମିଳିନାହିଁ । ଆପଣ ସେମାନଙ୍କ ପାଇଁ କ’ଣ କରିଛନ୍ତି?

ଏମସିଏଲ୍‍ ତାଳଚେରରେ ଦୁର୍ନୀତି ହେଉଛି। ଏଥିପ୍ରତି କେନ୍ଦ୍ର ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି କାହିଁକି ? ଏହାକୁ ରୋକିବା ପାଇଁ ଆପଣ କ’ଣ କରୁଛନ୍ତି? ଆଙ୍କାକ୍ଷୀ ଜିଲ୍ଲା ତାଲିକାରେ ଥିବା ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜଟିଏ ସ୍ୱପ୍ନ ହୋଇ ରହିଗଲା। ଆପଣଙ୍କର ପ୍ରତିବଦ୍ଧତା ମଧ୍ୟପ୍ରଦେଶ ଏବଂ ବିହାର ପାଇଁ, ଯେଉଁଠାରୁ ଆପଣ ନିର୍ବାଚିତ ହୋଇଛନ୍ତି ଏବଂ ସେଥିପାଇଁ ଆପଣ ସେଠାରେ ଧ୍ୟାନ ଦେଉଛନ୍ତି ଏବଂ ସେଠାରେ ସାହାଯ୍ୟ କରୁଛନ୍ତି।

କିନ୍ତୁ ଆପଣ ଜନ୍ମ ହୋଇଥିବା ଢେଙ୍କାନାଳ-ଅନୁଗୁଳ ଜିଲ୍ଲାରେ କିଛି କରି ନାହାନ୍ତି। ଯେତେବେଳେ ନିର୍ବାଚନ ଆସେ, ଆପଣ ଏଠାକୁ ରାଜନୀତି କରିବାକୁ ଆସନ୍ତି ବୋଲି ସାଂସଦ ଶ୍ରୀସାହୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ନେଇଥିବା ନିଷ୍ପତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ: ଭାରତୀୟ ଏବଂ ଆମେରିକୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ରଣନୈତିକ ଭାଗିଦାରୀକୁ ମଜଭୂତ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନେଇଥିବା ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ଏବଂ ଆମେରିକା ଦ୍ୱାରା ନିକଟରେ ଆରମ୍ଭ ହୋଇଥିବା ଇନିସିଏଟିଭ୍ ଆଣ୍ଡ୍ କ୍ରିଟିକାଲ ଆଣ୍ଡ୍ ଏମରଜିଂ ଟେକ୍ନୋଲୋଜି (ଆଇସିଇଟି) ଦୁଇ ଦେଶର ଭାଗିଦାରୀରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିବ। ଭାରତ ଏବଂ ଆମେରିକାରେ ବିଶେଷ କରି ଯୁବ ପ୍ରତିଭା ତଥା ନୂତନ ଯୁଗର ଜ୍ଞାନକୌଶଳ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସମନ୍ୱୟ ମୂଳକ ଗବେଷଣା ଓ ବିକାଶ କେନ୍ଦ୍ର ପ୍ରଦାନ କରି।

ଶ୍ରେଷ୍ଠ ଆଇଆଇଟି ଏବଂ ଆଇଆଇଏସସିକୁ ସାମିଲ କରି ଆସୋସିଏନ ଅଫ୍ ଆମେରିକା ୟୁନିଭରସିଟି ପକ୍ଷରୁ ଜଏଣ୍ଟ୍ ଟାସ୍କଫୋର୍ସ ଗଠନ ନେଇ ମଧ୍ୟ ଆଲୋଚନା ହୋଇଛି। ଏହି ଦୁଇ ନେତାଙ୍କ କଳ୍ପନାକୁ ସାକାର କରିବା ଦିଗରେ ଭାରତର ଶିକ୍ଷା ମନ୍ତ୍ରଣାଳୟ ସେମିକଣ୍ଡକ୍ଟର, ସ୍ଥାୟୀ କୃଷି, ସ୍ୱଚ୍ଛ ଇନ୍ଧନ, ସ୍ୱାସ୍ଥ୍ୟ, ମହାମାରୀ ପାଇଁ ପ୍ରସ୍ତୁତି ଓ ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଗବେଷଣା ଭାଗିଦାରୀ ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରିବା ପାଇଁ ଇଣ୍ଡୋ-ୟୁଏସ ଗ୍ଲୋବାଲ ଚ୍ୟାଲେଞ୍ଜ୍ ଇନଷ୍ଟିଚ୍ୟୁଟ୍ ସ୍ଥାପନ କରିବା ପାଇଁ କାର୍ଯ୍ୟ କରିବ।

ଶିଳ୍ପ ସଂସ୍ଥାର ସହଯୋଗ, ବିଶେଷଜ୍ଞ ଓ ଷ୍ଟାର୍ଟଅପର ଅନ୍ତର୍ଭୃକ୍ତିକରଣ ସହିତ ଏହି ଔପଚାରିକ ଭାଗିଦାରୀ ସୃଜନଶୀଳ ଚିନ୍ତାଧାରା, ଛାତ୍ର ବିନିମୟ ଓ ଯୁଗ୍ମ ବୌଦ୍ଧିକ କ୍ଷମତାକୁ ପ୍ରୋତ୍ସାହିତ କରିବ। ଏହା ଏକାଡେମିକ ଭାଗିଦାରୀ ଏକ ସ୍ଥାୟୀ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ସମାଧାନର ସୂତ୍ର ବାହାର କରିବା ଦିଗରେ ସହାୟକ ହେବ। ଶକ୍ତିଶାଳୀ ରାଷ୍ଟ୍ର ଗୁଡ଼ିକ ଶିକ୍ଷା ଏବଂ ଗବେଷଣାରେ ହାତ ମିଳାଇବା ଏକ ଐତିହାସିକ ମୁହୂର୍ତ୍ତ। କାରଣ ଆଗାମୀ ଦିନ ଗୁଡ଼ିକରେ ଏହି ସମ୍ପର୍କ ବିଶ୍ୱସ୍ତରରେ ପ୍ରଭାବ ପକାଇବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୁନେରେ ‘ଚତୁର୍ଥ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରୀସ୍ତରୀୟ ବୈଠକ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ପୁନେ: ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶ କଲେ ମାନବ ଜାତିର ପ୍ରଗତିରେ ହିଁ ନିବେଶ ହୋଇଥାଏ। ଜି-୨୦ର ରାଷ୍ଟ୍ର ସମୂହ ଓ ସଦସ୍ୟମାନେ ଜ୍ଞାନ, କୌଶଳ, ସାମାଜିକ ଆର୍ଥିକ ଦୂରତାକୁ ହ୍ରାସ କରିବା ସହ ଜୀବନବ୍ୟାପୀ ଶିକ୍ଷା ଗ୍ରହଣର ସୁଯୋଗ ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ସହ ଏକ ସମୃଦ୍ଧ ବିଶ୍ୱ ଗଢିବା ପାଇଁ ଆଗେଇ ଆସିବା ଖୁସିର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁନେରେ ଅନୁଷ୍ଠିତ ‘ଚତୁର୍ଥ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରୀସ୍ତରୀୟ ବୈଠକ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀର ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଏବଂ ଫଳାଫଳର ପ୍ରତିବଦ୍ଧତାକୁ ଦୋହରାଇଛି। ସବୁ ଦେଶ ନାଗରିକଙ୍କୁ ଶିକ୍ଷା ଏବଂ ଦକ୍ଷତା ଉପରେ ଅଧିକ ପ୍ରଧାନ୍ୟ ଦେବା ସହ ନାଗରିକଙ୍କ ଶିକ୍ଷା ଆହରଣକୁ ଜୀବନବ୍ୟାପୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବାକୁ ହେବ।

ଜି-୨୦ ବୈଠକରେ ଉଦଘାଟନୀ ସମାରୋହରେ ବିଭିନ୍ନ ଦେଶର ମନ୍ତ୍ରୀ, ପ୍ରତିନିଧି ମଣ୍ଡଳି ଓ ୟୁନିସ୍କୋ, ୟୁନିସେଫ ଓ ଓଇସିଡି ସହ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜି -୨୦ ବୈଠକ ମନ୍ତ୍ରୀସ୍ତରୀୟ ଆଲୋଚନାରୁ ଉର୍ଦ୍ଧ୍ୱକୁ ଯାଇ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ପରିସଂସ୍ଥାନର ୫.୨ କୋଟିରୁ ଉର୍ଦ୍ଧ୍ୱ ଷ୍ଟେକହୋଲଡର ଯୋଡି ହେବା ଖୁସିର ବିଷୟ। ଏହା ହିଁ ବାସ୍ତବରେ ବସୁଧୈବ କୁଟୁମ୍ବକମ କଥାବସ୍ତୁ ତଥା ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତର ଆତ୍ମାକୁ ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରରେ ମାନବ ଜାତିର କଲ୍ୟାଣ ଏବଂ ଗୁଣାତ୍ମକ ଶିକ୍ଷା ସହ ସୁଶାସନ ହେଉଛି ଭାରତର ଉଦ୍ଦେଶ୍ୟ। ଆମକୁ ସୁନିଶ୍ଚିତ କରିବାକୁ ପଡିବ ଯେ ସମଗ୍ର ବିଶ୍ୱର ଶିଶୁ ଓ ଯୁବପିଢି ସାମଗ୍ରିକ ଶିକ୍ଷାରୁ କିପରି ଲାଭ ପାଇବେ ଏବଂ ଏକବିଂଶ ଶତାବ୍ଦୀର କୌଶଳରେ ସଶକ୍ତ ହେବେ। ବ୍ରାଜିଲର ଅଧ୍ୟକ୍ଷତାରେ ଆଗାମୀ ଦିନରେ ହେବାକୁ ଥିବା ଜି-୨୦ ବୈଠକକୁ ଭାରତ ସମର୍ଥନ କରୁଛି। ଶିକ୍ଷା କ୍ଷେତ୍ରରେ ଥିବା ଆହ୍ୱାନକୁ ଚିହ୍ନଟ କରିବାରେ ଭାରତ ବ୍ରାଜିଲ ସହ କାର୍ଯ୍ୟ କରିବ ତଥା ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପକୁ ସକରାତ୍ମକ ପରିବର୍ତ୍ତନର ପ୍ରେରକ ଭାବେ ଉପସ୍ଥାପନା କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ୟୋସେଫ୍ ଅଲ୍ ବେନୟାନଙ୍କ ସହ ଉଚ୍ଚ ଶିକ୍ଷାରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ତଥା ବିଶେଷ ଭାବରେ ଉର୍ଜା ଓ ପେଟ୍ରୋକେମିକାଲ କ୍ଷେତ୍ରରେ ସୁଯୋଗ ପ୍ରଦାନ କରିବା ଦିଗରେ ଆଲୋଚନା କରିଥିଲେ। ଅନୁରୂପ ଭାବେ ଜାପାନର ଶିକ୍ଷା ମନ୍ତ୍ରୀ ନାଗୋକା କେକୋଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ସହଭାଗିତା ନେଇ ସମ୍ପର୍କକୁ ମଜଭୂତ କରିବା ନେଇ ଚର୍ଚ୍ଚା ହୋଇଥିଲା। ଭାରତର ପ୍ରତିଭାଶାଳୀ ମାନବ ସମ୍ବଳ ଓ ଜାପାନର କ୍ଷମତା ଉଭୟ ଦେଶ ପାଇଁ ଅନେକ ସମ୍ଭାବନା ରଖିଛି। ଭାରତ ଏବଂ ଜାପାନ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ କୌଶଳ, ପାଠ୍ୟକ୍ରମର ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିପାରିବେ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କଲେଜ୍ ଅଫ୍ ଇଞ୍ଜିନିୟରିଂ ପୁନେ ଟେକ୍ନୋଲୋଜି ୟୁନିଭର୍ସିଟିରେ ଇନୋଭେସନ, ଡିଜାଇନ ଓ ଏଣ୍ଟରପ୍ରିନେୟରସିପ ବୁଟ୍ କ୍ୟାମ୍ପର ଉଦଘାଟନ କରିଥିଲେ। ଏହି ବୁଟ୍ କ୍ୟାମ୍ପ ଦେଶର ଯୁବପିଢିଙ୍କୁ ବଡ଼ ଭାବିବା ଓ ବଡ଼ ସ୍ୱପ୍ନ ଦେଖିବା ପାଇଁ ଅନୁପ୍ରାଣିତ କରିବ ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବାରେ ସହାୟକ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୁନେରେ ‘ଚତୁର୍ଥ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପୁନେ ଠାରେ ଅନୁଷ୍ଠିତ ‘ଚତୁର୍ଥ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ’ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ୟୁଏଇ, ୟୁକେ, ଓମାନ ଏବଂ ମରିସସର ଶିକ୍ଷା ମନ୍ତ୍ରୀଙ୍କ ସମେତ ୟୁନିସେଫ୍ ଓ ଓଇସିଡି ସଂଗଠନର ପ୍ରତିନିଧିଙ୍କ ସହ ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ।

