Categories
ଆଜିର ଖବର ଜାତୀୟ ଖବର

ମିଶନ ମୌସମ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି। ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ପୃକ୍ତ ବିଭାଗର ଦେଢ ଶହତମ ଯାତ୍ରା କେବଳ ବିଭାଗର ସଫଳ ଯାତ୍ରାକୁ ବଖାଣୁନାହିଁ ବରଂ ଏହା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ଗାଥା ପ୍ରକାଶ କରୁଛି । ଏତେ ଦିନ ଭିତରେ ଆଇଏମଡି ଲକ୍ଷ ଲକ୍ଷ ଭାରତୀୟଙ୍କ ସେବା କରିଆସିଛି ଓ ଏହା ବିଜ୍ଞାନର ଅଗ୍ରଗତିର ଏକ ପ୍ରତୀକ । ଆଇଏମଡିର ସଫଳତା ପାଇଁ ଏହି ଅବସରରେ ଏକ କଏନ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୪୭ରେ ଭାରତର ଶହେତମ ବର୍ଷ ପୂର୍ତି ଉପଲକ୍ଷେ ଆଇଏମଡିର ଭବିଷ୍ୟତ ରୂପରେଖ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଅବସରରେ ସାରା ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ ।

ନିଜର ଦେଢ ଶହ ବର୍ଷର ଯାତ୍ରା ଲାଗି ଆଇଏମଡି ପକ୍ଷରୁ ଯୁବକମାନଙ୍କ ଲାଗି ଜାତୀୟ ପାଣିପାଗ ଅଲିମ୍ପିୟାଡର ଆୟୋଜନ କରାଯାଇଛି। ହଜାର ହଜାର ଛାତ୍ର ଏଥିରେ ଭାଗ ନେଇ ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଅଧିକ ମନୋନିବେଶ କରିପାରିବେ ବୋଲି ମୋଦୀ କହିଛନ୍ତି। ଉତ୍ସବ ସ୍ଥଳୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇଥିବା ଯୁବକମାନଙ୍କୁ ସେ ସାଧୁବାଦ ଜଣାଇଥିଲେ।

ମକର ସଂକ୍ରାନ୍ତି ପାଖାପାଖି ୧୫ ଜାନୁୟାରୀ ୧୮୫୭ ମସିହାରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପିତ ହୋଇଥିଲା। ତେବେ ଆମେ ସମସ୍ତେ ମକର ସଂକ୍ରାନ୍ତିର ଗୁରୁତ୍ୱ ସମ୍ପର୍କରେ ଊଣା ଅଧିକେ ଅବଗତ ଅଛୁ ବୋଲି ମୋଦୀ କହିଥିଲେ। ଗୁଜରାଟରୁ ଆସିଥିବା କାରଣରୁ ଏହି ମକର ସଂକ୍ରାନ୍ତି ତାଙ୍କର ପ୍ରିୟ ପର୍ବ ବୋଲି ମୋଦୀ କହିଥିଲେ। ଏହି ସଂକ୍ରାନ୍ତିରେ କାପ୍ରିକନ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରି ତାଙ୍କର ଉତରାୟନ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଉତର ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କ ତେଜ ବୃଦ୍ଧି କାରଣରୁ କୃଷି କାର୍ଯ୍ୟ ପାଇଁ ସଜବାଜ ଆରମ୍ଭ ହୁଏ। ସାରା ଦେଶରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମକର ସଂକ୍ରାନ୍ତି ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ନାଗରିକମାନଙ୍କୁ ନିଜର ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ଦେଶର ବିଜ୍ଞାନ ଭିତିକ ପ୍ରତିଷ୍ଠାନଗୁଡିକର ଅଗ୍ରଗତି ଏହାର ବିଜ୍ଞାନ ପ୍ରତି ରହିଥିବା ସଚେତନତାକୁ ସୂଚାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନବ ଭାରତ ପାଇଁ ବିଜ୍ଞାନ ପ୍ରତିଷ୍ଠାନଗୁଡିକରେ ହେଉଥିବା ଗବେଷଣା ଓ ଆବିଷ୍କାର ଖୁବ ଯୁଗପୋଯୋଗୀ ବୋଲି ମୋଦୀ କହିଛନ୍ତି । ଗତ କିଛି ଦଶନ୍ଧି ଭିତରେ ଆଇଏମଡିର ଭିତିଭୂମି ଓ ପ୍ରଯୁକ୍ତି ବିଦ୍ୟାରେ ଆଖିଦୃଶିଆ ଅଗ୍ରଗତି ହୋଇଛି । ପରିମାର୍ଜିତ ଡପ୍ଲଲର ପାଣିପାଗ ରାଡାର, ସ୍ୱୟଂ ଚାଳିତ ପାଣିପାଗ ଷ୍ଟେସନ, ରନବେ ପାଣିପାଗ ନୀରିକ୍ଷଣ ଷ୍ଟେସନ, ଜିଲ୍ଲା ଭିତିକ ବୃଷ୍ଟିପାତ ନୀରିକ୍ଷଣ ଷ୍ଟେସନର ଅଭିବୃଦ୍ଧି ସମ୍ପୃକ୍ତ ବିଭାଗକୁ ସମୃଦ୍ଧ କରିଛି ବୋଲି ମୋଦୀ କହିଛନ୍ତି । ମହାକାଶ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପାଣିପାଗ ବିଭାଗକୁ ବିଶେଷ ସଫଳତା ମିଳିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଆଂଟର୍କାଟିକାରେ ମୈତ୍ରୀ ଓ ଭାରତୀ ନାଁରେ ଦୁଇଟି ପାଣିପାଗ ନୀରିକ୍ଷଣ କେନ୍ଦ୍ର ରହିଛି । ଗତବର୍ଷ ଆର୍କ ଓ ଅରୁଣିକାର ପ୍ରବେଶ ଘଟିଛି । ଭାରତର ମିଶନ ମୌସମ ଆରମ୍ଭ ହେବା ପରେ ଆମେ ଏକ କ୍ଲାଇମେଟ ସ୍ମାର୍ଟ ନେସନ ଭାବରେ ବିବେଚିତ ହୋଇଛୁ ବୋଲି ମୋଦୀ କହିଛନ୍ତି।

