Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନବପ୍ରବର୍ତ୍ତନ ହିଁ ସଫଳ ଉଦ୍ୟୋଗୀ ହେବାର ମୂଳମନ୍ତ୍ର: ଡ. ମୋହିତ ଗମ୍ଭିର

ଭୁବନେଶ୍ୱର: ନବପ୍ରବର୍ତ୍ତନ, ଧୈର୍ଯ୍ୟ ଓ ସମୟୋପଯୋଗୀ ପଦକ୍ଷେପ ଦ୍ୱାରା ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ବୋଲି ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅନ୍ତର୍ଗତ ଇନୋଭେସନ୍ ସେଲ୍‌ର ନିର୍ଦ୍ଦେଶକ ଡ. ମୋହିତ ଗମ୍ଭିର କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ଏକ ଉଦ୍ୟୋଗୀ ପ୍ରଶିକ୍ଷଣ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼. ଗମ୍ଭୀର ଏହା କହିଛନ୍ତି।

ଏହି କର୍ମଶାଳାରେ ମୁଖ୍ୟବକ୍ତା ରୂପେ ଏଜି-ହବ୍‌, ହାଇଦ୍ରାବାଦର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟ ନଦୀମିନତି ଯୋଗ ଦେଇଥିଲେ। ଶ୍ରୀ ନଦୀମିନତି ତାଙ୍କର ବକ୍ତବ୍ୟରେ ଉଦ୍ୟମୀ, ଉଦ୍ୟମୀତା, ଉଦ୍ୟୋଗୀ ଓ ସଫଳ ଉଦ୍ୟୋଗର ସୋପାନ ଗୁଡ଼ିକ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ଅତୀତରେ ଅନେକ ସଫଳ ଉଦ୍ୟୋଗୀ ତିଆରି କରିଛି ଏବଂ ଭବିଷ୍ୟତରେ ଅନେକ ନିଯୁକ୍ତି ପ୍ରଦାନକାରୀ ସଫଳ ଉଦ୍ୟୋଗୀ ମାନଙ୍କୁ ମଧ୍ୟ ଗଢ଼ି ତୋଳିବ।

ବିଶ୍ୱବିଦ୍ୟାଳୟର ଉପ-କୁଳପତି ପ୍ରଫେସର ଡ. ପ୍ରଦୀପ୍ତ କୁମାର ନନ୍ଦ କର୍ମଶାଳାରେ ଯୋଗ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଡ. ନନ୍ଦ ୨୨,୦୦୦ ବର୍ଗଫୁଟ ବିଶିଷ୍ଟ ସୋଆ ଇନ୍‌କ୍ୟୁବେଟର ବିଷୟରେ ବର୍ଣ୍ଣନା କରିଥିଲେ। ସେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଏହି ଇନ୍‌କ୍ୟୁବେଟର ବ୍ୟବହାର କରିଥିବା ୧୬ ଜଣ ସଫଳ ଉଦ୍ୟୋଗୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ।

ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ବିଭାଗ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌)ର ଡିନ୍ ପ୍ରଫେସର ଡ. ବିଜୟ କୁମାର ସାହୁ ଏହି ଅବସରରେ ଯୋଗ ଦେଇ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଶେଷରେ ସୋଆର ଦକ୍ଷତା ବିକାଶ ଏବଂ ଉଦ୍ୟମୀତା ବିଭାଗର ଅଶୋକ କୁମାର ନାୟକ ସୋଆ ଇନ୍‌କ୍ୟୁବେଟରର ଭବିଷ୍ୟତ ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ଜଣାଇଥିଲେ ଏବଂ ସମସ୍ତଙ୍କୁ ଉଦ୍ୟମୀ ହେବାକୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସୋଆ ଇନୋଭେସନ୍ ସେଲ୍‌ର ସଚିବ ତଥା ମ୍ୟାନେଜର କର୍ପୋରେଟ ରିଲେସନ୍ ଅଭିଷେକ ପଟ୍ଟନାୟକ ପରିଚାଳନା କରିଥିଲେ।