Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲିସର ବିଭିନ୍ନ ସ୍ଥାନରେ ଚଢାଉ: ବାଇକ ଏବଂ ପିକ ଅପ୍ ଭ୍ୟାନ ସହ ୩୩୨୭ କେଜି ଗଞ୍ଜେଇ ଜବତ

ଭୁବନେଶ୍ଵର: ବୌଦ୍ଧ, ରାୟଗଡା ଏବଂ ଫୁଲବାଣୀ ଜିଲ୍ଲା ପୋଲିସ ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ମୋଟ ୩୩୨୭ କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଉଥିବା ବାଇକ ଏବଂ ପିକ ଅପ୍ ଭ୍ୟାନକୁ ମଧ୍ୟ ପୋଲିସ ଜବତ କରିଛି। ରାୟଗଡା ଜିଲ୍ଲା ଗୁଣୁପୁର ଥାନା, ବୌଦ୍ଧ ଜିଲ୍ଲାରେ ଗୋଛପଡା ଏବଂ ବୌଦ୍ଧ ଥାନାରେ ଦୁଇଟି ମାମଲା ଏବଂ ଅନ୍ୟଟି ଫୁଲବାଣୀ ସଦର ଥାନାରେ ପଞ୍ଜିକୃତ ହୋଇଛି।

ବୌଦ୍ଧ ଥାନା ଅଧୀନ ନେନ୍ଦନ ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଅଭିଯୁକ୍ତମାନେ ଏକ ପିକ ଅପ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମ୍ପର୍କରେ ଖବର ପାଇ ପୋଲିସ ଯାଞ୍ଚ କରିଥିଲା। ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ୧୩୨୫ କେଜି ଗଞ୍ଜେଇ ଓ ପିକ ଅପ ଭ୍ୟାନକୁ ପୋଲିସ ଜବତ କରିଛି।

ସେହିପରି ଅନ୍ୟ ଏକ ମାମଲା ବୌଦ୍ଧ ଜିଲ୍ଲା ଗୋଛପଡା ଥାନାରେ ପଞ୍ଜିକୃତ ହୋଇଛି। କାଟ୍ରେଙ୍ଗିଆ ଗ୍ରାମ ପଂଚାୟତ ପାଦେବି ଗାଁ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୧୦୨୦ କେଜି ଗଞ୍ଜେଇ ସହ ଏକ ମହିନ୍ଦ୍ରା ବୋଲେରୋ ଗାଡ଼ି ଜବତ କରିଛି।

ସେହିପରି ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଆରଏମସି ଚେକ ପୋଷ୍ଟ ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିବା ବେଳେ ଜୟନ୍ତ ବେହେରା ନାମକ ଜଣେ ଅଭିଯୁକ୍ତଙ୍କ ନିକଟରୁ ୬୩୦ କେଜି ଗଂଜେଇ ଜବତ କରାଯାଇଛି। ଏହା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସେହିପରି ଅନ୍ୟ ଏକ ମାମଲା ଫୁଲବାଣୀ ସଦର ଥାନାରେ ପଞ୍ଜିକରଣ ହୋଇଛି। ତୁଡ଼ିପାଦୁ ଗ୍ରାମ ପଂଚାୟତ କାତ୍ରିମ୍ବା ଘାଟି ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସଂକ୍ରାନ୍ତରେ ସୂଚନା ପାଇ ପୋଲିସ ଚଢାଉ କରିଥିଲା। ଘଟଣାସ୍ଥଳରୁ ପୋଲିସ ଭକ୍ତି ବେହେରା, ବିନୋଦ ବେହେରା ଏବଂ ସାରଳା ବେହେରା ନାମକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୧୪ ଟି ପଲିଥିନ ବ୍ୟାଗରେ ଭର୍ତ୍ତି ହୋଇଥିବା ୩୫୨.୮ କେଜି ଗଞ୍ଜେଇ ଜବତ କରିଛି।

ଉପରୋକ୍ତ ସମସ୍ତ ମାମଲାର ତଦନ୍ତ ଜାରି ରହିଛି ଏବଂ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି। ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି। ଏହି ସ୍ଵତନ୍ତ୍ର ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ସୀମା ମଧ୍ୟରେ ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟ କରିବାକୁ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅଭିଯାନ ଗତବର୍ଷ ନଭେମ୍ବର ମାସ ୦୧ ତାରିଖରୁ ଆରମ୍ଭ ହୋଇଥିଲାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ୬୨୧ ଟି ମାମଲା ରୁଜୁ କରାଯାଇ ପ୍ରାୟ ୨୫ ହଜାର ୭୪୫ ଏକରରୁ ଉର୍ଦ୍ଧ୍ଵ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି।

Categories
ଅପରାଧ ଆଜିର ଖବର

ଫୁଲବାଣୀ ଜଗନ୍ନାଥ ମନ୍ଦିରରୁ ଚୋରି

ଭୁବନେଶ୍ଵର: ଫୁଲବାଣୀ ସହର ଶ୍ରୀ ଜଗନ୍ନାଥ ମନ୍ଦିରରେ ଗତ ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ହୁଣ୍ଡି ତାଡି ନେଇଛନ୍ତି। ଏଥିସହ ଦିଅଁଙ୍କ ମସ୍ତକରୁ ତିନି ଗୋଟି ସୁନା ଚିତା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ , ଆଜିଭୋରୁ ମନ୍ଦିର ବଡ଼ପଣ୍ଡା ପୂଜା କରିଗଲା ବେଳେ ଦେଖିଲେ, ପ୍ରଥମ କବାଟ ତାଲା ଭାଙ୍ଗିଯାଇଥିବା ବେଳେ, ଦ୍ୱିତୀୟ କବାଟ ଭଙ୍ଗାଯାଇଥିବା ଦେଖିଲେ। ମନ୍ଦିରର ହୁଣ୍ଡି ନଥିବା ଦେଖିଥିଲେ ପୂଜାରୀ ଏବଂ ଗତକାଲି ଏକାଦଶୀରେ ଠାକୁରଙ୍କ ସୁନାବେଶ ଥିବାରୁ, ତିନିଠାକୁରଙ୍କ ମସ୍ତକ ରେ ଲାଗିଥିବା ସୁନା ଚିତା ଚୋରି ହୋଇଥିବା ଦେଖିଥିଲେ ପୂଜାରୀ। ଏହି ଘଟଣା ପରେ, ମନ୍ଦିର ପୂଜାରୀ, ମନ୍ଦିର ପୂଜା ପରିଚାଳନା କମିଟିକୁ ଖବର ଦେବା ସହ କମିଟି ତରଫରୁ ଟାଉନ ଥାନା ରେ ଅଭିଯୋଗ କରିଥିଲେ।

ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଚୋରି ହୋଇଥିବା ହୁଣ୍ଡି ମନ୍ଦିର ପଛପଟେ ପଡିଥିବା ଦେଖିଥିଲେ। କିଛିଦିନ ତଳେ,ମନ୍ଦିରରେ ନୂତନ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ, ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ଫାଇଲେରିଆ ନିରାକରଣ ଓ ସାମୁହିକ ଔଷଧ ସେବନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ରେ ଉଦ୍ଘାଟନ ହୋଇଯାଇଛି। ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଥିବା ବେଳେ, ଭରଚୁଆଲି ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଯୋଡ଼ି ହୋଇଥିଲେ। ଓଡ଼ିଶା ସମେତ ୧୨ ଗୋଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ ରେ ଭର୍ଚୁଆଲି ମାଧ୍ୟମ ରେ ଯୋଡ଼ି ହୋଇଥିଲେ। ମନ୍ତ୍ରୀ ନିଜେ ଔଷଧ ଖାଇବା ସହିତ ଛୋଟ ଛୋଟ ଶିଶୁ ମାନଙ୍କୁ ଔଷଧ ଖୁଆଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଦୁଇ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଔଷଧ ସେବନ କରିବା ପାଇଁ ଅନୁରୋଧ କରିଥିଲେ ମନ୍ତ୍ରୀ। କନ୍ଧମାଳ ଜିଲ୍ଲା ଏକ ଦୁର୍ଗମ ଜିଲ୍ଲା ହୋଇଥିବା ବେଳେ, ଡାକ୍ତର ସମସ୍ୟା ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ, କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରେ ସ୍ପେଷାଲ ଡାକ୍ତର ନିଯୁକ୍ତି କରିବା ପାଇଁ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ନିବେଦନ କରିଥିଲେ।

ସେହିଭଳି, କନ୍ଧମାଳ ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ସହ, ଅତି ଜରୁରୀ ସ୍ବାସ୍ଥ୍ୟ ସେବା ପାଇବା ପାଇଁ, ବ୍ରହ୍ମପୁର ଯିବାକୁ ପଡିଥାଏ । କିନ୍ତୁ ସବୁ ସୁବିଧା ମିଳୁ ନଥିବାରୁ,, ଭୁବନେଶ୍ୱର କିମ୍ବା କଟକ ମାଗଣା ଯାଇ ଚିକିତ୍ସା ହେବା ପାଇଁ ଆମ୍ବୁଲାନ୍ସ ଯୋଗେଇ ଦେବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ।

ସ୍ବାସ୍ଥ୍ୟ ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ବର ବଦଳ ରେ କନ୍ଧମାଳ ଜିଲ୍ଲାରେ ଆୟୋଜନ କରିବାର ଲକ୍ଷ୍ୟ ହେଉଛି,, ଲୋକଙ୍କ ପାଖରେ ଯେତେ ପହଞ୍ଚିବ , ଯୋଜନା ସଫଳ ରୂପ ନେବ। କେନ୍ଦ୍ରମନ୍ତ୍ରୀ ତାଙ୍କ ଅଭିଭାଷଣ ରେ ଉତ୍ତରପ୍ରଦେଶ ଓ ଓଡ଼ିଶାକୁ ଭୂରି ପ୍ରଶଂସା କରିଥିଲେ। ଏଏନ୍ଏମ ଓ ଆସା ଦିଦି ଙ୍କୁ ଅନୁରୋଧ କରିଥିଲେ,, ଲୋକଙ୍କ ଘରେ ପହଞ୍ଚି, ଔଷଧ ଖୁଆଇ ଆସିବ। ଯାହାଦ୍ବାରା ଲୋକମାନେ ଅନେକ ଫାଇଦା ପାଇବେ । କନ୍ଧମାଳ ରେ ଥିବା ଡାକ୍ତର ସମସ୍ୟା ଉପରେ ଆଲୋଚନା ହେବ,, ଓ ସମସ୍ୟା ର ସମାଧାନ କରାହେବ ବୋଲି କହିଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ଫୁଲବାଣୀ ମେଡ଼ିକାଲ୍ କଲେଜ୍ ର ଶୁଭ ଉଦ୍ଘାଟନ ହେବା ସହ ନର୍ସିଂ କଲେଜର ଉଦ୍ଘାଟନ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତ ସରକାରଙ୍କ ଦ୍ଵାରା ପ୍ରସ୍ତୁତ କ୍ୟାଲେଣ୍ଡରରେ ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ସ୍ଥାନିତ 

ଭୁବନେଶ୍ଵର: ଭାରତ ସରକାରଙ୍କ ଦ୍ଵାରା ସରକାରୀ କ୍ୟାଲେଣ୍ଡର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଙ୍କ ଦ୍ଵାରା ଉନ୍ମୋଚନ ହୋଇ ସରିଛି। କ୍ୟାଲେଣ୍ଡର ର ପ୍ରଥମ ମାସର ଫଟୋ ଗ୍ୟାଲେରୀ ରେ ପ୍ରଧାନମନ୍ତ୍ରୀଙ୍କ ସହ ଫୁଲବାଣୀ ସହରରେ ଭିକ୍ଷା ବୃତ୍ତି କରୁଥିବା ତୁଳା ବେହେରାଙ୍କ ଫଟୋ ରହିଛି।

ସୂଚନା ଅନୁସାରେ, ଦୁଇ ବର୍ଷ ତଳେ ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ଭିକ୍ଷା ବୃତ୍ତିରୁ ସଞ୍ଚିତ ଅର୍ଥ ଏକ ଲକ୍ଷ୍ୟ ଟଙ୍କା ଦାନ କରିଥିଲେ ତୁଳା ବେହେରା। ସାଧାରଣ ନିର୍ବାଚନ ରେ ଫୁଲବାଣୀ ଷ୍ଟାଡିୟମ୍ ରେ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ। ମଞ୍ଚ ଉପରେ ତୁଳା ବେହେରା ଙ୍କୁ ଭେଟି ବହୁତ୍ ଖୁସି ହୋଇଥିଲେ ଓ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ ,କିନ୍ତୁ ତୁଳା ବେହେରା ମନା କରିଦେଇଥିଲେ। ଜଗନ୍ନାଥଙ୍କ ଆଶୀର୍ବାଦ କେବଳ ଲୋଡା ବୋଲି କହିଥିଲେ।

