Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଚିକିତ୍ସା ବିଜ୍ଞାନୀଙ୍କ ଆତ୍ମ ପ୍ରୟୋଗ, ନିଜ ଦେହରେ ନିଜେ ପରୀକ୍ଷା କରନ୍ତି ନିଜ ଉଦ୍ଭାବିତ ଟିକା

ବିଜନ କୁମାର ମହାପାତ୍ର

ଏକ ନୂଆ ରୋଗ ଦ୍ୱାରା ମାନବ ସମାଜ କବଳିତ ହେଲେ ଆରୋଗ୍ୟର ଔଷଧ ଓ ଟୀକା ବାହାର ପାଇଁ ଆରମ୍ଭ ହୁଏ ପ୍ରୟାସ। ଡାକ୍ତର ଓ ବୈଜ୍ଞାନିକମାନେ ଅକ୍ଲାନ୍ତ ଗବେଷଣା ପରେ ରୋଗର କାରଣ ଜାଣିବା ସହ ଏହାର ଔଷଧ ବାହାର କରନ୍ତି। ପ୍ରାୟତଃ ଦେଖାଯାଇଛି ଯେ, ନୂଆ ଉଦ୍ଭାବିତ ଔଷଧ ବା ଟୀକାର ପ୍ରଭାବ ଜାଣିବା ପାଇଁ ପ୍ରଥମେ ପଶୁଙ୍କ ଉପରେ ଏହାର ପ୍ରୟୋଗ କରାଯାଏ।

କିନ୍ତୁ ଏମିତି ଅନେକ ଦୁଃସାହସୀ ଚିକିତ୍ସା ବିଜ୍ଞାନୀ ଓ ଡାକ୍ତରଙ୍କ ଉଦାହରଣ ରହିଛି , ଯେଉଁମାନେ କି ନିଜ ଜୀବନକୁ ଭ୍ରୁକ୍ଷେପ ନ କରି ପ୍ରଥମେ ସେମାନଙ୍କ ଉପରେ ହିଁ ନୂଆ ଔଷଧ ବା ଟୀକାର ପରୀକ୍ଷଣ କରିଛନ୍ତି। ନିଜ ଉପରେ ହିଁ ନୂଆ ପ୍ରୟୋଗ କରିଛନ୍ତି। କିଏ ସଫଳ ହୋଇଛି ତ ଆଉ କିଏ ବିଫଳ ହୋଇଛି। ଏମିତି କିଛି ଦୁଃସାହସୀ, ନିର୍ଭୀକ ଚିକିତ୍ସା ବିଜ୍ଞାନୀ ଓ ଡାକ୍ତରଙ୍କ ଉଦାହରଣ ଏଠାରେ ଦିଆଯ଼ାଇପାରେ।

୧୮୮୧ ମସିହାରେ ଆମେରିକାର ଡକ୍ଟର କାର୍ଲୋସ ନିଶ୍ଚିତ ହୋଇଥିଲେ ଯେ, ମଶା କାମୁଡା ହିଁ ମାରାତ୍ମକ ୟେଲୋ ଫିଭର ବା ପୀତ ଜ୍ୱରର ମୁଖ୍ୟ କାରଣ। ଏହାକୁ ପ୍ରମାଣ କରିବାକୁ ଆମେରିକୀୟ ସେନାର ଡାକ୍ତରମାନେ ଅଭିଯାନରେ ବାହାରିଲେ। ଡାକ୍ତର ଡେମସ କାରୋଲ, ଆରିସଟାଇଡିସ୍ ଆଗ୍ରାମୋଂଟେ ଓ ଜେସି ଓିଲିୟମ ଲାଜଇର ଚିକିତ୍ସା ବିଜ୍ଞାନୀ ଓାଲଟର ରିଡ୍‌ଙ୍କ ନେତୃତ୍ୱରେ ୟେଲୋ ଫିଭର କାରଣର ଅନୁସନ୍ଧାନ ଆରମ୍ଭ କଲେ। କାରୋଲ ଓ ଲାଜଇର୍ ଜାଣିଶୁଣି ମଶା କାମୁଡା ଖାଇଲେ। ପରିଣାମ ସ୍ୱରୂପ, ସେମାନେ ୟେଲୋ ଫିଭର ବା ପୀତ ଜ୍ୱରରେ ପୀଡିତ ହେଲେ। କିଛି ଦିନ ପରେ ଆଖି ବୁଜିଥିଲେ ଲାଜଇର। କିନ୍ତୁ ସୁସ୍ଥ ହୋଇଥିଲେ କାରୋଲ। ୭ ବର୍ଷ ପରେ ସେହି ୟେଲୋ ଫିଭରରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ନିଜ ଉପରେ ହିଁ ନୂଆ ଡାକ୍ତରୀ ପ୍ରୟୋଗ କରିଥିବା ଆଉ ଜଣେ ଡାକ୍ତର ହେଲେ ଆମେରିକାର ଓ’ ନିଲ୍ କେନ୍। ନିଶ୍ଚେତନ ପ୍ରକ୍ରିୟାରେ ସେ ଆଣିଥିଲେ ପରିବର୍ତ୍ତନ। କିଛି ସର୍ଜରୀ ପାଇଁ ସାଧାରଣ ନିଶ୍ଚେତନ ଆବଶ୍ୟକ ନାହିଁ ବୋଲି ସେ ପ୍ରମାଣ କରିଥିଲେ। ଦିନ ଥିଲା ସର୍ଜରୀ ବେଳେ ସମଗ୍ର ଶରୀରର ନିଶ୍ଚେତନ କରାଯାଉଥିଲା। କିନ୍ତୁ ଏଭଳି କରିବା ଆବଶ୍ୟକ ନାହିଁ ବୋଲି ସେ ପ୍ରମାଣିତ କରିଥିଲେ। ସେ ନିଜ ସଂକ୍ରମିତ ଅଙ୍ଗୁଳିରେ ନିଶ୍ଚେତକ ଦେଇ ଏହାର ସର୍ଜରୀ କରିଥିଲେ।

