Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରୋଜଗାର ମେଳା ଅଧୀନରେ ୫୧ ହଜାର ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୬୦ ରୁ ଅଧିକ ନବନିଯୁକ୍ତଙ୍କୁ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି ବିଶ୍ୱେଶ୍ୱର ଟୁଡୁ କଟକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୧୦ ରୁ ଅଧିକ  ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ଏବଂ ସେହିଭଳି ବିଶାଖାପାଟନମ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୮୦ ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। 

ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ କର୍ମଚାରୀମାନେ ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଡାକ ସହାୟକ, ଇନକମ୍ ଟାକ୍ସ ଇନସପେକ୍ଟର ପରି ବିଭିନ୍ନ ପଦ / ପଦବୀରେ ଯୋଗଦେବେ। ଏହା ସହି ତରହିଛି ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ସିନିୟର ଡ୍ରଟସମ୍ୟାନ୍, ଜେଇ/ସୁପରଭାଇଜର, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ, ଲାଇବ୍ରେରିଆନ୍, ନର୍ସ, ପ୍ରୋବେସନାରୀ ଅଫିସର, ପିଏ, ଏମଟିଏସ ଓ ଆହୁରି ଅନେକ।

ନୂତନ ଭାବେ ନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ, ଯାହା ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଏକ ଅନଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ ଅଟେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ମହିଳା ୨୦୦ ମିଟର ଓ ଟି-୧୨ରେ ରୌପ୍ୟ ପଦକ ଜିତିଥିବାରୁ ସିମରନ୍‌ ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ୨୦୦ ମିଟର – ଟି୧୨ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ସିମରନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭବିଷ୍ୟତ ପାଇଁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି: ମହିଳା ୨୦୦ ମିଟର- ଟି-୧୨ ଇଭେଣ୍ଟରେ ଚମତ୍କାର ରୌପ୍ୟ ପଦକ ଜିତିଥିବାରୁ ସିମରନଙ୍କୁ ଅଭିନନ୍ଦନ। ଏହି ଅବିଶ୍ୱସନୀୟ ଉପଲବ୍ଧିକୁ ଭାରତ ଗର୍ବର ସହ ପାଳନ କରୁଛି। ଭବିଷ୍ୟତର ସଫଳ ପ୍ରୟାସ ପାଇଁ ଅନେକ ଅନେକ ଶୁଭେଚ୍ଛା।

Categories
ଆଜିର ଖବର ଜାତୀୟ ଖବର

ରୋଜଗାର ମେଳାରେ ବଣ୍ଟାହେବ ୫୧ ହଜାର ନିଯୁକ୍ତିପତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହ୍ନ ଗୋଟାଏ ବେଳେ ୫୧ହଜାରରୁ ଅଧିକ ନିଯୁକ୍ତିପତ୍ର ନବନିଯୁକ୍ତମାନଙ୍କୁ ଆଭାସୀ ମାଧ୍ୟମରେ ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଅଭିଭାଷଣ ରଖିବେ।

ଦେଶରେ ୩୭ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି ନିଯୁକ୍ତି  ସରକାରଙ୍କ ବିଭିନ୍ନ ବିଭାଗରେ ହେଉଥିବାବେଳେ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ମଧ୍ୟ ଏହି ପଦକ୍ଷେପରେ ସହାୟତା କରୁଛନ୍ତି । ଏହି ନବନିଯୁକ୍ତ ଗଣ ଦେଶବ୍ୟାପୀ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ଯୋଗଦେବେ। ସେଗୁଡିକ ମଧ୍ୟରେ ରେଳ ମନ୍ତ୍ରଣାଳୟ, ଡାକବିଭାଗ, ଗୃହ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗଣଶିକ୍ଷା ବିଭାଗ ଓ ସାକ୍ଷରତା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତ୍ୟାଦି ଅନ୍ତର୍ଭୁକ୍ତ।

ନିଯୁକ୍ତି ସୁଯୋଗକୁ ଅଗ୍ରାଧିକାର ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାକୁ ସାକାର କରିବା ପାଇଁ ରୋଜଗାର ମେଳା ଏକ ପଦକ୍ଷେପ । ଆଗକୁ ରୋଜଗାର ସୃଷ୍ଟି ନିମନ୍ତେ ରୋଜଗାର ମେଳା ଏକ ଉତ୍‌ପ୍ରେରକ  ଭାବେ କାର୍ଯ୍ୟ କରିବା ସହ ଯୁବଗୋଷ୍ଠୀକୁ ସଶକ୍ତ କରିବ ଓ ଜାତୀୟ ବିକାଶରେ ସାମିଲ କରିବା ପାଇଁ ମଧ୍ୟ ସୁଯୋଗ ଦେବ ।

ନବନିଯୁକ୍ତଗଣ ମଧ୍ୟ ଅନଲାଇନ୍ ମୋଡୁଲ କର୍ମଯୋଗୀ ପ୍ରାରମ୍ଭ ଜରିଆରେ ନିଯୁ୍‌କ୍ତି ତାଲିମ ପ୍ରାପ୍ତ କରିପାରିବେ। iGOT କର୍ମଯୋଗୀ ପୋର୍ଟାଲ ଜରିଆରେ ୭୫୦ରୁ ଊର୍ଦ୍ଧ୍ୱ ଇ-ଶୈକ୍ଷିକ ପାଠ୍ୟକ୍ରମ ଉପଲବ୍ଧ ହେଉଛି ।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରର ଶିରିଡିସ୍ଥିତ ନୀଲୱାଣ୍ଡେ ଡ୍ୟାମର ଜଳ ପୂଜନ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଶିରିଡିସ୍ଥିତ ନୀଲୱାଣ୍ଡେ ଡ୍ୟାମର ଜଳ ପୂଜନ କରିଛନ୍ତି। ଶ୍ରୀ ମୋଦୀ ଡ୍ୟାମ୍ ପରିଦର୍ଶନ କରି କେନାଲ ପାଣି ଛାଡିଥିଲେ।

ପ୍ରଧାନମନ୍ତ୍ରୀ ଟ୍ବିଟରରେ କହିଛନ୍ତି ଯେ, ନୀଲୱାଣ୍ଡେ ଡ୍ୟାମର ଜଳ ପୂଜନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଯାହା ଏକ ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇଛି। ଜନସାଧାରଣଙ୍କ ଉନ୍ନତି ପାଇଁ ଜଳଶକ୍ତିର ଉପଯୋଗ କରିବା ପାଇଁ ଏହା ଆମର ଅତୁଟ ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ମଧ୍ୟ ପ୍ରଦେଶର ଚିତ୍ରକୂଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତରେ ଯିବେ।

ଅପରାହ୍ଣ ପ୍ରାୟ ୧.୪୫ ମିନିଟରେ ପ୍ରଧାନମନ୍ତ୍ରୀ ସତନା ଜିଲ୍ଲାର ଚିତ୍ରକୂଟରେ ପହଂଚି ଶ୍ରୀ ସଦଗୁରୁ ସେବା ସଂଘ ଟ୍ରଷ୍ଟ ଠାରେ କେତେକ କାର୍ଯ୍ୟକ୍ରମରେଯୋଗଦେବେ। ସେ ରଘୁବୀର ମନ୍ଦିରରେ ପୂଜାର୍ଚ୍ଚନା ସହ ଦର୍ଶନ କରିବାପରେ ଶ୍ରୀରାମ ସଂସ୍କୃତ ମହାବିଦ୍ୟାଳୟ ଯାଇ ଦିବଂଗତ ଶ୍ରୀ ଅରବିନ୍ଦ ଭାଇମଫତଲାଲଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ପରେ ପରେ ସେମଧ୍ୟ ଜାନକୀକୁଣ୍ଡ ଚିକିତ୍ସାଳୟର ନୂତନ ଶାଖାକୁ ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱର୍ଗତ ଅରବିନ୍ଦ ଭାଇ ମଫତଲାଲଙ୍କ ଜନ୍ମ ଶତବାର୍ଷିକୀସମାରୋହ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀ ସଦଗୁରୁସେବା ସଂଘ ଟ୍ରଷ୍ଟ ପରମପୂଜ୍ୟ ରଣଛୋଡ଼ଦାସଜୀ ମହାରାଜାଙ୍କ ଦ୍ୱାରା୧୯୬୮ରେ ପ୍ରତିଷ୍ଠା କରାଯାଇଥିଲା। ଶ୍ରୀ ଅରବିନ୍ଦ ଭାଇ ମଫତଲାଲପରମପୂଜ୍ୟ ରଣଛୋଡ଼ଦାସଜୀ ମହାରାଜଙ୍କ ଦ୍ୱାରା ବିଶେଷ ଭାବେଅନୁପ୍ରାଣିତ ହୋଇ ଟ୍ରଷ୍ଟ ସ୍ଥାପନା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିଥିଲେ।

ଶ୍ରୀ ଅରବିନ୍ଦ ଭାଇ ମଫତଲାଲ ସ୍ୱାଧୀନତ୍ତୋର ଭାରତବର୍ଷରେ ଜଣେଅଗ୍ରଣୀ ଉଦ୍ୟୋଗପତି ଥିଲେ ଓ ଦେଶର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାଗ୍ରହଣ କରିଥିଲେ।

ଚିତ୍ରକୂଟ ପରିଦର୍ଶନ କାଳରେ ପ୍ରଧାନମନ୍ତ୍ରୀ ତୁଳସୀ ପୀଠ ପରିଦର୍ଶନକରିବେ। ସେ କଞ୍ଚ ମନ୍ଦିର ଠାରେ ପ୍ରାୟ ଅପରାହ୍ଣ ୩.୧୫ ମିନିଟରେପୂଜାର୍ଚ୍ଚନା ଓ ଦର୍ଶନ କରିବେ। ସେ ତୁଳସୀ ପୀଠରେ ଜଗତଗୁରୁରାମାନନ୍ଦାଚାର୍ଯ୍ୟଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଏକ ସାଧାରଣକାର୍ଯ୍ୟକ୍ରମରେ ଯୋଗଦେଇ ତିନିଟି ପୁସ୍ତକ ଉନ୍ମୋଚନ କରିବେ। ସେଗୁଡ଼ିକ ହେଲା ‘ଅଷ୍ଟାଧ୍ୟାୟୀ ଭାଷ୍ୟ’, ‘ରାମଚନ୍ଦ୍ରାଚାର୍ଯ୍ୟ ଚରିତମ’ ଓ ‘ଶ୍ରୀକ୍ରିଷ୍ଣ କୀ ରାଷ୍ଟ୍ରଲୀଳା’।

ମଧ୍ୟ ପ୍ରଦେଶସ୍ଥିତ ଚିତ୍ରକୂଟରେ ଅବସ୍ଥିତ ତୁଳସୀ ପୀଠ ହେଉଛି ଏକଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ସାମାଜିକ ସେବା ପ୍ରତିଷ୍ଠାନ। ଜଗତଗୁରୁରାମଚନ୍ଦ୍ରାଚାର୍ଯ୍ୟ ଏହାକୁ ୧୯୮୭ରେ ପ୍ରତିଷ୍ଠା କରିଥିଲେ। ହିନ୍ଦୁ ଧର୍ମସାହିତ୍ୟ ପ୍ରକାଶରେ ତୁଳସୀ ପୀଠ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ।

Categories
ଆଜିର ଖବର ଜାତୀୟ ଖବର

ଆଜି ଭାରତୀୟ ମୋବାଇଲ କଂଗ୍ରେସ (IMC) ୨୦୨୩କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନର ଭାରତ ମଣ୍ଡପମ ଠାରେ ଭାରତୀୟ ମୋବାଇଲ କଂଗ୍ରେସ 2023ର ସପ୍ତମ ସଂସ୍କରଣକୁ ଅକ୍ଟୋବର 27, 2023 ଦିନ ପୂର୍ବାହ୍ନ 9.45 ମିନିଟରେ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ 100ଟି ୫-ଜି ୟୁଜିକେସ ଲାବ୍ ପାଇଁ ଦେଶବ୍ୟାପୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରିବେ। ଏହି ପରୀକ୍ଷାଗାରଗୁଡ଼ିକ 100 5-ଜି ଲାବ୍ ଇନିସିଏଟିଭ୍ ଅଧୀନରେ ବିକଶିତ ହୋଇଛି।

