Categories
ଆଜିର ଖବର ରାଜ୍ୟ ଖବର

ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଘର ୧୧ତମ ଦ୍ୱିବାର୍ଷିକ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପୁରୁଷ ବହମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଘର ୧୧ତମ ଦ୍ୱିବାର୍ଷିକ ଅଧିବେଶନ ସଂଘର ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରି ସ୍ୱାସ୍ଥ୍ୟକର୍ମୀ ସଂଘର ମୁଖ୍ୟ ଦାବି, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡ଼ର ପୁର୍ନଗଠନ, ପୋଷାକ ଓ ଭତ୍ତା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ଯୋଗଦେଇ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିଷ୍ଠାପର ସେବାକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଦୂରଦର୍ଶୀ ପତ୍ରିକାର ସମ୍ପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ ଓ ଓଡ଼ିଶା ଅମଲା ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରସନ୍ନ ତ୍ରିପାଠୀ ଯୋଗ ଦେଇ ସ୍ୱାସ୍ଥ୍ୟକର୍ମୀମାନଙ୍କ ସେବା ପ୍ରଦାନକୁ ପ୍ରଶଂସା କରିବା ସହ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ସରକାର ଦୃଷ୍ଟିଦେବା ଉଚିତ୍ ବୋଲି ମତପ୍ରକାଶ କରିଥିଲେ।

ଏହି ଅଧିବେଶନରେ ରାଜ୍ୟ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀର ସାଧାରଣ ସମ୍ପାଦିକା ଶ୍ରୀମତୀ ମମତା ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀର ରାଜ୍ୟ କାର୍ଯ୍ୟନିର୍ବାହୀ ପରିଷଦର ସଭାପତି ଭାବେ ଜିତେନ୍ଦ୍ର ମହାପାତ୍ର, ଅଧ୍ୟକ୍ଷ ଭାବେ ସନ୍ତୋଷ କୁମାର ମହାରଣା ଓ ସାଧାରଣ ସମ୍ପାଦକ ଭାବେ ରବୀନ୍ଦ୍ର ନାଥ ପ୍ରଧାନ, କାର୍ଯ୍ୟାଳୟ ସମ୍ପାଦକ ଭାବେ ପ୍ରଶାନ୍ତ ସାମନ୍ତରା, ଅର୍ଥ ସମ୍ପାଦକ ଭାବେ ସୁଶାନ୍ତ କୁମାର କୁଣ୍ଡୁ ଓ ଅନ୍ୟ କର୍ମକର୍ତ୍ତାମାନେ ନିର୍ବାଚିିତ ହୋଇଥିଲେ। ଶେଷରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।