କନ୍ଦର୍ପ ବେହେରା
ରେଢାଖୋଲ: ପଣସ ଖାଇବାକୁ ଯାଇ ଶେଷରେ ଭାଲୁର ଜୀବନ ଯିବା ଭଳି ଘଟଣା ଘଟିଛି ନାକଟିଦେଉଳ ରେଞ୍ଜ ଅଧିନସ୍ଥ ବିନ୍ଧପୁର ଗ୍ରାମରେ।
ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ଅଧିନସ୍ଥ ଜାମୁଯୋରୀ ପଂଚାୟତର ବିନ୍ଧପୁର ଗ୍ରାମର ଢିପସାହିରେ ଥିବା ଏକ ପଣସ ଗଛକୁ ରାତିରେ ଏକ ଭାଲୁ ପଣସ ଖାଇବାକୁ ଆସିଥିଲା। ପଣସ ଖାଇବା ଲୋଭରେ ସେ ବିଦ୍ୟୁତ ତାରଟିକୁ ଦାନ୍ତରେ କାମୁଡି ଦେବାରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗଛ ତଳକୁ ପଡି ମୃତ୍ୟୁବରଣ କରିଥିଲା। ସକାଳୁ ବିନ୍ଧପୁର ଗ୍ରାମବାସୀ ଦେଖି ଜଙ୍ଗଲ ବିଭାଗକୁ ଖବର ଦେବାରୁ ଘଟଣା ସ୍ଥଳକୁ ଜଙ୍ଗଲ ବିଭାଗ ଯାଇଥିଲା। ଭାଲୁର ମୃତ ଦେହକୁ ଜଙ୍ଗଲ ବିଭାଗ ଜବତ କରିଛି। ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରାଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସଂଭବ ହୋଇପାରି ନ ଥିଲା।
ନାକଟିଦେଉଳ ରେଞ୍ଜ ଅଧିନରେ ବହୁଗ୍ରାମରେ ବିଦ୍ୟୁତ୍ ତାର ବହୁତ ପାଖରେ ଥିବାରୁ ବହୁଧନ ଜୀବନ ହାନୀ ହେଉଛି। ବହୁ ବର୍ଷ ତଳେ ନାକଟିଦେଉଳ ରେଞ୍ଜ ଅଧିନସ୍ଥ ଚହଟାପଦା ନିକଟରେ ହାତୀ ତିନୋଟି ବିଦ୍ୟୁତ୍ ତାର ଲାଗି ମୃତ୍ୟୁବରଣ କରିଥିଲେ। ସେଇ ଅଂଚଳରେ ଏବେ ବି ବିଦ୍ୟୁତ୍ ତାର ଅତି ନିକଟରେ ଥିବାରୁ ହାତୀମାନଙ୍କ ପ୍ରତି ମଧ୍ୟ ବିପଦ ଦେଖାଯାଇଛି। ସେ ଅଂଚଳରୁ ବିଦ୍ୟୁତ ତାରକୁ ହଟାଇବା ପାଇଁ ଦାବୀ ହେଉଛି। ସଂଧ୍ୟା ହେଲେ ଚହଟାପଦା ହାତୀ ବିଦ୍ୟୁତ୍ ତାର ଲାଗିବା ଭୟରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରୁଛି ନାକଟିଦେଉଳ ବିଦ୍ୟୁତ୍ ବିଭାଗ। ଯା ଫଳରେ ଲୋକମାନେ ମଧ୍ୟ ବର୍ଷା ଦିନରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।