Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ସୋଆର ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶାରେ ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ପୁନେସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲୋଜି (ଆଇଆଇଟିଏମ୍‌) ମଧ୍ୟରେ ୫ ବର୍ଷ ପୂର୍ବରୁ ହୋଇଥିବା ବୁଝାମଣାପତ୍ରର ସୋମବାର ଏଠାରେ ନବୀକରଣ କରାଯାଇଛି।

ଆଉ ୫ ବର୍ଷ ଅବଧି ନିମନ୍ତେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣା ଅନୁଯାୟୀ ଓଡ଼ିଶାରେ ସୋଆ ଦ୍ୱାରା କାର୍ଯ୍ୟକାରୀ ବଜ୍ରପାତ ସତର୍କ ନେଟ୍‌ୱର୍କ ୪ଟି ସ୍ଥାନରୁ ୮ ଟି ସ୍ଥାନକୁ ବର୍ଦ୍ଧିତ କରାଯାଇ ୧୦୦ କିମି ପରିସୀମା ମଧ୍ୟରେ ବଜ୍ରପାତର ପୂର୍ବାନୁମାନକୁ ତ୍ୱରାନ୍ୱିତ କରିବାରେ ଆଇଆଇଟିଏମ୍ ସହଯୋଗ କରିବ।

ଏହି ବୁଝାମଣାପତ୍ରଟି ଆଇଆଇଟିଏମ୍‌ର ନିର୍ଦ୍ଦେଶକ ଡକ୍ଟର ଆର୍‌. କ୍ରିଷ୍ଣନ୍ ଓ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା।

ଓଡ଼ିଶାରେ ବଜ୍ରପାତ ସତର୍କ ନେଟ୍‌ୱର୍କ ବର୍ତମାନ ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର ଓ ରାୟଗଡ଼ାରେ କାର୍ଯ୍ୟକ୍ଷମ ଥିବା ବେଳେ ବ୍ରହ୍ମପୁର, କେନ୍ଦୁଝର, ବଲାଙ୍ଗୀର ଓ ଅନୁଗୁଳରେ ନୂତନ କେନ୍ଦ୍ର ଅବସ୍ଥାପିତ କରାଯିବା ନିମନ୍ତେ ନିଷ୍ପତି ହୋଇଛି।

ବଜ୍ରପାତ ଓ ଘଡ଼ଘଡ଼ି ସହ ଝଡ଼ ସମ୍ପର୍କିତ ଅନେକ ଗବେଷଣା କାର୍ଯ୍ୟରେ ସୋଆ ଓ ଆଇଆଇଟିଏମ୍ ପୁନେ ବର୍ତମାନ ନିୟୋଜିତ ଅଛନ୍ତି। ସେହିପରି ଏହି ଦୁଇଟି ଅନୁଷ୍ଠାନ ବାୟୁମଣ୍ଡଳର ସ୍ଥିତି ଆକଳନ କରି ଓଡ଼ିଶାର ବିଭିନ୍ନ ବ୍ଲକ୍‌ରେ ଝଡ଼ ଓ ବଜ୍ରପାତର ସଫଳ ପୂର୍ବାନୁମାନ କରିପାରୁଛନ୍ତି।

ବୁଝାମଣା ଅନୁଯାୟୀ ରାଜ୍ୟର ବିଭିନ୍ନ ବ୍ଲକ ଓ ଗ୍ରାମପଂଚାୟତରେ ଝଡ଼ ଓ ବଜ୍ରପାତ ପୂର୍ବରୁ ଜନସାଧାରଣଙ୍କୁ ସତର୍କ କରିବା ସହ ପଶ୍ଚିମ ଓଡ଼ିଶାରେ ହଠାତ୍ ଉପୁଜୁଥିବା ମରୁଡି ପରିସ୍ଥିତି ବିଷୟରେ ପୂର୍ବରୁ ସୂଚନା ଦେବା ନିମନ୍ତେ ସୋଆ ଓ ଆଇଆଇଟିଏମ୍ ମିଳିତ ଭାବେ କାର୍ଯ୍ୟ କରିବେ। ଏଥିରେ ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗର ସହଯୋଗ ନିମନ୍ତେ ମଧ୍ୟ ଉଦ୍ୟମ କରାଯିବ।

ଇତି ମଧ୍ୟରେ ସୋଆରେ ଏକ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ବେଳେ ଜଳବାୟୁ ଏବଂ କୃଷି କ୍ଷେତ୍ରରେ ଏହାର ପ୍ରଭାବ ସମ୍ପର୍କିତ ଗବେଷଣା ନିମନ୍ତେ ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ମଧ୍ୟ ପ୍ରତିଷ୍ଠା କରାଯାଇଛି।

ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ଆଇଆଇଟିଏମ୍‌ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଭି. ଗୋପାଳକ୍ରିଷ୍ଣନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର୍ (ସିସିଏସ୍‌ଏ)ର ନିର୍ଦ୍ଦେଶକ ପ୍ରଫେସର ଆର୍‌.କେ. ପଣ୍ଡା, ଆଇଏଏସ୍‌ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ସିସିଏସ୍‌ଏର ଡିଷ୍ଟିଙ୍ଗୁଇସ୍‌ଡ୍ ପ୍ରଫେସର ପ୍ରଫେସର ଉମା ଚରଣ ମହାନ୍ତି, ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ, ଆଡିସ୍‌ନାଲ୍ ଡିନ୍ ଷ୍ଟୁଡେଂଟ ଆଫେୟାର୍ସ (ଆଇଟିଇଆର୍‌) ପ୍ରଫେସର ରେଣୁ ଶର୍ମା ଏବଂ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ନୂତନ ଜ୍ଞାନ କୌଶଳର ଉପଯୋଗ ଜଳର ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉ: ଜଳ ସଂପଦ ମନ୍ତ୍ରୀ

ଭୁବନେଶ୍ୱର: ଜଳ ସଂପଦ ବିଭାଗ, ଓଡ଼ିଶା ଏବଂ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇ.ଆଇ.ଟି) ଋର୍କି, ଉତ୍ତରାଖଣ୍ଡ ମଧ୍ୟରେ ଜଳ କ୍ଷେତ୍ରରେ ରାଜ୍ୟ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା (ଷ୍ଟେଟ୍‌ ସ୍ପେସିଫିକ୍‌ ଆକ୍ସନ ପ୍ଲାନ) ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ଏବଂ ଆଇ.ଆଇ.ଟି ଋର୍କିର ଜଳ ସଂପଦ ବିକାଶ ଓ ପରିଚାଳନା ବିଭାଗର ପ୍ରଫେସର ଆଶିଷ ପାଣ୍ଡେଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ  ହୋଇଥିଲା

ଏହି ଅବସରରେ ଯୋଗଦେଇ ଜଳ ସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଜଳ ସଂପଦର ବିକାଶ ଓ ଜଳ ସଂପଦର ସୁପରିଚାଳନା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ସମସ୍ତଙ୍କ ପାଇଁ ଜଳର ଆବଶ୍ୟକତା ପୂରଣ ଆମର ଲକ୍ଷ୍ୟ ରହିଛି। ଆମେ ବର୍ଷା ଦିନରେ ଭରପୁର ଜଳ ପାଉଥିବା  ବେଳେ  କିଛି ଦିନ ପରେ ଜଳାଭାବର ସମ୍ମୁଖୀନ ହେଉଛୁ। ଆଜିର ଏହି ବୁଝାମଣା ପତ୍ର ସ୍ୱାକ୍ଷର ଫଳରେ ଉପଯୋଗ ହେବାକୁ ଥିବା  ନୂଆ ଜ୍ଞାନ କୌଶଳ ଆଗାମୀ ଦିନରେ ଆମ ରାଜ୍ୟରେ ଜଳର ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉ  ବୋଲି  ମନ୍ତ୍ରୀ ଶ୍ରୀମତୀ ସାହୁ ଆଶା ବ୍ୟକ୍ତ କରିଥିଲେ।

ଜାତୀୟ ଜଳ ମିଶନ ୨୦୧୫ର ଲକ୍ଷ୍ୟ ଅନୁସାରେ ପ୍ରତି ରାଜ୍ୟ ନିଜ ନିଜର ନଦୀ ଅବବାହିକା ଅଂଚଳରେ ସମନ୍ୱିତ ଜଳ ପରିଚାଳନା କରିବାର ଆବଶ୍ୟକତା ରହିଛି। ଜଳ ପରିଚାଳନା କ୍ଷେତ୍ରରେ  ପୋଷଣୀୟତା ଅବଲମ୍ବନ ଏହାର ଲକ୍ଷ୍ୟ। ଖାଦ୍ୟ ନିରାପତ୍ତା, ଶିଳ୍ପ, ବିଭିନ୍ନ ସ୍ଥାନରେ ଅନିୟମିତ ଓ ବିକ୍ଷିପ୍ତ ଭାବରେ ବର୍ଷା ଏବଂ ଜଳବାୟୁ ପରିବର୍ତ୍ତନ, ମୁଣ୍ଡ ପିଛା ଜଳ ବ୍ୟବହାର ଓ ଆବଣ୍ଟନ ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଦେଶରେ ଜଳ ସଂପଦ  ଉପରେ  ଅଧିକ ଚାପ ରହୁଛି। ଆହୁରି ମଧ୍ୟ ଜଳ ସଂପଦର ବିକାଶ, ପରିଚାଳନା ଓ ଉପଲବ୍ଧତା କ୍ଷେତ୍ରରେ ରାଜ୍ୟ ରାଜ୍ୟ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହେଉଛି। ଏଣୁ ଭବିଷ୍ୟତରେ ଯେପରି ଜଳ ସଂକଟ ନଘଟେ, ଏହାକୁ ଦୃଷ୍ଟିରେ  ରଖି ରାଜ୍ୟଗୁଡିକ ଦ୍ୱାର ନିର୍ଦ୍ଦିଷ୍ଟ ଭାବେ ଦୀର୍ଘ ସୂତ୍ରୀ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି।

