Categories
ଆଞ୍ଚଳିକ

ଭେଟେଶ୍ୱର ଓ ଗମ୍ଭାରୀମୁଣ୍ଡା ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନିଜ ନିର୍ବାଚନମଣ୍ଡଳି ଅନ୍ତର୍ଗତ ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ସ୍ଥିତ ଭେଟିନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ।

ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ଉନ୍ନତି ଆଣି ବାଣପୁର ବ୍ଲକରେ ଏକମାତ୍ର ବିଦ୍ୟାଳୟ ଭାବରେ ‘ପିଏମ ଶ୍ରୀ’ ସ୍କୁଲରେ ଅନ୍ତର୍ଭୁକ୍ତ ହୋଇ ବିଦ୍ୟାଳୟ ତଥା ଭେଟେଶ୍ଵର ଗ୍ରାମ ପଞ୍ଚାୟତର ଗୌରବ ବୃଦ୍ଧି କରିବାରେ ସୌଭାଗ୍ୟ ଅର୍ଜନ କରିଥିବାରୁ ବିଦ୍ୟାଳୟର ସମସ୍ତ ହିତାକାଂକ୍ଷୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ‌ ମନ୍ତ୍ରୀ। ଅନୁରୂପ ଭାବେ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟରୁ ବାଣପୁର ଓ ଚିଲିକା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପରିଚୟ ପାଇଥିବାରୁ ଅଞ୍ଚଳବାସି ଓ ବିଦ୍ୟାଳୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଥଲେ ମନ୍ତ୍ରୀ।

ଏହି ଅବସରରେ ଭେଟିନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବିଇଓ‌ ସି.ଏଚ୍. ବିଜୟଲକ୍ଷ୍ମୀ, ଭେଟେଶ୍ବର ଗ୍ରା:ପ ର ସରପଞ୍ଚ ସାବିତ୍ରୀ ଭୋଳଙ୍କ ସମେତ ବହୁ ବିଶିଷ୍ଟ ଅତିଥି ମାନେ ଯୋଗଦେଇଥିବା ବେଳେ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ହୋତା,ପ୍ରଧାନ ଶିକ୍ଷୟତ୍ରୀ ସଚ଼ଳା ଗୁରୁଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆଇନ ମନ୍ତ୍ରୀ

ବାଣପୁର: ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନ ନିଜ ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ଜାରି ରଖିଛନ୍ତି। ମଙ୍ଗଳବାର ଦିନ ଚିଲିକାରେ ଏକାଧିକ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ବୁଧବାର ଦିନ ମଧ୍ୟ ଉକ୍ତ ପ୍ରକ୍ରିୟା ଜାରି ରହିଛି।

ଆଜି ବାଣପୁର ବ୍ଲକ ଭେଟେଶ୍ବର ପଞ୍ଚାୟତ ଅନ୍ତର୍ଗତ ବାଁଳୋଇ ଗ୍ରାମକୁ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଗସ୍ତ କରିଥିଲେ। ଏହି ଗସ୍ତ ଅବସରରେ ମନ୍ତ୍ରୀଙ୍କୁ ଗ୍ରାମବାସୀ ଉଚ୍ଚ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ମନ୍ତ୍ରୀ ବାଁଳୋଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଆଦର୍ଶ ଫାଟକର ଶୁଭ ଉଦଘାଟନ, ବାଁଳୋଇ (କ), ବାଁଳୋଇ (ଖ) ଅଙ୍ଗନୱାଡ଼ି କେନ୍ଦ୍ରର ଶୁଭ ଉଦଘାଟନ, ମାର୍କେଟ କମ୍ପ୍ଲେକ୍ସର ନୂତନ ଗୃହର ଶୁଭ ଉଦଘାଟନ କରିବା ସହ ବାଁଳୋଇ ଗ୍ରାମରେ ବନ ସୁରକ୍ଷା ସମିତି ଗୃହ ନିର୍ମାଣ କାର୍ଯ୍ୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ନାଗରିକ ଏବଂ ୮୦ ପ୍ରତିଶତରୁ ଅଧିକ ହୋଇଥିବା ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ଉଭୟ ମଧୁବାବୁ ପେନସନ ଯୋଜନା (MBPY) ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ (NSAP) ଅଧୀନରେ ସାମାଜିକ ସୁରକ୍ଷା ଭତ୍ତାକୁ ୧୨୦୦ ଟଙ୍କା ରୁ ୩,୫୦୦ ଟଙ୍କାକୁ ବୃଦ୍ଧି କରିବାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି ଅବସରରେ ମନ୍ତ୍ରୀ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ।

ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ସରପଞ୍ଚ ସାବିତ୍ରୀ ଭୋଳ, ଜିଲ୍ଲା ପରିଷଦ ସଭ୍ୟା ଟିକି ଶବର, ସମିତିସଭ୍ୟା ରଶ୍ମିତା ପ୍ରଧାନ,ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ ସହ ବହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର ସତସଙ୍ଗ ବିହାରର ସଭାପତିଙ୍କ ପରଲୋକ: ଶେଷ ଦର୍ଶନ କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ

ବାଣପୁର: ବାଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବାଣପୁର ସତସଙ୍ଗ ବିହାରର ସଭାପତି ତଥା ସାମ୍ବାଦିକ ଓ ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ବଡ଼ ଦାଦା ଗୋବିନ୍ଦ ପ୍ରସାଦ ଅଗ୍ରୱାଲଙ୍କ ଆଜି ସକାଳେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଶ୍ରୀ ଅଗ୍ରୱାଲ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ବାଣପୁର ଅଞ୍ଚଳର ବହୁ ଧାର୍ମିକ ଏବଂ ସାମାଜିକ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ। ଜଣେ ମିଷ୍ଟଭାସି, ପରୋପକାରୀ ଏବଂ ବଦାନ୍ୟ ବ୍ୟକ୍ତି ଭାବେ ସମଗ୍ର ବାଣପୁର, ବାଲୁଗାଁ ଅଞ୍ଚଳରେ ସେ ବେଶ ଜଣାଶୁଣା ଥିଲେ। ତାଙ୍କର ବିୟୋଗରେ ଆତ୍ମୀୟ ଏବଂ ସହପାଠୀ ମାନେ ମ୍ରିୟମାଣ ହୋଇପଡିଛନ୍ତି। ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କ ଶେଷକୃତ ସ୍ଥାନୀୟ ଅଗ୍ରୱାଲ ସମାଜ ସ୍ମଶାନରେ ସମ୍ପନ୍ନ ହୋଇଥିଲା।

