Categories
ଆଜିର ଖବର ଜାତୀୟ ଖବର

ବାରାଣସୀରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତରପ୍ରଦେଶର ବାରାଣସୀସ୍ଥିତ ରାଜ୍ୟ ଉଦ୍ୟୋଗ ବିକାଶ ପ୍ରାଧିକରଣ ଫୁଡ୍ ପାର୍କ, କାରଖିୟାଁଠାରେ ‘ବନସ ଡେରୀ ସଙ୍କୁଳ’ର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ୩୦ ଏକର ଜମିରେ ବ୍ୟାପ୍ତ ଏହି ଡେରୀର ନିର୍ମାଣରେ ପ୍ରାୟ ୪୭୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏଥିରେ ପ୍ରତିଦିନ ୫ ଲକ୍ଷ ଲିଟର ଦୁଗ୍ଧର ପ୍ରକ୍ରିୟାକରଣ କରାଯିବାର ସୁବିଧା ରହିବ।

ପ୍ରଧାନମନ୍ତ୍ରୀ ବନସ ଡେରୀ ସହିତ ଯୋଡି ହୋଇଥିବା ୧.୭ ଲକ୍ଷରୁ ଅଧିକ ଦୁଗ୍ଧ ଉତ୍ପାଦକମାନଙ୍କ ବ୍ୟାଙ୍କଖାତାଗୁଡିକୁ ପ୍ରାୟ ୩୫ କୋଟି ଟଙ୍କାର ବୋନସ୍ ଡିଜିଟାଲ୍ ମାଧ୍ୟମରେ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ବାରାଣସୀର ରାମନଗରସ୍ଥିତ ଦୁଗ୍ଧ ଉତ୍ପାଦକ ସମବାୟ ସଂଘ ପ୍ଲାଂଟ୍ ନିମନ୍ତେ ବାୟୋଗ୍ୟାସ୍ ଆଧାରିତ ବିଦ୍ୟୁତ୍ ଉତ୍ପାଦନ ପ୍ଲାଂଟ୍ର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ଜାତୀୟ ଡେରୀ ବିକାଶ ବୋର୍ଡ (ଏନ୍ଡିଡିବି)ର ସହାୟତରେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଦ୍ୱାରା ବିକଶିତ ଦୁଗ୍ଧ ଉତ୍ପାଦଗୁଡିକ ଅନୁରୂପ ଆକଳନ ଯୋଜନା ନିମନ୍ତେ ସମର୍ପିତ ଏକ ପୋର୍ଟାଲ୍ ଏବଂ ଏକ ଲୋଗୋର ଉନ୍ମୋଚନ କରିଥିଲେ।

ତୃଣମୂଳ ସ୍ତରରେ ଜମିର ମାଲିକାନା ସମସ୍ୟାକୁ ହ୍ରାସ କରିବାର ଅନ୍ୟ ଏକ ପ୍ରୟାସରେ ପ୍ରଧାନମନ୍ତ୍ରୀ ଉତରପ୍ରଦେଶର ୨୦ ଲକ୍ଷରୁ ଅଧିକ ଅଧିବାସୀଙ୍କୁ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟର ସ୍ୱାମିତ୍ୱ ଯୋଜନା ଅନୁସାରେ ଭର୍ଚୁଆଲି (ପ୍ରତୀୟମାନ ଭାବରେ କମ୍ପୁଟର ସାହାଯ୍ୟରେ) ଗ୍ରାମୀଣ ଆବାସିକ ଅଧିକାର ରେକର୍ଡ ‘ଘରୌନି’ର ବିତରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବାରାଣସୀରେ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହା ବାରାଣସୀରେ ଚାଲୁ ରହିଥିବା ୩୬୦ ଡିଗ୍ରୀ/ ସମ୍ପୂର୍ଣ୍ଣ ପରିବର୍ତନକୁ ଆହୁରି ଅଧିକ ସୁଦୃଢ଼ କରିବ।