‘100 5-ଜି ଲାବ୍ ଇନିସିଏଟିଭ’ ୫5-ଜି ପ୍ରଯୁକ୍ତିବିଦ୍ୟା ସହ ସଂଶ୍ଳିଷ୍ଟ ବିଷୟକୁ ବୁଝିବା ଓ 5-ଜି ପ୍ରୟୋଗ ଦ୍ବାରା ବିଭିନ୍ନ ପଦ୍ଧତିର ଦେଶ ଓ ଦେଶ ବାହାରେ ପ୍ରୟୋଗ ଆବଶ୍ୟକତା ପୂରଣ ନିମନ୍ତେ ଉଦ୍ଦିଷ୍ଟ। ଏହି ଅନନ୍ୟ ପଦକ୍ଷେପ ଯୋଗୁ ଶିକ୍ଷା, କୃଷି, ସ୍ବାସ୍ଥ୍ୟ, ଶକ୍ତି, ପରିବହନ ଇତ୍ୟାଦି ସାମାଜିକ ଓ ଅର୍ଥନୀତିକ କ୍ଷେତ୍ରରେ ନବୋନ୍ମେଷ ଆଣିବା ସହ ଦେଶକୁ 5-ଜି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଅଗ୍ରଣୀ କରାଇବ। ଏହା ମଧ୍ୟ ଦେଶକୁ ଆଗାମୀ 6-ଜି ଶିକ୍ଷା ଓ ଷ୍ଟାର୍ଟଅପ ବାତାବରଣର ଭିତ୍ତିଭୂମି ନିର୍ମାଣ ଦିଗରେ ସାହାଯ୍ୟ କରିବ। ଏହା ମଧ୍ୟ ଜାତୀୟ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଦେଶୀୟ ଦୂରସଞ୍ଚାର ପ୍ରଯୁକ୍ତିବିଦ୍ୟାର ମଧ୍ୟ ବିକାଶ ଘଟାଇବ। ଭାରତୀୟ ମୋବାଇଲ କଂଗ୍ରେସ (IMC) ଏସିଆର ସର୍ବବୃହତ ଦୂରସଞ୍ଚାର, ଗଣମାଧ୍ୟମ ଓ ପ୍ରଯୁକ୍ତି ମଞ୍ଚ ହୋଇଥିବା ବେଳେ ଏହି ସମ୍ମିଳନୀ ଅକ୍ଟୋବର 27ରୁ 29, 2023 ପର୍ଯ୍ୟନ୍ତ ଚାଲିବ। ଭାରତର ଦୂରସଞ୍ଚାର ଓ ପ୍ରଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ସମ୍ପର୍କରେ ଏଥିରେ ଆଲୋକପାତ କରାଯିବ ଓ ଏହା ଷ୍ଟାର୍ଟଅପଗୁଡ଼ିକୁ ସେମାନଙ୍କ ନବୋନ୍ମେଷଜନିତ ଉତ୍ପାଦନ ଓ ସମାଧାନ ଦିଗରେ ମଧ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିବ।

ବୈଶ୍ବିକ ଡିଜିଟାଲ ନବୋନ୍ମେଷ ବାର୍ତ୍ତା ସହ IMC 2023 ନିର୍ମାଣକର୍ତ୍ତା, ବିକାଶକର୍ତ୍ତା ଓ ରପ୍ତାନୀକାରୀ ଭାବେ ଭାରତର ସ୍ଥିତିକୁ ମଜଭୁତ କରିବା ଲକ୍ଷ୍ୟ ରଖଛି। ଏହି ତିନିଦିନିଆ ଅଧିବେଶନ ୫-ଜି, ୬-ଜି, କୃତ୍ରିମ ମେଧା (AI) ଉପରେ ଆଲୋକପାତ କରିବା ସହ ସେମି କଣ୍ଡକ୍ଟର ଶିଳ୍ପ, ସବୁଜ ପ୍ରଯୁକ୍ତି, ସାଇବର ସୁରକ୍ଷା ଇତ୍ୟାଦି ବିଷୟରେ ମଧ୍ୟ ଆଲୋଚନା କରିବ।

ଚଳିତବର୍ଷ IMC ‘ଆସପାୟାର’ ନାମକ ଏକ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରୁଛି। ଏହା ଷ୍ଟାର୍ଟଅପ, ନିବେଶକ ଓ ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ମଧ୍ୟରେ ସଂଯୋଗ ସ୍ଥାପନ କରିବା ସହ ନୂତନ ଔଦ୍ୟୋଗିକ ପଦକ୍ଷେପ ଓ ସହଯୋଗକୁ ତ୍ବରାନ୍ବିତ କରିବ।

IMC 2023ରେ ପ୍ରାୟ 22ଟି ଦେଶରୁ ଏକ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେବେ। ସେମାନଙ୍କ ମଧ୍ୟରେ 5000 ସିଇଓସ୍ତରୀୟ ପ୍ରତିନିଧି, 230 ପ୍ରଦର୍ଶନକାରୀ, 400 ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ସହଯୋଗୀଗଣ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

Categories
ବିଶେଷ ଖବର

ଶିରିଡି ଠାରେ ପ୍ରାୟ ୭୫୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଶିରିଡି, ଅହମ୍ମଦନଗର ଠାରେ ସ୍ୱାସ୍ଥ୍ୟ, ରେଳ, ସଡ଼କ, ତୈଳ ଏବଂ ଗ୍ୟାସ ଭଳି କ୍ଷେତ୍ରରେ ପ୍ରାୟ ୭୫୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଉଦଘାଟନ କରିଛନ୍ତି ଏବଂ ଶିଳାନ୍ୟାସ କରିଛନ୍ତି । ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପ ମଧ୍ୟରେ ଅହମ୍ମଦନଗର ସିଭିଲ ହସ୍ପିଟାଲରେ ଥିବା ଆୟୁଷ ହସ୍ପିଟାଲ୍‌, କୁର୍ଦୁୱାଡି – ଲାଟୁର ରୋଡ୍ ରେଳ ସେକ୍ସନର ବିଦ୍ୟୁତିକରଣ (୧୮୬ କିଲୋମିଟର); ଜଳଗାଓଁରୁ ଭୁସାବଲକୁ ସଂଯୋଗ କରୁଥିବା ତୃତୀୟ ଓ ଚତୁର୍ଥ ରେଳ ଲାଇନ (୨୪.୪୬ କିଲୋମିଟର); ଜାତୀୟ ରାଜପଥ – ୧୬୬ (ପ୍ୟାକେଜ – ୧) ର ସାଙ୍ଗଲିରୁ ବୋରଗାଓଁ ସେକ୍ସନକୁ ଚାରି ଲେନ୍ କରିବା; ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ମନମାଡ  ଟର୍ମିନାଲରେ ଅତିରିକ୍ତ ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ । ସେ ଅହମ୍ମଦନଗର ସିଭିଲ ହସ୍ପିଟାଲରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଶାଖାର ଶିଳାନ୍ୟାସ କରିଥିଲେ । ଶ୍ରୀ ମୋଦୀ ହିତାଧିକାରୀ ମାନଙ୍କୁ ଆୟୁଷ୍ମାନ କାର୍ଡ ଏବଂ ସ୍ୱାମିତ୍ୱ କାର୍ଡ ମଧ୍ୟ ବଣ୍ଟନ କରିଥିଲେ ।

ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ , ଶିରିଡି ଠାରେ ନୂତନ ଦର୍ଶନ ଧାଡ଼ି କମ୍ପ୍ଲେକ୍ସକୁ ଶ୍ରୀ ମୋଦୀ ଉଦ୍‌ଘାଟନ କରିଥିଲେ, ନୀଲୱାନ୍ଦେ ଡ୍ୟାମର ବାମ ପାର୍ଶ୍ୱ (୮୫ କିଲୋମିଟର) କେନାଲ ନେଟୱାର୍କକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ଏବଂ ‘ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନା’  ର ଶୁଭାରମ୍ଭ କରିଥିଲେ, ଯେଉଁଥିରେ ୮୬ ଲକ୍ଷରୁ ଅଧିକ କୃଷକ – ହିତାଧିକାରୀ  ଉପକୃତ ହୋଇଥିଲେ ।

ଏହା ପୂର୍ବରୁ , ଶ୍ରୀ ମୋଦୀ ଶିରିଡିର ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବା ସହ ନୀଲୱାନ୍ଦେ ଡ୍ୟାମର ଜଳ ପୂଜନ କରିଥିଲେ ।

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଇବାବାଙ୍କ ଆଶୀର୍ବାଦରେ ୭୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଉଛି । ପାଂଚ ଦଶନ୍ଧି ଧରି ଅଟକି ରହିଥିବା ନୀଲୱାନ୍ଦେ ଡ୍ୟାମର କାର୍ଯ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଜି ଏହାର ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ । ଏହି ସ୍ଥାନରେ ଜଳ ପୂଜନ କରିବାର ସୁଯୋଗ ମିଳିଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି । ଶ୍ରୀ ସାଇବାବା ସମାଧି ମନ୍ଦିରରେ ଦର୍ଶନ ଧାଡ଼ି ପରିସର ବିଷୟରେ ଶ୍ରୀ ମୋଦୀ ଅକ୍ଟୋବର ୨୦୧୮ ରେ ଏହାର ଶିଳାନ୍ୟାସ ବିଷୟରେ ସୂଚନା ଦେଇ କହିଥିଲେ ଯେ ଏହା ଭାରତ ଏବଂ ବିଦେଶର ତୀର୍ଥଯାତ୍ରୀ ମାନଙ୍କ ସୁବିଧାକୁ ଆହୁରି ବୃଦ୍ଧି କରିବ ।

ପ୍ରଧାନମନ୍ତ୍ରୀ ଆଜି ସକାଳେ ୱାର୍କରୀ ସମ୍ପ୍ରଦାୟର ବାବା ମହାରାଜ ସତାରକରଙ୍କ ଦୁଃଖଦ ବିୟୋଗ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ବାବା ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ  କୀର୍ତ୍ତନ ଏବଂ ପ୍ରବଚନ ମାଧ୍ୟମରେ ସେ କରୁଥିବା ସାମାଜିକ ସଚେତନତା କାର୍ଯ୍ୟକୁ ସ୍ମରଣ କରିଥିଲେ ଯାହା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ।

