Categories
ବିଶେଷ ଖବର

ମାସକୁ ୫ କିଲୋ ମାଗଣା ଚାଉଳ ଯୋଜନାକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି।

ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି। ଯୋଜନାର ଅବଧି ଆଉ ୫ ବର୍ଷ ବଢିବା ଦ୍ୱାରା ଏହି ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ଠାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ।

ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ ପାଣ୍ଠିରୁ ଖର୍ଚ୍ଚ କରିବେ। ରାଜ୍ୟର ଜଣେବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଞ୍ଚିତ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି।

Categories
ବିଶେଷ ଖବର

ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ୧୦୦ ବର୍ଷର ସମସ୍ୟାର ସମାଧାନ ହେଲା ୧୦୦ ଦିନରେ

ଭୁବନେଶ୍ଵର: ରାଜ୍ୟର ପ୍ରଶାସନିକ ଇତିହାସରେ ଆଜି ଏକ ଯୁଗାନ୍ତକାରୀ ଦିବସ। ବିସ୍ଥାପିତ ଲୋକମାନଙ୍କର ୧୦୦ ବର୍ଷର ସମସ୍ୟାର ଅନ୍ତ ହୋଇଛି। ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି।

ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ଲୋକମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଗଷ୍ଟ ୨୦ ତାରିଖରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଗସ୍ତ ପରେ ସମାଧାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା। ଏମାନଙ୍କର ୧୮ଟି ରାଜସ୍ବ ଗ୍ରାମ ପାଇଁ ସର୍ଭେ ଆରମ୍ଭ ହୋଇଥିଲା। ଏଥିମଧ୍ୟରୁ ଆଜି ୭ଟି ଗାଁର ୮୬୬ଟି ପରିବାର ପାଇଁ ସର୍ଭେ ସଂପୂର୍ଣ୍ଣ କରାଯାଇ ଜମିପଟ୍ଟା ଦିଆଯାଇଛି। ବାକି ୧୧ଟି ଗାଁର ସର୍ଭେ ଚାଲିଛି। ଏହି ୧୧ଟି ଗାଁର ଖୁବଶୀଘ୍ର ୧୩୩୯ଟି ପରିବାର ଖୁବଶୀଘ୍ର ଜମିପଟ୍ଟା ପାଇବେ।

ସେହିପରି ଗଞ୍ଜାମ ଜିଲ୍ଲା ସୋରଡା ତହସିଲର ୨୨ଟି ଗାଁର ଜମି ୧୯୮୩ ମସିହାରେ ଜଳସଂପଦ ବିଭାଗ ନାମରେ ରେକର୍ଡ ହୋଇଥିଲା। ଆଜି ୧୭ଟି ଗାଁର ଜମି ରାଜସ୍ବ ବିଭାଗକୁ ଯାଇଛି ଏବଂ ସେଗୁଡିକର settlement ଚାଲିଛି। ଏମାନଙ୍କ ମଧ୍ୟରୁ ୯୬୨ ଜଣଙ୍କୁ ଆଜି ଘରଡିହ ପଟ୍ଟା ଓ ୭୦୦ ଜଣଙ୍କୁ ଜମିପଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିଛନ୍ତି। ଅଗଷ୍ଟ ମାସ ୨୬ ଓ ୨୭ରେ ୫-ଟି ଅଧ୍ୟକ୍ଷଙ୍କ ଗସ୍ତ ପରେ ଏଠାରେ ସର୍ଭେ କାମ ତ୍ବରାନ୍ବିତ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ଓ ହିତାଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଁ ସବୁବେଳେ ନିଷ୍ଠାପର ଉଦ୍ୟମ କରିଆସିଛି । ଆପଣମାନଙ୍କ ଖୁସି ହିଁ ମୋର ସବୁଠାରୁ ବଡ ସଫଳତା।

ଜମିପଟ୍ଟା ପାଇବା ଦ୍ବାରା ଆପଣମାନେ ବିଭିନ୍ନ ସରକାରୀ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ଦିଆଯାଇଥିଲା। ଖୁବଶୀଘ୍ର ଆଉ ୧୮ ହଜାର ହିତାଧିକାରୀ ଗ୍ରାମକଣ୍ଠ ପଟ୍ଟା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଲଖନପୁର ଓ ସୋରଡା ତହସିଲର ଲୋକ ମାନଙ୍କ ବହୁ ଦିନର ଜମିବାଡି ସମସ୍ୟା ଦୂର ହୋଇଥିବାରୁ ସେ ନିଜେ ବହୁତ ଖୁସି ଅନୁଭବ କରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ପାଇଁ ଆପଣମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି।

ସମସ୍ୟାର ସମାଧାନ ପ୍ରକ୍ରିୟା ଉପରେ ଆଲୋକପାତ କରି ସେ କହିଥିଲେ ଯେ ମୋ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଆପଣଙ୍କ ଅଞ୍ଚଳକୁ ଯାଇ ଆପଣମାନଙ୍କୁ ଭେଟି ଥିଲେ ଓ ଆପଣମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହାପରେ ସେ ମୋତେ ଆପଣମାନଙ୍କର ଏହି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ। ସାଧାରଣ ଲୋକଙ୍କ ହିତ ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଆପଣମାନଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ଖୁବଶୀଘ୍ର ଏହାର ସମାଧାନ ପାଇଁ ନିଷ୍ପତ୍ତି ନେଇଥିଲୁ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଅଗଷ୍ଟ ୨୦ ତାରିଖରେ ଝାରସୁଗୁଡା ଏବଂ ଅଗଷ୍ଟ ୨୬ ଓ ୨୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ବିଭିନ୍ନ ସମସ୍ୟା ସହିତ ବିସ୍ଥାପିତ ମାନଙ୍କ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବା ପରେ, ଏହିସବୁ ଜମି ଗୁଡିକର ତୁରନ୍ତ ସର୍ଭେ କରାଯାଇ ପଟ୍ଟା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏହି ଅବସରରେ ୫-ଟି ଓ ନବୀନ ଓଡିଶା ଅଧକ୍ଷ ଭି କେ ପାଣ୍ଡିଆନ୍ କହିଥିଲେ ଯେ ସାଧାରଣ ଲୋକଙ୍କ ସ୍ଵାର୍ଥ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ବହୁ ବର୍ଷର ସମସ୍ୟା ସମାଧାନ ହୋଇପାରିଛି।

ଲଖନପୁର ରେ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶ୍ରମ ମନ୍ତ୍ରୀ ସାରଦା ନାୟକ ଏହି ଜମି ସମସ୍ୟା ସମାଧାନ କୁ ଏକ ଐତିହାସକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଆସ୍କା ସଂସାଦ ପ୍ରମିଳା ବିଶୋଇ .ଝାରସୁଗୁଡ଼ା ବିଧାୟକ ଅଳକା ମହାନ୍ତି ଓ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ପ୍ରମୁଖ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ର ଉଚ୍ଚ ପ୍ରଶଂସା କରିଥିଲେ।

