ନୂଆଦିଲ୍ଲୀ: ଆଇନ ଛାତ୍ରମାନଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ବାର କାଉନସିଲ୍ ଅଫ୍ ଇଣ୍ଡିଆ (BCI)ର କୌଣସି ସାମ୍ବିଧାନିକ ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର ନିଜସ୍ୱ ନିୟାମକ ମାନଦଣ୍ଡ ଅନୁଯାୟୀ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ ଓ ଜଷ୍ଟିସ ଭି. ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇଦ୍ରାବାଦସ୍ଥିତ ନାଲସାର ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସମାବର୍ତ୍ତନ ଉତ୍ସବରେ ପ୍ରଧାନ ବିଚାରପତିଙ୍କ ଯୋଗଦାନକୁ ନେଇ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଆପତ୍ତି ଉଠାଇଥିଲେ। ଏହାକୁ ନେଇ BCI ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଲସାରର ୨୦୨୬ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କୁ ଓକିଲ ଭାବେ ନାମାଙ୍କନ ନକରିବାକୁ ଅଗଷ୍ଟ ୧୪ରେ BCI ସମସ୍ତ ରାଜ୍ୟ ବାର କାଉନସିଲଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। ଏହାକୁ ନେଇ ଆଇନ କ୍ଷେତ୍ରରେ ବିବାଦ ସୃଷ୍ଟି ହୋଇଥିଲା। ଯଦିଓ ପରେ BCI ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଥିଲା। ମାମଲା ସୁପ୍ରିମକୋର୍ଟଙ୍କ ସମ୍ମୁଖକୁ ଆସିବା ପରେ ପ୍ରଧାନ ବିଚାରପତି BCIର ଏହି ହସ୍ତକ୍ଷେପକୁ ଦୃଢ଼ ଭାବରେ ନାପସନ୍ଦ କରିଥିଲେ। ’ଏହା ଛାତ୍ର ଏବଂ ଆମ ମଧ୍ୟର ବିଷୟ, ଏଥିରେ ହସ୍ତକ୍ଷେପ କରିବାକୁ BCI କିଏ ?’ ବୋଲି ପ୍ରଶ୍ନ କରି ସର୍ବୋଚ୍ଚ ଅଦାଲତ ଶିକ୍ଷାନୁଷ୍ଠାନର ସ୍ୱାଧୀନତାକୁ ଗୁରୁତ୍ୱ ଦେଇଥିଲେ।