 

ଓମାନର ଉଚ୍ଚଶିକ୍ଷା, ଅନୁସନ୍ଧାନ ଏବଂ ନବସୃଜନ ମନ୍ତ୍ରୀ ଡା. ରହମା ଇବ୍ରାହିମ୍ ଅଲ୍ ମହାରୁକିଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ବିଶେଷତଃ ଉଚ୍ଚଶିକ୍ଷା, ଗବେଷଣା, ଉର୍ଜା, ଖାଦ୍ୟ ସୁରକ୍ଷା, ବାୟୋଟେକ୍ ଏବଂ ସ୍ଥାୟୀତ୍ୱ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବ୍ୟାପକ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ପ୍ରଧାନ। ଅନୁରୂପ ଭାବରେ ୟୁଏଇର ଶିକ୍ଷା ମନ୍ତ୍ରୀ ଅହମ୍ମଦ ବେନହଲ୍ ଅଲ୍ ଫାଲାସୀଙ୍କ ସହ ‘ସ୍କୁଲରୁ ସ୍କିଲ୍’ର କଳ୍ପନାକୁ ପୂରଣ କରିବା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସମ୍ମତି ପ୍ରକାଶ କରିଥିଲେ। ଏହି ବୈଠକରେ ଶ୍ରୀ ପ୍ରଧାନ ଭାରତ ଏବଂ ୟୁଏଇ ଛାତ୍ରଛାତ୍ରୀ ଏବଂ ଦକ୍ଷ ମାନବ ସମ୍ବଳର ସୁବିଧା ପାଇଁ ଡିଗ୍ରୀ ସମାନତା ଓ ଦକ୍ଷତା ସମନ୍ୱୟର ଫ୍ରେମଓ୍ୱାର୍କ ଉପରେ ଆଲୋଚନା କରିଥିଲେ।

ମରିସସର ଉପ ପ୍ରଧାନମନ୍ତ୍ରୀ ତଥା ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଲୀଲା ଦେବୀ ଡୁକୁନ – ଲୁଚୋମୁନଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆଲୋଚନା ହୋଇଥିଲା। ମୋରିସସରେ ପାଠ୍ୟକ୍ରମ ଗବେଷଣା ଏବଂ ବିକାଶ ପାଇଁ ଅନୁଷ୍ଠାନ ପ୍ରତିଷ୍ଠା ତଥା କ୍ଷମତା ବୃଦ୍ଧି କରିବା ପାଇଁ ଭାରତ ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ ଆଶ୍ୱାସନା ପ୍ରଦାନ କରିଥିଲେ । ୟୁକେର ସ୍କୁଲ ରାଷ୍ଟ୍ର ମନ୍ତ୍ରୀ ନିକ୍ ଗିବର ଶିକ୍ଷା ମନ୍ତ୍ରୀଙ୍କ ସହ ଧନ୍ଦାମୂଳକ ତାଲିମ ସହ ଦକ୍ଷତା ବିକାଶ କ୍ଷେତ୍ରରେ ବିଶେଷ ଭାବରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହଭାଗିତାକୁ ଆହୁରି ଦୃଢ଼ କରିବା ଦିଗରେ ଗୁରୁତ୍ୱାରୋପ ଦିଆଯାଇଥିଲା।

 

ୟୁନିସେଫର ଶିକ୍ଷା ଏବଂ କିଶୋର ବିକାଶର ନିର୍ଦ୍ଦେଶକ ରୋବର୍ଟ ଜେନକିନ୍ସ ତଥା ଓଇସିଡିର ଡେପୁଟି ସେକ୍ରେଟାରୀ ଜେନେରାଲ ୟୋସିକ୍ ଟି ଙ୍କ ସହ ଜି-୨୦ ସମ୍ପର୍କୀତ ବୈଠକ ଏବଂ ଗ୍ଲୋବାଲ ସାଉଥରେ ଭାରତର ପରିବର୍ତ୍ତନଶୀଳ ବିଷୟକୁ ରୂପାନ୍ତରଣ କରିବା ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବା ଦିଗରେ ଆଲୋଚନା କରିଥିଲେ। ସେହିପରି ୟୁନିସେଫ ଓ ଭାରତ ସରକାରଙ୍କ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଜାରି ରହିଥିବା କାର୍ଯ୍ୟ ଏବଂ ଫଳାଫଳ ନେଇ ଆଲୋକପାତ କରିଥିଲେ । ଜାତୀୟ ଶିକ୍ଷା ନୀତି ଆଧାରରେ ଶିଶୁଯତ୍ନ ଏବଂ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ୟୁନିସେଫ୍ ଓ ଭାରତର ସହଯୋଗକୁ ବ୍ୟାପକ କରିବା ପାଇଁ ଚର୍ଚ୍ଚା ହୋଇଥିଲା।

ଶ୍ରୀ ପ୍ରଧାନ ଜି-୨୦ ସମ୍ମିଳନୀର କଥାବସ୍ତୁ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଦେଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟରେ ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ‘ନବମ ଆନ୍ତର୍ଜାତିକ ଯୋଗ ଦିବସ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟରେ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ  ବିଭିନ୍ନ ଦେଶରୁ ଆସିଥିବା ସଦସ୍ୟମାନଙ୍କ ସହ ଯୋଗ ଦିବସ ପାଳନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନର ଚାପଗ୍ରସ୍ତ ଜୀବନଶୈଳିରେ ଯୋଗର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଏହି ଯୋଗ ପରମ୍ପରାକୁ ବିଶ୍ୱ ଗ୍ରହଣ କରିଛି। ନିଜ ସହ ଅନ୍ୟ ଜଣେ ମଣିଷ ସହିତ ଏହାର ଗଭୀର ସମ୍ପର୍କ ରହିଛି। ଯୋଗ ହେଉଛି ଏକ ସାମଗ୍ରିକ ଆଭିମୁଖ୍ୟ, ଯାହା ସଚେତନତାକୁ ପ୍ରୋତ୍ସାହିତ କରେ। ସାମର୍ଥ୍ୟକୁ ବଢାଇବା ସହ ଜୀବନର ମୂଳ ଅର୍ଥକୁ ବୁଝାଇଥାଏ। ସୁସ୍ଥ ଓ ସୁଖୀ ଜୀବନଯାପନ ପାଇଁ ସମସ୍ତେ ଦୈନନ୍ଦିନ ଜୀବନରେ ଯୋଗକୁ ଗ୍ରହଣ କରିବା ଆବଶ୍ୟକ। ବିଶ୍ୱରେ ଭାଇଚାରାକୁ ଅଧିକ ଦୃଢୀଭୂତ କରିବା ପାଇଁ ଯୋଗକୁ ଏକ ଜୈବନଶୈଳୀ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ପାଳନ କରିବା ପାଇଁ ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦ ନିକଟରେ ଅପିଲ୍ କରିଥିଲେ। ଏହାକୁ ବିଶ୍ୱର ଅନେକ ଦେଶ ସମର୍ଥନ ଦେଇଥିବାରୁ ଆଜି ସାରା ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଯୋଗକୁ ଲୋକପ୍ରିୟ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖନୀୟ ଯେ, ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ ଚତୁର୍ଥ ଶିକ୍ଷା ଓ୍ୱାର୍କି ଗ୍ରୁପ ବୈଠକ ପୁନେରେ ହେଉଥିବା ବେଳେ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବିଭିନ୍ନ ଜି-୨୦ ରାଷ୍ଟ୍ର ସମୂହର ପ୍ରତିନିଧି ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଓ ବିଶ୍ୱବାସୀଙ୍କୁ ପବିତ୍ର ‘ରଥଯାତ୍ରା’ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ସଂସ୍କୃତିରେ ରଥଯାତ୍ରାର ମହତ୍ତ୍ୱ ଉପରେ ଶ୍ରୀ ମୋଦୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରଭୁ ଜଗନ୍ନାଥଙ୍କ ଐଶ୍ୱରୀୟ ଯାତ୍ରା ଆମ ସମସ୍ତଙ୍କ ଜୀବନକୁ ସ୍ୱାସ୍ଥ୍ୟ, ସୁଖ ଏବଂ ଆଧ୍ୟତ୍ମିକତାରେ ପରିପୂର୍ଣ୍ଣ କରୁ।’

ସେହିଭଳି ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସହ ରଥଯାତ୍ରାରେ ସାମିଲ ହୋଇ ଓଡ଼ିଶା ଓ ବିଶ୍ୱବାସୀଙ୍କୁ ଏହି ପୁଣ୍ୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି।  

 

ରଥ ସମ୍ମୁଖରେ ଆଭୂମି ପ୍ରଣିପାତ ହେବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ଦର୍ଶନ ଏକ ଅପୂର୍ବ ମୁହୂର୍ତ୍ତ। ସେ ଲୀଳାମୟ, ତାଙ୍କ ଲୀଳା ଅପାର। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ।

ଓଡ଼ିଆ ଜାତି ଓ ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ଭାବର ଠାକୁର ଓ ଧାର୍ମିକ ସମନ୍ୱୟର ଦେବତା। ଆଜି କୋଟି କୋଟି ଶ୍ରଦ୍ଧାଳୁଙ୍କ ଗ୍ରହଣରେ ତାଙ୍କୁ ଦର୍ଶନ କରି ମୁଁ ବିମୋହିତ। ଶ୍ରୀ ପ୍ରଧାନ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମାନବ କଲ୍ୟାଣ ଓ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟ ଜଗତଗୁରୁ ପରମପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ସାକ୍ଷାତ୍ କରି ତାଙ୍କ ଆଶୀର୍ବାଦ ନେଇଥିଲେ। ସେ କହିଥିଲେ ଦେବା ଦେବୀଙ୍କର ଦର୍ଶନ ଯେତେ ପବିତ୍ର, ପୂଜ୍ୟ ସାଧୁ ସନ୍ଥଙ୍କ ଦର୍ଶନ ମଧ୍ୟ ସେତିକି ପବିତ୍ର। ଆଜି ଦେବ ଦର୍ଶନ ସହ ଗୁରୁ ଦର୍ଶନ କରିବା ଆନନ୍ଦର ବିଷୟ।

Categories
ଆଜିର ଖବର ରାଜ୍ୟ ଖବର

ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ କ୍ଷୋଭ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ଶିମିଳିପାଳ ଅଭୟାରଣ୍ୟରେ ଆଉ ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଘଟଣା ଉପରେ ଦୃଷ୍ଟି ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଆଉ ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ପ୍ରତ୍ୟେକ ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ପରିବେଶବିତଙ୍କ ପାଇଁ ଅଧିକ ଚିନ୍ତାର ବିଷୟ ହୋଇଛି। ଶିକାରୀ ଓ ସଂଗଠିତ ଶିକାର ରାକେଟକୁ ରୋକିବା ପାଇଁ ସବୁ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବନ୍ୟପ୍ରାଣୀ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଆବଶ୍ୟକ। ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ବସ୍ୱ ଦେଇଥିବା ମାଟି ହାଁସଦାଙ୍କ ଭଳି ଜଣେ ନିଷ୍ଠାପର ଅଫିସରଙ୍କ ମୃତ୍ୟୁ ନୈରାଶଜନକ। ପ୍ରାୟ ଏକ ମାସ ପୂର୍ବରୁ ଏହି ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ କାର୍ଯ୍ୟରତ ବନରକ୍ଷୀ ବିମଳ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା। ଶିକାରୀ ଓ ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ଏପରି ଲଜ୍ଜ୍ୟାଜନକ କାମ ଦୁର୍ଭାଗ୍ୟଜନକ। ଓଡ଼ିଶାର ଅଭୟାରଣ୍ୟରେ କେବଳ ବନ୍ୟ ଜୀବଜନ୍ତୁ ନୁହେଁ, ସେମାନଙ୍କୁ ସୁରକ୍ଷା ଦେଉଥିବା ବ୍ୟକ୍ତିମାନେ ମଧ୍ୟ ସୁରକ୍ଷିତ ନୁହନ୍ତି।

ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଟ୍ୱିଟକୁ ରି-ଟ୍ୱିଟ୍ କରି ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ କାର୍ଯ୍ୟରତ ସମୟରେ ଜଣେ ଯୋଦ୍ଧାଙ୍କ ମୃତ୍ୟୁ ହେବା ଖବରରେ ମୁଁ ଦୁଃଖତ। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ଘଟଣା ଉପରେ ଅନୁଧ୍ୟାନ ଆରମ୍ଭ କରିବା ସହ ଓଡ଼ିଶାକୁ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଏକ ଟିମ ପଠାଯାଇଛି। ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖାଯାଇଛି। ଅଭିଯୁକ୍ତ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯିବା ସହ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଆଇପିସି ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଏମ୍ ଜମ୍ମୁର ‘ଷଷ୍ଠ ବାର୍ଷିକ ଦୀକ୍ଷାନ୍ତ ସମାରୋହ’

ନୂଆଦିଲ୍ଲୀ: ଆମର ଯୁବବର୍ଗଙ୍କୁ ନିଯୁକ୍ତି ଅନ୍ୱେଷଣ କିମ୍ବା ନିଯୁକ୍ତି ଦାତା ନୁହେଁ ବରଂ ଓ୍ୱେଲଥ୍ କ୍ରିଏଟର ହେବାକୁ ପଡିବ। ଅର୍ଥାତ୍ ଦେଶରେ ସମ୍ପନ୍ନତା ଆଣିବା ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି ଶୁକ୍ରବାର ଆଇଆଇଏମ ଜାମ୍ମୁର ‘ଷଷ୍ଠ ବାର୍ଷିକ ଦୀକ୍ଷାନ୍ତ’ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଡିଗ୍ରୀ ଓ ମେଡାଲ ପାଇଥିବା ସମସ୍ତ ୨୨୫ ଜଣ ବିଦ୍ୟାର୍ଥୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ଆଗାମୀ ଦିନ ମାନଙ୍କରେ ଦେଶ ଓ ଦୁନିଆ ପ୍ରତି ତାଙ୍କର ଥିବା ଦାୟିତ୍ୱ ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ। ସେ କହିଛନ୍ତି ଆମର ବିଶ୍ୱ ଏକ ଗାଁ, ଏକ ପରିବାର ହୋଇସାରିଛି। ଆମର ଯୁବକଙ୍କ ଉପରେ ଦେଶ ଏବଂ ଦୁନିଆର କଲ୍ୟାଣ କରିବାର ଦାୟିତ୍ୱ ନ୍ୟସ୍ତ ରହିଛି।

 

ପ୍ରଧାନମନ୍ତ୍ରୀ ମୋଦି ଲାଲକିଲାରୁ କହିଥିଲେ ଯେ ପ୍ରଥମେ ପାଠପଢା, ଭଲ ଚାକିରି ଏବଂ ଉତ୍ତମ ଜୀବନ ଶୈଳୀ ହେବା ଦରକାର। ତେବେ ଆମର ଯୁବବର୍ଗଙ୍କୁ ନିଯୁକ୍ତି ଅନ୍ୱେଷଣ କିମ୍ବା ନିଯୁକ୍ତି ଦାତା ନୁହେଁ ଓ୍ୱେଲ୍ଥ କ୍ରିଏଟର ହେବାକୁ ପଡିବ। ତେବେ ଯାଇଁ ଦେଶରେ ସମ୍ପନ୍ନତା ବଢିବ। ଜାତୀୟ ଶିକ୍ଷା ନୀତି ଆମର ବ୍ୟକ୍ତିଗତ ଜ୍ଞାନକୁ ବଢାଇବା ସହ ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିବ। ଡିଜିଟାଲ ବିପ୍ଳବ ଏବଂ ଶିଳ୍ପ ବିଳ୍ପବ ୪.୦ ଭଳି ପରିବର୍ତ୍ତନ ନୂଆ ନୂଆ ସୁଯୋଗ ଓ ଚ୍ୟାଲେଞ୍ଜ୍ ତିଆରି କରୁଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

 

ଏହି କାର୍ଯ୍ୟକ୍ରମରେ ଜାମ୍ମୁ-କାଶ୍ମିରରେ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ଯୋଗଦେଇ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିଥିଲେ। ଏହାବ୍ୟତିତ ଶ୍ରୀ ପ୍ରଧାନ ଆଇଆଇଟି ଜମ୍ମୁ, ଆଇଆଇଏମ ଜମ୍ମୁ, ଏନଆଇଟି ଶ୍ରୀନଗର, ସେଣ୍ଟରାଲ ୟୁନିଭର୍ସିଟି ଅଫ୍ କାଶ୍ମିର ଏବଂ ସେଣ୍ଟରାଲ୍ ୟୁନିଭର୍ସିଟି ଅଫ୍ ଜମ୍ମୁର ସାମଗ୍ରିକ ଭିତ୍ତିଭୂମି ଓ ଆଗାମୀ ଦିନର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି କ୍ଷେତ୍ରରେ ଜମ୍ମୁ-କାଶ୍ମିରର ଯୁବକଙ୍କ ପାଇଁ ଥିବା ସୁଯୋଗ ଉପରେ ବୈଠକରେ ଆଲୋଚନା ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରୋଜଗାର ମେଳାର ଷଷ୍ଠ ପର୍ଯ୍ୟାୟରେ ୩୦୩ ଜଣଙ୍କୁ ନିଯୁକ୍ତିପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: “ବିଶ୍ୱ ସମସ୍ୟାର ସମାଧାନ ଆପଣଙ୍କ ପାଖରେ ଅଛି, ଏପରି ମନୋଭାବ ନେଇ ଯୁବବର୍ଗ ସେବା କରନ୍ତୁ”। ମଙ୍ଗଳବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ଷଷ୍ଠ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ୩୦୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିରତଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାରୀ ଚାକିରିର ନିଜସ୍ୱ ମାନ, ମର୍ଯ୍ୟାଦା ଓ ଦାୟିତ୍ୱ ଅଛି। ଆଜି ସରକାରୀ ଚାକିରି କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ, ସାମାଜିକ ଦୃଷ୍ଟିରୁ ମଧ୍ୟ ମର୍ଯ୍ୟାଦାଜନକ ହୋଇଛି। ସମାଜର ସାମୂହିକ ପ୍ରୟାସ ବଳରେ ଆଜି ନବନିଯୁକ୍ତ ଯୁବସାଥୀମାନେ ସେହି ମର୍ଯ୍ୟାଦାର ଅଧିକାରୀ ହେଲେ ଓ ତାଙ୍କ ଦାୟିତ୍ୱ ମଧ୍ୟ ବଢିଲା। ସେମାନେ ନିଜ ନିଜ ପଦବୀରେ ରହି ସାମାଜିକ ଓ ଲୋକମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଦରକାର।

