Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ଏମଓୟୁ କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଏବଂ ନେପାଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ଏହା ଜଙ୍ଗଲ, ବନ୍ୟ ପ୍ରାଣୀ, ପରିବେଶ, ଜୈବ ବିବିଧତା ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମେତ କରିଡର ପୁନରୁଦ୍ଧାର ଓ ସଂରକ୍ଷିତ ଅଞ୍ଚଳ ଆନ୍ତଃସଂଯୋଗ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମନ୍ବୟ ତଥା ସହଯୋଗକୁ ସୁଦୃଢ଼ କରିବ। ଦୁଇ ଦେଶ ଏହି କ୍ଷେତ୍ରରେ ପରସ୍ପର ସହ ଜ୍ଞାନ ଓ ଶ୍ରେଷ୍ଠ ପଦ୍ଧତିର ବିନିମୟ କରିବା ଲାଗି ସକ୍ଷମ ହୋଇପାରିବେ।

ଏହି ଏମଓୟୁ ସ୍ବାକ୍ଷରିତ ହେବା ଦ୍ବାରା ଜଙ୍ଗଲ, ବନ୍ୟପ୍ରାଣୀ, ଜୈବ ବିବିଧତା ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ସମେତ କରିଡର ସଂରକ୍ଷଣ ଏବଂ ସଂରକ୍ଷିତ ଅଞ୍ଚଳ ଆନ୍ତଃସଂଯୋଗ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଆପୋସ ସହଯୋଗକୁ ପ୍ରୋତ୍ସାହନ ମିଳିବ। ଉଭୟ ପକ୍ଷ ପରସ୍ପର ମଧ୍ୟରେ ଶ୍ରେଷ୍ଠ ପଦ୍ଧତି ଏବଂ ଜ୍ଞାନର ଆଦାନପ୍ରଦାନ କରିପାରିବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆସନ୍ତାକାଲିଠାରୁ ଦୁଇ ଦିନିଆ କେରଳ କର୍ଣ୍ଣାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧ରୁ ଦୁଇଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ। ସେ ଅପରାହ୍ନ ଛଅଟା ବେଳେ ପ୍ରଧାନମନ୍ତ୍ରୀ କୋଚିନ ବିମାନ ବନ୍ଦର ନିକଟବର୍ତ୍ତୀ ଶ୍ରୀ ଆଦି ଶଙ୍କରାଚାର‌୍ୟ୍ୟଙ୍କ ଜନ୍ମଭୂମୀ କାଲାଡୀ ଗ୍ରାମ ପରିଦର୍ଶନ କରିବେ।

ପ୍ରଧାନମନ୍ତ୍ରୀ କୋଚିନ ବନ୍ଦରରେ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୯ଟାରେ ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଜାହାଜ ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ସେହିଦିନ ଅପରାହ୍ନ ସାଢ଼େ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ୩୮୦୦ କୋଟି ଟଙ୍କା ବ୍ୟୟରେ ମାଙ୍ଗାଲୁରୁଠାରେ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

କୋଚିରେ ପ୍ରଧାନମନ୍ତ୍ରୀ

ବିଶେଷ କରି ରଣନୀତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରତାର ଜଣେ ବିଶିଷ୍ଟ ପ୍ରସ୍ତାବକ ରହି ଆସିଛନ୍ତି। ଆତ୍ମନିର୍ଭରଶୀଳତାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ।

ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ ବ୍ୟୁରୋ ଦ୍ୱାରା ଏହାର ପରିପାଟୀ ପ୍ରସ୍ତୁତ ହୋଇଥିବାବେଳେ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଅଧୀନ କୋଚିନ ସିପୟାର୍ଡ ଲିମିଟେଡ ଦ୍ୱାରା ଏହାର ନିର୍ମାଣ କରାଯାଇଛି । ଭାରତର ସାମୁଦ୍ରିକ ଇତିହାସରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ବ୍ୟବସ୍ଥାଯୁକ୍ତ ସବୁଠାରୁ ବୃହତ ଯୁଦ୍ଧ ପୋତ ଆଇଏନଏସ ବିକ୍ରାନ୍ତ ନିର୍ମିତ ହୋଇଛି।

୧୯୭୧ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଶର ପ୍ରଥମ ଏୟାର କ୍ରାଫ୍ଟ କ୍ୟାରିଅର ନାମରେ ଏହାକୁ ନାମିତ କରାଯାଇଛି। ଏଥିରେ ଦେଶର ପ୍ରମୁଖ ଶିଳ୍ପାନୁଷ୍ଠାନ ଓ ଶହେରୁ ଅଧିକ ଏମଏସଏମଇ ପକ୍ଷରୁ ଯୋଗାଇ ଦିଆଯାଇଥିବା ଯନ୍ତ୍ରାଂଶ ସାହାଯ୍ୟରେ ଏହାର ନିର୍ମାଣ କରାଯାଇଛି। ବିକ୍ରାନ୍ତ ସେନାରେ କମିଶନଭୁକ୍ତ ହେବା ଦ୍ୱାରା ଭାରତର ଦୁଇଟି ଏୟାର କ୍ରାଫ୍ଟ କ୍ୟାରିଅର ସକ୍ରିୟ ହୋଇ ଦେଶର ସାମୁଦ୍ରିକ ନିରାପତ୍ତାକୁ ଅଧିକ ମଜଭୁତ କରିବ।

ଏହି ସମୟରେ ପ୍ରଧାନମନ୍ତ୍ରୀ ଉପନିବେଶୀୟ ଅତୀତରୁ ଦୂରେଇ ଭାରତୀୟ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ନୂତନ ନୌସେନା ନିଶାଣର ମଧ୍ୟ ଉନ୍ମୋଚନ କରିବେ।

ମାଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମାଙ୍ଗାଲୁରୁଠାରେ ୩୮୦୦ କୋଟି ଟଙ୍କା ବ୍ୟୟରେ ଶିଳ୍ପାୟନ ଓ ଯାନ୍ତ୍ରିକକରଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ ନମ୍ବର ବର୍ଥର ଯାନ୍ତ୍ରିକକରଣ ବ୍ୟବସ୍ଥାର ଉଦଘାଟନ କରିବେ। ଏହାର ପଣ୍ୟ ପରିବହନ କ୍ଷମତା ନୂତନ ମାଙ୍ଗାଲୁରୁ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପନ୍ନ ହେଉଛି। ଯାନ୍ତ୍ରିକକରଣ ଟର୍ମିନାଲ ଦ୍ୱାରା ବିଳମ୍ବ ହେଉଥିବା କାର୍ଯ୍ୟ ଶୀଘ୍ର କରାଯାଇ ପାରିବା ସହ ସାମର୍ଥ୍ୟ ଶତକଡା ୩୫ ଭାଗ ବୃଦ୍ଧି ପାଇବ। ପ୍ରକଳ୍ପର ପ୍ରଥମ ପର‌୍ୟ୍ୟାୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାର ପଣ୍ୟ କାରବାର କ୍ଷମତା ୪.୨ ଏମଟିପିଏ ବୃଦ୍ଧିପାଇଛି ଓ ୨୦୨୫ ବେଳକୁ ଏହାର ୬ ଏମଟିପିଏ ପର‌୍ୟ୍ୟନ୍ତ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ ମଧ୍ୟ ବନ୍ଦର ଦ୍ୱାରା ଅଧିଗୃହୀତ ପ୍ରାୟ ଏକ ହଜାର କୋଟି ଟଙ୍କାର ପାଞ୍ଚଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ସମନ୍ୱିତ ଏଲପିଜି ଓ ବ୍ଲକ ଲିକ୍ୟୁଡି ପିଓଏଲ ସୁବିଧା ଯୋଗୁ ବଡ ବଡ ଗ୍ୟାସ ପରିବହନକାରୀ (୪୫ ହଜାର ଟନ ପର‌୍ୟ୍ୟନ୍ତ) ଖୁବ ଦକ୍ଷତାର ସହ କରିପାରିବ। ଏହା ସେ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଗତି ଦେବା ସହ ଦେଶର ସର୍ବୋଚ୍ଚ ଏଲପିଜି ରପ୍ତାନୀକାରୀ ବନ୍ଦର ମାନ୍ୟତା ମଧ୍ୟ ପାଇବ।

ପ୍ରଧାନମନ୍ତ୍ରୀ ଭଣ୍ଡାରଣ ଟ୍ୟାଙ୍କ ଓ ଖାଇବା ତେଲ ବିଶୋଧନାଗାର ନିର୍ମାଣର ଶିଳାନ୍ୟାସ କରିବେ। ଏହାଛଡା ବିଟୁମେନ ଭଣ୍ଡାରଣ ବ୍ୟବସ୍ଥାର ମଧ୍ୟ ଶିଳାନ୍ୟାସ କରିବେ। ଏହା ବିଟୁମେନ ଓ ଖାଇବା ତେଲ ପୋତର ରହଣି ଓ ସାମଗ୍ରିକ ମାଲ ପରିବହନ ଖର୍ଚ୍ଚ ଓ ସମୟ ହ୍ରାସ କରିବ। ପ୍ରଧାନମନ୍ତ୍ରୀ କୁଲାଇଠାରେ ମଧ୍ୟ ମାଛଧରା ବନ୍ଦର ଶିଳାନ୍ୟାସ କରିବେ। ସାଗରମାଳା ପ୍ରକଳ୍ପ ଅଧୀନରେ କରାଯାଉଥିବା ଏହି କାର‌୍ୟ୍ୟ ଯୋଗୁଁ ମତ୍ସ୍ୟଜୀବୀମାନଙ୍କ ସାମାଜିକ ଓ ଆର୍ଥିକ ସୁବିଧା ମିଳିପାରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ମାଙ୍ଗାଲୁରୁ ତୈଳ ବିଶୋଧନାଗାର ଓ ପେଟ୍ରୋ ରସାୟନ ଲିମିଟେଡର ଦୁଇଟି ପ୍ରକଳ୍ପର ଉଦଘାଟନ କରିବେ। ତାହା ହେଲା ବିଏସ-VI ଉନ୍ନୀତକରଣ ପ୍ରକଳ୍ପ ଓ ସମୁଦ୍ରଜଳ ଲବଣମୁକ୍ତ ପ୍ରକଳ୍ପ। ବିଏସ-VI ଉନ୍ନୀତକରଣ କାରଖାନା ୧୮୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ଏହା ପରିବେଶ ଅନୁକୂଳ ଇନ୍ଧନ ଯୋଗାଇବ। ୬୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସମୁଦ୍ର ଜଳ ଲବଣମୁକ୍ତ କାରଖାନା ମଧୁର ଜଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ବର୍ଷ ସାରା ହାଇଡ୍ରୋକାର୍ବନ ଓ ପେଟ୍ରୋ ରସାୟନ ଯୋଗାଣ ଅବ୍ୟାହତ ରଖିବ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ପବିତ୍ର ଗଣେଷ ଚତୁର୍ଥୀରେ ପ୍ରଧାନମନ୍ତ୍ରୀ ଦେଲେ ଶୁଭ କାମନା

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ। ଆଜି ପ୍ରଭୃ ବିଘ୍ନ ବିନାସନ ଗଣପତି ବାବାଙ୍କ ପୂଜା ଅନୁଷ୍ଠିତ ହେଉଛି। ସୁଉଚ୍ଚ ତୋରଣମାନ ନିର୍ମାଣ କରାଯାଇ ପ୍ରଭୃଙ୍କ ପୂଜା ଅର୍ଚ୍ଚନା କରାଯାଉଛି। ସେହିପରି ସମସ୍ତେ ଘରେଘରେ ମଧ୍ୟ ପ୍ରଭୃଙ୍କ ପୂଜା କରିଥାନ୍ତି।

ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭ କାମନା ପ୍ରଦାନ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଆଜି ଗଣେଷ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ଶୁଭ କାମନା, ଗଣପତିବାବା ମୋରିଆ ବୋଲି ଉଲ୍ଲେଖ କରିଛନ୍ତି। ସେ ସଂସ୍କୃତର ଏକ ଗଣେଷ ବନ୍ଦନାକୁ ମଧ୍ୟ ଉପସ୍ଥାପିତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଦେଲେ ରିପୋର୍ଟ କାର୍ଡ

ନୂଆଦିଲ୍ଲୀ: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସାଂସଦ ଏ ବର୍ଷର ତାଙ୍କର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି।  ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଯେପରି ସ୍ୱାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀ ଜନ ଔଷଧି ପରିଯୋଜନା ଏବଂ ସଂଗଠନ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।

ଭୁବନେଶ୍ୱରରେ ନାଇଜରଠାରେ ନିର୍ମାଣ ହେବାକୁ ଥିବା କ୍ୟାନସର ହସ୍ପିଟାଲ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ଉପଦେଶ ଦେବା ସହ ସାଂସଦଙ୍କୁ ମାର୍ଗଦର୍ଶନ କରିଥିଲେ।

Categories
ବିଶେଷ ଖବର

ଖଦି ଉତ୍ସବରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ: ଏକତ୍ର ଚରଖାରେ ସୂତା କାଟି ଇତିହାସ ସୃଷ୍ଟି କଲେ ୭୫୦୦ ଭଉଣୀ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ସାବରମତୀ ନଦୀ ତଟରେ ଖଦି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ସି ଆର ପାଟିଲ, ରାଷ୍ଟ୍ର ମନ୍ତ୍ରୀ ହର୍ଷ ସାଙ୍ଗଭି ଏବଂ ଅହମ୍ମଦାବାଦ ମେୟର ଜଗଦୀଶ ପଞ୍ଚଲ ଏବଂ କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର ଉପସ୍ଥିତ ଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚରଖା ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ମନେ ପକାଇଥିଲେ ଏବଂ ଯେତେବେଳେ ତାଙ୍କ ମା’ ଚରଖାରେ କାମ କରୁଥିଲେ ସେତେବେଳେ ତାଙ୍କର ପିଲାଦିନକୁ ମନେ ପକାଇଥିଲେ। ସେ କହିଛନ୍ତି, ୭୫ ବର୍ଷର ସ୍ୱାଧୀନତା ଅବସରରେ ସାବରମତୀ ତଟରେ ଆଜି ଆଶୀର୍ବାଦ ପ୍ରାପ୍ତ ହୋଇଛି, ୭୫୦୦ ଭଉଣୀ ଏବଂ ଝିଅ ଏକତ୍ର ଏକ ଚରଖାରେ ସୂତା କାଟି ଇତିହାସ ସୃଷ୍ଟି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚରଖାରେ ସୂତା କାଟିବା କୌଣସି ପୂଜାପାଠ ଠାରୁ କମ୍‍ ନୁହେଁ।

ସେ ଆଜି ଉଦଘାଟନ କରିଥିବା “ଅଟଳ ସେତୁ” ର ଜ୍ଞାନକୌଶଳ ଏବଂ ଡିଜାଇନ୍‌ର ଉତ୍କର୍ଷତାକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଏହି ସେତୁଟି ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଯାହାଙ୍କୁ ଗୁଜୁରାଟର ଲୋକମାନେ ସର୍ବଦା ଭଲ ପାଉଥିଲେ। ଅଟଳ ସେତୁ କେବଳ ସାବରମତୀ ନଦୀର ଦୁଇଟି କୂଳକୁ ସଂଯୋଗ କରୁନାହିଁ, ବରଂ ଏହା ଡିଜାଇନ୍ ଏବଂ ନବସୃଜନ କ୍ଷେତ୍ରରେ ମଧ୍ୟ ଅଭୂତପୂର୍ବ ଅଟେ। ଗୁଜୁରାଟର ପ୍ରସିଦ୍ଧ ଗୁଡି ଉତ୍ସବ ମଧ୍ୟ ଏହାର ଡିଜାଇନରେ ଯତ୍ନ ନିଆଯାଇଛି ବୋଲି ସେ କହିଛନ୍ତି। ଭାରତରେ ହର ଘର ତ୍ରିରଙ୍ଗା ଅଭିଯାନ ପାଳନ କରାଯାଉଥିବା ଉତ୍ସାହକୁ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ଉତ୍ସବ କେବଳ ଦେଶପ୍ରେମ ଭାବନା ନୁହେଁ ବରଂ ଏକ ଆଧୁନିକ ତଥା ବିକଶିତ ଭାରତ ପାଇଁ ସଂକଳ୍ପକୁ ପ୍ରତିଫଳିତ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚରଖା ଉପରେ ସୂତା କାଟିବା ସମୟରେ ଆପଣଙ୍କ ହାତ ଭାରତର କପଡା ବୁଣୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଇତିହାସ ସାକ୍ଷୀ ଦେଉଛି ଯେ ଖଦିର ଏକ ସୂତା ସ୍ୱାଧୀନତା ଆନ୍ଦୋଳନର ଶକ୍ତି ହୋଇଗଲା, ଏହା ଦାସତ୍ୱର ଶିକୁଳି ଭାଙ୍ଗିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖଦିର ସମାନ ସୂତା ଏକ ବିକଶିତ ଭାରତର ପ୍ରତିଶ୍ରୁତି ପୂରଣ କରିବ ଏବଂ ଏହାଦ୍ୱାରା ଆତ୍ମର୍ନିଭରଶୀଳ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରେରଣାର ଉତ୍ସ ହୋଇପାରେ। ସେ କହିଛନ୍ତି ଯେ, ଖଦି ପରି ଏକ ପାରମ୍ପାରିକ ଶକ୍ତି ଆମକୁ ନୂତନ ଉଚ୍ଚତାକୁ ନେଇପାରେ। ଏହି ଖଦି ଉତ୍ସବ ସ୍ୱାଧୀନତା ଆନ୍ଦୋଳନର ଆବେଗ ଏବଂ ଇତିହାସକୁ ପୁନର୍ଜୀବିତ କରିବା ପାଇଁ ଏକ ପ୍ରୟାସ ଏବଂ ନୂତନ ଭାରତର ସଂକଳ୍ପ ହାସଲ କରିବା ପାଇଁ ଏକ ପ୍ରେରଣା ବୋଲି ସେ କହିଛନ୍ତି।

ସେ ତାଙ୍କର ପଞ୍ଚଞ୍ଚ-ପ୍ରାଣକୁ ମନେ ପକାଇଲେ ଯାହା ସେ ୧୫ ଅଗଷ୍ଟରେ ଲାଲ କିଲାରୁ ଘୋଷଣା କରିଥିଲେ। ସାବରମତୀ କୂଳରେ ଏହି ପବିତ୍ର ସ୍ଥାନରେ ମୁଁ ପଞ୍ଚ-ପ୍ରାଣର ପୁନରାବୃତ୍ତି କରିବାକୁ ଚାହୁଁଛି। ପ୍ରଥମ – ଦେଶ ସାମ୍ନାରେ ମହାନ ଲକ୍ଷ୍ୟ, ଏକ ବିକଶିତ ଭାରତ ଗଠନ କରିବାର ଲକ୍ଷ୍ୟ। ଦ୍ୱିତୀୟ – ଦାସତ୍ୱ ମାନସିକତାର ସମ୍ପୂର୍ଣ୍ଣ ତ୍ୟାଗ। ତୃତୀୟ – ଆମର ଐତିହ୍ୟ ପାଇଁ ଗର୍ବ କରିବା, ଚତୁର୍ଥ- ଜାତିର ଏକତା ବୃଦ୍ଧି ପାଇଁ ଦୃଢ ପ୍ରୟାସ, ଏବଂ ପଞ୍ଚମ ନାଗରିକ କର୍ତ୍ତବ୍ୟ। ସେ କହିଛନ୍ତି ଯେ ଆଜିର ଖଦି ଉତ୍ସବ ହେଉଛି ‘ପଞ୍ଚ ପ୍ରାଣ’ର ଏକ ସୁନ୍ଦର ପ୍ରତିଫଳନ।

ସ୍ୱାଧୀନତା ପରବର୍ତ୍ତୀ ସମୟରେ ଖଦି ପ୍ରତି ଅବହେଳା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଥିଲେ। ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀ ଦେଶର ଆତ୍ମ ସମ୍ମାନର ପ୍ରତୀକ ଭାବରେ ତିଆରି କରିଥିବା ଖଦି ସ୍ୱାଧୀନତା ପରେ ଏକ ନିମ୍ନ ମାନସିକତାରେ ପରିଣତ ହୋଇଥିଲା। ଏହି କାରଣରୁ, ଖଦି ଏବଂ ଖଦି ସହିତ ଜଡିତ ଗ୍ରାମ୍ୟ ଶିଳ୍ପ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ବିଶେଷକରି ଗୁଜୁରାଟ ପାଇଁ ଖଦିର ଏହି ଅବସ୍ଥା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା ବୋଲି ସେ କହିଛନ୍ତି। ଗୁଜୁରାଟ ମାଟିରେ ଖଦିକୁ ପୁନର୍ଜୀବିତ କରିବାର କାର୍ଯ୍ୟ ହୋଇଥିବାରୁ ସେ ଗର୍ବ ଅନୁଭବ କରିଥିଲେ। ପ୍ରଧାନମନ୍ତ୍ରୀ ସରକାରଙ୍କ ପାଇଁ “ଖଦି ଫର୍ ଟ୍ରାନ୍ସଫର୍ମେସନ୍‌”, “ଖଦି ଫର ନେସନ” ,” ଖଦି ଫର ଫ୍ୟାଶନ” ପ୍ରତିଜ୍ଞା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଆମେ ଗୁଜରାଟର ସଫଳତାର ଅନୁଭୂତି ସମଗ୍ର ଦେଶରେ ବିସ୍ତାର କରିବା ଆରମ୍ଭ କରିଛୁ। ସମଗ୍ର ଦେଶରେ ଖଦି ସହିତ ଜଡିତ ଥିବା ସମସ୍ୟାର ସମାଧାନ ହୋଇଥିଲା। ଆମେ ଦେଶବାସୀଙ୍କୁ ଖଦି ଉତ୍ପାଦ କିଣିବାକୁ ଉତ୍ସାହିତ କରିଥିଲୁ। ଖଦିର ପୁନର୍ଜୀବନ ପ୍ରକ୍ରିୟାରେ ମହିଳାଙ୍କ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି। ଭାରତର ଖଦି ଶିଳ୍ପର ବଢୁଥିବା ଶକ୍ତିରେ ମହିଳା ଶକ୍ତି ମଧ୍ୟ ଏକ ପ୍ରମୁଖ ଯୋଗଦାନକାରୀ। ଉଦ୍ୟୋଗର ଆବେଗ ଆମ ଭଉଣୀ ଏବଂ ଝିଅମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଏହାର ପ୍ରମାଣ ମଧ୍ୟ ଗୁଜୁରାଟରେ ସଖୀ ମଣ୍ଡଳର ବିସ୍ତାର ବୋଲି ସେ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ ଖଦିର ବିକ୍ରି ଚାରି ଗୁଣ ବୃଦ୍ଧି ପାଇଛି ଏବଂ ପ୍ରଥମ ଥର ପାଇଁ ଖଦି ଏବଂ ଗ୍ରାମୋଦ୍ୟୋଗ କାରବାର ଏକ ଲକ୍ଷ କୋଟି ଅତିକ୍ରମ କରିଛି। ଏହି କ୍ଷେତ୍ର ମଧ୍ୟ ୧.୭୫ କୋଟି ନୂତନ ନିଯୁକ୍ତି ସୃଷ୍ଟି କରିଛି। ସେ କହିଛନ୍ତି ଯେ ମୁଦ୍ରା ଯୋଜନା ଭଳି ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନା ଉଦ୍ୟୋଗକୁ ସମୃଦ୍ଧ କରୁଛି।

ଖଦିର ଲାଭ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସହନଶୀଳ ପୋଷାକ, ପରିବେଶ ଅନୁକୂଳ ପୋଷାକ ଏବଂ ଏହାର ସର୍ବନିମ୍ନ ଅଙ୍ଗାରକାମ୍ଳ ପ୍ରଭାବ ରହିଛି। ଅନେକ ଦେଶ ଅଛି ଯେଉଁଠାରେ ତାପମାତ୍ରା ଅଧିକ, ତେଣୁ ଖଦି ମଧ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଖଦି ବିଶ୍ୱ ସ୍ତରରେ ଏକ ବଡ଼ ଭୂମିକା ଗ୍ରହଣ କରିପାରେ। ବିଶ୍ୱ ସ୍ତରରେ ମୌଳିକ ତଥା ସ୍ଥାୟୀ ଜୀବନଯାପନର ଅଭିବୃଦ୍ଧିର ଧାରା ସହିତ ସେ ଏହା କହିଛନ୍ତି।

ଆଗାମୀ ପାର୍ବଣ ଋତୁରେ କେବଳ ଖଦି ଗ୍ରାମ୍ୟ ଶିଳ୍ପରୁ ଉତ୍ପାଦିତ ଦ୍ରବ୍ୟ ଉପହାର ଦେବାକୁ ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କୁ ନିବେଦନ କରିଛନ୍ତି। ଆପଣ ବିଭିନ୍ନ ପ୍ରକାରର କପଡ଼ାରେ ତିଆରି ପୋଷାକ ପାଇପାରିବେ । କିନ୍ତୁ ଯଦି ଆପଣ ଏଥିରେ ଖଦିକୁ ସ୍ଥାନ ଦିଅନ୍ତି, ତେବେ ଭୋକାଲ୍ ଫର ଲୋକାଲ ଅଭିଯାନ ଆଗକୁ ଗତି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗତ ଦଶନ୍ଧି ମଧ୍ୟରେ ବିଦେଶୀ ଖେଳନା ଦୌଡ଼ରେ ଭାରତର ନିଜସ୍ୱ ସମୃଦ୍ଧ ଖେଳନା ଶିଳ୍ପ ନଷ୍ଟ ହୋଇଯିବା କଥା ମନେ ପକାଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ସରକାରଙ୍କ ଉଦ୍ୟମ ଏବଂ ଖେଳନା ଶିଳ୍ପ ସହ ଜଡିତ ଆମର ଭାଇ ଓ ଭଉଣୀଙ୍କ କଠିନ ପରିଶ୍ରମ, ପରିସ୍ଥିତି ଯୋଗୁଁ ବର୍ତ୍ତମାନ ପରିବର୍ତ୍ତନ ଆରମ୍ଭ ହୋଇଛି। ଫଳସ୍ୱରୂପ, ଖେଳନା ଆମଦାନୀରେ ବହୁତ ହ୍ରାସ ଘଟିଛି।