ଆଜି  ଆମ ରାଜ୍ୟ ପାଇଁ ସ୍ୱାକ୍ଷର ହୋଇଥିବା ଏହି ଆକ୍ସନ ପ୍ଲାନ ଆଇ.ଆଇ.ଟି, ଋର୍କି ତରଫରୁ ୧୮ ମାସ ମଧ୍ୟରେ ପ୍ରସ୍ତୁତ ହେବ। ପ୍ରଥମ ପର୍ଯ୍ୟାୟରେ ୯ ମାସ ମଧ୍ୟରେ ରାଜ୍ୟରେ ଜଳର ସ୍ଥିତି ଅନୁଧ୍ୟାନ କରାଯିବା ସହ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ। ୨ ୟ  ପର୍ଯ୍ୟାୟରେ ୬ ମାସ ମଧ୍ୟରେ ପ୍ରତି ସମସ୍ୟାର କି କି ସମସ୍ୟାର ସମାଧାନ ରହିଛି, ସେ ସଂପର୍କରେ ବିବରଣୀ ପ୍ରଦାନ କରାଯିବ। ୩ ୟ ପର୍ଯ୍ୟାୟରେ ୩ ମାସ ମଧ୍ୟରେ ରାଜ୍ୟକୁ ଆକ୍ସନ ପ୍ଲାନ ପ୍ରସ୍ତୁତିର ଚୁଡାନ୍ତ ବିବରଣୀ ମିଳିବ।

କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଗର୍ଗ ଯୋଗଦେଇ କହିଥିଲେ ଯେ, ଏହି ବୁଝାମଣାପତ୍ର ଆମର ଜଳ ବ୍ୟବହାରିକ ଉପଯୋଗିତା ଓ ଜଳସେଚନ କ୍ଷମତା ବୃଦ୍ଧିରେ ସହାୟକ ହେବ। ଆମେ ଜଳବାୟୁ ସହନଶୀଳ  ଭତ୍ତିଭୂମି  ନିର୍ମାଣ ସହ କେନାଲ ଲାଇନିଂ, ସେଚାଞ୍ଚଳ ଉନ୍ନୟନ ଯୋଜନା ଆଦି ବିଭିନ୍ନ ବ୍ୟବସ୍ଥାରେ ଜଳ ପରିଚାଳନା କରୁଛୁ। ଏସବୁ ସତ୍ତ୍ୱେ ଆମକୁ ଭବିଷ୍ୟତକୁ ଲକ୍ଷ୍ୟ ରଖି ଦିର୍ଘମିଆଦି  ଯୋଜନା ପ୍ରସ୍ତୁତ କରି ତାହାକୁ ତ୍ୱରିତ ପଦକ୍ଷେପ ନେଇ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ) ଡଃ ଚନ୍ଦ୍ର ଶେଖର ପାଢ଼ୀ ଓ ଆଇ.ଆଇ.ଟି ଋର୍କି ତରଫରୁ ପ୍ରଫେସର ପାଣ୍ଡେ ପାୱାର ପଏଣ୍ଟ ଉପସ୍ଥାପନା ଜରିଆରେ ଏହି ଆକ୍ସନ ପ୍ଲାନ ପ୍ରସ୍ତୁତି  ସଂପର୍କିତ ସବିଶେଷ ତଥ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ  ଋର୍କିର ଗବେଷଣା ଓ ଶିଳ୍ପ  ପରାମର୍ଶଦାତା ଓ ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ ଦ୍ୱିବେଦୀ, ସହକାରୀ ପ୍ରଫେସର ମୋହିତ୍‌ ପି.ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜଳ ସଂପଦ ବିଭାଗ ଅତିରିକ୍ତ ଶାସନ ସଚିବ ସୁଧାଂଶୁ ମୋହନ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଯନ୍ତ୍ରୀ (ଯୋଜନା)ଇଂ ସାଗର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଜଳ ସଂପଦ ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ, ଯନ୍ତ୍ରୀ ଏବଂ ଆଇ.ଆଇ.ଟି ଋର୍କିର ଅନ୍ୟ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।