ଆଜି ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ୭ଠ ହଜାରରୁ ଅଧିକ ଯୁବକ ଯୁବତୀମାନେ ବିଭିନ୍ନ ସରକାରୀ ବିଭାଗରେ କାମ କରିବା ପାଇଁ ରୋଜଗାର ପତ୍ର ପାଇଛନ୍ତି। ଏହା ଆମ ଦେଶ ପାଇଁ ଗର୍ବ ଓ ଗୌରବର ଉପଲବ୍ଧି। ରଥଯାତ୍ରାର ପବିତ୍ର ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି। ଓଡ଼ିଶାରେ ନିଯୁକ୍ତି ପାଇଥିବା ଦକ୍ଷ ଯୁବସାଥୀମାନେ ରାଷ୍ଟ୍ରାୟତ ବ୍ୟାଙ୍କ୍ ସମୂହ, ଭାରତୀୟ ରେଳ, ଡ଼ାକ ବିଭାଗ, ଇଏସଆଇସି, ଏଏସଆଇ, ଇନକମ ଟ୍ୟାକ୍ସ, ଡିଆରଡିଓ, ଏମ୍ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର ସମେତ ବିଭିନ୍ନ ବିଭାଗରେ ଜନସେବା କରିବାର ନୂଆ ଦାୟିତ୍ୱ ନେଇଛନ୍ତି।

କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଦାୟିତ୍ୱ ଓ କୋଭିଡ୍ ଯୋଦ୍ଧାଙ୍କ ପରିଶ୍ରମ ସହ ୧୪୦ କୋଟି ଭାରତୀୟଙ୍କ ଦୃଢ ଇଚ୍ଛାଶକ୍ତି ବଳରେ ଆମେ ମହାମାରୀକୁ ପରାଜୟ କରିବାରେ ସଫଳ ହୋଇଥିଲେ। ସଂକଟକୁ ସୁଯୋଗରେ ପରିଣତ କଲେ। ଭାରତ ବିକଶିତ ରାଷ୍ଟ୍ରକୁ ଟିକା ଓ ପିପିଇ କିଟ୍ ସହ ଔଷଧ ପଠାଇବାରେ ଭାରତ ସାହାଯ୍ୟ କଲା।

ସେହିପରି ଦେଶକୁ ଆଗକୁ ନେବା ପାଇଁ ଭାବିବା ସହ ଓଡ଼ିଶାରେ ନିଯୁକ୍ତି ପାଉଥିବା ଯୁବବର୍ଗଙ୍କୁ ଓଡ଼ିଆ ଭାଷା ଶିଖିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ ଓଡ଼ିଆ ବହୁତ ଭଲ ଭାଷା। ମଧୁର ଭାଷା। ଅନ୍ତତଃ ଏହାକୁ ଓଡ଼ିଶାରେ ନିଯୁକ୍ତ ପାଉଥିବା ଯୁବକ ଯୁବତୀମାନେ ଓଡ଼ିଆ ଶିଖିଲେ ନୂଆ ଭାଷା ଶିଖିଲେ ବୋଲି ଜାଣିବେ ସେ କହିଛନ୍ତି।

ଦେଶରେ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭର କରିବା ପାଇଁ,  ନିଜେ ସ୍ୱାଭିମାନ ସହ ଆଗକୁ ବଢିବା ପାଇଁ ଭାରତ ସରକାରଙ୍କ ରୋଜଗାର ମାଧ୍ୟମରେ ଅଭିନବ ପ୍ରୟାସ କରିଛନ୍ତି। ଏହାସହ କେବଳ ପ୍ରତ୍ୟକ୍ଷ ନିଯୁକ୍ତି ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବିକାଶର  କାମ କରୁଛନ୍ତି ମୋଦି ସରକାର।

ଆଜି ଆମ ଓଡ଼ିଆ ଝିଅ, ଭାରତର ଗୌରବ ମାନ୍ୟବର ମାନ୍ୟବର ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଉଛି। ପାପୁଆ ନ୍ୟୁ ଗିନି ଗସ୍ତ କାଳରେ ସେଠାକାର ମାନ୍ୟବର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ସ୍ୱାଗତ କରୁଛନ୍ତି। ଏହା କେବଳ ଆମ ଦେଶର ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇବାର ଆବେଗ ନ ଥିଲା ବରଂ ଏହା ଥିଲା ୧୪୦ କୋଟି ଭାରତୀୟଙ୍କ ସମ୍ମାନ, ଯାହାକୁ ବିଶ୍ୱ ଦେଖିଲା। ଏକ ଦୃଢ଼, ଦକ୍ଷ ଓ ଓଜସ୍ଵୀ ନେତୃତ୍ଵରେ ଭାରତର ସମ୍ମାନ ଆଜି ବିଶ୍ଵର କୋଣ ଅନୁକୋଣରେ ବୃଦ୍ଧି  ପାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଲାଙ୍ଗୀରରେ ‘ପିଆର୍ ହାଇସ୍କୁଲ ଇନଡୋର ଷ୍ଟାଡିୟମ’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ସହରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ‘ପୃଥ୍ୱୀରାଜ ହାଇସ୍କୁଲ ଇନଡୋର୍ ଷ୍ଟାଡିୟମ’ ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ମଜବୁତ୍ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଗେଲ୍ ଇଣ୍ଡିଆର ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅଧୀନରେ ୯ କୋଟି ୯୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମର ଉଦଘାଟନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଖେଳ ଜଣେ ବ୍ୟକ୍ତିର ସାମଗ୍ରିକ ବିକାଶକୁ ବର୍ଦ୍ଧିତ କରେ। ଏହି ଷ୍ଟାଡିୟମ କ୍ରୀଡ଼ା କ୍ଷେତ୍ରରେ ବଲାଙ୍ଗୀରର ସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବ୍ୟକ୍ତିତ୍ୱକୁ ବିକଶିତ କରିବାରେ ସହାୟକ ହେବ। ପିଲାଙ୍କୁ ଶାରୀରିକ ରୂପେ ସୁସ୍ଥ ରଖିବା ପାଇଁ ଜାତୀୟ ଶିକ୍ଷା ନୀତିରେ ପାଠପଢା ସହ ଖେଳକୁ ପ୍ରାଥମିକତା ଦିଆଯାଇଛି। ଆଜି ବଲାଙ୍ଗୀରରେ ଏଭଳି ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ସହ ଷ୍ଟାଡିୟମ ନିର୍ମାଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ। ଏହି ଷ୍ଟାଡିୟମ ପଶ୍ଚିମ ଓଡ଼ିଶା ଓ ବଲାଙ୍ଗୀରରେ କ୍ରୀଡା ଭିତ୍ତିଭୂମିକୁ ମଜବୁତ୍ କରିବାରେ ସହାୟକ ହେବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ସ୍ତରର ଖେଳ ଆୟୋଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାସହ ବଲାଙ୍ଗୀରର ସବୁ ସ୍କୁଲକୁ ନେଇ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା କରିବା ପାଇଁ ଶ୍ରୀ ପ୍ରଧାନ ଜିଲ୍ଲା ଆଥଲେଟିକ୍ ଆସୋସିଏସନକୁ ଦାୟିତ୍ୱ ନେବା ପାଇଁ କହିଛନ୍ତି।

ପିଆର୍ ହାଇସ୍କୁଲରେ ନବନିର୍ମିତ ଇନଡୋର ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିଛି। ଏଥିରେ ଜାତୀୟ ସ୍ତରର ୪ଟି ବ୍ୟାଡମିଣ୍ଟନ କୋଟ ରହିଛି। ପଶ୍ଚିମ ଓଡ଼ିଶା ଏବଂ ବିଶେଷ କରି ବଲାଙ୍ଗୀର ଜିଲ୍ଲାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ାରେ ଆଗକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ଯୁବପିଢ଼ିଙ୍କ କ୍ରୀଡ଼ା ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ଭିତ୍ତିଭୂମି ଯୋଗାଇଦେବ।  ଜରୁରୀ। ଯହାଦ୍ୱାରା ସେମାନଙ୍କ ପ୍ରତିଭା ଓ ମନୋବଳ ସୁଦୃଢ କରାଯାଇପାରିବ। ଏହି ଷ୍ଟାଡିୟମ ଦେଶର ଦୁର୍ଗମ ଅଞ୍ଚଳରs କୋଣ ଅନୁକୋଣରେ ରହୁଥିବା ଗାଁରେ ଥିବା କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରି ଲୋକଲୋଚନକୁ ଆଣିବାରେ ସଫଳ ହେବ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବଲାଙ୍ଗୀରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ଧାନ ସମେତ କୃଷି ଉତ୍ପାଦିତ ସାମଗ୍ରୀର ଏମଏସପି ମୂଲ୍ୟକୁ ବୃଦ୍ଧି କରିବା ହେଉ କିମ୍ବା ଚାଷ କ୍ଷେତ୍ରକୁ ମଜବୁତ କରିବା ହେଉ, ପ୍ରଧାନମନ୍ତ୍ରୀ ସର୍ବଦା ଏହି ଅଞ୍ଚଳର ଚାଷୀଙ୍କୁ ସହଯୋଗ କରି ଆସିଛନ୍ତି। ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରେ ନିର୍ମାଣାଧୀନ ବରଗଡ଼ ସ୍ଥିତ ଜୈବ ଇଥାନଲ ପ୍ଲାଣ୍ଟ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ବରଗଡ ସମେତ ବଲାଙ୍ଗୀର, ସମ୍ବଲପୁର ଓ ସୋନପୁରର ଆଖପାଖ ଅଞ୍ଚଳର ଚାଷୀଙ୍କ ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବରଗଡ଼ରେ ୨ଜି ଜୈବ ଇଥାନଲ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ବରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ଶାସନ ପୂର୍ତ୍ତି ଅବସରରେ ‘ବିକାଶ ତୀର୍ଥ ଯାତ୍ରା’ ଅନ୍ତର୍ଗତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବରଗଡ ସ୍ଥିତ ବିପିସିଏଲର ନିର୍ମାଣଧୀନ ୧ଜି ଜୈବ ଇଥାନଲ ପ୍ଲାଣ୍ଟ ଓ ୨ଜି ଜୈବ ଇଥାନଲ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ଓ ପ୍ରକଳ୍ପ ଅଧିକାରୀଙ୍କ ସହ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେଉଥିବା ଏହି ଇଥାନଲ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର କୃଷି ଆଧାରିତ ଶିଳ୍ପକୁ ତ୍ୱରାନ୍ୱିତ କରିବ। ମୋଟ ପ୍ରାୟ ୭୦ ଏକର ପରିମିତ ଜମିରେ ପ୍ରତିଷ୍ଠା ହେଉଥିବା ଏହି ପ୍ଲାଣ୍ଟ ଦୈନିକ ୨୦୦ କିଲୋ ଲିଟର ଇଥାନଲ ଉତ୍ପାଦନ କରିବ। ଓ୍ୱେଷ୍ଟ ଟୁ ଓ୍ୱେଲଥକୁ ପ୍ରୋତ୍ସାହନ ଦେବ ତଥା ଏହି ପ୍ଲାଣ୍ଟ୍ ନଡା, ବଳକା ଓ ଖରାପ ହୋଇଯାଇଥିବା ଚାଉଳରୁ ଇଥାନଲ ପ୍ରସ୍ତୁତ କରିବ। ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର ସମେତ ଆଖପାଖ ଅଞ୍ଚଳର ଚାଷୀଙ୍କ ଆୟକୁ ବୃଦ୍ଧି କରିବାରେ ସହାୟକ ହେବ।  ସ୍ଥାନୀୟ ଅଞ୍ଚଳରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ସୃଷ୍ଟି ହେବ। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ପ୍ଲାଣ୍ଟ୍ ସବୁଜ ଇନ୍ଧନକୁ ପ୍ରୋତ୍ସାହନ ଦେବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ନୂଆ ତଥା ବିକଳ୍ପ ଉର୍ଜା ଆଣିବା ପାଇଁ ଆହ୍ୱାନ କରିଛନ୍ତି। ଇଥାନଲ, ଅକ୍ଷୟ ଉର୍ଜା କିମ୍ବା ହାଇଡ୍ରୋଜେନ ; ସବୁ ପ୍ରକାର ସ୍ଥାୟୀ ଉର୍ଜା ଭାରତର ଉପଲବ୍ଧ ପ୍ରାକୃତିକ ସମ୍ପଦରୁ ଆସୁ, ଏହା ଉପରେ ଭାରତ ସରକାର ପ୍ରାଥମିକତା ଦେଉଛନ୍ତି। ପାଳ ବା ନଡା ଓ ବଳକା ଚାଉଳରୁ ଇଥାନଲ ପ୍ରସ୍ତୁତ କରିବା ପାଇଁ ଦେଶର ପ୍ରଥମ ୨ଜି ଓ ୧ଜି ଇଥାନଲ ପ୍ଲାଣ୍ଟ୍ ବରଗଡରେ ହୋଇଛି। ଏହି ପ୍ଲାଣ୍ଟର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସମାଜ ପାଇଁ ସବୁଠୁ ବଡ଼ ଯୋଗଦାନ ଏହି ଅଞ୍ଚଳ ପାଇଁ ମୋଦି ସରକାରଙ୍କର ଅଛି। ଖୁବ ଶୀଘ୍ର ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଆଶା କରାଯାଉଛି।

