ନୂଆଦିଲ୍ଲୀ: ଅଖଣ୍ଡ ଭାରତ ସଂକଳ୍ପକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ ରାଜ୍ୟ ମଧ୍ୟରେ ଥିବା ସାମାଜିକ ଓ ସାଂସ୍କୃତିକ ସମ୍ପର୍କର ସୂତ୍ରକୁ ଯୋଡ଼ିବା ଲାଗି ପ୍ରୟାସ କରାଯାଉଛି। ଏହି କ୍ରମରେ ମହାରାଷ୍ଟ୍ର ଏବଂ ଓଡ଼ିଶା ମଧ୍ୟରେ ରହିଥିବା ପ୍ରାଚୀନ ସାମାଜିକ ଓ ସାଂସ୍କୃତିକ ସମ୍ପର୍କକୁ ଉଜାଗର କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଅନ୍ୟପକ୍ଷରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ‘ଦେଖୋ ଆପନା ଦେଶ’ ପ୍ରୟାସ ଜରିଆରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ପର୍ଯ୍ୟଟନ ଆଧାରିତ ବିଷୟବସ୍ତୁ ଉପରେ ୱେବିନାର ଆୟୋଜନ କରାଯାଉଛି। ଇତିମଧ୍ୟରେ ‘‘ପର୍ଯ୍ୟଟନ ଗାଇଡମାନଙ୍କ ସହିତ ୭୫ଟି ଲକ୍ଷ୍ୟସ୍ଥଳୀ’’ କାର୍ଯ୍ୟକ୍ରମ ଅଧୀନରେ ’ମହାରାଷ୍ଟ୍ରର ଜ୍ୟୋତିର୍ଲିଙ୍ଗମ ମନ୍ଦିର’ ଉପରେ ଏକ ୱେବିନାର ଆୟୋଜନ କରାଯାଇଥିଲା। ଏହାକୁ କ୍ଷେତ୍ରୀୟ ସ୍ତରର ଗାଇଡ ଉମେଶ ନାମଦେବ ଯାଦବ ଉପସ୍ଥାପନ କରିଥିଲେ।
ଏହି ୱେବିନାରରେ ମହାରାଷ୍ଟ୍ରରେ ଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ, ଲୋକପ୍ରିୟ, ଧାର୍ମିକ ଏବଂ ଆଧ୍ୟାତ୍ମିକ ସ୍ଥାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମହାରାଷ୍ଟ୍ରରେ ତ୍ରୈମ୍ବକେଶ୍ବର, ଭୀମାଶଙ୍କର, ପାରାଲି, ବୈଜନାଥ, ଘୃଷ୍ଣେଶ୍ବର ଏବଂ ଔନ୍ଧ ନାଗନାଥ ଭଳି ପ୍ରମୁଖ ଜ୍ୟୋତିର୍ଲିଙ୍ଗ ପୀଠ ରହିଛି। ଏଠାରେ ଅନାଦି କାଳରୁ ଭଗବାନ ଶିବଙ୍କୁ ଜ୍ୟୋତିର୍ଲିଙ୍ଗ ସ୍ବରୂପରେ ପୂଜା କରାଯାଉଛି। ଭଗବାନ ଶିବଙ୍କ ୧୨ଟି ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ ପୁରାଣରେ ବିସ୍ତୃତ ଭାବେ ବର୍ଣ୍ଣନା ରହିଛି। ଏସବୁ ଶୈବ ପୀଠ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ଇତିହାସ ଓ ପରମ୍ପରା ସହ ନିବିଡ଼ ଭାବେ ଜଡ଼ିତ।
ତ୍ରୈମ୍ବକେଶ୍ବର ଜ୍ୟୋତିର୍ଲିଙ୍ଗ ନାସିକ ଠାରୁ ୨୮ କିମି ଦୂର ଦକ୍ଷିଣ ପଶ୍ଚିମ ଦିଗରେ ରହିଛି। ଏହା ସିଂହସ୍ଥ ମେଳା (କୁମ୍ଭ ମେଳା)ର ୪ଟି ପ୍ରମୁଖ ସ୍ଥାନ ମଧ୍ୟରୁ ଅନ୍ୟତମ। ଏଠାରେ ଆୟୋଜିତ ହେଉଥିବା ମେଳାରେ ସାରା ଦେଶରୁ ଶ୍ରଦ୍ଧାଳୁମାନେ ଯୋଗ ଦେଇଥାନ୍ତି।
ଭୀମାଶଙ୍କର ଭଗବାନ ଶିବଙ୍କର ଏକ ପ୍ରାଚୀନ ପୀଠ ଯାହାକି ମହାରାଷ୍ଟ୍ରର ସହ୍ୟାଦ୍ରୀ ପର୍ବତ ମାଳାରେ ଅବସ୍ଥିତ। ପୁଣେ ଜିଲ୍ଲାରେ ଅବସ୍ଥିତ ଏହି ଶୈବ ପୀଠ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ।
ଘୃଷ୍ଣେଶ୍ବର ବା ଘୁଷ୍ମେଶ୍ବର ଜ୍ୟୋତିର୍ଲିଙ୍ଗ ପୀଠ ମହାରାଷ୍ଟ୍ରର ଔରଙ୍ଗାବାଦରେ ରହିଛି। ଏହି ମନ୍ଦିର ଏକାଦଶ-ଦ୍ବାଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଜଣାଯାଏ। ବର୍ତ୍ତମାନର ମନ୍ଦିରକୁ ରାଣୀ ଅହଲ୍ୟା ବାଈ ହୋଲକର ପୁନନିର୍ମାଣ କରାଇଥିଲେ। ଏହି ପୀଠ ଠାରୁ ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳୀ ଅଜନ୍ତା-ଏଲୋରା ଗୁମ୍ଫା ଅଳ୍ପ ଦୂରରେ ରହିଛି।
ସୂଚନାଯୋଗ୍ୟ ଯେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଜାତୀୟ ଇ ଗଭର୍ଣ୍ଣାନ୍ସ ବିଭାଗର ବୈଷୟିକ ସହଭାଗିତାରେ ଦେଖୋ ଅପନା ଦେଶ ୱେବିନାର ସିରିଜ ଆୟୋଜନ କରାଯାଇଛି। ଏହି ୱେବିନାରର ଅଧିବେଶନଗୁଡ଼ିକ ଏବେ https://www.youtube.com/channel/UCbzIbBmMvtvH7d6Zo_ZEHDA/featured ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନ ସମସ୍ତ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲରେ ଉପଳବ୍ଧ ରହିଛି।