ଏହି ଅବସରରେ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ଯାହାଙ୍କର ଜନ୍ମଦିବସକୁ କୃଷକ ଦିବସ ଭାବେ ପାଳନ କରାଯାଉଛି, ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରଧାନମନ୍ତ୍ରୀ ପ୍ରାଣୀଧନର ମହତ୍ୱ ଉପରେ ରେଖାଙ୍କିତ କରିଥିଲେ। ସେ କହିଥିଲେ ଯେ “ଗାଈମାନଙ୍କ ବିଷୟରେ କଥା ହେବା କିଛି ଲୋକଙ୍କ ନିମନ୍ତେ ଅପରାଧ ହୋଇପାରେ, ଗାଈକୁ ଆମେମାନେ ମାତା ରୂପେ ସମ୍ମାନ ଜଣାଇ ଥାଉ। ଯେଉଁ ଲୋକମାନେ ଗାଈ- ମଇଁଷିମାନଙ୍କୁ ନେଇ ପରିହାସ କରୁଛନ୍ତି, ସେମାନେ ଭୁଲି ଯାଉଛନ୍ତି ଯେ ଏହିଭଳି ପ୍ରାଣୀମାନଙ୍କ ଯୋଗୁଁ ଦେଶର ୮ କୋଟି ପରିବାରଙ୍କ ଜୀବନ- ଜୀବିକା ନିର୍ବାହ ହୋଇଥାଏ।” ସେ ଆହୁରି ମଧ୍ୟ କହିଥିଲେ ଯେ “ଭାରତର ଡେରୀ କ୍ଷେତ୍ରକୁ ସୁଦୃଢ଼ କରିବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତାଗୁଡିକ ମଧ୍ୟରୁ ଗୋଟିଏ।

ଏହି ଧାରାରେ ଆଜି ଏଠାରେ ବନସକାଶୀସଙ୍କୁଳର ଶିଳାନ୍ୟାସ କରାଯାଇ ଅଛି। ସେ ଗାଈଗୋରୁଙ୍କର ପାଦ ଏବଂ ପାଟିରେ ହେଉଥିବା ରୋଗ ନିମନ୍ତେ ଦେଶବ୍ୟାପି ଟୀକାକରଣ ସମ୍ପର୍କରେ ମଧ୍ୟ କହିଥିଲେ। ଦେଶରେ ଦୁଗ୍ଧ ଉତ୍ପାଦନ ୬-୭ ବର୍ଷ ପୂର୍ବେ ଯାହା ଥିଲା, ବର୍ତମାନ ତାହା ତୁଳନାରେ ପ୍ରାୟ ୪୫ ପ୍ରତିଶତ ବୃଦ୍ଧି ପାଇଛି। ଆଜି ଭାରତ ସମଗ୍ର ବିଶ୍ୱରେ ଉତ୍ପାଦିତ ହେଉଥିବା ଦୁଗ୍ଧର ପ୍ରାୟ ୨୨ ପ୍ରତିଶତ ଦୁଗ୍ଧ ଉତ୍ପାଦନ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ମୁଁ ବହୁତ ଖୁସି ଯେ ଉତରପ୍ରଦେଶ କେବଳ ଦେଶର ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟ ନୁହେଁ, ଏହା ମଧ୍ୟ ଉଲ୍ଲେଖନୀୟ ଭାବରେ ଡେରୀ କ୍ଷେତ୍ରରେ ବିସ୍ତାର କରିବାରେ ବହୁତ ଆଗରେ ଅଛି।”

ପ୍ରଧାନମନ୍ତ୍ରୀ ଡେରୀ କ୍ଷେତ୍ର, ପଶୁପାଳନର ଭୂମିକା ଏବଂ କୃଷକମାନଙ୍କର ଜୀବନରେ ପରିବର୍ତନ ଆଣିବା କ୍ଷେତ୍ରରେ ଶ୍ୱେତ ବିପ୍ଳବର ନୂତନ ପ୍ରୟାସ ଉପରେ ନିଜର ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ପ୍ରଥମତଃ ପଶୁପାଳନ ଦେଶରେ କ୍ଷୁଦ୍ର କୃଷକମାନଙ୍କ ନିମନ୍ତେ ଅତିରିକ୍ତ ଆୟର ଏକ ବଡ ଉତ୍ସ ହୋଇ ପାରିବ, ଯାହାର ସଂଖ୍ୟା ୧୦ କୋଟିରୁ ମଧ୍ୟ ଅଧିକ ଅଟେ। ଦ୍ୱିତୀୟତଃ, ଭାରତର ଡେରୀ ଉତ୍ପାଦଗୁଡିକର ବିଦେଶରେ ବହୁତ ବଡ ବଜାର ରହିଛି, ଯେଉଁ କ୍ଷେତ୍ରରେ ବୃଦ୍ଧି ହେବାର ଅନେକ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ପୁନଶ୍ଚ କହିଥିଲେ ଯେ ତୃତୀୟତଃ, ପଶୁପାଳନ ମହିଳାମାନଙ୍କର ଆର୍ôଥକ ଉତ୍ଥାନ ନିମନ୍ତେ, ସେମାନଙ୍କର ଉଦ୍ୟୋଗୀ ମନୋବୃତିକୁ ଆଗେଇ ନେବା ପାଇଁ ଏକ ଭଲ ମାଧ୍ୟମ ଅଟେ।

