Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚଳିତ ବର୍ଷ ୧୦ ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ସ୍ଵାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଓ ସଚିବ ମାନେ ନିୟମିତ ଭାବେ ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକ ପରିଦର୍ଶନ କରି ଏହାର ପରିଚାଳନା ପଦ୍ଧତି ଯାଞ୍ଚ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବୈଠକର ଆଲୋଚନାରୁ ଜଣାଯାଇଥିଲା ଯେ ରାଜ୍ୟରେ ବିଭାଗ ଅଧିନରେ ଥିବା ୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରିବା ପାଇଁ ଅନୁମତି ମିଳିଛି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଚଳିତ ବର୍ଷ ଅତି କମ୍‌ରେ ୧୦ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବା ଆବଶ୍ୟକ। ଆଗକୁ ମଧ୍ୟ, Drop Out ହାର କମାଇବା ପାଇଁ ଅଧିକ ଉଚ୍ଚ ବିଦ୍ୟାଳୟକୁ up-gradation କରାଇବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ରାଜ୍ୟର ବିଭିନ୍ନ ପ୍ରାଥମିକ ସ୍କୁଲର ହଷ୍ଟେଲ ଗୁଡିକ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହେଉଛି। ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ଏହା ବିଶେଷ ଭାବରେ କାର୍ଯ୍ୟକାରୀ ହେଉଛି। ତେବେ ଏହାର ହଷ୍ଟେଲ ଗୁଡିକର ଅବସ୍ଥା ଭଲ ନ ଥିବାରୁ ଏଗୁଡିକର ଉନ୍ନତିକରଣ କରାଯାଇ ନୂଆ ହଷ୍ଟେଲ ନିର୍ମାଣ କରାଯାଉଛି। ଅଭିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୦୧ଟି ହଷ୍ଟେଲର ଉନ୍ନତିକରଣ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ଆଦିବାସୀ ଅଞ୍ଚଳ ଗୁଡିକରେ ଥିବା ହଷ୍ଟେଲ ଗୁଡିକର ଉନ୍ନତିକରଣର ଆବଶ୍ୟକତା ରହିଛି। ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଆବଶ୍ୟକତା ଅନୁଯାୟୀ କେତେକ ହଷ୍ଟେଲକୁ ୧୦୦ ଆସନ ବିଶିଷ୍ଟ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଓଡିଶା ପାଇଁ ୧୧୪ଟି ସ୍କୁଲ ପାଇଁ ଅନୁମୋଦନ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୨ଟି ସ୍କୁଲ କାର୍ଯ୍ୟକାରୀ କରୁଛି ଏବଂ ଏ ବର୍ଷ ଆଉ ୧୫ଟି ସ୍କୁଲ ଖୋଲିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ବିଦ୍ୟାଳୟ ପାଇଁ ଯାହାସବୁ ଅନୁମୋଦନ ଆବଶ୍ୟକ, ବିଶେଷ କରି ଜଙ୍ଗଲ ଜମି ଅନୁମୋଦନ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଏହି ସ୍କୁଲ ଗୁଡିକୁ ଶୀଘ୍ର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହାସହିତ ବୈଠକରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ପିଲାଙ୍କ ଡ୍ରପ୍ ଆଉଟ୍‌ ରୋକିବା ପାଇଁ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ଜଙ୍ଗଲ ଜମି ଅଧିକାର ଯୋଜନା, ଅନ୍ବେଷା, ପି.ଏମ୍‌ ଜନମନ୍, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ,ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ରାଜସ୍ବ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସଚିବ ଶ୍ରୀମତୀ ରୂପାରୋଷନ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କୃଷି ଭବନ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଚାଷୀଙ୍କ ପାଇଁ କହିଲେ ଏପରି କଥା

ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସୁନାମ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୃଷକ ମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଭିନ୍ନ କୃଷକ ସଂଗଠନ ମାନଙ୍କ ସହିତ ଆଲୋଚନା କରି ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀଙ୍କ ସହିତ କୃଷି ଭବନ ପରିଦର୍ଶନ କରିଥିଲେ। ଏହି ଅବସରରେ ପ୍ରମୁଖ ସଚିବ ଶ୍ରୀ ପାଢ଼ୀ କୃଷି ଭବନର ସ୍ଵତନ୍ତ୍ର ନିର୍ମାଣ ଶୈଳୀ ଓ କୃଷକ ମାନଙ୍କ ପାଇଁ ହୋଇଥିବା ବିଭିନ୍ନ ସୁବିଧା ସଂପର୍କରେ ବୁଝାଇ ଥିଲେ।

ବୈଠକରେ ଭାରତୀୟ କିଷାନ୍ ସଂଘ, ଗ୍ରାମ ବିକାଶ ପରିଷଦ ଓ ଅନ୍ୟ କୃଷକ ସଂଗଠନର କର୍ମକର୍ତ୍ତା ମାନେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।

ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପି. ଏମ. କିସାନ ଯୋଜନାରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି କିନ୍ତୁ ସାମିଲ ହୋଇ ପାରି ନାହାଁନ୍ତି, ସମସ୍ତଙ୍କୁ ସାମିଲ କରାଯିବ। ଏଥିପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଓ ନିୟମ ପ୍ରସ୍ତୁତ କରୁଛନ୍ତି।

ସେହିପରି ଶୀତଳ ଭଣ୍ଡାର ପ୍ରତିଷ୍ଠା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମେ ୫୮ ଟି ସବ୍ ଡିଭିଜନ ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ପ୍ରତ୍ୟେକ ସବ୍ ଡିଭିଜନରେ ଗୋଟିଏ ଗୋଟିଏ ଶୀତଳ ଭଣ୍ଡାର ହେବା ଦ୍ବାରା ସବୁ ଅଞ୍ଚଳର ଚାଷୀ ମାନେ ଲାଭବାନ ହୋଇ ପାରିବେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ରାଜ୍ୟ ସରକାର ସମୃଦ୍ଧ କୃଷକ ନୀତି ପ୍ରସ୍ତୁତ କରୁଛନ୍ତି। ଏଥିରେ ଚାଷୀ ମାନଙ୍କୁ ଚାଷ ଆରମ୍ଭରୁ ଫସଲ ବିକ୍ରି ପର୍ଯ୍ୟନ୍ତ ପ୍ରତି ପଦକ୍ଷେପରେ ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ।

ସରକାର ଗଠନର ପ୍ରଥମ ଦିନରେ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବାରୁ କୃଷକ ସଂଗଠନ ମାନେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ଧନ୍ୟବାଦ୍ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନେଲେ ଏହି ପଦକ୍ଷେପ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଟାଉନ ହଲଠାରେ ରଥଯାତ୍ରା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନଙ୍କର ସହଯୋଗ କାମନା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ। ଜଣେ ଆଦିବାସୀ ଭାବେ ମୁଁ ନିଜକୁ ଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛି।