କେବଳ ବଗରଡ ନୁହେଁ ପଡ଼ୋଶୀ ଛତିଶଗଡ଼ ଓ ପଶ୍ଚିମବଙ୍ଗ ସହ ସୋନପୁରରେ ନୂଆ ଇଥାନଲ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିପାଇଁ ଇଥାନଲ ଇଞ୍ଜିନିୟରିଂ, ଅର୍ଥନୀତି ଏବଂ ପ୍ରଯୁକ୍ତିବିଦ୍ୟାକୁ ଧ୍ୟାନରେ ରଖି ନୂତନ ଦକ୍ଷତା ଥିବା ମାନବ ସମ୍ବଳ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ଏବଂ ପ୍ରକଳ୍ପ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି କନ୍ଦ୍ରମନ୍ତ୍ରୀ। ଏହା ଦ୍ୱାରା ଏହି ଅଞ୍ଚଳର ଯୁବକଯୁବତୀଙ୍କୁ ନୂଆ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ କହିଛନ୍ତି।

ସେହିପରି ଶ୍ରୀ ପ୍ରଧାନ ଏହି ପ୍ରକଳ୍ପ ପାଇଁ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବା ନିମନ୍ତେ ଆଞ୍ଚଳିକ ସରକାରୀ ଆଇଟିଆଇ ଅନୁଷ୍ଠାନରେ ଟେକ୍ନୋଲୋଜି ଆଧାରାତି ନୂଆ ଦକ୍ଷତା ପାଠ୍ୟକ୍ରମ ଓ ମଡ୍ୟୁଲ୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଆଉ ଏକ ପରାମର୍ଶ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ବରଗଡ଼ ଜିଲ୍ଲା ଏକ କୃଷିଭିତ୍ତିକ ଅଞ୍ଚଳ । ଧାନ ଓ ଚାଉଳ ଏ ଜିଲ୍ଲାର ଅର୍ଥନୀତି ମୂଳ ଆଧାର। ଏହାକୁ ଧ୍ୟାନରେ ରଖି ମୋଦି ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ବଳକା ଓ ଖରାପ ଚାଉଳରୁ ଇଥାନଲ ପ୍ରସ୍ତୁତ ହୋଇ ପେଟ୍ରୋଲ ଓ ଡିଜେଲରେ ମିଶାଇଲେ ପରିବେଶ ପ୍ରଦୂଷଣ କମିବ ଏବଂ ଚାଷୀ ମାନଙ୍କ ପାଇଁ ଅର୍ଥନୀତିଙ୍କ ସବଳ କରିବ। ଏହାକୁ ଧ୍ୟାନରେ ରଖି ଗତ ୯ ବର୍ଷରେ ଚିନି ଶିଳ୍ପର ପୁନଉଦ୍ଧାର ପାଇଁ ଆଖୁଛେଦାରୁ ଇଥାନଲ ବାହାର କରି ପେଟ୍ରୋଲିୟମ ପ୍ରଡକ୍ଟର ୧୦ ପ୍ରତିଶତର ଲକ୍ଷ୍ୟ ବହୁତ ପୂର୍ବରୁ ପୂରଣ ହୋଇଛି। ଏବେ ଏହାକୁ ୨୦ ପ୍ରତିଶତ କରିବା ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି। ଏହି ପ୍ଲାଣ୍ଟ ପଶ୍ଚିମ ଓଡ଼ିଶାର ନୂଆ ଅଧ୍ୟାୟ ସହ ଯୋଡି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ ୧୦ ଅକ୍ଟୋବର ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିମ ମନ୍ତ୍ରୀ ଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ତାଙ୍କର ଦାୟିତ୍ୱରେ ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମହାମହିମ ରାଜ୍ୟପାଳଙ୍କ କରକମଳରେ ଏହି କାରଖାନାର ଶିଳାନ୍ୟାସ ହୋଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସିବେ ଅମିତ ସାହା, ପଟ୍ଟଶିଷ୍ୟ ଧର୍ମେନ୍ଦ୍ରଙ୍କ ପାଇଁ କରିବେ ଜନସଂପର୍କ ଯାତ୍ରା

ଭୁବନେଶ୍ବର: ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ସାହା। ଆସନ୍ତା ୧୭ ତାରିଖରେ ସେ ଓଡିଶା ଆସି ଢେଙ୍କାନାଳରେ କରିବେ ଜନ ସଂପର୍କ ଯାତ୍ରା। ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଲଢେଇ କରିବେ। ସେଥିପାଇଁ ସାହା ତାଙ୍କ ପଟ୍ଟଶିଷ୍ୟଙ୍କ ପାଇଁ ଢେଙ୍କାନାଳରୁ ଆରମ୍ଭ କରିବେ ଓଡିଶାର ଜନସଂପର୍କ ଯାତ୍ରା।

ଓଡିଶାରେ ଏହି ଯାତ୍ରାକୁ ସଫଳ କରାଇବା ପାଇଁ ଖୋଦ ଧର୍ମେନ୍ଦ୍ରଙ୍କ ସହିତ ପୁରା ବିଜେପି ଟିମ ଜୋରଦାର ଲାଗିପଡିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଆରମ୍ଭ କରିଛି ଜନ ସଂପର୍କ ଯାତ୍ରା। ଏଥିରେ ଯେଉଁ ଆସନରେ ବିଜେପି ସାଂସଦ ନାହାଁନ୍ତି ସେହିସବୁ ଆସନରେ ଏହି ଯାତ୍ରା କରାଯିବ। ସେହି ପରିପ୍ରେକ୍ଷାରେ ଓଡିଶାରେ ଏହି ଯାତ୍ରା ଢେଙ୍କାନାଳ ଆସନରୁ ଆରମ୍ଭ ହେବ।

ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସାରା ଦେଶରେ ୫୧ଟି ‘ମହାରାଲି’ ଆୟୋଜନ କରାଯିବ। ଏଥିରୁ ଓଡିଶାରେ ୪ଟି ‘ମହାରାଲି’ ହେବ। ଓଡିଶାର ଏହି ଚାରୋଟି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ସାହା, ରାଜାନାଥ ସିଂ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ରାଜ୍ୟ ବିଜେପି ତରଫରୁ ବ୍ୟାପକ ଆୟୋଜନ ମଧ୍ୟ କରାଯାଉଛି।

ଓଡିଶା ରାଜନୀତି ପରିପ୍ରେକ୍ଷୀରେ ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଢେଙ୍କାନାଳ ଆସନ ଉପରେ ପୁରା ଫୋକସ କରିଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀ ଛାଡି ଢେଙ୍କାନାଳରେ ଡେରା ପକାଇଛନ୍ତି। ଗାଁକୁ ଗାଁ ବୁଲିବୁଲି ସେ ଲୋକ ସଂପର୍କ ଯୋଡିବାରେ ଲାଗିଛି। ଏହି ସମୟରେ ଅମିତ ସାହା ଆସି ଢେଙ୍କାନାଳରୁ ପ୍ରଚାର କରିବା ତାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି।

ଧର୍ମେନ୍ଦ୍ର କୌଣସି ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା ନ କରି ରାଜ୍ୟସଭାରୁ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ହେଲେ ଏଥର ଆଉ ରାଜ୍ୟସଭା ସଦସ୍ୟଙ୍କୁ ମନ୍ତ୍ରୀପଦ ଦିଆ ଯିବ ନାହିଁ ବୋଲି ଜଣାପଡିବା ପରେ ଧର୍ମେନ୍ଦ୍ର ଢେଙ୍କାନାଳରୁ ଲଢେଇ କରିବା ପାଇଁ ଅଣ୍ଟା ଭିଡିଛନ୍ତି।