ଚତୁର୍ଥରେ, ପ୍ରାଣୀଧନ ମଧ୍ୟ ବାୟୋ ଗ୍ୟାସ୍, ଜୈବିକ କୃଷିଏବଂ ପ୍ରାକୃତିକ କୃଷିର ଏକ ବଡ଼ ଆଧାର ଅଟେ। ଭାରତୀୟ ମାନକ ବ୍ୟୁରୋ ଦେଶ ନିମନ୍ତେ ଏକ ଏକୀକୃତ ବ୍ୟବସ୍ଥା ଜାରି କରି ଅଛନ୍ତି । ଏହାର ପ୍ରମାଣ ନିମନ୍ତେ କାମଧେନୁ ଗାଈର ବିଶେଷତା ରହିଥିବା ଏକ ସମନ୍ୱିତ ଲୋଗୋ (ଚିହ୍ନ)ର ମଧ୍ୟ ଶୁଭାରମ୍ଭ କରାଯାଇଛି। ପ୍ରମାଣ ନିମନ୍ତେ, ଯଦି ଉତ୍ପାଦ ଉପରେ ଏହି ଲୋଗୋ ରହିଛି, ତେବେ ଶୁଦ୍ଧତାର ଚିହ୍ନଟ ସହଜରେ ହୋଇ ପାରିବ ଏବଂ ଭାରତର ଦୁଗ୍ଧ ଉତ୍ପାଦଗୁଡିକର ବିଶ୍ୱସନୀୟତା ମଧ୍ୟ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ।

ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟ ଅତିକ୍ରମ କରିବା ସହିତ ପ୍ରାକୃତିକ କୃଷିର ପରିସର କମ୍ ହୋଇ ଯାଇଛି ଏବଂ ରାସାୟନିକ କୃଷି ପ୍ରଭାବଶାଳୀ ହେବାରେ ଲାଗିଛି। “ଧରିତ୍ରୀ ମାତାଙ୍କର ନବୀକରଣ ନିମନ୍ତେ, ଆମ ମାଟିର ସୁରକ୍ଷା ନିମନ୍ତେ, ଆଗାମୀ ପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ନିମନ୍ତେ ଆମକୁ ପୁଣି ଥରେ ପ୍ରାକୃତିକ କୃଷି ଆଡ଼କୁ ମୁହାଁଇବାକୁ ପଡ଼ିବ। ଏହା ଆଜିର ସମୟର ଆବଶ୍ୟକତା ଅଟେ” ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ପ୍ରାକୃତିକ କୃଷି ଏବଂ ଜୈବିକ ଫସଲକୁ ଆପଣେଇବା ପାଇଁ ନିବେଦନ କରିଥିଲେ। ସେ କହିଥିଲେ ଯେ ଏହା ଫଳରେ ଆମ କୃଷିକୁ ଦୀର୍ଘକାଳୀନ ଭିତିରେ ଆତ୍ମନିର୍ଭର କରିବା ନିମନ୍ତେ ପର୍ଯ୍ୟାପ୍ତ ସହାୟତା ପ୍ରାପ୍ତ ହେବ।

ପ୍ରଧାନମନ୍ତ୍ରୀ ଉତରପ୍ରଦେଶର ୨୦ ଲକ୍ଷରୁ ଅଧିକ ବାସିନ୍ଦାଙ୍କୁ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟର ସ୍ୱାମିତ୍ୱ ଯୋଜନା ଅଧୀନରେ ଭର୍ଚୁଆଲି (ପ୍ରତୀୟମାନ ଭାବରେ କମ୍ପ୍ୟୁଟର ସାହାଯ୍ୟରେ) ଗ୍ରାମୀଣ ଆବାସିକ ଅଧିକାର ରେକର୍ଡ ‘ଘରୌନୀ’ର ବିତରଣ କରିଥିଲେ। ସେ କହିଥିଲେ ଯେ ଏହା ଗ୍ରାମୀଣ ଗରିବମାନଙ୍କ ନିମନ୍ତେ ବିକାଶ ଏବଂ ସମ୍ମାନ ନିମନ୍ତେ ନୂତନ ରାସ୍ତା ଖୋଲିବ ଏବଂ ସେମାନଙ୍କୁ ବିକାଶର କାହାଣୀର ଅଂଶୀଦାର କରିବ।