Categories
ବିଶେଷ ଖବର

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୧୩ ଲକ୍ଷ ଲୋକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍‌ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଲେ। ଏହି ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସୁବିଧା ମିଳିଲା। ଏ ସବୁ ଜିଲ୍ଲାର ୬୩ ଲକ୍ଷ ଲୋକଙ୍କ ପାଇଁ ଘର ପାଖରୁ ସେମାନଙ୍କୁ ଯିବା ଆସିବା ପାଇଁ ସୁବିଧା ହେଲା। ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକମାନଙ୍କର ଯାତାୟତ ଅସୁବିଧା ବିଷୟରେ ଜାଣି ଏହି ଯୋଜନା ଆରମ୍ଭ କରାଯାଇଛି। ଲକ୍ଷ୍ମୀ ବସ୍‌ ସମସ୍ତଙ୍କୁ ଯୋଡିବା କାମ କରିବ। ପିଲାମାନଙ୍କୁ ସ୍କୁଲ କଲେଜ ନେବ। ରୋଗୀକୁ ହସ୍ପିଟାଲ ନେବ। ଚାଷୀକୁ ମାର୍କେଟ ସହିତ ଯୋଡିବ। ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଯିବାଆସିବା ପାଇଁ ସୁବିଧା ହେବ। ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବସ୍‌ ଏକ ଆଶୀର୍ବାଦ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଲକ୍ଷ୍ମୀ ବସ୍‌ ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି। ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି। ବିକାଶ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ପଞ୍ଚାୟତଗୁଡିକ ବିକାଶ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ପାଲଟିଛି। ଗାଁର ରୂପାନ୍ତର ସାରା ଓଡିଶାର ରୂପାନ୍ତର ପାଇଁ ରାସ୍ତା ଖୋଲିଛି। ଓଡିଶା ଆମ ସମସ୍ତଙ୍କର। ଏ ବିକାଶ ମଧ୍ୟ ଆମ ସମସ୍ତଙ୍କର ବୋଲି କହିବା ସହିତ ସମସ୍ତଙ୍କର ସହଯୋଗରେ ନୂଆ ଓଡିଶା ଗଠନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ବସ୍‌ ରାଜ୍ୟବାସୀଙ୍କ ଟଙ୍କାରେ କିଣା ଯାଇଛି। ତେଣୁ ଏହାକୁ ନିଜ ସମ୍ପତ୍ତି ଭାବି ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୋରାପୁଟର ନୂଆ ବସ୍‌ଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସବୁକ୍ଷେତ୍ରରେ ବିକାଶର ଧାରା ଜାରି ରହିଛି । ଗାଁରୁ ସହର, ସବୁଠି ଆଜି ଦିଶୁଛି ବିକାଶର ଝଲକ । ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳରେ ଯାତାୟତକୁ ସୁଗମ କରି ସମୃଦ୍ଧି ଆଣିବ । ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କୋଟପାଡ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ପଟାଙ୍ଗୀ ବିଧାୟକ ଶ୍ରୀ ପିତମ ପାଢୀ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖି ଜିଲ୍ଲାର ପରିବହନ ବ୍ୟବସ୍ଥାରେ ବିରାଟ ରୂପାନ୍ତର ସହ ଜନସାଧାରଣଙ୍କ ଆର୍ଥିକ ବିକାଶରେ ଲକ୍ଷ୍ମୀ ଯୋଜନା ବିଶେଷ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

‘ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ’ ର ଦ୍ୱିତୀୟ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମାପନ

ଭୁବନେଶ୍ବର: ଇଲେକେଫ୍ରାନିକ୍ସ ଓ ସୂଚନା-ପ୍ରଯୁକ୍ତିବିଦ୍ୟା ଏବଂ ‘ସମଗ୍ର’ ସହଭାଗିତାରେ ‘ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ, ୨୦୨୩’ର ଚୂଡ଼ାନ୍ତ ପର୍ଯ୍ୟାୟ ରାଜ୍ୟ ଲୋକସେବା ଭବନ କନଭେନସନ୍‌ ହଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଏ ସଂପର୍କିତ ପ୍ରତିଯୋଗିତା ପାଇଁ ‘ମହିଳା ସଶକ୍ତୀକରଣ’ ଶୀର୍ଷକ ବିଷୟବସ୍ତୁ ସ୍ଥିର କରଯାଇଥିଲା।

ଏଥିରେ ଦେଶର ୩୫ଟି ପ୍ରମୁଖ ବିଜିନେସ ସ୍କୁଲର ୩,୧୦୦ଟି ଦଳର ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଆଇ.ଆଇ.ଏମ୍‌. ବାଙ୍ଗାଲୋର, ବି.ଆଇ.ଟି.ଏସ୍‌. ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ, ଏଫ.ଏମ.ଏସ. ଦିଲ୍ଲୀ, ଆଇ.ଆଇ.ଏମ୍‌. କଲିକତା, ଆଇ.ଆଇ.ଏମ୍‌. ଲକ୍ଷ୍ନୌ ଏବଂ ଏକ୍ସ.ଆଇ.ଏମ.ବି. ଭୁବନେଶ୍ୱରର ୧୮ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ।

ସମାପନ ସମାରୋହରେ ଏହି ସଫଳ ପ୍ରତିଯୋଗୀମାନେ ସେମାନଙ୍କ ଅଧ୍ୟୟନ ବିଷୟବସ୍ତୁକୁ ନେଇ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ଉପସ୍ଥାପନ କରିଥିଲେ। ଏଥିରେ ଆଇ.ଆଇ.ଏମ୍‌. ବାଙ୍ଗାଲୋରକୁ ବିଜେତା ଭାବେ ୫ ଲକ୍ଷ ଟଙ୍କା, ଏକ୍ସ.ଆଇ.ଏମ.ବି. ଭୁବନେଶ୍ୱରକୁ ପ୍ରଥମ ଉପବିଜେତା ଭାବେ ୩ ଲକ୍ଷ ଟଙ୍କା ଏବଂ ଏଫ୍‌.ଏମ୍‌.ଏସ୍‌. ଦିଲ୍ଲୀକୁ ଦ୍ୱିତୀୟ ଉପବିଜେତା ଭାବେ ୧ ଲକ୍ଷ ଟଙ୍କା ସହିତ ବିଜେତା-ପ୍ରମାଣପତ୍ର ପ୍ରଦାନ କରଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଯୋଗୀମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ‘ମହିଳା ସଶକ୍ତୀକରଣ’ କ୍ଷେତ୍ରରେ ଓଡ଼ିଶା ଆଜି ଦେଶରେ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିଛି। ରାଜ୍ୟର ମହିଳାମାନେ ସରକାରୀ ପ୍ରୋତ୍ସାହନ ଯୋଗୁ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି। ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ବାର୍ଷିକ ୫,୦୦୦ କୋଟି ଟଙ୍କାର ବ୍ୟବସାୟ ସୁନିଶ୍ଚିତ କରିଥିବାବେଳେ ପ୍ରତ୍ୟେକ ଗୋଷ୍ଠୀକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରୁଛନ୍ତି।

ଓଡ଼ିଶାରେ ‘ମହିଳା ସଶକ୍ତୀକରଣ’ ଏକ ସ୍ଲୋଗାନ ନୁହେଁ ବରଂ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଲୋକସଭାରେ ରାଜ୍ୟର ୨୧ଟି ଲୋକସଭା ଆସନରୁ ୩୩ ପ୍ରତିଶତ ମହିଳା ଏବଂ ପଞ୍ଚାୟତ ଓ ପୌରପାଳିକାରେ ୫୦ ପ୍ରତିଶତରୁ ଅଧିକ ନିର୍ବାଚିତ ମହିଳାଙ୍କ ପ୍ରତିନିଧିି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି।

ଓଡ଼ିଶା ଆଜି ମହିଳା ସଶକ୍ତିକରଣ କ୍ଷେତ୍ରରେ ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ହୋଇପାରିଛି। ରାଜ୍ୟରେ ‘ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ’ ଦ୍ୱିତୀୟ ସଂସ୍କରଣ ତାହାର ଏକ ଦୃଷ୍ଟାନ୍ତ। ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସମାଧାନର ଯେଉଁ ପନ୍ଥା ଦେଖାଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ। ଏସବୁ ଆହ୍ୱାନଗୁଡ଼ିକର ସମାଧାନ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏହି ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତି୍ରପାଠୀ ବିଚାରକ ଭାବେ ଯୋଗଦେଇ ରାଜ୍ୟର ବିକାଶରେ ମହିଳା ଓ ଯୁବବର୍ଗଙ୍କ ପ୍ରମୁଖ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ। ସେହିଭଳି ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ରାଜ୍ୟ ତଥା ଦେଶରେ ପ୍ରଣୟନ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ମହିଳାମାନେ ସଚେତନ ହୋଇପାରିଲେ ରାଜ୍ୟର ଉନ୍ନତି ସମ୍ଭବପର।

