Categories
ଆଜିର ଖବର ରାଜ୍ୟ ଖବର

ନିଯୁକ୍ତି ମେଳାରେ ୬,୩୯୦ ନବନିଯୁକ୍ତମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ଚାକିରି କେବଳ ଏକ ଜୀବନ ଜୀବିକାର ସାଧନ ନୁହେଁ। ଏହା ଜନସେବାର ଏକ ମାଧ୍ୟମ। ସାଧାରଣ ଜନତା, ସରକାର ଏବଂ ସରକାରୀ ବିଧି ବ୍ୟବସ୍ଥାରୁ ଅନେକ ଆଶା ଆକାଂକ୍ଷା କରିଥାନ୍ତି, ଏବଂ ସେ ସବୁକୁ ପୂରଣ କରିବା ପାଇଁ ଆପଣମାନେ ହେଉଛନ୍ତି ସବୁଠାରୁ  ବଡ଼ ମାଧ୍ୟମ। କାରଣ, ତୃଣମୂଳ ସ୍ତରରେ ଯୋଜନା ଏବଂ କାର୍ଯ୍ୟକ୍ରମର ରୂପାୟନ ଦାୟିତ୍ଵ ଆପଣଙ୍କ କାନ୍ଧରେ। ମୁଁ ଆଶା କରୁଛି, ଏବଂ ମୋର ପୁରା ବିଶ୍ୱାସ ଯେ, ଏହାକୁ ପୂରଣ କରିବାରେ ଆପଣମାନେ ସମସ୍ତେ ସମର୍ଥ ହେବେ।

ଆଜି ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ପଡିଆଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟ ସରକାରଙ୍କ ୯ଟି ବିଭାଗରେ ୬,୩୯୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ନିଯୁକ୍ତି କାର୍ଯ୍ୟକ୍ରମରେ କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୨,୮୭୮, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨,୭୬୭, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୨୩୨, ଅର୍ଥ ବିଭାଗରେ ୧୩୦, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୨୩, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗରେ ୧୦୪, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୬୨, ଜଳ ସମ୍ପଦ ବିଭାଗରେ ୫୭ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୩୭ ବ୍ୟକ୍ତି ନିଯୁକ୍ତି ପାଇଛନ୍ତି।

ମୁଖ୍ୟମନ୍ତ୍ରୀ  କହିଥିଲେ ଯେ, ଗତ ୭ ମାସ ମଧ୍ୟରେ ଆମେ ୬ ଥର ନିଯୁକ୍ତି ମେଳାର ଆୟୋଜନ କରି ୨୦ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିଛୁ। ଆଜି ଏହି ନିଯୁକ୍ତି ମେଳାରେ ୯ ଟି ବିଭାଗର ପ୍ରାୟ ୬,୩୦୦ରୁ ଅଧିକ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ଏହାଦ୍ୱାରା ବର୍ତ୍ତମାନ ସୁଦ୍ଧା ୭ଟି ନିଯୁକ୍ତି ମେଳାରେ ୨୬ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି। ଆମ ସରକାରର ପ୍ରଥମ ଦୁଇ ବର୍ଷ ମଧ୍ୟରେ ୬୫ ହଜାରରୁ ଅଧିକ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଥିଲେ।

ନବନିଯୁକ୍ତମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କର ଜୀବନର ଏକ ନୂତନ ଅଧ୍ୟାୟ ଆଜି ଆରମ୍ଭ ହେଉଛି। ଆଜି କାଲି, ବିଶେଷ ଭାବେ ଭାରତ ପରି ଏକ ଜନବହୁଳ ରାଷ୍ଟ୍ରରେ ସରକାରୀ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ବହୁତ କମ୍‍। ଉଦାହରଣ ସ୍ୱରୂପ, ପ୍ରତିରକ୍ଷାକୁ ମିଶେଇ କେନ୍ଦ୍ର ସରକାରରେ  ପ୍ରାୟ ୩୫ ଲକ୍ଷ ଲୋକ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୩ ଲକ୍ଷ କର୍ମଚାରୀ ଅଛନ୍ତି।

ସେ ପୁଣି କହିଲେ ଯେ, ଖାଲିଥିବା ପଦ ପଦବୀକୁ ସାମିଲ କଲେ ମଧ୍ୟ ସର୍ବାଧିକ ସାଢ଼େ ଚାରି ଲକ୍ଷ ଲୋକ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଅର୍ଥାତ, ରାଜ୍ୟ ଜନସଂଖ୍ୟାର ଏକ ପ୍ରତିଶତରୁ ବି କମ୍‍ ଲୋକ, ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥାଆନ୍ତି।

ଏହି ଏକ ପ୍ରତିଶତରେ ଆପଣମାନେ ସୁଯୋଗ ପାଇଛନ୍ତି। ଏଥିରେ ଆପଣମାନଙ୍କର କଠିନ ପରିଶ୍ରମ ଏବଂ ପିତାମାତାଙ୍କ ଆଶୀର୍ବାଦ ମଧ୍ୟ ରହିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସବୁ ନବନିଯୁକ୍ତ ମାନେ ଏକ ଅଲେଖା ସିଲଟରେ ନିଜର କର୍ମମୟ ଜୀବନ ଆରମ୍ଭ କରିଛନ୍ତି। ଅଢ଼େଇ ଦଶନ୍ଧିର ଏକ ଶାସନ ବ୍ୟବସ୍ଥାର ହ୍ୟାଙ୍ଗ ଓଭର୍ ଆପଣମାନଙ୍କ ପାଖରେ ନାହିଁ। ତେଣୁ, ଖୋଲା ମନ, ଖୋଲା ହୃଦୟର ସହିତ ଆପଣମାନେ କାମ କରିବାର ସୁଯୋଗ ପାଇଛନ୍ତି। ଏହି ସୁଯୋଗର ସଦୁପଯୋଗ କରି ସମାଜର କଲ୍ୟାଣ ପାଇଁ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ଓଡ଼ିଶାରେ ଏବେ ବିକାଶର ନୂତନ ସୂର୍ଯ୍ୟ ଉଦୟ ହୋଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦିଗ୍‍ଦର୍ଶନରେ ଆମ ସରକାର ଓଡ଼ିଶାରେ ପ୍ରଗତିର ଧାରାକୁ ବହୁଗୁଣିତ କରିବା ପାଇଁ ପ୍ରତିମୁହୂର୍ତ୍ତର ସଦୁପଯୋଗ କରି କାମ କରୁଛନ୍ତି। ଆମେ ସମସ୍ତେ ଏପରି ଜଣେ ଯୋଗଜନ୍ମାଙ୍କ ନେତୃତ୍ଵ ଏବଂ ଦିଗଦର୍ଶନରେ କାର୍ଯ୍ୟ କରିବାର ସୁଯୋଗ ପାଇଛୁ, ଏବଂ ଏହି ସୁଯୋଗର ସଦୁପୋଯୋଗ କରି ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଚେଷ୍ଟା କରୁଛୁ ଏବଂ ଏହି ଦେଶ ନିର୍ମାଣ ଯଜ୍ଞରେ ଆପଣମାନେ ଆଜିଠାରୁ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଲେ ଯେ, ବିକାଶ ଧାରାକୁ କ୍ରିୟାଶୀଳ ଏବଂ ଫଳପ୍ରସୁ କରିବା ଦିଗରେ ଦକ୍ଷ ଓ ଉତ୍ତମ ମାନବ ସମ୍ବଳ ଅପରିହାର୍ଯ୍ୟ। ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ସରକାରୀ ବ୍ୟବସ୍ଥା ସକ୍ରିୟ ଓ ସଜାଗ ରହେ ଏବଂ ଜନସାଧାରଣଙ୍କୁ ସଠିକ୍ ସମୟରେ ଆବଶ୍ୟକ ସେବା ଯୋଗାଇ ଦିଆଯାଏ। ଏହି ମୌଳିକ ସତ୍ୟକୁ ଉପଲବ୍ଧି କରି ଆମ ସରକାର ଦାୟିତ୍ଵ ନେବା ପରେ ପରେ ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ଉପଯୁକ୍ତ ମାନବ ସମ୍ବଳ ନିଯୁକ୍ତି ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ।