ସେ କହିଥିଲେ ଯେ ବାରାଣସୀ ଦ୍ରୁତ ଗତିରେ ବିକାଶର ମଡେଲ୍ରେ ପରିବର୍ତିତ ହେଉଛି। ନୂତନ ପ୍ରକଳ୍ପଗୁଡିକ ବାରାଣସୀର ଲୋକମାନଙ୍କ ପାଇଁ ଅଭୂତପୂର୍ବ ସୁଗମତା ଏବଂ ସୁବିଧା ଆଣୁଛି। ସେ କହିଥିଲେ ଯେ ଆଜି ଉଦ୍ଘାଟିତ ହୋଇଥିବା ଏବଂ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଭିତିଭୂମି ସହିତ ଯୋଡିହୋଇ ରହିଥିବା ଚିତ୍ର ଆହୁରି ମଜଭୁତ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତରପ୍ରଦେଶର ରାଜନୀତିକୁ ଜାତି, ମତ, ଧର୍ମର ଚଷମା ପିନ୍ଧି ଦେଖୁଥିବା ଲୋକମାନେ ଡବଲ୍ ଇଞ୍ଜିନ୍ (ଦୁଇ ଇଞ୍ଜିନ୍ବିଶିଷ୍ଟ)ର ଦୁଇଗୁଣା ଶକ୍ତିକୁ ନେଇ ଚିନ୍ତିତ ହୋଇ ପଡ଼ୁଛନ୍ତି । ସେ କହିଥିଲେ ଯେ ଏଭଳି ଲୋକମାନେ ସ୍କୁଲ୍, କଲେଜ୍, ସଡକ, ପାଣି, ଗରିବମାନଙ୍କ ନିମନ୍ତେ ଘର, ଗ୍ୟାସ୍ ସଂଯୋଗ ଏବଂ ଶୌଚାଳୟକୁ ବିକାଶର ଅଂଶ ବୋଲି ମାନନ୍ତି ନାହିଁ।” ଉତ୍ତରପ୍ରଦେଶର ଲୋକମାନଙ୍କୁ ପ୍ରଥମେ ଯାହା ମିଳିଥିଲା ଏବଂ ଉତରପ୍ରଦେଶର ଲୋକଙ୍କୁ ଆଜି ଆମ ସରକାରଙ୍କ ତରଫରୁ ଯାହା ମିଳୁଛି, ତାହା ମଧ୍ୟରେ ରହିଥିବା ପାର୍ଥକ୍ୟ ସ୍ପଷ୍ଟ ରୂପରେ ଦିଶୁଛି। ଆମେ ଉତରପ୍ରଦେଶର ଐତିହ୍ୟକୁ ବୃଦ୍ଧି କରୁଛୁ ଏବଂ ଆମେ ଉତରପ୍ରଦେଶର ବିକାଶ ମଧ୍ୟ କରୁଛୁ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣକୁ ଶେଷ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଶିକ୍ଷା କ୍ଷେତ୍ରର ପ୍ରକଳ୍ପ ଗୁଡିକରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ଇଂଟର ୟୁନିଭର୍ସିଟି ସେଂଟର ଫର୍ ଟିଚର୍ସ ଏଜୁକେସନ୍, ପ୍ରାୟ ୧୦୭ କୋଟି ଟଙ୍କା ଖର୍ଚ୍ଚରେରେ ନିର୍ମିତ ହୋଇଛି ଏବଂ କେନ୍ଦ୍ରୀୟ ଉଚ୍ଚ ତିବ୍ବତ ଅଧ୍ୟୟନ ସଂସ୍ଥାନରେ ଏକ ଶିକ୍ଷକ ଶିକ୍ଷା କେନ୍ଦ୍ର ୭ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରି ନିର୍ମାଣ କରାଯାଇଛି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ବିଏଚ୍ୟୁ ଏବଂ ଆଇଟିଆଇ କରଉଣ୍ଡିରେ ଆବାସିକ ଫ୍ଲାଟ୍ ଏବଂ ଷ୍ଟାଫ୍ କ୍ୱାର୍ଟରଗୁଡିକର ମଧ୍ୟ ଉଦ୍ଘାଟନ କରିଥିଲେ।

