Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ‘ମେକ ଇନ ଓଡିଶା’ ର ପୂର୍ବ ପ୍ରସ୍ତୁତି ବୈଠକ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ମେକ ଇନ ଓଡିଶାର ପୂର୍ବ ପ୍ରସ୍ତୁତି ବୈଠକ। ଏହି ବୈଠକ ଦିଲ୍ଲୀର କନଟ ପ୍ଲେସରେ ଥିବା ହୋଟେଲ ଲା ମିରିଡିୟାନରେ ଆୟୋଜିତ ହୋଇଛି। ଏହି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି।

ଏହି ବୈଠକରେ ୧୬ଟି ଦେଶର ଆମ୍ବାସଡରଙ୍କ ସହ ନବୀନ ଆଲୋଚନା କରିବେ। ସେଠାର ଥିବା ପ୍ରମୁଖ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା କ୍ଷେତ୍ର କିପରି ପ୍ରକୃଷ୍ଠ ତାହା ଆମ୍ବାସଡରଙ୍କୁ ଅବଗତ କରାଇବେ। ଏଥିପାଇଁ ଶିଳ୍ପ ବିଭାଗର ଏକ ଟିମ ନୂଆ ଦିଲ୍ଲୀ ଗସ୍ତ କରି ଏହାର ପ୍ରସ୍ତୁତି କରିଛନ୍ତି।

ଆସନ୍ତା ନଭେମ୍ବର 30 ରୁ ଡିସେମ୍ବ 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରେ ହେବ ମେକ ଇନ ଓଡିଶା କନକ୍ଲେଭ। ଏହା ପୂର୍ବରୁ ଆଉ ଦୁଇଟି କନକ୍ଲେଭ ଆୟୋଜିତ ହୋଇଯାଇଛି। ଯେଉଁଥିରେ ମୁକେଶ ଆମ୍ବାନୀ, ରୀତେଶ ଅଗ୍ରୱାଲା ପରି ଶିଳ୍ପପତିମାନେ ଯୋଗ ଦେଇ ପୁଂଜି ବିନିଯୋଗ କରିଛନ୍ତି। ଏହି କନକ୍ଲେଭରେ କିପରି ବିଦେଶୀ ଶିଳ୍ପପତି ଯୋଗ ଦେବେ ସେଥିପାଇଁ ଏହି ପ୍ରଚେଷ୍ଠା ଜାରୀ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ସରକାରୀ କଲେଜରେ ଯୋଗ ଦେଲେ ୨୭୪ ଜଣ ଅଧ୍ୟାପକ, ମୁଖ୍ୟମନ୍ତୀ ଦେଲେ ଦିଗଦର୍ଶନ

ଭୁବନେଶ୍ୱର: ଆଜି ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ଇଂରାଜୀରେ ୧୫୬ ଜଣ , ରାଜନୀତି ବିଜ୍ଞାନରେ ୧୧୭ ଜଣ ଏବଂ ଗଣିତରେ ଜଣକୁ ନିଯୁକ୍ତି ଦିଆଯାଇଛି ।

ଲୋକସେବା ସମ୍ମିଳନୀ କକ୍ଷରେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ଦିଗ୍‍ଦର୍ଶନ ଦେଇଥିଲେ। ସମାଜର ପରିବର୍ତ୍ତନ ପାଇଁ ଓଡ଼ିଶାକୁ ଦାୟିତ୍ୱବାନ ଯୁବବର୍ଗ ଆବଶ୍ୟକ। କେବଳ ପୁସ୍ତକ ପାଠ୍ୟକ୍ରମ ମଧ୍ୟରେ ପିଲାଙ୍କୁ ସୀମିତ ନରଖିବାକୁ ନବନିଯୁକ୍ତ ଅଧ୍ୟାପକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ସାମାଜିକ- ରାଜନୈତିକ ପ୍ରସଙ୍ଗ ନେଇ ପିଲାଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଚ୍ଚଶିକ୍ଷାରେ ଓଡିଶା ବର୍ତ୍ତମାନ ଏକ ଅଗ୍ରଣୀ ରାଜ୍ୟ। ଏହା ବାସ୍ତବରେ ଉଚ୍ଚଶିକ୍ଷାର ଏକ କେନ୍ଦ୍ର ପାଲଟିଛି ଯେଉଁଥିରେ ବୈଷୟିକ ଜ୍ଞାନ କୈଶଳ ଏବଂ ବୃତ୍ତିଗତ ଅନୁଷ୍ଠାନଗୁଡ଼ିକ ରାଜ୍ୟରେ ସେମାନଙ୍କ କେନ୍ଦ୍ର ଖୋଲୁଛନ୍ତି। ତଥାପି, ଯୁବକମାନେ ସମାଜକୁ ବୁଝିବା ଏବଂ ସମାଜରେ ପରିବେଶର ପରିବର୍ତ୍ତନର ଆହ୍ୱାନର ସମ୍ମୁଖୀନ ହେବାକୁ କୌଶଳ ଶିଖିବା ପାଇଁ ପାରମ୍ପାରିକ ଡିଗ୍ରୀ ଶିକ୍ଷା ଜରୁରୀ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିଲା।

ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ ଓ ହିଞ୍ଜିଳିକାଟୁରେ ଗୋଟିଏ ଲେଖାଏ ସରକାରୀ ଆଇଟିଆଇ କାର୍ଯ୍ୟ କରୁଛି। ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ଦ୍ବାରା ସେ ଅଞ୍ଚଳର ଜନସାଧାରଣ ବହୁ ଦିନର ଦାବୀ ପୂରଣ ହୋଇପାରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବନ୍ୟାରେ ଗୋଟିଏ ବି ଜୀବନହାନୀ ନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଅଧିକାରୀ ମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି ।

ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସତର୍କ ରହିବା ସହିତ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ବିପଦସଂକୁଳ ଅଞ୍ଚଳରେ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରି ସେମାନଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସ୍ତରରେ ସଂପୃକ୍ତ ବିଭାଗମାନେ ଜିଲ୍ଲାଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ସଂସ୍ଥାଗୁଡିକୁ ବିଭିନ୍ନ ବିପଦସଂକୁଳ ସ୍ଥାନଗୁଡିକରେ ସଜାଗ ରଖି ଆବଶ୍ୟକ ସ୍ଥଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ହସ୍‌ପିଟାଲ, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପରି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡିକ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା, ସ୍ବାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ପ୍ରାଣୀଧନର ସୁରକ୍ଷା ପାଇଁ ମତ୍ସ୍ୟ ଓ ପଶୁସଂପଦ ବିଭାଗ ଆବଶ୍ୟକ ସେବା ଯୋଗାଇ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ରାସ୍ତାଘାଟର କ୍ଷତି ହୋଇ ଯଦି ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହୁଏ, ତେବେ ଇଂଜିନିୟରିଂ ବିଭାଗ ଗୁଡିକ ସେଗୁଡିକର ତୁରନ୍ତ ମରାମତି ପାଇଁ ଆଗୁଆ ବ୍ୟବସ୍ଥା କରିବା ଆବଶ୍ୟକ । ସେହିପରି ଶକ୍ତି ବିଭାଗ ମଧ୍ୟ ବିଦ୍ୟାତ ଯୋଗାଯୋଗ ବ୍ୟାହତ କ୍ଷେତ୍ରରେ ତୁରନ୍ତ ପୁନଃ ସଂଯୋଗ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବୈଠକରେ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା ପରିସ୍ଥିତି, ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ଉପସ୍ଥାପନା ରଖି କହିଲେ ଯେ ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ହୋଇ ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମ୍ଭାବନା ଦେଖାଦେଇଛି। ଗତକାଲି ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଛି ଏବଂ ବର୍ତ୍ତମାନ ୨୬ଟି ଗେଟ୍‌ ଖୋଲା ରହିଛି।

କୌଣସି ଆବଶ୍ୟକ ନ ହେଲେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ। ଏହାଦ୍ବାରା ହୀରାକୁଦର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିର ପ୍ରଭାବ ସାମାନ୍ୟ କମିଛି। ୭ଟି ଜିଲ୍ଲାରେ ୯ଟି ଓଡ୍ରାଫ, ୬ଟି ଜିଲ୍ଲାରେ ୯ଟି ଏନଡିଆରଏଫ ଟିମ୍‌, ୪୪ଟି ଅଗ୍ନିଶମ ସେବା ୟୁନିଟ୍‌କୁ ସଜାଗ ରଖାଯାଇଛି। ଆଜି ମହାନଦୀର ମୁଣ୍ଡଳୀ ଠାରେ ୧୧.୭୫ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବ ବୋଲି ସେ ସୂଚନା ଦେଇଥିଲେ।

ସବୁ ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରଖାଯାଇଛି। ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେଥିପାଇଁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ସହାୟତା ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହାସହିତ ନଦୀବନ୍ଧ ଗୁଡିକ ଉପରେ ନଜର ରଖିବା ଏବଂ ପ୍ରଭାବିତ ଅଞ୍ଚଳରେ ଆବଶ୍ୟସ୍ଥଳେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବା ପାଇଁ ମଧ୍ୟ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସମ୍ବଲପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ସିଏମସି କମିଶନରଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବରେ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିଛି। କେତେକ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଉଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ଏବଂ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ଦେଓ ଓ ସୁବର୍ଣ୍ଣରେଖା ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହାସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଆଜି ମୟୁରଭଞ୍ଜର ରାସଗୋବିନ୍ଦପୁରସ୍ଥିତ ଟିକପଦା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପ ଲୋକାର୍ପିତ କରି କହିଛନ୍ତି ଯେ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଆଜି ସୁଫଳ ଦେବା ଆରମ୍ଭ କରିଛି। ଶିକ୍ଷା ଓ ରୋଜଗାର ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ବହୁତ ଆଗକୁ ଯାଇପାରିଛି। ଜନଜାତି ପିଲାମାନେ ଆଜି ସେମାନଙ୍କ ଦକ୍ଷତା ବଳରେ ଦେଶ ବିତେଶରେ ସୁନାମ କରିପାରୁଛନ୍ତି ବୋଲି ସେ କହିଥିଲେ।

ଆଜି ଲୋକାର୍ପିତ ଦୁଇଟି ପ୍ରକଳ୍ପ ମଧ୍ୟରୁ ସୁବର୍ଣ୍ଣରେଖା ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୧୭,୧୨୧ ହେକ୍ଟର ଅତିରିକ୍ତ ଚାଷ ଜମି ପାଇଁ ଜଳସେଚନର ସୁବିଧା ମିଳିବ। ଏହାଦ୍ବାରା ଉଭୟ ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ। ଏତିପାଇଁ ୬୮୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ସୂଚନାଯୋଗ୍ୟ ଯେ ସୁବର୍ଣ୍ଣରେଖା ରାଜ୍ୟ ସରକାରଙ୍କ ଏକ ବୃହତ ଜଳସେଚନ ପ୍ରକଳ୍ପ। ଏହାଦ୍ବାରା ସମୁଦାୟ ୭୦ ହଜାର ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ପାଣି ସୁବିଧା କରାଯାଇପାରିଛି।

ସେହିପରି ଦେଓ ଜଳସେଚନ ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜର ପ୍ରାୟ ୧୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବା ସହିତ ଏହାଦ୍ବାରା ୧୦୦ଟି ଗାଁର ଦୁଇ ଲକ୍ଷ ଲୋକ ଉପକୃତ ହେବେ। ଏଥିପାଇଁ କରଞ୍ଜିଆ ବ୍ଲକ୍‌ର ହାତୀବାରି ଠାରେ ୮୨୩ କୋଟି ଟଙ୍କାରେ ଦେଓ ନଦୀ ଉପରେ ୧୨୮୦ ମିଟର ଦୈର୍ଘ୍ୟର ଏକ ବନ୍ଧ ନିର୍ମାଣ କରାଯାଇଛି।

କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶ ଓ କଲ୍ୟାଣ ମୂଳକ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ସବୁ କାର୍ଯ୍ୟକ୍ରମ ଲୋକଙ୍କୁ ସଶକ୍ତ କରିଛି ଏବଂ ଲୋକଙ୍କ ଆଦର ଲାଭ କରିଛି।

୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରିଛି। ଯେତେବେଳେ ମୟୁରଭଞ୍ଜର ଗୋଟିଏ ପିଲାଟିଏ ଗାଁ ସ୍କୁଲରେ ବିଶ୍ବସ୍ତରୀୟ ଶିକ୍ଷା ସୁବିଧା ପାଉଛି, ସେତେବେଳେ କେବଳ ସେ ପିଲା ନୁହେଁ, ବା ଗାଁ ନୁହେଁ, ସାରା ଓଡିଶାର ଆଗକୁ ବଢିବାର ଚିତ୍ର ସ୍ପଷ୍ଟ ହେଉଛି ବୋଲି ସେ କହିଥିଲେ।