ଉଚ୍ଚତର ସୋପାନକୁ ବିଜ୍ଞାନ ଉନ୍ନୀତ ହେବା ସହ ସାଧାରଣ ଲୋକର ଜୀବନ ଯାତ୍ରାକୁ ସହଜ କରିବା ଦିଗରେ ଏହା ବ୍ରତୀ ହେଉ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ। ସାରା ଦେଶର ୯୦ ଭାଗ ଲୋକଙ୍କୁ ପାଣିପାଗ ବିଭାଗର ଆଗୁଆ ସତର୍କତା ପହଂଚା ଯାଇପାରୁଛି । ଗତ ଦଶ ବର୍ଷ ଭିତରେ ଓ ଆଗ ଦଶ ବର୍ଷ ଭିତରେ ଯେକୌଣସି ପାଣିପାଗ ତଥ୍ୟ ଉପରେ ଏପରିକି ହ୍ୱାଟସ ଆପ ମାଧ୍ୟମରେ ସାଧାରଣ ଜନତା ଖବର ପାଇପାରୁଛନ୍ତି । ସବୁଭାଷାରେ ମେଘଦୂତ ମୋବାଇଲ ଆପ ମାଧ୍ୟମରେ ଲୋକେ ଖବର ବି ପାଇପାରୁଛନ୍ତି । ଦଶ ବର୍ଷ ତଳେ ମାତ୍ର ଦଶ ପ୍ରତିଶତ କୃଷକ ଓ ପଶୁ ପାଳକ ପାଣିପାଗ ସମ୍ପର୍କିତ ଖବର ଉପଯୋଗ କରିପାରୁଥିଲେ । ଏବେ ଏହାର ମାତ୍ରା ବୃଦ୍ଧି ପାଇ ପଚାଶ ପ୍ରତିଶତରେ ପହଂଚିଛି । ମୋବାଇଲରେ ଏବେ ଆଗୁଆ ବଜ୍ରପାତ ସୂଚନା ବି ଦିଆଯାଇପାରୁଛି । ପୂର୍ବରୁ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ସମୁଦ୍ର ଗଲେ ଲକ୍ଷ ଲକ୍ଷ ପରିବାର ଚିନ୍ତାରେ ରହୁଥିଲେ । ହେଲେ ଏବେ ପାଣିପାଗ ବିଭାଗର ସହାୟତା କାରଣରୁ ଏମାନେ ସମୟୋପଯୋଗୀ ସୂଚନା ପାଇ ପାରୁଛନ୍ତି । କୃଷି ଓ ବ୍ଲୁ ଇକୋନମି କ୍ଷେତ୍ରକୁ ଏହା ଅଧିକ ନିରାପଦ ଓ ସ୍ଥାୟୀ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ପାଣିପାଗ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ତେବେ ଆଗକୁ ଏପରି ବିପର୍ଯ୍ୟୟର ପ୍ରଭାବ ମାତ୍ରା କମାଇବା ଲାଗି ପାଣିପାଗ ବିଭାଗର ଦକ୍ଷତା ବୃଦ୍ଧି ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଆଗରୁ ଅନତିକ୍ରମ୍ୟ ବୋଲି ବିବେଚିତ ହେଉଥିବା ଏଭଳି ବିପର୍ଯ୍ୟୟ ମୁକାବିଲା କରିବା କ୍ଷେତ୍ରରେ ଆମ ଦେଶ ଏବେ ସକ୍ଷମ ହୋଇପାରିଛି । ୧୯୯୮ର କୁଚ କାଣ୍ଡଲା ଝଡ, ୧୯୯୯ର ଓଡିଶା ମହାବାତ୍ୟାରେ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡିବା କଥାକୁ ମନେ ପାଇଥିଲେ ପ୍ରଧାନମନ୍ତ୍ରୀ । ଏହି କିଛି ବର୍ଷ ଭିତରେ ଘଟିଥିବା ଅନେକ ଛୋଟ ବଡ ଝଡରେ ଯେତେଦୂର ସମ୍ଭବ ପ୍ରାଣହାନି ରୋକିବା ଦିଗରେ ସଫଳତା ମିଳିଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି । ଏସବୁ ପଛରେ ଭାରତୀୟ ପାଣିପାଗ ବିଭାଗର ପ୍ରଚ୍ଛନ୍ନ ହାତ ରହିଛି ବୋଲି ମୋଦୀ କହିଛନ୍ତି । ବିଜ୍ଞାନ ଓ ସତର୍କତାମୂଳକ ପଦକ୍ଷେପ ଯୋଗୁଁ କୋଟି କୋଟି ଟଙ୍କାର ସମ୍ପତି କ୍ଷତିରୁ ବି ରକ୍ଷା କରି ହେଇଛି ବୋଲି ସେ ଉଲ୍ଲେଖ କରିଥିଲେ ।

ବିଜ୍ଞାନରେ ଅଗ୍ରଗତି ଓ ଏହାର ସମ୍ପୂର୍ଣ୍ଣ ଉପଯୋଗିତା ଦେଶକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚିତି ଦେଇଛି। ପାଣିପାଗ ବିଭାଗର ଅଗ୍ରଗତି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଦେଶର ଦକ୍ଷତା ବୃଦ୍ଧି କରିପାରିଛି । ନେପାଳ, ବାଂଲାଦେଶ, ଭୂଟାନ, ଶ୍ରୀଲଙ୍କାକୁ ଭାରତର ଫ୍ଲାସ ଫ୍ଲଡ ଗାଇଲାନ୍ସ ସିଷ୍ଟମ ଦ୍ୱାରା ସୂଚନା ଦିଆଯାଉଛି । ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଅନ୍ୟ ଦେଶକୁ ସାହାଯ୍ୟ କରି ଭାରତ ଏକ ବିଶ୍ୱବନ୍ଧୁ ରାଷ୍ଟ୍ର ଭାବରେ ପରିଗଣିତ ହୋଇଛି । ଏହି ସଫଳତା ପଛରେ ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକମାନଙ୍କ ଅବଦାନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ମଣିଷର ଉଦବର୍ତନ କ୍ଷେତ୍ରରେ ପାଣିପାଗ ଆକଳନ ଓ ଏହାର ପ୍ରଭାବର ଏକ ପ୍ରମୁଖ ଭୂମିକା ରହିଛି । ବେଦ, ସଂହିତା, ସୂର୍ଯ୍ୟ ସିଦ୍ଧାନ୍ତ, ତାମିଲନାଡୁର ସଙ୍ଗମ ସାହିତ୍ୟ, ଉତର ଭାରତର ଘଗ ବାଦାରୀ ଲୋକକଥାରେ ପାଣିପାଗ ସମ୍ପର୍କରେ ଜାଣିବା ପାଇଁ ବହୁ ଉପାଦେୟ କଥା ଉଲ୍ଲିଖିତ ରହିଛି। ପାଣିପାଗ ବିଜ୍ଞାନ ଏକ ଅଲଗା କଥା ନୁହେଁ ବରଂ ମହାଜାଗତିକ ଗଣନା, ପାଣିପାଗ ଅନୁଧ୍ୟାନ, ପଶୁର ବ୍ୟବହାର, ସାମାଜିକ ଅନୁଭୂତି ସହ ଏହା ଅଙ୍ଗାଙ୍ଗୀ ଭାବେ ଜଡିତ । କୃଷି ପରାଶର, ବୃହତ ସଂହିତା ପରି ପୁସ୍ତକରେ ବାଦଲର ପ୍ରକାର ଭେଦ ଓ ସୃଷ୍ଟି ଏବଂ ବିଭିନ୍ନ ଗ୍ରହର ଜ୍ୟାମିତିକ ଗତିବିଧି ସମ୍ପର୍କରେ ଅବତାରଣା ରହିଛି । ବିଭିନ୍ନ ହେମିସ୍ପିୟରର ଚାପ ଓ ତାପ ବାଦଲର ରୂପରେଖ ସ୍ଥିର କରି ବୃଷ୍ଟିପାତକୁ ନିୟନ୍ତ୍ରିତ କରିଥାଏ ବୋଲି କୃଷି ପରାଶରରେ ଉଲ୍ଲେଖ ରହିଥିବା କଥା ମୋଦୀ କହିଛନ୍ତି । ବିନା ଆଧୁନିକ ଯନ୍ତ୍ରପାତିରେ ପ୍ରାଚୀନ କାଳର ଗବେଷକମାନଙ୍କ ପାଣିପାଗର ପୂର୍ବାନୁମାନ ସେମାନଙ୍କର ଗଭୀର ଜ୍ଞାନ ଓ ପାଣ୍ଡିତ୍ୟକୁ ସୂଚାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କିଛି ବର୍ଷ ତଳେ ଗୁଜରାଟ ନାବିକମାନଙ୍କ ଶତାବ୍ଦୀ ପୁରୁଣା ସାମୁଦ୍ରିକ ଜ୍ଞାନ ଉପରେ ଆଧାରିତ ତାଙ୍କ ଦ୍ୱାରା ଉନ୍ମୋଚିତ ପ୍ରି-ମଡର୍ଣ୍ଣ କୁଚି ନାଭିଗେସନ ଟେକ୍ନିକସ ଓ ଭଏଜେସ ପୁସ୍ତକ କଥା ବି ସେ କହିଛନ୍ତି । ପ୍ରକୃତି ଓ ପଶୁର ବ୍ୟବହାର ସମ୍ପର୍କରେ ଭାରତର ଆଦିବାସୀ ସମ୍ପ୍ରଦାୟର ଜ୍ଞାନର ସ୍ୱର୍ଣ୍ଣିମ ଐତିହ୍ୟ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏବେକାର ଆଧୁନିକ ବିଜ୍ଞାନ ଏହା ସମ୍ପର୍କରେ ଅଧିକା ଗବେଷଣା କରିବା ଉଚିତ ବୋଲି ମୋଦୀ କହିଛନ୍ତି ।

ପାଣିପାଗ ବିଜ୍ଞାନର ସଠିକ ଆକଳନ ଫଳରେ ଏହାର ଗୁରୁତ୍ୱ ବଢିଛି । ବିଭିନ୍ନ ସେକ୍ଟର, ଶିଳ୍ପ ଓ ପ୍ରତିଦିନ ଜୀବନ ଚର୍ଯ୍ୟାରେ ଏପ୍ରକାର ଡାଟା ବା ତଥ୍ୟ ପାଇବା ପାଇଁ ଚାହିଦା ବୃଦ୍ଧି ପାଇବ। ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ସମେତ ଅନ୍ୟାନ୍ୟ ବିପର୍ଯ୍ୟୟ ଉପରେ ଆଗୁଆ ସୂଚନା ପାଇବା ଦିଗରେ ବି କାର୍ଯ୍ୟ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବୈଜ୍ଞାନିକ, ଗବେଷକ, ଆଇଏମଡି ପରି ପ୍ରତିଷ୍ଠାନ ଏ ଦିଗରେ କାମ କରିବା ଉଚିତ ବୋଲି ସେ କହିଛନ୍ତି । ବୈଶ୍ୱିକ ସେବା ଓ ନିରାପତା ଦୃଷ୍ଟିରୁ ଭାରତ ଏ ଦିଗରେ କାମ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଢ ଶହ ବର୍ଷର ଯାତ୍ରାରେ ସାମିଲ ହୋଇଥିବା ପାଣିପାଗ ବିଜ୍ଞାନୀ ଓ ଅନ୍ୟମାନଙ୍କୁ ଏହି ଅବସରରେ ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ଏହି ଉତ୍ସବରେ ଅନ୍ୟ ପଦାଧିକାରୀଙ୍କ ସମେତ ଆର୍ଥ ସାଇନ୍ସର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ଜିତେନ୍ଦ୍ର ସିଂ, ପ୍ରଫେସର ସିଲେଷ୍ଟି ସାଉଲୋ, ବିଶ୍ୱ ପାଣିପାଗ ସଂଘ (ଡବ୍ଲୁଏମଓ)ର ସାଧାରଣ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ଇତିହାସ

ଦେଶକୁ ଏକ କ୍ଲାଇମେଟ ସ୍ମାର୍ଟ ନେସନ ଭାବେ ମିଶନ ମୌସମ ଅଭିଯାନ ଆରମ୍ଭ ହୋଇଛି। ପାଣିପାଗ ନୀରିକ୍ଷଣ ପ୍ରଯୁକ୍ତି ବିଦ୍ୟା ଓ ସିଷ୍ଟମ, ହାଇ ରିସଉଲେସନ ପରିବେଶ ନୀରିକ୍ଷଣ, ନେକ୍ସଟ ଜେନେରେସନ ରାଡାର ଓ ସ୍ୟାଟେଲାଇଟ, ଉଚ୍ଚକ୍ଷମତା ସମ୍ପନ୍ନ କମ୍ପ୍ୟୁଟର ପରି ବିଭିନ୍ନ ଜିନିଷରେ ବିକାଶ କରିବାକୁ ଏହି ଅଭିଯାନ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଜଳବାୟୁ ଓ ପାଣିପାଗ ବିଷୟରେ ରହିଥିବା ଧାରଣାକୁ ଏହି ଅଭିଯାନ ମାଧ୍ୟମରେ ପରିବର୍ଦ୍ଧିତ କରାଯିବାକୁ ବି ଲକ୍ଷ୍ୟ ରଖାଯାଇଛି।

ଆଇଏମଡି ଭିଜନ-୨୦୪୭ ଡକ୍ୟୁମେଂଟକୁ ପ୍ରଧାନମନ୍ତ୍ରୀ ଉନ୍ମୋଚିତ କରିଛନ୍ତି। ପାଣିପାଗର ପୂର୍ବାନୁମାନ, ଜଳବାୟୁ ପରିବର୍ତନ ଓ ପରିଚାଳନା କ୍ଷେତ୍ରରେ ଏହା କାମ କରିବ ବୋଲି ମୋଦୀ କହିଛନ୍ତି।

ଇତିହାସ    

ଭାରତକୁ ଏକ କ୍ଲାଇମେଟ ସ୍ମାର୍ଟ ନେସନ ଭାବେ ଗଢି ତୋଳିବା ପାଇଁ ମିଶନ ମୌସମ ଅଭିଯାନ ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପାଣିପାଗ ନୀରିକ୍ଷଣ ଜ୍ଞାନ କୌଶଳ, ହାଇ ରିସଉଲେସନ ପରିବେଶ ଅନୁଧ୍ୟାନ, ନେକ୍ସଟ ଜେନେରେସନ ରାଡାର ଓ ସ୍ୟାଟେଲାଇଟ ବୃଦ୍ଧି, ହାଇ ଫର୍ମରମାନ୍ସ କମ୍ୟୁଟର ବୃଦ୍ଧି ଏହି ଅଭିଯାନର ଲକ୍ଷ୍ୟ ରହିଥିବା ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି।

ଆଇଏମଡି ଭିଜନ – ୨୦୪୭ ଡକ୍ୟୁମେଂଟକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ପାଣିପାଗ ପୂର୍ବାନୁମାନ, ପରିଚାଳନା, ଜଳବାୟୁ ପରିବର୍ତନ ପରି ବିଭିନ୍ନ କ୍ଷେତ୍ରରେ ଏହା କାମ କରିବ ବୋଲି କୁହାଯାଇଛି।