ସ୍ୱାସ୍ଥ୍ୟ କ୍ଷେତ୍ରରେ, ମହାମାନ୍ୟ ପଣ୍ଡିତ ମଦନ ମୋହନ ମାଲବ୍ୟ କ୍ୟାନସର କେନ୍ଦ୍ରରେ ଡାକ୍ତରମାନଙ୍କର ଛାତ୍ରାବାସ, ଏକ ନର୍ସ ଛାତ୍ରାବାସ, ଏବଂ ଆଶ୍ରମ ଗୃହର ୧୩୦ କୋଟି ଟଙ୍କାର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ। ସେ ଭଦ୍ରାସୀଠାରେ ୫୦ ଶଯ୍ୟାବିଶିଷ୍ଟ ସମନ୍ୱିତ ଡାକ୍ତରଖାନାର ଉଦ୍ଘାଟନ କରିଥିଲେ। ସେ ମଧ୍ୟ ଆୟୁଷ ମିଶନ ଅନୁସାରେ ପିଣ୍ଡ୍ରା ତହସିଲ୍ରେ ୪୯ କୋଟି ଟଙ୍କାର ସରକାରୀ ହୋମିଓପ୍ୟାଥିକ୍ ମେଡିକାଲ୍ କଲେଜ୍ର ଭିତିପ୍ରସ୍ତର ସ୍ଥାପନ କରିଥିଲେ

ସଡକ କ୍ଷେତ୍ରରେ ପ୍ରୟାଗରାଜ ଏବଂ ଭଦୋହୀ ସଡକଗୁଡିକ ନିମନ୍ତେ ଦୁଇଟି ‘୪ରୁ ୬ ଲେନ୍\’ ସଡ଼କ ପ୍ରଶସ୍ତିକରଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ବାରଣାସୀକୁ ସଂଯୋଗ ଉନ୍ନତ ମାନର ହେବ ଏବଂ ଏହା ସହରରେ ଟ୍ରାଫିକ୍ ଜାମ୍ ସମସ୍ୟାର ସମାଧାନ ଦିଗରେ ଏକ ପଦକ୍ଷେପ ହେବ।

ଏହି ପବିତ୍ର ସହରର ପର୍ଯ୍ୟଟନ କ୍ଷମତାକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ବାରାଣସୀସ୍ଥିତ ଶ୍ରୀ ଗୁରୁ ରବିଦାସଜୀ ମନ୍ଦିର, ସିର ଗୋବର୍ଦ୍ଧନ ସହିତ ସମ୍ବନ୍ଧିତ ପର୍ଯ୍ୟଟନ ବିକାଶ ପ୍ରକଳ୍ପର ପର୍ଯ୍ୟାୟ -୧ର ମଧ୍ୟ ଉଦ୍ଘାଟନ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିବା ଅନ୍ୟ ପ୍ରକଳ୍ପଗୁଡିକରେ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ, ଦକ୍ଷିଣ ଏସିଆ ଆଂଚଳିକ କେନ୍ଦ୍ରରେ ଏକ ଗତି ପ୍ରଜନନ ସୁବିଧା, ପାୟକପୁର ଗ୍ରାମରେ ଏକ ଆଂଚଳିକ ସନ୍ଦର୍ଭ ମାନକ ପ୍ରୟୋଗଶାଳା ଏବଂ ପିଣ୍ଡ୍ରା ତହସିଲ୍ରେ ଏକ ଆଡ୍ଭୋକେଟ୍ (ଅଧିବକ୍ତା) ଭବନ ଅନ୍ତର୍ଭୁକ୍ତ। (ପିଆଇବି)

 

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଉଦ୍‌ଘାଟିତ ହେଲା ସର୍ଜିକାଲ୍‌ ମାସ୍କ ତିଆରି କାରଖାନା

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଠାରେ ସର୍ଜିକାଲ୍‌ ମାସ୍କ ତିଆରି କରାଖାନାର ଉଦ୍‌ଘାଟନ ହୋଇଛି। ଭୁବନେଶ୍ୱର ସ୍ଥିତ ଚନ୍ଦକା ଶିଳ୍ପାଞ୍ଚଳରେ କରୋନା ମୁକାବଲା ଓ ବାୟୁ ପ୍ରଦ୍ୟୁଷଣକୁ ଆଖି ଆଗରେ ରଖି ଏନ-୯୫ , କେ ଏନ ୯୫ ଓ ସର୍ଜିକାଲ ମାସ୍କ ତିଆରି କରିବା କାରଖାନା ଉଦ୍‌ଘାଟିତ ହୋଇଛି। ଆଜି ଦିବା ୧୦ ଘଟିକାବେଳେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ଏହି କାରଖାନା ଉଦ୍ଘାଟିତ ହୋଇଛି।

