ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ ସୃଷ୍ଠ ବିପର୍ଯ୍ୟୟ ଓ ବନ୍ୟା ଯୋଗୁଁ ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ବାତ୍ୟା ପ୍ରଭାବିତମାନଙ୍କ ପାଇଁ ଘୋଷିତ ହୋଇଥିବା ସ୍ୱତନ୍ତ୍ର ପ୍ୟାକେଜ୍ ଅଧୀନରେ ପ୍ରଭାବିତ ଲୋକଙ୍କୁ ନଗଦ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ପ୍ରାୟ ୧୦୭ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି। ଏହି ପାଣ୍ଠିରୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲା ପାଇଁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ଏବଂ କୋରାପୁଟ ଜିଲ୍ଲା ପାଇଁ ୨୬ ଲକ୍ଷ ୨୭ ହଜାର ୫୦୦ ଟଙ୍କା ମୁକ୍ତ କରାଯାଇଥିବା ନେଇ ଏକ ପ୍ରେସମିଟ୍ ଜରିଆରେ ସୂଚନା ଦିଆଯାଇଛି।
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ ଏବଂ ୩୯୮ଟି ଗ୍ରାମ ବାତ୍ୟା ଓ ବନ୍ୟା ଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାବେଳେ ଜିଲ୍ଲାର ପ୍ରାୟ ୧ ଲକ୍ଷ ୫ ହଜାର ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବାତ୍ୟା ଓ ବନ୍ୟାର ପ୍ରକୋପରେ ଜିଲ୍ଲାରେ ୭୪ ହଜାର ହେକ୍ଟର ଚାଷଜମି ଏବଂ ୧ ହଜାରରୁ ଅଧିକ ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ମଞ୍ଜୁର ହୋଇଥିବା ଅର୍ଥରାଶି ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ପ୍ରଭାବିତ ୪ ଲକ୍ଷ ୨୯ ହଜାର ୭୮୨ଟି ପରିବାରକୁ ପରିବାର ପିଛା ୨,୫୦୦ ଟଙ୍କା ହାରରେ ନଗଦ ଅନୁଗ୍ରହ ରାଶି ପ୍ରଦାନ କରାଯିବ। ସେହିପରି କୋରାପୁଟ ଜିଲ୍ଲାର ୧,୦୫୧ଟି ପ୍ରଭାବିତ ପରିବାରକୁ ମଧ୍ୟ ପରିବାର ପିଛା ୨,୫୦୦ ଟଙ୍କା ହାରରେ ଏହି ସହାୟତା ଯାଗାଇ ଦିଆଯିବ। ଏହି ସମସ୍ତ ଅର୍ଥରାଶି ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯାଇଥିବାବେଳେ ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ଯୋଗ୍ୟ ପ୍ରଭାବିତ ପରିବାରଙ୍କୁ ତ୍ୱରିତ ଅନୁଗ୍ରହ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରାକୃତିକ ବିପର୍ଯ୍ୟୟର ଏହି କଠିନ ସମୟରେ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ ଆର୍ଥିକ ସହାୟତା ଓ ରିଲିଫ୍ ଯୋଗାଇଦେବା ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ମୁତାବକ, ପ୍ରଭାବିତ ଅଞ୍ଚଳରେ ପ୍ରାୟ ସମସ୍ତ ମୋବାଇଲ୍ ଟାୱାର ପୁନର୍ବାର କାର୍ଯ୍ୟକ୍ଷମ ହୋଇପାରିଥିବାବେଳେ ବିଦ୍ୟୁତ୍ ସେବା ମଧ୍ୟା ପୂର୍ବପରି ସ୍ୱାଭାବିକ କରାଯାଇଛି। ଏହା ସହିତ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସହଜ କରିବା ପାଇଁ ୫୬ ପ୍ରତିଶତ ନଳକୂପକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇସାରିଛି ଏବଂ ବାକି ନଳକୂପଗୁଡ଼ିକୁ ମଧ୍ୟ ଶୀଘ୍ର ଠିକ୍ କରାଯାଉଛି।
ଅନ୍ୟପକ୍ଷରେ, ଭଞ୍ଜନଗର ଅଞ୍ଚଳରେ ଘଟିଥିବା ଭୂସ୍ଖଳନ ସ୍ଥାନରେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରସୋରରେ ଚାଲିଛି। ବାତ୍ୟା ଓ ଭୂସ୍ଖଳନ ସମୟରେ ନିଖୋଜ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ବର୍ତ୍ତମାନସୁଦ୍ଧା ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟମାନଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି। ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିକୁ ପୁନର୍ନିର୍ମାଣ କରିବା ପାଇଁ ସରକାରୀ ସ୍ତରରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।


