Categories
ଆଜିର ଖବର ଜାତୀୟ ଖବର

ଉଦଯାପିତ ହେଲା ରିଲିଫ୍‌ କମିଶନର ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀଗୁଡ଼ିକର ବାର୍ଷିକ ସମ୍ମିଳନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶର ରିଲିଫ କମିଶନର ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସଡିଆରଏଫ)ଗୁଡ଼ିକର ଦୁଇଦିନିଆ ବାର୍ଷିକ ସମ୍ମିଳନୀ ଆଜି ନୂଆଦିଲ୍ଲୀରେ ଉଦଯାପିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଡକ୍ଟର ପି. କେ. ମିଶ୍ର କହିଥିଲେ ଯେ ଏହି ବାର୍ଷିକ ସମ୍ମିଳନୀ ଏକ ବାର୍ଷିକ ଆୟୋଜନଠାରୁ ଊର୍ଦ୍ଧ୍ୱରେ ବିପର୍ଯ୍ୟୟ ବିପଦ ପରିଚାଳନା ପ୍ରତି ଆମର ସାମୂହିକ ଆଭିମୁଖ୍ୟକୁ ପ୍ରତିଫଳିତ କରିବା, ପୁନଃବ୍ୟବସ୍ଥିତ କରିବା ଏବଂ ସୁଦୃଢ଼ କରିବା ପାଇଁ ଏକ ସହଭାଗୀ ସୁଯୋଗ। ବିପର୍ଯ୍ୟୟଗୁଡ଼ିକର ପ୍ରକୃତି ବଦଳୁଥିବା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଆମକୁ ଏହି ବାସ୍ତବତାକୁ ସ୍ୱୀକାର କରିବାକୁ ହେବ, ଅର୍ଥାତ୍ ବିପଦଗୁଡ଼ିକ ପରସ୍ପର ସହ ଜଡ଼ିତ ଏବଂ ସେଗୁଡ଼ିକର ପ୍ରଭାବ ବହୁଗୁଣିତ ହେଉଛି। ବିପଦଗୁଡ଼ିକ ଆମର ଆଶା ଠାରୁ ବହୁଗୁଣ ଅଧିକ ବେଗରେ ବଦଳିବାରେ ଲାଗିଛନ୍ତି।

ଡକ୍ଟର ପି.କେ ମିଶ୍ର ଆଗାମୀ ଦିନରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ଯାହା ଆମର ସ୍ଥିତିକୁ ଦୀର୍ଘସମୟ ପାଇଁ ସୁଦୃଢ଼ କରିବ। ସେ କହିଥିଲେ, ବିପର୍ଯ୍ୟୟର ଅନିଶ୍ଚିତତା ବଢ଼ୁଥିବାରୁ ଏହାର ମୁକାବିଲା ପ୍ରସ୍ତୁତି ଏବଂ ସଚେତନତା ଅତ୍ୟନ୍ତ ଜରୁରୀ। ବିପଦ ଏବଂ ଦୁର୍ବଳତା ପରିଦୃଶ୍ୟ ବଦଳୁଛି। ସେଥିପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସ୍ତର ବଢ଼ାଇବା ଆବଶ୍ୟକ। ରିଲିଫ ଏବଂ ପ୍ରତିକ୍ରିୟା ଦୃଷ୍ଟିକୋଣ ଅପେକ୍ଷା ପ୍ରସ୍ତୁତି ଏବଂ ପ୍ରଶମନ ଦୃଷ୍ଟିକୋଣ ଆଡ଼କୁ ଉନ୍ନତ ପରିବର୍ତ୍ତନ ପାଇଁ, ରାଜ୍ୟଗୁଡିକ ଶିକ୍ଷା ଲାଭ କରୁଥିବା ଅଭିଜ୍ଞତାକୁ ସଂସ୍ଥାଗତ ରୂପ ଦେବାର ଆବଶ୍ୟକତା ରହିଛି। ଏହା ଜରୁରୀ କାରଣ ଅତୀତର ବିପର୍ଯ୍ୟୟଗୁଡ଼ିକର ଅନ୍ତର୍ଦୃଷ୍ଟିକୁ ଭୁଲି ହେବ ନାହିଁ।

ଡକ୍ଟର ମିଶ୍ର କହିଥିଲେ, ୨୦୨୫ ଜୁନ୍ ୪ ରୁ ୬ ତାରିଖ ମଧ୍ୟରେ ଜେନେଭାରେ ଆୟୋଜିତ ‘ଗ୍ଲୋବାଲ୍ ପ୍ଲାଟଫର୍ମ ଅନ୍ ଡିଆରଆର୍’ରେ ଭାରତର ଡିଆରଆର ଆର୍ଥିକ ମଡେଲକୁ ସ୍ୱୀକୃତି ମିଳିଥିବା ବେଳେ, ରାଜ୍ୟଗୁଡ଼ିକ ପୁନରୁଦ୍ଧାର ଏବଂ ପ୍ରଶମନ ପାଣ୍ଠିର ଉପଯୁକ୍ତ ଉପଯୋଗ ସୁନିଶ୍ଚିତ କରିବା ଉଚିତ। ଭାରତର ବିଶାଳ ଭୌଗୋଳିକ ସ୍ଥିତି ଉପରେ ଆଲୋକପାତ କରି, ସେ କହିଥିଲେ ଯେ ଏକ ମଜବୁତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ବ୍ୟତୀତ ରାଜ୍ୟଗୁଡ଼ିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକର କ୍ଷମତା ବୃଦ୍ଧିର ମୂଲ୍ୟାଙ୍କନ ଏବଂ ଏଥିରେ ନିବେଶ କରିବା ଉଚିତ।

ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ହେବା କିଛି ଘଣ୍ଟାର ବ୍ୟାପାର ନୁହେଁ, ବରଂ କିଛି ମିନିଟର ବ୍ୟାପାର, କାରଣ ସହାୟତା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ଏବଂ ଉଦ୍ଧାର କାର୍ଯ୍ୟରେ ଲାଗୁଥିବା ପ୍ରତ୍ୟେକ ମିନିଟ ଗୁରୁତ୍ୱ ବହନ କରିଥାଏ। ତେଣୁ ପ୍ରତିକ୍ରିୟାର ବେଗ ବୃଦ୍ଧି କରାଯିବା ଉଚିତ। କେତେକ ବିପର୍ଯ୍ୟୟ ପାଇଁ ଆଗୁଆ ଚେତାବନୀ ଉପରେ ଆହୁରି ଅନେକ କିଛି କରିବାର ଅଛି। କେତେକ ବିପର୍ଯ୍ୟୟରେ କ୍ଷୟକ୍ଷତିର ସମ୍ଭାବନା ଆକଳନ ଠାରୁ ଅଧିକ ବୋଲି ଜଣାପଡ଼ିଛି। ଉଦାହରଣ ସ୍ୱରୂପ, ମରୁଡ଼ି ଜୀବନ ଏବଂ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଆଜିକାଲି ବଜ୍ରପାତ ସବୁଠାରୁ ବଡ଼-ମାରାତ୍ମକ ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ ଭାବରେ ସାମ୍ନାକୁ ଆସୁଛି। ତେଣୁ ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଆମର ପ୍ରଶମନ ପ୍ରୟାସକୁ ପୁନଃବ୍ୟବସ୍ଥିତ କରାଯିବା ଉଚିତ।

ଡକ୍ଟର ମିଶ୍ର କହିଥିଲେ, ବିପର୍ଯ୍ୟୟ ବିପଦକୁ ହ୍ରାସ କରିବା ପାଇଁ ରାଜ୍ୟଗୁଡ଼ିକ କମ ଖର୍ଚ୍ଚ କିନ୍ତୁ ଉଚ୍ଚ ପ୍ରଭାବଶାଳୀ ହସ୍ତକ୍ଷେପ ଉପରେ ଧ୍ୟାନ ଦେବା ଉଚିତ। ସହରାଞ୍ଚଳ ବନ୍ୟା ମୁକାବିଲା ପାଇଁ ସ୍ଥାନୀୟ ଭୌଗୋଳିକ ଏବଂ ଜଳବାୟୁ ପରିସ୍ଥିତିକୁ ମନେ ରଖିବାକୁ ପଡିବ। ବିପର୍ଯ୍ୟୟ ମୁକାବିଲାକୁ ଅଧିକ ପ୍ରଭାବୀ କରିବା ପାଇଁ ଆପଦା ମିତ୍ର ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସମ୍ପୃକ୍ତ କରିବା ଭଳି ସ୍ୱେଚ୍ଛାସେବୀଙ୍କୁ ଏକାଠି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ଜୀବନ ରକ୍ଷା କରିବାରେ ଜନ-ଭାଗୀଦାରୀ କିଭଳି ଭୂମିକା ଗ୍ରହଣ କରିପାରିବ ତାହା ରାଜ୍ୟଗୁଡ଼ିକ ହୃଦୟଙ୍ଗମ କରିବା ଉଚିତ। ପ୍ରଧାନମନ୍ତ୍ରୀଙ୍କ ‘ମୋ ଭାରତ’ ପ୍ରୟାସ ଯୁବପିଢ଼ିଙ୍କୁ ବିପର୍ଯ୍ୟୟ ମୁକାବିଲାରେ ସାମିଲ କରିବା ପାଇଁ ବ୍ୟବହାର କରାଯାଇପାରିବ।