ସେ ପୁଣି କହିଲେ ଯେ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ପରିଚୟ ତାଙ୍କ ରଥଯାତ୍ରା ସାରା ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ବ। ଏହାର ସୁପରିଚାଳନା ଆମ ସମସ୍ତଙ୍କ ଦାୟିତ୍ୱ। ତେଣୁ ସମସ୍ତେ ଦାୟିତ୍ୱବାନ ହୋଇ ଏହାକୁ ଅତ୍ୟନ୍ତ ନିଷ୍ଠା ସହକାରେ ସୂଚାରୁରୂପେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ଯେହେତୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିବେ ।ସମସ୍ତଙ୍କ ମିଳିତ ସହଯୋଗରେ ରଥଯାତ୍ରା ସୁରୁଖୁରରେ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ପୁରୀର ଜନସାଧାରଣ, ମହାପ୍ରଭୁଙ୍କ ସେବାୟତ, ପ୍ରଶାସନ, ପୁଲିସ ସମସ୍ତେ ସେବା ଓ ସମର୍ପଣ ମନୋଭାବ, ମହାପ୍ରଭୁଙ୍କ ଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରି ସଫଳ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

ଏ ବର୍ଷ ଏକ ବିରଳ ରଥଯାତ୍ରା । ଏହି ଅବସରରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ଖୁସି ପ୍ରକାଶ କରି କହିଥିଲେ ଯେ ଏ ବର୍ଷ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଥିବାରୁ ରଥଯାତ୍ରା ପରଦିନ ମଧ୍ୟ ଛୁଟି ରହିବ। ତେଣୁ ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖ ମଧ୍ୟ ଛୁଟି ଘୋଷଣା କରାଗଲା।

ଏହି ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଅନ୍ୟ ମନ୍ତ୍ରୀ ଗଣ, ବିଧାୟକଗଣ, ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ, ମହାପ୍ରଭୁଙ୍କ ସେବାୟତଗଣ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମହାତ୍ମା ଗାନ୍ଧୀଙ୍କ ସମାଧୀ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ସହ ଦୁଇ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ସମଧୀପିଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଥମେ ସମସ୍ତେ ରାଜଘାଟ ଯାଇ ସେଠାରେ ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରିଥିଲେ। ଏହାପରେ ତିନି ଜଣ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମାଧୀପିଠରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହିତ ବିଜେପି ସଭାପତିଙ୍କୁ ସାକ୍ଷାତ କରିଛନ୍ତି। ସେହିପରି ଆଜି ମଧ୍ୟ ସମସ୍ତେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସଂଧ୍ୟାରେ ଏହି ତିନି ମନ୍ତ୍ରୀ ଦିଲ୍ଲୀର ଜଗନ୍ନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ବର: ଆଜି ରବିବାର ଛୁଟିରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ସରକାରୀ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି। ଆଜି ସେ ଅତିଥୀ ଭବନରେ ରଥଯାତ୍ରା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ। ଏଥିରେ ଆଇନି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇଥିଲେ। ଏଥିରେ କିପରି ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ହେବ ସେ ନେଇ ବିସ୍ତୁତ ଆଲୋଚନା କରାଯାଇଛି।

ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭକ୍ତ ଓ ଭଗବାନଙ୍କ ମିଳନର ମହାପର୍ବ ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିର୍ମା ନେଇ ଆଲୋଚନା କରିଛନ୍ତି । ଚଳିତ ବର୍ଷ ରଥଯାତ୍ରାରେ କିପରି ଶୃଙ୍ଖଳିତ ନୀତିକାନ୍ତି ଓ ସହଜ ଦର୍ଶନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ସହିତ ବହୁ ଅଧିକାରୀ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାମାଜିକ ଗଣମାଧ୍ୟମରୁ ଖବର ପାଇ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ମାଧପୁର ଗ୍ରାମର ୧୪ ବର୍ଷର ବାଳକ ବାବୁଲି ବାରିକ ସ୍ନାୟୁଗତ ଜଟିଳରୋଗରେ ପୀଡ଼ିତ ଅଛନ୍ତି । ଗରିବ ପରିବାରର ବାବୁଲି ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ଗଣମାଧ୍ୟମରୁ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ବାବୁଲିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଦଳ ବାବୁଲିଙ୍କ ଗ୍ରାମରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କ କଟକ ଏସ୍‌ସିବି ମେଡିକାଲକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି।

ଜିଲ୍ଲା ପ୍ରଶାସନ ବାବୁଲିଙ୍କ ପରିବାରକୁ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବାକୁ ଯୋଗାଯୋଗରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳଙ୍କ ଉପସ୍ଥିତିରେ ଖୋଲିଲା ଶ୍ରୀ ମନ୍ଦିରର ଚାରି ଦ୍ଵାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ମାନଙ୍କ ଉପସ୍ଥିତିରେ ଆଜି ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲା ଯାଇଛି।

ଆଜି ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟ ବାସୀଙ୍କ କଲ୍ୟାଣ କାମନା କରିଥିଲେ। ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରି ସେ ଚାରି ଦ୍ଵାର ପ୍ରଦକ୍ଷିଣ କରିଥିଲେ। ଏହା ସହିତ ସବୁ ଦ୍ଵାର ଖୋଲା ଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭକ୍ତ ମାନଙ୍କ ଭାବାବେଗକୁ ଓ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ କ୍ୟାବିନେଟରେ ଏଥିପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ଆଜି ଚାରି ଦ୍ଵାର ଖୋଲାଗଲା।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟର ବରିଷ୍ଠ ଆଇଏଏସ ଏବଂ ପୋଲିସ ଅଧିକାରୀ

ଭୁବନେଶ୍ବର: ଆଜି ନୂଆବର୍ଷ ଉପଲକ୍ଷେ ରାଜ୍ୟର ବରିଷ୍ଠ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଆଜି ସମସ୍ତେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ପ୍ରଦାନ କରି 2024ର ଶୁଭେଚ୍ଛା ଜଣାଇଥିଲେ।

ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ନେତୃତ୍ବରେ ଏହି ଆଇଏଏସ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ଯେଉଁମାନେ ଥିଲେ ସେମାନେ ହେଲେ ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଡି କେ ସିଂ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ପଞ୍ଚାୟତ ବିଭାଗର ସୁଶୀଲ ଲୋହାନୀ ପ୍ରମୁଖ ଥିଲେ।

ସେହିପରି ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ଭୁବନେଶ୍ବର କମିଶନରେଟ ପୋଲିସର ଏକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି।

Categories
ବିଶେଷ ଖବର

ମଧ୍ୟପ୍ରଦେଶରେ ଯାଦବ ମୁଖ୍ୟମନ୍ତ୍ରୀ: ମୋଦି ସରକାର ଓ ବିଜେପି ଆଉ କେତେ ଯାଦବଙ୍କୁ ପଦ ଦେଇଛନ୍ତି?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଜଣେ ଯାଦବ ନେତା ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ନିଯୁକ୍ତ କରିଛି। ଦଳର ଏହି ପଦକ୍ଷେପକୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ନିକଟରେ ପହଞ୍ଚିବା ଭଳି ଦେଖାଯାଉଛି। ଓବିସି ହେଉଛନ୍ତି ଦେଶର ସବୁଠାରୁ ବଡ଼ ସମୁଦାୟ। ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ଦଳର ୪ ଜଣ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଓ ଇନ୍ଦ୍ରଜିତ୍ ସିଂହ, ନିତ୍ୟାନନ୍ଦ ରାୟ ଏବଂ ଅନ୍ନପୂର୍ଣ୍ଣା ଦେବୀ ଯାଦବ ସମ୍ପ୍ରଦାୟର ଅଛନ୍ତି।

