Categories
ବିଶେଷ ଖବର ମନୋରଂଜନ

ମୂଲ୍ୟବୋଧ ବିଜ୍ଞାପନ ପ୍ରଚାରର ଦୁଇଟି ଉଦାହରଣ, ବିଜୁ ପଟ୍ଟନାୟକ ଆଉ ଅକ୍ଷୟ ମହାନ୍ତି

ପ୍ରଦୀପ ମହାନ୍ତି

ଏବେ ଏଇ କିଛି ଦିନ ପୂର୍ବେ ଅମିତାଭ ବଚନ ଗୋଟେ ପାନ ମସଲା (କମଳା ପସନ୍ଦ )ପାଇଁ ଵିଜ୍ଞାପନ କରି ସମାଲୋଚିତ ତଥା ଲୋକହସା ହେବା ପରେ ସେ ସେଥିରୁ ବାଧ୍ୟ୍ୟ ହେଲେ ଓହରି ଯିବାପାଇଁ! ମୋ ଭଳି ଅନେକ ଅମିତାଭ ପ୍ରେମୀ ତାଙ୍କର ଏତାଦୃଶ କାର‌୍ୟ୍ୟ କଳାପ ପାଇଁ ବିରକ୍ତ ଓ ବ୍ୟଥିତ ହେବା ସ୍ୱାଭାବିକ।

ବିଗ-ବି ବୋଲାଉଥିବା ସୁପର ମେଗା ଷ୍ଟାର ଅମିତାଭ ବଚନ ଏମିତି ମର୍ଯ୍ୟଦାହୀନ କାମ କାହିଁକି କରୁଥିଲେ ତାହା ଏକ ସମ୍ବେଦନଶୀଳ ଅଧ୍ୟାୟ। ଏକଥା ସତ କି ବିଗ୍-ବି କମ୍ପାନୀ ପ୍ରତିଷ୍ଠା କରି ଦେବାଳିଆ ହେଲାପରେ ସେ ପୁରାପୁରି ଭାଙ୍ଗି ପଡ଼ିଥିଲେ.. ବିଭିନ୍ନ ବ୍ୟାଙ୍କରୁ ଆଣିଥିବା କୋଟି କୋଟି ଟଙ୍କାର ଋଣ ସୁଝି ନପାରିବାର ଅସହାୟତା ତାଙ୍କ ପାଇଁ ଥିଲା ଏକ ମସ୍ତବଡ଼ ଆହ୍ୱାନ! ଘଟଣାକ୍ରମେ ସେ “କୌନ ବନେଗା କରୋଡ଼ପତି” ଭଳି ରିୟଲିଟି ସୋ’ରେ ଆଙ୍କରିଂ କରି ପୁନଶ୍ଚ କରୋଡ଼ପତି ହେଇଗଲେ!! ତା’ପରଠୁ ତାଙ୍କର ସେକେଣ୍ଡ ଇନିଂସ ଆରମ୍ଭ ହେଇଗଲା ଏବଂ ତା’ ପରଠୁଁ ସେ ଆଉ ପଛକୁ ଫେରି ନାହାନ୍ତି କ୍ଷ

କେବିସିର ରେ ଉପସ୍ଥାପନା ସହିତ ଅନେକ ବଛା ବଛା ସିନେମାରେ ତାଙ୍କର ଔଜଲ୍ୟପୂର୍ଣ୍ଣ ଅଭିନୟ ତାଙ୍କ ଗୌରବାଜ୍ଜଳ ଇମେଜକୁ ବଜାୟ ରଖିପାରିବାରେ ସମର୍ଥ ହେଇପାରିଲା। ତା’ପରଠୁଁ ଭଳିକି ଭଳି ଵିଜ୍ଞାପନ ଫିଲ୍ମରେ ଅଭିନୟ କରି ସେ ପ୍ରଚୁର ଅର୍ଥ ଉପାର୍ଜ୍ଜନ କରି ଚାଲିଛନ୍ତି କ୍ଷ ସିଏ ତେଲ ମାଲିସ ହଉ କି ସୁନା ଗହଣା ବିକା ହେଉ, ଅଧିକାଂଶ ଆଡ୍ ରେ ଅମିତାଭଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳୁଛି।

ଏଇ ଅଣାଅଶୀ ବର୍ଷ ବୟସରେ ତାଙ୍କର ଆକର୍ଷଣ ଓ ଲୋକପ୍ରିୟତା ଅପ୍ରତିହତ ରହିବା କିଛି କମ କଥା ନୁହେଁ!! ଅନ୍ୟ ଷ୍ଟାର ମାନଙ୍କ ପାଖରେ ସେ ନିଶ୍ଚୟ ଇର୍ଷଣୀୟ ହେଇ ପଡିଛନ୍ତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ମତେ ଲାଗେ ଅନେକ କମ୍ପାନୀର ମାଲିକମାନେ ଅମିତାଭ ବଚ୍ଚନଙ୍କୁ ତାଙ୍କର ବ୍ରାଣ୍ଡ ଅମ୍ବାସାଡ଼ର କରିବାକୁ ଯେମିତି ପ୍ରତିଯୋଗୀତା କରୁଛନ୍ତି ଏବଂ ତାଙ୍କର ବହୁ ଦିନର ଅରମାନ ପୁରା କରୁଛନ୍ତି। ସେଥିପାଇଁ ସେମାନେ ୫-୧୦ କୋଟି ଟଙ୍କା ଯାଏ ଦେବାକୁ କୁଣ୍ଠାବୋଧ କରୁନାହାନ୍ତି!