ବିପର୍ଯ୍ୟୟ ପରିଚାଳନାରେ ତଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରି, ସେ ବିପର୍ଯ୍ୟୟ ପ୍ରଶମନ ଯୋଜନା ପ୍ରସ୍ତୁତ କରିବାରେ ପିଏମ ଗତି ଶକ୍ତି ସ୍ତର ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ। ଚରମ ପାଣିପାଗ ଘଟଣା ଏବଂ ଅନିଶ୍ଚିତତାର ପରିବର୍ତ୍ତିତ ଆହ୍ୱାନକୁ ଦୃଷ୍ଟିରେ ରଖି, ରାଜ୍ୟଗୁଡ଼ିକୁ ଜୀବନ ଏବଂ ସମ୍ପତ୍ତିର କ୍ଷତିକୁ ରୋକି ଏପରି ପରିସ୍ଥିତିକୁ ପରିଚାଳନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ସେମାନଙ୍କର ସଂସ୍ଥା, ପ୍ରକ୍ରିୟା ଏବଂ ବ୍ୟବସ୍ଥାକୁ ପୁନଃନିର୍ମାଣ ଏବଂ ପୁନଃସକ୍ରିୟ କରିବାର ଆବଶ୍ୟକତା ଉପରେ ଡକ୍ଟର ମିଶ୍ର ଜୋର୍‌ ଦେଇଥିଲେ।

ଏହି ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟ ସରକାର, କେନ୍ଦ୍ରଶାସିତ ପ୍ରଦେଶର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ସହିତ କେନ୍ଦ୍ର ସରକାରଙ୍କ ସଂଗଠନ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଏସଡିଆରଏଫ, ବେସାମରିକ ପ୍ରତିରକ୍ଷା, ହୋମ୍ ଗାର୍ଡ, ଅଗ୍ନିଶମ ସେବାର ୧୦୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।

ସମ୍ମିଳନୀ ସମୟରେ ଭିନ୍ନ ଭିନ୍ନ ଅଧିବେଶନ ଆୟୋଜନ କରାଯାଇଥିଲା ଏବଂ ବିଶେଷଜ୍ଞମାନେ ପ୍ରାରମ୍ଭିକ ଚେତାବନୀ, ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନ, ସହରାଞ୍ଚଳ ବନ୍ୟା ପରିଚାଳନା, ନୂତନ ଆହ୍ୱାନ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ, ବିପର୍ଯ୍ୟୟ ମୁକାବିଲା ବାହିନୀର ଭୂମିକା, ମକ ଡ୍ରିଲ୍‌, ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟ ଇତ୍ୟାଦି ବିଷୟ ଉପରେ ଧ୍ୟାନ ଦେଇ ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ବିଶ୍ୱ ନେତୃତ୍ବ ହେବା ଦିଗରେ ଅଗ୍ରସର ହେଉଛି: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ 

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ରିଲିଫ କମିଶନର ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀର ବାର୍ଷିକ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ରିଲିଫ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ସମସ୍ତ ଏଜେନ୍ସିର କର୍ମଶାଳାକୁ ଗୋଟିଏ ମଞ୍ଚକୁ ଅଣାଯାଇଛି, ଯେଉଁଥିରେ ‘ସମ୍ପୂର୍ଣ୍ଣ ସରକାର’ ଆଭିମୁଖ୍ୟ ଗ୍ରହଣ କରାଯାଇଛି, ଯାହାଦ୍ୱାରା ଏକ ଥିଙ୍କ ଟ୍ୟାଙ୍କ୍ ଗଠନ କରାଯାଇ ଏକୀକୃତ ଭାବେ କାର୍ଯ୍ୟ କରାଯାଇପାରିବ। ସେ କହିଥିଲେ ଯେ ଏହା ତ୍ରୁଟିର ସମାଧାନ କରିବାରେ ଏବଂ ବିପର୍ଯ୍ୟୟ ମୁକାବିଲା ପାଇଁ ସମଗ୍ର ଦେଶକୁ ପ୍ରସ୍ତୁତ କରିବାରେ ସହାୟକ ହୋଇଛି। ଏହାବ୍ୟତୀତ, ଏକ ବହୁ-ଅଂଶୀଦାର ଆଭିମୁଖ୍ୟ ଏବଂ ଆନ୍ତଃ-ଏଜେନ୍ସି ସମନ୍ୱୟ ଫଳପ୍ରଦ ଭାବେ ହାସଲ କରାଯାଇଛି। ଏହି ପରମ୍ପରାକୁ ଆହୁରି ସୁଦୃଢ଼ କରାଯିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଅମିତ ଶାହ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧି କାରଣରୁ ସମଗ୍ର ବିଶ୍ୱ ଆଜି ବିପର୍ଯ୍ୟୟ ସମ୍ମୁଖୀନ ହେଉଛି। ସେ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ଏବଂ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ର ଯୋଗଦାନ କାରଣରୁ ଭାରତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତୃତ୍ବ ଦିଗରେ ଅଗ୍ରସର ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ଏନଡିଏମଏ ନୀତିଗତ ଢାଞ୍ଚା, ଗବେଷଣା, ବିଭିନ୍ନ ତାଲିମ ସାମଗ୍ରୀର ପ୍ରସାର, ଆପ୍ ବିକଶିତ କରିବା ଏବଂ ସାମଗ୍ରିକ ସମନ୍ୱୟ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନଡିଆରଏଫ୍ ଦେଶବ୍ୟାପୀ ସ୍ୱୀକୃତି ଅର୍ଜନ କରିଛି, ଏକ ଦୃଢ଼ ଖ୍ୟାତି ଅର୍ଜନ କରିଛି ଏବଂ ସମ୍ମାନ ଅର୍ଜନ କରିଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସଡିଆରଏଫ୍) ମଧ୍ୟ ଏହି ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ଏନଡିଆରଏଫ୍ ନିଜର ମାନକ ଅନୁସାରେ ଏସଡିଆରଏଫ୍ କର୍ମଚାରୀଙ୍କୁ ତାଲିମ ଦେବା ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ବି ଭାରତର ବିପର୍ଯ୍ୟୟ ମୁକାବିଲା ଇତିହାସ ଲେଖାଯିବ, ମୋଦୀ ସରକାରଙ୍କ ଏହି ୧୦ ବର୍ଷ ଏକ ପରିବର୍ତ୍ତନଶୀଳ ଦଶନ୍ଧି ଭାବେ ଲିପିବଦ୍ଧ ହେବ। ସେ କହିଥିଲେ ଯେ ବିଗତ ୧୦ ବର୍ଷ ମଧ୍ୟରେ ମୋଦୀ ସରକାର ଦକ୍ଷତା ବିକାଶ, ଗତି, ଦକ୍ଷତା ଏବଂ ବିପର୍ଯ୍ୟୟ ପରିଚାଳନାରେ ସଠିକତା ଆଦି ଚାରୋଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ କହିଥିଲେ ଯେ ବିପର୍ଯ୍ୟୟ ମୁକାବିଲା ପାଇଁ ଆମର କ୍ଷମତା କେବଳ ବୃଦ୍ଧି କରାଯାଇନାହିଁ, ବରଂ ଏହାକୁ ତହସିଲ ସ୍ତରକୁ ମଧ୍ୟ ସମ୍ପ୍ରସାରିତ କରାଯାଇଛି। ଗତି ଉପରେ ବିଶେଷ ଧ୍ୟାନ ଦିଆଯାଇଛି, କାରଣ ବିପର୍ଯ୍ୟୟ ସମୟରେ ଜୀବନ ବଞ୍ଚାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ବିପର୍ଯ୍ୟୟ ମୁକାବିଲା ବାହିନୀର ଉତ୍ସର୍ଗୀକୃତ ଆଭିମୁଖ୍ୟ ମାଧ୍ୟମରେ ଦକ୍ଷତାରେ ଉନ୍ନତି ଘଟିଛି। ଅଧିକନ୍ତୁ, ସଠିକ୍ ପୂର୍ବାନୁମାନ ଏବଂ ପ୍ରାରମ୍ଭିକ ଚେତାବନୀ ପ୍ରଦାନ କରି, ସମାଜକୁ ସଚେତନ କରାଯାଇଛି ଏବଂ ସଫଳତାପୂର୍ବକ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