ସୁଧା ଓ ହଂସରାଜ ମଧ୍ୟ ଯାଦବ ସମ୍ପ୍ରଦାୟର

ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ସଂସଦୀୟ ବୋର୍ଡରେ ସୁଧା ଯାଦବ ଏବଂ ହଂସରାଜ ଗଙ୍ଗାରାମ ଅହିର ଜାତୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ ଅଛନ୍ତି। ଭୂପେନ୍ଦ୍ର ଯାଦବ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ମଧ୍ୟ ଅଛନ୍ତି। ସମସ୍ତ ଯାଦବ ନେତାମାନେ ବିଭିନ୍ନ ରାଜ୍ୟରୁ ଆସିଛନ୍ତି। ଭୂପେନ୍ଦ୍ର ଯାଦବ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଥିବାବେଳେ ରାଓ ଇନ୍ଦ୍ରଜିତ୍ ସିଂହ ହରିୟାଣାରୁ, ନିତ୍ୟାନ୍ଦ ରାୟ ବିହାରରୁ ଏବଂ ଅନ୍ନପୂର୍ଣ୍ଣା ଦେବୀ ଝାଡ଼ଖଣ୍ଡରୁ ଅଛନ୍ତି। ସେହିପରି ସୁଧା ଯାଦବ ହରିୟାଣାର ଓ ହଂସରାଜ ଗଙ୍ଗାରାମ ଅହିର ମହାରାଷ୍ଟ୍ରର ମୂଳ ବାସିନ୍ଧା।

ଏହି ରାଜ୍ୟଗୁଡ଼ିକରେ ଯାଦବଙ୍କ ସଂଖ୍ୟା ଅଧିକ ରହିଛି

ହିନ୍ଧୀ ହାର୍ଟଲ୍ୟାଣ୍ଡ ସମସ୍ତ ରାଜ୍ୟରେ ଯାଦବମାନେ ପ୍ରାୟ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ଏଥିରେ ହରିୟାଣା, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ରହିଛି। ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶ ଏବଂ ବିହାରରେ ମଧ୍ୟ ସେମାନେ ଭଲ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ତେବେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏହି ଦୁଇ ରାଜ୍ୟରେ ଯାଦବମାନେ ନିଜର ରାଜନୈତିକ ଦଳ ଗଠନ କରିଛନ୍ତି।

ଯାଦବ ଭୋଟରଙ୍କ ଉପରେ ଲଗାମ ଲଗାଇବା ପାଇଁ ଉଦ୍ୟମ

ଏବେ ୪ ଜଣ କେନ୍ଦ୍ରମନ୍ତ୍ରୀ, ଜଣେ ମୁଖ୍ୟମନ୍ତ୍ରୀ ଓ ୨ ଜଣ ପଦାଧିକାରୀଙ୍କୁ ନେଇ ବିଜେପି ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏହି ସମ୍ପ୍ରଦାୟ ନିକଟରେ ପହଞ୍ଚିଛି। ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସମେତ ଦକ୍ଷିଣ ରାଜ୍ୟ ଏବଂ ବଙ୍ଗଳାରେ ଯାଦବମାନେ ଉପସ୍ଥିତ ଅଛନ୍ତି। ଯାଦବ ପାରମ୍ପରିକ ଭାବରେ ହିନ୍ଦୁ ଧର୍ମ ଏବଂ ଏହାର ପ୍ରଥାରେ ଦୃଢ଼ ବିଶ୍ୱାସ ରଖିଛନ୍ତି ଏବଂ ଦଳ ତାଙ୍କୁ ନିଜର ପ୍ରଥମ ପସନ୍ଦ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ଓଡ଼ିଶାରେ ୨୦%ରୁ ଅଧିକ ଯାଦବ ମତଦାତା, କିନ୍ତୁ ବିଜେପିର ଅଣଦେଖା

ଓଡ଼ିଶାରେ ଓବିସିର ମୁଖ୍ୟ ଜନସଂଖ୍ୟା ଯାଦବ ଜାତିର ଅଛନ୍ତି। ଏହି ଜାତିର ନେତାମାନେ ନିଜର ଦାବି ଉପସ୍ଥାପିତ କରିବାରେ ବିଫଳ ହୋଇଛନ୍ତି। ଫଳରେ କୌଣସି ରାଜନୈତିକ ଦଳ ଏତେ ସଂଖ୍ୟାର ଭୋଟରଙ୍କ ମଧ୍ୟରୁ ନେତା ବାଛିବାରେ ପଛଘୁଞ୍ଚା ଦେଉଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କଳାହାଣ୍ଡି ପାଇଁ ୧୨୦୦ କୋଟି ଟଙ୍କା ଢାଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ।

କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆରେ ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ। ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ଟି ବସ୍‌ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭାବେ ନାମିତ କରିଥିଲେ।

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାରୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା। ଯୋଜନାର ଶୁଭାରମ୍ଭ ପରେ ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାଇଥିଲେ ଏବଂ ସେଠାରେ ଏକ ବିକ୍ୟୁଏସ୍‌ ଫ୍ୟାସିଲିଟିର ଉଦ୍‌ଘାଟନ କରିଥିଲେ ।

ଆଜି ଦିନଟି କଳାହାଣ୍ଡିର ବିକାଶ ଯାତ୍ରାରେ ଏକ ବଡ଼ ମାଇଲ ଖୁଣ୍ଟ ଓ ବହୁତ ଆନନ୍ଦର ଦିନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ଏଠାରେ ୩୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ହେଲା। ଆଉ ୯୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖାଗଲା। ମୋଟ ୧୨୦୦ କୋଟି ଟଙ୍କା ଏହା ଜିଲ୍ଲାର ବିକାଶ ଗତିକୁ ଆହୁରି ଜୋରଦାର କରିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗାଁରେ ବସର ଅସୁବିଧା ବିଷୟ ରେ ଜାଣିବା ପରେ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ବାରା ଆପଣଙ୍କର ପ୍ରତି ଦିନର ଚିନ୍ତା ଦୂର ହେବ। ରାଜ୍ୟରେ ଚାଲିବ ଏକ ହଜାରରୁ ଅଧିକ ବସ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏଥିରେ ଆପଣଙ୍କ ଘର ପାଖକୁ ବସ ଆସିବ। ସମସ୍ତଙ୍କୁ ଯୋଡ଼ିବ। ପିଲାଙ୍କୁ ସ୍କୁଲ ସହିତ, ଚାଷୀକୁ ମାର୍କେଟ ସହିତ ଆଉ ମା ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ।