ମୟୁରଭଞ୍ଜର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସାରା ଭାରତରେ ମୟୁରଭଞ୍ଜର ଏକ ସ୍ବତନ୍ତ୍ର ପରିଚୟ ରହିଛି। ମୟୁରଭଞ୍ଜର ଜନଜାତି ଭାଇଭଉଣୀ ମାନଙ୍କର ଏକ ସମୃଦ୍ଧ ପରମ୍ପରା ରହିଛି। ସେ ଗୌରବକୁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଜୀ ଆହୁରି ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ତାଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ସେ କହିଥିଲେ।

ମୟୁରଭଞ୍ଜ ରାଜ୍ୟର ଏକ ବଡ ଓ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ବୋଲି ମତ ଦେଇ ସେ କହିଲେ ଯେ ରାଜ୍ୟର ବିକାଶର ମୟୁରଭଞ୍ଜର ସ୍ବତନ୍ତ୍ର ଅବଦାନ ରହିଛି। ସମସ୍ତେ ମିଶି ଜିଲ୍ଲାର ଓ ସାରା ରାଜ୍ୟର ବିକାଶ ପାଇଁ ହାତ ମିଳାଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ମୋରଡା ବିଧାୟକ ରାଜକିଶୋର ଦାସ, ବାଙ୍ଗରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଂସଦା ପ୍ରମୁଖ ବକ୍ତବ୍ୟ ରଖି ମୟୁରଭଞ୍ଜର ଚାଷୀ ମାନଙ୍କ ପାଇଁ ଏହି ଦୁଇଟି ପ୍ରକଳ୍ପର ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ଓ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ବର୍ଣ୍ଣନା କରି ଓଡିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ତାଙ୍କୁ ସମସ୍ତଙ୍କ ପ୍ରିୟଭାଜନ କରିପାରିଛି ବୋଲି ସେମାନେ ମତ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତକାଳରେ ସେ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ଯୋଗଦେବେ। ସେହିପରି ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ୫ତାରିଖ ଅପରାହ୍ନରେ ଦିଲ୍ଲୀ ଗସ୍ତରେ ଯିବେ। ୬ ତାରିଖରେ ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକ‌ରେ ଯୋଗଦେବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯୋଗଦେବେ।

ସେହିପରି ୭ତାରିଖରେ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ନବୀନ ଯୋଗଦେବେ। ଏହି ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମାନେ ସାମିଲ ହେବେ। ଅଗଷ୍ଟ ୮ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବା ପାଇଁ ମୁଖ୍ୟମନ୍ତ୍ରୀ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ସ୍ୱର୍ଗତ ନିର୍ମଳା ମିଶ୍ର ଜଣେ ଉଚ୍ଚକୋଟୀର ଗାୟିକା ଭାବରେ ଓଡ଼ିଆ ସଂଗୀତ ଜଗତରେ ସୁନାମ ଅର୍ଜନ କରିଥିଲେ। ୬୦ ଓ ୭୦ ଦଶକରେ ତାଙ୍କ ସଂଗୀତର ମଧୁର ମୂର୍ଚ୍ଛନା ଜନ ମାନସକୁ ଏବେ ମଧ୍ୟ ଜୀବନ୍ତ ରହିଛି ।

ତାଙ୍କର ସଙ୍ଗୀତ ଗୁଡ଼ିକ ଅତ୍ୟନ୍ତ ଶ୍ରୁତି ମଧୁର ଓ ଶ୍ରୋତା ମାନଙ୍କୁ ଗଭୀର ଆନନ୍ଦ ପ୍ରଦାନ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗ ଓଡିଆ ସଙ୍ଗୀତ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ସେ କହିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇ ଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁପ୍ରିମ ରାୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଶ୍ରୀମନ୍ଦିର ସେବକଗଣ

ଭୁବନେଶ୍ବର: ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଐତିହାସିକ ରାୟ ଆସିବା ପରେ ସମସ୍ତେ ବେଶ ଖୁସିପ୍ରକଟ କରିଛନ୍ତି। ବିଶେଷ କରି ଯେଉଁମାନେ ଜଗନ୍ନାଥ ସେବକ ସେମାନେ ବେଶ ଖୁସି ପ୍ରକଟ କରିଛନ୍ତି। କାରଣ ସେମାନେ ଏହି ପ୍ରକଳ୍ପ ପାଇଁ ଜମି ଘର ଯୋଗାଇ ଦେଇଛନ୍ତି।

ଆଜି ରାୟ ଆସିବା ପରେ ପୁରୀର ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି। ନବୀନ ନିବାସରେ ସେମାନେ ଏହି ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ ଏବଂ ସଚିବ ଭି କେ ପାଣ୍ଡିୟାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ କିପରି ଶିଘ୍ର ଶେଷ ହେବ ସେ ନେଇ ପଦକ୍ଷେପ ନେବାକୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଆଜି ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରକଳ୍ପ ଉପରେ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଏଥିରେ କୋର୍ଟ କହିଛନ୍ତି ଯେ, ଆବେଦନକାରୀ ଏହି ପ୍ରକଳ୍ପ ଉପରେ ଯେଉଁ ରହିତାଦେଶ ପାଇଁ ନିବେଦନ କରିଛନ୍ତି ତାହାକୁ ରଦ୍ଦ କରାଗଲା। ଏହା ସାମୁହିକ ଭକ୍ତଙ୍କ ସ୍ବାର୍ଥ ପାଇଁ କରାଯାଉଥିବାରୁ ଏହା ଉପରେ ରହିତାଦେଶ ଦିଆଯାଇପାରିବ ନାହିଁ। ଏଥିସହିତ ଆବେଦନକାରୀଙ୍କୁ କୋର୍ଟ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।