ଏହାକୁ ସୁନିଶ୍ଚିତ କରିବା ପାଇଁ  ସମୀକ୍ଷା ବୈଠକ କରାଯାଇ ମାର୍ଚ୍ଚ ମାସ ଶେଷ ସୁଦ୍ଧା, ସମସ୍ତେ ନିଜ ନିଜ ବିଭାଗରେ ଖାଲିଥିବା ପଦକୁ ଚିହ୍ନଟ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଓଡ଼ିଶାର ବିକାଶର ଲକ୍ଷ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ,  ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ଗ୍ରୋଥ୍‍ ଇଞ୍ଜିନ୍‍ କରିବାର ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ଆମ ସରକାର ସବୁକ୍ଷେତ୍ର ସହିତ ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେଉଛି। କେବଳ ସରକାରୀ କ୍ଷେତ୍ରରେ ଏହି ପାଞ୍ଚବର୍ଷ ମଧ୍ୟରେ ଦେଢ଼ ଲକ୍ଷ ନିଯୁକ୍ତିର ଲକ୍ଷ୍ୟ ରଖାଯାଇଛି।

ନିଯୁକ୍ତି କ୍ଷେତ୍ରରେ ଆମର ଫୋକସ୍ ଯୁବଶକ୍ତିର ଉପଯୋଗ ପାଇଁ ଆମ ପ୍ରତିବଦ୍ଧତାର ପରିଚାୟକ। କେବଳ ସେତିକି ନୁହେଁ, ରାଜ୍ୟରେ ଶିଳ୍ପାୟନର ଏକ ନୂଆ ଯୁଗର ଆରମ୍ଭ କରି ବେସରକାରୀ କ୍ଷେତ୍ରରେ ନିଯୁକ୍ତିର ବିପ୍ଳବ ସୃଷ୍ଟି କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମର ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ୍‍ ୨୦୨୫ର ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏଥିରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ସୁଯୋଗ ଆସିଛି । ଏହାଦ୍ୱାରା ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି । ଏହି ସୁଯୋଗକୁ ଆମ ସରକାର କୌଣସି ପରିସ୍ଥିତିରେ ହାତଛଡ଼ା କରିବ ନାହିଁ । ଏହି ସବୁ ନିବେଶ ପ୍ରସ୍ତାବଗୁଡ଼ିକ ଯେପରି କାର୍ଯ୍ୟକାରୀ ହେବ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ହେବ, ସେଥିପାଇଁ ଆମେ ଦିନରାତି ଏକ୍‍କରି କାମ କରିବୁ । ମୋର ଦୃଢ଼ ବିଶ୍ୱାସ ଆଗାମୀ ୫ ବର୍ଷ ଆମ ଯୁବଶକ୍ତି ପାଇଁ ବିପୁଳ ସମ୍ଭାବନାର ସମୟ ହେବ ।

ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ନିଜ ପାଇଁ ସମାଜରେ ଏକ ସ୍ଥାନ ହାସଲ କରିବା ସହ ସମୃଦ୍ଧ ଓଡ଼ିଶା ନିର୍ମାଣ ମିଶନର ଏକ ଅଙ୍ଗ ଭାବେ ଆପଣମାନେ ସରକାରୀ ବ୍ୟବସ୍ଥାରେ ଯୋଗ ଦେଉଛନ୍ତି। ଆପଣମାନଙ୍କର ନିଷ୍ଠା, ସଚ୍ଚୋଟତା ଏବଂ ସେବା ଭାବ ଜନସାଧାରଣଙ୍କୁ ଜୀବନଧାରଣର ମାନରେ ଉନ୍ନତି ଆଣିବ । କିନ୍ତୁ, ସବୁବେଳେ ମନେରଖିବେ ଯେ, ଆମ ସରକାର ସ୍ଵଚ୍ଛ, ଦୁର୍ନୀତିମୁକ୍ତ ଶାସନ ପ୍ରଶାସନ ଉପରେ ଗୁରୁତ୍ଵାରୋପ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦୁର୍ନୀତି ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏ ଅଭିଯାନ ଜାରୀ ରହିବ ବୋଲି ପ୍ରକାଶ କରି ଏଥିପାଇଁ ସମସ୍ତେ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଶେଷରେ ସେ ସମସ୍ତଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ,  ନିଜର ଆଗାମୀ କର୍ମମୟ ଜୀବନକୁ ସେବା, ସାଧନା ଓ ତପସ୍ୟା ମାଧ୍ୟମରେ ସଫଳ କରାନ୍ତୁ, ଏହାହିଁ ମୋର ଇଚ୍ଛା। ଆସନ୍ତୁ, ସମସ୍ତେ ମିଳିମିଶି ଏକ ସୁଦୃଢ, ସଶକ୍ତ ଓଡ଼ିଶା ଗଠନ କରିବା ଏବଂ ଯେତେବେଳେ ଆଉ ୧୨ ବର୍ଷ ପରେ ଆମ ରାଜ୍ୟ ଏହାର ପ୍ରତିଷ୍ଠାର ଏକ ଶହ ବର୍ଷ ପାଳନ କରିବ, ଆମେ ଏକ ବିକଶିତ ଓ ସମୃଦ୍ଧ ରାଜ୍ୟର ସ୍ଵାଭିମାନୀ ନାଗରିକ ହୋଇଥିବା।

ସୂଚନାଯୋଗ୍ୟ ଯେ, ଆଜି ସ୍ୱାସ୍ଥ୍ୟ ବିଭାଗରେ  ୨ ହଜାର ୭୫୩ ବହୁମୁଖି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ୧୨୫ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୮୯୪ ଜଣ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୧୭୯୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ୟମିକ ପରିଷଦ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ଓ ମାଧ୍ୟମିକ ଶିକ୍ଷା ପରିଷଦରେ ୭୫ ଜଣ କନିଷ୍ଠ ସହାୟକ – ଏହିପରି ସମୁଦାୟ ୨ ହଜାର ୭୬୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୨୧୨ ଜଣ କନିଷ୍ଠ  ମତ୍ସ୍ୟ ବୈଷୟିକ ସହାୟକ ଏବଂ ୨୦ ଜଣ ସହାୟକ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଜଳସମ୍ପଦ ବିଭାଗରେ କ୍ଷେତ୍ରରେ ୫୭ ଜଣ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୬୨ ଜଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୩୭ ଜଣ, ଅର୍ଥ ବିଭାଗ ଅନ୍ତର୍ଭୁକ୍ତ ଲୋକାଲ୍ ଫଣ୍ଡ ଅଡିଟ୍‍ର ୧୩୦ ଜଣ, ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୧୦୪ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଏବଂ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୨୩ ଜଣ ସହାୟକ ତାଲିମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି।

କାର୍ଯ୍ୟକ୍ରମରେ ଯୋଗ ଦେଇ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନବନିଯୁକ୍ତ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ କହିଥିଲେଯେ ନିଯୁକ୍ତି କ୍ଷେତ୍ରରେ ଗତ ୮ ମାସ ମଧ୍ୟରେ ସରକାର ବ୍ୟାପକ ପରିବର୍ତ୍ତନ କରିଛନ୍ତି ଏବଂ ଆଗାମୀ ଦିନ ଗୁଡିକରେ ମଧ୍ୟ ସରକାର ନିଜ ପ୍ରତିଶ୍ରୁତି ପୂର୍ଣ୍ଣ କରିବେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେଯେ ଆଜିର ନବ ନିଯୁକ୍ତ ମାନଙ୍କ କାନ୍ଧରେ ଉତ୍କୃଷ୍ଟ କଳାର କ୍ଷେତ୍ର ଆମ ରାଜ୍ୟ ଓଡ଼ିଶା ଭବିଷ୍ୟତର ଉତ୍କର୍ଷ ଓଡ଼ିଶାରେ ଅଭିମୁଖେ ଯିବ ଏବଂ ମୋର ବିଶ୍ୱାସଯେ ନିଜର ସଚ୍ଚୋଟତା ବଳରେ ନିଜର କର୍ମମୟ ଜୀବନକୁ ରୁଦ୍ଧିମନ୍ତ କରିବେ ।

ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ,ଡକ୍ଟର ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ନିତ୍ୟାନନ୍ଦ ଗଣ୍ଡ, ଗୃହ ଓ ନଗର ଉନ୍ନୟନ ତଥା ସାଧରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଓ ରାଜ୍ୟ ପ୍ରମୁଖ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ।

