ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ମୃତି ବିଜଡ଼ିତ ‘କଳିଙ୍ଗ ଷ୍ଟୁଡିଓ’ ପୁଣି ଥରେ ନୂଆ ରୂପରେ ଚଳଚଞ୍ଚଳ ହେବାକୁ ଯାଉଛି। ଦୀର୍ଘ ଦିନର ପ୍ରତୀକ୍ଷା ପରେ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଶୈଳୀରେ ନବୀକରଣ କରାଯାଇଥିବା ଏହି ଆଇକନିକ୍ ଷ୍ଟୁଡିଓକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିବେ। ପ୍ରାୟ ୧୬୪ କୋଟି ଟଙ୍କା ବ୍ୟୟରେ ପୁନଃନିର୍ମିତ ଏହି ଷ୍ଟୁଡିଓରେ କେବଳ ସିନେମା ଶୁଟିଂ ନୁହେଁ, ବରଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ମଧ୍ୟ ଅନେକ ମନୋରଞ୍ଜନଧର୍ମୀ ବ୍ୟବସ୍ଥା କରାଯାଇଛି।
ଷ୍ଟୁଡିଓ ପରିସରରେ ସ୍ନୋ ୱାର୍ଲ୍ଡ, ଭୂତ ବଙ୍ଗଳା, ଆମାଜନ ଜଙ୍ଗଲ, ବିମାନବନ୍ଦର, ରେଳଷ୍ଟେସନ, ଗାଁ ପରିବେଶ ସହ ଏକ ସୁନ୍ଦର ଆମ୍ୟୁଜ୍ମେଣ୍ଟ୍ ପାର୍କ ନିର୍ମାଣ କରାଯାଇଛି। ଏହି ପାର୍କ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବା ସହ ସେଠାରେ ସୁଟିଂ ପାଇଁ ମଧ୍ୟ ବିଶେଷ ସୁବିଧା ରହିବ, ଯାହା ରାଜ୍ୟ ପାଇଁ ଆବଶ୍ୟକୀୟ ରାଜସ୍ୱ ସୃଷ୍ଟି କରିବାରେ ସହାୟକ ହେବ।
ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (OFDC) ଅନୁଯାୟୀ, ଏହି ଅତ୍ୟାଧୁନିକ ଷ୍ଟୁଡିଓ ପ୍ରଯୋଜକ, ଚଳଚ୍ଚିତ୍ର ନିର୍ମାତା ଏବଂ ପର୍ଯ୍ୟଟକଙ୍କୁ ବହୁ ପରିମାଣରେ ଆକୃଷ୍ଟ କରିବ। ଆଗାମୀ ୨ ବର୍ଷ ପାଇଁ ଏହି ୧୬୪ କୋଟି ଟଙ୍କାର ଷ୍ଟୁଡିଓର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥା ‘ଯାତ୍ରୀ କର୍ପୋରେଟ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍’କୁ ପ୍ରଦାନ କରାଯାଇଛି।


