Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା

ନୂଆଦିଲ୍ଲୀ: ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଜେକ୍ ସୁଲିଭାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

ଏନଏସଏ ସୁଲିଭାନ୍ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ, ବିଶେଷକରି ସେମିକଣ୍ଡକ୍ଟର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଟେଲିକମ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ମହାକାଶ ଆଦି ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଉପରେ ପଦକ୍ଷେପ (ଆଇସିଇଟି) ଅଧୀନରେ ଅଗ୍ରଗତି ବିଷୟରେ ସେ ଆଲୋଚନା କରିଥିଲେ।

ସମସ୍ତ କ୍ଷେତ୍ରରେ ବଢୁଥିବା ଦ୍ୱିପାକ୍ଷିକ ଭାଗିଦାରୀର ଗତି ଓ ବ୍ୟାପକତା ଏବଂ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ସହମତି ତଥା ସମନ୍ୱୟ ଉପରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ।

ଜି-୭ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ବାଇଡେନଙ୍କ ସହ ତାଙ୍କର ନିକଟରେ ହୋଇଥିବା ସକାରାତ୍ମକ ବାର୍ତ୍ତାଳାପକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ବୈଶ୍ୱିକ ମଙ୍ଗଳ ପାଇଁ ବ୍ୟାପକ ବୈଶ୍ୱିକ ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ନୂତନ କାର୍ଯ୍ୟକାଳରେ ଏହାକୁ ଅଧିକ ଉଚ୍ଚତାରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ମଣିପୁର ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ସୋମବାର ନୂଆଦିଲ୍ଲୀରେ ମଣିପୁର ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ, ସ୍ଥଳସେନା (ନାମାଙ୍କିତ) ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା, ଆସାମ ରାଇଫଲ୍ସର ମହାନିର୍ଦ୍ଦେଶକ, ମଣିପୁର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଏବଂ ସେନା ଓ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁରର ସୁରକ୍ଷା ସ୍ଥିତିର ସାମଗ୍ରିକ ସମୀକ୍ଷା କରିଥିଲେ ଏବଂ ମଣିପୁରରେ ଆଉ ଯେପରି ହିଂସାକାଣ୍ଡ ନ ଘଟେ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ରୀୟ ବାହିନୀର ରଣନୀତିକ ମୁତୟନ ଉପରେ ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସୁରକ୍ଷାବଳ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। ହିଂସାକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମଣିପୁରର ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ। ବିଶେଷ କରି ଖାଦ୍ୟ, ପାଣି, ଔଷଧ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଉପଯୁକ୍ତ ଉପଲବ୍ଧତା ନେଇ ଶ୍ରୀ ଅମିତ ଶାହ ରିଲିଫ୍ କ୍ୟାମ୍ପର ସ୍ଥିତିର ସମୀକ୍ଷା କରିଥିଲେ। ବିସ୍ଥାପିତଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା ତଥା ସେମାନଙ୍କ ଥଇଥାନ ସୁନିଶ୍ଚିତ କରିବାକୁ ଗୃହମନ୍ତ୍ରୀ ମଣିପୁରର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେଠାରେ ଲାଗି ରହିଥିବା ଜାତିଆଣ ସଂଘର୍ଷର ସମାଧାନ ପାଇଁ ସମନ୍ୱିତ ଆଭିମୁଖ୍ୟର ଗୁରୁତ୍ୱ ଉପରେ ଗୃହମନ୍ତ୍ରୀ ଜୋର ଦେଇଥିଲେ। ସେ କହିଥିଲେ ଯେ ଗୃହ ମନ୍ତ୍ରଣାଳୟ ଉଭୟ ଗୋଷ୍ଠୀ, ମୈତୀ ଏବଂ କୁକିମାନଙ୍କ ସହ କଥାବାର୍ତ୍ତା କରିବ, ଯାହାଦ୍ୱାରା ଜାତିଗତ ବିଭେଦକୁ ଯଥାଶୀଘ୍ର ଦୂର କରାଯାଇପାରିବ। ରାଜ୍ୟରେ ସୁରକ୍ଷା ସ୍ଥିତି ସୁଦୃଢ଼ କରିବା ପାଇଁ ଭାରତ ସରକାର ମଣିପୁର ସରକାରଙ୍କୁ ସକ୍ରିୟ ଭାବେ ସହଯୋଗ କରି ଆସୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଇଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

‘‘ପଶ୍ଚିମବଙ୍ଗରେ ଘଟିଥିବା ରେଳ ଦୁର୍ଘଟଣା ଦୁଃଖଦାୟକ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନେ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି। ଅଧିକାରୀଙ୍କ ସହ କଥା ହୋଇ ସ୍ଥିତି ଅନୁଧ୍ୟାନ କରିଛି। କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି।’’

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

‘‘ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ।’’

Categories
ଆଜିର ଖବର ଜାତୀୟ ଖବର

ଜୁନ୍ ୧୮ ଓ ୧୯ରେ ଉତ୍ତରପ୍ରଦେଶ ଓ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୮ ଓ ୧୯ ଜୁନ୍ ୨୦୨୪ରେ ଉତ୍ତର ପ୍ରଦେଶ ଏବଂ ବିହାର ଗସ୍ତରେ ଯିବେ। ଜୁନ୍ ୧୮ ତାରିଖ ଅପରାହ୍ଣ ପ୍ରାୟ ୫ଟାରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରଣାସୀରେ ପିଏମ୍ କିଷାନ ସମ୍ମାନ ସମ୍ମିଳନୀରେ ଯୋଗଦେବେ। ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଧାନମନ୍ତ୍ରୀ ଦଶାଶ୍ଵମେଧ ଘାଟରେ ଗଙ୍ଗା ଆରତୀ ଦେଖିବେ। ରାତି ପ୍ରାୟ ୮ଟାରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ।

ଜୁନ୍ ୧୯ ତାରିଖ ସକାଳ ପ୍ରାୟ ୯ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ନାଳନ୍ଦା ଭଗ୍ନାବଶେଷ ପରିଦର୍ଶନ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ବିହାରର ରାଜଗିରଠାରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ କଲ୍ୟାଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ପିଏମ୍ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ହସ୍ତାନ୍ତର କରିବା ପାଇଁ ତାଙ୍କର ପ୍ରଥମ ଫାଇଲରେ ସ୍ୱାକ୍ଷର କରିଥିଲେ। ଏହି ପ୍ରତିଶ୍ରୁତିକୁ ଜାରି ରଖି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅଧୀନରେ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସପ୍ତଦଶ କିସ୍ତି ପ୍ରଦାନ କରିବେ। ବର୍ତ୍ତମାନ ସୁଦ୍ଧା ୧୧ କୋଟିରୁ ଅଧିକ ଯୋଗ୍ୟ କୃଷକ ପରିବାର ପିଏମ-କିଷାନ ଯୋଜନାରେ ୩.୦୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବରେ ପ୍ରମାଣପତ୍ର ପ୍ରଦାନ କରିବେ।

କୃଷି ସଖୀ ସମନ୍ୱୟ କାର୍ଯ୍ୟକ୍ରମ (କେଏସସିପି)ର ଲକ୍ଷ୍ୟ ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣ ମାଧ୍ୟମରେ ଗ୍ରାମୀଣ ଭାରତକୁ କୃଷି ସଖୀ ଭାବରେ ରୂପାନ୍ତରିତ କରିବା, କୃଷି ସଖୀମାନଙ୍କୁ ପାରା-ସମ୍ପ୍ରସାରଣ ଶ୍ରମିକ ଭାବରେ ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ କରିବା। ଏହି ପ୍ରମାଣପତ୍ର ଆଧାରିତ ପାଠ୍ୟକ୍ରମ ମଧ୍ୟ “ଲଖପତି ଦିଦି” କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସହିତ ସମନ୍ୱିତ।

ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବିହାରର ରାଜଗିରଠାରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିବେ।

ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ଦେଶମାନଙ୍କର ମିଳିତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ପରିକଳ୍ପନା କରାଯାଇଛି। ଉଦଘାଟନୀ ଉତ୍ସବରେ ୧୭ଟି ଦେଶର ମିଶନ ମୁଖ୍ୟଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।

କ୍ୟାମ୍ପସରେ ଦୁଇଟି ଶିକ୍ଷା ବ୍ଲକ ରହିଛି ଯେଉଁଥିରେ ୪୦ଟି ଶ୍ରେଣୀଗୃହ ରହିଛି ଯେଉଁଥିରେ ମୋଟ ୧୯୦୦ ଛାତ୍ରଛାତ୍ରୀ ବସିବାର କ୍ଷମତା ରହିଛି। ଏଥିରେ ୩୦୦ ଆସନ ବିଶିଷ୍ଟ ଦୁଇଟି ଅଡିଟୋରିୟମ୍ ରହିଛି। ଏଠାରେ ଏକ ଛାତ୍ର ହଷ୍ଟେଲ ରହିଛି ଯେଉଁଥିରେ ପାଖାପାଖି ୫୫୦ ଛାତ୍ରଛାତ୍ରୀ ରହିପାରିବେ। ଏଥିରେ ଇଣ୍ଟରନେସନାଲ ସେଣ୍ଟର, ଆମ୍ଫିଥିଏଟର ସମେତ ଅନ୍ୟାନ୍ୟ ସୁବିଧା ରହିଛି ଯେଉଁଥିରେ ୨୦୦୦ ବ୍ୟକ୍ତି ରହିପାରିବେ। ଏଠାରେ ଫେକଲ୍ଟି କ୍ଲବ୍ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ଆଦି ରହିଛି।

ଏହି କ୍ୟାମ୍ପସ ହେଉଛି ଏକ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗତ କରୁଥିବା ଏକ ସବୁଜ କ୍ୟାମ୍ପସ୍‌। ଏହା ସୌର ପ୍ଲାଣ୍ଟ, ଘରୋଇ ଓ ପାନୀୟ ଜଳ ବିଶୋଧନ ପ୍ଲାଣ୍ଟ, ବର୍ଜ୍ୟ ଜଳର ପୁନଃବ୍ୟବହାର ପାଇଁ ଜଳ ପୁନଃବ୍ୟବହାର ପ୍ଲାଣ୍ଟ, ୧୦୦ ଏକର ଜଳାଶୟ ଏବଂ ଅନ୍ୟାନ୍ୟ ପରିବେଶ ଅନୁକୂଳ ସୁବିଧା ସହିତ ଆତ୍ମନିର୍ଭରଶୀଳ ହୋଇଛି।

ନାଳନ୍ଦା ବିଶ୍ୱବିଦ୍ୟାଳୟର ଇତିହାସ ସହ ଗଭୀର ସମ୍ପର୍କ ରହିଛି। ପ୍ରାୟ ୧୬୦୦ ବର୍ଷ ପୂର୍ବେ ସ୍ଥାପିତ ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ଭାବେ ବିବେଚନା କରାଯାଏ। ୨୦୧୬ରେ ନାଳନ୍ଦାର ଭଗ୍ନାବଶେଷକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପ୍ରିକ୍ସ ଭର୍ସେଲ୍ସ ମ୍ୟୁଜିଅମ୍ ୨୦୨୪ ରେ ସ୍ଥାନ ପାଇଲା କଚ୍ଛର ସ୍ମୃତିବନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରିକ୍ସ ଭର୍ସେଲ୍ସ ମ୍ୟୁଜିଅମ୍ ୨୦୨୪ ପାଇଁ ବିଶ୍ୱ ସ୍ତରୀୟ ଚୟନରେ, ୨୦୦୧ ରେ ହୋଇଥିବା ଦୁଖଃଦ ଭୂମିକମ୍ପରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳିର ପ୍ରତୀକ କଚ୍ଛର ସ୍ମୃତିବନକୁ ସାମିଲ୍ କରାଯାଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ପ୍ରିକ୍ସ ଭର୍ସେଲ୍ସ ମ୍ୟୁଜିଅମ୍ ଦ୍ୱାରା କରାଯାଇଥିବା ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ:

“୨୦୦୧ରେ ହୋଇଥିବା ଦୁଖଃଦ ଭୂମିକମ୍ପରେ ଆମେ ହରାଇଥିବା ଲୋକଙ୍କ ପାଇଁ କଚ୍ଛର ସ୍ମୃତିବନ ଏକ ଶ୍ରଦ୍ଧାଞ୍ଜଳି। ଏହା ମାନବିକ  ଏବଂ ସାହସିକତାକୁ ମଧ୍ୟ ସ୍ମରଣ କରାଇଥାଏ। ଏହି ମ୍ୟୁଜିଅମ୍ ପ୍ରିକ୍ସ ଭର୍ସେଲ୍ସ ମ୍ୟୁଜିଅମ୍ ୨୦୨୪ ପାଇଁ ବିଶ୍ୱ ଚୟନରେ ଏକ ସ୍ଥାନ ପାଇଥିବା ଆନନ୍ଦର ବିଷୟ।”

Categories
ଆଜିର ଖବର ଜାତୀୟ ଖବର

ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳବାଇ ପାଇଁ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି।

ରେଳ ମନ୍ତ୍ରଣାଳୟ ୨୬ ଫେବୃଆରୀ ୨୦୨୪ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯେଉଁଥିରେ ୨,୧୪୦ ଟି ସ୍ଥାନରେ ୪୦,୧୯,୫୧୬ ଜଣ ଲୋକ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସଡ଼କ ଉପରେ ରେଳ ଓଭରବ୍ରିଜ୍‌ ଓ ସଡ଼କ ତଳେ ରେଳବାଇ ଅଣ୍ଡର୍‌ବ୍ରିଜ୍‌ ଉଦଘାଟନ ଏବଂ ରେଳ ଷ୍ଟେସନର ଶିଳାନ୍ୟାସ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଭାରତୀୟ ରେଳବାଇର ଏହି ବ୍ୟାପକ ପ୍ରୟାସ ଓ ଏକତ୍ରିକରଣକୁ ମାନ୍ୟତା ମିଳିଛି ଏବଂ ଏହାକୁ ସମ୍ମାନଜନକ ଲିମକା ବୁକ୍‌ ଅଫ୍‌ ବିଶ୍ୱ ରେକର୍ଡସ୍‌ ରେ ସାମିଲ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଅର୍ଦ୍ଧ ଚକ୍ରାସନ ଉପରେ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଦ୍ଧ ଚକ୍ରାସନ କିମ୍ବା ଅର୍ଦ୍ଧ ଚକ୍ର ସ୍ଥିତି ଉପରେ ଏକ ଭିଡିଓ କ୍ଲିପ ଶେୟାର କରିବା ସହ ଉତ୍ତମ ହୃଦୟ ଏବଂ ରକ୍ତ ପ୍ରବାହରେ ଉନ୍ନତି ଆଣିବା ପାଇଁ ଏହି ସ୍ଥିତିର ଅଭ୍ୟାସ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଅନ୍ତର୍ଜାତୀୟ ଯୋଗ ଦିବସର ଦଶମ ସଂସ୍କରଣ ପୂର୍ବରୁ ଶେୟାର ହୋଇଥିବା ଏହି ଭିଡିଓରେ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଛିଡା ହୋଇ ଏହି ଆସନ କରିବାର ବିଭିନ୍ନ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି।

ପ୍ରଧାମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଚକ୍ରାସନ ଅଭ୍ୟାସ କର। ଏହା ହୃଦୟ ପାଇଁ ବହୁତ ଭଲ ହୋଇଥିବା ବେଳେ ରକ୍ତ ପ୍ରବାହ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ।”

https://x.com/narendramodi/status/1801804607162548365?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1801804607162548365%7Ctwgr%5E23441abee698cb6e3c86aad1da11ebd9aa46f91a%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2025553

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜି-୭ ସମ୍ମିଳନୀ ଅବସରରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ତୃତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ନେଇ ଶୁଭେଚ୍ଛା ଜଣାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ।

୨. ଉଭୟ ନେତାଙ୍କ ମଧ୍ୟରେ ଏକ ଫଳପ୍ରଦ ବୈଠକ ହୋଇଥିଲା, ଯେଉଁଥିରେ ସେମାନେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାର ଉପାୟ ଉପରେ ଆଲୋଚନା କରିଥିଲେ । ୟୁକ୍ରେନର ସ୍ଥିତି ଏବଂ ସ୍ୱିଜରଲ୍ୟାଣ୍ଡ ଦ୍ୱାରା ଆୟୋଜନ କରାଯାଉଥିବା ଆଗାମୀ ଶାନ୍ତି ଶିଖର ସମ୍ମିଳନୀ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ।

୩. ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଭାରତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନକୁ ପ୍ରୋତ୍ସାହିତ କରିବା ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରିବା ପାଇଁ ଭାରତ ତା’ର ସାମର୍ଥ୍ୟ ମଧ୍ୟରେ ସବୁକିଛି ଜାରି ରଖିବ ବୋଲି ଦୋହରାଇଥିଲେ।

୪. ଉଭୟ ନେତା ଯୋଗାଯୋଗରେ ରହିବାକୁ ସହମତି ପ୍ରକାଶ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜି- ୭ ସମ୍ମିଳନୀ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ଆପୁଲିଆ ଠାରେ ଜି- ୭ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ଋଷି ସୁନକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ସୁନକ ଶ୍ରୀ ମୋଦୀଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା ଜଣାଇଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ଦେଶର ମିଳିତ ପ୍ରତିବଦ୍ଧତାକୁ ଦୁଇ ନେତା ଦୋହରାଇଥିଲେ।

୨. ନେତାମାନେ ରୋଡମ୍ୟାପ୍ ୨୦୩୦ର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ ଏବଂ ନିୟମିତ ଉଚ୍ଚସ୍ତରୀୟ ରାଜନୈତିକ ପରାମର୍ଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ, ଗୁରୁତ୍ୱପୂର୍ଣ୍ଣ ଏବଂ ଉଚ୍ଚ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏବଂ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସମେତ ବ୍ୟାପକ ରଣନୈତିକ ଭାଗିଦାରୀର ସମସ୍ତ କ୍ଷେତ୍ରର ଅଗ୍ରଗତି ଉପରେ ଖୁସି ବ୍ୟକ୍ତ କରିଥିଲେ। ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାରେ ହୋଇଥିବା ଅଗ୍ରଗତିକୁ ନେଇ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ। ଉଭୟ ନେତା ପାରସ୍ପରିକ ହିତ ସମ୍ବନ୍ଧୀୟ ଆଞ୍ଚଳିକ ଏବଂ ବହୁପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ।

୩. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବ୍ରିଟେନର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ତ୍ରିକୋଣାସନ ଉପରେ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିକୋଣାସନ କିମ୍ବା ତ୍ରିକୋଣ ସ୍ଥିତି ଉପରେ ଏକ ଭିଡିଓ କ୍ଲିପ ଶେୟାର କରିବା ସହ ଶରୀରର ଉପର ଭାଗର ସ୍ଥିତିରେ ପରିବର୍ତ୍ତନ ଆଣିବା ଏବଂ ଏକାଗ୍ରତାର ଉନ୍ନତି ପାଇଁ ଏହାକୁ ଅଭ୍ୟାସ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

ଅନ୍ତର୍ଜାତୀୟ ଯୋଗ ଦିବସର ୧୦ମ ସଂସ୍କରଣ ପୂର୍ବରୁ ଶେୟାର କରାଯାଇଥିବା ଏହି ଭିଡିଓରେ ଛିଡା ହୋଇ ସ୍ଥିର ସ୍ଥିତିରେ ପ୍ରଦର୍ଶନ କରିବାର ପଦକ୍ଷେପ ଉପରେ ମଧ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ:

“କାନ୍ଧ, ପିଠିକୁ ମଜଭୁତ କରିବା ଏବଂ ଏକାଗ୍ରତାକୁ ଉନ୍ନତ କରିବା ପାଇଁ ତ୍ରିକୋଣାସନ ଅଭ୍ୟାସ କର।”

https://x.com/narendramodi/status/1801475435835932975

https://x.com/narendramodi/status/1801475435835932975?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1801475435835932975%7Ctwgr%5E26e90b1dc5cb4b7cbef2703337b78e62ba01ed76%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2025239

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୁଏଲ ଓରାମ

ନୂଆଦିଲ୍ଲୀ: ଜୁଏଲ ଓରାମ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀଙ୍କୁ ଆଦିବାସୀ ବ୍ୟାପାର ସଚିବ ବିଭୁ ନାୟାର ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ।

ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଜୁଏଲ ଓରାମ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବା ଏବଂ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ। ଗଣମାଧ୍ୟମକୁ ସମ୍ବୋଧିତ କରି ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ସମଗ୍ର ଦେଶରେ ଆଦିବାସୀମାନଙ୍କ ର ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରିବା ପାଇଁ ଯଥେଷ୍ଟ କାର୍ଯ୍ୟ କରିଛି। ଭବିଷ୍ୟତରେ ଆଦିବାସୀଙ୍କ ସମସ୍ତ ପ୍ରକାର ବିକାଶ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଓରାମ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରି କାର୍ଯ୍ୟରତ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ଅଗ୍ରଗତି ସମୀକ୍ଷା କରିଥିଲେ। ସମଗ୍ର ଦେଶରେ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜୁଏଲ ଓରାମ ୧୯୯୮ ମସିହାରୁ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ୧୨ଶ, ୧୩ଶ, ୧୪ଶ, ୧୬ଶ ଓ ୧୭ଶ ଲୋକସଭାର ସଦସ୍ୟ ଥିଲେ। ୧୯୯୯ ମସିହା ଅକ୍ଟୋବର ୧୩ ତାରିଖରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ମନ୍ତ୍ରଣାଳୟ ଗଠନ କରିବା ପରେ ଶ୍ରୀ ଓରାମ ପ୍ରଥମ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜି-୭ ଶିଖର ସମ୍ମିଳନୀ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଆଜି ଇଟାଲୀର ଆପୁଲିଆଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ କରିଥିଲେ। କ୍ରମାଗତ ତୃତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ମାକ୍ରୋନ୍ ଶୁଭେଚ୍ଛା କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ଦୁଇ ନେତା ଭାରତ-ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ ‘ହରାଇଜନ ୨୦୪୭’ ରୋଡମ୍ୟାପ୍ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ରୋଡ୍ ମ୍ୟାପ୍ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତିରକ୍ଷା, ପରମାଣୁ, ମହାକାଶ, ଶିକ୍ଷା, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଯୋଗାଯୋଗ ଏବଂ ସାଂସ୍କୃତିକ ପଦକ୍ଷେପ ଯଥା ଜାତୀୟ ସଂଗ୍ରହାଳୟ ଭାଗିଦାରୀ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା ହୋଇଥିଲା। ‘ମେକ୍ ଇନ୍ ଇଣ୍ଡିଆ’ ଉପରେ ଅଧିକ ଗୁରୁତ୍ୱ ଦେବା ସହ ରଣନୈତିକ ପ୍ରତିରକ୍ଷା ସହଯୋଗକୁ ଆହୁରି ତୀବ୍ର କରିବାକୁ ସେମାନେ ରାଜି ହୋଇଥିଲେ।

୨୦୨୫ ରେ ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ଆଗାମୀ ଏଆଇ ଶିଖର ସମ୍ମିଳନୀ ଏବଂ ମିଳିତ ଜାତିସଂଘ ମହାସାଗର ସମ୍ମିଳନୀ ପରିପ୍ରେକ୍ଷୀରେ ଉପଯୁକ୍ତ ଭାବେ କାର୍ଯ୍ୟ କରିବା ସହିତ ଏଆଇ, ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଶକ୍ତି ଏବଂ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ବିସ୍ତାର କରିବାକୁ ସେମାନେ ସହମତ ହୋଇଥିଲେ।

ଉଭୟ ନେତା ପ୍ରମୁଖ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ। ଏକ ସ୍ଥିର ଏବଂ ସମୃଦ୍ଧ ବିଶ୍ୱ ବ୍ୟବସ୍ଥା ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ଦୃଢ଼ ଏବଂ ବିଶ୍ୱସନୀୟ ରଣନୈତିକ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାକୁ ଅଧିକ ଉଚ୍ଚତାରେ ପହଞ୍ଚାଇବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ।

ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ କ୍ରୀଡ଼ା ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ତାଡାସନର ଭିଡିଓ କ୍ଲିପ୍ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଡାସନ ବା ତାଳ ଗଛର ମୁଦ୍ରା ଉପରେ ଏକ ଭିଡିଓ କ୍ଲିପ୍ ପୋଷ୍ଟ କରିଛନ୍ତି।

ଜୁନ୍ ୨୧ ରେ ଅନ୍ତର୍ଜାତୀୟ ଯୋଗ ଦିବସର ଦଶମ ସଂସ୍କରଣ ପୂର୍ବରୁ ସେୟାର କରାଯାଇଥିବା ଏହି କ୍ଲିପରେ ତାଡ଼ାସନର ସ୍ୱାସ୍ଥ୍ୟ ଉପକାରିତା ଏବଂ ସୋପାନ ବିଷୟରେ ବର୍ଣ୍ଣନା କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ତାଡାସନ ଶରୀର ପାଇଁ ବହୁତ ଭଲ ଅଟେ। ଏହା ଶରୀର ପାଇଁ ଅଧିକ ଶକ୍ତି ଏବଂ ଉନ୍ନତ ସଂଯୋଜନା ସୁନିଶ୍ଚିତ କରିଥାଏ।

https://x.com/narendramodi/status/1801095980604891642?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1801095980604891642%7Ctwgr%5E279e5d7137c6bca2183883a58eb6d7c37ba53f61%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2025032

Categories
ଆଜିର ଖବର ଜାତୀୟ ଖବର

ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ‘ମୋଦି କା ପରିବାର’ ଟ୍ୟାଗ୍ ହଟାଇବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ “ମୋଦୀ କା ପରିବାର” ଟ୍ୟାଗ୍ ଲାଇନ୍ ହଟାଇ ଦିଅନ୍ତୁ।

ନିରନ୍ତର ସମର୍ଥନ ପାଇଁ ଶ୍ରୀ ମୋଦୀ ଭାରତବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ ଅନେକ ଲୋକ ତାଙ୍କ ପ୍ରତି ସ୍ନେହଭାବ ଭାବରେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ “ମୋଦି କା ପରିବାର” ଯୋଡିଥିଲେ। ପ୍ରଦର୍ଶିତ ନାମ ବଦଳିପାରେ, କିନ୍ତୁ ଭାରତର ପ୍ରଗତି ପାଇଁ ପ୍ରୟାସ କରୁଥିବା ଏକ ପରିବାର ଭାବରେ ଆମର ସମ୍ପର୍କ ଦୃଢ଼ ଏବଂ ଅତୁଟ ରହିଛି ବୋଲି ଶ୍ରୀ ମୋଦୀ ଆହୁରି କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

ନିର୍ବାଚନ ପ୍ରଚାର ମାଧ୍ୟମରେ ସମଗ୍ର ଭାରତରେ ଲୋକମାନେ ମୋ ପ୍ରତି ସ୍ନେହର ଚିହ୍ନ ସ୍ୱରୂପ ନିଜ ସୋସିଆଲ ମିଡିଆରେ ‘ମୋଦି କା ପରିବାର’ ଯୋଡ଼ିଛନ୍ତି। ମୁଁ ଏଥିରୁ ବହୁତ ଶକ୍ତି ପାଇଥିଲ । ଭାରତର ଜନତା କ୍ରମାଗତ ତୃତୀୟ ଥର ପାଇଁ ଏନଡିଏକୁ ସଂଖ୍ୟା ଗରିଷ୍ଠତା ଦେଇଛନ୍ତି, ଯାହା ଏକ ପ୍ରକାର ରେକର୍ଡ ଏବଂ ଆମ ଦେଶର ଉନ୍ନତି ପାଇଁ କାର୍ଯ୍ୟ ଜାରି ରଖିବା ପାଇଁ ଆମକୁ ଜନାଦେଶ ଦେଇଛନ୍ତି।

ଆମେ ସମସ୍ତେ ଗୋଟିଏ ପରିବାର ହେବାର ବାର୍ତ୍ତା ପ୍ରଭାବଶାଳୀ ଭାବରେ ପ୍ରକାଶ ପାଇବା ପରେ ମୁଁ ପୁଣି ଥରେ ଭାରତବାସୀଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଅନୁରୋଧ କରିବି ଯେ ଆପଣମାନେ ବର୍ତ୍ତମାନ ଆପଣଙ୍କ ସୋସିଆଲ ମିଡିଆ ସମ୍ପତ୍ତିରୁ ‘ମୋଦୀ କା ପରିବାର’କୁ ହଟାଇ ଦିଅନ୍ତୁ। ପ୍ରଦର୍ଶନ ନାମ ବଦଳିପାରେ, କିନ୍ତୁ ଭାରତର ପ୍ରଗତି ପାଇଁ ପ୍ରୟାସ କରୁଥିବା ଏକ ପରିବାର ଭାବରେ ଆମର ସମ୍ପର୍କ ଦୃଢ଼ ଏବଂ ଅତୁଟ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବାରୁ ପେମା ଖାଣ୍ଡୁଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ପେମା ଖାଣ୍ଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ଶପଥ ଗ୍ର୍ରହଣ କରିଥିବା ଅନ୍ୟ ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ଦ୍ରୁତ ଗତିରେ ବିକାଶ ସୁନିଶ୍ଚିତ କରି ଲୋକମାନଙ୍କ ସେବା କରିବା ଦିଗରେ ଆଗାମୀ ଦିନରେ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ:

“ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବାରୁ ପେମା ଖାଣ୍ଡୁଙ୍କୁ ଅଭିନନ୍ଦନ । ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଅନ୍ୟ ସମସ୍ତଙ୍କୁ ମଧ୍ୟ ମୋର ଶୁଭେଚ୍ଛା । ଲୋକମାନଙ୍କର ସେବା କରିବା ପାଇଁ ଆଗାମୀ ଦିନରେ ସେମାନେ କରିବାକୁ ଥିବା ପ୍ରଚେଷ୍ଟା ପାଇଁ ମୋର ଶୁଭକାମନା । ଏହି ନୂଆ ଟିମ୍ ଆଗାମୀ ଦିରେ ରାଜ୍ୟର ବିକାଶ ଆହୁରି ଦ୍ରୁତ ଗତିରେ ହେଉଛି ବୋଲି ସୁନିଶ୍ଚିତ କରିବ ।”

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିତ ଶାହା

ନୂଆଦିଲ୍ଲୀ: ଅମିତ ଶାହା ଆଜି ନୂଆଦିଲ୍ଲୀର ନର୍ଥ ବ୍ଲକରେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ‘ଏକ୍ସ’ ରେ ଏକ ପୋଷ୍ଟ କରି ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସର୍ବଦା ଦେଶ ଏବଂ ଏହାର ଲୋକଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବ। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ମୋଦୀ ୩.୦ ଭାରତର ସୁରକ୍ଷା ପାଇଁ ନିଜର ପ୍ରୟାସକୁ ପରବର୍ତ୍ତୀ ସ୍ତରକୁ ନେଇଯିବେ ଏବଂ ଆତଙ୍କବାଦ, ବିଦ୍ରୋହ ଏବଂ ନକ୍ସଲବାଦ ବିରୋଧରେ ଭାରତକୁ ଏକ ଦୃଢ଼ ଶକ୍ତି ଭାବରେ ଗଢ଼ିତୋଳିବେ।

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ପୁଲିସ ସ୍ମାରକୀଠାରେ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶର ସମ୍ମାନ ରକ୍ଷା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଆମ ପୋଲିସ ବାହିନୀର ସହିଦମାନଙ୍କୁ ସ୍ମରଣ କରିବା ଉଚିତ ଯେଉଁମାନଙ୍କ ବଳିଦାନର ଗାଥା ଦେଶପ୍ରେମର ଉତ୍ସାହକୁ ସବୁଦିନ ପାଇଁ ଅମର କରିଦେଇଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଡ. ଏଲ୍ ମୁରୁଗନ୍

ନୂଆଦିଲ୍ଲୀ: ଏଲ୍ ମୁରୁଗନ୍ ଆଜି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମୁରୁଗନ୍ ତାଙ୍କ ଉପରେ ଭରସା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସରକାର ଓ ଦେଶର ଜନସାଧାରଣଙ୍କ ମଧ୍ୟରେ ଯୋଗାଯୋଗର ସେତୁ ଭାବରେ ରହି ସରକାରୀ ନୀତି କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଡ. ମୁରୁଗନ୍ କହିଥିଲେ ଯେ, ସରକାର ଗରିବ କଲ୍ୟାଣ ଦିଗରେ ପ୍ରତିଶୃତିବଦ୍ଧ ଏବଂ ଏହାର ଉଦାହରଣ ହେଉଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ନିଆଯାଇଥିବା କ୍ୟାବିନେଟ୍ ନିଷ୍ପତ୍ତି।

ଡ. ମୁରୁଗନ୍‌ଙ୍କୁ ସଚିବ ସଞ୍ଜୟ ଜାଜୁ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ତଥା ମନ୍ତ୍ରଣାଳୟ ଅଧିନରେ ଥିବା ଗଣମାଧ୍ୟମ ଯୁନିଟ୍ ସ୍ୱାଗତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

PM Oath Ceremony: ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି

PM Oath Ceremony: ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ଉତ୍ସବରେ ତାଙ୍କୁ ଶପଥ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଆୟୋଜିତ ଏହି ଉତ୍ସବରେ ପଡୋଶୀ ରାଷ୍ଟ୍ରର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପରେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡକରୀ, ଜେପି ନଡ୍ଡା ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ପାଇଁ ବିଭିନ୍ନ ଦେଶର ନେତାଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ୯ ଜୁନ ୨୦୨୪ରେ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗର ଅଞ୍ଚଳର ନେତାମାନଙ୍କୁ ବିଶିଷ୍ଟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।

ଶ୍ରୀଲଙ୍କା ରାଷ୍ଟ୍ରପତି ମହାମହିମ ରାନିଲ ବିକ୍ରମସିଂହେ; ମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜ୍ଜୁ; ସେସେଲ୍ସର ଉପ ରାଷ୍ଟ୍ରପତି ମହାମହିମ ଅହମ୍ମଦ ଅଫିଫ୍; ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନା; ମରିସସ୍ ପ୍ରଧାନମନ୍ତ୍ରୀ ମହାମହିମ ପ୍ରବିନ୍ଦ କୁମାର ଜଗନ୍ନାଥ; ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’; ଏବଂ ଭୁଟାନର ପ୍ରଧାନମନ୍ତ୍ରୀ ମହାମହିମ ସେରିଙ୍ଗ ତୋବଗେ ଯୋଗ ଦେବା ପାଇଁ ଭାରତର ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି।

ଉପରୋକ୍ତ ନେତାମାନେ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ସହ ସେହି ଦିନ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ ଆୟୋଜିତ ଭୋଜିରେ ଯୋଗ ଦେବେ।

କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନେତାମାନଙ୍କ ଗସ୍ତ ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଏବଂ ‘ସାଗର’ ଦୃଷ୍ଟିକୋଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେ ମଧ୍ୟ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଦର୍ଶନରେ ଉନ୍ନତି ପାଇଁ ଖୁସି ବ୍ୟକ୍ତ କରିଛନ୍ତି।

କ୍ୟୁଏସ୍ କ୍ୱାକ୍କ୍ୱାରେଲି ସାଇମଣ୍ଡସ୍ ଲିମିଟେଡ୍ ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ନୁଞ୍ଜିଓ କ୍ୱାକ୍କ୍ୱେରେଲିଙ୍କୁ କ୍ୟୁଏସ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଦର୍ଶନରେ କ୍ରମାଗତ ଉନ୍ନତି ବିଷୟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଥିଲେ;

“ବିଗତ ଏକ ଦଶନ୍ଧି ମଧ୍ୟରେ ଆମେ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଛୁ। କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରେଙ୍କିଙ୍ଗରେ ଏହା ପ୍ରତିଫଳିତ ହୋଇଛି। ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅନୁଷ୍ଠାନଗୁଡ଼ିକର କଠିନ ପରିଶ୍ରମ ଓ ନିଷ୍ଠା ପାଇଁ ସେମାନଙ୍କୁ ଅଭିନନ୍ଦନ। ଏହି ଅବଧିରେ ଆମେ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ଆହୁରି ଅଧିକ କିଛି କରିବାକୁ ଚାହୁଁଛୁ।”

Categories
ଆଜିର ଖବର ଜାତୀୟ ଖବର

‘‘ଏକ ପେଡ୍ ମା’ କେ ନାମ’’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ଲଗାଇଲେ ଅଶ୍ୱତ୍ଥ ଗଛ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ‘‘ଏକ ପେଡ୍ ମା କେ ନାମ’’ (ଗୋଟିଏ ଗଛ ମା’ଙ୍କ ନାମରେ) ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଶ୍ରୀ ମୋଦୀ ଏକ ଅଶ୍ୱତ୍ଥ ଗଛ ଲଗାଇଛନ୍ତି। ଆମ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ ପ୍ରୟାସ ହାତକୁ ନେଇଛି ଯାହା ଫଳରେ ସମଗ୍ର ଦେଶରେ ଜଙ୍ଗଲ ବୃଦ୍ଧି ପାଇଛି। ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସ ପାଇଁ ଏହା ବହୁତ ଭଲ ବୋଲି ଶ୍ରୀ ମୋଦୀ ଆହୁରି କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ଥ୍ରେଡ୍ ପୋଷ୍ଟ କରି କହିଛନ୍ତି; ‘‘ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ‘‘ଏକ ପେଡ୍ ମା’ କେ ନାମ’’ ଅଭିଯାନ ଆରମ୍ଭ କରି ଖୁସି ଲାଗୁଛି। ମା’ଙ୍କୁ ସମ୍ମାନ ଜଣାଇ ଆଗାମୀ ଦିନରେ ଏକ ବୃକ୍ଷ ରୋପଣ କରିବାକୁ ମୁଁ ଭାରତ ତଥା ସମଗ୍ର ବିଶ୍ୱର ସମସ୍ତଙ୍କୁ ଆହ୍ୱାନ କରୁଛି। #Plant4Mother କିମ୍ବା #एक_पेड़_माँ_के_नाम ହାଶଟ୍ୟାଗ୍ ବ୍ୟବହାର କରି ଏପରି କରୁଥିବାର ଫଟୋ ସେୟାର କରନ୍ତୁ।’’

“ଆଜି ସକାଳେ ମୁଁ ପ୍ରକୃତି ମାତାଙ୍କ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଆପଣେଇବା ପାଇଁ ଆମର ପ୍ରତିବଦ୍ଧତା ଅନୁଯାୟୀ ଏକ ବୃକ୍ଷ ରୋପଣ କରିଥିଲି। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆମ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ କରନ୍ତୁ। #Plant4Mother #एक_पेड़_माँ_के_नाम” ‘‘ଏହା ଆପଣ ସମସ୍ତଙ୍କୁ ବହୁତ ଖୁସି କରିବ ଯେ ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ ପ୍ରୟାସ ହାତକୁ ନେଇଛି ଯାହା ଫଳରେ ସମଗ୍ର ଦେଶରେ ଜଙ୍ଗଲ ବୃଦ୍ଧି ପାଇଛି। ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସ ପାଇଁ ଏହା ବହୁତ ଭଲ । ସ୍ଥାନୀୟ ଜନ ସମୁଦାୟ କିପରି ଏହି ଅବସରରେ ଆଗେଇ ଆସିଛନ୍ତି ଏବଂ ଏଥିରେ ନେତୃତ୍ୱ ନେଇଛନ୍ତି ତାହା ମଧ୍ୟ ପ୍ରଶଂସନୀୟ।

‘‘ଆଜି ବିଶ୍ୱ ପରିବେଶ ଦିବସରେ #एक_पेड़_माँ_के_नाम ଅଭିଯାନର ଶୁଭାରମ୍ଭ କରି ମୁଁ ବହୁତ ଖୁସି । ମୁଁ ଦେଶବାସୀ ତଥା ସାରା ବିଶ୍ୱର ଲୋକଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜ ମା’ଙ୍କ ସହ ମିଶି କିମ୍ବା ତାଙ୍କ ନାମରେ ଏକ ଗଛ ଲଗାନ୍ତୁ। ଏହା ଆପଣଙ୍କ ପକ୍ଷରୁ ଏକ ମୂଲ୍ୟବାନ ଉପହାର ହେବ । ଆପଣ ଏହା ସହ ଜଡିତ ଫଟୋକୁ #Plant4Mother, #एक_पेड़_माँ_के_नाम ସହ ସେୟାର କରିବା ଜରୁରୀ।”