ଇତ୍ୟବସରରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ, ଅଶ୍ୱତୀ.ଏସ୍ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୮୫ ଜଣ ହୋମିଓପାଥିକ ଚିକିତ୍ସକ, ୨୩୯ ଜଣ ରେଡିଓଗ୍ରାଫର ଓ ୫୨ ଜଣ ଅଧ୍ୟାପକ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ନିଯୁକ୍ତି ମେଳାରେ ୩୭୬ ଜଣ ନିଯୁକ୍ତି ପାଇଛନ୍ତି। ଏଥିରେ ସ୍ବାସ୍ଥ୍ୟ ବିଭାଗର ୮୫ ଜଣ ହୋମିଓପାଥିକ ଚିକିତ୍ସକ ଓ ୨୩୯ ଜଣ ରେଡିଓଗ୍ରାଫର ଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ୫୨ ଜଣ ଅଧ୍ୟାପକ ଅଛନ୍ତି।

ଏହି ଅବସରରେ ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବ ନିଯୁକ୍ତ ଡାକ୍ତର, ଅଧ୍ୟାପକ ଓ ରେଡିଓଗ୍ରାଫର ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃତ୍ତି ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି। ସରକାରୀ ଚାକିରିକୁ ଅର୍ଥ ଉପାର୍ଜନ ସର୍ବସ୍ବ ନକରି ନିଜ ନିଜର କର୍ତ୍ତବ୍ୟ ପ୍ରତି ଅନୁରକ୍ତ ରହିବାକୁ ଓ ଦୁର୍ନୀତିକୁ ପ୍ରଶୟ ନଦେବାକୁ ସେ ପରାମର୍ଶ ଦେଇଥିଲେ।

ସେ କହିଥିଲେ ଯେ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡିଶା ଯେତେ ପାରଦର୍ଶୀତା ହାସଲ କରିବା କଥା, କରିପାରି ନାହିଁ। ଆମେ ଆମର ପ୍ରକୃତ ସାମର୍ଥ୍ୟ ହାସଲ କରି ପାରିନାହୁଁ। ନୀତି ଆୟୋଗ ଦ୍ବାରା ସଦ୍ୟ ପ୍ରକାଶିତ ସ୍ବାସ୍ଥ୍ୟ Ranking ରେ ଓଡିଶା ୨୮ ଟି ରାଜ୍ୟ ମଧ୍ୟରେ ତଳଆଡୁ ତୃତୀୟ। ଶହେ ନମ୍ବରରୁ ଓଡିଶା ପାଇଛି ମାତ୍ର ୪୦.୧୯। କିନ୍ତୁ ପୂର୍ବରୁ ବିଶ୍ବ ସ୍ତରୀୟ ସ୍ବାସ୍ଥ୍ୟ ସେବା ନାମରେ ବ୍ୟାପକ ପ୍ରଚାର କରାଯାଉଥିଲା। ବର୍ତ୍ତମାନ ଏ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, Health Ranking ରେ ଆମକୁ ଅତି କମ୍‌ରେ ୬୦ ନମ୍ବର ରଖିବାକୁ ପଡିବ। ଦେଶର ପ୍ରଥମ ଦଶଟି ଶ୍ରଷ୍ଠ ସେବା ପ୍ରଦାନକାରୀ ରାଜ୍ୟ ମଧ୍ୟରେ ରହିବାକୁ ପଡିବ। ଏ ଦିଗରେ ସରକାରଙ୍କ ଆଭିମୁଖ୍ୟରେ ନବ ନିଯୁକ୍ତ ମାନଙ୍କୁ ସହଯୋଗ କରିବା ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଭିତ୍ତିଭୂମି ଓ ପ୍ରଶିକ୍ଷିତ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏ ଉଭୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ କାମ କରୁଛନ୍ତି। ଏହା ସରକାରଙ୍କ ଭିଜନର ଏକ ଅଂଶ ବିଶେଷ ବୋଲି ସେ କହିଥିଲେ। ଚଳିତ ବର୍ଷ ସ୍ବାସ୍ଥ୍ୟ ବଜେଟ୍‌ରେ ପୂର୍ବ ବର୍ଷ ତୁଳନାରେ ୩୨ ପ୍ରତିଶତ ଅଧିକ ବ୍ୟୟ ବରାଦ ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଏହାର ସିଂହଭାଗ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ। ଆଗାମୀ ପାଞ୍ଚବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ। ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ସହିତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂଆ ସରକାର ରାଜ୍ୟର ସରକାରୀ କ୍ଷେତ୍ରରେ ଖାଲି ପଦବୀ ପୂରଣ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଗତ ଛଅ ମାସ ମଧ୍ୟରେ ଛଅ ଥର ନିଯୁକ୍ତି ମେଳା ହୋଇ ୨୦ ହଜାରରୁ ଅଧିକ ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଆଗେଇ ନିଆଯାଉଛି ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ଚିକିତ୍ସକ ଓ ରେଡିଓଗ୍ରାଫର ନିଯୁକ୍ତି ସହିତ ଖୁବଶୀଘ୍ର ସରକାରୀ ଡାକ୍ତରଖାନା ମାନଙ୍କରେ ‘ଫାର୍ମାସୀ ଅଫିସର’ ନିଯୁକ୍ତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ଆୟୁଷ ମିଶନରେ ଓଡିଶାରେ ୪୨୨ଟି ହୋମିଓପାଥି ଓ ଆୟୁର୍ବେଦିକ୍‌ ଡାକ୍ତରଖାନର ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ଭାବରେ ଉନ୍ନତି କରଣ କରାଯାଇଛି। ସେ କହିଥିଲେ ଯେ, ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ବରରେ ଆଉ ତିନୋଟି ୫୦ ଶର୍ଯ୍ୟା ବିଶିଷ୍ଟ ସମନ୍ବିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଉଛି।

ଅଧ୍ୟାପକ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣ ମାନେ ନିଜେ ଯୁବ ବର୍ଗରୁ ଆସିଛନ୍ତି। ତେଣୁ, ପିଲାମାନଙ୍କୁ ଦାୟିତ୍ବବାନ୍‌ ହେବା ପାଇଁ ମାର୍ଗଦର୍ଶନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡିଶା ପାଇଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରୁଛନ୍ତି। ତେଣୁ, ସେମାନେ ଯେପରି ଦକ୍ଷ ଓ ଦାୟିତ୍ବବାନ୍ ହେବେ ତାହା ସୁନିଶ୍ଚିତ କରିବା ଆପଣ ମାନଙ୍କ ଦାୟିତ୍ବ। ଆପମ ମାନେ ଯୁବ ସମାଜର ଉଚିତ୍‌ ପଥ ପ୍ରଦର୍ଶନ କରିପାରିଲେ ସମୃଦ୍ଧ ଓଡିଶାର ଲକ୍ଷ୍ୟ ନିଶ୍ଟୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କରିଲେ ଯେ, ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ, ଏବେ ପ୍ରାୟ ପ୍ରତ୍ୟେକ ମାସରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯୁବ ବର୍ଗଙ୍କୁ ସରକାରୀ ନିଯୁକ୍ତି ଦିଆଯାଉଛି। ତେଣୁ, ୨୦୩୬ ଓ ୨୦୪୭ ର ଲକ୍ଷ ହାସଲ କରିବା ପାଇଁ ସମସ୍ତେ ସେବା ଓ ସମର୍ପଣ ମନୋଭାବ ନେଇ କାମ କରିବାକୁ ସେ ଆହ୍ବାନ ଦେଇଥିଲେ।

ଉନ୍ନୟନ କମିଶନର ଅନୁ ଗର୍ଗ କହିଲେ ଯେ, ମହିଳା କର୍ମଚାରୀ ମାନେ ନିଜର କମ୍ଫର୍ଟ ଜୋନ୍‌ରୁ ବାହାରି ନିଜର ଦକ୍ଷତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ସେମାନେ କୌଣସି ପରିସ୍ଥିତିରେ ପୁରୁଷ ମାନଙ୍କ ଠାରୁ କମ୍ ବୋଲି ମନେ କରିବା ଉଚିତ୍‌ ନୁହେଁ। କାମ ସହିତ ବ୍ୟକ୍ତିଗତ ଭାବେ ନିଜର ଜ୍ଞାନ ଓ ଦକ୍ଷତାକୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ।

କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଅଧ୍ୟାପିକା ଶୁଭଲକ୍ଷ୍ମୀ ସ୍ବାଇଁ, ଡାକ୍ତର କଲ୍ୟାଣୀ ମଞ୍ଜରୀ ନାୟକ ଓ ରେଡିଓଗ୍ରାଫର ସ୍ବତନ୍ତ୍ର ପଟ୍ଟନାୟକ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନାକରି କହିଲେ ଯେ, ମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହିତ ଏଥିରେ ସ୍ବଚ୍ଛତା ମଧ୍ୟ ଆସିଛି। ସମସ୍ତେ ନିଷ୍ଠା ଓ ସେବା ମନୋବୃତ୍ତି ନେଇ କାମ କରିବେ ବୋଲି କହିଥିଲେ।

ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ବତୀ ଏସ୍‌. ସ୍ବାଗତ ଭାଷଣ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୭ଟି ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ ନିଯୁକ୍ତି ମେଳା ମାଧ୍ୟମରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ପାଇଁ ପ୍ରଥମ କର୍ମନିଯୁକ୍ତିର ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଆନନ୍ଦଦାୟକ ହୋଇଥାଏ। ଆଜି ଆପଣମାନେ ଲୋକଙ୍କ ସେବାରେ ନିଯୁକ୍ତ ହେଉଛନ୍ତି। ଏହି ସେବା କେବଳ ଏକ କର୍ମନିଯୁକ୍ତି ନୁହେଁ, ଏହା ଆପଣମାନଙ୍କ ପାଇଁ ଏକ ଗୁରୁଦାୟିତ୍ୱ। ଗଣତନ୍ତ୍ରରେ ସରକାର ହେଉଛନ୍ତି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଜନସାଧାରଣଙ୍କ ସମସ୍ୟା ଓ ତା’ର ସମାଧାନ, ସରକାର ଓ ସରକାରୀ କର୍ମଚାରୀଙ୍କ ଦାୟିତ୍ୱ। ସରକାରଙ୍କ ଜନହିତକାରୀ ଯୋଜନାର ସୁଫଳ କିଭଳି ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ପହଞ୍ଚି ପାରିବ, ଏହାକୁ ନିଶ୍ଚିତ କରିବା ସରକାରୀ କର୍ମଚାରୀଙ୍କ ଦାୟିତ୍ୱ। ସରକାର ଯୋଜନା ଓ କାର୍ଯ୍ୟକ୍ରମ ତିଆରି କରିବେ। କିନ୍ତୁ ସେ ସବୁକୁ ପରିଚାଳନା ଓ କାର୍ଯ୍ୟକାରୀ କରିବା ଆପଣମାନଙ୍କ ଦାୟିତ୍ୱ। ଆପଣମାନଙ୍କ ନିଷ୍ଠା ଓ କର୍ମପ୍ରବଣତା ଯଦି ଜନ ସାଧାରଣଙ୍କ ମୁହଁରେ ହସ ଫୁଟାଇ ପାରିଲା, ତେବେ ତାହା ହିଁ ହେବ ଆପଣଙ୍କ ନିଯୁକ୍ତିର ଯଥାର୍ଥତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ପୂର୍ବ ସରକାର, ସରକାରୀ ଚାକିରୀରେ ପଦବୀ ପୂରଣ ଓ ଆତ୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନେବାରେ ବିଫଳ ହୋଇଥିଲେ। ଆମ ନୂଆ ସରକାର ନିଷ୍ପତ୍ତି ନେଇଛନ୍ତି ଆଗାମୀ ୫ ବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ। ଆଜି ଏହାର ମୂଳଦୁଆ ପଡିଲା। ଏଣିକି ସବୁ ଚୟନ ପଦ୍ଧତି ମେରିଟ୍ ଆଧାରରେ ହେବ। ଏଥି ସହିତ ଶିଳ୍ପ କ୍ଷେତ୍ରରେ ୩.୫୦ ଲକ୍ଷ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ପଦକ୍ଷେପ ନେଉଛୁ ବୋଲି ସେ କହିଥିଲେ।

ନୂତନ ଭାବେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ କର୍ମ କ୍ଷେତ୍ରରେ କର୍ତ୍ତବ୍ୟପରାୟଣତା, ସମୟାନୁବର୍ତ୍ତିତା, ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେବା ସହିତ ଲୋକଙ୍କ ଅଭିଯୋଗ ଶୁଣାଣୀକୁ ପ୍ରାଥମିକତା ଦେଇ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ, ଆଜି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ୮୨ ଜଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୩୯ ଜଣ, ଉଚ୍ଚଶିକ୍ଷା ବିଭାଗର ୨୪ ଜଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨୩୧ ଜଣ, ସୂଚନା ଓ ଲୋକସଂପର୍କ ବିଭାଗର ୫ ଜଣ, ଯୋଜନା ଓ ସଂଯୋଜନ ବିଭାଗର ୬୧ ଜଣ ଏବଂ ଅନୁସୂଚିତ ଜନଜାତି ଓ ଜାତି ବିଭାଗର ୩୪ ଜଣ – ଏହିପରି ସର୍ବମୋଟ ୪୭୬ ଜଣ ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ତନ୍ମଧ୍ୟରେ ଗ୍ରୁପ-ଏ ବର୍ଗର ୯୮ ଜଣ ଅଧିକାରୀ, ଗ୍ରୁପ-ବି ବର୍ଗର ୧୩୦ ଜଣ ଅଧିକାରୀ ଏବଂ ଗ୍ରୁପ-ସି ବର୍ଗର ୨୪୮ ଜଣ କର୍ମଚାରୀ ଅଛନ୍ତି।

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ କିଶୋରୀମାନଙ୍କୁ ସ୍ବାବଲମ୍ବି କରିବା ପାଇଁ ଆୟୋଜିତ ହେଲା ନିଯୁକ୍ତି ମେଳା

ବାଲୁଗାଁ: ମଙ୍ଗଳବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ସିଡିପିଓ ଅନୁସ୍ଵୟା ମିଶ୍ରଙ୍କ ନେତୃତ୍ୱରେ କିଶୋରୀମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।

ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓ ସାହି ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ଼ ତରଫରୁ ସୌମ୍ୟଶ୍ରୀ ମହାନ୍ତି,ସୁଭଦ୍ରା ମହାନ୍ତି କାଉନସେଲର ଭାବେ ଉପସ୍ଥିତ ରହି କିଶୋରୀ ବାଳିକାମାନଙ୍କୁ ନିଯୁକ୍ତି ସମ୍ପର୍କରେ ଅବଗତ କରିଥିଲେ।କମ ବୟସରୁ ବିବାହ ନକରି ଗୁଣାତ୍ମକ ଶିକ୍ଷାଦ୍ୱାରା କିପରି ଜଣେ ମହିଳା ସ୍ୱାବଲମ୍ବୀ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବ ସେନେଇ ସିଡିପିଓ ଶ୍ରୀମତୀ ମିଶ୍ର ପରାମର୍ଶ ଦେଇଥିଲେ।

ଉକ୍ତ ଶିବିରରେ ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା,କଳକଳେଶ୍ୱର,ସିଙ୍ଗେଶ୍ୱର,ଚଣ୍ଡେଶ୍ୱର, ଆଙ୍କୁଲା ପଞ୍ଚୟତରୁ ୧୨୬ ଜଣ ବାଳିକା ଅଂଶଗ୍ରହଣ କରିଥିଲେ।ଏହି ନିଯୁକ୍ତି ପ୍ରକ୍ରିୟା ଆସନ୍ତା ଶନିବାର ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦକ୍ଷତା ଅନୁଯାଇ କିଶୋରୀ ବାଳିକାମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଭିନ୍ନ ସଂସ୍ଥାର କାଉନସେଲର ମାନେ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଚିଲିକା ବିଡ଼ିଓ ହଳଧର ଶବର,ସିଡ଼ିପିଓ ଅନୁସ୍ଵୟା ମିଶ୍ର,ଏବିଇଓ ଗୀତାଞ୍ଜଳି ନାୟକ, ସୁପରଭାଇଜର, ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା

ଭୁବନେଶ୍ଵର: ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦ୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଖୋର୍ଦ୍ଧାଙ୍କ ମିଳିତ ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳା ୦୬ ସେପ୍ଟେମ୍ବର ୨୦୨୩ ରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ନିଯୁକ୍ତି ମେଳା କେବଳ ଚଳନଶକ୍ତି ବାଧିତ ଭିନ୍ନକ୍ଷମ ମାନଙ୍କ (ପୁରୁଷ) ପାଇଁ ଉଦ୍ଦିଷ୍ଟ ଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମ ପ୍ରାର୍ଥୀମାନେ ଏନ.ସି.ଏସ.ସି.ଡି.ଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ।  ଏହି ନିଯୁକ୍ତି ମେଳାରେ ଚଳନଶକ୍ତି ବାଧିତ (OH) ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ପଦବୀ ଥିଲା।

ଏହି ନିଯୁକ୍ତି ମେଳାରେ ଜୋମାଟୋ ଏବଂ ନିଓ ମୋସନ ନିଯୁକ୍ତିଦାତା ଭାବରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ସକ୍ରିୟ ସହଯୋଗରେ ଏହା ସଫଳ ହୋଇଛି। ଏହି ମେଳାରେ ବିତରଣ କାର୍ଯ୍ୟନିର୍ବାହୀ ପଦ ପାଇଁ ଜୋମାଟୋ ଚାକିରି ଆଶାୟୀ ପ୍ରାର୍ଥୀମାନଙ୍କର ସାକ୍ଷାତକାର ନେଇଥିଲା।  ସେମାନେ ୬୦ ଜଣ ଚାକିରି ଆଶାୟୀ ମାନଙ୍କର ଇଣ୍ଟରଭ୍ୟୁ ନେଇଥିଲେ, ସେଥି ମଧ୍ୟରୁ ୨୬ ଜଣ ପ୍ରାର୍ଥୀ ସର୍ଟଲିଷ୍ଟ ହୋଇଛନ୍ତି।

ଆଜିର ମୁଖ୍ୟ ଅତିଥି ଭାବେ ଦିଲ୍ଲିପ କୁମାର ରାୟ, ସ୍ଵତନ୍ତ୍ର ଶାସନ ସଚିବ,SSEPD ବିଭାଗ, ଓଡିଶା ସରକାର ଯୋଗ ଦେଇଥିଲେ। ସେ ନିଯୁକ୍ତିଦାତା ଏବଂ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ସହ ଆଲୋଚନା କରିଥିଲେ। କିପରି ଭିନ୍ନକ୍ଷମ ମାନେ ନିଜକୁ ସ୍ବାବଲମ୍ବୀ କରିପାରିବେ ସେ ସମ୍ପର୍କରେ ସେ ଆଲୋଚନା କରିଥିଲେ।

ଅଭିଜିତ ମିଶ୍ର, ଯୁବ ପେଷାଦାର (YP) ସମସ୍ତ ନିଯୁକ୍ତିଦାତା ମାନଙ୍କୁ ଏହି ମେଳାକୁ ସ୍ଵାଗତ କରିଥିଲେ। NCSCDA ର କାର୍ଯ୍ୟାଳୟର ମୁଖ୍ୟ ତଥା ସହ ନିର୍ଦ୍ଦେଶକ ସୋନାଲିକା ସୁମନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ନିଯୁକ୍ତିଦାତା ଏବଂ ଚାକିରି ଆଶାୟୀ ପ୍ରାର୍ଥୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ସେମାନଙ୍କ ସଂଗଠନ ପାଇଁ ଅଧିକରୁ ଅଧିକ ଭିନ୍ନକ୍ଷମମାନଙ୍କୁ ନିଯୁକ୍ତି ଦେବା ପାଇଁ ନିଯୁକ୍ତିଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାରତ ସରକାରଙ୍କ ତରଫରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା

ନୂଆଦିଲ୍ଲୀ: ଭିନ୍ନକ୍ଷମ ମାନଙ୍କ ପାଇଁ ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ସେଣ୍ଟର (NCSCDA), ଭୁବନେଶ୍ୱର, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖ ୨୦୨୩ ରେ ଜୋମାଟୋ ଏବଂ ନିଓ ମିସନ ସହଯୋଗରେ ଏକ ନିଯୁକ୍ତି ମେଳାର ଆୟୋଜନ କରିବାକୁ ଯାଉଛି।

ଏହି ନିଯୁକ୍ତି ମେଳାଟି କେବଳ ପୁରୁଷ ଚଳନଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ଉପଯୁକ୍ତ ଅଟେ। ଏହି ମେଳାରେ  ବିତରଣ କାର୍ଯ୍ୟନିର୍ବାହୀ ପଦ ପାଇଁ ଭିନ୍ନକ୍ଷମମାନେ ଭାଗ ନେଇ ପାରିବେ। ଏହି ନିଯୁକ୍ତି ମେଳାରେ ଜୋମାଟୋ ଓଡିଶାରେ ଏବଂ ପାନ୍ ଇଣ୍ଡିଆରେ ନିଯୁକ୍ତିର ସୁଯୋଗ ଦେବ ଏବଂ ନିଓମୋସନ୍ ମନୋନୀତ ପ୍ରାର୍ଥୀଙ୍କୁ ସବସିଡିଯୁକ୍ତ ବୈଦ୍ୟୁତିକ ହୁଇଲ ଚେୟାର ପ୍ରଦାନ କରିବ।

ତେଣୁ ସମସ୍ତ ଚାକିରୀ ଆଶାୟୀ ଭିନ୍ନକ୍ଷମ ବ୍ୟକ୍ତି (ଚଳନ ବାଧିତ) ନିଜର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ନକଲ, ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ବାୟୋ ଡାଟା ଫର୍ମ ଆଦି ଡକ୍ୟୁମେଣ୍ଟ୍ ସହିତ ଆସି ଏହି ନିଯୁକ୍ତି ମେଳାରେ ଭାଗ ନେବାକୁ ଅନୁରୋଧ କରାଯାଇଛି।

ତେଣୁ ଆଗ୍ରହୀ ଚାକିରୀ ଆଶାୟୀ ଭିନ୍ନକ୍ଷମମାନେ ଏହି ଚାକିରି ଆବେଦନ କରିବା ପାଇଁ ଉପରୋକ୍ତ ଡକ୍ୟୁମେଣ୍ଟ୍ ସହିତ ନିମ୍ନ ଠିକଣାକୁ ଆସିବାକୁ ଅନୁରୋଧ କରାଯାଇଛି।

ତାରିଖ : ୦୬ ସେପ୍ଟେମ୍ବର ୨୦୨୩

ବୟସ ସୀମା : ୨୩ ବର୍ଷ ରୁ ୪୦ ବର୍ଷ

ଶିକ୍ଷାଗତ ଯୋଗ୍ୟତା:- ସମସ୍ତେ ଯୋଗ୍ୟ ଅଟନ୍ତି (ସ୍ମାର୍ଟ ଫୋନ୍ ରହିବା ଏବଂ ବ୍ୟବହାର ଜାଣିଥିବା ଆବଶ୍ୟକ)

ସମୟ: ସକାଳ ୯ ଘଟିକା

ଠିକଣା: ଏନ ସି ଏସ୍ ସି ଡି ଏ, (ପୂର୍ବରୁ : ଭି ଆର ସି ଏଚ), ପ୍ଲଟ ନଂ- ୧,୨,୫ ଏବଂ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର, ଖୋର୍ଦ୍ଧା-୭୫୧୦୩୦

(ମଧୁସୂଦନ ଦାସ ପାର୍କ ସାମ୍ନା)

ଅଧିକ ସୂଚନା ପାଇଁ ଫୋନ : ୦୬୭୪୨୩୫୨୩୧୭

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଆସନ୍ତା ୬ରେ ନିଯୁକ୍ତି ମେଳା, ଜାଣନ୍ତୁ କେଉଁଠି ଏବଂ କେଉଁମାନେ ନେଇପାରିବେ ଭାଗ

ଖୋର୍ଦ୍ଧା: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ଵାରା ଆସନ୍ତା ୬ ତାରିଖରେ ଦିବା ୧୦ ଘଟିକା ସମୟରେ ଖୋର୍ଦ୍ଧା ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହେବାକୁ ଥିବା ପ୍ରସ୍ତାବିତ କ୍ଷୁଦ୍ର ନିଯୁକ୍ତି ମେଳା ତଥା ପରାମର୍ଶ ଶିବିରର ପ୍ରସ୍ତୁତି ପ୍ରକ୍ରିୟା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ନିଯୁକ୍ତି ମେଳାରେ ୧୨ ଟି ପ୍ରତିଷ୍ଠିତ ବେସରକାରୀ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର ନିଯୁକ୍ତି ଦାତାମାନେ ଯୋଗଦାନ କରିବେ। ଯେଉଁ ନିଯୁକ୍ତି ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ଇଚ୍ଛୁକ ଅଛନ୍ତି, ସେମାନେ ଏହି ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡିକ ମାଧ୍ୟମରେ ନିଯୁକ୍ତିର ସୁଯୋଗ ନେଇପାରିବେ।

ଏତଦବ୍ୟତୀତ ଏହି ନିଯୁକ୍ତି ମେଳାରେ ମଧ୍ୟ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷର କରିଥିବା ୬ ଗୋଟି ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥାର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।

ଯେଉଁ ନିଯୁକ୍ତି ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ଦକ୍ଷତା ବିକାଶ ତାଲିମ ପାଇଁ ଇଚ୍ଛୁକ ଅଛନ୍ତି, ସେମାନେ ଏହି ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥାଗୁଡିକ ମାଧ୍ୟମରେ ସଂପୂର୍ଣ୍ଣ ମାଗଣାରେ ଦକ୍ଷତା ବିକାଶ ତାଲିମ ପ୍ରାପ୍ତ ହୋଇପାରିବେ।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ଵାରା ଖୋର୍ଦ୍ଧା ଜିଲ୍ଲାର ନିଯୁକ୍ତି ଆଶାୟୀ ମାନଙ୍କୁ ଏହି ନିଯୁକ୍ତି ମେଳାରେ ଖୋର୍ଦ୍ଧା, ଚିଲିକା, ଟାଙ୍ଗୀ, ବାଣପୁର, ବୋଲଗଡ ଓ ବେଗୁନିଆ ପଞ୍ଚାୟତ ସମିତି ଅନ୍ତର୍ଗତ ୫ମ ଶ୍ରେଣୀ ପାସ ଠାରୁ ସ୍ନାତକ/ଆଇଟିଆଇ/ଡିପ୍ଲୋମା/ଏଏନଏମ/ ଜିଏନଏମ ଇତ୍ୟାଦି ପାସ କରିଥିବା ନିଯୁକ୍ତି ଆଶାୟୀ ପ୍ରାର୍ଥୀ/ ପ୍ରାର୍ଥୀନୀ ବହୁ ସଂଖ୍ୟାରେ ଯୋଗଦାନ କରି ଏହାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି।

ଏହି ନିଯୁକ୍ତି ମେଳାରେ ଭାଗ ନେବା ପାଇଁ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ସେମାନଙ୍କର ନିଜ ନିଜର ଶିକ୍ଷାଗତ ଯୋଗ୍ୟତା/ ବାସିନ୍ଦା/ଜାତିଗତ/ ଡ୍ରାଇଭିଂ ଏବଂ ଆଧାର ପ୍ରମାଣ ପତ୍ର ସହିତ ନିଜ ପାସପୋର୍ଟ ସାଇଜ ଫଟୋ (୬ ଟି) ସାଥିରେ ଆଣିବାକୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ହେବ ନିଯୁକ୍ତି ମେଳା, ଯୋଗ୍ୟତା ୫ମ ରୁ ୧୦ମ ଫେଲ

ଭୁବନେଶ୍ୱର/ଖୋର୍ଦ୍ଧା:  ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ, ଓଡ଼ିଶାଙ୍କ ତରଫରୁ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଆନୁକୂଲ୍ୟରେ ଚଳିତ ବର୍ଷ ଏକ କ୍ଷୁଦ୍ର ନିଯୁକ୍ତି ମେଳା ତଥା ପରାମର୍ଶ ଶିବିର ଆୟୋଜନ ହେବ। ଏହା ଆଗାମୀ ୫ ଜାନୁଆରୀ,୨୦୨୩ ପୂର୍ବାହ୍ନ. ୧୦ଟା ସମୟରେ ୟୁନିଟ – ୮ ଭୁବନେଶ୍ଵର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଭୁବନେଶ୍ଵର ଅନୁଷ୍ଠିତ ହେବ ।

ଏହା ଭୁବନେଶ୍ଵର, ଜଟଣୀ ,ବାଲିଅନ୍ତା ଓ ବାଲିପାଟଣା ପଞ୍ଚାୟତ ସମିତି ଅନ୍ତର୍ଗତ ପ୍ରାର୍ଥୀ ,ପ୍ରାର୍ଥିନୀମାନଙ୍କ ନିମନ୍ତେ ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ନିଯୁକ୍ତିଦାତା ସଂସ୍ଥାମାନେ ଯୋଗ ଦେବେ । ଏହା ବ୍ୟତୀତ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସଡିଏ) ସହ ବୁଝାମଣା ପତ୍ର (ଏମ୍ଓୟୁ) ସ୍ଵାକ୍ଷର କରିଥିବା ପ୍ରକଳ୍ପ କାର‌୍ୟ୍ୟକାରିଣୀ ସଂସ୍ଥା (ପିଆଇଏ)ମାନେ ମଧ୍ୟ ଯୋଗଦେବେ । ସମସ୍ତ ନିଯୁକ୍ତିଦାତା ସଂସ୍ଥାମାନଙ୍କରେ ସିଧାସଳଖ ନିଯୁକ୍ତିର ସୁଯୋଗ ରହିଅଛି ।

ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ମାଧ୍ୟମରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ଜିଲ୍ଲା ମଧ୍ୟରେ ତାଲିମ ନେଇ ମଧ୍ୟ ନିଶ୍ଚିତ ନିଯୁକ୍ତିର ସୁଯୋଗ ହାସଲ କରିପାରିବେ । ସୁତୁରାଂ ଭୁବନେଶ୍ଵର,ଜଟଣୀ, ବାଲିଅନ୍ତା ଓ ବାଲିପାଟଣା ପଞ୍ଚାୟତ ସମିତି ଅନ୍ତର୍ଗତ ରୋଜଗାର ସନ୍ଧାନରେ ଥିବା ୫ମ ଶ୍ରେଣୀ ପାସ ଠାରୁ ଦଶମ ଶ୍ରେଣୀ ଫେଲ ପର୍ଯ୍ୟନ୍ତ ଏବଂ ମାଟ୍ରିକ ପାସ ଠାରୁ ସ୍ନାତକ ବା ଆଇ.ଟି.ଆଇ କିମ୍ବା ଡିପ୍ଲୋମା ବା ଏଏନମ, ଜିଏନମ ଉତ୍ତୀର୍ଣ୍ଣ ହୋଇଥିବା ଆଗ୍ରହୀ ଯୁବକ ବା ଯୁବତୀ ମାନେ ନିଯୁକ୍ତି ମେଳା ଦିନ ୟୁନିଟ-୮, ଭୁବନେଶ୍ଵର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ନିଜର ନାମ ପଞ୍ଜୀକୃତ କରି ଏହି ମେଳାରେ ଭାଗନେଇ ପାରିବେ ।

ଏଥିପାଇଁ ପ୍ରାର୍ଥୀ ପ୍ରାର୍ଥିନୀମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା, ବାସିନ୍ଦା ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ଆଧାର ପ୍ରମାଣ ପତ୍ର, ଡ୍ରାଇଭିଙ୍ଗ ଲାଇସେନ୍ସର ଏକକିତା ନକଲ ସହ ପାସପୋର୍ଟ ସାଇଜର ଫଟୋ ୬ଗୋଟି ସାଥିରେ ଆଣିବାକୁ ଅନୁରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ତରଫରୁ ସମସ୍ତ ନିଯୁକ୍ତି ଆଶାୟୀ ପ୍ରାର୍ଥୀ, ପ୍ରାର୍ଥିନୀମାନଙ୍କୁ ଉକ୍ତ ନିଯୁକ୍ତି ମେଳା ତଥା ପରାମର୍ଶ ଶିବିରରେ ଯୋଗଦେଇ ଏହାର ସୁଯୋଗ ନେବାକୁ ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ଆଂଚଳିକ ସହକାରୀ ନିୟୋଜନ ନିର୍ଦ୍ଦେଶକ,ଭୁବନେଶ୍ୱରଙ୍କ ତରଫରୁ ଏବଂ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉକି, ଏହି ନିଯୁକ୍ତି ମେଳା ତଥା ପରାମର୍ଶ ଶିବିରରେ ଅଂଶଗ୍ରହଣ କରୁଥିବା ନିଯୁକ୍ତିଦାତା ସଂସ୍ଥା ଏବଂ ପ୍ରକଳ୍ପ କାର‌୍ୟ୍ୟକାରିଣୀ ସଂସ୍ଥା ମାନଙ୍କର ସବିଶେଷ ତଥ୍ୟ ନିକଟସ୍ଥ ପଞ୍ଚାୟତ ସମିତି କାର‌୍ୟ୍ୟଳୟରେ ଉପଲବ୍ଧ ହେବ । ଭୁବନେଶ୍ଵର ମହାନଗର ନିଗମ ଏବଂ ଜଟଣୀ ପୌରପରିଷଦ , ଅନ୍ତର୍ଗତ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନିର୍ଦ୍ଧାରିତ ଦିବସ ଓ ସ୍ଥାନରେ ନିଜର ନାମ ପଞ୍ଜିକରଣ କରି ଏହି ମେଳାରେ ଭାଗ ନେଇ ପାରିବେ।

ଆଜି ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନରେ ଏକ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଓସ୍ୱାନ୍ ସଭାଗୃହରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଗନ୍ତ କୁମାର ରାଉତରାୟ, ଆଂଚଳିକ ସହକାରୀ ନିୟୋଜନ ନିର୍ଦ୍ଦେଶକଙ୍କ ସହିତ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଏହି ନିଯୁକ୍ତିମେଳାର ଆୟୋଜନ ନିମନ୍ତେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ସରକାରଙ୍କ ନିଯୁକ୍ତି ମେଳାରେ ଏଥର 400 ଜଣଙ୍କୁ ଦିଆଯିବ ଚାକିରୀ, ଯୋଗ୍ୟତା 5ମ ପାଶ୍

ଭୁବନେଶ୍ବର: କେନ୍ଦ୍ର ସରକାର ଆରମ୍ଭ କରିଥିବା ନିଯୁକ୍ତି ମେଳାରେ ଏଥର 400 ଜଣଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତି କରିଛନ୍ତି। ସେହି ଅନୁସାରେ ଆସନ୍ତା 28 ତାରିଖରେ ଏହି ନିଯୁକ୍ତି ମେଳା ଭୁବନେଶ୍ବରର ପୋଖରୀପୁଟର ଗଣ୍ଡମୁଣ୍ଡାରେ କରାଯିବ। ସେଠାରେ ଥିବା କେନ୍ଦ୍ର ସରକାରଙ୍କ National Career Service Centre for Differently Abled ବା NCSCDA କାର୍ଯ୍ୟାଳୟରେ ସିଧା ପରୀକ୍ଷା କରାଯିବ।

ଏଥିରେ ରିଲେସନସିପ ମ୍ୟାନେଜର, ଟେଲିକଲର, ହାଉସକିପିଂ, ରୋଷେୟା ସହାୟତା, ସୁପରଭାଇଜର, ସର୍ପଟ ଷ୍ଟାଫ୍, ସେଲସ ଏଜକ୍ୟୁଟିଭ ପ୍ରଭୃତି ପଦବୀ ପାଇଁ ଏହି ସାକ୍ଷାତକାର ପରୀକ୍ଷା ହେବ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା 5ମ ପାଶ ରହିଥିବା ବେଳେ ବୟସ 18 ବର୍ଷରୁ 38 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏନସିଏସସିଡିଏ ପକ୍ଷରୁ ନିଯୁକ୍ତି ମେଳା

ଭୁବନେଶ୍ବର: ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦ୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଦ୍ଵାରା ଏକ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାର୍ଥୀ ମାନେ (ଉଭୟ ଭିନ୍ନକ୍ଷମ ଏବଂ ଅଣ ଭିନ୍ନକ୍ଷମ)  ଏନ.ସି.ଏସ.ସି.ଡି.ଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ। ଏହି ନିଯୁକ୍ତି ମେଳାରେ ଚଳନ ଶକ୍ତି ବାଧିତ ଏବଂ ଶ୍ରବଣ ଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ପଦବୀ ଥିଲା।

ଏହି ନିଯୁକ୍ତି ମେଳାଟି ବିଭିନ୍ନ ନିଯୁକ୍ତିଦାତା ଯଥା ସାଇଣ୍ଟିଷ୍ଟିକ ମାଇଣ୍ଡ, ଗର୍ଗ ଲଜିଷ୍ଟିକ, କମଳିନୀ ଆସୋସିଏଟ ମାନଙ୍କ ସକ୍ରିୟ ସହଯୋଗରେ ସଫଳ ହୋଇଛି। ସେମାନେ ୬୭ ଜଣ ଚାକିରି ଆଶାୟୀ ମାନଙ୍କର ଇଣ୍ଟରଭ୍ୟୁ ନେଇଥିଲେ, ସେଥି ମଧ୍ୟରୁ ୬୩ ଜଣ ପ୍ରାର୍ଥୀ (ଭିନ୍ନକ୍ଷମ ସହିତ) ସର୍ଟଲିଷ୍ଟ ହୋଇଛନ୍ତି।ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଲଜିଷ୍ଟିକ, ରିଟେଲ ସେଲ୍ସ ଏକଜିକ୍ୟୁଟିଭ , ମାର୍କେଟିଙ୍ଗ, , ଟେଲି କଲର, ୱେବ ଡିଜାନିଙ୍ଗ ଆଦି ପ୍ରାୟ ୨୦୦ ରୁ ଅଧିକ ପଦବୀ ପାଇଁ ବିଭିନ୍ନ କମ୍ପାନି ମାନେ ଯୋଗଦେଇଛନ୍ତି।

NCSCDA କାର୍ଯ୍ୟାଳୟର ମୁଖ୍ୟ/ମନୋବିଜ୍ଞାନୀ ସୋନାଲିକା ସୁମନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ନିଯୁକ୍ତିଦାତା ଏବଂ ଚାକିରି ଆଶାୟୀ ପାର୍ଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ସେମାନଙ୍କ ସଂଗଠନ ପାଇଁ ଅଧିକରୁ ଅଧିକ PWD ନିଯୁକ୍ତି ଦେବା ପାଇଁ ନିଯୁକ୍ତିଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତ୍ୟେକ ସଂଗଠନରେ ସମାବେଶୀ କର୍ମକ୍ଷେତ୍ର ନିଶ୍ଚିତ କରିବାକୁ ଏହି କେନ୍ଦ୍ର ଦ୍ୱାରା ଆୟୋଜିତ ହେବାକୁ ଥିବା ଭବିଷ୍ୟତର ଚାକିରି ମେଳାରେ ଅଂଶଗ୍ରହଣ କରିବାକୁ ଶ୍ରୀମତୀ ସୋନାଲିକା ସେମାନଙ୍କୁ ଅନୁରୋଧ କରିଥିଲେ।        

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୫ରେ ଏନସିଏସସିଡିଏ ପକ୍ଷରୁ ସ୍ବତନ୍ତ୍ର ନିଯୁକ୍ତି ମେଳା

ଭୁବନେଶ୍ବର: ଉଭୟ ଦିବ୍ୟାଙ୍ଗ ଏବଂ ଅଣ ଦିବ୍ୟାଙ୍ଗ ନିଯୁକ୍ତି ଆଶାୟୀଙ୍କ ଲାଗି ଭୁବନେଶ୍ବରସ୍ଥିତ ଏନସିଏସସିଡିଏ (ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର) ପକ୍ଷରୁ ଏକ ସ୍ବତନ୍ତ୍ର ନିଯୁକ୍ତି ମେଳା ଅୟୋଜନ କରାଯିବ। ଆସନ୍ତା ୧୫ ତାରିଖରେ ବିଭିନ୍ନ ବର୍ଗରେ ୨୫୦ଟି ପଦବୀ ପାଇଁ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଭୁବନେଶ୍ବର ପୋଖରୀପୁଟ ଗଣ୍ଡମୁଣ୍ଡାସ୍ଥିତ (ମଧୁସୂଦନ ପାର୍କ ସମ୍ମୁଖ) ଏନସିଏସସିଡିଏ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତାଧାରୀ ପ୍ରାର୍ଥୀମାନେ ଭାଗ ନେଇପାରିବେ।

ୱେବ ଡେଭଲପମେଣ୍ଟ, ସେଲ୍ସ, ଟେଲି ସେଲ୍ସ, ସର୍ଭିସ ଇଞ୍ଜିନିୟର, ଗ୍ରାହକ ସେବା, ଲଜିଷ୍ଟିକ୍ସ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ । ମାଟ୍ରିକ ପାସ ଠାରୁ ଆରମ୍ଭ କରି ଯୁକ୍ତ ଦୁଇ, ସ୍ନାତକ, ଏମବିଏ, ଆଇଟିଆଇ ଏବଂ ଡିପ୍ଲୋମା ନିଯୁକ୍ତିଧାରୀମାନେ ଏସବୁ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଦିବ୍ୟାଙ୍ଗ ବର୍ଗରେ ନିଯୁକ୍ତି ଆଶାୟୀମାନେ ଚଳନ ଅକ୍ଷମତା (ଏଲଡି) ଏବଂ ବାକ୍‌ ଓ ଶ୍ରବଣଶକ୍ତି ହୀନ ଦିବ୍ୟାଙ୍ଗମାନେ ଏଥିରେ ଭାଗ ନେଇପାରିବେ।

ସମସ୍ତ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନେ ସବୁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର କାର୍ଡ, ପାସପୋର୍ଟ ଫଟୋ, ଦିବ୍ୟାଙ୍ଗ ପ୍ରମାଣପତ୍ର ଏବଂ ବାୟୋଡେଟା ସହିତ ଆବେଦନ କରିପାରିବେ। ନିଯୁକ୍ତି ମେଳା ସମ୍ପର୍କରେ ଅଧିକ ସୂଚନା ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ୦୬୭୪-୨୩୫୨୩୧୭ ନମ୍ବରରେ ଯୋଗାଯୋଗ କରିବା ଲାଗି ଏନସିଏସସିଡିଏ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ବିଶେଷ ଖବର

ଭୁବନେଶ୍ୱର ସ୍ଥିତ ଏନସିସିସିଡିଏ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗଙ୍କ ପାଇଁ ନିଯୁକ୍ତି ମେଳା

ଭୁବନେଶ୍ୱର: ଦିବ୍ୟାଙ୍ଗମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର, ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ନିଯୁକ୍ତି ମେଳା ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ପାଇଁ  ରାଜ୍ୟର ବିଭିନ୍ନ ସ୍ଥାନରୁ ସମସ୍ତ ପ୍ରାର୍ଥୀ ମାନେ ଏନସିସିସିଡିଏ କାର୍ଯ୍ୟାଳୟ ପରିସରରେ ଏହି ମେଳାରେ ଭାଗ ନେଇଥିଲେ। ଏଥିରେ ଶ୍ରବଣ ଶକ୍ତି ରହିତ ଭିନ୍ନକ୍ଷମମାନଙ୍କ ପାଇଁ ମଧ୍ୟ ପଦବୀ ଥିଲା।

ଏହି କାର୍ଯ୍ୟକ୍ରମରେ ଜିତାମିତ୍ରା ଶତପଥୀ , ପ୍ରିନ୍ସିପାଲ, ସରକାରୀ ଆଇ.ଟି.ଆଇ ମୁଖ୍ୟ ଅତିଥି, ଏବଂ ତପନ କୁମାର ରାଉଳ, ଉପ କ୍ଷେତ୍ରୀୟ ରୋଜଗାର ଅଧିକାରୀ ଅତିଥି ଭାବରେ ଯୋଗ ଦେଇଥିଲେ। ସୁଜିତ କୁମାର ସାହୁ , ସହ ନିର୍ଦ୍ଦେଶକ, ଏନସିସିସିଡିଏ, ଭୁବନେଶ୍ୱର, ସୋନାଲିକା ସୁମନ ଏବଂ ମୀନତି ପଟ୍ଟନାୟକ ଦ୍ୱାରା ସମର୍ଥିତ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଫାଇନାନ୍ସ,, ଳୋଜିଷ୍ଟିକ, ନର୍ସିଂ, ମାର୍କେଟିଙ୍ଗ, ଅଟୋ ମୋବାଇଲ, ଇ କମର୍ସ, ଆକାଉନ୍ଟସ, ଟ୍ରାଭେଲ୍ସ,, ଆ.ଇ.ଟି ଆଦି ପ୍ରାୟ ୭୫୦ରୁ ଅଧିକ ପଦବୀ ପାଇଁ ବିଭିନ୍ନ କମ୍ପାନି ମାନେ ଯୋଗଦେଇଛନ୍ତି। ସେଥି ମଧ୍ୟରେ Quess Corp, Randstad India, Sky Automobiles, Trupti group, Quantum Wire Technical services pvt Ltd, Team Success World Wide Youth Icon, L&T Finance, Deevine Nursing, Tatwa Technology, Garg logistics, ଆଦି ୨୬ କମ୍ପାନି ମାନେ ଯୋଗ ଦେଇଛନ୍ତି। ଏହି ନିଯୁକ୍ତି ମେଳାରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ଵ ପ୍ରାର୍ଥୀମାନେ ଯୋଗ ଦେଇଥିଲେ।

ବେକାରୀ ଥିବା ପିଲାମାନେ କେମିତି ନିଜ ଜୀବନ ସ୍ରୋତରେ ନିଯୁକ୍ତି ପାଇବେ ଏବଂ ଏହି ନିଯୁକ୍ତି ମେଳା ତାଙ୍କମାନଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ଶ୍ରୀମତି ଜିତାମିତ୍ରା କହିଛନ୍ତି। “ଆଜାଦୀ କା ଅମୃତ ମହୋତ୍ସବ ଏକ ବହୁତ ସୁନ୍ଦର ପଦକ୍ଷେପ ଏବଂ ଏହି ନିଯୁକ୍ତି ମେଳା ଦ୍ଵାରା ବହୁତ ପିଲା ମାନେ ନିଜର ସଠିକ ଦିଗ ପାଇ ପାରିବେ” ଶ୍ରୀ ରାଉଳ କହିଛନ୍ତି।

“ପିଲାମାନଙ୍କୁ  ଏବଂ କମ୍ପାନି ମାନଙ୍କୁ ଗୋଟିଏ ଜାଗାରେ ସାକ୍ଷାତ  କରିବା ଏବଂ ନିଯୁକ୍ତି ଆଶାୟୀ ପ୍ରାର୍ଥୀ ଓ ନିଯୁକ୍ତି ଦାତା ମାନଙ୍କ ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ କମ କରିବା ଏହି ନିଯୁକ୍ତି ମେଳାର ମୁଖ୍ୟ ଉଦେଶ୍ୟ” ଶ୍ରୀ ସାହୁ କହିଛନ୍ତି।

ଶ୍ରୀ ସାହୁ ସମସ୍ତ ଏମ୍ପ୍ଲୋୟର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସମସ୍ତ ଚାକିରି ଆଶାୟୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୮ ତାରିଖରେ ଭିନ୍ନକ୍ଷମଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା

ଭୁବନେଶ୍ୱର: ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ସନସିଡ୍ ଆଗ୍ରୋ ଲିମିଟେଡର ମିଳିତ ସହଯୋଗରେ ଆସନ୍ତା ୧୮ ତାରିଖରେ ଏହି ନିଯୁକ୍ତି ମେଳା ଆୟୋଜିତ ହେବ। ଦିବ୍ୟାଙ୍ଗ ଏବଂ ସାଧାରଣ ବର୍ଗର ନିଯୁକ୍ତି ଆଶାୟୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ପ୍ରଡକ୍ଟ ମାର୍କେଟିଂ, ସେଲ୍ସ ଓ ସୁପରିଭିଜନ କ୍ଷେତ୍ରରେ ଖାଲିଥିବା ୧୫୫ଟି ପଦବୀ ପାଇଁ ଏହି ନିଯୁକ୍ତି ମେଳା ଆୟୋଜନ କରାଯିବ। ୨୧ରୁ ୩୩ ବର୍ଷ ବୟସ ମଧ୍ୟରେ ପ୍ରାର୍ଥୀ ଏଥିରେ ଅଂଶଗ୍ରହଣ କରିପାରିବେ।

ଆଶାୟୀ ପ୍ରାର୍ଥୀମାନଙ୍କୁ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର କାର୍ଡ, ପାସପୋର୍ଟ ସାଇଜର ଫଟୋ, ଦିବ୍ୟାଙ୍ଗ ପ୍ରମାଣପତ୍ର (ଦିବ୍ୟାଙ୍ଗ ହୋଇଥିଲେ) ଏବଂ ବାୟୋଡାଟା ସହିତ ଏହି ମେଳାରେ ଭାଗ ନେବା ଲାଗି ଅନୁରୋଧ କରାଯାଉଛି। ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୨ଟା ମଧ୍ୟରେ ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ପ୍ଲଟ ନମ୍ବର-୧,୨,୫ ଏବଂ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର (ମଧୁସୂଦନ ଦାସ ପାର୍କ ସମ୍ମୁଖ) ଠିକଣାରେ ପହଞ୍ଚି ପ୍ରାର୍ଥୀମାନେ ଏହି ମେଳାରେ ଭାଗ ନେଇପାରିବେ।