ଭୁବନେଶ୍ବର : ନୟାଗଡ ପରୀ ହତ୍ୟା ମାମଲାରେ ଏସ୍ଆଇଟି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିସାବସରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଧାନସଭାରେ ଏହା ଘୋଷଣା କରିଛନ୍ତି । ଆଜି ବି ପରୀ ହତ୍ୟାକାଣ୍ଡକୁ ନେଇ ବିଧାନସଭା ହୁଲସ୍ତୁଲ୍ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଘୋଷଣା ବେଳେ ବି ବିରୋଧୀଙ୍କ ହୋହଲ୍ଲା ଜାରି ରହିଥିଲା ।
ପରୀ ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବାବେଳେ ବିରୋଧୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି । ବିଧାନସଭା ଭିତରେ ଓ ବାହାରେ ବି ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ପରୀକୁ ନ୍ୟାୟ ଦାବିରେ ବିଜେପି ଓ ଯୁବକ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ପରୀକୁ ନ୍ୟାୟ ଓ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରାଯାଇଛି ।
ଅପରପକ୍ଷରେ ଏହି ମାମଲାକୁ ନେଇ ବିଧାନସଭା ମଧ୍ୟରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଗୃହ ମଧ୍ୟଭାଗକୁ ଆସି ବିଜେପି ସଦସ୍ୟମାନେ ପ୍ରତିବାଦ କରିଛନ୍ତି । ବିଜେପି ସଦସ୍ୟମାନେ ପୋଷ୍ଟର ଓ ବ୍ୟାନର ଦେଖାଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି । ସେହିପରି କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ନାରାବାଜି ସହ ହଟ୍ଟଗୋଳ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଗୃହ ପୁଣି କମ୍ପିଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ କରାଯାଇଛି । ତେବେ ଗୃହ ସ୍ୱାଭାବିକ କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିବା ଜଣାଯାଇଛି ।