ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୧ର ଆୟୋଜନ ଆଜି ମହାମାରୀ ଆଇନ ଓ ନୀତିନିୟମ ଅନୁଶାସନ ଭିତରେ ପାଳନ କରାଯିବା ପାଇଁ ପ୍ରଶାସନ ଯେତେ ପ୍ରକାର କଠୋର ହେଲେ ମଧ୍ୟ ସାଂପ୍ରତିକ ସମୟରେ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କ ସମାଗମ ସୀମିତ ରହିବା ନିହାତି ଜୁରରୀ।
ମାଆ ଠାକୁରାଣୀ ସାଆନ୍ତାଣୀ ତାଙ୍କ ବାପଘରକୁ ଆସିବା ପାଇଁ ବିଧି ରହିଛି। ତେଣୁ ଦେଶୀବେହେରା ସାହିରେ ମାଆଙ୍କ ଅସ୍ଥାୟୀ ପୂଜା ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼ ହୁଏ। ଅତି ନିଷ୍ଠା ଓ ସମର୍ପଣ ଭାବଦେଇ ପୂଜାର୍ଚ୍ଚନା ପରମ୍ପରାକୁ ମହାମାରୀ ଅଟକାଇ ଦେଇପାରିନାହିଁ। ଏଣୁ ଜିଲ୍ଲା ପ୍ରଶାସନ ଚାପରେ ରହିଲେ ମଧ୍ୟ ମାଆ ଆସିବେ ଅସ୍ଥାୟୀ ମଣ୍ଡପକୁ; ପ୍ରାୟତଃ ପ୍ରସ୍ତୁତି ଚୂଡ଼ାନ୍ତ। ଏଭଳି ପରିସ୍ଥିତିରେ ଦୈନିକ ରାଜ୍ୟର ମହାମାରୀ ସମ୍ବନ୍ଧରେ ଆସୁଥିବା ସାଂଘାତିକ ଖବର ଚିନ୍ତା ମଧ୍ୟ ବଢ଼ାଇ ଚାଲିଛି।
ନୀତିନିୟମ ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରା ସମାନ ମା’ ସାଆନ୍ତାଣୀଙ୍କ ପୂଜାର୍ଚ୍ଚନା କେବଳ ମଣ୍ଡପରେ କରାଯାଇ ସାଧାରଣ ଭକ୍ତ ଦର୍ଶନକୁ ପୁନଃବିଚାର କରିବା ପାଇଁ ବୋଧହୁଏ ସମୟ ବାଧ୍ୟ କରିବ। ମା’ଙ୍କ ଯାତ୍ରା ଆସନ୍ତା ଏପ୍ରିଲ୍ ୯ ତାରିଖ ଦିନ ପାଳନ ହୋଇ ଏକ ସପ୍ତାହବ୍ୟାପୀ ଚାଲିବ। ଶୁଭଖୁଣ୍ଟି ସ୍ଥାପନ ସ୍ଥଳରେ ପୂଜା ଅର୍ଚ୍ଚନା କରାଯାଇ ଅସ୍ଥାୟୀ ମଣ୍ଡପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ବେଗରେ ଚାଲିଛି। ତଥାପି ସହରବାସୀ ମାଆଙ୍କୁ ପୂଜାର୍ଚ୍ଚନା ଦର୍ଶନ ପର୍ବକୁ କିଭଳି ଢ଼ଂଗରେ କରୁଛନ୍ତି ଏହି ଦୃଶ୍ୟ ଦେଖିବାକୁ ବାକି ରହିଲା।
ବ୍ରହ୍ମପୁର ସହରର ଆରାଧ୍ୟାଦେବୀ ବୁଢ଼ୀ ଠାକୁରାଣୀ ତାଙ୍କର ପର୍ବ ଦ୍ୱିବର୍ଷକୁ ଥରେ ପାଳନ କରାଯାଇ ବିଶ୍ୱସ୍ତରରେ ଏଇ ଯାତ୍ରାର ମହାତ୍ମ୍ୟକୁ ପ୍ରସାର କରାଯାଇଥାଏ। ବିଭିନ୍ନ ପ୍ରକାର କଳାକୁଂଜ, ବେଶ, ଭୋଗ ଏବଂ ରାତ୍ରିରେ ମା’ଙ୍କ ଭ୍ରମଣରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଏକପ୍ରକାର ଭକ୍ତି ଆଧ୍ୟାତ୍ମିକ ଚେତନାର ପରିବେଶ ସୃଷ୍ଟି ହୁଏ ବ୍ରହ୍ମପୁର ସହରରେ।
ଦକ୍ଷିଣ ଓଡ଼ିଶା ତଥା ଓଡ଼ିଶା ବାହାର ରାଜ୍ୟରୁ ମଧ୍ୟ ଅନେକ ଦର୍ଶନ ସକାଶେ ଶ୍ରଦ୍ଧାଳୁ ଆସନ୍ତି। ମା’ ପୂଜା ପାଉଥିବା ସ୍ଥଳରେ ବିବାହିତ ଝିଅବୋହୂ କୁମାରୀ କନ୍ୟାଙ୍କ ସକାଳୁ ରାତ୍ରି ଯାଏ ଗହଳି ରହିଥାଏ। ୨୦୨୧ରେ ଏସବୁର ଚିତ୍ର ପ୍ରତି ମହାମାରୀର କଡ଼ା ପ୍ରହାର ରହିଛି। ଏଣୁ ମହାମାରୀ ରୋଗର ପ୍ରତିକାର ନିମିତ୍ତ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବା ସ୍ୱାଭାବିକ। ଜୀବନକୁ ସୁରକ୍ଷିତ କରି ରଖିବା ପାଇଁ ସ୍ୱାସ୍ଥ୍ୟଗତ ଦିଗକୁ ଅନୁଧ୍ୟାନ କରି ଯେଉଁ ପ୍ରକାର ମା’ଙ୍କ ଉତ୍ସବ ପାଳନ କରାଯିବ ସେ ଦିଗରେ ଜିଲ୍ଲା ପ୍ରଶାସନ ସାଧାରଣ ଜନତା ଓ ଆୟୋଜକ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ।
ଯଦି ସାମାନ୍ୟ ତ୍ରୁଟି ରହିଯାଏ କିମ୍ବା ସଂକ୍ରମିତ ରୋଗୀଙ୍କୁ ଅନୁପ୍ରବେଶ ହୋଇ ସଂକ୍ରମଣ ବ୍ୟାପିବାର ବାଟ ଖୋଲିଯାଏ ସହରବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଗଂଜାମ ଜିଲ୍ଲାର ନାଗରିକମାନେ ପ୍ରଚଣ୍ଡ ଅଧ୍ୟାତ୍ମ ବିଶ୍ୱାସୀ। ତୀର୍ଥ ହେଉକି ଯାନିଯାତ୍ରା ଉତ୍ସବରେ ଏମାନଙ୍କ ତ୍ୟାଗ, ସମର୍ପଣ, ଭାବପୂର୍ଣ୍ଣ ପୂଜାର୍ଚ୍ଚନାର ତୁଳନା ନାହିଁ। ସାରା ଭାରତରେ ଗଂଜାମ ଜିଲ୍ଲାର ଲୋକମାନଙ୍କ ପ୍ରଗାଢ଼ ଈଶ୍ୱର ବିଶ୍ୱାସକୁ ନେଇ ସବୁବେଳେ ଚର୍ଚ୍ଚା। ଏଣୁ ମା’ ସାଆନ୍ତାଣୀଙ୍କ ଯାତ୍ରାରେ ଜନସମାଗମ ପାଇଁ କିଛି ଦାୟିତ୍ୱହୀନ ମଣିଷଙ୍କ ପାଇଁ ଯେ ମାହାମାରୀ ବିରୁଦ୍ଧରେ ଲଢ଼ିବାକୁ ଥିବା ସବୁ ବ୍ୟବସ୍ଥାକୁ ବିଫଳ କରିନଦେବ କିଏ ବା କହିବ?
ଏପରି ସମୟରେ ଆମ ହାତରୁ ଅନେକ ପୁଣି ସମସ୍ୟାର ସମାଧାନର ବାଟ ମଧ୍ୟ ଖସିଯିବ ଏବଂ ଗଂଜାମକୁ ଭୟ ପୁଣି ଗ୍ରାସ କରିବ। ଆମ ପାଇଁ ବିକଳ୍ପ ହେଲା ମା’ ଏପ୍ରିଲ୍ ୯ ତାରିଖରେ ପୂଜାମଣ୍ଡପକୁ ଆସିବାପରେ ଦେଶୀ ବେହେରା ସାହିରେ ତାଙ୍କ ପୂଜାର୍ଚ୍ଚନା ବିଧି ସବୁ ସୂଚାରୁ ରୂପରେ ପାଳନ ହେଉ କିନ୍ତୁ ଲୋକ ସଂପର୍କ ଓ ଦର୍ଶନକୁ ଆଦୌ ସ୍ୱୀକୃତି ନଦେବା ହିଁ ସମୟର ଆବଶ୍ୟକତା ରହିଛି। ସେଇ ସ୍ଥାନ ଧୂପ, ଦୀପ, ହଳଦୀ, ଚନ୍ଦନ, କର୍ପୁରକନା ଓ ଭୋଗ ଆଦି ବିକ୍ରି ସଂପୂର୍ଣ୍ଣ ବାରଣ କରିଦିଆଯାଉ। ଏପରିକି ଫୁଲହାର ଦେବା କେବଳ ବିଧି ଅନୁଯାୟୀ ପରମ୍ପରାକୁ ପାଳନ କରି ପୂଜାର୍ଚ୍ଚନାରେ ନିୟୋଜିତ ସବୋୟତମାନଙ୍କ ଦ୍ୱାରା ହିଁ ସୀମିତ ରହୁ।
ସହରବାସୀ ନିଜକୁ ନିଜେ ପ୍ରସ୍ତୁତ କରିନେଇ ଦର୍ଶନ ଲାଭର ଉତ୍କଣ୍ଠାକୁ ମହାମାରୀ ସମୟରେ ନ ରଖି ବରଂ ନିଜ ନିଜ ଘରେ ମା’ଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋଟିଏ ରଖି ଦୀପଟିଏ ଜାଳି ନିଜର ମନର ଭାବ ପ୍ରକଟ କରି ମହାମାରୀ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ। ରାତ୍ରିରେ ମା’ଙ୍କ ଭ୍ରମଣରେ ସଂଖ୍ୟା ୫୦ ଭିତରେ ହିଁ ସୀମିତ ରହୁ। ବିଶ୍ୱାବସୀଙ୍କୁ ମହାମାରୀ ମୁହଁରୁ ମୁକୁଳିବା ପାଇଁ ବ୍ୟାକୁଳ ମନରେ ପ୍ରାର୍ଥନା ଶ୍ରେଷ୍ଠ ନୈବେଦ୍ୟ।
ମା’ଙ୍କ ପୂଜା ଅର୍ଚ୍ଚନା ବିଧି ପୂର୍ବକ ହେଉ କିନ୍ତୁ ସାଧାରଣ ଭକ୍ତ ଭାବରେ ଜନସମାଗମ ପାଇଁ ସେଇ ସ୍ଥାନକୁ ୧୪୪ ଧାରା ମଧ୍ୟରେ ବଳବତ୍ତର ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ୍ ବାହିନୀ ଅଧିକ ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି ସହରର ବହୁ ଗୁଣୀଜ୍ଞାନୀ ଆଧ୍ୟାତ୍ମପ୍ରେମୀ ଗବେଷକ, ସାହିତ୍ୟିକମାନେ ସହରବାସୀଙ୍କ ତରଫରୁ ନିବେଦନ କରିଛନ୍ତି।