ପ୍ରଧାନମନ୍ତ୍ରୀ ମଧ୍ୟ ଦୂରଦର୍ଶନରେ “ସ୍ୱରାଜ”  ସିରିଏଲ ଦେଖିବା ପାଇଁ ଲୋକଙ୍କୁ କହିଥିଲେ। ଏହି ସିରିଏଲରେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ ଏବଂ ସେମାନଙ୍କର ସଂଗ୍ରାମକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଆମର ସ୍ୱାଧୀନତା ପାଇଁ ଆମର ପୂର୍ବପୁରୁଷଙ୍କ ବଳିଦାନ ବିଷୟରେ ବୁଝିବା ଏବଂ ଜାଣିବା ପାଇଁ ପରିବାରଗୁଡିକ ଏହି ସିରିଏଲ ଦେଖିବା ଉଚିତ୍‍।

ଖଦି ଉତ୍ସବ

ଖଦିକୁ ଲୋକପ୍ରିୟ କରିବା, ଖଦି ଉତ୍ପାଦ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଯୁବକମାନଙ୍କ ମଧ୍ୟରେ ଖଦିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପ୍ରଧାନମନ୍ତ୍ରୀଙ୍କର ଏକ ନିରନ୍ତର ପ୍ରୟାସ। ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମର ଫଳ ସ୍ୱରୂପ, ୨୦୧୪ ପରଠାରୁ ଭାରତରେ ଖଦି ବିକ୍ରିରେ ଚାରି ଗୁଣ ବୃଦ୍ଧି ଘଟିଥିବାବେଳେ ଗୁଜୁରାଟରେ ଖଦି ବିକ୍ରିରେ ଆଠଗୁଣ ବୃଦ୍ଧି ଘଟିଛି।

ଆଜାଦୀ କା ଅମୃତ ମହୋତ୍ସବର ଅଂଶ ଭାବରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଖଦି ଉତ୍ସବ ସ୍ୱାଧୀନତା ସଂଗ୍ରାମ ସମୟରେ ଖଦି ଏବଂ ଏହାର ଗୁରୁତ୍ୱକୁ ସମ୍ମାନ ପ୍ରଦର୍ଶନ କରୁଛି। ଅହମ୍ମଦାବାଦ ସାବରମତୀ ନଦୀ କୂଳରେ ଆୟୋଜିତ ଉତ୍ସବରେ ଗୁଜୁରାଟର ବିଭିନ୍ନ ଜିଲ୍ଲାର ୭୫୦୦ ମହିଳା ଖଦି କାରିଗର ଏକ ସମୟରେ ଏବଂ ସମାନ ସ୍ଥାନରେ ସିଧାସଳଖ ଚରଖା ଚଳାଇବାର ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ୧୯୨୦ ଦଶକରୁ ବ୍ୟବହୃତ ବିଭିନ୍ନ ପୀଢିର ୨୨ ଟି ଚରଖା ପ୍ରଦର୍ଶନ କରି ଚରଖାର ବିବର୍ତ୍ତନର ପ୍ରଦର୍ଶନୀ ହୋଇଛି। ଏଥି ମଧ୍ୟରେ ୟେରୱାଡା ଚରଖା ଅନ୍ତର୍ଭୂକ୍ତ ହୋଇଛି ଯାହା ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ୟବହୃତ ଚରଖାକୁ ଦର୍ଶାଏ ଯାହାକି ଆଜି ବ୍ୟବହୃତ ନୂତନତମ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ଚରଖାର ପ୍ରତୀକ। ପଣ୍ଡୁରୁ ଖଦି ଉତ୍ପାଦନର ଏକ ସିଧାସଳଖ ପ୍ରଦର୍ଶନ ମଧ୍ୟ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ରାଜ୍ୟ ଖଦି ଗ୍ରାମଦ୍ୟୋଗ ବୋର୍ଡର ନୂତନ କାର୍ଯ୍ୟାଳୟ ଭବନ ଏବଂ ସାବରମତୀରେ ଏକ ଫୁଟ ଓଭର ବ୍ରିଜକୁ ମଧ୍ୟ ଉଦଘାଟନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କଲେ ଜଷ୍ଟିସ ଉଦୟ ଉମେଶ ଲଲିତ

ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଲିତ ଭାରତର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ବ୍ୟତୀତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ସୁପ୍ରିମକୋର୍ଟର ବିଚାରପତି ଉପସ୍ଥିତ ଅଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ୪୯ ତମ ବ୍ୟକ୍ତି ଜଷ୍ଟିସ୍ ଲଲିତଙ୍କ କାର୍ଯ୍ୟକାଳ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ରହିବ।

Categories
ଆଜିର ଖବର ଜାତୀୟ ଖବର

ଅଗଷ୍ଟ ୨୫ରେ ସ୍ମାର୍ଟ ଇଣ୍ଡିଆ ହାକାଥନର ଭବ୍ୟ ଉଦଯାପନ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୫ ତାରିଖ ରାତି ଆଠଟା ବେଳେ ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ର ଭବ୍ୟ ଉଦ୍ଯାପନୀ ସମାରୋହକୁ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ସମ୍ବୋଧନ କରିବେ।

ବିଶେଷକରି ଯୁବ ମାନସ ମଧ୍ୟରେ ନବୋନ୍ମୋଷର ଉତ୍ସାହ ଜାଗ୍ରତ କରିବା ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ହୋଇ ରହି ଆସିଛି। ଏହାକୁ ଆଖି ଆଗରେ ରଖି ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ) ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା। ଏସଆଇଏଚ୍ ଏକ ଦେଶବ୍ୟାପୀ ପଦକ୍ଷେପ ଯେଉଁଥିରେ କି ଛାତ୍ରଛାତ୍ରୀମାନେ ସମାଜ, ସଂଗଠନ ଓ ସରକାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସୁଯୋଗ ପାଇଥାନ୍ତି। ଏଗୁଡ଼ିକ ନବୋନ୍ମୋଷ ସଂସ୍କୃତିର ପରିଚାଳନା, ସମସ୍ୟା ସମାଧାନ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁସନ୍ଧାନ କୌଶଳ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

ଏସଆଇଏଚର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏସଆଇଏଚରେ ପଞ୍ଜୀକୃତ ହେଉଥିବା ଦଳଗୁଡିକର ଚାରିଗୁଣ ବୃଦ୍ଧି ଏହାର ପ୍ରମାଣ। ପ୍ରଥମ ସଂସ୍କରଣରେ ୭୫୦୦ ଦଳ ଭାଗ ନେଇଥିବାବେଳେ ଚଳିତ ପଞ୍ଚମ ସଂସ୍କରଣରେ ଏହା ୨୯, ୬୦୦କୁ ବୃଦ୍ଧି ପାଇଛି।

ଏହି ବର୍ଷ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ପୃଷ୍ଠପୋଷକ ୨୦୨୨ ଏସଆଇଏଚର ଭବ୍ୟ ସମାରୋହରେ ଯୋଗଦେବା ପାଇଁ ୭୫ଟି ଏହାର ମୁଖ୍ୟ କେନ୍ଦ୍ରଗୁଡିକୁ ଯାତ୍ରା କରିଛନ୍ତି। ୨୯୦୦ ବିଦ୍ୟାଳୟ ଓ ୨୨୦୦ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ୫୩ଟି ମନ୍ତ୍ରଣାଳୟର ୪୭୬ଟି ବିଭିନ୍ନ ସମସ୍ୟାର ସମାଧାନ କରିବେ। ଏଥିରେ ମନ୍ଦିର ଗାତ୍ରରେ ଖୋଦେଇ ଶିଳାଲିପିର ଅପ୍ଟିକାଲ କ୍ୟାରେକ୍ଟର ରେକଗନିସନ(ଓସିଆର) ଓ ଦେବନାଗରୀ ଲିପିରେ ଅନୁବାଦ ଓ ନଷ୍ଟ ହୋଇଯାଉଥିବା ସାମଗ୍ରୀର ରକ୍ଷଣାବେକ୍ଷଣ ସୂତ୍ର, ପାହାଡ ଉପତ୍ୟକାର ଥ୍ରୀଡି ମଡେଲ ହାଇ ରିଜୋଲେସନ, ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଭିତ୍ତିଭୂମି ଓ ରାସ୍ତା ଅବସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ।

ଚଳିତବର୍ଷ ସ୍ମାର୍ଟ ଇଣ୍ଡିଆ ହାକାଥନ-ଜୁନିୟର ମଧ୍ୟ ପ୍ରଦର୍ଶିତ ହୋଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବୋନ୍ମେଷ ସଂସ୍କୃତି ଓ ବିଦ୍ୟାଳୟସ୍ତରରେ ସମସ୍ୟା ସମାଧାନ ନେଇ ଦକ୍ଷ ହେବା ବା ଶିଖିବା ଏହାର ଉଦ୍ଦେଶ୍ୟ।

Categories
ଆଜିର ଖବର ଜାତୀୟ ଖବର

‘ମନ କି ବାତ୍’ ରେ ଆପଣଙ୍କ କଥା କହିବେ ପ୍ରଧାନମନ୍ତ୍ରୀ ମୋଦୀ, କରନ୍ତୁ ଏହି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୮,୨୦୨୨ ପୂର୍ବାହ୍ନ ୧୧ଟା ବେଳେ ପ୍ରସାରିତ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପାଇଁ ଦେଶବାସୀଙ୍କ ଠାରୁ ବିଚାର ଓ ମତାମତ ଆହ୍ୱାନ କରିଛନ୍ତି ।

ମନ କି ବାତ ପାଇଁ ମତାମତ MyGov, Namo Appରେ ପଠାଇ ହେବ କିମ୍ବା ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ ହୋଇପାରିବ ।

MyGov ଆମନ୍ତ୍ରଣକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଅଗଷ୍ଟ ୨୮ରେ ମନ କି ବାତ୍ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ବିଚାର ଓ ମତାମତ ଅପେକ୍ଷାରେ ରହିଲି । MyGov କିମ୍ବା Namo Appରେ ନିଜ ବିଚାର ଲେଖନ୍ତୁ । ନଚେତ, ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ କରାନ୍ତୁ ।”

Categories
ଜାତୀୟ ଖବର ବିଶେଷ ଖବର

କ୍ୟାବିନେଟ ମଞ୍ଜୁରି : ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ମିଳିବ ୧.୫ ପ୍ରତିଶତ ସୁଧ ରିହାତି

ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ ଲଗାଣକାରୀ ସଂସ୍ଥା ପାଇଁ ୧.୫ ପ୍ରତିଶତ ସୁଧ ରିହାତି ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ତେଣୁ ସବୁ ଋଣ ଲଗାଣକାରୀ ଆର୍ଥିକ ସଂସ୍ଥା ଯଥା: ସରକାରୀ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିବା କମ୍ପ୍ୟୁଟରୀକୃତ ପ୍ରାଥମିକ କୃଷି ସମିତିମାନଙ୍କୁ ବାର୍ଷିକ ଦେଢ଼ ପ୍ରତିଶତ ସୁଧ ରିହାତି ମିଳିବ।

ଆର୍ଥିକ ଋଣ ଲଗାଣକାରୀ ସଂସ୍ଥାମାନେ ଏହି ଦେଢ଼ ପ୍ରତିଶତ ସୁଧ ରିହାତି ସୁବିଧା ଚାଷୀମାନଙ୍କୁ ଯୋଗାଇ ଦେବେ। ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର‌୍ୟ୍ୟନ୍ତ ୩ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସ୍ୱଳ୍ପ ଅବଧି ବିଶିଷ୍ଟ କୃଷି ଋଣ ଉପରେ ଏହି ରିହାତି ସୁବିଧା ମିଳିବ।

ସୁଧ ଛାଡ଼ ସୁବିଧା ନିମନ୍ତେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର‌୍ୟ୍ୟନ୍ତ ୩୪ ହଜାର ୮୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ଅତିରିକ୍ତ ବଜେଟ୍ ବ୍ୟବସ୍ଥା କରାଯାଇଛି।

ଲାଭ:

ସୁଧ ରିହାତିରେ ବୃଦ୍ଧି କାରଣରୁ କୃଷି ଋଣ ଯୋଗାଣରେ ସ୍ଥିରତା ସୁନିଶ୍ଚିତ ହେବ। ଋଣପ୍ରଦାନକାରୀ ସଂସ୍ଥା, ବିଶେଷ କରି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ଅଧିକ ଋଣ ଦେବାକୁ ସେମାନେ ସକ୍ଷମ ହୋଇପାରିବେ। ଏହା ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଯଥେଷ୍ଟ କୃଷି ଋଣ ଉପଲବ୍ଧ କରାଇବ।

ପାଣ୍ଠି ବାବଦ ଖର୍ଚ୍ଚରେ ବୃଦ୍ଧିକୁ ସହ୍ୟ କରିବାରେ ବ୍ୟାଙ୍କମାନେ ସକ୍ଷମ ହେବେ ଏବଂ କୃଷକମାନଙ୍କୁ ସେମାନଙ୍କର କୃଷି ଆବଶ୍ୟକତା ପାଇଁ ଋଣ ପ୍ରଦାନ କରିପାରିବେ। ଏହାଦ୍ବାରା ଅଧିକରୁ ଅଧିକ ଚାଷୀ ଋଣର ଲାଭ ପାଇପାରିବେ। ଏହାବ୍ୟତୀତ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟତା ମିଳିବ। କାରଣ ସ୍ୱଳ୍ପ ଅବଧି କୃଷି ଋଣ ପଶୁପାଳନ, କୁକ୍କୁଟ ପାଳନ, ମତ୍ସ୍ୟ ପାଳନ ସମେତ ସବୁ କୃଷି ଏବଂ ଆନୁସଙ୍ଗିକ କାର‌୍ୟ୍ୟରେ ସହାୟତା ପାଇଁ ପ୍ରଦାନ କରାଯାଇଥାଏ ।

ଚାଷୀମାନେ ବାର୍ଷିକ ୪% ସୁଧ ହାରରେ ସ୍ୱଳ୍ପକାଳୀନ କୃଷି ଋଣ ନେବା ଜାରି ରଖିପାରିବେ ଏବଂ ଠିକ୍ ସମୟରେ ଋଣ ପରିଶୋଧ ନିମନ୍ତେ ସକ୍ଷମ ହେବେ।

Categories
ଜାତୀୟ ଖବର ବିଶେଷ ଖବର

ସ୍ୱୀକାର୍ଯ୍ୟ ଗ୍ୟାରେଣ୍ଟି ସୀମା ବୃଦ୍ଧି ପାଇଁ ଜରୁରିକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନାର ପାଣ୍ଠି ବୃଦ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱୀକାର୍ଯ୍ୟ ଗ୍ୟାରେଣ୍ଟି ସୀମା ବୃଦ୍ଧି ପାଇଁ ଜରୁରିକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ବା ଇସିଏଲଜିଏସ ର ପାଣ୍ଠି ବା କର୍ପସ୍ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।

ଇସିଏଲଜିଏସର ସୀମାରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି, ଫଳରେ ଏହା ୪.୫ ଲକ୍ଷ କୋଟି ଟଙ୍କାରୁ ୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅତିରିକ୍ତ ପରିମାଣର ପାଣ୍ଠିକୁ କେବଳ ଆତିଥ୍ୟ ଏବଂ ତତସଂକ୍ରାନ୍ତ କ୍ଷେତ୍ର ପାଇଁ ଆବଣ୍ଟନ କରାଯାଇଛି। କୋଭିଡ-୧୯ ମହାମାରୀ କାରଣରୁ ଆତିଥ୍ୟ ବା ହସ୍ପିଟାଲିଟୀ ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଇସିଏଲଜିଏସ ସୀମାରେ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ଏହି ଇସିଏଲଜିଏସ ଯୋଜନା ବର୍ତ୍ତମାନ ଜାରି ରହିଛି। ୩୧ ମାର୍ଚ୍ଚ ୨୦୨୩ ପର‌୍ୟ୍ୟନ୍ତ ଏହି ଯୋଜନାର ଅବଧି ରହିଛି। ସେ ପର୍ଯ୍ୟନ୍ତ ଆତିଥ୍ୟ ଏବଂ ତତ୍‌ସଂକ୍ରାନ୍ତ ଉଦ୍ୟୋଗ ପାଇଁ ଏହି ଅତିରିକ୍ତ ୫୦ହଜାର କୋଟି ଟଙ୍କା ବିନିଯୋଗ ହେବ।

ଇସିଏଲଜିଏସ ଯୋଜନା ଏବେ ବି କାର‌୍ୟ୍ୟକାରୀ ହେଉଛି ଏବଂ କୋଭିଡ-୧୯ ମହାମାରୀ କାରଣରୁ ଆତିଥ୍ୟ ବା ହସ୍ପିଟାଲିଟୀ ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିବାରୁ ଏହିସବୁ କ୍ଷେତ୍ରର ଉଦ୍ୟୋଗ ପାଇଁ ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ଅର୍ଥ ଆବଣ୍ଟନ କରାଯାଇଛି।

କମ ଖର୍ଚ୍ଚରେ ଏହି ଅତିରିକ୍ତ ପରିମାଣର ଅର୍ଥ ଋଣ ଆକାରରେ ଏସବୁ କ୍ଷେତ୍ରକୁ ଯୋଗାଇ ଦିଆଯିବ। ଫଳରେ ଏହି କ୍ଷେତ୍ରରେ ଅତି ଆବଶ୍ୟକ ସହାୟତା ପାଇପାରିବେ। ଏହାଦ୍ବାରା ଏସବୁ ବ୍ୟବସାୟିକ ଉଦ୍ୟୋଗ ସେମାନଙ୍କର ଅତିରିକ୍ତ ଦେୟତା ପୂରଣ କରିପାରିବେ ଏବଂ ସେମାନଙ୍କର ବ୍ୟବସାୟକୁ ଜାରି ରଖିବାକୁ ସକ୍ଷମ ହେବେ। ୫ ଅଗଷ୍ଟ ୨୦୨୨ ସୁଦ୍ଧା ଇସିଏଲଜିଏସ ଯୋଜନା ଅଧୀନରେ ୩.୬୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇସାରିଛି।

Categories
ବିଶେଷ ଖବର

‘ଆମକୁ ବ୍ରିଟିଶ ପରି ଦେଖିବାର ଆବଶ୍ୟକତା ନାହିଁ’: ପଢନ୍ତୁ ପିଏମ ମୋଦୀଙ୍କ ଭାଷଣର କେତୋଟି ବଡ଼ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଧାନୀ ଦିଲ୍ଲୀର ଲାଲ କିଲ୍ଲାରୁ ନବମ ଥର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଏବଂ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ସ୍ୱାଧୀନତା ଦିବସ ଭାରତ ପାଇଁ ସର୍ବଦା ସ୍ୱତନ୍ତ୍ର, କିନ୍ତୁ ଏଥର ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି।

ଆଜି ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ବିଷୟରେ କେତୋଟି ବଡ କଥା:

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣକୁ ଦେଶବାସୀଙ୍କ ଅଭିବାଦନ ଏବଂ ଶୁଭେଚ୍ଛା ସହିତ ଆରମ୍ଭ କରିଥିଲେ। ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ସାରା ବିଶ୍ୱରେ ପ୍ରସାରିତ ଭାରତ ପ୍ରେମୀଙ୍କୁ ଅଭିନନ୍ଦନ ଜଣାଉଛି।

କେବଳ ଭାରତର ପ୍ରତ୍ୟେକ କୋଣରେ ନୁହେଁ, ବିଶ୍ଵର କୋଣ ଅନୁକୋଣରେ ଆଜି ଭାରତୀୟମାନେ କିମ୍ବା ଭାରତ ପ୍ରତି ଅହେତୁକ ପ୍ରେମ କରୁଥିବା ଲୋକମାନେ ଆଜି ଆମର ତ୍ରିରଙ୍ଗାକୁ ଗର୍ବର ସହିତ ଉତ୍ତୋଳନ କରୁଛନ୍ତି।

ଭାରତରେ କୌଣସି କୋଣ ନଥିଲା, କୌଣସି କାଳ ନଥିଲା, ଯେତେବେଳେ ଦେଶବାସୀ ଦାସତ୍ୱ ବିରୁଦ୍ଧରେ ଶହ ଶହ ବର୍ଷ ଧରି ଯୁଦ୍ଧ କରିନଥିଲେ, ଜୀବନ ଉତ୍ସର୍ଗ କରିନଥିଲେ, ନିର୍ଯାତନା ସହି ନ ଥିଲେ, ବଳିଦାନ ଦେଇ ନଥିଲେ। ଆଜି ଆମ ସମସ୍ତ ଦେଶବାସୀଙ୍କ ପାଇଁ ଏକ ସୁଯୋଗ, ପ୍ରତ୍ୟେକ ମହାପୁରୁଷ ଏବଂ ବଳିଦାନକାରୀଙ୍କୁ ପ୍ରଣାମ କରିବା।

ଆଜିର ଦିନ ଐତିହାସିକ ଅଟେ। ଏକ ପବିତ୍ର ସ୍ଥାନ, ଏକ ନୂତନ ପଥ, ଏକ ନୂତନ ସଂକଳ୍ପ ଏବଂ ଏକ ନୂତନ ଶକ୍ତି ଆଡକୁ ପାଦ ବଢାଇବା ପାଇଁ ଏହା ଏକ ଶୁଭ ଅବସର।

ମଙ୍ଗଲ ପାଣ୍ଡେ, ତାତ୍ୟା ଟୋପେ, ଭଗତ ସିଂ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ, ଅସଫାକ ଉଲା ଖାନ, ରାମ ପ୍ରସାଦ ବିସ୍ମିଲ ଏଭଳି ଆମର ଅସଂଖ୍ୟ ବିପ୍ଳବୀ ବ୍ରିଟିଶ ଶାସନର ମୂଳଦୁଆକୁ ଦୋହଲାଇଦେଇଥିଲେ। ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଏବଂ ସ୍ୱାଧୀନତା ପରେ ଦେଶ ନିର୍ମାଣ କରିଥିବା ଅନେକ ମହାନ ବ୍ୟକ୍ତିଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଦେବାର ଏକ ସୁଯୋଗ।

ଅମୃତ ମହୋତ୍ସବ ସମୟରେ ଦେଶବାସୀ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ବୋଧହୁଏ ଇତିହାସରେ ପ୍ରଥମ ଘଟଣା, ଯାହା ଗୋଟିଏ ଉଦ୍ଦେଶ୍ୟର ଏତେ ବଡ଼, ପ୍ରଶସ୍ତ, ଦୀର୍ଘ ଉତ୍ସବ ପାଳନ କରାଯାଇଛି।

ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ସେହି ସମସ୍ତ ମହାନ ବ୍ୟକ୍ତିଙ୍କୁ ମନେ ରଖିବା ପାଇଁ ପ୍ରୟାସ କରାଯାଇଥିଲା, ଯେଉଁମାନେ କୌଣସି କାରଣରୁ ଇତିହାସରେ ସ୍ଥାନ ପାଇଲେ ନାହିଁ କିମ୍ବା ଭୁଲି ଯାଇଥିଲେ। ଆଜି ଦେଶ ଏପରି ବୀର, ମହାନ ବ୍ୟକ୍ତି, ବଳିଦାନକାରୀ, ସତ୍ୟଗ୍ରାହୀଙ୍କୁ ଖୋଜି ମନେ ରଖିଛି ଏବଂ ପ୍ରଣାମ କରୁଛି।

ପିଏମ ମୋଦୀ କହିଛନ୍ତି ଯେ, ଆମକୁ ବ୍ରିଟିଶ ପରି ଦେଖିବାର ଆବଶ୍ୟକତା ନାହିଁ, ଦାସତ୍ୱର ମାନସିକତାରୁ ବାହାରକୁ ଆସିବା ଆବଶ୍ୟକ।

ଆମର ସଂକଲ୍ପ ବଡ ଥିଲା, ତେଣୁ ଆମେ ସ୍ଵାଧୀନ ହୋଇପାରିଥିଲେ। ଯଦି ଆମର ସଂକଲ୍ପ ଛୋଟ ହୋଇଥାନ୍ତା, ତେବେ ଆଜି ମଧ୍ୟ ଆମେ ସଂଘର୍ଷ କରିଥାନ୍ତେ। ୭୫ ବର୍ଷରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଦେଶକୁ ଆଗକୁ ନେବାକୁ ଚେଷ୍ଟା କରିଛନ୍ତି, ଆଜି ସେମାନଙ୍କୁ ସ୍ମରଣ କରିବାର ଦିନ।

Categories
ବିଶେଷ ଖବର

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଭାରତୀୟ ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତମାନଙ୍କୁ ନୂଆଦିଲ୍ଲୀଠାର ସମ୍ବର୍ଦ୍ଧିତ କରିଛନ୍ତି। ଏଥିରେ ଉଭୟ ଖେଳାଳୀ ଓ ସେମାନଙ୍କ ପ୍ରଶିକ୍ଷକ ମାନେ ଯୋଗ ଦେଇଥିଲେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଓ କ୍ରୀଡା, ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପ୍ରାମାଣିକ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

