Categories
ଆଜିର ଖବର ଜାତୀୟ ଖବର

ନୂତନ ପ୍ରବାସୀ ଭାରତୀୟ ନାଗରିକ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ନୂତନ ପ୍ରବାସୀ ଭାରତୀୟ ନାଗରିକ (ଓସିଆଇ) ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ (ଆଇବି) ନିର୍ଦ୍ଦେଶକ ଏବଂ ଗୃହ ମନ୍ତ୍ରଣାଳୟ (ଏମଏଚଏ)ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏହାର ଓସିଆଇ କାର୍ଡଧାରୀ ନାଗରିକମାନଙ୍କୁ ବିଶ୍ୱସ୍ତରୀୟ ପ୍ରବାସ ସୁବିଧା ପ୍ରଦାନ କରିବାକୁ ନିରନ୍ତର ପ୍ରୟାସ କରୁଛି। ବିଦେଶୀ ନାଗରିକଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିବା ଲାଗି ଏକ ଅପଡେଟ୍ ୟୁଜର ଇଣ୍ଟରଫେସ୍ ସହିତ ଏକ ପୁନଃନିର୍ମିତ ଓସିଆଇ ପୋର୍ଟାଲ୍ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ। ଶ୍ରୀ ଶାହ ଏହା ମଧ୍ୟ ଗୁରୁତ୍ୱାରୋପ କରି କହିଥିଲେ ଯେ, ଅନେକ ଭାରତୀୟ ବଂଶୋଦ୍ଭବ ନାଗରିକ ବିଶ୍ୱର ବିଭିନ୍ନ ଦେଶରେ ବାସ କରନ୍ତି, ଏବଂ ଆମେ ନିଶ୍ଚିତ କରିବା ଉଚିତ ଯେ ସେମାନେ ଭାରତ ଗସ୍ତ କରିବା କିମ୍ବା ରହିବା ସମୟରେ ଯେପରି କୌଣସି ଅସୁବିଧାକୁ ସାମନା ନ କରନ୍ତି।

ନୂତନ ପୋର୍ଟାଲ୍ ୫ ମିଲିୟନରୁ ଅଧିକ ଓସିଆଇ କାର୍ଡଧାରକ ଏବଂ ନୂତନ ଉପଭୋକ୍ତାଙ୍କ ପାଇଁ ଉନ୍ନତ କାର୍ଯ୍ୟକ୍ଷମତା, ଉନ୍ନତ ସୁରକ୍ଷା ଏବଂ ଏକ ଉପଯୋଗୀ – ଅନୁକୂଳ ଅଭିଜ୍ଞତା ପ୍ରଦାନ କରିବ। ନୂତନ ଓସିଆଇ ପୋର୍ଟାଲ୍ https://ociservices.gov.in ରେ ଉପଲବ୍ଧ।

ନାଗରିକତା ଆଇନରେ ସଂଶୋଧନ ମାଧ୍ୟମରେ ୨୦୦୫ ମସିହାରେ ପ୍ରବାସୀ ଭାରତୀୟ ନାଗରିକ (ଓସିଆଇ) ଯୋଜନା ପ୍ରଚଳନ କରାଯାଇଥିଲା। ଏହି ଯୋଜନାରେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ଭାରତର ବିଦେଶୀ ନାଗରିକ ଭାବରେ ପଞ୍ଜୀକରଣ କରିବାର ବ୍ୟବସ୍ଥା ଅଛି, ଯଦି ସେମାନେ ୨୬ ଜାନୁଆରୀ ୧୯୫୦ରେ କିମ୍ବା ତା’ପରେ ଭାରତର ନାଗରିକ ହୋଇଥିବେ କିମ୍ବା ସେହି ତାରିଖରେ ନାଗରିକ ହେବା ପାଇଁ ଯୋଗ୍ୟ ହୋଇଥିବେ। ଏମିତି ବ୍ୟକ୍ତି, ଯିଏ ପାକିସ୍ତାନ କିମ୍ବା ବାଂଲାଦେଶର ନାଗରିକ ଅଟନ୍ତି କିମ୍ବା ପୂର୍ବରୁ ଥିଲେ, କିମ୍ଵା ଯାହାଙ୍କ ପିତାମାତା, ଜେଜେବାପା- ଜେଜେମା କିମ୍ବା ପ୍ରପିତାମହ- ପ୍ରପିତାମହୀ ପାକିସ୍ତାନ କିମ୍ବା ବାଂଲାଦେଶର ନାଗରିକ, ସେମାନେ ଏଥିପାଇଁ ଯୋଗ୍ୟ ନୁହଁନ୍ତି।

ପୂର୍ବରୁ ରହିଥିବା ଓସିଆଇ ସେବା ପୋର୍ଟାଲ୍ ୨୦୧୩ ମସିହାରେ ବିକଶିତ ହୋଇଥିଲା ଏବଂ ବର୍ତ୍ତମାନ ଏହା ବିଦେଶରେ ୧୮୦ ରୁ ଅଧିକ ଭାରତୀୟ ମିଶନ ଏବଂ ୧୨ ଟି ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (ଏଫଆରଆରଓ) ରେ କାର୍ଯ୍ୟକ୍ଷମ, ପ୍ରତିଦିନ ପ୍ରାୟ ୨୦୦୦ ଆବେଦନ ପ୍ରକ୍ରିୟାକରଣ କରୁଛି। ଗତ ଦଶନ୍ଧିରେ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଅଗ୍ରଗତି ଏବଂ ଓସିଆଇ କାର୍ଡଧାରକମାନଙ୍କଠାରୁ ପ୍ରାପ୍ତ ମତାମତକୁ ଦୃଷ୍ଟିରେ ରଖି, ପୂର୍ବରୁ ରହିଥିବା ସୀମାକୁ ଦୂର କରିବା ଏବଂ ଉପଭୋକ୍ତା ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ଏକ ପୁନଃନିର୍ମିତ ଓସିଆଇ ପୋର୍ଟାଲ୍ ବିକଶିତ କରାଯାଇଛି।

ନୂତନ ଓସିଆଇ ପୋର୍ଟାଲରେ ଅନେକ ଉପଯୋଗୀ – ଅନୁକୂଳ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ, ଯେଉଁଥିରେ ରହିଛି :

– ଉପଭୋକ୍ତା ସାଇନ୍-ଅପ୍ ଏବଂ ପଞ୍ଜୀକରଣ ମେନୁର ପୃଥକୀକରଣ,
– ପଞ୍ଜିକରଣ ଫର୍ମରେ ଉପଭୋକ୍ତା ପ୍ରୋଫାଇଲ୍ ବିବରଣୀର ସ୍ୱୟଂ-ପୂରଣ,
– ସମ୍ପୂର୍ଣ୍ଣ ଏବଂ ଆଂଶିକ ପୂରଣ ହୋଇଥିବା ଆବେଦନପତ୍ରଗୁଡ଼ିକୁ ପ୍ରଦର୍ଶନ କରୁଥିବା ଡ୍ୟାସବୋର୍ଡ,
– ଏଫଆରଆରଓ ରେ ଫାଇଲ କରିଥିବା ଲୋକଙ୍କ ପାଇଁ ସମନ୍ୱିତ ଅନଲାଇନ୍ ପେମେଣ୍ଟ ଗେଟୱେ,
– ଆପ୍ଲିକେସନ୍ ପଦକ୍ଷେପ ଗୁଡ଼ିକରେ ନିର୍ବିଘ୍ନ ନାଭିଗେସନ୍,
– ଆବେଦନ ପ୍ରକାର ଉପରେ ଆଧାର କରି ଅପଲୋଡ୍ କରିବାକୁ ଆବଶ୍ୟକୀୟ ଦସ୍ତାବିଜ ଗୁଡ଼ିକର ବର୍ଗୀକରଣ,
– ଦାଖଲ ପୂର୍ବରୁ ଯେକୌଣସି ପର୍ଯ୍ୟାୟରେ ଆବେଦନକାରୀଙ୍କୁ ସମ୍ପାଦନ ବିକଳ୍ପ,
– ପୋର୍ଟାଲରେ ସମନ୍ୱିତ FAQ
– ଚୂଡ଼ାନ୍ତ ଦାଖଲ ପୂର୍ବରୁ ସୂଚନା ଯାଞ୍ଚ କରିବାକୁ ଆବେଦନକାରୀଙ୍କୁ ମନେ ପକାଇଥାଏ,
– ଚୟନିତ ଆବେଦନ ପ୍ରକାର ଉପରେ ଆଧାର କରି ଯୋଗ୍ୟତା ମାନଦଣ୍ଡ ଏବଂ ଆବଶ୍ୟକୀୟ ଦସ୍ତାବିଜ ଗୁଡ଼ିକର ପ୍ରଦର୍ଶନ,
– ଆବେଦନକାରୀଙ୍କ ଫଟୋ ଏବଂ ଦସ୍ତଖତ ଅପଲୋଡ୍ କରିବା ପାଇଁ ଇନ୍-ବିଲ୍ଟ ଇମେଜ୍ କ୍ରପିଂ ଟୁଲ୍।

ଯାନ୍ତ୍ରିକ ବୈଶିଷ୍ଟ୍ୟ:

1. ଭିତ୍ତିଭୂମି ଆଧୁନିକୀକରଣ

– ନୂତନତମ ଅପରେଟିଂ ସିଷ୍ଟମ ଯଥା ରେଡହ୍ୟାଟ୍ (RedHat) ରେ ଏକାଧିକ ୱେବ୍ ସର୍ଭର ଏବଂ ଲୋଡ୍ ବାଲାନ୍ସର ସହିତ ଉଚ୍ଚ ଉପଲବ୍ଧତା।

2. ସଫ୍ଟୱେର୍ ଏବଂ ପ୍ଲାଟଫର୍ମ ଅପଗ୍ରେଡ୍

– ଫ୍ରେମୱାର୍କ ଅପଡେଟ୍ : ବହୁ ଡିଭାଇସ୍ ସୁସଙ୍ଗତତା ପାଇଁ JDK, Struts 2.5.30 ଏବଂ Bootstrap 5.3.0 ର ନୂତନତମ ସଂସ୍କରଣକୁ ପରିବର୍ତ୍ତନ।

3. ଉନ୍ନତ ସୁରକ୍ଷା ପ୍ରୋଟୋକଲଗୁଡ଼ିକ

– ଏସଏସଏଲ / ଟିଏଲଏସ୍ ଏନକ୍ରିପ୍ସନ୍ : ଡାଟା ଗୋପନୀୟତା ଏବଂ ସୁରକ୍ଷା ସୁନିଶ୍ଚିତ କରେ।

– ନିୟମିତ ପ୍ରବେଶ ପରୀକ୍ଷା ଏବଂ ପ୍ୟାଚ୍ ପରିଚାଳନା

4. ପ୍ରକ୍ରିୟା ସ୍ୱୟଂଚାଳିତ ସମନ୍ୱୟତା

– ପ୍ରକ୍ରିୟା ସ୍ୱୟଂଚାଳିତକରଣ : ପୂର୍ବରୁ ରହିଥିବା କାର୍ଯ୍ୟ ଏବଂ କାର୍ଯ୍ୟପ୍ରବାହକୁ ସୁଗମ କରିଥାଏ।

5. ତଥ୍ୟ ପରିଚାଳନା

– ଡାଟା ଷ୍ଟୋରେଜ୍ ଏବଂ ପ୍ରବେଶକୁ କେନ୍ଦ୍ରୀଭୂତ ଏବଂ ଅପ୍ଟିମାଇଜ୍ କରିଥାଏ।

6. ଉପଭୋକ୍ତା ଅଭିଜ୍ଞତା (ୟୁଏକ୍ସ) ଉନ୍ନତି

– ରେସପନ୍ସିଭ୍ ୱେବ୍ ଡିଜାଇନ୍ : ସମସ୍ତ ଡିଭାଇସ୍ ପାଇଁ ଅପ୍ଟିମାଇଜ୍ କରାଯାଇଛି।

–  ଦ୍ରୁତ ଲୋଡ୍ ସମୟ ଏବଂ ମୋବାଇଲ୍ ଅପ୍ଟିମାଇଜେସନ୍

7. ସାଇବର ସୁରକ୍ଷା ବୃଦ୍ଧି

– ମଲ୍ଟି-ଫ୍ୟାକ୍ଟର ଅଥେଣ୍ଟିକେସନ୍ (ଏମଏଫଏ)
ସର୍ଭର ହାର୍ଡିଂ ଏବଂ ସର୍ବଶେଷ ଏଭି (AV) ଏକୀକରଣ।

Categories
ଆଜିର ଖବର ଜାତୀୟ ଖବର

“ବିକଶିତ ଭାରତ ନିର୍ମାଣରେ ସମବାୟର ଭୂମିକା” ଉପରେ ମେଗା ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଅହମ୍ମଦାବାଦରେ ଗୁଜରାଟ ରାଜ୍ୟ ସମବାୟ ମହାସଂଘ ଦ୍ୱାରା ଆୟୋଜିତ ‘‘ଏକ ବିକଶିତ ଭାରତ ନିର୍ମାଣରେ ସମବାୟ ସମିତିର ଭୂମିକା” ଉପରେ ବୃହତ୍ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ମିଳିତ ଜାତିସଂଘ ୨୦୨୫ କୁ ଆନ୍ତର୍ଜାତୀୟ ସମବାୟ ବର୍ଷ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ସେ କହିଥିଲେ ଯେ ସମବାୟ ଶବ୍ଦ ଆଜି ସମଗ୍ର ବିଶ୍ୱ ପାଇଁ ସେତିକି ପ୍ରାସଙ୍ଗିକ ଯେତିକି ୧୯୦୦ ମସିହାରେ ଥିଲା। ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୨୧ରେ ଭାରତରେ ସମବାୟ ଆନ୍ଦୋଳନକୁ ପୁନର୍ଜୀବିତ କରିବା ଲାଗି ଏକ ପ୍ରମୁଖ ପ୍ରୟାସ ଆରମ୍ଭ ହୋଇଥିଲା ଏବଂ ସେଥିପାଇଁ ଭାରତରୁ ଅନ୍ତର୍ଜାତୀୟ ସମବାୟ ବର୍ଷର ଶୁଭାରମ୍ଭ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।

ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ୨୦୨୧ ରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଅଧୀନରେ ଦୁଇଟି ମାର୍ଗଦର୍ଶକ ନୀତି-ସହକାର ସେ ସମୃଦ୍ଧି ଏବଂ ବିକଶିତ ଭାରତରେ ସହଯୋଗର ଭୂମିକା-ରାଷ୍ଟ୍ର ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ସେହି ପଦକ୍ଷେପର ଅଂଶବିଶେଷ ସ୍ୱରୂପ ଆଜି ଗୁଜରାଟରେ ଏହି ସମବାୟ ସମ୍ମିଳନୀର ଆୟୋଜନ କରାଯାଉଛି। ସେ କହିଥିଲେ ଯେ ଏହି କ୍ଷେତ୍ରରେ ପରିବର୍ତ୍ତନର ଲାଭ ତୃଣମୂଳ ସ୍ତରରେ ପ୍ରାଥମିକ କୃଷି ଋଣ ସମିତି (ପାକସ୍‍) ଏବଂ କୃଷକମାନଙ୍କ ନିକଟରେ ନପହଞ୍ଚିବା ପର୍ଯ୍ୟନ୍ତ ସମବାୟ କ୍ଷେତ୍ରକୁ ସୁଦୃଢ଼ କରାଯାଇପାରିବ ନାହିଁ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ଏହି କାରଣରୁ ସମବାୟ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ଦେବା ଜରୁରୀ। ଆମକୁ ସମସ୍ତ ପ୍ରକାରର ସମବାୟ ସଂସ୍ଥାଗୁଡ଼ିକରେ ସଚେତନତା, ପ୍ରଶିକ୍ଷଣ ଏବଂ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ କରିବାକୁ ପଡିବ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ଆନ୍ତର୍ଜାତୀୟ ସମବାୟ ବର୍ଷରେ ଭାରତ ସରକାର “ସମବାୟରେ ବିଜ୍ଞାନ” ଏବଂ ” ବିଜ୍ଞାନରେ ସମବାୟ” ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନ ସମୟରେ ଦେଶରେ ଆରମ୍ଭ ହୋଇଥିବା ଆମର ସମବାୟ ଆନ୍ଦୋଳନ ଧୀରେ ଧୀରେ ହ୍ରାସ ପାଇଥିଲା ଏବଂ ଦେଶର ବୃହତ ଅଂଶରେ ପ୍ରାୟ ଅଦୃଶ୍ୟ ହୋଇଯାଇଥିଲା। ସେ କହିଥିଲେ ଯେ ପ୍ରତ୍ୟେକ ରାଜ୍ୟ ଏବଂ ଜିଲ୍ଲାରେ ସମବାୟ ଆନ୍ଦୋଳନର ସମ୍ପ୍ରସାରଣ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏହାବ୍ୟତୀତ, ପ୍ରତ୍ୟେକ ରାଜ୍ୟରେ ପ୍ରାଥମିକ ସମବାୟ ସମିତିର ସ୍ଥିତିରେ ଉନ୍ନତି ହେବା ଉଚିତ, ଜିଲ୍ଲା ସ୍ତରୀୟ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରାଯିବା ଉଚିତ ଏବଂ ସେମାନଙ୍କ ମାଧ୍ୟମରେ ରାଜ୍ୟ ତଥା ଜାତୀୟ ସ୍ତରରେ ସମବାୟ ଢାଞ୍ଚାକୁ ମଧ୍ୟ ସୁଦୃଢ଼ କରାଯିବା ଉଚିତ।

ଶ୍ରୀ ଶାହ ଆହୁରି କହିଥିଲେ ଯେ ଦୀର୍ଘକାଳୀନ ବିଶ୍ୱସ୍ତରୀୟ ତ୍ରିସ୍ତରୀୟ ସମବାୟ ଢାଞ୍ଚାରେ ଏକ ଚତୁର୍ଥ ସ୍ତରର ବ୍ୟବସ୍ଥା ସାମିଲ କରାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ସମବାୟ କାର୍ଯ୍ୟକଳାପ, ରାଜ୍ୟ ସ୍ତରୀୟ ସମବାୟ ଅନୁଷ୍ଠାନ, ଜିଲ୍ଲା ସ୍ତରୀୟ ଅନୁଷ୍ଠାନ ଏବଂ ପ୍ରାଥମିକ ସମବାୟ ସମିତି ସହିତ ଜଡିତ ଜାତୀୟ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରି ସମଗ୍ର ଦେଶରେ ସମବାୟକୁ ବୃଦ୍ଧି କରିବା ଜରୁରୀ। ସେ କହିଥିଲେ ଯେ ଏହାକୁ ହାସଲ କରିବା ପାଇଁ ଆମକୁ ଅନ୍ତର୍ଜାତୀୟ ସମବାୟ ବର୍ଷର ଉପଯୋଗ କରିବା ଆବଶ୍ୟକ।

ଅମିତ ଶାହ କହିଥିଲେ ଯେ ଏହି ସମଗ୍ର ଅଭିଯାନ ତିନୋଟି ସ୍ତମ୍ଭ ଉପରେ ଆଧାରିତ-ପ୍ରଶାସନର ମୁଖ୍ୟଧାରାରେ ସମବାୟକୁ ଏକୀକୃତ କରିବା, ପ୍ରଯୁକ୍ତି ମାଧ୍ୟମରେ ସମବାୟ ଆନ୍ଦୋଳନରେ ସ୍ୱଚ୍ଛତା ଏବଂ ପ୍ରାମାଣିକତା ଆଣିବା ଏବଂ ସମବାୟ ଆନ୍ଦୋଳନ ସହିତ ଅଧିକରୁ ଅଧିକ ନାଗରିକଙ୍କୁ ଯୋଡ଼ିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା। ସେ କହିଥିଲେ ଯେ ସମବାୟ ବର୍ଷରେ ଏହି ତିନୋଟି ସ୍ତମ୍ଭ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟ ଦ୍ୱାରା ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ୫୭ଟି ପଦକ୍ଷେପ ଗ୍ରହଣ କରାଯାଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଆମକୁ ଗୁଜରାଟ ସମେତ ସମଗ୍ର ଦେଶରେ ପ୍ରାଥମିକ ସ୍ତରରେ ସମବାୟ ମଧ୍ୟରେ ସମବାୟର ଭାବଧାରାକୁ କାର୍ଯ୍ୟକାରୀ କରିବାକୁ ପଡିବ, ଯାହା ଦ୍ୱାରା ସମସ୍ତ ସମବାୟ ଅନୁଷ୍ଠାନର ସମ୍ପୂର୍ଣ୍ଣ କାର୍ଯ୍ୟ ଅନ୍ୟ ସମବାୟ ସମିତି ସହିତ ସମନ୍ୱୟରେ ପରିଚାଳିତ ହେବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସମସ୍ତ ପ୍ରାଥମିକ ସମବାୟ ସମିତି, ଡାଏରୀ ଇତ୍ୟାଦି ଜିଲ୍ଲା ସମବାୟ ବ୍ୟାଙ୍କରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ରହିବା ଉଚିତ। ସେ କହିଥିଲେ ଯେ ଆମକୁ ସମସ୍ତ ସମବାୟ ସଂସ୍ଥା ମଧ୍ୟରେ ସମବାୟକୁ ପ୍ରୋତ୍ସାହିତ କରିବାକୁ ହେବ ଏବଂ ଏହି ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ହେବ।

ଅମିତ ଶାହ କହିଥିଲେ ଯେ ମୋଦୀ ସରକାର ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ଯାହା ଜାତୀୟ ସ୍ତରରେ କାର୍ଯ୍ୟ କରିବ। ସେ କହିଥିଲେ ଯେ ଦେଶର ପ୍ରତ୍ୟେକ ରାଜ୍ୟରେ ସମବାୟର ସମସ୍ତ କ୍ଷେତ୍ର ସହ ଜଡ଼ିତ ଶିକ୍ଷାକୁ ଏବେ ସମବାୟର ପରିକଳ୍ପନା ଆଧାରରେ ପ୍ରସ୍ତୁତ କରାଯାଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଯେ ପର୍ଯ୍ୟନ୍ତ ଆମେ ପାକସ୍‍ (ପ୍ରାଥମିକ କୃଷି ଋଣ ସମିତି) କୁ ସୁଦୃଢ଼ କରୁନାହୁଁ, ସେ ପର୍ଯ୍ୟନ୍ତ ସମବାୟ ଢାଞ୍ଚାକୁ ସୁଦୃଢ଼ କରାଯାଇପାରିବ ନାହିଁ। ସେଥିପାଇଁ ମୋଦୀ ସରକାର ୨୦୨୯ ସୁଦ୍ଧା ଦେଶର ପ୍ରତ୍ୟେକ ପଞ୍ଚାୟତରେ ପାକସ୍‍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅଧୀନରେ ୨ ଲକ୍ଷ ନୂତନ ପାକସ୍‍ ଏବଂ ଡାଏରୀ ପଞ୍ଜିକୃତ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ପ୍ରାୟ ୨୨ ଟି ଭିନ୍ନ ଭିନ୍ନ କାର୍ଯ୍ୟକଳାପକୁ ପାକସ୍‍ ସହିତ ସମନ୍ୱିତ କରିଛନ୍ତି। ଶ୍ରୀ ଶାହ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସରକାର ଶୀଘ୍ର ପାକସ୍‍ ଗୁଡ଼ିକର ପୁନରୁଦ୍ଧାର ତଥା ନୂତନ ପାକସ୍‍ ଗୁଡ଼ିକର ପ୍ରତିଷ୍ଠା ପାଇଁ ଏକ ନୀତି ପ୍ରଣୟନ କରିବେ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସମବାୟ କ୍ଷେତ୍ରରେ ଅନେକ ନୂତନ ପଦକ୍ଷେପ ନେବାକୁ ଯାଉଛି। ସେ କହିଥିଲେ ଯେ ସମସ୍ତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସ୍ୱଚ୍ଛତାର ନୂତନ ଦିଗ ସ୍ଥାପନ କରିବା ଏବଂ ନିଯୁକ୍ତି ପରିଚାଳନା କରିବା ଲାଗି ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ର ଉପଯୋଗ କରି ଆମକୁ ସମବାୟ ଢାଞ୍ଚାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୋହା ଡାଇମଣ୍ଡ ଲିଗ୍ ୨୦୨୫ରେ ଜାଭେଲିନ୍ ଥ୍ରୋରେ ୯୦ ମିଟର ଟାର୍ଗେଟ ଅତିକ୍ରମ କରିବା ଏବଂ ବ୍ୟକ୍ତିଗତ ସର୍ବୋତ୍ତମ ଥ୍ରୋ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, “ଏହା ତାଙ୍କର ନିରନ୍ତର ଉଦ୍ୟମ, ଶୃଙ୍ଖଳା ଏବଂ ଆଗ୍ରହର ପରିଣାମ।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଏକ ଚମତ୍କାର ସଫଳତା! ଦୋହା ଡାଇମଣ୍ଡ ଲିଗ୍ ୨୦୨୫ରେ ୯୦ ମିଟରର ଆକଳନ ଅତିକ୍ରମ କରିବା ଏବଂ ବ୍ୟକ୍ତିଗତ ସେର୍ବାତ୍ତମ ଥ୍ରୋ ହାସଲ କରିବା ପାଇଁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ। ଏହା ତାଙ୍କର ନିରନ୍ତର ସମର୍ପଣ, ଶୃଙ୍ଖଳା ଏବଂ ଆଗ୍ରହର ପରିଣାମ। ଭାରତ ତାଙ୍କର ସଫଳତାକୁ ନେଇ ଆନନ୍ଦିତ ଏବଂ ଗର୍ବିତ।”

Categories
ଜାତୀୟ ଖବର ବିଶେଷ ଖବର

ନୂତନ ମଲ୍ଟି ଏଜେନ୍ସି ସେଣ୍ଟରକୁ ଉଦଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ନର୍ଥ ବ୍ଲକରେ ନୂତନ ମଲ୍ଟି ଏଜେନ୍ସି ସେଣ୍ଟର (ମାକ୍‍) କୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ଅପରେସନ୍ ସିନ୍ଦୂର ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, ଗୁଇନ୍ଦା ଏଜେନ୍ସିର ସଠିକ ସୂଚନା ଏବଂ ଆମର ତିନି ସଶସ୍ତ୍ର ବାହିନୀର ତ୍ରୁଟିହୀନ ଆକ୍ରମଣ କ୍ଷମତାର ଏକ ଅନନ୍ୟ ପ୍ରତୀକ। ସେ କହିଥିଲେ ଯେ ଭାରତ ନିଜର ତିନି ସଶସ୍ତ୍ର ବାହିନୀ, ସୀମା ସୁରକ୍ଷା ବାହିନୀ ଏବଂ ସମସ୍ତ ସୁରକ୍ଷା ସଂସ୍ଥାକୁ ନେଇ ଗର୍ବିତ।

ନିକଟରେ ଛତିଶଗଡ଼-ତେଲେଙ୍ଗାନା ସୀମାରେ କାରେଗାଟାଲୁ ପାହାଡ଼ (କେଜିଏଚ) ରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଦ୍ୱାରା କରାଯାଇଥିବା ଐତିହାସିକ ନକ୍ସଲ ବିରୋଧୀ ଅପରେସନ ବିଷୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ନକ୍ସଲମାନଙ୍କ ବିରୋଧରେ ଏହି ଐତିହାସିକ ଅପରେସନ ଆମ ସୁରକ୍ଷା ବାହିନୀ ମଧ୍ୟରେ ଉତ୍କୃଷ୍ଟ ସମନ୍ୱୟକୁ ଦର୍ଶାଉଛି। ଶ୍ରୀ ଶାହ କହିଥିଲେ ଯେ ଅପରେସନ ସିନ୍ଦୂର ସମୟରେ ମଧ୍ୟ ଅନୁରୂପ ସମନ୍ୱୟ ଦେଖିବାକୁ ମିଳିଥିଲା, ଯାହା ଦର୍ଶାଉଛି ଯେ ଏହି କାର୍ଯ୍ୟ ସମ୍ପାଦନ କରିବାରେ ଆମର ଗୁଇନ୍ଦା ସଂସ୍ଥା ଏବଂ ତିନୋଟି ସଶସ୍ତ୍ର ବାହିନୀର ପ୍ରକ୍ରିୟା ଏବଂ ଚିନ୍ତାଧାରାରେ ବହୁତ ଭଲ ସମନ୍ୱୟ ରହିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଆଜିର ପରିବେଶରେ ସମ୍ମୁଖୀନ ହେଉଥିବା ଜଟିଳ ଏବଂ ଆନ୍ତଃସଂଯୁକ୍ତ ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା କରିବାରେ ସମସ୍ତ ଏଜେନ୍ସିଗୁଡ଼ିକର ପ୍ରୟାସକୁ ସମନ୍ୱୟ କରିବା ପାଇଁ ନୂତନ ମାକ୍‍ ଏକ ନିରବଚ୍ଛିନ୍ନ ଏବଂ ସମନ୍ୱିତ ମଞ୍ଚ ପ୍ରଦାନ କରିବ। ସେ ଆଶା ବ୍ୟକ୍ତ କରିଥିଲେ ଯେ ଏହି ନୂତନ ନେଟୱାର୍କ ଆତଙ୍କବାଦ, ଉଗ୍ରବାଦ, ସଙ୍ଗଠିତ ଅପରାଧ ଏବଂ ସାଇବର ଆକ୍ରମଣ ଭଳି ଗମ୍ଭୀର ବିପଦର ମୁକାବିଲା ପାଇଁ ଦେଶର ପ୍ରୟାସକୁ ସୁଦୃଢ଼ କରିବ।

ଶ୍ରୀ ଅମିତ ଶାହ ନୂତନ ମାକ୍‍. ନେଟୱାର୍କକୁ ପ୍ରଶଂସା କରିଥିଲେ ଏବଂ ରେକର୍ଡ ସମୟ ମଧ୍ୟରେ ହାର୍ଡୱେର୍ ଏବଂ ସଫ୍ଟୱେର୍ ସମ୍ବନ୍ଧୀୟ କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ଏହା ମାକ୍‍ ଏବଂ ଜିଆଇଏସ୍ ସେବା ସହିତ ବିଶାଳ ଡାଟାବେସର ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଅନ୍ତର୍ନିର୍ମିତ ଏ. ଆଇ./ଏମ୍. ଏଲ୍. କୌଶଳ ଭଳି ଭବିଷ୍ୟତ ସାମର୍ଥ୍ୟକୁ ଅନ୍ତର୍ଭୁକ୍ତ କରିଥାଏ।

ନୂତନ ମାକ୍‍ ସହିତ ଉପଲବ୍ଧ ଉନ୍ନତ ତଥ୍ୟ ବିଶ୍ଳେଷଣର ଲାଭ ଉଠାଇବା ପାଇଁ ଏହି ମଞ୍ଚରେ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ସହିତ ବିଭିନ୍ନ ସାଇଲୋରେ ରଖାଯାଇଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡାଟାବେସ୍ ଗୁଡ଼ିକୁ ସମନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ଭବିଷ୍ୟତର ରୋଡମ୍ୟାପ୍ ମଧ୍ୟ ରଖିଥିଲେ।

ଶ୍ରୀ ଶାହ କହିଛନ୍ତି ଯେ ଏହି ନୂତନ ନେଟୱାର୍କ ଦ୍ୱାରା ମାକ୍‍ ନେଟୱାର୍କରେ ଉତ୍ପନ୍ନ ତଥ୍ୟ ବିଶ୍ଳେଷଣର ଗୁଣବତ୍ତା ଉଚ୍ଚ ସ୍ତରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯାହା ସଠିକ ଧାରା ବିଶ୍ଳେଷଣ, ହଟସ୍ପଟ୍ ମ୍ୟାପିଂ ଏବଂ ସମୟ ବିଶ୍ଳେଷଣକୁ ପୂର୍ବାନୁମାନ ଏବଂ ପରିଚାଳନା ଫଳାଫଳ ଦେବାରେ ସକ୍ଷମ କରିବ। ନୂତନ ମାକ୍‍ ସଂଗଠିତ ଅପରାଧ ସହିତ ଜଟିଳ ସମ୍ପର୍କ ଥିବା ଆତଙ୍କବାଦୀ ଇକୋସିଷ୍ଟମର ମୁକାବିଲା କରିବାରେ ଏକ ଦୀର୍ଘ ପଥରେ ସହାୟକ ହେବ।

ଭାରତର ଅଗ୍ରଣୀ ଗୁଇନ୍ଦା ମିଶ୍ରଣ କେନ୍ଦ୍ର ଭାବେ, ମଲ୍ଟି ଏଜେନ୍ସି ସେଣ୍ଟର (ମାକ୍‍) ୨୦୦୧ ମସିହାରୁ ବିଦ୍ୟମାନ ରହିଛି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମାକ୍‍ ର ବୈଷୟିକ ଉନ୍ନତିକରଣ ଦିଗରେ ସକ୍ରିୟ ଭାବେ ମାର୍ଗଦର୍ଶନ କରିଆସୁଛନ୍ତି। ଇଣ୍ଟେଲିଜେନ୍ସ ବ୍ୟୁରୋର ନୂତନ ମାକ୍‍ ସମସ୍ତ ଗୁଇନ୍ଦା, ସୁରକ୍ଷା, ଆଇନ ପ୍ରବର୍ତ୍ତନ ଏବଂ ଅନୁସନ୍ଧାନକାରୀ ସଂସ୍ଥାକୁ ଯୋଡ଼ିଛି।

୫୦୦ କୋଟିରୁ ଅଧିକ ବ୍ୟୟରେ କାର୍ଯ୍ୟକାରୀ ହୋଇଥିବା ଏହି ନୂତନ ମାକ୍‍ ନେଟୱାର୍କରେ ଉଭୟ ଗୁଣାତ୍ମକ ଏବଂ ପରିମାଣାତ୍ମକ ପରିବର୍ତ୍ତନ ହୋଇଛି। ଦେଶର ଦୀର୍ଘ ଏବଂ ବିସ୍ତୃତ ଅଞ୍ଚଳରେ ବ୍ୟାପ୍ତ ନୂତନ ମାକ୍‍ ନେଟୱାର୍କ ଦେଶର ଦ୍ୱୀପ ଅଞ୍ଚଳ, ବିଦ୍ରୋହ ପ୍ରଭାବିତ ଅଞ୍ଚଳ ଏବଂ ପାର୍ବତ୍ୟାଞ୍ଚଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି, ଯାହା ଏକ ଦ୍ରୁତ ଏବଂ ସ୍ୱତନ୍ତ୍ର ସୁରକ୍ଷିତ ନେଟୱାର୍କ ସହିତ ଦୁର୍ଗମ ଅଞ୍ଚଳରେ ଜିଲ୍ଲା ଏସ୍. ପି. ସ୍ତର ପର୍ଯ୍ୟନ୍ତ ଶେଷ ମାଇଲ ସଂଯୋଗକୁ ସୁନିଶ୍ଚିତ କରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଉତ୍ତରପ୍ରଦେଶରେ ସ୍ଥାପନ ହେବ ସେମିକଣ୍ଡକ୍ଟର ୟୁନିଟ୍, ମିଳିଲା କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ଇଣ୍ଡିଆ ସେମିକଣ୍ଡକ୍ଟର ମିସନ ଅଧିନରେ ଆଉ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି।

ଏବେ ଦେଶରେ ୫ଟି ସେମିକଣ୍ଡକ୍ଟର ୟୁନିଟର ନିର୍ମାଣ କାର‌୍ୟ୍ୟ ଅଗ୍ରଣୀସ୍ତରରେ ଜାରି ରହିଛି। ଏହି ୬ଷ୍ଠ ୟୁନିଟ୍ ସହ ଭାରତ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ସେମିକଣ୍ଡକ୍ଟର ଶିଳ୍ପର ବିକାଶ ଦିଗରେ ଆହୁରି ଅଗ୍ରଗତି ହାସଲ କରିଛି।

ଆଜି ଅନୁମୋଦିତ ୟୁନିଟ୍ ହେଉଛି ଏଚସିଏଲ୍ ଏବଂ ଫକ୍ସନକର ଏକ ଯୌଥ ଉଦ୍ୟୋଗ। ଏଚସିଏଲର ହାର୍ଡୱେୟାର ବିକାଶ ଏବଂ ଉତ୍ପାଦନର ଏକ ଦୀର୍ଘ ଇତିହାସ ରହିଛି। ଫକ୍ସକନ୍ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ବିଶ୍ୱର ଏକ ଅଗ୍ରଣୀ କମ୍ପାନି। ଉଭୟ କମ୍ପାନି ମିଶି ଜେୱାର ବିମାନବନ୍ଦର ନିକଟରେ ଯମୁନା ଏକ୍ସପ୍ରେସୱେ ଶିଳ୍ପ ବିକାଶ ପ୍ରାଧିକରଣ ବା ଓ୍ବାଇଇଆଇଡିଏରେ ଏକ କାରଖାନା ସ୍ଥାପନ କରିବେ।

ଏହି ପ୍ଲାଣ୍ଟ ମୋବାଇଲ୍ ଫୋନ୍, ଲାପଟପ୍, ଅଟୋମୋବାଇଲ୍, ପିସି ଏବଂ ଡିସପ୍ଲେ ଥିବା ଅନ୍ୟାନ୍ୟ ଅନେକ ଡିଭାଇସ୍ ପାଇଁ ଡିସପ୍ଲେ ଡ୍ରାଇଭର୍ ଚିପ୍ସ ଉତ୍ପାଦନ କରିବ। ଏହି ପ୍ଲାଣ୍ଟଟି ପ୍ରତି ମାସରେ ୨୦,୦୦୦ ୱେଫର ପାଇଁ ଡିଜାଇନ୍ କରାଯାଇଛି। ଡିଜାଇନ୍ ଆଉଟପୁଟ୍ କ୍ଷମତା ପ୍ରତି ମାସରେ ୩୬ ନିୟୁତ ୟୁନିଟ୍ ରହିବ।

ସାରା ଦେଶରେ ଏବେ ସେମିକଣ୍ଡକ୍ଟର ଶିଳ୍ପ ସାକାର ରୂପ ନେଉଛି । ଦେଶର ଅନେକ ରାଜ୍ୟରେ ବିଶ୍ୱସ୍ତରୀୟ ଡିଜାଇନ୍ କେନ୍ଦ୍ର ସ୍ଥାପନ ହୋଇଛି। ଏଥିଲାଗି ରାଜ୍ୟ ସରକାରଗୁଡ଼ିକ ଡିଜାଇନ୍ କମ୍ପାନୀଗୁଡ଼ିକୁ ଜୋରଦାର ପ୍ରୋତ୍ସାହିତ କରୁଛନ୍ତି।

୨୭୦ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ୭୦ଟି ଷ୍ଟାର୍ଟଅପ୍‌ର ଉଦ୍ୟୋଗୀମାନେ ନୂତନ ଉତ୍ପାଦ ବିକଶିତ କରିବା ପାଇଁ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଡିଜାଇନ୍ କୌଶଳ ଉପରେ କାମ କରୁଛନ୍ତି। ଏହି ଶିକ୍ଷାନୁଷ୍ଠାନର ଛାତ୍ରମାନଙ୍କ ଦ୍ୱାରା ବିକଶିତ ୨୦ଟି ଉତ୍ପାଦକୁ ଏସସିଏଲ୍ ମୋହାଲି ଦ୍ୱାରା ବ୍ୟବହାର କରାଯାଇଛି। ଆଜି ଅନୁମୋଦିତ ନୂତନ ସେମିକଣ୍ଡକ୍ଟର ୟୁନିଟ୍ ୩୭୦୦ କୋଟି ଟଙ୍କାର ନିବେଶକୁ ଆକର୍ଷିତ କରିବ।

ଦେଶ ଏହାର ସେମିକଣ୍ଡକ୍ଟର ଯାତ୍ରାରେ ଆଗକୁ ବଢ଼ିବା ସହିତ, ଏହି ଇକୋସିଷ୍ଟମର ପାର୍ଟନରମାନେ ମଧ୍ୟ ଭାରତରେ ସେମାନଙ୍କର କାରଖାନା ସ୍ଥାପନ କରିଛନ୍ତି। ଆପ୍ଲାଏଡ୍ ମ୍ୟାଟେରିଆଲ୍ସ ଏବଂ ଲାମ୍ ରିସର୍ଚ୍ଚ ଦୁଇଟି ବୃହତ୍ତମ ଡିଭାଇସ୍ ନିର୍ମାତା। ଉଭୟଙ୍କର ଏବେ ଭାରତରେ ଉପସ୍ଥିତି ଅଛି। ମର୍କ, ଲିଣ୍ଡେ, ଏୟାର ଲିକ୍ୱିଡ୍, ଆଇନକ୍ସ ଏବଂ ଅନ୍ୟାନ୍ୟ ଅନେକ ଗ୍ୟାସ୍ ଏବଂ ରାସାୟନିକ ଯୋଗାଣକାରୀ ଆମର ସେମିକଣ୍ଡକ୍ଟର ଶିଳ୍ପର ଅଭିବୃଦ୍ଧି ପାଇଁ ପ୍ରସ୍ତୁତି କରୁଛନ୍ତି।

ଭାରତରେ ଲାପଟପ୍, ମୋବାଇଲ୍ ଫୋନ୍, ସର୍ଭର, ଚିକିତ୍ସା ଉପକରଣ, ପାୱାର ଇଲେକ୍ଟ୍ରୋନିକ୍ସ, ପ୍ରତିରକ୍ଷା ଉପକରଣ ଏବଂ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ଦ୍ରୁତ ଅଭିବୃଦ୍ଧି ସହ ସେମିକଣ୍ଡକ୍ଟରର ଚାହିଦା ବଢିଚାଲିଛି । ଏହି ନୂତନ ୟୁନିଟ୍ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣକୁ ଆହୁରି ସାକାର କରିବ।

Categories
ଆଜିର ଖବର ଜାତୀୟ ଖବର

ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ସ୍ଥିତି ଏବଂ ଅଗ୍ରଗତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଜାତୀୟ ଯକ୍ଷ୍ମା ଦୂରୀକରଣ କାର୍ଯ୍ୟକ୍ରମ (ଏନଟିଇପି) ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

୨୦୨୪ ରେ ଯକ୍ଷ୍ମା ରୋଗୀଙ୍କ ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସଫଳ ରଣନୀତି ବୃଦ୍ଧି କରିବାକୁ ଆହ୍ୱାନ କରିଥିଲେ ଏବଂ ଭାରତରୁ ଯକ୍ଷ୍ମା ବିଲୋପ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ନିକଟରେ ସମାପ୍ତ ହୋଇଥିବା ୧୦୦ ଦିନିଆ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ସମୀକ୍ଷା କରିଥିଲେ, ଯେଉଁଥିରେ ଅଗ୍ରାଧିକାର ଜିଲ୍ଲାଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରେ ୧୨.୯୭ କୋଟି ସମ୍ବେଦନଶୀଳ ବ୍ୟକ୍ତିଙ୍କର ପରୀକ୍ଷା କରାଯାଇଥିଲା; ୨.୮୫ ଲକ୍ଷ ଲକ୍ଷଣବିହୀନ ଯକ୍ଷ୍ମା ମାମଲା ସହିତ ୭.୧୯ ଲକ୍ଷ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିଲେ। ଏହି ଅଭିଯାନ ସମୟରେ ୧ ଲକ୍ଷରୁ ଅଧିକ ନୂତନ ନି-କ୍ଷୟ ମିତ୍ର ଏହି ପ୍ରୟାସରେ ଯୋଗ ଦେଇଛନ୍ତି, ଯାହା ଜନ ଭାଗିଦାରୀ ପାଇଁ ଏକ ମଡେଲ ହୋଇଛି ଯାହାକୁ ସମଗ୍ର ଦେଶରେ ତ୍ୱରାନ୍ୱିତ କରାଯାଇପାରିବ ଏବଂ ସମଗ୍ର ସରକାର ଏବଂ ସମଗ୍ର ସମାଜର ଆଭିମୁଖ୍ୟକୁ ପରିଚାଳିତ କରାଯାଇପାରିବ।

ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ ଆଧାରରେ ଏବଂ ସେମାନଙ୍କ ବୃତ୍ତି ଆଧାରରେ ଯକ୍ଷ୍ମା ରୋଗୀଙ୍କ ପ୍ରବୃତ୍ତିକୁ ବିଶ୍ଳେଷଣ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହା ପ୍ରାରମ୍ଭିକ ପରୀକ୍ଷଣ ଏବଂ ଚିକିତ୍ସା ଆବଶ୍ୟକ କରୁଥିବା ଗୋଷ୍ଠୀଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ, ବିଶେଷକରି ନିର୍ମାଣ, ଖଣି, ବୟନ ଶିଳ୍ପ ଏବଂ ସମାନ କ୍ଷେତ୍ରର ଶ୍ରମିକମାନଙ୍କୁ। ସ୍ୱାସ୍ଥ୍ୟସେବାରେ ପ୍ରଯୁକ୍ତିବିଦ୍ୟା ଉନ୍ନତ ହେବା ସହିତ, ନିକ୍ଷୟ ମିତ୍ରମାନଙ୍କୁ (ଯକ୍ଷ୍ମା ରୋଗୀଙ୍କ ସେବାକାରୀ) ଯକ୍ଷ୍ମା ରୋଗୀଙ୍କ ସହ ଯୋଡ଼ିବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବା ଉଚିତ। ଆଲୋଚନା ଏବଂ ବ୍ୟବହାର ପାଇଁ ସହଜ ଜ୍ଞାନକୌଶଳ ବ୍ୟବହାର କରି ସେମାନେ ରୋଗୀମାନଙ୍କୁ ରୋଗ ଏବଂ ଏହାର ଚିକିତ୍ସା ବୁଝିବାରେ ସାହାଯ୍ୟ କରିପାରିବେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେହେତୁ ଯକ୍ଷ୍ମା ଏବେ ନିୟମିତ ଚିକିତ୍ସା ଦ୍ୱାରା ଆରୋଗ୍ୟ ହୋଇପାରିବ, ତେଣୁ ଜନସାଧାରଣଙ୍କ ମଧ୍ୟରେ ଭୟ କମ୍ ହେବା ଉଚିତ ଏବଂ ଅଧିକ ସଚେତନତା ସୃଷ୍ଟି ହେବା ଉଚିତ।

ଯକ୍ଷ୍ମା ଦୂରୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଜନ ଭାଗୀଦାରୀ ଜରିଆରେ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ପ୍ରତ୍ୟେକ ରୋଗୀ ଉପଯୁକ୍ତ ଚିକିତ୍ସା ପାଇବା ସୁନିଶ୍ଚିତ କରିବା ପାଇଁ ବ୍ୟକ୍ତିଗତ ଭାବେ ସେମାନଙ୍କ ନିକଟରେ ପହଞ୍ଚିବାର ପ୍ରୟାସ ପାଇଁ ସେ ଅନୁରୋଧ କରିଥିଲେ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିଶ୍ୱ ଯକ୍ଷ୍ମା ରିପୋର୍ଟ ୨୦୨୪ର ଉତ୍ସାହଜନକ ଫଳାଫଳ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଯକ୍ଷ୍ମା ସଂକ୍ରମଣ ହାର ୧୮% ହ୍ରାସ (୨୦୧୫ରୁ ୨୦୨୩ ମଧ୍ୟରେ ପ୍ରତି ଲକ୍ଷ ଜନସଂଖ୍ୟାରେ ୨୩୭ରୁ ୧୯୫କୁ ହ୍ରାସ), ଯାହା ବିଶ୍ୱର ଗତି ତୁଳନାରେ ଦ୍ୱିଗୁଣିତ; ଯକ୍ଷ୍ମା ଜନିତ ମୃତ୍ୟୁହାରରେ ୨୧ ପ୍ରତିଶତ ହ୍ରାସ (ପ୍ରତି ଲକ୍ଷ ଜନସଂଖ୍ୟାରେ ୨୮ରୁ ୨୨କୁ ହ୍ରାସ) ଏବଂ ୮୫ ପ୍ରତିଶତ ଚିକିତ୍ସା ପରିସର, ଯାହା ଏହି କାର୍ଯ୍ୟକ୍ରମର ବୃଦ୍ଧି ପାଉଥିବା ପ୍ରସାର ଏବଂ ପ୍ରଭାବକୁ ପ୍ରତିଫଳିତ କରୁଛି।

୮୫୪୦ଟି ଏନଏଏ ଟି. (ନ୍ୟୁକ୍ଲିକ୍ ଏସିଡ୍ ଏମ୍ପ୍ଲିଫିକେସନ୍ ଟେଷ୍ଟିଙ୍ଗ୍) ପରୀକ୍ଷାଗାର ଏବଂ ୮୭ଟି କଲଚର ଆଣ୍ଡ ଡ୍ରଗ ସସପେକ୍ଟବିଲିଟି ଲ୍ୟାବ୍‍; ୫୦୦ଟି ଏ. ଆଇ.-ଆଧାରିତ ଏକ୍ସ-ରେ ଉପକରଣ ସମେତ ୨୬,୭୦୦ରୁ ଅଧିକ ଏକ୍ସ-ରେ ୟୁନିଟ, ଏବଂ ଆଉ ୧୦୦୦ଟି ନିର୍ମାଣାଧିନ ସହିତ, ଯକ୍ଷ୍ମା ନିଦାନ ନେଟୱାର୍କର ସମ୍ପ୍ରସାରଣ ସମେତ ପ୍ରମୁଖ ଭିତ୍ତିଭୂମି ଉନ୍ନତିକରଣର ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମାଗଣା ସ୍କ୍ରିନିଂ, ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ପୁଷ୍ଟିସାଧନ ସହାୟତା ସମେତ ସମସ୍ତ ଯକ୍ଷ୍ମା ସେବାର ବିକେନ୍ଦ୍ରୀକରଣ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ସ୍କ୍ରିନିଂ ପାଇଁ ଏଆଇ ଦ୍ୱାରା ପରିଚାଳିତ ଏକ୍ସ-ରେ, ଔଷଧ ପ୍ରତିରୋଧକ ଯକ୍ଷ୍ମା ପାଇଁ ସଂକ୍ଷିପ୍ତ ଚିକିତ୍ସା ପଦ୍ଧତି, ନୂତନ ସ୍ୱଦେଶୀ ମଲିକୁଲାର ନିଦାନ, ପୁଷ୍ଟିକର ହସ୍ତକ୍ଷେପ ଏବଂ ଖଣି, ଚା ବଗିଚା, ନିର୍ମାଣ ସ୍ଥଳ, ସହରାଞ୍ଚଳର ବସ୍ତି ଇତ୍ୟାଦି ସାମୂହିକ ସ୍ଥାନରେ ପରୀକ୍ଷା ଏବଂ ଶୀଘ୍ର ଚିହ୍ନଟ ଭଳି ଅନେକ ନୂତନ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ୨୦୧୮ ଠାରୁ ନି-କ୍ଷୟ ପୋଷଣ ଯୋଜନା ଅଧୀନରେ ୧.୨୮ କୋଟି ଯକ୍ଷ୍ମା ରୋଗୀଙ୍କୁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଛି ଏବଂ ୨୦୨୪ ସୁଦ୍ଧା ପ୍ରୋତ୍ସାହନ ରାଶି ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ନି-କ୍ଷୟ ମିତ୍ର ପଦକ୍ଷେପ ଅଧୀନରେ ୨.୫୫ ଲକ୍ଷ ନି-କ୍ଷୟ ମିତ୍ରଙ୍କ ଦ୍ୱାରା ୨୯.୪ ଲକ୍ଷ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି।

ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନାଡ୍ଡା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଶ୍ରୀ ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ଅମିତ ଖାରେ, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର

ଅପରେସନ ସିନ୍ଦୂର ହେଉଛି ଭାରତର ନୀତି, ଉଦ୍ଦେଶ୍ୟ ଏବଂ ନିର୍ଣ୍ଣାୟକ ଶକ୍ତିର ତ୍ରିମୂର୍ତ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦମପୁରସ୍ଥିତ ବାୟୁସେନା ଘାଟି ପରିଦର୍ଶନ କରିଥିଲେ ଏବଂ ଦେଶର ସାହସୀ ବାୟୁସେନା ଯୋଦ୍ଧା ଏବଂ ସୈନିକମାନଙ୍କ ସହିତ ମତ ବିନିମୟ କରିଥିଲେ। ସେମାନଙ୍କୁ ସମ୍ବୋଧିତ କରି, ସେ କହିଥିଲେ ଯେ ବିଶ୍ବ ‘ଭାରତ ମାତା କି ଜୟ’ ସ୍ଲୋଗାନର ଶକ୍ତି ଦେଖିଛି । ଏହା କେବଳ ଏକ ମନ୍ତ୍ର ମାତ୍ର ନୁହେଁ, ବରଂ ଭାରତ ମାତାର ମର୍ଯ୍ୟାଦା ବଜାୟ ରଖିବା ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ପ୍ରତ୍ୟେକ ସୈନିକଙ୍କ ଦ୍ୱାରା ନିଆଯାଉଥିବା ଏକ ବଜ୍ର ଶପଥ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସ୍ଲୋଗାନ ପ୍ରତ୍ୟେକ ନାଗରିକଙ୍କ ସ୍ୱର, ଯିଏ ଦେଶ ପାଇଁ ବଞ୍ଚିବାକୁ ଏବଂ ଏକ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାକୁ ଚାହେଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ ‘ଭାରତ ମାତା କୀ ଜୟ’ ଯୁଦ୍ଧକ୍ଷେତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ମିଶନରେ ପ୍ରତିଧ୍ୱନିତ ହୋଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଭାରତୀୟ ସୈନିକମାନେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଦିଅନ୍ତି, ସେତେବେଳେ ଶତ୍ରୁର ମେରୁଦଣ୍ଡ ଥରହର ହୋଇଯାଏ। ଭାରତର ସାମରିକ ଶକ୍ତି ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଯେତେବେଳେ ଭାରତୀୟ ଡ୍ରୋନ ଶତ୍ରୁର ଦୁର୍ଗକୁ ଧ୍ୱଂସ କରେ ଏବଂ ଯେତେବେଳେ କ୍ଷେପଣାସ୍ତ୍ର ସଠିକ ଭାବରେ ଆକ୍ରମଣ କରେ, ସେତେବେଳେ ଶତ୍ରୁ କେବଳ ଗୋଟିଏ ବାକ୍ୟ ଶୁଣେ – ‘ଭାରତ ମାତା କି ଜୟ’। ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ତାର ସହିତ କହିଥିଲେ ଯେ ରାତିର ଅନ୍ଧାରରେ ମଧ୍ୟ, ଭାରତ ଆକାଶକୁ ଆଲୋକିତ କରିବାର କ୍ଷମତା ରଖେ, ଯାହା ଶତ୍ରୁକୁ ଆମ ଦେଶର ଅଦମ୍ୟ ଶକ୍ତିକୁ ଦେଖିବାକୁ ବାଧ୍ୟ କରେ। ସେ ଘୋଷଣା କରିଥିଲେ ଯେ ଯେତେବେଳେ ଭାରତର ସେନା ପରମାଣୁ ବ୍ଲାକମେଲର ବିପଦକୁ ଦୂର କରିବେ, ସେତେବେଳେ ସ୍ବର୍ଗ ମର୍ତ୍ତ୍ୟ ପାତାଳରେ ଗୋଟିଏ ଧ୍ବନି ପ୍ରତିଧ୍ୱନିତ ହେବ – ‘ଭାରତ ମାତା କି ଜୟ’।

ଭାରତର ସଶସ୍ତ୍ର ବାହିନୀର ସାହସ ଏବଂ ଦୃଢ଼ ପ୍ରତିବଦ୍ଧତାର ପ୍ରଶଂସା କରି, ସେମାନେ ଲକ୍ଷ ଲକ୍ଷ ଭାରତୀୟଙ୍କ ହୃଦୟକୁ ଗର୍ବରେ ଭରି ଦେଇଛନ୍ତି ବୋଲି କହି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ଆଜି ପ୍ରତ୍ୟେକ ଭାରତୀୟ ସେମାନଙ୍କର ଅତୁଳନୀୟ ସାହସ ଏବଂ ଐତିହାସିକ ସଫଳତା ପାଇଁ ଗର୍ବିତ। ସେ ଆହୁରି ମଧ୍ୟ କହିଥିଲେ ଯେ ସାହସୀ ବୀରମାନଙ୍କୁ ଭେଟିବା ପ୍ରକୃତରେ ଏକ ବଡ଼ ସୌଭାଗ୍ୟ, ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭବିଷ୍ୟତରେ ଯେତେବେଳେ ଦେଶର ବୀରତ୍ୱର ଆଲୋଚନା କରାଯିବ, ସେତେବେଳେ ଏହି ମିଶନର ନେତୃତ୍ୱ ନେଇଥିବା ସୈନିକମାନଙ୍କ ନାମ ଆଗରେ ରହିବ । ସେ ଗୁରୁତ୍ୱାରୋପ କରିଥିଲେ ଯେ ସେମାନେ କେବଳ ବର୍ତ୍ତମାନ ପାଇଁ ନୁହେଁ ବରଂ ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ପ୍ରେରଣା ପାଲଟିଛନ୍ତି। ସାହସୀ ଯୋଦ୍ଧାଙ୍କ ଭୂମିରୁ ସଶସ୍ତ୍ର ବାହିନୀକୁ ସମ୍ବୋଧିତ କରି, ସେ ବାୟୁସେନା, ନୌସେନା, ସ୍ଥଳସେନା ଏବଂ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ସାହସୀ ସୈନିକମାନଙ୍କୁ ସାଲ୍ୟୁଟ୍ କରିଥିଲେ। ସେ ସେମାନଙ୍କର ବୀରତ୍ୱପୂର୍ଣ୍ଣ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଅପରେସନ ସିନ୍ଦୂରର ପ୍ରଭାବ ସାରା ଦେଶରେ ପ୍ରତିଫଳିତ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ଅପରେସନ ସମୟରେ ସମସ୍ତେ ଭାରତୀୟ ସୈନିକଙ୍କ ସହିତ ଦୃଢ଼ ଭାବରେ ଛିଡା ହୋଇଥିଲେ, ପ୍ରାର୍ଥନା କରିଥିଲ ଏବଂ ଅଟଳ ସମର୍ଥନ ଦେଇଥିଲେ। ସେ ସମଗ୍ର ରାଷ୍ଟ୍ରର ସୈନିକ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ ତଥା ସେମାନଙ୍କ ବଳିଦାନକୁ ସ୍ୱୀକୃତି ଦେଇଥିଲେ।

“ଅପରେସନ୍ ସିନ୍ଦୂର ଏକ ସାଧାରଣ ସାମରିକ ଅଭିଯାନ ନୁହେଁ, ବରଂ ଭାରତର ନୀତି, ଉଦ୍ଦେଶ୍ୟ ଏବଂ ନିର୍ଣ୍ଣାୟକତାର ଏକ ତ୍ରିମୂର୍ତ୍ତି” ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଉଭୟ ବୁଦ୍ଧ ଏବଂ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଭୂମି, ଯିଏ ଘୋଷଣା କରିଥିଲେ, “ପ୍ରତି ୧୨୫୦୦୦ଙ୍କ ବିରୋଧରେ ଲଢେଇ କରିବାକୁ ମୁଁ ଗୋଟିଏ ଯୋଦ୍ଧା ଛିଡ଼ା କରିବି…., ମୁଁ ଘରଚଟିଆ ଦ୍ବାରା ଚିଲକୁ ହରାଇବି.., ତା’ପରେ ହିଁ  ମୋତେ ଗୋବିନ୍ଦ ସିଂହ ବୋଲି ଡକାଯିବ ।” ସେ ମନ୍ତବ୍ୟ ଦେଇଥିଲେ ଯେ ନ୍ୟାୟ ପ୍ରତିଷ୍ଠା ପାଇଁ ଅନ୍ୟାୟ ବିରୁଦ୍ଧରେ ଅସ୍ତ୍ର ଉଠାଇବା ସବୁବେଳେ ଭାରତରେ ଏକ ପରମ୍ପରା ହୋଇଆସିଛି। ସେ ଆଶ୍ୱାସନା ଦେଇଥିଲେ ଯେ ଯେତେବେଳେ ଆତଙ୍କବାଦୀମାନେ ଭାରତ ଉପରେ ଆକ୍ରମଣ କରି ଏହାର ଝିଅମାନଙ୍କୁ କ୍ଷତି ପହଞ୍ଚାଇବାକୁ ସାହସ କରିଥିଲେ, ଭାରତୀୟ ସେନା ସେମାନଙ୍କୁ ସେମାନଙ୍କ ନିଜ ଆଡ୍ଡାରେ ଦମନ କରିଦେଇଥିଲେ। ସେ କହିଥିଲେ ଯେ ଏହି ଆକ୍ରମଣକାରୀମାନେ କାପୁରୁଷଙ୍କ ବେଶରେ ଆସିଥିଲେ, ସେମାନେ ଭୁଲି ଯାଇଥିଲେ ଯେ ସେମାନେ ଶକ୍ତିଶାଳୀ ଭାରତୀୟ ସଶସ୍ତ୍ର ବାହିନୀକୁ ଚ୍ୟାଲେଞ୍ଜ କରୁଛନ୍ତି । ସେ ଭାରତର ସୈନିକମାନଙ୍କ ସାହସିକତାର ପ୍ରଶଂସା କରିଥିଲେ, ଉଲ୍ଲେଖ କରିଥିଲେ ଯେ ସେମାନେ ସିଧାସଳଖ ଆକ୍ରମଣ କରି ପ୍ରମୁଖ ଆତଙ୍କବାଦୀ କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିଥିଲେ । ଏହି ଆକ୍ରମଣରେ ୯ଟି ଆତଙ୍କବାଦୀ ଆଡ୍ଡା ନଷ୍ଟ କରାଯାଇଥିଲା ଏବଂ ୧୦୦ ରୁ ଅଧିକ ଆତଙ୍କବାଦୀ ନିପାତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଆତଙ୍କବାଦର ମାଷ୍ଟରମାଇଣ୍ଡମାନେ ଏବେ ଭାରତକୁ ଉସୁକାଇବାର ଅନିର୍ବାର୍ଯ୍ୟ ପରିଣାମକୁ ଦେଖୁନ୍ତି- ସଂପୂର୍ଣ୍ଣ ବିନାଶ। ଭାରତରେ ନିର୍ଦ୍ଦୋଷଙ୍କ ରକ୍ତପାତ କରିବାର ଯେକୌଣସି ପ୍ରୟାସ କେବଳ ବିନାଶ ଆଡ଼କୁ ନେଇଯିବ ବୋଲି ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଏହି ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନୀ ସେନାକୁ ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ନିର୍ଣ୍ଣାୟକ ଭାବରେ ପରାସ୍ତ କରିଛି। “ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛି – ଆତଙ୍କବାଦୀଙ୍କ ପାଇଁ ଆଉ କୌଣସି ସୁରକ୍ଷିତ ଆଶ୍ରୟସ୍ଥଳ ନାହିଁ”, ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଭାରତ ସେମାନଙ୍କ ନିଜ ଅଞ୍ଚଳରେ ଆକ୍ରମଣ କରିବ, ସେମାନଙ୍କୁ ଖସିଯିବାର କୌଣସି ସୁଯୋଗ ଦେବ ନାହିଁ। ସେ ଘୋଷଣା କରିଥିଲେ ଯେ ଭାରତର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଏପରି ଭୟ ସୃଷ୍ଟି କରିଛି ଯେ ଏ ସଂପର୍କରେ ଭାବିଲେ ପାକିସ୍ତାନର ନିଦ ହଜିଯାଉଛି । ମହାରାଣା ପ୍ରତାପଙ୍କ ପ୍ରସିଦ୍ଧ ଘୋଡ଼ା ଚେତକ ବିଷୟରେ ଲେଖାଯାଇଥିବା କେତେକ ଉକ୍ତିକୁ ଉଲ୍ଲେଖ କରି ସେ ମନ୍ତବ୍ୟ ଦେଇଥିଲେ ଯେ ଏହି ଶବ୍ଦଗୁଡ଼ିକ ବର୍ତ୍ତମାନ ଭାରତର ଉନ୍ନତ ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ସମ୍ପୂର୍ଣ୍ଣ ଭାବରେ ମେଳ ଖାଉଛି।

ଶ୍ରୀ ମୋଦୀ କହିଥିଲେ “ସିନ୍ଦୂରର ସଫଳତା ଦେଶର ସଂକଳ୍ପକୁ ଦୃଢ଼ କରିଛି, ଦେଶକୁ ଏକତ୍ର କରିଛି, ଭାରତର ସୀମାକୁ ସୁରକ୍ଷିତ କରିଛି ଏବଂ ଭାରତର ଗର୍ବକୁ ନୂତନ ଶିଖରରେ ପହଞ୍ଚାଇଛି,” । ସେ ମଧ୍ୟ ସଶସ୍ତ୍ର ବାହିନୀର ଅସାଧାରଣ ପ୍ରୟାସକୁ ପ୍ରଶଂସା କରି ସେମାନଙ୍କ କାର୍ଯ୍ୟକୁ ଅଭୂତପୂର୍ବ, ଅକଳ୍ପନୀୟ ଏବଂ ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ। ସେ ଭାରତୀୟ ବାୟୁସେନାର ଆକ୍ରମଣ ସଠିକତା ଉପରେ ଆଲୋକପାତ କରି ଉଲ୍ଲେଖ କରିଥିଲେ ଯେ ଏହା ପାକିସ୍ତାନ ଭିତରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସଫଳତାର ସହ ଟାର୍ଗେଟ କରିଥିଲା। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ମାତ୍ର ୨୦-୨୫ ମିନିଟରେ, ଭାରତୀୟ ସେନା ସମ୍ପୂର୍ଣ୍ଣ ସଠିକତାର ସହିତ ସୀମାପାର ଆକ୍ରମଣ କରିଥିଲା, ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦ କରିଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏପରି କାର୍ଯ୍ୟ କେବଳ ଏକ ଆଧୁନିକ, ପ୍ରଯୁକ୍ତିବିଦ୍ୟା ସହିତ ସୁସଜ୍ଜିତ ଏବଂ ଉଚ୍ଚ ପେସାଦାର ବାହିନୀ ଦ୍ୱାରା କରାଯାଇପାରିବ। ସେ ଭାରତୀୟ ସେନାର ଗତି ଏବଂ ସଠିକତାକୁ ପ୍ରଶଂସା କରି କହିଥିଲେ ଯେ ସେମାନଙ୍କର ଦ୍ରୁତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଶତ୍ରୁକୁ ସମ୍ପୂର୍ଣ୍ଣ ଭାବରେ ସ୍ତବ୍ଧ କରିଦେଇଥିଲା। ସେ ମନ୍ତବ୍ୟ ଦେଇଥିଲେ ଯେ ଶତ୍ରୁ ଜାଣିପାରିଲା ନାହିଁ ଯେ ତାର ଗଡ଼ କେତେବେଳେ ଧ୍ୱଂସପ୍ରାପ୍ତ ହୋଇଗଲା।

ପାକିସ୍ତାନ ଭିତରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବା ଏବଂ ପ୍ରମୁଖ ଆତଙ୍କବାଦୀଙ୍କୁ ନିପାତ କରିବା ଭାରତର ଉଦ୍ଦେଶ୍ୟ ଥିଲା ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାକିସ୍ତାନ ବେସାମରିକ ବିମାନ ବ୍ୟବହାର କରି ଏହାର କାର୍ଯ୍ୟକଳାପକୁ ଘୋଡାଇବା ପାଇଁ ଚେଷ୍ଟା କରୁଥିବା ସତ୍ତ୍ୱେ, ଭାରତୀୟ ସେନା ଅତ୍ୟନ୍ତ ସତର୍କତା ଏବଂ ସଠିକତାର ସହିତ ଜବାବ ଦେଇଥିଲା। ସଶସ୍ତ୍ର ବାହିନୀ ସତର୍କତା ଏବଂ ଦାୟିତ୍ୱ ବଜାୟ ରଖି ସଫଳତାର ସହ ସେମାନଙ୍କର ମିଶନକୁ ସମ୍ପାଦନ କରିଥିବାରୁ ସେ ସେମାନଙ୍କୁ ପ୍ରଶଂସା କରିଥିଲେ। ସେ ଗର୍ବର ସହିତ ଘୋଷଣା କଲେ ଯେ ଭାରତୀୟ ସୈନିକମାନେ ସମ୍ପୂର୍ଣ୍ଣ ସଠିକତା ଏବଂ ଦୃଢ଼ତାର ସହିତ ସେମାନଙ୍କର ଉଦ୍ଦେଶ୍ୟ ପୂରଣ କରିଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନ କେବଳ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଏବଂ ବାୟୁସେନା ଘାଟିଗୁଡ଼ିକୁ ଧ୍ୱଂସ କରିନାହିଁ, ବରଂ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ଏବଂ ବେପରୁଆ ଦୁଃସାହସକୁ ମଧ୍ୟ ଚୂର୍ଣ୍ଣ କରିଛି।

ଶ୍ରୀ ମୋଦୀ କହିଛନ୍ତି ଯେ ଅପରେସନ ସିନ୍ଦୂର ପରେ, ଶତ୍ରୁ ହତାଶ ହୋଇ ବାରମ୍ବାର ଅନେକ ଭାରତୀୟ ବାୟୁସେନା ଘାଟିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନର ପ୍ରତ୍ୟେକ ଆକ୍ରମଣ ପ୍ରୟାସକୁ ନିର୍ଣ୍ଣାୟକ ଭାବରେ ପଣ୍ଡ କରାଯାଇଥିଲା। ସେ ଜୋର ଦେଇ କହିଛନ୍ତି ଯେ ପାକିସ୍ତାନୀ ଡ୍ରୋନ, ୟୁଏଭି, ବିମାନ ଏବଂ କ୍ଷେପଣାସ୍ତ୍ର, ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସମ୍ମୁଖରେ ବିଫଳ ହୋଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ପ୍ରସ୍ତୁତି ଏବଂ ପ୍ରଯୁକ୍ତିବିଦ୍ୟା ଦକ୍ଷତା ଶତ୍ରୁ ବିପଦର ସମ୍ପୂର୍ଣ୍ଣ ବିଲୋପ ସୁନିଶ୍ଚିତ କରିଛି। ସେ ଦେଶର ବାୟୁସେନା ଘାଟିଗୁଡ଼ିକର ତତ୍ତ୍ୱାବଧାନ କରୁଥିବା ନେତୃତ୍ୱ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ଭାରତୀୟ ବାୟୁସେନାର ପ୍ରତ୍ୟେକ ବାୟୁ ଯୋଦ୍ଧାଙ୍କୁ ହୃଦୟର ସହିତ ପ୍ରଶଂସା କରିଥିଲେ। ସେ ଦେଶକୁ ରକ୍ଷା କରିବାରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଅଟଳ ସମର୍ପଣକୁ ପ୍ରଶଂସା କରିଥିଲେ।

ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଏବେ ସ୍ପଷ୍ଟ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଯଦି ଭାରତ ଉପରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଦେଶ ନିର୍ଣ୍ଣାୟକ ଏବଂ ବଳପୂର୍ବକ ଜବାବ ଦେବ। ପୂର୍ବ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାରଷ୍ଟ୍ରାଇକ୍ ସମୟରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନକୁ ମନେ ପକାଇ ସେ କହିଛନ୍ତି ଯେ ବିପଦର ମୁକାବିଲା କରିବାରେ ଅପରେସନ ସିନ୍ଦୂର ଏବେ ଦେଶର ନୂତନ ସ୍ୱାଭାବିକତା ପାଲଟିଛି। ଗତକାଲି ରାତିରେ ଜାତି ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ସେ ପ୍ରକାଶ କରିଥିବା ତିନୋଟି ପ୍ରମୁଖ ନୀତିର ପୁନରାବୃତ୍ତି କରିଥିଲେ। ପ୍ରଥମତଃ, ଯଦି ଭାରତ ଆତଙ୍କବାଦୀ ଆକ୍ରମଣର ଟାର୍ଗେଟରେ ରହେ, ତେବେ ଏହାର ଜବାବ ନିଜସ୍ୱ ନିୟମ ଏବଂ ସର୍ତ୍ତ ଅନୁଯାୟୀ ଦିଆଯିବ। ଦ୍ୱିତୀୟତଃ, ଭାରତ କୌଣସି ପ୍ରକାରର ପରମାଣୁ ବ୍ଲାକମେଲ୍ ସହ୍ୟ କରିବ ନାହିଁ। ତୃତୀୟତଃ, ଭାରତ ଆଉ ଆତଙ୍କବାଦୀ ମାଷ୍ଟରମାଇଣ୍ଡ ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ସରକାରଙ୍କ ମଧ୍ୟରେ ପାର୍ଥକ୍ୟ କରିବ ନାହିଁ। “ବିଶ୍ୱ ଏବେ ଏହି ନୂତନ ଏବଂ ଦୃଢ଼ ଭାରତକୁ ଚିହ୍ନିପାରୁଛି, ଜାତୀୟ ସୁରକ୍ଷା ଏବଂ ଆତଙ୍କବାଦ ବିରୋଧୀ ପ୍ରତି ଏହାର ଦୃଢ଼ ଆଭିମୁଖ୍ୟକୁ ଗ୍ରହଣ କରୁଛି”, ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଥିଲେ।

“ଅପରେସନ୍ ସିନ୍ଦୂରର ପ୍ରତ୍ୟେକ ମୁହୂର୍ତ୍ତ ଭାରତର ସଶସ୍ତ୍ର ବାହିନୀର ଶକ୍ତି ଏବଂ କ୍ଷମତାର ପ୍ରମାଣ”, ଶ୍ରୀ ମୋଦୀ କହିଛନ୍ତି, ସେନା, ନୌସେନା ଏବଂ ବାୟୁସେନା ମଧ୍ୟରେ ଅସାଧାରଣ ସମନ୍ୱୟର ପ୍ରଶଂସା କରି କହିଛନ୍ତି ଯେ ସେମାନଙ୍କର ସମନ୍ୱୟ ଉଲ୍ଲେଖନୀୟ ଥିଲା। ସେ ସମୁଦ୍ରରେ ନୌସେନାର ପ୍ରାଧାନ୍ୟ, ସୀମାନ୍ତରେ ପଦାତିକ ବାହିନୀର ସୁଦୃଢ଼ୀକରଣ ଏବଂ ଆକ୍ରମଣ ଏବଂ ପ୍ରତିରକ୍ଷାରେ ଭାରତୀୟ ବାୟୁସେନାର ଦ୍ୱୈତ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ। ସେ ଭାରତର ସମନ୍ୱିତ ବାୟୁ ଏବଂ ସ୍ଥଳ ଯୁଦ୍ଧ ପ୍ରଣାଳୀର ପ୍ରଭାବଶାଳୀତା ଉପରେ ଗୁରୁତ୍ୱାରୋପ କରି ଘୋଷଣା କରିଥିଲେ ଯେ ଏହି ସ୍ତରର ସମନ୍ବୟତା ଏବେ ଭାରତର ସାମରିକ ଦକ୍ଷତାର ଏକ ନିର୍ଣ୍ଣାୟକ ବୈଶିଷ୍ଟ୍ୟ ପାଲଟିଛି।

ଅପରେସନ ସିନ୍ଦୂର ସମୟରେ ମାନବଶକ୍ତି ଏବଂ ଉନ୍ନତ ସାମରିକ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ଉଲ୍ଲେଖନୀୟ ସମନ୍ୱୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତର ପାରମ୍ପରିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଯାହା ଅନେକ ଯୁଦ୍ଧ ଦେଖିଛି, ଆକାଶ ପରି ସ୍ୱଦେଶୀ ପ୍ଲାଟଫର୍ମ ଏବଂ ଏସ-୪୦୦ ପରି ଆଧୁନିକ, ଶକ୍ତିଶାଳୀ ପ୍ରଣାଳୀ ଦ୍ୱାରା ସୁଦୃଢ଼ ହୋଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ଦୃଢ଼ ସୁରକ୍ଷା କବଚ ଏକ ନିର୍ଣ୍ଣାୟକ ଶକ୍ତି ପାଲଟିଛି। ପାକିସ୍ତାନର ବାରମ୍ବାର ପ୍ରୟାସ ସତ୍ତ୍ୱେ, ଭାରତୀୟ ବାୟୁସେନା ଘାଟି ଏବଂ ପ୍ରମୁଖ ପ୍ରତିରକ୍ଷା ଭିତ୍ତିଭୂମି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିଲା। ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ସୀମାରେ ନିୟୋଜିତ ପ୍ରତ୍ୟେକ ସୈନିକ ଏବଂ ଅପରେସନରେ ସାମିଲ ଥିବା ସମସ୍ତଙ୍କର ସମର୍ପଣ ଏବଂ ସାହସିକତାକୁ ଶ୍ରେୟ ଦେଇଛନ୍ତି। ସେ ଭାରତର ଅଟଳ ଜାତୀୟ ପ୍ରତିରକ୍ଷାର ମୂଳଦୁଆ ଭାବରେ ସେମାନଙ୍କର ପ୍ରତିବଦ୍ଧତାକୁ ଗ୍ରହଣ କରିଥିଲେ।

ଭାରତ ପାଖରେ ଏବେ ଏପରି ଉନ୍ନତ ପ୍ରଯୁକ୍ତିବିଦ୍ୟା ଅଛି ଯାହା ସହିତ ପାକିସ୍ତାନ ସମକକ୍ଷ ହୋଇପାରିବନାହିଁ ବୋଲି ଦାବି କରି ଶ୍ରୀ ମୋଦୀ କହିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଭାରତୀୟ ବାୟୁସେନା ଏବଂ ଅନ୍ୟାନ୍ୟ ସାମରିକ ଶାଖାଗୁଡ଼ିକ ବିଶ୍ୱର କିଛି ସବୁଠାରୁ ଉନ୍ନତ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ଦକ୍ଷତା ହାସଲ କରିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ନୂତନ ପ୍ରଯୁକ୍ତିବିଦ୍ୟା ସହିତ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ଆସୁଛି ଏବଂ ଜଟିଳ ଏବଂ ଅତ୍ୟାଧୁନିକ ବ୍ୟବସ୍ଥାଗୁଡ଼ିକୁ ବଜାୟ ରଖିବା ଏବଂ ଦକ୍ଷତାର ସହିତ ପରିଚାଳନା କରିବା ପାଇଁ ଅପାର ଦକ୍ଷତା ଏବଂ ସଠିକତା ଆବଶ୍ୟକ । ଆଧୁନିକ ଯୁଦ୍ଧରେ ଭାରତର ସଶସ୍ତ୍ର ବାହିନୀର ଶ୍ରେଷ୍ଠତା ପ୍ରଦର୍ଶନ, କୌଶଳଗତ ଦକ୍ଷତା ସହିତ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରିବାକୁ  ପ୍ରଶଂସା କରି ଶ୍ରୀ ମୋଦି ଘୋଷଣା କରିଥିଲେ  ଯେ ଭାରତୀୟ ବାୟୁସେନା ଏବେ କେବଳ ଅସ୍ତ୍ରଶସ୍ତ୍ର ନୁହେଁ ବରଂ ଡାଟା ଏବଂ ଡ୍ରୋନ ସହିତ ମଧ୍ୟ ଶତ୍ରୁର ମୁକାବିଲା କରିବାର କଳାରେ ଦକ୍ଷତା ହାସଲ କରିଛି।

କେବଳ ପାକିସ୍ତାନର ଅନୁରୋଧର ଜବାବରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି ବୋଲି କହି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଯଦି ପାକିସ୍ତାନ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ସାମରିକ ଉତ୍ତେଜନାରେ ଲିପ୍ତ ହୁଏ, ତେବେ ଭାରତ ପୂର୍ଣ୍ଣ ଶକ୍ତି ସହ ଜବାବ ଦେବ। ସେ ଆଶ୍ୱାସନା ଦେଇଥିଲେ ଯେ ଭାରତର ପ୍ରତିକ୍ରିୟା କେବଳ ଏହାର ନିଜସ୍ୱ ନିୟମ ଏବଂ ସର୍ତ୍ତାବଳୀ ଉପରେ ଦିଆଯିବ। ସେ ଏହି ନିର୍ଣ୍ଣାୟକ ମନୋଭାବ ପାଇଁ ଦେଶର ସଶସ୍ତ୍ର ବାହିନୀର ସାହସ, ସାହସ ଏବଂ ସତର୍କତାକୁ ଶ୍ରେୟ ଦେଇଥିଲେ।  ସୈନିକମାନଙ୍କୁ ସେମାନଙ୍କର ଅଟଳ ସଂକଳ୍ପ, ଆବେଗ ଏବଂ ପ୍ରସ୍ତୁତି ବଜାୟ ରଖିବାକୁ ଆହ୍ୱାନ ଦେଇ, ଭାରତ ସର୍ବଦା ସଜାଗ ଏବଂ ପ୍ରସ୍ତୁତ ରହିବାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଶେଷରେ ଘୋଷଣା କରିଥିଲେ ଯେ ଏହା ଏକ ନୂତନ ଭାରତ – ଏକ ଭାରତ ଯାହା ଶାନ୍ତି ଚାହେଁ, କିନ୍ତୁ ଯଦି ମାନବତା ବିପଦରେ ପଡେ, ତେବେ ଏହା ବିରୋଧୀମାନଙ୍କୁ ଦମନ କରିବାକୁ ପଛାଇବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ପୁଡୁଚେରୀରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କେନ୍ଦ୍ର ଶାସିତ ଅଞ୍ଚଳରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାର ଆକଳନ କରିବା ପାଇଁ ଆଜି ନୂଆଦିଲ୍ଲୀରେ ପୁଡୁଚେରୀ ଉପରାଜ୍ୟପାଳ (ଏଲ.ଜି.) କେ. କୈଳାସନଥନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ଆଲୋଚନାରେ ପୋଲିସ, କାରାଗାର, ନ୍ୟାୟାଳୟ, ଅଭିଯୋଜନ ଏବଂ ଫୋରେନସିକ ସେବା ସମ୍ବନ୍ଧୀୟ ପ୍ରମୁଖ ବ୍ୟବସ୍ଥାଗୁଡ଼ିକର ଅଗ୍ରଗତି ଏବଂ ବର୍ତ୍ତମାନର ସ୍ଥିତି ଉପରେ ଧ୍ୟାନ ଦିଆଯାଇଥିଲା। ଏହି ବୈଠକରେ ପୁଡୁଚେରୀର ସ୍ୱରାଷ୍ଟ୍ର ମନ୍ତ୍ରୀ, କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ, କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ, ପୁଲିସ ଗବେଷଣା ଏବଂ ବିକାଶ ବ୍ୟୁରୋ (ବିପିଆର ଆଣ୍ଡ ଡି) ର ମହାନିର୍ଦ୍ଦେଶକ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ର ନିର୍ଦ୍ଦେଶକ, ଗୃହ ମନ୍ତ୍ରଣାଳୟ (ଏମଏଚଏ) ଏବଂ ପୁଡୁଚେରୀ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଣାଯାଇଥିବା ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଦିଗରେ ଭଲ କାର୍ଯ୍ୟ କରିଛି। ନୂତନ ଅପରାଧିକ ଆଇନର ଶୀଘ୍ର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଏଫ୍. ଆଇ. ଆର୍. କେବଳ ତାମିଲ ଭାଷାରେ ପଞ୍ଜିକୃତ ହେବା ଉଚିତ ଏବଂ ଯେଉଁମାନେ ଆବଶ୍ୟକ କରିବେ ସେମାନଙ୍କୁ ଅନ୍ୟ ଭାଷାରେ ଏହା ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରାଯିବା ଉଚିତ। ସେ କହିଥିଲେ ଯେ ସମସ୍ତ ଗିରଫ ଅପରାଧୀଙ୍କ ଆଙ୍ଗୁଠି ଛାପ ଏନଏଏଫ୍‍ଆଇଏସ୍‍ ଅଧୀନରେ ରେକର୍ଡ କରାଯିବା ଉଚିତ, ଯାହାଦ୍ୱାରା ଡାଟାବେସ୍ ସର୍ବୋତ୍ତମ ଭାବେ ବ୍ୟବହାର ହୋଇପାରିବ। ସେ କହିଥିଲେ ଯେ କୌଣସି ମାମଲାରେ ଆଇନଗତ ପରାମର୍ଶ ଦେବାର ଅଧିକାର କେବଳ ପ୍ରସିକ୍ୟୁସନ୍ ନିର୍ଦ୍ଦେଶକ (ଡିଓପି) ଙ୍କ ପାଖରେ ରହିବା ଉଚିତ। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଇ-ସମନ, ଇ-ସାକ୍ଷ୍ୟ, ନ୍ୟାୟ ଶ୍ରୁତି ଏବଂ ଫରେନସିକ ଭଳି ବ୍ୟବସ୍ଥା ଯଥାଶୀଘ୍ର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯିବା ଉଚିତ।

ଅମିତ ଶାହ କହିଥିଲେ ଯେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ ସପ୍ତାହରେ ଥରେ, ପ୍ରତି ୧୫ ଦିନରେ ଗୃହମନ୍ତ୍ରୀ ଏବଂ ମାସରେ ଥରେ ଉପରାଜ୍ୟପାଳ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାର ଅଗ୍ରଗତି ସମୀକ୍ଷା କରିବା ଉଚିତ।

Categories
ଆଜିର ଖବର ଜାତୀୟ ଖବର

ଭାରତ ସରକାରଙ୍କ ସଚିବମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ସଚିବମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ବୈଠକରେ ଜାତୀୟ ପ୍ରସ୍ତୁତି ଏବଂ ଆନ୍ତଃମନ୍ତ୍ରିସ୍ତରୀୟ ସମନ୍ୱୟର ସମୀକ୍ଷା କରାଯାଇଛି।

ବୈଠକରେ ପରିଚାଳନାଗତ ନିରନ୍ତରତା ଏବଂ ସଂସ୍ଥାଗତ ନମନୀୟତା ବଜାୟ ରଖିବା ପାଇଁ ମନ୍ତ୍ରଣାଳୟ ଏବଂ ଏଜେନ୍ସିଗୁଡ଼ିକ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ବର୍ତ୍ତମାନର ପରିସ୍ଥିତିର ମୁକାବିଲା ପାଇଁ ମନ୍ତ୍ରଣାଳୟଗୁଡ଼ିକ ଦ୍ୱାରା କରାଯାଇଥିବା ଯୋଜନା ଏବଂ ପ୍ରସ୍ତୁତିର ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ।

ସଚିବମାନଙ୍କୁ ନିଜ ନିଜ ମନ୍ତ୍ରଣାଳୟର କାର୍ଯ୍ୟକଳାପର ଏକ ବିସ୍ତୃତ ସମୀକ୍ଷା କରିବା ଏବଂ ପ୍ରସ୍ତୁତି, ଜରୁରୀକାଳୀନ ପ୍ରତିକ୍ରିୟା ଓ ଆଭ୍ୟନ୍ତରୀଣ ଯୋଗାଯୋଗ ପ୍ରୋଟୋକଲ ଉପରେ ବିଶେଷ ଧ୍ୟାନ ଦେଇ ଅତ୍ୟାବଶ୍ୟକ ବ୍ୟବସ୍ଥାଗୁଡ଼ିକର ପୂର୍ଣ୍ଣ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସଚିବମାନେ ବର୍ତ୍ତମାନର ପରିସ୍ଥିତିରେ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ସହିତ ସେମାନଙ୍କର ଯୋଜନା ବିସ୍ତୃତ ଭାବରେ ଉଲ୍ଲେଖ କରିଥିଲେ।

ସମସ୍ତ ମନ୍ତ୍ରଣାଳୟ ସଂଘର୍ଷ ସମ୍ବନ୍ଧରେ ସେମାନଙ୍କ କାର୍ଯ୍ୟାନୁଷ୍ଠାନକୁ ଚିହ୍ନଟ କରିଛନ୍ତି ଏବଂ ପ୍ରକ୍ରିୟାକୁ ମଜବୁତ କରୁଛନ୍ତି। ସମସ୍ତ ପ୍ରକାରର ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ମନ୍ତ୍ରଣାଳୟଗୁଡ଼ିକ ପ୍ରସ୍ତୁତ ଅଛନ୍ତି।

ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିଶେଷ କରି, ବେସାମରିକ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଭୁଲ ସୂଚନା ଏବଂ ମିଥ୍ୟା ଖବରର ମୁକାବିଲା ପାଇଁ ପ୍ରୟାସ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ କରିବା ପ୍ରସଙ୍ଗକୁ ଆଲୋଚନାରେ ସାମିଲ କରାଯାଇଥିଲା। ରାଜ୍ୟ କର୍ତ୍ତୃପକ୍ଷ ଏବଂ ତୃଣମୂଳ ସ୍ତରର ଅନୁଷ୍ଠାନଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ବଜାୟ ରଖିବାକୁ ମଧ୍ୟ ମନ୍ତ୍ରଣାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଗଣ ଏବଂ ପ୍ରତିରକ୍ଷା, ସ୍ୱରାଷ୍ଟ୍ର, ବୈଦେଶିକ ବ୍ୟାପାର, ସୂଚନା ଓ ପ୍ରସାରଣ, ଶକ୍ତି, ସ୍ୱାସ୍ଥ୍ୟ ଏବଂ ଦୂରସଞ୍ଚାର ସମେତ ପ୍ରମୁଖ ମନ୍ତ୍ରଣାଳୟର ସଚିବମାନେ ଯୋଗ ଦେଇଥିଲେ।

ଦେଶ ଏକ ସମ୍ବେଦନଶୀଳ ସମୟ ଦେଇ ଗତି କରୁଥିବାରୁ ପ୍ରଧାନମନ୍ତ୍ରୀ ନିରନ୍ତର ସତର୍କତା, ସଂସ୍ଥାଗତ ସମନ୍ୱୟ ଏବଂ ସ୍ପଷ୍ଟ ଯୋଗାଯୋଗ ପାଇଁ ଆହ୍ୱାନ ଦେଇଛନ୍ତି । ଜାତୀୟ ସୁରକ୍ଷା, ପରିଚାଳନା ପ୍ରସ୍ତୁତି ଏବଂ ନାଗରିକ ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିଦ୍ୟୁତଶକ୍ତି କ୍ଷେତ୍ରକୁ କୋଇଲା ଆବଣ୍ଟନ ପାଇଁ ସଂଶୋଧିତ ଶକ୍ତି ନୀତିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି କେନ୍ଦ୍ରୀୟ କ୍ଷେତ୍ର/ରାଜ୍ୟ କ୍ଷେତ୍ର/ସ୍ୱାଧୀନ ବିଦ୍ୟୁତଶକ୍ତି ଉତ୍ପାଦକ (ଆଇ.ପି.ପି.)ର ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକୁ ନୂତନ କୋଇଲା ଲିଙ୍କେଜ୍‌ ବା ସଂଯୋଗୀକରଣ ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ସଂଶୋଧିତ ଶକ୍ତି ନୀତି ଅଧୀନରେ ନିମ୍ନଲିଖିତ ଦୁଇଟି ବିକଳ୍ପ ପ୍ରସ୍ତାବ ଦିଆଯାଇଛି।

. କେନ୍ଦ୍ରୀୟ ବିଦ୍ୟୁତ ଉତ୍ପାଦନ କମ୍ପାନୀ/ରାଜ୍ୟଗୁଡ଼ିକ ସହିତ ଅଧିସୂଚିତ ମୂଲ୍ୟରେ କୋଇଲା ସଂଯୋଗୀକରଣ: ୱିଣ୍ଡୋ-୧

. ସମସ୍ତ ଉତ୍ପାଦନକାରୀ କମ୍ପାନୀକୁ ବିଜ୍ଞପିତ ମୂଲ୍ୟ ଠାରୁ ଅଧିକ ପ୍ରିମିୟମରେ କୋଇଲା ସଂଯୋଗୀକରଣ: ୱିଣ୍ଡୋ-୨

ୱିଣ୍ଡୋ- (ଅଧିସୂଚିତ ମୂଲ୍ୟରେ କୋଇଲା):

ଯୁଗ୍ମ ଉଦ୍ୟୋଗ (ଜେଭି) ଏବଂ ସେମାନଙ୍କ ସହାୟକ କମ୍ପାନୀ ସମେତ କେନ୍ଦ୍ରୀୟ କ୍ଷେତ୍ରର ତାପଜ ବିଦ୍ୟୁତ ପ୍ରକଳ୍ପ (ଟିପିପି) ଗୁଡ଼ିକୁ କୋଇଲା ସଂଯୋଗ ପ୍ରଦାନ କରିବାର ବର୍ତ୍ତମାନର ବ୍ୟବସ୍ଥା ଜାରି ରହିବ।

ଶକ୍ତି ମନ୍ତ୍ରଣାଳୟର ସୁପାରିସ କ୍ରମେ, ବର୍ତ୍ତମାନ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଏବଂ ରାଜ୍ୟ ଗୋଷ୍ଠୀ ଦ୍ୱାରା ଅଧିକୃତ ଏଜେନ୍ସିକୁ କୋଇଲା ସଂଯୋଗ ପ୍ରଦାନ କରାଯିବ। ରାଜ୍ୟଗୁଡ଼ିକୁ ଆବଣ୍ଟିତ କୋଇଲା ସଂଯୋଗକୁ ରାଜ୍ୟଗୁଡ଼ିକ ସେମାନଙ୍କ ନିଜସ୍ୱ ବିଦ୍ୟୁତ ଉତ୍ପାଦକ କମ୍ପାନୀ, ସ୍ୱାଧୀନ ବିଦ୍ୟୁତ ଉତ୍ପାଦକ (ଆଇ.ପି.ପି.) ମାଧ୍ୟମରେ ବ୍ୟବହାର କରିପାରିବେ, ଯାହା ଟାରିଫ ଆଧାରିତ ପ୍ରତିଦ୍ୱନ୍ଦ୍ୱିତାମୂଳକ ନିଲାମୀ (ଟି.ବି.ସି.ବି.) ମାଧ୍ୟମରେ ଚିହ୍ନଟ କରାଯାଇପାରିବ କିମ୍ବା ବିଦ୍ୟୁତ ଅଧିନିୟମ, ୨୦୦୩ର ଧାରା ୬୨ ଅନୁଯାୟୀ ବିଦ୍ୟୁତ କ୍ରୟ ଚୁକ୍ତି (ପିପିଏ) ଥିବା ବର୍ତ୍ତମାନର ଆଇପିପିଗୁଡ଼ିକ ଧାରା ୬୨ ଅନୁଯାୟୀ ପିପିଏ ଥିବା ନୂତନ ସମ୍ପ୍ରସାରଣ ୟୁନିଟ୍ ପ୍ରତିଷ୍ଠା ପାଇଁ ବ୍ୟବହାର କରିପାରିବେ।

ୱିଣ୍ଡୋ- (ବିଜ୍ଞପିତ ମୂଲ୍ୟ ଠାରୁ ଅଧିକ ପ୍ରିମିୟମ):

ଯେକୌଣସି ଘରୋଇ କୋଇଲା ଭିତ୍ତିକ ଶକ୍ତି ଉତ୍ପାଦନକାରୀ ଯାହାର ପିପିଏ କିମ୍ବା ଅଣ-ଅନୁବନ୍ଧିତ ଏବଂ ଆମଦାନୀ ହୋଇଥିବା କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ (ଯଦି ସେମାନେ ଚାହାଁନ୍ତି) ୧୨ ମାସ ପର୍ଯ୍ୟନ୍ତ କିମ୍ବା ୧୨ ମାସରୁ ୨୫ ବର୍ଷରୁ ଅଧିକ ସମୟ ପାଇଁ ନିଲାମ ଆଧାରରେ କୋଇଲା ହାସଲ କରିପାରିବେ।

କାର୍ଯ୍ୟକାରିତା ରଣନୀତି:

ଉପରୋକ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି କୋଲ୍ ଇଣ୍ଡିଆ ଲିମିଟେଡ୍ (ସି.ଆଇ.ଏଲ୍.)/ସିଙ୍ଗାରେନି କୋଲିୟରୀଜ୍ କମ୍ପାନୀ ଲିମିଟେଡ୍ (ଏସ୍.ସି.ସି.ଏଲ୍.) କୁ ନିର୍ଦ୍ଦେଶ ଜାରି କରାଯିବ। ଆହୁରି, ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ସମସ୍ତ ରାଜ୍ୟକୁ ମଧ୍ୟ ସଂଶୋଧିତ ଶକ୍ତି ନୀତି ସମ୍ପର୍କରେ ଅବଗତ କରାଯିବ, ଯାହାଦ୍ୱାରା ସମ୍ପୃକ୍ତ ବିଭାଗ/କର୍ତ୍ତୃପକ୍ଷ ଏବଂ ନିୟାମକ ଆୟୋଗମାନଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇପାରିବ।

ନିଯୁକ୍ତି ସୃଷ୍ଟି ସମ୍ଭାବନା ସମେତ ପ୍ରମୁଖ ପ୍ରଭାବ:

ସଂଯୋଗୀକରଣ ପ୍ରକ୍ରିୟାର ସରଳୀକରଣ: ସଂଶୋଧିତ ଶକ୍ତି ନୀତି ଲାଗୁ ହେବା ସହିତ, ବ୍ୟବସାୟିକ ସୁଗମତା ଭାବନାରେ କୋଇଲା ଆବଣ୍ଟନ ପାଇଁ ବର୍ତ୍ତମାନର ଆଠଟି ପାରାକୁ କେବଳ ଦୁଇଟି ୱିଣ୍ଡୋରେ ମ୍ୟାପ୍ କରାଯାଇଛି। ୱିଣ୍ଡୋ-୧ (ବିଜ୍ଞାପିତ ମୂଲ୍ୟରେ କୋଇଲା ସଂଯୋଗୀକରଣ) ଏବଂ ୱିଣ୍ଡୋ-୨ (ବିଜ୍ଞାପିତ ମୂଲ୍ୟ ଉପରେ ପ୍ରିମିୟମରେ କୋଇଲା ସଂଯୋଗୀକରଣ)।

ବିଦ୍ୟୁତ କ୍ଷେତ୍ରର ଶକ୍ତିରେ ପୂର୍ଣ୍ଣ କୋଇଲା ଆବଶ୍ୟକତାକୁ ପୂରଣ କରିବା: ସଂଶୋଧିତ ଶକ୍ତି ନୀତି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ଦୀର୍ଘକାଳୀନ/ସ୍ୱଳ୍ପକାଳୀନ ଚାହିଦା ଆଧାରରେ ସେମାନଙ୍କ କୋଇଲା ଆବଶ୍ୟକତା ଯୋଜନା କରିବାରେ ସକ୍ଷମ କରିବ।

କେନ୍ଦ୍ରୀୟ କ୍ଷେତ୍ରର ତାପଜ ବିଦ୍ୟୁତ ପ୍ରକଳ୍ପ (ଟିପିପି) ଗୁଡ଼ିକ ଶକ୍ତି ମନ୍ତ୍ରଣାଳୟର ସୁପାରିସ କ୍ରମେ ନାମାଙ୍କନ ଆଧାରରେ କୋଇଲା ସଂଯୋଗ ପାଇବା ଜାରି ରଖିବେ।ଅନ୍ୟପକ୍ଷରେ ଶକ୍ତି ମନ୍ତ୍ରଣାଳୟର ସୁପାରିସ ଆଧାରରେ ନାମାଙ୍କନ ଆଧାରରେ ରାଜ୍ୟଗୁଡ଼ିକୁ ଆବଣ୍ଟିତ ଲିଙ୍କେଜକୁ ରାଜ୍ୟଗୁଡ଼ିକ ଦ୍ୱାରା ରାଜ୍ୟ ଉତ୍ପାଦନ କମ୍ପାନୀରେ ଉପଯୋଗ କରାଯାଇପାରିବ।

ୱିଣ୍ଡୋ-ରେ ପିପିଏର କୌଣସି ଆବଶ୍ୟକତା ନାହିଁ: ୱିଣ୍ଡୋ-୨ ଅଧୀନରେ ସୁରକ୍ଷିତ କୋଇଲା ମାଧ୍ୟମରେ ଉତ୍ପାଦିତ ବିଦ୍ୟୁତକୁ ବିକ୍ରି କରିବା ପାଇଁ ପିପିଏ ଗୁଡ଼ିକର ଆବଶ୍ୟକତାକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିଦିଆଯାଇଛି, ଯାହାଦ୍ୱାରା ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟଗୁଡ଼ିକୁ ସେମାନଙ୍କ ପସନ୍ଦ ଅନୁଯାୟୀ ବିଦ୍ୟୁତ ବିକ୍ରି କରିବା ପାଇଁ ନମନୀୟତା ମିଳିପାରିବ।

ତାପଜ କ୍ଷମତା ବୃଦ୍ଧି ପାଇଁ ସ୍ୱାଧୀନ ଶକ୍ତି ଉତ୍ପାଦକ (ଆଇପିପି)/ଘରୋଇ ବିକାଶକାରୀଙ୍କୁ ସକ୍ଷମ କରିବା: ୧୨ ମାସରୁ ୨୫ ବର୍ଷ ପର୍ଯ୍ୟନ୍ତ ଅବଧି ସହିତ ପିପିଏ ସହିତ କିମ୍ବା ବିନା ନୂତନ କ୍ଷମତା ବୃଦ୍ଧି ପାଇଁ ନମନୀୟ ସଂଯୋଗକୁ ଅନୁମତି ଦେବା ଆଇପିପିଗୁଡ଼ିକୁ ନୂତନ ତାପଜ କ୍ଷମତା ଯୋଜନା କରିବାକୁ ଉତ୍ସାହିତ କରିବ, ଯାହା ଭବିଷ୍ୟତରେ ତାପଜ କ୍ଷମତା ବୃଦ୍ଧି ପାଇଁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ।

କୋଇଲା ଆମଦାନୀ ହ୍ରାସ/ବିକଳ୍ପ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବ: ଆମଦାନୀ ହୋଇଥିବା କୋଇଲା ଭିତ୍ତିକ (ଆଇ.ସି.ବି.) ପ୍ଲାଣ୍ଟଗୁଡ଼ିକର ବୈଷୟିକ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ୱିଣ୍ଡୋ-୨ ଅଧୀନରେ ଆଇ.ସି.ବି. ପ୍ଲାଣ୍ଟଗୁଡ଼ିକ ଘରୋଇ କୋଇଲା ଗ୍ରହଣ କରିପାରିବେ, ଯାହାଦ୍ୱାରା ସେମାନଙ୍କ ଆମଦାନୀ କୋଇଲା ନିର୍ଭରଶୀଳତା ହ୍ରାସ ପାଇବ। ଆମଦାନୀ ହୋଇଥିବା କୋଇଲା ବିକଳ୍ପ ଦ୍ୱାରା ଅର୍ଜିତ ଲାଭ ଉପଯୁକ୍ତ ନିୟାମକ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ହେବ ଏବଂ ବିଦ୍ୟୁତ ଉପଭୋକ୍ତା/ହିତାଧିକାରୀଙ୍କୁ ପ୍ରଦାନ କରାଯିବ।

ପିଟହେଡ୍ ପାୱାର ପ୍ଲାଣ୍ଟକୁ ପ୍ରାଧାନ୍ୟ: ବ୍ରାଉନଫିଲ୍ଡ ସମ୍ପ୍ରସାରଣକୁ ସମର୍ଥନ କରିବା ବ୍ୟତୀତ ସଂଶୋଧିତ ଶକ୍ତି ନୀତି ମୁଖ୍ୟତଃ ପିଟହେଡ୍ ସାଇଟରେ ଅର୍ଥାତ୍ କୋଇଲା ଉତ୍ସ ନିକଟରେ ଗ୍ରୀନଫିଲ୍ଡ ତାପଜ ଶକ୍ତି ପ୍ରକଳ୍ପ ସ୍ଥାପନକୁ ପ୍ରୋତ୍ସାହିତ କରିବ।

ଲିଙ୍କେଜ୍‌ ବା ସଂଯୋଗୀକରଣକୁ ଯୁକ୍ତିସଙ୍ଗତ କରିବା: ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ କୋଇଲାର ‘ଅବତରଣ ମୂଲ୍ୟ’ ହ୍ରାସ କରିବା ଉଦ୍ଦେଶ୍ୟରେ କୋଇଲା ଉତ୍ସକୁ ଯୁକ୍ତିସଙ୍ଗତ କରାଯିବ। ଏହା କେବଳ ରେଳ ଭିତ୍ତିଭୂମିକୁ ସୁଗମ କରିବ ନାହିଁ, ବରଂ ଶେଷରେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଶୁଳ୍କ ହ୍ରାସ ମଧ୍ୟ କରିବ।

କ୍ଷମତା ହସ୍ତାନ୍ତର: ସଂଶୋଧିତ ଶକ୍ତି ନୀତିରେ ନୀତିରେ ସାମାନ୍ୟ ପରିବର୍ତ୍ତନ ଆଣିବା ପାଇଁ ସମ୍ପୃକ୍ତ ମନ୍ତ୍ରଣାଳୟ ସ୍ତରରେ କ୍ଷମତା ହସ୍ତାନ୍ତର କରିବାର ବ୍ୟବସ୍ଥା ରହିଛି। ଆହୁରି, ପରିଚାଳନା/କାର୍ଯ୍ୟକାରିତା ପ୍ରସଙ୍ଗଗୁଡ଼ିକର ମୁକାବିଲା ପାଇଁ ସଚିବ (ଶକ୍ତି), ସଚିବ (କୋଇଲା) ଏବଂ ଅଧ୍ୟକ୍ଷ, ସି.ଇ.ଏ.ଙ୍କୁ ନେଇ ଏକ “କ୍ଷମତାପ୍ରାପ୍ତ କମିଟି” ଗଠନ କରିବାର ପ୍ରସ୍ତାବ ରହିଛି।

ବର୍ତ୍ତମାନର ଏଫ୍.ଏସ୍.ଏ. ଧାରକମାନଙ୍କ ପାଇଁ ନମନୀୟତା: ୱିଣ୍ଡୋ-୨ ଅଧୀନରେ କୋଇଲାର ବାର୍ଷିକ ଚୁକ୍ତିବଦ୍ଧ ପରିମାଣ (ଏ.ସି.କ୍ୟୁ.) ର ୧୦୦% ରୁ ଅଧିକ ବର୍ତ୍ତମାନର ଇନ୍ଧନ ଯୋଗାଣ ରାଜିନାମା (ଏଫ୍.ଏସ୍.ଏ.) ଧାରକମାନଙ୍କ ଅଂଶଗ୍ରହଣ ବିଦ୍ୟୁତ ଉତ୍ପାଦନକାରୀମାନଙ୍କୁ ଲାଭାନ୍ୱିତ କରିବ। ପୁରୁଣା ନୀତି ଅଧୀନରେ ପ୍ରାପ୍ତ କୋଇଲା ସଂଯୋଗ ସମାପ୍ତ ହେବା ପରେ, ଶକ୍ତି ଉତ୍ପାଦକମାନେ (କେନ୍ଦ୍ରୀୟ ବିଦ୍ୟୁତ ଉତ୍ପାଦନ କମ୍ପାନୀ, ରାଜ୍ୟ ବିଦ୍ୟୁତ ଉତ୍ପାଦନ କମ୍ପାନୀ ଏବଂ ସ୍ୱାଧୀନ ଶକ୍ତି ଉତ୍ପାଦକ (ଆଇ.ପି.ପି.)) ନୂତନ ସଂଯୋଗ ହାସଲ କରିବା ପାଇଁ ବର୍ତ୍ତମାନର ପ୍ରସ୍ତାବିତ ସଂଶୋଧିତ ନୀତି ଅଧୀନରେ ଆବେଦନ କରିପାରିବେ।

ବିଦ୍ୟୁତ ବଜାରରେ ଅନାବଶ୍ୟକ ବଳକାକୁ ଅନୁମତି ଦେବା: ଏହା ବିଦ୍ୟୁତ ବଜାରରେ କୋଇଲା ସଂଯୋଗ ମାଧ୍ୟମରେ ଉତ୍ପାଦିତ ବିଦ୍ୟୁତକୁ ବିକ୍ରି କରିବାରେ ସକ୍ଷମ ହେବ। ଏହାଦ୍ୱାରା କେବଳ ବିଦ୍ୟୁତ ବିନିମୟ କେନ୍ଦ୍ରରେ ବିଦ୍ୟୁତର ଉପଲବ୍ଧତା ବୃଦ୍ଧି ପାଇବ ନାହିଁ, ବରଂ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକର ସର୍ବାଧିକ ଉପଯୋଗ ସୁନିଶ୍ଚିତ ହେବ।

ଖର୍ଚ୍ଚଗୁଡ଼ିକ ମଧ୍ୟରେ ରହିଛି:

ସଂଶୋଧିତ ବିଦ୍ୟୁତ ନୀତି କୋଇଲା କମ୍ପାନୀଗୁଡ଼ିକ ଉପରେ କୌଣସି ଅତିରିକ୍ତ ଖର୍ଚ୍ଚ ଲାଗୁ କରିବ ନାହିଁ।

ହିତାଧିକାରୀଙ୍କ ସଂଖ୍ୟା:

ତାପଜ ବିଦ୍ୟୁତ କେନ୍ଦ୍ର, ରେଳବାଇ, କୋଲ ଇଣ୍ଡିଆ ଲିମିଟେଡ/ସିଙ୍ଗାରେନି କୋଲିୟାରୀଜ କମ୍ପାନୀ ଲିମିଟେଡ, ଅନ୍ତିମ ଉପଭୋକ୍ତା ଏବଂ ରାଜ୍ୟ ସରକାରମାନେ ଉପକୃତ ହେବେ।

Categories
ଆଜିର ଖବର ଜାତୀୟ ଖବର

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଥୋନି ଆଲବାନିଜଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କଲେ ଏବଂ ଅଷ୍ଟ୍ରେଲିଆର ୩୨ତମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଐତିହାସିକ ପୁନଃନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ।

ଦୁଇ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୀତିକ ସହଭାଗିତା (ସିଏସପି)କୁ ମଜବୁତ୍ କରିବା ପାଇଁ ଦୁଇ ନେତା ନିଜର ପ୍ରତିବଦ୍ଧତାକୁ ଦୋହରାଇଲେ। ସେ କହିଥିଲେ କି ବିଗତ ପାଞ୍ଚ ବର୍ଷର ଶାସନ କାଳରେ ସିଏସପିର ବିଭିନ୍ନ କ୍ଷେତ୍ର ମଜବୁତ୍ ସହଯୋଗରେ ବିକଶିତ ହୋଇଥିବା ଦେଖିଛନ୍ତି। ଦ୍ୱିପକ୍ଷୀୟ ସମ୍ପର୍କକୁ ମଜବୁତ୍ କରିବା ଦିଗରେ ଉତ୍ସାହୀ ପ୍ରବାସୀ ଭାରତୀୟ ସମୁଦାୟଙ୍କ ଭୂମିକା ଉପରେ ସେ ଜୋର୍ ଦେଇଥିଲେ।

ଉଭୟ ନେତା ପାରସ୍ପରିକ ହିତରେ କ୍ଷେତ୍ରୀୟ ଏବଂ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏକ ସ୍ୱତନ୍ତ୍ର, ମୁକ୍ତ, ସ୍ଥିର, ନିୟମ ଆଧାରିତ ଏବଂ ସମୃଦ୍ଧ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ବିକାଶ ଦିଗରେ ମିଳିମିଶି କାମ କରିବାକୁ ଉଭୟ ନିଜ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଶ୍ରୀ ଆଲବାନିଜଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିଲେ। ଏହି ସମୟରେ ବାର୍ଷିକ ଶିଖର ସମ୍ମିଳନୀ ଏବଂ ଭାରତରେ ହେବାକୁ ଥିବା କ୍ୱାଡ ଶିଖଣ ସମ୍ମିଳନୀ ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ନିୟମିତ ସମ୍ପର୍କରେ ରହିବାକୁ ଉଭୟ ନେତା ସହମତି ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ଏବଂ ରାଜସ୍ଥାନ କୋଟାରେ ନୂଆ ବିମାନବନ୍ଦର ନିର୍ମାଣକୁ ମଞ୍ଜୁର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ସରକାର ଦେଶବ୍ୟାପୀ ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ଅଛନ୍ତି। ଏହି କ୍ରମରେ ଆଉ ଏକ ପଦକ୍ଷେପ ସ୍ୱରୂପ, ଓଡ଼ିଶାର ପୁରୀ ଏବଂ ରାଜସ୍ଥାନର କୋଟା ଠାରେ ନୂଆ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜରପୁ ଏହି ଦୁଇଟି ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି।

ଭାରତର ଅନ୍ୟତମ ପବିତ୍ର ତୀର୍ଥସ୍ଥଳ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ଏକ ବିଶ୍ୱପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ରୂପେ ଦେଶ ତଥା ଦୁନିଆର ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପୁରୀଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରିବାର ନିଷ୍ପତ୍ତି ଏହି ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ ଏବଂ ସାମଗ୍ରିକ ଯୋଗାଯୋଗକୁ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ।

ଏହି ବିମାନ ବନ୍ଦର ପୁରୀ ଏବଂ ଭାରତର ପ୍ରମୁଖ ମହାନଗରଗୁଡ଼ିକ ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ। ଏହି ନିଷ୍ପତ୍ତି ପୁରୀ ଏବଂ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ଏହା ଶେଷ ମାଇଲ ବିମାନ ସଂଯୋଗକୁ ମଜବୁତ କରିବ। ବିମାନ ଯାତ୍ରାକୁ ସମସ୍ତଙ୍କ ପାଇଁ ସୁଲଭ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଅନୁରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଅନୁରୂପ ଭାବେ କୋଟା ବିମାନ ବନ୍ଦର ନିର୍ମାଣ ଦ୍ୱାରା ଦୀର୍ଘ ପ୍ରତୀକ୍ଷିତ ଆଶା ପୂରଣ ହେବ। ଏହା ଲୋକସଭା ବାଚସ୍ପତି ତଥା କୋଟା-ବୁନ୍ଦୀର ସାଂସଦ ଶ୍ରୀ ଓମ୍ ବିର୍ଲାଙ୍କ ନିରନ୍ତର ପ୍ରୟାସର ପରିଣାମ। ସେ କୋଟା ପାଇଁ ଏକ ବିମାନ ବନ୍ଦରର ଉପଲବ୍ଧି ପାଇଁ ସକ୍ରିୟ ଭାବରେ ପ୍ରୟାସ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ତାଙ୍କର ନିରନ୍ତର ଆଲୋଚନା ଏହି ଅନୁମୋଦନକୁ ତ୍ୱରାନ୍ୱିତ କରିବାରେ ଅନ୍ୟତମ ପ୍ରେରକ ଶକ୍ତି।

ପ୍ରସ୍ତାବିତ ବିମାନବନ୍ଦର ଏକ ପ୍ରମୁଖ ଶିକ୍ଷା ଏବଂ ଶିଳ୍ପ କେନ୍ଦ୍ର ଭାବରେ ଜଣାଶୁଣା କୋଟା ସହରକୁ କେବଳ ବିମାନ ସେବା ପ୍ରଦାନ କରିବ ନାହିଁ, ବରଂ ହାଡୌତୀ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଏବଂ ଆର୍ଥିକ କାର୍ଯ୍ୟକଳାପକୁ ମଧ୍ୟ ପୂରଣ କରିବ। ଏହାର ପ୍ରତିଷ୍ଠା ସହିତ କୋଟା ଭାରତ ଭିତରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରମୁଖ ଗନ୍ତବ୍ୟସ୍ଥଳ ହେବାରେ ସକ୍ଷମ ହେବ।

ଏହି ନିଷ୍ପତ୍ତି ରାଜସ୍ଥାନ କୋଟାର ଭିତ୍ତିଭୂମି ବିକାଶରେ ଏକ ପ୍ରମୁଖ ମାଇଲଖୁଣ୍ଟ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ବିମାନ ଯାତ୍ରାକୁ ସୁଗମ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଚିହ୍ନିତ କରିଥାଏ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ଜାତୀୟ ରାଜଧାନୀରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ପୋଲିସ, କାରାଗାର, ଅଦାଲତ, ଅଭିଯୋଜନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, ଜାତୀୟ ରାଜଧାନୀ ଅଞ୍ଚଳର ମୁଖ୍ୟ ସଚିବ, ଦିଲ୍ଲୀ ପୋଲିସ କମିଶନର, ପୋଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ (ବିପିଆରଆଣ୍ଡଡି) ର ମହାନିର୍ଦ୍ଦେଶକ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ର ନିର୍ଦ୍ଦେଶକ ଏବଂ ଗୃହ ମନ୍ତ୍ରଣାଳୟ (ଏମଏଚଏ) ଏବଂ ଦିଲ୍ଲୀ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରବର୍ତ୍ତିତ ତିନୋଟି ନୂଆ ଅପରାଧିକ ଆଇନର କାର୍ଯ୍ୟାନ୍ୱୟନ ଦ୍ୱାରା ତୃଣମୂଳ ସ୍ତରରେ ପୁଲିସର ଦକ୍ଷତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି ପାଇବ। ଏହି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାରେ ଅଧିକାରୀମାନଙ୍କ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଥିଲେ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ୬୦ ଏବଂ ୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାର ପ୍ରକ୍ରିୟା ଉପରେ ନିରନ୍ତର ନଜର ରଖିବା ଆବଶ୍ୟକ ଏବଂ ଏହାର ସମୟସୀମା କଡାକଡି ପାଳନ କରାଯିବା ଉଚିତ। ସେ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଘୃଣ୍ୟ ଅପରାଧିକ ମାମଲାରେ ଦଣ୍ଡବିଧାନ ହାରକୁ ଅତି କମରେ ୨୦ ପ୍ରତିଶତ ବୃଦ୍ଧି କରିବାକୁ ପ୍ରୟାସ କରାଯିବା ଉଚିତ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଇ-ସମନ ସିଧାସଳଖ ଅଦାଲତରୁ ଜାରି କରାଯିବା ଉଚିତ, ଯାହାର ନକଲ ସ୍ଥାନୀୟ ଥାନାକୁ ପଠାଯିବା ଉଚିତ। ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଯେକୌଣସି ମାମଲାରେ ଅପିଲ ସମ୍ବନ୍ଧୀୟ ନିଷ୍ପତ୍ତି ନିଜେ ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟ ଦ୍ୱାରା ନିଆଯାଉଛି ବୋଲି ସୁନିଶ୍ଚିତ କରିବାକୁ ମଧ୍ୟ ସେ ଆହ୍ୱାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡାର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡାର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ଖେଳାଳି, ପ୍ରଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ସାରା ଦେଶରୁ ଖେଳାଳିମାନେ ଏକତ୍ରିତ ହୋଇଛନ୍ତି, ଯେଉଁମାନେ ଅସାଧାରଣ ପ୍ରତିଭା ଏବଂ ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ସେ ସେମାନଙ୍କର ସମର୍ପଣ ଏବଂ କଠିନ ପରିଶ୍ରମ ଉପରେ ଆଲୋକପାତ କରିଥିଲେ, ଦେଶର କ୍ରୀଡା ଭାବନା ପ୍ରତି ସେମାନଙ୍କର ଅବଦାନକୁ ସ୍ୱୀକାର କରିଥିଲେ। କ୍ରୀଡାବିତ୍ ମାନଙ୍କର ଉଲ୍ଲେଖନୀୟ ଦକ୍ଷତା ଏବଂ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, କ୍ରୀଡା ପ୍ରତି ସେମାନଙ୍କର ଆଗ୍ରହ ଏବଂ ଉତ୍କର୍ଷର ନିରନ୍ତର ଅନୁସନ୍ଧାନ ଦେଶ ପାଇଁ ଗର୍ବ ଆଣିଥାଏ। ସେ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭକାମନା ଜଣାଇଥିଲେ।

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ସମୟରେ ବିହାରର ବିଭିନ୍ନ ସହର, ଯଥା : ପାଟନା, ରାଜଗୀର, ଗୟା, ଭାଗଲପୁର ଏବଂ ବେଗୁସରାଇରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଆଗାମୀ ଦିନରେ ଛଅ ହଜାରରୁ ଅଧିକ ଯୁବ କ୍ରୀଡ଼ାବିତ୍, ସେମାନଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାକୁ ସାଙ୍ଗରେ ନେଇ ଅଂଶଗ୍ରହଣ କରିବେ। ସେ ସମସ୍ତ ଖେଳାଳିଙ୍କୁ ଶୁଭକାମନା ଜଣାଇ କହିଥିଲେ ଯେ, ଭାରତରେ କ୍ରୀଡ଼ା ଏବେ ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ରୂପରେ ବିକଶିତ ହେଉଛି। “ଭାରତର କ୍ରୀଡ଼ା ସଂସ୍କୃତି ବୃଦ୍ଧି ପାଇବା ସହିତ, ବିଶ୍ୱ ସ୍ତରରେ ଦେଶର ସଫ୍ଟ ପାୱାର ମଧ୍ୟ ବୃଦ୍ଧି ପାଇବ” ବୋଲି ଶ୍ରୀ ମୋଦୀ କହିବା ସହିତ ଦେଶର ଯୁବପିଢ଼ି ପାଇଁ ଏକ ପ୍ରମୁଖ ମଞ୍ଚ ପ୍ରଦାନ କରିବାରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

କ୍ରୀଡାବିତମାନଙ୍କ ପାଇଁ ନିରନ୍ତର ଉନ୍ନତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ, ଅଧିକ ମ୍ୟାଚ୍ ଖେଳିବା ଏବଂ ସେମାନଙ୍କ ଦକ୍ଷତାକୁ ସୁଧାରିବା ପାଇଁ ଅଧିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଆବଶ୍ୟକତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ ପୁନର୍ବାର କହିଥିଲେ ଯେ ତାଙ୍କ ସରକାର ସର୍ବଦା ନିଜର ନୀତିରେ ଏହି ଦିଗକୁ ସର୍ବାଧିକ ପ୍ରାଥମିକତା ଦେଇଆସିଛି। ଖେଲୋ ଇଣ୍ଡିଆ ଅଧୀନରେ ବିଭିନ୍ନ କ୍ରୀଡା ଇଭେଣ୍ଟ – ବିଶ୍ୱବିଦ୍ୟାଳୟ କ୍ରୀଡା, ଯୁବ କ୍ରୀଡା, ଶୀତକାଳୀନ କ୍ରୀଡା ଏବଂ ପାରା ଗେମ୍ସ – ସାରା ବର୍ଷ ଦେଶବ୍ୟାପୀ ବିଭିନ୍ନ ସ୍ତରରେ ଅନୁଷ୍ଠିତ ହୁଏ ବୋଲି ସେ ଉଲ୍ଲେଖ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ, ଏହି ଲଗାତର ପ୍ରତିଯୋଗିତାଗୁଡ଼ିକ ଖେଳାଳିମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରେ ଏବଂ ସେମାନଙ୍କ ପ୍ରତିଭାକୁ ସାମ୍ନାକୁ ଆଣେ। କ୍ରିକେଟରୁ ଏକ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କମ୍ ବୟସରେ ଆଇପିଏଲରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବିହାରର ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ , ବୈଭବଙ୍କ କଠିନ ପରିଶ୍ରମ ଗୁରୁତ୍ୱପୂର୍ଣ୍ଣ ଥିଲା, ଅନେକ ପ୍ରତିଯୋଗିତାରେ ଯୋଗଦାନ ମଧ୍ୟ ତାଙ୍କ ପ୍ରତିଭାକୁ ଗଠନ କରିବାରେ ବହୁତ ବଡ ଭୂମିକା ଗ୍ରହଣ କରିଥିଲା। ଜଣେ ଖେଳାଳି ଯେତେ ଅଧିକ ଖେଳନ୍ତି, ସେ  ସେତେ ଅଧିକ ଉନ୍ନତି କରନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ , ଖେଲୋ ଇଣ୍ଡିଆ ଯୁବ କ୍ରୀଡା ଯୁବ କ୍ରୀଡାବିତମାନଙ୍କୁ ଜାତୀୟ ସ୍ତରୀୟ କ୍ରୀଡାର ସୂକ୍ଷ୍ମତା ବୁଝିବା ଏବଂ ମୂଲ୍ୟବାନ ଅଭିଜ୍ଞତା ହାସଲ କରିବାର ସୁଯୋଗ ପ୍ରଦାନ କରେ।

ଭାରତରେ ଅଲିମ୍ପିକ୍ସ ଆୟୋଜନ ପ୍ରତ୍ୟେକ ନାଗରିକଙ୍କ ଦୀର୍ଘ ଦିନର ସ୍ୱପ୍ନ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ୨୦୩୬ ମସିହାରେ ଦେଶରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ, ଅନ୍ତର୍ଜାତୀୟ କ୍ରୀଡାରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଦେଶର ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲେ। ସେ ସ୍କୁଲ ସ୍ତରରେ କ୍ରୀଡା ପ୍ରତିଭା ଚିହ୍ନଟ କରିବା ଏବଂ ସେମାନଙ୍କୁ ସଂଗଠିତ ତାଲିମ ପ୍ରଦାନ କରିବା ଉପରେ ସରକାରଙ୍କ ଧ୍ୟାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଖେଲୋ ଇଣ୍ଡିଆ ଏବଂ ଟାର୍ଗେଟ ଅଲିମ୍ପିକ୍ ପୋଡିୟମ୍ (ଟିଓପି) ଯୋଜନା ଭଳି ପଦକ୍ଷେପ ଏକ ଦୃଢ଼ କ୍ରୀଡା ପାରବେଶିକ ବ୍ୟବସ୍ଥା  ଗଠନରେ ଅବଦାନ ଦେଇଛି, ଯାହା ବିହାର ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ହଜାର ହଜାର ଖେଳାଳିଙ୍କୁ ଲାଭ ଦେଇଛି। ସେ ଖେଳାଳିମାନଙ୍କୁ ବିବିଧ କ୍ରୀଡା ସମ୍ପର୍କରେ ଜାଣିବା ପାଇଁ ସୁଯୋଗ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଖେଲୋ ଇଣ୍ଡିଆ ଯୁବ କ୍ରୀଡା ଭାରତର ସମୃଦ୍ଧ କ୍ରୀଡା ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗାଟକା, କଲାରିପାୟଟ୍ଟୁ, ଖୋ – ଖୋ, ମଲ୍ଲଖମ୍ବ ଏବଂ ଯୋଗାସନ ଭଳି ପାରମ୍ପରିକ ଏବଂ ସ୍ୱଦେଶୀ ଖେଳକୁ ସାମିଲ କରିଛି। ଶ୍ରୀ ମୋଦୀ ନୂତନ ଏବଂ ଉଦୀୟମାନ କ୍ରୀଡାରେ ଭାରତୀୟ ଖେଳାଳିଙ୍କ ବର୍ଦ୍ଧିତ ଉପସ୍ଥିତିକୁ ମଧ୍ୟ ସ୍ୱୀକାର କରିଥିଲେ। ସେ ଉଶୁ, ସେପାକ୍ ଟାକ୍ରା, ପେନକାକ୍ ସିଲଟ୍, ଲନ୍ ବୋଲ୍ସ ଏବଂ ରୋଲର ସ୍କେଟିଂ ଭଳି ଶୃଙ୍ଖଳାରେ ସାମ୍ପ୍ରତିକ ପ୍ରଶଂସନୀୟ ପ୍ରଦର୍ଶନ ଉପରେ ଆଲୋକପାତ କରିଥିଲେ। ଯେତେବେଳେ ଭାରତର ମହିଳା ଦଳ ୨୦୨୨  ରାଜ୍ୟଗୋଷ୍ଠୀ କ୍ରୀଡାରେ ଲନ୍ ବୋଲ୍ସରେ ପଦକ ହାସଲ କରିଥିଲା, ଯାହା ଭାରତରେ ଏହି କ୍ରୀଡ଼ାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ଦେଇଥିଲା, ସେ ସେହି ଐତିହାସିକ ମୁହୂର୍ତ୍ତକୁ ମନେ ପକାଇଥିଲେ।

ପ୍ରଧାନମନ୍ତ୍ରୀ ଭାରତର କ୍ରୀଡା ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ଉପରେ ସରକାରଙ୍କ ଧ୍ୟାନ ଉପରେ ଆଲୋକପାତ କରି କହିଥିଲେ ଯେ , ଗତ ଦଶନ୍ଧିରେ କ୍ରୀଡା ବଜେଟ୍ ତିନିଗୁଣରୁ ଅଧିକ ବୃଦ୍ଧି ପାଇଛି, ଯାହା ଚଳିତ ବର୍ଷ ପ୍ରାୟ ୪୦୦୦ କୋଟି ଟଙ୍କାରେ ପହଞ୍ଚିଛି, ଏବଂ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟବରାଦ କରାଯାଇଛି। ବିହାରରେ ତିନି ଡଜନରୁ ଅଧିକ ସମେତ ସାରା ଦେଶରେ ୧୦୦୦ ରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ , ବିହାର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଲାଭବାନ ହେଉଛି, ରାଜ୍ୟ ସରକାର ନିଜ ସ୍ତରରେ ଅନେକ ପଦକ୍ଷେପକୁ ବିସ୍ତାର କରୁଛନ୍ତି। ପ୍ରଧାନମନ୍ତ୍ରୀ ରାଜଗିରରେ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ର ଏବଂ ବିହାର କ୍ରୀଡା ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟ କ୍ରୀଡା ଏକାଡେମୀ ଭଳି ପ୍ରତିଷ୍ଠାନ ସ୍ଥାପନକୁ ସ୍ୱୀକାର କରିଥିଲେ। ସେ ପାଟନା – ଗୟା ରାଜପଥ କଡ଼ରେ ଏକ କ୍ରୀଡା ନଗରୀର ନିର୍ମାଣ ଏବଂ ବିହାରର ଗ୍ରାମାଞ୍ଚଳରେ କ୍ରୀଡା ସୁବିଧାର ବିକାଶ ଉପରେ ଆଲୋକପାତ କରିଥିଲେ। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ,  ଖେଲୋ ଇଣ୍ଡିଆ ଯୁବ କ୍ରୀଡା ଜାତୀୟ କ୍ରୀଡା ମାନଚିତ୍ରରେ ବିହାରର ଉପସ୍ଥିତିକୁ ଆହୁରି ମଜବୁତ କରିବ।

“କ୍ରୀଡା ଜଗତ ଏବଂ ଏହା ସହ ଜଡିତ ଅର୍ଥ ବ୍ୟବସ୍ଥା ଖେଳ କ୍ଷେତ୍ରଠାରୁ ବହୁତ ଆଗକୁ ବିସ୍ତାରିତ, କ୍ରୀଡା ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ଏବଂ ଉଦ୍ୟୋଗ ପାଇଁ ନୂତନ ମାର୍ଗ ସୃଷ୍ଟି କରୁଛି” ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଫିଜିଓଥେରାପି, ଡାଟା ଆନାଲିଟିକ୍ସ, କ୍ରୀଡା ପ୍ରଯୁକ୍ତିବିଦ୍ୟା, ପ୍ରସାରଣ, ଇ – କ୍ରୀଡା ଏବଂ ପରିଚାଳନା ଭଳି ବିଭିନ୍ନ ଉଦୀୟମାନ କ୍ଷେତ୍ର ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯାହା ବିଭିନ୍ନ କ୍ୟାରିଅର ସୁଯୋଗ ପ୍ରଦାନ କରେ। ସେ ମନ୍ତବ୍ୟ ଦେଇଥିଲେ ଯେ,  ଯୁବ ପେଶାଦାରମାନେ ପ୍ରଶିକ୍ଷକ, ଫିଟନେସ୍ ପ୍ରଶିକ୍ଷକ, ନିଯୁକ୍ତି ଏଜେଣ୍ଟ, ଇଭେଣ୍ଟ ପରିଚାଳକ, କ୍ରୀଡା ଓକିଲ ଏବଂ ମିଡିଆ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିପାରିବେ। “ଆଜି, ଏକ ଷ୍ଟାଡିୟମ ଆଉ କେବଳ ମ୍ୟାଚ୍ ପାଇଁ ଏକ ସ୍ଥାନ ନୁହେଁ ବରଂ ହଜାର ହଜାର ନିଯୁକ୍ତିର ଉତ୍ସ ପାଲଟିଛି” ବୋଲି ଶ୍ରୀ ମୋଦୀ କହିଥିଲେ। ନୂତନ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏବଂ ମୁଖ୍ୟଧାରାର ଶିକ୍ଷାରେ କ୍ରୀଡାକୁ ସମନ୍ୱିତ କରିବା ଭଳି ପଦକ୍ଷେପ ସହିତ କ୍ରୀଡା ଉଦ୍ୟୋଗରେ ବୃଦ୍ଧି ପାଉଥିବା ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ ଜୀବନର ପ୍ରତ୍ୟେକ ଦିଗରେ କ୍ରୀଡା ମନୋଭାବର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ, କ୍ରୀଡା କିପରି ଦଳଗତ କାର୍ଯ୍ୟ, ସହଯୋଗ ଏବଂ ଦୃଢ଼ତାକୁ ପ୍ରେରଣା ଦିଏ ତାହା ଉପରେ ଆଲୋକପାତ କରିଥିଲେ। କ୍ରୀଡାବିତମାନଙ୍କୁ ଉତ୍ସାହିତ କରି, ସେ ସେମାନଙ୍କୁ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଏବଂ ବ୍ରାଣ୍ଡ ଆମ୍ବାସାଡର ଭାବରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ପ୍ରତିନିଧିତ୍ୱ କରିବାକୁ ଅନୁରୋଧ କରିଥିଲେ। କ୍ରୀଡାବିତମାନେ ବିହାରରୁ ସ୍ନେହପୂର୍ଣ୍ଣ ସ୍ମୃତି ବହନ କରିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ। ସେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଲିଟି ଚୋଖା ଏବଂ ବିହାରର ପ୍ରସିଦ୍ଧ ମଖାନାର ସ୍ୱାଦ ନେବାକୁ ମଧ୍ୟ ଉତ୍ସାହିତ କରିଥିଲେ।

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଅଂଶଗ୍ରହଣକାରୀଙ୍କ ମଧ୍ୟରେ କ୍ରୀଡ଼ାପ୍ରେମ ଏବଂ ଦେଶପ୍ରେମର ମନୋଭାବକୁ ବୃଦ୍ଧି କରିବ ବୋଲି ଆଶା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ସପ୍ତମ ସଂସ୍କରଣ ଆରମ୍ଭ ହେବାର ଆନୁଷ୍ଠାନିକ ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ସ୍ମୃତି ରାଧା ଖାଡସେ, ରାମନାଥ ଠାକୁର ଉପସ୍ଥିତ ଥିଲେ।

ବିହାରରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା। ଏହି ପ୍ଲାଟଫର୍ମରେ ଆପଣଙ୍କ ସର୍ବୋତ୍ତମ ପ୍ରଦର୍ଶନ କରନ୍ତୁ ଏବଂ ଏହା ପ୍ରକୃତ କ୍ରୀଡ଼ା ଉତ୍କର୍ଷତାକୁ ପ୍ରୋତ୍ସାହିତ କରୁ।

Categories
ଆଜିର ଖବର ଜାତୀୟ ଖବର

ୱେଭ୍ସ୨୦୨୫: ଏକ ଜନ ଆନ୍ଦୋଳନ ପାଲଟିବା ସହ ପ୍ରତ୍ୟେକ ସ୍ରଷ୍ଟାଙ୍କୁ ତାରକା ହେବାକୁ କଲା ସଶକ୍ତ

ନୂଆଦିଲ୍ଲୀ: ବିଶ୍ୱ ଦୃଶ୍ୟ-ଶ୍ରାବ୍ୟ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) ୨୦୨୫ର ପ୍ରଥମ ସଂସ୍କରଣ ଆଜି ମୁମ୍ବାଇରେ ଏକ ଭବ୍ୟ ସମାରୋହ ସହିତ ସମାପ୍ତ ହୋଇଛି। ଏଥିରେ ପ୍ରଦର୍ଶକ, ଶିଳ୍ପ ନେତୃତ୍ୱ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ, ଶିକ୍ଷା କ୍ଷେତ୍ରର ପ୍ରତିନିଧି ଏବଂ ସାଧାରଣ ଜନତାଙ୍କର ବିପୁଳ ଅଂଶଗ୍ରହଣ ଦେଖିବାକୁ ମିଳିଛି। ଏହି ସମ୍ମିଳନୀ ଗଣମାଧ୍ୟମ ଏବଂ ମନୋରଞ୍ଜନ ଇକୋସିଷ୍ଟମ୍ ପାଇଁ ଏକ ପ୍ରମୁଖ ସମନ୍ୱୟ ବିନ୍ଦୁ ଭାବରେ ଉଭା ହୋଇଥିଲା, ଯେଉଁଥିରେ ଶିଳ୍ପର ପ୍ରତ୍ୟେକ ବିଭାଗରୁ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ପ୍ରସିଦ୍ଧ କଳାକାର ଏବଂ ପ୍ରଭାବଶାଳୀ କଣ୍ଟେଣ୍ଟ କ୍ରିଏଟର୍‌ ବା ବିଷୟବସ୍ତୁ ନିର୍ମାତାଙ୍କଠାରୁ ଆରମ୍ଭ କରି ବୈଷୟିକ ଉଦ୍ଭାବକ ଏବଂ କର୍ପୋରେଟ୍ ଲିଡର ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହୋଇଥିଲେ। ପ୍ରଦର୍ଶନୀ, ପ୍ୟାନେଲ ଆଲୋଚନା ଏବଂ ବି2ବି ସହଯୋଗର ଏକ ଜୀବନ୍ତ ମିଶ୍ରଣ ସହିତ, ଏହି କାର୍ଯ୍ୟକ୍ରମରେ ଏକ ଉଲ୍ଲେଖନୀୟ ଭିଡ଼ ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ଏବଂ ମନୋରଞ୍ଜନର ଏକ ଉଦୀୟମାନ ବିଶ୍ୱ ମହାଶକ୍ତି ଭାବରେ ଭାରତର ସ୍ଥିତିକୁ ଏହା ପୁନର୍ବାର ଦୋହରାଇଥିଲା।

ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରଠାରେ ଆୟୋଜିତ ଏକ ତାରକା ଖଚିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୱେଭ୍ସର ପ୍ରଥମ ସଂସ୍କରଣର ଉଦଘାଟିତ ହୋଇଥିଲା। ଏହାସହିତ ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଏବଂ କାହାଣୀ କହିବାର ଉତ୍ସବ ଆରମ୍ଭ ହୋଇଥିଲା। ଉଦଘାଟନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ୱେଭ୍ସ କେବଳ ଏକ ସଂକ୍ଷିପ୍ତ ନାମ ନୁହେଁ, ଏହା ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗର ଏକ ତରଙ୍ଗ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳଚ୍ଚିତ୍ର ନିର୍ମାଣ, ଡିଜିଟାଲ ବିଷୟବସ୍ତୁ, ଖେଳ, ଫେଶନ, ସଙ୍ଗୀତ ଏବଂ ଲାଇଭ୍ କନସର୍ଟ ପାଇଁ ଭାରତ ଏକ ବିଶ୍ୱସ୍ତରୀୟ ହବ୍ ଭାବେ ଉଭା ହେଉଛି। ସେ ବିଶ୍ୱର ନିର୍ମାତାମାନଙ୍କୁ ଆହ୍ୱାନ କରି କହିଥିଲେ ଯେ ସେମାନେ ବଡ଼ ସ୍ୱପ୍ନ ଦେଖନ୍ତୁ ଏବଂ ନିଜ କାହାଣୀ କୁହନ୍ତୁ। ସେହିପରି ନିବେଶକମାନଙ୍କୁ କେବଳ ମଞ୍ଚରେ ନୁହେଁ, ବରଂ ଲୋକମାନଙ୍କ ମଧ୍ୟରେ ନିବେଶ କରିବା ଏବଂ ଭାରତୀୟ ଯୁବବର୍ଗଙ୍କୁ ବିଶ୍ୱକୁ ନିଜର ଏକ ଶହ କୋଟି ଅବିସ୍ମରଣୀୟ କାହାଣୀ ଜଣାଇବାକୁ ସେ ନିବେଦନ କରିଥିଲେ। ୱେଭ୍ସକୁ ଭାରତର ଅରେଞ୍ଜ ଇକୋନୋମି କମଳା ଅର୍ଥବ୍ୟବସ୍ଥାର ପ୍ରାରମ୍ଭ ବୋଲି ଘୋଷଣା କରି ସେ ଯୁବକମାନଙ୍କୁ ଏହି ସୃଜନଶୀଳ ଅଭିବୃଦ୍ଧିର ନେତୃତ୍ୱ ନେବା ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ ସୃଜନଶୀଳ କେନ୍ଦ୍ରରେ ପରିଣତ କରିବା ଲାଗି ଆହ୍ୱାନ କରିଥିଲେ।

ଉଚ୍ଚ-ପ୍ରଭାବ ଜ୍ଞାନ ଅଧିବେଶନ

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଆଗକୁ ନେଇ ଗତ ଚାରି ଦିନ ମଧ୍ୟରେ ୱେଭ୍ସ 2025 ବିଚାର, ଦକ୍ଷତା ଏବଂ କ୍ଷେତ୍ରୀୟ ଅନ୍ତର୍ଦୃଷ୍ଟିର ଉଚ୍ଚସ୍ତରୀୟ ବିନିମୟ ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିଛି। ୱେଭ୍ସ ୨୦୨୫ର ସମ୍ମିଳନୀ ଟ୍ରାକ୍ ବାର୍ତ୍ତାଳାପ ଏବଂ ସହଯୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା, ଯାହା ବିଶ୍ୱର ଚିନ୍ତାଶୀଳ ନେତା, ଶିଳ୍ପ ଅଗ୍ରଣୀ, ନୀତି ନିର୍ମାତା ଏବଂ ବୃତ୍ତିଗତମାନଙ୍କୁ ଏକାଠି କରିଥିଲା। ପୂର୍ଣ୍ଣ ଅଧିବେଶନ, ବ୍ରେକଆଉଟ୍ ଆଲୋଚନା ଏବଂ ମାଷ୍ଟର କ୍ଲାସକୁ ନେଇ ଏକ ଯତ୍ନ ସହକାରେ ପ୍ରସ୍ତୁତ ସିରିଜ୍ ମାଧ୍ୟମରେ, ସମ୍ମିଳନୀ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପର ଭବିଷ୍ୟତକୁ ରୂପ ଦେଉଥିବା ସଦ୍ୟତମ ନବସୃଜନ ଏବଂ ଉଦୀୟମାନ ରଣନୀତି ଅନୁସନ୍ଧାନ କରିଥିଲା। ଏହି ଅଧିବେଶନଗୁଡ଼ିକ ବିଭିନ୍ନ କ୍ଷେତ୍ର ଏବଂ ସ୍ୱତନ୍ତ୍ରତା ମଧ୍ୟରେ ବିଚାରର ଅର୍ଥପୂର୍ଣ୍ଣ ଆଦାନପ୍ରଦାନକୁ ସକ୍ଷମ କରିଥିଲା।

ୱେଭ୍ସର ପ୍ରଥମ ସଂସ୍କରଣ ଉଚ୍ଚ ପ୍ରଭାବ ଜ୍ଞାନ ଅଧିବେଶନ ଏବଂ ପ୍ରସାରଣ ଓ ଇନଫୋଟେନମେଣ୍ଟ, ଏଭିଜିସି-ଏକ୍ସଆର, ଡିଜିଟାଲ ମିଡିଆ ଏବଂ ଚଳଚ୍ଚିତ୍ର ସମେତ ବିଭିନ୍ନ ବିଷୟକୁ ଅନ୍ତର୍ଭୁକ୍ତ କରୁଥିବା ଆଲୋଚନା ପାଇଁ ପ୍ରସିଦ୍ଧି ହାସଲ କରିବ। ୧୦୦ରୁ ଅଧିକ ଅନ୍ତର୍ଜାତୀୟ ବକ୍ତାଙ୍କୁ ନେଇ ୧୪୦ରୁ ଅଧିକ ଅଧିବେଶନ ଆୟୋଜନ କରାଯାଇଥିଲା। ତିନୋଟି ମୁଖ୍ୟ ହଲ୍ (ପ୍ରତ୍ୟେକରେ ୧ହଜାରରୁ ଅଧିକ ଅଂଶଗ୍ରହଣକାରୀ ରହିପାରିବେ) ଏବଂ ୭୫ ରୁ ୧୫୦ ପର୍ଯ୍ୟନ୍ତ କ୍ଷମତା ସହିତ ପାଞ୍ଚଟି ଅତିରିକ୍ତ ହଲରେ ଏସବୁ ଆଲୋଚନା ହୋଇଥିଲା। ସମ୍ମିଳନୀରେ ବହୁସଂଖ୍ୟକ ଶ୍ରୋତା ଓ ଦର୍ଶକ ଉପସ୍ଥିତ ଥିଲେ । ଅନେକ ଅଧିବେଶନ ପୂର୍ଣ୍ଣ ଉପସ୍ଥାନ ରେକର୍ଡ କରିଛି।

ପୂର୍ଣ୍ଣାଙ୍ଗ ଅଧିବେଶନରେ ମୁକେଶ ଅମ୍ବାନୀ, ଟେଡ ସାରାଣ୍ଡୋସ, କିରଣ ମଜୁମଦାର-ଶ, ନୀଲ୍ ମୋହନ, ଶାନ୍ତନୁ ନାରାୟଣ, ମାର୍କ ରିଡ୍, ଆଡାମ ମୋସେରୀ ଏବଂ ନୀତା ଅମ୍ବାନୀଙ୍କ ପରି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଦ୍ୱାରା ୫୦ରୁ ଅଧିକ ମୁଖ୍ୟ ବକ୍ତବ୍ୟ ରହିଥିଲା। ସେମାନଙ୍କର ଦୃଷ୍ଟିକୋଣ ବିକଶିତ ମନୋରଞ୍ଜନ ଶିଳ୍ପ, ବିଜ୍ଞାପନ ଦୃଶ୍ୟ ଏବଂ ଡିଜିଟାଲ୍ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲା। ଚିରଞ୍ଜୀବୀ, ମୋହନଲାଲ, ହେମା ମାଳିନୀ, ଅକ୍ଷୟ କୁମାର, ନାଗାର୍ଜୁନ, ଶାହାରୁଖ ଖାନ, ଦୀପିକା ପାଦୁକୋନ, ଅଲ୍ଲୁ ଅର୍ଜୁନ ଏବଂ ଶେଖର କପୁରଙ୍କ ସମେତ ଚଳଚ୍ଚିତ୍ର ତାରକା, ଯେଉଁମାନଙ୍କ ମଧ୍ୟରୁ ଅନେକ ୱେଭ୍ସ ପରାମର୍ଶଦାତା ବୋର୍ଡର ସଦସ୍ୟ ମଧ୍ୟ ଥିଲେ, ଭର୍ଚୁଆଲ୍ ପ୍ରଡକ୍ସନ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁଗରେ ଚଳଚ୍ଚିତ୍ରର ଭବିଷ୍ୟତ ଏବଂ ବିଷୟବସ୍ତୁ ସୃଷ୍ଟି ଉପରେ ଚିନ୍ତା ଉଦ୍ରେକକାରୀ ବାର୍ତ୍ତାଳାପରେ ନିୟୋଜିତ ହୋଇଥିଲେ।

ବ୍ୟବହାରିକ ଶିକ୍ଷା ଏବଂ ସୃଜନଶୀଳ ଅନ୍ୱେଷଣ ପ୍ରଦାନ କରିବା ପାଇଁ ୱେଭ୍ସ ୨୦୨୫ରେ ୪୦ଟି ମାଷ୍ଟରକ୍ଲାସ୍ ଡିଜାଇନ୍ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଅଧିବେଶନ ମାଧ୍ୟମରେ ଶିଳ୍ପ କୌଶଳ ପ୍ରତି ସିଧାସଳଖ ଏକ୍ସପୋଜର ହାସଲ କରିଥିଲେ। ଅଂଶଗ୍ରହଣକାରୀମାନେ ଆମୀର ଖାନଙ୍କ ଦ୍ୱାରା ଦି ଆର୍ଟ ଅଫ୍ ଆକ୍ଟିଂ, ଫରହାନ୍ ଅଖତରଙ୍କ ଦ୍ୱାରା କ୍ରାଫ୍ଟ ଅଫ୍ ଡାଇରେକ୍ସନ୍ ଏବଂ ମାଇକେଲ ଲେହମାନଙ୍କ ଦ୍ୱାରା ଫିଲ୍ମ ନିର୍ମାଣରେ ଅନ୍ତର୍ଦୃଷ୍ଟି ପରି ଅଧିବେଶନ ମାଧ୍ୟମରେ ଶିଳ୍ପ କୌଶଳ ସହିତ ସିଧାସଳଖ ଏକ୍ସପୋଜର ହାସଲ କରିଥିଲେ। ଅନ୍ୟ ଅଧିବେଶନରେ ଆମାଜନ ପ୍ରାଇମ୍ ଦ୍ୱାରା ପଞ୍ଚାୟତ ୱେବ୍‌ ସିରିଜ୍‌ ନିର୍ମାଣ, ଏଆର୍ ଲେନ୍ସ ଡିଜାଇନ୍ କରିବା, ଏଆଇ ଅବତାର ସୃଷ୍ଟି କରିବା ଏବଂ ଜେନେରେଟିଭ୍ ଏଆଇ ବ୍ୟବହାର କରି ଗେମ୍‌ ବିକଶିତ କରିବା ଭଳି ପରଦା ପଛର କାହାଣୀ ଅନୁସନ୍ଧାନ କରାଯାଇଥିଲା। ଏହି ଅଧିବେଶନଗୁଡ଼ିକ ପେସାଦାର ଏବଂ ଆକାଂକ୍ଷୀ ସ୍ରଷ୍ଟାମାନଙ୍କୁ ଦ୍ରୁତ ଗତିରେ ବିକଶିତ ହେଉଥିବା ସୃଜନଶୀଳ ଅର୍ଥବ୍ୟବସ୍ଥାରେ ଆଗକୁ ବଢ଼ିବା ପାଇଁ କାର୍ଯ୍ୟକ୍ଷମ ଜ୍ଞାନ ଏବଂ ଉପକରଣ ପ୍ରଦାନ କରିଥିଲା।

ୱେଭ୍ସରେ ୫୫ଟି ବ୍ରେକଆଉଟ୍ ଅଧିବେଶନ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯାହା ପ୍ରସାରଣ, ଡିଜିଟାଲ୍ ମିଡିଆ, ଓଟିଟି, ଏଆଇ, ମ୍ୟୁଜିକ୍, ନ୍ୟୁଜ୍, ଲାଇଭ୍ ଇଭେଣ୍ଟ, ଆନିମେସନ୍, ଗେମିଂ, ଭର୍ଚୁଆଲ୍ ପ୍ରଡକ୍ସନ୍, କମିକ୍ସ ଏବଂ ଚଳଚ୍ଚିତ୍ର ନିର୍ମାଣ ପରି ସ୍ୱତନ୍ତ୍ର ବିଷୟବସ୍ତୁ ଉପରେ ଗଭୀର ଆଲୋଚନା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା। ଏହି ଭାବ ବିନିମୟ ଅଧିବେଶନଗୁଡ଼ିକ ମେଟା, ଗୁଗୁଲ୍, ଆମାଜନ୍, ଏକ୍ସ, ସ୍ନାପ୍, ସ୍ପଟିଫାଇ, ଡିଏନଇଜି, ନେଟଫ୍ଲିକ୍ସ୍ ଏବଂ ଏନଭିଆଇଡିଆଇଏ ସମେତ ଅଗ୍ରଣୀ କମ୍ପାନୀଗୁଡ଼ିକର ବରିଷ୍ଠ ପେସାଦାରମାନଙ୍କୁ ତଥା ଫିକ୍କି, ସିଆଇଆଇ ଏବଂ ଆଇଏମଆଇ ଭଳି ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କୁ ଏକାଠି କରିଥିଲା। କ୍ଷେତ୍ର-ନିର୍ଦ୍ଦିଷ୍ଟ ଅନ୍ତର୍ଦୃଷ୍ଟି ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପରିକଳ୍ପିତ ଏହି ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମାଧାନ କରାଯାଇଥିଲା ଏବଂ ଅଭିବୃଦ୍ଧି ଓ ନବସୃଜନ ପାଇଁ ନୂତନ ଦିଗ ନିର୍ଦ୍ଧାରଣ କରାଯାଇଥିଲା।

ୱେଭସ୍ ବଜାର ୧୩୨୮ କୋଟି ଟଙ୍କାର ବ୍ୟବସାୟିକ ଚୁକ୍ତି ହାସଲ କରିଛି; ମହାରାଷ୍ଟ୍ର ସରକାର ଏମ୍ ଆଣ୍ଡ ଇ କ୍ଷେତ୍ରରେ ୮୦୦୦ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି

ୱେଭ୍ସର ପରିସରରେ ଆୟୋଜିତ ୱେଭ୍ ବଜାରର ଉଦଘାଟନୀ ସଂସ୍କରଣ ଏକ ଚମତ୍କାର ସଫଳତା ଥିଲା କାରଣ ଏହା ସୃଜନଶୀଳ ଶିଳ୍ପରେ ଅନ୍ତର୍ଜାତୀୟ ବ୍ୟବସାୟ ସହଯୋଗ ପାଇଁ ନିଜକୁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ ପ୍ରତିଷ୍ଠିତ କରିଥିଲା।  ୱେଭ୍ସ ବଜାର କୋଟି କୋଟି ଟଙ୍କାର ବ୍ୟବସାୟିକ କାରବାର ରେକର୍ଡ କରିଥିଲା। ଚଳଚ୍ଚିତ୍ର, ସଙ୍ଗୀତ, ରେଡିଓ, ଭି.ଏଫ୍.ଏକ୍ସ. ଏବଂ ଆନିମେସନ୍ କ୍ଷେତ୍ରରେ ୧୩୨୮କୋଟି ଟଙ୍କା ବ୍ୟୟ କରାଯାଇଛି। ମୋଟ ଆନୁମାନିକ ଫଳାଫଳ ମଧ୍ୟରୁ 971 କୋଟି ଟଙ୍କା କେବଳ ବି2ବି ବୈଠକରୁ ଆସିଛି।

ମହାରାଷ୍ଟ୍ର ସରକାର ମଧ୍ୟ ୱେଭ୍ସରେ ୮,୦୦୦ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର କରି ଏହି ଶିଖର ସମ୍ମିଳନୀରେ ବ୍ୟାବସାୟିକ ମୂଲ୍ୟ ଯୋଡ଼ିଛନ୍ତି। ୟର୍କ ବିଶ୍ୱବିଦ୍ୟାଳୟ ଏବଂ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ସହିତ ୧୫ ଶହ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବାବେଳେ ରାଜ୍ୟର ଶିଳ୍ପ ବିଭାଗ ପ୍ରାଇମ୍ ଫୋକସ୍ ଏବଂ ଗୋଦ୍ରେଜ୍ ସହିତ ଯଥାକ୍ରମେ ୩ହଜାର କୋଟି ଏବଂ ୨ହଜାର କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର କରିଛି।

ମୁମ୍ବାଇରେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍ସ ୨୦୨୫)ରେ ଆୟୋଜିତ ଗ୍ଲୋବାଲ୍ ମିଡିଆ ଡାଇଲଗ୍ ୨୦୨୫ରେ ୭୭ଟି ଦେଶର ଅଂଶଗ୍ରହଣ ସହିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଥିଲା, ଯାହା ବିଶ୍ୱ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ରେଖାଙ୍କିତ କରିଥିଲା। ସାଂସ୍କୃତିକ ସମ୍ବେଦନଶୀଳତାକୁ ସମ୍ମାନ ଦେବା ସହିତ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବାରେ ଅନ୍ତର୍ଜାତୀୟ ସହଯୋଗର ଶକ୍ତି ଉପରେ ଏହି ବାର୍ତ୍ତାଳାପ ଆଲୋକପାତ କରିଥିଲା। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ‘ୱେଭ୍ସ ଘୋଷଣା’, ବିଶ୍ୱ ଶାନ୍ତି ଏବଂ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଡିଜିଟାଲ୍ ବିଭାଜନକୁ ଦୂର କରିବା ଏବଂ ଗଣମାଧ୍ୟମର ଲାଭ ଉଠାଇବା ଉପରେ ଗୁରୁତ୍ୱାରୋପ କରିଛି। ବିବିଧ ସଂସ୍କୃତିକୁ ଏକତ୍ର କରିବାରେ ଚଳଚ୍ଚିତ୍ରର ଗଭୀର ଭୂମିକା ଏବଂ ବୈଷୟିକ ପ୍ରଗତି ଦ୍ୱାରା ପରିବର୍ଦ୍ଧିତ ସ୍ରଷ୍ଟା ଅର୍ଥବ୍ୟବସ୍ଥାରେ ବ୍ୟକ୍ତିଗତ କାହାଣୀର ବର୍ଦ୍ଧିତ ଗୁରୁତ୍ୱକୁ ଆଲୋଚନାଗୁଡ଼ିକ ରେଖାଙ୍କିତ କରିଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର କୌଶଳ ବିକାଶ ଏବଂ ନବସୃଜନ ମାଧ୍ୟମରେ ଯୁବକମାନଙ୍କ ସଶକ୍ତିକରଣ ପାଇଁ ଓକିଲାତି କରି ପ୍ରଯୁକ୍ତି ଏବଂ ପରମ୍ପରା ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଷୟବସ୍ତୁ ବା କଣ୍ଟେଣ୍ଟ ସୃଷ୍ଟି ଉପରେ ଟେକ୍ନୋଲୋଜିର ପରିବର୍ତ୍ତନଶୀଳ ପ୍ରଭାବ ଏବଂ ସ୍ଥାନୀୟ ବିଷୟବସ୍ତୁ, ସହ-ଉତ୍ପାଦନ ରାଜିନାମା ଏବଂ ମିଳିତ ପାଣ୍ଠି ଯୋଗାଣ ପଦକ୍ଷେପକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଭାରତର “କ୍ରିଏଟ ଇନ ଇଣ୍ଡିଆ” ପ୍ରତିଯୋଗିତାରେ ସଫଳତାର ସହ ୭୦୦ ରୁ ଅଧିକ ବିଶ୍ୱସ୍ତରୀୟ ସୃଷ୍ଟିକର୍ତ୍ତାଙ୍କୁ ଚିହ୍ନଟ କରାଯାଇଥିଲା । ଏହି ଶିଖର ସମ୍ମିଳନୀ ସୃଜନଶୀଳ ଉତ୍କର୍ଷତା ଏବଂ ନୈତିକ ବିଷୟବସ୍ତୁ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଭବିଷ୍ୟତର ବିଶ୍ୱସ୍ତରୀୟ ସହଯୋଗ ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇଥିଲା।

ୱେଭେକ୍ସ: ଏମ୍ ଆଣ୍ଡ ଇ କ୍ଷେତ୍ରରେ ଆକାଂକ୍ଷୀ ଷ୍ଟାର୍ଟଅପ୍ ପାଇଁ ଏକ ଉତ୍ପେରକ

ୱେଭସ୍ ଷ୍ଟାର୍ଟ-ଅପ୍ ଆକ୍ସିଲରେଟର ୩୦ଟି ଏମ୍ ଆଣ୍ଡ ଇ ଷ୍ଟାର୍ଟ-ଅପକୁ ଚୟନ କରିଥିଲା, ଯାହାଦ୍ୱାରା ସେମାନେ ନିଜର ଅଭିନବ ବିଚାରକୁ ସିଧାସଳଖ ଲୁମିକାଇ, ଜିଓ, କ୍ୟାବିଲ୍, ୱାର୍ମଅପ୍ ଭେଞ୍ଚର୍ସ ଭଳି ପ୍ରମୁଖ ନିବେଶକଙ୍କ ନିକଟରେ ଉପସ୍ଥାପନ କରିପାରିବେ। ୧ହଜାର ରୁ ଅଧିକ ପଞ୍ଜିକରଣ ସହିତ, ଏହି ପଦକ୍ଷେପ ୫୦୦ କୋଟି ଟଙ୍କା ମୂଲ୍ୟର ନିବେଶ ଆଲୋଚନା ଆରମ୍ଭ କରିଥିଲା। ୫୦ କୋଟି ଟଙ୍କା ପାଇପଲାଇନରେ ଅଛି। ଏହା ବ୍ୟତୀତ, ୧୦୦ ରୁ ଅଧିକ ଷ୍ଟାର୍ଟଅପ୍ ଉତ୍ସର୍ଗୀକୃତ ଷ୍ଟାର୍ଟଅପ୍ ପ୍ୟାଭିଲିୟନରେ ସମ୍ଭାବ୍ୟ ନିବେଶକଙ୍କ ନିକଟରେ ସେମାନଙ୍କର ଧାରଣା ଏବଂ ଉତ୍ପାଦ ପ୍ରଦର୍ଶନ କରିଥିଲେ। ୱେଭେକ୍ସ ଏକ ପଦକ୍ଷେପ ଭାବେ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ଉପରେ ବିଶେଷ ଧ୍ୟାନ କେନ୍ଦ୍ରିତ କରି ଏକ ଆଞ୍ଜେଲ ନିବେଶକ ନେଟୱାର୍କ ଗଠନ କରି ଷ୍ଟାର୍ଟଅପଗୁଡ଼ିକର ଉନ୍ନତି ଏବଂ ଅଭିବୃଦ୍ଧି ପାଇଁ ଏକ ସ୍ପଷ୍ଟ ନିବେଶ ଇକୋସିଷ୍ଟମ ସୃଷ୍ଟି କରିବା ଲକ୍ଷ୍ୟ ରଖିଛି। ପ୍ରଥମ ଏବଂ ଦ୍ୱିତୀୟ ସ୍ତରର ଷ୍ଟାର୍ଟଅପଗୁଡ଼ିକ ୱେଭେକ୍ସରେ ଉଜ୍ଜ୍ୱଳ ପ୍ରଦର୍ଶନ କରିଥିଲେ ଏବଂ ସେମାନଙ୍କର ପ୍ରତିଷ୍ଠାତାମାନେ କେନ୍ଦ୍ରସ୍ଥଳରେ ରହିଥିଲେ। ଏଭଳି ସ୍ରଷ୍ଟାମାନଙ୍କୁ ଅଧିକ ସୁବିଧାଜନକ କରିବା ପାଇଁ ୱେଭେକ୍ସ ଏକ ଇନକ୍ୟୁବେଟର ନେଟୱାର୍କ ପ୍ରତିଷ୍ଠା କରିବ, ଯେଉଁଥିରେ ହ୍ୟାଣ୍ଡହୋଲ୍ଡିଂ ପାଇଁ ଉତ୍ସର୍ଗୀକୃତ ପରାମର୍ଶଦାତା ଏବଂ ପୁଞ୍ଜି ନିବେଶ ପାଇଁ ନିବେଶକ ରହିବେ। ୱେଭେକ୍ସ ଅନନ୍ୟ କାରଣ ଏହା ସେହି ଧାରଣାଗୁଡ଼ିକୁ ସୁଗମ କରିଥାଏ ଯାହାର ଏପର୍ଯ୍ୟନ୍ତ ଏକ ବାସ୍ତବ ଉତ୍ପାଦ ନାହିଁ, କିନ୍ତୁ ଏକ ଦୃଢ ସମ୍ଭାବନା ଅଛି।

କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ମୁମ୍ବାଇରେ ୱେଭସ୍ ସମ୍ମିଳନୀ ୨୦୨୫ରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଉନ୍ମୋଚନ କରିଥିଲେ। ଏହି ରିପୋର୍ଟଗୁଡିକ ଭାରତର ସମୃଦ୍ଧ ଗଣମାଧ୍ୟମ ଏବଂ ମନୋରଞ୍ଜନ ଇକୋସିଷ୍ଟମର ଏକ ବିସ୍ତୃତ ସମୀକ୍ଷା ପ୍ରଦାନ କରେ, ଯେଉଁଥିରେ ବିଷୟବସ୍ତୁ ଉତ୍ପାଦନ, ନୀତି ଢାଞ୍ଚା ଏବଂ ଲାଇଭ୍ ଇଭେଣ୍ଟ ପରି ପ୍ରମୁଖ ଦିଗ ଅନ୍ତର୍ଭୁକ୍ତ। ଗଣମାଧ୍ୟମ ଓ ମନୋରଞ୍ଜନ ୨୦୨୪-୨୫ ଉପରେ ପରିସଂଖ୍ୟାନ ପୁସ୍ତିକା, ବିସିଜି ଦ୍ବାରା ଫ୍ରମ୍‌ କଣ୍ଟେଣ୍ଟ ଟୁ କମର୍ସ ରିପୋର୍ଟ, ଏର୍ନେଷ୍ଟ ଏଣ୍ଡ ୟଙ୍ଗ ଦ୍ୱାରା ଏ ଷ୍ଟୁଡିଓ କଲ୍ଡ ଇଣ୍ଡିଆ, ଲିଗାଲ କରେଣ୍ଟସ୍‌ ଆଣ୍ଡ ଲାଇଭ୍‌ ଇଭେଣ୍ଟସ୍‌ ଇଣ୍ଡଷ୍ଟ୍ରୀ ରିପୋର୍ଟସ୍‌ ଆଦି ଦସ୍ତାବିଜକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଉନ୍ମୋଚନ କରିଥିଲେ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି (ଆଇଆଇସିଟି)-ମୁମ୍ବାଇରେ ସ୍ଥାପିତ ହେଉଥିବା ଏକ ଜାତୀୟ ଉତ୍କର୍ଷ କେନ୍ଦ୍ର-ସୃଜନଶୀଳ ଅର୍ଥବ୍ୟବସ୍ଥା ପାଇଁ କ୍ଷମତା ନିର୍ମାଣରେ ଏକ ମାଇଲଖୁଣ୍ଟ ହେବାକୁ ପ୍ରସ୍ତୁତ। ଏ.ଭି.ଜି.ସି.-ଏକ୍ସ.ଆର. କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଭାବେ ଉତ୍ସର୍ଗୀକୃତ ଏହି ସଂସ୍ଥାନର ପ୍ରତିଷ୍ଠା ୱେଭସ୍ ୨୦୨୫ର ତୃତୀୟ ଦିନରେ ଆନୁଷ୍ଠାନିକ ଭାବେ କରାଯାଇଥିଲା। ସେହିପରି ‘କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ୍’ (ସି.ଆଇ.ସି.) ସିଜନ୍-୧ର ଭବ୍ୟ ପରିସମାପ୍ତି ‘ୱେଭ୍ସ ୨୦୨୫’ ର ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା, ଯେଉଁଥିରେ ୬୦ରୁ ଅଧିକ ଦେଶରୁ ପ୍ରାୟ ଏକ ଲକ୍ଷ ପଞ୍ଜିକରଣ ହୋଇଥିଲା। ୩୨ଟି କଳ୍ପନାଶୀଳ ଏବଂ ଭବିଷ୍ୟତ-ଅଗ୍ରଗାମୀ ଆହ୍ୱାନଗୁଡ଼ିକ ମଧ୍ୟରୁ ୧୧୦୦ରୁ ଅଧିକ ଆନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କ ସମେତ ୭୫୦ରୁ ଅଧିକ ଫାଇନାଲିଷ୍ଟ ବାହାରିଥିଲେ। ଏହି ପ୍ରତିଭାବାନ ବ୍ୟକ୍ତିମାନେ ୱେଭ୍ସର ଏକ ଉତ୍ସର୍ଗୀକୃତ ନବସୃଜନ କ୍ଷେତ୍ର କ୍ରିଏଟୋସ୍ଫିୟରରେ ସେମାନଙ୍କର କାର୍ଯ୍ୟ ପ୍ରଦର୍ଶନ କରିଥିଲେ, ଯେଉଁଠାରେ ସେମାନେ ସେମାନଙ୍କର ପ୍ରକଳ୍ପ ଉପସ୍ଥାପନ କରିଥିଲେ, ସମ୍ଭାବ୍ୟ ସଙ୍ଗଠନ ପାଇଁ ଶିଳ୍ପ ନେତୃବର୍ଗଙ୍କ ସହିତ ନେଟୱାର୍କ କରିପାରିବେ।

ୱେଭ୍ସର ଅଂଶବିଶେଷ ସ୍ୱରୂପ ଆୟୋଜିତ ଅଷ୍ଟମ ଜାତୀୟ ଗୋଷ୍ଠୀ ରେଡିଓ ସମ୍ମିଳନୀରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍. ମୁରୁଗନ୍ ୧୨ଟି ଉଲ୍ଲେଖନୀୟ ଗୋଷ୍ଠୀ ରେଡିଓ ଷ୍ଟେସନକୁ ଜାତୀୟ ଗୋଷ୍ଠୀ ରେଡିଓ ପୁରସ୍କାରରେ ସମ୍ମାନିତ କରିଥିଲେ। ଭାରତ ପାଭିଲିଅନ୍, ଏକ ନିମଜ୍ଜନିତ ଦୃଶ୍ୟ କ୍ଷେତ୍ର ଯାହା ୱେଭସ୍ ୨୦୨୫ ରେ ଭାରତର କାହାଣୀ କହିବାର ପରମ୍ପରାର ଧାରାବାହିକତା ମାଧ୍ୟମରେ ପରିଦର୍ଶକମାନଙ୍କୁ ବିମୋହିତ କରିଥିଲା। ଏହା ଜନସାଧାରଣଙ୍କଠାରୁ ଏକ ଜବରଦସ୍ତ ସ୍ୱାଗତ ଏବଂ ପ୍ରତିକ୍ରିୟା ପାଇଥିଲା। “କଳାରୁ କୋଡ ପର୍ଯ୍ୟନ୍ତ” ବିଷୟବସ୍ତୁ ଅନ୍ତର୍ଗତ ଏହି ପାଭିଲିଅନରେ ମୌଖିକ ଏବଂ ଦୃଶ୍ୟ ପରମ୍ପରା ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଡିଜିଟାଲ ନବସୃଜନ ପର୍ଯ୍ୟନ୍ତ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଭାରତର ବିକାଶର ଏକ ଆକର୍ଷଣୀୟ ବର୍ଣ୍ଣନା ପ୍ରଦାନ କରାଯାଇଥିଲା। ପାଭିଲିଅନ୍ ଭାରତର ଆତ୍ମାକୁ ଉପସ୍ଥାପନ କରିଥିଲା, ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବୈଷୟିକ ଅଗ୍ରଗତିର ନୂତନ ତରଙ୍ଗ ସହିତ ସନ୍ତୁଳିତ କରିଥିଲା ଯାହା ପୂର୍ବରୁ ରହିଛି ।

ୱେଭସ୍ ୨୦୨୫ ଏକ ବୈଶ୍ୱିକ ମଞ୍ଚ ଭାବେ ଏକ ମାନଦଣ୍ଡ ସ୍ଥାପନ କରିଛି, ଯାହା ସୃଜନଶୀଳତା, ବାଣିଜ୍ୟ ଏବଂ ସହଯୋଗକୁ ନିରବଚ୍ଛିନ୍ନ ଭାବେ ଏକାଠି କରିଛି। ଦୂରଦୃଷ୍ଟିସମ୍ପନ୍ନ ନୀତି ଘୋଷଣା ଏବଂ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରାଜିନାମା ଠାରୁ ଆରମ୍ଭ କରି ସୁଦୃଢ଼ ବ୍ୟବସାୟିକ ଚୁକ୍ତି ଏବଂ ପ୍ରାରମ୍ଭିକ ଷ୍ଟାର୍ଟଅପ୍ ନିବେଶ ପର୍ଯ୍ୟନ୍ତ, ଏହି ଶିଖର ସମ୍ମିଳନୀ ସୃଜନଶୀଳ ଅର୍ଥବ୍ୟବସ୍ଥାରେ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବେ ଭାରତର ବୃଦ୍ଧି ପାଉଥିବା ସ୍ଥିତିକୁ ରେଖାଙ୍କିତ କରିଛି। ୭୭ଟି ଅଂଶଗ୍ରହଣକାରୀ ରାଷ୍ଟ୍ରଙ୍କ ଦ୍ୱାରା ୱେଭସ୍ ଘୋଷଣାନାମା ଗ୍ରହଣ ଏବଂ ୱେଭସ୍ ବଜାର ଏବଂ ୱେଭକ୍ସ ଆକ୍ସିଲରେଟରର ସଫଳତା ସାମୂହିକ ଭାବେ ନବସୃଜନ, ସମାବେଶୀତା ଏବଂ ଅନ୍ତର୍ଜାତୀୟ ଭାଗିଦାରୀରେ ଏକ ଭବିଷ୍ୟତର ସଙ୍କେତ ଦେଉଛି। ଏହି ଐତିହାସିକ ପ୍ରଥମ ସଂସ୍କରଣର ପରିସମାପ୍ତି ହେବା ସହିତ, ୱେଭ୍ସ କେବଳ ଭାରତର ସୃଜନଶୀଳ ଦକ୍ଷତାକୁ ପ୍ରଦର୍ଶିତ କରିନାହିଁ, ବରଂ ଏକ ନିରନ୍ତର ବିଶ୍ୱସ୍ତରୀୟ ଆନ୍ଦୋଳନକୁ ମଧ୍ୟ ଉତ୍ପ୍ରେରିତ କରିଛି ଯାହା ବିଶ୍ୱବ୍ୟାପୀ ସ୍ରଷ୍ଟାଙ୍କ ସ୍ୱରକୁ ପ୍ରେରଣା, ନିବେଶ ଏବଂ ଉନ୍ନତ କରିବା ଜାରି ରଖିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଫଳାଫଳ ତାଲିକା: ଆଙ୍ଗୋଲା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ: ଆଙ୍ଗୋଲା ରାଷ୍ଟ୍ରପତିଙ୍କ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସହ ଉଭୟ ଦେଶ ମଧ୍ୟରେ ବିଭିନ୍ନ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ବୁଝାମଣାପତ୍ର / ଚୁକ୍ତିନାମା:

– ଆୟୁର୍ବେଦ ଏବଂ ଅନ୍ୟାନ୍ୟ ପାରମ୍ପରିକ ଔଷଧ ପ୍ରଣାଳୀ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାର ଏବଂ ଆଙ୍ଗୋଲା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର।

– କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାର ଏବଂ ଆଙ୍ଗୋଲା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର।

2025-29 ଅବଧି ପାଇଁ ସଂସ୍କୃତି କ୍ଷେତ୍ରରେ ଭାରତ ସରକାର ଏବଂ ଆଙ୍ଗୋଲା ସରକାରଙ୍କ ମଧ୍ୟରେ ସହଯୋଗ କାର୍ଯ୍ୟକ୍ରମ

– ଆଙ୍ଗୋଲା ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ (ଆଇଏସଏ) ଫ୍ରେମୱାର୍କ ଚୁକ୍ତିନାମାରେ ସ୍ୱାକ୍ଷର କରିଛି ଏବଂ ଆଇଏସଏ ର 123ତମ ସଦସ୍ୟ ହୋଇଛି।

– ପ୍ରତିରକ୍ଷା କ୍ରୟ ପାଇଁ 200 ନିୟୁତ ଆମେରିକୀୟ ଡଲାରର ଏଲଓସି ପାଇଁ ଆଙ୍ଗୋଲାର ଅନୁରୋଧକୁ ଭାରତ ସରକାର ମଞ୍ଜୁର କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି

ନୂଆଦିଲ୍ଲୀ: ଆଜି ଅଙ୍ଗୋଲାର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ଏକ ପ୍ରେସ ବିବୃତ୍ତି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ”ମୁଁ ରାଷ୍ଟ୍ରପତି ଲରେନ୍ସ ଏବଂ ତାଙ୍କ ପ୍ରତିନିଧିମଣ୍ଡଳର​ ଭାରତରେ ହୃଦୟସ୍ପର୍ଶୀ ସ୍ୱାଗତ କରୁଛି। ​ଏହା ଏକ ଐତିହାସିକ ମୁହୂର୍ତ୍ତ। ୩୮ ବର୍ଷ ପରେ, ଅଙ୍ଗୋଲାର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି। ତାଙ୍କର ଏହ ଗସ୍ତ କାରଣରୁ କେବଳ ଭାରତ – ଅଙ୍ଗୋଲା ସମ୍ପର୍କକୁ ନୂତନ ଦିଗ ମିଳୁନାହିଁ , ବରଂ ଭାରତ ଏବଂ ଆଫ୍ରିକା ସହଭାଗୀତାକୁ ବହୁତ ଶକ୍ତି ମିଳୁଛି।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ଚଳିତ ବର୍ଷ, ଭାରତ ଏବଂ ଅଙ୍ଗୋଲା ନିଜର କୂଟନୀତିକ ସମ୍ପର୍କର ୪୦ତମ​​ ବାର୍ଷିକୀ ପାଳନ କରୁଛନ୍ତି। କିନ୍ତୁ ଆମର ସମ୍ପର୍କ, ଏହା ଠାରୁ ବି ବହୁତ ପୁରୁଣା, ବହୁତ ଗଭୀର। ଯେତେବେଳେ ଅଙ୍ଗୋଲା ସ୍ୱାଧୀନତା ପାଇଁ ଲଢ଼ିବା ଜାରି ରଖିଥିଲା, ସେତେବେଳେ ଭାରତ ପୂର୍ଣ୍ଣ ବିଶ୍ୱାସ ଏବଂ ବନ୍ଧୁତାର ଏହା ସହିତ ଠିଆ ହୋଇଥିଲା।”

ସେ ଆହୁରୀ କହିଛନ୍ତି ଯେ, ”ଆଜି, ବିଭିନ୍ନ କ୍ଷେତ୍ରରେ ଆମର ଘନିଷ୍ଠ ସହଯୋଗ ରହିଛି । ଭାରତ ହେଉଛି ଅଙ୍ଗୋଲାର ତୈଳ ଏବଂ ପେଟ୍ରୋଲ୍ ର ବଡ ବଡ କ୍ରେତାମାନଙ୍କ ମଧ୍ୟରୁ ଅନ୍ୟତମ। ଆମେ ନିଜର ଶକ୍ତି ସହଭାଗୀତାକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେଇଛୁ। ମୁଁ ଏହା ଘୋଷଣା କରି ବହୁତ ଖୁସି ଯେ, ଅଙ୍ଗୋଲାର ସୈନ୍ୟବାହିନୀ ର ଆଧୁନିକୀକରଣ  ପାଇଁ ୨୦୦ ନିୟୁତ ଡଲାର୍ ର ପ୍ରତିରକ୍ଷା କ୍ରେଡିଟ୍ ଲାଇନ୍ କୁ ସ୍ୱୀକୃତି ଦିଆଯାଇଛି। ପ୍ରତିରକ୍ଷା ପ୍ଲାଟଫର୍ମର ମରାମତି ଏବଂ ଯୋଗାଣ ଉପରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଛି। ଅଙ୍ଗୋଲାର ସଶସ୍ତ୍ର ସୈନ୍ୟବାହିନୀର ତାଲିମ କ୍ଷେତ୍ରରେ ସହଯୋଗ କରି ଆମକୁ ଖୁସି ଅନୁଭବ ହେବ । ନିଜର ବିକାଶ ସହଭାଗୀତାକୁ ଆଗକୁ ବଢାଇ ଆମେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ମହାକାଶ ପ୍ରଯୁକ୍ତିବିଦ୍ୟା  ଏବଂ କ୍ଷମତା ନିର୍ମାଣ କ୍ଷେତ୍ରରେ ଅଙ୍ଗୋଲା ସହିତ ନିଜର ବିଶେଷଜ୍ଞତା ହସ୍ତାନ୍ତର କରିବୁ । ଆଜି ଆମେ ସ୍ୱାସ୍ଥ୍ୟସେବା, ହୀରା ପ୍ରକ୍ରିୟାକରଣ, ସାର ଏବଂ ଜଟିଳ ଖଣିଜ ଅଞ୍ଚଳଗୁଡ଼ିକ କ୍ଷେତ୍ରରେ ଆମର ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ନିଷ୍ପତ୍ତି ନେଇଛୁ। ଅଙ୍ଗୋଲାରେ ଯୋଗ ଏବଂ ବଲିଉଡ୍ ର ଲୋକପ୍ରିୟତା , ଆମର ସାଂସ୍କୃତିକ ସମ୍ପର୍କର ଶକ୍ତିର ପ୍ରତୀକ। ଆମର ଲୋକମାନଙ୍କ ଭିତରେ ପାରସ୍ପରିକ ସମ୍ପର୍କକୁ ଅଧିକ ଶକ୍ତି ପ୍ରଦାନ କରିବା ପାଇଁ ଆମେ  ଆମର ଯୁବପିଢ଼ିଙ୍କ ମଧ୍ୟରେ ଯୁବ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ।”

ଶ୍ରୀ ମୋଦୀ କହିଛନ୍ତି ଯେ, ”ଅନ୍ତର୍ଜାତୀୟ ସୌର ମେଂଟରେ ଯୋଗ ଦେବା ପାଇଁ ଅଙ୍ଗୋଲାର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ଆମେ ଅଙ୍ଗୋଲାକୁ ଭାରତର ବିଭିନ୍ନ ପଦ​‌କ୍ଷେପ, ଯଥା : ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମିଳିତ ପ୍ରୟାସ, ବିଗ୍ କ୍ୟାଟ୍ ଆଲାଏନ୍ସ ଏବଂ ଗ୍ଲୋବାଲ୍ ବାୟୋଫୁଏଲ୍ ଆଲାଏନ୍ସରେ ଯୋଗ ଦେବା ପାଇଁ ନିମନ୍ତ୍ରିତ କରିଛୁ।”

ଭାରତର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ଆମେ ଏକମତ ଯେ  ଆତଙ୍କବାଦ ମାନବତା ପାଇଁ ସବୁଠାରୁ ବଡ଼ ବିପଦ। ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ସମବେଦନା ଜଣାଇଥବାରୁ ମୁଁ ରାଷ୍ଟ୍ରପତି ଲରେନ୍ସ ଏବଂ ଅଙ୍ଗୋଲା ପ୍ରତି ମୋର କୃତଜ୍ଞତା ପ୍ରକାଶ କରୁଛି। ଆମେ ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିବଦ୍ଧ। ସୀମାପାର ଆତଙ୍କବାଦ ବିରୁଦ୍ଧରେ ଆମର ଲଢ଼େଇରେ ସମର୍ଥନ ପାଇଁ ଆମେ ଅଙ୍ଗୋଲାକୁ ଧନ୍ୟବାଦ ଦେଉଛୁ।”

ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ”ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ପଦ ପାଇଁ ମୁଁ ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଅଙ୍ଗୋଲାକୁ ଶୁଭକାମନା ଜଣାଉଛି। ଏହା ଆମ ପାଇଁ ଗର୍ବର ବିଷୟ ଯେ ଭାରତର ଜି ୨୦ ଅଧ୍ୟକ୍ଷତା ସମୟରେ ‘ଆଫ୍ରିକୀୟ ସଂଘ’ ଜି-୨୦ର ସ୍ଥାୟୀ ସଦସ୍ୟତା ପାଇଲା। ଭାରତ ଏବଂ ଆଫ୍ରିକୀୟ ଦେଶମାନେ ଉପନିବେଶବାଦୀ ଶାସନ ବିରୁଦ୍ଧରେ ଏକ ସଂଗେ ସ୍ୱର ଉଠାଇଥିଲେ। ପରସ୍ପରକୁ ପ୍ରେରଣା ଦେଇଥିଲେ। ଆଜି, ଆମେ ଗ୍ଲୋବାଲ୍‌ ସାଉଥ୍‌ର ସ୍ୱାର୍ଥ, ସେମାନଙ୍କର ଆଶା, ଇଚ୍ଛା ଏବଂ ଆକାଂକ୍ଷାର ସ୍ୱର ଭାବରେ ଏକାଠି ଛିଡ଼ା ହୋଇଛୁ।”

ଗତ ଦଶନ୍ଧି ମଧ୍ୟରେ, ଆଫ୍ରିକୀୟ ଦେଶମାନଙ୍କ ସହିତ ଆମର ସହଯୋଗ ଗତି ପାଇଛି। ଆମର ପାରସ୍ପରିକ ବାଣିଜ୍ୟ ପ୍ରାୟ ୧୦୦ ବିଲିୟନ ଡଲାରରେ ପହଞ୍ଚିଛି। ପ୍ରତିରକ୍ଷା ସହଯୋଗ ଏବଂ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ପ୍ରଗତି ହୋଇଛି। ଗତ ମାସରେ, ଭାରତ ଏବଂ ଆଫ୍ରିକା ମଧ୍ୟରେ ପ୍ରଥମ ନୌସେନା ସାମୁଦ୍ରିକ ଅଭ୍ୟାସ ‘ଆଇକ୍ୟାମ୍’ ଅନୁଷ୍ଠିତ ହୋଇଥିଲା। ଗତ ୧୦ ବର୍ଷ ମଧ୍ୟରେ, ଆମେ ଆଫ୍ରିକାରେ ୧୭ଟି ନୂତନ ଦୂତାବାସ ଖୋଲିଛୁ। ଆଫ୍ରିକାକୁ ୧୨ ବିଲିୟନ ଡଲାରରୁ ଅଧିକ ମୂଲ୍ୟର କ୍ରେଡିଟ୍ ଲାଇନ୍ ଆବଣ୍ଟିତ କରାଯାଇଛି। ଏହା ସହିତ ଆଫ୍ରିକୀୟ ଦେଶଗୁଡ଼ିକୁ ୭୦୦ ମିଲିୟନ୍ ଡଲାରର ଅନୁଦାନ ସହାୟତା ଦିଆଯାଇଛି। ୮ଟି ଆଫ୍ରିକୀୟ ଦେଶରେ ବୃତ୍ତିଗତ ତାଲିମ କେନ୍ଦ୍ର ଖୋଲାଯାଇଛି। ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିରେ ୫ଟି ଆଫ୍ରିକୀୟ ଦେଶ ସହିତ ସହଯୋଗ ହୋଇଛି। ଯେକୌଣସି ବିପର୍ଯ୍ୟୟରେ, ଆମେ ଆଫ୍ରିକାର ଲୋକଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ‘ପ୍ରଥମ ପ୍ରତିକ୍ରିୟାକାରୀ’ ଭୂମିକା ଗ୍ରହଣ କରିବାର ସୌଭାଗ୍ୟ ଲାଭ କରିଛୁ।

ଭାରତ ଏବଂ ଆଫ୍ରିକୀୟ ସଂଘ ପ୍ରଗତିରେ ସହଭାଗୀ । ଆମେ ହେଉଛୁ ଦକ୍ଷିଣ ବିଶ୍ଵର ସ୍ତମ୍ଭ। ମୁଁ ନିଶ୍ଚିତ ଯେ ଅଙ୍ଗୋଲା ଅଧ୍ୟକ୍ଷତାରେ ଭାରତ ଏବଂ ଆଫ୍ରିକୀୟ ସଂଘ ମଧ୍ୟରେ ସମ୍ପର୍କ ନୂତନ ଶିଖରରେ ପହଞ୍ଚିବ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଆକ୍ରମଣାତ୍ମକ ଢଙ୍ଗରେ ନିଶାଦ୍ରବ୍ୟ କାରବାର କରୁଥିବା ଗୋଷ୍ଠୀଗୁଡ଼ିକୁ ଦମନ କରୁଛି: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ମନ୍ତ୍ରୀ

ନୂଆଦିଲ୍ଲୀ: ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, “ଏନସିବି ର ଅମୃତସର ଜୋନାଲ ୟୁନିଟ୍ ଦ୍ବାରା ୪ଟି ରାଜ୍ୟରେ ୪ ମାସ ଧରି ଚାଲିଥିବା ଅପରେସନ ମାଧ୍ୟମରେ ୫୪୭ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିବା ସହ ୧୫ ଜଣଙ୍କୁ ଗିରଫ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟି ଅଧୀନରେ ଏକ ନିଶାମୁକ୍ତ ଭାରତ ନିର୍ମାଣ ଦିଗରେ ଏହା ଏକ ବିରାଟ ପଦକ୍ଷେପ। ଟିମ୍ ଏନସିବିକୁ ଅଭିନନ୍ଦନ।’’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିଶାଦ୍ରବ୍ୟ ବିରୋଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀର ଜଣେ ବିତରକଙ୍କଠାରୁ ୧.୩୬ କୋଟି ସାଇକୋଟ୍ରୋପିକ୍ ଟାବଲେଟ୍ ଜବତ କରିଛି। ଉତ୍ତରାଖଣ୍ଡର ହରିଦ୍ୱାରର ଏକ ଉତ୍ପାଦରୁ ଏନସିବି ୧୧,୬୯୩ ସିବିସିଏସ୍ ବୋତଲ ଏବଂ ୨.୯ କିଲୋଗ୍ରାମ ଟ୍ରାମାଡୋଲ ପାଉଡର ମଧ୍ୟ ଜବତ କରିଛି। ଜବତ ହୋଇଥିବା ନିଶାଦ୍ରବ୍ୟର ମୋଟ ମୂଲ୍ୟ ପାଖାପାଖି ୫୪୭ କୋଟି ଟଙ୍କା ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନିଶା ମୁକ୍ତ ଭାରତ” ଲକ୍ଷ୍ୟକୁ ଅନୁସରଣ କରି, ଏନସିବି ର ଅମୃତସର ଜୋନାଲ ୟୁନିଟ୍ ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀରେ ଅଣ-ଡାକ୍ତରୀ ବ୍ୟବହାର ପାଇଁ ଫାର୍ମାସ୍ୟୁଟିକାଲ୍ ଔଷଧର ବେଆଇନ ଚାଲାଣ ଏବଂ ବିତରଣରେ ଜଡିତ ପ୍ରମୁଖ ନେଟୱାର୍କକୁ ଠାବ କରିଛି।

କେନ୍ଦ୍ର ସ୍ବରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଡିସେମ୍ବର ୨୦୨୪ ରୁ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଗୁଇନ୍ଦା ଆଧାରିତ ଅପରେସନ ଏବଂ ମାମଲାଗୁଡ଼ିକର ଅନୁସନ୍ଧାନରେ ‘ଉପ ରୁ ତଳ’ ଏବଂ ‘ତଳୁ ଉପର’ ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ଜବତ ଏବଂ ଗିରଫଦାରୀରେ ପରିଣତ ହୋଇଥିଲା, ଯାହା ଉତ୍ପାଦନକାରୀ, ମହଜୁଦକାରୀ ଏବଂ ଆଗଧାଡିର ଚାଲାଣକାରୀଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କକୁ ଉନ୍ମୋଚନ କରିଥିଲା।

୨୦୨୫ ମସିହା ଏପ୍ରିଲ ୧ ତାରିଖରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀରେ ଚଢ଼ାଉ କରାଯାଇଥିଲା। ଉତ୍ତରାଖଣ୍ଡରେ ଅନୁସନ୍ଧାନ ଫଳରେ ଜେ. ଆର. ଫାର୍ମାସ୍ୟୁଟିକାଲ୍ସରୁ ୧୧,୬୯୩ଟି ସିବିସିଏସ ବୋତଲ ଏବଂ ୨.୯ କିଲୋଗ୍ରାମ ଟ୍ରାମାଡୋଲ ପାଉଡର ଜବତ କରାଯାଇଥିଲା। ହିମାଚଳ ପ୍ରଦେଶର ପ୍ରମୁଖ ବିତରକ ଏମ୍ବିଟ୍ ବାୟୋ ମେଡିକ୍ସଙ୍କ ପରିସରରେ ଯାଞ୍ଚ କରାଯିବା ଫଳରେ ୧୫,୨୫,୨୦୦ ଟାବଲେଟ୍ ଜବତ ହୋଇଛି ଏବଂ ଦିଲ୍ଲୀର ବାୱାନା ସ୍ଥିତ ‘ଆଶୀ ଫାର୍ମାସ୍ୟୁଟିକାଲ୍’ ପରିସରରେ ଯାଞ୍ଚ କରାଯିବା ଫଳରେ ଟ୍ରାମାଡୋଲ ଏବଂ ଆଲପ୍ରାଜୋଲାମ୍ର ୧.୧୭ କୋଟି ଟାବଲେଟ୍ ଜବତ ହୋଇଛି, ଯାହା ବ୍ୟାପକ ଅନଧିକୃତ ଭାବେ ଔଷଧ ରଖିବା ଏବଂ ବେଆଇନ ଭାବେ ଔଷଧ ବଣ୍ଟନ କରାଯାଉଥିବା ସୂଚାଇ ଦେଉଛି। ଏମ୍ବିଟ୍ ବାୟୋ ମେଡିକ୍ସର ମାଲିକଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା, ଯେତେବେଳେ ସେ ୧୮ ଏପ୍ରିଲରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଭିଏତନାମ ପଳାଇବାକୁ ଚେଷ୍ଟା କରୁଥିଲେ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ହିମାଚଳ ପ୍ରଦେଶର ଏମ୍ବିଟ୍ ବାୟୋ ମେଡିକ୍ସର ମାଲିକ ପୂର୍ବରୁ ଦିଲ୍ଲୀରେ କାର୍ଯ୍ୟ କରୁଥିଲେ, ଯେଉଁଠାରେ ଡିସେମ୍ବର ୨୦୨୨ ରେ ତାଙ୍କ ଔଷଧ ଲାଇସେନ୍ସ ବାତିଲ କରାଯାଇଥିଲା। ଏହାକୁ ଲୁଚାଇ ସେ ହିମାଚଳ ପ୍ରଦେଶରେ ଏକ ନୂତନ ଲାଇସେନ୍ସ ହାସଲ କରିଥିଲେ ଏବଂ ଦିଲ୍ଲୀରେ ଅନ୍ୟ ଏକ ଫାର୍ମ ମଧ୍ୟ ଆରମ୍ଭ କରିଥିଲେ, ଯାହା ଜଣେ ସହଯୋଗୀଙ୍କ ଆଶୀ ଫାର୍ମାସ୍ୟୁଟିକାଲ୍ ଅଧୀନରେ ପଞ୍ଜୀକୃତ ହୋଇଥିଲା।

ଚାରି ମାସ ପୂର୍ବରୁ ତଦନ୍ତ ଆରମ୍ଭ ହୋଇଥିଲା ଯେତେବେଳେ ଜଣେ ଡାକ୍ତରୀ ବୃତ୍ତିଧାରୀ ଛଦ୍ମବେଶ ଧାରଣ କରୁଥିବା ବ୍ୟକ୍ତିଙ୍କୁ ଅମୃତସରରେ ୨୨୮୦ ଆଲପ୍ରାଜୋଲମ୍ ଏବଂ ୧୨୨୦ ଟ୍ରାମାଡୋଲ ଟାବଲେଟ୍ ସହିତ ଅଟକାଯାଇଥିଲା। ଅଧିକ ଅନୁସନ୍ଧାନରେ ଏକ ସ୍ଥାନୀୟ ବିତରଣ ଶୃଙ୍ଖଳା ଉନ୍ମୋଚିତ ହୋଇଥିଲା, ଯାହା ଅନେକ ଗିରଫ ଏବଂ ପରବର୍ତ୍ତୀ ଅନୁସନ୍ଧାନର କାରଣ ହୋଇଥିଲା ଯାହାର ଫଳସ୍ୱରୂପ ଆହୁରି ୨୧,୪୦୦ ଟ୍ରାମାଡୋଲ ଟାବଲେଟ୍ ଏବଂ ୪୩,୦୦୦ ଆଲପ୍ରାଜୋଲାମ ଟାବଲେଟ୍ ଉଦ୍ଧାର କରାଯାଇଥିଲା।

ଫେବୃଆରୀ ୨୦୨୫ ରେ ଅନ୍ୟ ଏକ ମାମଲାରେ, ଅମୃତସରରେ ୫୦୦୦ ଟ୍ରାମାଡୋଲ ହାଇଡ୍ରୋକ୍ଲୋରାଇଡ୍ (ଟ୍ରେକମ୍‍-୧୦୦) ଟାବଲେଟ୍ ଜବତ ହେବା ପରେ ଅନୁସନ୍ଧାନକାରୀମାନେ ତରନ ତରାନ, ଡେରାଡୁନ ଏବଂ ମାନାୱାଲା ପର୍ଯ୍ୟନ୍ତ ଏକ ଶୃଙ୍ଖଳା ବିସ୍ତାର କରିଥିଲେ। ଡମ୍ମି ମେଡିକାଲ୍ ସେଟ୍ଅପ୍ ଦ୍ୱାରା ସମର୍ଥିତ ବୈଧ ଲାଇସେନ୍ସ ବିନା କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ଫାର୍ମାସ୍ୟୁଟିକାଲ୍ ଔଷଧର ବେଆଇନ ଯୋଗାଣ ପ୍ରତି ସୂଚିତ କରିଥିଲା।

ଉଭୟ ମାମଲାର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଉତ୍ତରାଖଣ୍ଡର ହରିଦ୍ୱାରରେ ଅବସ୍ଥିତ ଜେ. ଆର. ଫାର୍ମାସ୍ୟୁଟିକାଲ୍ ନାମକ ସେହି ଏକା ଫାର୍ମାସ୍ୟୁଟିକାଲ୍ ଉତ୍ପାଦନ କମ୍ପାନୀର ସମ୍ପୃକ୍ତି ଯାହା ସନ୍ଦେହ ସୃଷ୍ଟି କରିଥିଲା ଏବଂ ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନ ମାଧ୍ୟମରେ ମେସର୍ସ ଜେ. ଆର. ଫାର୍ମାସ୍ୟୁଟିକାଲ୍ସ, ହରିଦ୍ୱାର ଏବଂ ଅନ୍ୟମାନଙ୍କ ଦ୍ୱାରା ଫାର୍ମାସ୍ୟୁଟିକାଲ୍ ଔଷଧର ବଡ଼ ଧରଣର ଚାଲାଣ ପ୍ରକାଶ ପାଇଛି।

ଫେବୃଆରୀ, ୨୦୨୫ରେ ଜେ. ଆର. ଫାର୍ମାସ୍ୟୁଟିକାଲ୍ସରେ କରାଯାଇଥିବା ପରବର୍ତ୍ତୀ ଚଢ଼ାଉରେ ୧୬,୮୬୦ ଟ୍ରାମାଡୋଲ ଟାବଲେଟ୍, ୩୨୭ ବୋତଲ କୋଡ଼ିନ୍-ଆଧାରିତ କାଶ ସିରପ୍ ଏବଂ ଡ୍ରମ୍ ଭିତରେ ଲୁଚାଇ ରଖାଯାଇଥିବା ୨.୫ ଲକ୍ଷ ଆଲଗା ଟ୍ରାମାଡୋଲ ଟାବଲେଟ୍ (୮୦.୭ କିଲୋଗ୍ରାମ) ଜବତ କରାଯାଇଥିଲା। ସେହି ମାସରେ ଅଧିକ ଚଢ଼ାଉ, ପଚରାଉଚରା ସମୟରେ ଦିଆଯାଇଥିବା ସୂଚନା ଆଧାରରେ, ବୈଧ ଡକ୍ୟୁମେଣ୍ଟେସନ୍ ବିନା କଥିତ ଭାବରେ ଚାଲାଣ ପାଇଁ ରଖାଯାଇଥିବା ୮,୮୯,୦୬୪ ସିବିସିଏସ୍‍ ବୋତଲ ଜବତ କରାଯାଇଥିଲା।

ଅନୁସନ୍ଧାନରୁ ଆହୁରି ଜଣାପଡ଼ିଛି ଯେ ଅନେକ ଆଗଧାଡିର ମହଜୁଦକାରୀ ଫାର୍ମ ନକଲି କିମ୍ବା ଅଣ-କାର୍ଯ୍ୟକ୍ଷମ ବୋଲି ଜଣାପଡିଛି ଏବଂ ସେଗୁଡ଼ିକୁ ବ୍ୟବହାର କରି ଔଷଧର ଚାଲାଣ କରାଯାଇଥିଲା। ଏହିପରି ଏକ ଫାର୍ମ, ମେସର୍ସ ତିୱାରୀ ମେଡିକାଲ୍ ଏଜେନ୍ସି, ଡେରାଡୁନ ଯାଞ୍ଚ ପରେ ଏକ ମିଠା/ଦର୍ଜି ଦୋକାନ ଏବଂ ଫାର୍ମର ମାଲିକ ଜଣେ ପରିଚାରିକା ଭାବରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା, ଯେତେବେଳେ ଅନ୍ୟ ସଂସ୍ଥା, ମେସର୍ସ କାବତି ହେଲଥ୍‍ କେୟାର୍ ପ୍ରାଇଭେଟ୍ ଲିମିଟେଡ୍, ଡେରାଡୁନ, ଏବଂ ମେସର୍ସ ଲାଇଫ୍ କେୟାର୍ ଫାର୍ମା, କୋଲକାତା ଘୋଷିତ ଠିକଣାରେ ଅସ୍ତିତ୍ୱ ନଥିବା ଦେଖିବାକୁ ମିଳିଥିଲା। ଡମ୍ମି ଷ୍ଟକିଷ୍ଟ ମେସର୍ସ ତିୱାରୀ ମେଡିକାଲ ଏଜେନ୍ସି ପଛରେ ଥିବା ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଥିଲା, ଯାହା ଡେରାଡୁନର ରାସ୍ତା ପାର୍ଶ୍ୱ ଢାବାରୁ ୧.୨୪ ଲକ୍ଷ ଆଲପ୍ରାଜୋଲାମ ଟାବଲେଟ୍ ଜବତ କରିଥିଲା। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସେ ଅନ୍ୟ କମ୍ପାନୀରୁ ମଧ୍ୟ ଫାର୍ମାସ୍ୟୁଟିକାଲ୍ ଔଷଧ ପାଉଥିଲେ।

ଡ୍ରଗ୍ ଡାଇଭର୍ସନ ନେଟୱାର୍କର ସମ୍ପୂର୍ଣ୍ଣ ବିସ୍ତାରକୁ ଉନ୍ମୋଚନ କରିବା ପାଇଁ ଏନସିବି ସକ୍ରିୟ ଭାବରେ ଜିଏସଟି ବିଭାଗ, ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲର୍, ଆୟକର କର୍ତ୍ତୃପକ୍ଷ, ସିବିଏନ୍ ଏବଂ ଆର୍ଥିକ ଅନୁଷ୍ଠାନ ସହିତ ସମନ୍ୱୟ ରକ୍ଷା କରୁଛି।

ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରେ ସମୁଦାୟ ୧.୪୨ କୋଟିରୁ ଅଧିକ ଟ୍ରାମାଡୋଲ ଏବଂ ଆଲପ୍ରାଜୋଲାମ ଟାବଲେଟ୍, ୨.୯ କିଲୋଗ୍ରାମ ଟ୍ରାମାଡୋଲ ପାଉଡର, ଏବଂ ୯,୦୧,୦୮୪ ସିବିସିଏସ୍ ବୋତଲ (ପାଖାପାଖି ୧୩୫ ଟନ୍) ) ଜବତ ହୋଇଛି ଏବଂ ଗତ ଚାରି ମାସ ମଧ୍ୟରେ ୪ଟି ଭିନ୍ନ ଭିନ୍ନ ରାଜ୍ୟରୁ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନୁସନ୍ଧାନ ସମୟରେ ଅନ୍ୟମାନଙ୍କ ଚାଲାନ ବିଷୟରେ ସୂଚନା ମଧ୍ୟ ପ୍ରକାଶ ପାଇଛି ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ଅଧିକ ଜବତ କରାଯିବ।

ଏହି ଜବତ ଡ୍ରଗ୍ସ ନେଟୱାର୍କକୁ ସଫଳତାର ସହ ଭାଙ୍ଗିବା ପାଇଁ ଏନସିବିର ପ୍ରତିବଦ୍ଧତାର ଉଦାହରଣ। ନିଶାଦ୍ରବ୍ୟ କାରବାର ବିରୋଧରେ ଲଢ଼ିବା ପାଇଁ, ଏନସିବି ନାଗରିକମାନଙ୍କ ସମର୍ଥନ ଚାହେଁ। ଯେ କୌଣସି ବ୍ୟକ୍ତି ମାନସ-ନ୍ୟାସନାଲ ନାର୍କୋଟିକ୍ସ ହେଲ୍ପଲାଇନ୍ ଟୋଲ୍ ଫ୍ରି ନମ୍ବର-୧୯୩୩ ରେ କଲ କରି ନିଶାଦ୍ରବ୍ୟ ବିକ୍ରୟ ସମ୍ବନ୍ଧୀୟ ସୂଚନା ଅଂଶୀଦାର କରିପାରିବେ।

Categories
ଜାତୀୟ ଖବର

ଅମରାବତୀ ହେଉଛି ଏପରି ଏକ ଭୂମି ଯେଉଁଠାରେ ପରମ୍ପରା ଏବଂ ପ୍ରଗତି ଏକା ସାଙ୍ଗରେ ଚାଲିଥାଏ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ଅମରାବତୀରେ ୫୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶ ପ୍ରକଳ୍ପର ଉଦଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପବିତ୍ର ଅମରାବତୀ ଭୂମିରେ ଠିଆ ହୋଇ ସେ କେବଳ ଏକ ସହର ନୁହେଁ, ବରଂ ଏକ ସ୍ୱପ୍ନ ସାକାର ହେଉଥିବା ଦେଖନ୍ତି-ଏକ ନୂତନ ଅମରାବତୀ, ଏକ ନୂତନ ଆନ୍ଧ୍ର। “ଅମରାବତୀ ହେଉଛି ଏପରି ଏକ ଭୂମି ଯେଉଁଠାରେ ପରମ୍ପରା ଏବଂ ପ୍ରଗତି ଏକା ସାଙ୍ଗରେ ଚାଲିଥାଏ, ଯାହା ଏହାର ବୌଦ୍ଧ ଐତିହ୍ୟର ଶାନ୍ତି ଏବଂ ଏକ ବିକଶିତ ଭାରତ ନିର୍ମାଣର ଶକ୍ତିକୁ ଗ୍ରହଣ କରିଥାଏ”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରାଯାଇଛି ଏବଂ ଏହି ପ୍ରକଳ୍ପଗୁଡ଼ିକ କେବଳ କଂକ୍ରିଟ ଢାଞ୍ଚା ନୁହେଁ ବରଂ ଆନ୍ଧ୍ରପ୍ରଦେଶର ଆକାଂକ୍ଷା ଏବଂ ବିକାଶ ପାଇଁ ଭାରତର ଦୃଷ୍ଟିକୋଣର ଦୃଢ଼ ମୂଳଦୁଆ। ଭଗବାନ ବୀରଭଦ୍ର, ଭଗବାନ ଅମରଲିଙ୍ଗେଶ୍ୱର ଏବଂ ତିରୁପତି ବାଲାଜୀଙ୍କୁ ପ୍ରାର୍ଥନା କରି ପ୍ରଧାନମନ୍ତ୍ରୀ ମୋଦୀ ଆନ୍ଧ୍ରପ୍ରଦେଶର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।

ଇନ୍ଦ୍ର ଲୋକର ରାଜଧାନୀକୁ ଏକଦା ଅମରାବତୀ କୁହାଯାଉଥିଲା ଏବଂ ଏବେ ଅମରାବତୀ ଆନ୍ଧ୍ର ପ୍ରଦେଶର ରାଜଧାନୀ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହା କେବଳ ଏକ ସଂଯୋଗ ନୁହେଁ, ବରଂ ‘ସ୍ୱର୍ଣ୍ଣ ଆନ୍ଧ୍ର’ ସୃଷ୍ଟି ପାଇଁ ଏକ ସକାରାତ୍ମକ ସଙ୍କେତ, ଯାହା ଭାରତର ବିକାଶ ପଥକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଅମରାବତୀ ‘ସ୍ୱର୍ଣ୍ଣ ଆନ୍ଧ୍ର’ ର ପରିକଳ୍ପନାକୁ ଶକ୍ତି ଯୋଗାଇବ, ଯାହା ଏହାକୁ ପ୍ରଗତି ଏବଂ ପରିବର୍ତ୍ତନର କେନ୍ଦ୍ରରେ ପରିଣତ କରିବ। “ଅମରାବତୀ କେବଳ ଏକ ସହର ନୁହେଁ, ଏହା ଏକ ଶକ୍ତି, ଏହା ଏକ ସାମର୍ଥ୍ୟ ଯାହା ଆନ୍ଧ୍ର ପ୍ରଦେଶକୁ ଏକ ଆଧୁନିକ ରାଜ୍ୟରେ ପରିଣତ କରିବ ଏବଂ ଏକ ଶକ୍ତି ଯାହା ଆନ୍ଧ୍ର ପ୍ରଦେଶକୁ ଏକ ଉନ୍ନତ ରାଜ୍ୟରେ ପରିଣତ କରିବ”, ବୋଲି ଶ୍ରୀ ମୋଦୀ ତେଲୁଗୁ ଭାଷାରେ କହିଥିଲେ।

ଅମରାବତୀକୁ ଏପରି ଏକ ସହର ଭାବେ ପରିକଳ୍ପନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ବର୍ଷଗୁଡ଼ିକରେ ଅମରାବତୀ ସୂଚନା ପ୍ରଯୁକ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସବୁଜ ଶକ୍ତି, ସ୍ୱଚ୍ଛ ଶିଳ୍ପ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାରେ ଏକ ଅଗ୍ରଣୀ ସହର ଭାବେ ଉଭା ହେବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ରଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଆବଶ୍ୟକ ଭିତ୍ତିଭୂମିର ଦ୍ରୁତ ବିକାଶ ଦିଗରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହାୟତା କରୁଛନ୍ତି।

ଶ୍ରୀ ମୋଦୀ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ବ୍ୟାପକ ସ୍ତରରେ ପରିକଳ୍ପନା କରିବା ଏବଂ ଏହାକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ କୁଶଳତାକୁ ପ୍ରଶଂସା କରିଥିଲେ। ୨୦୧୫ ମସିହାରେ ସେ ପ୍ରଜା ରାଜଧାନୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସୌଭାଗ୍ୟ ପାଇଥିଲେ ବୋଲି ସ୍ମରଣ କରି ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ଅମରାବତୀ ବିକାଶ ପାଇଁ ବ୍ୟାପକ ସହାୟତା ପ୍ରଦାନ କରିଛନ୍ତି ଏବଂ ମୌଳିକ ଭିତ୍ତିଭୂମି ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ସୁନିଶ୍ଚିତ କରିଛନ୍ତି। ସେ କହିଥିଲେ ଯେ ଶ୍ରୀ ନାଇଡୁଙ୍କ ନେତୃତ୍ୱରେ ନୂତନ ରାଜ୍ୟ ସରକାର ବିକାଶମୂଳକ ପ୍ରୟାସକୁ ତ୍ୱରାନ୍ୱିତ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଉଚ୍ଚ ନ୍ୟାୟାଳୟ, ବିଧାନସଭା, ସଚିବାଳୟ ଏବଂ ରାଜଭବନ ସମେତ ପ୍ରମୁଖ ଅନୁଷ୍ଠାନଗୁଡ଼ିକୁ ଏବେ ନିର୍ମାଣ ପାଇଁ ପ୍ରାଥମିକତା ଦିଆଯାଉଛି।

“ଏନଟିଆର୍ ଗାରୁ ଏକ ବିକଶିତ ଆନ୍ଧ୍ର ପ୍ରଦେଶର ପରିକଳ୍ପନା କରିଥିଲେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ, ଅମରାବତୀ ଏବଂ ଆନ୍ଧ୍ର ପ୍ରଦେଶକୁ ଏକ ବିକଶିତ ଭାରତର ବିକାଶ ଇଞ୍ଜିନରେ ପରିଣତ କରିବା ପାଇଁ ସାମୂହିକ ପ୍ରୟାସ ପାଇଁ ସେ ଆହ୍ୱାନ କରିଥିଲେ ଏବଂ ଏନଟିଆର୍ ଗାରୁଙ୍କ ସ୍ୱପ୍ନକୁ ପୂରଣ କରିବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ତେଲୁଗୁ ଭାଷାରେ କହିଥିଲେ ଯେ ଏହା ଆମର ଦାୟିତ୍ୱ ଏବଂ ଯାହାକୁ ଆମେ ମିଳିତ ଭାବେ ହାସଲ କରିବା ଆବଶ୍ୟକ।

ବିଗତ ୧୦ ବର୍ଷ ମଧ୍ୟରେ ଭାରତ ଭୌତିକ, ଡିଜିଟାଲ ଏବଂ ସାମାଜିକ ଭିତ୍ତିଭୂମି ଉପରେ ବ୍ୟାପକ ଧ୍ୟାନ ଦେଇଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଭାରତ ବର୍ତ୍ତମାନ ବିଶ୍ୱର ଦ୍ରୁତତମ ଆଧୁନିକ ଭିତ୍ତିଭୂମି ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଛି ଏବଂ ଆନ୍ଧ୍ର ପ୍ରଦେଶ ଏହି ପ୍ରଗତିରୁ ଯଥେଷ୍ଟ ଉପକୃତ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ଆନ୍ଧ୍ର ପ୍ରଦେଶକୁ ହଜାର ହଜାର କୋଟି ଟଙ୍କାର ସଡ଼କ ଏବଂ ରେଳ ପ୍ରକଳ୍ପ ଆବଣ୍ଟନ କରାଯାଇଛି, ଯାହା ଏହାର ବିକାଶକୁ ତ୍ୱରାନ୍ୱିତ କରୁଛି। “ଆନ୍ଧ୍ର ପ୍ରଦେଶ ସଂଯୋଗର ଏକ ନୂତନ ଯୁଗର ସାକ୍ଷୀ ହେଉଛି, ଯାହା ଜିଲ୍ଲା-ଜିଲ୍ଲା ସଂଯୋଗକୁ ବୃଦ୍ଧି କରିବ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକ ସହିତ ଯୋଗାଯୋଗରେ ଉନ୍ନତି ଆଣିବ”, ସେ ଗୁରୁତ୍ୱାରୋପ କରି କହିଥିଲେ ଯେ କୃଷକମାନେ ବୃହତ ବଜାର ପର୍ଯ୍ୟନ୍ତ ପହଞ୍ଚିବେ । ସହଜ ହେବ ଏବଂ ଉନ୍ନତ ଲଜିଷ୍ଟିକ ଦକ୍ଷତାରୁ ଶିଳ୍ପଗୁଡ଼ିକ ଉପକୃତ ହେବେ। ଶ୍ରୀ ମୋଦୀ ଏହା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯେ ପର୍ଯ୍ୟଟନ ଏବଂ ତୀର୍ଥ କ୍ଷେତ୍ର ମଧ୍ୟ ଗତିଶୀଳ ହେବ, ଯାହା ପ୍ରମୁଖ ଧାର୍ମିକ ସ୍ଥଳଗୁଡ଼ିକୁ ଅଧିକ ସୁଗମ୍ କରିବ। ସେ ରେନିଗୁଣ୍ଟା-ନାଇଡୁପେଟା ରାଜପଥର ଉଦାହରଣ ଦେଇ କହିଥିଲେ ଯେ ଏହା ତିରୁପତି ବାଲାଜୀ ମନ୍ଦିରକୁ ପ୍ରବେଶକୁ ଯଥେଷ୍ଟ ସହଜ କରିବ, ଯାହାଦ୍ୱାରା ଭକ୍ତମାନେ ବହୁତ କମ୍ ସମୟରେ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଦର୍ଶନ କରିପାରିବେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଦ୍ରୁତ ଗତିରେ ବିକଶିତ ହେଉଥିବା ଦେଶଗୁଡ଼ିକ ସେମାନଙ୍କ ରେଳ ନେଟୱାର୍କକୁ ଅତ୍ୟଧିକ ଗୁରୁତ୍ୱ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଗତ ଦଶନ୍ଧି ଭାରତୀୟ ରେଳବାଇ ପାଇଁ ଏକ ପରିବର୍ତ୍ତନଶୀଳ ସମୟ, ଯେଉଁଥିରେ ଭାରତ ସରକାର ଆନ୍ଧ୍ର ପ୍ରଦେଶରେ ରେଳ ବିକାଶ ପାଇଁ ରେକର୍ଡ ପରିମାଣର ପାଣ୍ଠି ଆବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ୨୦୦୯ରୁ ୨୦୧୪ ମଧ୍ୟରେ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ମିଳିତ ରେଳ ବଜେଟ୍ ୯୦୦ କୋଟି ଟଙ୍କାରୁ କମ୍ ଥିଲା, ଯେତେବେଳେ କି ଆଜି କେବଳ ଆନ୍ଧ୍ର ପ୍ରଦେଶର ରେଳ ବଜେଟ୍ ୯୦୦୦ କୋଟି ଟଙ୍କାରୁ ଅଧିକ ରହିଛି, ଯାହା ଦଶଗୁଣରୁ ଅଧିକ ବୃଦ୍ଧି ପାଇଛି। “ବର୍ଦ୍ଧିତ ରେଳ ବଜେଟ୍ ସହିତ, ଆନ୍ଧ୍ର ପ୍ରଦେଶ ୧୦୦% ରେଳ ବିଦ୍ୟୁତକରଣ ହାସଲ କରିଛି”, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ଦେଇ ଯାଉଥିବା ଅମୃତ ଭାରତ ଟ୍ରେନ୍ ସହିତ ଆଠ ଯୋଡ଼ା ଆଧୁନିକ ବନ୍ଦେ ଭାରତ ଟ୍ରେନ୍ ପରିଚାଳନା କରୁଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୭୫୦ରୁ ଅଧିକ ରେଳ ଫ୍ଲାଇଓଭର ଏବଂ ଅଣ୍ଡରପାସ ନିର୍ମାଣ କରାଯାଇଛି। ଏହାବ୍ୟତୀତ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯାତ୍ରୀମାନଙ୍କ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୁନିଶ୍ଚିତ କରିବା ଲାଗି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଆନ୍ଧ୍ର ପ୍ରଦେଶର ୭୦ରୁ ଅଧିକ ରେଳ ଷ୍ଟେସନର ଆଧୁନିକୀକରଣ କରାଯାଉଛି।

ଭିତ୍ତିଭୂମି ବିକାଶର ବହୁଗୁଣିତ ପ୍ରଭାବକୁ ରେଖାଙ୍କିତ କରି, ଉତ୍ପାଦନ କ୍ଷେତ୍ର ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ସିମେଣ୍ଟ, ଇସ୍ପାତ ଏବଂ ପରିବହନ ସେବା ଭଳି କଞ୍ଚାମାଲ ବ୍ୟାପକ ଭିତ୍ତିଭୂମି ପ୍ରକଳ୍ପରୁ ଯଥେଷ୍ଟ ଲାଭବାନ ହୋଇଥାଏ, ଯାହା ଏକାଧିକ ଶିଳ୍ପକୁ ସୁଦୃଢ଼ କରିଥାଏ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭିତ୍ତିଭୂମି ବିକାଶ ସିଧାସଳଖ ଭାରତର ଯୁବକମାନଙ୍କୁ ଲାଭାନ୍ୱିତ କରିଥାଏ, ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ। ସେ କହିଥିଲେ ଯେ ଆନ୍ଧ୍ରପ୍ରଦେଶର ହଜାର ହଜାର ଯୁବକଯୁବତୀ ଏହି ଚାଲିଥିବା ଭିତ୍ତିଭୂମି ପ୍ରକଳ୍ପ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ହାସଲ କରୁଛନ୍ତି।

“ଏକ ବିକଶିତ ଭାରତର ମୂଳଦୁଆ ଚାରୋଟି ପ୍ରମୁଖ ସ୍ତମ୍ଭ ଉପରେ ରହିଛି-ଗରିବ, କୃଷକ, ଯୁବକ ଏବଂ ମହିଳା ସଶକ୍ତିକରଣ”, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ତାଙ୍କ ଅଭିଭାଷଣରୁ ତାଙ୍କ ବିବୃତ୍ତିକୁ ଦୋହରାଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ସ୍ତମ୍ଭଗୁଡ଼ିକ କୃଷକଙ୍କ କଲ୍ୟାଣକୁ ସ୍ୱତନ୍ତ୍ର ପ୍ରାଥମିକତା ଦେବା ସହିତ ସେମାନଙ୍କ ସରକାରଙ୍କ ନୀତିର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସେ ଉଲ୍ଲେଖ କରିଥିଲେ ଯେ କୃଷକମାନଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବା ପାଇଁ ଭାରତ ସରକାର ଗତ ୧୦ ବର୍ଷ ମଧ୍ୟରେ ସୁଲଭ ମୂଲ୍ୟର ସାର ଯୋଗାଇ ଦେବା ପାଇଁ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେ କହିଥିଲେ ଯେ ହଜାର ହଜାର ନୂଆ ଏବଂ ଉନ୍ନତ ପ୍ରକାରର ବିହନ କୃଷକମାନଙ୍କୁ ବଣ୍ଟନ କରାଯାଇଛି, ଯାହାଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଆନ୍ଧ୍ର ପ୍ରଦେଶର କୃଷକମାନେ ୫୫୦୦ କୋଟି ଟଙ୍କାର ଦାବି ସମାଧାନ ପାଇଛନ୍ତି। ଏହାବ୍ୟତୀତ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ୧୭,୫୦୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ଆନ୍ଧ୍ରପ୍ରଦେଶର ଲକ୍ଷ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ପଠାଯାଇଛି, ଯାହା ସେମାନଙ୍କ ଜୀବିକା ପାଇଁ ଆର୍ଥିକ ସହାୟତା ସୁନିଶ୍ଚିତ କରିଛି।

ଭାରତ ସାରା ଦେଶରେ ଜଳସେଚନ ପ୍ରକଳ୍ପର ଦ୍ରୁତ ସମ୍ପ୍ରସାରଣ କରିବା ସହିତ ପ୍ରତ୍ୟେକ କ୍ଷେତରେ ଜଳ ପହଂଚାଇବା ଏବଂ କୃଷକମାନେ ଯେପରି ଜଳ ଅଭାବର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ନଦୀ ସଂଯୋଗୀକରଣ ପଦକ୍ଷେପ ଆରମ୍ଭ କରିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ରେଖାଙ୍କିତ କରିଥିଲେ ଯେ ନୂତନ ରାଜ୍ୟ ସରକାର ଗଠନ ହେବା ସହିତ ପୋଲାଭରମ ପ୍ରକଳ୍ପ ନୂତନ ଗତି ଲାଭ କରିଛି। ସେ କହିଥିଲେ ଯେ ଆନ୍ଧ୍ରପ୍ରଦେଶର ଲକ୍ଷ ଲକ୍ଷ ଲୋକ ଏହି ପ୍ରକଳ୍ପ ଦ୍ୱାରା ସେମାନଙ୍କ ଜୀବନରେ ପରିବର୍ତ୍ତନ ଦେଖିବାକୁ ପାଇବେ। ସେ ପୁନର୍ବାର ଦୋହରାଇଥିଲେ ଯେ ପୋଲାଭରମ ପ୍ରକଳ୍ପର ସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେମାନଙ୍କ ସରକାର ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି।

ଦଶନ୍ଧି ଦଶନ୍ଧି ଧରି ଭାରତକୁ ଏକ ମହାକାଶ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଆନ୍ଧ୍ରପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀହରିକୋଟାରୁ ଆରମ୍ଭ କରାଯାଇଥିବା ପ୍ରତ୍ୟେକ ଅଭିଯାନ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଗର୍ବରେ ଭରିଦେଇଥାଏ, ଯାହା ଦେଶର ଯୁବକମାନଙ୍କୁ ମହାକାଶ ଅନ୍ୱେଷଣ ଦିଗରେ ପ୍ରେରିତ କରିଥାଏ। ସେ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ବିକାଶ ଘୋଷଣା କରି କହିଥିଲେ ଯେ ଏକ ନୂତନ ପ୍ରତିରକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଡିଆରଡିଓ ର ନୂତନ କ୍ଷେପଣାସ୍ତ୍ର ପରୀକ୍ଷଣ ପରିସର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ନାଗାୟାଲଙ୍କାର ନବଦୁର୍ଗା ପରୀକ୍ଷଣ ରେଞ୍ଜ ଭାରତର ପ୍ରତିରକ୍ଷା ସାମର୍ଥ୍ୟ ପାଇଁ ଏକ ଶକ୍ତି ଗୁଣକ ଭାବରେ କାର୍ଯ୍ୟ କରିବ, ଯାହା ମା ଦୁର୍ଗାଙ୍କ ଦିବ୍ୟ ଶକ୍ତିରୁ ଶକ୍ତି ସଂଗ୍ରହ କରିବ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସେ ଦେଶର ବୈଜ୍ଞାନିକ ଏବଂ ଆନ୍ଧ୍ର ପ୍ରଦେଶର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ।

“ଭାରତର ଶକ୍ତି କେବଳ ଏହାର ଅସ୍ତ୍ରଶସ୍ତ୍ରରେ ନୁହେଁ ବରଂ ଏହାର ଏକତାରେ ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକତା ମଲ୍ ମାଧ୍ୟମରେ ଏହି ଏକତାର ଭାବନା ଆହୁରି ଦୃଢୀଭୂତ ହୋଇଛି, ଯାହା ସାରା ଦେଶର ସହରରେ ସ୍ଥାପିତ ହେଉଛି। ସେ ଘୋଷଣା କରିଥିଲେ ଯେ ବିଶାଖାପାଟଣାର ଖୁବ୍ ଶୀଘ୍ର ନିଜର ଏକତା ମଲ୍ ହେବ, ଯେଉଁଠାରେ ସାରା ଭାରତର କାରିଗରମାନେ ସେମାନଙ୍କ ଉତ୍ପାଦକୁ ଗୋଟିଏ ଛାତ ତଳେ ପ୍ରଦର୍ଶନ କରିବେ। ସେ ଉଲ୍ଲେଖ କରିଥିଲେ ଯେ ଏହି ମଲ ଗୁଡ଼ିକ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ସହିତ “ଏକ ଭାରତ, ଶ୍ରେଷ୍ଠ ଭାରତ” ଦୃଷ୍ଟିକୋଣକୁ ସୁଦୃଢ଼ କରିବା ସହିତ ଭାରତର ସମୃଦ୍ଧ ବିବିଧତା ସହିତ ଲୋକମାନଙ୍କୁ ଯୋଡ଼ିଦେବ।

ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଚଳିତ ବର୍ଷର ଆନ୍ତର୍ଜାତୀୟ ଯୋଗ ଦିବସ (ଜୁନ ୨୧) ଆନ୍ଧ୍ର ପ୍ରଦେଶରେ ପାଳନ କରାଯିବ ଏବଂ ସେ ମଧ୍ୟ ଏଥିରେ ଯୋଗଦେବେ। ଆଗାମୀ ୫୦ ଦିନ ମଧ୍ୟରେ ଯୋଗ ଉପରେ ଅଧିକ କାର୍ଯ୍ୟକଳାପ ଆରମ୍ଭ କରି ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଆନ୍ଧ୍ର ପ୍ରଦେଶରେ ସ୍ୱପ୍ନଦ୍ରଷ୍ଟା କିମ୍ବା ସଫଳ ବ୍ୟକ୍ତିଙ୍କ ଅଭାବ ନାହିଁ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ରାଜ୍ୟ ସଠିକ୍ ପଥରେ ଅଛି ଏବଂ ଅଭିବୃଦ୍ଧି ପାଇଁ ସଠିକ୍ ଗତି ଗ୍ରହଣ କରିଛି। ସେ ଆନ୍ଧ୍ରପ୍ରଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବାରେ ନିରନ୍ତର ଗତି ପାଇଁ ଅନୁରୋଧ କରିଥିଲେ ଏବଂ ତାଙ୍କ ଅତୁଟ ସମର୍ଥନକୁ ଆଶ୍ୱସ୍ତ କରି ଅଭିଭାଷଣ ଶେଷ କରି କହିଥିଲେ ଯେ ସେ ସେମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହେବେ।

ଏହି କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଶ୍ରୀ ସୟଦ ଅବଦୁଲ ନଜିର, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ସାରା ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ଯୋଗାଯୋଗ ସୁନିଶ୍ଚିତ କରିବା ଲାଗି ତାଙ୍କ ପ୍ରତିବଦ୍ଧତାର ଅନୁରୂପ ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶରେ ୭ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥର ବିଭିନ୍ନ ଭାଗର ସମ୍ପ୍ରସାରଣ, ଫ୍ଲାଇ ଓଭର ବ୍ରିଜ୍ ଏବଂ ଭୂତଳ ରାସ୍ତା ନିର୍ମାଣ ଆଦି ସାମିଲ ରହିଛି। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ସୁରକ୍ଷାକୁ ଆହୁରି ବୃଦ୍ଧି କରିବ; ନିଯୁକ୍ତି ସୁଯୋଗ ସୃଷ୍ଟି କରିବ; ତିରୁପତି, ଶ୍ରୀକାଳହସ୍ତି, ମାଲାକୋଣ୍ଡା ଏବଂ ଉଦୟଗିରି ଦୁର୍ଗ ଭଳି ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥଳୀକୁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ।

ଯୋଗାଯୋଗ ବୃଦ୍ଧି ଏବଂ କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ରେଳ ପ୍ରକଳ୍ପଗୁଡ଼ିକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବୁଗ୍ଗନାପାଲେ ସିମେଣ୍ଟ ନଗର ଏବଂ ପାନ୍ୟମ ଷ୍ଟେସନ ମଧ୍ୟରେ ରେଳ ଲାଇନର ଦୋହରୀକରଣ, ରାୟଲସୀମା ଏବଂ ଅମରାବତୀ ମଧ୍ୟରେ ଯୋଗାଯୋଗ ବୃଦ୍ଧି ଏବଂ ନ୍ୟୁ ୱେଷ୍ଟ ବ୍ଲକ ହଟ କେବିନ ଏବଂ ବିଜୟୱାଡା ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ।

ପ୍ରଧାନମନ୍ତ୍ରୀ ୬ଟି ଜାତୀୟ ରାଜପଥ ପ୍ରକଳ୍ପ ଏବଂ ଗୋଟିଏ ରେଳ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥର ବିଭିନ୍ନ ଭାଗକୁ ପ୍ରଶସ୍ତ କରିବା; ଏଲିଭେଟେଡ୍ କରିଡର, ହାଫ କ୍ଲୋଭର୍ ଲିଫ୍ ଏବଂ ରୋଡ୍ ଓଭର ବ୍ରିଜ୍ ନିର୍ମାଣ ଆଦି ସାମିଲ ରହିଛି। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗ, ଆନ୍ତଃରାଜ୍ୟ ଯାତ୍ରାରେ ଉନ୍ନତି ଆଣିବ, ଭିଡ଼ ହ୍ରାସ କରିବ ଏବଂ ସାମଗ୍ରିକ ଲଜିଷ୍ଟିକ୍ସ ଦକ୍ଷତାରେ ଉନ୍ନତି ଆଣିବ। ଗୁଣ୍ଟାକାଲ ପଶ୍ଚିମ ଏବଂ ମାଲ୍ଲପ୍ପା ଗେଟ୍ ଷ୍ଟେସନ ମଧ୍ୟରେ ରେଳ ଓଭର ରେଲ୍ ନିର୍ମାଣର ଉଦ୍ଦେଶ୍ୟ ହେଉଛି ମାଲବାହୀ ଟ୍ରେନ୍ଗୁଡ଼ିକୁ ବାଇପାସ୍ କରିବା ଏବଂ ଗୁଣ୍ଟାକାଲ ଜଙ୍କସନରେ ଭିଡ଼ ହ୍ରାସ କରିବା।

ପ୍ରଧାନମନ୍ତ୍ରୀ ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଯେଉଁଥିରେ ବିଧାନସଭା, ହାଇକୋର୍ଟ, ସଚିବାଳୟ, ଅନ୍ୟାନ୍ୟ ପ୍ରଶାସନିକ କୋଠା ଏବଂ ୫୨୦୦ ରୁ ଅଧିକ ପରିବାର ପାଇଁ ଆବାସ ଭବନ ଅନ୍ତର୍ଭୁକ୍ତ, ଯାହାର ମୂଲ୍ୟ ୧୧,୨୪୦ କୋଟିରୁ ଅଧିକ। ଏଥିରେ ବୃହତ୍‍ ଭିତ୍ତିଭୂମି ଏବଂ ବନ୍ୟା ପ୍ରଶମନ ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ ହେବ, ଯେଉଁଥିରେ ୧୭,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭୂତଳ ଉପଯୋଗିତା ଏବଂ ଉନ୍ନତ ବନ୍ୟା ପରିଚାଳନା ବ୍ୟବସ୍ଥା ସହିତ ୩୨୦ କିଲୋମିଟର ବିଶ୍ୱସ୍ତରୀୟ ପରିବହନ ନେଟୱାର୍କ ରହିବ। ଲ୍ୟାଣ୍ଡ ପୁଲିଂ ସ୍କିମ୍ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ରାଜଧାନୀ ଅମରାବତୀରେ କେନ୍ଦ୍ରୀୟ ମଧ୍ୟମ, ସାଇକେଲ ଟ୍ରାକ୍ ଏବଂ ସମନ୍ୱିତ ଉପଯୋଗିତାରେ ସଜ୍ଜିତ ୧୨୮୧ କିଲୋମିଟର ସଡ଼କକୁ ଅନ୍ତର୍ଭୁକ୍ତ କରିବ, ଯାହାର ମୂଲ୍ୟ ୨୦,୪୦୦ କୋଟି ଟଙ୍କାରୁ ଅଧିକ।

ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ଧ୍ରପ୍ରଦେଶର ନାଗାୟାଲଙ୍କାରେ ପ୍ରାୟ ୧୪୬୦ କୋଟି ଟଙ୍କା ମୂଲ୍ୟର କ୍ଷେପଣାସ୍ତ୍ର ପରୀକ୍ଷଣ ରେଞ୍ଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ଏକ ଉତକ୍ଷେପଣ କେନ୍ଦ୍ର, ବୈଷୟିକ ଉପକରଣ ସୁବିଧା, ସ୍ୱଦେଶୀ ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ ସିଷ୍ଟମ ରହିବ ଯାହା ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ବୃଦ୍ଧି କରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ବିଶାଖାପାଟଣାର ମଧୁରୱାଡା ଠାରେ ପିଏମ ଏକତା ମଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜାତୀୟ ଏକତାକୁ ପ୍ରୋତ୍ସାହିତ କରିବା, ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପକୁ ସମର୍ଥନ କରିବା, ଏକ ଜିଲ୍ଲା ଏକ ଉତ୍ପାଦକୁ ପ୍ରୋତ୍ସାହିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଗ୍ରାମୀଣ କାରିଗରମାନଙ୍କୁ ସଶକ୍ତ କରିବା ଏବଂ ସ୍ୱଦେଶୀ ଉତ୍ପାଦଗୁଡ଼ିକର ବଜାର ଉପସ୍ଥିତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହାର ପରିକଳ୍ପନା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

କେରଳରେ ୮୮୦୦ କୋଟି ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁଅନନ୍ତପୁରମରେ ୮,୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଭଗବାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମବାର୍ଷିକୀର ପବିତ୍ର ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତିନି ବର୍ଷ ପୂର୍ବେ ସେପ୍ଟେମ୍ବର ମାସରେ, ସେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୂଜ୍ୟ ଜନ୍ମସ୍ଥାନ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ। ତାଙ୍କ ସଂସଦୀୟ କ୍ଷେତ୍ର କାଶୀର ବିଶ୍ୱନାଥ ଧାମ ପରିସରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ। ଏହି ପ୍ରତିଷ୍ଠାନ ଆଦି ଶଙ୍କରାଚାର୍ଯ୍ୟଙ୍କ ବ୍ୟାପକ ଆଧ୍ୟାତ୍ମିକ ଜ୍ଞାନ ଏବଂ ଶିକ୍ଷା ପ୍ରତି ଏକ ଶ୍ରଦ୍ଧାଞ୍ଜଳିର ସ୍ୱରୂପ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ସେ ଆହୁରି ମଧ୍ୟ ଉଲ୍ଲେଖ  କରିଥିଲେ ଯେ ତାଙ୍କୁ ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦିବ୍ୟ ପ୍ରତିମା ଉନ୍ମୋଚନ କରିବାର ଗୌରବ ମଧ୍ୟ ମିଳିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଆଉ ଏକ ସ୍ୱତନ୍ତ୍ର ଅବସର, କାରଣ ଆଜି କେଦାରନାଥ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଛି। କେରଳରୁ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ଦେଶର ବିଭିନ୍ନ କୋଣରେ ମଠ ପ୍ରତିଷ୍ଠା କରିଥିଲେ, ଯାହା ଦ୍ୱାରା ଜାତୀୟ ଚେତନା ଜାଗ୍ରତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଆଦି ଶଙ୍କରଙ୍କ ପ୍ରୟାସ ଏକ ସୁସଂହତ ଏବଂ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ ଭାରତ ପାଇଁ ମୂଳଦୁଆ ସ୍ଥାପନ କରିଥିଲା।

ଶ୍ରୀ ମୋଦୀ କହିଥିଲେ, କେରଳର ଗୋଟିଏ ପାର୍ଶ୍ୱରେ ରହିଥିବା ଅପାର ସମ୍ଭାବନାରେ ପରିପୂର୍ଣ୍ଣ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ପ୍ରକୃତିର ମନୋରମ ସୌନ୍ଦର୍ଯ୍ୟ ଏହାର ମହିମାକୁ ଆହୁରି ବୃଦ୍ଧି କରିଛି। ଏସବୁ ମଧ୍ୟରେ, ଭିଜିଞ୍ଜାମ ଗଭୀର ଜଳ ସମୁଦ୍ର ବନ୍ଦର ଏବେ ନୂତନ ଯୁଗର ବିକାଶର ପ୍ରତୀକ ଭାବରେ ଉଭା ହୋଇଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସେ କେରଳବାସୀ ଏବଂ ସମଗ୍ର ଦେଶକୁ ଅଭିନନ୍ଦନ ଜଣାଇଛନ୍ତି।

ଭିଜିଞ୍ଜାମ ଗଭୀର ଜଳ ସମୁଦ୍ର ବନ୍ଦରକୁ ୮୮୦୦ କୋଟି ଟଙ୍କା ଖର୍ଚ୍ଚରେ ବିକଶିତ କରାଯାଇଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଗାମୀ ବର୍ଷ ଗୁଡ଼ିକରେ ଏହି ଟ୍ରାନ୍ସସିପମେଣ୍ଟ ହବ୍‌ର କ୍ଷମତା ତିନିଗୁଣ ବୃଦ୍ଧି ପାଇବ, ଯାହା ଦ୍ୱାରା ବିଶ୍ୱର କିଛି ବୃହତ୍ତମ ମାଲବାହୀ ଜାହାଜର ସୁଗମ ଆଗମନ ସମ୍ଭବ ହେବ।

ଭାରତର ୭୫% ଟ୍ରାନ୍ସସିପମେଣ୍ଟ କାର୍ଯ୍ୟ ପୂର୍ବରୁ ବିଦେଶୀ ବନ୍ଦର ଗୁଡ଼ିକରେ କରାଯାଉଥିଲା, ଯାହା ଫଳରେ ଦେଶ ପାଇଁ ଯଥେଷ୍ଟ ରାଜସ୍ୱ କ୍ଷତି ହେଉଥିଲା ବୋଲି ସେ ଦର୍ଶାଇଥିଲେ। ଏହି ପରିସ୍ଥିତି ଏବେ ବଦଳିବାକୁ ଯାଉଛି ବୋଲି ଗୁରୁତ୍ୱାରୋପ କରି ସେ ଦୃଢ଼ତାର ସହିତ କହିଥିଲେ ଯେ, ଭାରତର ଟଙ୍କା ଏବେ ଭାରତର ସେବା କରିବ ଏବଂ ଦେଶ ବାହାରେ ପ୍ରବାହିତ ହେଉଥିବା ପାଣ୍ଠି ଏବେ କେରଳ ଏବଂ ଭିଜିଞ୍ଜାମର ଲୋକଙ୍କ ପାଇଁ ନୂତନ ଆର୍ଥିକ ସୁଯୋଗ ସୃଷ୍ଟି କରିବ।

ଶ୍ରୀ ମୋଦୀ ମତ ଦେଇଥିଲେ ଯେ ଉପନିବେଶବାଦୀ ଶାସନ ପୂର୍ବରୁ ଭାରତ ଶତାବ୍ଦୀର ସମୃଦ୍ଧି ଦେଖିଥିଲା, ସେ ଗୁରୁତ୍ୱାରୋପ କରିଥିଲେ ଯେ ଏମିତି ଏକ ସମୟ ଥିଲା, ଯେତେବେଳେ ବିଶ୍ୱ ଜିଡିପିରେ ଭାରତର ଏକ ପ୍ରମୁଖ ଅଂଶ ଥିଲା। ସେହି ଯୁଗରେ ଭାରତକୁ ଅନ୍ୟ ରାଷ୍ଟ୍ରମାନଙ୍କଠାରୁ ଭିନ୍ନ କରୁଥିବା ବିଷୟ ହେଉଛି ଏହାର ସାମୁଦ୍ରିକ କ୍ଷମତା ଏବଂ ବନ୍ଦର ସହରଗୁଡ଼ିକର ଆର୍ଥିକ କାର୍ଯ୍ୟକଳାପ ବୋଲି ସେ ଆଲୋକପାତ କରିଥିଲେ । ଏହି ସାମୁଦ୍ରିକ ଶକ୍ତି ଏବଂ ଆର୍ଥିକ ଅଭିବୃଦ୍ଧିରେ କେରଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉଲ୍ଲେଖ କରି, ସେ ସାମୁଦ୍ରିକ ବାଣିଜ୍ୟରେ କେରଳର ଐତିହାସିକ ଭୂମିକା ଉପରେ ଆଲୋକପାତ କରିଥିଲେ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଆରବ ସାଗର ଦେଇ ଭାରତ ବହୁ ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ବଜାୟ ରଖିଛି। ସେ ଉଲ୍ଲେଖ କରିଥିଲେ ଯେ କେରଳରୁ ଜାହାଜଗୁଡ଼ିକ ବିଭିନ୍ନ ଦେଶକୁ ସାମଗ୍ରୀ ପରିବହନ କରିଥାଏ, ଯାହା ଏହାକୁ ବିଶ୍ୱ ବାଣିଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର କରିଥାଏ। ଆଜି, ଭାରତ ସରକାର ଏହି ଆର୍ଥିକ ଶକ୍ତିର ପଥକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ” ବୋଲି ସେ କହିବା ସହିତ  ଦୃଢ଼ତାର ସହିତ ଏହା ଉଲ୍ଲେଖ କରିଥିଲେ ଯେ, “ଭାରତର ଉପକୂଳବର୍ତ୍ତୀ ରାଜ୍ୟ ଏବଂ ବନ୍ଦର ସହରଗୁଡ଼ିକ ଏକ ବିକଶିତ ଭାରତର ଅଭିବୃଦ୍ଧିର ପ୍ରମୁଖ କେନ୍ଦ୍ର ହେବ”।

“ଯେତେବେଳେ ଭିତ୍ତିଭୂମି ଏବଂ ବ୍ୟବସାୟ କରିବାର ସହଜତାକୁ ଏକାଠି ପ୍ରୋତ୍ସାହିତ କରାଯାଏ, ବନ୍ଦର ଅର୍ଥନୀତି ଏହାର ପୂର୍ଣ୍ଣ ସମ୍ଭାବନାରେ ପହଞ୍ଚିଥାଏ” ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସେ ଆଲୋକପାତ କରିଥିଲେ ଯେ , ସରକାର ରାଜ୍ୟଗୁଡ଼ିକର ଶିଳ୍ପ କାର୍ଯ୍ୟକଳାପ ଏବଂ ସାମଗ୍ରିକ ବିକାଶ ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିଛନ୍ତି। ସେ ଆହୁରି ମଧ୍ୟ ମନ୍ତବ୍ୟ ଦେଇଥିଲେ ଯେ, ଭାରତ ସରକାର, ରାଜ୍ୟ ସରକାରଙ୍କ ସହଯୋଗରେ, ସାଗରମାଳା ପ୍ରକଳ୍ପ ଅଧୀନରେ ବନ୍ଦର ଭିତ୍ତିଭୂମିକୁ ଉନ୍ନତ କରିଛନ୍ତି ଏବଂ ବନ୍ଦର ସଂଯୋଗୀକରଣକୁ ସୁଦୃଢ଼ କରିଛନ୍ତି।

ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଅଧୀନରେ, ସୁଗମ ସଂଯୋଗୀକରଣ ପାଇଁ ଜଳପଥ, ରେଳପଥ, ରାଜପଥ ଏବଂ ବାୟୁପଥକୁ ଦ୍ରୁତ ଗତିରେ ସଂଯୋଜିତ କରାଯାଉଛି। ବ୍ୟବସାୟ କରିବାର ସହଜତାରେ ଏହି ସଂସ୍କାରଗୁଡ଼ିକ ବନ୍ଦର ଏବଂ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ନିବେଶକୁ ନେଇଛି ବୋଲି ସେ କହିଥିଲେ ।  ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ ସରକାର ଭାରତୀୟ ନାବିକମାନଙ୍କ ସମ୍ଵନ୍ଧୀୟ ନିୟମାବଳୀରେ ମଧ୍ୟ ସଂସ୍କାର ଆଣିଛନ୍ତି, ଯାହାର ଗୁରୁତ୍ୱପୂର୍ଣ୍ଣ ଫଳାଫଳ ମିଳିଛି। ସେ ଦର୍ଶାଇଥିଲେ ଯେ ୨୦୧୪ ମସିହାରେ ଭାରତୀୟ ନାବିକଙ୍କ ସଂଖ୍ୟା ୧.୨୫ ଲକ୍ଷରୁ କମ୍ ଥିଲା। ଆଜି ଏହି ସଂଖ୍ୟା ୩.୨୫ ଲକ୍ଷ ଅତିକ୍ରମ କରିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏବେ ନାବିକ ସଂଖ୍ୟା ଦୃଷ୍ଟିରୁ ବିଶ୍ୱ ସ୍ତରରେ ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ସ୍ଥାନ ପାଇଛି।

ବହୁ ଦଶନ୍ଧି ପୂର୍ବେ ବନ୍ଦର ଗୁଡ଼ିକରେ ଜାହାଜଗୁଡ଼ିକୁ ଦୀର୍ଘ ସମୟ ଅପେକ୍ଷା କରିବା ଭଳି ସମସ୍ୟାର ସାମନା କରିବାକୁ ପଡୁଥିଲା, ଯାହା ଫଳରେ ଅନଲୋଡିଂ କାର୍ଯ୍ୟରେ ଯଥେଷ୍ଟ ବିଳମ୍ବ ହେଉଥିଲା, ଏହା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏହି ମାନ୍ଦାବସ୍ଥା ବ୍ୟବସାୟ, ଶିଳ୍ପ ଏବଂ ସାମଗ୍ରିକ ଅର୍ଥନୀତିକୁ ପ୍ରଭାବିତ କରିଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ପରିସ୍ଥିତି ଏବେ ପରିବର୍ତ୍ତିତ ହୋଇଛି ଏବଂ ଗତ ୧୦ ବର୍ଷ ମଧ୍ୟରେ, ଭାରତର ପ୍ରମୁଖ ବନ୍ଦରଗୁଡ଼ିକ ଜାହାଜ ଘୁରି ବୁଲିବା ସମୟକୁ ୩୦% ହ୍ରାସ କରିଛନ୍ତି, ଯାହା ଫଳରେ କାର୍ଯ୍ୟକ୍ଷମତାରେ ଉନ୍ନତି ଘଟିଛି। ସେ ମନ୍ତବ୍ୟ ଦେଇଥିଲେ ଯେ, ବର୍ଦ୍ଧିତ ବନ୍ଦର ଦକ୍ଷତା ଯୋଗୁଁ, ଭାରତ ଏବେ କମ୍ ସମୟ ମଧ୍ୟରେ ଅଧିକ ପରିମାଣର ମାଲ ପରିବହନ କରୁଛି, ଯାହା ଦେଶର ଲଜିଷ୍ଟିକ୍ସ ଏବଂ ବାଣିଜ୍ୟ କ୍ଷମତାକୁ ସୁଦୃଢ଼ କରୁଛି।

“ଭାରତର ସାମୁଦ୍ରିକ ସଫଳତା ଏକ ଦଶନ୍ଧିର ଦୃଷ୍ଟିକୋଣ ଏବଂ ପ୍ରୟାସର ପରିଣାମ”, ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହିତ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତ ଏହାର ବନ୍ଦର ଗୁଡ଼ିକର କ୍ଷମତା ଦ୍ୱିଗୁଣିତ କରିଛି ଏବଂ ଏହାର ଜାତୀୟ ଜଳପଥକୁ ଆଠ ଗୁଣ ବିସ୍ତାର କରିଛି। ସେ ଉଲ୍ଲେଖ କରିଥିଲେ ଯେ ଆଜି ଦୁଇଟି ଭାରତୀୟ ବନ୍ଦର ବିଶ୍ୱର ଶ୍ରେଷ୍ଠ ୩୦ ବନ୍ଦର ମଧ୍ୟରେ ସ୍ଥାନ ପାଇଛି, ଯେତେବେଳେ କି ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଭାରତର ସ୍ଥାନ ମଧ୍ୟ ଉନ୍ନତ ହୋଇଛି। ଏହା ସହିତ, ସେ ସୂଚାଇଥିଲେ ଯେ ଭାରତ ଏବେ ବିଶ୍ୱ ଜାହାଜ ନିର୍ମାଣରେ ଶ୍ରେଷ୍ଠ ୨୦ଟି ଦେଶ ମଧ୍ୟରେ ଅଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ମନ୍ତବ୍ୟ ଦେଇଥିଲେ ଯେ ଦେଶର ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପରେ, ଏବେ ବିଶ୍ୱ ବାଣିଜ୍ୟରେ ଭାରତର ରଣନୈତିକ ସ୍ଥିତି ଆଡ଼କୁ ଧ୍ୟାନ ଦିଆଯାଇଛି। ସେ ସାମୁଦ୍ରିକ ଅମୃତ କାଳ ଦୃଷ୍ଟିକୋଣର ଶୁଭାରମ୍ଭ ଘୋଷଣା କରିଥିଲେ, ଯାହା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଭାରତର ସାମୁଦ୍ରିକ ରଣନୀତିକୁ ରୂପରେଖ ପ୍ରଦାନ କରେ। ସେ ଜି – ୨୦ ଶିଖର ସମ୍ମିଳନୀକୁ ମନେ ପକାଇଲେ, ଯେଉଁଠାରେ ଭାରତ ଅନେକ ପ୍ରମୁଖ ଦେଶ ସହିତ ସହଯୋଗ କରି ଭାରତ – ମଧ୍ୟପ୍ରାଚ୍ୟ – ୟୁରୋପ ଅର୍ଥନୈତିକ କରିଡର ପ୍ରତିଷ୍ଠା କରିଥିଲା, ଯେଉଁ କରିଡରରେ କେରଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ  ଆଲୋକପାତ କରାଯାଇଥୁଲା।

ଭାରତର ସାମୁଦ୍ରିକ ଶିଳ୍ପକୁ ନୂତନ ଉଚ୍ଚତାରେ ପହଞ୍ଚାଇବାରେ ଘରୋଇ କ୍ଷେତ୍ରର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ, ସରକାରୀ – ବେସରକାରୀ ସହଭାଗୀତା ଅଧୀନରେ ଗତ ୧୦ ବର୍ଷ ମଧ୍ୟରେ ହଜାର ହଜାର କୋଟି ଟଙ୍କା ନିବେଶ କରାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ସହଯୋଗ ଭାରତର ବନ୍ଦରଗୁଡ଼ିକୁ କେବଳ ବିଶ୍ୱ ମାନଦଣ୍ଡରେ ଉନ୍ନୀତ କରିନାହିଁ ବରଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିଛି। ଘରୋଇ କ୍ଷେତ୍ରର ଅଂଶଗ୍ରହଣ ନବସୃଜନକୁ ପ୍ରେରଣା ଦେଇଛି ଏବଂ ଦକ୍ଷତା ବୃଦ୍ଧି କରିଛି ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଭାରତ କୋଚିରେ ଏକ ଜାହାଜ ନିର୍ମାଣ ଏବଂ ମରାମତି କ୍ଲଷ୍ଟର ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହା ସମ୍ପୂର୍ଣ୍ଣ ହେବା ପରେ, ଏହି କ୍ଲଷ୍ଟର ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଯାହା କେରଳର ସ୍ଥାନୀୟ ପ୍ରତିଭା ଏବଂ ଯୁବପିଢ଼ିଙ୍କୁ ଅଭିବୃଦ୍ଧି ପାଇଁ ଏକ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ , ଭାରତ ଏବେ ଏହାର ଜାହାଜ ନିର୍ମାଣ କ୍ଷମତାକୁ ସୁଦୃଢ଼ କରିବା ପାଇଁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସ୍ଥିର କରୁଛି। ସେ ଉଲ୍ଲେଖ କରିଥିଲେ ଯେ, ଚଳିତ ବର୍ଷର କେନ୍ଦ୍ର ବଜେଟରେ ଭାରତରେ ବଡ଼ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ନୀତି ପ୍ରଣୟନ କରାଯାଇଛି, ଯାହା ଉତ୍ପାଦନ କ୍ଷେତ୍ରକୁ ଯଥେଷ୍ଟ ପ୍ରୋତ୍ସାହିତ କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପଦକ୍ଷେପ ଏମଏସଏମଇ ପାଇଁ ସିଧାସଳଖ ଲାଭଦାୟକ ହେବ, ଯାହା ଦେଶବ୍ୟାପୀ ବହୁ ସଂଖ୍ୟକ ନିଯୁକ୍ତି ଏବଂ ଉଦ୍ୟୋଗୀ ହେବା ପାଇଁ ସୁଯୋଗ ସୃଷ୍ଟି କରିବ।

“ଯେତେବେଳେ ଭିତ୍ତିଭୂମି ନିର୍ମାଣ ହୁଏ, ବାଣିଜ୍ୟ ବିସ୍ତାର ହୁଏ ଏବଂ ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ହୁଏ ସେତେବେଳେ ପ୍ରକୃତ ବିକାଶ ହାସଲ ହୁଏ” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଗତ ୧୦ ବର୍ଷ ମଧ୍ୟରେ କେରଳର ଲୋକମାନେ ଦ୍ରୁତ ପ୍ରଗତି ଦେଖିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, କୋଲାମ ବାଇପାସ୍ ଏବଂ ଆଲାପୁଝା ବାଇପାସ୍ ଭଳି ପ୍ରକଳ୍ପ , ଯାହା ବର୍ଷ ବର୍ଷ ଧରି ଅଟକି ରହିଥିଲା, ଭାରତ ସରକାର ସେଗୁଡ଼ିକୁ ଆଗକୁ ବଢ଼ାଉଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ , କେରଳକୁ ଆଧୁନିକ ବନ୍ଦେ ଭାରତ ଟ୍ରେନ ଯୋଗାଇ ଦିଆଯାଇଛି, ଯାହା ଏହାର ପରିବହନ ନେଟୱାର୍କ ଏବଂ ସଂଯୋଗକୁ ଆହୁରି ସୁଦୃଢ଼ କରିଛି।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ , ଭାରତ ସରକାର ଏହି ନୀତିରେ ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଯେ କେରଳର ବିକାଶ ଭାରତର ସାମଗ୍ରିକ ଅଭିବୃଦ୍ଧିରେ ଯୋଗଦାନ ଦିଏ । ସେ ମନ୍ତବ୍ୟ ଦେଇଥିଲେ ଯେ,  ସରକାର ସହଯୋଗୀ ସଂଘୀୟତାର ଭାବନାରେ କାର୍ଯ୍ୟ କରୁଛନ୍ତି, ଗତ ଦଶନ୍ଧି ମଧ୍ୟରେ ପ୍ରମୁଖ ସାମାଜିକ ମାନଦଣ୍ଡରେ କେରଳର ପ୍ରଗତି ସୁନିଶ୍ଚିତ କରୁଛନ୍ତି। ସେ ଜଳ ଜୀବନ ମିଶନ, ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା ସମେତ କେରଳର ଲୋକମାନଙ୍କୁ ଲାଭ ପହଞ୍ଚାଇଥିବା ଅନେକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏକ ସର୍ବୋଚ୍ଚ ପ୍ରାଥମିକତା ବୋଲି ପୁନରାବୃତ୍ତି କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନୀଳ ବିପ୍ଳବ ଏବଂ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ କେରଳ ପାଇଁ ଶହ ଶହ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି। ସେ ପୋନାନି ଏବଂ ପୁଥିୟାପ୍ପା ସମେତ ମାଛ ଧରିବା ବନ୍ଦରଗୁଡ଼ିକର ଆଧୁନିକୀକରଣ ଉପରେ ଆହୁରି ଆଲୋକପାତ କରିଥିଲେ । ଏହା ସହିତ, ସେ ମନ୍ତବ୍ୟ ଦେଇଥିଲେ ଯେ କେରଳର ହଜାର ହଜାର ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରାଯାଇଛି, ଯାହା ସେମାନଙ୍କୁ ଶହ ଶହ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିପାରିଛି।

କେରଳ ସର୍ବଦା ସଦୟତା ଏବଂ ସହନଶୀଳତାର ଭୂମି ହୋଇ ରହିଆସିଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଶହ ଶହ ବର୍ଷ ପୂର୍ବରୁ, ବିଶ୍ୱର ସବୁଠାରୁ ପୁରୁଣା ଚର୍ଚ୍ଚ ମଧ୍ୟରୁ ଗୋଟିଏ ସେଣ୍ଟ ଥମାସ ଚର୍ଚ୍ଚ ଏଠାରେ ପ୍ରତିଷ୍ଠିତ ହୋଇଥିଲା। କିଛି ଦିନ ପୂର୍ବେ ପୋପ୍ ଫ୍ରାନ୍ସିସ୍ ଙ୍କ ଦେହାନ୍ତ ପରେ ସାରା ବିଶ୍ୱକୁ ଦୁଃଖ ଦେଇଥିବା ସାମ୍ପ୍ରତିକ ମୁହୂର୍ତ୍ତକୁ ସେ ସ୍ୱୀକାର କରିଛନ୍ତି, ଯାହା ଏକ ଗଭୀର ଐତିହ୍ୟ ଛାଡିଯାଇଛି। ସେ ଆହୁରି କହିଛନ୍ତି ଯେ , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅନ୍ତିମ ସଂସ୍କାରରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ରାଷ୍ଟ୍ର ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶ୍ରୀ ମୋଦୀ ପୁଣି ଥରେ କେରଳର ପବିତ୍ର ଭୂମିରୁ ଏହି କ୍ଷତିରେ ଶୋକ କରୁଥିବା ସମସ୍ତଙ୍କ ପ୍ରତି ତାଙ୍କର ସମବେଦନା ପ୍ରକାଶ କରିଛନ୍ତି।

ପୋପ୍ ଫ୍ରାନ୍ସିସ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ତାଙ୍କର ସେବା ମନୋଭାବ ଏବଂ ଖ୍ରୀଷ୍ଟିଆନ ପରମ୍ପରା ମଧ୍ୟରେ ସମାବେଶୀତାକୁ ସୁନିଶ୍ଚିତ କରିବା ପାଇଁ ତାଙ୍କ ପ୍ରୟାସକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ବିଶ୍ୱ ସର୍ବଦା ତାଙ୍କ ଅବଦାନକୁ ମନେ ରଖିବ। ସେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିଥିଲେ, ପୋପ୍ ଫ୍ରାନ୍ସିସ୍ ଙ୍କୁ ଭେଟିବାର ଅନେକ ସୁଯୋଗ ପାଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ , ସେ ତାଙ୍କଠାରୁ ବିଶେଷ ଶ୍ରଦ୍ଧା ପାଇଥିଲେ ଏବଂ ମାନବତା, ସେବା ଏବଂ ଶାନ୍ତି ଉପରେ ସେମାନଙ୍କର ଆଲୋଚନାକୁ ପ୍ରଶଂସା କରିଥିଲେ, ଯାହା ତାଙ୍କୁ ପ୍ରେରଣା ଦେଇ ଚାଲିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ କେରଳକୁ ବିଶ୍ୱ ସାମୁଦ୍ରିକ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ଭାବରେ କଳ୍ପନା କରିଥିଲେ , ଯାହା ହଜାର ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବ ବୋଲି କହିଥି​‌ଲେ। ଏହି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ସହିତ ମିଶି କାର୍ଯ୍ୟ କରୁଥିବା ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ସେ ପୁନର୍ବାର ଦୋହରାଇଥିଲେ। ଶ୍ରୀ ମୋଦୀ କେରଳର ଲୋକଙ୍କ ଦକ୍ଷତା ଉପରେ ବିଶ୍ୱାସ ପ୍ରକାଶ କରି ଶେଷରେ କହିଥିଲେ ଯେ, “ଭାରତର ସାମୁଦ୍ରିକ କ୍ଷେତ୍ର ନୂତନ ଶିଖରରେ ପହଞ୍ଚିବ”।

କେରଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ, ଶ୍ରୀ ଜର୍ଜ କୁରିଏନ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦର ହେଉଛି ଦେଶର ପ୍ରଥମ ସମର୍ପିତ କଣ୍ଟେନର ଟ୍ରାନ୍ସସିପମେଣ୍ଟ ବନ୍ଦର।

ଭିଜିଞ୍ଜାମ ବନ୍ଦରକୁ ଏକ ପ୍ରମୁଖ ପ୍ରାଥମିକତା ପ୍ରକଳ୍ପ ଭାବରେ ଚିହ୍ନଟ କରାଯାଇଛି , ଯାହା ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା, ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ଏବଂ କାର୍ଗୋ ପରିବହନ ପାଇଁ ବିଦେଶୀ ବନ୍ଦର ଉପରେ ନିର୍ଭରତା ହ୍ରାସ କରିବାରେ ଯୋଗଦାନ କରିବ। ଏହାର ପ୍ରାକୃତିକ ଗଭୀରତା ପ୍ରାୟ ୨୦ ମିଟର ଏବଂ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ବାଣିଜ୍ୟ ମାର୍ଗ ମଧ୍ୟରୁ ଗୋଟିଏ ନିକଟରେ ଏହାର ଅବସ୍ଥିତି ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରେ।

Categories
ଆଜିର ଖବର ଜାତୀୟ ଖବର

ଯମୁନା ଶୁଦ୍ଧିକରଣ ଶ୍ରୀକୃଷ୍ଣ ଏବଂ ଯମୁନା ଜୀଙ୍କ ପ୍ରତି ଶ୍ରଦ୍ଧା ଥିବା ସମସ୍ତ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଗୁଜରାଟ ଦିବସ ଏବଂ ମହାରାଷ୍ଟ୍ର ଦିବସ ଅବସରରେ ଆଯ଼ୋଜିତ ମିଳନ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି. କେ. ସାକସେନା, କେନ୍ଦ୍ର ମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯମୁନେତ୍ରୀରୁ ପ୍ରଯ଼ାଗରାଜ ପର୍ଯ୍ୟନ୍ତ ଯମୁନା ନଦୀର ଜଳକୁ ଶୁଦ୍ଧ ଏବଂ ପବିତ୍ର କରିବା ଏବଂ ଦିଲ୍ଲୀରେ ସାବରମତୀ ଭଳି ଏକ ନଦୀ ମୁହାଣ ନିର୍ମାଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଯେ ଯମୁନାର ଶୁଦ୍ଧିକରଣ କେବଳ ଦିଲ୍ଲୀବାସୀ କିମ୍ବା ପଡୋଶୀ ରାଜ୍ୟ ନୁହେଁ ବରଂ ଶ୍ରୀକୃଷ୍ଣ ଏବଂ ଯମୁନା ଜୀଙ୍କ ପ୍ରତି ଶ୍ରଦ୍ଧା ଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବହୁତ ମହତ୍ବ ରଖିଛି ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ଏବଂ ମହାରାଷ୍ଟ୍ର ଏକ ଉତ୍କୃଷ୍ଟ ଉଦାହରଣ ଉପସ୍ଥାପନ କରିଛନ୍ତି ଯେ କିପରି ତିକ୍ତତା ବିନା ଗୋଟିଏ ରାଜ୍ୟରୁ ଗଠିତ ଦୁଇଟି ରାଜ୍ୟ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଏବଂ ପରସ୍ପରକୁ ସମ୍ମାନ ଦେଇ ସେମାନେ ନିଜ ସହିତ ଦେଶର ବିକାଶ କରିପାରିବେ। ସେ କହିଥିଲେ ଯେ ଯେଉଁମାନେ ପ୍ରତ୍ୟେକ ରାଜ୍ୟର ସୀମା, ଭାଷା ଏବଂ ସଂସ୍କୃତିକୁ ବିବାଦ ସୃଷ୍ଟି କରି ଦେଶକୁ ଭାଙ୍ଗି ଦେଉଛନ୍ତି, ସେମାନେ ନିଜ ଉଦ୍ଦେଶ୍ୟରେ ସଫଳ ହେଉଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏହି ସମସ୍ତ ବିଚାରକୁ ବିଫଳ କରି ଏକ ଭାରତ, ଶ୍ରେଷ୍ଠ ଭାରତର ଯେଉଁ ସଂକଳ୍ପ ନେଇଛନ୍ତି, ତାହାର ଫଳସ୍ୱରୂପ ଆଜି ପ୍ରତ୍ୟେକ ଭାଷା ଏବଂ ସଂସ୍କୃତି ପରସ୍ପରଠାରୁ ଶକ୍ତି ନେଇଥାଏ।

ଅମିତ ଶାହ କହିଥିଲେ ଯେ ମରାଠୀ ଏବଂ ଗୁଜରାଟୀ ମଧ୍ୟରେ କୌଣସି ପ୍ରତିଯୋଗିତା ନାହିଁ ଏବଂ ଉଭୟ ନିଜ ନିଜ ସ୍ଥାନରେ ମହାନ ଭାଷା। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଭାରତ ଶ୍ରେଷ୍ଠ ଭାରତର ପରିକଳ୍ପନା କରି ଏହାର ସଠିକ୍ ଉଦାହରଣ ଦେଇଛନ୍ତି, ଯଦି ଜଣେ ବ୍ୟକ୍ତି ନିଜ ମନରେ ସ୍ଥିର କରନ୍ତି ଯେ ବିଭାଜନ ଆଣିଥିବା ସମସ୍ତ ଜିନିଷକୁ ସମାପ୍ତ କରିବାକୁ ହେବ। ଶ୍ରୀ ଶାହ କହିଥିଲେ ଯେ ୧୯୬୦ ମସିହା ମଇ ୧ ତାରିଖରେ ମୁମ୍ବାଇ ରାଜ୍ୟରୁ ଦୁଇଟି ରାଜ୍ୟ ଜନ୍ମ ନେଇଥିଲା, ଗୋଟିଏ ଗୌରବମୟ ଗୁଜରାଟ ଏବଂ ଅନ୍ୟଟି ମହାନ ମହାରାଷ୍ଟ୍ରରେ ପରିଣତ ହୋଇଥିଲା। ଅନେକ ବର୍ଷ ଧରି ଦେଶର ପ୍ରତ୍ୟକ ସମସ୍ୟାର ସମାଧାନ ଏବଂ ବିକାଶରେ ଉଭୟ ରାଜ୍ୟର ବ୍ୟାପକ ଯୋଗଦାନ ରହିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ବୀର ଛତ୍ରପତିଙ୍କ ଭୂମି ମହାରାଷ୍ଟ୍ର ତାଙ୍କ ପରମ୍ପରାକୁ ଆଗକୁ ବଢ଼ାଇ ବାଜିରାଓ ପେଶୱାଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ରର ଅନ୍ୟ ସେନାନାୟକମାନେ ମୋଗଲମାନଙ୍କୁ ଦୃଢ଼ ପ୍ରତିଦ୍ୱନ୍ଦ୍ୱିତା ଦେଇ ସ୍ୱଭାଷା, ସ୍ୱରାଜ ଏବଂ ସ୍ୱଧର୍ମର ପତାକା ଉତ୍ତୋଳନ କରିଥିଲେ। ସେ କହିଥିଲେ ଯେ ପୂର୍ଣ୍ଣ ସ୍ୱରାଜ ପ୍ରଥମେ ଯୁବ ଶିବାଜୀ ମହାରାଜଙ୍କ ଦ୍ୱାରା ପରିକଳ୍ପିତ ହୋଇଥିଲା ଏବଂ ଯେତେବେଳେ ବ୍ରିଟିଶ ଶାସନ ଆସିଥିଲା, ସେତେବେଳେ ସ୍ୱରାଜ ମୋର ଜନ୍ମଗତ ଅଧିକାର ଥିଲା, ଯାହାକୁ ଲୋକମାନ୍ୟ ବାଲ୍‍ ଗଙ୍ଗାଧର ତିଲକ ମହାରାଜ ଆଗକୁ ନେଇଥିଲେ। ଶ୍ରୀ ଶାହ କହିଥିଲେ ଯେ ଭକ୍ତି ଆନ୍ଦୋଳନ ହେଉ କିମ୍ବା ସାମାଜିକ ସଂସ୍କାରର ପ୍ରଗତିଶୀଳ ମାର୍ଗ, ଜ୍ୟୋତିବା ଫୁଲେ, ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଜୀ, ସମସ୍ତେ କେବଳ ମହାରାଷ୍ଟ୍ରକୁ ନୁହେଁ ବରଂ ସମଗ୍ର ଦେଶକୁ ପଥ ଦେଖାଇଥିଲେ। ସେ କହିଥିଲେ ଯେ ବୀର ସାବରକର ଜୀ ଜଣେ ଅନନ୍ୟ ଦେଶପ୍ରେମୀ ଭାବେ ସାରା ଦେଶର କୋଟି କୋଟି ଯୁବକଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ।

ଅମିତ ଶାହ କହିଥିଲେ ଯେ ଗୁଜରାଟ ଶ୍ରୀକୃଷ୍ଣଙ୍କ କର୍ମଭୂମି ଏବଂ ସ୍ୱାମୀ ଦଯ଼ାନନ୍ଦ ସରସ୍ୱତୀ ଜୀଙ୍କ ଜନ୍ମଭୂମି ହୋଇ ରହିଛି। ସେ କହିଥିଲେ ଯେ ଗୁଜରାଟରେ ବିଭିନ୍ନ ପ୍ରକାରର ଶକ୍ତିଶାଳୀ ସାମ୍ରାଜ୍ୟ ସୃଷ୍ଟି ହୋଇଥିଲା ଏବଂ ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ପଟେଲ ସମଗ୍ର ସ୍ୱାଧୀନତା ଆନ୍ଦୋଳନକୁ ରୂପ ଦେବା ପାଇଁ କାର୍ଯ୍ୟ କରିଥିଲେ। ସ୍ୱାଧୀନତା ପରେ ବିକାଶ ଏବଂ ଦେଶକୁ ଏକ ଟିକସ ଏବଂ ଦୃଢ଼ ସଂଯୋଗ ସହିତ ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇବାର ଲକ୍ଷ୍ୟ ହାସଲ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ଭାରତ ଆଜି ଏତେ ଦୂର ଯାଇପାରିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତର ବିକାଶରେ ଗୁଜରାଟ ଏବଂ ମହାରାଷ୍ଟ୍ରର ଅବଦାନ ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ ବହୁତ ବଡ଼ ଥିଲା। ଆଜି ମହାରାଷ୍ଟ୍ରରେ ଗରବା ସମାନ ଉତ୍ସାହ ସହିତ ପାଳନ କରାଯାଏ ଏବଂ ଗୁଜରାଟରେ ଗଣେଶ ଉତ୍ସବ ସମୟରେ ସମ୍ମାନର ସହ ଗଣପତି ଘରକୁ ଅଣାଯାଏ। ଏହା ଆମ ଦେଶର ସବୁଠାରୁ ବଡ଼ ଶକ୍ତି ବୋଲି ସେ କହିଥିଲେ। ଶ୍ରୀ ଶାହ କହିଥିଲେ ଯେ ଉଭୟ ରାଜ୍ୟ ଦେଶର ଆର୍ଥିକ ବିକାଶର ଏକ ଦୃଢ଼ ସ୍ତମ୍ଭ ଭାବେ ଉଭା ହୋଇଛନ୍ତି। ମହାରାଷ୍ଟ୍ର ସର୍ବଦା ଦେଶର ଆର୍ଥିକ ରାଜଧାନୀ ହୋଇ ରହିଛି ଏବଂ ଆଜି ମଧ୍ୟ ଦେଶର ସର୍ବବୃହତ୍ ଅର୍ଥବ୍ୟବସ୍ଥା। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଗୁଜରାଟର ଜିଏସଡିପି ମଧ୍ୟ ୩୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଏବଂ ଏହା ଦେଶର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥା। ଗୁଜରାଟର ସର୍ବବୃହତ୍ ବନ୍ଦର, ସର୍ବବୃହତ୍ ବିଶୋଧନାଗାର, ଏସିଆର ସର୍ବବୃହତ୍ ଅକ୍ଷୟ ଶକ୍ତି ପାର୍କ, ପ୍ରଥମ ବୁଲେଟ୍ ଟ୍ରେନ୍, ପ୍ରଥମ ଗିଫ୍ଟି ସିଟି ଏବଂ ବର୍ତ୍ତମାନ ଧୋଲେରା ସ୍ମାର୍ଟ ସିଟି ମଧ୍ୟ ଗୁଜରାଟରେ ନିର୍ମାଣ କରାଯାଉଛି। ବିକଶିତ ଗୁଜରାଟ ଏବଂ ବିଶାଳ ମହାରାଷ୍ଟ୍ର ଦେଶର ବିକାଶର ଦୃଢ଼ ସ୍ତମ୍ଭ ପାଲଟିଛନ୍ତି। ରାଜ୍ୟଗୁଡ଼ିକ ୨୦୪୭ ମସିହା ସୁଦ୍ଧା ସେମାନଙ୍କର ବିକାଶ ରୋଡମ୍ୟାପ ଚୂଡ଼ାନ୍ତ କରିଛନ୍ତି।

ଅମିତ ଶାହ କହିଥିଲେ ଯେ ଗୁଜରାଟ ଏବଂ ମହାରାଷ୍ଟ୍ର ନିଜର ଐତିହ୍ୟକୁ ସଂରକ୍ଷିତ ରଖି ଆଧୁନିକତାକୁ ସ୍ୱୀକାର କରିବା ସହିତ ଦେଶର ଏକତା ଏବଂ ଅଖଣ୍ଡତାରେ ମଧ୍ୟ ବ୍ୟାପକ ଯୋଗଦାନ ଦେଇଛନ୍ତି। ସେ କହିଥିଲେ ଯେ ମୋଦୀଙ୍କ ମହାନ ଭାରତର କଳ୍ପନାରେ ରାଜ୍ୟଗୁଡ଼ିକ ମଧ୍ୟରେ ବିକାଶର ସୁସ୍ଥ ପ୍ରତିଯୋଗିତା ଏବଂ ଏହା ମାଧ୍ୟମରେ ଦେଶର ବିକାଶର ସୂତ୍ରକୁ ଉଭୟ ରାଜ୍ୟ ସ୍ୱୀକାର କରିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ୨୦୪୭ ମସିହାରେ ଯେତେବେଳେ ଭାରତ ଏକ ବିକଶିତ ଦେଶରେ ପରିଣତ ହେବ, ସେତେବେଳେ ଗୁଜରାଟ ଏବଂ ମହାରାଷ୍ଟ୍ର ରାଜ୍ୟ ଏଥିରେ ସର୍ବାଧିକ ଯୋଗଦାନ ଦେବେ।