କୋର୍ଟ କହିଛନ୍ତି ଯେ, ଆବେଦନକାରୀ ଦ୍ବୟ ସେମାନେ ନିଜ ସ୍ବାର୍ଥ ପାଇଁ ଏପରି ଆବେଦନ କରିଛନ୍ତି। ଏଥିରେ କୋର୍ଟର ଅଯଥା ସମୟ ନଷ୍ଟ କରିଛନ୍ତି। ଏଥିପାଇଁ କୋର୍ଟ ଦୁଇ ଆବେଦନକାରୀଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ ମଧ୍ୟ କରିଛନ୍ତି। ଉଭୟଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ମା ତାରାତାରିଣୀ ମନ୍ଦିର ଯିବେ ମୁଖ୍ୟମନ୍ତ୍ରୀ, ତା ପର୍ବରୁ ମୁଖ୍ୟଶାସନ ସଚିବ, 5ଟି ସଚିବଙ୍କ ଅନୁଧ୍ୟାନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରସିଦ୍ଧ ଗଂଜାମର ମା ତାରାତାରିଣୀ ମନ୍ଦିର ଗସ୍ତ କରିବେ। ସେ ସେଠାରେ ଚାଲିଥିବା ପ୍ରତିଷ୍ଠା ଉତ୍ସବରେ ଯୋଗେଦେବେ। ରାଜ୍ୟ ସରକାର ମାଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ କରିଛନ୍ତି। ଏହି ନୂତନ ପ୍ରକଳ୍ପର ପ୍ରତିଷ୍ଠା ଦୁଇଦିନ ତଳେ ଆରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭି କେ ପାଣ୍ଡିୟାନ ମାଙ୍କ ପିଠ ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯାଉଥିବାର ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ସେହିପରି ଏହି ଦଳ ମାଙ୍କ ମନ୍ଦିରରେ ପୂଜାଅର୍ଚ୍ଚନା କରି ବିଭିନ୍ନ ବିକାଶ କାର୍ଯ୍ୟ ତଦାରଖ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମଣିକ ସାହା ହେବେ ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ, ବିଜେପି ବିଧାୟକ ଦଳର ବୈଠକରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ତ୍ରିପୁରାରେ ବିପ୍ଲବ ଦେବଙ୍କ ଇସ୍ତଫା ପରେ ଏବେ ବିଜେପି ମଣିକ ସାହାଙ୍କୁ ନୂତନ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ବିଜେପି ବିଧାନସଭା ପାର୍ଟି ବୈଠକରେ ସାହାଙ୍କ ନାମ ମୋହର ଲାଗିଛି। ବିପ୍ଲବ ଦେବଙ୍କ ଇସ୍ତଫା ପରେ ମଣିକ ସାହାଙ୍କ ନାମ ସମେତ ଅନେକ ନାମ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ସମସ୍ତ ନେତା ସାହାଙ୍କୁ ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଥିଲେ। ଯାହା ପରେ ବର୍ତ୍ତମାନ ସେ ଶୀଘ୍ର ଶପଥ ନେଇ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିପାରନ୍ତି। ବର୍ତ୍ତମାନ ମଣିକ ସାହା ରାଜ ଭବନ ଅଭିମୁଖେ ଯାଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମଣିକ ସାହା ତ୍ରିପୁରା ବିଜେପିର ସଭାପତି ଏବଂ ସେ ମଧ୍ୟ ରାଜ୍ୟସଭା ସାଂସଦ। ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ତାଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଦଳ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ପ୍ରଦାନ କରିଛି। କାରଣ ଗତ କିଛି ଦିନ ହେବ ତ୍ରିପୁରାରେ ବିଜେପି ନେତା ଛାଡିବା ପ୍ରକ୍ରିୟା ଚାଲିଥିଲା ​​ଏବଂ ଏହା ପଛର କାରଣ ବିପ୍ଲବ ଦେବଙ୍କୁ ଦାୟୀ କରାଯାଉଥିଲା।

Categories
ବିଶେଷ ଖବର

ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: ଓଡିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ହେଲା ଆଲୋଚନା

ଭୁବନେଶ୍ଵର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ସଂଘର୍ଷ। ୟୁକ୍ରେନ ଉପରେ ଋଷ ସେନା କ୍ଷେପଣାସ୍ତ୍ର ମାଡ କରୁଥିବା ବେଳେ ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ସେପଟେ ୟୁକ୍ରେନ ମଧ୍ୟ ଋଷ ସେନା ଉପରେ ମଧ୍ୟ ୟୁକ୍ରେନ ଆକ୍ରମଣ କରୁଛି। ଋଷ ସେନାର ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ନଷ୍ଟ କରିଦେଇଥିବା ୟୁକ୍ରେନ ଦାବି କରିଛି। ଏହା ଭିତରେ ଭାରତର ପ୍ରାୟ ୧୮ ହଜାର ନାଗରିକ ୟୁକ୍ରେନରେ ଫସିରହିଛନ୍ତି।

ସେହିଭଳି ଓଡିଶାର ଅନେକ ଛାତ୍ରଛାତ୍ରୀ ମଧ୍ୟ ସେଠାରେ ଫସି ରହିଛନ୍ତି। ସେମାନଙ୍କୁ କିଭଳି ସୁରକ୍ଷିତ ଫେରାଇ ଅଣାଯିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ୟୁକ୍ରେନରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।

ଏହା ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଏହି ସମ୍ପର୍କରେ ଆଲୋଚନା କରିଥିଲେ। ଓଡିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆପଣଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇଛି ବୋଲି ପ୍ରଚାର ହେଲା? ଶୁଣନ୍ତୁ, କଣ ଉତ୍ତର ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଏକ ଖବର ତୀବ୍ର ବେଗର ମାଡି ଚାଲିଲା। ତାହା ହେଲା ଯେ, ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଛି। ଏପରିକି ଆହୁରି କିଛି କୁହାଗଲା। ଏହି ଖବର ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଚାଲିଲା। ହେଲେ ହଠାତ ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଲା ଲିଙ୍ଗରାଜ ମନ୍ଦିରରେ। ବୀର ଦର୍ପରେ ଚାଲିଚାଲି ସେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି।

ମନ୍ଦିର ଭିତରୁ ବାହାରିବା ପରେ ସାମ୍ବାଦିକମାନେ ପଚାରିଲେ ଯେ, ଆପଣଙ୍କ ଦେହ ଗୁରୁତର ହୋଇଛି ବୋଲି ପ୍ରଚାର କରାଯାଇଛି। ଆପଣ କଣ କହିବେ ? ଶୁଣନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ଉତ୍ତର ଦେଲେ।

ଗତ ଜାନୁୟାରୀ 26 ତାରିଖ ପୂର୍ବରୁ ମଧ୍ୟ ଏହିପରି ପ୍ରଚାର କରାଗଲା। ମୁଖ୍ୟମନ୍ତ୍ରୀ ଘରୁ ଉଠିପାରୁ ନାହାଁନ୍ତି। ସେଥିପାଇଁ ସେ ପତାକା ଉତ୍ତୋଳନକୁ ଆସୁ ନାହାଁନ୍ତି। ହେଲେ ଗଣତନ୍ତ୍ର ଦିବସରେ ସେ ବୀର ଦର୍ପରେ ଗାନ୍ଧୀ ମାର୍ଗରେ ଚାଲିଚାଲି ଆସିଥିଲେ। ଏପରି ଗୁଜବ କଲେ ବିରୋଧୀଙ୍କର ନୁହେଁ ବଂର ବିଜେଡିର ଲାଭ ହେବାରେ ଲାଗିଛି।

