Categories
ଆଜିର ଖବର ଜାତୀୟ ଖବର

ଦେଶରେ କୋଭିଡ-19 ସଂକ୍ରମଣ ହାର 6.73 ପ୍ରତିଶତ, ପଂଜାବରେ ସଂକ୍ରମଣ ହାର ସର୍ବନିମ୍ନ 1.92 ପ୍ରତିଶତ

ନୂଆଦିଲ୍ଲୀ, ଏବେ ବିଶ୍ବରେ ଆମେରିକା ଓ ବ୍ରାଜିଲ ପଛକୁ ତୃତୀୟ ସ୍ଥାନରେ ଥିବା ଭାରତରେ ସୋମବାର ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ ପାଖାପାଖି ପହଞ୍ଚିଛି। ସରକାର କହିଛନ୍ତି ଜାତୀୟ ସ୍ତରରେ କୋଭିଡ-19 ପଜିଟିଭ ରୋଗୀଙ୍କ ହାର 6 ଦଶମିକ 73 ପ୍ରତିଶତରେ ପହଞ୍ଚିଛି। ପଂଜାବରେ ସଂକ୍ରମିତ ରୋଗୀଙ୍କ ହାର ସର୍ବନିମ୍ନ 1ଦଶମିକ 92 ପ୍ରତିଶତ ରହିଛି। ପ୍ରତି 10 ଲକ୍ଷ ଲୋକଙ୍କ ସ୍ବାବ ନମୁନା ପରୀକ୍ଷା ଆଧାରରେ ପଜିଟିଭ ହାର ପ୍ରସ୍ତୁତ ହୋଇଛି ।

ପୁରା ଦେଶରେ ଦଶ ଲକ୍ଷ ଲୋକଙ୍କ ମଧ୍ୟରୁ 6 ହଜାର 859 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟରେ ଏହା ଦର୍ଶାଯାଇଛି। କୋଭିଡ-19 ପରିଚାଳନା ପାଇଁ ଅଧିକ ସଂଖ୍ୟାରେ ନମୁନା ସଂଗ୍ରହ ଓ ପରୀକ୍ଷା, ତୁରନ୍ତ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ଚିହ୍ନଟ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେବା ସହିତ ମିଳିତ ଭାବେ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯଗ ଫଳରେ ଜାତୀୟ ସଂକ୍ରମଣ ହାର 6 ଦଶମିକ 73 ପ୍ରତିଶତରେ ସୀମିତ ରହିଛି।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 24 ହଜାର 248ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 425 ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 97 ହଜାର 413ରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା 16 ହଜାର 693 ଛୁଇଁଛି।

ମିଳିଥିବା ତଥ୍ୟ ଆଧାରରେ ଜୁଲାଇ 5 ସୁଦ୍ଧା ପୁଡୁଚେରୀ, ଚଣ୍ଡିଗଡ଼, ଆସାମ, ତ୍ରିପୁରା, କର୍ଣ୍ଣାଟକ, ରାଜସ୍ଥାନ, ଗୋଆ ଓ ପଂଜାବରେ ସଂକ୍ରମଣ ହାର ଜାତୀୟ ହାର ତୁଳନାରେ କମ୍ ରହିଛି। ନୂତନ ରାପିଡ ଆଣ୍ଟିଜେନ ଟେଷ୍ଟ ଫଳରେ ପ୍ରାୟ ଅଧଘଣ୍ଟା ଭିତରେ ରିପୋର୍ଟ ମିଳି ପାରୁଛି। (ଏଜେନସି)