କଳାହାଣ୍ଡିର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ। ଶିକ୍ଷା ,ସ୍ୱାସ୍ଥ୍ୟ ଯୋଗାଯୋଗ, ଭିତ୍ତିଭୂମି ଶିଳ୍ପ କୃଷି ସବୁ କ୍ଷେତ୍ରରେ ଉନ୍ନତି କଳାହାଣ୍ଡି ବାସୀଙ୍କ ସପନକୁ ସାକାର କରିଛି। କଳାହାଣ୍ଡି ଆଜି ନିଜ ଇତିହାସକୁ ପରିବର୍ତ୍ତନ କରିଛି। ସଫଳତାର ନୂଆ କାହାଣୀ ଯୋଡ଼ିଛି। ବିକାଶର ଯାତ୍ରାରେ ଆଗକୁ ବଢ଼ିଛି। ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଦଉଛି ବୋଲି ସେ କହିଥିଲେ।

ଇନ୍ଦ୍ରାବତୀ ପ୍ରୋଜେକ୍ଟ କଳାହାଣ୍ଡି ବିକାଶର ଇଞ୍ଜିନ ବୋଲି ମତଦେଇ ସେ କହିଥିଲେ ଯେ ଏହି ପ୍ରୋଜେକ୍ଟ କଳାହାଣ୍ଡିର ଚେହେରାକୁ ଉଜ୍ଜଳ କରିଛି। ଖୁବ୍ ଶୀଘ୍ର ଏଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହେବ। ସବୁ ପଞ୍ଚାୟତକୁ ମିଳିବ ପଚାଶ ଲକ୍ଷ ଟଙ୍କା। ଆମ ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ।

ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ କଳାହାଣ୍ଡିର ବିକାଶ ଯାତ୍ରା ଆହୁରି ଆଗକୁ ଯିବ ବୋଲି ସେ ମତ ଦେଇଥିଲେ।

ଆଜି କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ମଧ୍ୟ ଉଦ୍‌ଘାଟିତ ହେଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ରେଣ୍ଡୋ ମାଝୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜଳସଂପଦ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଯୋଗ ଦେଇ କହିଲେ ଯେ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଇତିହାସ ରଚନା କରିଛନ୍ତି । ଯେଉଁ ପଞ୍ଚାୟତ ଗୁଡିକରେ ଲୋକମାନେ ସ୍ବପ୍ନରେ ସୁଦ୍ଧା ପରିବହନ ସୁବିଧା ପାଇବେ ବୋଲି ଭାବି ନ ଥିଲେ, ଆଜି ସେମାନଙ୍କ ପାଇଁ ସୁନ୍ଦର ଆଧୁନିକ ବସ୍‌ ପରିବହନ ବ୍ୟବସ୍ଥା ଉପଲବ୍‌ଧ ହୋଇଛି।

ଏହି କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, ବିଧାୟକଗଣ ଶ୍ରୀ ଭୂପିନ୍ଦର ସିଂ, ଶ୍ରୀ ଦିବ୍ୟଶଂକର ମିଶ୍ର, ଶ୍ରୀ ମୌଷଧି ବାଗ, ଶ୍ରୀ ପ୍ରଦୀପ କୁମାର ଦିଶାରୀ ପ୍ରମୁଖ ଯୋଗ ଦେଇ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଭର୍ଚ୍ୟୁଆଲ ପ୍ଲାଟଫର୍ମରେ ଉପସ୍ଥିତ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଏସ. ପି. ସିଂହ ବାଘେଲ ସହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣେ ଛାତ୍ର ପ୍ରତୀଶ କୁମାର କୁମ୍ଭାରଙ୍କ ସହିତ ବାର୍ତ୍ତାଳାପ କରିଥିଲେ।

ପାଠ ପଢିବାର ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରିବା ପରେ ସେ କହିଥିଲେ ଯେ ଏଠାରେ ପାଠ ପଢିବା ପାଇଁ ସବୁପ୍ରକାର ସୁବିଧା ସୁଯୋଗ ମିଳୁଛି ଏବଂ ଆମେ ଖୁସିରେ ପାଠ ପଢୁଛୁ। କେନ୍ଦ୍ରମନ୍ତ୍ରୀ ଶ୍ରୀ ବାଘେଲ୍ ଦୁଇ ଜଣ ଛାତ୍ରୀ ଅନୁପ୍ରିୟା କୁମାରୀ ଓ ଅନୁଷ୍କା ସିଂଙ୍କ ସହିତ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ ୩୨୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚଳିତ ବର୍ଷ ଠାରୁ ପାଠପଢା ଆରମ୍ଭ ହୋଇଛି। ୪୩.୧୮ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି କଲେଜରେ ୧୦୦ ଜଣ ଛାତ୍ର ପାଠ ପଢା ଆରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସରକାରୀ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହାଦ୍ବାରା ସ୍ବାସ୍ଥ୍ୟ ଶିକ୍ଷାରେ ଉନ୍ନତି ଆସିବା ସହିତ ସ୍ଥାନୀୟ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ମିଳିପାରିବ।

ମେଡିକାଲ କଲେଜ ସହିତ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୨୦୬ କୋଟି ଟଙ୍କା ବିନିଯୋଗରେ ଏକ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍‌ପିଟାଲ ମଧ୍ୟ ନିର୍ମାଣ କରୁଛନ୍ତି। ଏହା ବର୍ତ୍ତମାନ ନିର୍ମଣାଧୀନ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ସେ ୭୭ ବର୍ଷ ପୁରଣ କରି ୭୮ ବର୍ଷରେ ପଦାର୍ପଣ କରିଛନ୍ତି। ଏ ନେଇ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି। ହେଲେ ନିକଟରେ ତାଙ୍କର ଭଉଣୀ ଗୀତା ମେହେଟ୍ଟାଙ୍କ ମୃତ୍ୟୁ ପାଇଁ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଆଗରୁ ଘୋଷଣା କରିଥିଲେ।

ତେବେ ଆଜି ନବୀନଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ମୋର ଅଭିନନ୍ଦନ। ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନ କାମନା କରୁଛି।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ରାକ୍ଷୀ ପୂର୍ଣ୍ଣିମାରେ ନବୀନ ନିବାସ ମନା, ଜରୁରୀ କାମରେ ବ୍ୟସ୍ତ ରହିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା। ଚାରିଆଡେ ରହିବ ଉତ୍ସବ ମୁଖର। ହେଲେ ଆସନ୍ତାକାଲି କୌଣସି ଭଉଣୀ ସମର୍ଥକ ନବୀନ ନିବାସ ଆସିବାକୁ ମନା କରାଯାଇଛି। ଏ ନେଇ ଆଜି ନବୀନ ନିବାସ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିବେ। ସେଥିପାଇଁ ସେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ।

ତେବେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ କରୋନା ପାଇଁ ନବୀନ ନିବାସ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ହୋଲି ହେଉ କିମ୍ବା ରାକ୍ଷୀ କୌଣସି ପର୍ବରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କର୍ମି ନେତାଙ୍କ ମହଲରେ ବେଶ ଆଗ୍ରହ ରହିଥାଏ। ହେଲେ ଚଳିତ ବର୍ଷ ରକ୍ଷା ବନ୍ଧନ ପାଳନ ହେବ ନାହିଁ ବୋଲି ସୂଚନା ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

୭୭ତମ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ଏହି ଭାଷଣ

ଭୁବନେଶ୍ବର: ଆଜି ୭୭ ତମ ସ୍ବାଧୀନତା ଦିବସ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଉପଲକ୍ଷେ ସେ କହିଥିଲେ…

ପ୍ରିୟ ଭାଇ ଓ ଭଉଣୀମାନେ,

ଆଜି ୧୫ ଅଗଷ୍ଟ। ସ୍ୱାଧୀନତା ଦିବସ। ଏହି ପବିତ୍ର ଦିବସରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ।

ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କୁ ମୋର ସମ୍ମାନ ଜଣାଉଛି।

ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ଏ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲା।

ଆଜି ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଚନ୍ଦ୍ରଯାନ-୩ ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରିଛି।

ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତ୍ତିଭୂମି ଆଦି ବିକାଶର ସବୁ କ୍ଷେତ୍ରରେ 5-T କାର୍ଯ୍ୟକ୍ରମର ପଦକ୍ଷେପ ନୂଆ ଆଶା ସୃଷ୍ଟି କରିଛି। ରାଜ୍ୟର ସବୁ ଲୋକ- ଧନୀ, ଗରିବ, ମଧ୍ୟବିତ୍ତ, ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି।

ଓଡିଶାର ଅର୍ଥନୀତି ମଜବୁତ ହେଉଛି। ଗରିବୀ କମିଛି। ଓଡିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି। ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି।

ସଶକ୍ତିକରଣ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଜରୁରୀ।

ରାଜ୍ୟରେ 4373 ବ୍ୟାଙ୍କ ବିହିନ ପଞ୍ଚାୟତରେ ରାଜ୍ୟ ସରକାର ବ୍ୟାଙ୍କି ଆଉଟଲେଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ରାଜ୍ୟର ସବୁ ପଞ୍ଚାୟତ ର ଲୋକ ମାନେ ବ୍ୟାଙ୍କ ସେବା ପାଇପାରିବେ। ଏହାଦ୍ୱାରା ସବୁଠାରୁ ଅଧିକ ଉପକାର ପାଇବେ ବରିଷ୍ଠ ନାଗରିକ , ଆମର ମା ମାନେ ଏବଂ ଭିନ୍ନକ୍ଷମ ଭାଇ ଭଉଣୀ ମାନେ।

ଆପଣ ଜାଣନ୍ତି, ମଧୁବାବୁ ପେନ୍‌ସନ ଯୋଜନାରେ ନିକଟରେ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି। ଆଜିଠାରୁ ନୂଆ ହିତାଧିକାରୀମାନେ ପେନ୍‌ସନ ପାଇବେ।

ପ୍ରତି ଜୀବନ ମୂଲ୍ୟବାନ। ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏ ଦିଗରେ ସଫଳତାର ସହ ସେବା ଯୋଗାଉଛି। ଉତ୍ତମ ସ୍ବାସ୍ଥ୍ୟ ସେବା ନିଶ୍ଚିତ କରିଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବଡ ରୂପାନ୍ତର ଆଣିଛି।

ମା ମାନେ ହେଉଛନ୍ତି ବିକାଶର କର୍ଣ୍ଣଧାର, ମିଶନଶକ୍ତି ଆଜି ମା ମାନଙ୍କ ରୂପାନ୍ତରଣର ଶକ୍ତି ହୋଇଛି। ସେମାନେ ଏବେ ବିକାଶର ପରବର୍ତ୍ତି ସ୍ତରରେ ପହଞ୍ଚିଛନ୍ତି।

ଚାଷୀ ଆମର ଗୌରବ .ଚାଷୀର ବିକାଶ ସବୁବେଳେ ଆମର ଫୋକସ ହୋଇ ରହିଛି। ଚାଷୀ ଭାଇ ର ଫସଲ ବୀମା ପ୍ରିମିୟମ ଦାୟିତ୍ଵ ଏବେ ରାଜ୍ୟ ସରକାର ନେଇଛନ୍ତି।

ଯୁବ ସମାଜକୁ ରୋଜଗାରକ୍ଷମ କରିବା ପାଇଁ ଆମେ ପ୍ରତିବର୍ଷ ଏକ ଲକ୍ଷ  ଯୁବକଙ୍କୁ ଏନୟୁଏ ଯୋଜନାରେ ତାଲିମ ଦେବୁ। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ସହ ପ୍ରତି ଗାଁ ରେ ଆଧୁନିକ ଡିଜିଟାଲ ଭତ୍ତିଭୂମିର ବିକାଶ ଆମର ଲକ୍ଷ୍ୟ। ଏଥିପାଇଁ ଆମେ ଚାରି ହଜାର କୋଟି ଟଙ୍କାର ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ।

ଗରିବ ଲୋକ , ଚାଷୀ ,ମହିଳା,ଜନଜାତି, କଳାକାର, ଯୁବ ସମାଜ ସମାଜ ର ସବୁ ବର୍ଗର ଲୋକଙ୍କୁ ସାଥିରେ ନେଇ ଓଡିଶା ଆଜି ଆଗକୁ ବଢୁଛି .ସମସ୍ତ ଙ୍କ ବିକାଶ ହିଁ ପ୍ରକୃତ ବିକାଶ।

ଆସନ୍ତୁ, ଏକ ସମୃଦ୍ଧ ଓଡିଶା, ଏକ ରୂପାନ୍ତର ଓଡିଶା ଗଠନ ପାଇଁ ସମସ୍ତେ ମିଳିମିଶି କାମ କରିବା।  ଜୟହିନ୍

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, 5T ଉପକ୍ରମରେ ଓଡିଆ ମାଧ୍ୟମ ଘରୋଇ ସ୍କୁଲକୁ ମିଳିବ ମାଗଣା ପାଠ୍ୟପୁସ୍ତକ

ଭୁବନେଶ୍ବର: ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। 5T ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି।

ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବେ। ଏହା ଦ୍ୱାରା ରାଜ୍ୟର ୩୬୨୦ଟି ଘରୋଇ ତଥା ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୯ କୋଟି ୪୩ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ ଯେ, ଘରୋଇ ଓଡିଆ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ପିଲାମାନେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ମଧ୍ୟ ପ୍ରତିପାଦନ କରିଆସୁଛନ୍ତି।

ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ସହ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି ରାଜ୍ୟମାନଙ୍କରେ ଥିବା ଓଡିଆ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଆସୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବା ପଛରେ କଣ ରହିଛି ରହସ୍ୟ?