Categories
ବିଶେଷ ଖବର

ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପ୍ରାଣ ହରାଇଥିବା ସମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଏବଂ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବା ନେଇ ଶନିବାର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ। ନିର୍ବାଚନ ବର୍ଜନ କରିବା ସହ ଅନେକ ଦାବି ପୋଷ୍ଟରରେ ଉଲ୍ଲେଖ ଥିଲା। ତେଣୁ ଏହାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ରୋହିତ ବିଶ୍ବାଳ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ମାଓବାଦୀମାନେ ପୂର୍ବରୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ବିଛାଇଥିଲେ। ଯାହାଫଳରେ ରୋହିତ ଏହି ଲ୍ୟାଣ୍ଡ ମାଇନର ଶିକାର ହୋଇଥିଲେ। ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡରେ ୪୯୩ କୋଟି ଟଙ୍କାର ଦୁଇଟି ବ୍ୟାରେଜ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗା ଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷରେ ଶେଷ ହେବ ଏବଂ ଏହାଦ୍ବାରା ସୁନ୍ଦରଗଡ ମ୍ୟୁନିସପାଲଟି, ସୁନ୍ଦରଗଡ ସଦର ବ୍ଲକ୍, ଲେଫ୍ରିପଡା, ବାଲିଶଂକରା ଓ ଟାଙ୍ଗରପାଲି ଆଦି ବ୍ଲକ୍ର ୪୭ ହଜାର ଲୋକ ଉପକାର ପାଇବେ।

ଏହାସହିତ ୪୮୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ। ଉପରୋକ୍ତ ବ୍ଲକ୍ଗୁଡିକରେ ଘରେ ଘରେ ପାନୀୟ ଜଳଯୋଗାଣ ସୁବିଧା ହୋଇପାରିବ ଓ ମତ୍ସ୍ୟଜୀବୀ ମାନେ ଏହି ବ୍ୟାରେଜରେ ମାଛ ଚାଷ କରି ଜୀବିକା ଉପର୍ଜନ କରିପାରିବେ। ଏହି ଦୁଇଟି ବ୍ୟାରେଜ ଉପରେ ବ୍ରିଜ କରାଯାଉଥିବାରୁ ଲେଫ୍ରିପଡା ଓ ଟାଙ୍ଗରପଲ୍ଲୀ ବ୍ଲକ୍ର ଲୋକମାନେ ରାଉରକେଲା ସହିତ ସିଧାସଳଖ ଯୋଗାଯୋଗ ସୁବିଧା ପାଇବେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ ହେଉଛି ଓଡିଶାର ବିକାଶର ବତୀ ଘର । ରାଉରକେଲା ସହର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଓ ରାଉରକେଲାର NIT ଓଡିଶାର ଗୌରବ ବୃଦ୍ଧି କରିଛି । ଏହି ତିନୋଟିଯାକ ଗୁରୁତ୍ବପୁର୍ଣ୍ଣ ପ୍ରକଳ୍ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଜଡିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ ସାରା ଦେଶକୁ ବହୁତ କିଛି ଦେଇଛି । ସୁନ୍ଦରଗଡର କୋଇଲା, ଦେଶକୁ ଶକ୍ତି ଯୋଗାଉଛି । ସୁନ୍ଦରଗଡ ରେ ଏସିଆର ସବୁଠୁ ବଡ ହକି ଷ୍ଟାଡିୟମ ହେବାକୁ ଯାଉଛି ।

ସୁନ୍ଦରଗଡର ହକି ଖେଳାଳୀମାନେ ଦେଶ ପାଇଁ ଗୌରବ ଆଣିଛନ୍ତି ଓ ଗର୍ବିତ କରିଛନ୍ତି । ତେଣୁ ସୁନ୍ଦରଗଡରେ AIIMS ସୁନ୍ଦରଗଡବାସୀଙ୍କର ହକ୍‌ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୁନ୍ଦରଗଡରେ ୫-ଟି ସ୍କୁଲ ଟ୍ରାନ୍ସଫରମେସନ୍‌ ଠାରୁ ଆରମ୍ଭ କରି ମିଶନ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ପାଇଁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହିତ ଜିଲ୍ଲାର ବହୁ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡର ସୁଯୋଗ ନେଇ ଉନ୍ନତ ଚିକିତ୍ସା ସୁବିଧା ପାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।

ରାଜ୍ୟ ସରକାର ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମର ସୁଯୋଗ ନେଇ ନୂଆ ଓଡିଶା ଗଠନରେ ନିଜ ନିଜର ଅବଦାନ ରଖିବା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ନାୟକ ଜିଲ୍ଲାର ବିଭିନ୍ନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ପଦକ୍ଷେପ ନେଇଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ତାଙ୍କ ସ୍ବାଗତ ଭାଷଣରେ Construction of in-stream Storage Structure ସଂପର୍କରେ ଅବତାରଣା କରିଥିଲେ । ବିଭାଗୀୟ ଯନ୍ତ୍ରୀମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଠକରେ ମୁଖ୍ୟଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ଖବରକାଗଜ ହକରମାନଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ ସହାୟତା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଖୋର୍ଦ୍ଧା: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଖବରକାଗଜ ହକରମାନଙ୍କ ପାଇଁ ଆଜି ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ଖବରକାଗଜ ହକରମାନଙ୍କୁ ଅଣ ସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଏହି ସହାୟତା ନିମନ୍ତେ ରାଜ୍ୟର ୭୩୦୦ ହକରମାନଙ୍କ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି। ପ୍ରତ୍ୟେକ ପଞ୍ଜୀକୃତ ହକର ୬୦୦୦ ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି।

ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। କୋଭିଡ ମହାମାରୀ ସମୟରେ ମଧ୍ୟ ହକରମାନେ ପାଠକମାନଙ୍କୁ ଖବରକାଗଜ ଯୋଗାଇଛନ୍ତି। ଖବରକାଗଜ ହକର ମାନଙ୍କୁ ଅଣ ସଂଗଠିତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଦୁର୍ଘଟଣାଜନିତ ମୃତ୍ୟୁ, ସ୍ୱାଭାବିକ ମୃତ୍ୟୁ ଓ ଦୁର୍ଘଟଣାରେ ଅକ୍ଷମ ହୋଇଥିବା ହକରମାନଙ୍କ ପାଇଁ ମଧ୍ୟ ସହାୟତା ବ୍ୟବସ୍ଥା କରାଯାଇଛି।

ଜିଲ୍ଲାପାଳ, ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟ ଓସୱାନ ହଲଠାରେ ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ, ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ଓ ଖବରକାଗଜ ହକର ପ୍ରମୁଖ ଯୋଗ ଦେଇଥିଲେ। ଖୋର୍ଦ୍ଧା ଉପଖଣ୍ଡର ୧୬୭ ଜଣ ଖବରକାଗଜ ହକରଙ୍କର ଡାଟାବେସ ପ୍ରସ୍ତୁତ କରାଯାଇ ତାଲିକାଭୁକ୍ତ କରାଯାଇଛି। ଏହି ତାଲିକାଭୁକ୍ତ ଖବରକାଗଜ ହକରମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ୬୦୦୦ ଟଙ୍କା କୋଭିଡ ସହାୟତା ବାବଦରେ ପଠାଯାଇଛି।

ଖବରକାଗଜ ହକରମାନେ ଏହା ଦ୍ୱାରା ବିଶେଷ ଭାବେ ଉପକୃତ ହେବେ ବୋଲି ଜିଲ୍ଲାପାଳ ଆଶାପ୍ରକାଶ କରିଛନ୍ତି। ଖବରକାଗଜ ହକରମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ପଠାଯାଇଥିବାରୁ ସେମାନେ ଆନନ୍ଦିତ ହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ପାଇଁ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା ଖୋଲାଯିବ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସଂଧାନ କରି ପଦକ୍ଷେପ ନେବେ। ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟ କରିବ । ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ଜଣ ଇନ୍‌ସପେକ୍ଟର, ୧୨ଜଣ ସବ୍‌ଇନିସ୍‌ପେକ୍ଟର, ୩ ଜଣ ଏଏସ୍‌ଆଇ (ଯୋଗାଯୋଗ), ୩ ଜଣ କନେଷ୍ଟବଳ (ଯୋଗାଯୋଗ) ଓ ୨୭ ଜଣ କନେଷ୍ଟବଳ, ଏହିପରି ୫୯ ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା କାର୍ଯ୍ୟ କରିବ।

ସେହିପରି କମିଶନରେଟ୍‌ ପୋଲିସ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ପାଇଁ ଏହି ଅଞ୍ଚଳରେ ୩ ଗୋଟି ନୂତନ ଥାନାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହି ନୂଆ ଥାନା ଗୁଡିକ ହେଲା – ପାହାଳ, ଇନ୍‌ଫୋଭାଲି ଓ ବୟାଳିଶମୌଜା/ବେଣ୍ଟକାର । ବାଲିଅନ୍ତା ଥାନା ଅଧୀନରେ କାମ କରୁଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ କାମ କରୁଥିବା ଇନ୍‌ଫୋଭାଲି ଫାଣ୍ଡି ଓ କଟକ ସଦର ଥାନା ଅଧୀନରେ କାମ କରୁଥିବା ବେଣ୍ଟକାର ଫାଣ୍ଡିକୁ ଉନ୍ନୀତ କରାଯାଇ ଏହି ୩ଟି ନୂତନ ଥାନା ସୃଷ୍ଟି କରାଯାଇଛି ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍କୁଲରେ ବସି ପାଠ ପଢିଲେ

ଗଂଜାମ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଂଜାମ ଗସ୍ତରେ ଯାଇଥିଲେ। ସେଠାରେ ସେ ମା ତାରାତାରିଣୀ ମନ୍ଦିର ଦର୍ଶନ କରିବା ସହିତ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଏହି ଅବସରରେ ସେ ଗଂଜାମ ଜିଲ୍ଲାର ସ୍ମାର୍ଟ ସ୍କୁଲର ସ୍ଥିତି ସଂପର୍କରେ ଅବଗତ ପାଇଁ କେତେକ ସ୍କୁଲ ବୁଲିଥିଲେ।

ହେଲେ କଣ ହେଲା କେଜାଣି ମୁଖ୍ୟମନ୍ତ୍ରୀ ସ୍ମାର୍ଟ କ୍ଲାସରେ କିପରି ସ୍ମାର୍ଟ ପାଠ ପଢାଯାଉଛି ତାହା ଜାଣିବା ପାଇଁ ଆଗ୍ରହ ପ୍ରକାଶ କଲେ। ସେଥିପାଇଁ ସେ ଛାତ୍ରଛାତ୍ରୀଙ୍କ ପରି ପଛରେ ଏକ ସ୍କୁଲ ପିଲାଙ୍କ ବେଞ୍ଚରେ ବସିଲେ। ଆଉ ସେଠାରେ ଥିବା ମ୍ୟାଡମ ପିଲାମାନଙ୍କୁ ପାଠ ପଢାଇବା ଆରମ୍ଭ କଲେ।

ଏହି ଘଟଣାଟି ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ଏକ ସ୍କୁଲରେ ଘଟିଛି। ସେଠାରେ ଥିବା ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହିତ ସେ ବସି ପାଠ ପଢିଥିଲେ। ପଛରେ ଛିଡା ହୋଇଥିଲେ 5ଟି ସଚିବ ତଥା ସ୍ମାର୍ଟକ୍ଲାସର ମୁଖ୍ୟ ଉଦ୍ୟକ୍ତା ଭି କେ ପାଣ୍ଡିୟାନ। ଏହି ଅବସରରେ ଉଭୟ ସ୍ମାର୍ଟ କ୍ଲାସ କିପିର ଚାଲିଛି ତାହା ଅନୁଧ୍ୟାନ କରିଥିଲେ।

ଏଥିସହିତ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ବିଭିନ୍ନ କଥା ପଚାରି ବୁଝିଥିଲେ। ଏହି ସମୟରେ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କର ଏକ ଚିତ୍ରକୁ ଉପହାର ଦେଇଥିଲା। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ସେହି ସ୍କୁଲର ଥିବା ସ୍ମାର୍ଟ ପାଠାଗାର,ସ୍ମାର୍ଟ ପରୀକ୍ଷାଗାର, ସ୍କୁଲର ପରିବେଷ ସବୁ ବୁଲି ଦେଖିଥିଲେ। ଓଡିଶାରେ ଯେତେବେଳେ ସ୍ମାର୍ଟ ସ୍କୁଲ ପ୍ରକଳ୍ପ ଆରମ୍ଭ ହେଲା ସେତେବେଳେ ତାହା ଗଂଜାମ ଜିଲ୍ଲାରୁ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଖରେ ପାଇଁ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ପ୍ରକଟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ, ନିଜ ନିର୍ବାଚନ ମଣ୍ଡଳୀରେ କରିବେ ବହୁ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ବିଜୁସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡର ବଣ୍ଟନର ଶୁଭାରମ୍ଭ କରିବେ। ସେଥିପାଇଁ ସେ ଦିନିକିଆ ଗଂଜାମ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ସେ ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ମଧ୍ୟ କରିବେ ।

