ବାଲୁଗାଁ: ବାଇକରେ ୩ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ଚାଲାଣ କରୁଥିଲା ଯୁବକ, ମାଡି ବସିଲା ପୋଲିସ

Published: Sep 29, 2022, 6:07 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଫୁଲବାଣୀରୁ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବାଟରେ ମାଡି ବସିଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ ଫୁଲବାଣୀ ଜିଲ୍ଲାରୁ ଏକ ନିର୍ଦ୍ଦିଷ୍ଟ ବାଇକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାର ପୋଲିସକୁ ଖବର ମିଳିଥିଲା। ଖୋର୍ଦ୍ଧା ଏସପି ଏବଂ ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ନାକାବନ୍ଦୀ ଜାରି ରହିଥିଲା।

ତେବେ ନାଭାଲ ଫାଣ୍ଡି ନୂଆଗଡ଼ ଓଭରବ୍ରିଜ ନିକଟରେ ଏକ ବାଇକ ଦୃତଗତିରେ ପୋଲିସ କଟକଣାକୁ ନମାନି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବାଲୁଗାଁ ପୋଲିସ ଉକ୍ତ ବାଇକକୁ ଗୋଡ଼ାଇ ପରିଶେଷରେ ଧୂଁଆଳ ନିକଟରେ କାବୁ କରିଥିଲା ଏବଂ ବାଇକର ତଲାସି ନେଇଥଲା।

ତାଲାସି ବେଳେ ପୋଲିସ ଉକ୍ତ ବାଇକରୁ ଏକ ବ୍ୟାଗ ଜବତ କରିଛି ଯେଉଁଥିରେ ୨୭ କେଜି ଗଞ୍ଜେଇ ମିଳିଛି। ଅଭିଯୁକ୍ତ ଜଣକ କୋଦଳା ଥାନା ଅଞ୍ଚଳର ଅକ୍ଷୟ ଜେନା ବୋଲି ଜଣାପଡିଛି। ଅକ୍ଷୟ ଗଞ୍ଜେଇଗୁଡିକ ଫୁଲବାଣୀ ଜଙ୍ଗଲରୁ ଆଣି କେଜି ୧୫ ହଜାର ଟଙ୍କା ଦରରେ ଗୁଜୁରାଟ ସୁରଟକୁ ଟ୍ରେନ ଯୋଗେ ଚାଲାଣ ପାଇଁ ଉଦ୍ୟତ ହେଉଥିଲେ। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି।

Related posts