୧୯୨୧ ମସିହା ଫେବ୍ରୁଆରୀ ୧୫ ତାରିଖରେ ନିଜ ପେଟରେ ଲୋକାଲ୍ ଆନେସଥେଟିକ୍ ସହାୟତାରେ ଡାକ୍ତର କେନ୍ ସଫଳତାର ସହ ଅପେନଡିକ୍ଟୋମି କରିଥିଲେ। ସେତେବେଳକୁ ତାଙ୍କ ବୟସ ଥିଲା ୬୦ ବର୍ଷ। ୧୦ ବର୍ଷ ପରେ ସେ ନିଜ ଶରୀରରେ ଆଉ ଏକ ସଫଳ ସର୍ଜରୀ କରିଥିଲେ। କେବଳ ସେତିକି ନୁହେଁ, ସର୍ଜରୀର ମାତ୍ର ୩୬ ଘଣ୍ଟା ପରେ ଡ୍ୟୁଟିକୁ ଫେରିଥିଲେ।

ଆଲେକଜାଣ୍ଡାର ବୋଗଡାନୋଭ ନାମରେ ଋଷିଆରେ ଜଣେ ବିଖ୍ୟାତ ଡାକ୍ତର ଓ ବୈଜ୍ଞାନିକ ଥିଲେ। ସେ ବି ଥିଲେ ଜଣେ ଅର୍ଥନୀତିଜ୍ଞ, ରାଜନେତା ଓ ଲେଖକ। ଏକ କୌତୁହଳପୂର୍ଣ୍ଣ କଥା ତାଙ୍କ ମନକୁ ଜୁଟିଥିଲା। ବୁଢାମାନଙ୍କୁ ଯୁବକଙ୍କ ଭଳି ସକ୍ରିୟ କରିବା ପାଇଁ ଏକ ଅଭିନବ ପ୍ରୟୋଗ କରିବାକୁ ଚାହିଁଥିଲେ ଡାକ୍ତର ବୋଗଡାନୋଭ। ଏଥିପାଇଁ ସେ ବୁଢାମାନଙ୍କ ଶରୀରରେ ଯୁବକମାନଙ୍କ ରକ୍ତ ପ୍ରବେଶ କରାଇବା ଭଳି ଏକ ଅସାଧାରଣ ଉପାୟ ଭାବିଥିଲେ।

୧୯୨୪ ମସିହାରେ ନିଜ ଉପରେ ହିଁ ଏହି ଅଭିନବ ପ୍ରୟୋଗ କରିଥିଲେ ବୋଗଡାନୋଭ। ଜଣେ ଯୁବକଙ୍କ ରକ୍ତ ସେ ନିଜ ଶରୀରରେ ପ୍ରବେଶ କରାଇଥିଲେ। କିନ୍ତୁ ଦୁଃଖ କଥା ଯେ ଏହି ପ୍ରକ୍ରିୟା ପରେ ସେ ପ୍ରାଣ ହରାଇଥିଲେ। ପରେ ଜଣାପଡିଥିଲା ଯେ,ତାଙ୍କୁ ରକ୍ତଦାନ କରିଥିବା ଯୁବକଜଣକ ମ୍ୟାଲେରିଆ ଓ ଟିବିରେ ପୀଡିତ ଥିଲା।