ଏହି ଆସନରୁ ବର୍ତ୍ତମାନ ମହେଶ ସାହୁ ବିଜେଡି ସାଂସଦ ଅଛନ୍ତି। ବିଜେଡି ଏଥର ମହେଶଙ୍କୁ ଟିକେଟ ନ ଦେଇ ଅନ୍ୟ କାହାକୁ ଦେବ ବୋଲି ନିଷ୍ପତି କରିଛି। ଫଳରେ ବିଜେଡି ପ୍ରାର୍ଥୀ ଉପରେ ଧର୍ମେନ୍ଦ୍ରଙ୍କ ହାରିବା ଜିତିବା ନିର୍ଭର କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଉଦଘାଟିତ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦଘାଟନ କରିଛନ୍ତି। ଏହା ସେଣ୍ଟର ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପରିବର୍ତ୍ତନ ତ୍ୱରାନ୍ୱିତ କରିବ ଓ ଆପ୍ଲିକେସନ୍ ଦ୍ୱାରା ପରିଚାଳିତ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସ୍ଥାପତ୍ୟ ଆଦି କ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ ଏଆର ଏବଂ ଭିଆର ପାଖରେ ଅପାର ସାମର୍ଥ୍ୟ ରହିଛି। ଏହିଭଳି ଭାବେ ଆଇଆଇଟି ଭୁବନେଶ୍ୱର  ନ୍ୟୁ ଇଣ୍ଡିଆର ପରିବର୍ତ୍ତିତ ଆକାଂକ୍ଷା ସହ ତାଳ ଦେଇ ନବସୃଜନ ଏବଂ ସମାଧାନର ସ୍ଥାନୀୟକରଣ କରିବା ଉପରେ ଗୁରୁତ୍ୱ ଦେବା ଦରକାର।

ଆଇଆଇଟି ଭୁବନେଶ୍ୱର ଉନ୍ନତମାନର ପରୀକ୍ଷାମୂଳକ ସୁବିଧା ପ୍ରଦାନ କରିବା ପାଇଁ ଦୁଇଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ପ୍ରଶଂସନୀୟ। ଗୋଟିଏ ହେଲା ମ୍ୟାଟେରିଆଲ ପଦ୍ଧତିକୁ ଜାଣିବା ସହ ପ୍ରକ୍ରିୟାକରଣ, ଉତ୍ପାଦନ କେନ୍ଦ୍ର ଏବଂ ଅନ୍ୟଟି ହେଲା ଲାବୋରେଟୋରୀ  ଗ୍ରୋନ ଡାଇମଣ୍ଡ କେନ୍ଦ୍ର। ଏହି ସୁବିଧା ଶିକ୍ଷାନୁଷ୍ଠାନର ଗବେଷଣା ଓ ବିକାଶ ଏବଂ ନବସୃଜନ କ୍ଷେତ୍ରକୁ ସମ୍ପ୍ରସାରଣ କରିବ। ମ୍ୟାଟେରାଲ ସାଇନ୍ସରେ ନବସୃଜନ ଏବଂ ଗବେଷଣାକୁ ସୁଦୃଢ଼ କରିବ। ଶିଳ୍ପ-ଶିକ୍ଷାଗତ ସମ୍ପର୍କକୁ ପ୍ରୋତ୍ସାହିତ କରିବା ସହ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ବିକାଶରେ ସହାୟତା କରିବ । ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସଙ୍ଗେସଙ୍ଗେ ନିଯୁକ୍ତି ବୃଦ୍ଧି କରିବ ଏବଂ ଭାରତକୁ ଆତ୍ମନିର୍ଭର କରିବ।

ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନର ନବନିଯୁକ୍ତ ସମସ୍ତ ଅଧ୍ୟାପକମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ। ଯୁବକମାନଙ୍କ ମନରେ ସାମାଜିକ ଦାୟିତ୍ୱ ସୃଷ୍ଟି କରିବା ଏବଂ ଜାତୀୟ ଶିକ୍ଷା ନୀତିର ଦର୍ଶନ ଅନୁଯାୟୀ ବୈଶ୍ୱିକ ନାଗରିକ ହେବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଜାତୀୟ ଶିକ୍ଷା ନୀତି ହେଉଛି, ଏକବିଂଶ ଶତାବ୍ଦୀରେ ବିଶ୍ୱର ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ଭଳି ଏକ ଦାର୍ଶନିକ ତତ୍ତ୍ୱ। ଏକ ଆଧୁନିକ, ସାଂସ୍କୃତିକ ଭିତ୍ତିକ ଓ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଆମେ ସମସ୍ତେ ଏହାକୁ କାର୍ଯ୍ୟକାରୀ କରିବା ଉଚିତ୍।

ଆଇଆଇଟି ଭୁବନେଶ୍ୱର ଠାରେ ଶ୍ରୀ ପ୍ରଧାନ ଆଇଆଇଟି ଭୁବନେଶ୍ୱର ସମେତ ଆଇଆଇଏମ ସମ୍ବଲପୁର, ଏନଆଇଟି ରାଉରକେଲା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଏବଂ ଆଇଜର ବ୍ରହ୍ମପୁରର ଭିତ୍ତିଭୂମି, ରିସର୍ଚ୍ଚ ପ୍ରଜେକ୍ଟ ଏବଂ ଏକାଡେମିକ୍ ପ୍ରୋଗ୍ରାମ ଉପରେ ଶ୍ରୀ ପ୍ରଧାନ ସମୀକ୍ଷା କରିଥିଲେ।

ଆଇଆଇଟି ପରିସରରେ ବୃକ୍ଷରୋପଣ କରିବା ସହ କ୍ୟାମ୍ପସକୁ ସବୁଜ ଓ ସୁନ୍ଦର ରଖିବା ବ୍ୟାପକ ବୃକ୍ଷରୋପଣ ଅଭିଯାନ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଇଆଇଟି ଆସିଲେ ନୂଆ ବିଷୟ ଜାଣିବାକୁ ମିଳିଥାଏ। ଏହି ଅନୁଷ୍ଠାନ ଆମକୁ ସର୍ବଦା ନୂଆ ଉର୍ଜା, ପ୍ରେରଣା ଦେଇଥାଏ ଏବଂ ଶିକ୍ଷାର୍ଥୀମାନଙ୍କୁ ନିଜ ଭିତରେ ଜାଗ୍ରତ କରିଥାଏ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଧାନ ସମେତ ଖରିଫ ଫସଲର ଏମଏସପି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଧାନ ସମେତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ନିଷ୍ପତି ଓଡ଼ିଶା ସମେତ ଭାରତବର୍ଷର ଚାଷୀ ଭାଇ ଭଉଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଉପହାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଛି । ଯାହା ଫଳରେ ଧାନର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରେ ପହଞ୍ଚିଛି। ୨୦୧୪-୧୫ ବର୍ଷରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୩୬୦ ଟଙ୍କା ଥିବା ବେଳେ ୨୦୨୨-୨୩ ବର୍ଷରେ ୨୦୪୦ ଟଙ୍କା ଥିଲା। କ୍ରମାଗତ ଏମଏସପି ବୃଦ୍ଧି କରି ଚାଷୀଙ୍କୁ ସ୍ୱାବଲମ୍ବୀ କରାଯାଉଛି।

ଧାନ ସମେତ ବିଭିନ୍ନ ଖରିଫ ଫସଲର ଏମଏସପି ବୃଦ୍ଧି ନିଷ୍ପତି ଚାଷୀଙ୍କ ସମୃଦ୍ଧି ଏବଂ କଲ୍ୟାଣ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । କୋଟି କୋଟି ଅନ୍ନଦାତାଙ୍କୁ ଲାଭ ଦେବାକୁ ଥିବା ଏହି ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର କୃଷକ ଦିଗରେ ଆଉ ଏକ ପଦକ୍ଷେପ।

ସେହିପରି ବିଏସଏନଏଲର ନବୀକରଣ ପାଇଁ ୮୯ ହଜାର କୋଟି ଟଙ୍କାର ପ୍ୟାକେଜକୁ ଅନୁମୋଦନ ସ୍ୱାଗତଯୋଗ୍ୟ। ଏହି ଅର୍ଥର ବ୍ୟବହାର ବିଏସଏନଏଲର ୪ଜି ଓ ୫ଜି ସେବା ବୃଦ୍ଧି କରିବା ପାଇଁ ବ୍ୟୟବରାଦ କରାଯିବ। ଏହା ଦ୍ୱାରା ସମଗ୍ର ଭାରତବର୍ଷରେ ଇଣ୍ଟରନେଟର ବ୍ୟାପକ ବ୍ୟବହାର ବଢିବ ଏବଂ ନୂଆ ସୁଯୋଗ ଓ ସମ୍ଭାବନା ତିଆରି ହେବ।

ସେହିପରି ହୁଡା ସିଟି ସେଣ୍ଟରରୁ ସାଇବର ସିଟି ପର୍ଯ୍ୟନ୍ତ ମେଟ୍ରୋ ସଂଯୋଗ ଗେମ୍ ଚେଞ୍ଜର ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁରର ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଶିକ୍ଷା ଓ ଦକ୍ଷତା ବିକାଶକୁ ନେଇ ଫଳପ୍ରଦ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଙ୍ଗାପୁର ଗସ୍ତର ତୃତୀୟ ତଥା ଶେଷ ଦିନରେ ସିଙ୍ଗାପୁରର ଶିକ୍ଷାମନ୍ତ୍ରୀ ଚାନ ଚୁନ୍ ସିଙ୍ଗଙ୍କ ସହ ଫଳପ୍ରଦ ସାକ୍ଷାତ ଆଲୋଚନା ହୋଇଛି। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗ ଆହୁରି ଦୃଢ ହେବ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶା ବ୍ୟକ୍ତ କରିଛନ୍ତି।

ଭାରତରେ ବିଦ୍ୟାଳୟ ଶିକ୍ଷା ସ୍ତରରୁ ସିଙ୍ଗାପୁରର ସହାୟତା ଓ ସହଯୋଗ ମାଧ୍ୟମରେ କିପରି ଆମ ଦେଶର ଧନ୍ଦାମୂଳକ ଶିକ୍ଷା ସହ ଦକ୍ଷତା ବିକାଶକୁ ଆହୁରି ଦୃଢ କରାଯାଇ ପାରିବ ସେଥିପାଇଁ ଶ୍ରୀ ପ୍ରଧାନ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।

ଉଭୟ ଦେଶ ମଧ୍ୟରେ ଥିବା ପରସ୍ପର ସହଯୋଗକୁ କିପରି ଢାଞ୍ଚାଗତ ରୂପ ଦିଆଯାଇ ପାରିବ ସେଥିପାଇଁ ଦୁଇ ଦେଶର ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ବିଶେଷ ଭାବରେ ଭାରତରେ ଶିକ୍ଷକ ମାନଙ୍କର କାର୍ଯ୍ୟଦକ୍ଷତା, ଭବିଷ୍ୟତର ନୂଆ ନୂଆ ରୋଜଗାର ସୁଯୋଗ ସମେତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ପାଇଁ ଉଭୟ ଦେଶ ମଧ୍ୟରେ ଢାଞ୍ଚାଗତ ସହଯୋଗ ବୃଦ୍ଧି ନେଇ ବିଶେଷ ଆଲୋଚନା ହୋଇଛି ।