ଏଇ ଘଟଣାରେ ସବୁଠୁଁ କ୍ଷୋଭ ଓ ପରିତାପର ବିଷୟ ହେଉଛି ତାଙ୍କର ଏଇ ସ୍ୱାସ୍ଥ୍ୟହାନୀ କାରକ ପାନ ମସାଲାର ଵିଜ୍ଞାପନ କରିବା!! ଯେଉଁଠି ତାଙ୍କ ଶୁଭେଛୁ ତଥା ପ୍ରଶଂସକ ମାନେ ତାଙ୍କୁ ଭାରତରତ୍ନ ଅବା ରାଷ୍ଟ୍ରପତି ଆସନରେ ଦେଖିବାକୁ ଭାବୁଛନ୍ତି, ସେଠି ଲଜ୍ଜାହୀନ ଲୋଭ ଦ୍ୱାରା ବଶବର୍ତ୍ତୀ ହେଇ ଅମିତାଭ ଏମିତି ନାଁ ପକା କାମ କରି ନିନ୍ଦିତ ହେବାଟା ଆଦୌ ସ୍ପୃହଣୀୟ ନୁହେଁ! ଯଦିଓ ସେ ଅପଯଶ ହେବା ଭୟରେ ଏଇ ଶସ୍ତା ଵିଜ୍ଞାପନରୁ ଓହରି ଯାଇଛନ୍ତି, ତଥାପି ତାଙ୍କ ଭଳି ଜଣେ ଲିଭିଙ୍ଗ ଲିଜେଣ୍ଡ ଏମିତି କରିବାର ନଥିଲା।

ଏଇ ପରିପ୍ରେକ୍ଷୀରେ ମୁଁ ଉତ୍ଥାପନ କରୁଛି ଆଉ ଦୁଇଜଣ ଦିବଂଗତ କିମ୍ବଦନ୍ତୀ ପୁରୁଷଙ୍କ କଥା.. ସେମାନେ ହେଲେ ଆମ ଅକ୍ଷୟ ମହାନ୍ତି ଓ ବିଜୁ ପଟ୍ଟନାୟକ।

୧୯୮୩-୮୪ ମସିହା କଥା.. ସେତେବେଳେ ଓଡ଼ିଶାରେ ପ୍ରଥମ ଵିଜ୍ଞାପନ ଫିଲ୍ମ ନିର୍ମାତା (ଉଇଙ୍କ ଫିଲ୍ମ ମେକର )ଭାବେ ଆମେ ଅନେକ ଆଡ୍ ଫିଲ୍ମ କରୁଥାଉ ଏବଂ ଓଡ଼ିଶାର ଅଧିକାଂଶ ପ୍ରସିଦ୍ଧ ଅଭିନେତା ଅଭିନେତ୍ରୀ ମାନେ ବିଭିନ୍ନ ପ୍ରଡକ୍ଟ ପାଇଁ ଅଭିନୟ କରୁଥାନ୍ତି ଏବଂ ସେସବୁ ସେତେବେଳେ ବିଭିନ୍ନ ସିନେମା ହଲରେ ରିଲିଜ ହେଉଥାଏ। ଥରେ ଓଡ଼ିଶା ବିଖ୍ୟାତ ଆକବର ଖାଁ ଗୁଡ଼ାଖୁ ପାଇଁ ଗୋଟେ ମିନିଟିକିଆ ଆଡ଼ ଫିଲ୍ମ କରିବାକୁ ଅଫର ଆସିଲା ଏବଂ ସେଥିପାଇଁ ମୁଁ ଅକ୍ଷୟ ମହାନ୍ତିଙ୍କୁ ପ୍ରଥମ ଥର ପାଇଁ ଏଇ ଅଡ଼ିଓ ଭିଜୁଆଲ ମିଡ଼ିଆରେ ଅଭିନୟ ପାଇଁ ପ୍ରସ୍ତାବ ଦେଲି, କାରଣ ଖୋକା ଭାଇ ଗୁଡ଼ାଖୁ ଘଷୁଥିଲେ ଏବଂ ଗୁଡ଼ାଖୁ ଘଷିବା ପରର ମିଞ୍ଜାସ ତାଙ୍କର ପୁରା ବିନ୍ଦାସ ହେଇଯାଉଥିଲା!!

ସେଇ ସମୟରେ ଗୀତ ଲେଖା, ସ୍ୱର ସଂଯୋଜନା ପୁରା ମାତିକି କରୁଥିଲେ! ମାନେ ପାନ ଖିଲେ କି ଟେଳାଏ ଗୁଡ଼ାଖୁରେ ସେ ଚଉଦ ଭୁବନ ଦେଖିପାରୁଥିଲେ କହିଲେ ଅତ୍ୟୁକ୍ତି ହେବନି!