ଏହି ଉଦ୍‌ଘାଟନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଡ.ନିତ୍ୟାନନ୍ଦ ପଟ୍ଟନାୟକ, ଶିକ୍ଷାବିତ୍‌ ଇଂ. ପ୍ରଭାତ ରଞ୍ଜନ ମଲ୍ଲିକ ଓ ବିଶିଷ୍ଟ ଶିଳ୍ପପତି ଜୀବନ କୁମାର ବଡୁ ଉପସ୍ଥିତ ରହିଥିଲେ। ସର୍ଜିକାଲ୍‌ ମାସ୍କ କାରଖାନା ଲାଗି କମ୍ପାନୀ ଟୁପିୟୁ ସର୍ଜିକାଲ୍‌ ପ୍ରାଇଭେଟ୍‌ ଲିମିଟେଡକୁ ଶୁଭେଚ୍ଛା ଜଣାଇଥିଲେ ଅତିଥିବୃନ୍ଦ।

ଏହି ସମାରୋହରେ କମ୍ପାନୀର ନିର୍ଦ୍ଦେଶକ ତପନ କୁମାର ବଳିଆରସିଂ ଅଭିଭାଷଣ ପ୍ରଦାନ କରିଥିଲେ। ସୁଖ ଓ ସୁସ୍ଥ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିମନ୍ତେ ସେ ବାର୍ତ୍ତା ଦେଇଥିବା ବେଳେ ଅନ୍ୟତମ ନିର୍ଦେଶକ ସତ୍ୟସ୍ୱରୂପ ଦାସ କର୍ମ ହିଁ ଭଗବାନ ଓ ସମସ୍ତେ କର୍ମ ଯୋଗୀ ହେଵା ନେଇ ମତ ରଖିଥିଲେ। କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ଚିନ୍ମୟ ଦାସଙ୍କ ଅନୁପସ୍ଥିତି ହେତୁ ତାଙ୍କୁ ସାମଗ୍ରିକ ଭାବେ ବଧେଇ ଜଣେଇଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ନିର୍ଦ୍ଦେଶକ ସତ୍ୟସ୍ବରୂପ ଦାସ ଯୋଗ ଦେଇଥିବାବେଳେ ସାଧାରଣ ପ୍ରବନ୍ଧକ ବିଶ୍ବମ୍ବର ନାଥ ଏହି ସଭାକୁ ପରିଚାଳନା କରିଥିଲେ।

Categories
ଆଜିର ଖବର

ଗୋପାଳପୁର ବେଳାଭୂମି ମହୋତ୍ସବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ: ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ

ସମୀକ୍ଷା ବ୍ୟୁରୋ

ବ୍ରହ୍ମପୁର: ବହୁ ପ୍ରତୀକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଏହାକୁ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୪ ଘଣ୍ଟା ସମୟରେ ଗୋପାଳପୁରଠାରେ ଥିବା ଅସ୍ଥାୟୀ ହେଲିପେଡ଼ରେ ଅବତରଣ କରି ସେଠାରୁ ସିଧା କାର୍ଯ୍ୟକ୍ରମ ସ୍ଥଳକୁ ଯାଇଥିଲେ। ଉପସ୍ଥିତ ନେତା, ଅଧିକାରୀଙ୍କ ଗହଣରେ ଗୋପାଳପୁର ମହୋତ୍ସବକୁ ଲୋକଙ୍କ ଉଦ୍ଦେଶ୍ୟରେ ଉଦ୍ଘାଟିତ କରିଥିଲେ। ଏହା ସହ ହର୍ବାଲ ମେଳା ଏବଂ ପଲ୍ଲିଶ୍ରୀ ମେଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ସମ୍ମାନିତ ଅତିଥି ରୂପେ ଜଂଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଅଶୋକ ଚନ୍ଦ୍ର ପଣ୍ଡା, ପୋଲସରା ବିଧାୟକ ତଥା ଗଂଜାମ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାଷ
ଚନ୍ଦ୍ର ବେହେରା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏମ୍.ଓ. କଲେଜ ଚେୟାରମ୍ୟାନ ଆକାଶ ଦଶନାୟକ, ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ଦିନରେ ବ୍ରହ୍ମପୁରର ଓଡ଼ିଶୀ ଡ଼୍ୟାନସ, ୱାଉ ଡ଼୍ୟାନସ ଏକାଡ଼େମୀ ବ୍ରହ୍ମପୁରର ମଡ଼ର୍ନ ଡ଼୍ୟାନସ, ହିଂଜିଳିକାଟୁର ଲକ୍ଷ୍ମୀନୃଶିଂହ କଳା ମନ୍ଦିର ପକ୍ଷରୁ ଡ଼୍ୟାନସ, ପ୍ରାରମ୍ଭିକ ସଂଗୀତ ଓଡ଼ିଶୀ ସଂଗୀତ ପରିଷର ବ୍ରହ୍ମପୁରର କଳାକାରମାନେ। ନରେନ୍ଦ୍ରପୁରର ଯୋଡ଼ିଶଂଖ, ବ୍ରହ୍ମପୁର ଗଂଜାମ କଳା ପରିଷଦର ଫକ୍ ଡ଼୍ୟାନସ, ମତ୍ସ୍ୟଜୀବୀଙ୍କ ଲୋକକଳା ପରିବେଷିତ ହୋଇଥିଲା। ଗଂଜାମ ତଥା ଓଡ଼ିଶାର କଳାସଂସ୍କୃତି ସହ ରାଜ୍ୟ ବାହାରୁ ମଧ୍ୟ ଉଚ୍ଚକୋଟିର କଳାସଂସ୍କୃତିକୁ ନିମନ୍ତ୍ରିତ କରାଯାଇଛି। ଯାହାକି ଦର୍ଶକ ଭରପୁର ଉପଭୋଗ କରିବାର ଯୋଜନା ରହିଛି। ଏଠାରେ ସୂଚନାଥାଉକି କୌଣସି କାରଣବଶତଃ ଦୈବ୍ୟଦୁର୍ବିପାକ ପାଇଁ ଗତ ତିନିବର୍ଷ ହେଲା ଏହି ବେଳାଭୂମି ମହୋତ୍ସବ ବନ୍ଦ ଥିଲା। ଯାହାକି ଏହିବର୍ଷ ମୁଖ୍ୟ ଆକର୍ଷଣକୁ ନେଇ ଅତି ସରଗରମ ରୂପେ ଏହି ମହୋତ୍ସବର ଚେୟାରମ୍ୟାନ ତଥା ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଗତ ୧୫ ଦିନ ହେଲା ତର୍ଜମା କରି ଏହାର ରୂପରେଖ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବଲିଉଡ଼ର ବହୁ ନାମୀ କଳାକାର ତଥା ଗାୟକ ମାନେ ଆସୁଥିବା ଯୋଗୁଁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଦର୍ଶକମାନଙ୍କର ସୁଅ ଛୁଟିବାର ଆଶା ରଖାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍ ପ୍ରଶାସନ ଏହି ମହୋତ୍ସବକୁ ପୁଙ୍ଖାନୁପୁଙ୍ଖ ଭାବରେ ନିରୀକ୍ଷଣ କରି ଏକ ସଫଳ ଉତ୍ସବରେ ଭେଟିଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଉଦ୍ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ବଲିଉଡ଼୍ ଗାୟକ ସୋନୁ ନିଗମ୍ ନିଜର ସଂଗୀତ ମାଧ୍ୟମରେ ଲୋକଙ୍କୁ ମତୁଆଲା କରିଥିଲେ। ସେ ନିଜେ ଗାଇଥିବା ବିଭିନ୍ନ ପ୍ରକାର ଗୀତରେ ଲୋକଙ୍କୁ ବାନ୍ଧି ରଖିଥିଲେ। ପ୍ରବଳ ଶୀତ ସତ୍ତ୍ୱେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗୋପାଳପୁର ଅଂଚଳ ପୋଲିସ୍ ଛାଉଣିରେ ପରିବର୍ତ୍ତନ ହୋଇଥିଲା। ପୋଲିସ୍ ବିଭାଗ ପକ୍ଷରୁ ୧୯ ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ସେ ୧୯ଟି ପାର୍କିଂ ସ୍ଥାନରେ କିଛି ବସ୍ ରହିଥିବାବେଳେ କିଛି ସ୍ଥାନ ହାଲୁକା ଗାଡ଼ି ଯଥା କାର୍ ରହିଥିଲା ଏବଂ ଅନ୍ୟ କିଛି ପାର୍କିଂ ସ୍ଥାନରେ ଦୁଇଚକିଆ ଯାନ ରହିଛି। ପ୍ରତ୍ୟେକ ପାର୍କିଂ ସ୍ଥାନରେ ବୋର୍ଡ଼ ଲଗାଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଏସ୍.ପି ସୂଚନା ଦେଇଥିଲେ। ସମୁଦାୟ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିୟୋଜନ ରହିଛନ୍ତି। ୨୫ ପ୍ଲାଟୁନ୍ ଫୋର୍ସ ବାହାରୁ ଆସିଛନ୍ତି ଏବଂ ୫ ପ୍ଲାଟୁନ୍ ଫୋର୍ସ ଗଂଜାମ ଜିଲ୍ଲାରୁ ରହିଛନ୍ତି। ୨୦୦ ହୋମ୍ଗାର୍ଡ଼କୁ ମଧ୍ୟ ନିୟୋଜିତ କରାଯାଇଛି। ୪ ଜଣ ଅତିରିକ୍ତ ଏସ୍ପି, ୧୦ ଜଣ ଡ଼ିଏସ୍ପି ରହିଛନ୍ତି। ସମୁଦାୟ ରୁଟ୍ କୁ ୮ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟରର ଗେଟ୍ ପୋଷ୍ଟରେ ଜଣେ ଜଣେ ଇନିସ୍ପେକ୍ଟର ନିୟୋଜିତ ରହି ଆଇନଶୃଙ୍ଖଳା ଏବଂ ଟ୍ରାଫିକ୍ ବ୍ୟବସ୍ଥା ଦେଖିବେ। ପ୍ରତି ଜଙ୍କସନ, ଭିଡ଼, ଛକ, ପାର୍କିଂ ସ୍ଥଳ ଅଂଚଳରେ ୨୦୦ ଟି ସିସି ଟିଭି ମାଧ୍ୟମରେ ଅନୁଧ୍ୟାନ କରାଯାଉଛି। ୧୦ ମୋଟର ସାଇକେଲ୍ ପେଟ୍ରୋଲିଂ ଟିମ୍ ସହ ସାଧା ପୋଷାକରେ ୨୦ ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି ଯେଉଁମାନେ କି ଆସାମାଜିକ ତତ୍ତ୍ୱକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ଫୋର୍ସ ରହିଛନ୍ତି।