ଅମିତ ଶାହ କହିଥିଲେ ଯେ ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଆଭିମୁଖ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ପୂର୍ବରୁ, ଏହି ଆଭିମୁଖ୍ୟ ରିଲିଫ୍-କୈନ୍ଦ୍ରିକ ଥିଲା, କିନ୍ତୁ ଆଜି, ‘ଶୂନ୍ୟ କ୍ଷୟକ୍ଷତି’ ର ଲକ୍ଷ୍ୟ ସଫଳତାର ସହ ହାସଲ କରାଯାଇଛି, ଏବଂ ଧ୍ୟାନ ରିଲିଫ୍-କୈନ୍ଦ୍ରିକରୁ ଏକ ବ୍ୟାପକ ଏବଂ ସମନ୍ୱିତ ଆଭିମୁଖ୍ୟକୁ ସ୍ଥାନାନ୍ତରିତ ହୋଇଛି। ଭବିଷ୍ୟତର ବିପର୍ଯ୍ୟୟଗୁଡ଼ିକର ପୂର୍ବାନୁମାନ କରିବା, ଆଗୁଆ ଗବେଷଣା କରିବା, ଏହି କ୍ଷେତ୍ରରେ ବୈଶ୍ୱିକ ବିଚାରଗୁଡ଼ିକୁ ସଂକଳିତ କରିବା ଏବଂ ଭାରତର ଭୌଗୋଳିକ ପରିସ୍ଥିତି ଅନୁସାରେ ସେଗୁଡ଼ିକୁ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ମୋଦୀ ସରକାର ପ୍ରୟାସକୁ ପ୍ରତିକ୍ରିୟାଶୀଳରୁ ସକ୍ରିୟକୁ ପରିବର୍ତ୍ତନ କରିଛନ୍ତି ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ବୃଦ୍ଧି କରିଛନ୍ତି। ଏବେ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସ୍ଥାନୀୟ ୟୁନିଟ ଗୁଡ଼ିକ ସମନ୍ୱିତ ଢଙ୍ଗରେ ଏକାଠି ହେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସମାଜକୁ ସାମିଲ କରିବାର ପ୍ରୟାସ ମଧ୍ୟ ସଫଳତାର ସହ କରାଯାଇଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ଯୁବକ ସେବା ଭାବନା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଆଗୁଆ ଚେତାବନୀ ବ୍ୟବସ୍ଥାର ବିକାଶ କ୍ଷେତ୍ରରେ ଭାରତ ଅନେକ ସଫଳତା ହାସଲ କରିଛି। ସମୟୋଚିତ ପ୍ରସ୍ତୁତିକୁ କ୍ୟାଲେଣ୍ଡର ସହିତ ସମନ୍ୱିତ କରାଯାଇଛି, ସକ୍ରିୟ ପ୍ରତିରୋଧ ଏବଂ ପ୍ରଶମନ ପାଇଁ ଏକ ବୈଜ୍ଞାନିକ ଆଭିମୁଖ୍ୟ ବିକଶିତ କରାଯାଇଛି, ଏବଂ ଆମେ ବିପର୍ଯ୍ୟୟ ବିପଦ ହ୍ରାସରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛୁ। ସେ କହିଥିଲେ ଯେ ‘ସର୍ବନିମ୍ନ କ୍ଷୟକ୍ଷତି’ ଲକ୍ଷ୍ୟ ହାସଲ କରି ମୋଦୀ ସରକାର ୧୦ ବର୍ଷ ମଧ୍ୟରେ ‘ଶୂନ୍ୟ କ୍ଷୟକ୍ଷତି’ ଲକ୍ଷ୍ୟ ହାସଲ କରି ସମଗ୍ର ବିଶ୍ୱକୁ ଚକିତ କରିଦେଇଛନ୍ତି। ସେ କହିଥିଲେ ଯେ ୧୯୯୯ ମସିହାରେ ଓଡ଼ିଶାରେ ଏକ ସୁପର ସାଇକ୍ଲୋନ ଆସିଥିଲା, ଯେଉଁଥିରେ ୧୦,୦୦୦ ଲୋକ ପ୍ରାଣ ହରାଇଥିଲେ, ଯେତେବେଳେ କି ୨୦୧୯ ମସିହାରେ ଓଡ଼ିଶାରେ ବାତ୍ୟା ଫନି ସମୟରେ କେବଳ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ। ପରେ, ଗୁଜରାଟରେ ବାତ୍ୟା ବିପର୍ଯ୍ୟୟ ସମୟରେ, କୌଣସି ମୃତାହତ ହୋଇନଥିଲେ-ଏପରିକି ଗୋଟିଏ ବି ପଶୁ ମରି ନଥିଲା। ସେ କହିଥିଲେ ଯେ ଏହା ଦର୍ଶାଏ ଯେ ଯଦି ସ୍ଥାନୀୟ ୟୁନିଟ୍, ଜନସାଧାରଣ, ରାଜ୍ୟ, କେନ୍ଦ୍ର, ସମସ୍ତ ବିଭାଗ, ବୈଜ୍ଞାନିକ ଏବଂ ସୁରକ୍ଷା କର୍ମୀ ମିଳିତ ଭାବେ କାର୍ଯ୍ୟ କରନ୍ତି, ତେବେ ବଡ଼ ସଫଳତା ହାସଲ କରାଯାଇପାରିବ। ଶ୍ରୀ ଶାହ କହିଥିଲେ ଯେ ଗତ ଦଶନ୍ଧିରେ ଆମେ ଆର୍ଥିକ ସଶକ୍ତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛୁ ଏବଂ ସରକାରଙ୍କ ବଜେଟରେ ବ୍ୟାପକ ବୃଦ୍ଧି କରିଛୁ। ଆମେ ସଂରଚନାତ୍ମକ ସଶକ୍ତିକରଣ ସହିତ ଜାଣିଶୁଣି ଏବଂ ଯୋଜନା ଦ୍ୱାରା ସଂସ୍ଥାଗତ ସଶକ୍ତିକରଣ ମଧ୍ୟ ଅନୁସରଣ କରିଛୁ। ଏ ସବୁକୁ ମିଶାଇ ଆମେ ଏକ ନୀତି ଭାବେ ଏକ ବହୁମୁଖୀ ଆଭିମୁଖ୍ୟ ମଧ୍ୟ ଗ୍ରହଣ କରିଛୁ।

ଅମିତ ଶାହ କହିଥିଲେ ଯେ ୨୦୦୪ ରୁ ୨୦୧୪ ମସିହା ମଧ୍ୟରେ ଏସଡିଆରଏଫ୍ ର ବଜେଟ୍ ୩୮,୦୦୦ କୋଟି ଟଙ୍କା ଥିଲା, ଯାହା ୨୦୧୪ ରୁ ୨୦୨୪ ମସିହା ମଧ୍ୟରେ ବୃଦ୍ଧି ପାଇ ୧.୪୪ ଲକ୍ଷ କୋଟି ଟଙ୍କା ହୋଇଥିଲା। ସେହିଭଳି, ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଏନଡିଆରଏଫ୍ ର ବଜେଟ୍ ୨୮,୦୦୦ କୋଟି ଟଙ୍କା ଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୮୪,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ମୋଟାମୋଟି ଭାବେ, ଆମେ ମୋଟ ବଜେଟକୁ ୬୬,୦୦୦ କୋଟି ଟଙ୍କାରୁ ପ୍ରାୟ ତିନିଗୁଣ କରି ୨ ଲକ୍ଷ କୋଟି ଟଙ୍କା କରିଛୁ। ଶ୍ରୀ ଶାହ କହିଥିଲେ ଯେ ଏହି ଆର୍ଥିକ ସଶକ୍ତିକରଣ ଆମର ସମସ୍ତ ପ୍ରୟାସକୁ ଗ୍ରାମ ସ୍ତରକୁ ଆଣିବା ଦିଗରେ ଅତ୍ୟନ୍ତ ସଫଳ ହୋଇଛି। ସେ କହିଥିଲେ ଯେ ପଞ୍ଚଦଶ ଅର୍ଥ ଆୟୋଗରେ, ଚତୁର୍ଦ୍ଦଶ ଆୟୋଗ ତୁଳନାରେ ଆମେ ବଜେଟକୁ ଚାରିଗୁଣ ବୃଦ୍ଧି କରିଛୁ। ପ୍ରଥମ ଥର ପାଇଁ ଆମେ ୬୮,୦୦୦ କୋଟି ଟଙ୍କା ସହିତ ଜାତୀୟ ସ୍ତରରେ ଏକ ଜାତୀୟ ବିପର୍ଯ୍ୟୟ ଆପଦା ପରିଚାଳନା ପାଣ୍ଠି ମଧ୍ୟ ସୃଷ୍ଟି କରିଛୁ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଥିଲେ ଯେ ଏହି ସମ୍ମିଳନୀ ପରେ ପ୍ରତ୍ୟେକ ରିଲିଫ୍ କମିଶନର ୯୦ ଦିନ ମଧ୍ୟରେ ନିଜ ନିଜ ରାଜ୍ୟର ଜିଲ୍ଲାଗୁଡ଼ିକ ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବା ଉଚିତ, କାରଣ ଯେପର୍ଯ୍ୟନ୍ତ କୌଣସି ଜିଲ୍ଲାର ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହୋଇନାହିଁ, ସେପର୍ଯ୍ୟନ୍ତ ଆମେ ବିପର୍ଯ୍ୟୟ ସମୟରେ ତୁରନ୍ତ ପଦେକ୍ଷପ ଗ୍ରହଣ କରିପାରିବୁ ନାହିଁ। ସେ କହିଥିଲେ ଯେ ଏକ ବିଜୁଳି କାର୍ଯ୍ୟ ଯୋଜନା ମଧ୍ୟ ଶୀଘ୍ର ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଅନେକ ରାଜ୍ୟ ଏପର୍ଯ୍ୟନ୍ତ ଘଟଣା ପ୍ରତିକ୍ରିୟା ପ୍ରଣାଳୀ କାର୍ଯ୍ୟକାରୀ କରିନାହାଁନ୍ତି। ସେ କହିଥିଲେ ଯେ ଭାରତ ସରକାର ଅଗ୍ନିଶମ ସେବାର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ପାଇଁ ମଧ୍ୟ ଏକ ଭଲ ବଜେଟ ଆବଣ୍ଟନ କରିଛନ୍ତି। ଏନଡିଏମଏ କ୍ରସ-କଟିଂ କ୍ଷେତ୍ର ଉପରେ ୩୮ ଟି ନିର୍ଦ୍ଦେଶାବଳୀ ଏବଂ ୩୪ ଟି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର୍ (ଏସ୍ଓପି) ଜାରି କରିଛି ଏବଂ ଏଗୁଡ଼ିକ ଜିଲ୍ଲା ସ୍ତରରେ ପହଞ୍ଚିବା ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଏକ ଦୃଢ଼ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବା ଉଚିତ ଏବଂ ଏହାର ସମୟ ସାରଣୀ ତାପମାତ୍ରାର ବାସ୍ତବ ଅନୁଭୂତି ଉପରେ ଆଧାରିତ ହେବା ଉଚିତ। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ଭାରତ ସରକାର ଭବିଷ୍ୟତ ପାଇଁ ଅନେକ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି। ସେ କହିଥିଲେ ଯେ ଆମେ ଆନ୍ତଃରାଜ୍ୟ ମକ୍ ଡ୍ରିଲ୍ କୁ ଏକ ବାର୍ଷିକ କାର୍ଯ୍ୟକ୍ରମ କରିବାକୁ ଚାହୁଁଛୁ, ଏବଂ ରାଜ୍ୟଗୁଡ଼ିକର ସହଯୋଗ ବିନା ଏହା ସମ୍ଭବ ହେବ ନାହିଁ। ବିପର୍ଯ୍ୟୟ ପ୍ରଶମନ ଜ୍ଞାନକୌଶଳର ବିକାଶ ସହିତ ଆମେ ଷ୍ଟାର୍ଟ-ଅପ୍ ଇଣ୍ଡିଆକୁ ମଧ୍ୟ ଯୋଡ଼ିବା ପାଇଁ ଚାହୁଁଛୁ। ଆମେ ଏକ ଲକ୍ଷ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କୁ ତାଲିମ ଦେବାର କାର୍ଯ୍ୟ ହାତକୁ ନେଇଛୁ, ଯେଉଁମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ହେଉଛନ୍ତି ମହିଳା। ଏହା ସହିତ, ଆମେ ୪୭୦ କୋଟି ଟଙ୍କା ନିବେଶ ସହିତ ଯୁବ ଆପଦା ମିତ୍ର (ଯୁବ ବିପର୍ଯ୍ୟୟ ବନ୍ଧୁ) ଯୋଜନାର ଶୁଭାରମ୍ଭ କରିଛୁ।