ବର୍ମିଂହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଚିତ୍ତାକର୍ଷକ ପ୍ରଦର୍ଶନ ନିମନ୍ତେ ଖେଳାଳୀ ଓ ପ୍ରଶିକ୍ଷକମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଭାରତ ବିଭିନ୍ନ କ୍ରୀଡା ବିଭାଗରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ହାସଲ କରିଛି। ସିଡବ୍ଲୁଜି-୨୦୨୨ରେ ଭାରତୀୟ କ୍ରୀଡାବିତମାନଙ୍କ ଅଭୂତପୂର୍ବ ସଫଳତା ନିମନ୍ତେ କ୍ରୀଡାବିତ ଓ ପ୍ରଶିକ୍ଷକମାନଙ୍କୁ ସ୍ୱାଗତ ଜଣାଇଥିଲେ। ଖେଳାଳୀମାନଙ୍କ ଦୃଷ୍ଟାନ୍ତମୂଳକ କ୍ରୀଡା ନୈପୁଣ୍ୟ ଯୋଗୁଁ ଦେଶ ଏକ ଉତ୍ସାହଜନକ ସଫଳତାର ନିଦର୍ଶନ ସ୍ୱରୂପ ସ୍ୱାଧୀନତାର ଅମୃତକାଳରେ ପ୍ରବେଶ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କ୍ରୀଡାକ୍ଷେତ୍ରର ଗତ ଚାରି ସପ୍ତାହ ମଧ୍ୟରେ ଭାରତ କିପରି ଦୁଇଟି ପ୍ରମୁଖ ସଫଳତା ହାସଲ କରିଛି ପ୍ରଧାନମନ୍ତ୍ରୀ ତା ଉପରେ ଆଲୋକପାତ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡାରେ ଐତିହାସିକ କ୍ରୀଡାନୈପୁଣ୍ୟ ପରେ ଦେଶ ପ୍ରଥମ ଥର ପାଇଁ ଚେସ ଅଲିମ୍ପାଏଡ ଆୟୋଜନ କରିଛି। କ୍ରୀଡାବିତମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆପଣମାନେ ଯେତେବେଳେ ବର୍ମିଂହାମରେ ପ୍ରତିଯୋଗିତାରେ ଅବତ୍ତୀର୍ଣ୍ଣ ହେଉଥିଲେ, ସେତେବେଳେ ଦେଶବାସୀ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉଜାଗର ରହି ଆପଣମାନଙ୍କ କ୍ରୀଡା ଦକ୍ଷତା ଅବଲୋକନ କରୁଥିଲେ। ଅନେକ ଲୋକ ଖେଳର ତାଜା ସ୍ଥତି ନେଇ ଅବଗତ ରହିବା ପାଇଁ ଆଲାର୍ମ ଦେଇ ନିଦ୍ରା ଯାଉଥିଲେ।” ଯେତେବେଳେ ଭାରତୀୟ ଦଳ ଏଠାରୁ ବିଦାୟ ନେଇ ଖେଳିବାକୁ ଗଲେ ସେହିପରି ଆଜି ଆମ ସେମାନଙ୍କ ବିଜୟ ଉତ୍ସବ ପାଳୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବିରାଟ କ୍ରୀଡା ଦକ୍ଷତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂଖ୍ୟା କେବେ ପୁରା କାହାଣୀ ଉପସ୍ଥାପିତ କରିପାରେ ନାହିଁ। କାରଣ ଅନେକ ପଦକ କାଣିଚାଏ ସମ୍ଭାବ୍ୟ ପାର୍ଥକ୍ୟ ଯୋଗୁଁ ଯେଉଁ ହାତଛଡା ହୋଇଛି ଆମର ଦୃଢ଼ ପ୍ରତିଜ୍ଞ କ୍ରୀଡାବିତ ମାନେ ତାହାକୁ ଭବିଷ୍ୟତରେ ସୁଧାରି ନେବେ। ଗତଥର ତୁଳନାରେ ଭାରତ ଏଥର ଚାରିଟି ନୂତନ ଖେଳରେ ବିଜୟୀ ହୋଇଛି। ଲନ ବଲଠାରୁ ଆରମ୍ଭ କରି ଦୌଡକୁଦ ପର୍ଯ୍ୟନ୍ତ ଅମ ଖେଳାଳୀମାନେ ଅପୂର୍ବ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଏହି ଦକ୍ଷତା ସହ ଭବିଷ୍ୟତରେ ନୂଆ ନୂଆ ଖେଳ ପ୍ରତି ଦେଶରେ ଯୁବକଯୁବତୀ ମାନଙ୍କ ଆଗ୍ରହ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମୁଷ୍ଟିଯୁଦ୍ଧ, ଜୁଡଡ ଓ କୁସ୍ତିରେ ଆମର ଝିଅମାନଙ୍କ ସଫଳତାର ତଥା ସେମାନଙ୍କ ସିଡବ୍ଲୁଜି-୨୦୨୨ରେ ପ୍ରାଧାନ୍ୟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ୩୧ଟି ପଦକ ଯେଉଁମାନେ ପ୍ରଥମଥର ପାଇଁ ପ୍ରତିଯୋଗିତାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କ ଦ୍ୱାରା ହାସଲ ହେବା ଆମ ଯୁବାଶକ୍ତିର ଆତ୍ମବିଶ୍ୱାସକୁ ପ୍ରମାଣିତ କରିଛି।

କ୍ରୀଡାବିତମାନେ ଏକ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପକୁ କେବଳ ପଦକ ଦେଇ ଶକ୍ତିଶାଳୀ କରିନାହାନ୍ତି ବରଂ ଏହକୁ ଉତ୍ସବମୁଖର ହୋଇ ପାଳନ କରିବାକୁ ସୁଯୋଗ ମଧ୍ୟ ଦେଇଛନ୍ତି। ଖେଳାଳୀମାନେ ଦେଶର କ୍ରୀଡା ବ୍ୟତିତ ଅନ୍ୟକ୍ଷେତ୍ରରେ ମଧ୍ୟ ସଫଳ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଆମଣମାନେ ଦେଶର ଚିନ୍ତାଧାରା ଓ ଲକ୍ଷ୍ୟକୁ ଏକତା ସୂତ୍ରରେ ଗୁନ୍ଥି ରଖିଛନ୍ତି ଯାହା ଅମ ସ୍ୱାଧୀନତା ସଂଗ୍ରାମର ଏକ ବିରାଟ ଶକ୍ତି ଥିଲା” ବୋଲି ସେ କହିଥିଲେ। ଆମ ମହାନ ସ୍ୱାଧୀତା ସଂଗ୍ରାମୀମାନଙ୍କ କାମ କରିବା ଶୈଳୀ ଅଲଗା ଥିଲେ ମଧ୍ୟ ସ୍ୱାଧୀନତା ସେମାନେ ସମସ୍ତଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା ବାଲି ସେ କହିଥିଲେ।

ସେହିପରି ଆମ ଖେଳାଳୀମାନେ ଦେଶର ଗରିମା ବୃଦ୍ଧି ନିମନ୍ତେ ଏଥିରେ ପ୍ରବେଶ କରିଛନ୍ତି। ପ୍ରଧାନମନ୍ତ୍ରୀ ତ୍ରିରଙ୍ଗାର ଶକ୍ତି ୟୁକ୍ରେନରେ ଦେଖିବାକୁ ମିଳିଥିଲା ବୋଲି ମନ୍ତବ୍ୟ ଦେଇ ଏହା କେବଳ ଭାରତୀୟମାନଙ୍କ ପାଇଁ ସୁରକ୍ଷା କବଚ ହୋଇନଥିଲା ବରଂ ଅନ୍ୟାନ୍ୟ ଦେଶର ନାଗରିକମାନଙ୍କ ପାଇଁ ମଧ୍ୟ ଯୁଦ୍ଧ କ୍ଷେତ୍ରରୁ ନିରାପଦ ସ୍ଥାନକୁ ଯିବାରେ ସହାୟକ ହୋଇଥିଲା ବୋଲି ସେ କହିଥିଲେ।

ଯେଉଁ ଖେଳାଳୀମାନେ ଖୋଲୋ ଇଣ୍ଡିଆ ସ୍ତରରୁ ଉଠି ଆନ୍ତର୍ଜାତିକ ସ୍ତରରେ ଉନ୍ନତ ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ସେ ଖେଳାଳୀମାନଙ୍କ ଦକ୍ଷତାରେ ଖୁସୀ ପ୍ରକଟ କରିଥିଲେ। ସେ ମଧ୍ୟ ଅଲିମ୍ପିକ୍ ମଞ୍ଚ ଯୋଜନା ଲକ୍ଷ୍ୟର ସକାରାତ୍ମକ ପ୍ରଭାବ ଉପରେ କହିଥିଲେ। ନୂତନ ମେଧା ଚିହ୍ନଟ ନେଇ ସେମାନଙ୍କୁ ସେ ମଞ୍ଚ ପର୍ଯ୍ୟନ୍ତ ନେଇ ଯିବା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। “ଆମ ପାଇଁ ବିଶ୍ୱର ଏକ ସର୍ବୋତ୍ତମ କ୍ରୀଡା ବାତାବରଣ ସୃଷ୍ଟି କରିବାର ଦାୟୀତ୍ୱ ରହିଛି, ଯାହା ବିବିଧ, ସାମଗ୍ରିକ ଓ ଗତିଶୀଳ ହେବା ଆବଶ୍ୟକ। କୌଣସି ମେଧାବୀ ପଛରେ ରହିଯିବେ ନାହିଁ” ବୋଲି ସେ ଗୁରତ୍ୱ ଆରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶିକ୍ଷକ, କ୍ରୀଡା ପ୍ରଶାସକ ଓ ସହାୟକ କର୍ମଚାରୀଙ୍କ ଖେଳାଳୀଙ୍କ ସଫଳତା ପଛରେ ଭୂମିକା ରହିଥିବା ସ୍ୱୀକାର କରିଥିଲେ।

ପ୍ରଧାନମନ୍ତ୍ରୀ ଖେଳାଳୀମାନଙ୍କୁ ଆଗାମୀ ଏସୀୟ କ୍ରୀଡା ଓ ଅଲିମ୍ପିକ୍ସ ନିମନ୍ତେ ଭଲ ଭାବେ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ। ଆଜାଦୀ ଅମ୍ରିତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଗତ ବର୍ଷ ଖେଳାଳୀ ଓ ପ୍ରଶିକ୍ଷକମାନଙ୍କୁ ଦେଶର ୭୫ଟି ଶିକ୍ଷାନୁଷ୍ଠାନ ଗସ୍ତକରି ପିଲାମାନଙ୍କ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ। ମିଟ ଦି ଚମ୍ପିଆନ ଅଭିଯାନ ଜରିଆରେ ଅନେକ କ୍ରୀଡାବିତ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି। କ୍ରୀଡାବିତମାନଙ୍କୁ ନିଜର ଆଦର୍ଶ ବିବେଚନା କରୁଥିବା ଦେଶର ଯୁବ ସମାଜ ନିମନ୍ତେ ଏହି ଅଭିଯାନକୁ ଆଗେଇ ନେବାକୁ ଶ୍ରୀ ମୋଦୀ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆପଣମାନଙ୍କ ସ୍ୱୀକୃତି, ସାମର୍ଥ୍ୟ ଓ ଗ୍ରହଣୀୟତା ଦେଶର ଯୁବପୀଢ଼ି ପାଇଁ କାର୍ଯ୍ୟରେ ଲାଗିବା ଉଚିତ।” ପ୍ରଧାନମନ୍ତ୍ରୀ କ୍ରୀଡାବିତମାନଙ୍କୁ ସେମାନଙ୍କ ବିଜୟ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ଶୁଭକାମନା କରି ତାଙ୍କର ବକ୍ତବ୍ୟ ସମାପନ କରିଥିଲେ।

ପ୍ରମୁଖ କ୍ରୀଡା ପ୍ରତିଯୋଗୀତାରେ ଦେଶର ପ୍ରତିନିଧିତ୍ୱ କରୁଥିବା କ୍ରୀଡାବିତମାନଙ୍କ ସମ୍ବର୍ଦ୍ଧିତ କରିବା ଧାରାର ଏହା ଏକ ଅଂଶବିଶେଷ। ୨୦୨୦ ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିବା ଖେଳାଳୀମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଥିଲେ। ଏପରିକି ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୦ କାଳରେ ମଧ୍ୟ ପ୍ରଧାନମନ୍ତ୍ରୀ କ୍ରୀଡାବିତମାନଙ୍କ ପ୍ରସ୍ତୁତି ନେଇ ବୁଝାସୁଝା କରିବା ସହ ସେମାନଙ୍କୁ ସେମାନଙ୍କ ସଫଳତା ଓ କର୍ମନିଷ୍ଠତା ନିମନ୍ତେ ଅଭିନନ୍ଦନ ଜଣାଇଥିଲେ।

ସିଡବ୍ଲୁଜି ୨୦୨୨ ବମିଂହାମଠାରେ ଜୁଲାଇ ୨୫ରୁ ଅଗଷ୍ଟ ୮ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୧୯ଟି ବିଭିନ୍ନ କ୍ରୀଡା ଶ୍ରେଣୀରେ ଦେଶର ମୋଟ ୨୧୫ ଜଣ ପ୍ରତିଯୋଗୀ ୧୪୧ଟି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ଭାରତ ବିଭିନ୍ନ ବିଭାଗରେ ମୋଟ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ହାସଲ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବାଲିପାଟଣାରେ ହର ଘର ତ୍ରିରଙ୍ଗା ଅଭିଯାନ

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଠାରେ ‘ହର ଘର ତିରଙ୍ଗା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଏକ ତ୍ରିରଙ୍ଗା ପଦଯାତ୍ରା ଆୟୋଜନ କରାଯାଇଥିଲା। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପଦଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନୀୟ ଜନସାଧାରଣ ମଧ୍ୟ ଏହି ପଦଯାତ୍ରାରେ ଉତ୍ସାହର ସହ ସାମିଲ ହୋଇଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଆଜି ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହା ସବୁ ଦେଶବାସୀଙ୍କ ପାଇଁ ଏକ ଶୁଭ ଅବସର। ଦେଶର ସ୍ବାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସାଂସଦ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ସ୍ବାଧୀନତାର ଅମୃତ ମହୋତ୍ସବ ଏବଂ ସ୍ବାଧୀନତା ସଂଗ୍ରାମର ଅନାଲୋଚିତ ନାୟକଙ୍କ ବିଷୟରେ ବିଭିନ୍ନ ତଥ୍ୟ ପ୍ରଦର୍ଶିତ କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ବିଶେଷ ଖବର

ପାନିପଥରେ ୨ଜି ଇଥାନଲ କାରଖାନାକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ହରିୟାଣାର ପାନିପଥରେ ଦ୍ୱିତୀୟ ପୀଢି (୨ଜି) ଇଥାନଲ କାରଖାନାକୁ ଦେଶକୁ ଉତ୍ସର୍ଗ କରିଛନ୍ତି। ଏହି ଉତ୍ସବରେ ହରିୟାଣାର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ହରଦୀପ ସିଂହ ପୁରୀ, ରମେଶ୍ୱର ତେଲି ଉପସ୍ଥିତ ଥିଲେ।

ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଇଥାନଲ କାରଖାନାକୁ ଆରମ୍ଭ କରି ସେ କହିଛନ୍ତି ଯେ ଏହି କାରଖାନା ଦିଲ୍ଲୀ, ହରିୟାଣା ଏବଂ ଏନସିଆରରେ ପ୍ରଦୂଷଣ ହ୍ରାସ କରିବ। ସିଡବ୍ଲ୍ୟୁଜି ୨୦୨୨ ରେ ହରିୟାଣାର ଝିଅ ଏବଂ ପୁଅମାନଙ୍କ ଦ୍ୱାରା ଚମତ୍କାର ପ୍ରଦର୍ଶନ ପାଇଁ ସେ ହରିୟାଣାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଭଳି ଦେଶରେ ପ୍ରକୃତିର ଉପାସନା କରୁଥିବା ଜୈବ ଇନ୍ଧନ ପ୍ରକୃତିର ସୁରକ୍ଷା ପାଇଁ ସମକକ୍ଷ ଅଟେ। ଆମର କୃଷକ ଭାଇ ଓ ଭଉଣୀମାନେ ଏହାକୁ ଭଲ ଭାବରେ ବୁଝନ୍ତି। ଆମ ପାଇଁ ଜୈବ ଇନ୍ଧନର ଅର୍ଥ ହେଉଛି ସବୁଜ ଇନ୍ଧନ, ପରିବେଶ ସୁରକ୍ଷା ଇନ୍ଧନ। ସେ କହିଛନ୍ତି ଯେ ଏହି ଆଧୁନିକ କାରଖାନା ପ୍ରତିଷ୍ଠା ହେବା ସହିତ ହରିୟାଣାର କୃଷକମାନେ ଯେଉଁଠାରେ ଚାଉଳ ଏବଂ ଗହମ ପ୍ରଚୁର ପରିମାଣରେ ଚାଷ କରାଯାଏ, ସେମାନେ ଫସଲର ଅବଶିଷ୍ଟାଂଶ ବ୍ୟବହାର କରିବାର ଅନ୍ୟ ଏକ ଲାଭଜନକ ମାଧ୍ୟମ ପାଇବେ।

ପାନିପଥର ଜୈବ-ଇନ୍ଧନ କାରଖାନାରେ ମଧ୍ୟ ଏହାକୁ ନପୋଡ଼ି ନଷ୍ଟ କରିବାକୁ ସକ୍ଷମ ହେବ। ଏହାଦ୍ୱାରା ଅନେକ ଲାଭ ହେବ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି। ପ୍ରଥମ ସୁବିଧା ହେବ ଯେ ପୃଥିବୀ ମାତା ନଡ଼ା ଜାଳିବା ଦ୍ୱାରା ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବ। ଦ୍ୱିତୀୟ ସୁବିଧା ହେବ ଯେ ନଡା କାଟିବା ଏବଂ ଏହାର ନିଷ୍କାସନ ପାଇଁ ନୂତନ ବ୍ୟବସ୍ଥା, ପରିବହନ ପାଇଁ ନୂତନ ସୁବିଧା ଏବଂ ନୂତନ ଜୈବ ଇନ୍ଧନ କାରଖାନା ଏହି ସମସ୍ତ ଗ୍ରାମରେ ନୂତନ ନିଯୁକ୍ତିର ସୁଯୋଗ ଆଣିବ। ତୃତୀୟ ସୁବିଧା ହେବ ଯେ ଫସଲର ଏହି ଅବଶିଷ୍ଟାଂଶ  ଯାହା ଚାଷୀଙ୍କ ପାଇଁ ବୋଝ ଥିଲା ଏବଂ ଚିନ୍ତାର କାରଣ ଥିଲା, ତାହା ସେମାନଙ୍କ ପାଇଁ ଅତିରିକ୍ତ ଆୟର ମାଧ୍ୟମ ହେବ। ଚତୁର୍ଥ ସୁବିଧା ହେବ ଯେ ପ୍ରଦୂଷଣ ହ୍ରାସ ପାଇବ ଏବଂ ପରିବେଶର ସୁରକ୍ଷା ପାଇଁ କୃଷକଙ୍କ ଅବଦାନ ଆହୁରି ବୃଦ୍ଧି ପାଇବ। ଏବଂ ପଞ୍ଚମ ଲାଭ ହେବ ଯେ ଦେଶ ମଧ୍ୟ ଏକ ବିକଳ୍ପ ଇନ୍ଧନ ପାଇବ। ଦେଶର ବିଭିନ୍ନ କ୍ଷେତ୍ରରେ ଏଭଳି କାରଖାନା ପ୍ରତିଷ୍ଠା ହେଉଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନଙ୍କର ରାଜନୈତିକ ସ୍ୱାର୍ଥ ପାଇଁ ସର୍ଟ-କଟ୍ ଗ୍ରହଣ କରି ସମସ୍ୟାରୁ ଦୂରେଇ ରହିବାର ପ୍ରବୃତ୍ତି ରହିଛି ସେମାନେ ସମସ୍ୟାର ସ୍ଥାୟୀ ସମାଧାନ କରିପାରିବେ ନାହିଁ। ଯେଉଁମାନେ ସର୍ଟ-କଟ୍ ବ୍ୟବସ୍ଥାକୁ ଗ୍ରହଣ କରୁଛନ୍ତି ସେମାନେ କିଛି ସମୟ ପାଇଁ କରତାଳି ପାଇପାରନ୍ତି ଏବଂ ରାଜନୈତିକ ସୁବିଧା ପାଇପାରନ୍ତି, କିନ୍ତୁ ତାହା ସମସ୍ୟାର ସମାଧାନ କରେ ନାହିଁ। ଏକ ସର୍ଟ କଟ୍‍କୁ ଗ୍ରହଣ କରିବା ନିଶ୍ଚିତ ଭାବରେ ଏକ ସର୍ଟ ସର୍କିଟରେ ପରିଣତ ହେବ। ସର୍ଟ-କଟ୍ ଅନୁସରଣ କରିବା ପରିବର୍ତ୍ତେ ଆମ ସରକାର ସମସ୍ୟାର ସ୍ଥାୟୀ ସମାଧାନରେ ନିୟୋଜିତ ଅଛନ୍ତି। ବର୍ଷ ବର୍ଷ ଧରି ଫସଲର ଅବଶିଷ୍ଟାଂଶ ସମସ୍ୟା ବିଷୟରେ ଅନେକ କୁହାଯାଇଛି। କିନ୍ତୁ ସ୍ୱଳ୍ପ ମାନସିକତା ଥିବା ବ୍ୟକ୍ତି ଏହାର ସମାଧାନ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ସମସ୍ୟାର ସମାଧାନ ପାଇଁ ଲକ୍ଷ୍ୟ ରଖାଯାଇଥିବା ପଦକ୍ଷେପଗୁଡ଼ିକୁ ପ୍ରଧାନମନ୍ତ୍ରୀ ତାଲିକାଭୁକ୍ତ କରିଛନ୍ତି। କୃଷକ ଉତ୍ପାଦକ ସଂଗଠନ (ଏଫ୍‍ପିଓ) ଗୁଡିକୁ ‘ପାରାଲି\’ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା, ଫସଲର ଅବଶିଷ୍ଟାଂଶ ପାଇଁ ଆଧୁନିକ ଯନ୍ତ୍ରପାତି ଉପରେ ୮୦ ପ୍ରତିଶତ ସବସିଡି ପ୍ରଦାନ କରାଯାଇଥିଲା ଏବଂ ବର୍ତ୍ତମାନ ଏହି ଆଧୁନିକ କାରଖାନା ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ପାରାଲି ଜଳିବା ବାଧ୍ୟତାମୂଳକ କାରଣରୁ ଯେଉଁ କୃଷକମାନଙ୍କୁ ଖରାପ ନାମ ଦିଆଯାଇଥିଲା, ସେମାନେ ବର୍ତ୍ତମାନ ଜୈବ-ଇନ୍ଧନ ଉତ୍ପାଦନ ଏବଂ ରାଷ୍ଟ୍ର ର୍ନିମାଣରେ ଯୋଗଦାନର ଗର୍ବ ଅନୁଭବ କରିବେ। ପ୍ରଧାନମନ୍ତ୍ରୀ ଗୋବର୍ଦ୍ଧନ ଯୋଜନାକୁ ଚାଷୀଙ୍କ ପାଇଁ ବିକଳ୍ପ ଆୟ ଭାବରେ ଉଲ୍ଲେଖ କରିଛନ୍ତି।

ଦେଶର ସମସ୍ୟାର ସ୍ଥାୟୀ ତଥା ଚୂଡାନ୍ତ ସମାଧାନ ଜାରି ରଖି ପ୍ରଧାନମନ୍ତ୍ରୀ ନୂତନ ସାର କାରଖାନା, ନାନୋ ସାର, ଖାଇବା ତେଲ ପାଇଁ ନୂତନ ମିଶନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ପେଟ୍ରୋଲରେ ଇଥାନଲ ମିଶ୍ରଣ ହେତୁ ଗତ ୭-୮ ବର୍ଷ ମଧ୍ୟରେ ଦେଶର ପ୍ରାୟ ୫୦ ହଜାର କୋଟି ଟଙ୍କା ବିଦେଶ ଯିବାରୁ ରହି ପାରିଛି। ଏବଂ ଇଥାନଲ ମିଶ୍ରଣ ହେତୁ ପ୍ରାୟ ସମାନ ପରିମାଣ ଅର୍ଥ ଆମ ଦେଶର କୃଷକମାନଙ୍କ ନିକଟକୁ ଯାଇଛି। ସେ କହିଛନ୍ତି ଯେ ୮ ବର୍ଷ ପୂର୍ବେ ଦେଶରେ କେବଳ ୪୦ କୋଟି ଲିଟର ଇଥାନଲ ଉତ୍ପାଦିତ ହୋଇଥିଲା; ବର୍ତ୍ତମାନ ଏହି ଉତ୍ପାଦନ ପ୍ରାୟ ୪୦୦ କୋଟି ଲିଟର ଅଟେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ୨୦୧୪ ପର୍ଯ୍ୟନ୍ତ ଦେଶରେ କେବଳ ୧୪ କୋଟି ଏଲପିଜି ଗ୍ୟାସ ସଂଯୋଗ ରହିଥିଲା। ଦେଶର ଅଧା ଜନସଂଖ୍ୟା, ମା’ ଏବଂ ଭଉଣୀମାନେ ରୋଷେଇ ଘରର ଧୂଆଁରେ ରହିଯାଇଥିଲେ। ଏହା ଦ୍ୱାରା ସୃଷ୍ଟି ହେଉଥିବା ଅସୁସ୍ଥତା ସହିତ ଭଉଣୀ ଏବଂ ଝିଅମାନଙ୍କ ଅସୁବିଧାର ଯତ୍ନ ପୂର୍ବରୁ ନିଆଯାଇନଥିଲା। କେବଳ ଉଜ୍ୱଳା ଯୋଜନାରୁ ଗରିବ ମହିଳାଙ୍କୁ ୯ କୋଟିରୁ ଅଧିକ ଗ୍ୟାସ ସଂଯୋଗ ବିତରଣ କରି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆମେ ଦେଶରେ ପ୍ରାୟ ୧୦୦% ଏଲପିଜି ସଂଯୋଗରେ ପହଞ୍ଚିଛୁ। ଆଜି ଦେଶରେ ପ୍ରାୟ ୩୧ କୋଟି ଗ୍ୟାସ ସଂଯୋଗ ଅଛି, ଯାହା ୧୪ କୋଟିରୁ ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ସିଏନଜି ଷ୍ଟେସନଗୁଡିକ ଆଠ ବର୍ଷ ପୂର୍ବେ ୮୦୦ ରୁ ସାଢେ ୪ ହଜାରରୁ ଅଧିକକୁ ବୃଦ୍ଧି ପାଇଛି। ଏକ କୋଟିରୁ ଅଧିକ ପରିବାର ନିକଟରେ ପାଇପ୍ ମାଧ୍ୟମରେ ଗ୍ୟାସ୍ ପହଞ୍ଚିଛି। ସେ କହିଛନ୍ତି, ଆଜି ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷ ପୂରଣ କରୁଛୁ, ଦେଶ ମଧ୍ୟ ଏହି ଲକ୍ଷ୍ୟ ଉପରେ କାର୍ଯ୍ୟ କରୁଛି ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଦେଶର ୭୫ ପ୍ରତିଶତରୁ ଅଧିକ ପରିବାର ପାଇପ୍ ଯୋଗେ ଗ୍ୟାସ୍ ପାଇବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ରାଜନୀତିରେ ସ୍ୱାର୍ଥପରତା ଥାଏ, ତେବେ କେହି ଆସି ମାଗଣା ପେଟ୍ରୋଲ ଏବଂ ଡିଜେଲ ଦେବାକୁ ଘୋଷଣା କରିପାରିବେ। ଏହିପରି ପଦକ୍ଷେପ ଆମ ପିଲାମାନଙ୍କର ଅଧିକାର ଛଡ଼ାଇ ନେବ ଏବଂ ଦେଶକୁ ଆତ୍ମର୍ନିଭରଶୀଳ ହେବାକୁ ରୋକିବ। ଏଭଳି ସ୍ୱାର୍ଥପର ନୀତି ଯୋଗୁଁ ଦେଶର ସଚ୍ଚୋଟ କରଦାତାଙ୍କ ଉପରେ ମଧ୍ୟ ବୋଝ ବଢିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ପାଇଁ ଏହାର ସ୍ପଷ୍ଟ ଉଦ୍ଦେଶ୍ୟ ଏବଂ ପ୍ରତିବଦ୍ଧତା ଆବଶ୍ୟକ। ଏଥିପାଇଁ ଅତ୍ୟଧିକ ପରିଶ୍ରମ, ନୀତି ଏବଂ ବିପୁଳ ପୁଞ୍ଜି ବିନିଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ସରକାରଙ୍କ ପାଖରେ ଟଙ୍କା ନାହିଁ, ତେବେ ଇଥାନଲ କାରଖାନା, ବାୟୋଗ୍ୟାସ୍ ଏବଂ ସୌର ପ୍ଲାଣ୍ଟ ମଧ୍ୟ ବନ୍ଦ ହୋଇଯିବ। ଆମକୁ ମନେ ରଖିବାକୁ ହେବ ଯେ ଯଦିଓ ଆମେ ଏଠାରେ ନଥିବୁ, କିନ୍ତୁ ଏହି ରାଷ୍ଟ୍ର ସର୍ବଦା ଏଠାରେ ରହିବ, ଏଥିରେ ବାସ କରୁଥିବା ପିଲାମାନେ ସର୍ବଦା ଏଠାରେ ରହିବେ। ସ୍ୱାଧୀନତା ପାଇଁ ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନେ ମଧ୍ୟ ଏହି ଅନନ୍ତ ଆବେଗ ସହିତ କାର୍ଯ୍ୟ କରିଛନ୍ତି .. ଏକ ଦେଶ ଭାବରେ ଆମକୁ ଏପରି ପ୍ରତିଶ୍ରୁତି ଦେବାକୁ ପଡିବ ଯେ ଆମେ ଏହିପରି ପ୍ରବୃତ୍ତି ବଢିବାକୁ ଦେବୁ ନାହିଁ। ଏହା ଦେଶର ସାମୂହିକ ଦାୟିତ୍ୱ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ ମହୋତ୍ସବ ସମୟରେ ଯେତେବେଳେ ସମଗ୍ର ଦେଶ ତ୍ରିରଙ୍ଗାର ରଙ୍ଗରେ ରଙ୍ଗେଇ ହେଉଛି, ସେତେବେଳେ ସେ ଏପରି ଘଟଣା ପ୍ରତି ଦେଶର ଦୃଷ୍ଟି ଆକର୍ଷଣ କରିବାକୁ ଚାହାନ୍ତି। ଏହି ପବିତ୍ର ଉତ୍ସବକୁ ବଦନାମ କରିବାକୁ, ଆମର ସାହସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି। ଏହିପରି ଲୋକଙ୍କ ମାନସିକତାକୁ ବୁଝିବା ଜରୁରୀ ଅଟେ। ସେ କହିଛନ୍ତି ଯେ ଆମ ଦେଶରେ ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ନକାରାତ୍ମକତାର ବଳୟରେ ଫସି ରହି ନିରାଶାରେ ବୁଡି ରହିଛନ୍ତି। ସରକାରଙ୍କ ବିରୁଦ୍ଧରେ ମିଛ କହିବା ପରେ ମଧ୍ୟ ଜନସାଧାରଣ ଏଭଳି ଲୋକଙ୍କ ଉପରେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏହିପରି ନିରାଶାରେ, ଏହି ଲୋକମାନେ ମଧ୍ୟ କଳା ଯାଦୁ ଆଡକୁ ମୁହାଁଇଥିବାର ଦେଖାଯାଏ। କଳା ଯାଦୁ ମାନସିକତା ବିସ୍ତାର କରିବାର ପ୍ରୟାସ ଥିବାବେଳେ ପ୍ରଧାନମନ୍ତ୍ରୀ ୫ ଅଗଷ୍ଟ ଘଟଣାଗୁଡ଼ିକୁ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରି କହିଛନ୍ତି ଯେ ଯେଉଁମାନେ ଭାବନ୍ତି ଯେ କଳା ପୋଷାକ ପିନ୍ଧି ସେମାନଙ୍କ ନିରାଶା ସମୟ ଶେଷ ହେବ, ସେମାନେ ଜାଣି ନାହାଁନ୍ତି ଯେ କଳା ଯାଦୁ ଏବଂ ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ ହେଉନା କାହିଁକି, ସେମାନଙ୍କ ଭିତରେ ଜନସାଧାରଣଙ୍କ ବିଶ୍ୱାସ କେବେହେଲେ ପୁନଃ ସ୍ଥାପିତ ହେବ ନାହିଁ।

