Categories
ଆଜିର ଖବର ରାଜ୍ୟ ଖବର

ଚେତନା ଅନୁଷ୍ଠାନରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଭୁବନେଶ୍ବର: ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ ଚ଼େତନା ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଅଛି।ଆମନ୍ତ୍ରିତ ଅତିଥି ମାନଙ୍କୁ ପ୍ରଥମେ ଚ଼େତନା ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ମାନଙ୍କ ଦ୍ବାରା ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା, ତା’ପରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଅତିଥି ଭାବେ ଚେତନା ଅନୁଷ୍ଠାନର ପରିଚ଼ାଳନା କମିଟି ସଦସ୍ୟ ତଥା ମନସ୍ତତ୍ତ୍ୱବିଦ୍ ପ୍ରଫେସର ଗୋପାଳ କୃଷ୍ଣ ନନ୍ଦ, ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ, ଚ଼େତନାର‌ ସ୍ପିଚ଼୍ ଥେରାପିଷ୍ଟ ଅଭିଷେକ ଆଚ଼ାର୍ଯ୍ୟ, ଆପୋଲୋ ହସ୍ପିଟାଲର ଦନ୍ତ ଚ଼ିକିତ୍ସକ ଡ଼ାଃ ଅଙ୍କିତା ସେନାପତି, ବରିଷ୍ଠ ଦନ୍ତ ଚ଼ିକିତ୍ସକ ଡ଼ାଃ ରାଜୀବ ସେଠୀ, ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ, ଚ଼େତନାର‌ ଫିଜିଓ ଥେରାପିଷ୍ଟ ବି.ଶୁଭଶ୍ରୀ‌ ପ୍ରିୟଦର୍ଶିନୀ, ସ୍ବତନ୍ତ୍ର ଅଲିମ୍ପିକ୍ ଭାରତର କ୍ଷେତ୍ର ପରିଚ଼ାଳକ ପ୍ରକାଶ ରଥ ପ୍ରମୁଖ ଯୋଗଦେଇ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନର ବିଶେଷତ୍ଵ ବର୍ଣ୍ଣନା କରିବା ସହ ସଚ଼େତନତା ବାର୍ତ୍ତା ରଖିବା ପରିପ୍ରେକ୍ଷୀରେ ଶ୍ରୀ ରଥ ଶାରୀରିକ ସ୍ବାସ୍ଥ୍ୟ ଓ ଦିବ୍ୟାଙ୍ଗଙ୍କ ସ୍ୱତନ୍ତ୍ର ଅଲମ୍ପିକ ଉପରେ ବାର୍ତ୍ତା ରଖିଥିଲେ। ଡାକ୍ତର ସେନାପତି ଦନ୍ତ ସ୍ୱଚ୍ଛତା ଓ ଦାନ୍ତ ଚି଼କିତ୍ସାର ଗୁରୁତ୍ୱ ଉପରେ କହିଥିଲେ।ଡାକ୍ତର ସେଠି ହୃଦ ରୋଗର କାରଣ ଓ ନିରାକରଣ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ, ଶୁଭଶ୍ରୀ ପ୍ରିୟଦର୍ଶିନୀ ଭୌତିକ ଚିକିତ୍ସାର ଗୁରୁତ୍ୱ ଉପରେ ଏବଂ ପ୍ରଫେସର ନନ୍ଦ ମାନସିକ ସ୍ୱାସ୍ଥ୍ୟ ଉପରେ ବାର୍ତ୍ତା ରଖିଥିଲେ।

ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ଦିନରେ ଅତି କମରେ ତିନୋଟି ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ସବୁବେଳେ ରାତ୍ରିଭୋଜନ ହାଲୁକା କରିବା ଦରକାର। ଖାଦ୍ୟରେ ପ୍ରଚୁର ପରିମାଣରେ ଫଳ, ପନିପରିବା, ପୁରା ଶସ୍ୟ, ସୁସ୍ଥ ଚର୍ବି ଏବଂ ପ୍ରୋଟିନ୍ ସମୃଦ୍ଧ ଜିନିଷ ରହିବା ଆବଶ୍ୟକ। ନିୟମିତ ଓ ବାରମ୍ବାର ବ୍ୟାୟାମ ରୋଗ ପ୍ରତିରେଧକ ଶକ୍ତି ବଢ଼ିଥାଏ। ବ୍ୟାୟାମ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ ବୋଲି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ପରିଶେଷରେ ଚ଼େତନା ଅନୁଷ୍ଠାନର ସ୍ବତନ୍ତ୍ର ଶିକ୍ଷକ ବୃନ୍ଦାବନ ଦାସ ଧନ୍ୟବାଦ୍ ଦେଇ ସଭା ଶେଷ କରିଥିଲେ। ଏଥିସହିତ ଚେତନାର ଅନ୍ତେବାସୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଡେଣ୍ଟାଲ ସ୍କ୍ରିଣ୍ଣିଙ୍ଗ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।

ଉକ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଚେତନା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପରିଚାଳନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଚେତନା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, କର୍ମକର୍ତ୍ତା ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ ଏବଂ ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କୁଇଜ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ କୁଇଜ ପ୍ରତିଯୋଗିତାରେ ଇସିକା ଅଗ୍ରୱାଲ୍‌, ଶିବମ୍ ଓ ଜୟନ୍ତ କୁମାରଙ୍କୁ ନେଇ ଗଠିତ ଟିମ୍ ବିଜୟୀ ହୋଇଛି। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଂଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍ (ଆଇଏପିଏସ୍‌ଏମ୍‌) ପକ୍ଷରୁ ଜାତୀୟ ସ୍ତରରେ ଏହି କୁଇଜର ଆୟୋଜନ କରାଯାଇଥିଲା। ଏହି ହସ୍ପିଟାଲ୍‌ରେ ଏପ୍ରିଲ୍ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଦୁଇଟି ପର୍ଯ୍ୟାୟରେ ଏହା ଆୟୋଜନ କରାଯାଇଥିଲା।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଛାତ୍ରଛାତ୍ରୀଙ୍କୁ ନେଇ ତିନି ସଦସ୍ୟ ବିଶିଷ୍ଟ ୧୪ ଟି ଟିମ୍ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏପ୍ରିଲ୍ ୩ ତାରିଖରେ ଏଲିମିନେସନ୍ ରାଉଣ୍ଡ କରାଯାଇଥିବା ବେଳେ ୪ଟି ଟିମ୍ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ ବୋଲି କମ୍ୟୁନିଟି ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ବିକାଶ ଚନ୍ଦ୍ର ନାୟକ କହିଥିଲେ।
ଏପ୍ରିଲ୍ ୧୦ ତାରିଖରେ କୁଇଜ୍‌ର ଫାଇନାଲ୍ ରାଉଣ୍ଡ ଆୟୋଜନ କରାଯାଇଥିବା ବେଳେ ଡାକ୍ତର ନାୟକ କୁଇଜ ମାଷ୍ଟର ଭାବେ ଦାୟିତ୍ୱ ତୁଲାଇଥିଲେ।

ଏହି ଫାଇନାଲ୍ ରାଉଣ୍ଡରେ ୨୫୦ ଜଣ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ସହିତ ୩୦ ଜଣ ଫ୍ୟାକଲ୍ଟି ଭାଗ ନେଇଥିଲେ। ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁମିତ୍ରା ପଟ୍ଟନାୟକ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ବର୍ତ୍ତମାନ ସମୟରେ ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେବା ଜରୁରୀ

ବିଶ୍ବବିଜୟୀ ଦାଶ

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ସ୍ବାସ୍ଥ୍ୟ ମଣିଷ ପାଇଁ ଏକ ମୌଳିକ ଆବଶ୍ୟକତା। ସ୍ୱାସ୍ଥ୍ୟ ଭଲ ନ ରହିଲେ, ମଣିଷ ଠିକ୍ ଭାବରେ ଜୀବନଯାପନ କରିପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ସ୍ବାସ୍ଥ୍ୟ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଅବଗତି କରିବା ସହ ସଚେତନ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ବରେ ଦେଖାଯାଉଥିବା ସ୍ବାସ୍ଥ୍ୟ ସମସ୍ୟା ଉପରେ ନଜର ରଖିବା ଓ ଏହାର ନିବାରଣ ପାଇଁ ଚେଷ୍ଟା କରିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରମୁଖ କାର୍ଯ୍ୟ।

ସ୍ବାସ୍ଥ୍ୟ ହେଉଛି ଶାରୀରିକ, ମାନସିକ ଓ ସାମାଜିକସ୍ତରରେ ସୁସ୍ଥତା। ଏହା କେବଳ ରୋଗ କିମ୍ବା ବିକଳାଙ୍ଗର ଅନୁପସ୍ଥିତି ନୁହେଁ। ମାନସିକ ସ୍ବାସ୍ଥ୍ୟର ଗୁରୁତ୍ବ ଶାରୀରିକ ସ୍ବାସ୍ଥ୍ୟ ଅପେକ୍ଷା ଅଧିକ। ଅନେକ ରୋଗ ଉଭୟ ଶାରୀରିକ ଓ ମାନସିକ କାରଣରୁ ହୋଇଥାଏ।

ଏତଦ୍‌ବ୍ୟତୀତ ଏବେ ସମାଜରେ ସାମାଜିକ ରୋଗମାନ ଦ୍ରୁତଗତିରେ ବୃଦ୍ଧି ପାଉଛି। ମଦ୍ୟପାନ, ନିଶା ସେବନ, ଦୁର୍ଘଟଣା ଭଳି ଅନେକ ସାମାଜିକ ରୋଗ ସମାଜକୁ ପଙ୍ଗୁ ଓ କଳୁଷିତ କରି ପକାଇଲାଣି। ଏଥିରୁ ନିବୃତ ରହିବା ଅତ୍ୟନ୍ତ ଜରୁରୀ।

ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ଦିନରେ ଅତି କମରେ ତିନୋଟି ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ସବୁବେଳେ ରାତ୍ରିଭୋଜନ ହାଲୁକା କରିବା ଦରକାର। ଖାଦ୍ୟରେ ପ୍ରଚୁର ପରିମାଣରେ ଫଳ, ପନିପରିବା, ପୁରା ଶସ୍ୟ, ସୁସ୍ଥ ଚର୍ବି ଏବଂ ପ୍ରୋଟିନ୍ ସମୃଦ୍ଧ ଜିନିଷ ରହିବା ଆବଶ୍ୟକ।

ଏକ ସୁସ୍ଥ ଶରୀର ପାଇଁ ଭଲ ନିଦ ନିତ୍ୟନ୍ତ ଜରୁରୀ। ଯେଉଁମାନେ ରାତିରେ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି ସେମାନେ ଅନେକ ସମୟରେ ରୋଗରେ ପଡ଼ିଥାନ୍ତି। ଭଲ ନିଦ ଉଭୟ ଶରୀର ଏବଂ ମନକୁ ପ୍ରଭାବିତ କରିଥାଏ।

ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ବ୍ୟାୟାମ। ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ। ମନୁଷ୍ୟ ବିଭିନ୍ନ ଇଚ୍ଛା ପୁରଣ ନିମନ୍ତେ ବ୍ୟାୟାମ କରେ ଯଥା ଓଜନ କମେଇବା ବା ସ୍ଥିର ରଖିବା, ମାଂସପେଶୀ ସୁଦୃଢ଼ କରିବା, କ୍ରୀଡ଼ା କୌଶଳରେ ଶୀର୍ଷକୁ ଯିବା, ନିର୍ଦ୍ଦିଷ୍ଟ ଗଣ୍ଠିମାନଙ୍କୁ ଚଳନକ୍ଷମ ରଖିବା ଓ ଆନନ୍ଦ ପାଇବା ନିମନ୍ତେ କରାଯାଏ। ନିୟମିତ ଓ ବାରମ୍ବାର ବ୍ୟାୟାମ କଲେ ଇମ୍ମ୍ୟୁନ ରୋଗ ପ୍ରତିରେଧକ ଶକ୍ତି ବଢ଼ିଥାଏ। ବ୍ୟାୟାମ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ।

ଶରୀର ସହିତ ମାନସିକ ସ୍ବାସ୍ଥ୍ୟ ପ୍ରତି ସମାନ ଧ୍ୟାନ ଦେବା ଉଚିତ୍। ଯେତେ ମାନସିକ ସ୍ତରରେ ସୁସ୍ଥ ରହିବ ସେତେ ଶାରୀରିକ ଭାବରେ ଫିଟ୍ ମଧ୍ୟ ରହିବ।

ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା, ପିନ୍ – ୭୫୨୦୩୫
ମୋବାଇଲ ନଂ- ୬୩୭୦୨୦୮୪୨୮

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ନର୍ସିଂ କଲେଜ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଏପ୍ରିଲ୍ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅରିଶୋଲ୍‌ ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। “ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ” ପ୍ରସଙ୍ଗକୁ ଆଧାର କରି କମ୍ୟୁନିଟି ହେଲ୍‌ଥ ବିଭାଗର ଫାକଲ୍ଟି ଏବଂ ଏମ୍‌.ଏ.ସି ନର୍ସିଂର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଇଥିଲା।

ଏହି ସ୍ୱାସ୍ଥ୍ୟ ମେଳାରେ ୫ଟି ଷ୍ଟଲ୍‌ର ଆୟୋଜନ କରାଯାଇଥିଲା। ସବୁ ବୟସର ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସଚେତନତା ସମ୍ପର୍କିତ ସୂଚନା ଦିଆଯାଇଥିଲା। ରକ୍ତଚାପ, ମଧୁମେହ ଏବଂ ଓଜନ ଇତ୍ୟାଦି ପରୀକ୍ଷା କରାଯାଇଥିଲା। ସଂକ୍ରମଣ ସମ୍ବନ୍ଧୀୟ ସୂଚନା ଓ ସେବା, ମା ଏବଂ ଶିଶୁର ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା, ସୁଷମ ଖାଦ୍ୟ ଓ ତା’ର ଉପକାରିତା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଭିନ୍ନ ଔଷଧ ଏବଂ ଝିଅମାନଙ୍କୁ ସାନିଟାରୀ ପ୍ୟାଡ୍ ବଂଟନ କରାଯାଇଥିଲା। ଯେଉଁ ଲୋକମାନଙ୍କର କିଛି ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଜଣାଗଲା ସେମାନଙ୍କୁ ରୁରାଲ୍ ହେଲ୍‌ଥ ଟ୍ରେନିଂ ସେଂଟର (ଆର୍‌ଏଚ୍‌ଟିସି)କୁ ପଠାଯାଇଥିଲା।

ତିନୋଟି ଗ୍ରାମର ବହୁ ସଂଖ୍ୟକ ଲୋକ ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇ ଉପକୃତ  ହୋଇଥିଲେ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ କ୍ରୀଡାରେ ମଧ୍ୟ ଭାଗ ନେଇଥିଲେ। ୧୦୦ ରୁ ଊର୍ଦ୍ଧ୍ୱ ବିଭିନ୍ନ ବୟସର ଗ୍ରାମବାସୀ, ଏମ୍‌ବିବିଏସ୍‌, ଇନ୍‌ଟର୍ନ ଛାତ୍ରଛାତ୍ରୀ, ବିଏସ୍‌ସି ନର୍ସିଂ ଇନ୍‌ଟର୍ନ ଛାତ୍ରଛାତ୍ରୀ ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସ୍କୁଲ୍ ଅଫ୍‌ ଫାର୍ମସ୍ୟୁଟିକାଲ୍ ସାଇନ୍‌ସେସ୍ ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଇଛି।

ଭୁବନେଶ୍ୱର ଉପକଣ୍ଠ ଦଶପୁର ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୋଆ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ସମସ୍ତଙ୍କ ନିମନ୍ତେ ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ ଭଳି ଉକ୍ତି ଏହି କାର୍ଯ୍ୟକ୍ରମର ମୂଳ ମନ୍ତ୍ର ଥିଲା। ଏହି ଅବସରରେ କ୍ୟାନ୍ସର ପରୀକ୍ଷା ସହ ସଚେତନତା ନେଇ ମଧ୍ୟ ଆହ୍ୱାନ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ପକ୍ଷରୁ ଡାକ୍ତର ସୌର୍ଯ୍ୟ ରଞ୍ଜନ ଦାସ, ଏସ୍‌ପିଏସ୍ ପକ୍ଷରୁ ଡ. ଶୋଭନ୍‌ ପଟ୍ଟନାୟକ ଏବଂ ଆଇଡିଏସ୍ ର କମ୍ୟୁନିଟି ବିଭାଗର ପିଜି ଛାତ୍ରଛାତ୍ରୀ, ଡ. ଶର୍ମିଷ୍ଠା ମହାନ୍ତି, ଡ. ଶୈଳଜା ପଣ୍ଡା, ଡ. ମର୍ଲିନ୍ ଜେନା ଏବଂ ଡ. ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଆଇଡିଏସ୍ ପକ୍ଷରୁ ଗତ ୫ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ୬ ଦିନ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଅଧିକ ସଂଖ୍ୟକ ଜନସାଧାରଣ ଏହି ମାଗଣା ପରୀକ୍ଷାର ସୁଯୋଗ ଉଠାନ୍ତୁ ବୋଲି ଅନୁରୋଧ କରାଯାଇଛି।