ଅମିତ ଶାହ କହିଥିଲେ ଯେ ମୋଦୀ ସରକାରଙ୍କ ବିଗତ ୧୦ ବର୍ଷ ମଧ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ହାସଲ କରିଛୁ। ୨୦୧୮-୧୯ ରେ, ଆମେ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର (ବିପର୍ଯ୍ୟୟ ପରିଚାଳନା ପୁରସ୍କାର) ମଧ୍ୟ ଘୋଷଣା କରିଛୁ। ସେ କହିଥିଲେ ଯେ ପ୍ରତ୍ୟେକ ରାଜ୍ୟ ଏଥିପାଇଁ ନାମାଙ୍କନ ପତ୍ର ପଠାଇବା ଉଚିତ। ଶ୍ରୀ ଶାହ କହିଥିଲେ ଯେ ଜାତୀୟ ବାତ୍ୟା ବିପଦ ପ୍ରଶମନ ପାଇଁ ଆମେ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ ସଫଳତାର ସହ କାର୍ଯ୍ୟ କରିଛୁ। ଏନଡିଆରଏଫ୍ କୁ ମଧ୍ୟ ସୁଦୃଢ଼ କରାଯାଇଛି-ଏହାର ଶକ୍ତି ୨୦୦୬ ରେ ୮ ବାଟାଲିୟନରୁ ଆଜି ୧୬ ବାଟାଲିୟନକୁ ବୃଦ୍ଧି ପାଇଛି। ଏହାବ୍ୟତୀତ, ଏନଡିଏମଏ ଲେହ-ଲଦାଖରେ ରାତ୍ରିକାଳୀନ ମକ୍ ଡ୍ରିଲ୍ ମଧ୍ୟ ଆରମ୍ଭ କରିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ ଆମେ ଶୂନ୍ୟ-କ୍ଷୟକ୍ଷତି ଆଭିମୁଖ୍ୟ ନେଇ ଆଗକୁ ବଢ଼ିବୁ। ସେ କହିଥିଲେ ଯେ ବିପର୍ଯ୍ୟୟ ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଏହାର ମୂଳ କାରଣଗୁଡ଼ିକୁ ମଧ୍ୟ ସମାଧାନ କରିବାର ଆବଶ୍ୟକତା ରହିଛି। ଶ୍ରୀ ଶାହ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧି ହେଉଛି ବିପର୍ଯ୍ୟୟର ପ୍ରାଥମିକ କାରଣ, ତେଣୁ ଆମକୁ ପରିବେଶ ସଂରକ୍ଷଣକୁ ଏକ ମୁଖ୍ୟ ଉପାଦାନ ଭାବେ ନେଇ ଆଗକୁ ବଢ଼ିବାକୁ ପଡ଼ିବ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ବିଗତ ୧୧ ବର୍ଷ ମଧ୍ୟରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ ଦେଶ ସମ୍ମୁଖରେ ଏକ ବ୍ୟାପକ ପରିକଳ୍ପନା ଉପସ୍ଥାପନ କରିଛନ୍ତି ଏବଂ ମିଶନ ଲାଇଫ୍‍କୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଛନ୍ତି, ପୃଥିବୀ ଅନୁକୂଳ ବ୍ୟକ୍ତି ସୃଷ୍ଟି କରିବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ଆନ୍ତର୍ଜାତୀୟ ସୌର ମଞ୍ଚ ଏବଂ ବିଶ୍ୱ ଜୈବ ଇନ୍ଧନ ମଞ୍ଚ ପ୍ରତିଷ୍ଠାର ନେତୃତ୍ୱ ନେଇଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ମୋଦୀ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଏକ ୧୦ ସୂତ୍ରୀ ଏଜେଣ୍ଡାର ରୂପରେଖ ଦେଇଥିଲେ, ସିଡିଆରଆଇ (ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ପାଇଁ ମଞ୍ଚ) ପ୍ରତିଷ୍ଠା କରିଥିଲେ ଏବଂ ଜି-୨୦ ଅଧୀନରେ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ପରିବେଶ ସଂରକ୍ଷଣ ବିନା ବିପର୍ଯ୍ୟୟକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇବା ଅସମ୍ଭବ, ଏବଂ ଯଦି ଆମେ ପରିବେଶ ପ୍ରତି ଧ୍ୟାନ ନଦେବା, ତେବେ ଆମେ ବିପର୍ଯ୍ୟୟକୁ ରୋକିବାରେ ସକ୍ଷମ ହେବା ନାହିଁ।