ତାଙ୍କର ତିନିଦିନିଆ ଗସ୍ତ ସମୟରେ ସିଙ୍ଗାପୁରର ଜୀବନବ୍ୟାପୀ ଶିକ୍ଷାଗ୍ରହଣର ଆଗ୍ରହର ପୃଷ୍ଠଭୂମି ତାଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଭାରତର ନୂତନ ଶିକ୍ଷାନୀତିରେ ନିରନ୍ତର ଶିକ୍ଷା ଏବଂ ଜୀବନ ବ୍ୟାପୀ ଶିଖିବାର ମୂଳନୀତି ସହ ସିଙ୍ଗାପୁରର ବ୍ୟବସ୍ଥାରୁ ନେଇଥିବା ଅନୁଭବ ଓ ଅନୁଭୂତି ଦେଶର ସ୍କିଲ-ଇକୋସିଷ୍ଟମକୁ ମଜଭୂତ କରିବା ସହ ଦେଶର ଯୁବଶକ୍ତିର ଉପଯୁକ୍ତ ଦକ୍ଷତା ବୃଦ୍ଧି ମାଧ୍ୟମରେ ଦେଶ ବିକାଶରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି । ବିଶ୍ୱ କଲ୍ୟାଣ ପାଇଁ ସିଙ୍ଗାପୁର ଓ ଭାରତ ମିଳିତ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏହି ଗସ୍ତ କାଳରେ ଇନଷ୍ଟିଚ୍ୟୁଟ୍ ଅପ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ୍ ଏଜୁକେସନାଲ ସର୍ଭିସେସ (ଆଇଟିଇଇଏସ), ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ଡିଜାଇନ(ଏସୟୁଟିଡି) ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଥିଲେ । ଏହାସହ ସିଙ୍ଗାପୁର ସରକାରଙ୍କ ପ୍ରଶାସନିକ ନିୟନ୍ତ୍ରଣ ଦ୍ୱାରା ପରିଚାଳିତ ନୋଡାଲ ଏଜେନ୍ସି ସ୍କିଲ୍ ଫ୍ୟୁଚର ଅଫ୍ ସିଙ୍ଗାପୁର(ଏସଏସଜି) ସହ ବିଚାରବିମର୍ଶ କରିଥିଲେ । ଏହାବ୍ୟତିତ ଆଇଆଇଟି ଓ ଆଇଆଇଏମର ପୁରାତନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇ ୨୯ ରୁ ମଇ ୩୧ ତିନିଦିନିଆ ସିଙ୍ଗାପୁର ଗସ୍ତରେ ଅଛନ୍ତି । ଏହି ଗସ୍ତପ ପ୍ରଥମ ଓ ଦ୍ୱିତୀୟ ଦିନରେ ଶ୍ରୀ ପ୍ରଧାନ ସିଙ୍ଗାପୁର ସରକାରଙ୍କ ପ୍ରମୁଖ ମନ୍ତ୍ରୀ ତଥା ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ, ବରିଷ୍ଠ ମନ୍ତ୍ରୀ ଥରମନ୍ ଶନମୁଗରତ୍ନମ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା. ଭିଭିଆନ ବାଲକ୍ରୀଷ୍ଣନ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ କିମ୍ ୟୋଙ୍ଗଙ୍କ ସହ ଯୋଗଦେଇଥିଲେ।

 

ଜୀବନବ୍ୟାପୀ ଶିକ୍ଷା ଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବା, ଭବିଷ୍ୟତ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବା ତଥା ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ରଣନୈତିକ ଭାଗିଦାରୀକୁ ଅଧିକ ଦୃଢୀଭୂତ କରିବା ଦିଗରେ ଆଲୋଚନା ହୋଇଥିଲା ଏହାସହ ଶ୍ରୀ ପ୍ରଧାନ ସ୍ପେକ୍ଟ୍ରା ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲେ । ଏହି ଦିନ ଶ୍ରୀ ପ୍ରଧାନଙ୍କୁ ସିଙ୍ଗାପୁରରେ ରହୁଥିବା ପ୍ରବାସୀ ଭାରତୀୟ ଓ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା ମଧ୍ୟକରିଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ତିନିଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ ଏବଂ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗଙ୍କୁ ଭେଟି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶର ସମ୍ପର୍କକୁ ମଜଭୂତ କରିବା ଉପରେ ଆଲୋଚନା କରିଛନ୍ତି।

ଏହି ଦୁଇ ପ୍ରମୁଖ ମନ୍ତ୍ରୀଙ୍କ ସହ ବୈଠକରେ ଶ୍ରୀ ପ୍ରଧାନ ଭାରତ ଓ ସିଙ୍ଗାପୁର ମଧ୍ୟରେ ଦକ୍ଷତା ବିକାଶ, ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଲୋଚନା କରିଛନ୍ତି ଏବଂ ବୈଠକ ଫଳପ୍ରଦ ହୋଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଉଭା ହେଉଥିବା ଭବିଷ୍ୟତ ହେଉଛି ଅସୀମିତ ସୁଯୋଗର ଅବସର ଦେଉଛି। ଉଭୟ ଦେଶକୁ ମିଳୁଥିବା ଲାଭ ଉପରେ କାର୍ଯ୍ୟ କରିବା ପାଇଁ ଦୁଇ ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି। ସେହିପରି ଜୀବନବ୍ୟାପୀ ଶିକ୍ଷା ଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବା, ଭବିଷ୍ୟତ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବା ତଥା ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ରଣନୈତିକ ଭାଗିଦାରୀକୁ ଅଧିକ ଦୃଢୀଭୂତ କରିବା ଦିଗରେ ଆଲୋଚନା ହୋଇଛି।

ସେହିପରି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସହ ଦକ୍ଷତା ବିକାଶକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ କେନ୍ଦ୍ରମନ୍ତ୍ରୀ। ନିକଟରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଓ୍ୱାର୍କସପର ଫଳାଫଳକୁ ନେଇ ବିଚାର ବିମର୍ଶ ହୋଇଥିଲା। ଭାରତର ଦକ୍ଷତା ପରିସଂସ୍ଥାନ ସାମ୍ନାରେ ଥିବା ଆହ୍ୱାନ ଏବଂ ପରିବର୍ତ୍ତନ ପାଇଁ ସିଙ୍ଗାପୁରର ଜ୍ଞାନ ଏବଂ ଅଭିଜ୍ଞତାକୁ କିପରି ଭାରତ ବ୍ୟବହାର କରିପାରିବ ସେ ଦିଗରେ ଆଲୋଚନା ହୋଇଥିଲା।

ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମାନବ ସମ୍ବଳକୁ ପ୍ରଶିକ୍ଷିତ କରାଇବାରେ ସିଙ୍ଗାପୁର ଆପଣାଇଥିବା ମଡେଲ୍ ଏବଂ ବେଷ୍ଟ ପ୍ରାକ୍ଟିକ୍ସ ଉପରେ ମନ୍ତ୍ରୀଙ୍କ ଠାରୁ ଅବଗତ ହୋଇଥିଲେ। ସ୍କିଲିଂ ଉପରେ ପ୍ରାଥମିକତା ଦେଇ ନୂତନ ସୁଯୋଗ ସୃଷ୍ଟି କରିବା ତଥା ଉଭୟ ଦେଶର ପାରସ୍ପରିକ ଲାଭ ପାଇଁ ସେ ଆଲୋଚନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ସ୍ପେକ୍ଟ୍ରା ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଉଲ୍ଲେଖନୀୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସିଙ୍ଗାପୁରର ଏହି ଦୁଇ ମନ୍ତ୍ରୀଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କରିଥିଲେ।

 

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସିଙ୍ଗାପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପର୍କକୁ ମଜବୁତ କରିବା ତଥା ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ପରିସର ବିସ୍ତାର କରିବାର ସମ୍ଭାବନା ଅନୁସନ୍ଧାନ ନିମନ୍ତେ ତିନି ଦିନିଆ ସିଙ୍ଗାପୁର ଗସ୍ତରେ ଯାଉଛନ୍ତି।

ଏହି ଗସ୍ତ ସମୟରେ ପ୍ରଧାନ ସିଙ୍ଗାପୁରର ଉପ-ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଲରେନ୍ସ ୱଙ୍ଗ, ବରିଷ୍ଠ ମନ୍ତ୍ରୀ ଥରମାନ ଶାନମୁଗରତ୍ନମ୍‌, ବୈଦେଶିକ ମନ୍ତ୍ରୀ ଡକ୍ଟର ଭିଭିଆନ୍ ବାଲାକ୍ରିଷ୍ଣନ୍‌, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗନ୍‍ କିମ୍‍ ୟଙ୍ଗ ଏବଂ ଶିକ୍ଷା  ମନ୍ତ୍ରୀ ଚାନ୍‍ ଚୁନ୍‍ ସିଙ୍ଗ୍‍ଙ୍କ ସମେତ ସିଙ୍ଗାପୁର ସରକାରଙ୍କ ବିଭିନ୍ନ ପ୍ରମୁଖ ମନ୍ତ୍ରୀଙ୍କ ସହିତ ବୈଠକ କରିବେ।

ଶ୍ରୀ ପ୍ରଧାନ ସିଙ୍ଗାପୁର ସ୍ପେକ୍ଟ୍ରା ମାଧ୍ୟମିକ ବିଦ୍ୟାଳୟ, ନାନିଆଙ୍ଗ ଟେକ୍ନୋଲୋଜି ୟୁନିଭରସିଟି (ଏନଟିୟୁ), ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ଏଜୁକେସନାଲ୍ ସର୍ଭିସେସ୍ (ଆଇଟିଇଇଏସ୍‍), ସିଙ୍ଗାପୁର ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ଡିଜାଇନ (ଏସୟୁଟିଡି) ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ। ସେ ସ୍କିଲ୍ସ ଫ୍ୟୁଚର ସିଙ୍ଗାପୁର (ଏସଏସଜି), ସିଙ୍ଗାପୁର ସରକାରଙ୍କ ଅଧୀନରେ ଥିବା ନୋଡାଲ ଏଜେନ୍ସି ସହିତ ମଧ୍ୟ ଆଲୋଚନା କରିବେ ଯାହା ଭବିଷ୍ୟତର ଦକ୍ଷତା କାର୍ଯ୍ୟକ୍ରମକୁ ଆଗେଇ ନେଇଥାଏ।