ପୃଷ୍ଠଭୂମି

ଦେଶରେ ଜୈବ ଇନ୍ଧନର ଉତ୍ପାଦନ ତଥା ବ୍ୟବହାରକୁ ବୃଦ୍ଧି କରିବା ପାଇଁ ସରକାର ବର୍ଷ ବର୍ଷ ଧରି ନେଇଥିବା ପଦକ୍ଷେପଗୁଡିକର ଏକ ଅଂଶ ଅଟେ। ଶକ୍ତି କ୍ଷେତ୍ରକୁ ଅଧିକ ସୁଲଭ, ସୁଗମ, ଦକ୍ଷ ଏବଂ ସ୍ଥାୟୀ ଭାବରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ସହିତ ଏହା ଅନୁରୂପ ଅଟେ।

ଏହି ୨ଜି ଇଥାନଲ କାରଖାନାଟି ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ୍‍) ଦ୍ୱାରା ପ୍ରାୟ ୯୦୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଛି ଏବଂ ପାନିପଥ ରିଫାଇନାରୀ ନିକଟରେ ଅବସ୍ଥିତ। ଅତ୍ୟାଧୁନିକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାକୁ ଆଧାର କରି ଏହି ପ୍ରକଳ୍ପ ବାର୍ଷିକ ପ୍ରାୟ ୩ ଲକ୍ଷ ଲିଟର ଇଥାନଲ ଉତ୍ପାଦନ ପାଇଁ ପ୍ରାୟ ୨ ଲକ୍ଷ ଟନ୍ ନଡ଼ା (ପାରାଲି) ବ୍ୟବହାର କରି ଭାରତର ବର୍ଜ୍ୟବସ୍ତୁରୁ ସମ୍ପଦ ପ୍ରୟାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ।

କୃଷି ଫସଲର ଅବଶିଷ୍ଟାଂଶ ପାଇଁ ଏକ ସର୍ବଶେଷ ବ୍ୟବହାର ସୃଷ୍ଟି କରିବା କୃଷକମାନଙ୍କୁ ସଶକ୍ତ କରିବ ଏବଂ ଏକ ଅତିରିକ୍ତ ଆୟର ସୁଯୋଗ ପ୍ରଦାନ କରିବ। ଏହି ପ୍ରକଳ୍ପ କାରଖାନା କାର୍ଯ୍ୟରେ ଜଡିତ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବ ଏବଂ ନଡା କାଟିବା, ପରିଚାଳନା, ସଂରକ୍ଷଣ ଆଦି ଯୋଗାଣ ଶୃଙ୍ଖଳାରେ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ।

ଏହି ପ୍ରକଳ୍ପରୁ ଶୂନ୍ୟ ତରଳ ନିଷ୍କାସନ ହେବ। ଧାନ ନଡା (ପାରାଲି) ର ଜଳିବା ହ୍ରାସ କରି ଏହି ପ୍ରକଳ୍ପ ବାର୍ଷିକ ପ୍ରାୟ ୩ ଲକ୍ଷ ଟନ୍ କାର୍ବନ ଡାଇଅକ୍ସାଇଡ୍ ସମକକ୍ଷ ଗ୍ରିନ ହାଉସ ର୍ନିଗମନକୁ ହ୍ରାସ କରିବ, ଯାହା ଦେଶର ରାସ୍ତାରେ ବାର୍ଷିକ ପ୍ରାୟ ୬୩,୦୦୦ କାର୍ ହଟାଇବା ସହିତ ସମାନ ବୋଲି ବୁଝିବାକୁ ହେବ।

Categories
ବିଶେଷ ଖବର

ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ସମାପନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଭାରତର ସବୁ ରାଜ୍ୟମାନଙ୍କର ମିଳିତ ପ୍ରୟାସ କାରଣରୁ କୋଭିଡ ଭଳି ମହାମାରୀରୁ ଭାରତ ମୁକୁଳି ପାରିଛି।

ନୀତି ଆୟୋଗ ପରିଚାଳନା ପରିଷଦ (ଜିସି)ର ସପ୍ତମ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର କୋଭିଡ ମହାମାରୀ ମୁକାବିଲାରେ ସବୁ ରାଜ୍ୟ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଫଳରେ ଭାରତ ବିଶ୍ଵସ୍ତରରେ ଏକ ନେତୃସ୍ଥାନୀୟ ଭୂମିକା ନିର୍ବାହ କରିବା ସହିତ ଅନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଅନୁପ୍ରାଣିତ କରିପାରିଛି।

କୋଭିଡ ମହାମାରୀ ଦେଖାଦେବା ପରେ ଏହା ଥିଲା ନୀତି ଆୟୋଗ ପରିଚାଳନା ପରିଷଦର ପ୍ରଥମ ବୈଠକ ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବ୍ୟକ୍ତିଗତ ଭାବେ ଅଂଶଗ୍ରହଣ କରିଥିଲେ । ଏଥିପୂର୍ବରୁ ୨୦୨୧ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ଥରର ବୈଠକରେ ୨୩ ରାଜ୍ୟର ମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ର ଶାସିତ ପ୍ରଦେଶର ଉପରାଜ୍ୟପାଳ, ୨ ପ୍ରଶାସକ ଏବଂ କେନ୍ଦ୍ର ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉଦଘାଟନୀ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ସଂଘୀୟ ବ୍ୟବସ୍ଥା ଏବଂ ସହଯୋଗୀ ସଂଘୀୟ ଭାବନା କୋଭିଡ ସଙ୍କଟ ସମୟରେ ସମଗ୍ର ବିଶ୍ଵ ପାଇଁ ଏକ ଉଦାହରଣ ପାଲଟିଥିଲା । ସେ କହିଥିଲେ ଯେ ସାରା ବିଶ୍ଵର ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଭାରତ ଏକ ଦୃଢ଼ ବାର୍ତ୍ତା ଦେଇଥିଲା – ସୀମିତ ସମ୍ବଳ ସତ୍ତ୍ୱେ ସହନଶୀଳତା ଦ୍ୱାରା ବିପଦ ଏଡ଼ାଇବା ସମ୍ଭବ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହାର ଶ୍ରେୟ ରାଜ୍ୟ ସରକାରମାନଙ୍କୁ ଯାଉଛି, ଯେଉଁମାନେ ରାଜନୈତିକ ମତପାର୍ଥକ୍ୟ ସତ୍ତ୍ୱେ ତୃଣମୂଳସ୍ତରରେ ଲୋକମାନଙ୍କୁ ଜନ ସେବା ଯୋଗାଇ ଦେବାରେ ସଫଳ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ ଯେ, ରାଷ୍ଟ୍ରୀୟ ପ୍ରାଥମିକତା ଚିହ୍ନଟ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମାସ ମାସ ଧରି ବ୍ୟାପକ ବିଚାରମନ୍ଥନ ଏବଂ ପରାମର୍ଶ ପରେ ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ଆୟୋଜନ କରାଯାଉଛି । ପ୍ରଥମ ଥର ପାଇଁ ଦେଶ ସ୍ୱାଧୀନତାର ୭୫ତମ ବର୍ଷ, ଭାରତର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଛନ୍ତି ଏବଂ ତିନି ଦିନ ଧରି ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିଛନ୍ତି । ଏହି ମିଳିତ ପ୍ରକ୍ରିୟା ଆଜି ବୈଠକ ପାଇଁ ଏଜେଣ୍ଡା ବିକଶିତ କରିବାରେ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଚଳିତ ବର୍ଷ, ପରିଚାଳନା ପରିଷଦ ବୈଠକରେ ୪ଟି ପ୍ରମୁଖ ବିଷୟ ଉପରେ ଆଲୋଚନା କରାଯାଇଥିଲା :

  1. ଫସଲ ବିବିଧକରଣ ଏବଂ ଡାଲି, ତୈଳବୀଜ ଏବଂ ଅନ୍ୟ କୃଷି-ଉତ୍ପାଦ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ;
  2. ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି (ଏନଇପି)ର କାର୍ଯ୍ୟକାରିତା
  • ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା
  1. ସହରାଞ୍ଚଳ ପ୍ରଶାସନ ।

ପ୍ରଧାନମନ୍ତ୍ରୀ ଉପରୋକ୍ତ ସବୁ ପ୍ରସଙ୍ଗ ଉପରେ ଜୋର ଦେଇଥିଲେ । ବିଶେଷ କରି ସେ କହିଥିଲେ ଯେ, ଭାରତ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଏବଂ ବିଶ୍ଵସ୍ତରରେ ନେତୃତ୍ୱ ନେବା ଲାଗି ଆଧୁନିକ କୃଷି, ପଶୁପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଗୁରୁତ୍ବାରୋପ କରିବାର ଆବଶ୍ୟକତା ରହିଛି । ସହଜ ଜୀବନଧାରଣ, ପାରଦର୍ଶୀ ସେବା ବିତରଣ ଏବଂ ସହରୀ ଭାରତର ପ୍ରତ୍ୟେକ ନାଗରିକଙ୍କ ଜୀବନ ଗୁଣବତ୍ତାରେ ସୁଧାର ଆଣିବା ଲାଗି ପ୍ରଯୁକ୍ତିର ଲାଭ ଉଠାଇବା ଦ୍ୱାରା ଦ୍ରୁତ ସହରୀକରଣ ଭାରତର ଦୁର୍ବଳତା ପରିବର୍ତ୍ତେ ସାମର୍ଥ୍ୟ ଭାବେ ଉଭା ହୋଇପାରିବ ।

୨୦୨୩ରେ ଭାରତ ଜି୨୦ ରାଷ୍ଟ୍ର ସମୂହର ଅଧ୍ୟକ୍ଷତା କରିବାକୁ ଯାଉଥିବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ କେବଳ ଦିଲ୍ଲୀ ନୁହେଁ – ବରଂ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ନେଇ ଭାରତ ସମୃଦ୍ଧ ବୋଲି ଦର୍ଶାଇବା ନିମନ୍ତେ ଏହା ଏକ ଅଭିନବ ସୁଯୋଗ ଆଣି ଦେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି୨୦ ଉପଲକ୍ଷେ ଆମେ ଏକ ଗଣଆନ୍ଦୋଳନ ବିକଶିତ କରିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଆମ ଦେଶରେ ଥିବା ଶ୍ରେଷ୍ଠ ପ୍ରତିଭାଙ୍କୁ ଚିହ୍ନଟ କରିବା ଲାଗି ସୁଯୋଗ ମିଳିପାରିବ । ସେ ଆହୁରି କହିଥିଲେ ଯେ, ଏହି ପ୍ରୟାସରୁ ଅଧିକରୁ ଅଧିକ ସମ୍ଭାବ୍ୟ ଲାଭ ପାଇବା ଲାଗି ସବୁ ରାଜ୍ୟରେ ଏକ ସମର୍ପିତ ଜି୨୦ ଦଳ ଗଠନ ହେବା ଉଚିତ୍‌ । ଏ ସମ୍ପର୍କରେ ଅଧିକ ସୂଚନା ଦେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ. ଜୟଶଙ୍କର କହିଥିଲେ ଯେ, ଜି୨୦ ଅଧ୍ୟକ୍ଷତା ଏକ ଶ୍ରେଷ୍ଠ ସୁଯୋଗ ସହିତ ଗୁରୁତ୍ୱପୂର୍ଣ୍ଣ ଉତ୍ତରଦାୟିତ୍ୱ ନେଇ ଆସିଛି । ପ୍ରଥମ ଥର ପାଇଁ ଜି୨୦ ଇତିହାସରେ, ଭାରତ ଜି୨୦ ବୈଠକର ଅଧ୍ୟକ୍ଷତା କରିବାକୁ ଯାଉଛି । ଏହି ଅଧ୍ୟକ୍ଷତା କେବଳ ଦିଲ୍ଲୀ ନୁହେଁ, ବରଂ ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ କରୁଛନ୍ତି ।

ଶିକ୍ଷାଗତ ପରିଣାମରେ ଦୃଢ଼ ସୁଧାର, ଶିକ୍ଷକମାନଙ୍କର ସାମର୍ଥ୍ୟ ବୃଦ୍ଧି ଏବଂ କୌଶଳ ବିକାଶ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ସୂଚନା ଦେଇଥିଲେ । ଏ କ୍ଷେତ୍ରରେ ସହଯୋଗ ପାଇଁ ସେ ରାଜ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଜାତୀୟ ଶିକ୍ଷାନୀତିର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟମାନଙ୍କ ଠାରୁ ଅଧିକ ସହାୟତା ପାଇଁ ଅନୁରୋଧ କରିଥିଲେ ।

ନୀତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ସୁମନ ବେରୀ କହିଥିଲେ ଯେ, ଭାରତର ବାସ୍ତବ ପରିବର୍ତ୍ତନ ଏହାର ରାଜ୍ୟମାନଙ୍କରେ ହେବା ଆବଶ୍ୟକ । ମହାମାରୀ ପରେ ପୁନଃ ପ୍ରଗତିଶୀଳ ଭାରତର ସଂକଳ୍ପକୁ ସାକାର କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଥିବା ସେ ଦୋହରାଇଥିଲା।

ବୈଠକରେ ଉପସ୍ଥିତ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନେ ସେମାନଙ୍କ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରାଥମିକତା, ସଫଳତା ଏବଂ ସମସ୍ୟାଗୁଡ଼ିକ ଉପସ୍ଥାପନ କରିଥିଲେ । ବୈଠକର ଚାରିଟି ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ସେମାନେ ନିଜ ନିଜ ମତ ଉପସ୍ଥାପନ କରିଥିଲେ ।

ଉଦଯାପନୀ ବକ୍ତବ୍ୟରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ରାଜ୍ୟ ବିଶ୍ଵର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ମିଶନ ଜରିଆରେ ଥ୍ରୀ-ଟି- ଟ୍ରେଡ (ବାଣିଜ୍ୟ), ଟୁରିଜିମ(ପର୍ଯ୍ୟଟନ), ଟେକ୍ନୋଲୋଜି (ପ୍ରଯୁକ୍ତି) –କୁ ପ୍ରୋତ୍ସାହିତ କରିବା ଉଚିତ୍‌ । ସେ କହିଥିଲେ ଯେ ଆମଦାନୀ ହ୍ରାସ କରିବା, ରପ୍ତାନି ବଢ଼ାଇବା ଏବଂ ପ୍ରତ୍ୟେକ ରାଜ୍ୟରେ ଏଥିପାଇଁ ସୁଯୋଗକୁ ଚିହ୍ନଟ କରିବା ଲାଗି ରାଜ୍ୟମାନେ ଗୁରୁତ୍ୱ ଦେବା ଉଚିତ୍‌ । ସେ କହିଥିଲେ ଯେ, ଯେଉଁଠି ସମ୍ଭବ ଆମେ ସ୍ଥାନୀୟ ଉତ୍ପାଦ ବ୍ୟବହାର କରିବା ଲାଗି ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ‘ଭୋକାଲ ଫର ଲୋକାଲ’ ଏକ ବ୍ୟକ୍ତିଗତ ରାଜନୈତିକ ଦଳର ଲକ୍ଷ୍ୟ ନୁହେଁ ଏବଂ ଏହା ସମସ୍ତଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜିଏସଟି ସଂଗ୍ରହରେ ସୁଧାର ଆସିବା ଫଳରେ, ଆମର ସମ୍ଭାବନା ଆହୁରି ଅଧିକ ବଢ଼ିଯାଇଛି । ଜିଏସଟି ସଂଗ୍ରହ ବଢ଼ାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଛି । ଆମର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଏବଂ ଭାରତକୁ ୫ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଏହା ଅତ୍ୟନ୍ତ ଜରୁରି ବୋଲି ସେ କହିଥିଲେ । ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବ୍ୟାପକ ବିଚାରବିମର୍ଶ ପରେ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରାଯାଇଛି । ଏହାର କାର୍ଯ୍ୟକାରିତାରେ ଆମେ ସବୁ ଅଂଶୀଦାରମାନଙ୍କୁ ସାମିଲ କରିବା ଉଚିତ୍‌ ଏବଂ ଏଥିପାଇଁ ଏକ ସ୍ପଷ୍ଟ, ସମୟବଦ୍ଧ ରୋଡମ୍ୟାପ ବିକଶିତ କରିବା ଉଚିତ୍‌ ।

ବୈଠକରେ ଅଂଶଗ୍ରହଣ କରିବା ସହିତ ନିଜର ମତ ଏବଂ ଅନୁଭୂତି ଉପସ୍ଥାପନ କରିଥିବା କାରଣରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଉପରାଜ୍ୟପାଳଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ନୀତି ଆୟୋଗ ରାଜ୍ୟମାନଙ୍କର ଚିନ୍ତା, ସମସ୍ୟା ଏବଂ ଶ୍ରେଷ୍ଠ ପଦ୍ଧତିଗୁଡ଼ିକୁ ଅନୁଶୀଳନ କରିବା ପରେ ଭବିଷ୍ୟତର ଯୋଜନା ପ୍ରସ୍ତୁତ କରିବ । ସେ କହିଥିଲେ ଯେ ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗଗୁଡ଼ିକ ଆସନ୍ତା ୨୫ ବର୍ଷ ମଧ୍ୟରେ ଜାତୀୟ ପ୍ରାଥମିକତା ନିର୍ଦ୍ଧାରଣ କରିବାରେ ସହାୟକ ହେବ । ଆଜି ଆମେ ବପନ କରିଥିବା ବୀଜ ୨୦୪୭ରେ ଫଳବତୀ ହେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ନୀତି ଆୟୋଗ ଉପାଧ୍ୟକ୍ଷ, ମୁଖ୍ୟ କାର୍ଯ୍ୟନିର୍ବାହୀ, କ୍ୟାବିନେଟ ସଚିବ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବ, ସଂସ୍କୃତି ବିଭାଗ ସଚିବ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସଚିବ, ଉଚ୍ଚ ଶିକ୍ଷା ସଚିବ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ ସଚିବାଳୟ, ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଏହି ସପ୍ତମ ବୈଠକରେ ଯୋଗ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଖୁ ଚାଷୀଙ୍କୁ ଚିନି କଳ ମାଲିକମାନେ ପ୍ରଦାନ କରୁଥିବା ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ହିତରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୨-୨୩ ଚିନି ଋତୁ (ଅକ୍ଟୋବାର-ସେପ୍ଟେମ୍ବର) ପାଇଁ ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି)କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ୧୦.୨୫%ର ମୂଳ ଅସୁଲୀ ଦର ପାଇଁ ଏହି ମୂଲ୍ୟକୁ କୁଇଣ୍ଟାଲ ପ୍ରତି ୩୦୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି।

୧୦.୨୫%ରୁ ଅଧିକ ଅସୁଲୀରେ ପ୍ରତିଥର ୦.୧% ବୃଦ୍ଧି ପାଇଁ କୁଇଣ୍ଟାଲ ପ୍ରତି ୩.୦୫ ଟଙ୍କା ପ୍ରିମିୟମ ପ୍ରଦାନ କରାଯିବ। ଅସୁଲୀରେ ୦.୧ % ହ୍ରାସ ପାଇଁ କୁଇଣ୍ଟାଲ ପ୍ରତି ଏଫଆରପିରେ ୩.୦୫ ଟଙ୍କା ହ୍ରାସ କରାଯିବ। ତେବେ ଆଖୁ ଚାଷୀଙ୍କ ହିତକୁ ସୁରକ୍ଷା ଦେବାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେଉଁ ଚିନି କଳ କ୍ଷେତ୍ରରେ ଅସୁଲି ହାର ୯.୫%ରୁ କମ ହେବ ସେଠାରେ କୌଣସି ହ୍ରାସ କରାଯିବ ନାହିଁ।

ଏପରି ଚାଷୀମାନଙ୍କୁ, ଆସନ୍ତା ଚିନି ଋତୁ ୨୦୨୨-୨୩ରେ ଆଖୁ ପାଇଁ କୁଇଣ୍ଟାଲ ପ୍ରତି ୨୮୨.୧୨୫ ଟଙ୍କା ମିଳିବ ଯାହାକି ଚଳିତ ଚିନି ଋତୁ ୨୦୨୧-୨୨ରେ କୁଇଣ୍ଟାଲ ପ୍ରତି ୨୭୫.୫୦ ଟଙ୍କା ରହିଛି। ୨୦୨୨-୨୩ ଚିନି ଋତୁ ପାଇଁ ଆଖୁ ଉତ୍ପାଦନର ଏ2+ଏଫଏଲ ଖର୍ଚ୍ଚ (ଅର୍ଥାତ୍‌ ବାସ୍ତବ ପରିଶୋଧ ଖର୍ଚ୍ଚ ଯୁକ୍ତ ପାରିବାରିକ ଶ୍ରମ ଆରୋପିତ ମୂଲ୍ୟ) କୁଇଣ୍ଟାଲ ପ୍ରତି ୧୬୨ ଟଙ୍କା ରହିଛି।

୧୦.୨୫% ଅସୁଲି ଦର ସହିତ କୁଇଟାଲ ପ୍ରତି ୩୦୫ ଟଙ୍କାର ଏଫଆରପି ଉତ୍ପାଦନ ଖର୍ଚ୍ଚ ଠାରୁ ୮୮.୩% ଅଧିକ, ଯାହାକି ଚାଷୀଙ୍କୁ ସେମାନଙ୍କର ଖର୍ଚ୍ଚ ତୁଳନାରେ ୫୦%ରୁ ଅଧିକ ଲାଭ ଦେବାର ନିଷ୍ପତ୍ତିକୁ କାର୍ଯ୍ୟ କରୁଛି। ୨୦୨୨-୨୩ ଚିନି ଋତୁରେ ଏଫରଆରପି ୨୦୨୧-୨୨ ଚିନି ଋତୁର ଏଫଆରପି ତୁଳନାରେ ୨.୬% ରହିଛି ।