ସେହିପରି ଆଜି ସମଗ୍ର ଦେଶରେ ଯୁବକଯୁବତୀମାନେ ପରିବର୍ତ୍ତନର ବାହକ ରୂପେ କାର୍ଯ୍ୟ କରୁଛନ୍ତି ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ ଉଲ୍ଲେଖ କରିବା ସହ ମିଶନ ଶକ୍ତି କାଫେ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରକାଶ କରିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ମିଶ୍ର ତାଙ୍କ ଅଭିଭାଷଣରେ ଦେଶର ଜଟିଳ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଶ୍ରେଷ୍ଠ ପ୍ରତିଭା ଅନେ୍ୱଷଣର ଦୃଢ଼ ଆବଶ୍ୟକତା ରହିଛି ବୋଲି କହିଥିଲେ। ସେ କହିଲେ ଯେ ଏଭଳି ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ସମସ୍ୟାଗୁଡ଼ିକର ବାସ୍ତବିକ ଚିତ୍ର ସଂପର୍କରେ ଅବଗତ କରାଇବା ସହିତ ଦେଶର ବିକାଶରେ ସେମାନଙ୍କ ସହଭାଗିତା ପାଇଁ ସୁଯୋଗ ଦେଇଥାଏ। ଏଭଳି ପ୍ରତିଯୋଗିତା ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଲାଭବାନ୍‌ ହେବେ ଏବଂ ସେମାନଙ୍କ ଅଭିଜ୍ଞତା ଓ ଦକ୍ଷତା ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ବି.ଏମ.ଜି.ଏଫର ପବ୍ଲିକ ପଲିସି ତଥା ଫାଇନାନ୍ସ ଜାତୀୟ ମୁଖ୍ୟ ଡ. ସନ୍ତୋଷ ମାଥ୍ୟì, କମିଶନର ତଥା ସଚିବ ଶ୍ରୀମତୀ ରୂପା ରୋଶନ ସାହୁ, ଓକାକ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ପଣ୍ଡା, ଓକାକ୍‌ର ଜେନେରାଲ ମ୍ୟାନେଜର ଶ୍ରୀମତୀ ମଧୁମିତା ରଥ ଏବଂ ଆୟୋଜକ ‘ସମଗ୍ର’ର ପ୍ରତିଷ୍ଠାତା ତଥା ସି.ଇ.ଓ. ଗୌରବ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ। ‘ସମଗ୍ର’ ପକ୍ଷରୁ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରରେ ଭଳିକି ଭଳି ଭିନଣ୍ଟେଜ କାର, ଦେଖିଲେ ଲାଗୁଛି ଆଶ୍ଚର୍ଯ୍ୟ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଭୁବନେଶ୍ୱରରେ ଏକ ଭିନଣ୍ଟେଜ ଏବଂ କ୍ଲାସିକ୍ କାର ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ‘ଓଡ଼ିଶା କନକ୍ୟୁୟର୍ସ ଡି’ଲେଗାନ୍ସ ୨୦୨୩’ ଶୀର୍ଷକ ବିଶିଷ୍ଟ ଏହି ଭିଣ୍ଟେଜ୍ କାର୍ ପ୍ରଦର୍ଶନୀ ବରମୁଣ୍ଡା ପଡିଆରେ ଆୟୋଜିତ ହୋଇଛି।

ଏଥିରେ ବିଭିନ୍ନ ବ୍ରାଣ୍ଡର ମୋଟ ୫୨ କାରର ମାଲିକ ସେମାନଙ୍କର ଭିନଣ୍ଟେଜ କାରକୁ ପ୍ରଦର୍ଶନୀରେ ସମାଲି କରିଛନ୍ତି। ଓଡିଶା ସହିତ କୋଲକାତା, ଦିଲ୍ଲୀ, ମହାରାଷ୍ଟ୍ର, ଚେନ୍ନାଇ ଏବଂ ବାଙ୍ଗାଲୋରର କାର ମାଲିକମାନେ ଏହି ପ୍ରଦର୍ଶନୀରେଭାଗ ନେଇ ସେମାନଙ୍କ କାରକୁ ପ୍ରଦର୍ଶିତ କରିଛନ୍ତି।

ଏହି କାରଗୁଡିକରେ ବେଞ୍ଜ, ଫୋର୍ଡ, ଭୋଲ୍ସୱେଗେନ, ରୋଲ୍ସ-ରୋଏସ୍, ବେଣ୍ଟଲି, କ୍ୟାଡିଲାକ୍, ବୁଗାଟୀ ଏବଂ ଜାଗୁଆର ସମେତ ବିଶ୍ୱର ଖ୍ୟାତିସମ୍ପନ୍ନ ବ୍ରାଣ୍ଡର କାର ଉପଲବ୍ଧ। ଏହି କାରଗୁଡିକ ମଧ୍ୟରୁ ଅଧିକାଂଶ ୧୯୧୯ ରୁ ୧୯୩୦ ମଧ୍ୟରେ ପଞ୍ଜିକୃତ ହୋଇଛି। ଏହି ପ୍ରଦର୍ଶନୀ ରବିବାର ପର୍ଯ୍ୟନ୍ତ ଚାଲିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି।

ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ୍‌ କଲେଜ ସଂଖ୍ୟା ବଢିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି। ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି। ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଯେ ଏ ଯୋଜନାରେ ପ୍ରତିମାସରେ ଲକ୍ଷ ଲକ୍ଷ ଲୋକ ଉତ୍ତମ ଚିକିତ୍ସା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଯେଉଁ ରୂପାନ୍ତର ଆସିଛି ତାହା ଲୋକମାନଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି ବୋଲି ସେ କହିଥିଲେ ଏବଂ ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ।

ପ୍ରତି ଜୀବନ ମୂଲ୍ୟବାନ ମନ୍ତ୍ରକୁ ଆଦର୍ଶ କରି ଏହି ହସ୍ପିଟାଲ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସଫଳ ହେବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ ଏହି ହସ୍ପିଟାଲ ତାଳଚେର ଓ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବହୁ ଉପଯୋଗୀ ହେବ । ଏହି ହସ୍ପିଟାଲ ପାଇଁ କୋଲ ଇଣ୍ଡିଆର ବହୁ ଅବଦାନ ରହିଛି ଏବଂ ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ୍‌ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ।

ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷ ପାଇଁ ଏହି ହସ୍ପିଟାଲ ପରିଚାଳନା ପାଇଁ ଏମ୍.ସି.ଏଲ୍ ୬୨୮ କୋଟି ଟଙ୍କା ସହାୟତା ଯୋଗାଇଦେବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଦିନ ଓ ସ୍ମରଣୀୟ ହୋଇ ରହିବ। ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା ଏ ମାଟି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇ ଖୁବ୍ ଶୀଘ୍ର ମେଡିକାଲ୍‌ କଲେଜ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏ ଦିଗରେ ଆମକୁ ଅଧିକ ପ୍ରେରଣା ଯୋଗାଉଛି।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ମହାନଦୀ କୋଲ ଫିଲ୍ଡର ସି.ଏମ୍.ଡି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ପାଇଁ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି।

ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ୍‌ କଲେଜ ସଂଖ୍ୟା ବଢିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି। ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି। ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଯେ ଏ ଯୋଜନାରେ ପ୍ରତିମାସରେ ଲକ୍ଷ ଲକ୍ଷ ଲୋକ ଉତ୍ତମ ଚିକିତ୍ସା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଯେଉଁ ରୂପାନ୍ତର ଆସିଛି ତାହା ଲୋକମାନଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି ବୋଲି ସେ କହିଥିଲେ ଏବଂ ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ।