ଏହି ମହୋତ୍ସବ ସହିତ ପଲ୍ଲିଶ୍ରୀ ମେଳା ଏବଂ ହର୍ବାଲ ମେଳା ମଧ୍ୟ ଉଦ୍ଘାଟିତ ହୋଇଯାଇଛି। ପଲ୍ଲିଶ୍ରୀ ମେଳାର ମୁଖ୍ୟ ଆକର୍ଷଣ ରାଜ୍ୟତଥା ରାଜ୍ୟ ବାହାର ପୁରପଲ୍ଲୀରୁ ଆସିଥିବା ବିଭିନ୍ନ ସାମଗ୍ରୀକୁ ଲୋକେ ଦେଖିବା ସହିତ ବିକ୍ରୀବଟା ହେବ। ହର୍ବାଲ ମେଳା ଦୀର୍ଘ ଦିନ ପରେ ହେଉଥିବା ଯୋଗୁଁ ଏହାର ଚାହିଦା ମଧ୍ୟ ଆୟୁର୍ବେଦିକ କ୍ଷେତ୍ରରେ ପ୍ରଚାର ଏବଂ ପ୍ରସାର ଉତ୍ତମ ରୂପେ ହୋଇପାରିବ ବୋଲି ଆଶା କରାଯାଉଛି। କାରଣ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ଆୟୁର୍ବେଦ ବିଶେଷଜ୍ଞ ଏବଂ ଜଡ଼ିବୁଟି ଚାଷ କରୁଥିବା ଚାଷୀ, ବିଭିନ୍ନ ବୈଦ୍ୟ ଏହି ମେଳାକୁ ଆସିବାର ବ୍ୟବସ୍ଥା କରାଯାଇଛି। ଯାହାଫଳରେ ଆୟୁର୍ବେଦ କ୍ଷେତ୍ରରେ ଯାହାକି ପୃଥିବୀର ଏକ ପୁରାତନ ଚିକିତ୍ସା ପଦ୍ଧତି ବିଷୟରେ ଲୋକେ ଅବଗତ ହେବା ସହ ଏହାର ଲାଭ ଉଠାଇପାରିବେ। ପ୍ରବଳ ଶୀତ ସତ୍ତେ୍ୱ ଲୋକଙ୍କ ଜନଗହଳି ଲାଗି ରହିଛି। ଏହି ମହୋତ୍ସବ ଡ଼ିସେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।