କେନ୍ଦ୍ର ସରକାରଙ୍କ ସକ୍ରିୟ ନୀତି କାରଣରୁ, ଆଖୁ ଚାଷୀ ଏବଂ ଚିନି ଉଦ୍ୟୋଗ ଗତ ୮ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛନ୍ତି ଏବଂ ବର୍ତ୍ତମାନ ଆତ୍ମନିର୍ଭରଶୀଳତା ସ୍ତରରେ ପହଞ୍ଚି ପାରିଛନ୍ତି। ଠିକଣା ସମୟରେ ସରକାରୀ ହସ୍ତକ୍ଷେପ ଏବଂ ଚିନି ଉଦ୍ୟୋଗ, ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ସହିତ ଚାଷୀଙ୍କ ସହଯୋଗ କାରଣରୁ ଏପରି ପରିଣାମ ମିଳିପାରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୫ଜି ସ୍ପେକ୍ଟ୍ରମ ନିଲାମୀ ପରିମାଣ ୧,୫୦,୧୭୩ କୋଟି ଟଙ୍କା ଟପିଲା, ଖୁବ ଶିଘ୍ର ଦେଶରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ଦେଶରେ ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ଦୂରସଞ୍ଚାର ଉଦ୍ୟୋଗ ଜଗତର ବିପୁଳ ସମର୍ଥନ ମିଳିଛି। ନିକଟରେ ୫ଜି ସ୍ପେକ୍ଟ୍ରମ ନିଲାମୀରୁ ଏହା ସ୍ପଷ୍ଟ ହୋଇଛି।

ଭାରତ ସରକାର ୭୨,୦୯୮ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମୀ ପାଇଁ ଜାରି କରିଥିଲେ, ଏଥିମଧ୍ୟରୁ ୫୧,୨୩୬ ମେଗାହର୍ଜ (ମୋଟ୍ ସ୍ପେକ୍ଟ୍ରମର ୭୧%) ସ୍ପେକ୍ଟ୍ରମ ୧ ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କାରେ ବିକ୍ରି ହୋଇଛି।

ମେସର୍ସ ଆଦାନୀ ଡାଟା ନେଟୱର୍କସ୍ ଲିମିଟେଡ ୨୬ ଗିଗାହର୍ଜ ଏମଏମ ୱେଭ ବ୍ୟାଣ୍ଡରେ ୪୦୦ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିଛି । ମେସର୍ସ ଭାରତୀ ଏୟାରଟେଲ ଲିମିଟେଡ ୯୦୦, ୧୮୦୦, ୨୧୦୦, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ୧୯,୮୬୭.୮ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିଛି।

ମେସର୍ସ ରିଲାଏନ୍ସ ଜିଓ ଇନଫୋକମ୍ ଲିଃ ୭୦୦, ୮୦୦, ୧୮୦୦, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ମୋଟ୍ ୨୪,୭୪୦ ମେଗାହର୍ଜ ସ୍ପେକ୍ଟ୍ରମ ପାଇଛି। ମେସର୍ସ ଭୋଡାଫୋନ ଆଇଡିଆ ଲିଃ ୧୮୦୦, ୨୧୦୦, ୨୫୦୦, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜରେ ମୋଟ୍ ୬,୨୨୮ ମେଗାହର୍ଜ ସ୍ପେକ୍ଟ୍ରମ କ୍ରୟ କରିଥିବା ସୂଚନା ମିଳିଛି।

ମୋଟ୍ ବିଡ୍ ବା ନିଲାମୀରୁ ୧,୫୦,୧୭୩ କୋଟି ଟଙ୍କା ପ୍ରାପ୍ତ ହୋଇଥିବା ବେଳେ ଏଥିରେ ଆଦାନୀ ଡାଟା ନେଟୱର୍କର ୨୧୨ କୋଟି ଟଙ୍କା, ଭାରତୀ ଏୟାରଟେଲ ଲିଃର ୪୩,୦୪୮ କୋଟି ଟଙ୍କା, ରିଲାଏନ୍ସ ଜିଓ ଇନଫୋକମର ୮୮,୦୭୮ କୋଟି ଟଙ୍କା ଏବଂ ଭୋଡାଫୋନ ଆଇଡିଆ ଲିମିଟେଡ ୧୮,୭୯୯ କୋଟି ଟଙ୍କା ସାମିଲ ରହିଛି।

ବାର୍ଷିକ କିସ୍ତି ହିସାବରେ ସୁଧ ଦର ୭.୨% ରଖାଯାଇଥିବା ବେଳେ ନିଲାମୀରେ ଅଂଶଗ୍ରହଣ କରିଥିବା କେତେକ ଅଂଶଗ୍ରହଣକାରୀ ଅଧିକ ଅପଫ୍ରଣ୍ଟ ପେମେଣ୍ଟ (ପ୍ରକଳ୍ପ ଆରମ୍ଭ ପୂର୍ବରୁ ସେବା ପାଇବା ପାଇଁ ଆଂଶିକ ବା ସମ୍ପୂର୍ଣ୍ଣ ଅର୍ଥ ପରିଶୋଧ) କରିପାରିବେ।

ପ୍ରଥମ ଥର ପାଇଁ ୬୦୦ ମେଗାହର୍ଜ ବ୍ୟାଣ୍ଡ ନିଲାମୀ ପାଇଁ ରଖାଯାଇଥିଲା। କିନ୍ତୁ ଏହି ବ୍ୟାଣ୍ଡ ପାଇଁ କୌଣସି ବିଡ୍ (ନିଲାମ ଡାକ) ପ୍ରାପ୍ତ ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ମୋବାଇଲ ଟେଲିଫୋନୀ ପାଇଁ ୬୦୦ ମେଗାହର୍ଜ ବ୍ୟାଣ୍ଡର ଡିଭାଇସ ଇକୋସିଷ୍ଟମ ବିକଶିତ ହୋଇନାହିଁ । ଆସନ୍ତା କିଛି ବର୍ଷ ମଧ୍ୟରେ, ଏହି ବ୍ୟାଣ୍ଡ ହୁଏତ’ ଗୁରୁତ୍ବପୂର୍ଣ୍ଣ ହୋଇପାରେ।

୭୦୦ ମେଗାହର୍ଜରେ ୫ଏ ଇକୋସିଷ୍ଟମ୍ ଖୁବ୍ ଭଲ ଭାବେ ବିକଶିତ ହୋଇଛି। ଏହାର ଏକ ବଡ଼ ସେଲ ଆକାର ରହିଛି ଏବଂ ଏଥିପାଇଁ କମ୍ ଭିତ୍ତିଭୂମି ଆବଶ୍ୟକ ହୋଇଥାଏ। ଏହି ବ୍ୟାଣ୍ଡ ଅଧିକ ରେଞ୍ଜ ଏବଂ ଭଲ କଭରେଜ୍ ପ୍ରଦାନ କରିଥାଏ। ମେସର୍ସ ରିଲାଏନ୍ସ ଜିଓ ସର୍ବଭାରତୀୟ ସ୍ତରରେ ୧୦ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିଛି।

ସେବାର କ୍ଷମତା ବଢ଼ାଇବା ଏବଂ ୪ଏ କଭରେଜ୍ରେ ସୁଧାର ଆଣିବା ଉଦ୍ଦେଶ୍ୟରେ ଅଂଶଗ୍ରହଣକାରୀମାନେ ମୁଖ୍ୟତଃ ୮୦୦ରୁ ୨୫୦୦ ମେଗାହର୍ଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ ପାଇବା ଲାଗି ଆବେଦନ କରିଥିଲେ।

ହାଇ ଥ୍ରୁ ପୁଟ୍ ପ୍ରଦାନ କରିବା ଲାଗି ମିଡ୍ ବ୍ୟାଣ୍ଡ ବା ୩୩୦୦ ମେଗାହର୍ଜ ବ୍ୟାଣ୍ଡ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନର ସମସ୍ତ ତିନୋଟି ଅପରେଟରମାନେ ଏହି ବ୍ୟାଣ୍ଡରେ ସ୍ପେକ୍ଟ୍ରମ ହାସଲ କରିଥିଲେ। ଅପରେଟରମାନେ ୩୩୦୦ ମେଗାହର୍ଜ ବ୍ୟାଣ୍ଡରେ ବର୍ତ୍ତମାନର ୪ଏ କ୍ଷମତା ବଢ଼ାଇବା ଏବଂ ୫ଏ ସେବା ପ୍ରଦାନ କରିପାରନ୍ତି।

ଏମଏମ ୱେଭ ବ୍ୟାଣ୍ଡ ବା ୨୬ ଗିଗାହର୍ଜ ବ୍ୟାଣ୍ଡର ହାଇ ଥ୍ରୁପୁଟ୍ ରହିଛି କିନ୍ତୁ ଏହାର ପରିଧି ଖୁବ କମ। ଏହି ବ୍ୟାଣ୍ଡକୁ କ୍ୟାପ୍ଟିଭ ବା ଅଣ-ସାର୍ବଜନୀନ ନେଟୱର୍କ ପାଇଁ ବ୍ୟବହାର କରାଯାଇପାରେ। ସାରା ବିଶ୍ବରେ ଏହି ବ୍ୟାଣ୍ଡରେ ଫିକ୍ସଡ୍ ୱେରଲେସ ଆକ୍ସେସ (ଏଫଡବ୍ଲୁଏ) ଲୋକପ୍ରିୟ ହେଉଛି। ଅଧିକ ଘନତ୍ବ/ଭିଡ଼ ଥିବା ଥିବା ସହରାଞ୍ଚଳରେ ଫାଇବର ର ବିକଳ୍ପ ଭାବେ ଏଫଡବ୍ଲୁଏ ବ୍ୟବହାର କରାଯାଇପାରିବ।

ଭାରତ ସରକାରଙ୍କ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମେସର୍ସ ମେଟାଲ ସ୍କାର୍ପ ଟ୍ରେଡିଂ କର୍ପୋରେସନ (ଏମଏସଟିସି) ନିଲାମକାରୀ ଭାବେ କାର‌୍ୟ୍ୟ କରିଥିଲା।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଦୂରସଞ୍ଚାର କ୍ଷେତ୍ରରେ ଏହି ସଂସ୍କାର ଏବଂ ସ୍ପଷ୍ଟ ନୀତି କାର୍ଯ୍ୟକାରୀ କରାଯାଉଛି ଯାହାର ପରିଣାମ ସ୍ବରୂପ ସ୍ପେକ୍ଟ୍ରମ ନିଲାମୀ ସଫଳ ହୋଇଛି। ଦୂରସଞ୍ଚାର କ୍ଷେତ୍ର ଅଭିବୃଦ୍ଧି ପଥରେ ରହିଥିବା ଏଥିରୁ ପ୍ରମାଣିତ ହୋଇଛି।

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସ୍ପେକ୍ଟ୍ରମ ଆବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ଏବଂ ସେପ୍ଟେମ୍ବର/ଅକ୍ଟୋବର ସୁଦ୍ଧା ୫ଏ ସେବା ଦେଶରେ ଉପଲବ୍ଧ ହେବ। ଦୂରସଞ୍ଚାର ଯୋଗାଯୋଗ ପାଇଁ ସ୍ପେକ୍ଟ୍ରମ ଅତି ଗୁରୁତ୍ବପୂର୍ଣ୍ଣ ଉପାଦାନ। ଅଧିକ ସ୍ପେକ୍ଟ୍ରମ ଉପଲବ୍ଧତା ସହିତ, ସେବାର ଗୁଣବତ୍ତାରେ ସୁଧାର ଆସିଥାଏ। ବିଡରମାନଙ୍କ ଅନୁଯାୟୀ ଆବଣ୍ଟିତ ସ୍ପେକ୍ଟ୍ରମର ପରିମାଣ ଏବଂ ପଇଠଯୋଗ୍ୟ ଅର୍ଥର ବିବରଣୀ ନିମ୍ନରେ ଦିଆଗଲା।

Categories
ଜାତୀୟ ଖବର ବିଶେଷ ଖବର

ଏଣିିକି ସାଧାରଣ ଅଭିଯୋଗ କଲେ ଆଉ ୪୫ ଦିନ ନୁହେଁ. ୩୦ ଦିନରେ ହେବ ସମାଧାନ

ନୂଆଦିଲ୍ଲୀ: ସାଧାରଣ ଅଭିଯୋଗ ସମାଧାନର ସମୟସୀମା ୪୫ ଦିନରୁ ୩୦ ଦିନକୁ ହ୍ରାସ କରାଯାଇଛି ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ , ରାଷ୍ଟ୍ରମନ୍ତ୍ରୀ ଭୂବିଜ୍ଞାନ, ପିଏମଓ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି।

ସର୍ବନିମ୍ନ ସମୟ ମଧ୍ୟରେ ଅଭିଯୋଗକାରୀଙ୍କ ସନ୍ତୋଷ ମୁତାବକ ସମାଧାନ ପାଇଁ ସାଧାରଣ ଅଭିଯୋଗ ସମାଧାନ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ଗୁରୁତ୍ୱକୁ ଭିତ୍ତି କରି ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି)ଙ୍କ ଦ୍ୱାରା ଜାରି ଓଏମ ଅନୁଯାୟୀ ନାଗରିକଙ୍କଠାରୁ ମିଳିଥିବା ଅଭିଯୋଗ ସମାଧାନ ନହେବା ଯାଏଁ ବନ୍ଦ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଗତ ବର୍ଷ, ଡିଏଆରପିଜି ସାଧାରଣ ଅଭିଯୋଗ ସମାଧାନର ସମୟସୀମା ସର୍ବାଧିକ ୪୫ ଦିନରୁ ୩୦ ଦିନକୁ ହ୍ରାସ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତରେ ସାଧାରଣ ଅଭିଯୋଗ ସମାଧାନ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନ ସହ ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁଯାୟୀ ପ୍ରଶାସନିକ ସଂସ୍କାର ଆଣି ନାଗରିକ ସନ୍ତୁଷ୍ଟି ବୃଦ୍ଧି ପାଇଁ ଉଦ୍ୟମ ଜାରି ରହିଛି। ବିଭିନ୍ନ ମାସିକ ପ୍ରଗତି (ସକ୍ରିୟ ପ୍ରଶାସନ ଓ ସମୟୋଚିତ କାର‌୍ୟ୍ୟାନ୍ୱୟନ) ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନିଜେ ସାଧାରଣ ଅଭିଯୋଗର ସ୍ଥିତି ସମୀକ୍ଷା କରୁଥିବା ମନ୍ତ୍ରୀ କହିଛନ୍ତି।

ଜନ ସନ୍ତୁଷ୍ଟି ଓ ଅଭିଯୋଗର ସମୟୋଚିତ ସମାଧାନ ଏହି ଦୁଇଟି କାରଣ ପାଇଁ ୨୦୧୪ରେ ଏହି ସରକାର କ୍ଷମତାକୁ ଆସିବା ପରଠାରୁ ସାଧାରଣ ଅଭିଯୋଗ ମାମଲା ୧୦ ଗୁଣ ବୃଦ୍ଧି ହୋଇଛି ଓ ଏହା ସରକାରଙ୍କ ଉପରେ ନାଗରିକଙ୍କ ଆସ୍ଥାକୁ ପ୍ରତିଫଳିତ କରୁଛି। ୨୦୧୪ରେ ସାଧାରଣ ଅଭିଯୋଗ ସଂଖ୍ୟା ୨ ଲକ୍ଷ ଥିଲା ବେଳେ ୯୫ ପ୍ରତିଶତରୁ ଅଧିକ ମାମଲା ସମାଧାନ ସହ ଏବେ ଏହା ୨୨ ଲକ୍ଷରୁ ଅଧିକରେ ପହଞ୍ଚିଛି। ଧାଡିର ଶେଷରେ ଥିବା ବ୍ୟକ୍ତିଙ୍କ ନିକଟରେ ଜନକଲ୍ୟାଣକାରୀ ଯୋଜନାଗୁଡିକର ସୁଫଳ ପହଞ୍ଚାଇବା ମୋଦୀ ସରକାରଙ୍କ ମୂଳ ମନ୍ତ୍ର ବୋଲି ମନ୍ତ୍ରୀ କହିଛନ୍ତି।

ସଦ୍ୟତମ ଆଦେଶ ଅନୁଯାୟୀ ସିପିଜିଆରଏଏମଏସରେ ପ୍ରାପ୍ତ ଅଭିଯୋଗ ସର୍ବାଧିକ ୩୦ଦିନ ସମୟସୀମା ମଧ୍ୟରେ ସମାଧାନ ହେବ ଓ ମାମଲା ବିଚାରାଧୀନ/ନୀତିଗତ ସମସ୍ୟା ଆଦି କାରଣରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଭିଯୋଗ ସମାଧାନ ନହେଲେ ନାଗରିକଙ୍କୁ ଅନ୍ତରୀଣ/ଉପଯୁକ୍ତ ଜବାବ ପ୍ରଦାନ କରାଯିବ। ଅଭିଯୋଗଗୁଡିକରଯଥାଶୀଘ୍ର ସମାଧାନ ପାଇଁ ସରକାର ପ୍ରୟାସ ଜାରି ରଖିଥିବାରୁ ନାଗରିକ କୈନ୍ଦ୍ରିକ ପ୍ରଶାସନକୁ ଆଗେଇ ନେବାରେ ଏହା ସହାୟକ ହେବ।

ସିପିଜିଆରଏଏମଏସ ୭.୦ ଦ୍ୱାରା ଅଭିଯୋଗ ସ୍ୱୟଂଚାଳିତ ଭାବେ ଡିଜିଟାଲ ଡ୍ୟାସବୋର୍ଡ ମାଧ୍ୟମରେ ଅଧିକ ତଥ୍ୟ ସହ ବରିଷ୍ଠ ଅଭିଯୋଗ ସମାଧାନ ଅଧିକାରୀଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବ। ୨୦୨୧ରେ ପ୍ରାୟ ୩୦,୨୩,୮୯୪ ଅଭିଯୋଗ ମିଳିଥିବା ବେଳେ (ସେଥିରୁ ୨୧,୩୫,୯୨୩ ସମାଧାନ ହୋଇଛି) ୨୦୨୦ରେ ୩୩,୪୨,୮୭୩ (୨୩,୧୯,୫୬୯ ସମାଧାନ ହୋଇଛି) ଓ ୨୦୧୯ରେ ୨୭,୧୧,୪୫୫ (୧୬,୩୯,୮୫୨ ସମାଧାନ) ଅଭିଯୋଗ ମିଳିଛି।

ସଦ୍ୟତମ ନିର୍ଦ୍ଦେଶରେ ଡିଏଆରପିଜି ସମସ୍ତ ବିଭାଗରେ ନୋଡାଲ ଅଭିଯୋଗ ସମାଧାନ ଅଧିକାରୀ ନିଯୁକ୍ତ କରି ଲୋକଙ୍କ ଅଭିଯୋଗ ସମାଧାନ ପାଇଁ ସେମାନଙ୍କୁ କ୍ଷମତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସାଧାରଣ ଅଭିଯୋଗ ସଂଖ୍ୟା ଆଧାରରେ ନୋଡାଲ ଅଭିଯୋଗ ସମାଧାନ ଅଧିକାରୀଙ୍କ ସାମଗ୍ରିକ ତତ୍ତ୍ୱାବଧାନରେ ଆବଶ୍ୟକ ସଂଖ୍ୟକ ଜିଆରଓ ନିଯୁକ୍ତ ହୋଇପାରିବେ। ଅଭିଯୋଗ ସମାଧାନ ପରେ ନାଗରିକମାନେ ସେମାନଙ୍କ ମତାମତ ଦେଇପାରିବେ, ଅପିଲ ଦାଖିଲ କରିପାରିବେ, ସମାଧାନର ଗୁଣବତ୍ତା ସମ୍ପର୍କରେ ମତାମତ ଦେଇପାରିବେ, ବର୍ହିମୁଖୀ କଲସେଣ୍ଟର ଆରମ୍ଭ କରାଯାଇପାରିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ନାଗରିକମାନଙ୍କୁ କଲସେଣ୍ଟର ତରଫରୁ ମତାମତ ପାଇଁ ଯୋଗାଯୋଗ କରାଯିବ।

ଅଭିଯୋଗ ସମାଧାନରେ ସନ୍ତୁଷ୍ଟ ନହେଲେ ନାଗରିକମାନଙ୍କୁ ଅପିଲ ଫାଇଲ କରିବାକୁ ସୁଯୋଗ ପ୍ରଦାନ କରାଯିବ ଓ କଲସେଣ୍ଟର ଦ୍ୱାରା ନାଗରିକମାନଙ୍କ ଠାରୁ ସଂଗୃହୀତ ମତାମତ ମନ୍ତ୍ରାଳୟ କିମ୍ବା ମତାମତ ସହ ସମ୍ପର୍କିତ ବିଭାଗକୁ ଜଣାଇ ଦିଆଯିବ ଓ ବ୍ୟବସ୍ଥାଗତ ଉନ୍ନତି କରାଯିବ।

ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା, ଅଭିଯୋଗ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରାଳୟ/ବିଭାଗୀୟ ସଚିବ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଅଭିଯୋଗ ସମାଧାନ ପ୍ରକ୍ରିୟା ସମୀକ୍ଷା କରିବେ ବୋଲି ଡିଏଆରପିଜି ପକ୍ଷରୁ କୁହାଯାଇଛି । ଏହାବ୍ୟତୀତ ମନ୍ତ୍ରାଳୟ/ବିଭାଗଗୁଡିକ ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ହେଉଥିବା ଅଭିଯୋଗଗୁଡିକୁ ନୀରିକ୍ଷଣ କରିବେ।

Categories
ବିଶେଷ ଖବର

ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ର ୯୧ତମ ଅଧ୍ୟାୟ। ଏହି ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ଆଗରୁ ବହୁତ କଥା ହୋଇଛୁ, ଭିନ୍ନ ଭିନ୍ନ ବିଷୟରେ ନିଜର ଭାବ ବିନିମୟ କରିଛୁ, କିନ୍ତୁ ‘ମନ୍ କି ବାତ୍’ର ଏଥରର ଅଧ୍ୟାୟ ହେଉଛି ବହୁତ ସ୍ୱତନ୍ତ୍ର। ଏହାର କାରଣ ହେଉଛି ଏଥରର ସ୍ୱାଧୀନତା ଦିବସ, ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପୂରଣ କରୁଛି। ଆମେ ସମସ୍ତେ ଏକ ଅତି ଚମତ୍କାର ଏବଂ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛୁ। ଈଶ୍ୱର ଆମକୁ ଗୋଟିଏ ବହୁତ ବଡ଼ ସୌଭାଗ୍ୟ ପ୍ରଦାନ କରିଛନ୍ତି। ଆପଣ ମଧ୍ୟ ଚିନ୍ତା କରନ୍ତୁ, ଯଦି ଆମେ ପରାଧୀନତାର ସେହି ଯୁଗରେ ଜନ୍ମ ହୋଇଥାଆନ୍ତେ, ତେବେ, ଏହି ଦିନର କଳ୍ପନା ଆମ ପାଇଁ କିଭଳି ହୋଇଥାଆନ୍ତା? ପରାଧୀନତାରୁ ମୁକ୍ତି ପାଇବାର ସେହି ବ୍ୟାକୁଳତା, ପରାଧୀନତାର ଶୃଙ୍ଖଳରୁ ବାହାରି, ସ୍ୱାଧୀନତା ପ୍ରାପ୍ତିର ସେହି ଅଦମ୍ୟ ଇଚ୍ଛା – କେତେ ବିଶାଳ ହୋଇଥିବ? ସେହି ସମୟ, ଯେତେବେଳେ ପ୍ରତିଦିନ ଆମେ ଲକ୍ଷ ଲକ୍ଷ ଦେଶବାସୀଙ୍କୁ ସ୍ୱାଧୀନତା ପାଇଁ ସଂଗ୍ରାମ କରୁଥିବା, ସଂଘର୍ଷ କରୁଥିବା ଓ ବଳିଦାନ ଦେଉଥିବା ଦେଖୁଥାଆନ୍ତେ। ପ୍ରତ୍ୟେକ ଦିନ ସକାଳୁ ଏହି ସ୍ୱପ୍ନର ସହ ଆମ ନିଦ୍ରା ଭଙ୍ଗ ହେଉଥାଆନ୍ତା ଯେ, କେବେ ସ୍ୱାଧୀନ ହେବ ମୋ ଦେଶ! ହୁଏତ ଆମ ଜୀବନରେ ବି ଏପରି ଗୋଟିଏ ମୁହୂର୍ତ୍ତ ଆସିଥାଆନ୍ତା, ଯେତେବେଳେ ବନ୍ଦେ ମାତରମ୍ ଓ ଭାରତମାତାଙ୍କର ଜୟ ଧ୍ୱନି ସହ ଆମେ ଆମର ଆଗାମୀ ପିଢ଼ିଙ୍କ ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଥାଆନ୍ତୁ, ନିଜ ଯୌବନକୁ ସମର୍ପି ଦେଇଥାଆନ୍ତୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ଜୁଲାଇ ୩୧ ତାରିଖ, ଅର୍ଥାତ୍ ଆଜିର ହିଁ ଦିନରେ ଆମେ ସମସ୍ତ ଦେଶବାସୀ ଶହୀଦ ଉଧମ୍ ସିଂହଙ୍କ ବଳିଦାନକୁ ପ୍ରଣାମ କରିଥାଉଁ। ମୁଁ ଏଭଳି ଅନ୍ୟ ସମସ୍ତ ମହାନ ବିପ୍ଳବୀମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯେଉଁମାନେ ଦେଶ ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିଦେଲେ।

ସେ ଆହୁରି କହିଛନ୍ତି ଯେ, ମୋତେ ଏହା ଦେଖି ବହୁତ ଖୁସି ଲାଗୁଛି ଯେ, ଆଜାଦୀ କା ଅମୃତ ମହୋତ୍ସବ ଗୋଟିଏ ଜନ-ଆନ୍ଦୋଳନର ରୂପ ନେଉଛି। ସବୁ କ୍ଷେତ୍ର ଏବଂ ସମାଜର ସବୁ ଶ୍ରେଣୀର ଲୋକ ଏହା ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଏଭଳି ଗୋଟିଏ କାର୍ଯ୍ୟକ୍ରମ ଏହି ମାସ ଆରମ୍ଭରେ ମେଘାଳୟରେ ଅନୁଷ୍ଠିତ ହୋଇଥିଲା। ମେଘାଳୟର ବୀର ଯୋଦ୍ଧା, ୟୂ. ଟିରୋତ୍ ସିଂହ ଜୀଙ୍କ ପୂଣ୍ୟତିଥିରେ ଲୋକେ ତାଙ୍କୁ ସ୍ମରଣ କରିଥିଲେ। ଟିରୋତ୍ ସିଂ ଜୀ ଖାସି ହିଲ୍ସ ଅଧିକାର କରିବା ଏବଂ ସେଠାକାର ସଂସ୍କୃତି ଉପରେ ପ୍ରହାର କରିବାର ଇଂରେଜମାନଙ୍କର ଷଡ଼ଯନ୍ତ୍ରର ଘୋର ବିରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ କଳାକାର ସୁନ୍ଦର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେମାନେ ଇତିହାସକୁ ଜୀବନ୍ତ କରିଦେଲେ। ଏଥିରେ ଗୋଟିଏ କାର୍ନିଭାଲ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ମେଘାଳୟର ମହାନ ସଂସ୍କୃତିକୁ ସୁନ୍ଦର ଭାବେ ଦର୍ଶାଯାଇଥିଲା। ଆଜିଠୁ କିଛି ସପ୍ତାହ ପୂର୍ବେ, କର୍ଣ୍ଣାଟକରେ ଅମୃତା ଭାରତୀ କନ୍ନଡ଼ାର୍ଥୀ ନାମକ ଏକ ନିଆରା ଅଭିଯାନ ଆରମ୍ଭ କରାଗଲା। ଏଥିରେ ରାଜ୍ୟର ୭୫ଟି ସ୍ଥାନରେ ସ୍ୱାଧୀନତାର ଅମୃତ ମହୋତ୍ସବ ସହ ସମ୍ପର୍କିତ ଭବ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଗଲା। ଏଥିରେ କର୍ଣ୍ଣାଟକର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସ୍ଥାନୀୟ ସାହିତ୍ୟିକ ଉପଲବ୍ଧିଗୁଡ଼ିକୁ ମଧ୍ୟ ଲୋକଲୋଚନକୁ ଆଣିବାର ପ୍ରଚେଷ୍ଟା କରାଗଲା।