ଏବେ ଭାରତ ସରକାରଙ୍କ ଦ୍ଵାରା ସରକାରୀ କ୍ୟାଲେଣ୍ଡର ରେ ପ୍ରଥମ ରେ ତୁଳା ବେହେରା ଙ୍କ ସହ ଫଟୋ ଦେଖି କନ୍ଧମାଳ ଜିଲ୍ଲା ରେ ସମସ୍ତ ବୁଦ୍ଧିଜୀବୀ ଖୁସି ଥିବା ବେଳେ, ପ୍ରଧାନ ମନ୍ତ୍ରୀ ସହ ଫଟୋ ଦେଖି ତୁଳା ବେହେରା ବହୁତ୍ ଖୁସି ବୋଲି କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଭୁବନେଶ୍ଵର: ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ପୋସ୍କ କୋର୍ଟ ବିଚାରପତି ରାଜେଶ ଦାସ ଅଭିଯୁକ୍ତ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ସୁରଥ ବେହେରାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦୟେ ଅଧିକ ୬ ମାସ ସଜା ଶୁଣାଇଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଅଗସ୍ଥି ବେହେରା ଫେରାର ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ୨୦୨୦ ମସିହା ନଭେମ୍ବର ୨୮ ତାରିଖ ଦିନ ନାବାଳିକା ଜଣଙ୍କ ସ୍କୁଲର ହୋମବୁକ୍ କରିବା ପାଇଁ ଆଇ ଟି ଆଇ ନିକଟସ୍ଥ ନିଜ ସାଙ୍ଗ ପାଖକୁ ଯାଉଥିବା ବେଳେ ଅଭିଯୁକ୍ତ ସୁରଥ ବେହେରା ଏବଂ ତାଙ୍କର ଜଣେ ସହଯୋଗୀ ଅଗସ୍ଥି ବେହେରା ଦୁଇଜଣ ଗୋଟିଏ ସ୍କୁଟିରେ ଆସି ନାବାଳିକାକୁ ତାର ସାଙ୍ଗ ଘରେ ଛାଡି ଦେବେ ବୋଲି କହିଥିଲେ। ନାବାଳିକା ଉଭୟଙ୍କୁ ଚିହ୍ନି ଥିବାରୁ ତାଙ୍କ ସହ ସ୍କୁଟିରେ ଯାଇଥିଲା।

ତେବେ ଅଭିଯୁକ୍ତ ନାବାଳିକାଙ୍କୁ ସାଙ୍ଗ ଘରେ ନଛାଡ଼ି ଭେଟଖୁଲ ଘାଟି ଜଙ୍ଗଲକୁ ନେଇ ଅଭିଯୁକ୍ତ ସୁରଥ ବେହେରା ନାବାଳିକାକୁ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତର ସାଙ୍ଗ ଅଗସ୍ଥି ବେହେରା ଦୁଷ୍କର୍ମରେ ସହଯୋଗ କରିଥିଲା। ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ପୀଡିତାଙ୍କୁ ଦୁଷ୍କର୍ମ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା। ଭୟରେ ପିଡିତା କାହାକୁ କିଛି କହିନଥିଲେ।

ଘଟଣାର ୨୬ ଦିନ ପରେ ପିଡିତା ନିଜର ପିଇସି ନାନୀ ଘରକୁ ଯାଇଥିଲେ ଓ ସେଠାରେ ସାହାସ କରି ସବୁକଥା ପିଇସି ନାନୀଙ୍କୁ କହିଥିଲେ। ପିଇସି ନାନୀ ଘଟଣା ସମ୍ପର୍କରେ ପୀଡିତାଙ୍କ ପରିବାରକୁ ଜଣାଇଥିଲେ। ପରିବାର ଲୋକେ ଜାଣିବା ପରେ ପୀଡିତାଙ୍କ ବାପା ୨୪.୧୨.୨୦୨୦ ତାରିଖ ଦିନ ଫୁଲବାଣୀ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ମୁତାବକ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିଲେ। ତେବେ ବେଲରେ ଥିବା ଅଭିଯୁକ୍ତର ସହଯୋଗୀ ଅଗସ୍ଥି ବେହେରା ଫେରାର ଥିବା ବେଳେ ଆଜି ୧୧ ଜଣ ସାକ୍ଷୀ, ଡାକ୍ତରି ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ସୁରଥ ବେହେରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି। ଏହାସହ ନ୍ୟାୟଳୟ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଡି ଏଲ୍ ଏସ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସର୍କିଟ୍ ହାଉସ୍‌ରେ ବିଧାୟକଙ୍କ ଗାଡ଼ି ପୋଡ଼ି ଘଟଣାରେ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ଫୁଲବାଣୀ ସର୍କିଟ୍ ହାଉସ୍‌ରେ ବାଇକ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଟାଉନ ଥାନା ପୋଲିସ। ଅଭିଯୁକ୍ତ ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ଡାମିଗାଁର ସୁଜିତ ବେହେରା। ସେ ସ୍ଥାନୀୟ ବନ ବିଭାଗ ଅଧୀନରେ ଫରେଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ପୂର୍ବ ଶତ୍ରୁତା ଯୋଗୁଁ ଏଭଳି କାଣ୍ଡ ଘଟାଇଥିବା ଅତିରିକ୍ତ ଏସପି ସ୍ନେହାଶୀଷ ସାହୁ ଦେଇଛନ୍ତି।

ସୂଚନାନୁଯାୟୀ ସୁଜିତ ବେହେରାଙ୍କ ମା’ ପୂର୍ବରୁ ଫୁଲବାଣୀ ସର୍କିଟ ହାଉସ୍‌ରେ କାମ କରୁଥିଲେ। ତାଙ୍କୁ କୌଣସି କାରଣରୁ ସେଠାରୁ ବାହାର କରି ଦିଆଯାଇଥିଲା। ଏହାକୁ ନେଇ ସୁଜିତ ଆକ୍ରୋଶମୂଳକ ଭାବେ ଗତ ୨୬ ତାରିଖ ରାତିରେ ସର୍କିଟ୍ ହାଉସ୍ ପରିସରରେ ଥିବା ଜଣେ କର୍ମଚାରୀଙ୍କ ସ୍କୁଟିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ସ୍କୁଟି ସମେତ ପାଖରେ ଥିବା ଅନ୍ୟ ଏକ ବାଇକ୍ ସମ୍ପୂର୍ଣ ପୋଡି ଯାଇଥିଲା। ନିକଟରେ ଥୁବା ଫୁଲବାଣୀ ବିଜେପି ବିଧାୟକ ଉମାଚରଣ ମଲିକଙ୍କ ଇନୋଭା କାର ମଧ୍ୟ ପୋଡ଼ି ଯାଇଥିଲା।

ଘଟଣାକୁ ଗୁରୁତର ସହ ନେଇ ଆରକ୍ଷୀ ଅଧୀକ୍ଷକ ହରିଶ ବିସିଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସଡିପିଓ ସୁବ୍ରତ ବେହେରା ଓ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଶନିବାର ଅଭିଯୁକ୍ତ ସୁଜିତକୁ ଫୁଲବାଣୀ ସହର ନିକଟରୁ ଗିରଫ କରାଯାଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

ଅଭିଯୁକ୍ତ ବିରୋଧରେ ପୂର୍ବରୁ ମଧ୍ୟ ପାଞ୍ଚଟି ଅପରାଧିକ ମାମଲା ଥିବା କୁହାଯାଇଛି। ଏଥିସହ ଡିସେମ୍ବର ୨୭ ତାରିଖ ରାତିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ଅନ୍ୟ ଏକ ବାଇକ୍ ପୋଡି ଘଟଣାର ଅଭିଯୁକ୍ତକୁ ମଧ୍ୟ ଠାବ କରିବାରେ ପୁଲିସ ସଫଳ ହୋଇଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ସ୍ନେହାସିସ ସାହୁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଫୁଲବାଣୀରେ ବିଧାୟକଙ୍କ ଗାଡ଼ି ପୋଡିଲେ ଦୁବୃର୍ତ୍ତ 

ଭୁବନେଶ୍ଵର: କନ୍ଧମାଳରେ ଗତକାଲି ବିଳମ୍ବିତ ରାତିରେ ସର୍କିଟ ହାଉସରେ ଦୁବୃର୍ତ୍ତ ମାନେ ଏକ ସ୍କୁଟି ଓ ମୋଟରସାଇକେଲ ପୋଡ଼ି ଦେଇଥିଲେ। ସର୍କିଟ ହାଉସ ଭିତରେ ଥିବା ଫୁଲବାଣୀ ବିଧାୟକଙ୍କ ଇନୋଭା କାର ନିଆଁ ସ୍ପର୍ଶ ରେ ଆସି ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ଏହି ଘଟଣାକୁ ଗୋଟିଏ ଦିନ ନ ପୁରୁଣୁ ପୁଣି ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ନାଇଟି ୱାଚର ଥିବା ରମାକାନ୍ତ ମଲ୍ଲିକଙ୍କ ବାଇକ୍ କୁ ଦୁବୃର୍ତ୍ତ ମାନେ ପୋଡ଼ି ଦେଇଛନ୍ତି।

ସରକାରୀ ଅଫିସ କାର୍ଯ୍ୟାଳୟ ଭିତରକୁ ସନ୍ଧ୍ୟା ହେଲେ, ମଦ୍ୟପଙ୍କୁ ବରଣ କରିଥିବାରୁ ରାଗ ରଖି ଏଭଳି ଦୁର୍ଘଟଣା ଘଟିଥିବା ବୁଦ୍ଧିଜୀବୀ ମାନେ କହିଛନ୍ତି। ଫୁଲବାଣୀ ପୋଲିସ ପାଟ୍ରୋଲିଂକୁ କଡାକଡି କରିବା ପାଇଁ ଦାବି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନୂଆଗାଁ ରୋଡ୍- ଦଶପଲ୍ଲା ରେଳସେକ୍ସନକୁ ଉଦ୍ ଘାଟନ କରିବା ସହ ଦଶପଲ୍ଲାକୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ଭୁବନେଶ୍ଵର: ଦଶପଲ୍ଲା ରେଳ ଷ୍ଟେସନରେ ପ୍ରାୟ ୮ ହଜାର ଲୋକଙ୍କ ସମାଗମରେ ଆୟୋଜିତ କାର୍ଯ୍ୟକ୍ରମରେ ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନବନିର୍ମିତ ନୂଆଗାଁ ରୋଡ୍ – ଦଶପଲ୍ଲା ରେଳ ସେକ୍ସନ, ଦଶପଲ୍ଲା ରେଳ ଷ୍ଟେସନ ବିଲ୍ଡିଂକୁ ଉଦ୍ ଘାଟନ କରିବା ସହ ଦଶପଲ୍ଲାକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ପତାକା ଉତ୍ତୋଳନ ପରେ ୪ଟି ପାସେଞ୍ଜର ଟ୍ରେନ୍ ୧୮୪୨୩/୧୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ବର ଏକ୍ସପ୍ରେସ୍, ୦୮୪୨୯/୦୮୪୩୦ ଭୁବନେଶ୍ୱର-ନୂଆଗାଁ ରୋଡ୍-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ୍, ୦୮୪୨୩/୦୮୪୨୪ ପୁରୀ-ନୂଆଗାଁ ରୋଡ୍-ପୁରୀ ପାସେଞ୍ଜର ସ୍ପେଶାଲ୍ ଏବଂ ୦୮୫୫୫/୦୮୫୫୬ ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ ମେମୁ ସେବା ଦଶପଲ୍ଲାକୁ ବୃଦ୍ଧି କରାଯାଇଛି।

ଦଶପଲ୍ଲା ଗସ୍ତ ସମୟରେ ଅଶ୍ୱିନୀ ବୈଷ୍ଣବଙ୍କୁ ସାନପଦରଠାରେ ୩୦୦ରୁ ଅଧିକ ଲୋକ ସ୍ୱାଗତ କରିବା ସହ ଯାତ୍ରୀ ହଲ୍ଟ ମଞ୍ଜୁର କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ନୟାଗଡ଼ ଟାଉନ୍ ଓ ମହିପୁର ଷ୍ଟେସନରେ ପ୍ରାୟ ୫୦୦ ଲୋକ ଏକତ୍ରିତ ହୋଇ ରେଳମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦୀର୍ଘ ଦିନ ଧରି ଚାଲିଆସୁଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

ଏହି ଗସ୍ତ ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ କନ୍ଧମାଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଫୁଲବାଣୀକୁ ରେଳ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ପାଇଁ ଗୋପାଳପୁର-ରେଢ଼ାଖୋଲ ନୂଆ ରେଳ ଲାଇନର ସମୀକ୍ଷା କରାଯିବ। କଣ୍ଟିଲୋ ଓ ଖଣ୍ଡପଡ଼ାକୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ ସହ ସଂଯୋଗ କରିବାର ସମ୍ଭାବ୍ୟତା ଅନୁସନ୍ଧାନ କରାଯିବ ବୋଲି ମାନ୍ୟବର ରେଳମନ୍ତ୍ରୀ କହିଛନ୍ତି।

ଦଶପଲ୍ଲା ଗସ୍ତ କରିବା ପୂର୍ବରୁ ମାନ୍ୟବର ରେଳ ମନ୍ତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ଚାଲିଥିବା ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ବାଇକରେ ୩ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ଚାଲାଣ କରୁଥିଲା ଯୁବକ, ମାଡି ବସିଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଫୁଲବାଣୀରୁ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବାଟରେ ମାଡି ବସିଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ ଫୁଲବାଣୀ ଜିଲ୍ଲାରୁ ଏକ ନିର୍ଦ୍ଦିଷ୍ଟ ବାଇକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାର ପୋଲିସକୁ ଖବର ମିଳିଥିଲା। ଖୋର୍ଦ୍ଧା ଏସପି ଏବଂ ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ନାକାବନ୍ଦୀ ଜାରି ରହିଥିଲା।

ତେବେ ନାଭାଲ ଫାଣ୍ଡି ନୂଆଗଡ଼ ଓଭରବ୍ରିଜ ନିକଟରେ ଏକ ବାଇକ ଦୃତଗତିରେ ପୋଲିସ କଟକଣାକୁ ନମାନି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବାଲୁଗାଁ ପୋଲିସ ଉକ୍ତ ବାଇକକୁ ଗୋଡ଼ାଇ ପରିଶେଷରେ ଧୂଁଆଳ ନିକଟରେ କାବୁ କରିଥିଲା ଏବଂ ବାଇକର ତଲାସି ନେଇଥଲା।

ତାଲାସି ବେଳେ ପୋଲିସ ଉକ୍ତ ବାଇକରୁ ଏକ ବ୍ୟାଗ ଜବତ କରିଛି ଯେଉଁଥିରେ ୨୭ କେଜି ଗଞ୍ଜେଇ ମିଳିଛି। ଅଭିଯୁକ୍ତ ଜଣକ କୋଦଳା ଥାନା ଅଞ୍ଚଳର ଅକ୍ଷୟ ଜେନା ବୋଲି ଜଣାପଡିଛି। ଅକ୍ଷୟ ଗଞ୍ଜେଇଗୁଡିକ ଫୁଲବାଣୀ ଜଙ୍ଗଲରୁ ଆଣି କେଜି ୧୫ ହଜାର ଟଙ୍କା ଦରରେ ଗୁଜୁରାଟ ସୁରଟକୁ ଟ୍ରେନ ଯୋଗେ ଚାଲାଣ ପାଇଁ ଉଦ୍ୟତ ହେଉଥିଲେ। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ସାରା ରାଜ୍ୟରେ ପ୍ରବଳ ଶୀତର ଲହରି, ଫୁଲବାଣୀରେ ସବୁଠାରୁ ବେଶୀ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

ଭୁବନେଶ୍ବର: ଗତକାଲି ମଙ୍ଗଳବାରର ରାତିରେ ସାରା ରାଜ୍ୟରେ ଶୀତ ପ୍ରକୋପ ଅନୁଭୂତ ହୋଇଛି। 17 ଟି ଜିଲ୍ଲାର ପାରଦ ଏକ ଅଙ୍କରେ ରହିଛି। ଅର୍ଥାତ 9 ଡିଗ୍ରୀ ତଳେ ରହିଥିଲା। ପାଣିପାଗ ବିଭାଗ ଅନୁସାରେ ଗତକାଲି ଫୁଲବାଣୀରେ ସର୍ବାଧିକ ଶୀତ ପ୍ରବାହିତ ହୋଇଥିଲା। ସେହି ଜିଲ୍ଲାର ତାପମାତ୍ର ଥିଲା ମାତ୍ର 3.6 ଡିଗ୍ରୀ। ସେହିପରି ଦାରିଙ୍ଗୀବାଡିର ତାପମାତ୍ରା ଥିଲା 4.5 ଡିଗ୍ରୀ।

ବର୍ତ୍ତମାନ ସାରା ରାତି ଶୀତ ହେଉଥିବା ବେଳେ ଏହାର ପ୍ରକୋପ ସକାଳ 10 ପର୍ଯ୍ୟନ୍ତ ମଧ୍ୟ ରହୁଛି। କେତେକ ସ୍ଥାନରେ ପ୍ରବଳ କୁହୁଡି ଆସ୍ତରଣ ପଡୁଛି। ସୂଚନା ଅନୁସାରେ ରାଜ୍ୟର ତିନୋଟି ସ୍ଥାନରେ ତୁଷାରପାତ ହୋଇଥିବାର ସୂଚନା ମିଳିଛି। ସେହି ତିନୋଟି ସ୍ଥାନ ହେଲା ଦାରିଙ୍ଗବାଡି, ସୁନ୍ଦରଗଡର କୋଏଡା ଓ ସମ୍ବଲପୁରର ବାମରା ବ୍ଲକ।

ତେବେ ବିଶେଷ କାମ ନ ଥିଲେ ସଂଧ୍ୟାରେ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ଏହି ଶୀତ ଆହୁରି ତିନିଦିନ ପର୍ଯ୍ୟନ୍ତ ଅନୁଭୂତ ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ସାରା ଓଡିଶା ଥରୁଛି, ଆହୁରି ତିନିଦିନ ଥରିବ, ରାଜ୍ୟର ତିନୋଟି ସ୍ଥାନରେ ତୁଷାରପାତ

ଭୁବନେଶ୍ବର: ଗତ ତିନିଦିନ ଧରି ସାରା ରାଜ୍ୟ ଶୀତରେ ଥରୁଛି। ସଂଧ୍ୟା ହେଲେ ରାସ୍ତାଘଟ ଶୂନଶାନ ହୋଇଯାଉଛି। ଗତକାଲି ରାତିରେ ଏହି ଶୀତର ପ୍ରକୋପ ଅଧିକ ଅନୁଭୂତ ହୋଇଥିଲା। ତେବେ ପାଣିପାଗ ବିଭାଗ ଅନୁସାରେ ଏହି ଶୀତର ପ୍ରକୋପ ଆହୁରି ତିନିଦିନ ପର୍ଯ୍ୟନ୍ତ ଲାଗି ରହିବ। ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡିରେ ତାପମାତ୍ର 3 ଡିଗ୍ରୀ ତଳକୁ ଖସିଯାଇଛି।

ସାରା ରାତି ଶୀତ ହେଉଥିବା ବେଳେ ଏହାର ପ୍ରକୋପ ସକାଳ 10 ପର୍ଯ୍ୟନ୍ତ ମଧ୍ୟ ରହୁଛି। କେତେକ ସ୍ଥାନରେ ପ୍ରବଳ କୁହୁଡି ଆସ୍ତରଣ ପଡୁଛି। ସୂଚନା ଅନୁସାରେ ରାଜ୍ୟର ତିନୋଟି ସ୍ଥାନରେ ତୁଷାରପାତ ହୋଇଥିବାର ସୂଚନା ମିଳିଛି। ସେହି ତିନୋଟି ସ୍ଥାନ ହେଲା ଦାରିଙ୍ଗବାଡି, ସୁନ୍ଦରଗଡର କୋଏଡା ଓ ସମ୍ବଲପୁରର ବାମରା ବ୍ଲକ। ତେବେ ବିଶେଷ କାମ ନ ଥିଲେ ସଂଧ୍ୟାରେ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଶୀତ ଲହରୀ ଜାରି: ୧୦ ଡିଗ୍ରୀ ତଳେ ୧୦ ଟି ସହର

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ପାରଦ ତଳ ମୁହାଁ ହେବାରେ ଲାଗିଛି। ଯାହା ଫଳରେ ଶୀତ ପରିମାଣ ବଢିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୯ ଟି ସହର ରହିଛି।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୬,  କୋରାପୁଟ ରେ ୮.୨, ସୁନ୍ଦରଗଡ଼ ଓ ଝାରସୁଗଡ଼ାରେ ୮.୫, ଭବାନୀପାଟଣାରେ ୯, କେନ୍ଦୁଝରରେ ୯.୮, ସୋନପୁରରେ ୯.୮,  ବୌଦ୍ଧ ଓ ବାରିପଦାରେ ୧୦ ଡ଼ିଗ୍ରୀ ତାପମାତ୍ରା ରହିଛି। ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।

Categories
ଆଜିର ଖବର

ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୨ ଟି ସହର: ଫୁଲବାଣୀରେ ରେକର୍ଡ ହୋଇଛି ୪.୫ ଡିଗ୍ରୀ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ପାରଦ ତଳ ମୁହାଁ ହେବାରେ ଲାଗିଛି। ଯାହା ଫଳରେ ଶୀତ ପରିମାଣ ବଢିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୨ ଟି ସହର ରହିଛି। ଫୁଲବାଣୀରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ୍ ରହିଛି।

ସେହିପରି ଅନୁଗୁଳରେ ତାପମାତ୍ରା ୬ ଡିଗ୍ରୀ ସେଲିସିଅସ ଥିବା ବେଳେ ଦାରିଙ୍ଗାବାଡ଼ିରେ ୮, ଭବାନୀପାଟଣା ୮.୨, କୋରାପୁଟ ୮.୬, ଝାରସୁଗୁଡ଼ାରେ ୮.୮ ଡିଗ୍ରୀ, ବାରିପଦାରେ ୯, ସୁନ୍ଦରଗଡ଼ରେ ୯.୫, କେନ୍ଦୁଝରରେ ୯.୯, ବଲାଙ୍ଗିରରେ ୯.୫, ସୋନପୁରରେ ୯.୮, ରାୟଗଡ଼ାରେ ୧୦, କଟକରେ ୧୨ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।