Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

‘ଜୟ ଜଗନ୍ନାଥ’ କହି ହିତାଧିକାରୀ ଚାଷୀଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେ ମଧ୍ୟ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ ଠାରେ ୧୦,୦୦୦ତମ ଜନ ଔଷଧି କେନ୍ଦ୍ରକୁ ଲୋକାର୍ପଣ କରିଥିଲେ। ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ଏକ କାର୍ଯ୍ୟକ୍ରମକୁ ଶ୍ରୀ ମୋଦୀ ଶୁଭାରମ୍ଭ କରିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧି କେନ୍ଦ୍ରସଂଖ୍ୟା ୧୦,୦୦୦ରୁ ୨୫,୦୦୦କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି।

କାର୍ଯ୍ୟକ୍ରମ ଅବସରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଚାଷୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କୁ ପ୍ରଧାନମନ୍ତ୍ରୀ ‘ଜୟ ଜଗନାଥ’ କହି ଅଭିବାଦନ ଜଣାଇଥିଲେ। ଶ୍ରୀ ବେନିଆ ଏକାଧିକ ସରକାରୀ ଯୋଜନାର ହିତାଧିକାରୀ। ଉଜ୍ଜ୍ୱଳା ଭଳି ଯୋଜନାରେ କିପରି ତାଙ୍କ ଜୀବନ ବଦଳିଲା ସେ ବିଷୟରେ ହିତାଧିକାରୀ ବର୍ଣ୍ଣନା କରିଥିଲେ । ଚାଷୀ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ବର୍ତ୍ତମାନ ସେ ତାଙ୍କ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖିବା ପାଇଁ ଆତ୍ମବିଶ୍ୱାସ ଅନୁଭବ କରୁଛନ୍ତି। ତାଙ୍କ ସୁବିଧା ପାଇଁ ଆଗକୁ କେଉଁ ସବୁ ଯୋଜନା ଉପଲବ୍ଧ ଅଛି ସେ ବିଷୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସହିତ ଥିବା ଅଧିକାରୀମାନଙ୍କ ଠାରୁ ପଚାରି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

“ମିଶନ ଶକ୍ତି କାଫେ”: ଏସଏଚଜି ମା’ଙ୍କୁ ଜୀବିକା, ସ୍ୱାସ୍ଥ୍ୟକର ପରିବେଶ ଭିତରେ ଲୋକଙ୍କୁ ମିଳୁଛି ଖାଦ୍ୟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି “ମିଶନ ଶକ୍ତି କାଫେ”। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ୱାରା ପରିଚାଳିତ ଏହି କାଫେରେ ସ୍ୱାସ୍ଥ୍ୟକର ପରିବେଶ ଭିତରେ ଉଚିତ ମୂଲ୍ୟରେ ସକାଳ ଓ ସନ୍ଧ୍ୟାରେ ଜଳଖିଆ ସହିତ ମଧ୍ୟାହ୍ନ ଭୋଜନ ମିଳୁଛି।

ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କାର୍ଯ୍ୟ ପରିଚାଳନା କରାଯାଉଛି। ଏଭଳି ଅଣପାରମ୍ପରିକ କାମରେ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତକରି ସେମାନଙ୍କ କାର୍ଯ୍ୟ ପରିସରକୁ ବ୍ୟାପକ କରିବା ସହ ଜୀବିକାକୁ ସୁନିଶ୍ଚିତ କରାଯାଉଛି। ଏହି “କାଫେ” ପରିଚାଳନା କରି ଏସଏଚଜି ମା’ମାନେ ଭଲ ଦି’ ପଇସା ରୋଜଗାର କରୁଛନ୍ତି।

“ଆଗରୁ ଆମେ ପାରମ୍ପରିକ କାମରେ ନିୟୋଜିତ ଥିଲୁ। କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ସହଯୋଗରେ ମିଶନ ଶକ୍ତି କାଫେ ଚଲାଉଛୁ। ଲୋକମାନଙ୍କ ଚାହିଦା ଅନୁଯାୟୀ ଏଠାରେ ଆମେ ଖାଦ୍ୟ ପ୍ରସ୍ତୁତ କରୁଛୁ। ଘରୋଇ ପରିବେଶ ଭିତରେ ଲୋକମାନେ ଯେମିତି ଭଲ ଖାଦ୍ୟ ପାଇପାରିବେ ତା’ ଉପରେ ଆମେ ଧ୍ୟାନ ଦେଉଛୁ’, କହନ୍ତି କୁତ୍ରା ବ୍ଲକର ଜଣେ ଏସଏଚଜି ମା’ ନିଲିମା କୁଲ୍ଲୁ।

“ମିଶନ ଶକ୍ତି କାଫେ ପରିଚାଳନା ପାଇଁ ଆମକୁ ଚୟନ କରାଯିବା ପରେ ସୁନ୍ଦରଗଡ଼ଠାରେ ତାଲିମ ଦିଆଯାଇଥିଲା। “କାଫେ”କୁ ସଫା ସୁତୁରା ରଖିବା ସହ କିପରି ଖାଦ୍ୟ ପ୍ରସ୍ତୁତ କରାଯିବ ସେନେଇ ଆମେ ପ୍ରଶିକ୍ଷଣ ନେଇଥିଲୁ। ଏବେ ଏହି କାଫେ ପରିଚାଳନା କରି ଆମେ ଭଲ ରୋଜଗାର କରିପାରୁଛୁ’, କହନ୍ତି ବିଶ୍ରା ବ୍ଲକର ଆଉ ଜଣେ ଏସଏଚଜି ମହିଳା ମମିନା କୁଜୁର।

ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା ବ୍ଲକରେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ୨୦୨୧ରେ “ଉତ୍କଳ କିଚେନ” ଖୋଲାଯାଇଥିଲା। ଉତ୍କଳ କିଚେନ ପାଇଁ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି।

ପରବର୍ତ୍ତି ସମୟରେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକରେ “ମିଶନ ଶକ୍ତି କାଫେ” ଖୋଲାଯାଇଛି। ଏହାର ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ମିଶନ ଶକ୍ତି କାଫେରେ ସକାଳ ଓ ଅପରାହ୍ଣ ଜଳଖିଆ ସହିତ ଦିପହରେ ମଧ୍ୟାହ୍ନ ଭୋଜନ ମିଳୁଛି। ସପ୍ତାହରେ ୬ ଦିନ (ରବିବାରକୁ ଛାଡ଼ି) ସକାଳ ୮ଟାରୁ ସନ୍ଧ୍ର‌୍ୟା ୬ଟା ପର୍ଯ୍ୟନ୍ତ ଏହି କାଫେ ଖୋଲାରହୁଛି।

ଏଠାରେ ଜଳଖିଆରେ ବରା, ଆଳୁଚପ, ଇଡଲି ଆଦି ମିଳୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରି, ଚିପ୍ସ, ଭଜା, ଶାଗ ସହିତ ଆମିଷ ମଧ୍ୟରେ ମାଛ, ଚିକେନ ଓ ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମିଳୁଛି। ଅପରାହ୍ନରେ ଚା’, କଫି, ପକଡ଼ି ଓ ସିଙ୍ଗଡ଼ା ଆଦି ତିଆରି କରାଯାଉଛି।

“ଆଗରୁ ମୁଁ ବିଭିନ୍ନ ହୋଟେଲରେ ଖାଉଥିଲି। ହେଲେ ସେଠାରେ ତେଲ ମସଲା ଅଧିକ ବ୍ୟବହାର ହେଉଥିବାରୁ ଦେହ ଖରାପ ହେଉଥିଲା। ଯେବେଠୁ ମିଶନ ଶକ୍ତି କାଫେ ଖୋଲିଲାଣି ସେବେଠୁ ମୁଁ ଏଠାରେ ନିୟମିତ ଖାଉଛିୟ ଖାଇବା ଭଲ ଲାଗୁଛି’, କହନ୍ତି ବିଶ୍ରା ବ୍ଲକର ଜଣେ ଯୁବକ ବିଶ୍ୱରଞ୍ଜନ ଦାସ।

“କାଫେ ପରିଚାଳନା କରୁଥିବା ମହିଳାମାନେ ପରିବେଶକୁ ସଫା ସୁତୁରା ରଖୁଛନ୍ତି। ଫଳରେ ଏଠାରେ ବସି ଖାଇବାକୁ ଭଲ ଲାଗୁଛି। ସେମାନଙ୍କ ବ୍ୟବହାର ଭଲ ହୋଇଥିବାରୁ ଘରେ ବସି ଖାଇବା ଭଳି ଲାଗୁଛି”, କହନ୍ତି କୁତ୍ରା ବ୍ଲକର ଜଣେ ଗ୍ରାହକ ମନ୍ଦାକିନୀ ପଟେଲ।

ଏହି କାଫେ ପରିଚାଳନା ଲାଗି ମିଶନ ଶକ୍ତିର ମା’ମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି। ଖାଦ୍ୟ ପ୍ରସ୍ତୁତି ସହିତ ଗ୍ରାହକମାନଙ୍କୁ କିପରି ସେବା ଯୋଗାଇଦେବେ ସେ ବାବଦରେ ମଧ୍ୟ ପ୍ରଶିକ୍ଷଣ ବେଳେ ଗୁରୁତ୍ୱ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବାରେ “ମିଶନ ଶକ୍ତି କାଫେ” ବଡ଼ ମାଧ୍ୟମ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

‘‘ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ସ୍ପିରୁଲିନାର ବ୍ୟବହାର ଏକ ଅଭିନବ ପଦକ୍ଷେପ’’: ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପ୍ରସ୍ତୁତ କରାଯିବ ସ୍ପିରୁଲିନାଯୁକ୍ତ ଚିକି। ସଦର ବ୍ଲକ୍ ଅନ୍ତର୍ଗତ ରଙ୍ଗାଢ଼ିପାଠାରେ ଏଥିପାଇଁ ଏକ ଚିକି ପ୍ରସ୍ତୁତି ୟୁନିଟର ଶୁଭାରମ୍ଭ କରାଯାଇଛି। ଶନିବାର ଦିନ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏହାର ଉଦଘାଟନ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲାମାନଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ମାଣ୍ଡିଆ ଲଡୁ ମିକ୍ସ ସହିତ ସ୍ପିରୁଲିନା ଚିନି ଓ ଚିକି ବଣ୍ଟନ କରାଯାଉଛି। ୨୦୨୦ ଅଗଷ୍ଟ ୧୫ ତାରିଖରେ ଏହି ପୋଷଣ କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିପାଇଁ ଜିଲ୍ଲାରୁ ଉତ୍ପାଦିତ ମାଣ୍ଡିଆରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଣ୍ଡିଆ ଲଡ଼ୁ ଲାଗି ମିକ୍ସ ପ୍ରସ୍ତୁତ କରାଯାଉଥିବା ବେଳେ ବର୍ତ୍ତମାନ ରାଜ୍ୟ ବାହାରୁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ପିରୁଲିନା ମିଶ୍ରିତ ଚିକି ଓ ଚିନି ଅଣାଯାଉଛି।

ଏବେ ସୁନ୍ଦରଗଡ଼ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଚିକି ପ୍ରସ୍ତୁତ କରାଯିବ। ପ୍ରଥମ ପର‌୍ୟ୍ୟାୟରେ ସୁନ୍ଦରଗଡ଼ର ରଙ୍ଗାଢ଼ିପାଠାରେ ଚିକି ୟୁନିଟ୍ ଆରମ୍ଭ କରାଯାଇଛି। ଏଠାରେ ପ୍ରସ୍ତୁତ ହେବାକୁ ଥିବା ଚିକି ସୁନ୍ଦରଗଡ଼ ଉପଖଣ୍ଡର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯିବ।

ମନ୍ତ୍ରୀ ଡକ୍ଟର ସାହୁ ଚିକି ପ୍ରସ୍ତୁତି ୟୁନିଟ୍ ଉଦଘାଟନ କରିବା ପରେ ସେଠାରେ ବିଭିନ୍ନ କାର‌୍ୟ୍ୟ ବୁଲି ଦେଖିଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାରେ ଚାଲିଥିବା ଏହି ସ୍ୱତନ୍ତ୍ର ପୋଷଣ କାର‌୍ୟ୍ୟକ୍ରମର ଅଗ୍ରଗତି ସହ ଶିଶୁଙ୍କ ପୁଷ୍ଟି ସାଧନରେ ସ୍ପିରୁଲିନା କିଭଳି ଉପକାରୀ ହୋଇପାରିଛି ସେ ସମ୍ପର୍କରେ ମନ୍ତ୍ରୀଙ୍କୁ ଜଣାଇଥିଲେ।

‘‘ବିଶେଷ ପୋଷଣ ଗୁଣ ପାଇଁ ସାରା ବିଶ୍ୱରେ ଆଜି ସ୍ପିରୁଲିନାର ବ୍ୟବହାର ବଢ଼ିବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ଏହାକୁ ପ୍ରୟୋଗ କରି ଏକ ଅଭିନବ ପଦକ୍ଷେପ ନିଆଯାଇଛି। ତା’ ସାଙ୍ଗକୁ ଏହି କାର‌୍ୟ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ା ଯିବା ଫଳରେ ମହିଳା ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ପରିକଳ୍ପନା ତାହା ବାସ୍ତବ ରୂପ ନେଇପାରିଛି’’, ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ସ୍ପିରୁଲିନା ଚିକି ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ମା’ ଲକ୍ଷ୍ମୀ ଆଞ୍ଚଳିକ ମଞ୍ଚକୁ ଦାୟିତ୍ୱ ଦେଇଛି। ଏହା ଅଧୀନରେ ପ୍ରାୟ ୫୦ ଜଣ ମହିଳା ଚିକି ପ୍ରସ୍ତୁତ କରିବା ସହ ସେମାନଙ୍କ ଜୀବିକା କରିପାରିବେ। ବେଙ୍ଗାଳୁରୁସ୍ଥିତ ସ୍ପିରୁଲିନା ଫାଉଣ୍ଡେସନର ସଭାପତି ମହେଶ ଆର୍ ଭି ସୁନ୍ଦରଗଡ଼ ଆସି ଏହି ମହିଳା ଏସଏଚଜି ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ପିରୁଲିନା ଚିକି ପ୍ରସ୍ତୁତି ସମ୍ପର୍କରେ ତାଲିମ ଦେଉଛନ୍ତି। ଆଗାମୀ ଦିନରେ ପାନପୋଷ ଉପଖଣ୍ଡରେ ଆଉ ଏକ ଚିକି ପ୍ରସ୍ତୁତି ୟୁନିଟ୍ ଖୋଲାଯିବ।

ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କ ପୋଷଣ ପାଇଁ ସ୍ପିରୁଲିନାକୁ ବ୍ୟବହାର କରିବାରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ପ୍ରଥମ। ଗତ ବର୍ଷ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକରେ ଆରମ୍ଭ ହୋଇଥିବା ଏହି ପାଇଲଟ୍ କାର‌୍ୟ୍ୟକ୍ରମ ପରେ ୪ଟି ବ୍ଲକ ସହ ରାଜଗାଙ୍ଗପୁର ପୌରପାଳିକା ଅଞ୍ଚଳରେ ଲାଗୁ କରାଯାଇଥିଲା। ଏବେ ଏହି ସ୍ପିରୁଲିନା ବଣ୍ଟନ କାର‌୍ୟ୍ୟକ୍ରମକୁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଂପ୍ରସାରଣ କରାଯାଉଛି। ଏହା ଦ୍ୱାରା ଜିଲ୍ଲାର ମୋଟ ୩ ହଜାର ୮୦୯ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ୧ ଲକ୍ଷ ୪୨ ହଜାରରୁ ଅଧିକ ପିଲା ଉପକୃତ ହେବେ।

ଏହି ଚିକି ପ୍ରସ୍ତୁତି ୟୁନିଟ୍ ଉଦଘାଟନ ବେଳେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ ଏବହ ଡିଏମଏଫ ପୋଷଣ ବିଶେଷଜ୍ଞ କୁସୁମ ସିଏମ୍ ଏବଂ ଜୀବିକା ବିଶେଷଜ୍ଞ ଅଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ପୋଷଣର ପାୱାର ହାଉସ୍ ଭାବେ ପରିଚିତ ସ୍ପିରୁଲିନାଯୁକ୍ତ ଚିକି ଓ ଚିନି ଖାଇବା ଫଳରେ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇପାରୁଛି। ଫଳରେ ସାଧାରଣ ପିଲାଙ୍କ ପୁଷ୍ଟି ସାଧନ ସହ ଅପପୁଷ୍ଟି ପୀଡ଼ିତ ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଲାଗି ଏହା ବିଶେଷ ଫଳପ୍ରଦ ହୋଇପାରୁଛି। ଆଗାମୀ ଦିନରେ ଜିଲ୍ଲାରେ ସ୍ପିରୁଲିନା ଉତ୍ପାଦନ ଲାଗି ଚାଷୀମାନଙ୍କୁ ତାଲିମ ଓ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ।

ସୁନ୍ଦରଗଡ଼ ଗସ୍ତରେ ଆସିଥିବା ମନ୍ତ୍ରୀ ଡକ୍ଟର ସାହୁ ଆଜି ସର୍ଗିପାଲି ଯାଇ କେତେକ କ୍ଷେତ ପୋଖରୀ ପରିଦର୍ଶନ କରି ଚାଷୀଙ୍କ ସହ କଥାବାର୍ତ୍ତା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଅଧୀନରେ ଚାଲିଥିବା ଢେଲସରାର ଆଗ୍ରୋ ସର୍ଭିସ୍ ସେଣ୍ଟର ପରିଦର୍ଶନ କରିବା ସହିତ ସେଠାରେ ଏକ ଧାନ ଅମଳ ଯନ୍ତ୍ର ଉଦଘାଟନ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପରେଡରେ ମନ୍ତ୍ରୀ ଡକ୍ଟର ସାହୁ ଅଭିବାଦନ ଗ୍ରହଣ କରିବେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଟଙ୍କା ବଣ୍ଟାକୁ କେନ୍ଦ୍ର କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଆହତ

ପିଣ୍ଟୁ ବିଶୋୟୀ
ବେଗୁନିଆପଡ଼ା: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ସଂଘର୍ଷରେ ୫ ଜଣ ଆହତ ହେବା ପରେ ବେଗୁନିଆପଡ଼ା ଫାଣ୍ଡିରେ ଦୁଇ ଜଣଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ଏତଲା ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଏସ୍ ଛଚିନା ପଞ୍ଚାୟତର ଉଜ୍ଜଳପଲ୍ଲୀ ଗ୍ରାମର ଦୁଇଟି ମହିଳା ଗୋଷ୍ଠୀ ଶୁକ୍ରବାର ଦିନ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ୍ କୁ ଯାଇ ଟଙ୍କା ଡିପୋଜିଟ୍ କରିବା ସମୟରେ କଥା କଟାକଟି ହେବା ସହ ହାତାହାତି ହୋଇଥିଲା। ପରେ ଉଭୟ ପକ୍ଷ ଗ୍ରାମକୁ ଫେରି ଆସିଥିଲେ। ଗତକାଲି ରାତିରେ ବୈଠକ ଚାଲିଥିବା ସମୟରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରି ଆହତ ହୋଇଥିଲେ। ଉଭୟ ପକ୍ଷରୁ ବେଗୁନିଆପଡ଼ା ଫାଣ୍ଡିରେ ଏତଲା ଦେବାପରେ ଏ ଏସ୍ ଆଇ ଶିଶିର ପ୍ରଧାନ ଘଟଣାର ତଦନ୍ତ କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି।