Categories
ବିଶେଷ ଖବର

ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନା ଯୋଗ୍ୟ ଯେ,  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୯୮ କୋଟି ଟଙ୍କା ବ୍ୟୟରେ ଅଧିକ ୫୫ ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି। ତଦନୁଯାୟୀ ଚଳିତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟୟରେ ୨୯.୩୬ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ।

ବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯୟ ସମୟରେ ଏହି ଆଶ୍ରୟ ସ୍ଥଳୀ ଗୁଡିକ ଲୋକଙ୍କୁ ସୁରକ୍ଷା ଦେବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ  କରିଆସିଛି।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଜରିଆରେ ଏହା ନିର୍ମାଣ  କରାଯାଉଛି। ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାମରେ ଯଥେଷ୍ଟ ଅଗ୍ରଗତି ହୋଇଛି।

ତେଣୁ ବର୍ତ୍ତମାନ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଉ ୨୯.୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହା ସହିତ  କାର୍ଯ୍ୟ ଶୀଘ୍ର ଶେଷ  କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ବିଶେଷ ଖବର

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍: ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ତେବେ ଏହି ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଚଳିତ ବଜେଟ୍ ଗରିବଙ୍କ ସହାୟତା ଓ ବିକାଶମୁଖୀ। ସ୍ବାସ୍ଥ୍ୟ ସେବାର ଗୁଣାତ୍ମକ ମାନବୃଦ୍ଧି ପାଇଁ ବଜେଟରେ ପ୍ରାଥମିକତା ଦିଆଯାଇଛି।

ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ସେ କହିଛନ୍ତି। ୫-ଟି ଓ ମୋ’ ସରକାର କାର୍ଯ୍ୟକ୍ରମକୁ ଆଖିରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି। ରାଜ୍ୟର ସର୍ବଙ୍ଗୀନ ବିକାଶରେ ବଜେଟ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ଚଳିତ ବଜେଟରେ କେଉଁ ବିଭାଗ ପାଇଁ କେତେ ଅଟକଳ କରାଯାଇଛି, ଆସନ୍ତୁ ଜାଣିବା…

କୃଷି- ୨୧, ୧୬୬ କୋଟି: କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି, ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି, କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି,  ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଯୋଜନାରେ ୪୦୦ କୋଟି ଏବଂ ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି।

ସ୍ୱାସ୍ଥ୍ୟ- ୧୨, ୬୨୪ କୋଟି: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧୀନରେ ଖର୍ଚ୍ଚ ହେବ ୨ ହଜାର ୩୨୫ କୋଟି, ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆନୁସଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୬୫୨ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨ ହଜାର ୧୫୬ କୋଟି ଓ ‘ସ୍ୱାସ୍ଥ୍ୟ ଓ ଭେଷଜ ଶିକ୍ଷାରେ ମାନବ ସମ୍ବଳ’ ଯୋଜନା ଅଧୀନରେ ୩୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଶିକ୍ଷା ଓ ଦକ୍ଷତା ବିକାଶ- ୨୭, ୩୨୪ କୋଟି: ମୋ ସ୍କୁଲ ଅଭିଯାନ ଅଧିନରେ ୬୪୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି, ମୋ କଲେଜ ଅଭିଯାନ ପାଇଁ ୧୧ କୋଟି ଓ ‘ସମଗ୍ର ଶିକ୍ଷା’ ପାଇଁ ୩୫୮୧ କୋଟି ବ୍ୟୟ ବରାଦ କରାଯାଇଛି।

ସେହିଭଳି ସଡକ ଓ ଭିତ୍ତିଭୂମି ପାଇଁ ୧୪, ୪୫୪ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଶକ୍ତି ପାଇଁ ୩୪୮୨ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୬୨ କୋଟି, ଜଙ୍ଗଲ ଓ ପରିବେଶ ପାଇଁ ୨୨୧୭ କୋଟି, ମିଶନ ଶକ୍ତି ପାଇଁ ୨୦୦୦ କୋଟି, ଏମଏସଏମଇ, ଉଦ୍ୟୋଗ ପାଇଁ ୧୨୬୯ କୋଟି, କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୯୧୧ କୋଟି, ପର୍ଯ୍ୟଟନ ପାଇଁ ୫୯୦ କୋଟି, ଆଇଟି ଓ ଇଲେକ୍ଟ୍ରୋନିକ୍ ପାଇଁ ୩୦୨ କୋଟି, ଶିଳ୍ପ, ଇସ୍ପାତ ଓ ଖଣି ପାଇଁ ୧୮୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

Categories
ବିଶେଷ ଖବର

ଆଜିଠୁ ଚିଲିକା ହ୍ରଦରେ ଆରମ୍ଭ ହେଲା ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ସେବା: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜିଠାରୁ ଚିଲିକା ହ୍ରଦରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ସେବା ଆରମ୍ଭ ହୋଇଛି। ଉକ୍ତ ହାଉସ ବୋଟର ନାମ ‘ଗରୁଡ଼’ ରହିଥିବା ବେଳେ ଏହାକୁ ଆଜି ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ଼କୁଳ ପାନ୍ଥନିବାସ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ଭରଚୁଆଲି ଭାବେ ‘ଗରୁଡ଼’ କୁ ଉଦଘାଟିତ କରିଥିବା ବେଳେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏସପି ସିଦ୍ଧାର୍ଥ କାଟାରିଆ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବ, ବିକାଶ ଇକୋ ରିସୋର୍ଟସର ପରିଚାଳନା ନିର୍ଦ୍ଦେଶକ ମୁରଲୀ କ୍ରିଷ୍ଣା ଦଶରୀ ଏବଂ ଅନ୍ୟାନ୍ୟ ଜନ ପ୍ରତିନିଧି ମାନେ ଉପସ୍ଥିତି ଥିଲେ।

ଜାଣନ୍ତୁ ‘ଗରୁଡ଼’ ବୋଟ‌ର ବୈଶିଷ୍ଟ୍ୟ:

ଡବଲ୍‌ ଇଞ୍ଜିନ୍‌ ବିଶିଷ୍ଟ ‘ଗରୁଡ଼’ ବୋଟ‌ର ଲମ୍ବା ୧୦୫ ଫୁଟ ଏବଂ ଓସାର ୨୨ଫୁଟ ଥିବା ବେଳେ ଚିଲିକାର ଜଳବାୟୁ ଅନୁଯାୟୀ ଏହାକୁ ନିର୍ମାଣ କରାଯାଇଛି। ବୋଟ‌ର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର‌ ଓ ଲାଉଞ୍ଜ ଅଛି, ଯେଉଁଠାରେ ଏକକାଳୀନ ଭାବେ ସର୍ବାଧିକ ୩୦ ଜଣ ବ୍ୟକ୍ତି ଏକାଠି ହୋଇପାରିବେ।

ସେହିପରି ଭାବେ ବୋଟକୁ ସର୍ବାଧିକ ୬ ଦମ୍ପତି ୨୪ ଘଣ୍ଟିଆ ପ୍ୟାକେଜ ଅନୁଯାୟୀ ବୁକ କରିପାରିବେ। ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ଜଳଖିଆ ଏବଂ ରାତ୍ରଭୋଜନ ବ୍ୟବସ୍ଥା ଉକ୍ତ ପ୍ୟାକେଜରେ ଅନ୍ତର୍ଭୁକ୍ତ ଅଟେ।

ବିଶେଷ ଆକର୍ଷଣ ଭାବେ ଚିଲିକା ପ୍ରସିଦ୍ଧ ଚିଙ୍ଗୁଡ଼ି, କଙ୍କଡା ଏବଂ ଖଈଙ୍ଗା ମାଛ ମଧ୍ୟ ଖାଦ୍ୟରେ ରହିବ। ବୋଟର ପ୍ରାଇଭେଟ ଲାଉଞ୍ଜରେ ଚାରି ଗୋଟି ପ୍ରିମିୟମ ରୁମ ରହିଛି ଏବଂ ଦୁଇ ଗୋଟି ସୁଟ ରୁମ ଅଛି ଯେଉଁଥିରେ ପର୍ଯ୍ୟଟକ ମାନେ ଚିଲକାକୁ ୧୮୦ ଡିଗ୍ରୀରୁ ଉପଭୋଗ କରିପାରିବେ ଏବଂ ବସିବା ଲାଗି କିଙ୍ଗ ସାଇଜ ବେଡ଼ ଓ ସୋଫାର ବ୍ୟବସ୍ଥା ଅଛି।

ବେଳାଭୂମିରେ ସନ‌ବାଥ‌, ମସାଜ ‌, କ୍ରୀଡ଼ା, ଗୀତ ନାଚ, ଡ଼ଲଫିନ ଓ ବିଦେଶୀ ପକ୍ଷୀ ଦେଖିବା, ଚିଲିକାରେ ବିଶେଷ ସମୟ କଟାଇବାର ଆଦି ମଜା ନେଇପାରିବେ ପର୍ଯ୍ୟଟକ ମାନେ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବୋଟରେ ଜୀବନ ରକ୍ଷାକାରି ଉପକରଣ ରହିବା ସମେତ ଜରୁରୀକାଳିନ ପରିସ୍ଥିତିରେ ସେମାନଙ୍କୁ ବୋଟରୁ ସ୍ଥାନାନ୍ତର ନିମନ୍ତେ ଏକ ବ୍ୟାକ‌ଅପ‌ ବୋଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ‌ସୁରକ୍ଷା ସେନସର ଏବଂ ଅଗ୍ନି ନିରାପତ୍ତା ଉପକରଣ ବ୍ୟବସ୍ଥା ମଧ୍ୟ ରହିଛି ଏହି ବୋଟରେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଟ ଚାଲିବା ସମୟରେ ପ୍ରଦୂଷଣ ଓ ବର୍ଯ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ଏବଂ ଏଥିଲାଗି ବିଏସଭିଆଇ ଇଂଜିନ ବୋଟରେ ଲଗାଯାଇଛି।

ତେବେ ପର୍ଯ୍ୟଟକଙ୍କୁ ‘ ଗରୁଡ଼’ ବୋଟର ମଜା ନେବା ପାଇଁ ଗଣିବାକୁ ପଡିବ ୨୦-୨୫ ହଜାର ଟଙ୍କା, ଯାହାକି ୨୪ ଘଣ୍ଟା ପ୍ୟାକେଜ ପାଇଁ ଉପଲବ୍ଧ। ଏଥି ନିମନ୍ତେ ସେମାନଙ୍କୁ www.vikashecoresorts.com ୱେବସାଇଟ ରୁ ଅନଲାଇନ ବୁକିଂ କରିବାକୁ ପଡ଼ିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ତେବେ ଅନଲାଇନ ବୁକିଂ ବ୍ୟବସ୍ଥା ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି। ସୂଚନା ଥାଉ କି ‘ ବିକାଶ ଇକୋ ରିସୋର୍ଟସ’ ଖୁବ କମ ଦିନ ମଧ୍ୟରେ ଓଡ଼ିଶାରେ ଏହାର ବ୍ୟବସାୟକୁ ଶୀର୍ଷରେ ପହଞ୍ଚାଇ ଲୋକପ୍ରିୟ ହୋଇପାରିଛି।

Categories
ବିଶେଷ ଖବର

ଆଜି ଆଉ ୫ଟି ଜିଲ୍ଲାର ୪୯୦ ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ଵର: ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି। ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିବା ସହିତ ଆମର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇଛି ବୋଲି ପିଲାମାନେ ମତବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି ଯେ ନୂତନ ଆଧୁନିକ ସୁବିଧା ସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍‌ ସୁବିଧା ଆମର ପାଠପଢାକୁ ସହଜ କରିଛି। ସଫଳତା ଏବେ ହାତ ମୁଠାରେ ବୋଲି ପିଲାମାନେ କହିଛନ୍ତି।

ଆଜି ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଖୁସି ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି। ସମସ୍ତେ ସ୍କୁଲର ନୂଆ ପରିବେଶରେ ବେସ୍‌ ଖୁସି ହେବା ସହିତ ନିଜ ନିଜର ଭବିଷ୍ୟତକୁ ନେଇ ଗଭୀର ଆତ୍ମବିଶ୍ବାସର ସହ ନିଜର ଭାବନାକୁ ପ୍ରକାଶ କରିଛନ୍ତି।

ଏହି ଅବସରରେ ଆଲୋଚନାରେ ଭାଗ ନେଇ କେନ୍ଦ୍ରାପଡାରୁ ଅନନ୍ୟା, କଟକରୁ ସାନିୟା, କଳାହାଣ୍ଡିରୁ ଶିବାନୀ, ଝାରସୁଗୁଡାକୁ ପ୍ରଭାସିନୀ ଓ ବରଗଡରୁ ପରିଣୀତା ଆଦି ଛାତ୍ରଛାତ୍ରୀ ସେମାନଙ୍କ ବକ୍ତବ୍ୟ ରେ ସ୍କୁଲ ରୂପାନ୍ତର ଦ୍ୱାରା ସଫଳତା ଏବେ ସେମାନଙ୍କ ହାତ ମୁଠାରେ ବୋଲି ମତ ଦେଇଥିଲେ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୪୯୦ ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ୯୫ଟି ହାଇସ୍କୁଲ, କଟକର ୧୩୫ଟି, କଳାହାଣ୍ଡିର ୧୦୦ଟି, ଝାରସୁଗୁଡାର ୭୦ଟି ଓ ବରଗଡର ୯୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି।