ମୁଁ ସେଇ ତାଙ୍କର ଜୀବନଚର୍ଯ୍ୟା ମାନେ ଲାଇଫ ଷ୍ଟାଇଲକୁ ମୁଣ୍ଡରେ ରଖି ଗୋଟେ ରଫ ସ୍କ୍ରିପ୍ଟ କରିଦେଇ ପାର୍ଟିକୁ ଶୁଣାଇ ଦେଲି। ଆକବର ଖାଁ ପୁରା ଖୁସ୍ ହେଇଗଲେ ଏମିତିକା ଆଇଡ଼ିଆ ଶୁଣି…ପୁଣି ସୁପ୍ରସିଦ୍ଧ ସଂଗୀତଜ୍ଞ ଅକ୍ଷୟ ମହାନ୍ତି ଗୀତ ଗାଇବା ସହ ଏଥିରେ ଅଭିନୟ କରିବେ, ୟାଠୁଁ ବଳି ସୁଯୋଗ ଓ ଆକର୍ଷଣ ଆଉ କଣ ହେଇପାରେ?

ମୁଁ ଗୁଡ଼ାଖୁ କମ୍ପାନୀରୁ ସବୁଜ ସଂକେତ ପାଇ ଧାଇଁ ଗଲି ଖୋକା ଭାଇଙ୍କ ପାଖକୁ ଏ ବିଷୟରେ କଥା ପକ୍କା କରିବାକୁ ଏବଂ ସେ ସାଙ୍ଗେ ସାଙ୍ଗେ ରାଜି ହେଇଗଲେ କରିବାକୁ। ଗୀତ, ସଂଗୀତ, କଣ୍ଠ ପୁଣି ଅଭିନୟ ସବୁ ଏକାକାର ହେଇଯିବ ଗୋଟେ ମାଡ଼ରେ!!! ଏଇ ପ୍ରଡକ୍ସନ ନିମନ୍ତେ ଆମେ ୩୦ହଜାର ଟଙ୍କା ପାଇବାକୁ କମ୍ପାନୀ ସହିତ କଥା ଛିଣ୍ଡିଥିଲା ଏବଂ ମୁଁ ଖୋକାଇଙ୍କୁ ଏ ବାବଦରେ ୫୦୦୦ ଟଙ୍କା ଦେବାକୁ କହିଦେଲି। ମୁଁ ଜାଣିଥିଲି ସେ ବହୁତ ଖୁସି ହେଇଯିବେ ଏବଂ ହେଲେ ମଧ୍ୟ.. କାରଣ ସେ ସମୟରେ ଗୋଟେ ଓଡ଼ିଆ ଫିଲ୍ମରେ ମୁଖ୍ୟ ଅଭିନେତା, ଅଭିନେତ୍ରୀ ମାନେ ୩-୪ ହଜାର ଟଙ୍କା ଯାଏ ପାଉଥିଲା ବେଳେ ଅକ୍ଷୟ ମହାନ୍ତିଙ୍କ ପରି ଆଗ ଧାଡ଼ିର ମ୍ୟୁଜିକ ଡାଇରେକ୍ଟର ମାନେ ବି ପାଖାପାଖି ସେତିକି ପାଉଥିଲେ।

ଗୋଟେ ରଙ୍ଗୀନ ଓଡ଼ିଆ ଫିଲ୍ମର ବଜେଟ ସେତେବେଳେ ସମୁଦାୟ ୫-୬ଲକ୍ଷ ଭିତରେ ଥିଲା। ଏମିତିକା ସୁଆଦିଆ ଅଫର ପାଇ ଖୋକା ଭାଇ ତ ରାଜି ହେଇଯାଇଥିଲେ, ହେଲେ କିଛି ଦିନ ପରେ ମୁଁ ଯେତେବେଳେ ତାଙ୍କ ସହ ଫାଇନାଲ ସ୍କ୍ରିପ୍ଟ ଡିସ୍କସନ ପାଇଁ ଗଲି, ସେ ମୋ ସହ କେମିତି ଗୋଟେ ଦୋ ଦୋ ପାଞ୍ଚିଆ ହେଇ କଥା ବାର୍ତ୍ତା କଲେ.. ” ଶଳା ମୁଁ ଆକବର ଖାଁ ଗୁଡ଼ାଖୁ ପାଇଁ ଵିଜ୍ଞାପନ କଲେ ଲୋକମାନେ କଣ କହିବେ… ମୋ ପ୍ରେଷ୍ଟିଜ ରହିବ?? ନିତେଇଦା (ନିର୍ଦ୍ଦେଶକ ନିତାଇ ପାଲିତ ), ପ୍ରଶାନ୍ତ ନନ୍ଦ, ଦେବଦାସ ଏମାନେ ସବୁ ମତେ କମେଣ୍ଟ କରିବେନି.. ମୁଁ କଣ ସତରେ କରିବି ତୁ କହୁଚୁ….. ” ଖୋକାଇଙ୍କ ଏମନ୍ତ ରଙ୍ଗ ବଦଳା କଥା ଶୁଣି ମୁଁ ଟିକେ ଥତମତ ହେଇଗଲି ଓ କହିଲି, ” ତମେ ତ ସବୁଦିନ ଗୁଡ଼ାଖୁ ଘଷୁଛ ପୁଣି ଦି ତିନ ଥର ଲେଖାଁ, ଆଉ ଗୁଡ଼ାଖୁ ଵିଜ୍ଞାପନ ପାଇଁ ଡରୁଚ କିପାଇଁ ?”

ମୁଁ ଦେଖିଲି ଖୋକା ଭାଇକୁ ନ ମନେଇଲେ ଏତେ ଭଲ ବଜେଟର କାମଟା ହାତଛଡା ହେଇଯିବ କ୍ଷ ମୁଁ ଏଥର ଭାଉଜଙ୍କୁ ପଟେଇବାକୁ ଚେଷ୍ଟା କଲି.. ସେ କିନ୍ତୁ ତାଙ୍କର ଚିରାଚରିତ ମୁର୍କୀ ହସ ଫୁଟାଇ ଖୋକାଇଙ୍କ ଆଡ଼କୁ ଚାହିଁଲେ। ଖୋକାଇ କହିଲେ, ” ହଉ ତୁ ଯା.. କାଲି ଆଡ଼କୁ କଥା ହେବା.. ” ମୁଁ ସେଦିନ ଟିକେ ମନ ଊଣା କରି ପଳେଇ ଆସିଲି କ୍ଷ ଆସିଲା ବେଳେ ମନେ ମନେ ଭାବୁଥାଏ, ଦି ଚାରିଦିନ ମାତ୍ର କାମ କରି ପାଞ୍ଚ ହଜାର ପାଇବ, ସେଥିରେ ଏତେ କୁଂଥୁ କୁଂଥୁ କଣ ପାଇଁ କେଜାଣି!!

ତା’ର ଦି ଦିନ ପରେ ଫେର ଆସି ସକାଳୁ ସକାଳୁ ଖୋକାଭାଇଙ୍କ ଘରେ ହାଜର ହେଲି, ସେ ମତେ ଦେଖି ଦେଇ କହିଲେ, ” ନାଇଁ ପ୍ରଦୀପ ମୁଁ ଏ ଗୁଡ଼ାଖୁ ଆଡ୍ କରିବି ନାହିଁ.. ତୁ ଆଉ କାହାକୁ ନେଇଯା.. ମତେ ଆମର ବନ୍ଧୁ ବାନ୍ଧବ ମାନେ, ମୋ ଫ୍ୟାନ ମାନେ ଖରାପ ଭାବିବେ.. ତୁ କହିଲେ ମୁଁ ତା’ପାଇଁ ଗୀତ ଜିଙ୍ଗଲ କମ୍ପୋଜ କରିଦେବି, କିନ୍ତୁ ଆକ୍ଟିଙ୍ଗ କରିବି ନାହିଁ… ”

ଖୋକା ଭାଇଙ୍କର ଏମିତି ନାସ୍ତିବାଚକ କଥା ଶୁଣି ମୁଁ କିଛି ସମୟ ଭକୁଆ ବନିଗଲି ଓ କମ୍ପାନୀକୁ କଣ କହି ବୁଝେଇବି ମୋ ଅକଲ ଗୁଡ଼ୁମ ହେଇଗଲା! ସେତେବେଳେ ମୁଁ ଜାଣିବାରେ ଖୋକାଭାଇଙ୍କର ଆର୍ଥିକ ପରିସ୍ଥିତି ଠିକ୍ ନଥିଲା…୫୦୦ ଟଙ୍କାର ଟେଲିଫୋନ ବିଲ ଦେଇ ନପାରିଥିବାରୁ ତାଙ୍କ ଫୋନ ଲାଇନ କାଟି ଦିଆଯାଇଥିଲା, ସେଥିପାଇଁ ଥରେ ସେ ରାଗିକି ତାଙ୍କର ସେ କଳା ରଙ୍ଗର ଫୋନ ସେଟକୁ ତଳେ କଚାଡି ଭାଙ୍ଗି ଦେଇଥିଲେ!! ଏଭଳିଆ ଅଭାବ ଅନାଟନ ସତ୍ତ୍ୱେ ବି ସେ ନିଜର ମାନ ମର୍ଯ୍ୟଦା, ସ୍ୱାଭିମାନ ଛାଡୁନଥିଲେ। ଲୋଭରେ ପଡ଼ି କେବେବି ସେ ତାଙ୍କର ଭାବମୂର୍ତ୍ତିକୁ ବିକଳ କରିବାକୁ ଚାହୁଁ ନଥିଲେ। ନହେଲେ ୫୦୦ ଟଙ୍କା ଟେଲିଫୋନ ଦେୟ ଦେଇ ପାରୁନଥିବା ଜଣେ ମଣିଷ ୫୦୦୦ ଟଙ୍କା ରୋଜଗାରକୁ ଏଡ଼ାଇ ଯାଇନଥାନ୍ତେ!

ଏବେ ଆସନ୍ତୁ ଫେରିବା ୧୯୬୩-୬୪ ମସିହାକୁ… ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବର କାଗଜ “କଳିଙ୍ଗ” ସେତେବେଳେ ଘୋର ସଙ୍କଟ ଭିତର ଦେଇ ଗତି କରୁଥାଏକ୍ଷ ବିଜୁ ପଟ୍ଟନାୟକ ମାତ୍ର ଅଢ଼େଇ ବର୍ଷରୁ କମ୍ ସମୟ ମୁଖ୍ୟମନ୍ତ୍ରୀ ହେଇ ଇସ୍ତଫା ଦେଇସାରିଥାନ୍ତି। ନା ଅଛି କ୍ଷମତା ନା ଅଛି ଆର୍ଥିକ ସ୍ଵଛଳତା କ୍ଷ ସ୍ଵର୍ଗତ ସୁରେନ୍ଦ୍ର ମହାନ୍ତି ଥାଆନ୍ତି ସେତେବେଳେ କଳିଙ୍ଗର ସମ୍ପାଦକ।

ତାଙ୍କ ଆତ୍ମ ଜୀବନୀ “ପଥ ଓ ପୃଥିବୀ”ରେ ସେ ଲେଖିଛନ୍ତି ଏମିତି କିଛି ଅଜଣା ରୋଚକ କଥା… ଖବର କାଗଜ ପ୍ରକାଶନ ହେଉ କି ପତ୍ରପତ୍ରିକା, ଏସବୁକୁ ନିୟମିତ ରୂପେ ପ୍ରକାଶନ ଜାରି ରଖିବା ଏତେ ସହଜସାଧ୍ୟ ନୁହେଁ! କାଗଜ ବିକ୍ରୀ ଟଙ୍କାରେ ଲାଭ ନଥାଏ, ସେଥିପାଇଁ ଵିଜ୍ଞାପନ ଅର୍ଥ ଉପରେ ସବୁବେଳେ ନିର୍ଭରଶୀଳ ସବୁ ଖବରକାଗଜ। ସେତେବେଳେ ସମାଜ ଏକ ନମ୍ବର କାଗଜ ଭାବରେ ଗୁରୁତ୍ୱ ରଖୁଥାଏ ଏବଂ ପ୍ରାୟ ଵିଜ୍ଞାପନ ସମାଜକୁ ମିଳିଥାଏ। ତେବେ ସମାଜ କୌଣସି ଅରୁଚିକର ଅଥବା ତମାଖୁ ମାଦକଦ୍ରବ୍ୟ ଇତ୍ୟାଦିର ଵିଜ୍ଞାପନ ଗ୍ରହଣ କରୁନଥିଲା।

କଳିଙ୍ଗରେ ସଙ୍କଟ ଚାଲିଥିଲାବେଳେ ଆକସ୍ମିକ ଭାବେ ଆସିଲା ଗୋଟେ ସୁବର୍ଣ୍ଣ ସୁଯୋଗ… ମାକଡୁଏଲ ମଦ କମ୍ପାନୀ ତରଫରୁ ଚାରିଟା ଚଉଠ ପୃଷ୍ଠାର ଵିଜ୍ଞାପନ ଅର୍ଡର ଆସି ପହଁଚିଲା କଳିଙ୍ଗ ରେ ଚାରି ଥର ବାହାରିବାପାଇଁ କ୍ଷ ପ୍ରାୟ ୧୦ହଜାର ଟଙ୍କାର ଆୟ.. କିଛି କମ୍ କଥା ନୁହେଁ କ୍ଷ ମରୁଡ଼ିଆ ଅବସ୍ଥା ଭିତରେ ଧିମେଇ ଯାଇଥିବା କଳିଙ୍ଗ ପ୍ରେସରେ କେବେ କାଗଜ ଥିଲେ କାଳି ନାହିଁ,କେବେ କର୍ମଚାରୀ ମାନଙ୍କୁ ନିୟମିତ ଦରମା ଦେଇ ହେଉନି!!! ଏମିତି ଅଭାବନୀୟ ଅବସ୍ଥାରେ ଏଇ ମଦ ଵିଜ୍ଞାପନର ଅର୍ଡର ମରୁଭୂମିରେ ଓଏସିସ ପରି ଅନୁଭୁତ ହେଉଥିଲା କର୍ମଚାରୀଙ୍କ ମହଲରେ। ଯଥା ସମୟରେ ଏଇ ଖୁସି ଖବର ବିଜୁ ପଟ୍ଟନାୟକଙ୍କ କାନକୁ ଗଲା.. ସେ ବି ଖୁସି ହେଲେ ଏତେଦିନ ପରେ ଏତେ ବଡ଼ ଅର୍ଡର ଆସିଥିବାରୁ, ହେଲେ ପୁଣି ଆସିଲା ଧର୍ମସଙ୍କଟ.. ବିଜୁବାବୁ ଏଇ ମଦ ଵିଜ୍ଞାପନକୁ ଛାପିବେ ନା ନାହିଁ ଚିନ୍ତାରେ ପଡିଗଲେ।

ଏପଟେ ଅର୍ଥାଭାବର ଦୁରାବସ୍ଥା, ସେପଟେ ଵିଜ୍ଞାପନର ମୋଟା ଅର୍ଥର ଆକର୍ଷଣ କ୍ଷ ବାସ୍ତବ ଅବସ୍ଥା ଦୃଷ୍ଟିରୁ ସମସ୍ତେ ଚାହୁଁଥିଲେ ଏଇ ଵିଜ୍ଞାପନ ପ୍ରକାଶିତ ହେଉ, କିଛିଟା ତ ଉଶ୍ୱାସ ହେଇଯିବ ଅବସ୍ଥା। ଶେଷରେ କିନ୍ତୁ ବିଜୁବାବୁ ମନା କରିଦେଲେ ଏଇ ସରୋଗେଟ ମଦ ଵିଜ୍ଞାପନ ଛାପିବାକୁ!! ଜନହିତରେ ବା ଲୋକ କଲ୍ୟାଣ ବିପକ୍ଷରେ ଏହା ଯାଉଥିବାରୁ ବିଜୁ ପଟ୍ଟନାୟକ ରୋକଠୋକ ରିଫ୍ୟୁଜ କରିଦେଲେ। ଇଏ ହେଉଛି ମର୍ଯ୍ୟଦାର କଥା.. ମୂଲ୍ୟବୋଧର ଗାଥା.. ଏମିତି ଆଦର୍ଶକୁ ବଜାୟ ରଖିବା ଏକ ଅନନ୍ୟ ମହାନତା।

( ଲେଖକ ହେଉଛନ୍ତି ଜଣେ ବିଜ୍ଞାପନ ଚଳଚିତ୍ର ଜଗତର ପରିଚିତ ବ୍ୟକ୍ତିତ୍ବ, ଏହି ଲେଖାଟି ତାଙ୍କର ଫେସବୁକ ପୋଷ୍ଟିଂରୁ ଗ୍ରହଣ କରାଯାଇଛି। ତାଙ୍କର ଯୋଗାଯୋଗ ନମ୍ବର ହେଲା -୯୪୩୮୦୧୭୦୨୯ )

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ମନୋରଂଜନ

ପାନ ମସାଲାର ବିଜ୍ଞାପନରୁ ନିଜକୁ ଦୂରେଇ ରଖିଲେ ଅମିତାଭ ବଚ୍ଚନ: ଫେରାଇଲେ ଦେଲେ ପ୍ରଚାର ରାଶି

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ପାନ ମସାଲା ବ୍ରାଣ୍ଡ ପାଇଁ ବିଜ୍ଞାପନରୁ ନିଜକୁ ଦୂରେଇ ରଖିଛନ୍ତି। ଏହାର ପ୍ରଚାର ପାଇଁ ସେ ଯେଉଁ ରାଶି ପାଇଛନ୍ତି, ତାକୁ ମଧ୍ୟ ଅମିତାଭ ଫେରସ୍ତ କରିଛନ୍ତି। ୭୯ ବର୍ଷିୟା ଅଭିନେତା ଏକ ପାନ୍ ମସାଲା ବ୍ରାଣ୍ଡର ପ୍ରଚାର ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ଅନେକ ପ୍ରଶଂସକ ଏ ବିଷୟରେ ନିରାଶ ହୋଇଥିଲେ। ‘ଅମିତାଭ ବଚ୍ଚନ କାର୍ଯ୍ୟାଳୟ’ ଦ୍ୱାରା ପ୍ରକାଶିତ ଏକ ବ୍ଲଗ୍ ପୋଷ୍ଟରେ ରବିବାର ରାତିରେ କୁହାଯାଇଛି ଯେ, ସେ ଆଉ ଏହି ପ୍ରଚାର ସହ ଜଡିତ ନୁହଁନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ସିବିଆଇ ପଞ୍ଜାରେ ଖବରକାଗଜ ମାଲିକ, ସରକାରୀ ବିଜ୍ଞାପନ ହାତେଇବାରେ କରୁଥିଲେ ଠକେଇ

ନୂଆଦିଲ୍ଲୀ, ବିଜ୍ଞାପନ ନାମରେ ହୋଇଛି ଏକ ବଡ ଠକେଇ। ଖବରକାଗଜ ପ୍ରକାଶ କରୁଥିବା କହି କେତେକ ଖବରକାଗଜ ମାଲିକ ଦୀର୍ଘ ବର୍ଷ ଧରି ଠକେଇ କରିଆସୁଥିଲେ। ଯାହାକୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ। ଏଥିରେ ସୂଚନା ଓ ପ୍ରସାରଣ ବିଭାଗ ଅଧିନରେ ଥିବା ବ୍ୟୁରୋ ଅଫ ଆଉଟ ରିଚ୍ ଆଣ୍ଡ କମ୍ୟୁନିକେସନର କେତେକ ଅଧିକାରୀ ମଧ୍ୟ ସଂପୃକ୍ତ ଅଛନ୍ତି। ଏ ନେଇ ଖବରକାଗଜ ସହିତ ସଂପୃକ୍ତ ଥିବା ତିନି ଜଣଙ୍କ ନାମରେ ମାମଲା ଋଜୁ କରିଛି ସିବିଆଇ।

ଘଟଣାରୁ ଜଣାପଡିଛି ଯେ, ହରିଶ ଲାମ୍ବା, ଆରତୀ ଲାମ୍ବା ଏବଂ ଅଶୋକ କୁମାର 6ଟି ବିଭିନ୍ନ ଖବର କାଗଜ ପ୍ରକାଶିତ କରୁଛନ୍ତି। ସେଥି ମଧ୍ୟରୁ ତିନୋଟି ଖବରକାଗଜ ସରକାରୀ ବିଜ୍ଞାପନ ପାଇବା ପାଇଁ ବ୍ୟୁରୋ ଅଫ ଆଉଟ ରିଚ୍ ଆଣ୍ଡ କମ୍ୟୁନିକେସନ ବା ବିଓସି ର ଏମପ୍ୟାନେଲ କରାଇ ନେଇଛନ୍ତି। ଏହି ତିନୋଟି ଖବରକାଗଜ ହେଲା ଅର୍ଜୁନ ଟାଇମସ୍, ହେଲଥ ଅଫ ଭାରତ ଏବଂ ଦିଲ୍ଲୀ ହେଲଥ୍।

ସିବିଆଇ ତଦନ୍ତ କରିବା ପରେ ଜାଣିବାକୁ ପାଇଲା ଯେ, ଏହି ତିନୋଟି ଖବରକାଗଜ ବିଓସିରେ ଜାଲ କାଗଜ ପତ୍ର ଦେଇ ବିଜ୍ଞାପନ ହାସଲ ପାଇଁ ଯୋଗ୍ୟ ହୋଇଛନ୍ତି। ବିଓସିକୁ ଦେଇଥିବା କାଗଜପତ୍ରରୁ ଜଣାପଡିଲା ଯେ ଏହି ଖବରକାଗଜର ସର୍କୁଲେସନ ସଂଖ୍ୟା ହେଲା ଦୈନିକ ଦେଢ ଲକ୍ଷ। ପ୍ରତି ଖବରକାଗଜର ପୃଷ୍ଠା ସଂଖ୍ୟା ହେଲା ଆଠ। ହେଲେ ସିବିଆଇ ଯାଞ୍ଚ ପରେ ଅବଗତ ହେଲା ଯେ, ଏହି ଖବରକାଗଜ ସର୍କୁଲେସନ ସଂଖ୍ୟା ମାତ୍ର 150 ଖଣ୍ଡ।

ସେହିପରି ଏମାନେ 2017 ମସିହାରେ ବିଓସିକୁ ଜଣାଇଥିଲେ ଯେ, ଅର୍ଜୁନ ଟାଇମସ ଖବରକାଗଜର ପବ୍ଲିସର ହେଉଛନ୍ତି ଅଶୋକ କୁମାର ଏବଂ ମାଲିକ ହେଉଛନ୍ତି ହରିସ୍ ଲାମ୍ବା। ଏହି ପେପର ନୂଆଦିଲ୍ଲୀର ଡଲଫିନ ପେକ୍ଟୋଗ୍ରାଫି ପ୍ରେସର ଛପାଯାଉଛି। ହେଲେ ସିବିଆଇ ଏହି ପ୍ରେସ ଯାଞ୍ଚ କରିବା ପରେ ସେଠାରେ ଏହି ପେପର ଛପାଯାଉ ନ ଥିବାର ଜାଣିବାକୁ ପାଇଲେ। ହେଲେ ଅର୍ଜୁନ ଟାଇମସ ଦୈନିକ 25 ହଜାର 8ଶହ କପି ଛପାଯାଉଛି ବୋଲି ବିଓସିକୁ ରିପୋର୍ଟ ଦିଆଯାଇଥିଲା।

ହିସାବରୁ ଜଣାପଡିଛି ଯେ, ଏହି ଖବରକାଗଜ ଗତ 3 ବର୍ଷରେ 62 ଲକ୍ଷ ଟଙ୍କାର ସରକାରୀ ବିଜ୍ଞାପନ ନେଇଛି। ଏହା ସଂପୂର୍ଣ୍ଣ ଜାଲ ଖବରକାଗଜ ଜଣାପଡିବା ପରେ ସିବିଆଇ ଏମାନଙ୍କ ବିରୋଧରେ ମାମଲା ଋଜୁ କରିଛି। ଏପରିକି ବିଓସିର କେତେକ ଅଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ଋଜୁ ହୋଇଛି। ଏମାନେ ବିଓସି ଅଧିକାରୀଙ୍କୁ ହାତ କରି ବିଜ୍ଞାପନ ପାଇବା ପାଇଁ ଯୋଗ୍ୟ କରାଇଥିବାର ସିବିଆଇ ଜାଣିବାକୁ ପାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅନଲାଇନ ଗେମିଂ ବିଜ୍ଞାପନ ପାଇଁ ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ଗାଇଡଲାଇନ ଜାରି କଲା ଏଏସସିଆଇ

ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପକ୍ଷରୁ ଜାରି କରାଯାଇଥିବା ଦିଶାନିର୍ଦ୍ଦେଶ ପାଳନ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ସମସ୍ତ ଘରୋଇ ଟିଭି ଚ୍ୟାନେଲକୁ ଏହି ମାର୍ଗଦର୍ଶିକାର ପାଳନ କରିବା ଲାଗି କୁହାଯାଇଛି। ବିଧି ଓ ଆଇନ ଦ୍ୱାରା ନିଷିଦ୍ଧ କୌଣସି ପ୍ରକାରର ଗତିବିଧିକୁ ଏପରି ବିଜ୍ଞାପନ ପ୍ରୋତ୍ସାହିତ କରିବା ଅନୁଚିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ “ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ଉପରେ ବହୁସଂଖ୍ୟକ ବିଜ୍ଞାପନ ଟେଲିଭିଜନ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି। ଏ ସମ୍ପର୍କରେ ଚିନ୍ତା ବ୍ୟକ୍ତ କରାଯାଇଛି ଯେ ଏପରି ବିଜ୍ଞାପନ ଭ୍ରମାତ୍ମକ ପ୍ରତୀୟମାନ ହେଉଛି, ଗ୍ରାହକମାନଙ୍କୁ ଏହା ସହ ଜଡ଼ିତ ଆର୍ଥିକ ଓ ଅନ୍ୟ ବିପଦ ବିଷୟରେ କୁହାଯାଉ ନାହିଁ। ତେଣୁ କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୯୫ ଏବଂ ଉପଭୋକ୍ତା ସଂରକ୍ଷଣ ଆଇନ, ୨୦୧୯ ଅନ୍ତର୍ଗତ ନିର୍ଦ୍ଧାରିତ ବିଜ୍ଞାପନ କୋଡକୁ ଏଥିରେ କଡ଼ାକଡ଼ି ଭାବେ ପାଳନ କରାଯାଇନାହିଁ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପରାମର୍ଶ ବୈଠକ ପରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ, ଏଏସସିଆଇ, ନ୍ୟୁଜ ବ୍ରଡକାଷ୍ଟର୍ସ ଆସୋସିଏସନ, ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେସନ, ଅଲଇଣ୍ଡିଆ ଗେମିଂ ଫେଡରେସନ, ଫେଡରେସନ ଅଫ ଇଣ୍ଡିଆନ ଫାଣ୍ଟାସି ସ୍ପୋର୍ଟ୍ସ ଏବଂ ଅନଲାଇନ ରମ୍ମି ଫେଡରେସନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଏଏସସିଆଇର ଗାଇଡଲାଇନ ଅନୁଯାୟୀ, ଏପରି ପ୍ରତ୍ୟେକ ଗେମିଂ ବିଜ୍ଞାପନ ସହିତ ସତର୍କ ସୂଚନା ରହିବା ଆବଶ୍ୟକ: “ଏହି ଗେମରେ ଆର୍ଥିକ ବିପଦର ଏକ ତତ୍ତ୍ୱ ସାମିଲ ରହିଛି ଏବଂ ଏହାର ନିଶା ମଧ୍ୟ ହୋଇପାରେ। ଦୟାକରି ଉତ୍ତରଦାୟିତ୍ୱର ସହ ଏବଂ ନିଜର ରିସ୍କ ଅନୁଯାୟୀ ହିଁ ଏହାକୁ ଖେଳନ୍ତୁ”। ଏପରି ଚେତାବନୀକୁ ବିଜ୍ଞାପନରେ ଅତିକମରେ ୨୦ ପ୍ରତିଶତ ସ୍ଥାନ ଦେବା ଆବଶ୍ୟକ। ଏହି ଦିଶାନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଗେମିଂ ବିଜ୍ଞାପନରେ ୧୮ ବର୍ଷରୁ କମ ବୟସର ୟୁଜର୍ସ ପାଇଁ “ଅସଲ ଟଙ୍କା ଜିତିବା ଲାଗି ଅନଲାଇନ ଗେମିଂ” ଖେଳ ଖେଳିବା ବୋଲି ଦର୍ଶାଯାଇପାରିବ ନାହିଁ। ଏହା ମଧ୍ୟ ଦର୍ଶାଯାଇପାରିବ ନାହିଁ ଯେ ଏପରି ୟୁଜର୍ସ ଏହି ଗେମ ଖେଳିପାରିବେ। ଅନଲାଇନ ଗେମିଂ ରୋଜଗାରର ବିକଳ୍ପ ପ୍ରଦାନ କରିଥାଏ ଏବଂ ଏଗୁଡ଼ିକୁ ଖେଳୁଥିବା ଲୋକ ଅନ୍ୟମାନଙ୍କ ଠାରୁ ଅଧିକ ସଫଳ ହୋଇଥାନ୍ତି ବୋଲି ମଧ୍ୟ ବିଜ୍ଞାପନରେ ଦର୍ଶାଯାଇପାରିବ ନାହିଁ।

ସୂଚନାଯୋଗ୍ୟ ଯେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ୧୯୮୫ରେ ପ୍ରତିଷ୍ଠା ହୋଇଥିଲା। ଏହା ଭାରତରେ ବିଜ୍ଞାପନ ଉଦ୍ୟୋଗଗୁଡ଼ିକ ପାଇଁ ମୁମ୍ବାଇସ୍ଥିତ ସ୍ୱନିୟାମକ ସ୍ୱେଚ୍ଛାକୃତ ସଂଗଠନ ଅଟେ। ଏହାର ଉଦ୍ଦେଶ୍ୟ ହେଉଛି ବିଜ୍ଞାପନ ସ୍ୱ-ନିୟନ୍ତ୍ରଣକୁ ଏହାର କୋଡ ଅନୁରୂପ କରିବା। କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୯୫ ଅନ୍ତର୍ଗତ ଟେଲିଭିଜନ ନେଟୱର୍କଗୁଡ଼ିକ ଲାଗି ଏଏସସିଆଇ ଦ୍ୱାରା ନିର୍ଦ୍ଧାରିତ ବିଜ୍ଞାପନ କୋଡକୁ ପାଳନ କରିବା ବାଧ୍ୟତାମୂଳକ ଅଟେ।