ପ୍ରତି ଜୀବନ ମୂଲ୍ୟବାନ ମନ୍ତ୍ରକୁ ଆଦର୍ଶ କରି ଏହି ହସ୍ପିଟାଲ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସଫଳ ହେବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ ଏହି ହସ୍ପିଟାଲ ତାଳଚେର ଓ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବହୁ ଉପଯୋଗୀ ହେବ । ଏହି ହସ୍ପିଟାଲ ପାଇଁ କୋଲ ଇଣ୍ଡିଆର ବହୁ ଅବଦାନ ରହିଛି ଏବଂ ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ୍‌ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ। ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷ ପାଇଁ ଏହି ହସ୍ପିଟାଲ ପରିଚାଳନା ପାଇଁ ଏମ୍.ସି.ଏଲ୍ ୬୨୮ କୋଟି ଟଙ୍କା ସହାୟତା ଯୋଗାଇଦେବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଦିନ ଓ ସ୍ମରଣୀୟ ହୋଇ ରହିବ। ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା ଏ ମାଟି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇ ଖୁବ୍ ଶୀଘ୍ର ମେଡିକାଲ୍‌ କଲେଜ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏ ଦିଗରେ ଆମକୁ ଅଧିକ ପ୍ରେରଣା ଯୋଗାଉଛି।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ମହାନଦୀ କୋଲ ଫିଲ୍ଡର ସି.ଏମ୍.ଡି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବଲାଙ୍ଗୀର ଏୟାରଷ୍ଟ୍ରିପର ଆଧୁନିକରଣକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ, ୬୫ କୋଟି ଟଙ୍କା ମଂଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରରେ ତୁସୁରା ଏୟାରଷ୍ଟ୍ରିପର ଆଧୁନିକରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୫ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ୍ ଅଗଷ୍ଟ ୫ ଏବଂ ୬ ରେ ବଲାଙ୍ଗୀର ଗସ୍ତ କରିଥିଲେ ଏବଂ ତୁସୁରା ଏୟାରଷ୍ଟ୍ରିପ୍ର ଉନ୍ନତି ସମେତ ଲୋକଙ୍କଠାରୁ ଅନେକ ପ୍ରସ୍ତାବ ଗ୍ରହଣ କରିଥିଲେ। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ସେ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ରିପୋର୍ଟ ପାଇବା ପରେ ତାହାକୁ ଅନୁମୋଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

Breaking News: ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ବର: ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ବାଲି ଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି ଓ ଏଥିରେ ବିପୁଳ ଜନ ସମାଗମ ହେଉଛି। କାର୍ତ୍ତିକ ପୂର୍ଣିମା ରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାର ଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ପାଇଁ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଟେଲିଫୋନ ଯୋଗେ କଥା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୪୦ କୋଟି ଟଙ୍କା ବିନିଯୋଗରେ ୧୦୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ 5T ଉପକ୍ରମରେ ବିଭନ୍ନ ପଦକ୍ଷେପ ଦ୍ୱାରା ସରକାରୀ ହସ୍ପିଟାଲଗୁଡିକରେ ରୂପାନ୍ତର ଆସିପାରିଛି। ଏହା ଦ୍ୱାରା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି। ଲୋକମାନେ ସୁବିଧାରେ ବିନା ଖର୍ଚ୍ଚରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଉଛନ୍ତି। ପ୍ରତି ମାସରେ ୧ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ପାଉଛନ୍ତି। ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହା ଆମ ପ୍ରତିବଦ୍ଧତାର ପ୍ରତିଫଳନ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ ଏକ ରୋଲ୍ ମଡେଲ୍ କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜିର ପ୍ରକଳ୍ପଗୁଡିକ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଲକ୍ଷ୍ୟ ହେଉଛି ‘ସୁସ୍ଥ ଓଡିଶା ସୁଖୀ ଓଡିଶା’। ରାଜ୍ୟର ସବୁ ଲୋକ ଯେପରି ସୁବିଧାରେ ଉତ୍ତମ ସେବା ପାଇପାରିବେ ସେ ଦିଗରେ ଆମେ କାମ କରୁଛୁ । ରାଜ୍ୟର ସରକାରୀ ହସ୍ପିଟାଲଗୁଡିକର ଭିତ୍ତିଭୂମିରେ ବହୁତ ପରିବର୍ତ୍ତନ ଆସିଛି ବୋଲି ପ୍ରକାଶ କରି କହିଥିଲେ ଯେ ଏସ୍.ସି.ବି. ମେଡିକାଲ୍ କଲେଜ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ କାମ ଚାଲିଛି। ନୂଆ ନୂଆ ମେଡିକାଲ କଲେଜ୍ ଖୋଲୁଛି।

ବିଭିନ୍ନ ହସ୍ପିଟାଲରେ ନୂଆ ସୁବିଧାର ବିକାଶ ହେଉଛି। ନିୟମିତ ଭାବେ ଡାକ୍ତର ଓ ସହାୟକ କର୍ମଚାରୀ ପଦବୀ ପୂରଣ ହେଉଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଭିତ୍ତିଭୂମି ବିକାଶ କାମ ଜାରି ରହିଛି। ଗତ ୫ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସବୁ ସ୍ତରରେ- ପ୍ରାଥମିକ ସ୍ୱାସ୍ଥ୍ୟ, ଗୋଷ୍ଠୀ ସ୍ୱାସ୍ଥ୍ୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ କରିବା ଆମର ଲକ୍ଷ୍ୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ରହୁଥିବା ଓଡିଆ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌- ୧୮୦୦ ୧୨୦ ୧୨୦ ୧୦୪ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ’। ଏହି ମନ୍ତ୍ରକୁ ଆଗରେ ରଖି କାମ କରୁଛୁ ଓ କରି ଚାଲିବୁ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କହିଲେ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଆଜି ଆମ ରାଜ୍ୟ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ।

ମ୍ୟାଲେରିଆ ଓ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ମଧ୍ୟ ଆମେ ଆଗୁଆ ରହିଛୁ। ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ଦେଶରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡିଶା ସୁଖୀ ଓଡିଶା ଓ ପ୍ରତି ଜୀବନ ମୂଲ୍ୟବାନ ନୀତିକୁ ଆଧାର କରି ଆମେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଆଗକୁ ବଢୁଛୁ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଥି ସହିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଅନ୍‌ଲାଇନ୍‌ରେ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁର ପାଇଁ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ।

ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନାର ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। ନବରଙ୍ଗପୁରରେ ୪୪ଟି ବସ୍ ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ଦୁର୍ଗମ ଅଞ୍ଚଳରେ ଗମନାଗମନ ଏକ ବଡ ସମସ୍ୟା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯିବା ଆସିବାର ଅସୁବିଧା ବିଷୟରେ ମୁଁ ଜାଣିବା ପରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରାଗଲା। ଲକ୍ଷ୍ମୀ ଯୋଜନାରେ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଆପଣଙ୍କ ଗାଁ ଏବେ ଯୋଡି ହେଲା। ଏହା ଦ୍ୱାରା ଗ୍ରାମାଞ୍ଚଳରେ ସାମାଜିକ ସଂପର୍କ ମଜବୁତ୍ ହେବା ସହିତ ଅର୍ଥନୀତି ମଧ୍ୟ ଆହୁରି ସୁଦୃଢ ହେବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଲୋକମତକୁ ସମ୍ମାନ ଦେବା ମୋ ସରକାରର ହଲ୍‌ମାର୍କ। ଆମର ସବୁ ଯୋଜନା ଲୋକମତ ଆଧାରରେ କାର୍ଯ୍ୟକାରୀ ହେଉଛି। ଲକ୍ଷ୍ମୀ ବସ୍ ଠାରୁ ଆରମ୍ଭକରି, ଆମ ବ୍ୟାଙ୍କ, ଆମ ଓଡିଶା ନବୀନ ଓଡିଶା ଏବଂ ମଠ, ମନ୍ଦିର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁରି- ସବୁ କାମ ଲୋକମାନଙ୍କର ପ୍ରସ୍ତାବ ଅନୁଯାୟୀ କରାଯାଇଛି।