ଦିଲ୍ଲୀପ ହାଲି

ସାରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ଭାରତର ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଦ୍ବିତୀୟ ନେତା ହେଲେ। ଏହି ସ୍ଥାନରେ ପୂର୍ବରୁ ଥିଲେ ପଶ୍ଚିମବଂଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁ। ୨୨ ତାରିଖରେ ନବୀନ ତାଙ୍କ ସମକକ୍ଷ ହୋଇଥିଲେ। ଆଉ ୨୩ ତାରିଖରେ ସେ ସେହି ରେକର୍ଡ ଭାଙ୍ଗିଲେ। ଅର୍ଥାତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ ବର୍ଷ ୧୩୯ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଲେଣି। ଯାହା ଜ୍ୟୋତି ବସୁଙ୍କଠାରୁ ଆଜି ଦିନଟିଏ ଅଧିକା ହୋଇ ରେକର୍ଡ ଭାଙ୍ଗିଲେ।

ଏହାକୁ ନେଇ ସାରା ଦେଶର ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। କାରଣ ପୂର୍ବରେ କେବେ ରାଜନୀତିରେ ନ ଥିବା ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଏତେ ବର୍ଷ ଧରି ଶାସନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେତିକି ନୁହେଁ ସେ ଆସିବା ପରେ ଓଡିଶା ପରି ଗରୀବ ରାଜ୍ୟର କିପରି ଉନ୍ନତି ହୋଇପାରିଛି ସେ ନେଇ ମଧ୍ୟ ଚାଲିଛି ଆଲୋଚନା ଓ ପ୍ରଶଂସା।

ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ରାଜ୍ୟ ପାଇଁ ଯେଉଁ ବିକାଶ ମୁଳକ କାର୍ଯ୍ୟ କରିବାରେ ଲାଗିଛନ୍ତି ତାହା ଅନ୍ୟ ରାଜ୍ୟ ମଧ୍ୟ ଅନୁକରଣ କରିବାରେ ଲାଗିଛି। ଏହା ବର୍ତ୍ତମାନ ଜାତୀୟ ରାଜନୀତିରେ ‘ନବୀନ ମଡେଲ’ ଭାବେ ପରିଗଣିତ ହୋଇଛି। ଓଡିଶାର ଜଣେ ଗରିବ ଲୋକର ଛୁଆ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ଶତାଧିକ ଯୋଜନା ଖଂଜି ଦେଇଛନ୍ତି ନବୀନ। ଜନ୍ମ ହେଲେ ପଇସା, ରୋଗ ହେଲେ ମାଗଣା ଚିକିତ୍ସା, ମାଗଣା ଚାଉଳ, ମୃତ୍ୟୁବରଣ କଲେ ସହାୟତା, ସବୁକିଛି ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେତେକି ନୁହେଁ ରାଜ୍ୟର ଐତିହାସିକ ପିଠର ଉନ୍ନତି, ଧର୍ମପିଠର ନବୀକରଣ, ସ୍କୁଲ ରୂପାନ୍ତରୀକରଣ, ମୋ କଲେଜ, ମୋ ସ୍କୁଲ ଏପରିକି ଛାତ୍ରାଛାତ୍ରୀମାନେ ଆଇଏଏସ, ଡାକ୍ତର ହେବା ପାଇଁ ମାଗଣା ପ୍ରଶିକ୍ଷଣ ଦେବା ମଧ୍ୟ ନବୀନ ବ୍ୟବସ୍ଥା କରିଛନ୍ତି। ଯାହାକୁ ନେଇ ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ତାଙ୍କର ପ୍ରଶଂସା କରାଯାଉଛି। କାରଣ ଏପରି ଯୋଜନା ଅନ୍ୟ କେଉଁ ରାଜ୍ୟରେ ହେଉଥିବ କି ନାହିଁ ସନ୍ଦେହ।

ତେବେ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବେଶ ଲୋକପ୍ରିୟ ଯୋଜନା ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆଉ ମିଶନ ଶକ୍ତି। ପୂର୍ବେ ଗରୀବ ଲୋକଟିଏ ଚିକିତ୍ସା ପାଇଁ ଘରଦ୍ବାର ବିକ୍ରି କରିଦେବା ପରି ଘଟଣା ଓଡିଶାରେ ଘଟୁଥିଲା। ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରେ ଏହା ବର୍ତ୍ତମାନ ଲୋପ ପାଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଡାକ୍ତରଖାନାରେ କ୍ୟାସ ଲେସ ଚିକିତ୍ସା ଆଜି ଓଡିଶାର ଗରିବ ଲୋକଙ୍କର ଏକ ବଡ ସାହା ଭରସା ହୋଇପାରିଛି।

ସେହିପରି ମିଶନ ଶକ୍ତି ମାଧ୍ୟମରେ ଗାଁ ଗାଁରେ ଏସଏଚଜି ଗ୍ରୁପ ଆଜି ଅନ୍ୟ ଏକ ଲୋକପ୍ରିୟ ନବୀନ ଯୋଜନା। କାରଣ ଏହା ମାଧ୍ୟମରେ ଘରେ ଭିତରେ ବସି ରହିଥିବା ମହିଳାମାନେ ଆଜି ରୋଜଗାରକ୍ଷମ ହୋଇପାରିଛନ୍ତି। ସେମାନଙ୍କୁ ସରକାର ଆର୍ଥିକ ସହାୟତାଠାରୁ ଆରମ୍ଭ କରି ଋଣ ଯୋଗାଇ ଦେବାରେ ସାହାଯ୍ୟ କରୁଛନ୍ତି। ଯାହାଫଳରେ ସେମାନେ ଘରୁ ବାହାରି ଆଜି ହୋଇପାରିଛନ୍ତି ସ୍ବାବଲମ୍ବୀ। ଏବେ ସେମାନେ ସ୍କୁଟି କିଣିବା ପାଇଁ ନବୀନ ପଟ୍ଟନାୟକ ବିନା ସୁଧରେ ଋଣ ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।

ଏତେ ସବୁ ଜନହିତକର ଯୋଜନା ପାଇଁ ଓଡିଶାର ସବୁ ବିରୋଧୀ ଦଳ ଅଣ୍ଟା ସଳଖି ରାଜନୀତି କରିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି। ବିଶେଷ କରି ବିରୋଧୀ ବିଜେପି, ପ୍ରତିିଟି କଥାରେ ନବୀନ ପଟ୍ଟନାୟକ ସମାଲୋଚନାଠାରୁ ଆରମ୍ଭ କରି ଗାଳି କରିବା ପରି କାମ କରୁଛନ୍ତି। ଯାହା ଲୋକଙ୍କର ପସନ୍ଦ ଯୋଗ୍ୟ ହୋଇପାରୁ ନାହିଁ। ଫଳରେ ସେମାନେ ଲୋକଙ୍କ ଦ୍ବାରା ବାରମ୍ବାର ପ୍ରତ୍ୟାଖାତ ହେବାରେ ଲାଗିଛନ୍ତି।