ତେବେ ବିୟୋଗ ଖବର ପାଇ ସ୍ୱର୍ଗତ ଶ୍ରୀ ଅଗ୍ରୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ, ବାଣପୁର ଓ ବାଲୁଗାଁ ସତସଙ୍ଗ ବିହାର କର୍ମକର୍ତ୍ତା, ବାଣପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କର୍ମକର୍ତ୍ତା, ଏବିଭିପି କାର୍ଯ୍ୟକର୍ତ୍ତା, ବାଣପୁର ଓକିଲ ସଂଘ କର୍ମକର୍ତ୍ତା, ବାଣପୁର-ବାଲୁଗାଁ ଅଞ୍ଚଳର ବହୁ ସାମ୍ବାଦିକ, ସମାଜସେବୀ, ବ୍ୟବସାୟୀ ଏବଂ ସ୍ଥାନୀୟ ଜନସାଧାରଣମାନେ ଶେଷ ଦର୍ଶନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଲୁଗାଁ ଇସ୍କନରେ ଧୂମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ, ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁସ୍ଥିତ ଇସ୍କନ ଠାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଦିନତମାମ ଭଜନ ସମାରୋହ ସାଙ୍ଗକୁ ହରେ ରାମ ହରେ କୃଷ୍ଣ ଧ୍ୱନୀରେ ପରିସର କମ୍ପି ଉଠୁଥିଲା।

ସନ୍ଧ୍ୟା ଆଳତିରେ ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ମନ୍ତ୍ରୀଙ୍କ ସହ ପୂର୍ବତନ ଚିଲିକା ବିଧାୟକ ଡା ବିଭୁତି ଭୂଷଣ ହରିଚନ୍ଦନ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରାଙ୍କ ସମେତ ବହୁ ଆଗ ଧାଡ଼ିର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

ସାନ୍ଧ୍ୟ ଅଧିବେଶନରେ ଶ୍ରୀକୃଷ୍ଣ ଜନ୍ମ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ଭକ୍ତଙ୍କ ନିମିତ୍ତ ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ହଜାର ହଜାର ସଂଖ୍ୟକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ଇସ୍କନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମଧ୍ୟାହ୍ନରେ ଓଡ଼ିଶା ପୂର୍ତ୍ତ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନ ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ପରିଦର୍ଶନରେ ଆସି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରଥମେ ମା’ ଭଗବତୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ମନ୍ଦିର ବେଢା ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ବ୍ଲୁ ପ୍ରିଣ୍ଟ ଦେଖିଥିଲେ। ପୂର୍ବ ସରକାର ଦ୍ୱାରା ଅନୁମୋଦିତ ହୋଇଥିବା ଉନ୍ନୟନ ପ୍ରକଳ୍ପକୁ ପ୍ରଶାସନିକ ଅନୁମତି ମିଳିନଥିବାରୁ କାର୍ଯ୍ୟ ବନ୍ଦ ଥିବା ବେଳେ ଆଜି ମନ୍ତ୍ରୀ ତାହାକୁ ତୁରନ୍ତ ଅନୁମୋଦନ କରାଇଥିଲେ।

ଏହି ଅବସରରେ ଏଣ୍ଡାଓମେଣ୍ଟ ସଭାପତି ତଥା ବାଣପୁର ତହସିଲଦାର ଏବଂ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଉନ୍ନୟନ ପ୍ରକଳ୍ପ ବିଷୟରେ ମନ୍ତ୍ରୀ ପଚାରି ବୁଝିଥିଲେ। ଏହି ଅବସରରେ ମନ୍ଦିର ସେବାୟତ ଏବଂ ସ୍ଥାନୀୟ ଜନସାଧାରଣ ମାନେ ମନ୍ଦିର ଉନ୍ନତିକୁ ନେଇ ବିଭିନ୍ନ ପ୍ରସ୍ତାବ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମନ୍ଦିର ଚତୁଃପାର୍ଶ୍ୱ ପରିଦର୍ଶନ କରିବା ସହ ପ୍ରସ୍ତାବିତ ବସ ପାର୍କିଙ୍ଗ, ଯାତ୍ରୀ ବିଶ୍ରାମ କେନ୍ଦ୍ର, ନୂତନ ରିଙ୍ଗ ରୋଡ ସ୍ଥାନ ଆଦି ବୁଲି ଦେଖିଥିଲେ। ଉନ୍ନୟନ କାର୍ଯ୍ୟ ପାଇଁ ବେସରକାରୀ ଜମି ଅଧିଗ୍ରହଣ ଏକ ମୁଖ୍ୟ ସମସ୍ୟା ଥିବା ବେଳେ ତାହାକୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରାଯାଇ କିପରି ଉନ୍ନୟନ କାର୍ଯ୍ୟରେ ସାମିଲ କରାଯାଇପାରିବ ତାହାକୁ ଗୁରୁତ୍ୱ ଦେଇଥିଲେ ମନ୍ତ୍ରୀ।

ତତସହିତ ଭଗବତୀ ମନ୍ଦିର ନିକଟରେ ଥିବା କେନାଲ ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଯାହାଦ୍ୱାରା ଉନ୍ନୟନ କାର୍ଯ୍ୟ କ୍ଷିପ୍ର ଗତିରେ ହୋଇପାରିବ। ତେବେ ଯଥାଶୀଘ୍ର ଉନ୍ନୟନ ତଥା ସୌଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରିବାକୁ ଓବିସିସି କୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ।

