Categories
ଆଜିର ଖବର ରାଜ୍ୟ ଖବର

ରାଜସ୍ୱ ପର୍ଷଦ ଦ୍ୱାରା ୧୬୬୬ ଗୋଟି ପଡ଼ାଗ୍ରାମ ସମ୍ବନ୍ଧୀୟ ମାମଲାର ସମାଧାନ

କଟକ: ରାଜ୍ୟରେ ପଡ଼ାଗ୍ରାମଗୁଡ଼ିକୁ ରାଜସ୍ୱ ଗ୍ରାମରେ ପରବର୍ତ୍ତନ କରାଯିବା ପରିପ୍ରେକ୍ଷୀରେ ଜିଲ୍ଲାପାଳମାନଙ୍କ ଦ୍ୱାରା ୫୦୧୫ ଗୋଟି ଚିହ୍ନିତ ପଡ଼ାଗ୍ରାମର ତଥ୍ୟ ପ୍ରଦାନ କରାଯାଇଛି । ରାଜସ୍ୱ ପର୍ଷଦ ଦ୍ୱାରା ୧୬୬୬ ଗୋଟି ପଡ଼ାଗ୍ରାମ ସମ୍ବନ୍ଧୀୟ ମାମଲାଗୁଡ଼ିକୁ ଫଇସଲା କରାଯାଇଛି ।

ଅବଶିଷ୍ଟ ୩୩୪୯ ଗୋଟି ପଡ଼ାଗ୍ରାମ ସମ୍ବନ୍ଧୀୟ ପୂର୍ଣ୍ଣାଙ୍ଗ ତଥ୍ୟାବଳୀ ସମସ୍ତ ଜିଲ୍ଲାପାଳମାନେ ପ୍ରଦାନ କରିବାକୁ ମାନ୍ୟବର ସଦସ୍ୟ, ରାଜସ୍ୱ ପର୍ଷଦ ଶ୍ରୀ ରାଜ କୁମାର ଶର୍ମା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଏ ସମ୍ବନ୍ଧୀୟ ତଥ୍ୟରୁ ଜଣାଯାଏ ୬୭୧ ଗୋଟି ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମରେ ପରିବର୍ତ୍ତିତ କରାଯିବା ପାଇଁ ଆଦେଶ ପ୍ରଦାନ କରାଯାଇଥିବାବେଳେ ୧୦୩ ଗୋଟି ପଡ଼ାଗ୍ରାମ ମାମଲାର ତଥ୍ୟ ଭୂଲେଖରେ ଗତ ଡିସେମ୍ବର ୨୯ ତାରିଖ ସୁଦ୍ଧା ପଞ୍ଜୀକୃତ ହୋଇଛି ।

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ଜିଲ୍ଲାପାଳମାନେ ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରାଯିବା ନିମନ୍ତେ ଗୁରୁତ୍ୱାରୋପ କରି ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଆଗାମୀ ଦୁଇ ମାସ ମଧ୍ୟରେ ଜିଲ୍ଲା ସ୍ତରରୁ ଅବଶିଷ୍ଟ ୩୩୪୯ ଗୋଟି ମାମଲାକୁ ରାଜସ୍ୱ ପର୍ଷଦକୁ ପଠାଯିବା ସହ ୫୬୮ ଗୋଟି ଅନୁମୋଦିତ ଗ୍ରାମଗୁଡ଼ିକର ‘ଭୁଲେଖ ତଥ୍ୟ ପଂଜୀକରଣ’ ଆଗାମୀ ଏକମାସ ମଧ୍ୟରେ ଶେଷ କରାଯିବା ପାଇଁ ମାନ୍ୟବର ସଦସ୍ୟ ଶ୍ରୀ ଶର୍ମା ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଜିଲ୍ଲାରୁ ଅନ୍ୟ ପଡ଼ାଗ୍ରାମଗୁଡ଼ିକୁ ଚିହ୍ନଟ କରି ପ୍ରସ୍ତାବନାମା ରାଜସ୍ୱ ପର୍ଷଦକୁ ପଠାଯିବା ଏବଂ ପ୍ରତି ମାସରେ ଏ ସମ୍ବନ୍ଧରେ ରିଭୁ୍ୟ ବୈଠକ କରାଯିବା ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।