ଜର୍ମାନୀର ବୈଜ୍ଞାନିକ ରବର୍ଟ କୋଚ୍ ଆବିଷ୍କାର କରିଥିଲେ ଯେ, ଭିବ୍ରିଓ କୋଲେରାଏ ନାମକ ଏକ ବ୍ୟାକଟେରିଆ ହିଁ ହଇଜାର କାରଣ। କିନ୍ତୁ ମାକ୍ସ ଯୋଶେଫ୍ ଭନ୍ ପିଟେନକୋଫେର ନାମକ ଜଣେ ଚିକିତ୍ସା ବିଜ୍ଞାନୀ କୋଚଙ୍କ ଆବିଷ୍କାରକୁ ଭୁଲ୍ ପ୍ରମାଣିତ କରିବାକୁ ଚାହିଁଲେ। ଏଥିପାଇଁ ସେ ଏକ ପ୍ରୟୋଗ କଲେ। କୋଚଙ୍କ ଉପସ୍ଥିତିରେ ହିଁ ପିଟେନକୋଫେର ଭିବ୍ରିଓ କୋଲେରାଏ ବ୍ୟାକଟେରିଆକୁ ଫଳରସରେ ମିଶାଇ ପିଇଥିଲେ। ପରିଣାମ ସ୍ୱରୂପ ସେ ହଇଜାରେ ପୀଡିତ ହେଲେ। ତାଙ୍କୁ ହସପିଟାଲକୁ ନେବାକୁ ପଡିଥିଲା। ୭ ଦିନ ପରେ ସେ ସୁସ୍ଥ ହୋଇଥିଲେ।

୧୯୮୪ ମସିହାରେ ଅଷ୍ଟ୍ରେଲିଆର ରୟାଲ ପର୍ଥ ହସପିଟାଲରେ କାମ କରୁଥିବା ବେଳେ ଡାକ୍ତର ବେରି ମାର୍ଶାଲ ସହଯୋଗୀ ରବିନ ଓାରେନଙ୍କ ସହ ଘୋଷଣା କରିଥିଲେ ଯେ, ହେଲିକୋବାକ୍ଟେର ପାଇଲୋରି ବ୍ୟାକ୍ଟେରିଆ ହିଁ ପେଟରେ ଘାଆ ଓ କ୍ୟାନସର ପାଇଁ ଦାୟୀ। କିନ୍ତୁ ଅନ୍ୟ ବୈଜ୍ଞାନିକ ଓ ଡାକ୍ତରମାନେ ବେରିଙ୍କ ଏହି ଥିଓରୀକୁ ଗ୍ରହଣ କଲେ ନାହିଁ। ସେମାନଙ୍କର ମତ ଥିଲା ଯେ, ପେଟରୁ ବାହାରୁଥିବା କେମିକାଲ ବ୍ୟାକଟେରିଆକୁ ବଂଚିବା ପାଇଁ ଦେବ ନାହିଁ।

କିନ୍ତୁ ନିଜ ଥିଓରୀକୁ ପ୍ରମାଣ କରିବାକୁ ଯାଇ ବେରି ମାର୍ଶାଲ ଫଳ ରସରେ ସଂପୃକ୍ତ ବ୍ୟାକ୍ଟେରିଆ ମିଶାଇ ପିଇଥିଲେ। ଆଉ କିଛି ଦିନ ମଧ୍ୟରେ ସେ ଗୁରୁତର ଅସୁସ୍ଥ ହୋଇପଡିଲେ। ସେ ପିଇଥିବା ବ୍ୟାକଟେରିଆ ତାଙ୍କ ପେଟରେ ଘାଆରେ ପରିଣତ ହୋଇଯାଇଥିଲା। ଆଂଟିବ୍ୟାକଟେରିଆଲ୍ ଔଷଧ ସେବନ କରି ସୁସ୍ଥ ହୋଇଥିଲେ ମାର୍ଶାଲ। ନିଜ ଜୀବନକୁ ବାଜି ଲଗାଇ ନିଜ ଥିଓରୀର ଯଥାର୍ଥତା ପ୍ରମାଣ କରି ଦେଖାଇଥିଲେ ମାର୍ଶାଲ୍। ଉଭୟ ମାର୍ଶାଲ ଓ ଓାରେନଙ୍କୁ ୨୦୦୫ରେ ମେଡିସିନ ନୋବେଲ ପୁରସ୍କାର ଦିଆଯାଇଥିଲା।

ଏହିଭଳି ଅନେକ ଚିକିତ୍ସା ବିଜ୍ଞାନୀ ଓ ଡାକ୍ତର ଅଛନ୍ତି, ଯେଉଁମାନେ କି ବେଶ୍ ଦୂରଦୃଷ୍ଟିସଂପନ୍ନ ହୋଇ ମାନବଜାତିର କଲ୍ୟାଣ ପାଇଁ ଦୁଃସାହସିକ ପଦକ୍ଷେପ ନେଇଛନ୍ତି। ରୋଗର କାରଣ ଖୋଜିବା ସହ ଏହାର ପ୍ରତିକାର ବାହାର କରିଛନ୍ତି। ଜୀବନକୁ ବାଜି ଲଗାଇ ନିଜ ଉଦ୍ଭାବିତ ଔଷଧ ଓ ଟୀକାର ପରୀକ୍ଷଣ ପ୍ରଥମେ ନିଜ ଉପରେ ହିଁ କରିଛନ୍ତି। ଏଭଳି ତ୍ୟାଗ ହିଁ ସେମାନଙ୍କୁ ମହାନ କରିଛି।

ଚାଣକ୍ୟ ନଗର, ଲାଂଜିପଲ୍ଲୀ
ବ୍ରହ୍ମପୁର ୮, ମୋବାଇଲ୍ ୯୭୦୩୬୯୦୮୪୭

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ପରମାଣୁ ବୋମା ଇତିହାସର ଏକ ଆଶ୍ଚର୍ଯ୍ୟ ଏବଂ ଅନାଲୋଚିତ ଅଧ୍ୟାୟ 

ବିଜନ କୁମାର ମହାପାତ୍ର

୧୯୪୫ ଅଗଷ୍ଟରେ ସାମ୍ରାଜ୍ୟବାଦୀ ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ତିନିଦିନ ବ୍ୟବଧାନରେ ପରମାଣୁ ବୋମା ପକାଇଥିଲା ଆମେରିକା। ଏହି ଦୁଇ ପରମାଣୁ ବୋମା ଯାହାର ନାମ ଥିଲା ‘ଲିଟିଲ ବୟ’ ଓ ‘ଫ୍ୟାଟ ମ୍ୟାନ୍‌’ ହିରୋସୀମା ଓ ନାଗାସାକିରେ ରଚିଥିଲେ ମୃତ୍ୟୁର ତାଣ୍ଡବ ଲୀଳା। ଅଗଷ୍ଟ ୬, ୧୯୪୫ରେ ହିରୋସୀମାରେ ପଡିଥିବା ବିଶ୍ୱର ପ୍ରଥମ ପରମାଣୁ ବୋମାରେ ପ୍ରାଣ ହରାଇଥିଲେ ୧ ଲକ୍ଷ ୩୦ ହଜାରରୁ ଅଧିକ ଲୋକ। ତିନି ଦିନ ପରେ ଅଗଷ୍ଟ ୯ ତାରିଖରେ ନାଗାସାକି ସହରରେ ଆମେରିକା ନିକ୍ଷେପ କରିଥିବା ଦ୍ୱିତୀୟ ପରମାଣୁ ବୋମାରେ ୭୦ ହଜାର ଲୋକଙ୍କ ଜୀବନ ଯାଇଥିଲା।

ପରମାଣୁ ବୋମାର ଭୀଷଣ ଭୟାବହତା ଓ ଅନ୍ୟ ପ୍ରତିକୂଳ କାରଣ ଯୋଗୁଁ ଯୁଦ୍ଧ ବିରତି ଓ ଆତ୍ମ ସମର୍ପଣ ପାଇଁ ଘୋଷଣା କରିଥିଲା ଜାପାନ। ୧୯୪୫ ମେ ମାସରେ ନାଜି ଜର୍ମାନୀକୁ ସୋଭିଏତ ସଂଘ ଓ ମିତ୍ର ଶକ୍ତି ଅଧିକାର କଲା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏକ ପ୍ରକାର ଶେଷ ହୋଇଯାଇଥିଲେ ମଧ୍ୟ ଜାପାନ ଆତ୍ମସମର୍ପଣ ପାଇଁ ମନା କରିଥିଲା। ତେଣୁ ପରମାଣୁ ବୋମାରେ ନିଜର ଦୁଇ ସହର ଧ୍ୱଂସ ହେବା ପରେ ହିଁ ଆତ୍ମସମର୍ପଣ କରିଥିଲା ଜାପାନ। ଏଥିସହ ଆନୁଷ୍ଠାନିକ ଭାବେ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ।

ଜାପାନ ଉପରେ ଆମେରିକାର ପରମାଣୁ ବୋମା ପ୍ରୟୋଗ ଓ ଏହାର ଭୟାବହତା ସଂପର୍କରେ ଆଜି ବି ଆଲୋଚନା ହୁଏ। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ପରମାଣୁ ବୋମା ସହ ଜଡିତ ଏକ ରୋଚକ ଅଧ୍ୟାୟ ସଂପର୍କରେ ଆଜି ବି ଖୁବ୍ କମ ହିଁ ଜାଣନ୍ତି। ସେହି ରୋଚକ ଅଧ୍ୟାୟ। ଆଫ୍ରିକା ମହାଦେଶର ଏକ ଛୋଟ ଗରିବ ରାଷ୍ଟ୍ର ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ- ଡିଆରସି ( ପୂର୍ବର ବେଲଜିଆନ କଙ୍ଗୋ ) ସହ ଜଡିତ। କଙ୍ଗୋର ନାଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ହୀରୋସୀମା ଓ ନାଗାସାକିରେ ପଡିଥିବା ପରମାଣୁ ବୋମା ସହ ସବୁବେଳେ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇ ରହିଛି। କିନ୍ତୁ ଏ ପ୍ରସଙ୍ଗରେ କ୍ୱଚିତ ଆଲୋଚନା ହୁଏ।

ଜାପାନରେ ପରମାଣୁ ବୋମା ପଡିବାର ୭୫ତମ ବାର୍ଷିକୀ ଉପଲକ୍ଷେ ପାଠକମାନଙ୍କୁ ଇତିହାସର ସେହି କମ୍ ଅନାଲୋଚିତ ଅଧ୍ୟାୟ ଉପରେ ଅବଗତ କରିବା ଉଚିତ ହେବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତତ୍କାଳୀନ କଙ୍ଗୋ ଥିଲା ବେଲଜିୟମର ଉପନିବେଶ ରାଷ୍ଟ୍ର। ତେଣୁ ସେହି ଦେଶ ସେତେବଳେ ବେଲଜିଆନ କଙ୍ଗୋ ଭାବେ ପରିଚିତ ଥିଲା। କଙ୍ଗୋର କାଟାଙ୍ଗା ରାଜ୍ୟରେ ରହିଛି ସିଙ୍କୋଲବୱେ ଖଣି। ପ୍ରଚୁର ୟୁରାନିୟମରେ ଭରପୂର ଥିଲା ଏହି ଖଣି। ଆମେରିକା, ବ୍ରିଟେନ ଓ କାନାଡାର ‘ମାନହଟନ ପ୍ରୋଜେକ୍ଟ’ ପାଇଁ ଆବଶ୍ୟକ ୟୁରାନିୟମର ମୁଖ୍ୟ ଉତ୍ସ ଥିଲା କଙ୍ଗୋର ସିଙ୍କୋଲବୱେ ଖଣି। ପରମାଣୁ ବୋମା ଏହି ମାନହଟନ ପ୍ରୋଜେକ୍ଟରୁ ସୃଷ୍ଟି ହୋଇଥିଲା।

କଙ୍ଗୋର ଖଣିଜ ଅଂଚଳ ସିଙ୍କୋଲବୱେରେ ୧୯୧୫ ମସିହାରେ ଆବିଷ୍କୃତ ହୋଇଥିଲା ୟୁରାନିୟମ। କଙ୍ଗୋରେ ଥିଲା ବେଲଜିୟମର ଶାସନ। ସେତେବେଳେ ୟୁରାନିୟମର ଚାହିଦା ପ୍ରାୟ ନ ଥିଲା ବୋଲି କହିଲେ ଭୁଲ୍ ହେବ ନାହିଁ। ଭୂତତ୍ୱବିତମାନେ ୟୁରାନିୟମ ଶିଳାକୁ ଅଦରକାରୀ ପଥର ବୋଲି କହି ଏଡାଇ ଦେଉଥିଲେ। ତେଣୁ ସିଙ୍କୋଲବୱେରେ ୟୁରାନିୟମର ସନ୍ଧାନ ମିଳିବା ପରେ ମଧ୍ୟ ସେଠାରେ ବେଲଜିୟମର ଖଣିଜ କଂପାନି ‘ୟୁନିଅନ ମିନିଏରେ’ ଏଥିପ୍ରତି କୌଣସି ଆଗ୍ରହ ଦେଖାଇ ନ ଥିଲା। ବରଂ ରେଡିୟମର ବି ସନ୍ଧାନ ମିଳିଥିବାରୁ ବେଲଜିୟମ କଂପାନି ସେହି ଜାଗାର ମାଇନିଂ କରିଥିଲା।

୧୯୩୮ରେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ନୂଆ ଆବିଷ୍କାର ହୋଇଥିଲା। ସେହି ନୂଆ ଆବିଷ୍କାର ଥିଲା ପରମାଣୁ ବିଘଟନ ବା ନ୍ୟୁକ୍ଲିୟର ଫିଜନ୍। ଏହି ଆବିଷ୍କାର ଫଳରେ ହିଁ ୟୁରାନିୟମର ବ୍ୟବହାର ଉପଯୋଗୀ ସମ୍ଭାବନା ବୃୃଦ୍ଧି ପାଇଲା। ପରମାଣୁ ବିଘଟନ ଆବିଷ୍କାର ସଂପର୍କରେ ଶୁଣିଲା ପରେ ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜଭେଲଟଙ୍କୁ ଏକ ଚିଠି ଲେଖି ୟୁରାନିମର ଉପଯୋଗିତା ବିଷୟରେ ଜଣାଇଥିଲେ। ୟୁରାନିୟମରୁ ଅମାପ ଶକ୍ତି ସୃଷ୍ଟି କରାଯାଇପାରିବା ସହ ଶକ୍ତିଶାଳୀ ବୋମା ବି ନିର୍ମାଣ ହୋଇପାରିବ ବୋଲି ଆଇନଷ୍ଟାଇନ୍ ରୁଜଭେଲଟଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ।

୧୯୩୯ରେ ଆରମ୍ଭ ହୋଇଥିଲା ଆମେରିକାର ମହତ୍ୱାକାଂକ୍ଷୀ ‘ମାନହଟନ ପ୍ରୋଜେକ୍ଟ’। କାର‌୍ୟ୍ୟକାରୀ ପରମାଣୁ ଅସ୍ତ୍ର ବିକଶିତ କରିବା ଥିଲା ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ। ପ୍ରୋଜେକ୍ଟ ପାଇଁ ଆବଶ୍ୟକ ହେଉଥିଲା ବିପୁଳ ୟୁରାନିୟମ। ଆମେରିକାର କଲରାଡୋ ଓ କାନାଡାରେ ବି ୟୁରାନିୟମ ଉପଲବ୍ଧ ଥିଲା। କିନ୍ତୁ କଙ୍ଗୋର ସିଙ୍କୋଲବୱେରେ ହିଁ ଅଧିକ ପରିମାଣରେ ଉପଲବ୍ଧ ଥିଲା ୟୁରାନିୟମ। ଆମେରିକାର ସାମରିକ ରଣନୀତିଜ୍ଞମାନେ କିନ୍ତୁ କଙ୍ଗୋରୁ ହିଁ ଅଧିକରୁ ଅଧିକ ପରିମାଣର ୟୁରାନିୟମ ଆଣିବାକୁ ନିଷ୍ପତି ନେଇଥିଲେ। କାରଣ କଙ୍ଗୋର ସିଙ୍କୋଲବୱେ ଖଣିର ୟୁରାନିୟମ ଥିଲା ସବୁଠାରୁ ଶୁଦ୍ଧ ଓ ସମୃୃଦ୍ଧ।

କଙ୍ଗୋରୁ ୟୁରାନିୟମ ଆଣିବା ପାଇଁ ମାନହଟନ ପ୍ରୋଜେକ୍ଟର ଅଂଶୀଦାର ବ୍ରିଟେନ ସହ ଯୋଗାଯୋଗ କରିଥିଲା ଆମେରିକା। ବେଲଜିୟମ ଖଣି କଂପାନି ୟୁନିଅନ ମିନିଏରେରେ ବ୍ରିଟେନ ସରକାରଙ୍କ ୩୦ ପ୍ରତିଶତ ମାଲିକାନା ଥିଲା। ବ୍ରିଟେନ ସହଯୋଗରେ ଆମେରିକା, କଙ୍ଗୋରୁ ପ୍ରଚୁର ପରିମାଣରେ ୟୁରାନିୟମ ଆଣିବାରେ ସଫଳ ହେଲା। ବେଲଜିୟମ ଅଧୀନରେ ଥିବା କଙ୍ଗୋର ଶ୍ରମିକମାନେ ଦିନରାତି ହାଡଭଙ୍ଗା ପରିଶ୍ରମ କରି ଆମେରିକାକୁ ୟୁରାନିୟମ ପଥର ପଠାଇବାରେ ସାହାଯ୍ୟ କରିଥିଲେ। କିଏ ଜାଣିଥିଲା ଯେ, ସେମାନଙ୍କ ଏହି ଝାଳବୁହା ପରିଶ୍ରମ ବ୍ୟର୍ଥ ହୋଇ ଦିନେ ମାନବସମାଜ ପ୍ରତି ବଡ ବିପଦର କାରଣ ହେବ?

ମାନହଟନ ପ୍ରୋଜେକ୍ଟକୁ ଅତି ଗୁପ୍ତ ରଖାଯାଇଥିଲା। ପ୍ରୋଜେକ୍ଟ ପାଇଁ ୟୁରାନିୟମ ଚାଲାଣ ବି ଅତି ଗୁପ୍ତରେ ଚାଲିଥିଲା। ବିଶ୍ୱଯୁଦ୍ଧରେ ‘କେନ୍ଦ୍ର ଶକ୍ତି’ ଯେପରି ଟେର୍ ନ ପାଇବ, ସେଥିପାଇଁ ସିଙ୍କୋଲବୱେ ଖଣି ସଂପର୍କରେ ଜାଣିଶୁଣି ମିଥ୍ୟା ଖବର ପ୍ରଚାର କରାଯାଇଥିଲା। ୟୁରାନିୟମକୁ ରତ୍ନପଥର ଓ ସାଧାରଣ କଂଚାମାଲ ବୋଲି ପ୍ରଚାର କରାଗଲା। ଆମେରିକା ଓ ଏହାର ସହଯୋଗୀ ସିଙ୍କଲବୱେର ନାଁ ଧରୁ ନ ଥିଲେ। ଜର୍ମାନୀ ଓ ତାହାର ସହଯୋଗୀଙ୍କ ନଜର ଯେମିତି ନ ପଡିବ, ସେଥିପାଇଁ ସିଙ୍କଲବୱେରେ ଗୁପ୍ତଚର ମୁତୟନ ବି କରାଯାଇଥିଲା।

କଙ୍ଗୋର ସିଙ୍କଲବୱେ ଖଣିର ୟୁରାନିୟମ ହିଁ ମାନହଟନ ପ୍ରୋଜେକ୍ଟକୁ ସମୃଦ୍ଧ କରିଥିଲା । ଏହି ପ୍ରୋଜେକ୍ଟ ଅନ୍ତର୍ଗତ ପରମାଣୁ ବୋମାର ନିର୍ମାଣ ସହ ପରୀକ୍ଷଣ କରିଥିଲା ଆମେରିକା। ୧୯୪୫ ମସିହା ଜୁଲାଇ ୧୬ ତାରିଖରେ ନ୍ୟୁ ମେକସିକୋର ମରୁଭୂମିରେ ପଦାର୍ଥ ବିଜ୍ଞାନୀ ଜେ. ରବର୍ଟ ଆଇଜନହାୟରଙ୍କ ନେତୃତ୍ୱରେ ବିଶ୍ୱର ପ୍ରଥମ ପରମାଣୁ ବୋମାର ପରୀକ୍ଷଣ କରିଥିଲା ଆମେରିକା। ଏହି ମିଶନର ନାମ ଥିଲା ‘ଟ୍ରିନିଟି’ ।

ପରୀକ୍ଷିତ ପରମାଣୁ ବୋମାର ନାମ ଥିଲା ‘ଦି ଗେଜେଟ୍‌’। ଆମେରିକାର ଏହି ପରମାଣୁ ବୋମା ୨୧ କିଲୋଟନ୍ ବିଶିଷ୍ଟ ଥିଲା । କିଛି ଦିନ ପରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପ୍ରୟୋଗ କରି ସାରା ଦୁନିଆକୁ ଚକିତ କରିଦେଇଥିଲା। ହିରୋସୀମା ଓ ନାଗାସାକିରେ ସଂଘଟିତ ଧ୍ୱଂସର ଲୀଳା ପରେ ପରମାଣୁ ବୋମାର ଭୟାବହତା ସଂପର୍କରେ ଅବଗତ ହେଲା ଦୁନିଆ। ଜାପାନରେ ପଡିଥିବା ଆମେରିକାର ବିନାଶକାରୀ ପରମାଣୁ ବୋମା ନିର୍ମାଣ ପଛରେ ଯେ, ଏକ ଦରିଦ୍ର, ଉପନିବେଶ ରାଷ୍ଟ୍ରର ୟୁରାନିୟନ ବ୍ୟବହାର ହୋଇଥିଲ.ତାହା ଜାଣିବାକୁ ବେଶ୍ କିଛି ବର୍ଷ ଲାଗିଯାଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେଲା ପରେ ମଧ୍ୟ କଙ୍ଗୋର ସିଙ୍କଲବୱେ ଖଣିର ୟୁରାନିୟମ ସଂପର୍କରେ ସୂଚନା ଗୁପ୍ତ ରଖାଯାଇଥିଲା। ଆମେରିକା ନିର୍ମାଣ କରିଥିବା ପରମାଣୁ ବୋମାରେ କାନାଡାର ୟୁରାନିୟମ ବ୍ୟବହାର ହୋଇଥିଲା ବୋଲି ପ୍ରଚାର କରାଯାଇଥିଲା। କଙ୍ଗୋର ସିଙ୍କଲବୱେ ୟୁରାନିୟମ ବାବଦରେ କେହି ନ ଜାଣିବା ଚାହୁଁଥିଲେ ଆମେରିକା ଓ ତାର ସହଯୋଗୀ। କିନ୍ତୁ ପରେ ଏହି ରହସ୍ୟ ପ୍ରଘଟ ହୋଇଯାଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କମ୍ୟୁନିଷ୍ଟ ସୋଭିଏତ ସଂଘ ମଧ୍ୟ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବେ ମୁଣ୍ଡ ଟେକିଲା। ପରମାଣୁ ବୋମା ନିର୍ମାଣ ପାଇଁ ସୋଭିଏତ ସଂଘ ବି ଉଦ୍ୟମ ଆରମ୍ଭ କଲା। ୟୁରାନିୟମ ସମୃଦ୍ଧକରଣ ପାଇଁ ଉନ୍ନତ ଜ୍ଞାନକୌଶଳ ବି ବାହାରିଲା। ତେଣୁ ଉନ୍ନତ ୟୁରାନିୟନ ପାଇଁ କଙ୍ଗୋର ସିଙ୍କଲବୱେ ଖଣିରେ ପାଶ୍ଚାତ୍ୟ ଶକ୍ତିମାନଙ୍କ ନିର୍ଭରଶୀଳତା କମ୍ ହେବାରେ ଲାଗିଲା। କିନ୍ତୁ ଏହି ଖଣି ଶୀତଳ ଯୁଦ୍ଧର ପ୍ରକ୍ସି ଗ୍ରାଉଣ୍ଡ୍ ଭାବେ ଉଭା ହେଲା।

ଶୀତଳ ଯୁଦ୍ଧ ବେଳେ ଆମେରିକା କଙ୍ଗୋର ୟୁରାନିୟମ ଆଉ ଚାହୁଁ ନ ଥିଲା। ହେଲେ ପ୍ରତିଦ୍ୱନ୍ଦୀ ସୋଭିଏତ ସଂଘ ଓ ତାହାର ସହଯୋଗୀମାନେ ଯେଭଳି କଙ୍ଗୋର ୟୁରାନିୟମ ଉପରେ ଅଧିକାର ସାବ୍ୟସ୍ତ ନ କରିବେ, ସେଥିପାଇଁ ପଦକ୍ଷେପ ନେଇଥିଲା ଆମେରିକା । ଏପରିକି ସେଠାରେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଏକ ସରକାରକୁ ଗାଦିଚ୍ୟୁତ କରି ନିଜର କାଠ କଣ୍ଢେଇ ସରକାର ବସାଇଥିଲା ଆମେରିକା।

୧୯୬୦ ମସିହାରେ ବେଲଜିୟମଠାରୁ କଙ୍ଗୋ ସ୍ୱାଧୀନତା ହାସଲ କଲା ପରେ ସିଙ୍କଲବୱେ ଖଣିକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ପରମାଣୁ ବୋମା , ହୀରୋସୀମା ଓ ନାଗାସାକିର ଅଭୁଲା, ଅସରନ୍ତି ଯନ୍ତ୍ରଣା ସହ କଙ୍ଗୋର ନାଁ ସର୍ବଦା ଜଡିତ ହୋଇ ରହିବ।

                                                                ଚାଣକ୍ୟ ନଗର,ଲାଂଜିପଲ୍ଲୀ , ବ୍ରହ୍ମପୁର,