ପରୀ ପ୍ରସଙ୍ଗରେ ବିବୃତ୍ତି ରଖିଲେ ଅରୁଣ

Published: Nov 26, 2020, 4:21 pm IST

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏବେ ଅଡ଼ୁଆରେ କୃଷିମନ୍ତ୍ରୀ ଅରୁଣ ସାହୁ । ଏହି ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବାବେଳେ ବିରୋଧୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି ।  ତେବେ ଏହା ଭିତରେ ମନ୍ତ୍ରୀ  ଅରୁଣ ସାହୁ ବିଧାନସଭାରେ ନିଜର ବିବୃତ୍ତି ରଖିଛନ୍ତି । ପରୀ ହତ୍ୟା ଘଟଣା ତାଙ୍କୁ ବ୍ୟଥିତ କରିଛି ବୋଲି ସେକହିଛନ୍ତି । ଏହି ଘଟଣାକୁ ନେଇ ସେ ଗଭୀର ମର୍ମାହତ । ସେ ହିଂସାକୁ ବିରୋଧ କରନ୍ତି । ତେବେ ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ସ୍ବାଗତ ଜଣାଇଛନ୍ତି ଅରୁଣ । ଏହି ଘଟଣାରେ ଯିଏ ବି ଜଡିତ ଥାଆନ୍ତୁନା କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲିକହିଛନ୍ତି ଅରୁଣ । ପରୀ ନ୍ୟାୟ ପାଉ । ସତ୍ୟ ଉନ୍ମୋଚନ ହେଉ ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

ସୂଚନାଯୋଗ୍ୟ, ପରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି ବୁଧବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର  ବିଧାନସଭାରେ ସୂଚନା ଦେଇଥିଲେ । ଏହି ମାମଲାର ଏଯାବତ 34 ଜଣଙ୍କୁ ଜେରା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।  ସେହିପରି 4 ଜଣଙ୍କର ପଲିଗ୍ରାଫ ଟେଷ୍ଟ ହୋଇଥିବା ଗୃହକୁ ଜଣାଇବା ସହ ନୟାଗଡ଼ ଏସଡିପିଓ ମାମଲାର ତଦାରଖ କରୁଥିବା ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ । ପରୀ ମାମଲାରେ ଉଭୟ ବିଜେପି ଓ କଂଗ୍ରେସ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ପାଇଁ ଦାବି କରିଛନ୍ତି ।  ଅପରପକ୍ଷରେ ପରୀ ମାମଲାକୁ ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗୁରୁବାର ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି।

Related posts