ଅନ୍ୟ ପକ୍ଷରେ ବିରୋଧୀଙ୍କ ପ୍ରବଳ ଆକ୍ରମଣକୁ ତିଳେ ମାତ୍ରେ ଖାତିରି କରୁ ନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ସଫା ସୁତୁରା ପଂଜାବୀରେ ଯେତେ ଦାଗ ଲଗାଇବାକୁ ବିରୋଧୀ ଚେଷ୍ଠା କଲେ ମଧ୍ୟ ବିଫଳ ହେଉଛନ୍ତି। ସେଥିପାଇଁ ନବୀନ ପଟ୍ଟନାୟକ ଓଡିଶାରେ ରାଜ୍ କରିବାରେ ଲାଗିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶା ରାଜଭବନରେ ସ୍ଥାପିତ ହେଲା ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ

ଭୁବନେଶ୍ୱର: ରାଜଭବନ ଇତିହାସରେ ଆଜି ଥିଲା ଏକ ଗୌରବମୟ କ୍ଷଣ। ଅତୀତରେ ଅନେକ ଐତିହାସିକ ଘଟଣାର ମୁଖ୍ୟକେନ୍ଦ୍ର ଏହି ରାଜଭବନ। ରାଜଭବନ ପରିସରରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭ ସ୍ଥାପନା ଥିଲା, ଆଉ ଏକ ସ୍ମରଣୀୟା ଘଟଣା ଓ ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି ଏକ ନୂତନ ପୃଷ୍ଠା ଏବଂ ଭବିଷ୍ୟତ ପୀଢ଼ିକୁ ସ୍ମରଣ କରାଇବ ଏହାର ଗୌରବମୟ ଇତିହାସ।

ସମଗ୍ର ବାତାବରଣ ଥିଲା ନିଆରା ଓ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା ଅଫୁରନ୍ତ ଆନନ୍ଦ। ଏହିପରି ଏକ ମନୋଜ୍ଞ ପରିବେଶ ମଧ୍ୟରେ ଆଜି ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଗରିମାମୟ ଉପସ୍ଥିତରେ ରାଜଭବନଠାରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭର ସଂସ୍ଥାପନା ଅନୁଷ୍ଠିତ ହୋଇଯାଇଛି।

ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବଟନ୍ ଦବାଇବା ପରେ ପୋଲିସ୍ ବ୍ୟାଣ୍ଡର ଧୁନ୍‌ରେ  20′x30′ ଜାତୀୟ ପତାକା ସ୍ତମ୍ଭର ଉଚ୍ଚକୁ ଉଠିଥିଲା ଓ ଏହାର ଉତ୍ତୋଳନ ପରେ ପୋଲିସ୍ ବ୍ୟଣ୍ଡ ଜାତୀୟ ସଂଗୀତ ପରିବେଷଣ କରିଥିଲେ। ଏହାପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପତାକାସ୍ତମ୍ଭ ସ୍ଥାପନାର ଉଦ୍‌ଘାଟନ ଫଳକକୁ ଉନ୍ମୋଚନ କରିଥିଲେ।

୩୨ମିଟର ଦୀର୍ଘ ସ୍ତମ୍ଭର ଉଭୟ ପାଶ୍ୱର୍ରେ ଥିବା ଫଳକରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଏହି ତ୍ରିରଙ୍ଗା ଧ୍ୱଜା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଅଦ୍ୟମ ସାହସ ଓ ସର୍ବୋଚ୍ଚ ବଳିଦାନର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ବୋଲି ଉଲ୍ଲେଖ ରହିଛି।

ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍‌. ବାଲକ୍ରିଷ୍ଣନ, ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲ୍‌, ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ। ଏତଦ୍‌ବ୍ୟତୀତ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ସେମାନଙ୍କ ପରିବାରର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ସହିଦ୍ ଦେବାଶିଷ ବିଶ୍ବାଳଙ୍କ ପରିବାରକୁ ପଚିଶ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜାମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଷ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହିତ ସହିଦ୍ ଦେବାଶିଷ ବିଶ୍ଵାଳଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚିଶ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ସହିଦ ଦେବାଶିଷ ବିଶ୍ବାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

Categories
ବିଶେଷ ଖବର

ବିଜେପିରେ ଯୋଗ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର: କଂଗ୍ରେସ ନେତୃତ୍ଵକୁ କଲେ ସମାଲୋଚନା

ନୂଆଦିଲ୍ଲୀ: ଅବିଭକ୍ତ ଆନ୍ଧ୍ରପ୍ରଦେଶର ଅନ୍ତିମ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ରେଡ୍ଡୀ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି।

ଦଳରେ ଯୋଗଦେବା ପରେ ଖୁବ ଶୀଘ୍ର ବିଜେପି ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରି କିରଣ କହିଛନ୍ତି ଯେ, କଂଗ୍ରେସ ଲୋକଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ନୁହେଁ ଏବଂ ହାଇକମାଣ୍ଡର ଭୁଲ ନିଷ୍ପତ୍ତି ଯୋଗୁଁ ଦଳ ରାଜ୍ୟ ପରେ ରାଜ୍ୟ ଭାଙ୍ଗୁଛି। ଏହା ଗୋଟିଏ ରାଜ୍ୟର ବିଷୟ ନୁହେଁ, ପ୍ରାୟ ସମସ୍ତ ରାଜ୍ୟ ସମାନ ଅବସ୍ଥାରେ ଅଛନ୍ତି।

ବିଜେପିରେ ଯୋଗଦେବା ପ୍ରଶ୍ନରେ କିରଣ କ’ଣ କହିଥିଲେ?:

ଗଣମାଧ୍ୟମକୁ ସମ୍ବୋଧିତ କରି କିରଣ କହିଛନ୍ତି ଯେ, ମୁଁ କଂଗ୍ରେସ ପାଇଁ କହିବାକୁ ଚାହେଁ ଯେ କଂଗ୍ରେସ ଦଳ ଲୋକଙ୍କ ମତ ବୁଝିବାରେ ସକ୍ଷମ ନୁହଁନ୍ତି। ଭୁଲ୍ କ’ଣ କଂଗ୍ରେସ ଦଳ ବିଶ୍ଳେଷଣ କରୁନାହିଁ, କିମ୍ବା ସେମାନେ ସଂଶୋଧନ କରିବାକୁ ଚାହୁଁନାହାଁନ୍ତି।

ସେମାନେ ଭାବନ୍ତି ଯେ, ସେମାନେ ଠିକ୍ ଅଛନ୍ତି ଏବଂ ଦେଶର ଲୋକଙ୍କ ସମେତ ଅନ୍ୟ ସମସ୍ତେ ଭୁଲ୍ କରୁଛନ୍ତି। ଏହି ଆଦର୍ଶ ହେତୁ ମୁଁ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛି। ସେମାନଙ୍କ ପାଇଁ ଏକ ପୁରୁଣା କାହାଣୀ ଅଛି ଯେ, ମୋର ରାଜା ବହୁତ ବୁଦ୍ଧିମାନ, ସେ ନିଜେ ଭାବନ୍ତି ନାହିଁ କିମ୍ବା ସେ କାହାର ପରାମର୍ଶ ଗ୍ରହଣ କରନ୍ତି ନାହିଁ। ଆପଣମାନଙ୍କୁ ସବୁ ଅବଗତ ହୋଇଯାଇଥିବ ଯେ, ମୁଁ କ’ଣ କହିବାକୁ ଚାହେଁ।

କିରଣ କୁମାର କଂଗ୍ରେସରୁ ଇସ୍ତଫା ଦେବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ସେ ଆନ୍ଧ୍ରପ୍ରଦେଶକୁ ଏବଂ ତେଲେଙ୍ଗାନାକୁ ପୃଥକ କରିବା ପାଇଁ ତତ୍କାଳୀନ ୟୁପିଏ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ୨୦୧୪ ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।

ଏହି ନିଷ୍ପତ୍ତିର ବିରୋଧ ଏପରି ଥିଲା ଯେ, ଇସ୍ତଫା ଦେବା ପରେ ସେ ନିଜର ଏକ ଦଳ ‘ଜୟ ସମେକ୍ୟ ଆନ୍ଧ୍ର’ ଗଠନ କରିଥିଲେ। କିନ୍ତୁ ୨୦୧୪ ନିର୍ବାଚନରେ ​​ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା ଏବଂ ପରବର୍ତ୍ତୀ ବର୍ଷରେ ଶ୍ରୀ ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଥିଲେ। ଯଦିଓ ସେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି, ତେବେ ଆଗାମୀ ଦିନରେ ରାଜ୍ୟ ୟୁନିଟରେ ବିଜେପି ତାଙ୍କୁ କେଉଁ ଭୂମିକା ଦେଉଛି ତାହା ଦେଖିବା ମଜାଦାର ହେବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କୃଷି ଓଡିଶା-୨୦୨୩; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା ଉପରେ ଗୁରୁତ୍ବ ଆରୋପ କରି ଚାଷୀ ମାନଙ୍କୁ ନୂଆ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବା ସହିତ ଅଧିକ ପରିମାଣରେ ଅଣଧାନ ଅର୍ଥକରୀ ଫସଲ ଚାଷ କରିବା ପାଇଁ ପରାମର୍ଶ ଦେଇଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ କୃଷି ଓଡିଶା-୨୦୨୩ ଆଜି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟେକ୍‌ନୋଲୋଜି ହେଉଛି ବିକାଶର ଆଧାର। କୃଷି କ୍ଷେତ୍ରରେ ମଧ୍ୟ ଟେକ୍‌ନୋଲୋଜିର ବହୁତ ଆବଶ୍ୟକତା ରହିଛି । ଏ ବର୍ଷ ମେଳାରେ କୃଷି କ୍ଷେତ୍ରରେ ନୂଆ ଟେକ୍‌ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ । ଚାଷୀମାନେ ସମସ୍ତେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବେ, ବ୍ୟବହାର କରିବେ ଏବଂ କୃଷି କ୍ଷେତ୍ରରେ ସଫଳ ହୋଇ ନିଜର ଓ ନିଜ ରାଜ୍ୟର ଉନ୍ନତିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କୃଷି ଓ କୃଷକମାନଙ୍କ ଉନ୍ନତି ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ । କୃଷି କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ହୋଇପାରିଛି। ଖାଦ୍ୟରେ ଅଭାବ ଥିବା ଏକ ରାଜ୍ୟରୁ ଆଜି ଆମେ ଖାଦ୍ୟଶସ୍ୟରେ ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛୁ ବୋଲି ସେ କହିଥିଲେ ।

କାଳିଆ ଯୋଜନା ଦ୍ବାରା ଚାଷୀ ମାନଙ୍କୁ ରୋଜଗାର ସୁରକ୍ଷା ମିଳିପାରିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଫାର୍ମ ମେକାନାଇଜେସନ ଉପରେ ଗୁରୁତ୍ବ ଦିଆଯାଇ ଫସଲ ଉତ୍ପାଦକତା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି ।

ପଣସ ମିଶନ, ଛତୁ ମିଶନ ଆଦି ସ୍ବତନ୍ତ୍ର ମିଶନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଆମର ମିଲେଟ ମିଶନ ଆଜି ସାରା ଦେଶ ଓ ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ମତଦେଇ ସେ କହିଥିଲେ ଯେ ଏହା ଆମର ମିଶନ ଶକ୍ତି ମା ମାନଙ୍କର ରୋଜଗାର ବଢାଇବାରେ ମଧ୍ୟ ସହାୟକ ହୋଇପାରିଛି।

‘କୃଷି ଓଡିଶା’ରେ ଉପସ୍ଥିତ ଥିବା WFP, IFAD ଏବଂ FAO ପରି ସଂସ୍ଥାର ପ୍ରତିନିଧି ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ସେମାନଙ୍କ ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ବିଭାଗ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । କୃଷକ ମାନଙ୍କ ଆୟବୃଦ୍ଧିରେ କୃଷି ଆନୁସଂଗିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଇ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ମାଛ, ମାଂସ, ଅଣ୍ଡା ଓ ଦୁଗ୍‌ଧ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିବା ସହିତ ଚାଷୀ ମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି କରାଯାଇପାରିଛି ବୋଲି ସେ କହିଥିଲେ ।

ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତୋ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିକାଶ ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ, ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଭୁବନେଶ୍ବର: ବରଗଡ଼ ଜିଲ୍ଲା ପାଇକମାଳ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବରେ ଉନ୍ନୀତ କରାଯାଇଛି। ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ଆଜି ପୂରଣ ହୋଇଛି।

ସୂଚନା ଯୋଗ୍ୟ ଯେ ଗତ ଉପନିର୍ବାଚନ ସମୟରେ ପାଇକମାଳ ର ଜନତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ପାଇକମାଳ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବୀ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବି କୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ।

ଏହାଦ୍ୱାରା ସେଠାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆହୁରି ଉନ୍ନତି ହେବା ସହିତ ଜନସାଧାରଣଙ୍କୁ ଅଧିକ୍ ଉନ୍ମତ ସ୍ୱାସ୍ଥ୍ୟ ସେବା ମିଳିପାରିବ। ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ ହେବେ।
ପାଇକମାଳ ର ଜନସାଧାରଣ ସେ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ରେ ଉନ୍ନତି ପାଇଁ ଦୀର୍ଘ ଦିନ ହେଲା ଦାବୀ କରିଆସୁଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି କୋରାପୁଟ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ୧୫୯୬ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଗସ୍ତ କରିବେ। ସେଠାରେ ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟର ପ୍ଲାଟିନମ ଜୁବିଲି ଉତ୍ସବରେ ଯୋଗଦେବେ। ଗତକାଲି ବିକ୍ରମ ଦେବ କଲେଜକୁ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ସାରିଛନ୍ତି।

ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଥିବାରୁ ଏହି ଉତ୍ସବର ମାହଲ ଦୁଇଗୁଣ ବୃଦ୍ଧି ପାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଆଜି ଜିଲ୍ଲାରେ ୧୫୯୬ କୋଟି ଟଙ୍କାର ୧୨୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।