ମୁଖ୍ୟମନ୍ତ୍ରୀ ପ୍ରଥମେ ସକାଳ ୧୦ଟାରେ ମା’ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯିବା ସହ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ ।

Categories
ବିଶେଷ ଖବର ରାଜ୍ୟ ଖବର

ଦୁର୍ନୀତିଗ୍ରସ୍ତ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ,୩ ଜଣଙ୍କୁ ବାଧ୍ୟତାମୂଳକ ଅବସର, ଜଣେ ବହିଷ୍କୃତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଏହା ସହିତ ଦୁଇ ଜଣ ଅଧିକାରୀଙ୍କ ପେନ୍‌ସନ ମଧ୍ୟ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି।

ବାଧ୍ୟତାମୂଳକ ଅବସର ପାଇଥିବା ୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହାନଗର ନିଗମର କମ୍ୟୁନିଟି ଅର୍ଗାନାଇଜର (ଜଟଣୀ ମ୍ୟୁନିସିପାଲ୍‌ଟି ଓ ଛତ୍ରପୁର ଏନ୍‌.ଏ.ସି.ର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ) ଶ୍ରୀମତୀ ଲଳିତା କପୁରଙ୍କ ନାମରେ ଦୁଇଟି ଦୁର୍ନୀତି ଅଭିଯୋଗ ରହିଛି। ସରକାରୀ ଅର୍ଥ ଆତ୍ମସାତ କରିବା ସହିତ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ତାଙ୍କ ନାମରେ ରହିଛି ।

ବେଲପାହାଡ ମ୍ୟୁନିସିପାଲ୍‌ଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲୋକନାଥ ତିୱାରୀଙ୍କୁ ମଧ୍ୟ ଅପାରଗତା ଓ ଅସାଧୁତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଝାରସୁଗୁଡା ମ୍ୟୁନିସ୍‌ପାଲିଟ୍‌ର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ପ୍ରଧାନଙ୍କୁ ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ପୁରୀ ଜିଲ୍ଲା ବେତାଲ ଆର.ଆଇ ସର୍କଲର ରାଜସ୍ବ ନିରୀକ୍ଷକ ଶ୍ରୀ ମନୋଜ କୁମାର ପରିଡାଙ୍କୁ ଦୁର୍ବ୍ୟବହାର, ବିଶୃଙ୍ଖଳା ଅଚରଣ ଓ କର୍ତ୍ତବ୍ୟରେ ଅବହେଳା ଓ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ଯୋଗୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଉପରୋକ୍ତ ଚାରିଜଣଙ୍କ ସମ୍ପର୍କରେ ମଧ୍ୟ ମୋ ସରକାର feedbackରେ ଜନସାଧାରଣ ପ୍ରତିକୂଳ ମତାମତ ଦେଇଥିଲେ ।

ଏହାସହିତ ଓଡିଶା ପୋଲିସ ସେବା ଅଧିକାରୀ ବଲାଙ୍ଗୀରର ପୂର୍ବତନ ଅତିରିକ୍ତ ଏସ୍‌.ପି ତଥା ହୋମଗାର୍ଡର ପୂର୍ବତନ ଡି.ଏସ୍‌.ପି ଶ୍ରୀ ଶ୍ରୀକାନ୍ତ ମିଶ୍ର ଏବଂ ଗଞ୍ଜାମ ବେଲଗୁଣ୍ଠା ବ୍ଲକ୍‌ର ପୂର୍ବତନ ଏ.ଏଫ.ଓ ଶ୍ରୀ ଏପିଲି ଉଦୟନାଥଙ୍କର ପେନ୍‌ସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ସେମାନଙ୍କ ନାମରେ ଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ଯୋଗୁ ଏହି ପଦକ୍ଷେପ ନିଆଯାଇଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟରେ ଶ୍ବେତ ବିପ୍ଳବ ଆଣିବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର; ଆଜି କଟକ ଜିଲ୍ଲାର ଅରିଲୋ ଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍‌ଫେଡ୍‌ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି। ଏହି ଅତ୍ୟାଧୁନିକ ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟା କରଣ କରାଯିବ ଏବଂ ଏଥିରୁ ଦୈନିକ ୨ ଲକ୍ଷ ଲିଟର ଦୁଗ୍ଧ ଗୁଣ୍ଡ ଉତ୍ପାଦିତ ହେବ। ଏହା ସହିତ ଉଚ୍ଚମାନର ଦହି, ଦୁଗ୍ଧ, ଲହୁଣି, ଲସି, ଘିଅ, ପନୀର ଓ ଫ୍ଲେବରଡ ମିଲ୍କ ଉତ୍ପାଦନ କରାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ, ଓମ୍‌ଫେଡ୍‌ ହେଉଛି ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ ମାନଙ୍କର ନିଜ ଅନୁଷ୍ଠାନ। ଏହାର ବିକାଶରେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କର ଅବଦାନ ରହିଛି। ଓମ୍‌ଫେଡ୍‌ ମଧ୍ୟ ସବୁବେଳେ ଚାଷୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରିଆସୁଛି। ଆଜିର ଏହି ନୂଆ ପ୍ଲାଣ୍ଟ ଉଦଘାଟନ ଦ୍ବାରା ଚାଷୀ ମାନଙ୍କର ରୋଜଗାର ବଢିବ ଓ ପ୍ରାୟ ୬ ଲକ୍ଷ ଚାଷୀ ଉପକାର ପାଇବେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମର ସବୁ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ହେଉଛି ଚାଷୀ ଭାଇର ରୋଜଗାର ବଢାଇବା। ଏଥିପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।  ରାଜ୍ୟରେ ଡାଇରୀ ଫାର୍ମ ଓ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା ପାଇଁ ଯେପରି ଯୁବ ସମାଜ ଆଗେଇ ଆସିବେ, ସେଥିପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। ତେଣୁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମର ସୁଯୋଗ ନେଇ ରାଜ୍ୟର ବିକାଶରେ ଭାଗୀଦାର ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ।

ପୁଷ୍ଟି ନିରାପତ୍ତାରେ ଦୁଗ୍ଧର ଗୁରୁତ୍ବ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆହ୍ବାନ ଜଣାଇଥିଲେ ଏବଂ ଶ୍ବେତ ବିପ୍ଳବ ଆଣିବା ପାଇଁ ସରକାରଙ୍କ ଉଦ୍ୟମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ରାଜ୍ୟରେ ଓମ୍‌ଫେଡ୍‌ର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ ହଜାର ମେଟ୍ରିକ ଟନ୍‌ ଥିବାବେଳେ ୨୦୨୦ ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି।  ବର୍ତ୍ତମାନ ଓମ୍‌ଫେଡ୍‌ ଦ୍ବାରା ଦୈନିକ ସଂଗୃହିତ ୫ ଲକ୍ଷ ଲିଟର ଦୁଗ୍ଧ ଓମ୍‌ଫେଡ୍‌ର ୪୦୫ ଟି ଶୀତଳୀକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଡ. ଅରୁଣ ସାହୁ ରାଜ୍ୟରେ କୃଷି ଓ ଆନୁସଙ୍ଗୀକ କୃଷିର ବିକାଶ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।  ସଂଗୃହିତ ଦୁଗ୍ଧର ଉପଯୁକ୍ତ ବିକ୍ରି ଓ ଉଚିତ ମୂଲ୍ୟ ପାଇବା ହେତୁ ଦୁଗ୍ଧ ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, NDDB ର ଅଧ୍ୟକ୍ଷ ଓ ବିଭାଗୀୟ ଶାସନ ସଚୀବ ପ୍ରମୁଖ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାର ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡ: ୮୬୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ଏହି ସୁବିଧା ପାଇବେ। କଳାହାଣ୍ଡି ସହିତ ରାଜ୍ୟର ୯ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ପ୍ରାୟ ୮୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, କଳାହାଣ୍ଡି ଆଜି ସବୁ କ୍ଷେତ୍ରରେ ବେଶ୍ ସଫଳତାର ସହିତ ଆଗେଇ ଚାଲିଛି। ଗତ ଜୁନ୍ ମାସରେ କଳାହାଣ୍ଡି ଆସି ସେ ଇନ୍ଦ୍ରାବତୀ ଲିଫ୍ଟ କେନାଲ ପ୍ରକଳ୍ପ ଉଦ୍ଘାଟନ କରିଥିଲେ ବୋଲି ମନେ ପକାଇ କହିଲେ ଯେ ଆଜି ଜିଲ୍ଲାର ୬୮ ପ୍ରତିଶତ ଜମିରେ ଜଳସେଚନର ସୁବିଧା ମିଳୁଛି। କଳାହାଣ୍ଡିର ଚାଷୀ ଆଜି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି। ଜିଲ୍ଲାର ଧାନ ଉତ୍ପାଦନ ୭୪ ଲକ୍ଷ ଟନ୍ରେ ପହଞ୍ଚିବା ବେଳେ, ମାଛ ଉତ୍ପାଦନରେ ଜାତୀୟ ପୁରସ୍କାର ମଧ୍ୟ ପାଇପାରିଛି। କପା ଉତ୍ପାଦନରେ କଳାହାଣ୍ଡି ସାରା ରାଜ୍ୟରେ ପ୍ରଥମ ବୋଲି ପ୍ରକାଶ କରି କହିଥିଲେ ଯେ ଏବର୍ଷ କପା ପାଇଁ ବଜାରରେ ଭଲ ଦାମ ମିଳୁଥିବାରୁ ଚାଷୀର ରୋଜଗାର ବଢିଛି। ଏଥିପାଇଁ ସେ ଖୁସି ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାରେ ଭିତ୍ତିଭୂମି କାମ ଖୁବ୍ ଦ୍ରୁତ ଗତିରେ ଜାରି ରହିଛି। ଜିଲ୍ଲାର ପ୍ରତି ଗାଁକୁ ପାଇପ ପାଣି ଯୋଗାଇ ଦେବାପାଇଁ ୨୫୦୦ କୋଟି ଟଙ୍କାର ପ୍ରକଳ୍ପ ଜାରି ରହିଛି ବୋଲି ସେ କହିଥିଲେ। ବିଜୁ ଏକ୍‌ସପ୍ରେସ ୱେ ହେଉ, ଭବାନୀପାଟଣା ବାଇପାସ୍‌, ଭବାନୀପାଟଣା-ରାୟଗଡା ରାସ୍ତା କାମ, ବିଭିନ୍ନ ଗ୍ରୀଡ ସବ୍‌ଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମ–ଏମିତି ସବୁ କ୍ଷେତ୍ରରେ କଳାହାଣ୍ଡି ବେଶ୍ ସଫଳତାର ସହ ଆଗେଇ ଚାଲିଛି ବୋଲି ସେ କହିଥିଲେ। କଳାହାଣ୍ଡିରେ ମିଶନ ଶକ୍ତିର ମା ମାନେ ମଧ୍ୟ ଧାନ ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ନୀତି ଆୟୋଗର ମାନ୍ୟତା ମଧ୍ୟ ପାଇଛି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କଳାହାଣ୍ଡି ଆଜି ଏକ ବିଶିଷ୍ଟ ଶିକ୍ଷାକେନ୍ଦ୍ର ହୋଇପାରିଛି। କଳାହାଣ୍ଡି ୟୁନିଭରସିଟି, କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ, ସରକାରୀ କୃଷି ମହାବିଦ୍ୟାଳୟ ଆଜି କଳାହାଣ୍ଡିର ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇ ସେ କହିଥିଲେ ଯେ କଳାହାଣ୍ଡିରେ ୧୦୦ ଆସନ ବିଶିଷ୍ଟ ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି।

କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଂକର ମିଶ୍ର ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ କଳାହାଣ୍ଡିର ରୂପାନ୍ତର ଉପରେ ଆଲୋକପାତ କରିଥିଲେ। କୃଷି ଓ ଶିକ୍ଷା କ୍ଷେତ୍ରରେ କଳାହାଣ୍ଡି ଆଜି ରାଜ୍ୟର ଏକ ଆଗୁଆ ଜିଲ୍ଲା ହୋଇପାରିଛି ବୋଲି ସେମାନେ ମତ ଦେଇଥିଲେ। କଳାହାଣ୍ଡିର ଏହି ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତା ଓ ପ୍ରତିବଦ୍ଧତାର ଉଚ୍ଚପ୍ରଶଂସା କରିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଥିଲେ।