Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜଧାନୀରେ ଏନ୍‌ଫୋର୍ସମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଦିଆଯାଉଛି ଗୁରୁତ୍ୱ: ବିଏମସି କମିଶନର

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହୁଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବିଏମସି ଅଞ୍ଚଳରୁ କ୍ରମାଗତ ଭାବେ ୧୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଏନ୍‌ଫୋର୍ସମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ଏବେ ରାତ୍ରୀକାଳୀନ କର୍ଫ୍ୟୁ କିମ୍ବା ଲକଡାଉନ କଟକଣା ଉପରେ ଚିନ୍ତା କରାଯାଉନାହିଁ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନ ଆକ୍ରାନ୍ତ ହେଉଥିବାରୁ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କାର୍ଯ୍ଯାଳୟରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଲଗାଯାଇଛି।

ସଂକ୍ରମଣକୁ ରୋକିବା ଦିଗରେ ବିଏମସି କାର୍ଯ୍ୟ କରିବା ସହ ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରୁଛି। ସେଥିପାଇଁ ଭୁବନେଶ୍ଵରସ୍ଥିତ ସମ ହସ୍ପିଟାଲର ଶଯ୍ୟା ସଂଖ୍ୟାରେ ବୃଦ୍ଧି କରାଯାଇଛି। ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଡ଼କ୍ଟର ଉପାଧିରେ ସମ୍ମାନିତ ହେଲେ ଚାନ୍ଦବାଲି ବିଧାୟକ ଡ଼.ବ୍ୟମୋକେଶ ରାୟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପାଳୁଛି ୫୦ ତମ ସମାବର୍ତ୍ତନ ଉତ୍ସବ। ଏହି ଅବସରରେ ଆଜି ପ୍ରଥମ ଦିନରେ ପାଳିତ ହୋଇଛି ଉପାଧି ବିତରଣ ଉତ୍ସବ। ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସହ ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ବସନ୍ତ ମଲ୍ଲିକ, ପ୍ରଫେସର ସୁଧାକର ପଣ୍ଡା (ଏନ.ଆଇ.ଏସ.ଇ.ଆର ଅଧ୍ୟକ୍ଷ), ଅଭୟ କୁମାର ନାୟକ (ରେଜିଷ୍ଟାର,ଉତ୍କଳ ବିଶ୍ୱବିଦ୍ୟାଳୟ), ସରତ କୁମାର ମାଝି (ପରୀକ୍ଷା ନିୟନ୍ତ୍ରକ,ଉତ୍କଳ ବିଶ୍ୱବିଦ୍ୟାଳୟ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ପରୀକ୍ଷାରେ ଉତ୍ତମ ମାର୍କ ରଖି ଉତ୍ତୀର୍ଣ ହୋଇଥିବା ୨୦୧୭-୨୦୧୯ ବର୍ଷର ପ୍ରତିଟି ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ ସହ ପି.ଏଚ.ଡି ଏବଂ ଡି.ଲିଟ ଉପାଧି ପ୍ରଦାନ କରାଯାଇଥିଲା।

ଚାନ୍ଦବାଲି ବିଧାୟକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼.ବ୍ୟମୋକେଶ ରାୟଙ୍କୁ ରାଜନୀତି ବିଜ୍ଞାନ ବିଷୟରେ ଡ଼କ୍ଟର ଅଫ ଫିଲୋସୋଫି ଡିଗ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା।

ଶେଷରେ ଏହି ସମ୍ମାନରେ ସମ୍ମାନିତ ହୋଇ ଖୁସି ହେବା ସହ ଉତ୍କଳ ବିଶ୍ୱବିଦ୍ୟାଳୟର ଅବଦାନ ଓ ଗାରିମା ବିଷୟରେ ମତବ୍ୟକ୍ତ କରିଥିଲେ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ସ୍ୟାଟ ବାର୍ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର: ୨୭.୩.୨୦୨୧ ରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ସ୍ୟାଟ ବାର୍‌, ଭୁବନେଶ୍ୱର ସଭାପତି ଭାବେ ସୁଧୀର ଚରଣ ମହାନ୍ତି ନିର୍ବାଚିତ ହୋଇଛନ୍ତି। ରଣଜିତ ମହାନ୍ତି, ସୁଧାଂଶୁ ଶେଖର ପ୍ରତାପ ଓ ଗୋବିନ୍ଦ ଚନ୍ଦ୍ର ପାଇକରାୟ ଯଥାକ୍ରମେ ସମ୍ପାଦକ, ଉପସଭାପତି ଓ ସହ ସମ୍ପାଦକ ଭାବେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନକୁ ଶୃଙ୍ଖଳା ରୂପେ ସମ୍ପାଦନା କରିଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅନନ୍ତ କୁମାର ଆଚାର୍ଯ୍ୟ ଏବଂ ସହ-ନିର୍ବାଚନ ଅଧିକାରୀ କବିତା ମହାନ୍ତି, ରଶ୍ମିତା ରାଉତରାୟ ଓ ଜ୍ଞାନରଞ୍ଜନ ତ୍ରିପାଠୀଙ୍କୁ ସ୍ୟାଟ ବାର୍ ତରଫରୁ ଅଶେଷ ସାଧୁବାଦ ଅର୍ପଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁସ୍ଥ ସମାଜ ଗଠନ ପାଇଁ ପାରମ୍ପରିକ ଚିକିତ୍ସା ପଦ୍ଧତିର ପୁନରୁତ୍ଥାନ ଜରୁରୀ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିନୋବା ସେବା ପ୍ରତିଷ୍ଠାନ, ଭୁବନେଶ୍ୱର ଓ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହାୟତାରେ ଚଳିତବର୍ଷର ଆୟୁର୍ବେଦ ପର୍ବ ଡ଼ାକ୍ତର ଅଭିନବ ଚନ୍ଦ୍ର ହୋମିଓପ୍ୟାଥି ମେଡ଼ିକାଲ କଲେଜରେ ଗତକାଲି ଉଦ୍‌ଘାଟନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ଶିଳ୍ପୀଗୁରୁ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡ଼ାଇରେକ୍ଟର ଆୟୁଷ, ଓଡ଼ିଶା ସରକାର ଡ଼ାକ୍ତର ତ୍ରିଲୋଚନ ମାଝି, ଡ଼ାକ୍ତର ସୁଧୀର ଦାସ, ପ୍ରିନ୍ସିପାଲ ଡ଼ାକ୍ତର ଅଭିନବ ଚନ୍ଦ୍ର ହୋମିଓପ୍ୟାଥି ମେଡ଼ିକାଲ କଲେଜ, ଡ଼କ୍ଟର ଭଗବାନ ପ୍ରକାଶ, ଉପଦେଷ୍ଟା, ନର୍ବାଚନ କମିଶନ, ଭାରତ ସରକାର, ନମ୍ରତା ଚଢା, ପୂର୍ବତନ ଚେୟରମ୍ୟାନ, ରାଜ୍ୟ ମହିଳା କମିଶନ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଗଠନର ସାଧାରଣ ସମ୍ପାଦକ ମନୋଜ ଜେନା ସ୍ୱାଗତ ଭାଷଣ ଦେଇ କରୋନା ସମୟରେ ଦୁନିଆର ସମସ୍ତ ବିତ୍ତଶାଳୀ ଦେଶ ଏହି ମହାମାରୀ ସହିତ ଲଢୁଥିବା ବେଳେ ଆମର ପାରମ୍ପରିକ ଚିକିତ୍ସା ପଦ୍ଧତି ଆମର ଲୋକମାନଙ୍କୁ ଏହି ମହାମାରୀରୁ ବଞ୍ଚାଇ ପରିଥିବା କହିଥିଲେ।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟସଭା ସାଂସଦ ଶ୍ରୀ ମହାପାତ୍ର ଆୟୁର୍ବେଦର ସମୃଦ୍ଧିରେ ହିଁ ସମାଜର ସମୃଦ୍ଧି ହୋଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଶ୍ରୀ ଦାସ ଆୟୁଷ ଚିକିତ୍ସାକୁ ସର୍ବୋତ୍କୃଷ୍ଟ ଚିକିତ୍ସା କହି, ସର୍ବଦା ଜଣେ ମଣିଷ ଏହି ଚିକିତ୍ସାରେ ରହିଲେ ଦୀର୍ଘାୟୁ ହୋଇପାରିବ ବୋଲି କହିଥିଲେ।

ରାଜ୍ୟ ସରକାର ଏହି ଚିକିତ୍ସା ପଦ୍ଧତିର ପ୍ରାଚୀନ ଓ ପ୍ରସାରକୁ ଅଗ୍ରାଧିକାର ଦେଉଛନ୍ତି ବୋଲି କହିଥିଲେ। ଡ଼କ୍ଟର ଭଗବାନ ପ୍ରକାଶ, ଉପଦେଷ୍ଟା, ନିର୍ବାଚନ କମିଶନ, ଭାରତ ସରକାର ଗତ ଦୁଇ ଦଶନ୍ଧିରେ ଆୟୁର୍ବେଦର ଲୋକପ୍ରିୟତା ବଢିବା ସହିତ ଏହାର କମ୍ ମୂଲ୍ୟରେ ଭଲ ଚିକିତ୍ସା ଯୋଗାଇ ଦେବା ସହ ଆଦର ବଢିବା ବିଷୟରେ ନିଜର ଖୁସି ପ୍ରକାଶ କରିଥିଲେ। ଆୟୁଷ ଡ଼ାଇରେକ୍ଟ ଶ୍ରୀ ମାଝି ପ୍ରତିଷ୍ଠାନର ଏହିଭଳି ପ୍ରୟାସକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏକ ଉଚ୍ଚସ୍ତରୀୟ ମିଟିଙ୍ଗ କରି କିଭଳି ଭାବରେ ଏହି ପ୍ରୟାସକୁ ରାଜ୍ୟର କୋଣ ଅନୁକୋଣକୁ ପହଞ୍ଚା ଯାଇପାରିବ ଆଲୋଚନା କରିଥିଲେ।

ରାଜ୍ୟର ପୂର୍ବତନ ମହିଳା କମିଶନର ନମ୍ରତା ଚଢା ସ୍କୁଲ୍ ପାଠ୍ୟକ୍ରମରେ ଆୟୁଷ ଚିକିତ୍ସା ପଦ୍ଧତିକୁ ମିଶାଇବା ନେଇ ସରକାରଙ୍କୁ ଅନୁରୋଧ କରିଥିଲେ। କଲେଜର ପ୍ରିନ୍ସିପାଲ ଶ୍ରୀ ଦାସ ଏହିଭଳି କାର୍ଯ୍ୟକ୍ରମ ସହ ଆୟୋଜକ ସହ ଆୟୋଜକ ହୋଇଥିବାରୁ ନିଜକୁ ଧନ୍ୟ ମନେ କରି ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ପାଇଁ କହିଥିଲେ।

ଓଡ଼ିଶା ଅଭିଭାବକ ମହାସଂଘର ଚେୟାରମ୍ୟାନ ବାସୁଦେବ ଭଟ୍ଟ ପାରମ୍ପରିକ ଚିକିତ୍ସା ପଦ୍ଧତିର ସୁରକ୍ଷାରେ ହିଁ ଆମ ଭବିଷ୍ୟତ ସୁରକ୍ଷା ବୋଲି କହିଥିଲେ। ଏହି ଉପଲକ୍ଷେ ଏକ ସୋଭେନିଅରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଆଲୋଚନା ସହିତ କାର୍ଯ୍ୟକ୍ରମରେ ସେମିନାର ମାଧ୍ୟମରେ ଡ଼ାକ୍ତର ଦୀପକ ସ୍ୱାଇଁ, ଡ଼ାକ୍ତର ଜି.ସି ଭୂୟାଁ, ଡ଼ାକ୍ତର ଭବାନୀ ଶଙ୍କର ପାଲ, ଡ଼ାକ୍ତର ପୂର୍ଣ୍ଣେନ୍ଦୁ ପଣ୍ଡା, ଡ଼ାକ୍ତର ଅଶୋକ ପଣ୍ଡା, ଡାକ୍ତର ଇନ୍ଦୁ, ଡ଼ାକ୍ତର ସ୍ନେହମୟୀ ମିଶ୍ର, ଡ଼ାକ୍ତର କେଦାରନାଥ ନାୟକ ଆଦି ପାରମ୍ପରିକ ଚିକିତ୍ସା ଉପରେ ନିଜର ରିସର୍ଚ୍ଚ ପେପର ଉପସ୍ଥାପନ କରିଥିଲେ। ସେମିନାରର ପ୍ରଥମ ଅଧିବେଶନକୁ ଡ଼ାକ୍ତର ଅଶୋକ ପଣ୍ଡା ଓ ଦ୍ୱିତୀୟ ଅଧିବେଶନକୁ ଡ଼ାକ୍ତର ପୂର୍ଣ୍ଣେନ୍ଦୁ ପଣ୍ଡା ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଦେଶ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଡ଼ାକ୍ତର, ବୁଦ୍ଧିଜୀବୀ, ବକ୍ତା, ସାଧାରଣ ଲୋକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସରକାରଙ୍କ ଆୟୁର୍ବେଦ, ହୋମିଓପ୍ୟାଥି, ସିଦ୍ଧ, ୟୁନାନୀ ଓ ଯୋଗ ବିଭାଗ ଦ୍ୱାରା ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଛି।

କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୫୦ରୁ ଉର୍ଦ୍ଧ୍ୱ ସାଧାରଣ ଜନତାଙ୍କର ଚିକିତ୍ସା କରାଯାଇଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଶେଷରେ ପ୍ରତିଷ୍ଠାନର ସଂଯୋଜକ ରମେଶ ଭାରତୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା, ସଂଯୋଜକ ରମେଶ ଭାରତୀ, ରଘୁନାଥ ମଣ୍ଡଳ, ଶୁଭଶ୍ରୀ ମହାପାତ୍ର ପରିଚାଳନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଦ୍ୱିତୀୟ କରୋନା ଲହରୀ ଜାରି: ଗାନ୍ଧୀମାର୍ଗ ଧାରଣାସ୍ଥଳକୁ ସାନିଟାଇଜ କଲେ ସମାଜସେବୀ ପ୍ରତାପ ସାହୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗ ହେଉଛି ଏକ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ। ଦୈନନ୍ଦିନ ଶହ ଶହ ପଥଚାରୀ ଏହି ବାଟ ଦେଇ ଯିବାଆସିବା କରୁଥିବା ବେଳେ ଓଡ଼ିଶାର କୋଣ ଅନୁକୋଣରୁ ପ୍ରତ୍ୟେକ ଦିନ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ ନିଜର ଦାବି ହାସଲ ପାଇଁ ଗାନ୍ଧୀମାର୍ଗରେ ଜନ ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥାନ୍ତି। କିନ୍ତୁ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଓଡ଼ିଶାରେ ପ୍ରବେଶ କରିବା ପରେ ରାଜଧାନୀ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଭାବେ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।

ତେବେ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଗାନ୍ଧୀମାର୍ଗ ପ୍ରତି ବିପଦ ରହିଥିବାରୁ ସମାଜସେବୀ ପ୍ରତାପ ସାହୁ ଏକ ନିଆରା ଢଙ୍ଗରେ ଗାନ୍ଧୀମାର୍ଗକୁ ସମ୍ପୂର୍ଣ୍ଣ ଭାବରେ ସାନିଟାଇଜି କରିଛନ୍ତି।

ପ୍ରତାପଙ୍କ ଏଭଳି ଉଦ୍ୟମକୁ ରାଜଧାନୀ ବାସୀ ପ୍ରଶଂସା କରିଥିବା ବେଳେ ଏ ବାବଦରେ ପ୍ରତାପ କୁହନ୍ତି ଯେ, ଗାନ୍ଧୀମାର୍ଗ ହେଉଛି ଏକ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ। ପ୍ରତିଦିନ ହଜାର ହଜାର ଆନ୍ଦୋଳନକାରୀ ଅନଶନ ଓ ବିକ୍ଷୋପ ପ୍ରଦର୍ଶନ କରୁଥିବାରୁ ଏଠାରେ ଲୋକମାନେ ଏକତ୍ରିତ ହୋଇଥାନ୍ତି। ତେଣୁ କରୋନାଠାରୁ ଦୂରେଇ ରହିବା ପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ।

ଏତଦବ୍ୟତୀତ ନିୟମିତ ମାକ୍ସ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ସାନିଟଇଜ ବ୍ୟବହାର କରିବା, ପ୍ରତ୍ୟେକଦିନ ସାବୁନରେ ହାତ ଧୋଇବା ପାଇଁ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ପିଏମ୍‌ଜି ଅଞ୍ଚଳରେ ଥିବା ପୋଲିସ୍ ଆଉଟପୋଷ୍ଟ, ବ୍ୟାରିକେଡ଼ ଗୁଡ଼ିକୁ ସାନିଟାଇଜ କରିବା ସହ ଧାରଣାରତ ୧୪ଟି ଷ୍ଟଲକୁ ସାନିଟାଇଜ ମଧ୍ୟ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ପ୍ରଥମେ ଯେତେବେଳେ ଓଡ଼ିଶାରେ ପ୍ରବେଶ କଲା, ସେବେଠାରୁ ପ୍ରତାପ ପ୍ରତ୍ୟେକ ଦିନ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ସାନିଟାଇଜ କରିବା ସହିତ, ଗରିବ ଅସହାୟ ଲୋକମାନଙ୍କୁ ମାଗଣାରେ ମାକ୍ସ, ସାନିଟାଇଜର, ସାବୁଲ ଓ ରନ୍ଧାଖାଦ୍ୟ ଆଦି ପ୍ରଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ହେଲେ କରୋନାର ଦ୍ୱିତୀୟ ଲହରୀ ଏବେ ଜାରି ରହିଥିବାରୁ ପୂର୍ବପରି ତାଙ୍କର କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଦ୍ୱିତୀୟ କାଞ୍ଚନ କର୍ପୋରେଟ ଆୱାର୍ଡ଼-୨୦୨୧: ଯୋଗ ଦେଲେ ଓଡ଼ିଶା ବିଧାନସଭାର ବାଚସ୍ପତି

ଭୁବନେଶ୍ୱର: କାଞ୍ଚନ ଫାଉଣ୍ଡେସନ ତରଫରୁ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସିଲେନ୍ସିଠାରେ ଦ୍ୱିତୀୟ କାଞ୍ଚନ କର୍ପୋରେଟ ଆୱାର୍ଡ଼-୨୦୨୧ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ କର୍ପୋରେଟ କ୍ଷେତ୍ରରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲୀ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଓଡ଼ିଶା ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ଅନୁଷ୍ଠାନର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଆବାହକ ଶୁଭୋଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

ଏହି ଉତ୍ସବରେ କର୍ପୋରେଟ ଜଗତର ୨୩ ଜଣ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫାଉଣ୍ଡେସନର ବିଶ୍ୱଜିତ ସାମନ୍ତରାୟ, କାମିନୀ ବିଶ୍ୱାଳ, ତପନ କୁମାର ସ୍ୱାଇଁ, ଦେବେନ୍ଦ୍ର ନାୟକ, ପ୍ରକାଶ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ଲୋକାର୍ପଣ ସମାରୋହ

ଭୁବନେଶ୍ୱର: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ଲୋକାର୍ପଣ ସମାରୋହ ତଥା ପ୍ରଥମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ୟୁନିଟ-୪ସ୍ଥିତ ମା’ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମଧ୍ୟବିତ୍ତବର୍ଗଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଗଢି ଉଠିଥିବା ଏହି ଗଣସଂଗଠନ ବିଗତ ଏକବର୍ଷ ହେବ ତାର ସଂଗ୍ରାମ ଜାରି ରଖିଛି।

ସରକାରୀସ୍ତରରେ ୧୮୬୦ ଆଇନରେ ପଞ୍ଜିକୃତ ହେବା ପରେ ଏହି ସଂଗଠନର ପ୍ରଥମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୨୦.୩.୨୦୨୧ ରିଖରେ ସଂଗଠନର ରାଷ୍ଟ୍ରୀୟ ସଭାପତି ପ୍ରଦିପ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥି ଭାବେ ସମାଜସେବୀ କୈଳାସ ଚନ୍ଦ୍ର ରଥ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ସ୍ୱାଇଁ, ଦେବାଶିଷ ମିଶ୍ର, ଭକ୍ତଚରଣ ରାୟ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ସାଂଗଠନିକ ସମ୍ପାଦକ ଆଶିଷ କୁମାର ବେହେରା ସ୍ୱାଗତ ଭାଷଣ ଦେବା ସହିତ ଆଗାମୀ ଦିନରେ ମହାସଂଘର କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକାରିଣୀ ବୈଠକରେ ମହାସଂଘର ଆଭିମୁଖ୍ୟ ଓ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବା ସହିତ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଚିଠା ପ୍ରସ୍ତାବ ମହାସଂଘର ସାଧାରଣ ସମ୍ପାଦକ କେ. ବାଲାରାଜୁ ଆଚାରୀଙ୍କ ଦ୍ୱାରା ଆଗତ କରାଯାଇଥିବା ବେଳେ ଉପସ୍ଥିତ ସଦସ୍ୟମାନଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏନ୍‌ଏବିଏଚ୍ ସ୍ୱୀକୃତି ଲାଭ କଲା ସମ୍ ଅଲ୍‌ଟିମେଟ୍ ମେଡିକେୟାର

ଭୁବନେଶ୍ୱର: ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ମାନ୍ୟତାର ପ୍ରତୀକ ନ୍ୟାସ୍‌ନାଲ ଆକ୍ରେଡିଟେସନ୍ ବୋର୍ଡ ଫର୍ ହସ୍ପିଟାଲ୍ ଆଣ୍ଡ ହେଲ୍‌ଥ କେୟାର ପ୍ରୋଭାଇଡର୍ସ (ଏନଏବିଏଚ୍‌) ସାର୍ଟିଫିକେଟ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି ଦ ୱାନ୍ ଷ୍ଟପ୍‌, ନେକ୍ସ ଜେନେରେସନ୍ ମଲ୍ଟିସ୍ପେଶିଆଲ୍‌ଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍‌ଟିମେଟ୍ ମେଡିକେୟାର (ସମ୍ମମ୍‌)। ଏନ୍‌ଏବିଏଚ୍ ହେଉଛି କ୍ୱାଲିଟି କାଉନ୍‌ସିଲ୍ ଅଫ୍ ଇଣ୍ଡିଆର କ୍ଷମତାପ୍ରାପ୍ତ ବୋର୍ଡ ଯାହାକି ଭାରତର ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିଥାଏ।

ଏନ୍‌ଏବିଏଚ୍ ୫ମ ସଂସ୍କରଣରେ ସ୍ୱୀକୃତି ପାଇବା ନେଇ ସମ୍ମମ୍ ହେଉଛି ଭାରତର ପ୍ରଥମ ହସ୍ପିଟାଲ୍। ଏହାର ସଦ୍ୟତମ ସଂସ୍କରଣ ଗତ ଏପ୍ରିଲ୍ ୨୦୨୦ରେ ପ୍ରକାଶ ପାଇଥିଲା। ଏହାର ୫ମ ସଂସ୍କରଣକୁ ଗୋଟିଏ ବର୍ଷ ଶେଷ ହୋଇ ନଥିବା ଆହୁରି ସମୟ ଥିବା ବେଳେ ସଫଳତାର ସହ ସମ୍ମମ୍ ରେକର୍ଡ ସଂଖ୍ୟକ ୩୬୫ ଦିନ ସମୟସୀମା ମଧ୍ୟରେ ଏହି ସ୍ୱୀକୃତି ହାସଲ କରିପାରିଛି ବୋଲି ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର ଡଃ ଶ୍ୱେତପଦ୍ମା ଦାଶ।

କ୍ୟୁସିଆଇ ଓ ଏନ୍‌ଏବିଏଚ୍ ହସ୍ପିଟାଲ୍ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଅନୁଷ୍ଠାନଗୁଡ଼ିକ ନିମନ୍ତେ ପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ମାପଦଣ୍ଡ ପ୍ରସ୍ତୁତ କରିଥିବା ବେଳେ ଏନ୍‌ଏବିଏଚ୍ ମାନ୍ୟତା ନିମନ୍ତେ ୬୫୦ରୁ ଅଧିକ ନିୟମାବଳୀ ନିର୍ଦ୍ଧାରଣ କରିଛନ୍ତି। କୋଭିଡ କଟକଣା ଏବଂ ଅନ୍ୟାନ୍ୟ ସୀମାବଦ୍ଧତା ମଧ୍ୟରେ ଏନ୍‌ଏବିଏଚ୍‌ର ଏହି ମାପଦଣ୍ଡକୁ ପୂରଣ କରିବା ସମ୍
ପାଇଁ ଏକ ବଡ ଆହ୍ୱାନ ଥିଲା।

ତେବେ ଖୁବ୍ କମ୍ ସମୟ ମଧ୍ୟରେ ଆମେ ଏହା କରି ଦେଖାଇପାରିଛୁ ବୋଲି ଡଃ ଦାଶ କହିଛନ୍ତି। ହସ୍ପିଟାଲ୍‌ର କନ୍‌ସଲ୍‌ଟାଂଟ, ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କର ଇଚ୍ଛାଶକ୍ତି ଓ ଦୃଢ଼ ମନୋଭାବ ତଥା ହସ୍ପିଟାଲ୍ ଆରମ୍ଭ ହେବା ଦିନଠାରୁ ଉନ୍ନତମାନର ବ୍ୟବସ୍ଥା ପ୍ରଦାନ ଏବଂ ନିୟମ ପାଳନ କରାଯାଉଥିବାରୁ ସୀମିତ ସମୟ ସୀମା ମଧ୍ୟରେ ଏହା ସମ୍ଭବ ହୋଇପାରିଲା।

ଏହି ସମ୍ମାନଜନକ ଏନ୍‌ଏବିଏଚ ସ୍ୱୀକୃତି ପ୍ରଦାନ ଦ୍ୱାରା ସମ୍ମମ୍ ଦେଶର ବହୁ ପ୍ରତିଷ୍ଠିତ ହସ୍ପିଟାଲ୍ ମଧ୍ୟରେ ନିଜକୁ ସାମିଲ କରିପାରିଛି। ଉତ୍ତମ ଓ ସୁରକ୍ଷିତ ରୋଗୀ ସେବା ଓ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଆମେ ବଦ୍ଧପରିକର ବୋଲି ଡଃ ଦାଶ କହିଛନ୍ତି। ଏହି ସାର୍ଟିଫିକେଟ୍ ଆମ ଯାତ୍ରାର ଏକ ମାଇଲ୍‌ଖୁଂଟ ଭାବେ ଉଭା ହୋଇଛି ଏବଂ ଆମ ରୋଗୀମାନଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଦିଗରେ ଆମେ ଯେ ଉପଯୁକ୍ତ କାର୍ଯ୍ୟ କରୁଛୁ ତାହା ପ୍ରମାଣିତ ହୋଇଛି।

ଲୋକମାନଙ୍କ ଦ୍ୱାରା ହିଁ ବ୍ରାଣ୍ଡ ପ୍ରସ୍ତୁତ ହୋଇଥାଏ ଏବଂ ଆମେ ସେହି ଲୋକମାନଙ୍କୁ ନେଇ ଗର୍ବିତ ଯେଉଁମାନଙ୍କ ଦ୍ୱାରା ସମ୍ ଗଢ଼ିଉଠିଛି ବୋଲି ସେ କହିଛନ୍ତି। ସମ୍ ଅଲ୍ଟିମେଟ ମେଡିକେୟାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଅନ୍ୟ ଏକ ଉଦ୍ୟମ। ଏହା ଉନ୍ନତମାନର ରୋଗୀସେବା ସହ କ୍ଲିନିକାଲ୍ ଶିକ୍ଷା ଦାନ ଓ ଗବେଷଣାର ସୁଯୋଗ ସୃଷ୍ଟି କରିପାରିଛି। ସୋଆ ଓଡ଼ିଶାର ଶ୍ରେଷ୍ଠ ଡିମ୍‌ଡ ଟୁ ବି ୟୁନିଭର୍ସିଟି ଭାବେ ମଧ୍ୟ ପରିଗଣିତ ଅଟେ।

Categories
ଆଜିର ଖବର ରାଜ୍ୟ ଖବର

ଏଜି ଛକରୁ ରାଜମହଲ, ଆଇଡିବିଆଇ ଛକରୁ ବାଣୀବିହାର ପର୍ଯ୍ୟନ୍ତ ପାର୍କିଂ ଫି ଆଦାୟ କରିବେ କିନ୍ନର

ଭୁବନେଶ୍ୱର: ଭୁବନେଶ୍ୱରରେ କିନ୍ନର ଗ୍ରୁପ୍‌ଙ୍କୁ ପାର୍କିଂ ଲଟ୍ ଦେଇଛି ବିଏମସି। ଏହି ଉଦ୍ୟଶ୍ୟରେ ବୁଧବାର ପରିଚୟ ଗ୍ରୁପ୍‌କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଦେଇଛନ୍ତି ବିଏମ୍‌ସି କମିଶନର। ଏମାନଙ୍କୁ ଡ୍ରେସ୍‌, ଆଇ କାର୍ଡ,ଗାଡି ଇତ୍ୟାଦି ଯୋଗାଇ ଦିଆଯାଇଛି  ବର୍ତ୍ତମାନ ଏହି ଗ୍ରୁପ୍ ୧୦,୦୦୦ରୁ ୨୫,୦୦୦ ମଧ୍ୟରେ ଥିବା ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ ଏବଂ ଚିହ୍ନିତ ପାର୍କିଂ ଲଟ୍‌ର(ଏଜି ଛକରୁ ରାଜମହଲ ଏବଂ ଆଇଡି ବି ଆଇ ଛକରୁ ବାଣୀବିହାର) ଦାୟିତ୍ୱରେ ରହିବେ।

ଏହି ଅବସରରେ କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ୨ଟି କିନ୍ନର ଗୋଷ୍ଠୀ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛନ୍ତି। ପୂର୍ବରୁ କିନ୍ନର ମାନଙ୍କ ସ୍ୱିକୃତି ଗ୍ରୁପ୍ କୁ ରାଜମହଲ ଛକ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ପାର୍କିଂ ଲଟ୍ ଦିଆଯାଇଥିଲା। ଏହାର ସଫଳତାକୁ ଦେଖି ଆଜି ପରିଚୟ ଗ୍ରୁପ୍ କୁ ଆଉ ୨ ଟି ପାର୍କିଂ ଲଟ୍ ଦିଆଯାଇଛି।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବକେୟା ହୋଲ୍ଡିଂ ଟ୍ୟାକ୍ସ ଏବଂ ଟ୍ରେଡ୍ ଲାଇାସେନ୍ସ ଇତ୍ୟାଦି ଆଦାୟ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଭାବେ କିନ୍ନର ଗ୍ରୁପ୍ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ବିଗତ ବର୍ଷ ଏବଂ ଚଳିତ ବର୍ଷ ସ୍ୱୀକୃତି ଗ୍ରୁପ୍‌କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଚଳିତ ବର୍ଷ ଆଉଏକ କିନ୍ନର ଗ୍ରୁପ୍‌କୁ ଦାୟିତ୍ୱ ଦେଇ ବକେୟା ଆଦାୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଗତ ୨୫ ଫେବୃଆରୀରେ ବିଏମ୍ ସି ସହିତ ପରରିଚୟ କିନ୍ନର ଗ୍ରୁପ୍ ସହିତ ସହମତି ପତ୍ର ସ୍ୱାକ୍ଷରିତ ହୋଇଥିଲା। ବିଏମ୍‌ସି ପକ୍ଷରୁ ଡେପୁଟି କମିଶନର, ରେଭିନ୍ୟୁ- ଶ୍ରୀମନ୍ତ ମିଶ୍ର ସ୍ୱାକ୍ଷର କରିଥିବାବେଳେ ସଂପୃକ୍ତ କିନ୍ନର ଗୋଷ୍ଠୀଙ୍କ ତରଫରୁ ନିଲୁ ପ୍ରଧାନ ଏହି କାର୍ଯ୍ୟ ତୁଲାଇଛନ୍ତି।

ତେବେ ସେମାନଙ୍କର ପାରିଶ୍ରମିକ ଟ.୪୦ ଲକ୍ଷ ପର୍ଯ୍ୟନ୍ତ ୧%, ୪୦ଲକ୍ଷରୁ ରୁ ୬୦ଲକ୍ଷ ମଧ୍ୟରେ ୧.୫% ଏବଂ ୬୦ଲକ୍ଷରୁ ଉର୍ଦ୍ଧ ପାଇଁ ୨% ରହିବ। ନିୟମିତ ଯାଂଚ ସାଂଗକୁ ନଥି ପରିଚାଳନା ଏବଂ ଉପଯୁକ୍ତ ଆଚରଣକୁ ଗୁରୁତ୍ୱ ଦିଆଯାଇଛି।

Categories
ଆଜିର ଖବର ଆଞ୍ଚଳିକ

କର୍କଟ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହେଲା ସମାଜମଙ୍ଗଳ ହୁଣ୍ଡି

କୃଷ୍ଣଶରଣପୁର/ପଟିଆ: ସମାଜରେ ଅସହାୟ କର୍କଟ ପୀଡିତ/ପୀଡ଼ିତାମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା ସମାଜମଙ୍ଗଳ ହୁଣ୍ଡି ମୋହିତ ଫାଉଣ୍ଡେସନ ଭୁବନେଶ୍ୱର ଆନୁକୁଲ୍ୟରେ କୃଷ୍ଣଶରଣପୁର ମାର୍କେଟ କମ୍ପେ୍ଲକ୍ସ, ପଟିଆ, ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଛି।

ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ତଥା ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀକା ଲିପିକା ରାୟ, ଯୁବ ସମାଜସେବୀ ରଞ୍ଜନ କୁମାର ବେହେରା, ଦୀପକ କୁମାର ବାରିକ, ରୋହିତ କୁମାର ନାୟକ, ସମାଜସେବୀ ଭୁବନ ମୋହନ ଦାସ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୋହିତ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ମଲ୍ଲିକ, ଉପସଭାପତି ସୁରେନ୍ଦ୍ର ସାହୁ, ଅଗ୍ରଣୀ ସଭ୍ୟ ନିହାର ରଞ୍ଜନ ଦାଶ ଓ କୁନିଝିଅ ଶୁଭଶ୍ରୀ ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ମୋହିତ ଫାଉଣ୍ଡେସନର ଅଧ୍ୟକ୍ଷ ସୀମାଞ୍ଚଳ ପତ୍ରି ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ସମେତ ୧୦ ଟି ସହରରେ ଆରମ୍ଭ ହେବ ପେୟ ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ସମେତ ଦେଶର ୧୦ ଟି ସହରରେ ପେୟ (ପାନୀୟ) ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଆଜି ମନ୍ତ୍ରଣାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ରା ଆଜି ଏହି ମିଶନର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମିଶ୍ରା ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସହରାଞ୍ଚଳରେ ପାନୀୟ ଜଳର ଉପଯୁକ୍ତ ବିତରଣ ଓ ବର୍ଜ୍ୟଜଳର ପୁନଃଉପଯୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ତଥା ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ଜଳର ପରିମାଣ ଓ ଗୁଣବତ୍ତା ସମ୍ପର୍କରେ ଜାଣିବା ଲାଗି ଜଳ ଉତ୍ସଗୁଡ଼ିକର ମ୍ୟାପିଂ କରିବା ଉଦ୍ଦେଶ୍ୟରେ ଏହି ସର୍ବେକ୍ଷଣ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଦଶଟି ସହର-ଭୁବନେଶ୍ୱର, ଆଗରା, ବଦଲାପୁର, ଭୁବନେଶ୍ୱର, ଚୁରୁ, କୋଚ୍ଚି, ମଦୁରାଇ, ପଟିଆଲା, ରୋହତକ, ସୁରତ ଏବଂ ତୁମକୁରରେ ପାଇଲଟ୍ ପ୍ରକଳ୍ପ ସ୍ବରୂପ ଏହି ସର୍ବେକ୍ଷଣ ଆୟୋଜନ କରାଯିବ। ଏଥିରୁ ମିଳିବାକୁ ଥିବା ଅଭିଜ୍ଞତା ଆଧାରରେ ସମସ୍ତ ଅମୃତ ସହରରେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯିବ।

ନାଗରିକ ଏବଂ ପୌରପାଳିକା ଅଧିକାରୀଙ୍କ ସହିତ ସାମ୍ନାସାମ୍ନୀ ସାକ୍ଷାତକାର ମାଧ୍ୟମରେ ପାନୀୟ ଜଳ, ବର୍ଜ୍ୟ ଜଳ ପରିଚାଳନା, ଅଣ ରାଜସ୍ୱ ଜଳ ଏବଂ ସହରର ତିନୋଟି ଜଳାଶୟର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଏହି ସର୍ବେକ୍ଷଣ ମଞ୍ଜୁରିପ୍ରାପ୍ତ ପ୍ରଶ୍ନାବଳୀ ଏବଂ ଅନକଲ ସାକ୍ଷାତକାର, ଜଳନମୁନା ସଂଗ୍ରହ ଏବଂ ପରୀକ୍ଷାଗାର ପରୀକ୍ଷଣ ଆଧାର ଏବଂ ଅଣରାଜସ୍ୱ ଜଳ ପାଇଁ କ୍ଷେତ୍ର ସର୍ବେକ୍ଷଣ ଆଧାରରେ କରାଯିବ।

ପ୍ରଯୁକ୍ତି ଆଧାରିତ ପ୍ଲାଟଫର୍ମ ଜରିଆରେ ମିଶନକୁ ଅନୁଧ୍ୟାନ କରାଯିବ। ଏହି ପ୍ଲାଟଫର୍ମର ଅଗ୍ରଗତି ଏବଂ ଫଳାଫଳ ଆଧାରରେ ହିତାଧିକାରୀଙ୍କ ନିରୀକ୍ଷଣ କରାଯିବ। ଏହି ପ୍ରକଳ୍ପ ଲାଗି ସରକାରଙ୍କ ପକ୍ଷରୁ ତିନୋଟି ପର୍ଯ୍ୟାୟରେ ଅର୍ଥ ୨୦:୪୦:୪୦ ଯୋଗାଇ ଦିଆଯିବ। ତୃତୀୟ କିସ୍ତି କାର୍ଯ୍ୟକାରିତା ଫଳାଫଳ ଆଧାରରେ ଜାରି କରାଯିବ ଏବଂ ପାଣ୍ଠି ଯୋଗାଣ ବିଶ୍ୱସନୀୟ କାର୍ଯ୍ୟକାରିତା ଆଧାରରେ କରାଯିବ।

ଜଳ ଜୀବନ ମିଶନ (ସହରାଞ୍ଚଳ) (ଜେଜେଏମ(ୟୁ)) ସମସ୍ତ ୪୩୭୮ ବୈଧାନିକ ସହରରେ ଟ୍ୟାପ ଯୋଗେ ସାର୍ବଜନୀନ ଜଳଯୋଗାଣ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି। ଏହା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଅନୁକୂଳ। ଏହାର ଉଦ୍ଦେଶ୍ୟ ୫୦୦ ଅମୃତ ସହରରେ ସ୍ବେରେଜ ପରିଚାଳନା କରିବା ଯାହାଫଳରେ ଏସବୁ ସହରରେ ଜଳଯୋଗାଣକୁ ସୁରକ୍ଷିତ କରାଯାଇପାରିବ। ୫୦୦ ଅମୃତ ସହରରେ ସହରୀ ପରିବାରକୁ ନଳଯୋଗେ ପାନୀୟ ଜଳ ଉପଲବ୍ଧ କରାଇବାର ବ୍ୟବଧାନ ୨.୬୮ କୋଟି ରହିଛି ଏବଂ ସ୍ବେରେଜ ସଂଯୋଗ ଦେବାର ବ୍ୟବଧାନ ୨.୬ କୋଟି ରହିଛି। ଜଳ ଜୀବନ ମିଶନ (ସହରାଞ୍ଚଳ)ରେ ଏହି ବ୍ୟବଧାନକୁ ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଜଳଜୀବନ ମିଶନ ଅନ୍ତର୍ଗତ ମୋଟ ୨,୮୭,୦୦୦ କୋଟି ଟଙ୍କା ବ୍ୟୟ କରାଯିବା ଲାଗି ପ୍ରସ୍ତାବ ରହିଛି। ଏଥିରେ ଅମୃତ ମିଶନ ଜରିଆରେ ୧୦,୦୦୦ କୋଟି ଟଙ୍କାର ନିରନ୍ତର ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇଛି। ସରକାରୀ ଘରୋଇ ଭାଗିଦାରୀକୁ ପ୍ରୋତ୍ସାହନ ଦେବା ଲାଗି ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ମୋଟ ପ୍ରକଳ୍ପ ବ୍ୟୟର ୧୦ ପ୍ରତିଶତ ଅର୍ଥ ପର୍ଯ୍ୟନ୍ତ ପିପିପି ପ୍ରକଳ୍ପ ଆରମ୍ଭ କରାଯିବ।

ଉତ୍ତର ପୂର୍ବାଞ୍ଚଳ ଏବଂ ପାର୍ବତ୍ୟାଞ୍ଚଳ ରାଜ୍ୟ ପାଇଁ ୯୦% କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ। କେନ୍ଦ୍ରଶାସିତ ପ୍ରଦେଶ ପାଇଁ ୧୦୦%, ୧ ଲକ୍ଷରୁ କମ ଜନସଂଖ୍ୟା ଥିବା ସହରରେ ୫୦% କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ। ୧ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ସହର ପାଇଁ ଏକ ତୃତୀୟାଂଶ ଏବଂ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ପାଇଁ ୨୫ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଦୁଇ ଅଭଯୁକ୍ତ ଗିରଫ, ମିଳିଲା କଟା ମୁଣ୍ଡ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତ ଦେହ ମିଳିଥିଲା। ଏନେଇ ଚନ୍ଦକା ପୋଲିସ ତନାଘନା ଆରମ୍ଭ କରିଥିଲା। ତେବେ ଆଜି ଏହି ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି। ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଉଭୟଙ୍କୁ ଘଟଣାସ୍ଥଳକୁ ନେଇ କଟାମୁଣ୍ଡ ଖୋଜିବା ଆରମ୍ଭ କରିଥିଲା। ମୃତ ଦେହ ସ୍ଥାନରୁ ଦୁଇ କିଲୋମିଟର ଦୂରରେ ମୁଣ୍ଡର ଅବଶେଷ ମିଳିଥିଲା।

ଅଭିଯୁକ୍ତ ଦ୍ବୟଙ୍କ ମଧ୍ୟରୁ ଜଣେ ଡ୍ରାଇଭର ହୋଇଥିବା ବେଳେ ଆଉ ଜଣେ ତାଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ଏଥିସହିତ ମୃତ ମହିଳାଙ୍କର ପରିଚୟ ମଧ୍ୟ ମିଳିଛି। ହେଲେ ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ତେବେ ଏନେଇ କମିଶନରେଟ୍‌ ପୋଲିସ ପ୍ରେସମିଟ୍‌ ଜରିଆରେ ସମ୍ପୂର୍ଣ୍ଣ ତଥ୍ୟର ସୂଚନା ଦେବେ ବୋଲି କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଖୁସି ଖବର, ପାର୍ବଣ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଅବଧି ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ବଢିଲା, ଜାଣନ୍ତୁ ଟ୍ରେନ ଛାଡିବା ସମୟ

ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ନିମ୍ନ ୨୧ ଟି ଯୋଡ଼ା ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ୨୦୨୧ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧିକରିବାକୁ ନିଷ୍ପତ୍ତି ନିଆଯାଇଅଛି।

01. ଭୁବନେଶ୍ୱର ରୁ ପ୍ରତି ବୁଧବାର ଓ ରବିବାର ଦିନ ଏବଂ ଆନନ୍ଦ ବିହାର ରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଛାଡୁଥିବା ୦୨୮୧୯/୦୧୮୨୦ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱର ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଆନନ୍ଦ ବିହାର ରୁ ଏପ୍ରିଲ ଦୁଇ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ।

02. ଭୁବନେଶ୍ୱର ରୁ ପ୍ରତି ସୋମବାର ଓ ଗୁରୁବାର ଏବଂ ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ ରୁ ପ୍ରତି ବୁଧବାର ଓ ଶନିବାର ଦିନ ଛାଡୁଥିବା 02880/02879 ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱର ଠାରୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଓ ଏଲଟିଟି ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ।

03. 08479/08480 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ୍ ପ୍ରତ୍ୟେକ ଶନିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ରବିବାର ଦିନ ତିରୁପତିରୁ ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

04. 02839/02840 ଭୁବନେଶ୍ୱର-ଚେନ୍ନାଇ-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ଗୁରୁବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଚେନ୍ନାଇରୁ ମାର୍ଚ୍ଚ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।

05. 02845/02846 ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ମଙ୍ଗଳବାର ଦିନ ବାଙ୍ଗାଲୋର କ୍ୟାଣ୍ଟରୁ ମାର୍ଚ୍ଚ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

06. 02898/02897 ଭୁବନେଶ୍ୱର-ପୁଡୁଚେରୀ-ଭୁବନେଶ୍ୱର ସାପ୍ତାହିକ ପ୍ରତ୍ୟେକ ମଙ୍ଗଳବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ବୁଧବାର ଦିନ ପୁଡୁଚେରୀରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

07. 08496/08495 ଭୁବନେଶ୍ୱର-ରମେଶ୍ୱରମ୍-ଭୁବନେଶ୍ୱର ସାପ୍ତାହିକ ଶୁକ୍ରବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ରବିବାରରେ ରମେଶ୍ୱରାମରୁ ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

08. 08306/08305 ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ ସାମ୍ବଲପୁରରୁ ପ୍ରତ୍ୟେକ ଶୁକ୍ରବାର ଏବଂ ହାଓଡ଼ାରୁ ପ୍ରତ୍ୟେକ ଶନିବାର ଦିନ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

09. 08311/08312 ସମ୍ବଲପୁର-ମାଣ୍ଡୁଆଡିହ-ସମ୍ବଲପୁର ଦ୍ୱି-ସାପ୍ତାହିକ ସ୍ପେଶାଲ ପ୍ରତ୍ୟେକ ବୁଧବାର ଏବଂ ରବିବାର ଦିନ ସମ୍ବଲପୁରରୁ ଏବଂ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ମାଣ୍ଡୁଆଡିହରୁ ଏପ୍ରିଲ ମାସ ପହିଲା ପର୍ଯ୍ୟନ୍ତ ଚାଲିବ।

10. 08449/08450 ପୁରୀ-ପାଟନା-ପୁରୀ ସ୍ପେଶାଲ ପ୍ରତ୍ୟେକ ସୋମବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ବୁଧବାର ଦିନ ପାଟନା ଠାରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

11. 08419/08420 ପୁରୀ-ଜୟନଗର-ପୁରୀ ସ୍ପେଶାଲ ଗୁରୁବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ଶନିବାର ଦିନ ଜୟନଗରରୁ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

12. 02827/02828 ପୁରୀ-ସୁରଟ-ପୁରୀ ବିଶେଷ ଟ୍ରେନ ପ୍ରତ୍ୟେକ ରବିବାର ଦିନ ପୁରୀରୁ ଏବଂ ପ୍ରତି ମଙ୍ଗଳବାର ଦିନ ସୁରଟରୁ ମାର୍ଚ୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

13. 02866/02865 ପୁରୀ-ଲୋକମାନ୍ୟ ତିଲକ ଟର୍ମିନସ୍ (LTT) -ପୁରୀ ସାପ୍ତାହିକ ବିଶେଷ ଟ୍ରେନ ପ୍ରତ୍ୟେକ ମଙ୍ଗଳବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ଗୁରୁବାର ଦିନ ଏଲଟିଟି ରୁ ଏପ୍ରିଲ ମାସ ପହିଲା ପର୍ଯ୍ୟନ୍ତ ଚାଲିବ।

14. 02859/02860 ପୁରୀ-ଚେନ୍ନାଇ-ପୁରୀ ସ୍ପେଶାଲ୍ ରବିବାର ଦିନ ପୁରୀରୁ ଏବଂ ପ୍ରତି ସୋମବାର ଦିନ ଚେନ୍ନାଇରୁ ମାର୍ଚ୍ଚ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

15. 02851/02852 ବିଶାଖାପାଟନମ୍-ନିଜାମୁଦ୍ଦିନ-ବିଶାଖାପାଟନମ୍ ଦ୍ୱି-ସାପ୍ତାହିକ ସ୍ପେସାଲ୍ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଦିନ ବିଶାଖାପାଟନମ୍ ରୁ ଏବଂ ପ୍ରତ୍ୟେକ ବୁଧବାର ଏବଂ ରବିବାର ନିଜାମୁଦ୍ଦିନରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

16. ୦୨୮୮୭/୦୨୮୮୮ ବିଶାଖାପାଟନମ୍-ନିଜାମୁଦ୍ଦିନ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ରୁ ଜାନୁୟାରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ନିଜାମୁଦ୍ଦିନରୁ ଏପ୍ରିଲ ମାସ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

17. 02869/02870 ବିଶାଖାପାଟନମ୍-ଚେନ୍ନାଇ-ବିଶାଖାପାଟନମ୍ ସ୍ପେଶାଲ୍ ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଏବଂ ଚେନ୍ନାଇରୁ ପ୍ରତ୍ୟେକ ମଙ୍ଗଳବାର ଦିନ ମାର୍ଚ୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

18. 02857/02858 ବିଶାଖାପାଟନମ୍- LTT- ବିଶାଖାପାଟନମ୍ ସ୍ପେଶାଲ୍ ପ୍ରତି ରବିବାର ଦିନ ବିଶାଖାପାଟନମ୍ ଏବଂ ପ୍ରତ୍ୟେକ ମଙ୍ଗଳବାର ଦିନ LTT ରୁ ମାର୍ଚ୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

19. 08501/08502 ବିଶାଖାପାଟନମ୍-ଗାନ୍ଧୀଧାମ-ବିଶାଖାପାଟନମ୍ ପ୍ରତି ଗୁରୁବାର ଦିନ ବିଶାଖାପାଟନମ୍ ଏବଂ ଗାନ୍ଧୀଧାମ ଠାରୁ ପ୍ରତ୍ୟେକ ରବିବାର ଦିନ ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

20. 07488/07487 ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରୁ ଏବଂ 1 ଏପ୍ରିଲ, 2021 ପର୍ଯ୍ୟନ୍ତ କଡପା ଠାରୁ ଚାଲିବ।

21. ୦୧୮୩୨/02832 ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ସ୍ପେଶାଲ୍ 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରୁ ଏବଂ 1 ଏପ୍ରିଲ, 2021 ପର୍ଯ୍ୟନ୍ତ ଲିଙ୍ଗମପଲ୍ଲୀ ଠାରୁ ଚାଲିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୨୦୨୦ରେ ଦେଶର ଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହେଲେ ଅପରାଜିତା ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଶର ଶ୍ରେଷ୍ଠ ସାଂସଦ ଭାବେ ଘୋଷଣା କରାଯାଇଛି। ୨୦୨୦ ବର୍ଷର ଶ୍ରେଷ୍ଠ ସାଂସଦ ରୂପେ ଶ୍ରୀମତୀ ଷଡ଼ଙ୍ଗୀ ବିବେଚିତ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ଇଣ୍ଡିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ ଏକ ମିଳିତ ସର୍ଭେ କରାଯାଇଥିଲା। ଯେଉଁଥିରେ ଅପରାଜିତା ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି। ଏହା ସହିତ ଏ ବିଷୟରେ ଦୁଇ ଅନୁଷ୍ଠାନ ପକ୍ଷରୁ ବିଧିବଦ୍ଧ ଘୋଷଣା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ବିଜେପିରେ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଲାଗିଥିବା ଶୁଣିବାକୁ ମିଳୁଛି। ହେଲେ ଅପରାଜିତାଙ୍କୁ ଏଭଳି ସମ୍ମାନ ପରେ ପ୍ରଶଂସକ ମନରେ ଖୁସିର ଲହରୀ ଖେଳିଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟରେ ଆଉ ୧୯ଟି ଅଧିକା ଅଞ୍ଚଳକୁ ପରିବ୍ୟାପ୍ତ ହେଲା ଜିଓଫାଇବର ସେବା 

ଭୁବନେଶ୍ୱର: ଜୀବନଯାତ୍ରା କ୍ରମଶଃ ସ୍ୱାଭାବିକ ସ୍ଥିତିକୁ ଫେରୁଥିବାବେଳେ କ୍ଷୁଦ୍ର ବ୍ୟବସାୟ ସଂସ୍ଥା, ଶିକ୍ଷାନୂଷ୍ଠାନ, ବୃତ୍ତିଧାରୀଙ୍କୁ ନେଇ ଅନେକ କଥା ରହିଛି, ଯେଉଁମାନେ ଦେଶର ସବୁଠାରୁ ଲୋକପ୍ରିୟ ହାଇ-ସ୍ପିଡ୍‍ ବ୍ରଡବ୍ୟାଣ୍ଡ୍‍ ସେବା ପ୍ରଦାନକାରୀ ଜିଓଫାଇବର ଜରିଆରେ ଆଶାର କିରଣ ଦେଖିପାରିଛନ୍ତି। ଜିଓଫାଇବର ତାହାର ସେବା ଦ୍ୱୈତ ମହାନଗରୀ ଭୁବନେଶ୍ୱର ଓ କଟକରେ ପ୍ରମୁଖ ଅଞ୍ଚଳଗୁଡିକୁ ଦ୍ରୁତଗତିରେ ସମ୍ପ୍ରସାରିତ କରବା ସହିତ ଓଡ଼ିଶାର ୧୯ରୁ ଅଧିକ ସହର ଓ ନଗରାଂଚଳରେ ଏହାର ଉପସ୍ଥିତିକୁ ପରିବ୍ୟାପ୍ତ କରିଛି। ଏହା ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍‍ ଇଂଟରନେଟରେ ସଂଯୋଗ ପ୍ରଦାନକରି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ସହିତ ବିଶେଷକରି ଆଇଟି ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ କାଯ୍ୟରତ ଶହ ଶହ ସଂଖ୍ୟାରେ ପ୍ରଫେସନାଲମାନଙ୍କୁ ରାଜ୍ୟକୁ ଫେରିଆସିବା ପରେ ନିଜ ଘରେ ରହି କାର୍ଯ୍ୟ ଅବ୍ୟାହତ ରଖିବାରେ ସମର୍ଥ କରାଇଛି।

ଜିଓଫାଇବର ଓଡ଼ିଶାରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସହର ଓ ନଗରଗୁଡିକରେ ନିଜର ସେବାର ଦ୍ରୁତ ସଂପ୍ରସାରଣ ଜାରି ରଖିବା ସହିତ ସଂପ୍ରତି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ବ୍ରଜରାଜନଗର, ଝାରସୁଗୁଡା, ସୁନ୍ଦରଗଡ, ଭବାନୀପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, କେନ୍ଦୁଝର, ଅନୁଗୁଳ, ପୁରୀ, ଭଦ୍ରକ ଏବଂ ଜଟଣି ଆଦି ୧୯ଟି ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହେଉଛି। ଏହି ସେବା ଆଗାମୀ କିଛି ସପ୍ତାହ ମଧ୍ୟରେ ତାଳଚେର, ବ୍ରହ୍ମପୁର, ଜୟପୁର ଏବଂ ବାଲେଶ୍ୱରରେ ଆରମ୍ଭ ହେବାକୁ ଯାଉଥିବା ଜଣାପଡିଛି।

ଅନ୍‍ଲାଇନ ଶିକ୍ଷା ଏବଂ ୱାର୍କ ଫ୍ରମ ହୋମ୍‍ (ଘରେ ଥାଇ ଅଫିସ କାର୍ଯ୍ୟ କରିବା) ନିମନ୍ତେ ନିରନ୍ତର ହାଇ-ସ୍ପିଡ୍‍ ଇଂଟରନେଟର ଆବଶ୍ୟକତା ରହିଥିବାବେଳେ ଜିଓଫାଇବର ସେବା କାର୍ଯ୍ୟରତ ପ୍ରଫେସନାଲ, ଛାତ୍ରଛାତ୍ରୀ, ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟଗୁଡିକ ସମେତ ସମାଜର ସମସ୍ତ ବର୍ଗର ବ୍ୟବହାରକାରୀଙ୍କ ପାଇଁ ଏକ ଆନନ୍ଦଦାୟକ ଅନୁଭୂତି ଆଣିଦେଇଛି। ରାଜଧାନୀ ଭୁବନେଶ୍ୱର ଏବଂ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରାଂଚଳରେ ଥିବା ବହୁ କ୍ଷୁଦ୍ର ଉଦ୍ୟୋଗ ଏବଂ ଶିକ୍ଷା ପ୍ରତିଷ୍ଠାନ ସେମାନଙ୍କର ବ୍ୟବସାୟିକ ଏବଂ ବୃତ୍ତିଗତ ଆବଶ୍ୟକତା ଅନୁଯାୟୀ ଅନାୟାସରେ ଡିଜିଟାଲ ପଦ୍ଧତିକୁ ରୂପାନ୍ତରିତ ହୋଇଛନ୍ତି।

ଭୁବନେଶ୍ୱରର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲର ଜଣେ ଶିକ୍ଷକ ଜିଓଫାଇବର ଦ୍ୱାରା ଯୋଗାଇ ଦିଆଯାଉଥିବା ସ୍ଥିର ହାଇସ୍ପିଡ ଇଂଟରନେଟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। କାରଣ ଏହାଦ୍ୱାରା ସେ ପ୍ରତିଦିନ କ୍ଲାସ ନେଇପାରୁଛନ୍ତି ଏବଂ ସଫଳତାର ସହିତ ଗତ ନଭେମ୍ବର ମାସରେ ଛାତ୍ରଛାତ୍ରୀଙ୍କର ଅନ୍‍ଲାଇନ ପରୀକ୍ଷା ମଧ୍ୟ ପରିଚାଳନା କରିପାରିଛନ୍ତି। ସ୍ଥାନୀୟ ଏକ ଆଇଟି କମ୍ପାନୀର ଜଣେ ବରିଷ୍ଠ ଏକ୍‍ଜିକ୍ୟୁଟିଭ ମଧ୍ୟ ସେହି ସମାନ ମତ ପୋଷଣ କରିଛନ୍ତି, କାରଣ ତାଙ୍କର ଟିମ୍‍ ମହାମାରୀ ସମୟରେ ଘରେ ରହି କାର୍ଯ୍ୟ ଜାରି ରଖିବା ସହିତ ସେମାନଙ୍କ ଗ୍ରାହକମାନଙ୍କୁ ନିରନ୍ତର ସେବା ଯୋଗାଇ ପାରିଛନ୍ତି। ତ୍ୱରିତ ବେଗରେ ଡିଜିଟାଲ ଦେଣନେଣ ଏବଂ ସେବା ଯୋଗାଣକୁ ରୂପାନ୍ତରିତ ହୋଇଥିବା କିଛି କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ ଏବଂ ଉଦ୍ୟୋଗ ପାଇଁ ଜିଓଫାଇବର ନିଜର ସ୍ଥିର ହାଇ-ସ୍ପିଡ୍‍ ବ୍ରଡବ୍ୟାଣ୍ଡ୍‍ ଏବଂ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅତ୍ୟନ୍ତ ସୁଲଭ ମୂଲ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରିଛି ବୋଲି ଭୁବନେଶ୍ୱର ଶହୀଦନଗର ଅଂଚଳର ଜଣେ କ୍ଷୁଦ୍ର ବ୍ୟବସାୟୀ ପ୍ରକାଶ କରିଛନ୍ତି।

ଜିଓଫାଇବର ସେବା ଭୁବନେଶ୍ୱର ଓ କଟକର ପ୍ରମୁଖ ଅଂଚଳକୁ ସମ୍ପ୍ରସାରିତ:

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓଫାଇବର ଭୁବନେଶ୍ୱର ମହାନଗରରେ ତାହାର ସେବାକୁ ଅଧିକ ସମ୍ପ୍ରସାରିତ କରି ସତ୍ୟନଗର, ଖାରବେଳନଗର, ୟୁନିଟ-୩, ଶହୀଦନଗର, ମାଷ୍ଟର କ୍ୟାଣ୍ଟିନ ଅଂଚଳ, ୟୁନିଟ-୯, ଭୋଇନଗର, ୟୁନିଟ୬, ସୂର୍ଯ୍ୟନଗର, ଗଙ୍ଗନଗର, ବିଜେବି ନଗର, ବ୍ରହ୍ମେଶ୍ୱର ପାଟଣା, ରତ୍ନାକର ବାଗ୍‍, ଗ୍ୟାରେଜ ଛକ, ବିଷ୍ଣୁ ନଗର, ଜୟଦେବ ବିହାର, ଆଇଆରସି ଭିଲେଜ, ନୟାପଲ୍ଲୀ, ନୟାପଲ୍ଲୀ ବ୍ରିଟ୍‍ କଲୋନି, ବେହେରା ସାହି, ଜଗନ୍ନାଥ ବିହାର, ବରମୁଣ୍ଡା ହାଉସିଂ ବୋର୍ଡ କଲୋନି, ବରମୁଣ୍ଡା ବସଷ୍ଟାଣ୍ଡ ଅଂଚଳ, ଖଣ୍ଡଗିରି, ଆଇଗିଣିଆ, ଡୁମଡୁମା, କସ୍‍ମୋପଲିସ, ଡିଏନ୍‍ ଅକ୍ସି ପାର୍କ, ପଂଚସଖା ନଗର, ସତ୍ୟସାଇ ଏନ୍‍କ୍ଳେଭ, ଏଏମଆରଆଇ ହସପିଟାଲ ଅଂଚଳ, ଭକ୍ତମଧୁ ନଗର, ଗଣେଶ ନଗର, ଅନନ୍ତ ବିହାର ଫେଜ ୩ ଆଦି ସ୍ଥାନରେ ଉପଲବ୍ଧ କରାଉଛି। ସହରର ଚନ୍ଦ୍ରଶେଖରପୁର ଅଂଚଳରେ ଜିଓଫାଇବର ସେବା ମୈତ୍ରୀବିହାର, ଏଲଆଇସି କଲୋନି, ବିଡିଏ କଲୋନି, ନିଳାଦ୍ରିବିହାର, ଲୁମ୍ବିନି ବିହାର, ଡିଷ୍ଟ୍ରିକ୍ଟ ସେଂଟର, ବିଷ୍ଣୁ ନଗର, ପ୍ରଶାନ୍ତି ବିହାର, ଆର୍ଯ୍ୟ ପଲ୍ଲି, ଶିଖରଚଣ୍ଡି ବିହାର, ସମ୍ପର୍କ ବିହାର, ପ୍ରେସ ଛକ, ନିୟୁ ଗଭର୍ଣ୍ଣମେଣ୍ଟ କଲୋନି, ଶ୍ରୀ ବିହାର, କାନନ ବିହାର, ସାଇ ବିହାର, ତୁଳସୀ ବିହାର, ଶୈଳଶ୍ରୀ ବିହାର ଫେଜ-୭, ରଙ୍ଗେଶ୍ୱର ନଗର, କୋ-ଅପରେଟିଭ କଲୋନି, କନକଦୁର୍ଗା ନଗର, ପଦ୍ମାବତୀ ବିହାର ଆଦି ଅଂଚଳର ଉପଲବ୍ଧ ହେଉଛି। ଆଗାମୀ କିଛିମାସ ମଧ୍ୟରେ ସମଗ୍ର ସହରରେ ଉପଲବ୍ଧ ହେବା ଦିଗରେ ଦ୍ରୁତ ସମ୍ପ୍ରସାରିତ ହେଉଛି।

ଅନୁରୂପ ଭାବେ କଟକରେ ଜିଓଫାଇବର ସେବା ସଂପ୍ରତି ସିଡିଏ ସେକ୍ଟର ୬, ସେକ୍ଟର ୭, ସେକ୍ଟର ୮, ସେକ୍ଟର ୯, ଦରଘା ବଜାର, ରାଉସାପାଟଣା, ମେରିଆ ବଜାର, ସାମନ୍ତ ସାହି, ନିମଚଉଡି, ବାଲିପାଟଣା, କାଫଲା, ଜୋବ୍ରା, ସେଲ୍‍ଟର କଲୋନି, ବିଡାନାସି, ଚହଟା, ମହାନଦୀ ବିହାର, ଗଣ୍ଡରପୁର, ଅପର୍ଣ୍ଣା ନଗର, ଅପାଣିଆ, ଆନନ୍ଦ ବିହର ଏବଂ ନିଳାଦ୍ରି ବିହାର ଆଦି ସ୍ଥାନରେ ଉପଲବ୍ଧ ହେବା ସହିତ ରୌପ୍ୟ ନଗରୀର ଅନ୍ୟାନ୍ୟ ସ୍ଥାନକୁ ସମ୍ପ୍ରସାରଣ ଜାରି ରଖିଛିି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଏୟାରପୋର୍ଟରୁ ଗିରଫ ହେଲେ ୨ କ୍ରିକେଟ୍ ବୁକି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କ୍ରିକେଟ୍ ବେଟିଂର ବେତାଜ ବାଦ୍‌ଶାହା କୁହାଯାଉଥିବା ଲାଲା ଆଚାରୀ ଗିରଫ ହେବା ପରେ କ୍ରିକେଟ୍ ବୁକିମାନଙ୍କ ମଧ୍ୟରେ ଛନକା ପଶିବା ସହ ସେମାନଙ୍କୁ ଧରିବା ପାଇଁ ପୋଲିସ୍ ସେବେଠାରୁ ଜାଲ ବିଛାଇ ଥିଲା। ଏହି କ୍ରମରେ ଅନ୍ୟ ଜଣେ ଆଇପିଏଲ୍ ବୁକି ବିଶାଲ ଅଗ୍ରୱାଲ୍‌କୁ ପୋଲିସ୍ ଭୁବନେଶ୍ୱର ଏୟାରପୋର୍ଟରୁ ଗିରଫ କରିଛି। କିଛିଦିନ ହେଲା ପୋଲିସ୍ ବିଶାଲକୁ ଖୋଜୁଥିବାବେଳେ ଆଜି ସେ ଭୁବନେଶ୍ୱରରୁ ହାଇଦ୍ରାବାଦ୍ ପଳାଇ ଯାଉଥିବା ସମୟରେ ଧରିଥିଲେ।

ଏନେଇ ଗୋଷାଣିନୂଆଗଁ ଥାନାରେ ୧୪୧/୨୯.୧୦.୨୦୨୦ ୟୁ/ଏସ୍ ୨୯୪ଏ/୪୨୦/୧୨୦ବି/୩୪ଆଇପିସି ଆର୍‌/ଡ଼ବ୍ଲ୍ୟୁ ସେକ୍ସନ୍ ୪/୫ ବେନିଂ ଆକ୍ଟରେ ଗୋଟିଏ ଟିମ୍ ଭୁବନେଶ୍ୱରରୁ ଆଣିବା ପାଇଁ ଯାଇଛନ୍ତି। ଏହାସହ ବିଶାଲ୍‌କୁ ପଚରାଉଚରା ପରେ ଅନ୍ୟ ଅଭିଯୁକ୍ତ ଅଜିତ କୁମାର ବରାଡ଼ ଓରଫ୍ ବାଦଲକୁ ପୋଲିସ୍ ଗୋପାଳପୁର ଜଙ୍କସନ ନିକଟକୁ ଗିରଫ କରିଛି। ସେ ମଧ୍ୟ ଏକ ମାରୁତି ବିଜ୍ରା (ଓଡ଼ି ୦୭ ଏଇ ୨୪୪୨)ରେ ହାଇଦ୍ରାବାଦ୍ ଚାଲିଯିବାକୁ ବସିଥିବାବେଳେ ପୋଲିସ୍ ଧରିଥିଲା। ଏହାସହ ତା ନିକଟରୁ ୧ ଲକ୍ଷ ୯୫ହଜାର ୫୦୦ ଟଙ୍କା, ୭ଟି ମୋବାଇଲ୍ ଫୋନ୍‌, କାର୍‌, ଏଟିଏମ୍ କାର୍ଡ଼, ଆଇ କାର୍ଡ଼କୁ ମଧ୍ୟ ପୋଲିସ୍ ଜବତ କରିଛି।

ଏହି ଦୁଇଜଣକୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା କ୍ରିକେଟ୍ ବେଟିଂ ଅଭିଯୋଗରେ ପୋଲିସ୍ ୪ ଜଣ ଅଭିଯୁକ୍ତକ୍ତୁ ଗିରଫ କରିସାରିଲାଣି। ବର୍ତ୍ତମାନ ଛୋଟ ମୋଟ ବୁକିମାନେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବାବେଳେ ସେମାନଙ୍କୁ ମଧ୍ୟ ଧରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀ ଭୁବନେଶ୍ୱରରୁ ଆଜି ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ୨୨୮ ଜଣ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୬୩ ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

ସେହିପରି ଆଜି ରାଜଧାନୀରୁ ୨୨୮ ଜଣ ସୁସ୍ଥ ହୋଇଛନ୍ତି। ନୂତନ ଚିହ୍ନଟ ୯୧ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିଙ୍କ ସଂଖ୍ୟା ୨୮ ହଜାର ୬୯୪ ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୨୬ ହଜାର ୩୭୭ ଜଣ। ସେହିପରି ୧୫୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ୨ ହଜାର ୧୪୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ ବୋଲାଉଥିବା ୬ ଜଣ ବ୍ୟକ୍ତିଙ୍କୁ ଚାନ୍ଦା ଆଦାୟ ଅଭିଯୋଗରେ ଗିରଫ କଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ଚାନ୍ଦା ଆଦାୟ କରିବା ଅଭିଯୋଗରେ ୬ ଜଣଙ୍କୁ କମିଶନରେଟ୍ ପୋଲିସ୍ ଗିରିଫ କରିଛି। ସେହି ୬ ଜଣଙ୍କ ମଧ୍ୟରୁ ୫ ଜଣ ବିଭିନ୍ନ ୱେବ ଚାନେଲ୍ ପ୍ରତିନିଧି କହୁଥିବା ବ୍ୟକ୍ତି ବୋଲି ସୂଚନା ରହିଛି। ଖବର ପ୍ରସାରଣ କରିଦେବାର ଧମକ ଦେଇ ଖଣ୍ଡଗିରି ସ୍ଥିତ ଏକ ଘିଅ କମ୍ପାନୀର ମାଲିକଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଚାନ୍ଦ ନେଇଥିବାର ଅଭିଯୋଗ ହୋଇଛି।

ଘିଅ କମ୍ପାନୀ ମାଲିକଙ୍କର ଅଭିଯୋଗ ଅନୁଯାୟୀ, ୱେବଚାନେଲ୍ ପ୍ରତିନିଧି ବୋଲାଉଥିବା ବ୍ୟକ୍ତିମାନେ ତାଙ୍କ ବିରୋଧରେ ଖବର ପ୍ରସାରଣ କରିବା ନେଇ ଧମକ ଦେଇ ଆସୁଥିଲେ। ଏବଂ ସେଥିପାଇଁ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିଲେ। କିନ୍ତୁ ତାଙ୍କ ଠାରୁ ଆହୁରି କିଛି ଚାନ୍ଦ ଅସୁଲ କରିବା ପାଇଁ ଚାପ ପ୍ରୟୋଗ କରୁଥିଲେ। ସେଥିରେ ବ୍ୟତିବ୍ୟସ୍ତ ହୋଇ ଘିଅ କମ୍ପାନୀ ମାଲିକ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ୍ ଭୁବନେଶ୍ୱରରୁ ୫ ଜଣ ୱେବଚାନେଲ୍ ପ୍ରତିନିଧି ବୋଲାଉଥିବା ବ୍ୟକ୍ତି ଓ ଜଣେ ଡ୍ରାଇଭରକୁ ଗିରଫ୍ କରିଛି। ପୋଲିସ୍ ସେମାନଙ୍କ ଠାରୁ ଗାଡି, ନଗଦ ଟଙ୍କା, ମୋବାଇଲ ଜବତ କରିଛି। ଏହାପରେ ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ଏନେଇ ଆହୁରି ତଦନ୍ତ ଜାରି ରହିଛି ଏବଂ ଅଣ-ପଞ୍ଜିକୃତ ୱେବ୍ ଚ୍ୟାନେଲମାନଙ୍କର ଏକ ଡାଟା ପ୍ରସ୍ତୁତ କରାଯିବ ସହ ୧୫ ଜଣ ଦଲାଲଙ୍କୁ  ତାଲିକା ଭୁକ୍ତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ନିର୍ବାଚନରେ ଆମେ କ୍ଷମତାକୁ ଆସିବୁ: ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ.ଚେଲ୍ଲା କୁମାର

ଭୁବନେଶ୍ୱର: ଆଜି ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ.ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସିଛନ୍ତି। ଏ.ଚେଲ୍ଲାଙ୍କ ଏହି ଗସ୍ତରେ କଂଗ୍ରେସ କର୍ମୀମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ନୂଆ ରାଜ୍ୟ ପ୍ରଭାରୀ ଏ.ଚେଲ୍ଲା କୁମାର ଆସନ୍ତା ସାଧାରଣ ନିର୍ବାଚନରେ ଆମେ କ୍ଷମତାକୁ ଆସିବୁ ବୋଲି କହିଥିଲେ। ସେ କଂଗ୍ରେସ ଭବନ ଠାରେ ପହଞ୍ଚି କହିଥିଲେ ଯେ, ଆସନ୍ତା ଉପନିର୍ବାଚନ ପାଇଁ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। ଦଳରେ ଦକ୍ଷ ନେତାଙ୍କ ଅଭାବ ନାହିଁ। ଭୋଟରଙ୍କ ପାଖରେ ପହଞ୍ଚି କଂଗ୍ରେସର ଭଲ କାମ ବିଷୟରେ ଅବଗତ କରାଇବୁ ବୋଲି ଏ.ଚେଲ୍ଲା କୁମାର ତାଙ୍କ ମନ୍ତବ୍ୟରେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ ମେଡିକେୟାରରେ ସଫଳତାର ସହ ହେଲା ଦୁଇ କିଡ୍‌ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛି ସମ୍ ଅଲ୍ଟିମେଟ୍ ମେଡିକେୟାର। ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍‌ରେ ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି।

ଉଭୟ ରୋଗୀ ଜଟିଳ କିଡ୍‌ନୀ ରୋଗର ପଂଚମ ସ୍ତରରେ ଥିବାରୁ ସେମାନଙ୍କର ସପ୍ତାହକୁ ୩ ଥର ହେମୋଡାଏଲେସିସ୍ କରାଯାଉଥିଲା। ସମସ୍ତ କୋଭିଡ-୧୯ ସଂକ୍ରାନ୍ତିୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଏହି ଲାଇଭ୍ ଡୋନୋର ପ୍ରତ୍ୟାରୋପଣ କରାଯାଇଛି।
ଉଭୟ ଡୋନର ଏବଂ ରୋଗୀ ପ୍ରତ୍ୟାରୋପଣ ହେବାର ୧୦ ଦିନ ମଧ୍ୟରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ସର୍ଜରୀ ପରେ ସେମାନେ ସୁସ୍ଥ ହେବାରେ ଲାଗିଛନ୍ତି।

ସିନିୟର ୟୁରୋଲୋଜିଷ୍ଟ ଓ କିଡ୍‌ନୀ ପ୍ରତ୍ୟାରୋପଣ ସର୍ଜନ୍ ଡଃ ବିଶ୍ୱଜିତ୍ ନନ୍ଦ, ନେଫ୍ରୋଲୋଜିଷ୍ଟ ଡଃ ତାପସ କୁମାର ବେହେରା, ଡଃ ବିଶ୍ୱରଞ୍ଜନ ମହାନ୍ତି, ଆନେସ୍ଥେସିଓଲୋଜିଷ୍ଟ ଡଃ ସୁରୁପା ଦେବୀପ୍ରଦା ଏବଂ ଡଃ ଦୀପଙ୍କର ପଢ଼ିହାରୀ ଏହି ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ଟିମ୍‌ରେ ସାମିଲ୍ ଥିଲେ ଏବଂ ସଫଳତାର ସହ କିଡ୍‌ନୀ ପ୍ରତ୍ୟାରୋପଣ କରିଥିଲେ। ଏହି ଟିମ୍‌କୁ ନର୍ସିଂ ଏବଂ କିଡ୍‌ନୀ ପ୍ରତ୍ୟାରୋପଣ ସଂଯୋଜକ ସମସ୍ତ ସହଯୋଗ କରିଥିଲେ।

ସମ୍ ହେଉଛି ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଯାହାକି ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ସ୍ୱତନ୍ତ୍ର ମୋଡୁଲାର୍ ଅପରେସନ୍ ଥିଏଟର୍ ପ୍ରସ୍ତୃତ କରିଛନ୍ତି। ଆନ୍ତର୍ଜାତୀକ ନିୟମ ଏବଂ ସୁଲଭ ମୂଲ୍ୟରେ ପ୍ରତ୍ୟାରୋପଣ କାର୍ଯ୍ୟ ଏବଂ ଉନ୍ନତ ଧରଣର ରୋଗୀ ସେବା ଯୋଗାଇଦେବା ସମ୍‌ ର ଲକ୍ଷ୍ୟ।

ସମ୍‌ରେ ପ୍ରତ୍ୟାରୋପଣ ଅପରେସନ୍ ଥିଏଟର୍ ଏବଂ ଆଇସିୟୁ ପରସ୍ପରର ଅତି ନିକଟରେ ରହିଛି ଯାହା ଦ୍ୱାରା କି ପ୍ରତ୍ୟାରୋପଣ ୟୁନିଟ୍‌କୁ ଏକ ସମ୍ପୂର୍ଣ୍ଣ ଓ ସ୍ୱତନ୍ତ୍ର ଜୋନ୍‌ରେ ପରିଣତ କରାଯାଇପାରିଛି।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ଖର୍ଚ୍ଚ ହେବ 12 କୋଟି ଟଙ୍କା: କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ

ନୂଆଦିଲ୍ଲୀ, ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଉନ୍ନୟନ କାର୍ଯ୍ୟ କରାଯିବ। ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ 8ଟି ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କରାଯିବ ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଅନ୍ତର୍ଭୁକ୍ତ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସମେତ 8ଟି ଏଭଳି କେନ୍ଦ୍ରକୁ ବଛାଯାଇଛି । ଏହାଛଡା ମିଜୋରାମ, ତେଲଙ୍ଗାନା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଓ କେରଳରେ ଏଭଳି ଗୋଟିଏ ଗୋଟିଏ କେନ୍ଦ୍ର ବିକଶିତ କରାଯିବ।

ଖେଲୋ ଇଣ୍ଡିଆ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଏକ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ଏହା ମାଧ୍ୟମରେ ପ୍ରତିଭା ଚିହ୍ନଟ ଓ ତାହାର ବିକାଶ କାର୍ଯ୍ୟକ୍ରମ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ 12.02 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ 4 ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତୀ ଶ୍ରୀ କିରେନ୍‌ ରିଜିଜୁ କହିଛନ୍ତି ।

ଏହି ଷ୍ଟାଡିୟମର ବିକାଶ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ସେଥିରେ ଭିତ୍ତିଭୂମି ଉନ୍ନୟନ, କ୍ରୀଡା ବିଜ୍ଞାନ କେନ୍ଦ୍ର ସ୍ଥାପନ, ଉତ୍କୃଷ୍ଟମାନର ପ୍ରଶିକ୍ଷକ ନିଯୁକ୍ତି, କ୍ରୀଡ଼ା ବିଜ୍ଞାନ ମାନବ ସମ୍ବଳ ବା ଫିଜିଓଥେରାପିଷ୍ଟ ତଥା ସାମର୍ଥ୍ୟ ଓ ବ୍ୟବସ୍ଥା ବିଶେଷଜ୍ଞ  ଆଦି ଏଥିରେ ଅନ୍ତର୍ଭୁକ୍ତ। ଏହି ବିକାଶ ଯୋଜନାରେ କ୍ରୀଡାବିତ୍‌ମାନଙ୍କୁ ଉଚ୍ଚମାନର ଉପକରଣ ଯୋଗାଇ ଦିଆଯିବ ଏବଂ ଏକାଡେମୀରେ ହାଇପରଫର୍ମାନ୍ସ ମ୍ୟାନେଜରମାନଙ୍କ ଜରିଆରେ କ୍ରୀଡା ବିଜ୍ଞାନ ଏବଂ ପ୍ରଦର୍ଶନ ପରିଚାଳନା କ୍ଷେତ୍ରରେ ଉତ୍ତମମାନ ନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପ୍ରାଦେଶିକ ସହଯୋଗରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା କ୍ରୀଡା ଭିତ୍ତିଭୂମିର ବିକାଶ କାର୍ଯ୍ୟ ଅଂଶୀଦାରୀଭିତ୍ତିରେ କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଉଛି। ମୋଟାମୋଟିଭାବେ ଏହି ଯୋଜନାର ଲକ୍ଷ୍ୟ ହେଲା ସମଗ୍ର ଦେଶରେ ଏକ ଦୃଢ ଓ ବ୍ୟବସ୍ଥିତ କ୍ରୀଡା ଭିତ୍ତିଭୂମି ସୃଷ୍ଟି କରିବା।

ପ୍ରତ୍ୟେକ କ୍ରୀଡା ଉତ୍କର୍ଷ କେନ୍ଦ୍ରରେ ଅଲିମ୍ପିକ୍‌ ଖେଳକୁଦକୁ ପ୍ରୋତ୍ସାହତ କରାଯିବ । ପ୍ରତ୍ୟେକ ରାଜ୍ୟ ଉତ୍କର୍ଷ କେନ୍ଦ୍ରରେ ସର୍ବାଧିକ 3 ପ୍ରକାର ଏଭଳି ଖେଳକୁ ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସମଗ୍ର ଦେଶରେ ଏହି ଉକ୍ରର୍ଷ କେନ୍ଦ୍ର ମାଧ୍ୟମରେ 14ଟି ଅଲିମ୍ପିକ୍‌ କ୍ରୀଡା ପାଇଁ ଅଭ୍ୟାସ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।

କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି ଯେ ଦେଶରେ ଏକ ଦୃଢ ଭିତ୍ତିଭୂମି ସ୍ଥାପନ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଅଲିମ୍ପିକ୍‌ ପଦକ ଜିତିବା ଭଳି କ୍ରୀଡାବିତ୍‌ ସୃଷ୍ଟି କରିବା ଏହାର ଲକ୍ଷ୍ୟ।  କ୍ରୀଡାବିତ୍‌ଙ୍କ ଅଭ୍ୟାସ ପାଇଁ ଏସବୁ କେନ୍ଦ୍ରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରାଯିବ ଏବଂ ଅଭ୍ୟାସ ପାଇଁ କ୍ରୀଡାବିତ୍‌ଙ୍କୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

2028ରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍‌ କ୍ରୀଡାରେ ଭାରତ ଯେପରି ପଦକ ତାଲିକାରେ ଶ୍ରେଷ୍ଠ 10ଟି ଦେଶ ମଧ୍ୟରେ ରହେ ସେହି ଲକ୍ଷ୍ୟ ରଖି ଏହି ଉଦ୍ୟମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।