“ସାମାଜିକ ନ୍ୟାୟର ପ୍ରକୃତ ଅର୍ଥ ହେଉଛି ଯେତେବେଳେ ଦେଶ ଦାରିଦ୍ର‌୍ୟମୁକ୍ତ ହୁଏ ଏବଂ ଗରିବ ଲୋକମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳେ”, ପ୍ରଧାନମନ୍ତ୍ରୀ ସରକାରଙ୍କ ମନ୍ତ୍ର ‘ସବ୍‌କା ସାଥ , ସବ୍‌କା ବିକାଶ’ କୁ ଦୋହରାଇବା ସହିତ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଗରିବ ଲୋକମାନଙ୍କ କଲ୍ୟାଣ ହେଉଛି ଡବଲ ଇଞ୍ଜିନ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ ଦେଶର ଅର୍ଥନୀତିର ବିସ୍ତାର ହେଉଥିବାରୁ ଏଥିପାଇଁ ବଜେଟ୍ ବୃଦ୍ଧି ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ସେ ମହାରାଷ୍ଟ୍ରରେ ହିତାଧିକାରୀ ମାନଙ୍କୁ ୧ କୋଟି ୧୦ ଲକ୍ଷ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବା ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯେଉଁମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମିଳିବ,  ଯେଉଁଥି ପାଇଁ ସରକାର ୭୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗରିବ ଲୋକମାନଙ୍କୁ ମାଗଣା ରାସନ ଯୋଗାଣ କରିବା ଏବଂ ସେମାନଙ୍କ ପାଇଁ ପକ୍କା ଘର ନିର୍ମାଣ ନିମନ୍ତେ  ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ସରକାରୀ ଖର୍ଚ୍ଚ ହୋଇଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଉକ୍ତ ଖର୍ଚ୍ଚ  ୨୦୧୪ ପୂର୍ବ ଦଶନ୍ଧି ତୁଳନାରେ ୬ ଗୁଣ ଅଧିକ । ଗରିବ ଲୋକମାନଙ୍କ ଘରକୁ ଜଳ ଯୋଗାଣ କରିବା ପାଇଁ ସରକାର ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ପିଏମ୍ ସ୍ୱନିଧି ଯୋଜନାରେ ରାସ୍ତାକଡ଼ ଦୋକାନୀମାନେ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଶ୍ରୀ ମୋଦୀ ନୂତନ ଭାବେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁଥିରେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ସରକାରୀ ବ୍ୟୟରେ ଲକ୍ଷ ଲକ୍ଷ ବଢ଼େଇ, ସ୍ୱର୍ଣ୍ଣକାର, କୁମ୍ଭାର ଏବଂ ମୂର୍ତ୍ତିଶିଳ୍ପୀ ପରିବାରକୁ ସହାୟତା ଯୋଗାଇ ଦିଆଯିବ ।

କ୍ଷୁଦ୍ର କୃଷକମାନଙ୍କ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନିଧି ବିଷୟରେ ଉଲ୍ଲେଖ କରିଥିଲେ , ଯାହା ଅଧୀନରେ କ୍ଷୁଦ୍ର କୃଷକ ମାନଙ୍କୁ ୨ ଲକ୍ଷ ୬୦ ହଜାର କୋଟି ଟଙ୍କା ମିଳିଛି, ଯାହା ମଧ୍ୟରେ ମହାରାଷ୍ଟ୍ରର କ୍ଷୁଦ୍ର କୃଷକମାନଙ୍କ ପାଇଁ ୨୬ ହଜାର କୋଟି ଟଙ୍କା ଉଦ୍ଦିଷ୍ଟ । ମହାରାଷ୍ଟ୍ର ସରକାର ‘ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନା’ ଆରମ୍ଭ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଯୋଜନା ଅଧୀନରେ ମହାରାଷ୍ଟ୍ର ଶେତକାରୀ ପରିବାରକୁ ଅତିରିକ୍ତ ୬୦୦୦ ଟଙ୍କା ମିଳିବ, ଅର୍ଥାତ୍ ସ୍ଥାନୀୟ କ୍ଷୁଦ୍ର କୃଷକମାନେ ୧୨,୦୦୦ ଟଙ୍କା ସମ୍ମାନ ନିଧି ପାଇବେ ।

୧୯୭୦ ମସିହାରେ ଅନୁମୋଦନ ପାଇଥିବା ଏବଂ  ପାଂଚ ଦଶନ୍ଧି ଧରି ଅଟକି ରହିଥିବା ନୀଲୱାନ୍ଦେ ପ୍ରକଳ୍ପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ଏହା ସମ୍ପୂର୍ଣ୍ଣ ହୋଇଛି । “ଯେଉଁମାନେ କୃଷକ ମାନଙ୍କ ନାମରେ ଭୋଟ୍ ରାଜନୀତି କରୁଛନ୍ତି ସେମାନେ ଆପଣ ମାନଙ୍କୁ ପ୍ରତି ବୁନ୍ଦା ପାଣି ପାଇଁ ଅପେକ୍ଷା କରାଇଛନ୍ତି” ବୋଲି ସେ ଉଲ୍ଲେଖ କରିବା ସହିତ ଏହା କହିଥିଲେ ଯେ,  “ଆଜି ଏଠାରେ ଜଳ ପୂଜନ କରାଯାଇଥିଲା । ଖୁବଶୀଘ୍ର ରାଇଟ୍ ବ୍ୟାଙ୍କ କେନାଲ (ଦକ୍ଷିଣ ପାଶ୍ୱର୍ କେନାଲ) କାର୍ଯ୍ୟକ୍ଷମ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟର ମରୁଡ଼ି ପ୍ରଭାବିତ ଅଂଚଳ ପାଇଁ ବରଦାନ ସାବ୍ୟସ୍ତ ହେଉଥିବା ବାଲିରାଜା ଜଳ ସଞ୍ଜୀବନୀ ଯୋଜନା ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ । ଅନେକ ଦଶନ୍ଧି ଧରି ମହାରାଷ୍ଟ୍ରରେ ଅଟକି ରହିଥିବା ଆଉ ୨୬ ଟି ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ଯାହା ଏହି ଅଞ୍ଚଳର କୃଷକ ମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

କୃଷକ ମାନଙ୍କ ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୭ ବର୍ଷ ମଧ୍ୟରେ ଏମଏସପି ଅଧୀନରେ ୧୩.୫ ଲକ୍ଷ କୋଟି ଟଙ୍କାର ଖାଦ୍ୟଶସ୍ୟ କ୍ରୟ କରାଯାଇଥିବା ବେଳେ ପୂର୍ବ ସରକାର ସମୟରେ ଜଣେ ବରିଷ୍ଠ ନେତାଙ୍କ କାର୍ଯ୍ୟକାଳ ଅବଧିରେ ଏହି ପରିମାଣ ମାତ୍ର ୩.୫ ଲକ୍ଷ କୋଟି ଥିଲା ।  ୨୦୧୪ ପରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ତୈଳବୀଜ ଓ ଡାଲି ଆହରଣ କରାଯାଇଥିବା ବେଳେ ପୂର୍ବରୁ ଏମଏସପିରେ ୫୦୦ – ୬୦୦ କୋଟି ଟଙ୍କାର କ୍ରୟ କରାଯାଇଥିଲା । ସିଧାସଳଖ ଲାଭ ହସ୍ତାନ୍ତର ଦ୍ୱାରା ଦୁର୍ନୀତି ଓ ବ୍ୟବଧାନ ଦୂର ହୋଇଛି ବୋଲି ସେ କହିଛନ୍ତି ।

ନିକଟରେ ରବି ଫସଲ ପାଇଁ ଏମଏସପି ବୃଦ୍ଧି ନିମନ୍ତେ କ୍ୟାବିନେଟ ନିଷ୍ପତ୍ତି ବିଷୟରେ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଚଣାର ଏମଏସପି ୧୦୫ ଟଙ୍କା ଏବଂ ଗହମ ଏବଂ ସୂର୍ଯ୍ୟମୁଖୀର ଏମଏସପି ୧୫୦ ଟଙ୍କା ବୃଦ୍ଧି କରାଯାଇଛି । ଆଖୁର ଏମଏସପି କୁଇଣ୍ଟାଲ ପିଛା ୩୧୫ ଟଙ୍କା ବୃଦ୍ଧି କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଗତ ୯ ବର୍ଷ ମଧ୍ୟରେ ପାଖାପାଖି ୭୦,୦୦୦ କୋଟି ଟଙ୍କାର ଇଥାନଲ କିଣାଯାଇଛି ଏବଂ ଏହି ଟଙ୍କା ଆଖୁ ଚାଷୀଙ୍କ ପାଖରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଆଖୁ ଚାଷୀଙ୍କୁ ଠିକ୍ ସମୟରେ ଅର୍ଥ ପ୍ରଦାନ କରିବା ପାଇଁ ଚିନି କଳ ଓ ସମବାୟ ସମିତିକୁ ହଜାର ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି । ସମଗ୍ର ଦେଶରେ ୨ ଲକ୍ଷରୁ ଅଧିକ ସମବାୟ ସମିତି ଗଠନ କରାଯାଉଛି । ଉନ୍ନତ ସଂରକ୍ଷଣ ଏବଂ ପୁରୁଣା ଷ୍ଟୋରେଜ୍ ସୁବିଧା ସୁନିଶ୍ଚିତ କରିବା ପାଇଁ ପିଏସି ଏବଂ ସମବାୟ ସମିତି ଗୁଡ଼ିକୁ ସୁବିଧା ଯୋଗାଇ ଦିଆଯାଉଛି । ୭୫୦୦ ରୁ ଅଧିକ ଏଫ୍‌ପିଓ କାର୍ଯ୍ୟକ୍ଷମ ହୋଇ ଥିବାରୁ ଏଫ୍‌ପିଓ ମାଧ୍ୟମରେ କ୍ଷୁଦ୍ର ଚାଷୀ ମାନଙ୍କୁ ସଂଗଠିତ କରାଯାଉଛି।

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ, ମହାରାଷ୍ଟ୍ର ବିପୁଳ ସମ୍ଭାବନା ଓ ଆକାଂକ୍ଷାର କେନ୍ଦ୍ର ପାଲଟିଛି । ମହାରାଷ୍ଟ୍ର ଯେତେ ଶୀଘ୍ର ବିକଶିତ ହେବ, ଭାରତ ସେତେ ଶୀଘ୍ର ବିକଶିତ ହେବ । ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ଏବଂ ଶିରିଡିକୁ ସଂଯୋଗ କରୁଥିବା ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା କଥା ମଧ୍ୟ ମନେ ପକାଇଥିଲେ ଏବଂ ମହାରାଷ୍ଟ୍ରରେ ରେଳବାଇର ନେଟୱାର୍କ କ୍ରମାଗତ ଭାବରେ ବିସ୍ତାରିତ ହେଉଛି ବୋଲି ଆଲୋକପାତ କରିଥିଲେ । ଜଳଗାଓଁ ଏବଂ ଭୁସାବଲ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ଆରମ୍ଭ ହେବା ପରେ ମୁମ୍ବାଇ – ହାୱଡା ରେଳ ପଥରେ ଯାତାୟତ ସହଜ ହେବ ବୋଲି ସେ ଉଲ୍ଲେଖ କରିଥିଲେ । ସେହିପରି ସୋଲାପୁରରୁ ବୋରଗାଓଁ ପର୍ଯ୍ୟନ୍ତ ଚାରି ଲେନ୍ ରାସ୍ତା ନିର୍ମାଣ ହେଲେ ସମଗ୍ର କୋଙ୍କଣ ଅଞ୍ଚଳର ଯୋଗାଯୋଗ  କ୍ଷେତ୍ରରେ ଉନ୍ନତି ଆସିବ ଏବଂ ଏହି ଅଞ୍ଚଳର ଶିଳ୍ପ ଗୁଡିକ ସହିତ ଆଖୁ, ଅଙ୍ଗୁର ଓ ହଳଦୀ ଚାଷୀମାନେ ଉପକୃତ ହେବେ । ଏହି ସଂଯୋଗ କେବଳ ପରିବହନ ପାଇଁ ନୁହେଁ ବରଂ ପ୍ରଗତି ଏବଂ ଅର୍ଥନୈତିକ ବିକାଶ ପାଇଁ ଏକ ନୂତନ ମାର୍ଗ ସୃଷ୍ଟି କରିବ ବୋଲି ସେ ଶେଷରେ କହିଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ରମେଶ ବାଇଜ୍‌, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଶ୍ରୀ ଅଜିତ ପାୱାର ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଶିରିଡି ଠାରେ ନୂତନ ଦର୍ଶନ ଧାଡ଼ି ପରିସର ଏକ ଅତ୍ୟାଧୁନିକ ଅତ୍ୟାଧୁନିକ ମେଗା ଭବନ , ଯାହା ଭକ୍ତ ମାନଙ୍କ ପାଇଁ ଆରାମଦାୟକ ପ୍ରତୀକ୍ଷାର ସ୍ଥାନ ପ୍ରଦାନ କରିବା ନିମନ୍ତେ ପରିକଳ୍ପନା କରାଯାଇଛି । ଏଠାରେ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ବସିବା କ୍ଷମତା ବିଶିଷ୍ଟ ଅନେକ ଅପେକ୍ଷା ହଲ୍ ରହିଛି । ଏଥିରେ କ୍ଲୋକ୍‌ରୁମ୍‌, ଶୌଚାଳୟ, ବୁକିଂ କାଉଣ୍ଟର, ପ୍ରସାଦ କାଉଣ୍ଟର, ସୂଚନା କେନ୍ଦ୍ର ଭଳି ସାଧାରଣ ସୁବିଧା ଉପଲବ୍ଧ ହେଉଛି । ଅକ୍ଟୋବର ୨୦୧୮ ରେ ପ୍ରଧାନମନ୍ତ୍ରୀ ଏହି ନୂତନ ଦର୍ଶନ ଧାଡ଼ି କମ୍ପେ୍ଲକ୍ସର ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ନୀଲୱାନ୍ଦେ ଡ୍ୟାମର ବାମ ପାର୍ଶ୍ୱ  (୮୫ କିଲୋମିଟର) କେନାଲ ନେଟୱାର୍କକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଜଳ ପାଇପ୍ ବିତରଣ ନେଟୱାର୍କକୁ ସୁଗମ କରିବା ଦ୍ୱାରା ଏହା ୭ ଟି ତହସିଲ (ଅହମ୍ମଦନଗର ଜିଲ୍ଲାର ୬ ଟି ଏବଂ ନାସିକ ଜିଲ୍ଲାର ଗୋଟିଏ ତହସିଲ) ର ୧୮୨ ଟି ଗ୍ରାମକୁ ଉପକୃତ କରିବ । ନୀଲୱାନ୍ଦେ ଡ୍ୟାମର ଧାରଣା ପ୍ରଥମେ ୧୯୭୦ ମସିହାରେ ପରିକଳ୍ପନା କରାଯାଇଥିଲା । ପାଖାପାଖି ୫୧୭୭ କୋଟି ଟଙ୍କା ବ୍ୟୟରେ ଏହାର ବିକାଶ କରାଯାଉଛି ।