ଆଇଏମଡିର ଦେଢ ଶହ ବର୍ଷ ପୂର୍ତି ଉପଲକ୍ଷେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ କର୍ମଶାଳାର ଆୟୋଜନ କରାଯାଇଛି। ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ପାଣିପାଗ ତଥା ଜଳବାୟୁ ସମ୍ପର୍କରେ ସୂଚନା ତଥା ସେବା ଯୋଗାଇବା ପାଇଁ  ବିଭିନ୍ନ ସରକାରୀ ପ୍ରତିଷ୍ଠାନର ଉଲ୍ଲେଖନୀୟ ଭୂମିକା ରହିଥିବା କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ‘ଦାନା’ର ପ୍ରଭାବକୁ ଆକଳନ କରି ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ସମ୍ପାଦନ କଲା ପାରାଦୀପ ବନ୍ଦର କର୍ତ୍ତୃପକ୍ଷ

ଭୁବନେଶ୍ଵର: ଆଜି ସାମୁଦ୍ରିକ ଝଡ଼ ‘ଦାନା’ ପାଖେଇ ଆସୁଥିବା ବେଳେ ଏଥିରେ ପାରାଦୀପ ବନ୍ଦର ପ୍ରଭାବିତ ହେବ ବୋଲି ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସୁରକ୍ଷା ସୁନିଶ୍ଚିତ କରିବା ସହ ସମ୍ଭାବ୍ୟ ବାଧାବିଘ୍ନକୁ ହ୍ରାସ କରିବା ପାଇଁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ବାତ୍ୟାକୁ ନେଇ ସତର୍କ ସୂଚନା ଜାରି କରିବା ପରେ ବନ୍ଦର କର୍ତ୍ତୃପକ୍ଷ ଉଭୟ ସମ୍ପତ୍ତି ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ତ୍ୱରିତ ପଦକ୍ଷେପ ନେଇଛନ୍ତି।

ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ସୃଷ୍ଟି ହେବାକୁ ଥିବା ଭୀଷଣ ଖରାପ ପାଗର ମୁକାବିଲା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମାଲ ପରିବହନକୁ ତ୍ୱରାନ୍ୱିତ କରିବା ଏବଂ ବନ୍ଦରରେ ଥିବା ଜାହାଜରୁ ସମସ୍ତ ଲୋଡିଂ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆସିବା ପୂର୍ବରୁ ଯେପରି ଏହି ପ୍ରକ୍ରିୟାଗୁଡ଼ିକୁ ସମାପ୍ତ କରାଯିବ ତାହା ସୁନିଶ୍ଚିତ କରିବା ଉପରେ ପ୍ରାଥମିକତା ଦିଆଯାଇଛି ଯାହା ଦ୍ୱାରା ମାଲବାହୀ ସାମଗ୍ରୀ ଏବଂ ଉପକରଣର କୌଣସି କ୍ଷୟକ୍ଷତି ହେବାର ଆଶଙ୍କା ହ୍ରାସ ପାଇବ। ଏହାବ୍ୟତୀତ ବର୍ତ୍ତମାନ ବନ୍ଦରରେ ଅଟକି ରହିଥିବା ଜାହାଜଗୁଡ଼ିକୁ ସମୁଦ୍ରରେ ନିର୍ଦ୍ଦିଷ୍ଟ ସୁରକ୍ଷିତ ସ୍ଥାନକୁ ଯିବା ଏବଂ ଲଙ୍ଗର କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଦ୍ୱାରା ସମ୍ଭାବ୍ୟ ଦୁର୍ଘଟଣା କିମ୍ବା ଅଶାନ୍ତ ସମୁଦ୍ର ଜଳରାଶି ଦ୍ୱାରା ହେବାକୁ ଥିବା ସମ୍ଭାବ୍ୟ କ୍ଷୟକ୍ଷତିକୁ ଏଡାଇ ଦିଆଯାଇପାରିବ।

ଏହି ସଙ୍କଟ ସମୟରେ ବନ୍ଦରର କର୍ମଚାରୀ ଏବଂ ଆଖପାଖ ଜନସମାଜର ସୁରକ୍ଷା ଏବଂ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ସହଯୋଗ ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅନେକ ଜରୁରୀ ସୁବିଧାର ବ୍ୟବସ୍ଥା କରିଛନ୍ତି। ସେଥିମଧ୍ୟରୁ ବାତ୍ୟା ପ୍ରଭାବ ସମୟରେ ଏବଂ ପରେ ଉପୁଜିଥିବା ଯେକୌଣସି ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଔଷଧ, ପାନୀୟ ଜଳ ଏବଂ ଖାଦ୍ୟ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିମନ୍ତେ ମହଜୁଦ ରଖାଯାଇଛି। ଏହି ବ୍ୟବସ୍ଥା ଗୁଡ଼ିକ ଦ୍ୱାରା ବିଳମ୍ବ ନକରି ପ୍ରଭାବିତଙ୍କ ତତ୍କାଳ ଆବଶ୍ୟକତା ଶୀଘ୍ର ପୂରଣ ହୋଇପାରିବ।

ଏହାବ୍ୟତୀତ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବସ୍ ବ୍ୟବସ୍ଥା କରିଛନ୍ତି। ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଠିକ୍ ସମୟରେ ସ୍ଥାନାନ୍ତର କରିବା, ସେମାନଙ୍କ ଜୀବନ ପ୍ରତି ଥିବା ବିପଦକୁ କମ୍ କରିବା ଏବଂ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ଏହି ବସଗୁଡ଼ିକ ସହାୟକ ହୋଇପାରିବ।

ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ଯୋଗୁଁ ଯେକୌଣସି ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ପାଇଁ ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ଗଛ କାଟିବା ଏବଂ ଆବର୍ଜନା ହଟାଇବା ପାଇଁ ବିଦ୍ୟୁତ ଚାଳିତ କରତ ଭଳି ଉପକରଣ ମଧ୍ୟ ପ୍ରସ୍ତୁତ କରିଛି। ଏହାଦ୍ଵାରା ରାସ୍ତାଘାଟ ଶୀଘ୍ର ସଫା କରିବା ସହ ଜରୁରୀକାଳୀନ ସେବା ଚଳାଚଳକୁ ସ୍ୱାଭାବିକ କରାଯାଇପାରିବ ଏବଂ ବାତ୍ୟା ପରବର୍ତ୍ତୀ ସମୟରେ ସହାୟତା ବଣ୍ଟନ କରାଯାଇପାରିବ।

ଏହାବ୍ୟତୀତ ବାତ୍ୟାରେ ବିସ୍ଥାପିତ ହୋଇଥିବା ଲୋକଙ୍କ ରହିବା ପାଇଁ ଏକାଧିକ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ଏହି ଆଶ୍ରୟସ୍ଥଳୀଗୁଡିକ ପ୍ରଭାବିତ ବ୍ୟକ୍ତିଙ୍କୁ ରହିବା ଏବଂ ସେମାନଙ୍କ ଘରକୁ ଫେରିବା ପର୍ଯ୍ୟନ୍ତ ସୁରକ୍ଷିତ ପରିବେଶ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ରହିଛି।

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ପାରାଦୀପ ବନ୍ଦରର ସମସ୍ତ ଅଂଶୀଦାରଙ୍କ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରୁଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଚଣ୍ଡ ରୌଦ୍ରାତାପରୁ ମିଳିବ ଆଶ୍ଵସ୍ତି!: କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ଵର: ପ୍ରଚଣ୍ଡ ରୌଦ୍ରାତାପ ମଧ୍ୟରେ ଏବେ ଏକ ଭଲ ଖବର ମିଳିଛି। ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ସୂଚନା ମିଳିଛି। ଭାରତୀୟ ପାଣିପାଗ ବିଭାଗ ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ଏନେଇ ସୂଚନା ଦେଇଛି। କିନ୍ତୁ ଏହା ପୂର୍ବରୁ ଜୁନ ୧ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିଲା। ତେବେ ଆଗୁଆ ମୌସୁମୀ ଆସିବା ପରେ ପ୍ରଚଣ୍ଡ ଗରମରୁ ତ୍ରାହି ମିଳିବ ବୋଲି ଆଶା କରାଯାଉଛି।

ଉତ୍ତର-ପୂର୍ବ ରାଜ୍ୟରେ ମୌସୁମୀର ତାରିଖ କ’ଣ?:

ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଏବଂ ଆସାମରେ ମୌସୁମୀ ଆସିବାର ସାଧାରଣ ତାରିଖ ହେଉଛି ଜୁନ୍ ୫ ତାରିଖ।

Categories
ଆଜିର ଖବର ରାଜ୍ୟ ଖବର

ସାବଧାନ!: ଆଗକୁ ୧୦ରୁ ୨୦ଦିନ ପର୍ଯ୍ୟନ୍ତ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ଵର: ଓଡିଶା ସମେତ ଦେଶର ବିଭିନ୍ନ ଭାଗରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଚଳିତ ଏପ୍ରିଲ ଆରମ୍ଭରୁ ଆରମ୍ଭ ହୋଇଯାଇଛି। ଦିନକୁ ଦିନ ଉତ୍ତାପ ବଢିବାରେ ଲାଗିଛି। ଏପ୍ରିଲ ଆରମ୍ଭରୁ ଆମ ରାଜ୍ୟରେ କେତେକ ସ୍ଥାନରେ ତାପମାତ୍ରା ୪୨ଡିଗ୍ରୀ ସେଲସିୟସ ଅତିକ୍ରମ କରିସାରିଲାଣି। ଆଗକୁ ୧୦ରୁ ୨୦ଦିନ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ (ହ୍ୱିଟୱେଭ) ଜାରି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି।

ସାଧାରଣତଃ ଚାରିରୁ ଆଠଦିନ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମପ୍ରବାହ (ହିଟୱେଭ) ପ୍ରତିବର୍ଷ ଅନୁଭୂତି ହେଉଥିବାବେଳେ ଚଳିତ ବର୍ଷ ଏହାର ଦୁଇଗୁଣରୁ ଅଧିକ ଦିନ ପର୍ଯ୍ୟନ୍ତ ଜାରି ରହିବ। ଚଳିତ ବର୍ଷ ଯେ, ଖରାଦିନେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ, ଏହା ଏବେଠାରୁ ଜଳଜଳ ହୋଇ ଦେଖାଗଲାଣି।  ଏହା ନିସନ୍ଦେହ ଯେ, ଆମ ରାଜ୍ୟ ବା ଦେଶରେ ଗ୍ରୀଷ୍ମଋତୁରେ ଅସହ୍ୟ ଗ୍ରୀଷ୍ମପ୍ରବାହ ନୂଆ ନୁହେଁ। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ବର୍ଷ ହେଲାଣି ଦେଶରେ ଗ୍ରୀଷ୍ମପ୍ରବାହ ଅଧିକରୁ ଅଧିକ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ଦେଶର ବହୁଭାଗରେ ବସନ୍ତ ଋତୁର ପ୍ରଭାବ ହ୍ରାସ ପାଉଥିବାବେଳେ ଗ୍ରୀଷ୍ମଋତୁର ଅବଧି ବଢିବାରେ ଲାଗିଛି।

ଗତବର୍ଷ ୨୦୨୩ରେ ଗ୍ରୀଷ୍ମକାଳର ଅବଧି ଜୁନ ମାସ ପର୍ଯ୍ୟନ୍ତ ବଢିବା ଏବଂ ଜୁନ ମଧ୍ୟଭାଗରେ ଅସହ୍ୟ ଗ୍ରୀଷ୍ମପ୍ରବାହ ହେବା ଏହାର ଜ୍ୱଳନ୍ତ ଉଦାହରଣ। ଗତ ୨୦୨୨ ମସିହାରେ ଦେଶରେ ମାର୍ଚ୍ଚ ମାସରୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିଲା, ଯାହାକି ୧୯୦୧ ମସିହା ପରେ ପ୍ରଥମ ଥିଲା। ଅର୍ଥାତ ୧୯୦୧ ମସିହା ପରଠାରୁ ୨୦୨୨ରେ ମାର୍ଚ୍ଚ ସବୁଠାରୁ ଉତ୍ତପ୍ତ ଥିଲା।

ସେହିପରି ୨୦୨୩ ବିଗତ ଶତାବ୍ଦୀ ମଧ୍ୟରେ ସବୁଠାରୁ ଉତ୍ତପ୍ତ ଥିଲା ବୋଲି ବିଶ୍ୱର ବହୁ ନାମୀ ପାଣିପାଗ ସଂସ୍ଥା ଆକଳନ କରିଥିବା ବେଳେ ଚଳିତ ବର୍ଷ ତା’ଠାରୁ ଅଧିକ ଗ୍ରୀଷ୍ମପ୍ରବାହ ହେବ ବୋଲି ଚେତାବନୀ ଦେଇଛନ୍ତି।  ଚଳିତ ବର୍ଷ ମାର୍ଚ୍ଚ ମାସ ଦେଶର କେତେକ ଭାଗରେ ସ୍ୱାଭାବିକ ଠାରୁ ଦିନର ତାପମାତ୍ରା ଅଧିକ ରହିଥିବା ଅନୁଭୂତି ହୋଇଛି।

ଚଳିତବର୍ଷ ଓଡିଶା ସମେତ ଗୁଜରାଟ, କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରର ବହୁ ଭାଗ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଦ୍ୱାରା ପ୍ରଭାବିତ ହେବା ନେଇ ଆଇଏମଡି ଚେତାବନୀ ଦେଇଛି। ଏହାର ପ୍ରଭାବରେ ଜଳାଭାବ, ପାନୀୟ ଜଳ ସଂକଟ, ଉତ୍କଟ ହେବା ସାଙ୍ଗକୁ ଶୀତ ଦିନିଆ ଶସ୍ୟ ବିଶେଷ କରି ଗହମ ଅମଳ ବିଶେଷ ଭାବରେ ପ୍ରଭାବିତ ହେବ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୦ ମସିହାରେ ଦେଶରେ ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗହମ ଉଦ୍ଭାବନ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ହୋଇପାରିନଥିଲା। କେବଳ ଏତିକି ନୁହେଁ ଦକ୍ଷୀଣ ଭାରତୀୟ ରାଜ୍ୟ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁର ସମେତ ବିଭିନ୍ନ ଅଂଚଳରେ ଚଳିତ ବର୍ଷ ପାନୀୟ ଜଳ ସଂକଟ କାହାରିକୁ ଅଛପା ନଥିବ ବୋଧହୁଏ। ଆଗକୁ ଜଳାଭାବ ପରିସ୍ଥିତି ଆହୁରି ସଂଗୀନ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏହା ନିଃସନ୍ଦେହ ଯେ, ବିଶ୍ୱତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିଶ୍ୱ ଜଳବାୟୁ ଭୟଙ୍କର ହେବାରେ ଲାଗିଛି। ଯାହାର ପ୍ରଭାବରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ମଣିଷ, ପ୍ରାଣୀଜଗତ ଏବଂ ଜୀବଜଗତ ଉପରେ ପଡିବା ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ। ବିଶେଷ କରି ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ ସମୟରେ ଅଂଶୁଘାତ ଜନିତ ମୃତ୍ୟୁର ଆଶଙ୍କା ସୃଷ୍ଟି କରିଛି। ୧୯୯୮ ମସିହାରେ ଆମ ରାଜ୍ୟରେ ୩୦୦୦ ରୁ ଅଧିକ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିଲା।

ସେହିପରି ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ  ୧୦,୦୦୦ରୁ ଅଧିକ ଲୋକଙ୍କ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟ କହେ। ଚଳିତ ବର୍ଷ ଅଂଶୁଘାତଜନିତ ମୃତ୍ୟୁର ଯେପରି ପୁନରାବୃତି ଘଟେ, ସେଥିପ୍ରତି ସତର୍କତା ଅବିଳମ୍ବ ଜରୁରୀ ହୋଇପଡିଛି।

କହିବା ବାହୁଲ୍ୟ ଯେ, ଚଳିତ ବର୍ଷ ଦେଶରେ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଏପ୍ରିଲରୁ ଜୁନ ମାସ ମଧ୍ୟରେ ହେଉଛି। ନିଦାଘ ଖରାରେ ନିର୍ବାଚନ ପ୍ରଚାର, ସଭାସମିତି, ଶୋଭାଯାତ୍ରା ଅଂଶୁଘାତ ଜନିତ ମୃତ୍ୟୁର ଭୟ ସୃଷ୍ଟି କରିବା ସ୍ୱାଭାବିକ। ଏଥିପ୍ରତି ନିର୍ବାଚନ କମିଶନ, ରାଜନୈତିକ ଦଳ ଏବଂ ପ୍ରଶାସନ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ।

ଉଲ୍ଳେଖଯୋଗ୍ୟ ଯେ, ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଅସହ୍ୟ ଗ୍ରୀଷ୍ମପ୍ରବାହ ଏବଂ ରୌଦ୍ରତାପ ବୃଦ୍ଧି ସତ୍ତ୍ୱେ ୧୯୯୮ ମସିହା ପରଠାରୁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁକୁ ସମ୍ପୂର୍ଣ୍ଣ ରୋକଯିବା ସମ୍ଭବ ହୋଇଛି। ଓଡିଶା ସରକାର ମଧ୍ୟ ଅଂଶୁଘାତ ମୃତ୍ୟୁକୁ ଏଡାଇବା ଲାଗି ଇତିମଧ୍ୟରେ କେତେକ ଗାଇଡଲାଇନ ଜାରି କରିସାରିଲେଣି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କ କାମ ଉପରେ କଟକଣା ଜାରି କରିଥିବାବେଳେ ଜରୁରୀ ନଥିଲେ ଘରୁ ନବାହାରିବା ପାଇର୍ ପରାମର୍ଶ ଦେଇଛନ୍ତି।

ସେହିପରି ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଆଶୁ ଚିକିତ୍ସା ପାଇଁ ହସ୍ପିଟାଲଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। କେବଳ ଓଡିଶା ନୁହେଁ, ଦେଶର ସମସ୍ତ ରାଜ୍ୟର ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି। ଏହା ନିଶ୍ଚିତ ଯେ, ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ପ୍ରଭାବରେ ଯେପରି ଗୀଷ୍ମକାଳରେ ଅବଧି ବଢିଚାଲିଛି ଏବଂ ଖରାର ପ୍ରକୋପ ବୃଦ୍ଧିପାରିଛି, ତାହାର ମୁକାବିଲା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ।

ବିଶେଷ କରି ପାନୀୟଜଳ ସଂକଟ ନିୟନ୍ତ୍ରଣ ଏବଂ ମଣିଷ ଓ ପ୍ରାଣୀଜଗତ ଉପରେ ଏହାର ପ୍ରଭାବକୁ ରୋକିବା ପାଇଁ ଦୀର୍ଘମିଆଦୀ ଯୋଜନାର ଆବଶ୍ୟକତା ରହିଛି। ଆଇଏମଡିର ଚେତାବନୀ ପରେ ସତର୍କତା ଏବଂ ବୈଜ୍ଞାନିକ ଜ୍ଞାନ ଦ୍ୱାରା ଏହାର ମୁକାବିଲା ପାଇଁ ସରକାର ବେଳ ହୁଁ ସାବଧାନ ହେବା ଜରୁରୀ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ପାଣିପାଗ ବିଭାଗର ୧୫୦ ବର୍ଷ ପୂର୍ତ୍ତି ପାଳନ କଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପାଣିପାଗ ବିଭାଗର ଆମ ଦେଶ ପାଇଁ ଅସାଧାରଣ ସେବାକୁ ପ୍ରଶଂସା କରିଛନ୍ତି। ଆଜି ଏହି ବିଭାଗର ୧୫୦ ବର୍ଷ ପୂରଣ ହୋଇଛି।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ଆଜି ଆମେ ଭାରତୀୟ ପାଣିପାଗ ବିଭାଗର ଦେଶ ପାଇଁ ଅସାଧାରଣ ସେବାର ୧୫୦ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଅଗ୍ରଣୀ ପାଣିପାଗ ପୂର୍ବାନୁମାନ ଠାରୁ ଆରମ୍ଭ କରି ଜଳବାୟୁ ଗବେଷଣାକୁ ଆଗେଇ ନେବା ପର୍ଯ୍ୟନ୍ତ, ଆଇଏମ୍‌ଡି ଜୀବନକୁ ସୁରକ୍ଷିତ ରଖିବା ଏବଂ ପରିବେଶ ବିଷୟରେ ଆମର ବୁଝାମଣା ବୃଦ୍ଧି କରିବାରେ ସହାୟକ ହୋଇଛି।

Categories
ବିଶେଷ ଖବର

ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏବେ ଚାଲିଥିବା ପ୍ରଚଣ୍ଡ ତାପ ପ୍ରବାହ ଯୋଗୁଁ ଯେଉଁ ସ୍ୱାସ୍ଥ୍ୟଗତ ପରିସ୍ଥିତି ସୃଷ୍ଟି ହୋଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ତାହାର ସମୀକ୍ଷା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର), ଭାରତୀୟ ପାଣିପାଗ ବିଭାଗ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ)ର ଏକ ବିଶେଷଜ୍ଞ ଦଳ ଖୁବ୍‌ଶୀଘ୍ର ଉତ୍ତରପ୍ରଦେଶ ଓ ବିହାର ଗସ୍ତ କରି ସେଠାକାର ତାପ ପ୍ରଭାବିତ  ଲୋକଙ୍କୁ ରାଜ୍ୟର ଜନସ୍ୱାସ୍ଥ୍ୟ ବିଭାଗ ସହିତ ମିଶି ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବ। ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଯୋଗୁଁ ସେସବୁ ରାଜ୍ୟରେ ଯେଉଁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି ତାହାର ମୁକାବିଲାରେ ଏହି ବିଶେଷଜ୍ଞ ଦଳ ସ୍ୱତନ୍ତ୍ରଭାବେ ସହାୟତା ଓ ପରାମର୍ଶ ଦେବ।

ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପାଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାଣ୍ଡଭିୟ ଦେଶରେ ଏଭଳି ଅଭୂତପୂର୍ବ ଗ୍ରୀଷ୍ମ ଓ ତାପ ପ୍ରବାହର ମୁକାବିଲା ପାଇଁ ଗୋଷ୍ଠୀ ତଥା ଜନସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ଲୋକେ ସତର୍କ ରହିଲେ ଅଂଶୁଘାତଜନିତ ଅନେକ ବ୍ୟାଧିକୁ ଏଡାଇ ଦେଇ ହେବ। ତେବେ ଗ୍ରୀଷ୍ମପ୍ରବାହ ଓ ମାତ୍ରାଧିକ ତାପମାତ୍ରା ଯୋଗୁଁ ଯେଉଁସବୁ ରୋଗବ୍ୟାଧୀ ସୃଷ୍ଟି ହେଉଛି ତାହାର ପ୍ରକୋପକୁ କିପରି ହ୍ରାସ କରି ହେବ ଏବଂ ତାହାର ଉପରେ ପ୍ରତିକାର ନିମନ୍ତେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଦରକାର ତାହାର ଗବେଷଣା ଓ ପ୍ରସ୍ତୁତି ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଆଇସିଏମ୍‌ଆରକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂସ୍ଥା ଏହା ଉପରେ ଗବେଷଣା କରିବା ସହ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ଦେବ। ପ୍ରତିକାରରେ ଉଭୟ ସ୍ୱଳ୍ପ ଓ ଦୀଘମିଆଦି ପଦକ୍ଷେପ ଅନ୍ତର୍ଭୁକ୍ତ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଚଣ୍ଡ ଗ୍ରୀଷ୍ମ ଓ ତାପପ୍ରବାହ ଜନିତ ଅସୁସ୍ଥତାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏଥର ଯଥେଷ୍ଟ ଆଗରୁ ପଦକ୍ଷେପ ଗ୍ରହଣ କରିଥିଲେ। ଖରାଦିନ ଆରମ୍ଭ ପୂର୍ବରୁ ଏହି ପଦକ୍ଷେପ ଆରମ୍ଭ ହୋଇଥିଲା। ଚଳିତବର୍ଷ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସ୍ତୁତିର ସମୀକ୍ଷା କରିଥିଲେ। ତା’ ପୂର୍ବରୁ ଫେବୃୟାରୀ ମାସରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଏଥିପାଇଁ ପରାମର୍ଶ ଓ ମାର୍ଗଦର୍ଶିକା ଜାରି କରାଯାଇଥିଲା। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ମନ୍ତେ ପ୍ରସ୍ତୁତ ରହିବାକୁ ରାଜ୍ୟମାନଙ୍କୁ କୁହାଯାଇଥିଲା। ଏଥିରେ ଆବଶ୍ୟକ ଔଷଧପତ୍ର, ଇଣ୍ଟ୍ରାଭେନସ ଫ୍ଲୁଇଡ, ପ୍ୟାକ୍ସ, ଓଆରଏସ୍‌, ପାନୀୟଜଳ ଆଦି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଥିଲା। ସେହିଭଳି ତାପଜନିତ ଅସୁସ୍ଥତାର ମୁକାବିଲା ସଂକ୍ରାନ୍ତ ଜାତୀୟ ଯୋଜନା ସମ୍ପର୍କରେ ସବୁ ରାଜ୍ୟକୁ ତଥ୍ୟ ଦିଆଯାଇଥିଲା।

ଆଜିର ବୈଠକ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାଣ୍ଡବୀୟଙ୍କୁ ବିଭିନ୍ନ ରାଜ୍ୟର ତାପପ୍ରବାହ/ଗ୍ରୀଷ୍ମପ୍ରବାହ ଜନିତ ସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା। ସେହିଭଳି ହସ୍‌ପିଟାଲ ଭିତ୍ତିଭୂମି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଣରେ କେନ୍ଦ୍ରୀୟ ସଂସ୍ଥାମାନଙ୍କର ପ୍ରସ୍ତୁତି ତଥା କାର୍ଯ୍ୟ ସମ୍ପର୍କରେ ସେ ଅବଗତ ହୋଇଥିଲେ। ଜଳବାୟୁ ପରିବର୍ତ୍ତନ ଜାତୀୟ କାର୍ଯ୍ୟକ୍ରମ ଓ ମାନବ ସ୍ୱାସ୍ଥ୍ୟ ଯୋଜନା ବା ଏନ୍‌ପିସିସିଏଚ୍‌ଏଚ୍ ଅଧୀନରେ ଦୈନିକ ଦେଶରେ ତାପପ୍ରବାହ ଜନିତ ଅସୁସ୍ଥଙ୍କ ସଂଖ୍ୟା ଉପରେ ନଜର ରଖାଯାଇ ସେମାନଙ୍କ ଚିକିତ୍ସା ବନ୍ଦୋବସ୍ତ କରାଯାଉଛି। ଏ ସଂକ୍ରାନ୍ତ ତଥ୍ୟ ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ (ଆଇଏଚ୍ ଆଇପି) ମାଧ୍ୟମରେ ସବୁ ଜିଲ୍ଲା ଓ ରାଜ୍ୟରୁ ସଂଗୃହୀତ  ହେଉଛି ଏବଂ ପ୍ରତିକାର ସମ୍ପର୍କରେ ସେହି  ମାଧ୍ୟମରେ ସୂଚନା ଦିଆଯାଉଛି। ସବୁ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ପି-ଫର୍ମ ଲେଭଲ ଲଗ୍‌ଇନ୍ କରି ଏଥିରେ ସାମିଲ ହେବାକୁ କୁହାଯାଇଛି।

ତାପମାତ୍ରା ବୃଦ୍ଧିଜନିତ ଅସୁସ୍ଥତାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଜାତୀୟ କ୍ରିୟାନୁଷ୍ଠାନ ଯୋଜନାରେ କେତେକ ମାର୍ଗଦର୍ଶନ ରହିଛି ଯାହା ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିୟୋର ଭାବେ ବିବେଚିତ ହେଉଛି। ଏଥିରେ ପିଲା ଶିଶୁ, ବୟସ୍କ, ଗର୍ଭବତୀ, ଖରାରେ କାମ କରୁଥିବା ଶ୍ରମିକ ଏବଂ ଅନ୍ୟାନ୍ୟ ବିପଦାପନ୍ନ ଲୋକଙ୍କ ସୁରକ୍ଷ। ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଏହାଛଡା ନିରବଚ୍ଛିନ୍ନ ବିଜୁଳି ଯୋଗାଣ, ସୌର ଫଳକ ସ୍ଥାପନ, ଘର ଭିତରର ତାପମାତ୍ରା ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ, ସବୁଜ ଛାତ, ୱିଣ୍ଡୋ ସେଡିଂ, ବାହ୍ୟ ଆବରଣ ଆଦିକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ବିଶେଷ ଜରୁରୀ। ଏହା ସହିତ ଚିକିତ୍ସିକ ମାନଙ୍କର ଦକ୍ଷତା ବୃଦ୍ଧି, ସ୍ୱାସ୍ଥ୍ୟ କର୍ମୀଙ୍କୁ କାମରେ ଲଗାଇବା, ତୃଣମୂଳସ୍ତରରେ ଅଂଶୁଘାତରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଯୋଗାଣ, ମେଡିକାଲରେ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଆଦି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ସର୍ବୋପରି ଦୈନିକ ତାପମାନ ସମ୍ପର୍କରେ ଲୋକଙ୍କୁ ଆଗୁଆ ପ୍ରଦାନକୁ ଅନିବାର୍ଯ୍ୟ କରାଯାଇଛି। ଦୈନିକ ତାପମାତ୍ରା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଭାରତୀୟ ପାଣିପାଗ ବିଭାଗର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ପରାମର୍ଶ ଦେଇଛି।

ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ସୁଧାଂଶୁ ପନ୍ତ, ଓଏସ୍‌ ଡକ୍ଟର ରାଜୀବ ବେହେଲ, ଡିଏଚ୍‌ଆର ସଚିବ ଏସ୍ ଗୋପାଳକୃଷ୍ଣନ୍‌, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଡକ୍ଟର ଲବ ଅଗ୍ରୱାଲ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଶେଷରେ କେରଳରେ ପହଞ୍ଚିଲା ମୌସୁମୀ: ବିଳମ୍ବ କଲା ଏକ ସପ୍ତାହ

ନୂଆଦିଲ୍ଲୀ: କେରଳରେ ମୌସୁମୀ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, କେରଳର ମୌସୁମୀ ଜୁନ୍ ୧ ତାରିଖ ଠାରୁ ୭ ଦିନ ବିଳମ୍ବ ହୋଇଛି। ଏବେ ଏହା ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ କର୍ଣ୍ଣାଟକ ଏବଂ ତାମିଲନାଡୁରେ ପହଞ୍ଚିବାର ସମ୍ଭାବନା ରହିଛି।

ମୌସୁମୀ ଏକ ସପ୍ତାହ ପରେ ମହାରାଷ୍ଟ୍ର ଏବଂ ଗୋଆରେ ଟକ୍କର ଦେଇପାରେ। ଏଥି ସହିତ ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ମୌସୁମୀ ଚଳିତ ମାସ ଶେଷରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଦେଶରେ ପ୍ରଥମ ମୌସୁମୀ ବର୍ଷା ହୋଇଛି। ଏଥର ଏହା ଏକ ସପ୍ତାହ ବିଳମ୍ବ ହୋଇଛି। ଯଦିଓ ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ଏହା ବର୍ଷା ଉପରେ ପ୍ରଭାବ ପକାଇବ ନାହିଁ। ଏଥର ମୌସୁମୀ ସାମାନ୍ୟ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଆ ପୁଅ ହେଲେ ବିଶ୍ବ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ବର: ଆଉ ଜଣେ ଓଡିଆ ପୁଅ ଦେଶରେ ନୁହେଁ ସାରା ବିଶ୍ବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ସେ ହେଉଛନ୍ତି ପାଣିପାଗ ବିଶେଷଜ୍ଞ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ମୃତ୍ୟୁଞ୍ଜୟ ବିଶ୍ବ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏ ନେଇ ବିଶ୍ବ ପାଣିପାଗ ସଂସ୍ଥା ତରଫରୁ ସୂଚନା ଦିଆଯାଇଛି।

ଗତକାଲି ଏ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୃତ୍ୟୁଞ୍ଜୟ ୧୪୮ରୁ ୧୧୩ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏହି ପଦବୀରେ ତିନି ଜଣଙ୍କୁ ନିର୍ବାଚିତ କରାଯାଇଛି। ସେମାନଙ୍କ ମଧ୍ୟରୁ ମୃତ୍ୟୁଞ୍ଜୟ ଜଣେ ଉପାଧ୍ୟକ୍ଷ। ସେ ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି।

ଓଡିଆ ପୁଅର ଏପରି କୃତିତ୍ବ ଖବର ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ମୃତ୍ୟୁଞ୍ଜୟଙ୍କ ପାଣିପାଗ ଉପରେ ବହୁ ଅଭିଜ୍ଞତା ରହିଛି। ତାହାକୁ ପାଥେୟ କରି ସେ ନିଶ୍ଚିତ ବିଶ୍ବରେ ନାଁ କରିବା ସହିତ ଓଡିଶା ପାଇଁ ଗର୍ବ ଆଣିବେ। ତାଙ୍କର ଭବିଷ୍ୟତ ସଫଳତା କାମନା କରୁଛି ବୋଲି ନବୀନ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଚଳିତ ବର୍ଷ ବିଳମ୍ବରେ ଆସିବ ମୌସୁମୀ: ପାଣିପାଗ ବିଭାଗ କଲା ପୂର୍ବନୁମାନ

ଭୁବନେଶ୍ଵର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏକ ବଡ ଖବର ମିଳିଛି। ଏଥର ଦେଶକୁ ବିଳମ୍ବରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତବର୍ଷ କେରଳକୁ ବିଳମ୍ବରେ ମୌସୁମୀ ଆସିବ। ଚଳିତ ବର୍ଷ ଜୁନ ୪ ତାରିଖ ବେଳକୁ କେରଳରେ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷ କରି ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ। କିନ୍ତୁ ଏଥର ବିଳମ୍ବ ହେବାର ସମ୍ଭାବନା ରହିଛି।

Categories
Cyclone ବିଶେଷ ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ନିର୍ଦ୍ଦେଶନାମା ଜାରି: ଆଇନ ଅବମାନନା କରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା, ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ତାଗିଦ୍‌କୁ ଅଣଦେଖା କରି କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ବୋଟ ସହ ମାଛ ଧରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କରିବା ସହ ପ୍ରଶାସନକୁ ଅସୁବିଧାରେ ପକାଉଛନ୍ତି।

ଏ ସମ୍ପର୍କରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ ଅବଗତ କରି ଜଣାଇଛନ୍ତି ଯେ, ଏଭଳି କ୍ଷେତ୍ରରେ ସତର୍କ ସୂଚନା, ନିର୍ଦ୍ଦେଶକୁ ଅବମାନନା କରାଯାଇଥିବାବେଳେ ଜିଲ୍ଲାପାଳମାନେ ବିପର୍ଯ୍ୟୟ ପରିଚାଳନା ଆକ୍ଟର ୨୦୦୫ ନିୟମ ଆଧାରରେ ମତ୍ସ୍ୟଜୀବୀମାନଙ୍କ ଉପରେ କ୍ରିମିନାଲ ଆକ୍ସନ ଲାଗୁ କରିବେ ଓ ଅନ୍ୟ ପକ୍ଷରେ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି ପାଇଁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ।

ସେହିପରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବକାଶ ବିଭାଗ ଓ ବାଣିଜ୍ୟ ପରିବହନ ବିଭାଗ ଏ କ୍ଷେତ୍ରରେ ଆଇନ ଭଙ୍ଗ କରୁଥିବା ମତ୍ସ୍ୟଜୀବୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଓଡ୍ରାଫର ୧୨ଟି ଟିମ୍‌କୁ ମାଲକାନାଗିରି, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ମୁତୟନ କରାଯାଇଅଛି।

ସେହିପରି ଅଗ୍ନିଶମ ସେବାର ୧୨ଟି ଟିମ୍‌କୁ ମଧ୍ୟ ମାଲକାନାଗିରି, କୋରାପୁଟ, ଗଜପତି, ରାୟଗଡା ଓ ଗଞ୍ଜାମ ଜିଲ୍ଲାରେ ମୁତୟନ କରାଯାଇଛି। ଆଜି ଏହି ଟିମ୍‌ଗୁଡିକ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ରିପୋର୍ଟିଙ୍ଗ କରିବେ।