Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକ ପରିବାରଙ୍କ ପାଇଁ ଅନୁକମ୍ପା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଜୀବି ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର କରିଛି।

ଏହି ୧୭ଜଣିଆ ତାଲିକାରେ ଭୁବନେଶ୍ବରର ୪ଜଣ, ବଲାଙ୍ଗିରର ୩ଜଣ, ଗଞ୍ଜାମ ଜିଲ୍ଲାର ୭ଜଣ, କଳାହାଣ୍ଡି ଜିଲ୍ଲାର ଜଣେ ଓ ଯାଜପୁର ଜିଲ୍ଲାର ୨ଜଣ ସାମ୍ବାଦିକ ଅଛନ୍ତି। ତେବେ କରୋନାରେ ମୃତ୍ୟୁବରଣ କରିଥିବା ଆଉ କିଛି ସାମ୍ବାଦିକଙ୍କ ପ୍ରସ୍ତାବ ମଧ୍ୟ ବିଭାଗର ବିଚାରଧିନ ରହିଛି। ସେ ବାବଦରେ ଜିଲ୍ଲାସ୍ତରରେ ଅନୁସନ୍ଧାନ ଜାରି ରହିଛି। ଖୁବଶୀଘ୍ର ଯୋଗ୍ୟ ବିବେଚିତ ପ୍ରସ୍ତାବଗୁଡିକୁ ମଞ୍ଜୁର କରାଯାଇ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯୋଗ୍ୟ ଯେ, କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ଏହି ୧୭ ଜଣ କର୍ମଜୀବି ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୁଳକ ସହାୟତା ପାଇଁ ମୋଟ ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ଗରିବ ଲୋକଙ୍କ ପାଖରେ ପହଞ୍ଚିଲା ୨୦୦୪ କୋଟି ଟଙ୍କାର କୋଭିଡ ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ, ତାକୁ ଦୃଷ୍ଡିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷଜ୍ଞମାନଙ୍କର ମତକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ, ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ । ସ୍ବାସ୍ଥ୍ୟସେବା ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢୀକରଣ ସହିତ ମାନବସମ୍ବଳ ବିନିଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ବାସ୍ଥ୍ୟ ସେବା ପାଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁ ଦାୟିତ୍ବ ରହିଛି । ପ୍ରତି ଜୀବନ ମୂଲ୍ୟବାନ। ଏହା ହେଉଛି ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ନୀତିର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଜିଲ୍ଲା ହସ୍‌ପିଟାଲ ଠାରୁ ଆରମ୍ଭ କରି ସିଏଚସି ସ୍ତର ପର୍ଯ୍ୟନ୍ତ ଯେଭଳି ସ୍ବାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଥାନା ଆଇଆଇସିଙ୍କ ଠାରୁ ଆରମ୍ଭ କରି ବିଡିଓ, ଏସ୍‌.ଡି.ପି.ଓ, ସବ୍‌କଲେକ୍ଟର, ଏସ୍‌.ପି ଓ ଜିଲ୍ଲାପାଳ ସମସ୍ତେ ଏହାକୁ ସେମାନଙ୍କର ମୂଳ ଦାୟିତ୍ବର ଅଂଶଭାବରେ ଜ୍ଞାନ କରି ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କୋଭିଡର ଦ୍ବିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ବିଶେଷତଃ ଛୋଟ ଚାଷୀ, ନିର୍ମାଣ ଶ୍ରମିକ, ମନେରେଗା ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୁଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମା ମାନଙ୍କ ଠାରୁ ଆରମ୍ଭ କରି ଷ୍ଟ୍ରୀଟ ଭେଣ୍ଡର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କର ୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି। ଏପର୍ଯ୍ୟନ୍ତ ଉପରୋକ୍ତ ବର୍ଗର ଲୋକମାନଙ୍କୁ ୨୦୦୪ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି।

ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶିକ୍ଷକ ତଥା ସ୍କୁଲର କର୍ମଚାରୀମାନଙ୍କ ଟିକାକରଣ ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ବୈଠକରେ ଅବଗତ କରିଥିଲେ। ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା କାର୍ଯ୍ୟକାରୀତା ସଂପର୍କରେ ଉପସ୍ଥାପନା ରଖିଥିଲେ। ବୈଠକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ।

ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଜିଲ୍ଲାପାଳ, ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି  ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମିଶନ ଶକ୍ତି ହେଉଛି, ଓଡିଶାର ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡିଶାର ବିକାଶ ବାହିନୀ। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥିରେ ଅଛି।’

କୋଭିଡ ସମୟରେ ମିଶନ ଶକ୍ତିର ମା ମାନେ ବହୁତ ଭଲ କାମ କରିଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ ଆଜି ହେଉଛି ଏକ ଐତିହାସିକ ଦିବସ। ବ୍ଲକ୍‌ସ୍ତରରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମା ମାନେ ତାଲିମ ପାଇବେ, ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ ଏବଂ ସେମାନଙ୍କ ନିଜସ୍ବ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ମା ମାନେ କୋଭିଡ ସମୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ଠାରୁ ଆରମ୍ଭ କରି ମାସ୍କ ତିଆରି, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଆଦି ଅନେକ ଭଲ କାମ କରି ମିଶନ ଶକ୍ତି ଆନ୍ଦୋଳନର ସୁନାମ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ ସବୁବେଳେ କହି ଆସିଛି, ମା ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ସମାଜ ସଶକ୍ତ ହେବ । ଗୋଟିଏ ଜାତି ସଶକ୍ତ ହେବ। ଇତିହାସର ଧାରା ମଧ୍ୟ ବଦଳିଯିବ।’

ମିଶନ ଶକ୍ତିର ମା ମାନଙ୍କ ସଫଳତା ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜୀବନଜୀବିକା ଠାରୁ ଆରମ୍ଭ କରି ବିଭିନ୍ନ ବିକାଶ କାମରେ ଆପଣମାନେ ସାମିଲ ହୋଇ ଭଲ କାମ କରିଛନ୍ତି। ଆଜିର ଆଲୋଚନାରେ ରାଜ୍ୟର ବିଭିନ୍ନ ଅଞ୍ଚଳର – କୋରାପୁଟର ବୋରିଗୁମା ଠାରୁ ଆରମ୍ଭ କରି କଟକର ନିଆଳୀ ପର୍ଯ୍ୟନ୍ତ, ଆମର ବ୍ଳକ୍‌ସ୍ତରୀୟ ମହାସଂଘର ମା ମାନଙ୍କର କାମ ଦେଖି ଯେ କେହି ଗର୍ବ ଅନୁଭବ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ‘ମୋର ବିଶ୍ବାସ, ଦିନେ ଆପଣମାନଙ୍କ ଭିତରୁ ବଡ ବଡ ଉଦ୍ୟୋଗୀ ବାହାରିବେ।’

ରାଜ୍ୟ ସରକାର ବ୍ଲକ ଲେବୁଲ ଫେଡେରେସନର ଆବର୍ତ୍ତନ ପାଣ୍ଠି ଭାବରେ ୮୪.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମିଶନ ଶକ୍ତିର ମା ମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ଋଣ ଦେଉଛନ୍ତି। ଗତ ବର୍ଷ ସୁଧ ରିହାତି ଭାବରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କା ଦେଇଥିବା ବେଳେ, ଏବର୍ଷ ଏହାକୁ ୨୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମିଶନ ଶକ୍ତିର ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରି କହିଥିଲେ ଯେ ଯେ କୌଣସି ବ୍ୟବସାୟ ପାଇଁ ପୁଞ୍ଜି ଯୋଗାଣ ସଞ୍ଜୀବନୀ ପରି କାର୍ଯ୍ୟ କରେ। ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଆବର୍ତ୍ତନ ପାଣ୍ଠି କରିଛନ୍ତି, ତାହା ମିଶନ ଶକ୍ତିକୁ ସ୍ବାବଲମ୍ବୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ମିଶନ ଶକ୍ତି ମା ମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆଣିଛି ବୋଲି ସେମାନେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ମିଶନ ଶକ୍ତିର ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍‌ସିପାତ୍ର ପ୍ରମୁଖ ସେମାନଙ୍କର ମତାମତ ରଖି କହିଥିଲେ ଯେ ମିଶନ ଶକ୍ତି ଆଜି ମା ମାନଙ୍କ ସାମାଜିକ ଅର୍ଥନୈତିକ ପରିବର୍ତ୍ତନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଭଳି ଏକ ନୀରବ ବିପ୍ଲବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପର୍ଣ୍ଣ ନେତୃତ୍ବରେ ସେମାନେ ଉଚ୍ଚପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୟୁରଭଂଜ ମୋରଡା ମିଶନ ଶକ୍ତି ମହାସଂଘର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାସ, କଟକ କଣ୍ଟାପଡା ମିଶନ ଶକ୍ତି ମହାସଂଘର ସଂପାଦିକା ବିଷ୍ଣୁପ୍ରିୟା ପାତ୍ର, ସମ୍ବଲପୁର ନାକଟିଦେଉଳ ମିଶନ ଶକ୍ତି ମହାସଂଘର ସଂପାଦିକା ଗୀତାଞ୍ଜଳି ପ୍ରଧାନ, କୋରାପୁଟ ନନ୍ଦପୁର ମିଶନ ଶକ୍ତି ମହାସଂଘର ସଂପାଦିକା ହେମଲତା ପ୍ରଧାନ ଓ ଢେଙ୍କାନାଳ ଗଁଦିଆ ମିଶନ ଶକ୍ତି ମହାସଂଘର ସଂପାଦିକା ନିର୍ମଳା ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରି ଏହି ସ୍ବତନ୍ତ୍ର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ସମସ୍ତେ ଆଜି ନିଜର ପରିଚୟ ପାଇପାରିଛୁ। ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ପାଖରେ, ଆମ ସୁଖଦୁଃଖରେ ସବୁବେଳେ ଠିଆ ହୋଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ କୃତଜ୍ଞ। ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ।

ଏହି ଅବସରରେ ବ୍ରହ୍ମପୁର, ଢେଙ୍କାନାଳ ଓ ବାରିପଦାର ୩ଟି ସ୍ବୟ ସହାୟକ ଗୋଷ୍ଠୀ ମାନଙ୍କୁ ଆଚାର ବ୍ୟବସାୟ ପାଇଁ HDFC Bank ତରଫରୁ ଏକକାଳୀନ ୪୭ ଲକ୍ଷ ଟଙ୍କାର ଋଣ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ସେମାନଙ୍କ ଦ୍ବାରା ଉତ୍ପାଦିତ ୧୨୦ ମେଟ୍ରିକ ଟନ୍ ଆଚାର ମିଶନ ଶକ୍ତି ଦ୍ବାରା ପରିଚାଳିତ ରାଜ୍ୟର ୧୭୭ଟି ଆହାର କେନ୍ଦ୍ରରେ ବ୍ୟବହାର ହେଉଛି।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ନିଜର ସ୍ବାଗତ ଭାଷଣ ରଖି ମିଶନ ଶକ୍ତିର କମିଶନର ତଥା ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ କହିଲେ ଯେ ଗୋଟିଏ ଯୋଜନାକୁ ଏକ ସ୍ବତନ୍ତ୍ର ବିଭାଗ ଭାବରେ କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ସାରା ଭାରତବର୍ଷରେ ଏକମାତ୍ର ରାଜ୍ୟ। ଏଥିରୁ ମହିଳା ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେତେ ଗୁରୁତ୍ବ ଦେଉଛନ୍ତି, ତାହା ଅନୁମେୟ।

ସୂଚନାଯୋଗ୍ୟ ଯେ ଗତ ଦୁଇ ବର୍ଷରେ ମିଶନ ଶକ୍ତିର ବିଭିନ୍ନ ସ୍ବୟ ସହାୟକ ଗୋଷ୍ଠୀ ମାନଙ୍କ ଠାରୁ ୨୮୦୦ କୋଟି ଟଙ୍କାର ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରାଯାଇଛି। ସେ କହିଥିଲେ ଯେ ୨୦୨୧-୨୨ ବର୍ଷ ପାଇଁ ମିଶନ ଶକ୍ତିର ମା ମାନଙ୍କ ପାଇଁ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି।

ମିଶନ ଶକ୍ତିର ନିର୍ଦ୍ଦେଶିକା ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ: ୨୬ ଲକ୍ଷ ଶ୍ରମିକ ପାଇଲେ ୩୮୫ କୋଟି ଟଙ୍କା

ଭୁବନେଶ୍ବର: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ପ୍ୟାକେଜରେ ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ଲେଖାଏ ପାଇଲେ। ଗତ ବର୍ଷ ମଧ୍ୟ କୋଭିଡର ପ୍ରଥମ ଲହର ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ସମୟରେ ଏହି ସହାୟତା ନିର୍ମାଣ ଶ୍ରମିକଙ୍କ ଅସୁବିଧାକୁ ହ୍ରାସ କରିବାରେ ସହାୟକ ହେବ। ଅର୍ଥନୀତିରେ ଶ୍ରମିକ ମାନଙ୍କ ଗୁରୁତ୍ବ ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରମିକ ମାନଙ୍କ କଲ୍ୟାଣ ବିନା ଅର୍ଥନୀତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ।

ନିର୍ମାଣ ଶ୍ରମିକ ମାନଙ୍କୁ ଜଣେ ଜଣେ ବିଶ୍ବକର୍ମା ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନ୍ୟର ସୁବିଧା ପାଇଁ ସେମାନେ ନିଜ ସୁଖକୁ ଭୁଲିଯାନ୍ତି। ଖରାକୁ ପିଠି ଦେଖାଇ ବଡ ବଡ କୋଠା ତିଆରି କରନ୍ତି। ନିଜେ ଜଳି ଅନ୍ୟକୁ ଆଲୋକ ଦେଖାନ୍ତି। ନିଜେ ଅସୁବିଧାରେ ରହି ଅନ୍ୟ ପାଇଁ ଭଲ ଘର ତିଆରି କରନ୍ତି । ରାସ୍ତା, ସେତୁ ଆଦି କରନ୍ତି। ବିକାଶର ପ୍ରତିଟି ପୃଷ୍ଠାରେ ରହିଛି ଆମର ନିର୍ମାଣ ଶ୍ରମିକ ମାନଙ୍କର ତ୍ୟାଗ ଓ ପରିଶ୍ରମର କାହାଣୀ। ଗରିବ ଲୋକର ତ୍ୟାଗକୁ ସମ୍ମାନ ଦ୍ବାରା ହିଁ ଆମେ ବିକାଶ ସହ ସମସ୍ତଙ୍କ ଯୋଡି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ସହାୟତା ପାଇଥିବାରୁ ନିର୍ମାଣ ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ଗଞ୍ଜାମର ରବୀନ୍ଦ୍ର ପ୍ରଧାନ, କଟକର ନବଘନ ପରିଡା, ବରଗଡର କେଶବ ପ୍ରଧାନ, ସୁନ୍ଦରଗଡର ରେଣୁ ମିଞ୍ଜ — ସମସ୍ତଙ୍କ ମୁହଁରେ ଗୋଟିଏ ଭାଷା ଥିଲା – ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା। ଆପଣଙ୍କ ସହାୟତା ଆମକୁ ଏ ବିପଦ ସମୟରେ ବଞ୍ଚିବର ରାହା ଦେଇଛି। ଗତ ବର୍ଷ ୧୫୦୦ ଟଙ୍କା ପାଇଥିଲୁ, ଏ ବର୍ଷ ମଧ୍ୟ ପାଇଲୁ। ତାସହିତ ପିଲାଙ୍କ ପାଠପଢା, ସାଇକେଲ, ଝିଅ ବାହାଘର – ସବୁ ସମୟରେ ଆମେ ସହାୟତା ପାଉଛୁ ବୋଲି ଖୁସିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ କେତେ ଟଙ୍କା ପାଇଛ ବୋଲି ପଚାରି ବୁଝିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରମ ଓ ଇ.ଏସ୍‌.ଆଇ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ, ଶ୍ରମ ଆଇନର କାର୍ଯ୍ୟକାରୀତା ଓ ନାଗରିକ କେନ୍ଦ୍ରୀକ ଯୋଜନା ଉପରେ ଆଲୋକପାତ କରିଥିଲେ।

ଓଡିଶା କୋଠାବାଡି ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଥିଲେ ଯେ ବୋର୍ଡ ଅଧୀନରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ୩୨ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି ଏବଂ ଏହିସବୁ ସେବାକୁ ୫-ଟି ଜରିଆରେ ଦକ୍ଷତାର ସହ ତୁରନ୍ତ ଯୋଗାଇ ଦିଆଯାଉଛି।

ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତି ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ସେମାନଙ୍କର ମତାମତ ରଖି ଏହି ଗରିବ ଓ ଶ୍ରମିକ କଲ୍ୟାଣ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭାଗୀୟ ସଚିବ ଶ୍ରୀମତୀ ଚିତ୍ରା ଅର୍‌ମୁଗମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ.ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସାରା ରାଜ୍ୟର ୩୧୪ ବ୍ଲକର ନିର୍ମାଣ ଶ୍ରମିକ ମାନେ ଭିଡ଼ିଓ କନ୍ ଫରେନସ ଜରିଆରେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।

Categories
ଖେଳ ବିଶେଷ ଖବର ରାଜ୍ୟ ଖବର

ଟୋକିଓ ଅଲମ୍ପିକସ: ପଦକ ବିଜେତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକସ ହେଉଛି ଜୀବନର ଶ୍ରେଷ୍ଠ ସ୍ଵପ୍ନ। ଏହି ଅବସରରେ ଅଲମ୍ପିୟାନ ଦୁତୀ ଚାନ୍ଦ , ପ୍ରମୋଦ ଭଗତ, ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମମାନେ ଓଡିଶାର ଯୁବ ସମାଜ ପାଇଁ ରୋଲମଡେଲ ପାଲଟିଯାଇଛ। ତୁମ ପରିବାର ପାଇଁ ଓ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛ। କଠୋର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ଵାରା ତୁମେମାନେ ନିଶ୍ଚୟ ପଦକ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି ଅବସରରେ ଅଲମ୍ପିକସ ପଦକ ବିଜେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ। ଟୋକିଓ ଅଲମ୍ପିକସରେ ସ୍ଵର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା , ରୌପ୍ୟ ପଦକ ଜିତିଲେ ୪ କୋଟି ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୨.୫ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପଷରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହିତ ଅଲମ୍ପିକସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଲମ୍ପିକ ରେ ସେମାନଙ୍କ ସଫଳତା କ୍ରୀଡା କ୍ଷେତ୍ରରେ ଓଡିଶାକୁ ଗୌରବ ମଣ୍ଡିତ କରିବ ବୋଲି ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ସମସ୍ତ ଖେଳାଳି ବ୍ୟକ୍ତିଗତ ଭାବରେ ସେମାନଙ୍କର ମତାମତ ଦେଇ ଅଲମ୍ପିକରେ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ।।

ଖେଳାଳି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଖେଳାଳି ମାନଙ୍କ ଅଲମ୍ପିକସ ପ୍ରସ୍ତୁତି ଓ ଏଥି ନିମନ୍ତେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।

କ୍ରୀଡା ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ସ୍ଵାଗତ ଭାଷଣ ଦେଇଥିଲେ ଓ ସ୍ଵତନ୍ତ୍ର ସଚିବ ଶ୍ରୀ ଆର ଭିନିଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ଉନ୍ନୟନ କମିଶନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ଟିକାକରଣ ଓ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ

ଭୂବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ବ ଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ ମଧ୍ୟ ଅଳ୍ପ କେତେକ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ଏହାସହିତ ଘରକୁ ଘର ବୁଲି ଚାଲିଥିବା ସର୍ଭେ କାର୍ଯ୍ୟକ୍ରମ ଦ୍ବାରା କୋଭିଡ ତଥା ଅନ୍ୟନ୍ୟ ରୋଗୀ ମାନଙ୍କର ଚିହ୍ନଟ ଏବଂ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇପାରୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହାକୁ ଆହୁରି ଗୁରୁତର ସହ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ।

ତୃତୀୟ ଲହରରେ ପ୍ରସ୍ତୁତି ସ୍ବରୂପ ଶିଶୁ ରୋଗ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ତଥା ଡାକ୍ତରମାନଙ୍କର ଏ ସଂପର୍କିତ ତାଲିମକୁ ପ୍ରାଥମିକତା ଦେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ବିଭିନ୍ନ ଡାକ୍ତରଖାନା ମାନଙ୍କରେ ଅକ୍‌ସିଜେନ ପ୍ଲାଣ୍ଟ ଯେପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ଷମ ହୋଇପାରିବ, ତାହା ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶୀଘ୍ର ଟିକାକରଣ ଆଗାମୀ କିଛି ମାସ ପାଇଁ ଆମର ମୁଖ୍ୟ ଫୋକସ ହୋଇରହିବ। ବର୍ତ୍ତମାନ ଆମେ ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦେଉଛୁ ବୋଲି ପ୍ରକାଶ କରି ଟିକା କେନ୍ଦ୍ର ମାନଙ୍କରେ ବିଭିନ୍ନ ସୁବିଧାର ବିକାଶ ପାଇଁ ଜିଲ୍ଲାପାଳ ମାନେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। କୋଭିଡ ନିୟମ ସଂପର୍କରେ ଲୋକମାନଙ୍କୁ ବାରମ୍ବାର ସଚେତନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଭିଡ ନ ଯିବା ଆଦି କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।

ସମୀକ୍ଷାରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମାଞ୍ଚଳର ୧୭ଟି ଜିଲ୍ଲାରେ ଆଂଶିକ ଅନ୍‌ଲକ୍‌ ପରେ ମଧ୍ୟ କୋଭିଡ କେସ୍‌ରେ କୌଣସି ବୃଦ୍ଧି ହୋଇନାହିଁ। କିନ୍ତୁ ଉପକୂଳ ଓ ଉତ୍ତର ଓଡିଶାର ଅଭିବକ୍ତ ପୁରୀ, କଟକ, ବାଲେଶ୍ବର ଓ ମୟୁରଭଂଜ ଆଦି ଜିଲ୍ଲା ମାନଙ୍କରେ ସଂକ୍ରମଣ ହାର ଅଧିକ ଥିବାରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଥିଲେ ଯେ ଗଞ୍ଜାମ ଓ ଝାରସୁଗୁଡା ଜିଲ୍ଲାରେ ସଂକ୍ରମଣ ହାର ଏକ ପ୍ରତିଶତରୁ ତଳେ ଥିବାବେଳେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୯-୧୫ ପ୍ରତିଶତ ରହୁଥିବାରୁ ଏହା ଉପରେ ଅଧିକ ଫୋକସ କରାଯାଇଛି। ଲକ୍‌ଡାଉନ କଡାକଡି ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ, ଟେଷ୍ଟିଙ୍ଗ ଆଦି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଜୁଲାଇ ୧୫ ବେଳକୁ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଏହି ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓମଫେଡ ଚାଷୀଙ୍କ ପାଇଁ କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କରୋନା କାଳରେ ରାଜ୍ୟରେ କ୍ଷତିଗ୍ରସ୍ତ ହୋଇଥିବା ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ପ୍ରତ୍ୟେକ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ଘୋଷଣା କରିଛନ୍ତି।

ସେଥିପାଇଁ ପ୍ରତି ଚାଷୀଙ୍କୁ ୬ ହଜାର ଲେଖାଏଁ ଆର୍ଥିକ ସହାୟତା ମିଳିବ। ଗୋ ଖାଦ୍ୟ ବାବଦକୁ ପ୍ରତ୍ୟେକ  ଦୁଗ୍ଧ ଚାଷୀଙ୍କୁ ଏହି ସହାୟତା ରାଶି ମିଳିବ। ଏଥିରେ ପ୍ରାୟ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟର ଅନାଥ ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ‘ଆଶୀର୍ବାଦ ଯୋଜନା’

ଭୁବନେଶ୍ବର: ଗତ ଅପ୍ରେଲ ପହିଲା ୨୦୨୦ ଦିନ ବା ତା ପରେ ଉଭୟ ବାପା,ମା ବା ପରିବାରର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷାଦୀକ୍ଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା ‘ଆଶୀର୍ବାଦ’ ଘୋଷଣା କରିଛନ୍ତି।

ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି। ବାପା, ମା ଉଭୟଙ୍କୁ ହରାଇ ଥିବା ପିଲା ଏବଂ ବାପା, ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇ ଥିବା ପିଲା ଏବଂ ଉପାର୍ଜନ କାରୀ ବାପା ବା ମା ଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲା।

ସମାଜର ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହି ପିଲମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ନିରାପଦ ପରିବେଶ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଶୀର୍ବାଦ ଯୋଜନାରେ ଏହି ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲମାନେ ସେମାନଙ୍କ ପରିବାର ଓ ଆତ୍ମୀୟ ସ୍ବଜନ ମାନଙ୍କ ଗହଣରେ ହିଁ ରହିବେ ଏବଂ ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକ ମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଶୀର୍ବାଦ ଯୋଜନା ଅନୁଯାୟୀ ବାପା ମା ଉଭୟଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ମାସିକ ୨ ହଜାର ୫୦୦ ଟଙ୍କା ଜମା କରାଯିବ। ପିଲାକୂ ୧୮ ବର୍ଷ ହେବା ପର୍ଯନ୍ତ ଏହି ସହାୟତା ଜାରି ରହିବ। ତା ପୂର୍ବରୁ ଯଦି ପିଲା କୁ କେହି ପୋଷ୍ୟ ଭାବରେ ଗ୍ରହଣ କରେ ତେବେ ଆଉ ସହାୟତା ଦିଆ ଯିବ ନାହିଁ।

ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ।

ଏହି ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ କରାଯିବ।

ବାପା ମାଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ।ତାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୂଥାନ୍ତି, ତେବେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ ।ଯଦି ଆବଶ୍ୟକ ପଡେ ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟ ରେ ପିଲା ପଢ଼ିବା ପାଇଁ ସାହାଯ୍ୟ ମଧ୍ୟ କରାଯିବ।

ପିଲାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ଚାହିଁବେ ତେବେ ପିଲାକୁ ଅନ୍ୟ ସ୍କୁଲରେ ପଢାଇବା ପାଇଁ ଶିଷା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳ ସହଯୋଗ ଯୋଗାଇ ଦେବେ।

ଉଚ୍ଚ ଶିଷା ପାଇଁ ପିଲାକୁ ରାଜ୍ୟ ସରକାରଙ୍କ ଗ୍ରୀନ ପାସେଜ ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ।

ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ପିଲାର ମଙ୍ଗଳକୁ ଦୃଷ୍ଟିରେ ରଖି ତାଙ୍କୁ ଘର ମଞ୍ଜୁର କରାଯିବ।

ଏହି ପିଲାଙ୍କ ଯତ୍ନ ନେଉଥିବା ଆତ୍ମୀୟ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ, ଆଉଟ ଅଫ ଟର୍ନ ରେ ତାଙ୍କୁ ସେ ସୁବିଧା ଯୋଗାଇ ଦିଆଯିବ।
ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ତହସିଲଦାର ଓ ପୋଲିସ ସହ ସମନ୍ବୟ ରଖି ଆବଶ୍ୟକ ପଦକ୍ଷେପ ନେବେ।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପିଲା ର ଦାୟିତ୍ୱ ନେଇଥିବା ଆତ୍ମୀୟ ଙ୍କ ସହ ନିୟମିତ ଯୋଗାଯୋଗ ରେ ରହି ପିଲାର ଭଲ ମନ୍ଦ ଉପରେ ନଜର୍ ରଖବେ।

ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ଜୁଭେନାଇଲ ଜଷ୍ଟିସ ଫଣ୍ଡରୁ ଆବଶ୍ୟକ ସ୍ଥଳେ ଏ ପିଲା ମାନଙ୍କୁ ସହାୟତା ମିଳିପାରିବ।

ଉପରୋକ୍ତ ଦୁଇ ବର୍ଗର ପିଲା ଯଦି ଆତ୍ମୀୟଙ୍କ ପାଖରେ ନ ରହି କୋୖଣସି ଶିଶୁ ଯତ୍ନ ଶିକ୍ଷାନୁଷ୍ଠାନରେ ରୁହନ୍ତି ତେବେ ସେ କ୍ଷେତ୍ରରେ ପିଲାଙ୍କ ବ୍ୟାଙ୍କ ଖାତାରେ ମାସିକ ଏକହଜାର ଟଙ୍କା ପ୍ରତି ମାସରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ଜମା କରାଯିବ। ପିଲାର ମାଗଣା ଯତ୍ନ ଓ ଅନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ।

ପିଲାର ଶିକ୍ଷା, ସ୍ଵାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ଉପର ବର୍ଣ୍ଣିତ ଵ୍ୟଵସ୍ଥା ଅନୁଯାୟୀ କରାଯିବ।

ଯେଉଁ କ୍ଷେତ୍ର ରେ ପିଲାର ରୋଜଗାର କରୁଥିବା ବାପା ବା ମାଆଙ୍କ ମୃତ୍ୟୁ ଘଟିଥିବ ଏବଂ ସେ ବଞ୍ଚି ରହିଥିବା ବାପା ବା ମା ପାଖରେ ରହୁଥିବ ସେ ଷେତ୍ରରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ। ତାର ଭରଣପୋଷଣ ପାଇଁ ବଞ୍ଚି ଥିବା ମା ବା ବାପା କିମ୍ବା ପିଲା ର ବ୍ୟାଙ୍କ ଖାତାରେ ମାସିକ ପନ୍ଦର ଶହ ଟଙ୍କା ଜମା କରାଯିବ। ପିଲାକୁ ଯଦି କେହି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରନ୍ତି ସେ କ୍ଷେତ୍ର ରେ ଆଉ ସହାୟତା ମିଳିବ ନାହିଁ।

ପିଲାର ମା ଯଦି ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ। ଏହା ସହିତ ଉଭୟଙ୍କୁ ସେମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ର ସୁବିଧା ମଧ୍ୟ ମିଳିବ। ଏତଦ୍ବ୍ୟତୀତ ମାଗଣା ଶିଷା ସ୍ଵାସ୍ଥ୍ୟ ଵୀମା ଆଦି ଉପର ବର୍ଣ୍ଣିତ ସମସ୍ତ ସୁବିଧା ପିଲାକୁ ମିଳିବ।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତଥା ପଞ୍ଚାୟତ ସ୍ତରୀୟ କମିଟି ବ୍ଲକ କମିଟି ଫ୍ରଣ୍ଟଲାଇନ ୱାର୍କର ସିଭିଲ ଷୋସାଇଟି ଜରିଆରେ ପିଲାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ।

ଏହି ଯୋଜନା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ମାନେ ମଧ୍ୟ ମୃତ୍ୟୁ ପ୍ରମାଣ ପତ୍ର ସହ DCPUକଙ୍କୁ ଆବେଦନ କରିପାରିବେ। ଅସମୟରେ ବାପା ମା ଙ୍କୁ ହରାଇ ଥିବା ଜଣେ ବି ଅସହାୟ ଶିଶୁ ଯେପରି ଏ ଯୋଜନା ରୁ ବାଦ୍ ନ ପଡେ ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନିୟମିତ ଭାବରେ ପ୍ରତି ବର୍ଷ ସ୍ଵତନ୍ତ୍ର ଅଭିଯାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦ୍ଘାଟନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (LMO) ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ ଅକ୍‌ସିଜେନ ଉତ୍ପାଦନ ବ୍ୟବସ୍ଥାର (PSA Plant) ଭିତ୍ତିପ୍ରସ୍ତର ରଖିବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି। ଏହି ୮ଟି ଜିଲ୍ଲା ହେଉଛି – ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୁରଭଂଜ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ୨୦ଟି ଚାପ ଅବଶୋଷଣ ପ୍ରଣାଳୀରେ ଅକ୍‌ସିଜେନ ଉତ୍ପାଦନ ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜୁନ୍ ୯ ତାରିଖରେ ୭ଟି ଓ ଆଜି ୮ଟି PSA Plantର ଭିତ୍ତିପ୍ରସ୍ତର ରଖାଯାଇଛି। ଏହି ୨୦ଟି PSA Plant ଦ୍ବାରା ମିନିଟ୍‌ ପ୍ରତି ୨୪ ହଜାର ଲିଟର ମେଡିକାଲ ଅକ୍‌ସିଜେନ ଉତ୍ପାଦିତ ହୋଇପାରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ କୋଭିଡ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି। ତଥାପି ଆମକୁ ଆହୁରି ସାବଧାନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଥିଲେ। ତୃତୀୟ ଲହର ପାଇଁ କେତେକ ରାଜ୍ୟରେ ବିଶେଷଜ୍ଞମାନେ ସତର୍କ ସୂଚନା ଦେଇଛନ୍ତି ବୋଲି ପ୍ରକାଶ କରି ଆମ ରାଜ୍ୟରେ ଏଥିପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହିତ ଡବଲ ମାସ୍କ ପିନ୍ଧିବା ସହିତ ଟିକା ନିଶ୍ଚିତ ଭାବରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ବିରୁଦ୍ଧରେ ଲଢେଇ ଜାରି ରହିଛି। ଅପ୍ରେଲରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଲହରରେ ରୋଗୀଙ୍କ ଅକ୍‌ସିଜେନ ସ୍ତର କମିବା ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ତେଣୁ ଆମର ସବୁ ହସ୍‌ପିଟାଲରେ ଅକ୍‌ସିଜେନ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରତ୍ୟେକ ଜୀବନ ମୂଲ୍ୟବାନ – ଏହା ହେଉଛି ଆମର ସବୁ ବିପର୍ଯ୍ୟୟ ପରିଚାଳନାର ଆଧାର। କୋଭିଡ କ୍ଷେତ୍ରରେ ମଧ୍ୟ ଏହି ଆଧାରରେ ସବୁ କୋଭିଡ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଓ ଔଷଧ ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଗଧାଡିରେ ରହି କାମ କରୁଥିବା ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀଙ୍କୁ ସେମାନଙ୍କର ସେବା ଓ ତ୍ୟାଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ପରିଶେଷରେ ସମସ୍ତଙ୍କ ସହଯୋଗରେ ଓଡିଶା ସହିତ ସାରା ମାନବ ଜାତି କୋଭିଡ ଲଢେଇରେ ବିଜୟ ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ।

ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ରଘୁନନ୍ଦନ ଦାସ, ରାଜ୍ୟସଭା ସାଂସଦ ଏବଂ ବିଧାୟକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କୋଭିଡ ଲଢେଇରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ।

ଉନ୍ନୟନ କମିଶନର ପି.କେ. ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଏବଂ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳରେ ସାମିଲ ହେଲେ ଦୁଇ ଓଡିଆ: ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଘୋଷିତ ଭାରତୀୟ ଦଳରେ ୨ ଜଣ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଭାରତୀୟ ୧୬ ଜଣିଆ ଦଳରେ ସାମିଲ କରାଯାଇଛି। ତେବେ ଏହି ଦୁଇ ଖେଳାଳିଙ୍କୁ ଅଲମ୍ପିକ ଖେଳିବା ପାଇଁ ସୁଯୋଗ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଘୋଷିତ ଭାରତୀୟ ହକି ଦଳ:

ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ଅଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ଔଷଧ କାରବାରରେ ସାମିଲ ଥିବା ବ୍ୟକ୍ତିଙ୍କୁ ନିସ୍ତାର ନାହିଁ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ସମୟରେ ନକଲି ଔଷଧ କାରବାର ବୃଦ୍ଧି ପାଉଛି। ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ଦେଖାଇଛନ୍ତି। ନକଲି ଔଷଧ କାରବାରରେ ସମ୍ପୃକ୍ତ ଥିବା ଲୋକଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର ହୋଇ ଉଠିଛନ୍ତି। ସେଥିପାଇଁ ଏହି ଘଟଣା ଉପରେ ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖା ଯୋଗ୍ୟ ଯେ, ରାଜ୍ୟରେ ଫାଭିଫିରାଭିର ସମେତ ୯ ଟି ନକଲି ଔଷଧକୁ ଠାବ କରାଯାଇଥିଲା। କଟକର କନିକା ଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲ ଦୋକାନରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ମଧ୍ୟ ଜବତ ହୋଇଥିଲା।

ତେଣୁ ଏହାକୁ ଗୁରୁତର ସହ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନକଲି ଔଷଧ କାରବାରରେ ସାମିଲ ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ତେବେ ଏହି ଘଟଣାର ତଦନ୍ତ ପାଇଁ ଆଜି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡ ପରିଚାଳନା ପାଇଁ ଆଉ ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ଏହି ସହାୟତା ରାଶିରେ କିଣା ଯାଇଥିବା ଜରୁରୀକାଳୀନ କୋଭିଡ ଉପକରଣକୁ ମୁଖ୍ୟମନ୍ତ୍ରୀ ଆଜି ଲୋକଙ୍କ ସେବାରେ ଉତ୍ସର୍ଗ କରିଛନ୍ତି ।

ଏହି ଅର୍ଥ ଦ୍ବାରା ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ବରଗଡ, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, ନୂଆପଡ, ଝାରସୁଗୁଡା, ବୌଦ, ସୁବର୍ଣ୍ଣପୁର, ଦେବଗଡ ଓ ଅନୁଗୁଳରେ ସମସ୍ତ ଜରୁରୀକାଳୀନ କୋଭିଡ ଉପକରଣ କିଣା ଯାଇଛି। ଭେଣ୍ଟିଲେଟର, ଅକ୍‌ସିଜେନ୍‌ ପାଇପ ଲାଇନ, ଅଟୋଆନାଲାଇଜର, ସିବିସି ମେସିନ୍‌, ଅକ୍‌ସିମିଟର ଆଦି ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅତିରିକ୍ତ ଅର୍ଥ ବ୍ୟବସ୍ଥା ଦ୍ବାରା ଏହି ଜିଲ୍ଲାଗୁଡିକରେ କୋଭିଡ ଭିତ୍ତିଭୂମି ଆହୁରି ସୁଦୃଢ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରି କହିଛନ୍ତି ଯେ ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଖୁବ ଶୀଘ୍ର ଏ ସଂକଟରୁ ମୁକ୍ତ ହେବୁ। ପଶ୍ଚିମ ଓଡିଶାରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ, ମୁଖ୍ୟମନ୍ତ୍ରୀ ଏହାର ସବୁ ଶ୍ରେୟ ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ଦେଇଛନ୍ତି। ଆଗଧାଡିରେ ରହି କାମ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡୀ ଓ ଆଶାକର୍ମୀ ସମସ୍ତଙ୍କୁ ଶ୍ରେୟ ଦେଇ ସେମାନଙ୍କ ତ୍ୟାଗ ଓ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଆଗକୁ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ପଶ୍ଚିମ ଓଡିଶା ବିକାଶ ପରିଷଦ, ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇ କହିଥିଲେ ଯେ ପଶ୍ଚିମ ଓଡିଶାର ବିକାଶ ପରିଷଦ ଯେପରି ଅଧିକ ବିକାଶ କାମ କାର୍ଯ୍ୟକାରୀ କରିପାରିବ, ସେଥିପାଇଁ ଅଧିକ ପାଣ୍ଠି ଦିଆଯାଉଛି। ବିକାଶ ପରିଷଦ ଏହାର ଦାୟିତ୍ବ ସଫଳ ଭାବରେ ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ଅକ୍‌ସିଜେନ ଯୋଗାଣରେ ଓଡିଶା ନୂଆ ପରିଚୟ ସୃଷ୍ଟି କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି। ଏ ସଂକଟ ସମୟରେ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ – ଏହା ଆମର ସିଦ୍ଧାନ୍ତ ବୋଲି ପ୍ରକାଶ କରି ପ୍ରତ୍ୟେକ ଲୋକ ଯେପରି ଉତ୍ତମ ଚିକିତ୍ସା ସେବା ପାଇପାରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ  ନିରଞ୍ଜନ ପୂଜାରୀ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ, ଗ୍ରାମ୍ୟ ଉନ୍ନୟମ ମନ୍ତ୍ରୀ ସୁଷାନ୍ତ ସିଂହ, ଶକ୍ତି ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଏବଂ ସାଂସଦ ଓ ବିଧାୟକ ମାନେ ଯୋଗ ଦେଇଥିଲେ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପି.କେ. ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୨୯.୪୧ କୋଟି ଟଙ୍କାର ବିଭିନ୍ନ ସ୍ବାସ୍ଥ୍ୟ ପ୍ରକଳ୍ପ ସହ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଣ୍ଟ ଏବଂ ୭ଟି ପିଏସଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ, କଟକରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଏକ ଆରଟିପିସିଆର ଟେଷ୍ଟ ଲାବୋରେଟୋରୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନାର ଦ୍ବିତୀୟ ଲହରୀରେ ମେଡିକାଲ ଅକ୍‌ସିଜେନର ଆବଶ୍ୟକତା ବହୁତ ବଢିଯାଇଥିଲା। ଏହି ସମୟରେ ଓଡିଶାରେ ଅକ୍‌ସିଜେନ ଯୋଗାଣ ନେଇ କୌଣସି ସମସ୍ୟା ହୋଇନାହିଁ। ନିଜର ଆବଶ୍ୟକତାକୁ ପୂରଣ କରିବା ସହ ଓଡିଶା ୧୭ଟି ରାଜ୍ୟକୁ ଅକ୍‌ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି। ଓଡିଶା ପାଇଁ ଏହା ନିଶ୍ଚିତ ଭାବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅକ୍‌ସିଜେନର ଉତ୍ପାଦନ ଠାରୁ ଆରମ୍ଭ କରି ରୋଗୀକୁ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ବ୍ୟବସ୍ଥା ଏକ ଜଟିଳ ପ୍ରକ୍ରିୟା। ଏଥିରେ ବହୁତ ଯନ୍ତ୍ରପାତି, ଯାନବାହାନ, ନିରନ୍ତର ତଦାରଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ। ଓଡିଶାକୁ ଆମେ ଦେଶର ବିଭିନ୍ନ ସ୍ଥାନରୁ ଏପରିକି ଚୀନ୍‌ରୁ ମଧ୍ୟ ଅକ୍‌ସିଜେନ ସିଲିଣ୍ଡର ଆଣି ଆମର ବ୍ୟବସ୍ଥାକୁ ସୁଦୃଢ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କରୋନା ଭୂତାଣୁ ସଂକ୍ରମଣର ଅନିଶ୍ଚିତ ଗତି ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଠାରୁ ହିଁ ଆମକୁ ପ୍ରସ୍ତୁତ ରହିବାକୁ ହେବ। ଏଥିପାଇଁ ଆମର ସ୍ବାସ୍ଥ୍ୟ ଭିତ୍ତିଭୂମି, ସ୍ବାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ କାମ କରାଯାଉଛି। ଆଜିର ନୂଆ ବ୍ୟବସ୍ଥା ଗୁଡିକ ଲୋକଙ୍କୁ ଖୁବଶୀଘ୍ର ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଏହିସବୁ ଭିତ୍ତିଭୂମି ପାଇଁ କର୍ପୋରେଟ କ୍ଷେତ୍ରର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ରାଜ୍ୟର ସମସ୍ତ ପ୍ରମୁଖ ହସ୍‌ପିଟାଲରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ପରିଶେଷରେ ରଜ ଓ ସାବିତ୍ରୀ ପରି ଉତ୍ସବ ସମୟରେ ଜନସାଧାରଣ ସତର୍କ ରହି, ସମସ୍ତ କୋଭିଡ ନିୟମ ପାଳନ କରି ପର୍ବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡାରୁ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ କହିଲେ ଯେ ଓଡିଶା ବର୍ତ୍ତମାନ ଅକ୍ସିଜେନ କ୍ଷେତ୍ରରେ ସାରା ଦେଶ ପାଇଁ ଓଡିଶା ଏକ ନୂଆ ଆଶା ହୋଇପାରିଛି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବର ପରାକାଷ୍ଠାକୁ ପ୍ରଶଂସା କରିଥିଲେ। ଆଜିର ଭିତ୍ତିଭୂମି ବ୍ୟବସ୍ଥା ଦ୍ବାରା ଓଡିଶା ତୃତୀୟ ଲହରୀର ସଫଳ ମୁକାବିଲା କରିପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ବଲାଙ୍ଗୀରରୁ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଭୁବନେଶ୍ବରରୁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରିବା ସହିତ ଏହାଦ୍ବାରା ଆଗାମୀ ଦିନରେ ଓଡିଶା କୋଭିଡ ସହିତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାର ସଫଳ ମୁକାବିଲା କରିପାରିବ ବୋଲି ଆଶାପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଉପମୁଖ୍ୟ ସଚେତକ, ନବରଙ୍ଗପୁର ସାଂସଦ, ବାଲେଶ୍ବର ବିଧାୟକ, କୋରାପୁଟ ବିଧାୟକ, ବଲାଙ୍ଗୀର ବିଧାୟକ, କଟକ-ଚୌଦ୍ବାର ବିଧାୟକ, ନବରଙ୍ଗପୁର ବିଧାୟକ ଆଦି ଯୋଗ ଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସ୍ବାଗତ ଭାଷଣ ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାମାତ୍ର କହିଥିଲେ ଯେ ବର୍ତ୍ତମାନ ନବରଙ୍ଗପୁରକୁ ମିଶାଇ ରାଜ୍ୟର ୧୭ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲାବୋରେଟୋରୀ କରାଯାଇଛି। ରାଜ୍ୟର ସବୁ ଜିଲ୍ଲାରେ ଏହି ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

ଓଡିଶା ମେଡିକାଲ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୭୫୦ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: କରୋନା ସଂକ୍ରମଣ ଭିତରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଡାକ୍ତରଙ୍କ ଅଭାବ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହା ସହ ନୂଆ ଡାକ୍ତରଙ୍କୁ କର୍ମକ୍ଷେତ୍ରରେ ଶୀଘ୍ର ଯୋଗ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ରାଜ୍ୟରେ ୭୫୦ ଜଣ ନୂଆ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସମସ୍ତ ନୂଆ ଡାକ୍ତର ୭ ଦିନ ଭିତରେ ନିଜ ନିଜ କାର୍ଯ୍ୟରେ ଯୋଗ ଦେବାକୁ ନର୍ଦ୍ଦେଶ ହୋଇଛି। କର୍ମକ୍ଷେତ୍ରକୁ ଗଲା ବେଳେ ନିଯୁକ୍ତି ପତ୍ରକୁ ନୂଆ ଡାକ୍ତରମାନେ ପାସ୍ ଭାବେ ବ୍ୟବହାର କରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ସବୁ ହିତାଧିକାରୀଙ୍କୁ ଆଗୁଆ ୩ ମାସର ଭତ୍ତା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟର ସମସ୍ତ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଅଗ୍ରୀମ ୩ ମାସର ଭତ୍ତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କରୋନାରେ ଅନାଥ ଓ ବିଧବା ହୋଇଥିବା ପୀଡ଼ିତଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଚିହ୍ନଟ କରି ୧୫ ଦିନ ଭିତରେ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପୀଡିତଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ବ୍ଲାକ ଫଙ୍ଗସ ନିରାକରଣ ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ହୋଇଛି। ସମ୍ଭାବ୍ୟ ତୃତୀୟ ଲହରୀରେ ପିଲାମାନଙ୍କ ପ୍ରତି ବିଶେଷ ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀ, ନେତା ଏବଂ ଅଫିସରମାନେ ନେବେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ପାଇଁ ତାଲିମ

ଭୁବନେଶ୍ବର: ରାଜ୍ୟ ମନ୍ତ୍ରୀପରିଷଦ ବୈଠକ ଶେଷ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା।

ଏପରିକି ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ସେହିଦିନ ଠାରୁ ଆରମ୍ଭ କରି ଗତ ଦୁଇ ବର୍ଷ ହେଲା ଆମେ ବାତ୍ୟା ଏବଂ କୋଭିଡ ମହାମାରୀର ବିପର୍ଯ୍ୟୟକାରୀ ପ୍ରଭାବ ସାମ୍ନା କରିଆସୁଛୁ। ଏହା ହେଉଛି ଏକ ଅଭୂତପୂର୍ବ ସମସ୍ୟା ଏବଂ ଆମେ ଆମର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ।

ସାରା ବିଶ୍ବରେ ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ଭାବରେ ସ୍ବୀକୃତ ଓଡିଶା ଏ କ୍ଷେତ୍ରରେ ତାର ମାନବୀୟ ଦୃଷ୍ଟିଭଙ୍ଗୀ ଓ ଦକ୍ଷତା ପାଇଁ ସୁନାମ କରିଛି। ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି। ଓଡିଶାରେ ଆମେ ଅତ୍ୟନ୍ତ ଗୁରୁତର ପ୍ରଭାବ ସୃଷ୍ଟିକାରୀ ବାତ୍ୟାର ବର୍ଦ୍ଧିଷ୍ଣୁ ପ୍ରକ୍ରିୟାକୁ ଅନୁଭବ କରିଆସୁଛୁ।

୨୦୨୦ ମାର୍ଚ୍ଚ ପର ଠାରୁ କୋଭିଡ ମହାମାରୀ ଆମର ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞତାରେ ଏକ ନୂଆ ସମସ୍ୟା ଭାବରେ ଦେଖାଦେଇଛି। ସାରା ବିଶ୍ବର ବିଭିନ୍ନ ଦେଶ ଏହି ମହାମାରୀର ବିଭିନ୍ନ ଲହର ଦ୍ବାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି। ତଥାପି, ସ୍ବାଭାବିକ ଅବସ୍ଥାକୁ ଫେରିବା ଆଜି ଏକ ଆହ୍ବାନ। କରୋନା ଭାଇରସ୍‌ ସଂକ୍ରମଣର ସଫଳ ନିୟନ୍ତ୍ରଣ ପୂର୍ବରୁ, ମାନବ ସମାଜକୁ ଏହି ମହାମାରୀର କେତେ ଲହର ଓ ଏହି ଭାଇରସ୍‌ର କେତେ ଅଧିକ ଭ୍ୟାରିଏଣ୍ଟର ସମ୍ମୁଖୀନ ହେବାକୁ ପଡିବ, ତାହା ବର୍ତ୍ତମାନ କେହି ସଠିକ ଭାବରେ କହିବା ସମ୍ଭବ ନୁହେଁ। ଏହା ହିଁ ହେଉଛି ବାସ୍ତବତା ଏବଂ ଆମ ସମସ୍ତଙ୍କୁ ଏହା ଗ୍ରହଣ କରିବାକୁ ହେବ ଓ ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ।

ଏପର୍ଯ୍ୟନ୍ତ ଆମ ରାଜ୍ୟ କରୋନା ସଂକ୍ରମଣର ଦୁଇଟି ଲହର ଦ୍ବାରା ପ୍ରଭାବିତ ହୋଇସାରିଲାଣି। ଆମର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସଠିକ୍‌ ଭାବରେ ପରିଚାଳନା କରିବାରେ ଆମେ ସକ୍ଷମ ହୋଇପାରିଛୁ ଏବଂ ସଂକ୍ରମଣର ପ୍ରସାର ଦ୍ବାରା ଆମର ବ୍ୟବସ୍ଥା ଏପର୍ଯ୍ୟନ୍ତ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇନାହିଁ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆମ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଇଆସିଛନ୍ତି। ଯେତେବେଳେ ଅନ୍ୟ ରାଜ୍ୟମାନେ ଦୁର୍ଭାଗ୍ୟବଶତଃ ଅକ୍‌ସିଜେନ ସମସ୍ୟା ଭିତରେ ଛନ୍ଦି ହୋଇ ଯାଇଥିଲେ, ସେତେବେଳେ ଆମ ସରକାର ଆମ ଡାକ୍ତରଖାନା ମାନଙ୍କରେ ଅକ୍‌ସିଜେନ ଯୋଗାଣକୁ ସୁବ୍ୟବସ୍ଥିତ କରିବା ସହିତ ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ଅକ୍‌ସିଜେନ ଯୋଗାଇବରେ ସଫଳ ହୋଇପାରିଛି। ବହୁ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିଛି।

ସେ ଯାହା ହେଉ ନା କାହିଁକି, କୋଭିଡ ପରିଚାଳନାରେ ଆମକୁ ଆଗକୁ ଆହୁରି ପଥ ଅତିକ୍ରାନ୍ତ କରିବାକୁ ଅଛି। ଆମେ ବର୍ତ୍ତମାନ ଟିକାକରଣ ଉପରେ ଫୋକସ କରିଛୁ। ଟିକାକରଣ ନିମନ୍ତେ ଆମର ସମ୍ବଳର ଉପଯୋଗ କରି ଆମର ଲୋକମାନଙ୍କୁ ଯେତେଶୀଘ୍ର ସମ୍ଭବ, ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛୁ।

ସଂକଟ ସମୟରେ ଆମ ଲୋକଙ୍କର ସହଯୋଗ ତଥା ବିଭିନ୍ନ ସ୍ତରରେ ଗୋଷ୍ଠୀର ସଂପୃକ୍ତି ଆମର ସବୁଠାରୁ ବଡ ଶକ୍ତି ହୋଇ ରହିଆସିଅଛି। ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା ପାଇଁ ଓଡିଶାବାସୀଙ୍କର ନିରନ୍ତର ସହଯୋଗ ଏବଂ ସରକାରଙ୍କ ଉଦ୍ୟମରେ ନିଃସର୍ତ୍ତ ସମର୍ଥନ ପାଇଁ ରାଜ୍ୟ ସରକାର ଓଡିଶାବାସୀଙ୍କ ନିକଟକରେ କୃତଜ୍ଞ। ମହାମାରୀ ଓ ବାତ୍ୟା ପରି ଦୁର୍ବିପାକ ସମୟରେ ପ୍ରଶାସନର ଭଲ କାମରେ ଲୋକମାନଙ୍କର ପ୍ରଶଂସା ସରକାର ପାଇଁ ବହୁତ ବଡ ପ୍ରେରଣା ହୋଇ ରହିଆସିଛି।

ବିପର୍ଯ୍ୟୟର ମୁକାବିଲା କିପରି କରିବାକୁ ହେବ, ସେ ବିଷୟରେ ଆମକୁ ନିରନ୍ତର ଶିକ୍ଷା ଲାଭ କରିବାକୁ ହେବ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପ ଖୁଆଇ ଚଳିବା ସଙ୍ଗେ ସଙ୍ଗେ ବ୍ୟବସ୍ଥାରେ ମଧ୍ୟ ନିରନ୍ତର ଉନ୍ନତି ଆଣିବାକୁ ପଡିବ। ଏହା ହେଉଛି ଆମ ସମାଜର ସୁରକ୍ଷାର ବିଷୟ। ତେଣୁ ଏ ଦିଗରେ ଆମ ରାଜ୍ୟକୁ ଦକ୍ଷ ଓ ଦୃଢ କରିବା ପାଇଁ ଆମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବୁ। ଆଜି ଆମର ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତିକୁ ଏକ ବିଷୟ ଭାବରେ ଗ୍ରହଣ କରିବାକୁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ସଂକଳ୍ପ ପାରିତ କରିଛି। ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟବୃନ୍ଦ ଏବଂ ସମସ୍ତେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ। ଏହା ହେଉଛି ଏକ ଐତିହାସିକ ପଦକ୍ଷେପ ଏବଂ ଭବିଷ୍ୟତରେ ପ୍ରକୃତିର ତାଣ୍ଡବ, ଏହା ଜୈବିକ ହେଉ ବା ଜଳବାୟୁ ଜନିତ, ତାର ସମ୍ମୁଖୀନ ହେବାକୁ ଆମର ଭବିଷ୍ୟତ ବଂଶଧର ମାନଙ୍କୁ ଏହା ଦକ୍ଷ ଓ ସଶକ୍ତ କରିବ। ଏହି ପଦକ୍ଷେପ ଦ୍ବାରା ଓଡିଶା ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିବ। ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଚେତନତା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହା ହେଉଛି ଆମର ଉପଲ୍‌ବଧି।

ଯେତେବେଳେ ସରକାର ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା କରିଚାଲିଛନ୍ତି, ସେତେବେଳେ କିନ୍ତୁ ଲୋକଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆମେ ଭୁଲିଯାଇ ନାହୁଁ। ୫-ଟି, ଆମର ପଞ୍ଚମ ପାଳିର ମୁଖ୍ୟ ଫୋକସ ହୋଇ ରହିଆସିଛି। ସ୍ବଚ୍ଛତା, ବୈଷୟିକ କୌଶଳ, ସାମୁହିକ ଉଦ୍ୟମ, ସମୟ ଓ ପରିବର୍ତ୍ତନ। ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଜୀବନରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଏହି ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାମ କରିଚାଲିଛନ୍ତି।

ଲୋକଙ୍କ ସହିତ ସିଧାସଳଖ ସଂପର୍କ ରହିବା ପାଇଁ ଆମେ ମୋ ସରକାର ଫିଡବ୍ୟାକ ବ୍ୟବସ୍ଥା ଆରମ୍ଭ କରିଥିଲୁ। ସମୟକ୍ରମେ ପ୍ରତ୍ୟେକ ସ୍ତରରେ ଲୋକଙ୍କ ପ୍ରତି ସରକାରୀ କର୍ମଚାରୀ ମାନଙ୍କର ମନୋଭାବ ଏବଂ ବ୍ୟବହାରରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବାରେ ଏହା ସଫଳ ହୋଇଛି। ପ୍ରଶାସନ ଏବଂ ସରକାରୀ ସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ ଓ ବୈଷୟିକ ଭିତ୍ତିକ କରି ସରକାରୀ ବ୍ୟବସ୍ଥାରେ ଢାଞ୍ଚାଗତ ଓ ପ୍ରକ୍ରିୟାଗତ ପରିବର୍ତ୍ତନ ଆଣିବାପାଇଁ ଆନ୍ତରିକ ପଦକ୍ଷେପ ନିଆଯାଇଛି।

ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ସବୁବେଳେ ଆମର ସ୍ବତନ୍ତ୍ର ଗୁରୁତ୍ବ ରହିଆସିଛି। ସାରା ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଆମେ ୮୫୦୦ କୋଟି ଟଙ୍କାର ବିପୁଳ ପୁଞ୍ଜି ବିନିଯୋଗ କରିଛୁ। ୩୫୦୦ କୋଟି ଟଙ୍କା ବ୍ୟୟରେ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରାଯିବ। ଗତ ବର୍ଷକ ମଧ୍ୟରେ ଆମେ ୭୮୬ ଜଣ ଡାକ୍ତର ଓ ୫୧୩୭ ଜଣ ପାରାମେଡିକ୍‌ସଙ୍କୁ ନିଯୁକ୍ତ କରିଛୁ।

ଆମର ପିଲାମାନଙ୍କର ଭିତରେ ଥିବା ଦକ୍ଷତାର ପୂର୍ଣ୍ଣ ବିକାଶ ପାଇଁ ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ହାଇସ୍କୁଲ ମାନଙ୍କର ରୂପାନ୍ତର ଆମର ମୁଖ୍ୟ କାର୍ଯ୍ୟକ୍ରମ। ଏଥିପାଇଁ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଆମେ ୧୦୦୦ରୁ ଅଧିକ ସ୍କୁଲର ରୂପାନ୍ତର ପାଇଁ ପଦକ୍ଷେପ ନେଉଛୁ। ଆମର ଯୁବ ସମାଜକୁ ବିଶ୍ବର ନିଯୁକ୍ତି ବଜାରର ଚାହିଦା ମୁତାବକ ପ୍ରସ୍ତୁତ କରିବା ପାଇଁ ଆମର ସ୍କିଲ୍ଡ ଇନ ଓଡିଶା କାର୍ଯ୍ୟକ୍ରମର ଅଂଶସ୍ବରୂପ ବିଶ୍ବ ଦକ୍ଷତା କେନ୍ଦ୍ର ଆରମ୍ଭ କରାଯାଇଛି। ଆମର ଯୁବସମାଜ ଯେପରି ବିଶ୍ବର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କ ସହ ଦକ୍ଷତାର ସହିତ ପ୍ରତିଦ୍ବନ୍ଦିତା କରିପାରିବେ, ସେଥିପାଇଁ ପ୍ରତି କ୍ଷେତ୍ରରେ ସେମାନଙ୍କୁ ଗୁଣାତ୍ମକ ଦକ୍ଷତା ତାଲିମ ଦିଆଯିବ। ଓଡିଶା ଆଜି ପୁଞ୍ଜି ବିନିଯୋଗର ଆକର୍ଷଣୀୟ କେନ୍ଦ୍ର ହୋଇ ରହିଛି। କୋଭିଡ ମହାମାରୀ ପରିସ୍ଥିତି ସତ୍ତ୍ବେ ଦେଶର କେତେକ ବଡ ବଡ ପୁଞ୍ଜିନିବେଶକୁ ଆକର୍ଷିତ କରିବାରେ ସଫଳ ହୋଇପାରିଛୁ।

କ୍ରୀଡାର ବିକାଶ ଦିଗରେ ଆମର ନିରନ୍ତର ପ୍ରୟାସ ଜାରି ରହିଛି। ରାଉରକେଲାରେ ଦେଶର ବୃହତ୍ତମ ହକି ଷ୍ଟାଡିଅମ ସମେତ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିମନ୍ତେ ୧୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି।

କୃଷି ଓ କୃଷକର ଉନ୍ନତି ହେଉଛି ଆମ ରାଜ୍ୟର ବିକାଶର ଆଧାରଶୀଳା। ଗତ ଏକ ବର୍ଷ ମଧ୍ୟରେ କାଳିଆ ଯୋଜନାରେ ଆମ ରାଜ୍ୟର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ୬୧୧୮ କୋଟିରୁ ଅଧିକ ଟଙ୍କା ଜମା କରି ଆମେ ଆମର ପ୍ରତିଶ୍ରୁତି ରକ୍ଷା କରିପାରିଛୁ। ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ଠିକ୍‌ ସମୟରେ ଶେଷ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଓ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଚାଷୀଙ୍କ ସେବାରେ ଉତ୍ସର୍ଗ କରାଯାଇଛି।

ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମଜବୁତ କରାଯାଇଛି। ଏକ ଉଦାହରଣୀୟ ପଦକ୍ଷେପ ଭାବରେ ମିଶନ ଶକ୍ତି ପାଇଁ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି। ମିଶନ ଶକ୍ତି ମା’ ମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଆଗାମୀ ୫ ବର୍ଷରେ ସେମାନଙ୍କୁ ୫୦୦୦ କୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସଂପୃକ୍ତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ।

ଆମର ମହାନ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସାରା ରାଜ୍ୟରେ ପୁରୀ, କୋଣାର୍କ, ସମଲେଶ୍ବରୀ, ହରଶଂକର – ନୃସିଂହନାଥ ମନ୍ଦିରର ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଅଛି ।

ଆମର ପଞ୍ଚାୟତିରାଜ ଅନୁଷ୍ଠାନ ତଥା ପୌରସଂସ୍ଥା ଗୁଡିକୁ ମଜବୁତ କରିବା ପାଇଁ ଅର୍ଥ କମିଶନଙ୍କ ଅନୁଦାନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ୧୧,୨୮୭ କୋଟି ଟଙ୍କାର ଆର୍ଥକ ଅନୁଦାନ ଦିଆଯାଇଛି।

ଓଡିଶାର ଜନସାଧାରଣ ପଞ୍ଚମ ଥର ପାଇଁ ଆମକୁ ଆଶୀର୍ବାଦ କରି ସେବାର ସୁଯୋଗ ଦେଇଛନ୍ତି । ଲୋକଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ଏବଂ ସେମାନଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ। ଏହି ମହାମାରୀ ଏକ ଅନନ୍ୟ ପରିସ୍ଥିତି ସୃଷ୍ଟି କରିଛି, ଯାହାଦ୍ବାରାକି ଲୋକମାନଙ୍କ ଜୀବନ ଓ ଜୀବିକା ଗଭୀର ଭାବରେ ପ୍ରଭାବିତ ହୋଇଛି। ଏସବୁ ଆହ୍ବାନ ସତ୍ତ୍ବେ ଆମର ଦୃଢ ବିଶ୍ବାସ ଯେ ଓଡିଶାର ଜନସାଧାରଣଙ୍କ ସହଯୋଗରେ ଏହି ସଂକଟର ମୁକାବିଲାରେ ଆମେ ବିଜୟୀ ହେବୁ ତଥା ଓଡିଶାର ରୂପାନ୍ତର ନିମନ୍ତେ ଆମର ଭଲ କାମକୁ ଜାରି ରଖିବୁ।

Categories
ବିଶେଷ ଖବର ରାଜ୍ୟ ଖବର

ସମସ୍ତ ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ: ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ। କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ ଦିନ ପାଇଁ ରିଲିଫ ଘୋଷଣା କରାଯାଇଛି ବୋଲି ପ୍ରକାଶ କରି ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଖୁବଶୀଘ୍ର ସ୍ବଭାବିକ କରିବା ପାଇଁ ପରାମର୍ଶ ଦେଇ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡକ ଗୁଡିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ।

ସେହିପରି ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ୟଶର ପରିଚାଳନାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବିଧିବଦ୍ଧ ଯୋଜନା ଏବଂ ତ୍ରୁଟିଶୂନ୍ୟ ପରିଚାଳନା ଯୋଗୁ ବାତ୍ୟା ୟଶର ସଫଳ ମୁକାବିଲା କରାଯାଇପାରିଛି। ସେ କହିଥିଲେ ଯେ ଜନସାଧାରଣଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ଥରେ ପ୍ରମାଣିତ କରିପାରିଛି।

ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ସମସ୍ତ ଜନସାଧାରଣ, ନାଗରିକ ସଂଗଠନ ମାନଙ୍କୁ ରିଲିଫ ଓ ସ୍ଥାନାନ୍ତର କାର୍ଯ୍ୟରେ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

କେନ୍ଦ୍ର ସରକାର ଏବଂ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଯଥା NDRF, IMD ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ପରିଶେଷରେ ମୁଖ୍ୟମନ୍ତ୍ରୀ ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟରେ ଏହିଭଳି ଦକ୍ଷତାର ସହ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା ଷୟଷତି ଆକଳନ କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ ରୁ ୮୦ ପ୍ରତିଶତ ସ୍ବଭାବିକ ହୋଇଛି ବୋଲି ପ୍ରକାଶ କରି ସେ କହିଲେ ଯେ ଜଳମଗ୍ନ ଅଞ୍ଚଳ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ ଯୋଗାଯୋଗ ସ୍ବଭାବିକ ହୋଇଛି। ପାନୀୟ ଜଳ ପାଇଁ ଡିଜି ସେଟ୍‌, ଟ୍ୟାଙ୍କର ଜରିଆରେ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଏକ ଉପସ୍ଥାପନା ରଖି କରିଥିଲେ ଯେ ଲୋକଙ୍କ ସୁରକ୍ଷା ପାଇଁ ୧୨ଟି ଜିଲ୍ଲାର ୭ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୪୧୦ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା। ସେ କହିଥିଲେ ଯେ ୨୦୦ଟି ବ୍ଲକ୍‌ରେ ପ୍ରବଳ ବର୍ଷା ହୋଇଥିଲା। ମୟୁରଭଂଜର କୁସୁମୀ ବ୍ଲକ୍‌ରେ ୫୧୫ ମି.ମି ବର୍ଷା ହୋଇଥିବାର ସେ ସୂଚନା ଦେଇଥିଲେ। ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ବଢୁଥିବା ସତ୍ତ୍ବେ ବନ୍ୟା ଆଶଂକା କମ୍‌ ବୋଲି ପ୍ରକାଶ କରି କହିଥିଲେ ଯେ ବୈତରଣୀ ନଦୀର ନିମ୍ନାଞ୍ଚଳରେ ବନ୍ୟାର ସମ୍ଭାବନା ରହିଛି ଓ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି।

ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଥିଲା ଯେ ସମସ୍ତ ୩୩ ଓ ୧୧ କେଭି ଫିଡର ମରାମତି ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଖୁବ୍‌ ଶୀଘ୍ର ଶେଷ ହେବ। ୩୦ ଲକ୍ଷ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସଂଧ୍ୟା ସୁଦ୍ଧା ୨୩ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଯୋଗ ସ୍ବଭାବିକ କରାଯିବ।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମୁଦାୟ ୬୨ଟି ବ୍ଲକ ପ୍ରଭାବିତ ହୋଇଛି। ସବୁ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା। ୫୭୧ଟି ପାଇପ ଜଳ ପ୍ରକଳ୍ପକୁ ଜେନ୍‌ସେଟ୍‌ ଜରିଆରେ କାର୍ଯ୍ୟକାରୀ କରାଯାଉଛି ଏବଂ ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଅତିରିକ୍ତ ଟ୍ୟାଙ୍କର ପଠାଯାଇଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ସ୍ବଭାବିକ କରାଯାଇଛି।

ଜଳସଂପଦ ବିଭାଗର ସୂଚନା ଅନୁଯାୟୀ କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ଅଂଚଳରେ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଏବଂ ଜଳମଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇର ଆକଳନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଚାଲିଛି।

ମହିଳା ଓ ଶିଶୁବିକାଶ ବିଭାଗର ସୂଚନା ଅନୁଯାୟୀ ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୨୧୦୦ଙ୍କୁ ହସ୍‌ପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା। ବାତ୍ୟା ସମୟରେ ୭୫୦ ନବଜାତ ଶିଶୁ ଜନ୍ମ ହୋଇଛନ୍ତି।

ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ କୋଭିଡ ହସ୍‌ପିଟାଲରେ ଭିତ୍ତିଭୂମି ଠିକ୍‌ ରହିଛି। ଆଜି ସଂଧ୍ୟା ସୁଦ୍ଧା ଗଛ ପଡି ଅବରୋଧ ହୋଇଥିବା ସମସ୍ତ ସଡକ ଗୁଡିକ ଆବରୋଧମୁକ୍ତ କରାଯିବ। ସେହିପରି ଗ୍ରାମ ଉନ୍ନୟନ ବିଭାଗର ୩୫୦ଟି ସଡକ ଅବରୋଧ ହୋଇଥିବା ବେଳେ ଏହିସବୁ ଗୁଡିକ ଆଜି ସଂଧ୍ୟା ସୁଦ୍ଧା ଅବରୋଧମୁକ୍ତ ହେବ।

ବୈଠକରେ ବାଲେଶ୍ବର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକ୍ରମ ଗୁଡିକର ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରି ଏହିଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ସଂଯୋଜନା କରିଥିଲେ। ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ: ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ବର: ଆଜି ସନ୍ଧ୍ୟା ୫:୩୦ ମିନିଟରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କଂଫରେନ୍ସ ରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ରହ୍ମପୁର ସ୍ଥିତ ଏମକେସିଜିରେ ଅକ୍ସିଜେନ ପ୍ଳାଣ୍ଟକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବ୍ରହ୍ମପୁର: ଆଜି ବ୍ରହ୍ମପୁର ସ୍ଥିତ ଏମକେସିଜିରେ ଅକ୍ସିଜେନ ପ୍ଳାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅକ୍ସିଜେନ ପ୍ଳାଣ୍ଟକୁ ଲୋକାର୍ପଣ କରିଛନ୍ତି। ମୋଟ ୨ କୋଟି ଟଙ୍କାରେ ଏହି ପ୍ଳାଣ୍ଟ ନିର୍ମାଣ ହୋଇଛି। ଏଥିରୁ ୨୦ ହଜାର ଲିଟର ଅମ୍ଳଜାନ ଉତ୍ପାଦନ ହେବ। ଏହାଦ୍ବାରା ଦକ୍ଷିଣ ଓଡିଶା ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ସମୟରେ ଚାଷୀଙ୍କୁ ବଡ ଉପହାର: ଆସନ୍ତାକାଲି କାଳିଆ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବେ। ଆସନ୍ତାକାଲି ସନ୍ଧ୍ୟା ୫ ଟା ସମୟରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପାଇଁ କାଳିଆ ଟଙ୍କା ପ୍ରଦାନ କରିବେ। କରୋନା ମହାମାରୀ ସମୟରେ ଚାଷୀଙ୍କୁ ଏହା ଏକ ବଡ ଉପହାର ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଶ୍ଵ ନର୍ସିଙ୍ଗ ଦିବସ: ନର୍ସମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ବିଶ୍ଵ ନର୍ସିଙ୍ଗ ଦିବସ। ଏହି ଅବସରରେ ନର୍ସମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ କଥା ହୋଇଛନ୍ତି। କାର୍ଯ୍ୟରତ ନର୍ସମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏହି କରୋନା କାଳରେ ନିଜର ବ୍ୟକ୍ତିଗତ ସୁଖକୁ ଭୁଲି ନିଷ୍ଠାର ସହ କାମ କରୁଥିବାରୁ ନର୍ସମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।