ସେ ପୁଣି କହିଥିଲେ ଯେ ଲକ୍ଷ୍ମୀ ବସ୍ ଯୋଗୁ ସମସ୍ତେ ସୁବିଧାରେ ନିଜ କାମରେ ବିଭିନ୍ନ ଜାଗାକୁ ଯାଇପାରିବେ। ଏହା ଦ୍ୱାରା ସାମାଜିକ, ଅର୍ଥନୈତିକ ବିକାଶ ଘଟିବ। ଏହା ମାଧ୍ୟମରେ ଆପଣଙ୍କ ଘରକୁ ମା’ ଲକ୍ଷ୍ମୀ ଆସିବେ। ଘରେ ଘରେ ଖୁସି ଓ ଆନନ୍ଦ ଆସିବ ବୋଲି ସେ କହିଥିଲେ।

ଯୋଗାଯୋଗ ହେଉଛି ବିକାଶର ଆଧାର। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ। ଆମର ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଏହା ରୂପାନ୍ତର ଆଣିବ। ଗାଁ କୁ ଗାଁ ସହିତ ଯୋଡିବ। ଲୋକଙ୍କ ସାମାଜିକ ସମ୍ପର୍କ ମଜବୁତ୍ ହେବ। ଘର ପାଖକୁ ଆସିବ ବସ୍। ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ରୋଗୀଙ୍କୁ ହସ୍ପିଟାଲ ଯିବା ପାଇଁ ସୁବିଧା ହେବ। ଗମନାଗମନ କ୍ଷେତ୍ରରେ ସୁବିଧା ଯୋଗାଇ ଦେଇ ବିଭିନ୍ନ କାମରେ ଲକ୍ଷ୍ମୀ ବସ୍ ହେବ ଆପଣଙ୍କ ସାରଥୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନବରଙ୍ଗପୁର ପ୍ରତି ମୋର ସ୍ୱତନ୍ତ୍ର ଧ୍ୟାନ ରହିଛି ବୋଲି ପ୍ରକାଶକରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏବେ ନବରଙ୍ଗପୁରର ଭିତ୍ତିଭୂମି ବିକାଶ ପାଇଁ ବହୁତ କାମ ଚାଲିଛି। ରାସ୍ତାଘାଟ, ସେତୁ, ଜଳସେଚନ, ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ , ମକା ମିଶନ୍ ଆଦି ଅନେକ କାମ ଚାଲିଛି। ଆଗାମୀ ୩ ବର୍ଷ ମଧ୍ୟରେ ଜିଲ୍ଲାରେ ବ୍ୟାପକ ରୂପାନ୍ତର ଆସିବ ବୋଲି ସେ କହିଥିଲେ।

ଏହି ଅବସରରେ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଆମେ ସମସ୍ତେ ଯେତେବେଳେ ମା’ ଲକ୍ଷ୍ମୀଙ୍କୁ ପୂଜା କରି ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛୁ, ସେତେବେଳେ ମୁଖ୍ୟମନ୍ତ୍ରୀ ଆଜି ଆମ ସମସ୍ତଙ୍କ ପାଇଁ ଘରେଘରେ ଲକ୍ଷ୍ମୀ ଆଣିଛନ୍ତି। ପରିବହନ ସେବା ଆଜି ଡୋରଷ୍ଟେପ୍‌ରେ ପହଞ୍ଚିଛି।

ଓଡିଶାରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବିଶେଷ କରି ମା’ମାନଙ୍କ ଅବସ୍ଥାରେ ରୂପାନ୍ତର ଆସିଛି। ୩୦ ବର୍ଷ ତଳକୁ ଦେଖିଲେ ଆଜି ମା’ମାନଙ୍କ ସ୍ଥିତିରେ ଯେଉଁ ପରିବର୍ତ୍ତନ ଆସିଛି, ତାହା କେହି ଚିନ୍ତା କରିନଥିଲେ। ମା’ମାନଙ୍କର ଏହି ରୂପାନ୍ତର ଶ୍ରେୟ କେବଳ ମୁଖ୍ୟମନ୍ତ୍ରୀଙ୍କର ବୋଲି ସେ କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଉପେନ୍ଦ୍ର ଗଣ୍ଡ ଓ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମୋତିରାମ ନାୟକ ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖି ଲକ୍ଷ୍ମୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ।

ମହିଳା, ଛାତ୍ରଛାତ୍ରୀ, ଭିନ୍ନକ୍ଷମମାନଙ୍କୁ ମାତ୍ର ୫ ଟଙ୍କାରେ ଗମନାଗମନ ସୁବିଧା କରାଯାଇଛି, ଏହା ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ବହୁତ ସୁବିଧା ଆଣିବ। 5T ଅଧ୍ୟକ୍ଷ ଯେଭଳି ଦିନରାତି ପରିଶ୍ରମ କରି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରୁଛନ୍ତି, ତାହାର ତୁଳନା ନାହିଁ ବୋଲି ସେମାନେ କହିଥିଲେ

Categories
ବିଶେଷ ଖବର

ରାୟଗଡା ଜିଲ୍ଲାରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୧୮୨ଟି ପଞ୍ଚାୟତକୁ ଯୋଡିବ ୫୨ଟି ବସ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ। ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ବସ୍‌ ଚଳାଚଳ ହେବ। ଏଥିପାଇଁ ୩୦୦ଟି ବସ୍‌ ଷ୍ଟପେଜ ମଧ୍ୟ କରାଯାଇଛି।

ଅନ୍‌ ଲାଇନ ଜରିଆରେ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଓ ଆନନ୍ଦ ଆଣିବ। ଏହା ଆମର ଗ୍ରାମାଞ୍ଚଳର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ ବୋଲି ସେ କହିଥିଲେ।

ମୋ ପାଇଁ ଲୋକଙ୍କ ମତାମତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯୋଗାଯୋଗର ଅସୁବିଧା ସଂପର୍କରେ ମୁଁ ଜାଣିଲି। ତା ପରେ ହିଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ଯୋଜନା।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଗାଁକୁ ଗାଁ ସହିତ ଯୋଡିବ। ସାମାଜିକ ସଂପର୍କ ସୁଦୃଢ କରିବା ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଧ୍ୟ ମଜବୁତ କରିବ।

ଯୋଗାଯୋଗ ବିକାଶର ଇଞ୍ଜିନ ବୋଲି ମୁଖ୍ୟମନ୍ତ୍ରୀ କହିଲେ ଯେ ଲକ୍ଷ୍ମୀ ବସ୍‌ ପିଲାମାନଙ୍କୁ ସ୍କୁଲ ଓ କଲେଜ ସହିତ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବା ସହିତ ରୋଗୀକୁ ହସ୍‌ପିଟାଲ ମଧ୍ୟ ନେବ। ମା ମାନଙ୍କ ପାଇଁ ଏହା ବିଭିନ୍ନ କାମରେ ମୁଖ୍ୟ ସାରଥୀ ହେବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାରୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା।

କାର୍ଯ୍ୟକ୍ରମରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାୟଗଡା ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୨୬୦୦ରୁ ଅଧିକ ପ୍ରକଳ୍ପ କରାଯାଉଛି। ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ଡିଜିଟାଲ ଭିତ୍ତିଭୂମିର ଉନ୍ନତିକରଣ କରାଯାଉଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତ ଗୁଡିକ ହେଉଛି ମୋ ସରକାରର ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍‌। ସବୁ ପଞ୍ଚାୟତରେ ରୂପାନ୍ତର ଆଣି ସାରା ଓଡିଶାର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ କହିଲେ ଯେ ମାର୍ଗଶିର ମାସ ଲକ୍ଷ୍ମୀ ମାସରେ ମୁଖ୍ୟମନ୍ତ୍ରୀ ରାୟଗଡ଼ାରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରି ଘରେ ଘରେ ଲକ୍ଷ୍ମୀ ପହଞ୍ଚାଇଛନ୍ତି। ଆଜି ଓଡ଼ିଶାରେ ନାରୀ ମାନେ ସବୁ କ୍ଷେତ୍ରରେ ଆଗରେ ରହୁଛନ୍ତି। ଘରୁ ବିଭିନ୍ନ କାମରେ ବାହାରକୁ ଯାଉଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆଜି ଓଡ଼ିଶାରେ ନାରୀ ସଶକ୍ତିକରଣ ହୋଇବପାରିଛି ବୋଲି ପ୍ରକାଶ କରି ସେ ଧନ୍ୟବାଦ୍ ଦେଇଥିଲେ।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ ଯେ ଲକ୍ଷ୍ମୀ ବସ ଯୋଗୁ ଚାଷୀ, ବ୍ୟବସାୟୀ ଓ ମା ମାନେ ଉପକୃତ ହେବେ।

ଏହି କାର୍ଯ୍ୟକ୍ରମକୁ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ  ପରିଚାଳନା କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଜିଲ୍ଲା ଗସ୍ତ କରିଥିଲେ। ରାୟଗଡ଼ାରେ ମଧ୍ୟ ଲୋକଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଜଣାଇବା ପରେ ଜିଲ୍ଲାରେ ଅନେକ ମଠ ମନ୍ଦିର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଅନୁମୋଦନ ଦେଇଥିଲେ। ଲୋକଙ୍କ ମତକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ବ ଦିଅନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଗୁଣୁପୁର ବିଧାୟକ ରଘୁନାଥ ଗମଙ୍ଗୋ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଯୋଗ ଦେଇ କହିଥିଲେ ଓଡ଼ିଶାର ବିକାଶ ପାଇଁ, ରାଜ୍ୟର ଗରିବ, ଆଦିବାସୀ ଓ ମହିଳା ମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସାରା ଜୀବନ ସମର୍ପିତ କରିଚନ୍ତି।  ଆଜି ଆମ ଘର ମାନଙ୍କୁ ଲକ୍ଷ୍ମୀ ଆସୁଛନ୍ତି । ଆମେ ସମସ୍ତେ ଖୁସି।

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ କହିଥିଲେ ଯେ ଏହାଦ୍ବାରା ଗରିବ, ଆଦିବାସୀ ଓ ମହିଳା ମାନେ ବହୁତ୍ ଉପକାର ପାଇବେ।

ରାୟଗଡ଼ା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନସୂୟା ମାଝୀ ସ୍ଵାଗତ ଭାଷଣ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କ ପଞ୍ଚମ ପାଳିରେ ମା ମାନଙ୍କୁ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଭେଟି ଦେଇଛନ୍ତି। ୫ ଟଙ୍କାରେ ଆହାର, ବିଜୁ ସ୍ବାସ୍ଥ୍ୟରେ ଆଉ ୫ ଲକ୍ଷ, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ମମତାରେ ୫ ହଜାର ଟଙ୍କା ସହିତ ଏବେ ଲକ୍ଷ୍ମୀ ବସରେ ମା ମାନଙ୍କ ପାଇଁ ମାତ୍ର ୫ ଟଙ୍କାରେ ଯିବାର ସୁବିଧା ମାନଙ୍କୁ ସଶକ୍ତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବରଗଡ ଜିଲ୍ଲା ଅଙ୍ଗ ନଦୀରେ ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ପ୍ରକଳ୍ପଟି ହେଉଛି – ଅଙ୍ଗ ନଦୀରେ ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ବରଗଡ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଏହାଦ୍ବାରା ବରଗଡ ଜିଲ୍ଲାର ଝାରବନ୍ଧ ଓ ପାଇକମାଳ ବ୍ଳକ୍‌ର ଜନସାଧାରଣ ନିଶ୍ଚିତ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗିରକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନ୍‌ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାର ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ସାମିଲ ହୋଇ ହରିଦ୍ୱାର ଓ ଋଷିକେଶ ଯାତ୍ରା କରିଛନ୍ତି । ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭକାମନା ଜଣାଇବା ସହ ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ତୀର୍ଥସ୍ଥଳ ସଂପର୍କରେ ଏହା ଦ୍ୱାରା ଜାଣିହେବ ବୋଲି କହିଥିଲେ।

୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟର ପ୍ରାୟ ୨୦ ହଜାରରୁ ଅଧିକ ବରିଷ୍ଠ ନାଗରିକ ସାମିଲ ହୋଇ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଆଧ୍ୟାତ୍ମିକତା ଅନୁଭବ କରିଥିବାର ସେ କହିଥିଲେ। ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହ ପୁରୀରେ କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଭୁବନେଶ୍ୱରର ରେଳ ଷ୍ଟେସନ୍‌ରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ ମୁଦୁଲି, ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ।

ସେହିପରି ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉପଦେଷ୍ଟା ଶ୍ରୀ ଦୁର୍ଗାପ୍ରସାଦ ସାମନ୍ତରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ଗୋପୀନାଥ ମହାରଣା ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇବା ସହ ଏହା ଦ୍ୱାରା ବରିଷ୍ଠ ନାଗରିକମାନଙ୍କର ସ୍ୱପ୍ନ ପୂରଣ ହେବା ସହ ବିଭିନ୍ନ ତୀର୍ଥସ୍ଥାନ ବୁଲିବାର ସୁଯୋଗ ପାଇପାରୁଛନ୍ତି ବୋଲି ସେମାନେ କହିଥିଲେ।

ଆଜିର ଏହି ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରାରେ ୬ଟି ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀ ଏବଂ ୩୦ ଜଣ ଅଧିକାରୀ ସାମିଲ ଅଛନ୍ତି। ସେମାନେ ହରିଦ୍ୱାର ଓ ଋଷିକେଶରେ ତୀର୍ଥ କରି ଆସନ୍ତା ୨୮ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱରଠାରେ ପହଞ୍ଚିବେ। ଏ ପର୍ଯ୍ୟନ୍ତ ଆଇଆର୍‌ସିଟିସି ସହଯୋଗରେ ୨୧ଟି ଯାତ୍ରାରେ ୨୦ ହଜାର ୬୬୯ ଜଣ ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଯାତ୍ରା କରିଛନ୍ତି।

ଏହି ଯାତ୍ରା ଶୁଭାରମ୍ଭ ସମୟରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ୨୦୨୩-୨୪ ର ଶୁଭାରମ୍ଭ, ଆସନ୍ତାକାଲି ହରିଦ୍ଵାର ରିଶିକେସ ପାଇଁ ଯାତ୍ରା

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁକୁଲ୍ୟରେ ପର୍ଯ୍ୟଟନ ବିଭାଗ ଦ୍ଵାରା ଅନୁଷ୍ଠିତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ୨୦୨୩-୨୪ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ଯାତ୍ରୀ ଆସନ୍ତାକାଲି ହରିଦ୍ଵାର ରିଶିକେସ ସ୍ଵତନ୍ତ୍ର ଟ୍ରେନ ଯୋଗେ ଯାତ୍ରା କରିବେ। ଏବଂ ୨୮ ତାରିଖରେ ଫେରିବେ।

ଏଥିରେ ଖୋର୍ଦ୍ଧା ଜିଲ୍ଲା ରୁ ୨୧୧ ବରିଷ୍ଠ ନାଗରିକ ଓ ୭ ଜଣ ତୀର୍ଥ ଯାତ୍ରା ପାଇଁ ମନୋନୀତ ହୋଇଛନ୍ତି। ସମ୍ମାନୀୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ଗୁମାନସିଂ ଓ ପର୍ଯ୍ୟଟନ ବିଭାଗର ଉପଦେଷ୍ଟା ଦୁର୍ଗା ସାମନ୍ତରାୟ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ସମସ୍ତ ଯାତ୍ରୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସେ ଆଜି ଦିନ 11 ଟା 30 ରେ ସେ ବିମାନରେ ଭୁନେଶ୍ବରରୁ  ମୁମ୍ବାଇ ଯାତ୍ରା କରିବେ। ସେଠାରେ ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ତଥା ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ରମାକାନ୍ତ ପଣ୍ଡାଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଆଜି ସଂଧ୍ୟାରେ ଆୟୋଜିତ ହେବ।

ଏହାପରେ ମୁଖ୍ୟମନ୍ତ୍ରୀ ଆଜି ମୁମ୍ବାଇରେ ରାତ୍ରୀଯାପନ କରି ଆସନ୍ତାକାଲି ଅପରାହ୍ନ 4ଟା 45 ରେ ମୁମ୍ବାଇ ଛାଡିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ଗସ୍ତ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଲକ୍ଷ୍ମୀ ପରିବହନ କୁଇଜ୍‌ କାର୍ଯ୍ୟକ୍ରମ, ୫୦୦ରୁ ଅଧିକ ଛାତ୍ରଛାତ୍ରୀ ନେଲେ ଭାଗ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ନିରନ୍ତର ପରିବହନ ସେବା ମାଧ୍ୟମରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳ ମଧ୍ୟରେ ଥିବା ପରିବହନ ବ୍ୟବଧାନକୁ ଦୂର କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସାର୍ବଜନୀନ ପରିବହନ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଭୁବନେଶ୍ୱରରେ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇ କହିଲେ ଯେ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଜ୍ଞାନର ଆଦାନ ପ୍ରଦାନର ଏକ ଉତ୍ସବ। ନିରନ୍ତର ପରିବହନ ସମ୍ବନ୍ଧୀୟ ସମାଧାନ ବିଷୟରେ ବାର୍ତ୍ତାଳାପରେ ଯୁବ ପିଢ଼ିକୁ ସାମିଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଯୁବପିଢ଼ିମାନଙ୍କ ମଧ୍ୟରେ ପରିବହନ ସମ୍ପର୍କିତ ସଚେତନତା ସୃଷ୍ଟି କରିବାର ଏହା ଏକ ଉତ୍ତମ ମାଧ୍ୟମ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପରିବହନ ସମ୍ପର୍କିତ ବିଷୟବସ୍ତୁ ଉପରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବାର ସୁଯୋଗ ମଧ୍ୟ ପାଇବେ।

ସେ ଲକ୍ଷ୍ମୀ ବସର ଉପକାରିତା ବିଷୟରେ ଆଲୋକପାତ କରିଥିଲେ ଓ ସାର୍ବଜନୀନ ପରିବହନ ବ୍ୟବହାର କରି ଏକ ସବୁଜ ପରିବେଶ ଗଠନ କରିବାରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ବହୁ ଛାତ୍ରଛାତ୍ରୀମାନେ କୁଇଜ୍‌ ପ୍ରତିଯୋଗିତାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ କହିଲେ ଯେ ପରିବହନ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନା ଏକ ପରିବର୍ତ୍ତନକାରୀ ପଦକ୍ଷେପ ଏବଂ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶରେ ଲକ୍ଷ୍ମୀ ବସ୍‌ ଯୋଜନା ସକାରାତ୍ମକ ପ୍ରଭାବ ପକାଉଛି। ପ୍ରଖ୍ୟାତ କୁଇଜ୍‌ ମାଷ୍ଟର ବିଭାସ ରଥ ଦକ୍ଷତାର ସହ ଏହି କୁଇଜ୍‌ ପରିଚାଳନା କରିଥିଲେ।

କୁଇଜ୍‌ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା -ପ୍ରିଲିମ୍‌ ଏବଂ ଫାଇନାଲ୍‌। କୁଇଜ ପ୍ରତିଯୋଗିତା ବ୍ୟତୀତ ଏକ ଆକର୍ଷଣୀୟ ନୁକଡ ନାଟକ ପରିବେଷିତ ହୋଇଥିଲା, ଯାହା ସାର୍ବଜନୀନ ପରିବହନ ଏବଂ ସମାଜରେ ଲକ୍ଷ୍ମୀ ବସ ଯୋଜନାର ପ୍ରଭାବକୁ ଜୀବନ୍ତ କରିଥିଲା। ଏଥିସହ ଲକ୍ଷ୍ମୀ ଯୋଜନାର ବୈପ୍ଳବିକ ଆଭିମୁଖ୍ୟ ଏବଂ ଉପକାରିତାକୁ ଦର୍ଶାଯାଇ, ଏହାର ଗୁରୁତ୍ୱ ବିଷୟରେ ଉପସ୍ଥିତ ଲୋକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନିରନ୍ତର ପରିବହନ କ୍ଷେତ୍ରରେ ସଚେତନତା ଏବଂ ଆଗ୍ରହ ସୃଷ୍ଟି କରିବା ପାଇଁ ଏହି କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ ସାର୍ବଜନୀନ ପରିବହନ ବ୍ୟବସ୍ଥା ସମ୍ବନ୍ଧୀୟ ସମସ୍ୟା ଠାରୁ ଆରମ୍ଭ କରି ଏହି କ୍ଷେତ୍ରରେ ନୂତନ ଉଦ୍ଭାବନ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।

ଶେଷରେ କୁଇଜ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ପ୍ରଥମେଶ୍‌ ଗୌରବ ଓ ସ୍ନେହାଂଶ ଦାସ୍‌ ପ୍ରଥମ ହୋଇଥିବାବେଳେ ଡିଏଭି ୟୁନିଟ୍‌ ୮ର ଦିବ୍ୟଜ୍ୟୋତି ସେନାପତି ଓ ଆୟନ୍‌ ସେନାପତି ଦ୍ୱିତୀୟ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଟକ ପାଇଁ ଏକ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୫୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି ପ୍ରକଳ୍ପଟି ହେଉଛି – ମହାନଦୀରେ ବୈଦେଶ୍ବର ନଦୀଗର୍ଭ ଜଳାଶୟ ପ୍ରକଳ୍ପ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କଟକ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଏହାଦ୍ବାରା ତିନୋଟି ବ୍ଲକ୍‌ର ଲୋକ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ। ବୈଦେଶ୍ବର ପ୍ରକଳ୍ପ ଦ୍ବାରା ବଡମ୍ବା, ବାଙ୍କୀ ଓ ଭାପୁର ବ୍ଲକ୍‌ର ଜନସାଧାରଣ ଉପକୃତ ହେବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମତ୍ସ୍ୟଜୀବୀଙ୍କ ପାଇଁ ଏକ ନୂଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ

ଭୁବନେଶ୍ବର: ଆଜି ବିଶ୍ବ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୧୬ଟି କାର୍ଯ୍ୟକ୍ରମ ରହିଛି ଏବଂ ଏବର୍ଷ ଏଥିପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିବେଦନ କରି କହିଛନ୍ତି ଯେ ଆପଣମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଆପଣମାନେ ଏହାର ସୁଯୋଗ ନେଇ ନିଜର ଓ ରାଜ୍ୟର ସମୃଦ୍ଧିରେ ଯୋଗଦାନ ରଖନ୍ତୁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟରେ ପ୍ରଚୁର ଜଳସଂପଦ ରହିଛି। ଅର୍ଥନୀତିର ବିକାଶ ପାଇଁ ଜଳସଂପଦର ପୂର୍ଣ୍ଣ ବିନିଯୋଗ ଆମର ଲକ୍ଷ୍ୟ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା, ସେମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା, ମା ମାନଙ୍କୁ ସଶକ୍ତ କରିବା ଏବଂ ସର୍ବୋପରି ରାଜ୍ୟର ଆର୍ଥିକ ବିକାଶ କରିବା।

ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଏ ସବୁ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେବ ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମର 5T ନୀତିରେ କାର୍ଯ୍ୟକାରୀ କରାଯିବ। ଏଥିରେ ୧୧,୦୦୦ରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ୫୦ ହଜାର ମାଛ ଚାଷୀ ଓ ଏକ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଉପକାର ପାଇବେ ବୋଲି ସେ କହିଥିଲେ।

ରାଜ୍ୟରେ ମତ୍ସ୍ୟ ବିକାଶ କ୍ଷେତ୍ରରେ ହୋଇଥିବା ଉନ୍ନତି ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ୨୦ ବର୍ଷ ଭିତରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରି ଗୁଣ ବୃଦ୍ଧି ପାଇଛି। ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ୪୫୦୦ କୋଟି ଟଙ୍କାରେ ପହଞ୍ଚିଛି।

ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଓଡିଶା ମତ୍ସ୍ୟନୀତି-୨୦୧୫ ଏବଂ ଓଡିଶା ଜଳଭଣ୍ଡାର ମତ୍ସ୍ୟନୀତି-୨୦୧୨ ଆଣିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ସେ କହିଥିଲେ। ଓଡିଶା ଆଜି ମାଛ ଯାଁଳ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିଛି ବୋଲି ସେ କହିଥିଲେ।

ମତ୍ସ୍ୟଜୀବୀ ମାନଙ୍କ କଲ୍ୟାଣ ପାଇଁ ଗରିବ ଲୋକଙ୍କ କଲ୍ୟାଣ ପଇଁ ମୋ ସରକାର କାମ କରୁଛନ୍ତି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା, ରୋଜଗାର ଓ ପୁଷ୍ଟିକୁ ଅଧିକ ଗୁରୁତ୍ବ ଦେଇ ଅନେକ ପଦକ୍ଷେପ ନିଆଯାଇଛି।

କାର୍ଯ୍ୟକ୍ରମରେ ଯୋଗ ଦେଇ ମତ୍ସ୍ୟ ଓ ପଶୁସଂପଦ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜନତାଙ୍କ ମୁଖ୍ୟମନ୍ତ୍ରୀ। ଜନତାଙ୍କ କଲ୍ୟାଣ ପାଇଁ ସେ ସବୁବେଳେ ନୂଆ ନୂଆ ଯୋଜନା କରିଆସିଛନ୍ତି।

ଆଜି ବିଶ୍ବ ମତ୍ସ୍ୟ ଦିବସରେ ଏହି ଯୋଜନା ରାଜ୍ୟର ମତ୍ସ୍ୟ କ୍ଷେତ୍ରରେ ରୂପାନ୍ତର ଆଣିବାରେ ସହାୟକ ହେବ ବୋଲି ସେ କହିଥିଲେ। ଏହି ଯୋଜନାର ବିଭିନ୍ନ ଆଭିମୁଖ୍ୟ ସଂପର୍କରେ ଶ୍ରୀ ସ୍ବାଇଁ ବିସ୍ତୃତ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀ ଶ୍ରୀ ବ୍ରହ୍ମାନନ୍ଦ ଦାସ କହିଲେ ଯେ କୋଭିଡ ସମୟରେ ତାଙ୍କର ରୋଜଗାର ବନ୍ଦ ହୋଇଯିବାରୁ ସେ ମତ୍ସ୍ୟଜୀବୀ ମାନଙ୍କ ପାଇଁ Bioflock ଯୋଜନାରେ ୪୦ ପ୍ରତିଶତ ରିହାତି ପାଇ ମାଛ ଚାଷ ଆରମ୍ଭ କରିଥିଲେ। ଏବେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ସେହିପରି ବାଲେଶ୍ବରର ଗୀତାରାଣୀ ପଣ୍ଡା କହିଥିଲେ ଯେ ତାଙ୍କ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ପଞ୍ଚାୟତ ପୋଖରୀ ଯୋଜନାରେ ସେମାନ ଋଣ ନେଇ ଏବେ ବର୍ଷକୁ ୫ ଲକ୍ଷ ଟଙ୍କା ଲାଭ କରୁଛନ୍ତି। ଏହାଦ୍ବାରା ସେମାନଙ୍କର ଆର୍ଥିକ ସମସ୍ୟା ଦୂର ହୋଇପାରିଛି ବୋଲି ସେ କହିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ପୁରୀ ଜିଲ୍ଲାର ବ୍ରଜସୁନ୍ଦର ବେହେରା କହିଲେ ଯେ ସେ ଜଣେ ସାମୁଦ୍ରିକ ମତ୍ସ୍ୟଜୀବୀ। ଅଲିଭ ରିଡ୍‌ଲେ କଇଁଚ ପାଇଁ ତାଙ୍କର ଜୀବିକା ପ୍ରଭାବିତ ହେଉଥିଲା। ଏଥିପାଇଁ ସହାୟତା ପରିମାଣକୁ ମୁଖ୍ୟମନ୍ତ୍ରୀ ୭୫୦୦ ଟଙ୍କାରୁ ୧୫ ହଜାର ଟଙ୍କା ବୃଦ୍ଧି କରିଥିବାରୁ, ତାଙ୍କ ପରିବାର ଆଜି ସୁରକ୍ଷିତ ହୋଇପାରିଛି ବୋଲି କହି ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ସମବାୟ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, କୃଷି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ମତ୍ସ୍ୟଜୀବୀମାନେ ଅନ୍‌ଲାଇନ ଜରିଆରେ ଯୋଡି ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ ଓ ମତ୍ସ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଶାଳିଆ ଡ୍ୟାମ୍ ଠାରେ ବିଜେଡ଼ି ର ବନ୍ଧୁ ମିଳନ: ବିଧାୟକ ଟିକେଟ୍ ପାଇଁ ହେଲା ଆଲୋଚନା

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଥିବା ଶାଳିଆ ଡ୍ୟାମ ଠାରେ ସୋମବାର ଦିନ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଜଣାଶୁଣା ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କ ନେତୃତ୍ଵରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତଥା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଥିବା ଏବଂ ବିଜେଡି ଦଳ ତଥା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଜଣାଶୁଣା ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କୁ ଭଲ ପାଉଥିବା ବିଜେଡି ର କର୍ମୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନମଣ୍ଡଳୀ ର ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ସହ ଜନସାଧାରଣ ସୁବିଧା ଅସୁବିଧା ସମୟରେ ସମସ୍ତେ ଏକାଠି ହୋଇ ଛିଡ଼ା ହେବା ସହ ସହଯୋଗ କରିବା ପାଇଁ ଆଲୋଚନା ହୋଇଥିଲା। ଏଥିସହିତ ଦଳୀୟ ସଂଗଠନକୁ ସୁଦୃଢ କରିବା ସହିତ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଆହୁରି ଟାଣ କରିବା ପାଇଁ ଆଲୋଚନା ହେବା ସହ ସିତାରାମ ପାଣିଗ୍ରାହୀଙ୍କୁ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ରେ ବିଧାୟକ ପ୍ରାର୍ଥୀଭାବେ ବିଜେଡ଼ି ଟିକେଟ୍ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିକଟରେ ନିବେଦନ କରିବା ପାଇଁ କର୍ମୀ ମାନେ ମତ ପ୍ରକାଶ କରିଥିଲେ।

ଏଥିରେ ୭ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଙ୍କ ପ୍ରତିନିଧି ପ୍ରଭାକର ପ୍ରଧାନ, ବରିଷ୍ଠ ବିଜେଡି ନେତା ସିମାଞ୍ଚଳ ନାୟକ, ରଘୁନାଥ ଆଚାର୍ଯ୍ଯ, ବୁଲୁ ପ୍ରଧାନ, ବାମଦେବ ବିଶୋୟୀ, ରାଜୁ ରେଡ୍ଡୀ, ସୁବାଷ ଚନ୍ଦ୍ର ସେଠୀ, ନରେନ୍ଦ୍ର ଗୌଡ, ସନ୍ତୋଷ କୁମାର ମହାନ୍ତି, ରାଜେନ୍ଦ୍ର ଭୂୟାଁ, ଛାୟାବତୀ ବେହେରା, ଛାତ୍ର ନେତା ଦିନେଶ କୁମାର ମହାରଣା, ରମେଶ ଭୂୟାଁ, ପିଙ୍କି ରାଉତ ସମେତ ଶତାଧିକ ବିଜେଡି କର୍ମୀ ଓ ନେତାମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମଧ୍ଯ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ମତ ପ୍ରକାଶ ପାଇଛି।