ସୂଚନାଯୋଗ୍ୟ ଯେ ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି।

ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି।

ସ୍କୁଲ ରୂପାନ୍ତର ପିଲାଙ୍କ ସ୍ବପ୍ନ ଓ ସଫଳତା ମଧ୍ୟ୍ୟରେ ସେତୁ ପରି ହୋଇଛି। ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି। ଏହି ସୁଯୋଗ ର ଉପଯୋଗ କରି ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇ ଥିଲେ।

ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା। ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ତେଣୁ ଆତ୍ମବିଶ୍ୱାସ ର ସହ ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ. ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ।

ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର।

ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା। ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି। ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି। ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲ।

ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ମନ୍ତ୍ରୀ ନବକିଶେର ଦାସ, ବିଧାୟକ ଧ୍ରୁବ ଚରଣ ସାହୁ, ବିଧାୟକ ଦେବୀପ୍ରସାଦ ମିଶ୍ର, କଳାହାଣ୍ଡି ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ୫ଟି କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ କରି ଗଢ଼ିତୋଳିବ ବୋଲି ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପିଲାମାନଙ୍କ ସ୍ୱପ୍ନ ସାକାର ହେଲେ ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ: ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ “୫ଟି’ ଉପକ୍ରମ ଅଧୀନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧୮୦ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସୁନ୍ଦରଗଡ଼କୁ ମିଶାଇ ୪ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୪୪୦ଟି ହାଇସ୍କୁଲର ଲୋକାର୍ପଣ ହୋଇଯାଇଛି।

ଶନିବାର ସନ୍ଧ୍ର‌୍ୟାରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ସଂପୃକ୍ତ ରୂପାନ୍ତରିତ ହାଇସ୍କୁଲଗୁଡ଼ିକର ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ୫ଟି ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲା ପାଇଁ ବଡ଼ ଗାଁ ବ୍ଲକ ଦେଓକରଣପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲାପାଳ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକମାନେ ଯୋଗ ଦେଇଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ପ୍ରତ୍ୟେକ ପିଲାଙ୍କ ଭିତରେ ଭରି ରହିଛି ବିପୁଳ ସମ୍ଭାବନା। ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଏବଂ ଜୀବନରେ କିଛି ବଡ଼ କରିବାର ସ୍ୱପ୍ନ। ସ୍କୁଲ ରୂପାନ୍ତରଣ ପିଲାମାନଙ୍କ ଏହି ସ୍ୱପ୍ନରେ ଡେଣା ଯୋଡିପାରିଛି। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ପିଲାମାନଙ୍କ ସ୍ୱପ୍ନ ସାକାର ହେଲେ,  ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ ଏବଂ ନୂଆ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହେବ।”

ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ। ଜୀବନର ଏ ଗୁରୁତ୍ୱପୂର୍ଣ୍ଣ ସମୟକୁ ଠିକ୍ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି। ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ। ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ଆମ ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ “୫ଟି’ର ମହତ୍ତ୍ୱ ବିଷୟରେ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନଠାରେ ଯୋଡ଼ି ହୋଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ। ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।

ଦେଓକରଣପୁର ହାଇସ୍କୁଲଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି କାର୍ଯ୍ୟକ୍ରମର ସଂଚାଳନ କରି ରାଜ୍ୟ ସରକାରଙ୍କ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ସ୍ୱପ୍ନର ରୂପାନ୍ତରଣରେ ବିଶେଷ ସହାୟକ ହେବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଉପସ୍ଥିତ ଥିଲେ ସ୍ଥାନୀୟ ଦେଓକରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଦେବରାଜ ମହାନନ୍ଦିଅ ରାଜ୍ୟ ସରକାରଙ୍କ ଏହି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଥିଲେୟ ଏହା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତର ସ୍‌ୱପ୍ନକୁ ସାକାର କରିବାରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଦେବରାଜ କହିଥିଲେ ଯେ, ସେ ଭବିଷ୍ୟତରେ ଆଇପିଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ କହିଥିଲେ ଯେ, “ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା ଆଜି ପିଲାମାନଙ୍କ ଭିତରେ ପାଠପଢ଼ା ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିଛି। ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ରୂପାନ୍ତରିତ ସରକାରୀ ହାଇସ୍କୁଲ ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇପାରିଛି।”

ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପରିକଳ୍ପନା ହେଉଛି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ୨୦୨୧ ନଭେମ୍ବର ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ରୂପାନ୍ତରିତ ହୋଇଥିବା ୬୭ଟି ସରକାରୀ ହାଇସ୍କୁଲର ଲୋକାର୍ପଣ କରିଥିଲେ।

ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ଆଜି ସରକାରୀ ହାଇସ୍କୁଲର ପରିବେଶକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଏହା ଅଧୀନରେ ସରକାରୀ ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ପାଠାଗାର ଓ ଇ-ଲାଇବ୍ରେରି, ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗଶାଳା ଆଦି ସୃଷ୍ଟି କରାଯାଇଛି। ପାଠପଢ଼ା ସହିତ କ୍ରୀଡ଼ାର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ସର୍ଜନାତ୍ମକ ପ୍ରତିଭାର ପ୍ରଦର୍ଶନ ଲାଗି ବିଶେଷ ସୁଯୋଗ ସୃଷ୍ଟି କରାଯାଉଛି। ଏହି ଅଭିନବ କାର୍ଯ୍ୟକ୍ରମ ସ୍କୁଲଗୁଡ଼ିକର ଶିକ୍ଷା ପରିବେଶରେ ଉନ୍ନତି ଆଣିବା ସହିତ ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ଗଢ଼ିବାରେ ବିଶେଷ ସହାୟକ ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ଦେଓକରଣପୁର ହାଇସ୍କୁଲଠାରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ କୁମାର ଟପ୍ପୋ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ପଧାନଙ୍କ ସହ ଡିଏମଏଫ ଏବଂ ଓମ୍ବାଡସିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଲର୍ଣ୍ଣିଂ ବାଏ ଡୁଇଙ୍ଗ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପଦାର୍ଥ ବିଜ୍ଞାନ ସମ୍ପର୍କରେ ବିଭିନ୍ନ ଶିକ୍ଷଣୀୟ ବିଷୟ ପ୍ରଦର୍ଶନ କରାଯାଇଥିଲା। ତା’ଛଡ଼ା ଏହି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ଯୋଡ଼ିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ହାଇସ୍କୁଲରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Categories
ବିଶେଷ ଖବର

OUTRରେ ଭିତ୍ତିଭୂମିର ବିକାଶ ସହିତ ଖୋଲିବ ନୂଆ ପାଠ୍ୟକ୍ରମ: ପ୍ରଥମ ପର୍ଯ୍ୟାୟରେ ବିନିଯୋଗ ହେବ ୩ଶହ କୋଟି

ଭୁବନେଶ୍ବର: Odisha university of technology and research କୁ engineering ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବର ଘାଟିକିଆ ଠାରେ ଥିବା Odisha University of Technology & Research ପରିଦର୍ଶନ କରି ସେଠାରେ ଭିତ୍ତିଭୂମିର ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CET) ଭାବରେ ପରିଚିତ ଥିବାବେଳେ ଏବେ ଏହା OUTR ବା ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ ହୋଇଛି। ୨୦୨୧ ଜୁଲାଇ ୧୭ ତାରିଖରେ ଏହି ପରିବର୍ତ୍ତନ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା।

କଲେଜରୁ ବିଶ୍ବବିଦ୍ୟାଳୟ ହେବାପରେ ଏହାର ଭିତ୍ତିଭୂମିର ବିକାଶକୁ ଦୃଷ୍ଟିରେ ରଖି ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଆଇ ଟି ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି OUTR ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରି ଭିତ୍ତିଭୂମିର ବିକାଶ ସମ୍ପର୍କ ରେ ଆଲୋଚନା କରିଛନ୍ତି।

ଏହି ଆଲୋଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୩୦୦ କୋଟି ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ଅଧିକ ୪ଟି ବିଭାଗ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ୨ରୁ ୩ବର୍ଷ ମଧ୍ୟରେ ବିକାଶ କାର୍ଯ୍ୟ ଓ ଭିତ୍ତିଭୂମି ସ୍ଥାପନ କରି ଜାତୀୟସ୍ତରରେ କିଭଳି ଏହାକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କରାଯିବ ସେଥିପ୍ରତି ଆଲୋଚନାରେ ଗୁରୁତ୍ବ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ବିଶ୍ବବିଦ୍ୟାଳୟରେ ମୋଟ ୨୬ଟି ବିଭାଗ ଥିବା ବେଳେ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହାକୁ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି।

ବିଶ୍ବବିଦ୍ୟାଳୟର ପ୍ରସ୍ତାବିତ ମାଷ୍ଟର ପ୍ଲାନ ଦେଖିବା ସହ ଭିତ୍ତିଭୂମିର ଆବଶ୍ୟକତା, କର୍ମଚାରୀ ଓ ଅଧ୍ୟାପକଙ୍କ ଆବଶ୍ୟକତା ସମେତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସମ୍ପର୍କରେ ଶ୍ରୀ ପାଣ୍ଡିଆନ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ ବିଭାଗୀୟ ସଚିବଙ୍କ ସହ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଛନ୍ତି।

OUTRକୁ ଗସ୍ତ ସମୟରେ ୫-ଟି ସଚିବ ବିଶ୍ବବିଦ୍ୟାଳୟର ବିଭିନ୍ନ ଲାବୋରେଟୋରୀ ଓ ସ୍ମାର୍ଟକ୍ଲାସ ବୁଲି ଦେଖିଥିଲେ। ଏହାସହିତ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଫିଡ଼ବ୍ୟାକ ନେଇଥିଲେ। ୫-ଟି ସଚିବଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ନିଜ ଶିକ୍ଷାନୁଷ୍ଠାନର ଉନ୍ନତି ବିଷୟରେ ଜାଣି ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଇଞ୍ଜିନିଅରିଂ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ବିଶେଷ ଭାବରେ ଉପକୃତ ହେବେ।

କୋଭିଡ ସମୟରେ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା। ଏହି ସମୟରେ ରାଜ୍ୟରେ ପ୍ରଥମେ ସ୍କୁଲ ଓ ପରେ କଲେଜର ରୂପାନ୍ତରିକରଣ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଏବେ ବିଶ୍ବବିଦ୍ଯାଳୟ ଗୁଡିକର ରୂପାନ୍ତର ପାଇଁ ପଦକ୍ଷେପ ଆରମ୍ଭ ହୋଇଛି।

Categories
ବିଶେଷ ଖବର

ସବୁଠାରୁ ଗରୀବ ଲୋକଙ୍କ ବିଶ୍ବାସ ହାସଲ ହିଁ ଆମର ଶ୍ରେଷ୍ଠ ସଫଳତା: ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ଵରୂପ ଦଳର ଏମ୍‌.ପି. ଏମ.ଏଲ.ଏ , ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚ୍ୟୁଆଲ ମାଧ୍ୟମରେ କଥା ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତ ପଞ୍ଚାୟତ ନିର୍ବାଚନରେ ଦଳର ବିପୁଳ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀ ତଥା ଦଳର କର୍ମୀ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ପଞ୍ଚାୟତ ନିର୍ବାଚନରେ, ଆମର ଏହି ଅସାଧାରଣ ଓ ଅଭୂତପୂର୍ବ ସଫଳତା ପାଇଁ, ମୁଁ ସବୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଓଡିଶାବାସୀ ପୁଣିଥରେ, ଆମ କାମ ଉପରେ, ଆସ୍ଥା ପ୍ରକାଶ କରିଛନ୍ତି। ଏହି ବିଜୟ, ଗଣତାନ୍ତ୍ରିକ ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କରିଛି। ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ, ଓଡିଶାର, ସବୁ ଅଞ୍ଚଳର ଜନସାଧାରଣ, ଏହି ନିର୍ବାଚନରେ ସମାନ ଭାବରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି।”

“ଏହି ଆଶୀର୍ବାଦ ଓ ସ୍ନେହ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି।”

“ମୁଁ ଧନ୍ୟବାଦ ଦେଉଛି ଆମର କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ, ଯେଉଁମାନେ ରାତିଦିନ ଏକ କରି କାମ କରି ନିଜର ସବୁ ସୁଖ ସୁବିଧା ତ୍ୟାଗ କରି ଆମ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।”