ପ୍ରଧାନମନ୍ତ୍ରୀ ‘ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନା’ ର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଦ୍ୱାରା ମହାରାଷ୍ଟ୍ରରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୮୬ ଲକ୍ଷରୁ ଅଧିକ ହିତାଧିକାରୀ ମାନଙ୍କୁ ବାର୍ଷିକ ଅତିରିକ୍ତ ୬୦୦୦ ଟଙ୍କା ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ଅହମ୍ମଦନଗର ସିଭିଲ ହସ୍ପିଟାଲରେ ଆୟୁଷ ହସ୍ପିଟାଲ୍‌, କୁର୍ଦୁୱାଡି – ଲାଟୁର ରୋଡ୍ ରେଳ ସେକ୍ସନର ବିଦ୍ୟୁତିକରଣ (୧୮୬ କିଲୋମିଟର); ଜଳଗାଓଁରୁ ଭୁସାବଲକୁ ସଂଯୋଗ କରୁଥିବା ତୃତୀୟ ଓ ଚତୁର୍ଥ ରେଳ ଲାଇନ (୨୪.୪୬  କିମି); ଜାତୀୟ ରାଜପଥ – ୧୬୬ (ପ୍ୟାକେଜ – ୧)ର ସାଙ୍ଗଲିରୁ ବୋରଗାଓଁ ସେକ୍ସନକୁ ଚାରି ଲେନ୍ କରିବା; ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ମନମାଡ ଟର୍ମିନାଲରେ ଅତିରିକ୍ତ ସୁବିଧା ସମେତ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।  ସେ ଅହମ୍ମଦନଗର ସିଭିଲ ହସ୍ପିଟାଲରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଶାଖାର ଶିଳାନ୍ୟାସ କରିଥିଲେ । ଶ୍ରୀ ମୋଦୀ ହିତାଧିକାରୀ ମାନଙ୍କୁ ଆୟୁଷ୍ମାନ କାର୍ଡ ଏବଂ  ସ୍ୱାମିତ୍ୱ କାର୍ଡ ମଧ୍ୟ ବଣ୍ଟନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଜାମରାଣୀ ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗର ପ୍ରଧାନମନ୍ତ୍ରୀ  କୃଷି ସିଞ୍ଚାଇ ଯୋଜନା – ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ପିଏମକେଏସୱାଇ – ଏଆଇବିପି) ଅଧୀନରେ ଉତ୍ତରାଖଣ୍ଡର ଜାମରାଣୀ ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରିବାକୁ ଅନୁମୋଦନ କରିଛି।

ମାର୍ଚ୍ଚ ୨୦୨୮ ସୁଦ୍ଧା ୨,୫୮୪.୧୦ କୋଟି ଟଙ୍କା ବ୍ୟୟ ଅଟକଳର ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ସିସିଇଏ ଉତ୍ତରାଖଣ୍ଡକୁ ୧,୫୫୭.୧୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ କରିଛି ।

ଏହି ପ୍ରକଳ୍ପରେ ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଜିଲ୍ଲାରେ ରାମ ଗଙ୍ଗା ନଦୀର ଉପନଦୀ ଗୋଲା ନଦୀ ଉପରେ ଜାମରାଣୀ ଗ୍ରାମ ନିକଟରେ ଏକ ଡ୍ୟାମ୍ ନିର୍ମାଣ କରାଯିବ । ୧୯୮୧ ମସିହାରେ ସମ୍ପୂର୍ଣ୍ଣ ହୋଇଥିବା ୪୦.୫ କିଲୋମିଟର ଦୀର୍ଘ କେନାଲ ବ୍ୟବସ୍ଥା ଓ ୨୪୪ କିଲୋମିଟର ଦୀର୍ଘ କେନାଲ ବ୍ୟବସ୍ଥା ଜରିଆରେ ଏହି ଡ୍ୟାମ୍ ବର୍ତ୍ତମାନର ଗୋଲା ବ୍ୟାରେଜକୁ ଜଳ ଯୋଗାଣ କରିବ ।

ଏହି ପ୍ରକଳ୍ପରେ ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଓ ଉଧମ ସିଂହ ନଗର ଜିଲ୍ଲା ଏବଂ ଉତ୍ତରପ୍ରଦେଶର ରାମପୁର ଓ ବରେଲି ଜିଲ୍ଲାରେ ୫୭,୦୬୫ ହେକ୍ଟର (ଉତ୍ତରାଖଣ୍ଡରେ ୯,୪୫୮ ହେକ୍ଟର  ଏବଂ  ଉତ୍ତରପ୍ରଦେଶରେ ୪୭,୬୦୭ ହେକ୍ଟର) ଅତିରିକ୍ତ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଅଧୀନରେ ଦୁଇଟି ନୂଆ ଫିଡର କେନାଲ ନିର୍ମାଣ ସହ ପୂର୍ବରୁ ରହିଥିବା ୨୦୭ କିଲୋମିଟର କେନାଲର ପୁନରୁଦ୍ଧାର କରାଯିବା ସହ ୨୭୮ କିଲୋମିଟର ପକ୍କା ପଡ଼ିଆ କେନାଲ ନିର୍ମାଣ କରାଯିବ । ଏହା ବ୍ୟତୀତ ଏହି ପ୍ରକଳ୍ପରେ ୧୪ ମେଗାୱାଟ ଜଳ ବିଦ୍ୟୁତ  ଉତ୍ପାଦନ ସହ ୧୦.୬୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଥିବା ହଲଦ୍ୱାନୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ୪୨.୭୦ ନିୟୁତ ଘନ ମିଟର (ଏମ୍‌ସିଏମ୍‌) ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ପ୍ରକଳ୍ପର ଜଳସେଚନ ସୁବିଧାର ଯଥେଷ୍ଟ ଅଂଶ ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶକୁ ପ୍ରବାହିତ ହେବ ଏବଂ ୨୦୧୭ରେ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଦୁଇ ରାଜ୍ୟ ମଧ୍ୟରେ ଖର୍ଚ୍ଚ / ଲାଭ ବଣ୍ଟନ କରାଯିବ । ତେବେ ପାନୀୟ ଜଳ ଏବଂ ବିଦ୍ୟୁତ୍ ସୁବିଧା ସମ୍ପୂର୍ଣ୍ଣ ଭାବେ ଉତ୍ତରାଖଣ୍ଡ ରାଜ୍ୟ ପାଇଁ ଉପଲବ୍ଧ ହେବ ।

ପୃଷ୍ଠଭୂମି :

୨୦୧୫ -୧୬ ବର୍ଷରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ) ଆରମ୍ଭ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି ଚାଷ ଜମିରେ ଜଳର ଭୌତିକ ଉପଲବ୍ଧତା ବୃଦ୍ଧି କରିବା ଏବଂ ନିଶ୍ଚିତ ଜଳସେଚନ ଅଧୀନରେ ଚାଷ ଯୋଗ୍ୟ ଅଞ୍ଚଳର ସମ୍ପ୍ରସାରଣ କରିବା, କୃଷି କ୍ଷେତ୍ରରେ ଜଳ ବ୍ୟବହାର ଦକ୍ଷତାରେ ଉନ୍ନତି ଆଣିବା, ସ୍ଥାୟୀ ଜଳ ସଂରକ୍ଷଣ ପଦ୍ଧତି ପ୍ରଚଳନ ଇତ୍ୟାଦି । ଭାରତ ସରକାର ୨୦୨୧ – ୨୬ ରେ ୯୩,୦୬୮.୫୬ କୋଟି ଟଙ୍କା (୩୭,୪୫୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା) ବ୍ୟୟ ବରାଦ ସହିତ ପିଏମକେଏସୱାଇ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିଛନ୍ତି । ପିଏମ୍‌କେଏସ୍‌ୱାଇର ତ୍ୱରାନ୍ୱିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି) ର ଉଦ୍ଦେଶ୍ୟ ହେଉଛି ବୃହତ୍ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା ସୃଷ୍ଟି କରିବା । ପିଏମକେଏସୱାଇ – ଏଆଇବିପି ଅଧୀନରେ ବର୍ତ୍ତମାନ ସୁଦ୍ଧା ୫୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ୨୫.୧୪ ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ହୋଇଛି । ୨୦୨୧ – ୨୨ ରୁ ପିଏମକେଏସୱାଇ ୨.୦ର ଏଆଇବିପି ଉପାଦାନ ପରେ ୬ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯାଇଛି । ଜାମରାଣୀ ଡ୍ୟାମ ବହୁମୁଖୀ ପ୍ରକଳ୍ପ ହେଉଛି ସପ୍ତମ ପ୍ରକଳ୍ପ ଯାହା ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଏବଂ ଗୋଆ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଓ ଗୋଆ ଗସ୍ତ କରିବେ। ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ପହଞ୍ଚି ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହ ଦର୍ଶନ କରିବେ। ମନ୍ଦିରରେ ସେ ମଧ୍ୟ ନବନିର୍ମିତ ଧାଡିି ଦର୍ଶନ ପରିସରକୁ ଉଦ୍‌ଘାଟନ କରିବେ। ପ୍ରାୟ ଅପରାହ୍ନ ଦୁଇଟା ବେଳେ, ପ୍ରଧାନମନ୍ତ୍ରୀ ନୀଳୱାଣ୍ଡେ ଆନିକଟରେ ଜଳପୂଜନ କରିବା ସହ ବାମପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଅପରାହ୍ନ ପ୍ରାୟ ୩ଟା ୧୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ଶିରିଡିଠାରେ ଏକ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ସେ ସ୍ୱାସ୍ଥ୍ୟ, ରେଳ, ସଡକ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ପ୍ରାୟ ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ପ୍ରାୟ ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ଗୋଆ ପହଂଚି ୩୭ତମ ଜାତୀୟ କ୍ରୀଡାକୁ ଉଦ୍‌ଘାଟନ କରିବେ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିରିଡିଠାରେ ଉଦ୍‌ଘାଟିତ ହେବାକୁ ଥିବା ନୂତନ ଧାଡି ଦର୍ଶନ ପରିସର ଭବନ ଅତ୍ୟାଧୁନିକ ଢାଞ୍ଚାରେ ଆରାମ ଦାୟକ ପ୍ରତୀକ୍ଷା ସ୍ଥଳଭାବେ ନିର୍ମିତ ହୋଇଛି । ଏଥିରେ କେତେଗୁଡିଏ ପ୍ରତୀକ୍ଷାଳୟ ରହିଛି ଯେଉଁଥିରେ ଦଶ ହଜାରରୁ ଅଧିକ ଭକ୍ତ ଏକା ସମୟରେ ଦର୍ଶନ ପାଇଁ ଅପେକ୍ଷା କରିପାରିବେ । ଏଥିରେ ବାତାନୁକୂଳୀତ ଜନ ସୁବିଧା ଯଥା ଆସବାବପତ୍ର ରଖିବା ଘର, ଶୌଚାଳୟ, ବୁକିଂ କାଉଣ୍ଟର, ପ୍ରସାଦ କାଉଣ୍ଟର, ସୂଚନା କେନ୍ଦ୍ର ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଅକ୍ଟୋବର ୨୦୧୮ରେ ଏହି ନୂତନ ଧାଡି ଦର୍ଶନ ପରିସରର ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ନୀଲୱାଣ୍ଡେ ଡ୍ୟାମର ୮୫ କିଲୋମିଟର ଦୀର୍ଘ ବାମପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏଥି ଯୋଗୁଁ ଅହମ୍ମଦନଗର ଜିଲ୍ଲାରୁ ଛଅ ଓ ନାସିକରୁ ଗୋଟିଏ, ଏହିପରି ମୋଟ ସାତଟି ତହସିଲରେ ୧୮୨ଟି ଗ୍ରାମର ଜନସାଧାରଣ ପାଇପ୍ ଯୋଗେ ପାଣି ପାଇ ଉପକୃତ ହେବେ । ନୀଲୱାଣ୍ଡେ ଡ୍ୟାମ କାର୍ଯ୍ୟ ୧୯୭୦ରେ ଆରମ୍ଭ କରାଯାଇଥିବାବେଳେ ଏହା ୫୧୭୭ କୋଟି ଟଙ୍କାରେ ସମ୍ପୂର୍ଣ୍ଣ ହୋଇଛି ।

ଜନସାଧାରଣଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଯୋଗୁଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମହାରାଷ୍ଟ୍ରର ୮୬ଲକ୍ଷରୁ ଅଧିକ କୃଷକ ସୁବିଧା ପାଇବେ । ସେମାନଙ୍କୁ ବାର୍ଷିକ ଛଅହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ମଧ୍ୟ କେତେକ ବିକାଶମୂଳକ ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେଗୁଡିକ ମଧ୍ୟରେ ଅହମ୍ମଦନଗର ସିଭିଲ ହସ୍‌ପିଟାଲରେ ଆୟୁଷ ହସପିଟାଲ, କୁର୍ଦୁୱାଡୀ-ଲାଟୁର ରୋଡ ୧୮୬ କିଲୋମିଟର ଦୀର୍ଘ ରେଳପଥ ବିଦ୍ୟୁତୀକରଣ, ଜଳଗାଓଁରୁ ଭୂଷାବଲ ମଧ୍ୟରେ ୨୪.୪୬ କିଲୋମିଟର ତୃତୀୟ ଓ ଚତୁର୍ଥ ରେଲପଥ, ଏନଏଚ୍‌-୧୬୬ ସାଙ୍ଗିଲିରୁ ବୋରଗାଓଁ ଚାରିଲାଇନ ବିଶିଷ୍ଟ ସଡକ, ଭାରତୀୟ  ‌ତୌଳ ନିଗମର ମନମାଡ ଟର୍ମିନାଲରେ ଅତିରିକ୍ତ ସୁବିଧା ଅର୍ନ୍ତଭୁର୍କ୍ତ ।

ପ୍ରଧାନମନ୍ତ୍ରୀ ମଧ୍ୟ ଅହମ୍ମଦନଗର ସିଭିଲ ହସ୍‌ପିଟାଲରେ ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଶାଖାର ଶିଳାନ୍ୟାସ କରିବେ ।

କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଓ ସ୍ୱାମୀତ୍ୱ କାର୍ଡ ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରିବେ ।

ଗୋଆରେ ପ୍ରଧାନମନ୍ତ୍ରୀ- ପ୍ରଧାନମନ୍ତ୍ରୀ ତାଙ୍କ ନେତୃତ୍ୱରେ ଦେଶର କ୍ରୀଡା ସଂସ୍କୃତିରେ ବିଶାଳ ପରିବର୍ତ୍ତନ ଘଟିଛି। ନିରବଚ୍ଛିନ୍ନ ସରକାରୀ ପ୍ରୋତ୍ସାହନ ଯୋଗୁଁ କ୍ରୀଡାବିତ୍‌ମାନଙ୍କ କ୍ରୀଡ ନୈପଣ୍ୟ ଆର୍ନ୍ତଜାତିକ ସ୍ତରରେ ଛୁଇଁଛି । କ୍ରୀଡାବିତମାନଙ୍କ ଉତ୍ତମ ପ୍ରଦର୍ଶନକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ସ୍ଥାନରେ ଜାତୀୟ କ୍ରୀଡାମାନ ଅନୁଷ୍ଠିତ ହେଉଛି ।

ପ୍ରଧାନମନ୍ତ୍ରୀ ଗୋଆର ମାଓଗାଓଁ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ୨୬ତାରିଖ ଦିନ ୩୭ତମ ଜାତୀୟ କ୍ରୀଡାର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ଅଂଶଗ୍ରହଣକାରୀ କ୍ରୀଡାବିତମାନଙ୍କୁ ମଧ୍ୟ ସମ୍ବୋଧନ କରିବେ ।

ପ୍ରଥମଥର ନିମନ୍ତେ ଗୋଆରେ ଏହି ଜାତୀୟ କ୍ରୀଢା ଅନୁଷ୍ଠିତ ହେଉଛି । ଏହା ଅକ୍ଟୋବର ୨୬ରୁ ନଭେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶବ୍ୟାପୀ ୧୦ହଜାରରୁ ଅଧିକ ଖେଳାଳି ଏଥିରେ ଅଂଶଗ୍ରହଣ କରୁଥିବାବେଳେ ୪୩ଟି ବିଭିନ୍ନ ପ୍ରକାର ଖେଳ ୨୮ଟି ସ୍ଥାନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାକୁ ଅନୁମୋଦନ କରାଯାଇଛି। ଏହି ସହଯୋଗ ବୁଝାମଣାପତ୍ର (ଏମ୍‌ଓସି  ୨୦୨୩ ଜୁଲାଇରେ ସ୍ୱାକ୍ଷର କରାଯାଇଥିଲା। ଏଥିରେ ଭାରତ ପକ୍ଷରୁ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଜାପାନ ପକ୍ଷରୁ ଅର୍ଥନୀତି, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର ପ୍ରତିନିଧି ସ୍ୱାକ୍ଷର କରିଥିଲେ। ଏହା ଭାରତ-ଜାପାନ ସେମି କଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ନାମରେ ପରିଚିତ।

ଏହି ଏମ୍‌ଓସି ଦୁଇ ଦେଶ ମଧ୍ୟରେ ସେମି କଣ୍ଡକ୍ଟର କାରବାର ଓ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବାରେ ସହାୟକ ହେବ। ଡିଜିଟାଲ ଟେକ୍‌ନୋଲୋଜି ଓ ଉଦ୍ୟୋଗର ବିକାଶରେ ସେମିକଣ୍ଡକ୍ଟରର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ। ତେଣୁ ଭାରତ ଓ ଜାପାନ ଉଭୟ ଏହି ବୁଝାବଣା ସହଯୋଗ ଦ୍ୱାରା ଉପକୃତ ହେବେ। ଏହି ଏମ୍‌ଓସି ସ୍ୱାକ୍ଷରିତ ହେବା  ଦିନ ଠାରୁ କାର‌୍ୟ୍ୟକାରୀ ହେବା ସହିତ ପାଞ୍ଚ ବର୍ଷ ଯାଏ ବଳବତ୍ତର  ରହିବ। ଏହା ଦ୍ୱାରା ଉଭୟ ଦେଶ ଜି୨ଜି ଓ ବି୨ଜି ଦ୍ୱିପାକ୍ଷିକ ସହଯୋଗ ଭିତ୍ତିରେ ପରସ୍ପରକୁ ସାହାଯ୍ୟ କରି ଉତ୍ତମ ମାନର ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାକୁ ସୁଦୃଢ କରିବାକୁ କାମ କରିବେ।

ପୃଷ୍ଠଭୂମି:- ଭାରତରେ ଏକ ସୁଦୃଢ ଓ ଉତ୍ତମ ଇଲେକ୍‌ଟ୍ରୋନିକ୍ସ  ତଥା ସେମିକଣ୍ଡକ୍ଟର ଉତ୍ପାଦନ ଭିତ୍ତିଭୂମି ନିର୍ମାଣ କରିବାକୁ ଇଲେକ୍‌ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ  ଗୁରୁତ୍ୱର ସହିତ କାମ କରୁଛି। ଭାରତରେ ସେମି କଣ୍ଡକ୍ଟର ଫ୍ୟାବ୍ସ, ଡିସ୍‌ପ୍ଲେ ଫ୍ୟାବ୍ସ, କମ୍ପାଉଣ୍ଡ ସେମିକଣ୍ଡକ୍ଟର /ସିଲିକନ୍ ଫଟୋନିକ୍ସ/ସେନ୍‌ସର୍‌/ଡିସକ୍ରିଟ୍ ସେମିକଣ୍ଡକ୍ଟର, ସେମି କଣ୍ଡକ୍ଟର ପ୍ରସ୍ତୁତି, ଟେଷ୍ଟିଂ, ମାର୍କିଂ ଓ ପ୍ୟାକେଜିଂ (ଏଟିଏମ୍‌ପି) ଆଉଟସୋର୍ସଡ୍ ସେମି କଣ୍ଡକ୍ଟର ଆସେମ୍ଲି ଓ ଟେଷ୍ଟ (ଓଏସ୍‌ଏଟି) ବ୍ୟବସ୍ଥା  ନିର୍ମାଣ ଉପରେ ଗୁରୁ୍‌ତ୍ୱ ଦିଆଯାଉଛି ଏବଂ ଏ କ୍ଷେତ୍ରରେ ଜାପାନର ସାହାଯ୍ୟ ସହଯୋଗ ଓ ଅଂଶଦାରୀ ଲୋଡାଯାଇଛି।

ସେମିକଣ୍ଡକ୍ଟର ନିର୍ମାଣ ଓ ଯୋଗାଣ କ୍ଷେତ୍ରରେ ଯେ କୌଣସି ରାଷ୍ଟ୍ର ତଥା ଆର୍ନ୍ତଜାତିକ ସହଯୋଗ ପାଇବାକୁ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ସରକାର କ୍ଷମତା ପ୍ରଦାନ କରିଛନ୍ତି। ଦେଶର ଇଲେକ୍ଟ୍ରୋନିକ୍ସ ଓ ଆଇଟି ଉଦ୍ୟୋଗ କ୍ଷେତ୍ରରେ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଉଦ୍ୟମ କରୁଛି। ସେମିକଣ୍ଡକ୍ଟର ଅଭାବ ଯୋଗୁଁ ଆମ ଆଇଟି, ଡିଜିଟାଲ ଓ ପ୍ରଯୁକ୍ତି କ୍ଷେତ୍ର ଯେପରି ପଛରେ ପଡି ନ ଯାଏ ସେଥି ପାଇଁ ସରକାର ବିଭିନ୍ନ ପଦକ୍ଷେପ ଓ କୌଶଳ କାର‌୍ୟ୍ୟକାରୀ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ସ୍ୱନିଧିର ପରିବର୍ତ୍ତନକାରୀ ପ୍ରଭାବକୁ ସ୍ୱୀକାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ଏକ ଅନୁସନ୍ଧାନ ରିପୋର୍ଟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହା ପ୍ରଧାନମନ୍ତ୍ରୀ ସ୍ୱନିଧି କାର୍ଯ୍ୟକ୍ରମ ଦ୍ୱାରା ପଡିଥିବା ସକରାତ୍ମକ ପ୍ରଭାବର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରେ।

ଏସବିଆଇର ଗ୍ରୁପ୍ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟ କାନ୍ତି ଘୋଷଙ୍କ ଦ୍ୱାରା କରାଯାଇଥିବା ଗବେଷଣାରେ ଏହି ଯୋଜନାର ସାମଗ୍ରିକ ପ୍ରକୃତି ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ଏହା କିପରି ଆର୍ଥିକ ସଶକ୍ତୀକରଣର କାରଣ ହୋଇଛି ତାହା ଉପରେ ଆଲୋକପାତ କରିଛି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରି କହିଛନ୍ତି ଯେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସୌମ୍ୟ କାନ୍ତି ଘୋଷଙ୍କ ଏହି ଗଭୀର ଗବେଷଣା ପ୍ରଧାନମନ୍ତ୍ରୀ ସ୍ୱନିଧିର ପରିବର୍ତ୍ତନଶୀଳ ପ୍ରଭାବର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି। ଏଥିରେ ଏହି ଯୋଜନାର ସାମଗ୍ରିକ ପ୍ରକୃତିକୁ ଉଲ୍ଲେଖ କରାଯାଇଛି ଏବଂ ଏହା କିପରି ଆର୍ଥିକ ସଶକ୍ତୀକରଣର କାରଣ ହୋଇଛି ତାହା ଉପରେ ଆଲୋକପାତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଇଟିବିପି ପ୍ରତିଷ୍ଠା ଦିବସରେ ଏହାର ଅଦମ୍ୟ ଏବଂ ବୀରତ୍ୱକୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ

ନୂଆଦିଲ୍ଲୀ: ଆଇଟିବିପି ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଟିବିପି କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଆଇଟିବିପି ପ୍ରତିଷ୍ଠା ଦିବସରେ ମୁଁ ଆମ ଆଇଟିବିପି କର୍ମଚାରୀଙ୍କ ଅଦମ୍ୟ ଭାବନା ଏବଂ ବୀରତ୍ୱକୁ ସାଲ୍ୟୁଟ କରୁଛି। ସେମାନେ ଦେଶର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ପ୍ରଶଂସନୀୟ ମାନବୀୟ ଉଦ୍ୟମ ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ। ସେମାନେ ସମାନ ଆଗ୍ରହ ଏବଂ ଉତ୍ସାହ ସହ ସେବା ଜାରି ରଖନ୍ତୁ।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ନିରାପତ୍ତା ଏବଂ ମାନବୀୟ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହ ଆଲୋଚନା କରିଛନ୍ତି ଯେଉଁଠାରେ ସେମାନେ ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଉପରେ ମତ ବିନିମୟ କରିଛନ୍ତି। ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକ ମାନଙ୍କ ଜୀବନ ହାନିକୁ ନେଇ ଶ୍ରୀ ମୋଦୀ ଚିନ୍ତା ବ୍ୟକ୍ତ କରିବା ସହ ସୁରକ୍ଷା ଏବଂ ମାନବୀୟ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଜେର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହ ଆଲୋଚନା ହୋଇଛି। ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଉପରେ ମତ ବିନିମୟ କରିଥିଲୁ। ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକ ମାନଙ୍କ ଜୀବନ ହାନିକୁ ନେଇ ଆମେ ଚିନ୍ତା ବ୍ୟକ୍ତ କରୁଛୁ। ନିରାପତ୍ତା ଓ ମାନବିକ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଦୁର୍ଗାପୂଜାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଗାପୂଜାରେ ସମସ୍ତଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସମସ୍ତଙ୍କ ସୁଖ ଓ ସ୍ୱାସ୍ଥ୍ୟପାଇଁ ଦେବୀଙ୍କୁ ପ୍ରାର୍ଥନା କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି: ‘ଦେଶବ୍ୟାପୀ ମୋର ପରିବାରଜନଙ୍କୁ ଦୁର୍ଗାପୂଜାର ବହୁତ ସାରା ଶୁଭେଚ୍ଛା। ମା’ ଦୁର୍ଗା ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖୀ ଜୀବନରଆଶୀର୍ବାଦ ଦିଅନ୍ତୁ।’

Categories
ଆଜିର ଖବର ଜାତୀୟ ଖବର

ମିଶନ୍ ଗଗନାୟନ ଟିଭି D1 ପରୀକ୍ଷାମୂଳକ ଉଡାଣର ସଫଳ ଉତକ୍ଷେପଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ଗଗନାୟନ ଟିଭି D1 ପରୀକ୍ଷାମୂଳକ ଉଡାଣର ସଫଳ ଉତକ୍ଷେପଣକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦେଶକୁ ଗୋଟିଏ ପାଦ ଆଗକୁ ନେଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, “ଏହି ଉତକ୍ଷେପଣ ଆମକୁ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ଗଗନାୟନକୁ ସଫଳ କରିବାକୁ ଗୋଟିଏ ପାଦ ନିକଟତର କରିଛି। ଆମର ଇସ୍ରୋ ବୈଜ୍ଞାନିକ ମାନଙ୍କୁ ମୋର ଶୁଭେଚ୍ଛା”।

Categories
ଆଜିର ଖବର ଜାତୀୟ ଖବର

‘ଦି ସିନ୍ଧିଆ ସ୍କୁଲ୍’ର ୧୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ୫ଟାରେ ଗ୍ୱାଲିୟରଠାରେ ‘ଦି ସିନ୍ଧିଆ ସ୍କୁଲ୍’ର ୧୨୫ତମ ପ୍ରତିଷ୍ଠାଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ବିଦ୍ୟାଳୟରେ ‘ବହୁମୁଖୀ କ୍ରୀଡ଼ା କମ୍ପ୍ଲେକ୍ସ’ରଶିଳାନ୍ୟାସ କରିବା ସହ ବିଶିଷ୍ଟ ପୂର୍ବତନ ଛାତ୍ରଛାତ୍ରୀ ଓ ଶ୍ରେଷ୍ଠ ସଫଳତା ହାସଲକରିଥିବା ଛାତ୍ରଛାତ୍ରୀଙ୍କୁ  ବିଦ୍ୟାଳୟର ବାର୍ଷିକ ପୁରସ୍କାର ପ୍ରଦାନ କରିବେ। ଏହିଅବସରରେ ସେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ।

ସିନ୍ଧିଆ ସ୍କୁଲ ୧୮୯୭ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହା ଐତିହାସିକଗ୍ୱାଲିୟର ଦୁର୍ଗ ଉପରେ ଅବସ୍ଥିତ।

Categories
ଆଜିର ଖବର ଜାତୀୟ ଖବର

ବଙ୍ଗାରୁ ଆଦିଗାଲାରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ବଙ୍ଗାରୁ ଆଦିଗାଲାରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଶ୍ରୀ ବଙ୍ଗାରୁ ଆଦିଗାଲାରଙ୍କ ଦେହାନ୍ତରେ ଗଭୀର ଦୁଃଖିତ। ଆଧ୍ୟାତ୍ମିକତା ଏବଂ କରୁଣାରେ ସମୃଦ୍ଧ ତାଙ୍କ ଜୀବନ ଅନେକଙ୍କ ପାଇଁ ସବୁଦିନ ଲାଗି ମାର୍ଗଦର୍ଶକ ହେବ। ମାନବିକତା ପ୍ରତି ତାଙ୍କ ନିରନ୍ତର ସେବା ଏବଂ ଶିକ୍ଷାକୁ ଗୁରୁତ୍ୱ ଦେଇ ସେ ଅନେକଙ୍କ ଜୀବନରେ ଆଶା ଏବଂ ଜ୍ଞାନର ମଞ୍ଜି ବୁଣିଥିଲେ। ତାଙ୍କ କାର୍ଯ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଓ ମାର୍ଗଦର୍ଶନ ଦେବା ଜାରି ରଖିବ। ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା। ଓମ୍ ଶାନ୍ତି।’

Categories
ବିଶେଷ ଖବର

ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ମହାରାଷ୍ଟ୍ରର ୩୪ଟି ଗ୍ରାମୀଣ ଜିଲ୍ଲାରେ ସ୍ଥାପିତ ଏହି କେନ୍ଦ୍ରଗୁଡ଼ିକ ଗ୍ରାମୀଣ ଯୁବକ ମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବେ।

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଆରମ୍ଭ କରି କହିଥିଲେ ଯେ ନବରାତ୍ରର ପଞ୍ଚମ ଦିନରେ ସ୍କନ୍ଦ ମାତାଙ୍କୁ ପୂଜା କରାଯାଏ। ପ୍ରତ୍ୟେକ ମାଆ ନିଜ ପିଲାମାନଙ୍କ ପାଇଁ ସୁଖ ଓ ସଫଳତା କାମନା କରିଥାନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଏବଂ ଦକ୍ଷତା ବିକାଶ ଦ୍ୱାରା ହିଁ ଏହା ସମ୍ଭବ ହୋଇ ପାରିବ। ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲକ୍ଷ ଲକ୍ଷ ଯୁବକଙ୍କ ଦକ୍ଷତା ବିକାଶ ପାଇଁ ଏହି ବିରାଟ ପଦକ୍ଷେପ ଆଜିର ଦିନକୁ ସ୍ମରଣୀୟ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରରେ ଦକ୍ଷ ଭାରତୀୟ ଯୁବକ ମାନଙ୍କ ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଅନେକ ଦେଶର ଜନସଂଖ୍ୟାରେ ବଢୁଥିବା ବୟସ ପ୍ରୋଫାଇଲ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ ଅଧ୍ୟୟନ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଥିରେ ଏହା ଉଲ୍ଲେଖ କରାଯାଇଛି ଯେ ୧୬ଟି ଦେଶ ପ୍ରାୟ ୪୦ ଲକ୍ଷ କୁଶଳୀ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା କରିଛନ୍ତି। “ଭାରତ କେବଳ ନିଜ ପାଇଁ ନୁହେଁ , ସମଗ୍ର ବିଶ୍ୱ ପାଇଁ ଦକ୍ଷ ପେସାଦାର ପ୍ରସ୍ତୁତ କରୁଛି”, ପ୍ରଧାନମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ ମହାରାଷ୍ଟ୍ରର ଦକ୍ଷତା କେନ୍ଦ୍ରଗୁଡିକ ସ୍ଥାନୀୟ ଯୁବକ ମାନଙ୍କୁ ବିଶ୍ୱସ୍ତରୀୟ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବ ଏବଂ ସେମାନଙ୍କୁ ନିର୍ମାଣ, ଆଧୁନିକ କୃଷି, ଗଣମାଧ୍ୟମ ଏବଂ ମନୋରଞ୍ଜନ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦକ୍ଷ କରିବ। ମୌଳିକ ବିଦେଶୀ ଭାଷା ଦକ୍ଷତା ଭଳି ସଫ୍ଟ ସ୍କିଲର ପ୍ରଶିକ୍ଷଣ ପ୍ରଦାନ କରିବା, ଭାଷା ବ୍ୟାଖ୍ୟା ପାଇଁ ଏଆଇ ଉପକରଣ ବ୍ୟବହାର କରିବାର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ, ଯାହା ସେମାନଙ୍କୁ ନିଯୁକ୍ତିଦାତା ମାନଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବ।

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ , ଦୀର୍ଘ ଦିନ ଧରି ପୂର୍ବ ସରକାର ମାନଙ୍କ ପାଖରେ ଦକ୍ଷତା ବିକାଶ ଦିଗରେ ଦୂରଦୃଷ୍ଟି ଏବଂ ଗମ୍ଭୀରତାର ଅଭାବ ଥିଲା, ଯାହା ଫଳରେ ଦକ୍ଷତା ଅଭାବରୁ ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ କମ୍ ଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନର ସରକାର ଦକ୍ଷତା ବିକାଶର ଆବଶ୍ୟକତାକୁ ବୁଝିଛନ୍ତି ଏବଂ ନିଜସ୍ୱ ବଜେଟ୍ ଆବଣ୍ଟନ ଏବଂ ଏକାଧିକ ଯୋଜନା ସହିତ ଏହାକୁ ସମର୍ପିତ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିଛନ୍ତି। କୌଶଳ ବିକାଶ ଯୋଜନା ଅଧୀନରେ ୧ କୋଟି ୩୦ ଲକ୍ଷରୁ ଅଧିକ ଯୁବକଙ୍କୁ ଏକାଧିକ କ୍ଷେତ୍ର ଉପରେ ତାଲିମ ପ୍ରଦାନ କରାଯାଇଥିବା ବେଳେ ସମଗ୍ର ଦେଶରେ ଶତାଧିକ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

ସାମାଜିକ ନ୍ୟାୟକୁ ସୁଦୃଢ଼ କରିବା କ୍ଷେତ୍ରରେ ଦକ୍ଷତା ବିକାଶ ପଦକ୍ଷେପର ଅବଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ବାବାସାହେବ ଆମ୍ବେଦକରଙ୍କ ଦର୍ଶନ, ଯେଉଁଥିରେ ଦଳିତ, ପଛୁଆ ଏବଂ ଆଦିବାସୀ ଲୋକମାନଙ୍କ ଉନ୍ନତି ପାଇଁ ଶିଳ୍ପାୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା କାରଣ ସେମାନଙ୍କର ଜମିର ପରିମାଣ ଅଳ୍ପ ଥିଲା ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ଅତୀତରେ ଦକ୍ଷତାର ଅଭାବ ଯୋଗୁଁ ଏହି ଶ୍ରେଣୀର ଲୋକମାନେ ଗୁଣାତ୍ମକ ନିଯୁକ୍ତି ପାଇବାର ସୁଯୋଗରୁ ବଞ୍ଚିତ ହୋଇଥିଲେ। ସେ କହିଥିଲେ ଯେ ସରକାରଙ୍କ ଦକ୍ଷତା ବିକାଶ ପଦକ୍ଷେପ ଗୁଡିକରୁ ସବୁଠାରୁ ଅଧିକ ଲାଭ ଗରିବ, ଦଳିତ, ପଛୁଆ ଓ ଆଦିବାସୀ ପରିବାର ମାନେ ପାଉଛନ୍ତି।

ନାରୀ ଶିକ୍ଷା କ୍ଷେତ୍ରରେ ସମାଜର ବନ୍ଧନ ଭାଙ୍ଗିବାରେ ସାବିତ୍ରୀ ବାଇ ଫୁଲେଙ୍କ ଅବଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଏହା ଦୋହରାଇଥିଲେ ଯେ କେବଳ ଜ୍ଞାନ ଓ ଦକ୍ଷତା ଥିବା ବ୍ୟକ୍ତିମାନେ ହିଁ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ। ମହିଳା ଶିକ୍ଷା ଓ ପ୍ରଶିକ୍ଷଣ ଉପରେ ସରକାର ଗୁରୁତ୍ୱ ଦେବା ପଛରେ ସାବିତ୍ରୀ ବାଇ ଫୁଲେ ପ୍ରେରଣା ପାଲଟିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ମହିଳା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବା ‘ସ୍ୱୟଂ ସହାୟତା ସମୁହ’ ବିଷୟରେ ଉଲ୍ଲେଖ କରିବା ସହ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅଧୀନରେ ୩ କୋଟିରୁ ଅଧିକ ମହିଳା ମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। କୃଷି କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର ପାଇଁ ମହିଳା ମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଶିକ୍ଷଣ ଦେବା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

ଗ୍ରାମରେ ଅନେକ ପିଢ଼ି ଧରି ଚାଲି ଆସୁଥିବା ବୃତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ବିଷୟରେ କହିଥିଲେ ଯାହା ବାରିକ, ବଢ଼େଇ, ଧୋବା, ସ୍ୱର୍ଣ୍ଣକାର କିମ୍ବା କମାର ଭଳି ବୃତ୍ତିକୁ ସାହାଯ୍ୟ କରିବା ପାଇଁ ଆରମ୍ଭ କରାଯାଇଛି। ଏହା ଅଧୀନରେ ତାଲିମ, ଅତ୍ୟାଧୁନିକ ଉପକରଣ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏଥିପାଇଁ ସରକାର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ମହାରାଷ୍ଟ୍ରରେ ୫୦୦ ରୁ ଅଧିକ ଦକ୍ଷତା କେନ୍ଦ୍ର ଏହାକୁ ରାଜ୍ୟରେ ଆଗେଇ ନେବ ବୋଲି ସେ କହିଛନ୍ତି।

ଦକ୍ଷତା ବିକାଶର ଏହି ପ୍ରୟାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶର ପ୍ରକାରର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ , ଯାହା ଦେଶକୁ ଅଧିକ ସୁଦୃଢ଼ କରିବ। ସେ ଭାରତର ଉତ୍ପାଦନ ଶିଳ୍ପରେ ଶୂନ୍ୟ ତ୍ରୁଟି ଥିବା ଉତ୍ତମ ମାନର ଉତ୍ପାଦ କିମ୍ବା ଉତ୍ପାଦର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନୂତନ ଦକ୍ଷତା ଆବଶ୍ୟକ କରୁଥିବା ଶିଳ୍ପ ୪.୦ କୁ ମଧ୍ୟ ସ୍ପର୍ଶ କରିଥିଲେ। ସେବା କ୍ଷେତ୍ର, ଜ୍ଞାନ ଅର୍ଥନୀତି ଏବଂ ଆଧୁନିକ ଜ୍ଞାନକୌଶଳକୁ ଦୃଷ୍ଟିରେ ରଖି ସରକାର ମାନଙ୍କୁ ନୂତନ ଦକ୍ଷତା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଉତ୍ପାଦନ ପାଇଁ କେଉଁ ପ୍ରକାରର ଉତ୍ପାଦ ଦେଶକୁ ଆତ୍ମନିର୍ଭରଶୀଳତା ଆଡକୁ ନେଇଯିବ ତାହା ଜାଣିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏଭଳି ଉତ୍ପାଦ ତିଆରି କରିବା ପାଇଁ ଆବଶ୍ୟକ ଦକ୍ଷତାକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ।

ଭାରତର କୃଷି କ୍ଷେତ୍ର ପାଇଁ ନୂତନ କୌଶଳର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ପୃଥିବୀ ମାତାଙ୍କ ସୁରକ୍ଷା ପାଇଁ ପ୍ରାକୃତିକ ଚାଷ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସନ୍ତୁଳିତ ଜଳସେଚନ, କୃଷି ଉତ୍ପାଦ ପ୍ରକ୍ରିୟାକରଣ, ପ୍ୟାକେଜିଂ, ବ୍ରାଣ୍ଡିଂ ଏବଂ ଲୋକଙ୍କୁ ଅନଲାଇନ୍ ଦୁନିଆ ସହ ଯୋଡ଼ି ହେବା ପାଇଁ ଦକ୍ଷତା ଆକଳନ କରିବା ନିମନ୍ତେ ଦକ୍ଷତାର ଆବଶ୍ୟକତା ଉପରେ ସେ ଆଲୋଚନା କରିଥିଲେ। ଦେଶର ବିଭିନ୍ନ ସରକାରଙ୍କୁ ସେମାନଙ୍କ ଦକ୍ଷତା ବିକାଶର ପରିସରକୁ ଆହୁରି ବିସ୍ତାର କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀ ମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନେ ସଠିକ୍ ମାର୍ଗ ବାଛିଛନ୍ତି କାରଣ ଦକ୍ଷତା ମାଧ୍ୟମରେ ସେମାନେ ସେମାନଙ୍କ ପରିବାର ଏବଂ ଦେଶ ପାଇଁ ବହୁତ ଅବଦାନ ଦେଇପାରିବେ। ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସିଙ୍ଗାପୁରର ଏକ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନର ଅନୁଭୂତି ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଗୌରବକୁ ସ୍ମରଣ କରିଥିଲେ ଏବଂ ଦକ୍ଷତା ପ୍ରଶିକ୍ଷଣର ଏଭଳି କାର୍ଯ୍ୟକଳାପ କିପରି ସାମାଜିକ ସ୍ୱୀକୃତି ଲାଭ କରିଥିଲା ସେ ସମ୍ପର୍କରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରମର ମର୍ଯ୍ୟାଦାକୁ ସ୍ୱୀକାର କରିବା ଏବଂ କୁଶଳୀ କାର୍ଯ୍ୟର ଗୁରୁତ୍ୱକୁ ସ୍ୱୀକାର କରିବା ହେଉଛି ସମାଜର କର୍ତ୍ତବ୍ୟ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାର ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଗ୍ରାମୀଣ କୌଶଳ ବିକାଶ କେନ୍ଦ୍ର ଗୁଡ଼ିକ ଗ୍ରାମୀଣ ଯୁବକଯୁବତୀ ମାନଙ୍କୁ ରୋଜଗାର ସୁଯୋଗ ଦେବା ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ। ପ୍ରତ୍ୟେକ କେନ୍ଦ୍ରରେ ଅତି କମ୍ରେ ଦୁଇଟି ଧନ୍ଦାମୂଳକ ପାଠ୍ୟକ୍ରମରେ ପ୍ରାୟ ୧୦୦ ଜଣ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବ। ଜାତୀୟ ଦକ୍ଷତା ବିକାଶ ପରିଷଦ ଅଧୀନରେ ତାଲିକାଭୁକ୍ତ ଶିଳ୍ପ ଅଂଶୀଦାର ଏବଂ ଏଜେନ୍ସିଗୁଡିକ ଦ୍ୱାରା ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି କେନ୍ଦ୍ର ଗୁଡିକ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳ ଅଧିକ ଦକ୍ଷ ଏବଂ କୁଶଳୀ ମାନବ ସମ୍ବଳ ବିକାଶ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିବାରେ ସହାୟକ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହାମହିମ ମିଃ ମହମ୍ମଦ ଆବ୍ବାସଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଗାଜାର ଅଲ୍ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଭାରତ ଏବଂ ଏହି ଅଞ୍ଚଳ ମଧ୍ୟରେ ପାରମ୍ପରିକ ଭାବେ ଘନିଷ୍ଠ ଏବଂ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳରେ ଖରାପ ହେଉଥିବା ନିରାପତ୍ତା ପରିସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସେ ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଥିଲେ।

ରାଷ୍ଟ୍ରପତି ମହମ୍ମଦ ଆବ୍ବାସ ପରିସ୍ଥିତି ସମ୍ପର୍କରେ ନିଜର ଆକଳନ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଭାରତର ସମର୍ଥନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ନିରପେକ୍ଷ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ପାଲେଷ୍ଟାଇନ ବାସୀଙ୍କ ପାଇଁ ଭାରତ ମାନବିକ ସହାୟତା ପଠାଇବା ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

ଦୁଇ ନେତା ପରସ୍ପର ସହ ଯୋଗାଯୋଗ ଜାରି ରଖିବାକୁ ରାଜି ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ମାତୃପ୍ରେମର ପ୍ରତୀକ ମା’ ସ୍କନ୍ଦମାତାଙ୍କ ଆଶୀର୍ବାଦ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତୃପ୍ରେମର ପ୍ରତୀକ ମା’ ସ୍କନ୍ଦମାତାଙ୍କୁ ପ୍ରାର୍ଥନା କରି ତାଙ୍କର ସମସ୍ତ ଭକ୍ତ ପାଇଁ ଆଶୀର୍ବାଦ ଲୋଡ଼ିଛନ୍ତି।

ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ମଧ୍ୟ ସେୟାର କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ନବରାତ୍ରୀରେ ଆଜି ମାତୃ ପ୍ରେମର ପ୍ରତୀକ ଦେବୀ ସ୍କନ୍ଦମାତାଙ୍କ ବିଶେଷ ପୂଜା କରାଯାଏ। ମା’ ତାଙ୍କର ସମସ୍ତ ଉପାସକଙ୍କୁ ନବଚେତନା ଏବଂ ନବସୃଜନର ଆଶୀର୍ବାଦ ଦିଅନ୍ତୁ, ଏହା ହିଁ କାମନା।’

Categories
ଆଜିର ଖବର ଜାତୀୟ ଖବର

୨୦୦ ଆଦିବାସୀ ଯୁବକ ଯୁବତୀଙ୍କ ସହ ଆଲୋଚନା କଲେ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀ ଠାରେ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ (ଟିୱାଇଇପି) ଅଧୀନରେ ୨୦୦ ଆଦିବାସୀ ଯୁବକଙ୍କ ସହ ଆଲୋଚନା କରିଛନ୍ତି।

ଆଦିବାସୀ ଯୁବକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଆଜି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ଅନେକ ସୁଯୋଗ ଉପଲବ୍ଧ ହେଉଛି। ସେ କହିଛନ୍ତି ଯେ, ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ଗର୍ବର ବିଷୟ। ଦେଶର ସ୍ୱାଧୀନତା ସଂଗ୍ରାମରେ ସବୁକିଛି ବଳିଦାନ ଦେଇଥିବା ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦ କୋଟି ଟଙ୍କା ବ୍ୟୟରେ ସାରା ଦେଶରେ ୧୦ଟି ଆଦିବାସୀ ସଂଗ୍ରହାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦୀ ଏବଂ ସେମାନଙ୍କ ବିଚାରଧାରା ଦେଶର ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତ ବିରୋଧରେ। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ଯେଉଁମାନେ ମୋବାଇଲ ଟାୱାର, ରାସ୍ତା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ଚାହୁଁନାହାନ୍ତି, ସେମାନେ ଯୁବଗୋଷ୍ଠୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ରାସ୍ତାରେ ବାଧା ସୃଷ୍ଟି କରୁଛନ୍ତି । ଶ୍ରୀ ଶାହା କହିଛନ୍ତି ଯେ ହିଂସା ନିଯୁକ୍ତି ଦେଇପାରିବ ନାହିଁ ଏବଂ ବିକାଶ ଏବଂ ମୌଳିକ ଭିତ୍ତିଭୂମି ସୃଷ୍ଟି ପାଇଁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଜରୁରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରୁ ବାମପନ୍ଥୀ ଉଗ୍ରବାଦର ଚିନ୍ତାଧାରାକୁ ଉଚ୍ଛେଦ କରିବା ରେ ଆଦିବାସୀ ଯୁବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ୍। ଗୃହମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ ଯୁବକମାନଙ୍କର ଦାୟିତ୍ୱ ହେଉଛି ନା ଭୁଲ ମାର୍ଗରେ ଚାଲିବା କିମ୍ବା ଅନ୍ୟମାନଙ୍କୁ ଏହା କରିବାକୁ ଅନୁମତି ଦେବା।

ଅମିତ ଶାହା କହିଥିଲେ ଯେ ଆଦିବାସୀ ଯୁବକମାନେ ସମସ୍ତଙ୍କୁ ଜଣାଇବା ଉଚିତ ଯେ ଆଜି ଦେଶ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରୁଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆଦିବାସୀଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ସେ କହିଥିଲେ ଯେ ଜନ୍ମସ୍ଥାନ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଜଣେ ବ୍ୟକ୍ତି ଜୀବନରେ କରିଥିବା କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ । କଠିନ ପରିଶ୍ରମ ଦ୍ୱାରା ହିଁ ଧନ, ଜ୍ଞାନ ଓ ସମ୍ମାନ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି।

ଗୃହ ମନ୍ତ୍ରଣାଳୟ ଗତ ୧୫ ବର୍ଷ ଧରି ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ (ଟିୱାଇଇପି) ଚଳାଇ ଆସୁଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ନେହେରୁ ଯୁବ କେନ୍ଦ୍ର ସଂଗଠନ (ଏନଓ୍ବାଇକେଏସ୍) ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଆଭ୍ୟନ୍ତରୀଣ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ଯୁବକ ଯୁବତୀମାନଙ୍କୁ ଦେଶର ପ୍ରମୁଖ ସହର ଏବଂ ମହାନଗର ପରିଦର୍ଶନରେ ନିଆଯାଏ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଗୁଡ଼ିକ ହେଲା:

କ. ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଯୁବକମାନଙ୍କ ଆକାଂକ୍ଷାକୁ ପ୍ରୋତ୍ସାହିତ କରିବା ।

ଖ. ସିପିଆଇ ମାଓବାଦୀମାନେ ସରକାରଙ୍କ ବିରୋଧରେ ପ୍ରଚାର କରୁଥିବା ଅପପ୍ରଚାରକୁ ପ୍ରତିହତ କରିବା ।

ଗ. ଆଦିବାସୀ ଅଞ୍ଚଳର ଯୁବକମାନଙ୍କୁ ବିକାଶ କାର୍ଯ୍ୟ ଏବଂ ଶିଳ୍ପ ପ୍ରଗତି ବିଷୟରେ ଅବଗତ କରାଇବା ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବିଷୟରେ ସେମାନଙ୍କୁ ସଚେତନ କରିବା ।

ଘ. ଏହି ସବୁ କ୍ଷେତ୍ରରେ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ବିଶ୍ୱାସ ବୃଦ୍ଧି କରାଇବା ।

ଙ. ଆଦିବାସୀ ସମ୍ପ୍ରଦାୟର ଯୁବକମାନଙ୍କ ମଧ୍ୟରେ ପ୍ରମୁଖ ବିକାଶ ଓ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ।

ଚ. ଦେଶର ଅନ୍ୟାନ୍ୟ ସ୍ଥାନରେ ଆଦିବାସୀ ସମ୍ପ୍ରଦାୟର ଯୁବକ ଏବଂ ସେମାନଙ୍କ ସହଯୋଗୀ ଗୋଷ୍ଠୀ ମଧ୍ୟରେ ଏକ ଭାବପ୍ରବଣ ସମ୍ପର୍କ ସୃଷ୍ଟି କରିବା ।

ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରେ ୨୦୦୬-୦୭ରୁ ୨୦୨୨-୨୩ ମଧ୍ୟରେ ଆଦିବାସୀ ସମ୍ପ୍ରଦାୟର ୨୫,୮୮୦ ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୨୦୧୪-୧୫ରୁ ୨୦୨୨-୨୩ ପର୍ଯ୍ୟନ୍ତ ଗତ ୯ ବର୍ଷରେ ୨୦,୭୦୦ ଯୁବକ ଯୁବତୀ ଅଂଶଗ୍ରହଣ କରିଥିବା ବେଳେ ୨୦୧୯-୨୦ରୁ ୨୦୨୨-୨୩ ପର୍ଯ୍ୟନ୍ତ ଗତ ୪ ବର୍ଷରେ ୧୦,୨୦୦ ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଛନ୍ତି। ଚଳିତ ବର୍ଷ ଟିୱାଇଇପିରେ ୫୦୦୦ ଯୁବକ ଯୁବତୀ ଭାଗ ନେଉଛନ୍ତି । ପୂର୍ବରୁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ୨୦୦୦ ପ୍ରତିଯୋଗୀ ଭାଗ ନେଉଥିବା ବେଳେ ୨୦୧୯ ଅଗଷ୍ଟରେ ଏହାକୁ ୪୦୦୦ ଓ ୨୦୨୨ରେ ୫୦୦୦କୁ ବୃଦ୍ଧି କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସାମ୍ବିଧାନିକ କର୍ତ୍ତୃପକ୍ଷ, ବରିଷ୍ଠ ସରକାରୀ ଅଧିକାରୀ, କ୍ରୀଡ଼ା, ଶିଳ୍ପ, କଳା ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତି ଓ ଅନ୍ୟାନ୍ୟ ରୋଲ୍ ମଡେଲମାନଙ୍କୁ ଯୁବବର୍ଗଙ୍କ ସହ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଥାଏ। ଏହାବ୍ୟତୀତ ଶିଳ୍ପ ପ୍ରଦର୍ଶନୀ ଯାତ୍ରା, ଆଜାଦି କା ଅମୃତ ମହୋତ୍ସବ ଅଧୀନରେ କାର୍ଯ୍ୟକ୍ରମ, ଭାଷଣ ପ୍ରତିଯୋଗିତା, ଦକ୍ଷତା ବିକାଶ, କ୍ୟାରିୟର ମାର୍ଗଦର୍ଶନ, କ୍ରୀଡ଼ା କାର୍ଯ୍ୟକ୍ରମର ପ୍ରଦର୍ଶନ, ସୁରକ୍ଷା ବାହିନୀର ଶିବିର ପରିଦର୍ଶନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିର ଆୟୋଜନ କରାଯାଏ । ଏହାବ୍ୟତୀତ ଏହି ଯୁବକମାନେ ନିଜ ନିଜ ଗାଁକୁ ଫେରିବା ପରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ, ଯେଉଁଥିରେ ସେମାନେ ନିଜ ଅଞ୍ଚଳର ଅନ୍ୟ ଯୁବକ ଯୁବତୀ ଓ ବାସିନ୍ଦାଙ୍କ ସହ ନିଜର ଅନୁଭୂତି ବାଣ୍ଟିଥାନ୍ତି ।

ଟିୱାଇଇପି ଅଧୀନରେ ଚଳିତ ବର୍ଷ ଯୁବବର୍ଗଙ୍କୁ ୨୫ଟି ଗ୍ରୁପ୍ ରେ ଦେଶର ପ୍ରମୁଖ ସହର ଓ ମହାନଗରକୁ ବୁଲିବାକୁ ନିଆଯାଉଛି। ପ୍ରତି ଗୋଷ୍ଠୀରେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଦୁର୍ଗମ ଅଞ୍ଚଳର ୨୦୦ ଯୁବକ ଓ ଯୁବତୀ ରହିବେ।

ଚଳିତ ବର୍ଷ ତିନୋଟି ଗୋଷ୍ଠୀ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି। ଅକ୍ଟୋବର ୧୫ରୁ ୨୧ତାରିଖପର୍ଯ୍ୟନ୍ତ ପ୍ରଥମ ଗ୍ରୁପ୍ ଦିଲ୍ଲୀ ଗସ୍ତରେ ଆସୁଥିବା ବେଳେ ଏଥିରେ ଛତିଶଗଡ଼ର ବିଜାପୁର, ସୁକମା, ବସ୍ତର, ଦାନ୍ତେୱାଡା, କାଙ୍କେର, ନାରାୟଣପୁର ଓ ରାଜନନ୍ଦଗାଓଁରୁ ୧୪୦ ଜଣ ଏବଂ ମଧ୍ୟପ୍ରଦେଶର ବାଲାଘାଟରୁ ୬୦ ଜଣ ଅଂଶଗ୍ରହଣକାରୀ ରହିଛନ୍ତି।