ତେବେ ଉନ୍ନୟନ କାର୍ଯ୍ୟ ନିମନ୍ତେ ସାଧାରଣ ଜନତା ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ଗୁରୁତ୍ୱ ଦେବାକୁ ସ୍ଥାନୀୟ ପ୍ରଶାସନ ଏବଂ ଓବିସିସି କୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ।  ଏହାପରେ ମନ୍ତ୍ରି ବାଣପୁର ପ୍ରଜାପିତା ବ୍ରହ୍ମକୁମାରୀ ସେଣ୍ଟର ଯାଇ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାକୁ ଆସିଲା ୧୫ ଶହ କୋଟି ଟଙ୍କା ମୂଲ୍ୟର ଚାରିଟି ଜାତୀୟ ରାଜପଥ ପ୍ରକଳ୍ପ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,  ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ NH ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକ ଉପରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ବୈଠକରେ ଯୋଗ ଦେଇଥିଲେ।

ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ଶ୍ରୀଯୁକ୍ତ ନିତିନ ଗଡକରୀ  ଅଧ୍ୟକ୍ଷତା କରିଥିଲେ।

ଏହି ସଭାରେ ଓଡିଶାର ମୁଖ୍ୟ ଶାସନ ସଚିବ; ଏସିଏସ୍, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ପୁର୍ତ୍ତ ବିଭାଗର ପ୍ରମୁଖ ସଚିବ ଯୋଗ ଦେଇଥିଲେ।

ଏହି ବୈଠକରେ ଓଡ଼ିଶା ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଚାଲିଥିବା ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ କରାଯିବ ବୋଲି ସହମତି ପ୍ରକାଶ ପାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଶ୍ୱାସନା ଦେଇଛନ୍ତି ଯେ ରାସ୍ତା ନିର୍ମାଣ ଓଡ଼ିଶା ସରକାରଙ୍କ ପ୍ରାଥମିକତା ହୋଇଥିବାରୁ ସମସ୍ତ ସହଯୋଗ ଯୋଗାଇ ଦିଆ ଯିବ ଏବଂ ଜମି ଅଧିଗ୍ରହଣ ଭଳି ସମସ୍ୟା ଓ ନିର୍ମାଣ ସାମଗ୍ରୀର ଉପଲବ୍ଧତା ଶୀଘ୍ର ସମାଧାନ ହେବ।

(କ) ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଓଡିଶା ପାଇଁ ପ୍ରଯ୍ୟୁଜ ପ୍ରକଳ୍ପ

1. ଭୁବନେଶ୍ୱର – ପୁରୀ  ଦୈର୍ଘ୍ୟ: ୬୦ କିମି ,ସର୍ଭିସ୍ ରୋଡ୍ ସହିତ ୬ ଲେନ୍ ଯାହାର ଆନୁମାନିକ ମୂଲ୍ୟ ୧୮୦୦ କୋଟି ଟଙ୍କା

2. ଚଣ୍ଡିଖୋଲ – ବଡ଼ବିଲ, ଦୈର୍ଘ୍ୟ – ୨୦୦ କିମି ,ଆନୁମାନିକ ମୂଲ୍ୟ ୧୦୦୦୦ କୋଟି ଟଙ୍କା ସହିତ ସର୍ଭିସ ରୋଡ୍ ସହିତ

3. ଖୋର୍ଦ୍ଧା-ନୟାଗଡ଼ (NH-57) ଦୈର୍ଘ୍ୟ -୫୪ କିମି, ଆନୁମାନିକ ମୂଲ୍ୟ ୧୧୦୦ କୋଟି ଟଙ୍କା ସହିତ ନିର୍ମିତ ଅଞ୍ଚଳରେ ସର୍ଭିସ୍ ରୋଡ୍ ସହିତ ୪-ଲେନ୍

4. କେସିଙ୍ଗା-ଜୁନାଗଡ (ଜାତୀୟ ରାଜପଥ-୨୬) ଦୈର୍ଘ୍ୟ -୪୬ କିମି, ୧୦୦୦ କୋଟି ଟଙ୍କାର ଆନୁମାନିକ ମୂଲ୍ୟ ସହିତ ୪-ଲେନ୍ |

୧୫୦୦୦ କୋଟି ଟଙ୍କା ମୂଲ୍ୟର ସମସ୍ତ ଚାରିଟି ପ୍ରକଳ୍ପ ଉପରେ ସହମତି ହୋଇଥିଲା ଏବଂ ଏହି ପ୍ରକଳ୍ପଗୁଡିକ ପାଇଁ DPR ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଗଲା |

ଖ) କୋରାପୁଟ – ପୋଡୋମାରି ପ୍ରକଳ୍ପ ( ଜାତୀୟ ରାଜପଥ-୩୨୬) (୨୪୬ କିମି) ର ଦୁଇ ଲେନିଂ ପାଇଁ ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇସାରିଛି

ଗ) କେନ୍ଦ୍ରୀୟ ସଡକ ଏବଂ ଭିତ୍ତିଭୂମି ପାଣ୍ଠି (CRIF) ଅଧୀନରେ ଚଳିତ ବର୍ଷ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅଧିକନ୍ତୁ, ବ୍ୟବହାର ପରେ ପାଣ୍ଠି ମଧ୍ୟ ମୁକ୍ତ କରାଯାଇପାରିବ।

ଘ) ସେହିପରି ଓଡ଼ିଶା ରାଜ୍ୟ ପାଇଁ ସେତୁ ବନ୍ଧନ ଯୋଜନା ଅଧୀନରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି।

ଙ) ଓଡିଶାରେ ଜାତୀୟ ରାଜପଥର ଉନ୍ନତି ପାଇଁ ୩୪୦୦ କୋଟି ଟଙ୍କାର DPR ଦାଖଲ କରାଯିବ।

ଆଜି ବୈଠକରେ କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ଶ୍ରୀ ନିତିନ ଗଡକରୀ ଜୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ୨୧,୬୫୦ କୋଟି ଟଙ୍କାର ପ୍ରକଳ୍ପ ସହ ଆଲୋଚନା କରିଛନ୍ତି।

ଚ) ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ଶ୍ରୀ ନିତିନ ଗଡକରୀ ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକର ସମ୍ଭାବ୍ୟତା ଉପରେ ଅଧିକ ଅଧ୍ୟୟନ କରିବାକୁ ସହମତ ହୋଇଛନ୍ତି: –

ଓଡିଶାର ମେରୁଦଣ୍ଡ (ଅଟଳ ଏକ୍ସପ୍ରେସୱେ) ମୋଟୁ – ତିରିଙ୍ଗି (୯୬୯ କିମି) ଆନୁମାନିକ ପ୍ରକଳ୍ପ ମୂଲ୍ୟ ସହିତ ୯ ଟି ଜିଲ୍ଲା ଦେଇ ଯାଉଛି ୧୫୦୦୦ କୋଟି ଟଙ୍କାର ପଶ୍ଚିମ-ପୂର୍ବ ସଂଯୋଗୀକରଣ କରିଡର ।

କ) ଝାରସୁଗୁଡ଼ା-ବାଲେଶ୍ୱର (୩୮୩ କିମି) ପାଖାପାଖି ୭,୫୦୦ କୋଟି ଟଙ୍କା
ଖ) ନୂଆପଡ଼ା – ଅସ୍ତରଙ୍ଗ (୪୯୧ କିମି) ପାଖାପାଖି ୯୫୦୦ କୋଟି ଟଙ୍କା
ଗ) ବୃନ୍ଦବାବାହାଲ୍ – ଗୋପାଳପୁର (୩୫୭ କିମି) ପାଖାପାଖି ୬୮୦୦ କୋଟି ଟଙ୍କା
ଘ) ସମ୍ବଲପୁର – ସାତଭାୟା (୪୦୪ କିମି) ପାଖାପାଖି ୫୪୭୭ କୋଟି ଟଙ୍କା

* ଗ୍ରାଣ୍ଡ ରିଙ୍ଗ ରୋଡ୍
କ) ବ୍ରହ୍ମପୁର – ଜୟପୁର (୨୮୭ କିମି) ପାଖାପାଖି ୯୦୦୦ କୋଟି ଟଙ୍କା |
ଖ) ଜୟପୁର – ରାଉରକେଲା (୬୩୮ କିମି) ପାଖାପାଖି ୨୫୦୦ କୋଟି ଟଙ୍କା
ଗ) ରାଉରକେଲା – ଜଳେଶ୍ୱର (୩୯୧ କିମି) ପାଖାପାଖି ୨୨୦୦ କୋଟି ଟଙ୍କା
ଘ) ଜଳେଶ୍ୱର – ବ୍ରହ୍ମପୁର (ଜାତୀୟ ରାଜପଥ-୧୬ ରେ ୪୪୨ କିମି)

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ପୋଷଣ ଅଭିଯାନ କାର୍ଯ୍ୟକ୍ରମ: ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୦:୩୦ ମିନିଟ ସମୟରେ ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବରର ଏକାମ୍ର ବିଧାୟକ ବାବୁ ସିଂ, ଜଟଣୀ ବିଧାୟକ ବିଭୁତି ଭୂଷଣ ବଲବନ୍ତରାୟ, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂହ ପ୍ରମୁଖ ଅତିଥିମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଚଞ୍ଚଳ ରାଣା ସଭାପତିତ୍ବ କରିଥିବା ବେଳେ ବୈଠକରେ ସ୍ବାଗତ ଭାଷଣ ରଖିଥିଲେ କୁସୁମ କୁମାରୀ ପ୍ରହରାଜ।

ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘କୁପୋଷଣ (ପୁଷ୍ଟି ହୀନତା )ମୁକ୍ତ ଭାରତ’ ଗଠନ। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କର ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀକ ପୋଷଣ କାର୍ଯ୍ୟକ୍ରମ। ପିଲା ମାନଙ୍କର ଉଚ୍ଚତା ଏବଂ ଓଜନ ମାଧ୍ୟମରେ ପୁଷ୍ଟି ହୀନତା ବିଷୟରେ ଜଣାଯିବା।

ଆଜି ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ସେମାନଙ୍କର ଅଭିବ୍ୟକ୍ତି ରଖିଥିଲେ। ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଶିଶୁ ହେଉଛନ୍ତି ଦେଶର ଭବିଷ୍ୟତ। ଅଙ୍ଗନବାଡି କର୍ମୀ, ଆଶା କର୍ମୀ ମା’ ମାନେ ନିଷ୍ଠାପର ଭାବେ ପୁଷ୍ଟି ହିନ ଶିଶୁଙ୍କୁ ଚିହ୍ନଟକରଣ କରିବାରେ ଉଦ୍ୟମ କରିବା ଏବଂ ଖୋର୍ଦ୍ଧା ଜିଲ୍ଲାରେ ଶୂନ୍ୟ ପୁଷ୍ଟି ହିନ ପାଇଁ ତତ୍ପର ରହିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ମାନ୍ୟବର ମନ୍ତ୍ରୀ ତାଙ୍କ ଅଭିବ୍ୟକ୍ତିରେ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏହା ଏକ ଗୁରୁତ୍ବ ଦିଆ ଯାଇଥିବା ଜାତୀୟ ପୁଷ୍ଟି ହୀନତାର ପୋଷଣ କାର୍ଯ୍ୟକ୍ରମ। ପୁଷ୍ଟିହିନ ଶିଶୁଙ୍କୁ ସକ୍ଷମ କରିବା ଏହି ଯୋଜନାର ଏକ ବିରାଟ ବଡ ଲକ୍ଷ ଏବଂ ଦେଶରେ ଆଗାମୀ ଭବିଷ୍ୟତ ସକ୍ଷମ ଭାରତ ବର୍ଷ ସକ୍ଷମ ଶିଶୁ ଏବଂ ସକ୍ଷମ କିଶୋର ମାନଙ୍କର ଆବଶ୍ୟକ‌ତା ରହିଛି। ସେ ଉଦାହରଣ ଦେଇ ପୁଷ୍ଟି ହୀନତାର ଶିକାର ହୋଇଥିବା ‘ନଗଡା’ ଭଳି ଦୁଃଖଦାୟକ ଘଟଣା ବର୍ଣ୍ଣନା କରି ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ କେହି ଜାଣି ଶୁଣି ଅପପୁଷ୍ଟିର ଶିକାର ହୋଇନଥାନ୍ତି, ମୁଖ୍ୟତଃ ଦାରିଦ୍ର୍ୟ ଯୋଗୁଁ ଶିଶୁମାନେ ଅପ‌ପୁଷ୍ଟିର ଶିକାର ହୋଇଥାନ୍ତି। ତେଣୁ ସେମାନଙ୍କୁ ସହାୟତାର ହାତ ବଢାଇ ଦାରିଦ୍ର୍ୟ ଦୂରୀକରଣ କରା ଯାଇପାରିବ। ଉଚ୍ଚତା ଏବଂ ଓଜନ ଏହି ଦୁଇଟି ବଡ ଟାର୍ଗେଟ ପୋଷଣ ଟ୍ରାକର। ଏକ ଡାଟାବେସ୍ ରେ ପରିବାରର ସଦସ୍ୟମାନଙ୍କର ଙ୍କର ପୁଷ୍ଟି ହୀନତାର ମାତ୍ରା ଚିହ୍ନଟିକରଣ କରାଗଲେ ପୁଷ୍ଟି ହୀନତା ସଂପୂର୍ଣ୍ଣ ଭାବେ ନିରାକରଣ କରାଯାଇପାରିବ।

ଆସନ୍ତା ୨ ବର୍ଷ ଭିତରେ ଆମ ଜିଲ୍ଲାରେ ଗୋଟିଏ ପରିବାର ପୁଷ୍ଟି ହୀନତାର ଶିକାର ନ ହେଉ ଏବଂ ଆମ ଜିଲ୍ଲା ‘ଶୂନ ଅପପୁଷ୍ଟି ‘ଜିଲ୍ଲା ଭାବେ ପରିଚିତ କରିବା ଆମର ଲକ୍ଷ ହେଉ। ସବୁ ପରିବାରଙ୍କୁ ସହାୟତାର ହାତ ବଢାଇ ପାରିଲେ ଏବଂ ସଚେତନିତାର ବାର୍ତ୍ତା ଜାହିର ରଖା ଗଲେ, ମା ମାନେ ସଚେତନ ହେଲେ ପୁଷ୍ଟି ହୀନତା ଦୂର କରା ଯାଇ ପାରିବ।

ଏହା ଛଡା ମାନ୍ୟବର ମନ୍ତ୍ରୀ କହିଲେ, ମା’ ମାନେ ସଚେତନ ହେଲେ ପିଲା ମାନଙ୍କୁ ସଠିକ ଭାବେ ଟୀକାକରଣ କରା ଯାଇପାରିବ ଏବଂ ଏହାଛଡା ଜିଲ୍ଲାରେ ନିୟମିତ ମନିଟରିଂ ଏବଂ ଟ୍ରାକି” ପ୍ରକ୍ରିୟାରେ ଆମ ଅଞ୍ଚଳରେ ସମ୍ପୂର୍ଣ୍ଣ ଅପପୁଷ୍ଟି ଦୂରୀକରଣ କରା ଯାଇପାରିବ। ଉତ୍ତର ପିଢୀଙ୍କୁ ସମାଜ ସହିତ ଯୋଡ଼ା ଯାଇ ପାରିଲେ ଆମ ଜୀବନ ସାର୍ଥକ ହେବ।

ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସ୍ବାତି ମିଶ୍ର। ଏହା ଛଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଦଲ ମହାନ୍ତି, ରାଜ୍ୟ ସ୍ଥରୀୟ ସମୀକ୍ଷକ ଶୀତାଂଶୁ ସିଂ, ସୌରଭ ଭଟ୍ଟାଚାର୍ଯ୍ୟ, ବିନାୟକ କନ୍ଧପାନ, ଜିଲ୍ଲାର ସମସ୍ତ ଆଇ ସିଡି ଏସ ସୁପର ଭାଇଜର, ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ସହକାରେ ସଭା ସାଙ୍ଗ କରା ଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ ଊମା ମହେଶ୍ୱର ବଣିକ ସଂଘ ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରବିବାର ସନ୍ଧ୍ୟାରେ ଊମା ମହେଶ୍ୱର ବଣିକ ସଂଘ ପକ୍ଷରୁ ସଭା ଗୃହରେ ସଭାପତି ରବି ନାରାୟଣ ନାୟକଙ୍କ ସଭାପତିତ୍ୱରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନବନିର୍ବାଚିତ ଚିଲିକା ବିଧାୟକ ତଥା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସଙ୍ଗଠନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଉକ୍ତ ସଭାରେ ସମ୍ପାଦକ ସରୋଜ କୁମାର ପାତ୍ର ସଂଘୀୟ ବିବରଣୀ ପାଠ କରିଥିବା ବେଳେ ସଭାପତି ଶ୍ରୀ ନାୟକ ଚିଲିକାକୁ ଜାତୀୟ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ସାଙ୍ଗକୁ ଚିଲିକାର ବିକାଶ ପାଇଁ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ।

ଏହି ସଭାରେ ଉପସଭାପତି ସେକ ଗନିତ, ଧୀରେନ୍ଦ୍ରନାଥ ପାତ୍ର, କୋଷାଧ୍ୟକ୍ଷ ଚୈତନ୍ୟ ପୃଷ୍ଟିଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଅନୁରୂପ ଭାବେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡଃ ଯୋଗେନ୍ଦ୍ରନାଥ ସେନାପତି,ସମ୍ପାଦକ ମୁରଲୀଧର ସମନ୍ତସିଂହାରଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଆଇନ ମନ୍ତ୍ରୀଙ୍କ ପରାମର୍ଶ ପରେ ବାଣପୁର ବିଡିଓଙ୍କ ତତ୍ପରତା: ଚି଼ହ୍ନଟ ହେଲା ପାନୀୟ ଜଳ ସମସ୍ୟା ଅଞ୍ଚଳ

ବାଣପୁର (ସୀତାରାମ ଅଗ୍ରୱାଲ): ନିକଟରେ ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନଙ୍କ ପରାମର୍ଶକ୍ରମେ ବାଣପୁର ବିଡିଓ ଶୀତଲ ଅଗ୍ରୱାଲ ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ତତ୍ପର ହୋଇଛନ୍ତି।  ବିଡିଓ ଗମ୍ଭାରୀମୁଣ୍ଡା, ମୋରାମୋରି, ନାଚୁଣୀ ଓ କୁଲେଇ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପରିଦର୍ଶନରେ ଯାଇ ପାନୀୟ ଜଳ ସମସ୍ୟା ଥିବା ଅଞ୍ଚଳଗୁଡିକୁ ଚି଼ହ୍ନଟ କରିଥିଲେ। ଏବଂ ଏଥିସହିତ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ବିଭିନ୍ନ ଅଞ୍ଚଳର ପାନୀୟ ଜଳ ସମସ୍ୟାକୁ ନେଇ ଏକ ଚିଠା ପ୍ରସ୍ତୁତ କରିଛନ୍ତି।

ଯାଞ୍ଚ ବେଳେ ଦେଖିବାକୁ ମିଳିଥିଲାକି କିଛି ବ୍ୟକ୍ତିମାନେ ସରକାରୀ ଟାଙ୍କିରୁ ନିଜ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ପାଇପ ଲଗାଇ ପାନୀୟ ଜଳ ଘରକୁ ନେଉଛନ୍ତି ଯାହାଦ୍ୱାରା ଗ୍ରାମର ଶେଷ ଭାଗକୁ ପାନୀୟ ଜଳ ପହଞ୍ଚିପାରୁନାହିଁ। ସେ ଉକ୍ତ ବିଷୟକୁ ଗୁରୁତ୍ୱ ଦେବା ସହ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାନୀୟ ପିଇଓ ମାନଙ୍କୁ ନିର୍ଦେଶ ଦେଇଥିଲେ।

ତେବେ ଆଗକୁ ଉକ୍ତ ଚିଠା ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରି ଏହାର ନିରାକରଣ ଦିଗରେ ଆର୍ଥିକ ସହାୟତା ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିବେ ବୋଲି ବିଡିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି। ବିଡିଓଙ୍କ ଗସ୍ତ ସମୟରେ ଆରଡବ୍ଲୁଏସଏସ ଜେଇ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏକ ବିରାଟ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଚିଲିକା ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଧିକାରୀଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ନୁଆ ବସ ଷ୍ଟାଣ୍ଡ ଛକରୁ ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ଶ୍ରୀ ହରିଚନ୍ଦନ। ଏହାପରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଗତକାଲିର ଘଟଣା ପରେ ପୋଲିସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡି କରିଥିବା ବେଳେ ଭାଜପା କର୍ମୀ ମାନେ ନିଜ ନେତାଙ୍କ ନାମାଙ୍କନ ପତ୍ର କାର୍ଯ୍ୟକ୍ରମରେ ସାମିଲ ହେବାଲାଗି ଅତ୍ୟଧିକ ଉତ୍ସହିତ ହୋଇ ଫାଟକ ମଧ୍ୟକୁ ଧସେଇ ପଶିଥିଲେ।

ତେବେ ପୋଲିସ ସଙ୍ଗେସଙ୍ଗେ ଘଟଣାକୁ ଆୟତ୍ତ କରିବା ସହ ଭାଜପା କର୍ମୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାର କରିଥିଲେ। ତେବେ ବିଶାଳ ଶୋଭାଯାତ୍ରାରେ ଜୟ ଶ୍ରୀରାମ, ଭାରତ ମାତାକି ଜୟ, ପୃଥ୍ୱୀରାଜ ହରିଚନ୍ଦନ ଜିନ୍ଦାବାଦ, ନରେନ୍ଦ୍ର ମୋଦି ଜିନ୍ଦାବାଦ ଆଦି ସ୍ଲୋଗାନରେ କମ୍ପି ଉଠିଥିଲା ଖୋର୍ଦ୍ଧା ସହର।

ଉକ୍ତ ନାମାଙ୍କନ ଶୋଭାଯାତ୍ରାରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ସଂଗଠକ ଜିତେନ୍ଦ୍ର କୁମାର ଭୋଳ ଓ ସମସ୍ତ ନିର୍ବାଚିତ ଜନପ୍ରତିନିଧି ପ୍ରମୁଖ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ନେତାଙ୍କ କଥା ରଖିଲେ ରେଳ ମନ୍ତ୍ରୀ: କାଳୁପଡ଼ା ଘାଟ ରେଳ ଷ୍ଟେସନରେ ରହଣି କରିବ ଏହି ଟ୍ରେନ୍

ସୀତାରାମ ଅଗ୍ରୱାଲ

କାଳୁପଡ଼ା: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ଖୁବ ଶୀଘ୍ର ରହିବ ପ୍ରଶାନ୍ତି ଏକ୍ସପ୍ରେସ। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ।

ସୂଚନା ମୁତାବକ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା। ତେବେ ଏହାକୁ ଗୁରୁତ୍ୱ ଦେଇ ନିକଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ଅନୁରୋଧ କରିଥିଲେ। ଯାହା ଫଳରେ ମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରେଳବାଇ ବୋର୍ଡ ଉକ୍ତ ଅନୁରୋଧକୁ ମାନି ନେଇଛି ଏବଂ ଖୁବ କମ ଦିନ ମଧ୍ୟରେ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହିବ ବୋଲି ସୂଚନା ଦେଇଛନ୍ତି ବିଜେପି ନେତା ଶ୍ରୀ ହରିଚନ୍ଦନ।

ଏଥି ନିମନ୍ତେ ଉଭୟ ବିଜେପି ନେତା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଶାନ୍ତି ଏକ୍ସପ୍ରେସ କାଳୁପଡ଼ା ଘାଟ ରେଳ ଷ୍ଟେସନ ରେ ରହିବା ଦ୍ୱାରା ଚିଲିକା, ରଣପୁର ଏବଂ ଖୋର୍ଦ୍ଧା ନିର୍ବାଚନମଣ୍ଡଳି ର ବହୁ ଜନସାଧାରଣ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି l

Categories
ଆଞ୍ଚଳିକ

ହନୁମାନ ଜୟନ୍ତୀରେ ବଜରଙ୍ଗ ଦଳର ବିଶାଳ ରାଲି: ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ବାଣପୁର-ବାଲୁଗାଁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ଆଜି ଅନୁଷ୍ଠିତ ହୋଇଯାଇଛି ବିଶାଳ ବାଇକ ରାଲି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଉକ୍ତ ରାଲି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ। ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା।

ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ତେବେ ଗତବର୍ଷ ପରି ଚଳିତ ଥର ମଧ୍ୟ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁବାସୀ। ବିରାଟକାୟ ହନୁମାନଙ୍କ ପତାକା ଧରି, ଜିସିବି ଏବଂ ଗାଡ଼ିରେ ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଶୋଭାଯାତ୍ରାରେ ଏତେ ସଂଖ୍ୟକ ରାମଭକ୍ତଙ୍କ ଯୋଗଦାନ ଫଳରେ ଉଭୟ ସହରର ଟ୍ରାଫିକ ଏକ ରକମର ଠପ ହୋଇଯାଇଥିଲା।

ଅନୁରୂପ ଭାବେ ଶୋଭାଯାତ୍ରା ଯେତେ ଆଗକୁ ଆଗକୁ ଅଗ୍ରସର ହେଉଥିଲା ସେତେ ଅଧିକ ପରିମାଣରେ ରାମ ଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳିଥିଲା। ଉକ୍ତ ରାଲିରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ମଧ୍ୟ ଯୋଗ ଦେଇଥିଲେ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନ ରେ ବାଣପୁର, ବାଲୁଗାଁ ଓ ନାଚୁଣୀ ଆଇଆଇସି ଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ଥିଲେ।

Categories
ଆଞ୍ଚଳିକ

ପାହାଡ଼ ନିଲାମୀ ପରବର୍ତ୍ତୀ ସମସ୍ୟା: ବାଣପୁର ତହସିଲଦାରଙ୍କୁ ଭେଟିଲେ ବିଜେପି ନେତା ପୃଥ୍ଵୀରାଜ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ କୁଲେଇ ଗ୍ରାମପଞ୍ଚାୟତର ନୀଳକଣ୍ଠପୁର ମୌଜାରେ ଅଛି ବସବାଗୁଲି ପାହାଡ଼। ସରକାରଙ୍କ ନିର୍ଦ୍ଦେଶ ମୁତାବକ ଉକ୍ତ ପାହାଡ଼ରୁ ପଥର ନେବାପାଇଁ ଜନୈକ ନିଲାମଧାରୀ ଲିଜ ଗ୍ରହଣ କରିଛନ୍ତି। ପଥର ଫଟାଇବା ପରେ ସ୍ଥାନୀୟ ଅଧିବାସୀ ଉକ୍ତ ନୀଲାମକୁ ବିରୋଧ କରିଛନ୍ତି। ଗ୍ରାମବାସୀ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ପୂର୍ବରୁ ଅଭିଯୋଗ ପ୍ରଦାନ କରାଯାଇଥିବା ବେଳେ ବୁଧବାର ଅପରାହ୍ନରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ବହୁ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୧୪ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ତହସିଲଦାରଙ୍କୁ ଭେଟି ଉକ୍ତ ଲିଜ ଉପରେ ରୋକ ଲଗାଇବା ନିମନ୍ତେ ଆଲୋଚନା କରିଥିଲେ।

ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନ କରିଥିବା ଅଭିଯୋଗ ଅନୁଯାୟୀ ଉକ୍ତ ପାହାଡରେ ବିଭିନ୍ନ ପ୍ରକାର ଔଷଧ ଜାତୀୟ ବୃକ୍ଷ ଏବଂ ନାନା ପ୍ରଜାତିର ବନ୍ୟ ଜୀବଜନ୍ତୁ ବାସକରନ୍ତି। ୫୦ ହେକ୍ଟର ପାହାଡ଼ ଜାଗାରେ ଟାଙ୍ଗୀ ଓ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀଙ୍କ ତରଫରୁ ବୃକ୍ଷ ରୋପଣ କରାଯାଇଥିବା ବେଳେ ଗ୍ରାମବାସୀଙ୍କୁ ପ୍ରକୃତିମିତ୍ରର ଉପାଧି ମଧ୍ୟ ମିଳିଛି। ଅଂଚଳର ମାଟି କଳାମାଟି ହୋଇଥିବାରୁ ପଥର ଫଟାଇବା ଦ୍ୱାରା ଘର ଗୁଡିକ ଉପରେ ବିପଦ ସୃଷ୍ଟି କରିବ।

ପାହାଡ଼ର ଚାରିପଟେ କୁଲେଇ, ଗୋତପଲି, ଗମେଇ, ଦୀନବନ୍ଧୁପୁର, ମନେଇ ମାନସିଂହପୁର ଗ୍ରାମର ପ୍ରାୟ ୨୦୦୦ ରୁ ଅଧିକ ଜନବସତି ବାସ କରନ୍ତି। ବହୁ ବୟସ୍କ ବୃଦ୍ଧ ଓ ବୃଦ୍ଧା ତତସହିତ ହୃଦରୋଗୀ ଅଛନ୍ତି। ପାହାଡର ସଂଗୃହିତ ଜଳକୁ ସଂରକ୍ଷିତ ରଖି ଚାଷ କାର୍ଯ୍ୟରେ ବିନିଯୋଗ କରାଯାଏ। ହଜାର ହଜାର ସଂଖ୍ୟରେ ଗାଈଗୋରୁଙ୍କର ଉକ୍ତ ପାହାଡ଼ ଚରାଭୂଇଁ l ସେମାନଙ୍କ ଅବସ୍ଥା କଣ ହେବ।

୧୯୯୭ ମସିହାଠାରୁ ବସୁବାଗୁଲି ପାହାଡକୁ ଜଙ୍ଗଲ କମିଟି ତରଫରୁ ଚାରିଜଣ ଲେଖା ଜଗି ଆସୁଛନ୍ତି। ଉକ୍ତ ପାହାଡ଼ ନୀଲାମ ଜଙ୍ଗଲ ଆଇନର ବିରୁଦ୍ଧଚାରଣ କରିବା ସହ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଡବ୍ଲୁପିସି ନମ୍ବର ୨୦୨/୯୫ କୁ ବିରୁଦ୍ଧଚରଣ କରୁଛି। ଏ ନେଇ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଙ୍କୁ ପଚାରିବାରୁ ଜନୈକ ଲିଜ ଧାରୀ ସମସ୍ତ ସରକାରୀ ପ୍ରକ୍ରିୟାକୁ ପୂରଣ କରି ଲିଜ ନେଇଛନ୍ତି। ତଥାପି ବିଜେପିର ଉକ୍ତ ମୌଖିକ ଅଭିଯୋଗକୁ ସେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ: ଲଢେଇ ଜୋରଦାର ହେବ ବୋଲି କହିଲେ ପୃଥ୍ଵୀରାଜ

ସୀତାରାମ ଅଗ୍ରୱାଲ

ବାଣପୁର: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଚିଲିକା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳର ସେତେ ଚିନ୍ତା ବଢ଼ି ବଢ଼ି ଯାଉଛି। ବିରୋଧୀ ବିଜେପି ଗତଥର ପରାଜୟ ବରଣ କରିଥିବା ବେଳେ ଆଗାମୀ ନିର୍ବାଚନରେ କିପରି ବିଜୟର ସ୍ୱାଦ ଚାଖିବ, ସେଥିଲାଗି ସଂଗଠନ ଜାରି ରଖିଛି। ଗୋଟାଏ ପଟେ ଚିଲିକା ବିଜେଡିରେ ‘ଢୋଲ ଭିତରେ ମୂଷା’ ର ଅଭିଯୋଗ ହେଉଥିବା ବେଳେ ଏପଟେ ବିଜେପି ଏହାର ଫାଇଦା ନେବ ବୋଲି କୁହାଯାଉଛି।

ପଞ୍ଚାୟତ ନିର୍ବାଚନରେ ଦଳ ଉଭୟ ବାଣପୁର ଓ ଚିଲିକା ବ୍ଲକ ଦଖଲ କରିଥିବା ବେଳେ ସାଧାରଣ ନିର୍ବାଚନରେ ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ ଚିଲିକା ବିଧାୟକ ହେବା ନେଇ ଆଶା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ମୋରାମୋରି ପଞ୍ଚାୟତ ବିଜେପିର ବିଶାଳ କର୍ମୀ ସମ୍ମିଳନୀ ସରପଞ୍ଚ ବସନ୍ତ ମାଳିଙ୍କ ସଭାପତିତ୍ୱରେ ଆମ୍ବଝର ଠାରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଚିଲିକା ପୂର୍ବତନ ବିଧାୟକ ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ, ପୁରୀ ଲୋକସଭା ସଂଯୋଜକ ଶଙ୍କର ପରିଡ଼ା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଆଦି ଯୋଗଦେଇଥିଲେ। ତେବେ ଉକ୍ତ କର୍ମୀ ସମ୍ମିଳନୀରେ ରେକର୍ଡ ସଂଖ୍ୟକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଶାସକ ବିଜେଡି ବିରୋଧରେ ରଣ ହୁଙ୍କାର ଦେଇଥିବା ବିଜେପି ନେତାମାନେ କହିଛନ୍ତି।

ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କର୍ମୀମାନଙ୍କୁ ଏକମନ ଏକ ପ୍ରାଣ ହୋଇ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ ଜାରି ରଖିବା ନେଇ କହିଥିଲେ। ଭ୍ରଷ୍ଟାଚାରୀ ବିଜେଡି ସରକାରକୁ କିପରି ମୁଳୋତ୍ପାଟନ କରାଯିବ ସେ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ଅନୁରୂପ ଭାବେ ଚିଲିକାର ଜନସାଧାରଣ ମାନେ ଯାହାକୁ ବହୁମୂଲ୍ୟ ଭୋଟ ଦେଇ ଗାଦିରେ ବସାଇଥିଲେ ତାଙ୍କ ଲାଗି ଆଜି ସାଧରଣ ନିରୀହ ଭୋଟର ହନ୍ତସନ୍ତ ହେଉଛନ୍ତି। ଚିଲିକାବାସୀ ୨୦୨୪ରେ ସେଇ ଭୁଲ ଆଉ ପୁନଶ୍ଚ କରିବେ ନାହିଁ ବୋଲି ମନସ୍ତ କରିସାରିଥିବା କହିଥିଲେ ହରିଚନ୍ଦନ। ଚିଲିକାରେ ବିଜେଡି ବିରୁଦ୍ଧରେ ଲଢେଇ ଆହୁରି ତୀବ୍ର ହେବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ସେହିପରି ଭାବେ ସରପଞ୍ଚ ବସନ୍ତ ମାଳି ଏଥିନିମନ୍ତେ ପଞ୍ଚାୟତ ବାସୀଙ୍କ ନିକଟରେ ନତମସ୍ତକ ହୋଇ ଉଭୟ ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ସାଂସଦ ପ୍ରାର୍ଥୀ ଡ଼ା ସମ୍ବିତ ପାତ୍ରଙ୍କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ।

ସେହିଭଳି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ କର୍ମୀଙ୍କୁ ମନୋବଳ ଆହୁରି ଦୃଢ଼ କରିବା ଲାଗି ପରାମର୍ଶ ଦେଇଥିଲେ। ୨୦୧୯ ରେ ଛୋଟିଆ ଭୁଲ ଲାଗି ବିଜେପିର ଉଭୟ ଯୋଗ୍ୟ ପ୍ରାର୍ଥୀ ବିଧାନସଭା ଓ ସଂସଦ ଯାଇପାରିଲେନାହିଁ ବୋଲି କହିବା ସହ ଦୁଃଖ ପ୍ରକାଶ କରିଥିଲେ।  କିନ୍ତୁ ଚଳିତ ସାଧରଣ ନିର୍ବାଚନରେ ଚିଲିକା ହିଁ ପୁରୀ ଲୋକସଭା ଓ ଓଡ଼ିଶା ବିଧାନସଭାର ପ୍ରବେଶ ପଥ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଶ୍ରୀ ରଣସିଂହ।

ତେବେ ଚିଲିକା ବିଜେପିର ଭବିଷ୍ୟତ କ’ଣ ହେ,ବ ତାହା ଆଗାମୀ ସାଧାରଣ ନିର୍ବାଚନ ହିଁ ଜଣାପଡ଼ିବ।