“ଏହି ସଫଳତା ହେଉଛି ଆପଣମାନଙ୍କର ଯେଉଁମାନେ ଘର ଘର ବୁଲି ପ୍ରଚାର କରି ଲୋକଙ୍କୁ ବୁଝାଇଛନ୍ତି। ଏ ସଫଳତା ହେଉଛି ଓଡିଶାବାସୀଙ୍କର, ଯେଉଁମାନେ ଆମର governanceରେ ଆସ୍ଥା ରଖିଛନ୍ତି। Finally, in a democracy, the people’s voice is supreme ଏବଂ ରାଜ୍ୟର ସବୁ ପଞ୍ଚାୟତରେ ଜନମତ ସ୍ପଷ୍ଟ ଓ unambiguously ହୋଇଛି।”

“ବିଜୁ ଜନତା ଦଳ ଓଡିଶାବାସୀଙ୍କର ଏହି ମତକୁ ନମ୍ରତାର ସହ ଗ୍ରହଣ କରିଛି। ଆମେ ଆମର ଭଲ କାମ ଜାରି ରଖିବୁ।”

ଆଗାମୀ ପୌର ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳଙ୍କର ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ବର୍ତ୍ତମାନ Urban Electionର ସମୟ ଆସିଛି । ଆପଣ ଜାଣନ୍ତି, ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ କେତେ ଅପପ୍ରଚାର କରିଛନ୍ତି। ମୋ ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି ଓ Negative Politics କରିଛନ୍ତି। କିନ୍ତୁ ଓଡିଶାବାସୀ ସେମାନଙ୍କ କଥାକୁ ଗୁରୁତ୍ବ ଦେଇନାହାନ୍ତି। ଆଗାମୀ Urban Electionରେ ମଧ୍ୟ ସେମାନେ ପୁଣିଥରେ ସେହିଭଳି ଅପପ୍ରଚାର କରିବେ। ଲୋକଙ୍କ ଆଗରେ ବିରୋଧୀ ଦଳଙ୍କ ଅପପ୍ରଚାରର ମୁଖା ଖୋଲିବା ହେଉଛି ଆମ ଦଳର ପ୍ରତି କର୍ମୀ ଭାଇଭଉଣୀ ମାନଙ୍କର ଦାୟିତ୍ବ।”

ବିଜୁ ଜନତା ଦଳର ଆଦର୍ଶ ଓ ସହରାଞ୍ଚଳର ବିକାଶ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଆମେ Positive Politicsରେ ବିଶ୍ବାସ କରୁ। ସକରାତ୍ମକ ରାଜନୀତି। Transformative Governance ଏବଂ ଲୋକଙ୍କର empowerment ହେଉଛି ଆମର ହଲ୍‌ମାର୍କ। Urban areaରେ ଅନେକ ଭଲ କାମ ହୋଇଛି। ସହରର ଗରିବ ଲୋକଙ୍କ ପାଇଁ ଜାଗା ମିଶନ ଏକ ନୂଆ benchmark ସୃଷ୍ଟି କରିଛି। Street light ଠାରୁ ଆରମ୍ଭ କରି Indoor Stadium, ଭଲ ପିଇବା ପାଣି ଠାରୁ ଆରମ୍ଭ କରି Modern Waste Management systems, ମିଶନ ଶକ୍ତିର ମା ମାନଙ୍କ ପାଇଁ ରୋଜଗାରର ନୂଆ ନୂଆ ସୁଯୋଗ , Ward levelରେ ଭିତ୍ତିଭୂମି ଓ ନାଗରିକ ସୁବିଧା ଏବଂ ଅନ୍‌ଲାଇନରେ ମ୍ୟୁନିସପାଲ ସେବା। ନାଗରିକ ମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ତିଆରି କରାଯାଇଛି। ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଆପାର୍ଟମେଣ୍ଟର ମାଲିକ, ମା ମାନଙ୍କ ଠାରୁ ଆରମ୍ଭ କରି ଶିଶୁ ତଥା ଯୁବସମାଜ…………. ସମସ୍ତଙ୍କ empowerment ପାଇଁ ଆମେ commitmentର ସହ କାମ କରୁଛୁ।”

ଓଡିଶାବାସୀ ନକରାତ୍ମକ ରାଜନୀତିକୁ କେବେ ବି ଗ୍ରହଣ କରିବେ ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ ଏହିସବୁ କାର୍ଯ୍ୟକ୍ରମକୁ ଆମକୁ ଲୋକଙ୍କ ପାଖକୁ ନେଇଯିବାକୁ ହେବ। ବିରୋଧୀ ଦଳଙ୍କର ମିଛ ତଥା Negative Politicsକୁ ଆମର ସକରାତ୍ମକ ତଥା ସତ୍‌ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡିବ। ମୋର ପୁରା ବିଶ୍ବାସ, ଏହି ପଞ୍ଚାୟତ electionରେ ଆପଣମାନେ ଯେପରି କଠିନ ପରିଶ୍ରମ କରିଥିଲେ, Urban Electionରେ ମଧ୍ୟ ସେହିପରି ଉଦ୍ୟମ ଜାରି ରଖିବେ। ଆମେ ପୁଣି ଥରେ ଲୋକଙ୍କ ଆସ୍ଥା ଓ ଆଶୀର୍ବାଦ ଲାଭ କରିପାରିବା ଏବଂ ବିରୋଧୀ ଦଳଙ୍କୁ ଦେଖାଇ ଦେବା ମିଛ ଓ ଛଳନାର ରାଜନୀତି ଓଡିଶାରେ କାମ କରିବ ନାହିଁ।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ। ଗୋଟିଏ ଗଣତନ୍ତ୍ରରେ ଲୋକମାନେ ହିଁ ହେଉଛନ୍ତି, କ୍ଷମତାର ସ୍ରୋତ। ରାଜ୍ୟର ସବୁଠାରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଟିର ବିଶ୍ବାସ ହେବା ଦରକାର ଯେ ବିଜୁ ଜନତା ଦଳ ସବୁବେଳେ ତାର କଲ୍ୟାଣ ଏବଂ ତାର Empowerment ପାଇଁ କାମ କରୁଛି। ଏହି ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ପରିଶେଷରେ ଏହି ଅଭୂତପୂର୍ବ ଜନାଦେଶ ପାଇଁ ଓଡିଶାର ଜନସାଧାରଣଙ୍କୁ ଓ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଧନ୍ୟବାଦ ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ୟୁକ୍ରେନରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ରୁଷିଆ ୟୁକ୍ରେନ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଏହି ଅକ୍ରମଣରେ ଏପର୍ଯ୍ୟନ୍ତ ୩୦୦ରୁ ଉର୍ଦ୍ଧ୍ୱ ଲୋକ ମରିବା ସହିତ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୮ଟି ଯୁଦ୍ଧ ବିମାନ ଖସି ପଡ଼ିଥିବାର ଖବର ଆସି ପହଞ୍ଚିଛି। ରୁଷିଆରେ ଏହି ଆକ୍ରମଣ ଫଳରେ ୟୁକ୍ରେନରେ ଥିବା ୨୦ ହଜାର ଭାରତୀୟ ଅତି ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି।

ଭାରତ ସରକାର ତାଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆ ବିମାନ ପଠାଇଥିଲେ ମଧ୍ୟ ବିମାନ ଯାଇନପାରି ଫେରିଆସିଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ପାଖାପାଖି ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ୟୁକ୍ରେନରେ ରହି ପାଠ ପଢୁଛନ୍ତି। ଏହି ଆକ୍ରମଣ ଯୋଗୁଁ ସେମାନଙ୍କର ନିରାପତ୍ତା ବିପନ୍ନ ହୋଇପଡ଼ିଛି। ସେମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ରହି ଜୀବନ ବିତାଉଛନ୍ତି।

ସୌଭାଗ୍ୟର କଥା ମୋବାଇଲ ଟେଲିଫୋନ ଥିବାଯୋଗୁ ସେମାନେ, ସେମାନଙ୍କ ପରିବାର ସହିତ ସମ୍ପର୍କରେ ଅଛନ୍ତି। ପରିବାର ମଧ୍ୟ ମାନସିକ ଅବସାଦ ଭିତରେ ଦିନ କାଟୁଛି। ଓଡ଼ିଶା ସରକାର, କେନ୍ଦ୍ର ସରକାର ଓ ଭାରତ ଉଚ୍ଚ ଆୟୁକ୍ତଙ୍କ ସହିତ ସମ୍ପର୍କ ସ୍ଥାପନ କରି ଓଡ଼ିଆ ଛାତ୍ରଛାତ୍ରୀଙ୍କର ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଏହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ନୋଡ଼ାଲ ଅଫିସର ନିଯୁକ୍ତ କରିବା ଓ ଏକ ଟୋଲ ଫ୍ରି ନମ୍ବର ଜାରି କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି। ଏହା ଫଳରେ ସେମାନଙ୍କ ସହିତ ଓ ଭାରତ ସରକାରଙ୍କ ସହିତ ଉପଯୁକ୍ତ ସମନ୍ୱୟ ରଖାଯାଇପାରି ସେମାନଙ୍କର ନିରାପତ୍ତାକୁ ନିଶ୍ଚିତ କରାଯାଇ ପାରିବ।

Categories
Hockey Worldcup23 ବିଶେଷ ଖବର

କଳିଙ୍ଗ ଷ୍ଟାଡିଅମ୍‌ ର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ହେଉଛି ଦେଶର ସର୍ବ ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ। ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ‌ଆଥଲେଟ ମାନଙ୍କ ପାଇଁ ଏହି ଇନ୍‌ଡୋର ସୁବିଧା ଦେଶରେ ଆଥଲେଟିକ୍‌ ଖେଳର ବିକାଶକୁ ଜୋରଦାର କରିବ ଏବଂ ଏହି ଷ୍ଟାଡିଅମ ଆଗାମୀ ଦିନରେ ଆଥଲେଟିକ ଚମ୍ପିଆନ ସୃଷ୍ଟି କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ।

ଏହି ଷ୍ଟାଡିଅମଟି ୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି ଏବଂ ଚଳିତ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ କ୍ରୀଡା ଅନୁଷ୍ଠିତ ହେବ ଏବଂ ଖେଳାଳୀମାନେ ସାରା ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ। ଶହେ ଜଣ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି।

ଏହାପରେ ମୁଖ୍ୟମନ୍ତ୍ରୀ ନିର୍ମଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ଟେନିସ୍‌ ସେଣ୍ଟର ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ ଭଳି ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଅନୁଷ୍ଠିତ ହେବାର ସୁବିଧା ଉପଲବ୍ଧ ହେବ।

ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧୀନରେ ଏହିସବୁ କ୍ରୀଡା ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାଦ୍ବାରା ରାଜ୍ୟର କ୍ରୀଡା କ୍ଷେତ୍ରରେ ରୂପାନ୍ତର ଆସିପାରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ କଳିଙ୍ଗ ଷ୍ଟାଡିଅମ୍‌ କମ୍ପେଲେକ୍‌ସରେ ଇନ୍‌ଡୋର ଆଥଲେଟିକ ଷ୍ଟାଡିଅମ ଓ ଟେନିସ ସେଣ୍ଟର ସହିତ ଇନ୍‌ଡୋର ଆକ୍ବାଟିକ୍‌ସ ଷ୍ଟାଡିଅମ, Hockey HPC Building, ଓ ଷ୍ଟାଫ ମାନଙ୍କ ପାଇଁ ଆବାସିକ ବ୍ୟବସ୍ଥା ଆଦି ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ଚାଲିଛି।

ଏହାପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅମର ମୁଖ୍ୟ ଫୁଟବଲ୍‌ ପଡିଆରେ ଅନୁଷ୍ଠିତ ହେଉଥିବା ଓଡିଶା ମହିଳା ଫୁଟବଲ ଲିଗ୍‌ର ମ୍ୟାଚ ଦେଖିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଜାତୀୟ ହକୀ ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳୀ ମାନଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସଂପର୍କରେ ପଚାରି ବୁଝିଥିଲେ। ହକୀ କ୍ରୀଡାକୁ ମୁଖ୍ୟମନ୍ତ୍ରୀ ଯେଉଁ ସହଯୋଗ ଯୋଗାଇ ଦେଇଛନ୍ତି, ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗାମୀ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଗାମୀ ଏସିଆନ ଓ କମନୱେଲ୍‌ଥ ଗେମ୍‌ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିବା ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଓ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସଂଧ୍ୟାରେ ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୃଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମନ୍ଦିର ଭିତରେ ଚାଲିଚାଲି ବେଢା ପରିକ୍ରମା କରିଛନ୍ତି। ସେ ପ୍ରାୟ 15 ମିନଟ ସମୟ ମନ୍ଦିର ଭିତରେ ପରିକ୍ରମା କରିଥିଲେ।

ଏହି ଗସ୍ତ ସମୟରେ ସେ ମନ୍ଦିର ସେବକମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ସେବକମାନେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ପୂଜା କରିଥିଲେ। ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ନବୀନ ଏକାମ୍ର ଯୋଜନାର ଅଗ୍ରଗତି ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଛି ବୋଲି ଗୁଜବ ସୃଷ୍ଟି ହୋଇଥିଲା। ଯାହାକୁ ମୁଖ୍ୟମନ୍ତ୍ରୀ ନିଜେ ମନ୍ଦିର ଆସି ସେହି ଗୁଜବ ଭୁଲ ବୋଲି ପ୍ରମାଣିତ କରିଥିଲେ।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି, ଉପକୃତ ହେବେ ୩୩,୦୩୮ ଶିକ୍ଷକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକ ମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ।

ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ମାନଙ୍କ ବର୍ତ୍ତମାନ ଦରମା ୭୪୦୦ ଟଙ୍କା ଥିବାବେଳେ ଏହା ୧୧,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି କନିଷ୍ଠ ଶିକ୍ଷକ ମାନଙ୍କ ଦରମା ୯,୨୦୦ ଟଙ୍କ ଥିବାବେଳେ ଏହା ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ନିଷ୍ପତ୍ତି ଦ୍ବାରା ୧୩,୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଉପକୃତ ହେବାବେଳେ, ୧୯,୭୧୪ କନିଷ୍ଠ ଶିକ୍ଷକ ଉପକୃତ ହେବେ। ସମୁଦାୟ ୩୩,୦୩୮ ଜଣ କନିଷ୍ଠ ଶିକ୍ଷକଙ୍କ ଦରମାରେ ବୃଦ୍ଧି ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆମ୍ରି ହସ୍ପିଟାଲ ପରିଦର୍ଶନ: ବିଜୁ ସ୍ୱାସ୍ଥ୍ୟକାର୍ଡରେ ଚିକିତ୍ସିତ ରୋଗୀଙ୍କୁ ଭେଟି ବୁଝିଲେ ସ୍ବାସ୍ଥ୍ୟବସ୍ଥା

ଖୋର୍ଦ୍ଧା: ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ସାମିଲ ହୋଇଥିବା ପୁରୁଷ ହିତାଧିକାରୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଓ ମହିଳା ହିତାଧିକାରୀଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ଯୋଜନାକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଉଥିବା ବେଳେ ଅନେକ ଘରୋଇ ହସ୍ପିଟାଲରେ ଏହି କାର୍ଡକୁ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି।

ତେବେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ଆମ୍ରି ହସ୍ପିଟାଲ ପରିଦର୍ଶନ କରିଥିଲେ ଏଆବ୍ମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇ ଚିକିତ୍ସାଧୀନ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିରେ ଚିକିତ୍ସାଧୀନ ହେଉଥିବା ରୋଗୀମାନେ ଉତ୍ତମ ଚିକିତ୍ସା ସୁବିଧା ପାଉଥିବାରୁ ସେମାନେ ଖୁସିରେ ଅଛନ୍ତି ଓ ଆନନ୍ଦ ପ୍ରକାଶ କରିଥିଲେ।

ଏହି ସମୟରେ ଚିକିତ୍ସାଧୀନ ହରସ ବରାଡ଼, ଧୂରେନ୍ଦ୍ର ଲାଲ ସିଂଦେଓ, ନରସିଂହ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖୋର୍ଦ୍ଧା ଜିଲ୍ଲାପାଳ ପଚାରି ବୁଝିଥଲେ। ଏବଂ ହସ୍ପିଟାଲ ପକ୍ଷରୁ ସେମାନଙ୍କର ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା କରାଯାଇଥିବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ।

Categories
ବିଶେଷ ଖବର

କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ। ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବର୍ତ୍ତନ କରିବାକୁ ହେବ। ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ଯ୍ୟକ୍ରମ ଦୁଇ ବର୍ଷ ଧରି ଆରମ୍ଭ ହୋଇଛି। ପ୍ରଶାସନିକ ସ୍ତରରେ ସରକାରଙ୍କ ଏହି ରୂପାନ୍ତର ଉଦ୍ୟମ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ସପକ୍ଷରେ ବିଶ୍ବାସ ସୃଷ୍ଟି କରିପାରିଛି। ଏହି ପ୍ରକ୍ରିୟା ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି।

ସରକାରୀ ଅଧିକାରୀଙ୍କ ମଧ୍ୟରେ ବୃତ୍ତିଗତ ବ୍ୟବହାର ଆଣିବା ପାଇଁ ରାଜ୍ୟ ସରକାରଙ୍କ କ୍ରମାଗତ ଉଦ୍ୟମ ସଫଳ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ। ସରକାରୀ ଅଧିକାରୀମାନେ ଏବେ ଜନସାଧାରଣଙ୍କ ସହିତ ଅଧିକ ଦାୟିତ୍ବସମ୍ପନ୍ନ ତଥା ସହୃଦୟତାର ସହ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୋ ସରକାରରୁ ମିଳିଥିବା ଫିଡ୍‌ବ୍ୟାକ୍‌ ଅନୁଯାୟୀ ସରକାରଙ୍କ ଅନେକ ବିଭାଗ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ସନ୍ତୋଷ ପ୍ରକାଶ କରିଥିଲେ।

ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ସେବା ମୋ ସରକାର କାର୍ଯ୍ୟକ୍ରମର ଲକ୍ଷ୍ୟ ଅନୁଯାୟୀ ଯେପରି ସର୍ବୋତ୍ତମ ଭାବେ କାର୍ଯ୍ୟ କରିବ, ସେଥିପାଇଁ ଧ୍ୟାନ ଦେବା ପାଇଁ ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ନାଗରିକ ମାନଙ୍କ ଡାଟାବେସ୍‌କୁ ସବୁ ସମୟରେ ନବୀକୃତ କରିବା ଜରୁରୀ ବୋଲି ସେ କହିଥିଲେ। ଏହା ଆମର ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ନୀତିକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରୁ ଜଣାଯାଇଛି ଯେ ମୋ ସରକାର କାର୍ଯ୍ୟକ୍ରମରେ ୨୮ଟି ବିଭାଗର ୨୨୨ଟି ସେବା ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏ ସଂପର୍କରେ ଲୋକମାନଙ୍କ ପାଖରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ନିୟମିତ ତଥ୍ୟ ସଂଗ୍ରହ କରାଯାଇଛି।

ଆଜିର ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍ବରଷ୍ଟ୍ର ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଉପସ୍ଥାପନା ଜରିଆରେ ସେମାନଙ୍କ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରୀତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହି ବିଭାଗର ସମୂହର ସେବା ପାଇଁ ମୋଟାମୋଟି ଭାବରେ ସନ୍ତୋଷଜନକ ପ୍ରତିକ୍ରିୟା ମିଳିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆହୁରି ଅଧିକ ନିଷ୍ଠାର ସହ ସେବା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଉପସ୍ଥାପିତ ତଥ୍ୟର ଅନୁଶୀଳନ କରି ଏହି କାର୍ଯ୍ୟକ୍ରମର କିପରି ଅଧିକ ଉନ୍ନତି ଆସିପାରିବ, ସେ ସଂପର୍କରେ ମତାମତ ରଖିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ମହାନିର୍ଦ୍ଦେଶକ ଅଭୟ, ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ।

ଇଲେକ୍ଟ୍ରୋନିକ୍‌ସ ଓ ଆଇଟି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ଏକ ସାମଗ୍ରୀକ ଉପସ୍ଥାପନା ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଶିବଶଙ୍କର ଫେରିପାଇଲେ ଓମ୍‌ଫେଡ଼ ବୁଥ୍‌

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ଶିବଶଙ୍କର ଜେନାଙ୍କ ଓମ୍‌ଫେଡ଼୍ ବୁଥ୍ ଆଚାର୍ଯ୍ୟ ବିହାରସ୍ଥିତ ଆର.ଟି.ଓ. ଅଫିସ୍ ସମ୍ମୁଖରେ ଉଦ୍‌ଘାଟିତ ହୋଇଯାଇଛି। ଏଠାରେ ପ୍ରକାଶଥାଉକି ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶିବଶଙ୍କର ବାପା ଆରଟିଓ ଅଫିସ୍ ସମ୍ମୁଖରେ ଚା’ ଦୋକାନ କରି ନିଜର ଗୁରୁରାଣ ମେଣ୍ଟାଉଥିଲେ। ବାପାଙ୍କ ମୃତ୍ୟୁପରେ ଚା’ ଦୋକାନର ଦାୟିତ୍ୱ ନେଇଥିଲେ ଶିବଶଙ୍କର।

ଶିବଶଙ୍କର ଆଜକୁ ୨୦ବର୍ଷ ଧରି ଚା ଦୋକାନ କରି, ସେଥିରୁ ଉପାର୍ଜନ କରୁଥିବା ଅର୍ଥକୁ ସମାଜସେବାରେ ବିନିଯୋଗ କରିବା ସହିତ, ଗରିବ ନିଃସହାୟ ଲୋକଙ୍କ ସେବାରେ ନିୟୋଜିତ କରି ଆସୁଥିଲେ। କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଗତ ଦୁଇବର୍ଷ ତଳେ ବିଏମ୍‌ସି, ବିଡ଼ିଏ, ଜିଏ ଓ ପୋଲିସ୍ ପ୍ରଶାସନର ମିଳିତ ଉଦ୍ୟମରେ ଶିବଶଙ୍କର ଚା’ ଦୋକାନଟିକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ। ମାଟିରେ ମିଶିଯାଇଥିବା ଚା’ ଦୋକାନକୁ ଦେଖି ଶିବଶଙ୍କର ଗଭୀର ମର୍ମାହତ ହୋଇପଡ଼ିଥିଲେ।

ଏହାପରେ ନିରୁପାୟ ହୋଇ ଶିବଶଙ୍କର ପ୍ରଶାସନିକ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସହାୟତା ମିଳିନଥିଲା। ପରେ ସେ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାକୁ ବିଚାର କରି ଶିବଶଙ୍କରଙ୍କୁ ତାଙ୍କ ଚା ଦୋକାନକୁ ଫେରାଇ ଦେବା ପାଇଁ ବିଏମ୍‌ସିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ବିଏମ୍‌ସିର ଅଫିସରମାନେ ଆସି ଶିବଶଙ୍କରଙ୍କୁ ଭେଟି ତାଙ୍କୁ ଦୋକାନ ତିଆରି କରିବା ପାଇଁ ଜାଗା ଚିହ୍ନଟ କରିଥିଲେ। ଚିହ୍ନଟ ପରେ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ କିଛି ସହୃଦୟ ବ୍ୟକ୍ତି ମଧ୍ୟ ଶିବଶଙ୍କରକୁ ସହଯୋଗର ହାତ ବଢାଇଥିଲେ। ସେହି ଅନୁଦାନ ଅର୍ଥରେ ଶିବଶଙ୍କର ଆଜି ତାଙ୍କର ଓମ୍‌ଫେଡ଼ ବୁଥ୍‌ଟିକୁ ଭୁବନଶ୍ୱେର ମଧ୍ୟ ବିଧାୟକ ମାନ୍ୟବର ଅନନ୍ତ ନାରାୟଣ ଜେନାଙ୍କ କରକମଳରେ ଉଦ୍‌ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ଓମ୍‌ଫେଡ଼ର ମାର୍କେଟିଂ ନିର୍ଦ୍ଦେଶକ ଡ୍ୟୁରେଜ ଅହମ୍ମଦ, ସୁପରିଟେଣ୍ଡେଣ୍ଟ ମାର୍କେଟିଙ୍ଗ ଶଶିକାନ୍ତ ସ୍ୱାଇଁ, ରୋଡ଼ ଇନ୍‌ଚାର୍ଜ ଅଲେଖ ଚନ୍ଦ୍ର ମଲ୍ଲିକ, ସଦସ୍ୟ ମନୋରଞ୍ଜନ ମିଶ୍ର, ପୂର୍ବତନ କର୍ପୋରେଟର ଶେଖ୍ ନିଜାମୁଦ୍ଦିନ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି, ନାରୀନେତ୍ରୀ ଅନୁ ଅପା, ଉତ୍କଳ ୟୁନିଭରସିଟି ବାଣିବିହାର ସଭାପତି ତଥା ବିଜୁ ଜନତା ଦଳର ଯୁବ ସମ୍ପାଦକ ତନ୍ମୟ ସ୍ୱାଇଁ ସମାଜସେବୀ ଆର. ସନ୍ତୋଷ ଦୋରା ଏବଂ ୱାର୍ଡ଼ ନଂ-୨୯ର ୱାର୍ଡ଼କମିଟି ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ଵର: ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି।

୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ବର୍ଷାଜଳ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ଆମ୍ବ, କାଜୁ, ନଡିଆ, ପାନବରଜ, କିଆ ଆଦି ସବୁଦିନିଆ ଫସଲ ନିମନ୍ତେ ହେକ୍ଟର ପିଚ୍ଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ।

ସବୁଦିନିଆ ଫସଲ କ୍ଷତି ପାଇଁ Input subsidy ଭାବରେ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ୧୦୦୦ ଟଙ୍କା ଦିଆଯିବ। ପ୍ରମାଣୀକୃତ ଉଚ୍ଚମାନର ବିହନ – କ୍ଷତିଗ୍ରସ୍ତ ୧୨ଟି ଜିଲ୍ଲାର ଚାଷୀମାନଙ୍କୁ ୧୨ ହଜାର କ୍ବିଣ୍ଟାଲ ବିହନ ରିହାତି ଦରରେ ଯୋଗାଇ ଦିଆଯିବ ଏବଂ ବର୍ତ୍ତମାନ ରିହାତି ପରିମାଣର ଅତିରିକ୍ତ ୨୫ ପ୍ରତିଶତ DBT ଜରିଆରେ ୨୦୨୧-୨୨ ରବି ଫସଲ ପାଇଁ ଦିଆଯିବ। କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀ ମାନଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍‌ ଯୋଗାଇ ଦିଆଯିବ। ଏହାସହିତ ୪ ଲକ୍ଷ ପରିବା ବିହନ ମିନିକିଟ୍‌ ମାଗଣାରେ ଯୋଗାଇ ଦିଆଯିବ।

ଫଳ ଓ ପନିପରିବା ଚାଷ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ଏକ ଲକ୍ଷ ସଦସ୍ୟଙ୍କୁ ପ୍ଲାଷ୍ଟିକ ଜାଲି ବାକ୍‌ସ (Crate) ଯୋଗାଇ ଦିଆଯିବ। ପ୍ରତି ସଦସ୍ୟଙ୍କୁ ୯୦ ପ୍ରତିଶତ ରିହାତିରେ ୫ ଗୋଟି କ୍ରେଟ ଯୋଗାଇ ଦିଆଯିବ। ଯାହାଦ୍ବାରା ଫଳ ଓ ପରିବାର ଅମଳ ପରବର୍ତ୍ତୀ କ୍ଷତି କମ୍‌ କରାଯାଇପାରିବ। ଏକ ଲକ୍ଷ ଚାଷୀଙ୍କୁ ସେମାନଙ୍କ ଘର ପଛ ବଗିଚାରେ ଲଗାଇବା ପାଇଁ ମାଗଣାରେ ପ୍ରତ୍ୟେକଙ୍କୁ ୧୦ ଗୋଟି ଫଳ ଚାରା ଯୋଗାଇ ଦିଆଯିବ।

ଏକ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ ପରିବା ଚାଷ ପାଇଁ ସହାୟତା ଦିଆଯିବ। ପ୍ରତି ଚାଷୀଙ୍କୁ ୦.୨୦ ହେକ୍ଟର ପାଇଁ ୪୦୦୦ ଟଙ୍କା ଲେଖାଏ ସହାୟତା ମିଳିବ।

କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କର ଚାଷୀ ମାନଙ୍କୁ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୫୦ କୋଟି ଟଙ୍କାର ରିହାତି ଦିଆଯିବ। ଏହା DBT ଜରିଆରେ ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ଅଞ୍ଚଳରେ ୫୦୦୦ ପମ୍ପସେଟ୍ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ। ଏଥିପାଇଁ ରିହାତିର ସର୍ବୋଚ୍ଛ ପରିମାଣ ୧୦ ହଜାର ଟଙ୍କା ଦିଆଯିବ।

କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ୫୦୦୦ ସ୍ପ୍ରେୟର (ସିଞ୍ଚନ ଯନ୍ତ୍ର) ଯୋଗାଇ ଦିଆଯିବ। ପାୱାର ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୭୫୦ ଟଙ୍କା ଦିଆଯିବ।

ରୋଗପୋକ ନିୟନ୍ତ୍ରଣ ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମଧ୍ୟ ଏହି ପ୍ୟାକେଜରେ ବ୍ୟବସ୍ଥା ରଖାଯାଇଛି। ଏଥିପାଇଁ ରିହାତି ଚାଷୀଙ୍କୁ DBT ଜରିଆରେ ପ୍ରଦାନ କରାଯିବ। ସମୁଦାୟ ୧୬ ହଜାର ହେକ୍ଟର ଜମି ପାଇଁ ଏହି ସହାୟତା ବ୍ୟବାସ୍ଥା କରାଯିବ।

୩୩ ପ୍ରତିଶତ ବା ତାଠାରୁ ଧିକ ଫସଲ କ୍ଷତି ହୋଇଥିବା ଅଞ୍ଚଳରେ ଦିଆଯାଇଥିବା ସ୍ବଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ। ସେହିପରି ଆସନ୍ତା ରବି ଋତୁ ପାଇଁ ଚାଷୀମାନେ ଯେପରି ସୁବିଧାରେ ଫସଲ ଋଣ ଓ କୃଷି ଋଣ କରିପାରିବେ, ସେଥିପାଇଁ ଆନୁଷ୍ଠାନିକ ଆର୍ଥିକ ସଂସ୍ଥା ଦ୍ବାରା ସହାୟତାର ବ୍ୟବସ୍ଥା କରାଯିବ। ଭାଗଚାଷୀ ମାନେ ଯେପରି ରବି ଋତୁରେ ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ Joint Liability Group ଗଠନ ପାଇଁ ତ୍ବରିତ ପଦକ୍ଷେପ ନିଆଯିବ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନେ ଯେପରି ତାଙ୍କ କ୍ଷତିପୂରଣ ଶୀଘ୍ର ପାଇପାରିବେ, ସେଥିପାଇଁ ଅମଳ ପରବର୍ତ୍ତୀ କ୍ଷତିର ତୁରନ୍ତ ଆକଳନ ନିମନ୍ତେ ପଦକ୍ଷେପ ନିଆଯିବ ଏବଂ Crop Cutting Experiement ମଧ୍ୟ ଶୀଘ୍ର ଶେଷ କରାଯିବ। ବାତ୍ୟା ଜୱାଦ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ମାନେ ଯେପରି ରବି ଫସଲ ପାଇଁ ତୁରନ୍ତ ଋଣ ସହାୟତା ପାଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ।

Categories
ବିଶେଷ ଖବର

ନବୀନ, ଏବେ ବି ନମ୍ବର ୱାନ

ସୁବାଷ କୁମାର ତାରଣିଆଁ

ଭୁବନେଶ୍ବର: କ୍ରମାଗତ ଭାବେ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜୁ ଜନତା ଦଳ ଶାସନ କ୍ଷମତାରେ ରହିଆସିଛି। ଏହି ୨୩ ବର୍ଷ ମଧ୍ୟରୁ ପଞ୍ଚମ ପାଳିର ପ୍ରଥମ ଦୁଇବର୍ଷ ବିଭିନ୍ନ କାରଣରୁ ସରକାରଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ପଞ୍ଚମ ପାଳିର ସରକାର ଦାୟିତ୍ୱ ଗ୍ରହଣ କରିବାର ଅବ୍ୟବହିତ ପୂର୍ବରୁ ବାତ୍ୟା ‘ଫନି’ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଧ୍ୱଂସର ତାଣ୍ଡବଲୀଳା ରଚିଥିଲା ଯାହାକି ନବୀନ ପଟ୍ଟନାୟକ ଫନିର ମୁକାବିଲା ଓ ଥଇଥାନ କରିବାରେ ଏକ ଚ୍ୟାଲେଞ୍ଜ ଥିଲା। ଏହାପରେ ୨୦୨୦ ବର୍ଷର ପ୍ରାରମ୍ଭରେ ମହାମାରୀ କରୋନା ଭୂତାଣୁର ପ୍ରଥମ ଲହର ସହିତ ଆଉ ଗୋଟିଏ ବାତ୍ୟା ‘ଅମ୍ଫନ’ର ତାଣ୍ଡବ ସର୍ବୋପରି ପଞ୍ଚମ ପାଳିର ଦ୍ୱିତୀୟ ବର୍ଷର ପୂର୍ତ୍ତିର ଠିକ୍ ପୂର୍ବରୁ ମହାମାରୀ କରୋନାର ଦ୍ୱିତୀୟ ଲହର ସାଙ୍ଗକୁ ବାତ୍ୟା ‘ୟାସ’ର ତାଣ୍ଡବ ବିଜୁ ଜନତା ଦଳ ସରକାର ପ୍ରତି ଏକ ଆହ୍ୱାନ ସୃଷ୍ଟି କରିଥିଲା।

ଓଡ଼ିଶା ରାଜନୀତି କ୍ଷେତ୍ରରେ ନବୀନ ପଟ୍ଟନାୟକ ଏକ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ଓ ଉଜ୍ଜ୍ୱଳ ତାରକା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାକଙ୍କ ସୁପୁତ୍ର ଭାବେ ସେ ଓଡ଼ିଶାରେ ବେଶ ପରିଚିତ। ବିଜୁବାବୁଙ୍କ ମୃତ୍ୟୁପରେ ପରେ ଯେତେବେଳେ ଜନତା ଦଳରେ ସଙ୍କଟ ଦେଖା ଦେଲା, ସେହି ସମୟରେ ଦଳର ବରିଷ୍ଠ ନେତାମାନେ ବିଜୁବାବୁଙ୍କ ବିକଳ୍ପ ଭାବେ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ମୈଦାନକୁ ଆଣିବାକୁ ପ୍ରୟାସ କରିଥିଲେ। ଏମାନଙ୍କ ଦୃଢ ବିଶ୍ୱାସ ଥିଲା ଯେ, ବିଜୁବାବୁଙ୍କ ଅନ୍ତେ ତାଙ୍କ ସୁପୁତ୍ର ନବୀନ ବାବୁ ଦଳରେ ଯୋଗଦାନ କଲେ ଦଳ ଅଧିକ ସୁଦୃଢ ଓ ଶକ୍ତିଶାଳୀ ହୋଇପାରିବ। ଦଳର ବରିଷ୍ଠ ନେତାମାନେ ବହୁ ଉଦ୍ୟମ କରି ଦୀର୍ଘ ସମୟର ବିଚାର ବିମର୍ଷ ପରେ ନବୀନ ପଟ୍ଟନାୟକ ଓଡ଼ିଶା ଆସି ରାଜନୀତିରେ ଯୋଗଦେବାକୁ ରାଜି ହୋଇଥିଲେ।

ତେବେ ବିଜୁବାବୁଙ୍କ ପରି ନବୀନ ବାବୁ ରାଜନୀତି କ୍ଷେତ୍ରରେ ସଫଳ ହେବେ କି ନାହିଁ, ଜାଣିବାକୁ ଦଳର କିଛି ବରିଷ୍ଠ ନେତା ଦିଲ୍ଲୀର ଜଣେ ପ୍ରସିଦ୍ଧ ଜ୍ୟୋତିଷଙ୍କ ପାଖକୁ ନବୀନ ବାବୁଙ୍କ ହସ୍ତରେଖା ଦେଖାଇବାକୁ ଯାଇଥିଲେ। ଯେତେବେଳେ ସେହି ଜ୍ୟୋତିଷ ଜଣକ ନବୀନ ବାବୁଙ୍କ ହସ୍ତରେଖା ଦେଖିଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଜ୍ୟୋତିଷ ଜଣକ ନବୀନ ବାବୁଙ୍କ ହସ୍ତରେଖା ଦେଖି କହିଥିଲେ, ୧୦କୋଟି ଲୋକଙ୍କ ଭିତରେ ଏପରି ଜଣେ ଭାଗ୍ୟବାନ ବ୍ୟକ୍ତି ଥାଆନ୍ତି। ନବୀନ ବାବୁ ରାଜନୀତିରେ ଆଶାତୀତ ସଫଳତା ହାସଲ କରିବେ। ସେ ଯେତେଦିନ ପର୍ଯ୍ୟନ୍ତ ଚାହିଁବେ, ସେତେଦିନ ପର୍ଯ୍ୟନ୍ତ କ୍ଷମତାରେ ରହିପାରିବେ। ନବୀନ ବାବୁ ବାପାଙ୍କ ଠାରୁ ଅଧିକ ସଫଳତା ଓ ଲୋକପ୍ରିୟ ହାସଲ କରିପାରିବେ। ତାଙ୍କର ଦୃଢ ନିଷ୍ପତ୍ତି ରହିବ ଓ ନିଜର ଲକ୍ଷ୍ୟପଥରୁ କେବେ ବିଚ୍ୟୁତ ହେବେନାହିଁ, ଯାହା ବାସ୍ତବରେ ପରିଣତ ହୋଇଛି।

ବିଜୁ ବାବୁଙ୍କ ମୃତ୍ୟୁ ପରେ ଯେତେବେଳେ ନବୀନ ପଟ୍ଟନାୟକ ରାଜନୀତିରେ ପାଦ ରଖିଥିଲେ, ଠିକ୍ ଏହାର ଦୁଇବର୍ଷ ପରେ ୧୯୯୯ ମସହାରେ ଓଡ଼ିଶାରେ ଦେଖା ଦେଇଥିଲା ପ୍ରଳୟଙ୍କାରୀ ମହାବାତ୍ୟା। ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ସାରା ଓଡ଼ିଶା। ବାସହୀନ ହୋଇଥିଲେ ଲକ୍ଷ ଲକ୍ଷ ଲୋକ। ବିପର୍ଯ୍ୟସ୍ତ ଅର୍ଥନୀତି, ଅନାହାର, ଅନଟନ ଓ ଅପପୁଷ୍ଟିର ଭୟ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ। ସେହି ସମୟରେ କିଛି ଲୋକ ନବୀନ ପଟ୍ଟନାୟକଙ୍କୁ କୁତ୍ସାରଟନା ମଧ୍ୟ କରିଥିଲେ। ପ୍ରତିକୂଳ ପରିସ୍ଥିତି, କ୍ଷମତା ଦଖଲର ଷଡ଼ଯନ୍ତ୍ର, ରାଜନୈତିକ ପଶାପାଲିର ଛକାପଞ୍ଝା ସତ୍ତ୍ୱେ ଏକ ଅପରାଜେୟ ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷ ପୂରଣ କରିସାରିଲେଣି। ନବୀନ ପଟ୍ଟନାୟକ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାରେ ରହିଆସିଛନ୍ତି।

ବିଜୁବାବୁଙ୍କ ମୃତ୍ୟୁର ଦୁଇମାସ ମଧ୍ୟରେ ନବୀନ ପଟ୍ଟନାୟକ ଆସ୍କା ଉପନିର୍ବାଚନରେ ବିଜୟୀ ହୋଇ କେନ୍ଦ୍ରରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ହୋଇଥିଲେ। ଏହା ପରେ ୨୬ ଡ଼ିସେମ୍ବର ୧୯୯୭ ମସିହାରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା। ଏହି ଆଞ୍ଚଳିକ ଦଳ ଜନ୍ମ ନେବା ପରଠାରୁ କେବେବି ପରାଜୟର ସମ୍ମୁଖୀନ ହୋଇନାହିଁ। ଇତି ମଧ୍ୟରେ ନବୀନ ବାବୁ କ୍ରମାଗତ ଭାବେ ଚାରିଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି। ୨୬, ଡ଼ିସେମ୍ବର ୧୯୯୭ରେ ପ୍ରତିଷ୍ଠିତ ଏହି ଦଳ, ୧୯୯୮ ଓ ୧୯୯୯ ଲୋକସଭା ଆସନରେ ବିଜେପି ସହ ମେଣ୍ଟ କରି ୯ଟି ଓ ୧୦ଟି ଲୋକସଭା ଆସନରେ ବିଜୟୀ ହୋଇ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ୍ ହୋଇଥିଲା।

ଏହାପରେ ୨୦୦୯ ମସିହାରୁ ବିଜୁ ଜନତା ଦଳ ଓଡ଼ିଶା ଶାସନରେ ଏକାକୀ କ୍ଷମତାରେ ରହିଆସିଛି ଏବଂ ଦଳର ସଭାପତି, ନବୀନ ବାବୁଙ୍କୁ ଓଡ଼ିଶାବାସୀ ଲଗାତର ମୁଖ୍ୟମନ୍ତ୍ରୀ ଭାବେ ମତସାବ୍ୟସ୍ତ କରିଆସୁଛନ୍ତି। ବିଜେଡ଼ି-ବିଜେପି ମଧ୍ୟରେ ରହିଥିବା ମେଣ୍ଟ ଭାଙ୍ଗିଗଲା ପରେ ଓଡ଼ିଶାରେ ଯେଉଁ ପରିବର୍ତ୍ତନର ଝଡ଼ ବହିଥିଲା ତାହାକୁ ଭୁଲ୍ ପ୍ରମାଣିତ କରି ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ବିଧାନସଭା ଓ ଲୋକସଭା ନିର୍ବାଚନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି।

ନବୀନ ପଟ୍ଟନାୟକ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୁହଁନ୍ତି, ବରଂ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ସବୁଠାରୁ ବ୍ୟସ୍ତବହୁଳ ଆଉ ଚର୍ଚ୍ଚିତ ବ୍ୟକ୍ତିତ୍ୱର ଅଧିକାରୀ। ନିଜର ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି, ସରଳତା, ସଚ୍ଚୋଟତା, ସୁଶାସନ ବିଶେଷକରି ଦୁର୍ନୀତି ବିରୋଧୀ କଡ଼ା ଆଭିମୁଖ୍ୟ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସେ ସାରା ଭାରତର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ପାଇଚାଲିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ଭାବେ ପରିଚିତ ଥିବା ଓଡ଼ିଶାରେ ନବୀନଙ୍କ ୨୩ ବର୍ଷ ଶାସନକାଳ ମଧ୍ୟରେ ଯେତେ ଥର ବନ୍ୟା, ବାତ୍ୟା, ମରୁଡ଼ି ଘଟିଛି ତାହାକୁ ଯଥାର୍ଥ ଭାବେ ମୁକାବିଲା କରିଛନ୍ତି ନବୀନ ବାବୁ। ବିଶେଷକରି ୨୦୧୯ ମେ ୩ ତାରିଖରେ ଘଟିଥିବା ପ୍ରଳୟଙ୍କାରୀ ‘ଫନି’ ମହାବାତ୍ୟାର ସଫଳ ମୁକାବିଲା କରି ନବୀନ ସରକାର ବିଭିନ୍ନ ମହଲରୁ ପ୍ରଶଂସିତ ହୋଇଥିଲେ। ଏପରିକି ‘ଜାତିସଂଘ’ ମଧ୍ୟ ନବୀନଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ।

୨୦୨୦ ମସିହାରେ ସାରା ରାଜ୍ୟରେ ଯେତେବେଳେ ମହାମାରୀ କରୋନା ତାର କାୟବିସ୍ତାର କରିଚାଲିଥିଲା ନବୀନ ପଟ୍ଟନାୟକ ଠିକ୍ ସେହି ସମୟରେ ସଫଳତାର ସହ ମୁକାବିଲା କରିବା ପାଇଁ ଆଗୁଆ ପଦକ୍ଷେପ ନେଇ ସାରା ଦେଶରେ ମଡ଼େଲ ରାଜ୍ୟ ଭାବେ ରାଜନୈତିକସ୍ତରରେ ନବୀନଙ୍କ ପତିଆରା ବଢିଛି। ହେଲେ ବିରୋଧୀ ଦଳର ନେତାମାନେ ଏହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି। ଆରମ୍ଭରୁ ବିରୋଧୀମାନେ ନବୀନ ସରକାରରେ ଅନେକ ସମୟରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଓଡ଼ିଶାର ରାଜନୈତିକ ପାଣିପାଗକୁ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ଆହୁରି କଠୋର ହେବେ ଏବଂ କଡ଼ା ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ୨୩ ବର୍ଷର ଶାସନ କାଳରେ ଓଡ଼ିଶାବାସୀଙ୍କ ସମସ୍ୟାର ସମାଧାନ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ହାତକୁ ନେଇ ସଫଳତା ସାଉଁଟି ଚାଲିଛନ୍ତି।

ବିଶେଷକରି ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଉଥିବା ନବୀନ ବାବୁ, ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରି ସେମାନଙ୍କ ଆର୍ଥିକସ୍ଥିତିକୁ ସୁଦୃଢ କରିବା, ମିଶନ ଶକ୍ତି ନାମରେ ମହିଳା ସଶକ୍ତିକରଣ ଯୋଜନା ସହିତ ଓଡ଼ିଶାବାସୀଙ୍କ ପାଇଁ ମୋ କୁଡ଼ିଆ ଯୋଜନା, ଇନ୍ଦିରା ଆବାସ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଶିକ୍ଷକମାନଙ୍କୁ ନିଯୁକ୍ତି, ଖବର କାଗଜ ହକରମାନଙ୍କୁ କରୋନା ବିପର୍ଯ୍ୟସ୍ତ ସହାୟତ ଏବଂ ଉଠାଦୋକାନୀମାନଙ୍କୁ କୋଭିଡ଼ ସହାୟତା ପ୍ରଦାନ କରିବା ଦ୍ୱାରା, ମହାମାରୀ କରୋନା ସମୟରେ ଦୁର୍ବଳ ହୋଇପଡ଼ିଥିବା ଆର୍ଥିକସ୍ଥିତିକୁ ସୁଦୃଢ କରିବାରେ ସହାୟକ ହୋଇପାରିଛି।

୫-ଟି ଆଉ ମୋ ସରକାର ଭଳି ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବା ଏବଂ ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଦେଇ ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସଭାଜନ ହେବାରେ ତାଙ୍କର ବିଶେଷ ଭୂମିକା ରହିଛି। ଲଗାତର ଭାବେ ୫ଥର ମୁଖ୍ୟମନ୍ତ୍ରୀ ହୋଇ ଦୀର୍ଘ ୨୩ ବର୍ଷରୁ ଉର୍ଦ୍ଧ୍ୱ କାଳ କ୍ଷମତାରେ ରହିବା ପରେ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏକ ରୋମାଞ୍ଚକର ଘଟଣା ଦେଖିବାକୁ ମିିଳିଥିଲା। ଷୋଡ଼ଶ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ବେଳେ ଧାନକିଣା ତାତିକୁ ନେଇ କ୍ରମାଗତ ଭାବେ ବିଧାନସଭା ଅଚଳ ହୋଇପଡ଼ିଥିଲା। ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇ ରାସ୍ତାକୁ ଓହ୍ଲାଇଥିଲେ। ଗୃହରେ ନବୀନଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ଦଳର ବିଧାୟକମାନେ ବିଧାନସଭାରୁ ସିଧା ନବୀନ ନିବାସ ଯାତ୍ରା କରିଥିଲେ ଯାହା ଅତୀତରେ କେବେ ଘଟିନଥିଲା।

ବିରୋଧୀ ଦଳଙ୍କ ପଛେ ପଛେ ଶାସକ ବିଜେଡ଼ି ବିଧାୟକମାନେ ବି ଗଲେ। କିନ୍ତୁ ନବୀନ ନିବାସରେ ପହଞ୍ôଚବା ପରେ ବିରୋଧୀଙ୍କ ସବୁ ଅଙ୍କ ଭୁଲ୍‌ରେ ପ୍ରମାଣିତ ହୋଇଥିଲା। ବିରୋଧୀ ବିଧାୟକମାନେ ଯେଉଁ ମନୋଭାବ ନେଇ ନବୀନ ନିବାସ ଯାତ୍ରା କରିଥିଲେ, ସେଠାରେ ପହଞ୍ôଚବା ପରେ ପାଗ ପରିବର୍ତ୍ତନ ହୋଇଯାଇଥିଲା। ହଠାତ ବଦଳିଯାଇଥିଲେ ବିରୋଧୀ ବିଧାୟକମାନେ। ଚନ୍ଦନ ଟୋପା ଓ ପୁଷ୍ପଗଚ୍ଛ ଦେଇ ତାଙ୍କୁ ସ୍ୱାଗତ କରାଯାଇଥିଲା ଓ ପରେ ଘୋଳଦହି ପିଆଇ ଅତିଥି ଦେବୋ ଭବରେ ଆପ୍ୟାୟିତ କରଗଲା ପରେ ଏହି ଘଟଣାର ଯବନିକା ପଡ଼ିଥିଲା। ନବୀନ ପଟ୍ଟନାୟକ ସେଠାରେ ବିରୋଧୀ ବିଧାୟକଙ୍କ ସହ ଦୀର୍ଘ ସମୟ ଆଲୋଚନା କରି ବିରୋଧୀଙ୍କ ଦାବୀକୁ ଗ୍ରହଣ କରିଥିଲେ।

ଏହି ଘଟଣାରେ ନବୀନଙ୍କୁ ପ୍ରଶଂସା ପରେ ପ୍ରଶଂସା ମିଳିଥିଲା। ଖାଲି ସେତିକି ନୁହେଁ ଯଦି କୌଣସି କର୍ମୀ, ନେତା ବା ସାଧାରଣ ଜନତା ନବୀନଙ୍କୁ ସମାଲୋଚନା କରନ୍ତି, ତେବେ ସେ କେବେ ବି କିଛି ପ୍ରତିକ୍ରିୟା ପ୍ରକାଶ କରନ୍ତିନାହିଁ। ସ୍ୱଚ୍ଛ, ସରଳ, ନିର୍ମଳ ଭାବମୂର୍ତ୍ତି ନୀତିକୁ ଆପଣାଇ ନବୀନ ଓଡ଼ିଶା ମାଟିରେ ନିଜକୁ ନାୟକରୁ ମହାନାୟକ ବନାଇ ସାରିଛନ୍ତି। ନବୀନଙ୍କୁ ଦୀର୍ଘ ୨୩ ବର୍ଷ ମଧ୍ୟରେ ପ୍ରତିହତ ବା ମୁକାବିଲା କରିବା ପାଇଁ ଓଡ଼ିଶାରେ କୌଣସି ଜାତୀୟ ବା ଅଞ୍ଚଳିକ ରାଜନୈତିକ ଦଳ ସକ୍ଷମ ହୋଇପାରି ନାହାଁନ୍ତି।

Categories
ବିଶେଷ ଖବର

ନୟାଗଡ ଓ ଜଗତସିଂହପୁରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୨୮ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୟାଗଡ ଜିଲ୍ଲାରେ ୧୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ନୟାଗଡ ମାଟିର ଗୌରବ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣୀ ସାମନ୍ତ ତଥା ସଂଗ୍ରାମୀ, ଶହୀଦ ରଘୁ ଦିବାକରଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସାରା ରାଜ୍ୟରେ ପିଇବା ପାଣି ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୟାଗଡରେ ୧୦୦୦ କୋଟି ଟଙ୍କା ବିନିଯୋଗରେ ଏକ ମେଗା ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ଏହାଦ୍ବାରା ଜିଲ୍ଲାର ୮ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ। ନୟାଗଡର ମିଶନ ଶକ୍ତିର ମା ମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ବିଜିନେସ୍‌ରେ ସୁବିଧା ପାଇଁ ୧୬୪ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମଧ୍ୟ ଜିଲ୍ଲାରେ ଭଲ କାମ ହେଉଛି ବୋଲି କହିଥିଲେ।

ସେହିପରି ଜଗତସିଂହପୁରରେ ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ବ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗତସିଂହପୁର ଓ ପାରାଦୀପ ସହରର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି। ଜିଲ୍ଲାର ଗ୍ରାମାଂଚଳରେ ପାଇପ ପାଣିର ସୁବିଧା ପାଇଁ ଏକ ବୃହତ ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଗତସିଂହପୁର ଜିଲ୍ଲା ରାଜ୍ୟର ଏକ ଆଗୁଆ ଜିଲ୍ଲା ଏବଂ ଏହା କୃଷି, ଶିଳ୍ପ ସବୁ କ୍ଷେତ୍ରରେ ଉନ୍ନତ। ଅନେକ ସରକାରୀ ଯୋଜନା ଏଠାରେ ସଫଳ ଭାବରେ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲାରେ ବହୁତ ଭଲ କାମ ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସମସ୍ତ ସରକାରୀ ପଦକ୍ଷେପରେ ଲୋକାଭିମୁଖୀ ଦୃଷ୍ଟିକୋଣ ଆପଣାଇବା ହେଉଛି ଉତ୍ତମ ପ୍ରଶାସନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋଦୀ ସରକାର ‘ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନ’ ଦୃଷ୍ଟିକୋଣ ସହିତ ପ୍ରଶାସନିକ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। ଉତ୍ତରଦାୟୀ ପ୍ରଶାସନ ସହିତ ପ୍ରଯୁକ୍ତିର ସର୍ବୋତ୍ତମ ଉପଯୋଗ ଜରିଆରେ ନାଗରିକଙ୍କ ଜୀବନରେ ସରକାରୀ ହସ୍ତକ୍ଷେପ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ।

ଭୁବନେଶ୍ୱର ଠାରେ ‘ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ’ ଉପରେ ଆୟୋଜିତ ଏକ ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଉଦବୋଧନ ଦେଇ ଡ. ସିଂ କହିଥିଲେ ଯେ, ନାଗରିକ କୈନ୍ଦ୍ରିକ ସରକାର ମୋଦୀ ସରକାରଙ୍କ ପ୍ରଶାସନିକ ମଡେଲର କେନ୍ଦ୍ରରେ ରହିଛି। ପ୍ରଶାସନିକ କ୍ଷେତ୍ରରେ ରାଜ୍ୟମାନେ ପରସ୍ପରର ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବା ଉଚିତ୍ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଭାରତ ସରକାରଙ୍କ ସ୍ତରରେ ଅଣାଯାଇଥିବା ପରିବର୍ତ୍ତନ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରତିଫଳିତ ହେବା ଉଚିତ୍। କାରଣ ଏହାର ମୂଳ ଲକ୍ଷ୍ୟ ହେଉଛି ଏକ ଦୁର୍ନୀତିମୁକ୍ତ ଏବଂ ସ୍ବଚ୍ଛ ପ୍ରଶାସନ ଯୋଗାଇ ଦେବା।

ଗତ କିଛି ବର୍ଷ ହେବ ଅଭିଯୋଗ ସମାଧାନ ବ୍ୟବସ୍ଥା କିଭଳି ଭାବେ ସୁଦୃଢ଼ ହୋଇଛି ସେ ସମ୍ପର୍କରେ ଆଲୋକପାତ କରି ଡକ୍ଟର ସିଂ କହିଥିଲେ ଯେ, 2014ରେ ନୂଆ ସରକାର କ୍ଷମତାକୁ ଆସିବା ସମୟରେ ଅଭିଯୋଗ ସମାଧାନ ବ୍ୟବସ୍ଥାରେ କେତେକ ଦୁର୍ବଳତା ରହିଥିଲା। ଏଥିରେ ସୁଧାର ଆଣିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲା। ସେତେବେଳେ ବାର୍ଷିକ ପାଖାପାଖି ଦୁଇ ଲକ୍ଷ ଅଭିଯୋଗ ଆସୁଥିଲା। ବର୍ତ୍ତମାନ ଏହି ସଂଖ୍ୟା ଛଅଗୁଣ ବୃଦ୍ଧି ଘଟିଛି। ସରକାର ଜନସାଧାରଣଙ୍କ ଅଭିଯୋଗ ସମାଧାନ କରିବେ ବୋଲି ,କ ବିଶ୍ବାସ ଦେଶରେ ସୃଷ୍ଟି ହୋଇଛି। ଆଜି ବିଭିନ୍ନ ବିଭାଗରେ ଅଭିଯୋଗ ସମାଧାନ ହାର 95-100% ମଧ୍ୟରେ ରହିଛି, ଯାହାକି ସନ୍ତୋଷର ବିଷୟ ବୋଲି ସେ କହିଥିଲେ।

ସାଧାରଣ ଅଭିଯୋଗର ସମାଧାନ ଲାଗି ଭାରତ ସରକାର ସିପିଗ୍ରାମ୍ସ ଭଳି ଉତ୍ତମ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। 2020-21 ବର୍ଷରେ 12ଟି ରାଜ୍ୟ ପୋର୍ଟାଲକୁ ସିପିଗ୍ରାମ୍ସ ସହିତ ଯୋଡ଼ା ଯାଇଛି। ଅନ୍ୟପକ୍ଷରେ 15ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସାଧାରଣ ଅଭିଯୋଗ ସମାଧାନ ଲାଗି ସିପିଗ୍ରାମ୍ସର ବ୍ୟବହାର କରୁଛନ୍ତି। ସେ କହିଥିଲେ, ଏକ ପୋର୍ଟାଲ ଏକ ରାଷ୍ଟ୍ର ଲକ୍ଷ୍ୟ ହାସଲ ଦିଗରେ କେନ୍ଦ୍ରୀକୃତ ସାଧାରଣ ଅଭିଯୋଗ ସମାଧାନ ଏବଂ ଅନୁଧ୍ୟାନ ବ୍ୟବସ୍ଥା (ସିପିଗ୍ରାମ୍ସ)କୁ ରାଜ୍ୟ ଅଭିଯୋଗ ପୋର୍ଟାଲଗୁଡ଼ିକ ସହିତ ସମନ୍ବିତ କରାଯାଇଛି।

ଡକ୍ଟର ସିଂ କହିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ରେଳ ଟିକେଟ ବାତିଲ କ୍ଷେତ୍ରରେ ଆପେ ଆପେ ଅର୍ଥ ଫେରସ୍ତ ମିଳିଯାଉଛି, ବ୍ୟାଙ୍କ ମାଧ୍ୟମରେ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ଜରିଆରେ ପେନସନ ଯୋଗାଇ ଦିଆଯାଉଛି, କୋଚଗୁଡ଼ିକୁ ସଫା କରିବା ଲାଗି ମେସିନଚାଳିତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି, ଆୟକର ରିଟର୍ଣ୍ଣର ଇ-ଭେରିଫିକେସନ କରାଯାଉଛି, 50,000 ଟଙ୍କା ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ତୁରନ୍ତ ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ ସବୁବେଳେ ପ୍ରଯୁକ୍ତିର ସର୍ବୋତ୍ତମ ଉପଯୋଗ ପ୍ରତି ଗୁରୁତ୍ବାରୋପ କରିଆସିଛନ୍ତି ଏବଂ ମନ୍ତ୍ରଣାଳୟଗୁଡ଼ିକ ଏହାକୁ ଯଥାସମ୍ଭବ ଶ୍ରେଷ୍ଠ ମାର୍ଗରେ ବ୍ୟବହାର କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

କାର୍ମିକ ଏବଂ ପ୍ରଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର 2 ଏବଂ ଅକ୍ଟୋବର 31, 2021 ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଭିତରେ ଏବଂ ବାହାରେ ଏକ ବିଶେଷ ସଫେଇ ଅଭିଯାନ କରାଯାଇଥିଲା। ଏହାଫଳରେ 12 ଲକ୍ଷ ବର୍ଗଫୁଟର ଅଫିସ ସ୍ଥାନ ଖାଲି କରାଯିବା ସହିତ ଏବଂ 62 କୋଟି ଟଙ୍କାର ରାଜସ୍ବ ସଞ୍ଚୟ କରାଯାଇ ପାରିଥିଲା। କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ, ସ୍ବାଧୀନତାର 75ତମ ବର୍ଷରେ ପାଳନ କରାଯାଉଥିବା ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ବରୂପ ଭାରତ ସରକାର “ଉତ୍ତମ ପ୍ରଶାସନ ସପ୍ତାହ” ପାଳନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର 20ରୁ 26 ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଆୟୋଜନ କରାଯିବ। ଆଞ୍ଚଳିକ ସମ୍ମିଳନୀ ସମ୍ପର୍କରେ ମତବ୍ୟକ୍ତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶୀଦାରମାନେ ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ ପ୍ରତି ଧ୍ୟାନ ଦେବା ଉଚିତ୍। କେନ୍ଦ୍ର, ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଅଭିନବ ପ୍ରଶାସନିକ ଉପାୟ କାର୍ଯ୍ୟକାରୀ କରାଗଲେ ନାଗରିକ କୈନ୍ଦ୍ରିକ ପ୍ରଶାସନ ପ୍ରତିଷ୍ଠା ହୋଇପାରିବ ଏବଂ ତୃଣମୂଳ ସ୍ତରରେ ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନର ଲକ୍ଷ୍ୟ ସାକାର ରୂପ ନେଇପାରିବ।

ଭର୍ଚୁଆଲ ମାଧ୍ୟମରେ ଏହି ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସାମର୍ଥ୍ୟ ବିକାଶ, ଉତ୍ତରଦାୟୀ ହେବା, ଉଚ୍ଚସ୍ତରୀୟ ନୈତିକତା ଓ ବିଶ୍ବସନୀୟତା ବଜାୟ ରଖିବା, ସମସ୍ତ ସରକାରୀ ପଦକ୍ଷେପରେ ଲୋକାଭିମୁଖୀ ଦୃଷ୍ଟିକୋଣ ଆପଣାଇବା ଆଦି ଉତ୍ତମ ପ୍ରଶାସନର ମେରୁଦଣ୍ଡ। ଉତ୍ତମ ପ୍ରଶାସନ ହେଉଛି ବିକାଶମୂଳକ ପରିବର୍ତ୍ତନର ସର୍ବଶ୍ରେଷ୍ଠ ଉପକରଣ ଏବଂ ଆମ ସମସ୍ତଙ୍କର ଲୋକମାନଙ୍କ ପ୍ରତି ଏକ ଉତ୍ତରଦାୟିତ୍ବ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କେତେକ ଶ୍ରେଷ୍ଠ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ସେ କହିଥିଲେ ଯେ ଦେଶବ୍ୟାପୀ ଅଭିନବ ଉପାୟ ଏବଂ ଶ୍ରେଷ୍ଠ ବ୍ୟବସ୍ଥାର ବାଧାମୁକ୍ତ ବିନିମୟ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ। ଏହି ମଞ୍ଚରେ ବିଚାର ଆଲୋଚନା ମାଧ୍ୟମରେ ଡିଜିଟାଲ ସରକାର ପାଇଁ ଯେଉଁ ପରିକଳ୍ପନା କରାଯାଇଛି ତାହା ସାକାର ରୂପ ନେଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ସଚିବ ସଞ୍ଜୟ ସିଂ କହିଥିଲେ ଯେ ଏହି ଆଞ୍ଚଳିକ ସମ୍ମିଳନୀ ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନର ସର୍ବୋତ୍ତମ ଉପକରଣ ଏବଂ ଶ୍ରେଷ୍ଠ ବ୍ୟବସ୍ଥାର ଦୀର୍ଘସ୍ଥାୟୀ ପ୍ରଚଳନ ସୁନିଶ୍ଚିତ କରିବା କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇପାରିବ। ଶ୍ରେଷ୍ଠ ବ୍ୟବସ୍ଥାର ଅନୁଧ୍ୟାନ କରିବା ଏବଂ ଏହାକୁ ଦୀର୍ଘସ୍ଥାୟୀ ଢଙ୍ଗରେ ବାସ୍ତବ କ୍ଷେତ୍ରରେ ପ୍ରତିଫଳନ କରିବା ଲାଗି ଏକ ମେକାନିଜିମ ବିକଶିତ କରାଯିବାର ଆବଶ୍ୟକତା ରହିଛି। ଶ୍ରେଷ୍ଠ ପ୍ରଚଳନରୁ ଶିକ୍ଷା ଲାଭ କରିବା ଏବଂ ଏହାକୁ କାର୍ଯ୍ୟକାରିତା କ୍ଷେତ୍ରରେ ପ୍ରତିଫଳନ କରିବା ଲାଗି ଏହି ସମ୍ମିଳନୀ ଏକ ଶ୍ରେଷ୍ଠ ମଞ୍ଚ ଯୋଗାଇ ଦେବା ସହିତ ଏହାଠାରୁ ଊର୍ଦ୍ଧ୍ବକୁ ଯାଇ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ସିଂ କହିଥିଲେ। ଏହି ସମ୍ମିଳନୀରେ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଭି. ଶ୍ରୀନିବାସ ଉପସ୍ଥିତ ଥିଲେ।

ଓଡ଼ିଶା ସରକାରଙ୍କ ଯୋଜନା ଏବଂ ସଂଯୋଜନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରଶାସନିକ କ୍ଷେତ୍ରରେ ଅଧିକ ପେସାଦାର ଆଭିମୁଖ୍ୟ ଏବଂ ଦକ୍ଷତା ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏପରି ଏକ ସମ୍ମିଳନୀ ଆୟୋଜନ ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ପ୍ରଶାସନିକ କ୍ଷେତ୍ରରେ ପରସ୍ପରର ବିଚାର ବିନିମୟ ଲାଗି ଏକ ମଞ୍ଚ ଯୋଗାଇ ଦେବ ବୋଲି ସେ କହିଥିଲେ।

ଏଥିପୂର୍ବରୁ ଆଜି, ସମ୍ମିଳନୀରେ ଦୁଇଟି ଆଲୋଚନା ଅଧିବେଶନ ଆୟୋଜନ କରାଯାଇଥିଲା। ଓଡ଼ିଶାରେ ‘ଅଭିନବ  ପ୍ରଶାସନିକ ପଦକ୍ଷେପ’ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଦ୍ବିତୀୟ ଅଧିବେଶନ ଏବଂ ଉଦଯାପନୀ ଅଧିବେଶନରେ ‘ଆକାଂକ୍ଷୀ ଜିଲ୍ଲା’ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ପ୍ରଥମ ଅଧିବେଶନରେ ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା ଅଧ୍ୟକ୍ଷତା କରିଥିବା ବେଳେ ଦ୍ବିତୀୟ ଅଧିବେଶନରେ ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସ୍ବତନ୍ତ୍ର ସଚିବ ଶ୍ରୀ କେ. ରାଜେଶ୍ବର ରାଓ ଅଧ୍ୟକ୍ଷତା କରିଥିଲେ।

ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିବା ଏହି ଦୁଇ ଦିନିଆ ଆଞ୍ଚଳିକ ସମ୍ମିଳନୀରେ ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳର 15ଟି ରାଜ୍ୟରୁ 500ରୁ ଅଧିକ ପ୍ରତିନିଧି ଉଭୟ ଭୌତିକ ଏବଂ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଇ-ପ୍ରଶାସନ, ଜଳ ଏବଂ ମୃତ୍ତିକା ସଂରକ୍ଷଣ, ଆକାଂକ୍ଷୀ ଜିଲ୍ଲା ଏବଂ ଅଭିନବ ପ୍ରଶାସନିକ ପଦକ୍ଷେପ ଆଦି ବିଭିନ୍ନ ବିଷୟବସ୍ତୁ ଉପରେ ଏହି ସମ୍ମିଳନୀରେ ବିଚାର ବିନିମୟ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

କରୋନାର ନୂଆ ଭାରିଏଣ୍ଟକୁ ନେଇ ସମୀକ୍ଷା ବୈଠକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଏସବୁ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ନୂଆ ଭାରିଏଣ୍ଟର ଭୟଭୟତା ସଂପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି ଏବଂ ଏହା ଗୁରୁତର ପ୍ରଭାବ ପକାଇବାର ମଧ୍ୟ ଅଶଂକା ବ୍ୟକ୍ତ କରିଛନ୍ତି । ଗତ କିଛି ସପ୍ତାହ ହେଲା ଇରୋପରେ ସଂକ୍ରମଣ ବୃଦ୍ଧି ପାଇଛି । ଏହି ନୂଆ ଭାରିଏଣ୍ଟ ଅଧିକ ସଂକ୍ରମଣଶୀଳ ଥିବାରୁ ଜନସାଧାରଣ ଏହାକୁ ଗୁରୁତର ସହ ନେବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଥମରୁ ହିଁ ଓଡିଶା ଏହି ମହାମୀରୀ ମୁକାବିଲା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଆସିଛି । ଆହ୍ବାନମୂଳକ ପରିସ୍ଥିତି ସତ୍ତ୍ବେ ଜନସାଧାରଣଙ୍କ ସହଯୋଗରେ ଓଡିଶା ସଫଳତାର ସହିତ ପ୍ରଥମ ଓ ଦ୍ବିତୀୟ ଲହରୀର ମୁକାବିଲା କରିଥିଲା ଏବଂ ବର୍ତ୍ତମାନ ପରିସ୍ଥିତିର ଆମେ ମଧ୍ୟ ସଫଳ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶାବ୍ୟକ୍ତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଆମର କୋଭିଡ ମୁକାବିଲା ପାଇଁ ଆମର ଥିବା ପ୍ରସ୍ତୁତିକୁ ପୁଣି ଥରେ ପୁନଃ ସକ୍ରିୟ କରିବା ସହିତ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ସମତେ ଏଥିରେ ସଂଶ୍ଲିଷ୍ଟ ସବୁ ଅଧିକାରୀ ମାନଙ୍କୁ ଜାଗତିଆର ରଖିବା ପାଇଁ ପରାମର୍ଶ ଦେଇଥିଲେ ।

କୋଭିଡ ନିୟମର ଯେପରି କଡାକଡି ପାଳନ କରାଯିବ, ସେଥିପ୍ରତି ସତର୍କ ପଦକ୍ଷେପ ନେବାପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ ନିୟମ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତି ଗ୍ରୁପ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା ତଥା କୋଭିଡ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର କହିଲେ ଯେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପୁରାପୁରି ସତର୍କ ଅଛନ୍ତି । କୋଭିଡ ଭିତ୍ତିଭୂମିକୁ ସୁଦୃଢ ରହିଛି ଏବଂ ତାକୁ ଆହୁରି ଅଧିକ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା କୋଭିଡ ମୁକାବିଲା ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ସେ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଟେଷ୍ଟ ପଜିଟିଭ ହାର ମାତ୍ର ୦.୪୪ ପ୍ରତିଶତ ରହିଛି । ଚାରୋଟି ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ସମ୍ବଲପୁରର କିଛି ଅଂଚଳରେ ଅପେକ୍ଷାକୃତ ଅଧିକ କେସ୍ ବାହାରିଥିଲେ ମଧ୍ୟ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ।

ନୂଆ ରୋଗୀ ମାନଙ୍କର Genome Sequencing ପାଇଁ ମଧ୍ୟ ନମୁନା ପଠାଯାଉଛି । ରାଜ୍ୟରେ ପ୍ରଥମ ଡୋଜ ଟୀକାକରଣ ୮୫.୬ ପ୍ରତିଶତ ଥିବାବେଳେ ଦ୍ବିତୀୟ ଡୋଜ ଟୀକାକରଣ ୪୮.୪ ପ୍ରତିଶତ ରହିଛି, ଯାହା କି ଜାତୀୟ ହାର ଠାରୁ ଉନ୍ନତ ରହିଛି । ଘରକୁ ଘର ବୁଲି ଟୀକାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି ।

ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କୋଭିଡରୁ ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବା, Oxygen Supply chainକୁ ଆହୁରି ମଜବୁତ କରିବା ଏବଂ ଘରୋଇ ହସ୍‌ପିଟଲଗୁଡିକୁ କୋଭିଡ ଚିକିତ୍ସା ପାଇଁ ପ୍ରସ୍ତୁତି ରଖିବା ଉପରେ ଗୁରୁତ୍ବ ଦେଇଥିଲେ ।

ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ପୋଲିସ କମିଶନରଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ ଗୁଡିକର କମିଶନର ଏବଂ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ସୋନପୁର ଓ ବୌଦ୍ଧ ଜିଲ୍ଲା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସୋନପୁରର ଏକ ଲକ୍ଷ ପଚାଶ ହଜାର ଲୋକ ଏହି ସୁବିଧା ପାଇବା ବେଳେ ବୌଦ୍ଧର ତିନି ଲକ୍ଷ ବାସ୍ତରି ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୧୯ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। କାର୍ଡ ଖଣ୍ଡିଏ ଧରି ସେମାନେ ପୁରା ପରିବାର ପାଇଁ ସବୁଠାରୁ ଭଲ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏହା ବାସ୍ତବରେ ସେମାନଙ୍କୁ ସଶକ୍ତ କରିଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ସୋନପୁରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଷାନ୍ତ ସିଂହ ଏବଂ ବୌଦ୍ଧରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ପ୍ରଦୀପ କୁମାର ଅମାତ ଓ ବିଧାୟକ ମହିଧର ରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ କାର୍ଯ୍ୟକ୍ରମ ଦ୍ବାରା ଆଜି ରାଜ୍ୟର ଗରିବ ଜନସାଧାରଣ ଟଙ୍କା ଚିନ୍ତାରୁ ମୁକ୍ତ ହୋଇ ଶାନ୍ତିରେ ନିଜ ପରିବାରର ବିକାଶ ପାଇଁ କାମ କରିବାର ସୁଯୋଗ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ଓଡିଶାକୁ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ଭାବରେ ପରିଣତ କରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସୋନପୁରରେ ୩୦୦ କୋଟି ଓ ବୌଦ୍ଧରେ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ସୋନପୁର ପାଇଁ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସୋନପୁରକୁ ମନ୍ଦିର ନଗରୀ ଭାବେ ବର୍ଣ୍ଣନା କରି ଏହାର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରିଥିଲେ। ସୋନପୁରର ବୁଣାକାରମାନେ ନିଜ ଦକ୍ଷତା ଦ୍ବାରା ଓଡିଶାର ଗୌରବକୁ ଦେଶ ବିଦେଶରେ ପହଞ୍ଚାଇଛନ୍ତି ବୋଲି ସେ କହିଥିଲେ।

ଜିଲ୍ଲାର ବିକାଶ ପାଇଁ ସେ ସମର୍ପିତ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ କହିଲେ ଯେ, ସୋନପୁରରେ MSME ପାର୍କ ପ୍ରତିଷ୍ଠା ଜରିଆରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ତା ସହିତ ଜଳସେଚନ ଓ ସ୍ବାସ୍ଥ୍ୟ ସୁବିଧାର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଜିଲ୍ଲା ମୁଖ୍ୟାଳୟରେ ଏକ ହସ୍‌ପିଟାଲ ପ୍ରତିଷ୍ଠା କରାଯାଉଛି। ଏହାଦ୍ବାରା ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିଭଳି ବୌଦ୍ଧ ଜିଲ୍ଲା ପାଇଁ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର ପ୍ରାକୃତିକ ପରିବେଶର ବହୁତ ପ୍ରଶଂସା କରିଥିଲେ। ବୌଦ୍ଧରେ ପର୍ଯ୍ୟଟନର ବିକାଶ ପାଇଁ ଥିବା ବିପୁଳ ସୁଯୋଗକୁ ଉପଯୋଗ କରାଯିବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦ କୋଟି ଟଙ୍କାରେ ନନ୍ଦନ ବନ ସଫାରୀ କରାଯିବ, ଯାହାଦ୍ବାରା ଇକୋ-ଟୁରିଜିମ୍‌ର ବିକାଶ ସହିତ ଜିଲ୍ଲାର ୪୦୦ ପରିବାରକୁ ରୋଜଗାର ମିଳିବ। ସେହିପରି ୪ କୋଟି ଟଙ୍କାରେ ୩୭ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି ସେ କହିଥିଲେ।

ଦୁଗ୍‌ଧ ଉତ୍ପାଦନରେ ବୌଦ୍ଧ ଜିଲ୍ଲାର ସଫଳତାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଏକ ବର୍ଷରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଦୁଗ୍‌ଧ ଶୀତଳୀକରଣ ପ୍ଲାଣ୍ଟ ନିର୍ମାଣ କରାଯିବ। ଏହାଦ୍ବାରା ୧୦ ହଜାର ଚାଷୀ ଏଥିରେ ରୋଜଗାର ପାଇପାରିବେ ବୋଲି ସେ କହିଥିଲେ।