ଏହି ଜୁଲାଇ ମାସରେ ହିଁ ଗୋଟିଏ ବହୁତ କୌତୂହଳପ୍ରଦ ପ୍ରୟାସ ହେଲା, ଯାହାର ନାମ ହେଉଛି – ସ୍ୱାଧୀନତାର ରେଳଗାଡ଼ି ଓ ରେଳଷ୍ଟେସନ। ଏହି ପ୍ରଚେଷ୍ଟାର ଲକ୍ଷ୍ୟ ହେଲା, ଲୋକେ ସ୍ୱାଧୀନତା ସଂଗ୍ରାମରେ ଭାରତୀୟ ରେଳର ଭୂମିକା ବିଷୟରେ ଜାଣନ୍ତୁ। ଦେଶରେ ଏଭଳି ଅନେକ ରେଳ ଷ୍ଟେସନ ରହିଛି, ଯେଉଁଗୁଡ଼ିକର ସମ୍ପର୍କ ସ୍ୱାଧୀନତା ସଂଗ୍ରାମର ଇତିହାସ ସହ ରହିଛି। ଆପଣମାନେ ମଧ୍ୟ ଏହି ରେଳ ଷ୍ଟେସନଗୁଡ଼ିକ ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟାନ୍ୱିତ ହେବେ। ଝାଡ଼ଖଣ୍ଡର ଗୋମୋ ଜଙ୍କସନ୍ ଏବେ ସରକାରୀ ଭାବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କସନ୍ ଗୋମୋ ନାମରେ ନାମିତ କରାଯାଇଛି। କାହିଁକି, ଜାଣିଛନ୍ତି ? ପ୍ରକୃତରେ ଏହି ଷ୍ଟେସନରୁ କାଲ୍କା ମେଲରେ ଚଢ଼ି ନେତାଜୀ ସୁଭାଷ, ଇଂରେଜ ଅଧିକାରୀମାନଙ୍କ ଆଖିରେ ଧୂଳି ଦେବାରେ ସଫଳ ହୋଇଥିଲେ। ଆପଣମାନେ ଲକ୍ଷ୍ନୌ ନିକଟବର୍ତ୍ତୀ କାକୋରୀ ରେଳ ଷ୍ଟେସନର ନାଁ ନିଶ୍ଚୟ ଶୁଣିଥିବେ। ଏହି ଷ୍ଟେସନ ସହ ରାମ ପ୍ରସାଦ ବିସ୍ମିଲ୍ ଓ ଅଶ୍ଫାକ୍ ଉଲ୍ଲାହ୍ ଖାନଙ୍କ ଭଳି ବୀରମାନଙ୍କ ନାମ ଜଡ଼ିତ। ଏଠାରେ ଟ୍ରେନରେ ଯାଉଥିବା ଇଂରେଜମାନଙ୍କ ଧନକୁ ଲୁଟି ବୀର ବିପ୍ଳବୀମାନେ ଇଂରେଜମାନଙ୍କୁ ସେମାନଙ୍କ ଶକ୍ତି ସହ ପରିଚିତ କରାଇ ଦେଇଥିଲେ। ଯଦି ଆପଣ କେବେ ତାମିଲନାଡ଼ୁର ଲୋକଙ୍କ ସହ କଥା ହେବେ, ତାହେଲେ ଆପଣଙ୍କୁ ଥୁଥୁକୁଡ଼ି ଜିଲ୍ଲାର ବାଂଚି ମଣିୟାଚ୍ଚି ଜଙ୍କସନ ବିଷୟରେ ଜାଣିବାକୁ ମିଳିବ। ଏହି ଷ୍ଟେସନ ତାମିଲ ସ୍ୱାଧୀନତା ସଂଗ୍ରାମୀ ବାଂଚିନାଥନଙ୍କ ନାମରେ ନାମିତ। ଏହା ସେହି ସ୍ଥାନ ଯେଉଁଠି ୨୫ ବର୍ଷର ଯୁବକ ବାଂଚି, ବ୍ରିଟିଶ କଲେକ୍ଟରଙ୍କୁ ତାଙ୍କ କର୍ମ ପାଇଁ ଦଣ୍ଡିତ କରିଥିଲେ।

ଏହି ତାଲିକା ବହୁତ ଲମ୍ବା। ସାରା ଦେଶର ୨୪ଟି ରାଜ୍ୟରେ ରହିଥିବା ଏହି ରେଳ ଷ୍ଟେସନଗୁଡ଼ିକୁ ଚିହ୍ନଟ କରାଯାଇଛି। ଏହି ୭୫ ଷ୍ଟେସନକୁ ଖୁବ ସୁନ୍ଦର ଭାବେ ସଜ୍ଜିତ କରାଯାଉଛି। ସେଠାରେ ଅନେକ ପ୍ରକାର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି। ଆପଣମାନେ ମଧ୍ୟ ସମୟ ବାହାର କରି ନିକଟସ୍ଥ ଏଭଳି କୌଣସି ରେଳ ଷ୍ଟେସନକୁ ଯିବା ଉଚିତ। ଆପଣ ସ୍ୱାଧୀନତା ଆନ୍ଦୋଳନର ଏଭଳି ଇତିହାସ ବିଷୟରେ ବିସ୍ତୃତ ଭାବେ ଜାଣିପାରିବେ, ଯାହା ଆପଣ ହୁଏତ ଆଗରୁ ଜାଣି ନ ଥିବେ। ମୁଁ ଆଖପାଖର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେ, ସେମାନେ ନିଜ ସ୍କୁଲର ଛୋଟ ଛୋଟ ପିଲାମାନଙ୍କୁ ନେଇ ରେଳ ଷ୍ଟେସନକୁ ଯାଆନ୍ତୁ ଓ ସମ୍ପୂର୍ଣ୍ଣ ଘଟଣା ସହ ସେମାନଙ୍କୁ ଅବଗତ କରାନ୍ତୁ, ବୁଝାନ୍ତୁ।

ମୋଦୀ ପୁଣି କହିଛନ୍ତି ଯେ, ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ୧୩ ରୁ ୧୫ ଅଗଷ୍ଟ ଯାଏଁ ଗୋଟିଏ ସ୍ପେଶାଲ୍ ମୁଭମେଣ୍ଟ (ବିଶେଷ ଆନ୍ଦୋଳନ) – ହର୍ ଘର୍ ତ୍ରିରଙ୍ଗାର ଆୟୋଜନ କରାଯାଉଛି। ଏହି ମୁଭମେଣ୍ଟ (ଆନ୍ଦୋଳନ) ର ଅଂଶ ହୋଇ ୧୩ ରୁ ୧୫ ଅଗଷ୍ଟ ଯାଏଁ ଆପଣ ନିଜ ଘର ଉପରେ ତ୍ରିରଙ୍ଗା ପତାକା ନିଶ୍ଚୟ ଉଡ଼ାନ୍ତୁ, କିମ୍ବା ଏହାକୁ ନିଜ ଘରେ ଲଗାନ୍ତୁ। ତ୍ରିରଙ୍ଗା ଆମକୁ ଯୋଡ଼ିଥାଏ, ଆମକୁ ଦେଶ ପାଇଁ କିଛି କରିବାକୁ ପ୍ରେରଣା ଯୋଗାଏ। ମୋର ଆଉ ଗୋଟିଏ ପ୍ରସ୍ତାବ ହେଲା, ଯେ ଅଗଷ୍ଟ ୨ ରୁ ଅଗଷ୍ଟ ୧୫ ଯାଏଁ ଆମେ ସମସ୍ତେ ନିଜ ସାମାଜିକ ଗଣମାଧ୍ୟମର ପ୍ରୋଫାଇଲ ପିକ୍ଚରରେ ତ୍ରିରଙ୍ଗା ଲଗାଇପାରିବା। ଏ କଥା ଆପଣ ଜାଣନ୍ତି କି, ଯେ ଅଗଷ୍ଟ ୨ ତାରିଖର ଆମ ତ୍ରରଙ୍ଗା ସହ ଗୋଟିଏ ବିଶେଷ ସମ୍ପର୍କ ରହିଛି। ଏହି ଦିନ ପିଙ୍ଗଳୀ ଭେଙ୍କୈୟାଜୀଙ୍କ ଜୟନ୍ତୀ ପାଳନ କରାଯାଇଥାଏ, ଯିଏ ଆମ ଜାତୀୟ ପତାକାକୁ ଡିଜାଇନ୍ କରିଥିଲେ। ମୁଁ ତାଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆମ ଜାତୀୟ ପତାକା ସମ୍ପର୍କରେ କହିଲା ବେଳେ, ମୁଁ ମହାନ ବିପ୍ଳବୀ ମାଡାମ୍ କାମାଙ୍କୁ ମଧ୍ୟ ସ୍ମରଣ କରୁଛି। ତ୍ରିରଙ୍ଗାକୁ ଆକାର ପ୍ରଦାନ କରିବାରେ ତାଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲ ।

ଆଜାଦୀ କା ଅମୃତ ମହୋତ୍ସବ ସମୟରେ ହେଉଥିବା ଏ ସମସ୍ତ ଆୟୋଜନର ସବୁଠାରୁ ବଡ଼ ବାର୍ତ୍ତା ହେଲା – ଆମେ ସମସ୍ତ ଦେଶବାସୀ ନିଜ କର୍ତ୍ତବ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ନିଷ୍ଠା ସହ ପାଳନ କରିବା। ତେବେ ଯାଇଁ ଆମେ ସେହି ଅଗଣିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନକୁ ସାକାର କରିପାରିବା। ତାଙ୍କ ସ୍ୱପ୍ନର ଭାରତ ଗଢ଼ିପାରିବା। ତେଣୁ ଆମ ଆଗାମୀ ୨୫ ବର୍ଷର ଏହି ଅମୃତକାଳ ପ୍ରତ୍ୟେକ ଦେଶବାସୀ ପାଇଁ କର୍ତବ୍ୟକାଳ ସଦୃଶ। ଦେଶକୁ ସ୍ୱାଧୀନ କରିବାରେ ଆମ ବୀର ସଂଗ୍ରାମୀମାନେ ଆମକୁ ଏହି ଦାୟିତ୍ୱ ଦେଇ ଯାଇଛନ୍ତି ଏବଂ ଆମକୁ ଏହା ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ହେବ।

କରୋନା ବିରୋଧରେ ଆମେ ଦେଶବାସୀ ଏବେ ମଧ୍ୟ ଲଢ଼େଇ ଜାରି ରଖିଛୁ। ସମଗ୍ର ବିଶ୍ୱ ଆଜି ମଧ୍ୟ ଏହା ସହ ସଂଘର୍ଷ କରୁଛି। ସାମଗ୍ରିକ ସ୍ୱାସ୍ଥ୍ୟସେବାରେ ଲୋକଙ୍କର ବଢ଼ୁଥିବା ରୁଚି ଏଥିରେ ସମସ୍ତଙ୍କୁ ବହୁତ ସାହାଯ୍ୟ କରିଛି। ଆମେ ସମସ୍ତେ ଜାଣୁ ଯେ ଏଥିରେ ଭାରତୀୟ ପାରମ୍ପରିକ ପଦ୍ଧତି ବହୁତ ଉପଯୋଗୀ। କରୋନା ବିରୋଧୀ ଲଢ଼େଇରେ ଆୟୁଷ ତ ବିଶ୍ୱସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। ସାରା ବିଶ୍ୱରେ ଆୟୁର୍ବେଦ ଓ ଭାରତୀୟ ଔଷଧ ପ୍ରତି ଆକର୍ଷଣ ବଢ଼ୁଛି। ଏହାର ଏକ ବଡ଼ କାରଣ ହେଉଛି ଆୟୁଷ ରପ୍ତାନିରେ ରେକର୍ଡ ପରିମାଣର ବୃଦ୍ଧି ଘଟିଛି ଏବଂ ଏହା ମଧ୍ୟ ବହୁତ ସୁଖଦ ଯେ ଏ କ୍ଷେତ୍ରରେ ଅନେକ ନୂଆ ଷ୍ଟାର୍ଟ ଅପ୍ସ ମଧ୍ୟ ଖୋଲୁଛି। ନିକଟରେ ଏକ ବିଶ୍ୱସ୍ତରୀୟ ଆୟୁଷ ନିବେଶ ଏବଂ ସୃଜନ ସମ୍ମିଳନୀ ଆୟୋଜିତ ହୋଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ପ୍ରାୟ ଦଶ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଆଉ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା କରୋନା କାଳରେ ଔଷଧୀୟ ଗଛ ଉପରେ ଗବେଷଣାରେ ମଧ୍ୟ ବହୁତ ବୃଦ୍ଧି ହୋଇଛି। ଏ ସମ୍ପର୍କରେ ବହୁତ ଗବେଷଣାତ୍ମକ ଅନୁଧ୍ୟାନ ପ୍ରକାଶିତ ହେଉଛି। ଏହା ନିଶ୍ଚିତ ଭାବେ ଏକ ଭଲ ଆରମ୍ଭ।

ଦେଶରେ ବିଭିନ୍ନ ପ୍ରକାର ଔଷଧୀୟ ଗଛ ଓ ଜଡ଼ିବୁଟିକୁ ନେଇ ଆଉ ଏକ ସୁନ୍ଦର ପ୍ରୟାସ ହୋଇଛି। ଏବେ ଏବେ ଜୁଲାଇ ମାସରେ ଇଣ୍ଡିଆନ ଭର୍ଚୁଆଲ୍ ହର୍ବାରିଅମ୍ ଉନ୍ମୋଚିତ ହେଇଛି। ଏହା ଏ କଥାର ମଧ୍ୟ ଦୃଷ୍ଟାନ୍ତ ଯେ ଆମେ କିପରି ନିଜର ମୂଳ ସହିତ ଯୋଡ଼ିହେବା ପାଇଁ ଡିଜିଟାଲ୍ ୱାର୍ଲଡର ବ୍ୟବହାର କରିପାରିବା। ଇଣ୍ଡିଆନ ଭର୍ଚୁଆଲ୍ ହରବାରିଅମ୍ ହେଉଛି ସଂରକ୍ଷିତ ଗଛ ବା ଗଛର ଅଂଶକୁ ନେଇ ଡିଜିଟାଲ୍ ଚିତ୍ରର ଏକ ସୁନ୍ଦର ସଂଗ୍ରହ, ଯାହା ୱେବରେ ମାଗଣାରେ ଉପଲବ୍ଧ। ଏହି ଭର୍ଚୁଆଲ୍ ହର୍ବାରିଅମରେ ବର୍ତ୍ତମାନ ଲକ୍ଷାଧିକ ନମୁନା ଏବଂ ସେଥିସହ ସଂପୃକ୍ତ ବୈଜ୍ଞାନିକ ସୂଚନା ଉପଲବ୍ଧ। ଭର୍ଚୁଆଲ୍ ହର୍ବାରିଅମରେ ଭାରତର ଉଦ୍ଭିଦ ବିବିଧତାର ସମୃଦ୍ଧ ଚିତ୍ର ମଧ୍ୟ ଦେଖିବାକୁ ମିଳେ। ମୋର ବିଶ୍ୱାସ ଯେ ଇଣ୍ଡିଆନ ଭର୍ଚୁଆଲ ହର୍ବାରିଅମ୍ ଭାରତୀୟ ଉଦ୍ଭିଦଗୁଡ଼ିକ ଉପରେ ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିବ।

“ମନ୍ କୀ ବାତ୍’ରେ ଆମେ ସବୁଥର ଦେଶବାସୀଙ୍କର ଏଭଳି ସଫଳତାଗୁଡ଼ିକ ବିଷୟରେ ଚର୍ଚ୍ଚା କରୁ ଯାହା ଆମ ମୁହଁରେ ମିଠା ହସ ଫୁଟାଇଦିଏ। ଯଦି କୌଣସି ସଫଳତାର କାହାଣୀ ମିଠା ହସ ଫୁଟାଇପାରେ, ଏବଂ ମିଠା ସ୍ୱାଦ ଭରିପାରେ, ତେବେ ଆପଣ ଏହାକୁ “ସୋନେ ପର୍ ସୁହାଗା’ ବୋଲି ନିଶ୍ଚୟ କହିବେ। ଆମର କୃଷକ ଆଜିକାଲି ମହୁ ଉତ୍ପାଦନରେ ଏପରି ହିଁ ଚମତ୍କାରିତା ଦେଖାଉଛନ୍ତି। ମହୁର ମିଠା ଆମର ଚାଷୀମାନଙ୍କର ଜୀବନକୁ ମଧ୍ୟ ବଦଳାଇଦେଉଛି, ସେମାନଙ୍କର ଆୟ ମଧ୍ୟ ବଢ଼ୁଛି। ହରିୟାଣାର ଯମୁନାନଗରରେ, ଜଣେ ମହୁମାଛି ପାଳକ ବନ୍ଧୁ ରହନ୍ତି- ସୁଭାଷ କମ୍ବୋଜ ଜୀ। ସୁଭାଷ ଜୀ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନର ପ୍ରଶିକ୍ଷଣ ନେଲେ। ଏହାପରେ ସେ କେବଳ ଛଅଟି ବାକ୍ସରୁ ନିଜର କାମ ଆରମ୍ଭ କରିଥିଲେ। ଆଜି ସେ ପ୍ରାୟ ଦୁଇ ହଜାର ବାକ୍ସରେ ମହୁମାଛି ପାଳନ କରୁଛନ୍ତି। ତାଙ୍କର ମହୁ ଅନେକ ରାଜ୍ୟକୁ ଯୋଗାଣ ହୋଇଥାଏ। ଜାମ୍ମୁର ପଲ୍ଲୀ ଗାଁରେ ବିନୋଦ କୁମାର ଜୀ ମଧ୍ୟ ଦେଢ଼ ହଜାରରୁ ଅଧିକ କଲୋନିରେ ମହୁମାଛି ପାଳନ କରୁଛନ୍ତି । ସେ ଗତବର୍ଷ ରାଣୀ ମହୁମାଛି ପାଳନର ପ୍ରଶିକ୍ଷଣ ନେଇଛନ୍ତି। ଏହି କାମରେ ସେ ପ୍ରତିବର୍ଷ ୧୫ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କର୍ଣ୍ଣାଟକରେ ଆଉ ଜଣେ ଚାଷୀ ଅଛନ୍ତି- ମଧୁକେଶ୍ୱର ହେଗଡେ ଜୀ। ମଧୁକେଶ୍ୱର ଜୀ କହନ୍ତି ଯେ ସେ ଭାରତ ସରକାରଙ୍କଠାରୁ ୫୦ ମହୁମାଛି କଲୋନି ପାଇଁ ରିଆତି ଟଙ୍କା ନେଇଥିଲେ। ଆଜି ତାଙ୍କ ପାଖରେ ୮୦୦ରୁ ଅଧିକ କଲୋନୀ ଅଛି ଏବଂ ସେ ଅନେକ ଟନ୍ ମହୁ ବିକ୍ରି କରନ୍ତି। ସେ ନିଜ କାମରେ ନୂତନତା ଆଣିଛନ୍ତି ଏବଂ ସେ ଜାମୁକୋଳି ପ୍ରସ୍ତୁତ ମହୁ, ତୁଳସୀ ମହୁ, ଅଁଳା ମହୁ ଭଳି ଉଦ୍ଭିଦଯୁକ୍ତ ମହୁ ଉତ୍ପାଦନ କରୁଛନ୍ତି। ମଧୁକେଶ୍ୱର ଜୀ ମହୁ ଉତ୍ପାଦନରେ ଆପଣଙ୍କ ସୃଜନଶୀଳତା ଏବଂ ସଫଳତା, ଆପଣଙ୍କ ନାମକୁ ମଧ୍ୟ ସାର୍ଥକ କରୁଛି।

ଆପଣ ସମସ୍ତେ ଜାଣନ୍ତି ଯେ ଆମର ପାରମ୍ପରିକ ସ୍ୱାସ୍ଥ୍ୟ ବିଜ୍ଞାନରେ ମହୁକୁ କେତେ ଗୁରୁତ୍ୱ ଦିଆଯାଇଛି। ଆୟୁର୍ବେଦ ଗ୍ରନ୍ଥରେ ତ ମହୁକୁ ଅମୃତ ବୋଲି କୁହାଯାଇଛି। ମହୁ, କେବଳ ଆମକୁ ସୁସ୍ୱାଦ ଦିଏ ନାହିଁ, ବରଂ ଆରୋଗ୍ୟ ମଧ୍ୟ କରିଥାଏ। ମହୁ ଉତ୍ପାଦନରେ ଆଜି ଏତେ ଅଧିକ ସମ୍ଭାବନା ରହିଛି ଯେ ପେସାଦାର ଶିକ୍ଷା ଗ୍ରହଣକାରୀ ଯୁବଗୋଷ୍ଠୀ ମଧ୍ୟ ଏହାକୁ ସ୍ୱରୋଜଗାର ପନ୍ଥା କରୁଛନ୍ତି। ଏପରି ଜଣେ ଯୁବକ ହେଲେ ୟୁପିର ଗୋରଖପୁର ନିମିତ ସିଂହ। ନିମିତ ଜୀ ବି.ଟେକ୍ କରିଛନ୍ତି। ତାଙ୍କ ପିତା ମଧ୍ୟ ଜଣେ ଡାକ୍ତର, କିନ୍ତୁ ପାଠପଢ଼ା ପରେ ଚାକିରି ପରିବର୍ତ୍ତେ ନିମିତ୍ ଜୀ ସ୍ୱରୋଜଗାରର ନିଷ୍ପତି ନେଲେ। ସେ ମହୁ ଉତ୍ପାଦନ କାମ ଆରମ୍ଭ କଲେ। ମାନ ପରୀକ୍ଷା ପାଇଁ ଲକ୍ଷ୍ନୌରେ ନିଜର ଏକ ପରୀକ୍ଷାଗାର ମଧ୍ୟ ପ୍ରତିଷ୍ଠା କଲେ। ନିମିତ ଜୀ ଏବେ ମହୁ ଓ ମହୁମାଛି ମହମରୁ ବହୁତ ଭଲ ରୋଜଗାର କରୁଛନ୍ତି ଏବଂ ବିଭିନ୍ନ ରାଜ୍ୟକୁ ଯାଇ ଚାଷୀମାନଙ୍କୁ ତାଲିମ ମଧ୍ୟ ଦେଉଛନ୍ତି। ଏପରି ଯୁବକମାନଙ୍କ ପରିଶ୍ରମ ଦ୍ୱାରା ହିଁ ଆଜି ଦେଶ ଏତେ ବଡ଼ ମହୁ ଉତ୍ପାଦକ ହୋଇପାରୁଛି। ଆପଣଙ୍କୁ ଜାଣି ଖୁସି ଲାଗିବ ଯେ ଦେଶରେ ମହୁର ରପ୍ତାନି ମଧ୍ୟ ବଢ଼ିଯାଇଛି। ଦେଶ ନେସନାଲ୍ ବୀ କିପିଂ ଆଣ୍ଡ୍ ହନି ମିସନ ଭଳି ଅଭିଯାନ ଚଳାଇଲା, ଚାଷୀମାନେ ବହୁତ ପରିଶ୍ରମ କଲେ ଏବଂ ଆମ ମହୁର ମିଠା ସାରା ଦୁନିଆରେ ପହଂଚିବାରେ ଲାଗିଲା। ବର୍ତ୍ତମାନ ଏ କ୍ଷେତ୍ରରେ ଆହୁରି ବଡ଼ ସମ୍ଭାବନା ରହିଛି। ମୁଁ ଚାହିଁବି ଯେ ଆମର ଯୁବଗୋଷ୍ଠୀ ଏହି ସୁଯୋଗ ସହିତ ଯୋଡ଼ିହୋଇ ତା’ର ଲାଭ ଉଠାନ୍ତୁ ଏବଂ ନୂଆ ସମ୍ଭାବନାକୁ ସାକାର କରନ୍ତୁ।

ମୋତେ ହିମାଚଳ ପ୍ରଦେଶରୁ “ମନ୍ କୀ ବାତ୍’ର ଜଣେ ଶ୍ରୋତା ଶ୍ରୀମାନ ଆଶିଷ ବହଲ୍ ଜୀଙ୍କର ଏକ ଚିଠି ମିଳିଛି। ସେ ନିଜ ଚିଠିରେ ଚମ୍ବା ର “ମିଞ୍ଜର୍ ମେଳା’ କଥା ଲେଖିଛନ୍ତି। ପ୍ରକୃତରେ ମକାର ଫୁଲକୁ ମିଞ୍ଜର୍ କୁହାଯାଏ। ଯେତେବେଳେ ମକାରେ ଫୁଲ ଆସେ, ସେତେବେଳେ ମିଞ୍ଜର୍ ମେଳା ପାଳନ କରାଯାଏ ଏବଂ ଏହି ମିଞ୍ଜର ମେଳାରେ ଭାଗ ନେବାକୁ ଦେଶର କୋଣଅନୁକୋଣରୁ ପର୍ଯ୍ୟଟକ ଆସିଥାନ୍ତି। ସଂଯୋଗବଶତଃ ଏହି ମେଳା ଏବେ ଚାଲିଛି। ଆପଣ ଯଦି ହିମାଚଳ ବୁଲିବାକୁ ଯାଇଛନ୍ତି ତେବେ ଏହି ମେଳା ଦେଖିବାକୁ ଚମ୍ବା ଯାଇପାରିବେ। ଚମ୍ବା ଏତେ ସୁନ୍ଦର ଯେ ଏଠାକାର ଲୋକଗୀତରେ ବାରମ୍ବାର କୁହାଯାଏ – “”ଚମ୍ବା ଇକ୍ ଦିନ ଓଣା କନେ ମହିନା ରୈଣା”। ଅର୍ଥାତ ଯେଉଁ ଲୋକେ ଦିନକ ପାଇଁ ଚମ୍ବା ଆସନ୍ତି, ସେମାନେ ଏହାର ସୌନ୍ଦର୍ଯ୍ୟ ଦେଖି ମାସସାରା ଏଇଠି ରହିଯାଆନ୍ତି।
ବନ୍ଧୁଗଣ, ଆମ ଦେଶରେ ମେଳା ସବୁର ମଧ୍ୟ ବଡ଼ ସାଂସ୍କୃତିକ ଗୁରୁତ୍ୱ ରହିଛି। ମେଳା ଜନ-ମନ ଦୁଇଟିକୁ ଯୋଡ଼ିଥାଏ। ହିମାଚଳରେ ବର୍ଷା ପରେ ଯେତେବେଳେ ଖରିଫ ଫସଲ ପାଚେ, ସେତେବେଳେ ସେପ୍ଟେମ୍ବରରେ ଶିମଳା, ମଣ୍ଡି, କୁଲ୍ଲୁ ଓ ସୋଲନରେ ସୈରି ବା ସୈର ମଧ୍ୟ ପାଳନ କରାଯାଏ। ସେପ୍ଟେମ୍ବରରେ ଜାଗରା ମଧ୍ୟ ଆସିବାର ଅଛି। ଜାଗରା ମେଳାରେ ମହାସୁ ଦେବତାଙ୍କୁ ଆହ୍ୱାନ କରି ବିସୁ ଗୀତ ଗାନ କରାଯାଏ। ମହାସୁ ଦେବତାଙ୍କର ଏହି ଜାଗର ହିମାଚଳର ଶିମଳା, କିନ୍ନୌର ଏବଂ ସିରମୌର ସମେତ ଉତ୍ତରାଖଣ୍ଡରେ ମଧ୍ୟ ଅନୁଷ୍ଠିତ ହୁଏ।

ଆମ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଆଦିବାସୀ ସମାଜରେ ମଧ୍ୟ ଅନେକ ପାରମ୍ପରିକ ମେଳା ଆୟୋଜିତ ହୋଇଥାଏ। ଏଥିମଧ୍ୟରୁ କେତେକ ମେଳା ଆଦିବାସୀ ସଂସ୍କୃତି ସହିତ ସଂପୃକ୍ତ ତ ଆଉ କିଛିର ଆୟୋଜନ ଆଦିବାସୀ ଇତିହାସ ଓ ଐତିହ୍ୟ ସହିତ ସଂପୃକ୍ତ, ଯେପରିକି ଆପଣଙ୍କୁ ଯଦି ସୁଯୋଗ ମିଳେ ତ ତେଲଙ୍ଗାନାର ମେଡାରମର ଚାରିଦିନିଆ ସମକ୍କା-ସରଲମ୍ମା ଯାତ୍ରାମେଳା ନିଶ୍ଚୟ ଦେଖିବାକୁ ଯାଆନ୍ତୁ। ଏହି ମେଳାକୁ ତେଲଙ୍ଗାନାର ମହାକୁମ୍ଭ କୁହାଯାଏ। ସରଲମ୍ମା ଯାତ୍ରାମେଳା ଦୁଇ ଆଦିବାସୀ ମହିଳା ନାୟିକା ସମକ୍କା ଓ ସରଲମ୍ମାଙ୍କ ସମ୍ମାନରେ ଅନୁଷ୍ଠିତ ହୁଏ। ଏହା କେବଳ ତେଲଙ୍ଗାନା ନୁହେଁ, ବରଂ ଛତିଶଗଡ଼, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର କୋୟା ଆଦିବାସୀ ସମ୍ପ୍ରଦାୟ ପାଇଁ ଆସ୍ଥାର ବଡ଼ କେନ୍ଦ୍ର। ଆନ୍ଧ୍ରପ୍ରଦେଶରେ ମାରିଦମ୍ମା ମେଳା ମଧ୍ୟ ଆଦିବାସୀ ସମାଜର ପ୍ରଥା ସହିତ ସଂପୃକ୍ତ ଏକ ବଡ଼ ମେଳା। ମାରିଦମ୍ମା ମେଳା ଜ୍ୟେଷ୍ଠ ଅମାବାସ୍ୟାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ଚାଲେ ଏବଂ ଏଠାକାର ଆଦିବାସୀ ସମାଜ ଏହାକୁ ଶକ୍ତି ଉପାସନା ସହିତ ଯୋଡ଼ିଥାନ୍ତି। ଏଠାକାର ପୂର୍ବ ଗୋଦାବରୀର ପେଦ୍ଧାପୁରମରେ ମରିଦମ୍ମା ମନ୍ଦିର ମଧ୍ୟ ରହିଛି। ସେହିଭଳି ରାଜସ୍ଥାନରେ ଗରାସିୟା ଜନଜାତିର ଲୋକେ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ “ସିୟାୱା କା ମେଲା’ ବା “ମନଖାଁ ରୋ ମେଲା’ର ଆୟୋଜନ କରନ୍ତି।

ଛତିଶଗଡ଼ ବସ୍ତର ଅଂଚଳର ନାରାୟଣପୁରରେ ହେଉଥିବା ମାୱଲି ମେଳା ମଧ୍ୟ ବହୁତ ପ୍ରସିଦ୍ଧ। ସେଇ ପାଖାପାଖି ମଧ୍ୟପ୍ରଦେଶର ଭଗୋରିୟା ମେଳା ମଧ୍ୟ ଖୁବ୍ ଜଣାଶୁଣା। କୁହାଯାଏ ଯେ ଏହି ଭଗୋରିୟା ମେଳା ରାଜା ଭୋଜଙ୍କ ସମୟରେ ଆରମ୍ଭ ହୋଇଥିଲା।

ସେତେବେଳକାର ଭୀଲ୍ ରାଜା କାସୁମରା ଓ ବାଲୁନ୍ ପ୍ରଥମ ଥର ପାଇଁ ନିଜ ନିଜ ରାଜ୍ୟର ରାଜଧାନୀରେ ଏହି ମେଳାର ଆୟୋଜନ କରିଥିଲେ। ସେତେବେଳଠାରୁ ଆଜିଯାଏ ଏହି ମେଳାଗୁଡ଼ିକ ଖୁବ୍ ଉତ୍ସାହର ସହିତ ପାଳିତ ହୋଇଆସୁଛି। ସେଇଭଳି ଗୁଜରାଟର ତରଣେତର୍ ଏବଂ ମାଧୋପୁର ଆଦି ସ୍ଥାନରେ ହେଉଥିବା ମେଳାଗୁଡ଼ିକ ମଧ୍ୟ ଖୁବ୍ ପ୍ରସିଦ୍ଧ। ଏହି ମେଳାଗୁଡ଼ିକ ଆମମାନଙ୍କର ସାମାଜିକ ଜୀବନ ପାଇଁ ଶକ୍ତିର ବହୁତ ବଡ଼ ଉତ୍ସ। ଆପଣଙ୍କ ଆଖପାଖରେ ମଧ୍ୟ ଏହିଭଳି ଅନେକ ମେଳା ଆୟୋଜିତ ହେଉଥିବ। ଆଜିର ସମୟରେ ସମାଜର ଏହି ପ୍ରାଚୀନ ପରମ୍ପରାଗୁଡ଼ିକ “ଏକ୍ ଭାରତ ଶ୍ରେଷ୍ଠ ଭାରତ” ଭଳି ଭାବନାକୁ ମଜଭୁତ କରିବାରେ ଉଲ୍ଲେଖନୀୟ ଭୂମିକା ନେଇପାରିବେ। ଆମର ଯୁବବର୍ଗ ଏହି ମେଳାଗୁଡ଼ିକ ପ୍ରତି ଆକର୍ଷିତ ହେବା ଉଚିତ ଏବଂ ଆପଣମାନେ ଯେବେବି ଏହିଭଳି ମେଳାଗୁଡ଼ିକୁ ଯାଉଛନ୍ତି ତା’ର ଫଟୋଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ସେୟାର କରନ୍ତୁ। ଯଦି ଆପଣ ଚାହାଁନ୍ତି ତେବେ ଗୋଟିଏ ନିର୍ଦ୍ଦିଷ୍ଟ ହ୍ୟାସ୍ଟ୍ୟାଗ୍ ମଧ୍ୟ ବ୍ୟବହାର କରିପାରନ୍ତି । ୟାଦ୍ୱାରା ଅନ୍ୟ ଲୋକମାନେ ମଧ୍ୟ ସେହି ମେଳାଗୁଡ଼ିକ ବିଷୟରେ ଜାଣିପାରିବେ। ଏହି ଫଟୋଗୁଡ଼ିକୁ ଆପଣ ସଂସ୍କୃତି ବିଭାଗର ୱେବସାଇଟରେ ମଧ୍ୟ ଅପଲୋଡ଼ କରିପାରିବେ। ଆମ ସଂସ୍କୃତି ମନ୍ତ୍ରଣାଳୟ ଆଗାମୀ କିଛିଦିନ ଭିତରେ ଗୋଟିଏ ପ୍ରତିଯୋଗିତା ମଧ୍ୟ ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ମେଳାଗୁଡ଼ିକର ସବୁଠାରୁ ଭଲ ଫଟୋ ପଠେଇଥିବା ବ୍ୟକ୍ତିକୁ ପୁରସ୍କାର ମଧ୍ୟ ଦିଆଯିବ। ଅତଏବ ଆଉ ଡେରି କରନ୍ତୁନି। ମେଳାରେ ବୁଲନ୍ତୁ ତା’ର ଫଟୋ ସେୟାର କରନ୍ତୁ, ହୁଏତ ଆପଣଙ୍କୁ ବି ପୁରସ୍କାର ମିଳିଯାଇପାରେ।

ଆପଣମାନଙ୍କର ମନେଥିବ ‘ମନ୍ କୀ ବାତ୍’ର ଗୋଟିଏ ଅଧ୍ୟାୟରେ ମୁଁ କହିଥିଲି ଯେ ଖେଳନା ରପ୍ତାନୀ କ୍ଷେତ୍ରରେ ଭାରତ ଅଗ୍ରଣୀ ହେବାର ଯୋଗ୍ୟତା ବହନ କରେ। ସେଥିରେ ମୁଁ ବିଶେଷକରି ଖେଳକୁଦ ବିଭାଗରେ ଭାରତର ସମୃଦ୍ଧ ଐତିହ୍ୟ ବିଷୟରେ ଚର୍ଚ୍ଚା କରିଥିଲି। ଭାରତର ସ୍ଥାନୀୟ ଖେଳନାଗୁଡ଼ିକ ପରମ୍ପରା ଓ ପ୍ରକୃତିର ଅନୁରୂପ ହୋଇଥାନ୍ତି, ତା’ଛଡ଼ା Eco-friendly ମଧ୍ୟ ହୋଇଥାନ୍ତି। ମୁଁ ଆଜି ଆପଣଙ୍କ ସହିତ ଭାରତୀୟ ଖେଳନାର ସଫଳତା ସମ୍ବନ୍ଧରେ ଆଲୋଚନା କରିବାକୁ ଚାହେଁ। ଆମର ଯୁବବର୍ଗମାନେ ଷ୍ଟାର୍ଟଅପ ଏବଂ ଉଦ୍ୟମିତା ଦ୍ୱାରା ଖେଳନା ଶିଳ୍ପ କ୍ଷେତ୍ରରେ ଯେଉଁଭଳି ସଫଳତା ହାସଲ କରିଛନ୍ତି କେହି ତା’ର କଳ୍ପନା ମଧ୍ୟ କରିନଥିବେ। ଆଜି ଯେତେବେଳେ ଭାରତୀୟ ଖେଳନାଗୁଡ଼ିକର ଚର୍ଚ୍ଚା ହେଉଛି ସେତେବେଳେ ଚାରିଆଡ଼େ ଭୋକାଲ ଫର ଲୋକାଲ ର ଧ୍ୱନି ଗୁଞ୍ଜରିତ ହେଉଛି। ଆପଣମାନେ ଜାଣି ଖୁସିହେବେ ଯେ ଭାରତରେ ଏବେ ବିଦେଶରୁ ଆମଦାନୀ କରାଯାଉଥିବା ଖେଳନାଗୁଡ଼ିକର ସଂଖ୍ୟା କ୍ରମଶଃ କମ୍ ହେବାରେ ଲାଗିଲାଣି। ଆଗରୁ ପ୍ରାୟ ତିନିହଜାର କୋଟି ଟଙ୍କାର ଖେଳନା ବାହାରୁ ଆମଦାନୀ କରାଯାଉଥିବାବେଳେ ଏବେ ଏହି ଆମଦାନୀ ସତୁରୀ ପ୍ରତିଶତ କମ୍ ହୋଇଗଲାଣି। ଆଉ ଖୁସିର କଥା ହେଲା ଇତିମଧ୍ୟରେ ଭାରତରୁ ଦୁଇହଜାର ଛଅଶହ କୋଟିରୁ ଅଧିକ ଟଙ୍କାର ଖେଳନା ବିଦେଶକୁ ରପ୍ତାନୀ କରାଯାଇଛି। ପ୍ରଥମେ ମାତ୍ର ତିନିଶହ-ଚାରିଶହ କୋଟି ଟଙ୍କାର ଖେଳନା ବିଦେଶକୁ ରପ୍ତାନୀ କରାଯାଇପାରୁଥିଲା। ଆଉ ଆପଣମାନେ ଜାଣନ୍ତି ଯେ ଏସବୁ କରୋନା କାଳରେ ହିଁ ହୋଇପାରିଲା। ଭାରତର ଖେଳନା ଉଦ୍ୟୋଗ ନିଜକୁ ପରିବର୍ତ୍ତିତ କରି ଦେଖେଇଦେଲା। ଭାରତୀୟ ଉଦ୍ୟୋଗୀମାନେ ଏବେ ଭାରତୀୟ ପୁରାଣ, ଇତିହାସ ଏବଂ ସଂସ୍କୃତି ଉପରେ ଆଧାରିତ ଖେଳନା ତିଆରି କରୁଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଖେଳନାର ଯେଉଁ କ୍ଲଷ୍ଟର ରହିଛି ତାଦ୍ୱାରା ଛୋଟ ଛୋଟ ଖେଳନା ତିଆରି କରୁଥିବା ଉଦ୍ୟୋଗୀମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି। ଏଇ ଛୋଟ ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖେଳନା ଏବେ ଦେଶବିଦେଶକୁ ରପ୍ତାନୀ ହେଉଛି। ଭାରତର ଖେଳନା ନିର୍ମାତାମାନେ ବିଶ୍ୱର ପ୍ରମୁଖ Global Toy Brandsଗୁଡ଼ିକ ସାଥୀରେ ହାତ ମିଳାଇ କାମ କରୁଛନ୍ତି। ମୁଁ ବହୁତ ଖୁସି ଯେ ଆମର ଷ୍ଟାର୍ଟଅପ ସେକ୍ଟର ମଧ୍ୟ ଖେଳନା ବଜାର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଏ କ୍ଷେତ୍ରରେ ସେମାନେ ଅନେକ ମଜାଦାର ଜିନିଷ ମଧ୍ୟ କରୁଛନ୍ତି। ବାଙ୍ଗାଲୋରର Shumme Toys (ସୁମି ଟୟଜ୍) ନାମକ ଷ୍ଟାର୍ଟଅପ, Eco friendly ଖେଳନା ତିଆରି କରିବା ଉପରେ ବିଶେଷ ଧ୍ୟାନ ଦେଉଛି । ସେହିଭଳି ଗୁଜରାଟର ଆର୍କିଡଜୁ କମ୍ପାନୀ AR based flash cards ଏବଂ AR based Story books ତିଆରି କରୁଛି। ପୁନାର ଫନଭେନସନ ନାମକ କମ୍ପାନୀ Learning ଖେଳନା ଏବଂ Activity Puzzles ମାଧ୍ୟମରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଗଣିତ କ୍ଷେତ୍ରରେ ପିଲାମାନଙ୍କର ଆଗ୍ରହ ବଢ଼ାଇବାର ଚେଷ୍ଟା କରୁଛି। ଖେଳନାର ଦୁନିଆରେ ଏଭଳି ଉଚ୍ଚକୋଟୀର କାମ କରୁଥିବା ସେଇ ଉଦ୍ୟୋଗୀ ତଥା ଷ୍ଟାର୍ଟଅପ ମାନଙ୍କୁ ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି। ଆସନ୍ତୁ ଆମେ ସମସ୍ତେ ମିଳିମିଶି ଭାରତୀୟ ଖେଳନାଗୁଡ଼ିକୁ ବିଶ୍ୱ ଦରବାରରେ ଆହୁରି ଅଧିକ ଲୋକପ୍ରିୟ କରିବା। ତାଛଡ଼ା ଅଭିଭାବକମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ଅଧିକରୁ ଅଧିକ ଭାରତୀୟ ଖେଳନା, Puzzles ଏବଂ ଗେମ ଆଦି କିଣନ୍ତୁ।

କ୍ଲାସରୁମ୍ଠାରୁ ଆରମ୍ଭ କରି ଖେଳପଡ଼ିଆ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମର ଯୁବବର୍ଗ ଦେଶକୁ ଗୌରବାନ୍ୱିତ କରୁଛନ୍ତି। ଏଇ ମାସରେ ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ଖେଳି ନିଜର ପ୍ରଥମ ଟ୍ରଫି ଜିତିଛନ୍ତି। ନୀରଜ ଚୋପ୍ରା ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଶ୍ୱ ଆଥଲେଟିକ୍ ଚାମ୍ପିଅନସିପରେ ଦେଶ ପାଇଁ ରୌପ୍ୟପଦକ ଜିତିଛନ୍ତି। ଆୟାରଲାଣ୍ଡ ପାରା ବ୍ୟାଡମିଣ୍ଟନ ଖେଳରେ ୧୧ଟି ପଦକ ହାସଲ କରି ଆମର ଖେଳାଳିମାନେ ଦେଶର ଗୌରବ ବଢ଼ାଇଛନ୍ତି। ରୋମରେ ଆୟୋଜିତ ହୋଇଥିବା World Cadet Wrestling Championshipରେ ମଧ୍ୟ ଭାରତୀୟ ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଆମ ଆଥଲେଟ୍ ସୁରଜ ମଧ୍ୟ Greco-Roman Eventରେ କମାଲ୍ କରି ଦେଖେଇଛନ୍ତି। ସେ ଦୀର୍ଘ ବତିଶ ବର୍ଷର ବ୍ୟବଧାନ ପରେ ଏହି ପ୍ରତିଯୋଗିତାର Wrestlingରେ ସ୍ୱର୍ଣ୍ଣପଦକ ଜିତିପାରିଛନ୍ତି । ଏଇ ସାରା ମାସଟି ତ ଖେଳାଳିମାନଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିଲା। ଚେନ୍ନାଇରେ ୪୪ତମ ଚେସ୍ ଅଲମ୍ପିଆଡର ଆୟୋଜନ ମଧ୍ୟ ଭାରତ ପାଇଁ ଅତ୍ୟନ୍ତ ସମ୍ମାନର କଥା। ଏଇ ଜୁଲାଇ ୨୮ ତାରିଖରେ ହିଁ ଏହି ପ୍ରତିଯୋଗିତାର ଶୁଭାରମ୍ଭ ହେଲା ଏବଂ ମୋତେ ଏହାର ଉଦ୍ଘାଟନ ଉତ୍ସବରେ ଯୋଗଦେବାର ସୌଭାଗ୍ୟ ମିଳିଥିଲା। ସେଇଦିନ ଟକରେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଭାରମ୍ଭ ହେଲା। ଅତ୍ୟନ୍ତ ଉତ୍ସାହର ସହିତ ଆମର ଯୁବବର୍ଗ ସେଠାରେ ଆମର ପ୍ରତିନିଧିତ୍ୱ କରୁଛନ୍ତି। ମୁଁ ସମସ୍ତ ଖେଳାଳି ଓ ଆଥଲେଟମାନଙ୍କୁ ଦେଶବାସୀଙ୍କ ତରଫରୁ ଶୁଭକାମନା ଜଣାଉଛି। ମୋ ପାଇଁ ଆଉ ଗୋଟିଏ ଗୌରବର କଥା ହେଲା ଭାରତ ୧୭ ବର୍ଷରୁ କମ୍ ବର୍ଗ ପାଇଁ FIFA Women’s World Cup ଫୁଟବଲ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ଏହି ପ୍ରତିଯୋଗିତା ପାଖାପାଖି ଅକ୍ଟୋବର ବେଳକୁ ଆୟୋଜିତ ହେବ ଯାହା ଦେଶର ଝିଅମାନଙ୍କର ଖେଳ ପ୍ରତି ଉତ୍ସାହ ବୃଦ୍ଧି କରିବ।
ସାଥିଗଣ, କିଛିଦିନ ତଳେ ଦେଶରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶିତ ହୋଇଛି। ଯେଉଁ ପିଲାମାନେ ନିଜର କଠିନ ପରିଶ୍ରମ ତଥା ମନୋନିବେଶ ଦ୍ୱାରା ସଫଳତା ଅର୍ଜନ କରିଛନ୍ତି ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ମହାମାରୀ ଯୋଗୁଁ ଗତ ଦୁଇବର୍ଷ ଆମମାନଙ୍କ ପାଇଁ ଆହ୍ୱାନ ଥିଲା। ଏ ପରିସ୍ଥିତିରେ ମଧ୍ୟ ଆମର ଯୁବବର୍ଗ ଯେଉଁଭଳି ସାହସ ଏବଂ ସଂଯମର ପରିଚୟ ଦେଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ। ମୁଁ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

ଆଜି ଆମେମାନେ ସ୍ୱାଧୀନତାର ୭୫ତମ ବର୍ଷରେ ଦେଶର ଯାତ୍ରା ସହିତ ଚର୍ଚ୍ଚା ଆରମ୍ଭ କରିଥିଲେ। ଆସନ୍ତା ଥର ଯେତେବେଳେ ଆମେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସେତେବେଳକୁ ଆମର ଆଗାମୀ ୨୫ ବର୍ଷର ଯାତ୍ରା ଆରମ୍ଭ ହୋଇସାରିଥିବ। ନିଜ ଘର ତଥା ଆମ ନିଜ ଲୋକଙ୍କ ଘର ଉପରେ ଆମର ପ୍ରିୟ ତ୍ରିରଙ୍ଗା ଉଡୁ ସେଥିପାଇଁ ଆମକୁ ଏକତ୍ର ହେବାକୁ ପଡ଼ିବ। ଆପଣମାନେ ଏ ବର୍ଷର ସ୍ୱାଧୀନତା ଦିବସକୁ କେମିତି ପାଳନ କଲେ, କ’ଣ କିଛି ସ୍ୱତନ୍ତ୍ର କଲେ ସେ କଥା ମତେ ନିଶ୍ଚୟ ଜଣେଇବେ। ଆରଥରକୁ ଆମେ ଆମର ଏହି ଅମୃତ ମହୋତ୍ସବର ଭିନ୍ନ ଭିନ୍ନ ରଙ୍ଗକୁ ନେଇ ପୁଣି ଚର୍ଚ୍ଚା କରିବା, ସେପର୍ଯ୍ୟନ୍ତ ମତେ ଅନୁମତି ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ବିଦ୍ୟୁତ୍ ବିତରଣ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସି ବ୍ୟବସ୍ଥାରେ ଉଜ୍ଜ୍ୱଳ ଭାରତ, ଉଜ୍ଜ୍ୱଳ ଭବିଷ୍ୟ-ପାୱାର @-2047 କାର୍ଯ୍ୟକ୍ରମର ଭବ୍ୟ ସମାପନ ଉତ୍ସବରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନୂତନ ବିଦ୍ୟୁତ ଆବଣ୍ଟନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହାଛଡା ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏନ୍ଟିପିସିର ୫୨୦୦କୋଟି ଟଙ୍କାର ବିଭିନ୍ନ ସବୁଜ ଇନ୍ଧନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯାଇଥିଲା। ସେ ମଧ୍ୟ ଜାତୀୟ ସୋଲାର ରୁଫଟପ୍ ପୋର୍ଟାଲକୁ ଉଦ୍ଘାଟନ କରିଥିଲେ।
ଆଜିର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ହିତାଧିକାରୀଙ୍କ ସହିତ ଭାବ ବିନିମୟ କରିବା ସହିତ ଅନେକ କଥା ପଚାରି ବୁଝିଥିଲେ। ହିମାଚଳ ପ୍ରଦେଶର ମଣ୍ଡିରୁ ଶ୍ରୀ ହଂସରାଜ ପ୍ରଧାନମନ୍ତ୍ରୀଙ୍କୁ କୁସୁମ ଯୋଜନା ସମ୍ପର୍କରେ ତାଙ୍କର ଅଭିଜ୍ଞତା ଜଣାଇଥିଲେ । ଏହି ଯୋଜନାରେ ଅନ୍ୟାନ୍ୟ ଚାଷୀମାନେ କିପରି ଆଗ୍ରହ ପ୍ରକାଶ କରୁଛନ୍ତି ସେ କଥା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ।

ତ୍ରିପୁରାର ଖୋୱାଇରୁ କଲାହ ରିଆଙ୍ଗ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କ ଗାଁରେ ବିଜୁଳି ପହଞ୍ଚାଇବା ପରେ ଲୋକଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଛି। ସୌରଶକ୍ତି ମିଳିବା ପରେ କିରୋସିନ ଉପରେ ନିର୍ଭରଶୀଳତା ଯଥେଷ୍ଟ କମିଛି। ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ ବିଜୁଳି ଆସିବା ପରେ ତାଙ୍କ ଗାଁରେ ପିଲାଙ୍କ ପାଠପଢାରେ ଉନ୍ନତି ଆସିଛି। ଶିଳ୍ପ କ୍ଷେତ୍ର ଓ ସନ୍ଧ୍ୟାକାଳୀନ ଜୀବନରେ ବଡ ପରିବର୍ତ୍ତନ ଘଟିଛି। ସେମାନେ ସହଜରେ ମୋବାଇଲ ଚାର୍ଜ କରି ନିଜର ଯୋଗାଯୋଗ ଆବଶ୍ୟକତା ପୂରଣ କରିପାରୁଛନ୍ତି। ବିଜୁଳି ବଞ୍ଚାଇବା ସହ ପିଲାଙ୍କ ପାଠପଢା ପାଇଁ ଟିଭିରେ ଶିକ୍ଷା ଚାନେଲ ଦେଖିବାକୁ ପ୍ରଧାନମନ୍ତ୍ରୀ ରିଆଙ୍ଗକୁ ପରାମର୍ଶ ଦେଇଥିଲେ।

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ କେ. କ୍ରାନ୍ତିକୁମାର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ଦୀନଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନାର ସେ ହିତାଧିକାରୀ। ବିଜୁଳି ମିଳିବା ଦ୍ୱାରା ଗ୍ରାମବାସୀଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସବୁ ଗ୍ରାମରେ ବିଜୁଳି ଶକ୍ତି ପହଞ୍ଚିଲେ ଭାରତ ଆହୁରି ପ୍ରଗତି କରିବ ଏବଂ ସମସ୍ତଙ୍କ ଜୀବନ ସୁଖମୟ ହେବ।

ବାରାଣସୀର ପ୍ରମିଳା ଦେବୀ ସମନ୍ୱିତ ଶକ୍ତି ବିକାଶ ଯୋଜନାର ଜଣେ ହିତାଧିକାରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଜଣେ ଅଧିବାସୀ। ସେ ବିଜୁଳି ପାଇଥିବାରୁ “ହର୍ହର ମହାଦେବ” କହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ବାବା ବିଶ୍ୱନାଥଙ୍କୁ ପ୍ରଣାମ ଜଣାଇ କାଶୀବାସୀଙ୍କ ମଙ୍ଗଳ କାମନା କରିଥିଲେ। ନଗରୀରେ ପୁରୁଣା ବିଜୁଳି ତା’ର ସବୁକୁ ହଟାଇ ନୂଆ ତାର ଲଗାଯାଇଥିବା ଜାଣି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ।
ସୋଲାର ପ୍ୟାନେଲ ଲଗାଇବାର ଅନୁଭୂତି ସମ୍ପର୍କରେ ଅହମ୍ମଦାବାଦର ଧୀରେନ ସୁରେଶ ଭାଇ ପଟେଲ ପ୍ରଧାନମନ୍ତ୍ରୀଙ୍କୁ ଜଣାଇ କହିଥିଲେ ନିଜ ଛାତ ଉପରେ ସୌରଫଳକ ଲଗାଇ ଧୀରେନ ଭାଇ ଏବେ ବିଜୁଳି ବିକ୍ରି କରି ଲାଭବାନ ହେଉଥିବା କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ଜନଭାଗିଦାରୀର ମହତ୍ୱ ଅଧିକ। ଏହା ଜାରି ରହିଲେ ୨୦୪୭ ସୁଦ୍ଧା ଭାରତରର ଊର୍ଜା ସ୍ଥିତି ସମ୍ପୂର୍ଣ୍ଣ ବଦଳିଯିବ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ଆସନ୍ତା ୨୫ବର୍ଷ ମଧ୍ୟରେ ଭାରତର ବିକାଶ ପ୍ରକ୍ରିୟାରେ ଊର୍ଜା/ଶକ୍ତି କ୍ଷେତ୍ର ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଊର୍ଜା କ୍ଷେତ୍ର ଲୋକଙ୍କ ଜୀବନକୁ ସୁଗମ କରିବା ସହିତ ବେପାର ବଣିଜକୁ ମଧ୍ୟ ସହଜ ଓ ଜଞ୍ଜାଳମୁକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ। ଆଜି ଯେଉଁସବୁ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ତାହା ଦେଶର ସବୁଜ ଇନ୍ଧନ ଉତ୍ପାଦନ ଏବଂ ଊର୍ଜା ନିରାପତ୍ତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହିସବୁ ପ୍ରକଳ୍ପ ଭାରତ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟକୁ ସୁଦୃଢ କରିବା ସହିତ ଗ୍ରୀନ ମୋବିଲିଟି ସଂକ୍ରାନ୍ତ ଅଙ୍ଗୀକାର ଓ ଆଶା ଆକାଂକ୍ଷା ପୂରଣରେ ସହାୟକ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲଦାଖ ଓ ଗୁଜରାଟର ଦୁଇଟି ବୃହତ ହାଇଡ୍ରୋଜେନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଲଦାଖରେ ତିଆରି ହେଉଥିବା ପ୍ଲାଣ୍ଟରୁ ସବୁଜ ଉଦ୍ଯାନ (ଗ୍ରୀନ ହାଇଡ୍ରୋଜେନ) ଉତ୍ପାଦିତ ହେବ ଏବଂ ସେଥିରେ ଦେଶର ଯାନବାହନ ସବୁ ଚାଲିବ। ଏହା ଦେଶର ପ୍ରଥମ ପ୍ରକଳ୍ପ ଯାହା ବ୍ୟାବସାୟିକ ଭିତ୍ତିରେ ହାଇଡ୍ରୋଜେନ ଇନ୍ଧନ ଉତ୍ପାଦନ କରିବ ଏବଂ ତାହାକୁ ଦେଶର ପରିବହନ କ୍ଷେତ୍ରରେ ବ୍ୟବହାର କରାଯିବ। ଲଦାଖ ଦେଶର ପ୍ରଥମ ଅଞ୍ଚଳ ହେବ ଯେଉଁଠି ଖୁବ୍ ଶୀଘ୍ର ଫୁଏଲ ସେଲ ଇଲେକଟ୍ରିକ ଯାନ ଚାଲିବ। ଏହାଫଳରେ ଲଦାଖ ଏକ ଅଙ୍ଗାରକାମ୍ଳ ମୁକ୍ତ ଅଞ୍ଚଳରେ ପରିଣତ ହେବ।

୨୦୧୪ ପୂର୍ବରୁ ବିଜୁଳି ଅଭାବ ଥିବା ରାଜ୍ୟମାନଙ୍କ ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ଆଠବର୍ଷ ମଧ୍ୟରେ ସରକାର ଦେଶର ସବୁ ଅଂଶର ବିଜୁଳି କ୍ଷେତ୍ରକୁ ବଦଳାଇବା ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଜୁଳି ଉତ୍ପାଦନ, ପରିବହନ, ବା ସରବରାହ, ବଣ୍ଟନ ଓ ସଂଯୋଗ ପ୍ରଦାନ- ଏହି ଚାରିଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱ ଦେଇ କାମ କରାଯାଉଛି।

ସେ ଆହୁରି ଜାଣିଥିଲେ ଯେ ଗତ ଆଠବର୍ଷ ମଧ୍ୟରେ ଦେଶରେ ଅତିରିକ୍ତ ପ୍ରାୟ ୧, ୭୦, ୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ସୃଷ୍ଟି କରାଯାଇଛି। ଗୋଟିଏ ଦେଶ ଗୋଟିଏ ପାୱାର ଗ୍ରୀଡ ଏବେ ଆମର ଶକ୍ତି ପାଲଟିଛି। ଏହି ସମୟରେ ଦେଶରେ ପ୍ରାୟ ୧, ୭୦, ୦୦୦ ସର୍କିଟ କିଲୋମିଟରର ଟ୍ରାନ୍ସମିଶନ ଲାଇନ ବିଛାଯାଇଥିବା ସମଗ୍ର ଦେଶକୁ ସଂଯୁକ୍ତ କରାଯାଇଛି । ଆହୁରି ମଧ୍ୟ ସୌଭାଗ୍ୟ ଯୋଜନାରେ ୩କୋଟି ବିଜୁଳି ସଂଯୋଗ ପ୍ରଦାନ କରି ଆମେ ସମସ୍ତଙ୍କୁ ବିଜୁଳି ଯୋଗାଣ ଲକ୍ଷ୍ୟ ପୂରଣ କରିବାର ନିକଟବର୍ତ୍ତୀ ହୋଇଛୁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର ୭୫ବର୍ଷ ପାଳନ ସୁଦ୍ଧା ଦେଶରେ ୧୭୫ ଗିଗାୱାଟ ଅକ୍ଷୟଶକ୍ତି ଉତ୍ପାଦନ କରିବାକୁ ଆମେ ସଂକଳ୍ପ ନେଇଥିଲୁ। ଏବେ ଆମେ ୧୭୦ ଗିଗାୱାଟ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ଉତ୍ପାଦନ ସୁବିଧା ସୃଷ୍ଟି କରି ସେହି ଲକ୍ଷ୍ୟର ନିକଟବର୍ତ୍ତୀ ହୋଇପାରିଛୁ। ସୌରଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବାରେ ଭାରତ ଏବେ ବିଶ୍ୱର ଅଗ୍ରଣୀ ୪/୫ଟି ଦେଶ ମଧ୍ୟରେ ରହିଛି ବୋଲି ସେ କହିଥିଲେ।

ବିଶ୍ୱର ସର୍ବବୃହତ୍ ସୋଲାର ପ୍ଲାଣ୍ଟ ମଧ୍ୟରୁ ଅନେକ ଭାରତରେ ରହିଥିବା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶ ଆଉ ଦୁଇଟି ବୃହତ ସୋଲାର ପ୍ଲାଂଟ ପାଇଲା। ଏହି ଦୁଇଟି ପ୍ଲାଣ୍ଟ ତେଲଙ୍ଗାନା ଓ କେରଳରେ ବସାଯାଇଛି ଏବଂ ଉଭୟ ଯଥାକ୍ରମେ ଦେଶର ପ୍ରଥମ ଓ ଦ୍ୱିତୀୟ ସର୍ବବୃହତ ସୋଲାର ପ୍ଲାଣ୍ଟ। ବ୍ୟକ୍ତିଗତ ବ୍ୟବହାର ପାଇଁ ମଧ୍ୟ ସୌର ବିଜୁଳି ନିମନ୍ତେ ଲୋକଙ୍କୁ ଉତ୍ସାହିତ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜୁଳି ଉତ୍ପାଦନ ବଢାଇବା ସହିତ ଏହାର ଅପଚୟ ହ୍ରାସ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ବିଦ୍ୟୁତ ସଂଚୟର ଅର୍ଥ ଭବିଷ୍ୟତକୁ ସମୃଦ୍ଧ କରିବା। ପିଏମ୍ କୁସୁମ ଯୋଜନା ଏହାର ବଡ ଉଦାହରଣ। ଆମେ ଚାଷୀଙ୍କୁ ସୌରଶକ୍ତି ଚାଳିତ ପାଣିପମ୍ପ ଯୋଗାଉଛୁ। ଏଥିସହିତ ଜମି କଡରେ ସୌର ଫଳକ ଲଗାଇବା ସେମାନଙ୍କୁ ସାହାଯ୍ୟ କରୁଛୁ।

ଉଜ୍ଜ୍ୱଳ ଯୋଜନା ବିଦ୍ୟୁତ ଶକ୍ତି ବ୍ୟବହାର କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ପ୍ରତିବର୍ଷ ୫୦ହଜାର କୋଟି ଟଙ୍କା ସଞ୍ଚିତ ହୋଇ ପାରୁଥିବା ସୂଚନା ଦେଇଛନ୍ତି। ବିଜୁଳି ଖର୍ଚ୍ଚ କମିବାରୁ ବିଲ୍ କମ୍ ଆସୁଛି ଓ ଉପଭୋକ୍ତାଙ୍କ ଅର୍ଥ ବଞ୍ଚୁଛି। ଗରିବ ଓ ମଧ୍ୟବିତ ବର୍ଗ ଏହା ଦ୍ୱାରା ଅଧିକ ଉପକୃତ ହେଉଥିବା ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମୟକ୍ରମେ ଆମ ରାଜନୀତିରେ ଏକ ଗୁରୁତର ବ୍ୟକ୍ତିକ୍ରମ ଦେଖାଦେଇଛି। ରାଜନୀତିରେ ଲୋକଙ୍କର ସତ କହିବାରେ ସାହସ ରହିବା ଆବଶ୍ୟକ। ଆମେ କିନ୍ତୁ ଦେଖୁଛୁ ଯେ କେତେକ ରାଜ୍ୟ ଏହାକୁ ଏଡାଇ ଚାଲିଛନ୍ତି। ସେମାନଙ୍କର ଏହି ରଣନୀତି ସାମୟିକଭାବେ ଭଲ ରାଜନୀତି ଭାବେ ବିବେଚିତ ହୋଇପାରେ। କିନ୍ତୁ ସେମାନେ ଆଜିର ସତ୍ୟକୁ ଆସନ୍ତାକାଲିର ଆହ୍ୱାନ ପାଇଁ ଲୁଚାଇ ରଖୁଛନ୍ତି। ଏହା ଦ୍ୱାରା ଆମ ପିଲାମାନେ, ଭବିଷ୍ୟତ ବଂଶଧର କ୍ଷତିଗ୍ରସ୍ତ ହେବେ। ଏଭଳି ରାଜନୀତି/ରଣନୀତି ଦେଶର ସ୍ୱାର୍ଥର ପରିପନ୍ଥୀ। ଏଭଳି ବିଚାର ଯୋଗୁଁ ଦେଶର ଅନେକ ରାଜ୍ୟର ଶକ୍ତି କ୍ଷେତ୍ର ଗୁରୁତର ସମସ୍ୟାର ସମ୍ମୁଖୀନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ଆମ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାରେ କ୍ଷତି ହାର ଦୁଇଅଙ୍କ ବିଶିଷ୍ଟ। ବିକାଶଶୀଳ ଦେଶଗୁଡିକରେ ଏହା ଏକ ଅଙ୍କରେ ସୀମିତ। ଏହାର ଅର୍ଥ ଭାରତରେ ବିଜୁଳି ପରିବହନ ଓ ବଣ୍ଟନ ସମୟରେ ପ୍ରଚୁର ଶକ୍ତି ନଷ୍ଟ ହେଉଛି। ଏହାଫଳରେ ଆମକୁ ଅଧିକ ବିଜୁଳି ଉତ୍ପାଦନ କରି ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ପଡୁଛି। ଦେଶର ଅନେକ ରାଜ୍ୟରେ ବିଜୁଳି ସରବରାହ ଓ ବଣ୍ଟନ ଜନିତ କ୍ଷତିକୁ କମାଇବା ପାଇଁ ବିଶେଷ ତତ୍ପରତା ଓ ଉଦ୍ୟମ ନାହିଁ। ଅନେକ ରାଜ୍ୟରେ ବିଜୁଳି ବାବଦ ଦେୟ ବାକି ପରିମାଣ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ। ସେମାନେ ଏହି ଅର୍ଥ ବିଜୁଳି ଉତ୍ପାଦନକାରୀ କମ୍ପାନୀଗୁଡିକୁ ନ ଦେଇ ପକାଇ ରଖିଛନ୍ତି। ସେହିଭଳି ବିଜୁଳି ବଣ୍ଟନକାରୀ କମ୍ପାନୀମାନେ ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ବିଦ୍ୟୁତ ଯୋଗାଣ ବାବଦ ୬୦ହଜାର କୋଟିରୁ ଅଧିକ ଟଙ୍କା ଏଯାଏ ପାଇନାହାନ୍ତି। ଅତଏବ ଅର୍ଥାଭାବରୁ ସମ୍ପୃକ୍ତ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀମାନେ ବିଭିନ୍ନ ରାଜ୍ୟରେ ବିଜୁଳି ଉପରେ ସବ୍ସିଡି ପୂର୍ଣ୍ଣମାତ୍ରାରେ ଦେବାକୁ ବିଫଳ ହେଉଛନ୍ତି। ଏ ବାବଦ ବାକି ୭୫,୦୦୦କୋଟି ଟଙ୍କାରୁ ଅଧିକ। ବିଜୁଳି ଉତ୍ପାଦନ, ବଣ୍ଟନ ଓ ଯୋଗାଣକାରୀ କମ୍ପାନୀମାନଙ୍କର ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ୨. ୫ଲକ୍ଷ କୋଟି ଟଙ୍କା ବାକି ପଡିଛି।

ଯେଉଁସବୁ ରାଜ୍ୟ ଏହି ଅର୍ଥ ପୈଠ କରିନାହାନ୍ତି ବା ବାକି ପକାଇଛନ୍ତି ସେମାନେ ଯଥାଶୀଘ୍ର ସମ୍ଭବ ତାହା ଦେଇଦେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ ଜଣାଇଛନ୍ତି। ବିଜୁଳି ଉପଭୋକ୍ତାମାନେ ସଚ୍ଚୋଟତାର ସହ ନିଜର ଦେୟ ପ୍ରତିମାସରେ ପୈଠ କରୁଥିବାବେଳେ ସମ୍ପୃକ୍ତ ରାଜ୍ୟ ସରକାରମାନେ କାହିଁକି ବିଜୁଳି ଉତ୍ପାଦନ ଓ ଆବଣ୍ଟନକାରୀ କମ୍ପାନୀଙ୍କୁ ସେମାନଙ୍କ ଦେୟ ପ୍ରଦାନ କରୁନାହାନ୍ତି ତାହାକୁ ସାଧୁତାର ପରିଚୟ ଦେଇ ଦେଇ ସରକାର ସମୂହ ବିଚାର କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଶେଷରେ କହିଥିଲେ ଯେ ସ୍ୱାସ୍ଥ୍ୟ ଓ ବିଦ୍ୟୁତ କ୍ଷେତ୍ରରେ ରାଜନୀତିର ସ୍ଥାନ ନାହିଁ। ଏହି କ୍ଷେତ୍ରର ସୁରକ୍ଷା ଓ ବିକାଶ ସମସ୍ତଙ୍କର ଦାୟିତ୍ୱ।

Categories
ବିଶେଷ ଖବର

ପ୍ରଥମ ସର୍ବଭାରତୀୟ ଆଇନ ସେବା କର୍ତ୍ତୃପକ୍ଷ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ସମ୍ମିଳନୀରେ ଆଜି ଉଦବୋଧନ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନା, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ, ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ, ଏସ.ପି. ସିଂହ ବାଘେଲ, ଅନ୍ୟାନ୍ୟ ସୁପ୍ରିମକୋର୍ଟ ବିଚାରପତିଗଣ, ହାଇକୋର୍ଟର ମୁଖ୍ୟ ବିଚାରପତିଗଣ, ରାଜ୍ୟ ଆଇନ ପ୍ରାଧିକରଣଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷବୃନ୍ଦ (ଏସଏଲଏସଏଏସ) ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମାଗଣା ଆଇନ ସେବା ଉପରେ ପର୍ଯ୍ୟବସିତ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ଆଜାଦୀ କା ଅମୃତ କାଳ ସମୟ। ଏହା ହେଉଛି ଏପରି ସମୟ ଯେତେବେଳେ ଆମ ସଂକଳ୍ପ ଦେଶକୁ ଆଗାମୀ ୨୫ ବର୍ଷ ମଧ୍ୟରେ ନୂତନ ଶିଖରରେ ପହଂଚାଇପାରିବ। ବ୍ୟବସାୟିକ ସୁଲଭତା, ଭଲ ଭାବେ ବଂଚିବା ଭଳି ଦେଶର ଅମୃତ ଯାତ୍ରାରେ ଆଇନର ସହଜ ଲଭ୍ୟତା ମଧ୍ୟ ସମଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ରାଜନୀତିର ନିର୍ଦ୍ଦେଶ ନିୟମାବଳୀ ବା ଡାଇରେକ୍ଟିର ପ୍ରିନ୍ସପୁଲ୍ସ ଅଫ ଦି ଷ୍ଟେଟ ପଲିସୀରେ ଆଇନ ସେବା ଉପରେ କିଭଳି ନିର୍ଦ୍ଦେଶନାମା ରହିଛି ପ୍ରଧାନମନ୍ତ୍ରୀ ତା’ ଉପରେ ଆଲୋକପାତ କରିଥିଲେ। ଏହାର ମହତ୍ୱ ନାଗରିକମାନଙ୍କ ନ୍ୟାୟପାଳିକା ଉପରେ ଥିବା ବିଶ୍ୱାସ ପ୍ରତିଫଳିତ ହୋଇଛି। ସେ କହିଥିଲେ ଯେ “ଯେକୌଣସି ସମାଜରେ ନ୍ୟାୟିକ ପଦ୍ଧତିର ଆଶ୍ରୟ ନେବା ଯେପରି ଗୁରୁତ୍ୱପୂର୍ଣ୍ଣ ନ୍ୟାୟ ପ୍ରଦାନ ମଧ୍ୟ ସେହିଭଳି ଗୁରୁତ୍ୱପୂର୍ଣ୍ଣ। ବିଚାରବିଭାଗୀୟ ଭିତ୍ତିଭୂମିର ମଧ୍ୟ ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗତ ଆଠ ବର୍ଷ ମଧ୍ୟରେ ଦେଶର ବିଚାରବିଭାଗୀୟ ଭିତ୍ତିଭୂମିକୁ ମଜବୁତ କରିବା ନିମନ୍ତେ ଅନେକ କାର୍ଯ୍ୟ କରାଯାଇଛି।”

ସୂଚନା ପ୍ରଯୁକ୍ତିବିଦ୍ୟା ଓ ଫିନଟେକରେ ଭାରତ ନେତୃତ୍ୱ ନେଉଥିବାବେଳେ, ବିଚାରବିଭାଗୀୟ କାର୍ଯ୍ୟାବଳୀରେ ଏହାର ପ୍ରବର୍ତ୍ତନ ଏହାଠାରୁ ବଳି ଭଲ ସମୟ ଆଉ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଥିଲେ, “ଇ-ଅଦାଲତ ଅଭିଯାନ ଜରିଆରେ ଦେଶରେ ଆଭାସୀ ଅଦାଲତ କାର୍ଯ୍ୟ ଆରମ୍ଭ ହୋଇଛି। ଟ୍ରାଫିକ ଉଲ୍ଲଂଘନ ଭଳି ଅପରାଧରେ ୨୪ ଘଣ୍ଟିଆ ଅଦାଲତ କାର୍ଯ୍ୟ କରୁଛି। ଜନସାଧାରଣଙ୍କ ସୁବିଧା ନିମନ୍ତେ ଦୃଶ୍ୟଶ୍ରାବ୍ୟ ଭିତ୍ତିଭୂମି ମଧ୍ୟ ସମ୍ପ୍ରସାରିତ ହେଉଛି।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଏକ କୋଟିରୁ ଅଧିକ ମାମଲା ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ଶୁଣାଯାଇଛି। ଏଥିରୁ ପ୍ରମାଣିତ ହୋଉଛି ଯେ “ଆମ ନ୍ୟାୟିକ ପଦ୍ଧତି ପ୍ରାଚୀନ ଭାରତୀୟ ବିଚାର ପରମ୍ପରା ପ୍ରତି ଅଙ୍ଗୀକାରବଦ୍ଧ ଥିବାବେଳେ ଏକବିଂଶ ଶତାବ୍ଦୀର ବାସ୍ତବତା ସହ ମଧ୍ୟ ଖାପ ଖୁଆଇବାକୁ ମଧ୍ୟ ପ୍ରସ୍ତୁତ।” ସେ ଆହୁରି କହିଥିଲେ ଯେ “ଜଣେ ସାଧାରଣ ନାଗରିକ ତା’ର ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ଉଚିତ୍। ସେମାନେ ନିଜର ସମ୍ବିଧାନ କ’ଣ ସେ ବିଷୟରେ ଜାଣିବା ଦରକାର ଓ ସମ୍ବିଧାନର ଢାଞ୍ଚା ନିୟମ ଓ ପ୍ରତିକାର ବିଷୟରେ ମଧ୍ୟ ଜାଣିବା ଦରକାର । ଏ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

ଅମୃତ କାଳ ଏକ କର୍ତ୍ତବ୍ୟର ସମୟ ବୋଲି ଗୁରୁତ୍ୱର ସହ କହିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁସବୁ ଅଞ୍ଚଳ ଅବହେଳିତ ରହିଯାଇଛି ଆମକୁ ତାହା ପ୍ରତି ବେଶୀ ଧ୍ୟାନ ଦେବାକୁ ପଡ଼ିବ। ଶ୍ରୀ ମୋଦୀ ବିଚାରାଧୀନ ବନ୍ଦୀମାନଙ୍କ ଉପରେ ସମ୍ବେଦନଶୀଳତା ନେଇ ପୁଣି ପ୍ରଶ୍ନ ଉଠାଇଥିଲେ। ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ ଏଭଳି ବନ୍ଦୀମାନଙ୍କୁ ଆଇନଗତ ସାହାଯ୍ୟ ଦେବା ପାଇଁ ଦାୟିତ୍ୱ ନେବାଆବଶ୍ୟକ। ବିଚାରାଧୀନ ବନ୍ଦୀ ସମୀକ୍ଷା କମିଟି ଅଧ୍ୟକ୍ଷ ଭାବେ କାମ କରୁଥିବା ଜିଲ୍ଲା ଜଜମାନେ ସେମାନଙ୍କୁ ତୁରନ୍ତ ଖଲାସ ହେବା ନେଇ ତ୍ୱରିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ଏ ଦିଗରେ ଏକ ଅଭିଯାନ ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଏନଏଏଲଏସଏକୁ ଧନ୍ୟବାଦ ଜଣାଇଥିଲେ। ଅଭିଯାନରେ ଅଧିକ ଆଇନଜୀବୀ ଜଡ଼ିତ ହେବାକୁ ସେ ବାର କାଉନସିଲକୁ ମଧ୍ୟ ନିବେଦନ କରିଥିଲେ।

ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଏଲଏସଏ) ପକ୍ଷରୁ ଜାତୀୟସ୍ତରୀୟ ସମ୍ମିଳନୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏଏସ) ଜୁଲାଇ ୩ଠ-୩୧ ୨ଠ୨୨ରେ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ହେଉଛି। ଡିଏଲଏସଏରେ ସମୀକରଣ ଓ ସମକାଳୀନ ହେବା ପାଇଁ ଏକ ସମନ୍ୱିତ ପଦ୍ଧତି ଗ୍ରହଣ ନେଇ ଆଲୋଚନା ହେବ।

ଦେଶରେ ମୋଟ ୬୭୬ଟି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏଏସ) ରହିଛି। ଜିଲ୍ଲା ଜଜ ଏହାର ମୁଖ୍ୟ ଓ ପ୍ରାଧିକରଣ ଅଧ୍ୟକ୍ଷ ଅଟନ୍ତି। ଅବଶ୍ୟ ଡିଏଲଏଓଏ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଏସଏଲଏସଏଏସ ) ଦ୍ୱାରା ବିଭିନ୍ନ ଆଇନ ସେବା ଓ ସଚେତନତା କାର୍ଯ୍ୟକ୍ରମକୁ ଏନଏଏଲଏସଏ ତ୍ୱରାନ୍ୱିତ କରିଥାଏ। ଏନଏଏଲଏସଏ ଦ୍ୱାରା ପରିଚାଳିତ ଲୋକ ଅଦାଲତକୁ ନିୟନ୍ତ୍ରଣ କରି ଡିଏଲଏସଏଏସ ଅଦାଲତର ଅନେକ ବୋଝ ହାଲୁକା କରିଥାଏ।