Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ବିଶ୍ୱ ଏଡ଼ସ ଦିବସ, ସଚେତନତା ହିଁ ଏହାର ନିରାକରଣ

ଡା ତ୍ରୈଲୋକ୍ୟନାଥ ମହାରଣା

ପ୍ରତିବର୍ଷ ମାରାତ୍ମକ ଏଡସ ଭୁତାଣୁ ଏଚ ଆଇ ଭି ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଛି।୧୯୬୦ ମସିହାରେ ଏହି ରୋଗ ପ୍ରକାଶ ପାଇଥିଲା କିନ୍ତୁ ଏହାକୁ ୧୯୮୧ମସିହାରେ ନିରୂପଣ କରାଯାଇଥିଲା।୧୯୮୬ ମସିହା ଜୁନ ମାସ ୧ ତାରିଖରେ ପ୍ରଥମ ଭାରତୀୟଙ୍କ ମୃତ୍ୟୁ ମୁମ୍ବାଇ ର ଯସଲୋକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।

୧୯୮୮ମସିହାରୁ ଲଣ୍ଡନ ଠାରେ ପ୍ରଥମ କରି ଏଡସ ପ୍ରତିରୋଧକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୧ ତାରିଖରେ ବିଶ୍ଵ ଏଡସ ଦିବସ ପାଳନ କରାଯାଇଆସୁଛି। ଏହି ବର୍ଷ ର ବିଷୟରହିଛି ‘ଲେଟ କମ୍ୟୁନିଟି ଲିଡ଼’। ଏହାର ଭୁତାଣୁ ସଂକ୍ରମଣ ଯୋଗୁଁ ଶରୀର ମଧ୍ୟରେ ବିଭିନ୍ନ ଜଟିଳ ସ୍ଥିତି ପ୍ରକାଶ ପାଇଥାଏ। ଯାହାର କାରଣ ରୁ ଶରୀର ମଧ୍ୟରେ ଦୁର୍ବଳତା, ଜ୍ୱର, କାଶ, ଅତିସାର, ଓଜନ ହ୍ରାସ, ସ୍ମରଣ ଶକ୍ତି ହ୍ରାସ,ଶରୀର ର ରୋଗ ପ୍ରତି ଷେଧକ ଶକ୍ତି ହ୍ରାସ,ନିମୋନିଆ, ବେକ ଗ୍ରନ୍ଥରେ ଫୁଲା,ଆଦି ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଇଥାଏ।

ଏଚ ଆଇ ଭି ବା ଏଡସ ସଂକ୍ରମିତ ବ୍ୟକ୍ତି ସହିତ ଅବାଧ ଯୌନ ସଂକ୍ରମିତ ସମ୍ପର୍କ,ସଂକ୍ରମିତ ରକ୍ତ ଗ୍ରହଣ, ବିଶୋଧିତ ହୋଇନଥିବା ସିରିଞ୍ଜ ଦ୍ବାରା ଏଜେକ୍ସନ ନେବା, ଆଦି କାରଣ ରୁ ଏ ରୋଗ ବ୍ୟାପି ଥାଏ।ସଂକ୍ରମିତ ମା ଠାରୁ ଗର୍ଭରେ ଥିବା ଶିଶୁ କୁ ଏହି ରୋଗ ବ୍ୟାପି ଥାଏ।ରୋଗର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ନିକଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରାମର୍ଶ କରି ଏଲିସା ଟେଷ୍ଟ, ୱେଷ୍ଟର୍ନ ବ୍ଲଡ଼ କିଟ ଟେଷ୍ଟ ଆଦି କରାଇପାରିବେ।

ଏହି ରୋଗରେ ଶିକ୍ଷା, ସଚେତନତା ଓ ସଂଯମତା ହିଁ ଶ୍ରେଷ୍ଠ ପ୍ରତିଷେଧକ ମାର୍ଗ ଓ ଆପଣଂକୁ ସୁରକ୍ଷା ଦେଇପାରିବ। ପ୍ରତିକାର ପାଇଁ ଉତ୍ତମ ମାର୍ଗ ଭାବେ ଯୌନ ସମ୍ପର୍କ ସ୍ଥାପନ ସମୟରେ ନିରୋଧ ବ୍ୟବହାର, ଉପଯୁକ୍ତ ବିଶୋଧନ ସିରିଞ୍ଜ ରେ ଏଜେକ୍ସନ ନେବା, ସେଲୁନରେ ନୂତନ ବ୍ଲେଡ଼ ରେ ଶେଭିଂ ହେବା, ସଂକ୍ରମିତ ମାଆ ଗର୍ଭ ଧାରଣ ନ କରିବା ଆଦି ପ୍ରତି ସଚେତନ ହେବା।

