ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗଦାଧର ପୁର ଗ୍ରାମରେ ଜଣେ ନାବାଳକ ଜାମୁକୋଳି ଖାଇବାକୁ ଗଛ ଚଢି ଥିବା ବେଳେ ଗଛରୁ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି।
ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଗଦାଧରପୁର ଗ୍ରାମର ରବି କଂସାରୀଙ୍କ ପୁଅ ବାବୁସାନ କଂସାରୀ (୧୧) ଅପରାହ୍ନ ପ୍ରାୟ ୪ଟା ସମୟରେ ଅନ୍ୟ ସାଥୀଙ୍କ ସହିତ ମିଶି କୋଳି ଖାଇବାକୁ ଘର ନିକଟ ଏକ ଜାମୁ ଗଛରେ ଚଢିଥିଲେ। ବାବୁସାନ ଗଛକୁ ଚଢି ଜାମୁକୋଳି ତୋଳୁଥିବାବେଳେ ଗଛରୁ ତଳକୁ ଖସି ପଡ଼ିଥିଲେ। ଗଛ ତଳେ ଏକ କାଠ ବାଡା ଥିବାରୁ ବାଡାର ଏକ କାଠ ଖୁଣ୍ଟି ବାବୁସାନଙ୍କ ପେଟରେ ଗଳି ଅପର ପାର୍ଶ୍ୱକୁ ବାହାରି ଯାଇଥିଲା। ଯା ଫଳରେ ପରିବାର ଲୋକେ ବାବୁସାନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇଯାଇଥିଲେ।
ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ନାବାଳକ ଚଳିତ ବର୍ଷ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।