ତାଙ୍କ ଗସ୍ତ ସମୟରେ ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଭାରତୀୟ ଏବଂ ଓଡିଆ ସଂଗଠନର ସଦସ୍ୟମାନଙ୍କୁ ଭେଟିବେ। ମନ୍ତ୍ରୀ ମଧ୍ୟ ସିଙ୍ଗାପୁରରେ ଥିବା ଆଇଆଇଟି ଏବଂ ଆଇଆଇଏମ୍‌ର ପୁରାତନ ଛାତ୍ରମାନଙ୍କ ସହ ଆଲୋଚନା କରିବେ।

ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ଏବଂ ସିଙ୍ଗାପୁରର ଦୀର୍ଘ ଦିନର ସହଭାଗିତା ରହିଛି। ଆମର ଜି୨୦ ଅଧ୍ୟକ୍ଷତା ଅଧୀନରେ ଥିବା ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ଏକ ଧ୍ୟାନ କ୍ଷେତ୍ର ହେଉଛି ଆଜୀବନ ଶିକ୍ଷା ଏବଂ କାର୍ଯ୍ୟର ଭବିଷ୍ୟତକୁ ପ୍ରୋତ୍ସାହିତ କରିବା। ୨୫ ଏପ୍ରିଲ ୨୦୨୩ ରେ, ସିଙ୍ଗାପୁରର ଶିକ୍ଷା ମନ୍ତ୍ରଣାଳୟ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଓଡ଼ିଶାର ଭୁବନେଶ୍ୱରରେ ଅନୁଷ୍ଠିତ ତୃତୀୟ ଶିକ୍ଷା କାର୍ଯ୍ୟ ଗୋଷ୍ଠି ବୈଠକ ଅବସରରେ ଭବିଷ୍ୟତ କାର୍ଯ୍ୟପନ୍ଥା: ଭାରତ ଏବଂ ସିଙ୍ଗାପୁରର ଦକ୍ଷତା  ଏବଂ ଶାସନ ମଡେଲ ଉପରେ ମିଳିତ କର୍ମଶାଳା ଆୟୋଜିତ ହୋଇଥିଲା। କର୍ମଶାଳା ସମୟରେ ଅନୁଷ୍ଠିତ ଆଲୋଚନା ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଭବିଷ୍ୟତରେ ଦକ୍ଷତା ସହଯୋଗ ପାଇଁ ଏକ ରୋଡ୍ ମ୍ୟାପ୍ ର୍ନିମାଣରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ସଂସଦ ଭବନର ଉଦଘାଟନ ସମାରୋହରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ନୂତନ ପବିତ୍ର ସଂସଦ ଭବନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ଆଜିର ଦିନ ନୂଆ ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସଂସଦ ଭବନର ଉଦଘାଟନ ସମାରୋହରେ ସାମିଲ ହେବା ସହ ଏଥିପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ସମର୍ପଣ କରାଯାଇଥିବା ନୂଆ ସଂସଦ ଭବନ ସମସ୍ତଙ୍କୁ ଗୌରବାନ୍ୱିତ କରୁଥିବା ଭଳି ସମୟ। ଆମର ସଂସ୍କୃତି, ସାମର୍ଥ୍ୟ ଓ ସଂକଳ୍ପ ଶକ୍ତିର ପ୍ରତୀକ ଲୋକତନ୍ତ୍ରର ଏହି ମନ୍ଦିର ଆମ ସମସ୍ତଙ୍କୁ କର୍ତ୍ତବ୍ୟ ପଥରେ ଚାଲିବା, ଜନ ଭାଗିଦାରୀ ସହିତ ଦେଶକୁ ନୂଆ ଉଚ୍ଚତାକୁ ନେବା ପାଇଁ ପ୍ରେରିତ କରୁଥିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କ ଅଭିଯୋଗର ଉତ୍ତର ରଖିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ବର: ସାମାଜିକ ସୁରକ୍ଷା ଭତ୍ତାକୁ ରାଜ୍ୟ ସରକାର ନଗଦ ଆକାରରେ ହିତାଧିକାରୀ ଘରେ ଦେବାକୁ ବ୍ୟବସ୍ଥା କରିଛନ୍ତି। ହେଲେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନିଷ୍ପତିକୁ ପୁନଃବିଚାର କରିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ନଗଦ ନ ଦେଇ ଡିବିଟି ମାଧ୍ୟମରେ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ତେବେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀଙ୍କ ଏପରି ଅନୁରୋଧ ଆଶ୍ଚର୍ଯ୍ୟ କରିଛି।ସେ ବୋଧହୁଏ ତୃଣମୂଳ ସ୍ତରରେ କଣ ଘଟୁଛି ସେ ସଂପର୍କରେ ଅବଗତ ନାହାଁନ୍ତି। ଭତ୍ତା ଟଙ୍କା ପାଇବା ପାଇଁ ହିତାଧିକାରୀମାନେ 20-30 କିଲୋମିଟର ରାସ୍ତା ଚାଲିଚାଲି ଯାଉଛନ୍ତି। ତାଙ୍କ ପ୍ରତି ବୋଧହୁଏ କେନ୍ଦ୍ରମନ୍ତ୍ରୀଙ୍କର ସାମାନ୍ୟତମ ସମ୍ମାନବୋଧ ନାହିଁ।

ଯଦି କେନ୍ଦ୍ର ସରକାର ପ୍ରତି ଗାଁରେ ବ୍ୟାଙ୍କ ବ୍ୟବସ୍ଥା କରାଇପାରନ୍ତେ ତେବେ ଏପରି ଅସୁବିଧା ହୁଅନ୍ତା ନାହିଁ। ହେଲେ କେନ୍ଦ୍ରମନ୍ତ୍ରୀ ସେହି କଥା ନ କହି ଏପରି ଭଲ କାର୍ଯ୍ୟକୁ ବିରୋଧ କରିବା ହାସ୍ୟସ୍ପଦ ବୋଲି ସସ୍ମିତ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଭତ୍ତା ଟଙ୍କା ନଗଦ ଦେବା ପ୍ରସ୍ତାବକୁ ବିରୋଧ କଲେ ଧର୍ମେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତି ଚିନ୍ତାଜନକ। ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି। ତେଣୁ ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ହେରଫେର୍ କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ। ଏହି ସମସ୍ୟା ଆମ ବରିଷ୍ଠ ନାଗରିକଙ୍କ ଉପରେ ବୋଝ ସୃଷ୍ଟି କରିପାରେ। ତେଣୁ ଡିବିଟି ପ୍ରକ୍ରିୟା ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଉ।

ଓଡ଼ିଶାରେ ୨୦ ଲକ୍ଷ ୯୫ ହଜାର ୬୯୫ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଡିବିଟି ମାଧ୍ୟମରେ ସହାୟତା ପ୍ରଦାନ କରୁଛନ୍ତି । ଏହି ହିତାଧିକାରୀ କୌଣସି ଭ୍ରଷ୍ଟାଚାର ବିନା ସିଧାସଳଖ ନିଜ ବ୍ୟାଙ୍କ୍ ଖାତାରେ ସହାୟତ ରାଶି ପାଉଛନ୍ତି। ଡିବିଟି ବ୍ୟବସ୍ଥା କାରଣରୁ ରାଜକୋଷକୁ ସହାୟକ ହେବା ସହ ନକଲି କିମ୍ବା ଭୁତ ହିତାଧିକାରୀ ବାଦ୍ ପଡିଛନ୍ତି ଏବଂ ମଧ୍ୟସ୍ଥିଙ୍କ ଆବଶ୍ୟକତା ମଧ୍ୟ ହ୍ରାସ ପାଇଛି ଏବଂ ଭ୍ରଷ୍ଟାଚାର ମୁକ୍ତ ଓ ସ୍ୱଚ୍ଛ ରହିଛି ।

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେବା ଭିତ୍ତିରେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜାନୁଆରୀ ୨୦୨୩ ସୁଦ୍ଧା ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ୮୨ ହଜାର ୨୬୧ ସକ୍ରିୟ ବ୍ୟାଙ୍କ୍ ମିତ୍ର ମହଜୁଦ୍ ଅଛନ୍ତି। ଏହାବ୍ୟତିତ ଓଡ଼ିଶାରେ ୮ ହଜାର ୪୯୧ଟି ପୋଷ୍ଟ ଅଫିସ ରହିଛି ଏବଂ ଏଥିରେ ଦୁର୍ଗମ ଏବଂ ଗ୍ରାମୀଣ ଅଞ୍ଚଳରେ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ ଅଛନ୍ତି। ଭାରତୀୟ ଡାକର ଉପସ୍ଥିତି ଓ ଏହାର ବ୍ୟାପକ ନେଟଓ୍ୱାର୍କକୁ ଡିବିଟି ସହ ଉପଯୋଗ କରିବାର ଆବଶ୍ୟକତା ରହିଛି।

ଓଡ଼ିଶାରେ ୬ ହଜାର ୭୭୨ ଗ୍ରାମ ପଞ୍ଚାୟତକୁ ୨୨ ହଜାର ଜନସେବା କେନ୍ଦ୍ର ସେବା ପ୍ରଦାନ କରୁଛନ୍ତି । ଏହାର ଉପସ୍ଥିତି ଦ୍ୱାରା ଭାରତ ସରକାରଙ୍କ ଅନେକ ସାମାଜିକ ସୁରକ୍ଷା, ଆର୍ଥିକ ସେବା, କୃଷି ଏବଂ କୃଷକ କଲ୍ୟାଣକାରୀ ଯୋଜନା ସଫଳ ରୂପେ କାର୍ଯ୍ୟକାରୀ ହୋଇପାରିଛି।

ଡିବିଟି ଫ୍ରେମଓ୍ୱାର୍କ ସହିତ ବରିଷ୍ଠ ନାଗରିକ ଭତ୍ତା, ସାମାଜିକ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ ଆର୍ଥିକ ଯୋଜନାର ଅର୍ଥ ପ୍ରଦାନକୁ ବର୍ତ୍ତମାନ ଉପଲବ୍ଧ ବ୍ୟାଙ୍କ୍ ମିତ୍ର, ଭାରତୀୟ ଡାକର ବ୍ୟାପକ ନେଟଓ୍ୱାର୍କ ଓ ଜନସେବା କେନ୍ଦ୍ର ବ୍ୟବହାର କରାଯିବା ଦରକାର। ଏ ଗୁଡିକ ଅଭିନବ ଉପାୟରେ ଅପହଞ୍ଚ ଲୋକଙ୍କୁ ସେବା ପ୍ରଦାନ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।