ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ : ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓପିଡିକୁ ସାମୟିକ ବନ୍ଦ ହୋଇଥିବା ନେଇ ଏକ ଗୁଜବ ପ୍ରକାଶିତ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ସିଡିଏମ୍ଓ ବିଶ୍ବରଞ୍ଜନ ପତି। ନିକଟରେ ବାଲୁଗାଁଠାରୁ ଏକ ଲୋକାଲ୍ କେସ୍ ଚିହ୍ନଟ ହୋଇଥିବାସ୍ଥଳେ ସମ୍ପୃକ୍ତ ବ୍ୟକ୍ତି ଜଣକ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାଇଥିଲେ। ଏହା ଜଣାପଡିବା ପରେ ଗତକାଲି ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଓପିଡିକୁ କିଛି ସମୟ ପାଇଁ ବନ୍ଦ ରଖି ସାନିଟାଇଜେସନ୍ କରାଯାଇଥିଲା। ଏହି ଘଟଣାକୁ ନେଇ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ବାଲୁଗାଁ ଓପିଡି ବନ୍ଦ ହୋଇଛି ବୋଲି ନ୍ୟୁଜ୍ ପ୍ରସାରଣ କରିଥିଲେ। ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମନରେ ନାନା ପ୍ରକାର ଆଶଙ୍କା ସୃଷ୍ଟି ହୋଇଥିଲା।
ତେବେ ବାଲୁଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଓପିଡି ବନ୍ଦ ହେବା ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି ସିଡିଏମ୍ଓ। ଏପରି ନ୍ୟୁଜ୍ ପ୍ରସାର କରି ଜନସାଧାରଣଙ୍କୁ ଭୟଭୀତ କରାନ୍ତୁ ନାହିଁ ବୋଲି କହିଛନ୍ତି ସିଡିଏମ୍ଓ । ତେବେ ପରବର୍ତ୍ତୀ ସମୟରେ କରୋନା ଅବସ୍ଥା ଦେଖି ଅନ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସିଡିଏମ୍ଓ । ଠିକ୍ ତଥ୍ୟ ନେଇ ନ୍ୟୁଜ୍ ପରିବେଷଣ କରିବା ଗଣମାଧ୍ୟମର ଦାୟିତ୍ବ ବୋଲି କହିଛନ୍ତି। ଯେକୌଣସି ବ୍ୟକ୍ତି ଏପରି ଗୁଜବ ଖବର ପ୍ରଚାର କରିବେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଲୋକଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଟେଲି ମେଡିସିନ୍ର ସୁଯୋଗ ନେବାପାଇଁ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ଅତି ଜରୁରୀ ନ ହେଲେ ଡାକ୍ତରଖାନା ନ ଆସିବାକୁ ନିବେଦନ କରିଛନ୍ତି ସିଡିଏମ୍ଓ।
ସେହିପରି ଏହି ଗୁଜବ ଖବର ସମ୍ପର୍କରେ ଆମ ପ୍ରତିନିଧି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କୁ ସମ୍ପର୍କ କରିଥିବାବେଳେ ସେ ଏ ସମ୍ପର୍କରେ ସରକାରୀ ସ୍ତରରେ କୌଣସି ଆନୁସଙ୍ଗିକ ତଥ୍ୟ ନଥିବାର କହିଥିଲେ।
ସୂଚନାଯୋଗ୍ୟ, ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଓପିଡି ୪୮ ଘଣ୍ଟା ପାଇଁ ବନ୍ଦ ରହିଥିବା ନେଇ ଏକ ଖବରକାଗଜରେ ଖବର ପ୍ରକାଶିତ ହେବା ସହିତ ସୋସିଆଲ ମିଡିଆରେ ଏ ସମ୍ପର୍କିତ ଗୁଜବ ଖବର ପ୍ରଚାର ହୋଇଥିଲା।