ଦେଶ ଓ ଆମ ରାଜ୍ୟରେ ଯୁବ ପିଢ଼ି ଗୋଟିଏ ସିରିଞ୍ଜ ରେ ନିଶା ବା ଡ୍ରଗ୍ସ ନେବା ଓ ବିଭିନ୍ନ ପାର୍ଟି ରେ ଅବାଧ ଯୌନ ସମ୍ପର୍କ ସ୍ଥାପନ କରିବା କାରଣରୁ ଏଚ ଆଇ ଭି ସଂକ୍ରମଣ ବୃଦ୍ଧି ପାଇଛି। ଉପଯୁକ୍ତ ଖାଦ୍ୟ, ପାନୀୟ, ପରିବେଶ, ବ୍ରହ୍ମ ଚର୍ଯ୍ୟ,ଆୟୁର୍ବେଦ ବର୍ଣିତ ସ୍ଵାସ୍ଥ୍ୟ ରକ୍ଷା ନିୟମ ଅନୁଯାୟୀ ଚାଲିଲେ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ସହିତ କୁ ମାର୍ଗ ପରିତ୍ୟାଗ କଲେ ଆମେ ଏହି ରୋଗ ସହିତ ଲଢ଼େଇ କରିପାରିବା।

(ସମ୍ପାଦକ, ଏଡସ ଏବଂ ଆୟୁର୍ବେଦୀୟ ନିରୂପଣ।(୧୯୯୩ ମସିହାରେ ପ୍ରକାଶିତ ରାଜ୍ୟର ପ୍ରଥମ ଏଡସ ସଚେତନତା, ନିରାକରଣ ଓ ଚିକିତ୍ସା ପୁସ୍ତକ) ଶ୍ରୀ ପୁରୁଷୋତ୍ତମ ଆୟୁର୍ବେଦକ ଚିକିତ୍ସା ମନ୍ଦିର, ବାଲୁଗାଁ, ଜି ଖୋର୍ଦ୍ଧା

Categories
ଆଞ୍ଚଳିକ

ବାଣପୁରରେ ବିଶ୍ୱ ଏଡ଼ସ ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କେଏନପି ପ୍ଲସ ଓଡିଶା, ଓଏସଏସିଏସ ଏବଂ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆଜି ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ପାଇଁ ଥିମ ଥିଲା ‘ଇକ୍ୱାଲାଇଜ’ ଅର୍ଥାତ୍ ସମାନତା। ଏଚଆଇଭି ଆକ୍ରାନ୍ତମାନଙ୍କୁ ସମାଜରେ ସମାନତା ର ଅଧିକାର ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ।

ଏହି ଅବସରରେ ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ଵାରା ଏକ ଏଡସ ସଚେତନତା ଶୋଭାଯାତ୍ରା ମା’ ଭଗବତୀଙ୍କ ମନ୍ଦିର ଠାରୁ ବାହାରି ବାଣପୁର ବଜାର, ଐତିହାସିକ ପଲଟନ ପଡିଆ, ଗ୍ରାମୀଣ ଚିକିତ୍ସାଳୟ ଏବଂ ବାଣପୁର ବ୍ଲକ ଅତିକ୍ରମ କରି ପରିଶେଷରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପହଞ୍ଚିଥିଲା। ଏହାକୁ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଉପଲକ୍ଷେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉପାଧ୍ୟକ୍ଷ ତଥା ଯୁବ ରେଡ୍ କ୍ରସ୍ ଅଧିକାରୀ ସର୍ବେଶ୍ଵର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ମୁଖ୍ୟ ବକ୍ତା ଭାବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ଅନ୍ୟତମ ଅତିଥି ଭାବେ ଓଏସଏସିଏସ ତରଫରୁ ଜିଆଇପିଏ ର ଅତିରିକ୍ତ ନିର୍ଦ୍ଦେଶକ ଅଜୟ କୁମାର ପାତ୍ର, ରାକେଶ କୁମାର ମହାପାତ୍ର, କେଏନପି ପ୍ଲସ ଓଡିଶାର ସଭାନେତ୍ରୀ ପ୍ରଭାସିନୀ ପ୍ରଧାନ, ଭିଆଇଏଚଏଏଏନ ପ୍ରକଳ୍ପ ସଂଯୋଜକ ପୁଷ୍ପାଞ୍ଜଳି ମାର୍ଥା, ବାଣପୁର ଗୋଷ୍ଠୀ କେନ୍ଦ୍ର ଅଧିକାରୀ ଡ଼ାଃ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଆଜିର ଦିବସର ଅନୁଚିନ୍ତା ସମ୍ପର୍କରେ ମତାମତ ପ୍ରଦାନ ରଖିଥିଲେ।

ଏହାପରେ କୁଇଜ୍, ଆର୍ଟ ଏବଂ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା।

ସଭାଶେଷରେ ଲିଙ୍କ ୱାର୍କର ସ୍କିମ (ଏଲଡବ୍ଲୁଏସ) ପ୍ରକଳ୍ପ, କେଏନପି ପ୍ଲସ ଓଡିଶାର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶଶିକାନ୍ତ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ, ଡ଼ିଇଓ ଶିବଶଙ୍କର ପଣ୍ଡା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଅଶୋକ ବେହେରା, ଏଲଡବ୍ଲୁଏସ ପକ୍ଷରୁ ଚନ୍ଦନ କୁମାର ଦାସ, ସୁବ୍ରତ କୁମାର ସ୍ବାଇଁ, ସ୍ଵର୍ଣ୍ଣଲତା ଦାସ ଏବଂ ଅନ୍ୟ ପ୍ରମୁଖ ଅଧିକାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ରଶ୍ମିତା ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।